Thursday, 31 January 2019

*ଇଏ ସେଇ ଖୋର୍ଦ୍ଧା ରାଜାର ପୁଅ*

ପୁଣି ଏକ ଅସୁଆର ଆସିଥିଲା। ସେ ସରଦେଈ ଠାରୁ ଦୁଧ ଆଉ ଛେନା କିଣି ମୂଲ୍ୟ ବାବଦକୁ ମୁଦିଟିଏ ବନ୍ଧା ଦେଇଥିଲା। ମୂଲ୍ୟ ଦେବାକୁ ତା' ପାଖରେ କଉଡ଼ି ନ ଥିଲା।

କିଛି ସମୟ ପରେ ପିଣ୍ଡାରେ ଜଗୁନିର ପାଟି ଶୁଭିଲା... "ଦେଈ, ଏ ଦେଈ କିଲୋ।"

ଦୁଆର ଫିଟାଇବା ପାଇଁ ସରଦେଈକୁ ତର ସହିଲା ନାହିଁ। ଜଗୁନି ଭିତରକୁ ପଶି ଆସିବା ମାତ୍ରେ ଅଣ୍ଟାରୁ ଗୋଟାଏ ଟଙ୍କା କାଢ଼ି ତଳକୁ ପକାଇ ଦେଇ କହିଲା - "ନେ, ଏ ଟଙ୍କାଟା କୋଉଠି ଲୁଚାଇ ରଖ। ଆଉରି ଟଙ୍କା ଦେବ ବୋଲି ସେ କହିଛି।"

ଟଙ୍କାଟା ନୂରଜାହାନୀ ଚାନ୍ଦି ଟଙ୍କା। ସାଧାରଣ ଘରେ ଦେଖିବାକୁ ସ୍ୱପ୍ନ। ଏ ଟଙ୍କା କ'ଣ କିଏ ଦେଲା, କାହିଁକି ଦେଲା, ମନ ଭିତରେ ଜାଗି ଉଠୁଥିବା ସବୁ ପ୍ରଶ୍ନକୁ ସରଦେଈ ନ ପଚାରୁଣୁ ଜଗୁନି ତଳେ ଖଣ୍ଡେ ମସିଣା ପକାଇ ଗଡ଼ି ପଡ଼ି ପଚାରିଲା - "ଦେଈ, ସେ ଘୋଡ଼ାଟା କାହାର କିଲୋ ?

ସରଦେଈ କୁଣ୍ଠିତ କଣ୍ଠରେ ଉତ୍ତର ଦେଲା - "କିଏ ଜଣେ ଅସୁଆର ସଞ୍ଜ ପହରୁ ଆସି ସେଇ ଚଟି ଘରେ ରାତିଟା ପାଇଁ ରହିଚି, ତୁ ତ କୁଆଡ଼େ ଗଲୁ। ମୁଁ ନୟାନ୍ତ ହୋଇଗଲିଣି।"

ଜଗୁନି କହିଲା - "ତାହେଲେ ସେ ମୋତେ ଠିକ କହୁଥିଲା।"

ଜଗୁନିର ପ୍ରହେଳିକାପୂର୍ଣ୍ଣ କଥାରେ ସରଦେଈ ବିସ୍ମିତ ହୋଇ ପଚାରିଲା - "କିଏ କହୁଥିଲା ?"

ଜଗୁନି - "ମୋତେ ଥରେ ଯୋଉ ଖୋର୍ଦ୍ଧା ରାଜା ପାଖକୁ ଚିଟାଉ ଦେଇ ପଠାଇ ନ ଥିଲୁ; ଏ ଅସୁଆର ହେଉଛି ସେଇ ଖୋର୍ଦ୍ଧା ରାଜାର ପୁଅ। ବାପ ବିପକ୍ଷରେ ଲଢ଼ିବା ପାଇଁ ବାଣପୁରରୁ ପୁରୀ ଯାଉଛି।"

ସରଦେଈ - "ବାପ ପୁଅ ଲଢ଼େଇ ? ତୁ ଏ ସବୁ ଜାଣିଲୁ କୋଉଠୁ ? ତତେ କିଏ କହିଲା ?"

କ୍ରମଶଃ...

୩୧.୧.୧୯

Wednesday, 30 January 2019

*ଜଗନ୍ନାଥ ତ ଚିହ୍ନିବେ*

ତଣ୍ଡାକିନାର ଉପରେ ରାତି ଗଭୀର ହୋଇଛି। ଜଗୁନି ତଥାପି ଫେରି ନାହିଁ। ଦୀପ ଆଲୁଅର ଛାଇ ବାହାର ପବନରେ କାନ୍ଥ ଉପରେ ନାଚି ଉଠୁଛି, ଅବଲମ୍ବନହୀନ ନିଃସଙ୍ଗତା ପରି କାନ୍ଥରେ ସେ ଦିନେ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରାଙ୍କର ଯେଉଁ ଚିତ୍ର, ଡାଉ, କଳା ଓ ହରିଡ଼ା ପ୍ରଭୃତିରେ ଆଙ୍କିଥିଲା; ସେହି ଚିତା ବେଳେବେଳେ ଦୀପ ଆଲୁଅରେ ଚେଇଁ ଉଠିଛି। ସେ ଚିତାକୁ ଦେଖି ସେ କ'ଣ ଚିନ୍ତା କରୁଛି -

ସମାଜର ଏକ ବିଚିତ୍ର ଅବୁଝାମଣାରେ ସେ ଆଜି କୁଳନାଶିନୀ, ସମାଜଚ୍ୟୁତା। ଜଗନ୍ନାଥଙ୍କ ଦେଉଳରେ ତା'ର ପ୍ରବେଶ ନିଷିଦ୍ଧ। ମାତ୍ର ହୃଦୟର ଜଗନ୍ନାଥଙ୍କୁ ତା'ଠାରୁ ବଞ୍ଚିତ କରିବ କିଏ ?

ଜଗୁନି ତ ଜିଦ୍ ଲଗାଇଥିଲା ରଥଯାତ୍ରାରେ ତାକୁ ପୁରୀ ଘେନିଯିବାପାଇଁ। ଦେଉଳ ଭିତରେ କିଏ ଚିହ୍ନିବ ତାକୁ, ବାଲୁଗାଁର ସେଇ ସରଦେଈ ବୋଲି ? କିନ୍ତୁ କେହି ନ ଚିହ୍ନନ୍ତୁ, ସେହି ଚକାଡୋଳା ଜଗନ୍ନାଥ ତ ଚିହ୍ନିବେ

ଅନ୍ତର୍ଯ୍ୟାମୀ ସେ, ତାଙ୍କୁ କୋଉ କଥା ଅଛପା ? କିନ୍ତୁ ତା ହେଲେ ସେ କ'ଣ ବୁଝି ନ ଥିବେ ବିଧବା ହେବା ଦିନ ଠାରୁ, ବ୍ରତଚାରିଣୀ ପରି ସରଦେଈ ଯେପରି ନିଷ୍ପାପ ନିଷ୍କଳଙ୍କ ରହି ଆସିଛି - ନିଜର ଜ୍ଞାତସାରରେ ତ ସେ ଆଉ ପଠାଣ ଲସ୍କର ଦ୍ୱାରା ନିଜ ଦେହକୁ କଳୁଷିତ କରି ନ ଥିଲା।

ମନର ଚହଲା ପାଣି ଉପରେ କେତେ ଛାଇ ଅବଶ୍ୟ କେତେ ଥର ଭାସି ଉଠିଛି - କିନ୍ତୁ ମନର ଅଥଳ ଦରିଆରେ ସେ ଛାଇ ସବୁ ପୁଣି ସେମିତି ମଧ୍ୟ ନିଶ୍ଚିହ୍ନ ହୋଇଯାଇଛି।

କ୍ରମଶଃ...

୩୦.୧.୧୯

Tuesday, 29 January 2019

* ନୋହିଲେ, ପୁଣି ଦେଖା ହେବ ଆର ଜନମରେ*

ସରଦେଈ ନୂଆ ହୋଇ ଶାଶୁଘର ଆସିଥିଲା। ତା' ସ୍ୱାମୀର ଚେହେରା ଭଲ କରି ଦେଖିବା ପାଇଁ ସୁଦ୍ଧା ସେପର୍ଯ୍ୟନ୍ତ ସେ ବେଳ ପାଇ ନ ଥିଲା। ସେ ପାଇକ ଝିଅ - ସେ ମଧ୍ୟ ଜାଣେ ଲଢ଼େଇ ଡାକରେ ଯେଉଁମାନେ ଘରୁ ବାହାରନ୍ତି, ସେମାନେ ଆଉ ଫେରନ୍ତି ନାହିଁ। ତା'ର ବାପ, ଦାଦି, ଭାଇ ମଧ୍ୟ ସେହିପରି ଦିନେ ଲଢ଼େଇ ଡାକରାରେ ଯାଇଥିଲେ; ଆଉ ଫେରି ନ ଥିଲେ।

ପାଇକ ଝିଅ ସେ, ପାଇକାଳୀ ରକ୍ତରେ ମଧ୍ୟ ତା'ର ଦେହ ଆଉ ମନ ଗଢ଼ା; ତଥାପି ଯାହା ସହିତ ନୂଆ ସଂସାର କରିବାପାଇଁ ସେ ଏ ଅଜଣା ଗାଁରେ ଦିନେ ପାଦ ଦେଇଥିଲା, ତାକୁ ନିଜ ହାତରେ ଚିତା ସିନ୍ଦୁର ପିନ୍ଧାଇ, ଦୂବ ଅକ୍ଷତରେ ବନ୍ଦାପନା କରି ନିଶ୍ଚିତ ମରଣର ମୁହଁକୁ ଠେଲିଦେବା ପାଇଁ ତା'ର ଅନ୍ତରାତ୍ମା ସେତେବେଳେ ଆର୍ତ୍ତନାଦ କରିଉଠୁଥିଲା।

କିନ୍ତୁ ତା'ର ଶ୍ୱଶୁର ବୋହୂର କନ୍ଦାକଟା ଶୁଣି, ପୁଅର ମନ ସେଥିରେ କାଳେ ଛନ୍ଦେଇ ଯିବ ଆଶଙ୍କା କରି, କାଳିସୀ ଲାଗିବା ପରି ଦୁଆର ଅଗଣାରେ ନାଚି ନାଚି ଚିତ୍କାର କଲେ - "ଆରେ ତମେଗୁଡ଼ା ପାଇକ ଛୁଆ ନା ବେହେରାଣିଆ ଛୁଆ ବେ ? ପାଇକ ଆମେ, ଲଢ଼େଇରେ ଜାନ୍ ଦେବାପାଇଁ ମୁଣ୍ଡ ଲେଖି ଦେଇଚୁ। ପଠାଣେ ଆସି ବଡ଼ ଦେଉଳ ଉପରକୁ ବାହିଲେଣି। ଓଡ଼ିଆ ଜାତିର ମଉଡ଼ମଣି, ଖୋର୍ଦ୍ଧା ରାଜା ଦେଶର ଇଜ୍ଜତ, ଜଗନ୍ନାଥଙ୍କ ମାନ ରଖିବା ପାଇଁ, ବଣ କାନ୍ତାରରେ ବୁଲୁଛି। ଲଢ଼େଇ ଡାକରା ଶୁଣି ତମେ ମାଇକିନାଙ୍କ କାନି ତଳେ କ'ଣ ପଶୁଛ ବେ ? ହା - ଧିକ, ତମ ମରଦ ପଣିଆରେ।"

ଯମଦାଢ଼ ଉଞ୍ଚାଇ ଶ୍ୱଶୁର ବୁଢ଼ା କାଳିସୀ ଲାଗିଲା ପରି ପରସ୍ତେ ନାଚି ଗଲେ, ଲଢ଼େଇ ବାଜା, ନାଗରା, ବୀରତର୍ ବାଜିଲେ ସେ ସେଇପରି ଏ ବୟସରେ ବି ନାଚନ୍ତି।

ଅବଶେଷରେ ସରଦେଈ ସ୍ୱାମୀ କପାଳରେ ଚିତା, ସିନ୍ଦୁର, ଗଳାରେ କାଳିଜାଈ ଠାକୁରାଣୀଙ୍କ ଧଣ୍ଡାମାଳ ପିନ୍ଧାଇ ଦୂବ ଅକ୍ଷତରେ ବନ୍ଦାପନା କରି ଗାଁର ଅନ୍ୟ ପାଇକମାନଙ୍କ ମେଳରେ ସ୍ୱାମୀକୁ ଲଢ଼େଇକୁ ପଠାଇ ଦେଇଥିଲା। ସେଦିନ କିନ୍ତୁ ମଙ୍ଗଳ ଶଙ୍ଖ ଫୁଙ୍କିବା ବେଳେ ଲୁହ ଆଉ କୋହରେ ତା'ର ଗଳା ରୁନ୍ଧି ହୋଇ ଆସିଥିଲା। ଲଢ଼େଇ ପଟୁଆରର ବୀରଦୂର, କାହାଳୀ, ମାଦଳୀ ଓ ମାଦକ ମାନଙ୍କର କିଳିକିଳା ଯୁଦ୍ଧ ରଡ଼ି କ୍ରମେ ଗାଁ ମୁଣ୍ଡରେ ମିଳାଇଗଲା। ତା'ପରେ ସରଦେଈ ଯେଉଁଠାରେ ଠିଆ ହୋଇଥିଲା, ସେହିଠାରେ ମାଟି ଉପରେ କଟାଗଛ ପରି ଟଳି ପଡ଼ିଲା।

ବହୁଦିନ ବହୁ ପ୍ରତୀକ୍ଷା ପରେ ଅବଶେଷରେ ଦିନେ ତା'ର ସ୍ୱାମୀ ତ ଲଢ଼େଇରୁ ଫେରି ନ ଥିଲା, ଫେରିଥିଲା କେବଳ ତା'ର ପଟେ ଫରୀଖଣ୍ଡା, ମାଳେ ଘାଂଘୁଡ଼ି, ଆଉ ରକ୍ତ ଭିଜା ଖଣ୍ଡେ ଶିରୀପା - ସରଦେଈର ବଧୂ ଜୀବନର ଶେଷାବଶେଷ।

ବାପଘର ଲୋକେ ତାକୁ ଆଉ ଠାଏ ବିବାହ ଦେବାପାଇଁ ଠିକଣା କରିଥିଲେ - ଆହା, ଝିଅଟା ସ୍ୱାମୀ ସୋହାଗ କ'ଣ ନ ବୁଝୁଣୁ, ହାତରୁ କାଚ ଶଙ୍ଖ ଫିଟାଇ, ମୁଣ୍ଡରୁ ସିନ୍ଦୁର ପୋଛିଲା - କାହାକୁ ଚାହିଁ ସେ ଏବେ ପଡ଼ି ରହିବ ଶାଶୁ ଘରେ ?

ଏଥିରେ ଶାଶୁଙ୍କର ଆପତ୍ତି ଥିଲେ ହେଁ, ଶ୍ୱଶୁରଙ୍କର କିନ୍ତୁ କୌଣସି ଆପତ୍ତି ନ ଥିଲା, ମାତ୍ର ସେଥିରେ ନିଜେ ଅମଙ୍ଗ ହେଲା ସରଦେଈ। ତାର ସ୍ୱାମୀ ଲଢ଼େଇରେ ଯିବା ପୂର୍ବରୁ ପ୍ରଥମ ଓ ଶେଷ ସମ୍ଭାଷଣ ରୂପେ ଯାହା କହିଥିଲେ, ଆଜି ସୁଦ୍ଧା ସେ ତାହା ଭୁଲି ନ ଥିଲା - "ବଞ୍ଚିଲେ ଏଇ ଜୀବନରେ, ନୋହିଲେ ଆର ଜନମକୁ ପୁଣି ଦେଖା।"

ସେଇ ଅନ୍ତଃହୀନ ପ୍ରତୀକ୍ଷାରେ ସରଦେଈ ବଞ୍ଚି ରହିଥିଲା। ପୁଣି କ'ଣ ଆଉ ଗୋଟାଏ ଜନ୍ମ ଅଛି, ଏ ଜନ୍ମ ପରେ ? ସରଦେଈ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇଲା।

କ୍ରମଶଃ...

୨୯.୧.୧୯

Monday, 28 January 2019

*ପାଇକପୁଅ ସେମାନେ*

ଶାଶୁଘରର ପରିତ୍ୟକ୍ତା ଭଙ୍ଗାରୁଜା ଘରର ଚିତ୍ର ସରଦେଈର ଆଖି ଆଗରେ ନାଚି ଯାଉଥାଏ। ମୋଗଲଗୋଳରେ କେତେବଡ଼ ଗାଁ (ମାଳକୁଦା) ଟା ନାରଖାର ହୋଇଗଲା ! ଝଡ଼, ବତାସ, ଖରା, ବର୍ଷାରେ ସେ ଘର ଏବେ କେଜାଣି ମାଟିରେ ମିଳାଇ ଯିବଣି ! ବାଇଗବା, କଣ୍ଟାସିଝୁ, ନାଗଅଇରି ଆଉ ନାଗଫେଣି ଜଙ୍ଗଲ ଭିତରେ ସାତପୁରୁଷୀ ଭିଟା ହଜିଯିବଣି - ସେଇ ଗାଁକୁ ଦିନେ ସେ ପୁଆଣି ହୋଇ ଆସିଥିଲା - ନୂଆ ସଂସାର ଗଢ଼ିବା ପାଇଁ - ସାଧବ ବୋହୂ ପରି ନାଲି ଟୁକୁଟୁକୁ, ସେହିପରି ଲାଜକୁଳୀ, ଦେହରେ ନାଲି କସ୍ତା ବେଢ଼ଣ, ପାଦରେ ନାଲି ଅଳତା, ମୁଣ୍ଡରେ ଗୋଳ ସିନ୍ଦୁର, ଓଠରେ ନାଲି ପାନବୋଳ।

ଚଉଠି ରାତି ନ ପାଉଣୁ ପାଇକାଳୀ ଗାଁରେ ବାଜି ଉଠିଥିଲା ଲଢ଼େଇକୁ ବାହାରିବାପାଇଁ ଧୂମସା, ମର୍ଦ୍ଦଳ ଆଉ କାହାଳୀର ରୋଳ - ଘରେ ଘରେ ସାଜସଜରବ। ସରଦେଈର ତିନି ଦେଢ଼ଶୁର ଆଗରୁ କେତେ ଲଢ଼େଇ ଗୋଳରେ କୋଉ ଅଜଣା ଭୂଇଁରେ ପ୍ରାଣ ହରାଇଥିଲେ - ପାଇକପୁଅ ସେମାନେ, ଲଢ଼େଇରେ ମୁଣ୍ଡ ଦେବାପାଇଁ କଣ୍ଟ କରି ସେମାନେ ଯେପରି ଜନ୍ମ ହୋଇଥିଲେ - ଗୋଟିକ ପରେ ଗୋଟିଏ ତିନି ପୁଅଙ୍କୁ ହରାଇ ସରଦେଈର ଶାଶୁ ପାଗଳୀ ହୋଇଯାଇଥିଲେ - ସେଥିପାଇଁ ସାନପୁଅକୁ ଆଉ ଲଢ଼େଇକୁ ନ ଛାଡ଼ି ଆଗୁଳି ବସିଲେ। ନୂଆ ବୋହୂ ହୋଇ ଆସିଥିବା ସରଦେଈର କାନେ କାନେ ସେ କହିଥିଲେ - "ଆଲୋ ହେ ସବାଖାଇ ଝିଅ, ତୁ ଘରେ ପାଦ ନ ଦେଉଣୁ ପୁଅ ବାହାରିଲାଣି ଲଢ଼େଇକି। ଆଉ କଣ ସେ ନିଆଁଲଗା ଲଢ଼େଇରୁ ପୁଅ ଫେରିବ ? ସେ ତିନିଟା ତ ସେମିତି ଲଢ଼େଇରେ କୁଆଡ଼େ ମରିହଜି ଗଲେ ଯେ ସେମାନଙ୍କ ବେଉରା ମିଳିଲା ନାହିଁ। ଆଉ ଏ ଅଳପେଇଷିଆ ପୁଅ ଲଢ଼େଇକୁ ଯିବା ପାଇଁ ଡେଇଁଲାଣି। ମୋ ମନା ସେ ତିନିଟା ତ ମାନିଲେ ନାହିଁ। ଆଉ ଏଇଟା ମାନିବ କାହିଁକି ? ତୁ ହେଲେ ତାକୁ ଅଟକାଇ ରଖ।"

କ୍ରମଶଃ...

୨୮.୧.୧୯

Sunday, 27 January 2019

*ଯୁବରାଜ ଭାଗୀରଥୀ କୁମାର*

ପୁଣି ଦିନେ ସନ୍ଧ୍ୟାବେଳେ ମେଘ ଘଡ଼ଘଡ଼ିରୁ ରକ୍ଷା ପାଇବା ପାଇଁ ଜଣେ ଅସୁଆର କଳା ଘୋଡ଼ା ଚଢ଼ି ସେହି ନୂଆ ଚଟୀଘର ପାଖରେ ଅଟକିଗଲା। ତା' ପଛରେ ଆଉ ଦୁଇ ଜଣ ଅସୁଆର ମଧ୍ୟ ପହଞ୍ଚିଲେ। ପ୍ରଥମ ଅସୁଆର ଥିଲା ଖୋର୍ଦ୍ଧାର ଯୁବରାଜ ଭାଗୀରଥୀ କୁମାର। ପଛରେ ଆସିଥିଲେ ଲଳିତା ମହାଦେଈଙ୍କ ଅତି ବିଶ୍ୱସ୍ତ ଲୋକ ବଂଶୀଧର ଶ୍ରୀଚନ୍ଦନ ଓ ଜଗନ୍ନାଥ ପରିଚ୍ଛା। ତାଙ୍କ ପଛକୁ ଆଉ ପଚାଶ ଜଣ ବାଣପୁରିଆ ପାଇକଙ୍କୁ ମଧ୍ୟ ପଠାଇଥିଲେ ଲଳିତା ମହାଦେଈ। ଏ ସମସ୍ତଙ୍କୁ ସେ କହିଥିଲେ ପୁରୀ ଯାଅ, ଯେମିତି ବି ହେଉ ରାମଚନ୍ଦ୍ରଦେଵଙ୍କୁ ପରାସ୍ତ କର ଏବଂ ଭାଗୀରଥୀକୁ ରାଜା କରାଅ। ସେଣେ ତକୀ ଖାଁ ମଧ୍ୟ ସେହି ଉଦ୍ଦେଶ୍ୟରେ ଅମିନଚାନ୍ଦକୁ ପୁରୀ ପଠାଇଥିଲା।

ମାତ୍ର ଘଟଣା ଘଟିଗଲା ଅନ୍ୟ ପ୍ରକାର।

କନ୍ଦା ନଈ ପାର ହେଉ ହେଉ ମାଲୁଦ ପଠାଣ ଫୌଜଦାର ଏମାନଙ୍କୁ କୟଦୀ କଲା।

ତକୀ ଖାଁ ପାଖକୁ ଖବର ପଠାଇବା ପରେ ସେ ନିର୍ଦ୍ଦେଶ ଦେଲା ସେମାନଙ୍କୁ ଛାଡ଼ିଦେବା ପାଇଁ। କାରଣ ସେ ଭାବିଥିଲା ମିଳିତ ଆକ୍ରମଣ କରି ରାମଚନ୍ଦ୍ରଦେଵଙ୍କ ଠାରୁ ରାଜସେବାର ଅଧିକାର ଛଡ଼ାଇ ନେବା ସମ୍ଭବ।

ଏଭଳି ଅଭାବନୀୟ ପରିସ୍ଥିତି କାରଣରୁ ରଥଯାତ୍ରା ସମୟ ଗଡ଼ିଯାଉ ଥାଏ। ମାତୁଳ ସମ ବଂଶୀ ଶ୍ରୀଚନ୍ଦନ କହିଲେ, "ଦିନ ବୁଡ଼ିଗଲା। ଝଡ଼ ରାତି। ଡେରି କରିବାକୁ ଆଉ ବେଳ ନାହିଁ। ଶୀଘ୍ର ଚାଲ।"
ଭାଗିରଥୀ - ଏମିତି ଅନ୍ଧାରରେ ଆମକୁ ମାଲୁଦ ଫୌଜଦାର କୟଦୀ କଲା। ଆମେ ଆଉ ଅନ୍ଧାର ରାତିରେ ମାଣିକପାଟଣା ଯାଇପାରିବୁ ନାହିଁ। ଆପଣମାନେ ଆଗରେ ଯାଆନ୍ତୁ ଡଙ୍ଗା ପ୍ରସ୍ତୁତ କରି ରଖିଥିବେ। ପାଦଚଲା ପାଇକମାନେ ପହଞ୍ଚିବା ପୂର୍ବରୁ କାଲି ସକାଳେ ଆମେ ପହଞ୍ଚି ଯିବୁ। ଏବେ ଏଇ ଚଟୀ ଘରେ ଆମେ ରହି ଯାଉଛୁ।

ଝଡ଼ର ବେଗ ଶାନ୍ତ ପଡ଼ିଥିଲା। ମେଳା ମେଳା ଛିଣ୍ଡା ମେଘ ଗହଳି ଭିତରେ ଶୁକ୍ଳ ସପ୍ତମୀ ତିଥିରେ ଜହ୍ନ ଭାସି ଭାସି ଯାଉଥିଲା। ଚିଲିକାର ଜଳରାଶି ମେଘଛାଇ ଆଉ ଜହ୍ନ ଆଲୁଅରେ ଦୋସଡ଼ା ତଳେ ନିଦେଇ ପଡ଼ିଥିଲା; କିନ୍ତୁ ଚିଲିକାର ଫେନଚୂଡ଼ ଊର୍ମି ଓ କେତେଟା ହଂସରାଳୀଙ୍କ ଆଖିରେ ତଥାପି ନିଦ ନ ଥିଲା। କଳା ମେଘ ଖଣ୍ଡେ ଜହ୍ନ ଉପରେ ଢାଙ୍କି ହୋଇଗଲା। ମେଘ ଯେତେ ଘନକୃଷ୍ଣ ହେଉ; ତା' ଚାରିପଟେ ମଧ୍ୟ ଆଲୋକର ଦୀପ୍ତି ଅଛି। ସବୁ ଦୁର୍ଯୋଗ ମଧ୍ୟରେ ସୁଦ୍ଧା ସୁଦିନର ଉଜ୍ଜ୍ୱଳ ସମ୍ଭାବନା ଅଛି।

ଭାଗୀରଥୀ କୁମାର ବିନିଦ୍ର ଆଖିରେ ଜହ୍ନ ଓ ଚିଲିକା ଆଡ଼େ ଚାହିଁ ସେଇସବୁ କଥା ଚିନ୍ତା କରୁଥିଲେ। ତାଙ୍କର ଚିନ୍ତା ସରଦେଈ ଆଡ଼େ ଧାବିତ ହେଉଥିଲା; ମାତ୍ର ବାଣପୁର ଗଡ଼ ସ୍ମରଣ ହେବା ମାତ୍ରେ  କୋପିନୀ ମାଆ ଲଳିତା ଦେଈ ତାଙ୍କ ସମ୍ମୁଖରେ ଉଭା ହୋଇଯାଉଥିଲେ। ତାଙ୍କୁ ଲାଂଛିତା କରି ପିତା ରାମଚନ୍ଦ୍ରଦେଵ ଯବନୀ ବିବାହ କରିଛନ୍ତି।

ସେଥିପାଇଁ ମାଆ ତାଙ୍କର ପାଞ୍ଚାଳୀର ପଣ କରିଛନ୍ତି। ରାମଚନ୍ଦ୍ରଦେଵଙ୍କୁ ଖୋର୍ଦ୍ଧା ସିଂହାସନରୁ ବିତାଡ଼ିତ ନ କରିବା ଯାଏ ମୁକ୍ତକେଶୀ ରହିବେ।

ଆଜି ସନ୍ଧ୍ୟାରେ ସେହି ଅଶ୍ବାରୋହୀ ନବଯୁବାଟିକୁ ଦେଖିବା ବେଳୁ ସରଦେଈର ନିରୁତ୍ତପ୍ତ ନାରୀତ୍ବ କେତେବେଳେ ହଠାତ୍ ଚେଇଁ ଉଠିଥିଲା ଶ୍ରୀରାମଙ୍କ ସ୍ପର୍ଶରେ ପାଷାଣୀ ଅହଲ୍ୟା ପରି, ତାହା ସେ ଜାଣି ନ ଥିଲା।

କ୍ରମଶଃ...

୨୭.୧.୧୯

Saturday, 26 January 2019

*ନୂଆ ଚଟୀଘର*

ବାଲୁଗାଁର ଅନ୍ୟ ଚଟୀଘରମାନଙ୍କର ଯେଉଁ ମାଲିକମାନେ ପ୍ରତିଯୋଗିତାରେ ସରଦେଈ ଚଟୀଘରକୁ ନ ପାରି ହାତ ବାନ୍ଧି ବସିଥିଲେ, ସେମାନେ ଏ ଘଟଣାକୁ ଆହୁରି ଅତିରଞ୍ଜିତ କରି ଚାରିଆଡ଼େ ରଟାଇ ଦେଲେ ଯେ, ସରଦେଈ ଯବନଭୋଗ୍ୟା ହୋଇ ପତିତା ହୋଇଛି। ତାହାଠାରୁ ଜଳଗ୍ରହଣରେ ସୁଦ୍ଧା ପାତକ ଦୋଷ ଲାଗିବ। ସରଦେଈ ଯେଉଁମାନଙ୍କୁ ଆହତ କରିଥିଲା, ନିରାଶ କରିଥିଲା, ସେମାନେ ମଧ୍ୟ ସେ ଅପବାଦରେ ଟୀକାଟିପ୍ପଣୀ ଯୋଡ଼ିବାକୁ ପଛାଇଲେ ନାହିଁ। ତା' ପାଇଁ ହାଣ୍ଡିଭଙ୍ଗା ବରତଳର ବାମ୍ଫୀମୂଳ ସୁଦ୍ଧା ଅଗମ୍ୟ ହୋଇଗଲା। ତା' ପାଇଁ କ୍ରମେ ସମାଜରେ ସବୁ ଦ୍ୱାର ରୁଦ୍ଧ ହୋଇଗଲା। ସେ ଯବନୋଛିଷ୍ଟା ହୋଇଥିବା ହେତୁ କ୍ରମେ ସରଦେଈ ଚଟୀଘରକୁ ବାଟୋଇ ଯାତ୍ରୀମାନଙ୍କ ଆସିବା ମଧ୍ୟ ବନ୍ଦ ହୋଇଗଲା।

ଏଇ ସମୟରେ ଦିନେ ଜଗୁନି କେଉଁ ଆଡୁ ବୁଲି ବୁଲି ଆସି ସରଦେଈକୁ କହିଲା - "ଦେଈ, ଚାଲ ଆମେ ଏଠୁ କୁଆଡ଼େ ଚାଲିଯିବା।"

କିନ୍ତୁ କୁଆଡ଼େ ବୋଲି ଓଲଟା ପ୍ରଶ୍ନ ପଚାରିବାର ସାହସ ନ ଥିଲା ସରଦେଈର।

ତା'ପରେ ଦିନେ ବାଲୁଗାଁ ପେଣ୍ଠରେ ଗଢ଼ି ଉଠିଥିବା ସଂସାରର ଅବଶେଷ ଓ ଲାଂଛିତ ନାରୀତ୍ବର ବିଡ଼ମ୍ବନା ଧରି ସରଦେଈ ଜଗୁନି ସହିତ ଚିଲିକା ଗର୍ଭରେ ଡଙ୍ଗା ମେଲି ଦେଇଥିଲା।

ଏହି ତେଣ୍ଡା କିନାରରେ କେତେଦିନ ପରେ ସେ ଖୋଲିଥିଲା ନୂଆ ଚଟୀଘର; ଯେଉଁଠି ତୀର୍ଥଯାତ୍ରୀ ପାନ୍ଥମାନେ କିମ୍ବା ସ୍ଥାନୀୟ ଲୋକେ କେହି ଜାଣି ନ ଥିଲେ ସରଦେଈର ବିଡ଼ମ୍ବିତ ଅତୀତ।

କ୍ରମଶଃ...

୨୬.୧.୧୯

Friday, 25 January 2019

*ପଠାଣ ଲସ୍କର ଦ୍ୱାରା ପତିତା*

ଲସ୍କରକୁ ବାଟ ଛାଡ଼ି ଦେବାପାଇଁ ସରଦେଈ ବାଟ କଡ଼ରେ ଓଢ଼ଣା ଟାଣି ତଳକୁ ମୁଣ୍ଡ ନୁଆଁଇ ଠିଆ ହୋଇ ରହିଗଲା। ଆଃ... ଜଗୁନି ଯଦି ସେତେବେଳେ ସେଠି ପହଞ୍ଚି ଥାନ୍ତା !
ମାତ୍ର, ଅଦୃଷ୍ଟ ସେଦିନ ଦାଉ ସାଧିଲା। ଲସ୍କରର କଳା ଘୋଡ଼ାଟା ଦୁଇ ଗୋଡ଼ ଶୂନ୍ୟେ ଶୂନ୍ୟେ ଉପରକୁ ଉଠାଇ ସରଦେଈ ପାଖରେ ରହିଗଲା। ଲସ୍କର ଲଗାମଟା ହଠାତ୍ କଷି ଦେଇ ଥିବାରୁ ଘୋଡ଼ାଟା କ୍ରୁଦ୍ଧ ଓ କ୍ଷିପ୍ତ ହୋଇ ଉଠିଲା। ବେକ ବୁଲାଇ ଲଗାମକୁ ଦାନ୍ତରେ କାମୁଡ଼ି ଟୁକୁରା ଟୁକୁରା କରି ଛିଣ୍ଡାଇ ଦେଇପାରିଲେ, ଯେପରି ତାର ମନ ଶାନ୍ତ ହୁଅନ୍ତା।

ସରଦେଈ ଆର୍ତ୍ତନାଦ କରି ଉଠିଲା - "ଜଗୁନି...।"

ଲସ୍କରକୁ ଘୋଡ଼ା ପିଠି ଉପରେ ସାମନାରେ ଦେଖି ସରଦେଈ ଭୟରେ ପଥର ପାଲଟିଗଲା। ସେ ଜାଣେ ଏମାନେ ଚିକାକୋଲ ଲସ୍କର ଫୌଜଦାର। ଏମାନଙ୍କ ଲୋଲୁପତାରୁ ଆତ୍ମରକ୍ଷା କରିବା ସହଜ ନୁହେଁ। ଏମାନଙ୍କୁ ପୁଣି ସାତଖୁଣ ମାଫ। ଚଟୀଘରେ ସ୍ଥାନ ନ ଦେଇଥିଲେ ହୋଇଥାନ୍ତା। ମାତ୍ର ତାର କି ସାଧ୍ୟ ଥିଲା ?

ଭୟରେ ତାର କାଖରୁ କଳସୀଟା ତଳେ ପଡ଼ି ଚୂନା ହୋଇଗଲା। ସେତିକିବେଳେ ସେ ରାକ୍ଷସ ମୋଗଲ ଲସ୍କର ସରଦେଈକୁ ଘୋଡ଼ା ଉପରକୁ ଝାମ୍ପି ଆଣି ଅରଣ୍ୟ ଭିତରକୁ ଘୋଡ଼ା ଛୁଟାଇ ଦେଲା।

ସରଦେଈ ଚେତାଶୂନ୍ୟ ହୋଇ ଯାଇଥିଲା। ତାକୁ ବଳାତ୍କାର କରି ସେଇ ଅରଣ୍ୟରେ ଛାଡ଼ି ଯାଇଥିଲା ଲସ୍କର। ଚେତା ଫେରିବା ବେଳକୁ ପଶ୍ଚିମ ଆକାଶରେ ସୂର୍ଯ୍ୟ ଢଳି ପଡ଼ି ଥିଲେ। ସରଦେଈ ପାଗଳିନୀ ପରି ଅସଂଯତ ବେଶବାସରେ ଢଳି ଢଳି ଚଟୀ ଘର ଆଡ଼େ ଫେରି ଆସିଲା। ଜଗୁନିକୁ ଡାକିବା ପାଇଁ ତାର ସେତେବେଳେ ସାହସ ନ ଥିଲା। ଜଗୁନିକୁ ବରଂ ଚଟୀ ଘରେ ନ ଦେଖି ସରଦେଈ ମନେ ମନେ ଯଥେଷ୍ଟ ଆଶ୍ୱସ୍ତ ହୋଇଥିଲା।

ତା' ପରଦିନ କିନ୍ତୁ ଦାବାଗ୍ନି ପରି ବାଲୁଗାଁ ଅଞ୍ଚଳରେ ଲୋକେ ମୁଖେ ମୁଖେ ରଟିଗଲା, ସରଦେଈ ପଠାଣ ଲସ୍କରକୁ ଦେହ ଦେଇ ପତିତା ହୋଇଛି।

କ୍ରମଶଃ...

୨୫.୧.୧୯

Thursday, 24 January 2019

* ହିଂସ୍ର ଲସ୍କର*

ରଥଯାତ୍ରା ସାରି ଦକ୍ଷିଣରୁ ଆସିଥିବା ଯାତ୍ରୀମାନେ ଚିଲିକା କୂଳ ରାସ୍ତାରେ ଫେରନ୍ତି।  ସେଇ ରାସ୍ତାରେ ଜଣେ ମୋଗଲ ଲସ୍କର ଘୋଡ଼ାରେ ଚଢ଼ି ଚିକାକୋଲରୁ କଟକ ଯିବା ବାଟରେ ଅନହୁତି ସରଦେଈ ଚଟୀ ଘରେ ଗୋଟିଏ ଦିନ ରହିଥିଲା। ନିର୍ଜନ ମଧ୍ୟାହ୍ନ। ଚୈତାଳୀ ପବନଟା ଅନେକ ନାଚି ନାଚି ନବ କୁସୁମିତ ପଳାଶ ଓ ଶାଳ୍ମଳୀ ଶାଖାରେ ଦଣ୍ଡେ ଝିମେଇ ପଡ଼ିଥିଲା। ହାଣ୍ଡିଭଙ୍ଗା ବରଗଛରୁ ରାଶି ରାଶି ଶୁଖିଲା ପତ୍ର ଅତୀତର ସ୍ମୃତି ପରି ତଳେ ଝରି ପଡୁଥିଲା। ସରଦେଈର କଳସୀରେ ସେଦିନ ମଧ୍ୟାହ୍ନରେ କିନ୍ତୁ ସତେସତେ ଟୋପିଏ ହେଲେ ପାଣି ନ ଥିଲା; କିନ୍ତୁ କଳସୀ ଧରି ବାମ୍ଫୀରୁ ପାଣି ଆଣିବା ପାଇଁ ତାକୁ ଅତ୍ୟନ୍ତ କୁଣ୍ଠା ଲାଗୁଥିଲା। ସେହି ଲସ୍କରଟିକୁ ଦେଖିବା ବେଳୁ କେଜାଣି କାହିଁକି ସରଦେଈ ଏକ ଅଶରୀରୀ ଆତଙ୍କରେ ମନେ ମନେ ଝାଉଁଳି ପଡ଼ିଥିଲା।

ବାମ୍ଫୀ ପାଖକୁ ଅଙ୍କା ବଙ୍କା ପାଦଚଲା ବାଟରେ ସରଦେଈ କଳସୀ କାଖରେ ରଖି ଯିବାବେଳେ, ଅନ୍ୟ ଦିନମାନଙ୍କ ପରି ସେଦିନ ସ୍ବପ୍ନାବିଷ୍ଟ ତନ୍ଦ୍ରାଳସତାରେ ତାର ପାଦ ଦୁଇଟି ଛନ୍ଦି ହୋଇ ପଡୁ ନ ଥିଲା; କିମ୍ବା ବେକ ବଙ୍କେଇ ପଛକୁ ଚାହିଁବା ପାଇଁ ସେ ମନେ ମନେ ସାହସ ଖୋଜି ପାଉ ନଥିଲା। ତଥାପି କେତେବେଳେ ନିଜର ଅଜ୍ଞାତସାରରେ ପଛକୁ ଫେରି ଚାହିଁବା ବେଳକୁ, ଘୋଡ଼ା ପିଠି ଉପରେ ସେ ଲସ୍କର ତାକୁ ଅନୁସରଣ କରୁଥିବାର ଦେଖି, ସରଦେଈ ଭୟରେ ଜଡ଼ ହୋଇ ପଡ଼ିଥିଲା। ଜଗୁନିର ନାଁ ଧରି ସେ ଆର୍ତ୍ତନାଦ କରି ଉଠିଲା। କିନ୍ତୁ ଜଗୁନିର ଦେଖା ନ ଥିଲା। ଲସ୍କରର ଦୁଇ କ୍ଷୁଧିତ ଆଖି ବ୍ୟାଧର ଶର ପରି ତାକୁ ବିଦ୍ଧ କରିବା ପାଇଁ ଯେପରି ତାର ପଛେ ପଛେ ଅନୁଧାବନ କରୁଥିଲା। ବସ୍ତୁତଃ ବ୍ୟାଧଭୀତା ହରିଣୀ ପରି ସରଦେଈ ଯେତିକି ଆର୍ତ୍ତ ଚିତ୍କାର କରୁଥିଲା, ଲସ୍କରର ହିଂସ୍ରଲୋଲୁପତା ସେତିକି ବୃଦ୍ଧି ପାଉଥିଲା।

କ୍ରମଶଃ...

୨୪.୧.୧୯

Wednesday, 23 January 2019

*ଅପରାଜେୟ ଓଡ଼ିଶାର ଦୂରନ୍ତ ଜୈତ୍ରଯାତ୍ରା*

ରାମଚନ୍ଦ୍ରଦେବଙ୍କ ପାଇଁ ଏକ ଅସ୍ଥାୟୀ ଘର(ଶ୍ରୀନବର) ନିର୍ମାଣ କରାଗଲା। ଆଜ୍ଞାମାଳ ପାଇଲେ ସେ ସେଠାରୁ ଛେରାପହଁରା ପାଇଁ ଯିବେ। ଆଜ୍ଞାମାଳ ନେଇ ସାନ ପରିଚ୍ଛା ଶ୍ରୀନବରକୁ ଆସିଲେ।

ଏଣେ ରାମଚନ୍ଦ୍ରଦେଵଙ୍କୁ ଛେରାପହଁରା ନ କରାଇ ଦେବାପାଇଁ ପ୍ରତିଜ୍ଞା କରି ଅମିନଚାନ୍ଦ ଆସିଥିଲା। ମାତ୍ର, ସୂଅ ମୁଁହରେ ବାଲିବନ୍ଧ ପରି ତାର ସବୁ କୂଟ କୌଶଳ ମୁହୂର୍ତ୍ତକ ମଧ୍ୟରେ ପଣ୍ଡ ହୋଇଗଲା।

ସହସ୍ର ସହସ୍ର କଣ୍ଠରେ ହଠାତ୍ ଫୁଟି ଉଠିଲା - "ଏଇ ରାଜା ଆସିଲେ, ରାଜା ଆସିଲେ।"

ମଣିମା, ମହାବାହୁ ନାଦରେ ରଥ ଦାଣ୍ଡ ପୁଣି ମୁଖରିତ ହୋଇ ଉଠିଲା।

ବଡ଼ ଦାଣ୍ଡରେ ରାମଚନ୍ଦ୍ରଦେଵ ମେହେନାରେ ବସି ଛେରାପହଁରା ପାଇଁ ପଟୁଆରରେ ଆସୁଥିଲେ। ଅଠର ଗଡ଼ଜାତର ସାମନ୍ତ ରାଜାମାନେ ମେହେନା ଆଗରେ ପଛରେ ଓ ତାହାର ଦୁଇ ପାଖରେ ଚାମର, ଆଲଟ, ଛତ୍ର ଓ ଆଡ଼େଣୀ ପ୍ରଭୃତି ଧରି ନିଜ ମର୍ଯ୍ୟାଦା ଅନୁସାରେ ରାମଚନ୍ଦ୍ରଦେବଙ୍କ ଗହଣରେ ଆସୁଥିଲେ। ମୋଗଲବନ୍ଦୀର କେତେକ ଜମିଦାର ମଧ୍ୟ ଏ ପଟୁଆରରେ ରାଜାଙ୍କ ଗହଣରେ ଚାଲିଥିଲେ। ତକୀ ଖାଁର ଅପ୍ରୀତିଭାଜନ ହେବା ସତ୍ତ୍ୱେ ସେମାନେ "ଜୟ ଖୋର୍ଦ୍ଧା ରାଜା ରାମଚନ୍ଦ୍ରଦେଵଙ୍କ ଜୟ" ଧ୍ୱନି ଦେଇ ଚାମର ଦୋଳାଇ ପଟୁଆରରେ ବାହାରିଥିଲେ।

ରଥ ଚାରିପାଖ ସୁନା ଖଡ଼ିକାରେ ଓଳାଇ ସାରି ରାମଚନ୍ଦ୍ରଦେଵ ଚାର ଉପରେ ଓଲ୍ହାଇବା ବେଳକୁ, ବରକୋଳିଆ ମେଘ ଥପ ଥପ ପଡ଼ିବା ଆରମ୍ଭ କରିଥିଲା।

ଘଣ୍ଟୁଆ, ମହୁରିଆ, କାହାଳିଆ ଓ ମାଦଳିଆ ମାନଙ୍କ ବାଦ୍ୟର ରୋଳରେ ଝଡ଼ ବର୍ଷାର ପ୍ରଳୟଙ୍କରୀ ଗର୍ଜନ ନୀରବ ହୋଇ ପଡ଼ିଥିଲା।

ରଥ ଉପରୁ ଡାହୁକ ବୋଲିଲା -

"ରଥ ଚାଲେ ଘୁଂ, ଚକ ଚାଲେ ଘୁଂ
ଯାହା ମୁଣ୍ଡରେ ସିନ୍ଦୂର ଟୋପା--
କାଳ ବେଠିଆମାନେ ଗୋଟିଏ ଝିଙ୍କାରେ ରଥ ଦଉଡ଼ି ଟାଣି କୁହାଟି ଉଠିଲେ, "ତା ଘଇତା ମୁଁ।"

"ଜୟ ଜଗନ୍ନାଥଙ୍କ ଜୟ", "ଜୟ ଗଜପତି ରାମଚନ୍ଦ୍ରଦେଵଙ୍କ ଜୟ" ପ୍ରଭୃତି ଜୟ ଧ୍ୱନି, ଝଡ଼ ଓ ବର୍ଷାର କୋଳାହଳ ମଧ୍ୟରେ ରଥ ଗଡ଼ି ଗଡ଼ି ଚାଲିଲା...

ଏ ନନ୍ଦିଘୋଷ ରଥଯାତ୍ରା ଥିଲା ଅପରାଜେୟ ଓଡ଼ିଶାର ଦୂରନ୍ତ ଜୈତ୍ରଯାତ୍ରା

ଅମିନଚାନ୍ଦ ବେତ୍ରାହତ କୁକୁର ପରି ଝଡ଼ ଓ ବର୍ଷା ମଧ୍ୟରେ ସେଠାରୁ ମାର୍କଣ୍ଡେଶ୍ୱର ସାହିର ଲଣ୍ଡା ମଠରେ ତା ଆସ୍ଥାନ ଆଡ଼େ ଫେରିଗଲା।

କ୍ରମଶଃ....

୨୩.୧.୧୯

Tuesday, 22 January 2019

*ସେଇ ଜଗନ୍ନାଥ ଏକା ଓଡ଼ିଶାର ସମ୍ରାଟ*

ଶେଷକୁ ରଥଯାତ୍ରା ଦିନ ରାଜା ଭାବୁଥିବା ଅମିନଚାନ୍ଦର ସବୁ ସ୍ପର୍ଦ୍ଧିତ ଅହମିକା କେଉଁ ଆଡ଼େ ହଜି ଯାଇଥିଲା। ଯେଉଁ ପାଲିଙ୍କିରେ ଚଢ଼ି ସେ ଆସିଥିଲା, ଭିଡ଼ ମଧ୍ୟରେ ତାହା ଜଗନ୍ନାଥବଲ୍ଲଭ ଠାରୁ ଆଉ ବେଶୀ ଦୂର ଆଗେଇ ପାରି ନ ଥିଲା। ସେଇଠାରେ ପାଲିଙ୍କି ଛାଡ଼ି ପାଦରେ ଚାଲି ଚାଲି ଭିଡ଼ରେ ଧକ୍କା ଖାଇ ଖାଇ, ଜଗନ୍ନାଥଙ୍କ ରଥ ପର୍ଯ୍ୟନ୍ତ କୌଣସି ଉପାୟରେ ଚାଲି ଚାଲି ଆସି ପାରିଥିଲା।

ଭିତରେ ଛିଡ଼ା ହୋଇ ସେ ଜଗନ୍ନାଥଙ୍କ ପହଣ୍ଡି ଯେତେ ଦେଖୁ ନ ଥିଲା, ସେତେ ଲକ୍ଷ୍ୟ କରୁଥିଲା, ଜଗନ୍ନାଥଙ୍କ ନେପଥ୍ୟରେ ଓଡ଼ିଆ ଜାତିର ଏକ ବିରାଟ ଐକ୍ୟ, ଶକ୍ତି ଓ ମହିମାର ସଂକେତ। ସେଇ ଜଗନ୍ନାଥ ଏକା ଓଡ଼ିଶାର ସମ୍ରାଟ; ଓଡ଼ିଶାର ରାଜା ସେବକ ମାତ୍ର। ମୋଗଲ ସମ୍ରାଟ ଦିଲ୍ଲୀଶ୍ୱରୋବା ଜଗଦୀଶ୍ୱରୋବା ପ୍ରବଳ ପ୍ରତାପୀ ଆକବର, ତାଙ୍କ ପାଖରେ ହାର ମାନିଛନ୍ତି, ମାନସିଂହ ଟୋଡ଼ରମଲ୍ଲ ମୁଣ୍ଡ ନୁଆଇଁ ଫେରି ଯାଇଛନ୍ତି। ଆଉ ନାଏବ ନାଜିମ ତକୀ ଖାଁ ପୁଣି ତାଙ୍କର ନାଏବ ରୂପେ ଅମିନଚାନ୍ଦ ତ ଏ ମହା ମହିମାର ସିଂହଦ୍ୱାରରେ ତୁଚ୍ଛାଦପି ତୁଚ୍ଛ।

କ୍ରମଶଃ...

୨୨.୧.୧୯

Monday, 21 January 2019

*ଅମିନଚାନ୍ଦକୁ ପୁଣି ବିରୋଧ*

ଦାମ ସୁଆର ପାଟି କରି ଉଠିଲେ - "ପୁଅ ବିଛା ମନ୍ତ୍ର ନ ଜାଣି; କାଳନାଗ ଲାଞ୍ଜରେ ହାତ ଦେଉଚିରେ ! ଇଏ କଣ ନାଏବ ନାଜିମ ଦରବାର ହୋଇଛି କି ରେ, ତମ ଦେଖାଉଛୁ। ଇଏ ବଳିଆର ଭୁଜର ଶ୍ରୀବତ୍ସ ଖଣ୍ଡାଶାଳ ଦେଉଳ। ଏଠି କାହାରି ନାଲି ଆଖି ପଟିବ ନାହିଁରେ ଜଳହସ୍ତୀମାନେ ! ଆଜି ତୋର ଦିନେ କି ମୋର ଦିନେ।"

ଅନ୍ୟ ପଣ୍ଡାମାନେ କହିଲେ - "ଇଏ ପଠାଣ ପତର ଚଟା କାଳେ ପୁଣି ପୁରୁଷୋତ୍ତମ କ୍ଷେତ୍ରରେ ଦେୱାନ ହେବ। ଆରେ ଯାଃ - ଚାଟ ଘର ପୁଅ ଚାଟ ଭାଟ ଘର ପୁଅ ଭାଟ।"

ଏହା ଶୁଣି ଅମିନଚାନ୍ଦ କ୍ଷୁବ୍ଧ ହୋଇ ସେଠାରୁ ପଳାଇଗଲା।

କ୍ରମଶଃ...

୨୧.୧.୧୯

Sunday, 20 January 2019

*କିଏରେ ଏଇ ଜଳହସ୍ତୀ ? *

ଅମିନ ଚାନ୍ଦ ସ୍ୱପ୍ନ ଦେଖୁଥିଲା ଯେ  ଧର୍ମଚ୍ୟୁତ କାରଣରୁ ରାମଚନ୍ଦ୍ରଦେଵ ରଥଯାତ୍ରାର ପାରମ୍ପରିକ ବିଧିରୁ ବଞ୍ଚିତ ହୋଇଯିବେ ଓ ତାଙ୍କ ପରିବର୍ତ୍ତେ ରାଜ (ତକୀ ଖାଁର) ପ୍ରତିନିଧି ଭାବେ ସେ ହିଁ ସମସ୍ତ ବିଧି ସମ୍ପନ୍ନ କରିବ। ଏତିକି ଯଦି ହୋଇଯାଏ ତେବେ ତକୀ ଖାଁ ଠାରୁ ତାକୁ ବହୁତ ସମ୍ମାନ ମିଳନ୍ତା। କଟକ ଠାରୁ ମୁର୍ଶିଦାବାଦ ଦେଇ ଦିଲ୍ଲୀ ଯାଏ ତାର ଜୟ ଜୟକାର ପଡ଼ିଯାନ୍ତା।

ମାତ୍ର ମୁକ୍ତି ମଣ୍ଡପ ସଭାର ନିର୍ଣ୍ଣୟ ତା ସ୍ୱପ୍ନରେ ପାଣି ପକାଇ ଦେଇଛି।

ତଥାପି ରାଜା ହେବାର ମୋହ ତାକୁ ସୈତାନ କରିଦେଇଛି।

ସେ ଛୁଟିଛି ହାଫିଜ କାଦର ବଦଳରେ ନିଜେ ରଥରେ ଛେରାପହଁରା କରିବା ପାଇଁ।

ବିଶ୍ୱାସ ଓ ଆଚରଣ ମଧ୍ୟରେ ଯେଉଁ ବୈସାଦୃଶ୍ୟ ପରିଲକ୍ଷିତ ହୋଇଥାଏ ଅମିନଚାନ୍ଦ ସେଥିରୁ ମୁକ୍ତ ନ ଥିଲା।

ଜଗନ୍ନାଥଙ୍କ ମହିମା ପ୍ରତି ହିନ୍ଦୁ ହିସାବରେ ତାର ପ୍ରଗାଢ଼ ଭକ୍ତି ଥିଲେ ମଧ୍ୟ କୌଣସି ଶ୍ରଦ୍ଧା ନଥିଲା। ସେଥିପାଇଁ ନିଜେ ହିନ୍ଦୁ ହୋଇ ସୁଦ୍ଧା ତୁଚ୍ଛ ସ୍ୱାର୍ଥ ଲୋଭରେ ତକୀ ଖାଁ ଦ୍ୱାରା ଆବିଷ୍ଟ ହୋଇ ସେ ଆସିଥିଲା, ହିନ୍ଦୁ ଜଗତର ମଉଡ଼ ମଣି ଜଗନ୍ନାଥଙ୍କୁ ଲାଂଛିତ କରିବା ପାଇଁ।

ତଥାପି ବିଦେଶାଗତ କ୍ଲାନ୍ତ, ଶ୍ରାନ୍ତ, ଉପବାସିନୀ ଯାତ୍ରିଣୀ ମାନଙ୍କ ଉପରେ ସେବକ ମାନଙ୍କର ଅଶ୍ଳୀଳ ଅତ୍ୟାଚାରର ନଗ୍ନ ରୂପ ଦେଖି ସେ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲା।

ସେତେବେଳେ କିଛି ସମୟ ପାଇଁ ତାର ହିନ୍ଦୁତ୍ୱ ଜାଗି ଉଠିଥିଲା। ତାର ମନେ ହୋଇଥିଲା, ଜଗନ୍ନାଥଙ୍କର ଚରମ ଶତ୍ରୁ ତକୀ ଖାଁ ପରି ଯବନମାନେ ଯେତେ ନୁହଁନ୍ତି, ସେତେ ହେଉଛନ୍ତି ଏଇ ସେବକମାନଙ୍କ ପରି ହିନ୍ଦୁମାନେ। ସେତେବେଳେ ସେ ଚୁପ ନ ରହି ସେବକ ମାନଙ୍କ ସହ ଝଗଡ଼ା କରଥିଲା।

କଟକ ଦରବାରରୁ ଆସି ହାକିମାତି କରୁଥିବାରୁ ସେବକମାନେ ଏକଜୁଟ ହୋଇ କହିଲେ, "କିଏରେ ଏଇ ଜଳହସ୍ତୀ ?

ତା ପରେ ଅନେକ ଘଟଣା ଘଟିଗଲା। ସେବକ ମାନେ ଦୁଇଭାଗ ହୋଇଗଲେ। ଗୋଟିଏ ଦଳ ଅମୀନ ଚାନ୍ଦକୁ ସମର୍ଥନ କରିବା ବେଳେ ଆଉ ଗୋଟିଏ ଦଳ ରାଜା ରାମଚନ୍ଦ୍ରଦେବଙ୍କୁ ସମର୍ଥନ କଲେ।

ଅମିନଚାନ୍ଦଙ୍କ ନାମ ଶୁଣିବା ମାତ୍ରେ ତାଙ୍କ ଦ୍ୱାରା ଲାଂଛିତ ହୋଇଥିବା ସେବକମାନେ ତମ୍ପ ସାପ ପରି ଗର୍ଜି ପାଟି କରି ଉଠିଲେ - "ଜଗନ୍ନାଥେ ପତିତପାବନ  ହୋଇ ରାମଚନ୍ଦ୍ର ଦେଵଙ୍କୁ ପ୍ରସନ୍ନ ହେଲେ ହେଲା ନାଇଁ ! ଆଉ ପଠାଣର ଅଇଁଠା ପତର ଚଟା ଏ ଜଳହସ୍ତୀ ଅମିନଚାନ୍ଦ ରାଜବିଧି କରିବ ?

କ୍ରମଶଃ...

୨୦.୧.୧୯

Saturday, 19 January 2019

*ହିନ୍ଦୁ ଆଜି ହିନ୍ଦୁର ଘୋର ଶତ୍ରୁ*

ରାମଚନ୍ଦ୍ରଦେଵ - ମାତ୍ର ଅଳ୍ପକ୍ଷଣ ପୂର୍ବରୁ ତୁମ ଲସ୍କରମାନେ ଗୋଟିଏ ଅସହାୟା ଯାତ୍ରିଣୀ ଉପରେ ଅତ୍ୟାଚାର କରିବା ପାଇଁ ଯେପରି ଉଦ୍ୟତ ହେଲେ ଏହା କଣ ତୁମ ଯାତ୍ରୀ ସୁରକ୍ଷାର ନମୁନା ? ଘାଟକୁ ଘାଟ ଜିଜିଆ ଇଜରାଦାର ମାନଙ୍କର ଜୁଲମରେ ଯାତ୍ରୀମାନଙ୍କୁ ଜଗନ୍ନାଥ ଦର୍ଶନରୁ ବଞ୍ଚିତ କରିବା କଣ ଯାତ୍ରୀ ସୁରକ୍ଷା ??

ବିଶେଷତଃ ତୁମ ପରି ନୈଷ୍ଟିକ ହିନ୍ଦୁ ରାଜପୁରୁଷଙ୍କ ଆଖି ଆଗରେ ଏହା ଘଟି ପାରୁଛି, ଏହାକୁ ଆମ୍ଭ ମାନଙ୍କର ଦୁର୍ଭାଗ୍ୟ ଛଡ଼ା ଆଉ କଣ କୁହାଯାଇପାରିବ ???

ଅମିନଚାନ୍ଦ - ଆରେ, ମୋର ହିନ୍ଦୁତ୍ୱ ପ୍ରତି ତୁମେ ଆକ୍ଷେପ କରୁଛ ?
ତୁମେ ତ ଛାର ଆତ୍ମରକ୍ଷା ପାଇଁ ମୁସଲମାନ ହେଲ। ତୁମର ହିନ୍ଦୁ ଯାତ୍ରୀଙ୍କ ପାଇଁ ଏତେ ଦରଦ କାହିଁକି ??

ରାମଚନ୍ଦ୍ରଦେଵ - ମୁସଲମାନ ଯାତ୍ରୀଙ୍କ ଉପରେ ଏ ପ୍ରକାର ଅତ୍ୟାଚାର ହେଉଥିଲେ ମଧ୍ୟ ମୁଁ ତା'ର ପ୍ରତିବାଦ କରିଥାନ୍ତି। ମୋର ଠାକୁର ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ ଚାହାନ୍ତି।

ଅମିନଚାନ୍ଦ - ମୋତେ କଣ କୈଫତ୍ ମାଗୁଛ ହାଫିଜ କାଦର ?

ରାମଚନ୍ଦ୍ରଦେଵ - ନା, ସେ କୈଫତ୍ ମୁଁ ତକୀ ଖାଁ ଠାରୁ ତଲବ କରିବି। ମାତ୍ର ଅମିନଚାନ୍ଦ, ମୁଁ ତ ତୁମ ଆଖିରେ ଧର୍ମଚ୍ୟୁତ। କିନ୍ତୁ ହିନ୍ଦୁସ୍ଥାନରେ ହିନ୍ଦୁ ଆଜି ହିନ୍ଦୁର ତଥା ହିନ୍ଦୁ ଧର୍ମର ଘୋର ଶତ୍ରୁ। ହିନ୍ଦୁସ୍ଥାନରେ ଆଜି ତେଣୁ ସଂକୀର୍ଣ୍ଣ ସ୍ୱାର୍ଥ ସିଦ୍ଧି ଛଡ଼ା ଜାତୀୟତାର କୌଣସି ସୂଚନା ନାହିଁ, କିମ୍ବା ବୃହତ୍ତର ଆଦର୍ଶବାଦର ସଙ୍କେତ ନାହିଁ।

ଅମିନଚାନ୍ଦ - କୈଫତ୍ ଦେବା ପାଇଁ ପ୍ରସ୍ତୁତ ରହ, ଅପରିଣାମଦର୍ଶୀ ହାଫିଜ କାଦର !

କ୍ରମଶଃ...

୧୯.୧.୧୯

Friday, 18 January 2019

*ଅମୀନଚାନ୍ଦ ସହ କଥାବାର୍ତ୍ତା*

ସକାଳୁ ଆକାଶ ପରିଷ୍କାର ହୋଇଯାଇଥିଲା।ରିଜିଆ ଅସୁଆରମାନଙ୍କୁ ଧରି ପାଲିକୀରେ କଟକ ଫେରିଗଲେ।
ରାମଚନ୍ଦ୍ରଦେଵ ମଧ୍ୟ ଘୋଡ଼ା ପିଠିରେ ଚଢ଼ି ପୁରୀ ଆଡ଼େ ମୁହାଁଇଲେ। ଗଙ୍ଗୁଆ ନଦୀ ମୋଡ଼ରେ ରିଜିଆଙ୍କ ଶିବିକା ଅନ୍ତର୍ହିତ ହୋଇଗଲା। ଚିନ୍ତାପୂର୍ଣ୍ଣ ଦୃଷ୍ଟିରେ ରାମଚନ୍ଦ୍ରଦେଵ ଆସନ୍ନ ସଙ୍କଟର ଚିନ୍ତା କରୁଥିଲେ। ଏ ସନ ମୋଗଲଗୋଳ ନ ଥିବାରୁ ପୁଣି ଜଗନ୍ନାଥ ପତିତପାବନ ହୋଇଥିବା ଶୁଣି ରଥଯାତ୍ରା ପାଇଁ ବହୁ ଦୂର ଦୂରାନ୍ତରୁ ଯାତ୍ରୀମାନେ ପିମ୍ପୁଡ଼ିଧାର ପରି ଲାଗିଥିଲେ। ମଣିଷ ତ ସଙ୍କଟର ଶଙ୍କାରେ ସଙ୍କୁଚିତ ପଳାତକ ବନ୍ୟ ପଶୁ ନୁହେଁ। ମୃତ୍ୟୁ ତାର ପିଣ୍ଡକୁ ଧ୍ୱଂସ କରିପାରେ; କିନ୍ତୁ ତାର ଆତ୍ମାକୁ ନୁହେଁ। ତାର ଆତ୍ମା ଅଜେୟ।

ରାମଚନ୍ଦ୍ରଙ୍କ ମନରୁ ଭୟ ଓ ଅନ୍ଧକାରର ଗହଳି କଟିଗଲା। ଅଭୟର ରୌଦ୍ରାଲୋକରେ ତାଙ୍କ ମନର ଆକାଶ ଉଦୀପ୍ତ ହୋଇ ଉଠିଲା।

କଟକ ଆଡୁ ଆସୁଥିବା ମୋଗଲ ଅସୁଆରଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ସେ ଗୋଟିଏ ଘଞ୍ଚ ଝଙ୍କାଳିଆ ବରଗଛ ଆଢୁଆଳକୁ ଚାଲି ଆସିଲେ। ତାଙ୍କୁ ଅମିନଚାନ୍ଦର ଚେହେରା ଦେଖାଗଲା।

ଅମିନଚାନ୍ଦ ବି ହାଫିଜ କାଦରକୁ ଚିହ୍ନି ପାରି କହିଲା, ସଲାମ ୱାଲେକୁମ।

ରାମଚନ୍ଦ୍ରଦେଵ - ଜୟ ଜଗନ୍ନାଥ। ମୁଁ ପୁରୀ ଯାଉଛି।

ଅମିନ - ତୁମେ ତ ଅସ୍ପୃଶ୍ୟ।

ରାମଚନ୍ଦ୍ରଦେଵ - ତୁମେ କେଉଁଥିପାଇଁ ଆସିଛ ?

ଅମିନ - ମୁଁ ବି ପୁରୀ ଯାଉଛି। ମୋର ଖୋର୍ଦ୍ଧା ରାଜାର ଅନୁମତି ଲୋଡ଼ା ନାହିଁ।

ରାମଚନ୍ଦ୍ରଦେଵ - ଏ ଅସୁଆରମାନେ ତୁମର ଦେହରକ୍ଷୀ ତ ?

ଅମିନ - ତୁମ ଅନୁମାନ ଠିକ୍। ତଥାପି, ଯଥା ସମୟରେ ଜାଣିବ।

କ୍ରମଶଃ...

୧୮.୧.୧୯