Thursday, 28 February 2019

*ରକ୍ତ ଗରମ ହୋଇଯାଏ*

ତାଙ୍କ ଲିଖିତ ଗୁରୁଗୋବିନ୍ଦ ସିଂହଙ୍କ ଜୀବନୀରେ ସେ ଲେଖିଛନ୍ତି -

ତେଗ୍ ବାହାଦୁରଙ୍କ ଶରୀରକୁ ଚାରି ଖଣ୍ଡ କରି ଆଉରଙ୍ଗଜେବ
ଦିଲ୍ଲୀର ଚାରି ଦରୱାଜାରେ ଟଙ୍ଗାଇ ଦେଲା। ଗୁରୁଗୋବିନ୍ଦ ସିଂହଙ୍କର ଦୁଇ ପୁଅ ଯୁଦ୍ଧ କ୍ଷେତ୍ରରେ ଲଢ଼େଇ କରି ମଲେ, ଆଉ ଦୁଇ ପୁଅଙ୍କୁ /
ସାନ ସାନ ପିଲା ଦିଓଟିଙ୍କୁ  /
ସାତ ଓ ନ'ବର୍ଷର ପିଲା ଦିଓଟିକୁ
କାନ୍ଥ ଭିତରେ ଖୁନ୍ଦି ଦେଇ ଜୀବନ୍ତ ସମାଧି କରେଇଦେଲା, ବନ୍ଦୀଙ୍କୁ ସହସ୍ର ସହସ୍ର ରକ୍ତାକ୍ତ ଶିଖ ମୁଣ୍ଡ ଆଣି ଦେଖାଇଲା। ନିଜର ସାନ ପୁଅକୁ ନିଜ ହସ୍ତରେ ହତ୍ୟା କରିବା ପାଇଁ ବାଧ୍ୟ କଲା, ତଥାପି ମୁସଲମାନ କରିପାରିଲା ନାହିଁ -

ଏ ସବୁ କଥା ପାଠ କଲେ ହୃଦୟ କମ୍ପି ଉଠେ, ରକ୍ତ ଗରମ ହୋଇଯାଏ। କି ଜିଦ୍ ! କି ଆକ୍ରୋଶ ! କହନ୍ତି କି ଆଉରଙ୍ଗଜେବ ହିନ୍ଦୁର ପଇତା ୧ ମହଣ ନ ଉତାରିଲେ ଖାନା ଖାଉ ନ ଥିଲା। ସେ କେତେ ଯେ ହିନ୍ଦୁଙ୍କୁ ମୁସଲମାନ କରିଥିଲା ତାର ଇୟତା ନାହିଁ।

ପ୍ରତିକ୍ରିୟାର ପ୍ରତିକ୍ରିୟା ଅଛି। ଏହି ପ୍ରତିକ୍ରିୟା ସ୍ଵରୂପ ଶିଖ ଜାତିର ଉଦ୍ଭବ ଏବଂ ଗୁରୁଗୋବିନ୍ଦ ସିଂହ ସେହି ଶିଖ ଜାତିର ଦଶମ ମହୋଜ୍ଜ୍ଵଳ ଭାସ୍କର।

(ତାଙ୍କ ସାହିତ୍ୟର ବିଭିନ୍ନ ପ୍ରସଙ୍ଗ ପଢ଼ିବା ପରେ କିଏ ହୋଇଥିବେ ସେହି ବ୍ୟକ୍ତି ..ଖୋଜି ବାହାର କରିବେ।)

୨୮.୨.୧୯

Wednesday, 27 February 2019

*ଜୟ ଭାରତ*

ଜୟ ଭାରତ ଜୟ ଭାରତ !
ମୁନିଜନବନ୍ଦିତ ଭାରତ ହେ !

ଦୀର୍ଘ ରାତ୍ରୀ ସୁପ୍ତ ସେ ଯେ ଆଜି ଉଜାଗର
ତପସ୍ୟା ତାହାର ପୂର୍ଣ୍ଣ ହେବ ହେ ଅପାର,
ଉତ୍କଳ ତହିଁରେ ଦେଖ ଜାଗିଛି ସୁନ୍ଦର
ହୋଇ ଏବେ ନବ କୁସୁମିତ ହେ ।। ୧ ।।

କଳିଙ୍ଗଦାୟାଦ ଉଠ ଏବେ ମାତି ଯେତେ
ଶୋଭୁ ପୁଣି ତୋ ଜନନୀ ଅମୃତର ରୀତେ,
ଯୁଗଯୁଗାନ୍ତରୁ ଆସି ରହିଛନ୍ତି ଏଥେ
ସକଳେ ହୁଅନ୍ତୁ ସେ ପ୍ରାଣମିତ ହେ ।। ୨ ।।

ପରସ୍ପର ସ୍ନେହ ଘେନି ଦିନ ନିଅ ସୁଖେ
ଭରିରହୁ ପ୍ରେମ ତୋର ଦେଖି ଆଖି ମୁଖେ,
ଦିବସ ରଜନୀ ମାତି ସର୍ବେ ସୁଖେ ଦେଖେ
ଜୀବନେ ଆଜି ମୁହିଁ ଉଲ୍ଲସିତ ହେ ।। ୩ ।।

ଜଗତରେ ସର୍ବେ ସୁଖେ ରହନ୍ତୁ ଉତ୍କଳେ
ପବିତ୍ର ଏ ଦେଶ କରୁ ପବିତ୍ର ସକଳେ,
ଝଙ୍କାରି ଉଠନ୍ତୁ ମନ୍ଦ୍ରେ ଆନନ୍ଦ ବିହ୍ଵଳେ
ସର୍ବେ ହୁଅନ୍ତୁ ଆଜି ପୁଲକିତ ହେ ।। ୪ ।।

ଏହା ତାଙ୍କରି ରଚନା।
କେହି ଯଦି ପଢ଼ି ଥିବେ ତାଙ୍କ ନାଁ କହିବେ।

୨୭.୨.୧୯

Tuesday, 26 February 2019

*ବିଶିଷ୍ଟ ସମାଜସେବକ*

ତାଙ୍କ ବ୍ୟକ୍ତିତ୍ବ ତାଙ୍କ ଲିଖିତ ସାହିତ୍ୟରେ ପୂର୍ଣ୍ଣ ଭାବରେ ପ୍ରତିଫଳିତ ହୋଇଛି। କଳାବିତ୍ ମାନେ ଯେପରି ବ୍ୟକ୍ତିବିଶେଷର ମୁଖମଣ୍ଡଳର ବିଭିନ୍ନ ସୂକ୍ଷ୍ମରେଖା ମାନଙ୍କରୁ ତାଙ୍କର ଅନ୍ତର୍ଗତ ଚିନ୍ତାରାଶିର ସୂଚନା ପାଇଯାଆନ୍ତି, ସେହିପରି ଏହି ବ୍ୟକ୍ତିଙ୍କ ଲେଖା, ପ୍ରବନ୍ଧ, କବିତା ଗଳ୍ପ ସବୁଥିରୁ, ପ୍ରାୟ ସବୁ ବାକ୍ୟରୁ ତାଙ୍କର ମନର ସମସ୍ତ ପ୍ରକ୍ରିୟା ସ୍ପଷ୍ଟ ପ୍ରତୀତ ହୁଏ। ସେ ଥିଲେ ଜଣେ ସାମାଜିକ ବିପ୍ଲବୀ, ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କର ସ୍ୱାଧୀନ ବ୍ୟକ୍ତିତ୍ୱ ପ୍ରବଳ ବାଧାର ସମ୍ମୁଖୀନ ହୋଇଥିଲା। ସେ ବାଧାକୁ ସେ ଅତିକ୍ରମ କରିବା ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଛନ୍ତି। ଏହି ଉଦ୍ୟମ ତାଙ୍କୁ ଜଣେ ବିଶିଷ୍ଟ ସମାଜସେବକ କରାଇଥିଲା। ଏହି ଉଦ୍ୟମ ତାଙ୍କୁ ଜଣେ ସମାଜ ସଂସ୍କାରକ କରାଇଥିଲା। ଏହି ଉଦ୍ୟମ ତାଙ୍କୁ ଜଣେ ଜିଦଖୋର ମଣିଷ ମଧ୍ୟ କରାଇଥିଲା। ତାଙ୍କର ହୃଦୟର ସୂକ୍ଷ୍ମ ଶିରା ପ୍ରଶିରା ଏହି ଉଦ୍ୟମରେ ଆଉ କୋମଳ ହୋଇ ରହିପାରି ନ ଥିଲା। ଏଣୁ ତାଙ୍କର ସାହିତ୍ୟରେ ଲାଳିତ୍ୟ ବା ଆବେଗ ସେପରି ପ୍ରକାଶ ପାଇ ନାହିଁ। କିନ୍ତୁ ସମସ୍ତ ଭାବ ସ୍ପଷ୍ଟ ଭାବରେ ବ୍ୟକ୍ତ। ସେ ନିରୁଦ୍ଦେଶ୍ୟ ଲେଖକ ନ ଥିଲେ କିମ୍ବା ସାହିତ୍ୟ ତାଙ୍କର ଚିତ୍ତ ବିନୋଦ ପାଇଁ ଏକ ବିଳାସ ସାମଗ୍ରୀ ନ ଥିଲା। ସେ କାର୍ଯ୍ୟରତ ଥିଲେ। ସେହି ଭିତରେ ତାଙ୍କର ଚିନ୍ତା ଯେପରି ଯେଉଁ ଦିଗରେ ଗତି କରୁଥିଲା ତାହାକୁ ହିଁ ସେ କାଗଜ କଲମରେ ସାଇତି ଯାଇଛନ୍ତି। ଓଡ଼ିଆ ସାହିତ୍ୟରେ ଏ ପ୍ରକାର ସାହିତ୍ୟ ବିରଳ।

ତାଙ୍କରି ବିଷୟରେ ଡକ୍ଟର ହରେକୃଷ୍ଣ ମହତାବ ଏପରି କହିଛନ୍ତି।

ସେ କିଏ ???

୨୬.୨.୧୯

Monday, 25 February 2019

*ଆଉ କିଛି ସ୍ମୃତି*

ଏ ସବୁ ଘଟଣାକୁ ସ୍ମରଣ କରି ଯେଉଁ ଭାରତୀୟ ମହାପୁରୁଷଙ୍କ ବିଷୟରେ କୁହାଯାଉଛି, ତାଙ୍କୁ ଚିହ୍ନିବେ। ଓଡ଼ିଆ ହୋଇଥିବାରୁ ଜାଣିଲେ ଭଲ।

ଆଉ ଦିନକର ସ୍ମୃତି। ଇଂରାଜୀ ସାପ୍ତାହିକ ଅଵଜରଭର ଅଫିସର ଲାଇବ୍ରେରୀ ଘରେ ବସିଛି। ମେ ମାସର ଉଦୁଉଦିଆ ଖରାବେଳ। ବାହାରେ ଗରମ ପବନ ଲୁ ପରି ଶୁଖିଲା ପତ୍ର ଓ ଧୂଳି ଧରି ଉଡୁଛି। ସେହି ଅମାନୁଷିକ ମୁହୂର୍ତ୍ତରେ ମଧ୍ୟ ସେ ହାଜର। ମୋର ଶାଶୁଙ୍କ ନାଁ ଧରି ସେ  ସଙ୍ଗେ ସଙ୍ଗେ  ତାଙ୍କୁ ଡାକି ହଠାତ ବରାଦ ଦେଲେ - "ଖାଇବାକୁ ଆଣ। ଭୋକ ଲାଗୁଛି। ପାଦରେ ଚାଲି ଚାଲି ଏଇ ଚୌଦ୍ୱାରରୁ ଆସିଲି।"

ମୁଁ ବିସ୍ମୟରେ ପଚାରିଲି, "ସାର ଆପଣ ଏପରି ଅବେଳରେ ?" ସେ କହିଲେ, "ମୁଁ ଆଜି ନାଗପୁର ଯିବି ଏମ ଏ ପରୀକ୍ଷା ଦେବା ପାଇଁ। ପରୀକ୍ଷା ଆଉ ଦଶ ଦିନ ରହିଲା, ଇତିହାସରେ ଏମ ଏ ଦେବି। ତମ ଲାଇବ୍ରେରୀରେ କଣ ବହି ଅଛି ଦିଅ।"

ତା' ପରେ ଲାଇବ୍ରେରୀରୁ ଇତିହାସ ପାଠ୍ୟ ନିର୍ଘଣ୍ଟ ସହିତ କୌଣସି ସମ୍ପର୍କ ନ ଥିବା ଅଥଚ ଇତିହାସ ଶ୍ରେଣୀୟ କେତେଖଣ୍ଡ ବହିଧରି ପରମ ନିଶ୍ଚିନ୍ତରେ ସେ ଚାଲିଗଲେ।

ମୃତ୍ୟୁର ଦୁଇ ତିନି ବର୍ଷ ପୂର୍ବେ ଥରେ ତାଙ୍କର ଏମ ଏ ପାଠ ସମ୍ପର୍କରେ କଥା ପଡ଼ି ଥିବାବେଳେ ସେ ଦୁଃଖ କରି କହିଲେ, "ସବୁ ହେଲା, ଦର୍ଶନରେ ଆଉ ଏମ ଏ ପାସ କରିପାରିଲି ନାହିଁ।"

ଏବେ ମୁଁ ବୁଝୁଛି, ଦର୍ଶନରେ ପାସ କରି କେହି ଦାର୍ଶନିକ ହୋଇଯାଏ ନାହିଁ। ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ ଲାଭ କରି ସୁଦ୍ଧା ନିତାନ୍ତ ପାର୍ଥିବ ଲୋକ ପରି ବାଇଗଣ ଦର ମୁଲେଇବା ଏ ସମାଜରେ ବିରଳ ନୁହେଁ। ପ୍ରାଚ୍ୟ ଦର୍ଶନର ଶ୍ରେଷ୍ଠତ୍ଵ ହେଉଛି ଏହା ବିଦ୍ୟା ବା ବିତର୍କ ନୁହେଁ, ନିଜ ଜୀବନରେ ଏହା ଏକ ଅନୁଶୀଳନ ଓ ଉପଲବ୍ଧି।

ସେ ଥିଲେ ଜଣେ ବ୍ରହ୍ମଦର୍ଶୀ, ତତ୍ତ୍ୱଦର୍ଶୀ, ସତ୍ୟଦର୍ଶୀ, ଶ୍ରେଷ୍ଠ ଦାର୍ଶନିକ.. ମାଟିର ଦାର୍ଶନିକ, ତାଙ୍କ ଜୀବନ ଥିଲା ଅତ୍ୟନ୍ତ ସରଳ ଅଥଚ ଚିର ରହସ୍ୟମୟ।

ତାଙ୍କ ସହିତ ମିଶିବା ପରେ ମୁଁ ଅନୁଭବ କରୁଛି, ସାହିତ୍ୟ ମଧ୍ୟ ଜୀବନର ଏକ ବିଶିଷ୍ଟ ଅନୁଭବ। ଏହାର ଅଭିବ୍ୟକ୍ତି ପାଇଁ ଶୈଳୀ, ଆଙ୍ଗିକ ଓ ଶବ୍ଦ ସଂଯୋଜନା ପ୍ରଭୃତି ରୀତିକର୍ମର ପ୍ରୟୋଜନ ରହିଛି ନିଶ୍ଚୟ। କିନ୍ତୁ ସାହିତ୍ୟ ତାହାର ସ୍ୱାଭାବିକ ସ୍ଵତଃସ୍ଫୁର୍ତ୍ତ ସ୍ତରରେ ଏ ସବୁକୁ ମଧ୍ୟ ଅତିକ୍ରମ କରିପାରେ।

ପାଠକମାନେ ପଢ଼ି ସାରିଲେ କହିବେ ଏ କଥା ସୁରେନ୍ଦ୍ର ମହାନ୍ତି କାହା ଉଦ୍ଦେଶ୍ୟରେ ଲେଖିଛନ୍ତି।

୨୫.୨.୧୯

Sunday, 24 February 2019

*ନାମହୀନ ମନ୍ଦିର*

କାଲି ଯେଉଁ ବ୍ୟକ୍ତି ବିଷୟରେ କଥା ଚାଲିଥିଲା..
ଆଜି ଆଉ ଟିକିଏ ତାଙ୍କରି ବିଷୟରେ..

୧୯୪୫ ସାଲ ସାପ୍ତାହିକ "ଜନତା" ପ୍ରକାଶ ପାଉଥିବା ବେଳେ ମୁଁ ଗୋଟିଏ ସ୍ତମ୍ଭ ଧାରାବାହିକ ଭାବରେ ପ୍ରକାଶ କରିବାର କଳ୍ପନା କରିଥିଲି। ତାହା ହେଉଛି, ପ୍ରତ୍ୟେକ ସପ୍ତାହରେ ଜଣେ ଜଣେ ବିଶିଷ୍ଟ ବ୍ୟକ୍ତି ନିଜ ସମ୍ବନ୍ଧରେ ନିଜ ମୃତ୍ୟୁର ଶୋକଲିପି (obituary) ଲେଖିବେ।

ଏକ ଦର୍ପଣ ସମ୍ମୁଖରେ ଠିଆହୋଇ ନିଜର ପ୍ରତିମୂର୍ତ୍ତି ନିଜେ ଦେଖିଲା ପରି ଏହି ରଚନାରେ ଅତ୍ୟନ୍ତ ଅକପଟ ଭାବରେ କୌଣସି ଛଦ୍ମବେଶ ନ ରଖି  ପ୍ରକାଶ ପାଇବ ନିଜର ପ୍ରତିଛବି। ଯେଉଁ ୫୦ ଜଣଙ୍କ ନିକଟକୁ ମୁଁ ଅନୁରୋଧ ପତ୍ର ଲେଖିଥିଲି, ଇଏ ସେମାନଙ୍କ ଭିତରୁ ଥିଲେ ଜଣେ।

ଅନେକ ଏହା ଏକ ବିକୃତ ଚିନ୍ତାର ଉଦ୍ଭଟତା ବୋଲି ଗାଳି ଦେଇ ପତ୍ର ଲେଖିଥିଲେ। ସ୍ଵଭାଵ ସୁଲଭ ରୀତିରେ ଆଉ କେତେକ ଚିଠିର ଜବାବ ସୁଦ୍ଧା ଦେଲେ ନାହିଁ।

ଦିନେ ଯାଉଁଳିଆପଟି ବାଟେ ଚାଲି ଚାଲି ଯାଉଛି, ହଠାତ ତାଙ୍କୁ ରାସ୍ତାରେ ଦେଖିଲି। ସେ ସାଇକେଲ ସିଟକୁ ଗୋଟିଏ ମେଜ ରୂପେ ବ୍ୟବହାର କରି ବିଡ଼ାଏ କାଗଜରେ କଣ ଲେଖୁଛନ୍ତି। ମୁଁ ନମସ୍କାର କରିବା ମାତ୍ରେ ସେ କହିଉଠିଲେ - "ଆରେ, ହଠାତ ମନେ ପଡ଼ିଗଲା ଏଇ ସପ୍ତାହରେ ତମକୁ ମୋର ନିଜର ଶୋକଲିପି ଦେବାକଥା। ସେଥିପାଇଁ ମୁଁ ଏଠାରେ ଲେଖୁଛି। ଲେଖାଟା ସରି ଆସିଲାଣି, ନେଇଯାଅ।" କିଛି ସମୟ ପରେ ଲେଖାଟି ଶେଷ ହେଲା ଓ ମୁଁ ଲେଖାଟି ଧରି ଆସିଲି। ଏହିପରି ରାସ୍ତା ଉପରେ ସାଇକେଲ ସିଟ ଉପରେ କେତେ ରାଜନୈତିକ ବିବୃତି, ଖବର କାଗଜରେ କେତେ ପ୍ରବନ୍ଧ, କେତେ ରମ୍ୟ ରଚନା ଓ କବିତା ଯେ ସେ ସୃଷ୍ଟି କରିଯାଇଛନ୍ତି ତାର ଇୟତା ନାହିଁ। ତାଙ୍କର ଲେଖା ଏକ ଚେତନ ମନର ଆୟାସ ସିଦ୍ଧ ଶବ୍ଦ ପରି ସଂଯୋଜନା ନୁହେଁ ତାହା ଅବଚେତନର ଏକ ଉଛ୍ୱାସ - ଜ୍ୟୋତ୍ସ୍ନାର ଗୋଟିଏ ଝଲକ ପରି  ଝଞ୍ଜାର ଏକ ଆଘାତ ପରି ଅଥବା ଚଇତାଳିର ଏକ ଚୋରା ସ୍ପର୍ଶ ପରି ଯାହା ସ୍ପର୍ଶ କରିଯାଏ - ଯାହାକୁ ଅନୁଭବ କରିହୁଏ, ମାତ୍ର ବର୍ଣ୍ଣନା କରିହୁଏ ନାହିଁ।

ଲେଖାଟି ଧରି ଫେରିଲି। ଏକମାତ୍ର ତାଙ୍କ ଲେଖାଛଡ଼ା ବହୁ ପ୍ରତୀକ୍ଷା ପରେ ଆଉ କାହାର ଲେଖା ମିଳିଲା ନାହିଁ। ଗୋଟିଏ ଲେଖା ପ୍ରକାଶ କରି ସ୍ତମ୍ଭଟିକୁ ବନ୍ଦ କରିଦେବା ମୋର ଅଭିପ୍ରାୟ ନ ଥିଲା। ସେଥିପାଇଁ ଲେଖାଟି ମୋ ଦରଜାରେ ପଡ଼ିଥାଏ।

ସେଦିନ ସନ୍ଧ୍ୟା ପ୍ରାୟ ୮ଟା। ବାହାରେ ମୁଷଳ ଧାରାରେ ବର୍ଷା ଓ ଅନ୍ଧାର। ନିମଚୌଡ଼ି ଅଞ୍ଚଳରେ ମୋ ରହିବା ଘର ଦରଜାରେ ହଠାତ ପଡ଼ିଲା ଆଘାତ। ବାରମ୍ବାର ଆଘାତ ପରେ କବାଟ ଫିଟାଇ ଦେଖିଲି ଅଧା ତିନ୍ତିବୁଡ଼ି  ଛିଡ଼ା ହୋଇଛନ୍ତି ସେଇ ଲୋକ ଜଣକ। ମୁଁ ତାଙ୍କୁ ପଚାରିବା ଆଗରୁ ସେ ମୋତେ କହିଲେ, ଆରେ, ମୋ ଲେଖାରେ ଗୋଟିଏ ଭୁଲ ରହିଯାଇଛି। ମୁଁ ସେଥିରେ ଆଇସଵର୍ଗର ୧୧ ଭାଗରୁ ୧୦ ଭାଗ ପାଣିରେ ବୁଡ଼ିଥାଏ ଓ ଉପରକୁ ମୋଟେ ୧ ଭାଗ ଦେଖାଯାଉଥାଏ ବୋଲି ଲେଖିଛି। କିନ୍ତୁ ତାହା ଆଠ ଭାଗରୁ ଏକ ଭାଗ ହେବ। ସଂଶୋଧନ କରିଦେବ।

ସେ ଯେଉଁ ପ୍ରସଙ୍ଗରେ ଏହା କହିଲେ ତାହା ହେଉଛି, ସେ ନିଜ କଥା ଲେଖିଥିଲେ। ନିଜ ନାମ.....ଙ୍କର ପରଲୋକ ଘଟିଲା। ସେ ଆଇସବର୍ଗ ପରି ମଣିଷଟିଏ ଥିଲେ। ତାଙ୍କର ୧୧ ଭାଗରୁ ୧୦ ଭାଗ ପାଣିରେ ବୁଡ଼ି ରହିଥିଲା। ଯାହା ଉପରକୁ ଦିଶୁଥିଲା, ତାହା ମାତ୍ର ଗୋଟିଏ ଭାଗ। ସଂଶୋଧନ ପାଇଁ ଏତକ ସୂଚନା ଦେବାପରେ କପେ ଚାହା ପାଇଁ ସୁଦ୍ଧା ସେ ଅପେକ୍ଷା ନ କରି ଚାଲିଗଲେ।

ଯେପରି ଅନାହାତ ଭାବରେ ଅନ୍ଧାରରେ ଆସିଥିଲେ, ସେହିପରି ଆକସ୍ମିକ ଭାବରେ ସେ ଅନ୍ଧାର ରାସ୍ତାରେ ମିଶିଗଲେ। ସେ ଏହିପରି ଭାବରେ ରହିଆସିଛନ୍ତି, ଔଜ୍ଜ୍ୱଲ୍ୟର ଅନ୍ତରାଳରେ, ଭାଷଣର ନେପଥ୍ୟରେ ଏକ ଅନାବିଷ୍କୃତ ମହାଦେଶ ପରି। ବାସ୍ତବିକ ସେ କଣ ଭାବୁଥିଲେ, କଣ ଚିନ୍ତା କରୁଥିଲେ, କଣ ଅନୁଭବ କରୁଥିଲେ ତାହା ଆବିଷ୍କାର କରି ଆଜି କିଛି ଲାଭ ନାହିଁ। ସେ ଓଡ଼ିଶାର ନାମହୀନ ମନ୍ଦିରମାନଙ୍କ ପରି।

..... ସେ କିଏ ??

୨୪.୨.୧୯

Saturday, 23 February 2019

*ଭାରତୀୟ ଜୀବନୀ ମାଳା ଭିତରୁ ..*

ଦୀର୍ଘକାୟ, ମୁଣ୍ଡିତ, ବୋୖଦ୍ଧ ଭିକ୍ଷୁ ପରି ଦୁଇ ଆଖିର ସୁଦୂରପ୍ରସାରୀ ଦୃଷ୍ଟିରେ ଏକ ସ୍ନିଗ୍ଧ ପ୍ରଶାନ୍ତି, ଅନ୍ତତଃ ଅଧ ଡଜନ ଏମ ଏ ଡିଗ୍ରୀ ସତ୍ତ୍ୱେ ନିରଭିମାନ ଶିଶୁ ସୁଲଭ ଜ୍ଞାନ ଆହରଣର ଅଦମ୍ୟ କୌତୁହଳରେ ଚିରଚଞ୍ଚଳ, ନିରାଡ଼ମ୍ବର, ନିରଳସ ଓ ଉନ୍ମାସିକତା ବର୍ଜିତ ଏକ ଗରୀମାମୟ ଗ୍ରାମ୍ୟ ମୂର୍ତ୍ତି, ବନ୍ୟା ପ୍ରପୀଡ଼ିତ ଗ୍ରାମ୍ୟାଞ୍ଚଳର ଆର୍ତ୍ତ ଓ ପୀଡ଼ିତର ରୋଗ ଶଯ୍ୟା ପାଖରେ, ରାଜନୈତିକ ମଞ୍ଚରେ, ବିଦଗ୍ଧ ସାହିତ୍ୟ-ସମାଜରେ, ସଙ୍ଗୀତ ଉତ୍ସବରେ, ମୃତ୍ୟୁ, ମଡ଼କ ଓ ମହାମାରୀରେ, ରାସ୍ତାରେ, ଗଳିରେ, ବସ୍ତିରେ --- ଯେଉଁ ଅତି ପରିଚିତ ମଣିଷଟି ଶତ ନମସ୍କାରର ପ୍ରତିନମସ୍କାର ଜଣାଇ ଜଣାଇ ନାନା କୁଶଳ ପ୍ରଶ୍ନ ଜିଜ୍ଞାସା କରି କରି
ଚାଲୁଥିଲେ, ବୁଲୁଥିଲେ, ସେବାର ସେ ଥିଲେ ଏକ ଜୀବନ୍ତ ଵିଗ୍ରହ, ସମ୍ବେଦନଶୀଳ, ସହାନୁଭୂତିର ଯିଏ ଥିଲେ ଏକ ସ୍ନିଗ୍ଧ ପ୍ରତିମା, ଅନନ୍ତ ଜ୍ଞାନ ପିପାସାର ଯିଏ ଥିଲେ ଏକ ଅଶାନ୍ତ ପ୍ରତିମୂର୍ତ୍ତି, ପୁଣି ସର୍ବୋପରି ଯିଏ ଥିଲେ ଏକ ଅସାଧାରଣ ଭାବରେ ସାଧାରଣ ମଣିଷ, ବ୍ୟର୍ଥତାର ଜ୍ୱାଳା ଯାହାଙ୍କୁ କେବେ ଉତ୍ପୀଡ଼ିତ କରି ନ ଥିଲା କିମ୍ବା ଉତ୍କଟ ରାଜନୈତିକ ଉଚ୍ଚାକାଂକ୍ଷା ଯାହାଙ୍କୁ କେବେ ଜର୍ଜରିତ କରି ନ ଥିଲା, ଏକ ସଂସ୍କୃତିମନ୍ତ ଭାରତୀୟ ଜନତାର ଯିଏ ଥିଲେ ସାର୍ବଜନୀନ ପ୍ରତିନିଧି ସେହି ଓଡ଼ିଆ ବ୍ୟକ୍ତି ଜଣକ କିଏ ?

୨୩.୨.୧୯

Friday, 22 February 2019

*ଯିବା କୁଆଡ଼େ ?*

ସେବକ - "ଏବେ ପନ୍ତି ଭୋଗ ଲାଗିବ। ଆପଣ ଟିକିଏ ଦୂରେଇ ଯାଆନ୍ତୁ ଛାମୁ।"

(ରାମଚନ୍ଦ୍ରଦେଵ ହୁଅନ୍ତୁ ବା ମଧୁ ବାବୁ ହୁଅନ୍ତୁ, ସେତେବେଳେ ଲୋକେ ତାଙ୍କୁ ଅଛୁଆଁ ମଣୁ ଥିଲେ।)

ବେତ୍ରାହତ ରାମଚନ୍ଦ୍ରଦେଵ ସେଠାରୁ ଘୁଞ୍ଚି ଆସିଲେ। ଅଭିମାନୀ ବାଳକ ପରି ରୁଦ୍ଧ ଉଛ୍ବାସରେ ସେ ମନେ ମନେ ଅଭିଯୋଗ କରୁଥିଲେ - ହେ ସ୍ୱପ୍ନସମ୍ଭବ, ନିକଟରେ ଥିବାବେଳେ, ତୁମେ ରୁହ ସୁଦୂରତମ ହୋଇ, ମାତ୍ର ଯେଉଁ ଦିନ ନିଜ ଇଚ୍ଛାରେ ପୁଣି ଫେରି ଆସୁ ନିକଟକୁ, ସେଦିନ ଅଞ୍ଚଳ ଶୂନ୍ୟ ହୋଇଯାଇଥାଏ, ଅଶ୍ରୁରେ କେବଳ ହୁଏ ତୁମର ନୀରାଜନା।

ମନ୍ତ୍ରପାଠ ଚାଲିଥାଏ।

ଯାହାହେଉ ଜଗନ୍ନାଥ ଏଠାରେ ସାମୟିକ ଭାବରେ ନିରାପଦ।

କିନ୍ତୁ ଏହାପରେ ସେ ଯିବେ କୁଆଡ଼େ ?

ରାମଚନ୍ଦ୍ରଦେଵଙ୍କୁ ସ୍ୱସ୍ତିର ପ୍ରଫୁଲ୍ଲତା ନ ଥିଲା। ସେ କ୍ଳାନ୍ତି ଅନୁଭବ କରୁଥିଲେ। କିନ୍ତୁ ବିଶ୍ରାମ ନେବେ କେଉଁଠି ?

ଚିଲିକାର ଜଳ ରାଶି ହେନ୍ତାଳ ବଣ ଧାରରେ ଛଳ ଛଳ ହୋଇ ଉଠୁଥିଲା। ଜଗୁନି ଦୁଇ କାନ୍ଧରେ ଦୁଇଟା ଆହୁଲା ଧରି କୁଆଡ଼େ ବାହାରୁଥିଲା। ତାହାରି ଡଙ୍ଗାରେ ବସିଲେ ରାମଚନ୍ଦ୍ରଦେଵ। ଜଗୁନି ପଚାରୁଥିଲା - "ଯିବା କୁଆଡ଼େ ?"

ସମ୍ମୁଖରେ ଅକୁଳ, ଅଥଳ, ଧୂସର ଚିଲିକା ଉପରେ ନିର୍ମେଘ ଆକାଶ - ଗୋଟାଏ ନୀଳ ମରୁଭୂମି।

୨୨.୨.୧୯

Thursday, 21 February 2019

*ବନବାସୀର ଖାଦ୍ୟ*

ବଣ ନଟୀ ଭିତରୁ ଖସ ଖସ ଶବ୍ଦ ଶୁଣି, ସମସ୍ତେ ଆଶଙ୍କିତ ଦୃଷ୍ଟିରେ ସେହି ଆଡ଼େ ଚାହିଁ ରହିଲେ, ଜଗୁନି କାନ୍ଧରେ ଖଣ୍ଡେ ଜାମୁଡାଳ ପକାଇ, ହାତରେ ମୁତୁରୀ ଲଟାରୁ ଖଣ୍ଡେ ଓ ଅନେକ ବଣ ଫୁଲ ଧରି, ପରମ ଉଲ୍ଲାସରେ ଫେରୁଥିଲା ହନୁମାନ ପରି। ମୁଣ୍ଡର ବାଳ ସବୁ ତାର ଚଉଖୁଣ୍ଟିଆ ମୁଁହ, କପାଳ ଓ ଆଖି ଉପରେ ଢାଙ୍କି ହୋଇ ପଡ଼ିଥିଲା। ଗଡ଼ ଜୟ କରି ଫେରିବା ପରି ଉଲ୍ଲାସରେ ସେ ଉଲ୍ଲସିତ ଦିଶୁଥିଲା।

ଜାମୁଡାଳଟା ଫିଙ୍ଗିଦେଇ ଜଗୁନି କହିଲା - "ଏଇ ଜାମୁକୋଳି ଛଡ଼ା ଏ ନଟୀରେ ଆଉ କିଛି ମିଳିଲା ନାହିଁ।" 

ଜାମୁଡାଳରେ ପେନ୍ଥା ପେନ୍ଥା ବର୍ଷା ଧୁଆ ଜାମୁକୋଳି। ଏଥିରେ ଗୋପାଳ ବଲ୍ଲଭ ଭୋଗ ବଢ଼ିବ। ଏଥିରେ ମଧ୍ୟ ଜଗନ୍ନାଥଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ ଏପରିକି ବଡ଼ ସିଂହାର ଧୂପ ପର୍ଯ୍ୟନ୍ତ ଛପନ ପଉଟି ଭୋଗ ଚଳିବ।

ସେବକମାନେ ଦାନ୍ତ ମାର୍ଜନ ଓ ସ୍ନାନ ଆଦି ନିତି ବଢ଼ାଇ ସାରି, ଗୋଟିଏ ପତ୍ରଦନାରେ ଜାମୁକୋଳି ସବୁ ପନ୍ତି ବାଢ଼ିବା ପାଇଁ ବେଦୀ ତଳେ ପୂଜା ଠା' କରୁଥିଲେ। ପଞ୍ଚ ଉପଚାରର ଏ ପୂଜାରେ ଜାମୁକୋଳି ପନ୍ତି ଭୋଗ ଲଗାଇବା ପୂର୍ବରୁ ସେବକ ମାଟି ଉପରେ ପାଣି ସିଞ୍ଚୁ ଥିଲେ।

( ଏ ଇତିହାସ ପଢ଼ି ନ ଥିବା ଓଡ଼ିଆ ଯୁକ୍ତି କରନ୍ତି କେବଳ ହିନ୍ଦୁ କାହିଁକି ?)

କ୍ରମଶଃ...

୨୧.୨.୧୯

Wednesday, 20 February 2019

* ପ୍ରଭୁ ଶ୍ରୀରାମ/ଶ୍ରୀଜଗନ୍ନାଥଙ୍କ ଜୀବନ ବି ଏମିତି ?*

କୋଟି କୋଟି ଭକ୍ତଙ୍କ ଆରାଧ୍ୟଙ୍କୁ ବି ଏମିତି ହୀନସ୍ଥା ହେବାକୁ ପଡ଼େ ?

ରାମଚନ୍ଦ୍ରଦେଵ ଜଗନ୍ନାଥଙ୍କର ଉଲଙ୍ଗ, ନିରାଭରଣ ମୂର୍ତ୍ତି ଆଡ଼େ ଚାହିଁ ଭାବୁଥିଲେ -

କାହିଁ ଲଲାଟ ଫଳକରେ ମଣିମୟ ତିଳକର ସେ ଶୋଭା ?

କାହିଁ ନବୀନ ନୀରଦ ସଦୃଶ ସେ ମେଦୁର ଅଙ୍ଗକାନ୍ତି ?

କାହିଁ ଅରୁଣାଧାରରେ ରହସ୍ୟ ବିଜଡ଼ିତ ମନ୍ଦ ହାସ୍ୟର ସେ ଚନ୍ଦ୍ରିକା ?

ଜଗନ୍ନାଥ ନିଖିଳ ମାନବର ଆତ୍ମା ପରି ସବୁ ଆଡ଼ମ୍ବର ପରିହାର କରି, ଏହି ଦୁର୍ଗମ ବନ କାନ୍ତରରେ ସତ୍ୟର ଅକପଟତା ଓ ସଂଗ୍ରାମର ଅପରାଜେୟତା ମଧ୍ୟରେ ଆଜି ଯେପରି ଏକ କଠୋର ଉଜ୍ଜ୍ୱଳତାରେ ପ୍ରତିଭାତ ହୋଇଥିଲେ।

ଜଗନ୍ନାଥ ମଧ୍ୟ ସେହି ଅଭିଶପ୍ତ ମାନବ ପରି, ଯାହାର ସଂଗ୍ରାମ କଠୋର ଜୀବନରେ ମୁକ୍ତିର ଅନ୍ୱେଷଣରେ ବିରାମ ନାହିଁ, ଅନ୍ଧାରର ପ୍ରଭାତୀ ନାହିଁ, ଦୁର୍ଗମ କାନ୍ତର ପଥର ଶେଷ ନାହିଁ।

କିନ୍ତୁ, ହେ ମହାବାହୁ !
ତୁମେ ତ ସେହି ବଣା ବାଟୋଇର ଦିଶାରୀ,
ଅକୂଳ ପାରାବାରର କାଣ୍ଡାରୀ, ଜୀବନ ରଥର ସାରଥି।

ମନୁଷ୍ୟର ଜୀବନ ଯଦି ନିଃସ୍ୱ, ତୁମେ ହୁଅ ନିଃସ୍ୱତର,
ମନୁଷ୍ୟର ଜୀବନ ଯଦି ବଞ୍ଚିତ, ତୁମେ ହୁଅ ଆଉରି ବଞ୍ଚିତ।

ରାମଚନ୍ଦ୍ରଦେଵଙ୍କ ଦୁଇ ଆଖି କେତେବେଳେ ତାଙ୍କର ଅଲକ୍ଷିତରେ ଏକ ଆବେଗରେ ଲୁହ ଛଳଛଳ ହୋଇ ଉଠିଥିଲା। ଆବେଗ-ସ୍ପନ୍ଦିତ, ଧାରଧାର ଅଶ୍ରୁ ତାଙ୍କ ଶୀର୍ଣ୍ଣ ମଳିନ ଚିବୁକ ଉପରକୁ ଗଡ଼ି ଆସୁଥିଲା।

କ୍ରମଶଃ...

୨୦.୨.୧୯

Tuesday, 19 February 2019

*ହାଫିଜ କାଦର ନା ରାମଚନ୍ଦ୍ର ଦେବ ?*

ଜଗନ୍ନାଥ ଯଦି ସେତିକି ହୋଇଥାନ୍ତେ ତେବେ ହୁଏତ ଅନ୍ୟ ସାଧାରଣ ଓଡ଼ିଆଙ୍କ ପରି ରାମଚନ୍ଦ୍ର ଦେବଙ୍କ ଅବଚେତନକୁ ଜଗନ୍ନାଥ ଏପରି ଗଭୀର ଭାବରେ ଆଲୋଡ଼ିତ କରି ନ ଥାନ୍ତେ।

ଜଗନ୍ନାଥ ଓଡ଼ିଆ ଜାତିର ଅଭିମାନ। ତାହାର ଅପରାଜେୟତାର ଇଷ୍ଟଦେଵ। ତାହାର ସବୁ ମଙ୍ଗଳ ଅମଙ୍ଗଳ "ଜୟ ଜଗନ୍ନାଥ"।

ନିଜର ତୁଚ୍ଛ ମାନ ରକ୍ଷା ପାଇଁ ସେ ସେହି ଜଗନ୍ନାଥଙ୍କୁ ଶ୍ରବତ୍ସ ଖଣ୍ଡାଶାଳ ଦେଉଳର ରତ୍ନ ସିଂହାସନ ଉପରୁ ଚିଲିକା ମଝିରେ ହେନ୍ତାଳ ବଣର ଅପନ୍ତରାରେ ମାଛ ଡଙ୍ଗାରେ ବୋହି ଆଣିଥିବା ହେତୁ ରାମଚନ୍ଦ୍ରଦେଵ ମନେ ମନେ ଅନୁତପ୍ତ ହେଉଥିଲେ।

ରାଜା ଅମିନଚାନ୍ଦ ପଛେ ଶ୍ରୀମନ୍ଦିର ଅକ୍ତିଆର କରିଥାନ୍ତା, ପୁରୁଷୋତ୍ତମ କ୍ଷେତ୍ର ଉପରେ ସବୁ ଅଧିକାରରୁ ସେ ପଛେ ବଞ୍ଚିତ ହୋଇଥିଲେ ହୋଇଥାନ୍ତେ; କିନ୍ତୁ ସେଥିପାଇଁ ଜଗନ୍ନାଥଙ୍କୁ କ୍ରୀଡ଼ା ପୁତ୍ତୁଳି ପରି ଏଠାକୁ ଆଣିବା ଘୋର ଅପକର୍ମ ବୋଲି ରାମଚନ୍ଦ୍ରଦେଵ ମନେ ମନେ ଅନୁତାପ କରୁଥିଲେ। ଜଗନ୍ନାଥଙ୍କ ପତିତପାବନ କଥା ଭାବିଲା ବେଳକୁ ତାଙ୍କ ଅନୁତାପ ଆହୁରି ଗଭୀର ଓ ଦୁର୍ବିସହ ହୋଇ ଉଠୁଥିଲା।

କିନ୍ତୁ ଜଗନ୍ନାଥ ପରା ଓଡ଼ିଆ ଜାତିର ଅପରାଜେୟତାର ସଂକେତ ! ତୁଚ୍ଛ ସ୍ୱାଚ୍ଛନ୍ଦ୍ୟ ଓ ନିରାପତ୍ତା ପାଇଁ ଜଗନ୍ନାଥଙ୍କୁ ସେ ଦଳେ ମାନବ ଦ୍ରୋହୀଙ୍କ ହାତରେ ଲାଂଛିତ ହେବା ପାଇଁ ଛାଡ଼ି ଦେଇଥାନ୍ତେ କିପରି ?

କିନ୍ତୁ ସେ ନିଜକୁ ପ୍ରଶ୍ନ କରୁଥିଲେ। ସେ ନିଜେ କ'ଣ ?

ଧର୍ମଦ୍ରୋହୀ ହାଫିଜ କାଦର

ନା

ଜଗନ୍ନାଥଙ୍କ ରାଜସେବକ ରାମଚନ୍ଦ୍ରଦେଵ ?

କ୍ରମଶଃ...

୧୯.୨.୧୯

Monday, 18 February 2019

*ଜଗନ୍ନାଥ କଣ କେଵଳ ସେତିକି ?*

ଉପକଥାର ଯବନ ରକ୍ତବାହୁ ପୁଣି ଇତିହାସର ମହାପଦ୍ମ ନନ୍ଦଙ୍କ ଠାରୁ ମୋଗଲ ସେନାପତି ମାନଙ୍କ ପର୍ଯ୍ୟନ୍ତ ଏହି ଅସମାଧିତ ରହସ୍ୟକୁ ଉନ୍ମୁଳନ କରିବା ପାଇଁ କେତେ କେତେ ଆକ୍ରମଣ ହୋଇ ନ ଗଲା ? ତଥାପି ରହସ୍ୟର ସେହି ଉତ୍ତରୀୟ ଅପସୃତ ହେଲା ନାହିଁ। ବିଶ୍ୱର ଅପରାଜିତ ଆତ୍ମା ରହିଲା ଅବଦମିତ ହୋଇ ?

ଜଗନ୍ନାଥ କେତେବେଳେ ପଳାୟନ କରିଛନ୍ତି ଦୁର୍ଗମ ବନ କାନ୍ତାରକୁ, କେତେବେଳେ ପାତାଳୀ ହୋଇଛନ୍ତି ବସୁନ୍ଧରା ଗର୍ଭରେ, କେତେବେଳେ ଝାସ ଦେଇଛନ୍ତି ପୁଣି ମହାପ୍ରଳୟ ପ୍ରୟୋଧିରେ ! ତାଥାପି ଶୂନ୍ୟ ମଞ୍ଚରୁ ଯବନିକା ଅପସୃତ ହୋଇ ସେ ମହାଶୂନ୍ୟ ରୂପ ପ୍ରକଟିତ ହୋଇ ନାହିଁ। ସେ ଯେ ଅବିନଶ୍ୱର ଆତ୍ମାର ଅପରାଜେୟ ଵିଗ୍ରହ ! ଦୁର୍ବିନୀତ ମନୁଷ୍ୟ ତାଙ୍କୁ ସ୍ପର୍ଶକରି ପାରିବ କାହୁଁ !

ପ୍ରବଳର ଶତ ଅତ୍ୟାଚାର ଓ ପୀଡ଼ନ ମଧ୍ୟରେ ମନୁଷ୍ୟର ଦେହ ବାରମ୍ବାର ବିନଷ୍ଟ ହୋଇଛି ସିନା, ତାର ଯେଉଁ ଆତ୍ମା ତଥାପି ରହିଛି ଅପରାଜିତ, ମୃତ୍ୟୁର ଶତ ଫୁତକାରକୁ ତୁଚ୍ଛକରି ଯେଉଁ ଜୀବନ ଦୀପ ତଥାପି ରହିଛି ଅନିର୍ବାଣ, ଧ୍ଵଂସର ଶତ ପ୍ରମତ୍ତ ତାଣ୍ଡବ ମଧ୍ୟରେ ସୃଷ୍ଟିର ଯେଉଁ ପ୍ରେରଣା ଉତ୍ସ ତଥାପି ରହିଛି ଅତଳାନ୍ତକ--
ଜଗନ୍ନାଥ ଯେପରି ସେହି ମହାମୁକ୍ତି, ସେହି ମହାପୂର୍ଣ୍ଣ ପୁଣି ସେହି ମହାଶୂନ୍ୟର ଅବିନଶ୍ୱର ଅନିର୍ବଚନୀୟ,  ଆଦିଅନ୍ତହୀନ ଭାବମୂର୍ତ୍ତି।

ଜଗନ୍ନାଥ କ'ଣ କେବଳ ସେତିକି ?

କ୍ରମଶଃ...

୧୮.୨.୧୯

Sunday, 17 February 2019

*ଅଛି କେବଳ ଦୁର୍ଜ୍ଜୟ ଅଭିମାନ*

ଜଗନ୍ନାଥଙ୍କ ନୀତି କରିବାକୁ କିଛି ସରଞ୍ଜାମ ନ ଥିଲା। ସବୁ ଅସୁବିଧାରେ  କାମ ଚଳାଯାଉଥିଲା। ଏ ଦୁର୍ଦ୍ଦିନକୁ ନେଇ ରାମଚନ୍ଦ୍ରଦେବ ଚିନ୍ତା କରୁଥିଲେ ଓଡ଼ିଆ ଜାତି ଭାଗ୍ୟରେ ମଧ୍ୟ ଆଜି ଠିକ ଏହିପରି ଅବସ୍ଥା। ମରିବାଠାରୁ ଘୋଷଡ଼ା ବଳି ପଡିଛି। ଓଡ଼ିଆ ଜାତି ମଧ୍ୟ ଏହିପରି ଭାବରେ ଆଜି ନିଃସ୍ୱ ଓ ସର୍ବସ୍ୱାନ୍ତ। ସବୁ ଯାଇଛି, ଅଛି କେବଳ ଦୁର୍ଜ୍ଜୟ ଅଭିମାନ।

ରତ୍ନ ସିଂହାସନରେ ମହାସମ୍ପର୍କ ଛାଡ଼ି, ଓଡ଼ିଆ ଜାତିର ଅଭିମାନ ବିଶ୍ଵମାନରେ ଜଗନ୍ନାଥ, ଏ କେଉଁ ବନ ଭୂମିରେ ଆସି ପଡ଼ିଲେ, ତାହା ଚିନ୍ତା କରିବା ମାତ୍ରେ, ରାମଚନ୍ଦ୍ରଦେବ ବିସ୍ମୟ ଓ ବିଷାଦରେ ମୁହ୍ୟମାନ ହୋଇ ପଡୁଥିଲେ।

କେଉଁ ଅସମାଧିତ, ଗହନ ରହସ୍ୟର ପ୍ରତିରୂପ ଏଇ ଜଗନ୍ନାଥ ? ସମୟର କେଉଁ ଆଦିମ ପ୍ରଭାତରେ, ପ୍ରଳୟ ପ୍ରୟୋଧି ଜଳରେ କେଉଁ ଧ୍ୱଂସ ଲୀଳା ମଧ୍ୟରୁ ମହାଦାରୁ ଖଣ୍ଡେ ଦାରୁ ରୂପରେ ଭାସି ଆସିଥିଲେ ଏହି ଶେଷଦେବ ?

କ୍ରମଶଃ

୧୭-୦୨-୨୦୧୯

Saturday, 16 February 2019

*ଜଗନ୍ନାଥଙ୍କ ଆଶ୍ରୟ ସ୍ଥଳ*

ଅଷ୍ଟାଦଶ ଶତାବ୍ଦୀର  ଶେଷ ପାଦରେ, ବାଣପୁରର ଶେଷ ରାଜା ହରିସେବକ ମାନସିଂହ, ଖୋର୍ଦ୍ଧା ରାଜାଙ୍କ ଦ୍ୱାରା ନୀଳାଦ୍ରିପ୍ରସାଦ ଗଡ଼ରୁ ବିତାଡ଼ିତ ହୋଇ ଗୁରୁବାଈ  ଦ୍ଵୀପରେ  ରାଜଧାନୀ ସ୍ଥାପିତ ନ କରିବା ପର୍ଯ୍ୟନ୍ତ ଏହା ଜନମାନବହୀନ ଏକ ନିର୍ଜନ ଦ୍ଵୀପ ହୋଇ ରହିଥିଲା। ନଳଘାସ, ହେନ୍ତାଳ , ବେଣା, ଦେଉଳା ଓ ସୁନ୍ଦରୀ ପ୍ରଭୃତି ବନ୍ୟ ଗୁଳ୍ମ ଓ ତୃଣରାଜି ପରିବେଷ୍ଟିତ ହୋଇ ଏହା ଏକ ଦୁର୍ଭେଦ୍ୟ ଅରଣ୍ୟ ରୂପେ ରହିଥିଲା |

ମାଣିକପାଟଣା ମୁହାଣ ବାଟେ ପାଲୁର  ଓ ଗଞ୍ଜା ବନ୍ଦରକୁ ଯାତାୟାତ କରୁଥିବା ଫିରିଙ୍ଗୀ ବୋଇତମାନଙ୍କୁ ଲୁଟ କରୁଥିବା  ବୋମ୍ବାଟିଆମାନେ କେବଳ ଏ ଦ୍ଵୀପଟିକୁ  ଚିହ୍ନିଥିଲେ ଏକ ସାମରିକ ଘାଟି ସ୍ଥଳ ରୂପେ - ଆଉ ଚିହ୍ନିଥିଲେ ଚିଲିକାର ଅସୁମାରୀ ଏରା ପକ୍ଷୀର ଦଳ।

ସେହି ଗୁରୁବାଈ ଦ୍ବୀପ ଏବେ ହୋଇଥିଲା ତକୀ ଖାଁ ଦାଢ଼ରୁ ଜଗନ୍ନାଥଙ୍କର ଆଶ୍ରୟ ସ୍ଥଳ। ଜଗନ୍ନାଥଙ୍କ ଉପରେ ତକୀ ଖାଁ ର ଲୋଭ ଦୃଷ୍ଟି ପଡ଼ିବା ସୂଚନା ପାଇବା ଦିନୁ ରାମଚନ୍ଦ୍ରଦେବ ବହୁ ଅନ୍ୱେଷଣ ପରେ ଏହି ସ୍ଥାନଟିକୁ ଜଗନ୍ନାଥଙ୍କ ଶେଷ ଆଶ୍ରୟସ୍ଥଳ ରୂପେ ନିର୍ବାଚିତ କରି, ସେଠାରେ ଗୋଟେ ବେଦୀ  ନିର୍ମିତ କରାଇ ରଖିଥିଲେ । ଜଗନ୍ନାଥଙ୍କର କେତେକ ବିଶ୍ୱସ୍ତ ସେବକ, କେତେଜଣ ଅନୁଗତ ଖଣ୍ଡାୟତ ଓ ଜଗୁନି ବ୍ୟତୀତ, ଏ ସ୍ଥାନର ସନ୍ଧାନ ଆଉ କେହି ଜାଣି ନ ଥିଲେ।

କ୍ରମଶଃ .. 

୧୬-୦୨-୨୦୧୯

Friday, 15 February 2019

* ଅନାଥର ନାଥ ପ୍ରଭୁ ଜଗନ୍ନାଥ*

ବାଲି ଉପରଯାକ  ଥିତିବିତି  ପଡ଼ିଥିଲା ରାଶି ରାଶି ମଉଳା ସେବତୀ  ଦୟଣାର  ଛିନ୍ନମାଳା,  ନାଗେଶ୍ୱରର ଫୁଲମଣ୍ଡା, ଆଉ କେତକୀ ଟାହିଆର ପାଖୁଡ଼ା। ଦୟଣାର ଭୀରୁ ସୁରଭି ରେ ଚାରିଆଡ଼  ଅମୋଦିତ ହୋଇ ଉଠୁଥିଲା | ଜଗନ୍ନାଥଙ୍କର ପ୍ରିୟତମ ଏ କେରି କେରି ଦୟଣା ଫୁଲ ଏଠାକୁ କୁଆଡୁ କିପରି ଆସିଲା , ସରଦେଇ ବୁଝିପାରୁନଥିଲା। ସେ ସେହି ଭିଜା ଭିଜା  ବାଲି ଉପରେ ବସିପଡ଼ି, ଦୁର୍ଲ୍ଲଭ  ମଣିମୁକ୍ତା ପରି ସେ ଫୁଲ ସବୁ ତଳୁ ସାଉଁଟିବାରେ  ଲାଗିଗଲା।

କାଲି ରାତିରେ କିଏ ଏ ଅପନ୍ତରା ତଣ୍ଡାକିନାର କୁ ଆସିଥିଲା ? ଜ୍ୱରର ଚେତାଶୂନ୍ୟ ଅବସ୍ଥାରେ ସେ କାହାକୁ ଦେଖି ପାରିନଥିଲା। ଆଜି ବି ମୁଣ୍ଡ ବୁଲାଇ ଦେଉଛି। ସେ ଜଗୁନିକୁ ଖୋଜୁଛି। ନିଜ ଅଜାଣତରେ ତା'  ଆଖିରୁ ଧାର ଧାର ଲୁହ ପଡ଼ି ଭିଜା ବାଲି ଦେହରେ ଶୋଷି ଯାଉଥିଲା।

ସରଦେଇ ଗାଧୋଇ ସାରି ଆଉ ପିଣ୍ଢା ଉପରକୁ ଉଠି ପାରିଲା ନାହିଁ, କଟା ଗଛ ପରି ତଳେ ଲୋଟି ପଡ଼ିଲା। ଭିଜା ବାଲିରେ ତାର ଅଧା ମୁହଁ ଲୁଚି ଯାଇଥିଲା। ଘର କାନ୍ଥରେ ସେ ଢାଉ ,କଳା , ହରିତକି ଆଉ ପିଠୋଉରେ ଯେଉଁ ଜଗନ୍ନାଥ  ପଟ ଆଙ୍କିଥିଲା, ସେହି ଚିତ୍ରପଟ ସରର କ୍ଳାନ୍ତ ଆଖିରେ ଅତି ଉଜ୍ଜଳ ଦିଶୁଥିଲା। ଜଗନ୍ନାଥଙ୍କ ଦୁଇ ଚକାଡ଼ୋଳାରେ ସେ ଅତଳ ମହାଶୂନ୍ୟତା ନଥିଲା। ସରଦେଈ ର ଚେତନା ପୁଣି ଲୋପ ପାଇ ଆସୁଥିଲା। ତା'ର ନିଃଶ୍ବାସ ଧୀରେ ଧୀରେ ରୁନ୍ଧି ହୋଇ ଆସୁଥିଲା। ତା'ର ଦୁଇ ଆଖିପତା ଧୀରେ ଧୀରେ ମୁଦ୍ରିତ ହୋଇ ଆସିଲା ଆଉ ସେ ଆଖି ଫିଟିଲା ନାହିଁ।
ତା ହା ହିଁ ମୃତ୍ୟୁ

ଯେଉଁ ଦୁଇ ଟୋପା ଲୁହ ଆଖି ମୁଦିଲା  ବେଳେ ଏକ ଅସହ୍ୟ  ବେଦନାରେ ଆଖି କୋଣରେ ଛଳ ଛଳ ହୋଇ ଆସିଲା, ତାହା କେବଳ ତଳକୁ ଧୀରେ ଧୀରେ ବୋହି ଆସିଲା, ରାତିର ଶିଶିର ପରି।

କ୍ରମଶଃ

୧୫-୦୨-୨୦୧୯

Thursday, 14 February 2019

*ସ୍ବପ୍ନ ପରେ ସ୍ବପ୍ନ*

ଜଗନ୍ନାଥ ତ ପତିତପାବନ ହୋଇଥିଲେ। କେତେ ପାପୀ, ପତିତ ତାଙ୍କ ଦର୍ଶନ ପାଇ, ରଥ ଉପରେ ତାଙ୍କ ଅଙ୍ଗ ଛୁଇଁ ମୋକ୍ଷ ହୋଇଗଲେ, ଅଥଚ ସରଦେଈର ହୀନ କପାଳକୁ ସେ ସୌଭାଗ୍ୟ ଜୁଟିଲା ନାଇଁ। ରଥ ଉପରେ ଚକାନୟନକୁ ଚାହିଁ ଯାତ୍ରୀ ଭିଡ଼ରେ ସେ ଠିଆ ହୋଇଥିବା ବେଳେ, କିଏ ତାକୁ ଅବା ଚିହ୍ନିଥାନ୍ତା ବାଲୁଗାଁ ପେଣ୍ଠର ଚଟୀଘରିଆଣୀ କୁଳନାଶିନୀ ସର ଏଇ ମୋଗଲ ଲସ୍କର ଏହାର ଜାତି ହାରିଛି।
ମୋଗଲ ଲସ୍କରର ସେଇ ବିଭତ୍ସ ଅଶୁଭ ମୂର୍ତ୍ତି ସରର ଚେତନା ଉପରେ ଖଣ୍ଡେ କଳାମେଘ ପରି  ଛାଇଗଲା।
ସେ ଆର୍ତ୍ତନାଦ କରି ରୁଗ୍ଣ କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଲା - ଜଗୁନି ରେ..

ପୁଣି ସେ ଅଚେତ ହୋଇ ପଡ଼ିଲା। ସେ ସ୍ୱପ୍ନରେ ଦେଖିଥିଲା ଶାଶୁବୁଢ଼ୀ ତା ମୁଣ୍ଡ ପାଖରେ ଠିଆ ହୋଇ ସ୍ନେହ ଦରଦ ମିଶା କଣ୍ଠରେ କହୁଛି - ତତେ କେଡ଼େ ସରାଗରେ ବୋହୂ କରି ଆଣି ନ ଥିଲିଟିରେ ଝିଅ। ସମୁଦି କହିଥିଲେ  - ଏଇ ସାରିଆ ତୁମ ବୋହୂ ନୁହେଁ ଯେ, ଝିଅ। ତାକୁ ଝିଅ ପରି ସମ୍ଭାଳିବ। ଏ ସଂସାରରେ ତୁ ବହୁତ ଗଞ୍ଜଣା ପାଇଲୁଣିରେ ଝିଅ, ଆହା ! ସୁନା ଖଡ଼ିକା ମୋର କଳାକାଠ ପଡ଼ି ଗଲାଣି। ତତେ ମୁଁ ନବାକୁ ଆସିଛିରେ ଝିଅ। ଆ.. ମୋ ସାଙ୍ଗେ, ଏ ଦହଗଞ୍ଜରୁ ତତେ ବାଟ କଢ଼ାଇ ନେବି।"

ଏ ମୁର୍ତ୍ତିଟା କୁଆଡ଼େ ଉଭେଇ ଯିବା ପରେ ସ୍ବାମୀ ଆସିଥିଲେ, ସେ କହିଲେ, ମୋ କଥା ରଖିଲୁ ନାହିଁ, ଆଉ କାହାଠାରୁ ଏ ଇନ୍ଦ୍ରନୀଳମଣି ବସା ମୁଦି ଆଣି ପିନ୍ଧିଛୁ ? ସର ବୁଝାଇଥିଲା ଏ ମୁଦି ଦୋକାନ  ପଇସାରୁ ଆସିଛି।

ନିଦ ଭାଙ୍ଗିଯିବା ପରେ ସର ଖୋଜିଥିଲା ସେହି ମୁଦିଟିକୁ। ମୁଦିଟିକୁ ପାଇ ପିନ୍ଧିବା ବେଳକୁ ଜରରେ ଶୁଖିଯାଇଥିବା ଆଙ୍ଗୁଠିକୁ ଢିଲା ହେଉଥିଲା।

ଆଜି ଚିଲିକାକୁ କାଳିକା ଚଢ଼େଇ ଦଳ ଆସିଛନ୍ତି। ସେମାନେ ସମସ୍ତେ ଥିଲେ ଗାୟକ। କେହି କାହାର ସଙ୍ଗୀତ ଶୁଣିବା ଅବସ୍ଥାରେ ନ ଥିଲେ ସେମାନେ। ଚଟୀ ଘର ସାମନାରେ ବର୍ଷା ଭିଜା ବାଲି ଉପରେ ବହୁ ମଣିଷଙ୍କ ପାଦ ଚିହ୍ନ ପଡ଼ିଥିଲା। ସମୁଦ୍ର ଆଡୁ ସେ ପାଦଚିହ୍ନ ସବୁ ଲମ୍ବି ଆସିଥିଲା ଚଟୀ ଘରଆଡ଼େ। ପୁଣି ଚଟୀ ଘର ଦାଣ୍ଡରେ ପାଦଚିହ୍ନ ସବୁ ଦଳି ମନ୍ଥି ଏକାକାର ହୋଇ, ପୁଣି ଲମ୍ବି ଯାଇଥିଲା ଚିଲିକା ଆଡ଼େ। ଗତ ରାତିର ସ୍ମୃତି ସବୁ ମନେ ପଡ଼ି ସରଦେଈର ଦେହ ପୁଣି ଶୀତେଇ ଉଠୁଥିଲା।

କ୍ରମଶଃ...

୧୪.୨.୧୯