ତକୀ ଖାଁ ପଣ ଅନୁସାରେ ରଣ ସଜାର ସମ୍ବାଦ ରାମଚନ୍ଦ୍ରଦେବ ପାଇ ତାହାର ସମ୍ମୁଖୀନ ହେବା
ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ। ସଙ୍ଗରେ ସାମାନ୍ୟ କେତେକ ଅଶ୍ବାରୋହୀ ଓ ପଦାତିକଙ୍କୁ ଧରି ଟିକାଲୀ ଠାରୁ ସେ କେବଳ ପଛଘୁଞ୍ଚା ଦେଇ ଦେଇ ଆସିବେ ମର୍ଦ୍ଦକୋଟ, ଛତ୍ରଦ୍ୱାର ଘାଟି ପର୍ଯ୍ୟନ୍ତ। ଚିକାକୋଲ ଫୌଜଦାର ଜୁଲିଫିକର ଖାଁ ଅନାୟାସଲବ୍ଧ ବିଜୟ ସମ୍ଭାବନାରେ ବେପରୁଆ ହୋଇ କାଳୁପଡ଼ା ଆଡ଼େ ଧାଡ଼ି ଦେଲାବେଳକୁ ପଛ ଆଡୁ ତାକୁ ଆକ୍ରମଣ କରିବେ ମହେନ୍ଦ୍ରଗଡ଼ ବିଜୟରାଜୁଙ୍କ ତେଲଙ୍ଗା ସୈନ୍ୟବାହିନୀ। ତାଙ୍କ ସଙ୍ଗେ ଯୋଗଦେବେ କାଶିମପେଟାର ବାହୁ ବଳେନ୍ଦ୍ର। ଚିକାକୋଲର ଫୌଜ ଜୟନ୍ତ ଗଡ଼ ଟପି ବାହୁଦା ନଦୀ ଯଦି ପାର ହୋଇପାରନ୍ତି, ତେବେ ଜରଡ଼ା, ସୁରଙ୍ଗୀ ଓ ଖେମଣ୍ଡୀର ଦୁର୍ଗପତିମାନେ ମହେନ୍ଦ୍ରଗିରି ପାଖରେ ସେମାନଙ୍କୁ ଆଗୋଳିବେ। ରାମଗିରି ଦୁର୍ଗର ଶିଙ୍ଗାରାଜୁ, ସାଙ୍ଗରେ ବ୍ୟାଘ୍ର ଚର୍ମାବୃତ ଭୀମକାୟ କନ୍ଧ ଲସ୍କର ମାନଙ୍କୁ ଧରି ସେମାନଙ୍କ ସଙ୍ଗରେ ଯୋଗଦେବେ। ସେଠାରୁ ବର୍ତ୍ତିଲେ ଛତ୍ରଦ୍ୱାର ଘାଟି। ଛତ୍ରଦ୍ୱାର ଠାରେ ହେବ ଖୋର୍ଦ୍ଧାର ହିନ୍ଦୁଶକ୍ତି ଓ ମୋଗଲଶକ୍ତି ମଧ୍ୟରେ ଶେଷ ଲଢ଼ାଇ। ସେଥିପାଇଁ ରାମଚନ୍ଦ୍ରଦେଵ ସକଳ ରଣକୌଶଳ ପ୍ରୟୋଗ କରି ଛତ୍ରଦ୍ୱାର ଘାଟିଠାରେ ପ୍ରତିରୋଧର ବ୍ୟୁହ ରଚନା କରିଥିଲେ।
ମର୍ଦ୍ଦକୋଟ ଗଡ଼ ଓ ଛତ୍ରଦ୍ୱାର ଘାଟି ରହିଥିଲା ବକ୍ସି ବେଣୁ ଭ୍ରମରବରଙ୍କ ପ୍ରତ୍ୟକ୍ଷ ଦାୟିତ୍ୱରେ।ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ ହେଲେ ବକ୍ସି ବେଣୁ ଭ୍ରମରବରଙ୍କ ଭିଣୋଇ। ସମ୍ମୁଖଆଡୁ ସେ ଆଗୋଳିବେ ଛତ୍ରଦ୍ୱାର ବ୍ୟୁହ। ତେଣୁ ଉତ୍ତରରେ କାଳୁପଡ଼ାଠାରେ ତକୀ ଖାଁର ସୈନ୍ୟବାହିନୀକୁ ଆଗୋଳିବେ ଜରିପଡ଼ା ଗଡ଼ର ହରିହର ରାୟସିଂହ ଓ ନରଣ ଗଡ଼ର ଶତ୍ରୁଘ୍ନ ବରୀଶଲ୍ୟ। ସେମାନଙ୍କୁ ଆଣ୍ଠେଇବେ ବାଣପୁର ରାଜ୍ୟର ରାଜା ଗୋବିନ୍ଦ ହରିଚନ୍ଦନ। ଶିଶୁପାଳ ଗଡ଼ଠାରୁ ପଦେ ପଦେ ତକୀ ଖାଁର ପ୍ରତିରୋଧ ଏହିପରି କରାଯିବ। ରାମଚନ୍ଦ୍ରଦେଵଙ୍କ ମୁଣ୍ଡକୁ ରକ୍ତ ଚଢ଼ି ଯାଇଥିଲା। ଇତିହାସ ସହିତ ଜୁଆ ଖେଳରେ ସେ ଯେପରି ଶେଷ ବାଜି ଲଗାଇ ଦେଇଥିଲେ !
ଶତ୍ରୁ ବିରୁଦ୍ଧରେ ପ୍ରତୀକ୍ଷାର ବ୍ୟୁହ ନିର୍ମାଣ ସମ୍ଭବ; ମାତ୍ର ବିଶ୍ୱାସଘାତକତା ବିରୁଦ୍ଧରେ କୌଣସି ବ୍ୟୁହ, ଇତିହାସରେ କେଉଁଠି କଦାପି ନିର୍ମିତ ହୋଇ ନାହିଁ। ଏଠି ମଧ୍ୟ ସମ୍ଭବ ହୋଇ ନ ଥିଲା।
ରାମଚନ୍ଦ୍ରଦେବ ସେ ନିଷ୍ଠୁର ସତ୍ୟଟିକୁ ସେତେବେଳ ପର୍ଯ୍ୟନ୍ତ ବୁଝିପାରି ନ ଥିଲେ।
କ୍ରମଶଃ...
୩୦.୧୧.୧୮
