Saturday, 28 September 2019

*ହିନ୍ଦୁତ୍ୱର ଚେରକୁ କାଟିବାର ଚିନ୍ତା*

ଡ. ଏନି ବେସେଣ୍ଟଙ୍କ ବକ୍ତବ୍ୟ ଗୋଟିଏ ପଟେ ଆମକୁ ହିନ୍ଦୁ ଧର୍ମର ବୈଜ୍ଞାନିକ, ଦାର୍ଶନିକ ଓ ଆଧ୍ୟାତ୍ମିକ ଶ୍ରେଷ୍ଠତାର ଦର୍ଶନ ତଥା ହିନ୍ଦୁତ୍ୱ ଓ ଭାରତ ଏକରୂପ ବୋଲି କହୁଥିବା ବେଳେ ଅନ୍ୟପଟେ ତାହାର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା ବ୍ୟକ୍ତ କରିଛି। ତାଙ୍କ ମନରେ ଏପରି ଆଶଙ୍କା ଜାତ ହେଲା କାହିଁକି ? ତାଙ୍କୁ କାହିଁକି କହିବାକୁ ପଡ଼ିଲା ଯେ ଭାରତର ପିଲାମାନେ ଯଦି ହିନ୍ଦୁତ୍ୱର ରକ୍ଷା ନ କରିବେ ତେବେ ଆଉ କିଏ ତାହାର ରକ୍ଷା କରିବ ?

ଏ ସନ୍ଦେହ ଦର୍ଶାଉଛି ଯେ ଯେଉଁ ହିନ୍ଦୁତ୍ୱ ପାଇଁ ଦୁନିଆ ଆମର ଅସ୍ତିତ୍ୱକୁ ଅନୁଭବ କରିପାରୁଥିଲା, ତାହା ଧୀରେ ଧୀରେ ହିନ୍ଦୁମାନେ ବିସ୍ମରଣ କରି ବସିଲେଣି ଏବଂ ଏହି ପ୍ରକ୍ରିୟା ଆଜି ଯାଏ ଚାଲୁ ରହିଛି। ଏହି ପ୍ରସଙ୍ଗ ସେତେବେଳେ ଯେତେ ପ୍ରାସଙ୍ଗିକ ଥିଲା ତାହା ଏବେ ଯଥେଷ୍ଟ ଅଧିକ ବୋଲି ଅନୁଭବ ହେଉଛି।

ଆମେ ଏବେ ଦେଖୁଛନ୍ତି ଶିକ୍ଷିତ ବ୍ୟକ୍ତିମାନଙ୍କର ନିଜ ଦେଶର ସଂସ୍କୃତି ବିଷୟରେ କିଛି ଜ୍ଞାନ ନାହିଁ। ଆମେ ଜଗତକୁ କିଛି ଦେଇଥିଲେ, ଏପରି କିଛି କଳ୍ପନା ନାହିଁ। ପରିଣାମତଃ ଆମ ସମାଜ ସତେ ଯେପରି ମୂଳରୁ ଉପୁଡ଼ି ଯିବାକୁ ବସିଛି।

ଏଭଳି ପରିସ୍ଥିତି କ'ଣ ପାଇଁ ସୃଷ୍ଟି ହେଲା ? ଏହାକୁ ବୁଝିବା ପାଇଁ ଆହୁରି ଗଭୀରତାର ସହ ବିଚାର କରିବାକୁ ହେବ। ଏହା ସ୍ୱାଭାବିକ ଭାବେ ହୋଇ ନାହିଁ। ଚତୁର ଇଂରେଜର ଆମ ସମାଜ ଉପରେ ହୋଇଥିବା ରାଜନୀତିକ, ସାମାଜିକ, ଆର୍ଥିକ, ସାଂସ୍କୃତିକ, ଶୈକ୍ଷିକ ଓ ସର୍ବବ୍ୟାପୀ ଆକ୍ରମଣର ଏହା ସ୍ୱାଭାବିକ ପରିଣତି ଅଟେ।

କିଛି ଉଲ୍ଲେଖନୀୟ ଘଟଣା -

ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଚାଲିଥିବା ବେଳେ ଫ୍ରାନ୍ସରେ ଅବେ ଡୁର୍ବାଇ ନାମକ ଜଣେ ଫ୍ରେଞ୍ଚ ମିଶନାରୀ କାମ କରୁଥିଲା। ଫ୍ରାନ୍ସ ରାଜ୍ୟ ବିପ୍ଳବ ସମୟରେ ସେ ସେଠାରୁ ଲୁଚି ଭାରତ ପଳାଇ ଆସିଲା ଓ ମାନ୍ଦ୍ରାଜ ପ୍ରେସିଡେନ୍ସିରେ କାର୍ଯ୍ୟ ଆରମ୍ଭ କରିଦେଲା। ଖ୍ରୀଷ୍ଟିଆନ ମତର ପ୍ରଚାର କରିବା ସମୟରେ ସେ ବହୁତ ଗଭୀରତାର ସହ ହିନ୍ଦୁ ସମାଜର ଜୀବନ ପଦ୍ଧତି, ପରମ୍ପରା, ସାଂସ୍କୃତିକ ମୂଲ୍ୟ ଆଦିର ଅଧ୍ୟୟନ କଲା ଏବଂ ନିଜର ମୂଲ୍ୟାଙ୍କନକୁ କମ୍ପାନୀର ନିର୍ଦେଶକଙ୍କ ପାଖକୁ ପଠାଇଦେଲା। ସେହି ମୂଲ୍ୟାଙ୍କନର ନିଷ୍କର୍ଷରେ ସେ ଲେଖିଥିଲା ଯେ ହିନ୍ଦୁ ମାନଙ୍କର ତତ୍ତ୍ୱଜ୍ଞାନ ଶ୍ରେଷ୍ଠ ଅଟେ। ତାଙ୍କର ପରମ୍ପରା ଓ ସଂସ୍କୃତି ମହାନ୍ ଅଟେ। ଯେ ପର୍ଯ୍ୟନ୍ତ ତାଙ୍କର ଏହି ଧର୍ମ ଓ ସଂସ୍କୃତି ପ୍ରତି ଗଭୀର ନିଷ୍ଠା ରହିଥିବ ସେ ପର୍ଯ୍ୟନ୍ତ ଏଠାରେ ଇଂରେଜ ଶାସନ ସ୍ଥାୟୀ ହୋଇପାରିବ ନାହିଁ ତଥା ଖ୍ରୀଷ୍ଟ ମତର ପ୍ରଚାର ମଧ୍ୟ ସହଜ ହେବ ନାହିଁ। ଅବେ  ଡର୍ବାଇଙ୍କ ଏହି ନିଷ୍କର୍ଷକୁ ନେଇ କମ୍ପାନୀ ବୋର୍ଡ଼ରେ ଅନେକ ବିଚାର-ବିମର୍ଶ ହେଲା। ଏଥିରୁ ହିନ୍ଦୁମାନଙ୍କୁ କିପରି ନିବୃତ୍ତ କରିହେବ ସେଥିପାଇଁ ଅନେକ ପଦକ୍ଷେପ ନିଆଗଲା।

୧୭୮୯ରେ ଉଇଲିୟମ ଜୋନ୍ସ ଅଭିଜ୍ଞାନ ଶାକୁନ୍ତଲମ୍ ଓ ହିତୋପଦେଶର ଅନୁବାଦ କଲେ। ୧୭୯୪ ରେ ମନୁଙ୍କ ଧର୍ମ ଶାସ୍ତ୍ରର ଅନୁବାଦ କଲେ। ୧୮୦୫ରେ ହେନରୀ କୋଲ ବ୍ରୁକ୍ "ଅନ ଦି ବେଦସ୍" ନାମକ ପ୍ରବନ୍ଧ ଲେଖିଲେ। ଏହି ସବୁ ଭାରତୀୟ ସାହିତ୍ୟର ଇଂରାଜୀ ଅନୁବାଦ ହେବା ଦ୍ୱାରା ପାଶ୍ଚାତ୍ୟ ଦେଶମାନଙ୍କରେ ଭାରତ ପ୍ରତି ଆକର୍ଷଣ ବଢ଼ିଲା।  ଦାରା ଶିକୋହ ଦ୍ୱାରା ଉପନିଷଦ ମାନଙ୍କର ଯେଉଁ ଫାର୍ସି ଅନୁବାଦ ହୋଇଥିଲା ତାହାର ଇଂରାଜୀ ଅନୁବାଦ ଓପନେଖତ ନାମରେ  ୧୮୦୧ ରେ ଆଙ୍କେତିଲ ଦୁପେରା କରିଥିଲେ। ଏହି ଅନୁବାଦକୁ ଯେତେବେଳେ ପ୍ରସିଦ୍ଧ ଜର୍ମାନ ବିଦ୍ୱାନ ଶୋପନ ହାବର ପଢ଼ିଲେ ସେ କହିଥିଲେ, "ଉପନିଷଦ ସର୍ବୋଚ୍ଚ ମାନବ ବୁଦ୍ଧିର ସୃଷ୍ଟି ଅଟେ। ଏହା ମୋର ମୃତ୍ୟୁ ସମୟରେ ମୋତେ ଶାନ୍ତିର ଆଶ୍ୱାସନା ଦେଉଛି, ଏହି ଶାନ୍ତି ମୃତ୍ୟୁ ପରେ ମଧ୍ୟ ରହିଥିବ। ଏହି ସମୟରେ ଆଗଷ୍ଟ ଉଇଲହେମସ ଫାନ ସ୍ଲେଗଲ ତଥା ହମବୋଲ୍ଟ ଆଦି ବିଦ୍ୱାନ ସଂସ୍କୃତ ସାହିତ୍ୟ ଦ୍ୱାରା ପ୍ରଭାବିତ ହେଲେ। ହମବୋଲ୍ଟ ଗୀତାକୁ ସଂସାରର ଗଭୀରତମ ଓ ସର୍ବୋଚ୍ଚ ବସ୍ତୁ ବୋଲି ମାନୁଥିଲେ। ଏହି ବିଦ୍ୱାନମାନଙ୍କର ଏପରି ଅନୁଭବ ସ୍ୱାଭାବିକ ଥିଲା।

କିନ୍ତୁ ଯେତେବେଳେ କ୍ରମଶଃ ଭାରତ, ଭାରତୀୟତା, ହିନ୍ଦୁ ଧର୍ମର ପ୍ରଚାର ସର୍ବତ୍ର ହେବାକୁ ଲାଗିଲା, ସେତେବେଳେ ଏହା ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କ ଦେହରେ ହଜମ ହେଲା ନାହିଁ। କାରଣ ସେମାନେ ବିଚାର କଲେ ଯେ ଯଦି ସଂସ୍କୃତ ସାହିତ୍ୟର ପ୍ରଚାର ଏହିପରି ଚାଲୁ ରହେ ତେବେ ବାଇବେଲର କଥା ଓ ସୃଷ୍ଟିର ଆରମ୍ଭ ଖ୍ରୀଷ୍ଟ ପୂର୍ବ ୪୦୦୦ ବର୍ଷ ବୋଲି ଦୁନିଆରେ ଆଉ କେହି ମାନିବେ ନାହିଁ।

ତେଣୁ ସେମାନେ ଏକ ନୁହେଁ ଅନେକ ଲୋକ ତିଆରି କଲେ ଯେଉଁମାନେ ଭାରତୀୟ ସାହିତ୍ୟ ଓ ଇତିହାସର ପ୍ରାଚୀନତା, ଶ୍ରେଷ୍ଠତା ଓ ଗହନତାର ବିରୋଧ କରିବାକୁ ଆଗେଇ ଆସିଲେ। ସେମାନଙ୍କର ବିରୋଧ ଅତ୍ୟନ୍ତ ଉତ୍କଟ ଥିଲା। ସେମାନେ ଭାରତର ଇତିହାସ, ସାହିତ୍ୟ ଓ ସଂସ୍କୃତିର ମହତ୍ତ୍ୱକୁ କମ୍ କରିବା ପାଇଁ ଅପ୍ରାମାଣିକ କରିବା ପାଇଁ ଅବାସ୍ତବ କରିବା ପାଇଁ ଅନେକ ମନଗଢ଼ା କାହାଣୀ ତିଆରି କଲେ ଓ କୁତର୍କର ଉପସ୍ଥାପନ କଲେ। ଏମାନଙ୍କ ମନରେ ଭାରତୀୟ ସାହିତ୍ୟ ପ୍ରତି କେତେ ଭୟ ଥିଲା ତାହାର ପରିଚୟ ଫ୍ରେଡ଼ରିକ୍ ବାଡ଼ମେର ଏପରି ଶବ୍ଦରେ ଦେଇଛନ୍ତି - "ବାଇବେଲର ରକ୍ଷକମାନେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ ତାଙ୍କୁ ଲାଗୁଛି ସଂସ୍କୃତର ପ୍ରଭାବ ବାଇବେଲର ସ୍ତୁପକୁ ଧ୍ୱସ୍ତ କରିଦେବ।" ( ଦି ଲୁମ୍ ଅଫ ଲାଙ୍ଗୁଏଜ, ନ୍ୟୁ ୟର୍କ, ୧୯୪୪, ପୃଷ୍ଠା - ୧୭୪)

୨୮.୯.୧୯

No comments: