Sunday, 29 September 2019

*ଇଂରେଜ ଶାସକଙ୍କ ଲେଖକ ସେନା*

ଏହି ଭୟାଳୁ ଲୋକେ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଲାଗି ପଡ଼ିଲେ। ସେମାନେ ଜର୍ମାନ ଓ ଇଂରେଜର ଲେଖକମାନଙ୍କର ଗୋଟିଏ ବଡ଼ ସେନା ତିଆରି କଲେ ଯେଉଁଥିରେ ଜର୍ମାନର  ମେକ୍ସମୁଲାର, ରାଥ, ୱେବର, ବିଣ୍ଟରନିଟ୍ସ, କୁହନ, କୀଥ, ବୁହଲର ଆଦି ଏବଂ ଇଂଲଣ୍ଡର ଉଇଲିୟମ ଜୋନ୍ସ, ମୋନିଅର ଉଇଲିୟମସ, ଉଇଲସନ୍, କୀଥ, ମେକଡାନଲ୍ଡ଼, ରେପସନ୍, ଜେମ୍ସ ମିଲ, ମେକଲେ, ସ୍ମିଥ ଆଦି ପ୍ରମୁଖ ଥିଲେ। ଏମାନଙ୍କ ମଧ୍ୟରୁ ସମସ୍ତେ ନିଜ ନିଜ ଢଙ୍ଗରେ ଭାରତର ସାହିତ୍ୟ, ଇତିହାସ ଓ ସଂସ୍କୃତିକୁ ନଷ୍ଟ କରିବାର ଚେଷ୍ଟା କଲେ। ଏମାନଙ୍କ ଚେଷ୍ଟା ତିନି ପ୍ରକାରର ହୋଇଥିଲା। ତିନି ପ୍ରକାର ଚେଷ୍ଟା ପାଇଁ ତିନି ଜଣ ଆଧାର ସ୍ତମ୍ଭ ହୋଇଥିଲେ।

୧. ସଂସ୍କୃତ ଗ୍ରନ୍ଥକୁ ଅନୁବାଦ କରି ତା'ର ଅର୍ଥକୁ ବିକୃତ କରିବା। ଏହାର ଆଧାର ସ୍ତମ୍ଭ ହେଲେ ମେକ୍ସମୁଲାର।

୨. ଭାରତୀୟ ଇତିହାସର ପ୍ରାଚୀନତାକୁ ବଦଳାଇ ଆଧୁନିକ ଇତିହାସ ନାମରେ ଇତିହାସକୁ ବିକୃତ କରାଗଲା। ଏହି କାମ ଜେମ୍ସ ମିଲଙ୍କ ନେତୃତ୍ୱରେ ହେଲା।

୩. ଉପରୋକ୍ତ କାର୍ଯ୍ୟକୁ ପାଠ୍ୟପୁସ୍ତକରେ ମିଶାଇ ସମ୍ପୂର୍ଣ୍ଣ ପିଢ଼ିକୁ ଭାରତ ଓ ଭାରତୀୟତାରୁ କାଟି ଦେବାର ବ୍ୟବସ୍ଥା ଯିଏ କଲେ, ତାଙ୍କ ନାଁ ହେଲା ଲର୍ଡ଼ ମେକଲେ।

ଏହି ତିନି ବିନ୍ଦୁ ଉପରେ ବିସ୍ତୃତ ବିଶ୍ଳେଷଣ କଲେ କିଛି ବିଷୟ ଆମ ଧ୍ୟାନକୁ ଆସେ।

(କ) ସାଲ ୧୮୧୧ ରେ ଇଂଲଣ୍ଡରେ ଏକ ଧନୀ କିନ୍ତୁ ପୁତ୍ରହୀନ କର୍ଣ୍ଣଲ ବୋଡ଼ନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଅଧ୍ୟୟନ ପୀଠ ସ୍ଥାପନ କଲେ। ଏହାର ଉଦ୍ଦେଶ୍ୟ କ'ଣ ଥିଲା ଏହାର ଝଲକ ଆମେ ବୋଡ଼ନ ଆସନରେ ବସିଥିବା ମୋନିଅର ଉଇଲିୟମ୍ସଙ୍କ ନିମ୍ନ ବକ୍ତବ୍ୟରୁ ପାଇ ପାରିବା। ସେ କହିଛନ୍ତି - "ମୋତେ ଏହି ସ୍ଥିତି ଆଡ଼କୁ ଅବଶ୍ୟ ଧ୍ୟାନ ଆକର୍ଷଣ କରିବା ଉଚିତ ଯେ ମୁଁ ବୋଡ଼ନ ଆସନର ଅନ୍ୟତମ ପୂରକ ବ୍ୟକ୍ତି ଅଟେ। ଏହାର ସଂସ୍ଥାପକ କର୍ଣ୍ଣଲ  ବୋଡ଼ନ ଅତି ସ୍ପଷ୍ଟ ଶବ୍ଦରେ ନିଜ ସ୍ବୀକାର ପତ୍ରରେ ୧୫.୧୧.୧୮୧୧ରେ ଲେଖିଛନ୍ତି ଯେ ଏ ସଂସ୍ଥାକୁ ଦିଆଯାଇଥିବା ବିପୁଳ ଧନ ରାଶିର ଉଦ୍ଦେଶ୍ୟ ହେଲା, ଖ୍ରୀଷ୍ଟ ମତର ସମସ୍ତ ଗ୍ରନ୍ଥକୁ ସଂସ୍କୃତରେ ଅନୁବାଦ କରାଯିବ, ଯଦ୍ୱାରା ଭାରତୀୟଙ୍କୁ ଖ୍ରୀଷ୍ଟିଆନ କରିବା ଇଂରେଜମାନଙ୍କ ପାଇଁ ସହଜ ହୋଇଯିବ। (ସଂସ୍କୃତ-ଇଂରାଜୀ ଶବ୍ଦକୋଷର ପ୍ରସ୍ତାବନାରେ ମୋନିଅର ଉଇଲିୟମସ ପୃଷ୍ଠା ୯-୧୮୯୯)

ସାଲ ୧୮୪୬ ରେ ମେକ୍ସମୁଲାର ଇଂଲଣ୍ଡ ଗଲେ ଏବଂ ସେଠାରେ ରହିଲେ। ୧୮୫୪ ରେ ତାଙ୍କର ମେକଲେଙ୍କ ସହ  ଭେଟ ହେଲା। ମେକଲେ ସେତବେଳକୁ କାର୍ଯ୍ୟରୁ ଅବସର ନେଇ ଲଣ୍ଡନ ଚାଲିଯାଇଥିଲେ। ୨୮ ବର୍ଷୀୟ ଯୁବକ ତଥା ବେଦ ଉପରେ ପି ଏଚ ଡି କରିଥିବା ମେକ୍ସମୁଲାରଙ୍କୁ ସେ ଖ୍ରୀଷ୍ଟିଆନ ମତର ପ୍ରଚାର ପାଇଁ ବେଦର ଅନୁବାଦ କରିବାକୁ ପ୍ରୋତ୍ସାହିତ କଲେ। ଏହି କାମ ପାଇଁ ବ୍ରିଟିଶ ଶାସନ, ଇଷ୍ଟ ଇଣ୍ଡିଆ କମ୍ପାନୀ ତଥା ବୋଡ଼ନ ଟ୍ରଷ୍ଟ ବିପୁଳ ଧନ ରାଶି ବ୍ୟୟ କଲେ। ହିନ୍ଦୁ ମାନଙ୍କର ବେଦ ପ୍ରତିଥିବା ଶ୍ରଦ୍ଧାକୁ ନଷ୍ଟ କରିବାର କାମ ବେଦ ଅନୁବାଦ ଦ୍ୱାରା କରାଗଲା। ଏଥିପାଇଁ ଅନେକ ଜାଗାରେ ବୈଦିକ ସାହିତ୍ୟକୁ ପ୍ରକୃତ ଅର୍ଥରେ ପ୍ରଶଂସା କରିବାକୁ ସେ ଭୁଲି ନ ଥିଲେ। ଏହା ଦ୍ୱାରା ସାରା ବିଶ୍ୱରେ ସଂସ୍କୃତ ଅଧ୍ୟୟନ ପାଇଁ ଉତ୍ସାହର ବାତାବରଣ ତିଆରି ହେଲା। ତୁଳନାତ୍ମକ ଅଧ୍ୟୟନ କରିଥିବା ବିଦ୍ୱାନଗଣ ଆଜି ମଧ୍ୟ ମେକ୍ସମୁଲାରଙ୍କ ପାଖରେ ଋଣୀ। ପରନ୍ତୁ ଏହି କାର୍ଯ୍ୟ ପଛରେ ମେକ୍ସମୁଲାରଙ୍କ ଆନ୍ତରିକ ଉଦ୍ଦେଶ୍ୟ ବଡ଼ ସାଙ୍ଘାତିକ ଥିଲା। ତାଙ୍କର କାର୍ଯ୍ୟ ବହୁ କଷ୍ଟସାଧ୍ୟ ତଥା ଅଧ୍ୟୟନପୂର୍ଣ୍ଣ ହେଲେ ମଧ୍ୟ ଭାରତୀୟ ସଂସ୍କୃତି ପାଇଁ କାଳ ହେଲା। ସାଲ ୧୯୦୨ ରେ ତାଙ୍କ ପତ୍ନୀ ତାଙ୍କ ଚରିତ୍ର ଓ ଚିଠିର ପ୍ରକାଶନ ଦୁଇ ଖଣ୍ଡରେ କରିଛନ୍ତି। ଉଦାହରଣ ଭାବେ ଚିଠିଗୁଡ଼ିକର କିଛି ଅଂଶରୁ ଆମର ତାଙ୍କ କାର୍ଯ୍ୟର ହେତୁ ବିଷୟରେ ସ୍ପଷ୍ଟ ଆଭାସ ହୋଇଯିବ।

ଲାଇଫ ଏଣ୍ଡ ଲେଟର୍ସ ଅଫ ଫେଡ଼ରିକ ମେକ୍ସମୁଲାର - ଖଣ୍ଡ ୨ - ୧୯୦୨

୧. ବେଦକୁ ଅଲିଆଗଦାକୁ ଫିଙ୍ଗି ଦିଅ - ୯.୧୨.୧୮୬୬ରେ ନିଜ ପତ୍ନୀଙ୍କ ପାଖକୁ ପଠାଇଥିବା ଚିଠିରେ ସେ ଲେଖିଛନ୍ତି - "ବେଦର ଅନୁବାଦ(ସାୟଣ ଭାଷ୍ୟ ସହିତ ଋଗବେଦର) ଏବଂ ମୋର ଏହି ସଂସ୍କରଣ ଭାରତର ଉତ୍ତର ପିଢ଼ିଙ୍କ ଜୀବନରେ ବହୁତ ପ୍ରଭାବ ପକାଇବ। ଏହା ସେମାନଙ୍କ ଧର୍ମର ମୂଳ ଅଟେ। ବିଗତ ତିନି ହଜାର ବର୍ଷରୁ ଉତ୍ପନ୍ନ ଆସ୍ଥାକୁ ମୋର ଏହି ସଂସ୍କରଣ ମୂଳରୁ ଉପାଡି଼ ଦେବାର ଉପାୟ ଅଟେ। ସେମାନଙ୍କୁ ସେମାନଙ୍କର ମୂଳ ଦେଖେଇବାର ଅଛି।

ବାଇବେଲ ଶ୍ରେଷ୍ଠ ଓ ବେଦ ନିକୃଷ୍ଟ - ନିଜ ପୁତ୍ରକୁ ଲେଖିଥିବା ଚିଠିରେ ସେ କହିଛନ୍ତି - "ସାରା ବିଶ୍ୱର ଧର୍ମଗୁଡ଼ିକରେ ୧. ପ୍ରଥମ କ୍ରମାଙ୍କ ହେଲା ନ୍ୟୁ ଟେଷ୍ଟାମେଣ୍ଟ ବାଇବେଲର ୨. ନୀତି ଦୃଷ୍ଟିରୁ ଦ୍ଵିତୀୟ କ୍ରମାଙ୍କ କୁରାନର ୩. ଓଲ୍ଡ଼ ଟେଷ୍ଟାମେଣ୍ଟ ୪. ବୌଦ୍ଧ ତ୍ରିପିଟକ ୫. ଲାଆତ୍ସେ ୬. କନଫ୍ୟୁଶସ୍ ୭. ବେଦ ଓ ଶେଷରେ ଅବେସ୍ତା।

ହିନ୍ଦୁମାନଙ୍କର ପ୍ରାଚୀନ ଧର୍ମର ପତନ - ୧୬.୧୨.୧୮୬୮ ରେ ଡ୍ୟୁକ୍ ଅଫ ଅର୍ଗାଇଲଙ୍କୁ ଲେଖିଥିବା ପତ୍ରରେ ସେ କହିଛନ୍ତି - "ଭାରତର ପ୍ରାଚୀନ ଧର୍ମର ପତନ ହୋଇସାରିଛି। ତଥାପି ଏ ପର୍ଯ୍ୟନ୍ତ ସେଠାରେ ଖ୍ରୀଷ୍ଟିଆନ ମତର ପ୍ରସାର ହୋଇପାରି ନାହିଁ, ସେଥିରେ ମୋର ଦୋଷ କ'ଣ ?

ଖ୍ରୀଷ୍ଟିଆନ ହୁଅ - ଏନ କେ ମଜୁମଦାରଙ୍କୁ ମୃତ୍ୟୁର ଏକ ବର୍ଷ ପୂର୍ବରୁ ୩୦.୧୦.୧୮୯୯ ରେ ଲେଖିଥିବା ଚିଠିରେ ସେ କହିଛନ୍ତି - "ମୁଁ ହିନ୍ଦୁ ଧର୍ମକୁ ଶୁଦ୍ଧ କରି ଖ୍ରୀଷ୍ଟମତର ନିକଟକୁ ନେଇଯିବାକୁ ଚେଷ୍ଟା କରୁଛି। ଆପଣ ବା କେଶବ ଚନ୍ଦ୍ରଙ୍କ ଭଳି ଲୋକମାନେ ପୂରା ପ୍ରକାଶ୍ୟରେ ଖ୍ରୀଷ୍ଟ ମତକୁ କାହିଁକି ଗ୍ରହଣ କରୁ ନାହାନ୍ତି ? ଯେପରି ଜର୍ମାନ ଚର୍ଚ୍ଚ ଅଛି, ଇଂରେଜ ଚର୍ଚ୍ଚ ଅଛି, ସେମିତି ହିନ୍ଦୁ ଚର୍ଚ୍ଚ ହେବ। ନଦୀ ଉପରେ ପୋଲ ତିଆରି କାମ ସରିଛି। କେବଳ ତୁମେ ଚାଲିକି ଆସିବା ବାକି ଅଛି। ପୋଲ ସେପଟର ଲୋକ ତୁମ ଆସିବାକୁ ଚାହିଁ ବସିଛନ୍ତି।"

୨୯.୧୦.୧୯

No comments: