ସରଦେଈ ନୂଆ ହୋଇ ଶାଶୁଘର ଆସିଥିଲା। ତା' ସ୍ୱାମୀର ଚେହେରା ଭଲ କରି ଦେଖିବା ପାଇଁ ସୁଦ୍ଧା ସେପର୍ଯ୍ୟନ୍ତ ସେ ବେଳ ପାଇ ନ ଥିଲା। ସେ ପାଇକ ଝିଅ - ସେ ମଧ୍ୟ ଜାଣେ ଲଢ଼େଇ ଡାକରେ ଯେଉଁମାନେ ଘରୁ ବାହାରନ୍ତି, ସେମାନେ ଆଉ ଫେରନ୍ତି ନାହିଁ। ତା'ର ବାପ, ଦାଦି, ଭାଇ ମଧ୍ୟ ସେହିପରି ଦିନେ ଲଢ଼େଇ ଡାକରାରେ ଯାଇଥିଲେ; ଆଉ ଫେରି ନ ଥିଲେ।
ପାଇକ ଝିଅ ସେ, ପାଇକାଳୀ ରକ୍ତରେ ମଧ୍ୟ ତା'ର ଦେହ ଆଉ ମନ ଗଢ଼ା; ତଥାପି ଯାହା ସହିତ ନୂଆ ସଂସାର କରିବାପାଇଁ ସେ ଏ ଅଜଣା ଗାଁରେ ଦିନେ ପାଦ ଦେଇଥିଲା, ତାକୁ ନିଜ ହାତରେ ଚିତା ସିନ୍ଦୁର ପିନ୍ଧାଇ, ଦୂବ ଅକ୍ଷତରେ ବନ୍ଦାପନା କରି ନିଶ୍ଚିତ ମରଣର ମୁହଁକୁ ଠେଲିଦେବା ପାଇଁ ତା'ର ଅନ୍ତରାତ୍ମା ସେତେବେଳେ ଆର୍ତ୍ତନାଦ କରିଉଠୁଥିଲା।
କିନ୍ତୁ ତା'ର ଶ୍ୱଶୁର ବୋହୂର କନ୍ଦାକଟା ଶୁଣି, ପୁଅର ମନ ସେଥିରେ କାଳେ ଛନ୍ଦେଇ ଯିବ ଆଶଙ୍କା କରି, କାଳିସୀ ଲାଗିବା ପରି ଦୁଆର ଅଗଣାରେ ନାଚି ନାଚି ଚିତ୍କାର କଲେ - "ଆରେ ତମେଗୁଡ଼ା ପାଇକ ଛୁଆ ନା ବେହେରାଣିଆ ଛୁଆ ବେ ? ପାଇକ ଆମେ, ଲଢ଼େଇରେ ଜାନ୍ ଦେବାପାଇଁ ମୁଣ୍ଡ ଲେଖି ଦେଇଚୁ। ପଠାଣେ ଆସି ବଡ଼ ଦେଉଳ ଉପରକୁ ବାହିଲେଣି। ଓଡ଼ିଆ ଜାତିର ମଉଡ଼ମଣି, ଖୋର୍ଦ୍ଧା ରାଜା ଦେଶର ଇଜ୍ଜତ, ଜଗନ୍ନାଥଙ୍କ ମାନ ରଖିବା ପାଇଁ, ବଣ କାନ୍ତାରରେ ବୁଲୁଛି। ଲଢ଼େଇ ଡାକରା ଶୁଣି ତମେ ମାଇକିନାଙ୍କ କାନି ତଳେ କ'ଣ ପଶୁଛ ବେ ? ହା - ଧିକ, ତମ ମରଦ ପଣିଆରେ।"
ଯମଦାଢ଼ ଉଞ୍ଚାଇ ଶ୍ୱଶୁର ବୁଢ଼ା କାଳିସୀ ଲାଗିଲା ପରି ପରସ୍ତେ ନାଚି ଗଲେ, ଲଢ଼େଇ ବାଜା, ନାଗରା, ବୀରତର୍ ବାଜିଲେ ସେ ସେଇପରି ଏ ବୟସରେ ବି ନାଚନ୍ତି।
ଅବଶେଷରେ ସରଦେଈ ସ୍ୱାମୀ କପାଳରେ ଚିତା, ସିନ୍ଦୁର, ଗଳାରେ କାଳିଜାଈ ଠାକୁରାଣୀଙ୍କ ଧଣ୍ଡାମାଳ ପିନ୍ଧାଇ ଦୂବ ଅକ୍ଷତରେ ବନ୍ଦାପନା କରି ଗାଁର ଅନ୍ୟ ପାଇକମାନଙ୍କ ମେଳରେ ସ୍ୱାମୀକୁ ଲଢ଼େଇକୁ ପଠାଇ ଦେଇଥିଲା। ସେଦିନ କିନ୍ତୁ ମଙ୍ଗଳ ଶଙ୍ଖ ଫୁଙ୍କିବା ବେଳେ ଲୁହ ଆଉ କୋହରେ ତା'ର ଗଳା ରୁନ୍ଧି ହୋଇ ଆସିଥିଲା। ଲଢ଼େଇ ପଟୁଆରର ବୀରଦୂର, କାହାଳୀ, ମାଦଳୀ ଓ ମାଦକ ମାନଙ୍କର କିଳିକିଳା ଯୁଦ୍ଧ ରଡ଼ି କ୍ରମେ ଗାଁ ମୁଣ୍ଡରେ ମିଳାଇଗଲା। ତା'ପରେ ସରଦେଈ ଯେଉଁଠାରେ ଠିଆ ହୋଇଥିଲା, ସେହିଠାରେ ମାଟି ଉପରେ କଟାଗଛ ପରି ଟଳି ପଡ଼ିଲା।
ବହୁଦିନ ବହୁ ପ୍ରତୀକ୍ଷା ପରେ ଅବଶେଷରେ ଦିନେ ତା'ର ସ୍ୱାମୀ ତ ଲଢ଼େଇରୁ ଫେରି ନ ଥିଲା, ଫେରିଥିଲା କେବଳ ତା'ର ପଟେ ଫରୀଖଣ୍ଡା, ମାଳେ ଘାଂଘୁଡ଼ି, ଆଉ ରକ୍ତ ଭିଜା ଖଣ୍ଡେ ଶିରୀପା - ସରଦେଈର ବଧୂ ଜୀବନର ଶେଷାବଶେଷ।
ବାପଘର ଲୋକେ ତାକୁ ଆଉ ଠାଏ ବିବାହ ଦେବାପାଇଁ ଠିକଣା କରିଥିଲେ - ଆହା, ଝିଅଟା ସ୍ୱାମୀ ସୋହାଗ କ'ଣ ନ ବୁଝୁଣୁ, ହାତରୁ କାଚ ଶଙ୍ଖ ଫିଟାଇ, ମୁଣ୍ଡରୁ ସିନ୍ଦୁର ପୋଛିଲା - କାହାକୁ ଚାହିଁ ସେ ଏବେ ପଡ଼ି ରହିବ ଶାଶୁ ଘରେ ?
ଏଥିରେ ଶାଶୁଙ୍କର ଆପତ୍ତି ଥିଲେ ହେଁ, ଶ୍ୱଶୁରଙ୍କର କିନ୍ତୁ କୌଣସି ଆପତ୍ତି ନ ଥିଲା, ମାତ୍ର ସେଥିରେ ନିଜେ ଅମଙ୍ଗ ହେଲା ସରଦେଈ। ତାର ସ୍ୱାମୀ ଲଢ଼େଇରେ ଯିବା ପୂର୍ବରୁ ପ୍ରଥମ ଓ ଶେଷ ସମ୍ଭାଷଣ ରୂପେ ଯାହା କହିଥିଲେ, ଆଜି ସୁଦ୍ଧା ସେ ତାହା ଭୁଲି ନ ଥିଲା - "ବଞ୍ଚିଲେ ଏଇ ଜୀବନରେ, ନୋହିଲେ ଆର ଜନମକୁ ପୁଣି ଦେଖା।"
ସେଇ ଅନ୍ତଃହୀନ ପ୍ରତୀକ୍ଷାରେ ସରଦେଈ ବଞ୍ଚି ରହିଥିଲା। ପୁଣି କ'ଣ ଆଉ ଗୋଟାଏ ଜନ୍ମ ଅଛି, ଏ ଜନ୍ମ ପରେ ? ସରଦେଈ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇଲା।
କ୍ରମଶଃ...
୨୯.୧.୧୯