Friday, 30 November 2018

*ହିନ୍ଦୁ ଶକ୍ତି ଓ ମୋଗଲ ଶକ୍ତି ମଧ୍ୟରେ ଶେଷ ଲଢ଼େଇ*

ତକୀ ଖାଁ ପଣ ଅନୁସାରେ ରଣ ସଜାର ସମ୍ବାଦ ରାମଚନ୍ଦ୍ରଦେବ ପାଇ ତାହାର ସମ୍ମୁଖୀନ ହେବା
ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ। ସଙ୍ଗରେ ସାମାନ୍ୟ କେତେକ ଅଶ୍ବାରୋହୀ ଓ ପଦାତିକଙ୍କୁ ଧରି ଟିକାଲୀ ଠାରୁ ସେ କେବଳ ପଛଘୁଞ୍ଚା ଦେଇ ଦେଇ ଆସିବେ ମର୍ଦ୍ଦକୋଟ, ଛତ୍ରଦ୍ୱାର ଘାଟି ପର୍ଯ୍ୟନ୍ତ। ଚିକାକୋଲ ଫୌଜଦାର ଜୁଲିଫିକର ଖାଁ ଅନାୟାସଲବ୍ଧ ବିଜୟ ସମ୍ଭାବନାରେ ବେପରୁଆ ହୋଇ କାଳୁପଡ଼ା ଆଡ଼େ ଧାଡ଼ି ଦେଲାବେଳକୁ ପଛ ଆଡୁ ତାକୁ ଆକ୍ରମଣ କରିବେ ମହେନ୍ଦ୍ରଗଡ଼ ବିଜୟରାଜୁଙ୍କ ତେଲଙ୍ଗା ସୈନ୍ୟବାହିନୀ। ତାଙ୍କ ସଙ୍ଗେ ଯୋଗଦେବେ କାଶିମପେଟାର ବାହୁ ବଳେନ୍ଦ୍ର। ଚିକାକୋଲର ଫୌଜ ଜୟନ୍ତ ଗଡ଼ ଟପି ବାହୁଦା ନଦୀ ଯଦି ପାର ହୋଇପାରନ୍ତି, ତେବେ ଜରଡ଼ା, ସୁରଙ୍ଗୀ ଓ ଖେମଣ୍ଡୀର ଦୁର୍ଗପତିମାନେ ମହେନ୍ଦ୍ରଗିରି ପାଖରେ ସେମାନଙ୍କୁ ଆଗୋଳିବେ। ରାମଗିରି ଦୁର୍ଗର ଶିଙ୍ଗାରାଜୁ, ସାଙ୍ଗରେ ବ୍ୟାଘ୍ର ଚର୍ମାବୃତ ଭୀମକାୟ କନ୍ଧ ଲସ୍କର ମାନଙ୍କୁ ଧରି ସେମାନଙ୍କ ସଙ୍ଗରେ ଯୋଗଦେବେ। ସେଠାରୁ ବର୍ତ୍ତିଲେ ଛତ୍ରଦ୍ୱାର ଘାଟି। ଛତ୍ରଦ୍ୱାର ଠାରେ ହେବ ଖୋର୍ଦ୍ଧାର ହିନ୍ଦୁଶକ୍ତି ଓ ମୋଗଲଶକ୍ତି ମଧ୍ୟରେ ଶେଷ ଲଢ଼ାଇ। ସେଥିପାଇଁ ରାମଚନ୍ଦ୍ରଦେଵ ସକଳ ରଣକୌଶଳ ପ୍ରୟୋଗ କରି ଛତ୍ରଦ୍ୱାର ଘାଟିଠାରେ ପ୍ରତିରୋଧର ବ୍ୟୁହ ରଚନା କରିଥିଲେ।
ମର୍ଦ୍ଦକୋଟ ଗଡ଼ ଓ ଛତ୍ରଦ୍ୱାର ଘାଟି ରହିଥିଲା ବକ୍ସି ବେଣୁ ଭ୍ରମରବରଙ୍କ ପ୍ରତ୍ୟକ୍ଷ ଦାୟିତ୍ୱରେ।ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ ହେଲେ ବକ୍ସି ବେଣୁ ଭ୍ରମରବରଙ୍କ ଭିଣୋଇ। ସମ୍ମୁଖଆଡୁ ସେ ଆଗୋଳିବେ ଛତ୍ରଦ୍ୱାର ବ୍ୟୁହ। ତେଣୁ ଉତ୍ତରରେ କାଳୁପଡ଼ାଠାରେ ତକୀ ଖାଁର ସୈନ୍ୟବାହିନୀକୁ ଆଗୋଳିବେ ଜରିପଡ଼ା ଗଡ଼ର ହରିହର ରାୟସିଂହ ଓ ନରଣ ଗଡ଼ର ଶତ୍ରୁଘ୍ନ ବରୀଶଲ୍ୟ। ସେମାନଙ୍କୁ ଆଣ୍ଠେଇବେ ବାଣପୁର ରାଜ୍ୟର ରାଜା ଗୋବିନ୍ଦ ହରିଚନ୍ଦନ। ଶିଶୁପାଳ ଗଡ଼ଠାରୁ ପଦେ ପଦେ ତକୀ ଖାଁର ପ୍ରତିରୋଧ ଏହିପରି କରାଯିବ। ରାମଚନ୍ଦ୍ରଦେଵଙ୍କ ମୁଣ୍ଡକୁ ରକ୍ତ ଚଢ଼ି ଯାଇଥିଲା। ଇତିହାସ ସହିତ ଜୁଆ ଖେଳରେ ସେ ଯେପରି ଶେଷ ବାଜି ଲଗାଇ ଦେଇଥିଲେ !

ଶତ୍ରୁ ବିରୁଦ୍ଧରେ ପ୍ରତୀକ୍ଷାର ବ୍ୟୁହ ନିର୍ମାଣ ସମ୍ଭବ; ମାତ୍ର ବିଶ୍ୱାସଘାତକତା ବିରୁଦ୍ଧରେ କୌଣସି ବ୍ୟୁହ, ଇତିହାସରେ କେଉଁଠି କଦାପି ନିର୍ମିତ ହୋଇ ନାହିଁ। ଏଠି ମଧ୍ୟ ସମ୍ଭବ ହୋଇ ନ ଥିଲା।
ରାମଚନ୍ଦ୍ରଦେବ ସେ ନିଷ୍ଠୁର ସତ୍ୟଟିକୁ ସେତେବେଳ ପର୍ଯ୍ୟନ୍ତ ବୁଝିପାରି ନ ଥିଲେ।

କ୍ରମଶଃ...

୩୦.୧୧.୧୮

Thursday, 29 November 2018

*ତକୀ ଖାଁର ପଣ*

ମୋଗଲମାନଙ୍କ ସହିତ ବଳ କଷାକଷିର ବହୁ ଲୁଚକାଳି ଖେଳରେ ଜଗନ୍ନାଥ ଓ ତାଙ୍କ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ରାଜଶକ୍ତି ଅପରାଜିତ ରହି ଆସିଥିଲେ।

ମାତ୍ର ସେ ଅସାଧ୍ୟକୁ ସାଧ୍ୟ କରିବାର ପଣ ଧରି ତକୀ ଖାଁ କଟକ ଆସିଥିଲା। ତାକୁ ମିଳିଥିଲା ନାଏବ ନାଜିମ ଗାଦୀ। ସେ ବୁଝିଥିଲା, ଜଗନ୍ନାଥ ଅପରାଜେୟ ଓଡ଼ିଆ ଜାତିର କେବଳ ଆରାଧ୍ୟ ଇଷ୍ଟଦେଵ ନ ଥିଲେ - ସେ ମଧ୍ୟ ଥିଲେ ଓଡ଼ିଆ ଜାତିର ରାଜନୈତିକ ମୁକ୍ତିର ପ୍ରେରଣାର ଉତ୍ସ। ତାଙ୍କରି ସେବକ ରୂପେ ଖୋର୍ଦ୍ଧା ଗଜପତି ପ୍ରଭାବ ଓ ପ୍ରତିଷ୍ଠାରେ ଯେତେ ନ୍ୟୁନ ହୋଇ ପଡ଼ିଥିଲେ ସୁଦ୍ଧା, ଓଡ଼ିଶାରେ ସବୁ କିଲା ଜାତ ରାଜ୍ୟ କାହିଁକି; ମୋଗଲବନ୍ଦୀ ଅଞ୍ଚଳରେ ସୁଦ୍ଧା ଦୁର୍ଗପତି, ସାମନ୍ତ ତଥା ଜନ ସାଧରଣଙ୍କର ସମ୍ମାନର ପାତ୍ର ଥିଲେ। ଜଗନ୍ନାଥ ଥିଲେ ପୁଣି ଓଡ଼ିଶାରେ ରାଜନୈତିକ ଐକ୍ୟର ଯୋଗସୂତ୍ର। ସେଥିପାଇଁ ଖୋର୍ଦ୍ଧା ଗଜପତିଙ୍କୁ ଏଥର ତଳିତଳାନ୍ତ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ମଧ୍ୟ ନିପାତ କରିବା ତକୀ ଖାଁର ଅଭିପ୍ରାୟ ଥିଲା। ଅତୀତର ବହୁ ଅଭିଜ୍ଞତାରୁ ତକୀ ଖାଁ ବେଶ୍ ବୁଝିଥିଲା ଯେ ମୋଗଲ ଫୌଜ ଯେତେ ପରାକ୍ରମୀ ହେଲେ ସୁଦ୍ଧା ଅରଣ୍ୟ ଓ ପାର୍ବତ୍ୟ ଯୁଦ୍ଧରେ ଅଭ୍ୟସ୍ତ ଗଜପତିଙ୍କର ପାଇକବାହିନୀଙ୍କୁ ପରାସ୍ତ କରିବା ସହଜ ନୁହଁ। ତେଣୁ ଏଥର ଉଭୟ ଉତ୍ତର ଓ ଦକ୍ଷିଣ ଆଡୁ ଏକା ସାଙ୍ଗରେ ଆକ୍ରମଣ କରି ଷଣ୍ଢୁଆସୀ ଭିତରେ ଚିପି ଦେବା ପରି ଖୋର୍ଦ୍ଧାର ତଣ୍ଟି ଚିପି ଧରିବା ପାଇଁ ତକୀ ଖାଁ ଗୋଟିଏ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରିଥିଲା।

ଉତ୍ତରରୁ ସାଜିବେ ଖୋଦ୍ ତକୀ ଖାଁ, ଦକ୍ଷିଣରୁ ଗାଜିବେ ଚିକାକୋଲର ଫୌଜଦାର ଜୁଲିଫିକର ଖାଁ ନସରତ ଜଙ୍ଗ୍। ଚିକାକୋଲ ଉତ୍ତର ସୀମାରେ ଟିକାଲୀ ରଘୁନାଥପୁର ଅଧିକାର କରିସାରି, ସେଠାରୁ ସିଧା ମାଡ଼ି ଆସିବେ କାଲୁପଡ଼ା ପର୍ଯ୍ୟନ୍ତ। ସେହି ଅବସରରର ତକୀ ଖାଁ ଅଧିକାର କରିବସିବେ ଖୋର୍ଦ୍ଧା, ତା'ପରେ ପୁରୁଷୋତ୍ତମ ଶ୍ରୀକ୍ଷେତ୍ର !
ଦୁର୍ଦ୍ଧଷ ଖାନ-ଇ-ଦୌରାନ ଶତ ଚେଷ୍ଟା କରି ଯାହା ସାଧ୍ୟ କରି ପାରି ନ ଥିଲା, ଏଥର ତକୀ ଖାଁର ପଣ, ସେ ତାହା ସାଧ୍ୟ କରିବ।

କ୍ରମଶଃ....

୨୯.୧୧.୧୮

Wednesday, 28 November 2018

*ପୁଣି ନୀଳଚକ୍ର ବସିଲା, ମହାଦୀପ ଜଳିଲା*

ଆକବରଙ୍କ ମୃତ୍ୟ ପରେ ଜାହାଙ୍ଗିରଙ୍କ କାଳରୁ ଔରଙ୍ଗଜେବଙ୍କ ପର୍ଯ୍ୟନ୍ତ ମାନସିଂହଙ୍କର ସେ ବ୍ୟବସ୍ଥା ରହିତ କରି  ଖୋର୍ଦ୍ଧା ଗଜପତି ସିଂହାସନକୁ କବଳିତ କରିବା ପାଇଁ କମ୍ ଉଦ୍ୟମ ହୋଇ ନ ଥିଲା। କୁଶଭଦ୍ରା, ଦୟା, ଭାର୍ଗବୀ ପ୍ରଭୃତି ନଦୀର ଜଳଧାର ଓଡ଼ିଆ ପାଇକ ମାନଙ୍କର ରକ୍ତରେ ବହୁବାର ଲାଲ ହୋଇଥିଲା। କଙ୍କରିଳ ପ୍ରାନ୍ତରମାନ ଶ୍ମଶାନ ଭୂମିରେ ପରିଣତ ହୋଇଥିଲା, ମାତ୍ର ସେଥି ସଙ୍ଗେ ସଙ୍ଗେ ଇତିହାସର ଗଦାଘାତରେ ସେହି ବିଜୟୀମାନେ ମଧ୍ୟ ଓଡ଼ିଶା ସୁବା(ପ୍ରାନ୍ତ) ରୁ ନିଶ୍ଚିହ୍ନ ହୋଇ ଯାଇଥିଲେ। ତା'ପରେ କଟା ଗଛ ମୂଳରୁ କୁଆଁ ମେଲି ଉଠିବା ପରି ଖୋର୍ଦ୍ଧା ରାଜଶକ୍ତି ପୁଣି ମୁଣ୍ଡ ଟେକି ଉଠିଲା। ମୁକୁନ୍ଦଦେବଙ୍କ ଅମଳରେ ଖାନ-ଇ-ଦୌରାନ ଖୋର୍ଦ୍ଧାର କୋଣେ କୋଣେ ଧ୍ୱଂସ ଓ ହତ୍ୟାର ବିଭୀଷିକା ଖେଳାଇ ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧାରୁ ବିତାଡ଼ିତ କରିଥିଲା ସିନା; ,କିନ୍ତୁ ଖୋର୍ଦ୍ଧା ଅଧିକାର କରିପାରି ନ ଥିଲା।

ସେ ମୁକୁନ୍ଦଦେବଙ୍କ ଭାଇ କପିଳ ଭ୍ରମରବରକୁ ଶିଖଣ୍ଡୀ କରି ଖୋର୍ଦ୍ଧାର ଶୂନ୍ୟ ସିଂହାସନରେ ଅଭିଷିକ୍ତ କଲା। ମୁକୁନ୍ଦଦେବ ଖୋର୍ଦ୍ଧା ତ୍ୟାଗ କରି ରହିଲେ ଦାଣ୍ଡମକୁନ୍ଦପୁରରେ। କ୍ରମେ ଦାଣ୍ଡମକୁନ୍ଦପୁର ଓଡ଼ିଶାର ମୁକ୍ତି ସଂଗ୍ରାମର ପ୍ରାଣକେନ୍ଦ୍ରରେ ପରିଣତ ହେଲା। ଖାନ-ଇ-ଦୌରାନର ଆକ୍ରମଣରେ ଓଡ଼ିଶା ଭୂମି ଶ୍ମଶାନ, ଗାଁକୁ ଗାଁ ଜନଶୂନ୍ୟ, କ୍ଷେତ ସବୁ ପଡ଼ିଆ, ଦେଶସାରା ଦୁର୍ଭିକ୍ଷ, ଧାନ ଭରଣକୁ ୪୫ କାହାଣ, ମଣିଷ ମାଂସ ମଣିଷ ଖାଇଲେ; ତଥାପି ଗଜପତି ମୁକୁନ୍ଦ ଦେବଙ୍କ ଗୁମାନ ଭାଙ୍ଗିଲା ନାହିଁ।

ଖାନ-ଇ-ଦୌରାନ ସେ ପର୍ଯ୍ୟନ୍ତ କିନ୍ତୁ ଜଗନ୍ନାଥ ମନ୍ଦିର ଆକ୍ରମଣ କରିପାରି ନ ଥିଲା; ମାତ୍ର ରାଜୁ ଖାଁ କଳାପାହାଡ଼ ପରି ସେ ଯଦି ଜଗନ୍ନାଥଙ୍କୁ ଚମ ଦୌଡ଼ିରେ ବାନ୍ଧି, ରତ୍ନସିଂହାସନ ଉପରେ କୁଦି ନ ପାରିଲା, ତାହେଲେ ସେ କି ଖାନ-ଇ-ଦୌରାନ ? ସେଥିପାଇଁ ଶିଖଣ୍ତୀ କପିଳ ଭ୍ରମରବରକୁ ପ୍ରଥମେ ଖୋର୍ଦ୍ଧା ସିଂହାସନରେ ବସାଇ ପରେ ପୁରୁଷୋତ୍ତମ କ୍ଷେତ୍ର ଆକ୍ରମଣର ଯୋଜନା କଲା। ମାତ୍ର ମୁକୁନ୍ଦଦେବ ଦାଣ୍ଡମୁକୁନ୍ଦଦେବପୁର ଠାରେ ବାଟ ଆଗୁଳି ବସିଥିଲେ।
ଖାନ-ଇ-ଦୌରାନ ପିପିଲି ଠାରୁ ଲସ୍କର ଉଠାଇ କଟକ ବାହୁଡ଼ି ଆସିଲା।

ପୁଣି କଟକ ନାଏବ ନାଜମି ହୋଇ ଆସିଲା ଏକରାମ ଖାଁ। ସେ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ରରେ ଦିବ୍ୟସିଂହ ଦେବଙ୍କ ସହ ଯୁଦ୍ଧ କରି ଜଗନ୍ନାଥଙ୍କୁ ହାତେଇବାକୁ ଚେଷ୍ଟା କଲା। ତାକୁ ଜଗନ୍ନାଥଙ୍କ ବଦଳରେ ମିଳିଲା ଏକ କାଠ ତିଆରି ମୂର୍ତ୍ତି। ତାହାକୁ ଧରି ସେ ବିଜୟ ଉଲ୍ଲାସରେ ଫେରି ଆସିଲା କଟକ।

ସେତିକିବେଳେ ଶିବଜୀଙ୍କ ପ୍ରଚଣ୍ଡ ସୈନ୍ୟ ଶକ୍ତି ଔରଙ୍ଗଜେବକୁ ଦୁର୍ବଳ କରିଦେଇଥିଲା। ଔରଙ୍ଗଜେବର ଚରମ ବାର୍ଦ୍ଧକ୍ୟ ସମୟରେ କ୍ଷମତା ପାଇଁ ଚାଲିଥିଲା ଭ୍ରାତୃ ବିବାଦ। ଓଡ଼ିଶାରେ ବେକ ଭାଙ୍ଗି ପଡ଼ିଥିବା ଆଫଗାନ ଶକ୍ତି ଏହି ସୁଯୋଗରେ ପୁଣି ମାତି ଉଠିଲେ। ଭଦ୍ରକ ଠାରୁ ଜଳେଶ୍ବର ପର୍ଯ୍ୟନ୍ତ ଅଞ୍ଚଳ ଦଖଲ କରି ସେମାନେ ବଙ୍ଗଳା ଆଡ଼େ ଧାଡ଼ି ଦେଇଥିଲେ। ଏକରାମ ଖାଁ ର ସେତିକିବେଳେ ଆଣ୍ଠୁ ପାଣି ଅବସ୍ଥା। ସେ ଆଉ ଖୋର୍ଦ୍ଧା ଆକାଶରେ କରିବ କ'ଣ ? ଖୋର୍ଦ୍ଧା ପୁଣି ଅଣ୍ଟା ସଳଖି ମୁଣ୍ଡ ଟେକି ଉଠିଲା। ଦେଉଳ ଚୂଡ଼ାରେ ପୁଣି ନୀଳଚକ୍ର ବସିଲା, ମହାଦୀପ ଜଳିଲା

କ୍ରମଶଃ...

୨୮.୧୧.୧୮

Tuesday, 27 November 2018

*ଓଡ଼ିଆ ପାଇକ ମାନଙ୍କର ବଳ*

ଟୋଡ଼ରମଲ ଓ ମାନସିଂହଙ୍କ କାଳରୁ ଖୋର୍ଦ୍ଧାକୁ ପଦାନତ କରିବା ପାଇଁ ମୋଗଲ ଫୌଜଦାର ଓ ସେନାପତି ମାନଙ୍କର ଆକ୍ରମଣ ଲାଗିରହି ଥିଲା। କିନ୍ତୁ ମରାଠା ମାନଙ୍କ ପଛକୁ କେହି ଯଦି ପ୍ରବଳ ପରାକ୍ରମୀ ମୋଗଲମାନଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବେ ଲଢ଼ି ଆସିଥିଲେ ସେମାନେ ହେଲେ ଓଡ଼ିଆ ପାଇକ।

ତା'ଭିତରେ ବହୁ ବିଶ୍ୱାସଘାତକତା ହୋଇଛି, ପଛଆଡୁ ଅସଂଖ୍ୟ ଛୁରୀଭୁଷା ହୋଇଛି, ଓଡ଼ିଆ ରାଜାମାନେ କେତେବେଳେ ବନ୍ଦୀ ହୋଇଛନ୍ତି ତ କେତେବେଳେ ଇଜ୍ଜତ ରଖିବା ପାଇଁ ନଜରାଣା ଗଣିବାକୁ ବାଧ୍ୟ ହୋଇଛନ୍ତି, ତଥାପି ଖୋର୍ଦ୍ଧାକୁ କେହି ମୋଗଲ ଶକ୍ତିର ବଶମ୍ବଦ କରିପାରି ନାହାନ୍ତି।

ମାନସିଂହ କେବଳ ଯେ ବିଶୁଦ୍ଧ ଜଗନ୍ନାଥ ଭକ୍ତିରେ ଖୋର୍ଦ୍ଧାର ସ୍ୱାଧୀନତା ସ୍ୱୀକାର କରିଥିଲେ, ତାହା ନୁହେଁ, ତାଙ୍କ ପରି ଆଫଗାନ ବିଜୟୀ ଦୁର୍ଦ୍ଧଷ ସେନାପତି ସୈନ୍ୟବାହିନୀ ଧରି କଟକ ଆଡୁ ଦକ୍ଷିଣକୁ ମୁହାଁଇବାବେଳେ କାଠଯୋଡ଼ି ଡେଇଁ ସାରଙ୍ଗଗଡ଼ ସୁଦ୍ଧା ପହଞ୍ଚି ପାରି ନ ଥିଲେ। ସେଇଥିରୁ ଓଡ଼ିଆ ପାଇକ ମାନଙ୍କର ବଳ ସେ ବେଶ୍ କଳି ସାରିଥିଲେ। ଏହି ଅପରାଜେୟ ଶକ୍ତିକୁ ତଳିତଳାନ୍ତ କରିବା ପରିବର୍ତ୍ତେ, ଏହା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଲେ, ଓଡ଼ିଶାରେ ବିଦ୍ରୋହୀ ଆଫଗାନ ମାନଙ୍କ ବିରୁଦ୍ଧରେ ତାହା ଏକ ସୁଦୃଢ଼ ରକ୍ଷାବକବଚରେ ପରିଣତ ହୋଇପାରିବ ବୋଲି ମାନସିଂହ ଦୂରଦୃଷ୍ଟିରେ ସ୍ପଷ୍ଟ କଳ୍ପନା କରିଥିଲେ।

ଜଗନ୍ନାଥ ପୁଣି ହିନ୍ଦୁ ରାଜଶକ୍ତିର ଇଷ୍ଟଦେବ ଓ ଓଡ଼ିଶାର ପ୍ରକୃତ ରାଜା ବା ସମ୍ରାଟ ରୂପେ ବିବେଚିତ ଥିଲେ। ଉତ୍କଳ ସାମ୍ରାଜ୍ୟର ଅଧୀଶ୍ଵର ଥିଲେ ଜଗନ୍ନାଥ। ସେଥିପାଇଁ ଅନଙ୍ଗଭୀମଦେବଙ୍କ ଶାସନ କାଳରୁ ଉତ୍କଳ ସିଂହାସନରେ କୌଣସି ରାଜା ଅଭିଷିକ୍ତ ହେବାର ବିଧି ନ ଥିଲା। ତେଣୁ ଜଗନ୍ନାଥ କ୍ଷେତ୍ର ସମେତ ଖୋର୍ଦ୍ଧା ରାଜ୍ୟକୁ ମୋଗଲମାନଙ୍କ ଶ୍ୟେନ ଦୃଷ୍ଟିରୁ ନିରାପଦ ରଖିବା ପାଇଁ ମାନସିଂହ ଖୋର୍ଦ୍ଧାର ସ୍ଵାଧୀନତା ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏହାକୁ ଏକ ବନ୍ଧୁ ରାଷ୍ଟ୍ର ରୂପେ ଘୋଷଣା କରିଯାଇଥିଲେ; କିନ୍ତୁ ଖୋର୍ଦ୍ଧାର ଏ ରାଜନୈତିକ ସ୍ୱାତନ୍ତ୍ର୍ୟ, ମାନସିଂହଙ୍କ ଅନୁକମ୍ପାର ଦାନ ନ ଥିଲା। ଏଥିପାଇଁ ଓଡ଼ିଆ ପାଇକମାନଙ୍କୁ ବାରମ୍ବାର ବିନ୍ଦୁ ବିନ୍ଦୁ ରକ୍ତ ଢାଳିବାକୁ ପଡ଼ିଥିଲା। ତଥାପି ମୋଗଲ ସମ୍ରାଟ ଆକବର ଜୀବୀତ ଥିବା ପର୍ଯ୍ୟନ୍ତ ଖୋର୍ଦ୍ଧା ଓ ସେଥି ସଙ୍ଗେ ସଙ୍ଗେ ଜଗନ୍ନାଥ ଏକ ପ୍ରକାର ନିରାପଦ ରହିଥିଲେ।

କ୍ରମଶଃ....

୨୭.୧୧.୧୮

Monday, 26 November 2018

*ଏ ସବୁ ରାମଚନ୍ଦ୍ର ଦେବଙ୍କ କଥା*

ମହାପାତ୍ର କହିଲେ -

ଦିଲ୍ଲୀରେ ମୋଗଲ ଶକ୍ତି ଅଥର୍ବ ହୋଇପଡ଼ିଲାଣି। ସେମାନେ ଆଉ ଜଗନ୍ନାଥଙ୍କୁ ଆକ୍ରମଣ କରିବେ କୁଆଡୁ ?

ଆଗନ୍ତୁକ କହିଲେ -

ଭନ୍ଗୋଡ଼ ଧୂଳିଆ ଯାତ୍ରୀ ଗୁମାସ୍ତାମାନେ ଯେତେବେଳେ ତୁମର ପରାମର୍ଶଦାତା ଜଗନ୍ନାଥଙ୍କ ନିରାପତ୍ତା ଯଥାର୍ଥରେ ସଙ୍କଟାପନ୍ନ ବୋଲି ବୁଝିବାକୁ ପଡ଼ିବ। ଦକ୍ଷିଣରେ ପ୍ରବଳ ପରାକ୍ରମୀ ନିଜାମ ଉଲ ମୂଲକ ଫତେଜଙ୍ଗ ଘୋର ହିନ୍ଦୁ ବିଦ୍ୱେଷୀ ରୂପେ ପରିଚିତ। ଔରଙ୍ଗଜେବ ପରଠାରୁ ଯେଉଁ ଜିଜିଆ କର କିଛିକାଳ ଲୋପ ପାଇଥିଲା ସେ ତାକୁ ପୁଣି ସବୁଆଡ଼େ ଲାଗୁ କଲାଣି। ଏଣେ କଟକରେ ନାଏବ ନାଜିମ ହିନ୍ଦୁ ବିଦ୍ଵେଷୀ ତକୀ ଖାଁ। ତକୀ ଖାଁ ସହ ସଲା କରି ସେ ପ୍ରଥମେ ଚିଲିକା ଆକ୍ରମଣ କରି ମାଡ଼ି ବସିଲା। ତା ସଙ୍ଗେ ସଙ୍ଗେ ଟିକାଲୀ, ରଘୁନାଥପୁର ମଧ୍ୟ ଗଲା। ଚିଲିକା ନେବାର କାରଣ ହେଲା ଜଗନ୍ନାଥଙ୍କୁ ବଞ୍ଚାଇବାର ଶେଷ ବାଟ ବନ୍ଦ। ଏହି ଯୁଦ୍ଧରେ ବକ୍ସି ବେଣୁ ଭ୍ରମରବର ବିଶ୍ୱାସଘାତ କରିଛି। ତେଣୁ ଏବେ ପ୍ରସ୍ତୁତ ରୁହ ମହାପାତ୍ରେ। ଗତ ୨୫ ବର୍ଷ ଭିତରେ ଜଗନ୍ନାଥଙ୍କୁ ରତ୍ନବେଦୀ ଉପରୁ କାଢ଼ି ଲୁଚାଇ ନେବା ଆଣିବା କୌଶଳ ସମସ୍ତେ ଭୁଲି ସାରିବେଣି। ବେଳସୁଁ ପ୍ରସ୍ତୁତ ନ ଥିଲେ ଜଗନ୍ନାଥ ପୁଣି ଚମ ଦଉଡ଼ିରେ ବନ୍ଧା ହୋଇ ଜଗନ୍ନାଥ ସଡ଼କରେ ଟଣା ହୋଇ ଯିବା ଅସମ୍ଭବ ନୁହେଁ।

ଏତିକି କହି ଆଗନ୍ତୁକ ସାତ ଲହରୀ ମଠ ପାଖକୁ ଫେରିଆସି, ମଠ ପଛରେ ବନ୍ଧାଥିବା ଘୋଡ଼ା ଉପରେ ଲମ୍ଫ ଦେଇ ଘୋଡ଼ା ଛୁଟାଇ ଦେଲେ। ଗଲାବେଳେ କହିଗଲେ -

"ଚାଲିଲି ମହାପାତ୍ରେ, ଆଉ କେଜାଣି ତୁମ ସହିତ ନିକଟରେ ଦେଖା ହୋଇ ନ ପାରେ। କିନ୍ତୁ ପ୍ରସ୍ତୁତ ଥିବ ତୁମେ।"

ଆଗନ୍ତୁକ ଯିବା ପରେ ମଠରେ ଚର୍ଚ୍ଚା ଚାଲିଲା -
ଏ ସବୁ ରାମଚନ୍ଦ୍ର ଦେବଙ୍କ କଥା
ସେ ଜଗନ୍ନାଥଙ୍କ ଉତ୍ତରାଧିକାରୀ ହେବା କଥା କହୁଛନ୍ତି। କୁଆଡ଼େ ଗଲେ ଅସଲ ଉତ୍ତରାଧିକାରୀ ମୁକୁନ୍ଦଙ୍କ ପୁତ୍ର, ପ୍ରପୌତ୍ର ?

କ୍ରମଶଃ....

୨୬.୧୧.୧୮

Sunday, 25 November 2018

*ଜଗନ୍ନାଥ କିପରି ଉଦ୍ଧାର ହେବେ ?*

ମୁକ୍ତି ମଣ୍ଡପରେ ସଭା ଚାଲିଥିଲା ପତିତ ରାମଚନ୍ଦ୍ର ଦେବଙ୍କ ଉଦ୍ଧାର ପାଇଁ।

ସାତ ଲହଡ଼ି ମଠରେ ଆଗନ୍ତୁକ ଏ ବିଷୟ ଶୁଣି କହିଲେ, ପତିତ ଉଦ୍ଧାର ପଛକୁ ଥାଉ, ଏବେ ଜଗନ୍ନାଥ କିପରି ଉଦ୍ଧାର ହେବେ ସେ କଥା ଚିନ୍ତା କର।

ବିଷ୍ଣୁ ମହାପାତ୍ର କହିଲେ,
ହିନ୍ଦୁ ବିଦ୍ୱେଷୀ ବାଦଶା ଔରଙ୍ଗଜେବର ମୃତ୍ୟୁ ପରଠାରୁ ଜଗନ୍ନାଥ ଯବନ ଆକ୍ରମଣରୁ ଏକ ପ୍ରକାର ନିଶ୍ଚିନ୍ତ ଓ ନିରାପଦ ରହିଆସିଥିଲେ। ଦିବ୍ୟସିଂହଙ୍କ ସାତ ଅଙ୍କରେ ଏକରାମ ଖାଁ ଶ୍ରୀକ୍ଷେତ୍ର ଆକ୍ରମଣ କରିବା ପରଠାରୁ ଆଉ କୌଣସି ନାଏବନାଜିମ ଶ୍ରୀକ୍ଷେତ୍ର ଉପରେ ଶନି ଦୃଷ୍ଟି ପକାଇ ନ ଥିଲେ। ଔରଂଗଜେବ ପରେ ଯେଉଁମାନେ ଦିଲ୍ଲୀ ମସନଦରେ ବସିଲେ, ସେମାନେ କେହି ଔରଙ୍ଗଜେବ ପରି କ୍ରୁର ଓ ଧର୍ମାନ୍ଧ ନ ଥିଲେ। ପୁଣି ଓଡ଼ିଶାର ନାଏବନାଜିମ ସୁଜା ଖାଁଙ୍କ ସୁଦୀର୍ଘ ଶାସନ କାଳରେ ଜଗନ୍ନାଥ ସମ୍ପୂର୍ଣ୍ଣ ନିରାପଦ ରହିଥିଲେ। ସୁଜା ଖାଁ ସୁଫି ଥିବାରୁ ଜଗନ୍ନାଥଙ୍କ ପ୍ରତି ତାଙ୍କ ଶ୍ରଦ୍ଧା ପ୍ରଗାଢ଼ ଥିଲା। ତେଣୁ ଜଗନ୍ନାଥ ସଡ଼କରେ ଆସୁଥିବା ଦୂର ଦୂରାନ୍ତରର ତୀର୍ଥଯାତ୍ରୀମାନଙ୍କୁ ଦସ୍ୟୁ ବା ମୁସଲମାନ ଫୌଜର କିଲାଦାର ରାହାଦାର ପ୍ରଭୃତିଙ୍କ ଲୁଣ୍ଠନରୁ ନିରାପଦ ରଖିବାପାଇଁ ସୁଜା ଖାଁ ଡାକ ଚୌକୀ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ। ଔରଙ୍ଗଜେବ ଅମଳର ଜିଜିଆ କର ସେ ଉଠାଇ ଦେଇଥିଲେ। ସେଥିପାଇଁ ଜଗନ୍ନାଥଙ୍କ ଉପରେ ନିୟମିତ ଧାରାବାହିକ ଯବନ ଆକ୍ରମଣ ଓଡ଼ିଶାବାସୀ ଏକ ଦୁଃସ୍ବପ୍ନ ପରି ଭୁଲି ଆସିଥିଲେ।
ତେଣୁ ସାନ ପରିଚ୍ଛା ଆକ୍ରମଣର ଆଶଙ୍କାକୁ ହଠାତ୍ ବୁଝି ପାରିଲା ନାହିଁ, ଯଦିଓ ପୁଣି ମୋଗଲଗୋଳ ଲାଗିବା ଭୟରେ ଶ୍ରୀକ୍ଷେତ୍ରର ଅଣୁ ପରମାଣୁ ସେତେବେଳକୁ ଆତଙ୍କିତ ହୋଇ ଉଠିଥିଲା।
ସାନ ପରିଚ୍ଛା କହିଲେ -
ଜଗନ୍ନାଥ ଏ ଅପରାଜେୟ ଜାତିର ଆତ୍ମା। ତାଙ୍କର ପ୍ରତିଷ୍ଠା ପ୍ରତ୍ୟେକ ଓଡ଼ିଆର ପ୍ରାଣରେ। ତାଙ୍କୁ ସେଠାରୁ ବିଚ୍ୟୁତ କରିବ କିଏ ?
ରକ୍ତବାହୁ ପୁଣି ରାଜୁ ଖାଁ କଳାପାହାଡ଼ ଠାରୁ ଏକରାମ ଖାଁ ପର୍ଯ୍ୟନ୍ତ ଯେତେଯେତେ ହିନ୍ଦୁ ବିଦ୍ୱେଷୀ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଗଲେ, ସମସ୍ତେ ଧୂଳିସାତ୍ ହୋଇ ସାରିଲେଣି; କିନ୍ତୁ ନୀଳଶୈଳ ଉପରେ ଆଜି ସୁଦ୍ଧା ସୁଦର୍ଶନଲାଂଛିତ ପତାକା ତଥାପି ଉଡୁଛି।

ଆଗନ୍ତୁକ କହିଲେ -

ଏ ସବୁ କଥା ଶୁଣିବାକୁ ଅତି ଚମତ୍କାର, ମାତ୍ର ତୁମେ ଭୁଲିଯାଉଛ ଯେ ଓଡ଼ିଶାର ନାଏବନାଜମି ଏବେ ସୁଜା ଖାଁର ଜାରଜ ପୁତ୍ର ତକୀ ଖାଁ। ହିନ୍ଦୁ ଧର୍ମ ଓ ଦେବାୟତନ ବିଧ୍ଵଂସରେ ସେ ରାଜୁ ଖାଁ କଳାପାହାଡ଼କୁ ସୁଦ୍ଧା ହାର ମାନଇବା ପାଇଁ ଅଣ୍ଟା ଭିଡ଼ିଛି। ବାଲେଶ୍ଵର ବନ୍ଦରରେ ଫୌଜଦାର ଥିବା ବେଳେ  ସୁବର୍ଣ୍ଣରେଖାର ଦକ୍ଷିଣକୁ ଗୋଟିଏ ହେଲେ ହିନ୍ଦୁ ମନ୍ଦିର ସେ ଅକ୍ଷତ ରଖି ନ ଥିଲା। ସେ ଖବର ରଖିଛ ମହାପାତ୍ରେ ?

କ୍ରମଶଃ...

୨୫.୧୧.୧୮

Saturday, 24 November 2018

*ତକୀ ଖାଁର ଚରମ ସଙ୍କଳ୍ପ*

କେବଳ ରାଜା ଯାଯାବର ଭଳି ବୁଲୁ ନ ଥିଲେ।
ସ୍ୱୟଂ ଜଗନ୍ନାଥ ମଧ୍ୟ ଏ ଯାଯାବରତ୍ୱରୁ ମୁକ୍ତ ନ ଥିଲେ। ଯବନ ମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କେତେବେଳେ ଚିଲିକା ଗର୍ଭରେ ତ କେତେବେଳେ ଅରଣ୍ୟ ମାନଙ୍କୁ ବୁହା ହୋଇ ଯାଉଥିଲେ। ମାଣିକପାଟଣା ଓ ଖାଲକାଟିପାଟଣା, ଦୁଇ ମୁହାଁଣ ଠାରେ ଚାପ ଦଳାଇ ଏଥିପାଇଁ ସର୍ବଦା ପ୍ରସ୍ତୁତ ରହୁଥିଲେ। ହିନ୍ଦୁ ବିଦ୍ୱେଷୀ ତକୀ ଖାଁ ନାଏବ ନାଜିମ ହୋଇ କଟକ ଆସିବା ଦିନ ଠାରୁ ଏ ଚିନ୍ତା ବଢ଼ି ଯାଇଛି।

ସିଂହଦ୍ୱାରରୁ ଗୁହାରିକା ଜଣକ ସାତ ଲହଡ଼ି ମଠ ଯିବା ବେଳେ ଏଇ ଚିନ୍ତା କରୁଥିଲେ।
ଲହଡ଼ି ଭିତରେ ସେ ଦେଖୁଥିଲେ ଆକ୍ରମଣ.. ଆତ୍ମରକ୍ଷା..ପରାଜୟ

ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ପୁରୀ ଶ୍ରୀକ୍ଷେତ୍ରରୁ ବିତାଡ଼ିତ ହୋଇ ଶୂନ୍ୟବାଦୀ ଜଗନ୍ନାଥ ଦାସ ଏଠାରେ ସ୍ଥାପନା କରିଥିଲେ ସାଧନା ପୀଠ। ଏଇଠି ମଧ୍ୟ ସେ ନେଇଥିଲେ ଜୀବନ୍ତ ସମାଧି।

ଗୁହାରିକା ଜଣକ ମଠରେ ପହଞ୍ଚି ଦେଖିଲେ ଅନ୍ୟ ପ୍ରଦେଶରୁ ଜଣେ ବୃଦ୍ଧ ଆସି ଏଇ ଶ୍ରୀକ୍ଷେତ୍ରରେ ଇହଲୀଳା ସମ୍ବରଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ସମଗ୍ର ହିନ୍ଦୁ ଜଗତରେ ଜଗନ୍ନାଥଙ୍କ ପ୍ରତି ଏହିପରି ଅବିଚଳିତ ବିଶ୍ୱାସ ଓ ସେହି ବିଶ୍ୱାସକୁ ଆଶ୍ରୟ କରି ଗଢ଼ି ଉଠିଥିବା ରାଜଶକ୍ତିର ଦୃଢ଼ ଭିତ୍ତିଭୂମିକୁ ଚୂର୍ଣ୍ଣ କରିଦେବା ପାଇଁ ତକୀ ଖାଁ ଆଜି ପଣ କରିଛି। ସେ ବୁଝିଛି, ଜଗନ୍ନାଥ ଥିବା ପର୍ଯ୍ୟନ୍ତ ଏ ରାଜଶକ୍ତି ମଧ୍ୟ ଅପରାଜେୟ ହୋଇ ରହିଥିବ। ତେଣୁ ଶ୍ରୀକ୍ଷେତ୍ର ଆକ୍ରମଣ ପାଇଁ ଆଜି ତା'ର ଚରମ ସଙ୍କଳ୍ପ।

କ୍ରମଶଃ...

୨୪.୧୧.୧୮

Friday, 23 November 2018

*କେଉଁ ରାଇଜରେ ରହିଲେ ମୋ ରଜା.. ! *

ଆଃ...ଖୋର୍ଦ୍ଧାର ଚାରିପଟୁ ଆଜି ସବିନାଶର ଜାଲ କ୍ରମେ ନିବୁଜ ହୋଇ ଆସିଲାଣି। ଦକ୍ଷିଣରେ ଚିକାକୋଲ ଫଉଜଦାର, ରଘୁନାଥପୁର ଟିକାଲୀ ଠାରୁ ଚିଲିକା ପର୍ଯ୍ୟନ୍ତ ଭୂଖଣ୍ଡ ଅଧିକାର କରିବା ପରେ ସୁଦ୍ଧା ତାର କ୍ଷୁଧା ତଥାପି ମେଣ୍ଟିଲା ନାହିଁ। ଉତ୍ତର ଆଡୁ ତକୀ ଖାଁ ଖୋର୍ଦ୍ଧା ଉପରେ   େଶ୍ୟନ ଦୃଷ୍ଟି ପକାଇ ସୁଯୋଗ ଅପେକ୍ଷାରେ କେବଳ ବସି ରହିଅଛି। ଏଣେ ଘର ଭିତରେ ଦୁଇ ଗୃହ ଶତ୍ରୁ... ବେଣୁ ଭ୍ରମରବର ଆଉ ଭାଗୀରଥୀ କୁମାର ରାୟ ! ଲଳିତା ପାଟ ମହାଦେଇ, ସେମାନଙ୍କର ପ୍ରେରଣାଦାତ୍ରୀ !
....
ଗୁହାରିଆ ପ୍ରକୃତିସ୍ଥ ହୋଇ ସନ୍ତର୍ପିତ କଣ୍ଠରେ ପଚାରିଲେ, "ମହାଦୀପ ଉଠିବ କେତେବେଳେ ?" ସାନ ପରିଚ୍ଛା କହିଲେ, "ମୋଗଲଗୋଳ ନ କଟିବା ପର୍ଯ୍ୟନ୍ତ ମହାଦୀପ ଉଠାଇବା ମୁଁ ବନ୍ଦ କରିଦେଇଛି।"

ଗୁହାରିଆ - "ଏ ସାମାନ୍ୟ କଥା ପାଇଁ ଏକଦଶୀରେ ମହାଦୀପ ଉଠାଇବା ବନ୍ଦ କରିଦେଲ ?"

ସାନ ପରିଚ୍ଛା - ଘୋଡ଼ାଟା ବାଲୀସାହୀ ମୋଡ଼ରେ ବନ୍ଧା ରହିଛି। ଆପଣ ସାତଲହରୀ ମଠ ପାଖକୁ ଚାଲନ୍ତୁ। ମୁଁ ଦେଉଳ ନୀତି ବଢ଼ାଇ ପଛରେ ଆସୁଛି।"
.....

ମେଘ ଉହାଡ଼ରେ ହଜି ଯାଉଥିଲା ଖୋର୍ଦ୍ଧା ଭୋଇ ବଂଶର ବିଡ଼ମ୍ବିତ ଇତିହାସରେ ସୌଭାଗ୍ୟ ଓ ଦୁର୍ଭାଗ୍ୟର ଲୁଚକାଳି ଖେଳ।
...
ଉତ୍ତର ଓଡ଼ିଶାରେ ବିଦ୍ରୋହୀ ଆଫଗାନ ପଠାଣମାନେ ଯେତେବେଳେ ମୋଗଲ ରାଜଶକ୍ତି ବିରୁଦ୍ଧରେ ଗୋଳ ବାନ୍ଧିଥିଲେ ଅଥବା ବଙ୍ଗଳା ସୁବା ଉପରେ ଅଚାନକ ଆକ୍ରମଣ ହେଉଥିଲା କିମ୍ବା ଦିଲ୍ଲୀରେ ମୋଗଲ ମସନଦାକାଂକ୍ଷୀ ମାନଙ୍କ ମଧ୍ୟରେ ଅବାରିତ ଶୀତଳ ସ୍ନାୟୁ-ଯୁଦ୍ଧ ହଠାତ୍ ଉତପ୍ତ ହୋଇ ଉଠୁଥିଲା, ସେତେବେଳେ କଟକର ନାଏବ-ନାଜିମ୍ ମାନେ ଓଡ଼ିଶାର ଉତ୍ତର ସୀମାନ୍ତ ଆଗୋଳିବାରେ ବ୍ୟସ୍ତ ରହୁଥିବାରୁ ଖୋର୍ଦ୍ଧାର ରାଜାମାନେ ଦଣ୍ଡକପାଇଁ ଶାନ୍ତିର ଦୀର୍ଘ ନିଃଶ୍ୱାସ ମାରୁଥିଲେ। ଶ୍ରୀକ୍ଷେତ୍ରର ଦେଉଳମାନ ପୁଣି ଧଉଳା ହେଉଥିଲା। ଆଡ଼ମ୍ବରରେ ବାରମାସରେ ତେର ଜାନୀଯାତ୍ରା ଆରମ୍ଭ ହେଉଥିଲା। ତା' ନ ହେଲେ ଅନ୍ୟବେଳେ ଆତ୍ମରକ୍ଷା ପାଇଁ ଖୋର୍ଦ୍ଧାର ରାଜଧାନୀ ଅଖ୍ୟାତ ଅଜ୍ଞାତ ଜନପଦ ମାନଙ୍କରେ ଇତସ୍ତତଃ ଘୁରି ବୁଲୁଥିଲା, ଯାଯାବର ମାନଙ୍କର ଭ୍ରାମ୍ୟମାଣ ଶିବିର ପରି !

କେଉଁ ଜନପଦ କବି ସେହି ଦୁଃସ୍ଥିତିକୁ ଘେନି, ଯୋଡ଼ି ଦେଇଥିଲେ ପଦ...

"ମେଘ ବରଷିଲା ଟପର ଟପର
କେସୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା।"

ଅଝଟ, ଅବୁଝା ପିଲାଙ୍କୁ ଶୁଆଇବା ବେଳେ ନିଦ-ମାଉସୀ ମାନଙ୍କ କଣ୍ଠରେ ଫୁଟି ଉଠୁଥିଲା ସେହି ବିଷାଦର ରାଗିଣୀ..."କେଉଁ ରାଇଜରେ ରହିଲେ ମୋ ରଜା....!"

କ୍ରମଶଃ....

୨୩.୧୧.୧୮

Thursday, 22 November 2018

*ଜଗନ୍ନାଥଙ୍କ ତ୍ରାହି କାହିଁ ?*

ମୋଗଲଗୋଳ ଲାଗିବା ଭୟରେ ରଥଯାତ୍ରାକୁ ଯେଉଁ ଯାତ୍ରୀମାନେ ଆସିଥିଲେ, ସେମାନେ ସମସ୍ତେ କ୍ଷେତ୍ରଛାଡ଼ି ପଳାଇଗଲେଣି। ସାଧାରଣତଃ ରଥ ଯାତ୍ରାକୁ ଆସିଥିବା ଦୂରାଗତ ଯାତ୍ରୀମାନେ ଝୁଲଣ ଯାତ୍ରା ଶେଷରେ କ୍ଷେତ୍ର ଛାଡ଼ିଥାନ୍ତି; ମାତ୍ର ହିନ୍ଦୁବିଦ୍ୱେଷୀ ତକୀ ଖାଁ କଟକକୁ ନାଏବ-ନାଜିମ୍ ହୋଇ ଆସିବା ଦିନୁ ଓଡ଼ିଶାର ଅବଚେତନ ଏକ ଅଶରୀରୀ ଆତଙ୍କରେ ଆଶଙ୍କିତ ହେବା ପାଇଁ ଆରମ୍ଭ କରିଥିଲା। ସେଥିପାଇଁ ପଞ୍ଚକୋଶୀ ଯାତ୍ରାଟିଏ ସୁଦ୍ଧା ଦେଖା ନ ଥିଲେ।

......
ସଞ୍ଜଧୂପ ପାଇଁ ତଥାପି ସମ୍ଭବତଃ ବିଳମ୍ବ ଥିଲା। ତକୀ ଖାଁର ନାଏବ-ନାଜିମ୍, ମୋଗଲଗୋଳର ଆତଙ୍କ, ଓଡ଼ିଶାର ରାଜନୀତିକ ଆକାଶରେ ପୁଣି ଦୁର୍ଦ୍ଦିନର ଘନଘଟା, ସବୁ ତୁଚ୍ଛ କରି ଶ୍ରୀ ଜଗନ୍ନାଥଙ୍କ ଦିନ ପହଡ଼ ତଥାପି କେଜାଣି ଭାଙ୍ଗି ନ ଥିଲା। ତା ନ ହେଲେ ଏତେବେଳକୁ କର୍ପୂର ଆଳତୀର ଘଣ୍ଟାଘଣ୍ଟ ବାଜନ୍ତାଣି। କେଜାଣି ଅବା ମଇଲମ ଲାଗିରେ କେଉଁଥି ପାଇଁ ବିଳମ୍ବ ହେଉଅଛି ?

....
ଜଣେ ମାଲ ଗଳା ଖଙ୍କାରୀ ବାହାରକୁ ଉଠି ଆସିଲା। ସିଂହଦ୍ଵାର ସାମନା ବଡ଼ଦାଣ୍ଡ ବଡ଼ ନିର୍ଜନ। ବଡ଼ଦାଣ୍ଡ ଦୁଇକଡ଼େ ଘର ଓ ମଠ ମାନଙ୍କରୁ ଦୀପ ଆଲୁଅ ସୁଦ୍ଧା ବାହାରକୁ ଦିଶୁ ନ ଥିଲା। ଆକାଶରେ ମେଘ ଓ ଅନ୍ଧକାର ବଢ଼ୁଥିଲା। ପବନଟା ଦେହକୁ ହଠାତ୍ କାଲୁଆ ଲାଗୁଥିଲା।
...
ମାଲ ଜଣକ ଅଣ୍ଟାରେ ଗାମୁଛା ଭିଡ଼ି ଭିଡ଼ି ବାହାରକୁ ଉଠି ଆସି ଗୁହାରିଆ ଆଡ଼େ ଦଣ୍ଡେ ନିରେଖି ଚାହିଁଲା, ତା'ପରେ କହିଲା..."ତା ମା ମରୁ, କାପାଳିକଟାରେ ! ତା ସଙ୍ଗରେ ଲାଗନା ବାଇ, ଅବିକା ଧ୍ୱଂସ ହୋଇଯା କହି ଝୁଲା ଭିତରୁ ମୁଠାଏ ବାଇଡଙ୍କ ମଞ୍ଜି ଚୂନା ଛାଟି ଦେବ ନା, ଦେହ ହୁତାଶନ ପରି ଜଳିବା ସାର ହେବ !"
...
ଗୁହାରିଆ ଉତ୍ କର୍ଣ୍ଣ ହୋଇ ସେମାନଙ୍କ କଥାବାର୍ତ୍ତା ଶୁଣିବା ପାଇଁ ଚେଷ୍ଟିତ ହେଲା। ଜଣେ କହୁଥିଲେ, "ଆଉ ମୋଗଲଗୋଳ ଲାଗିବା ତୁଚ୍ଛା କଥା ହୋ। ଗଜପତି ରାମଚନ୍ଦ୍ର ଦେବ ତ ପଠାଣ ହେଲେ, ଯବନୀ ହାତରୁ ହେଡ଼ା ପରଷା ଖାଇଲେ, କଲମା ପଢ଼ିଲେ -
ନାଏବ-ନାଜିମ୍ ତକୀ ଖାଁର ହେଲେ ଭିଣୋଇ: ମୋଗଲ ଆଉ ଓଡ଼ିଶା ଆବୋରିବେ କାହିଁକି ?"

ଆଉ ଜଣେ ଟିପ୍ପଣୀ କଲେ...."ରାଜା ସିନା ପଠାଣ ହୋଇ ମୋଗଲ ଦାଉରୁ ରକ୍ଷା ପାଇଲା ! ଜଗନ୍ନାଥ ଆଉ ତ୍ରାହି ପାଇଲେ କେଉଁଠୁ ?"

"ରକ୍ତବାହୁ ଠାରୁ କଳାପାହାଡ଼ ପର୍ଯ୍ୟନ୍ତ, ଓଡ଼ିଶାକୁ ଯେତେଯେତେ ଆକ୍ରମଣକାରୀ ଆସିଲେ, ଜଗନ୍ନାଥଙ୍କୁ ଜୟ ନ କରିବା ପର୍ଯ୍ୟନ୍ତ, ଓଡ଼ିଶାକୁ ଜୟ କରିପାରିଲା ବା କିଏ ? ସେଥିପାଇଁ କଲମା ପଢ଼ି ରାମଚନ୍ଦ୍ରଦେଵ ତ୍ରାହି ପାଇ ପାରନ୍ତି, କିନ୍ତୁ ଜଗନ୍ନାଥଙ୍କ ତ୍ରାହି କାହିଁ ?"

କ୍ରମଶଃ...

୨୨.୧୧.୧୮

Wednesday, 21 November 2018

*ସର୍ବ ମଙ୍ଗଳ ଜଗନ୍ନାଥ*

ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ। କୌଣସି ନିର୍ଦ୍ଦିଷ୍ଟ ଧର୍ମ, ମତବାଦ ବା ସମ୍ପ୍ରଦାୟର ସଂକୀର୍ଣ୍ଣ ପରିସର ମଧ୍ୟରେ ଜଗନ୍ନାଥ ଆବଦ୍ଧ ନୁହନ୍ତି। ଶବର ବିଶ୍ୱାବସୁ ଠାରୁ ଆର୍ଯ୍ୟ ଇନ୍ଦ୍ରଦ୍ୟୁମ୍ନ, ବୌଦ୍ଧ ଇନ୍ଦ୍ରଭୁତି, ଶୈବ ଶଙ୍କରାଚାର୍ଯ୍ୟ, ପାଞ୍ଚରାତ୍ରିକ ରାମାନୁଜ, ଶ୍ରଦ୍ଧା ଭକ୍ତିବାଦୀ ଶ୍ରୀ ଚୈତନ୍ୟ, ଶୂନ୍ୟବାଦୀ ବଳରାମ, ଜଗନ୍ନାଥ ଓ ଶିଖ ଗୁରୁ ନାନକଙ୍କ ପର୍ଯ୍ୟନ୍ତ ବିଭିନ୍ନ ମତବାଦ ଓ ସମ୍ପ୍ରଦାୟ ଶ୍ରୀଜଗନ୍ନାଥଙ୍କ ମୈତ୍ରୀ ସାଧନା ମଧ୍ୟରେ ସମନ୍ବିତ ହୋଇ ଅଛନ୍ତି। ଇସଲାମ ମତର ସାଲବେଗ ଓ ଯବନ ହରିଦାସ ପ୍ରମୁଖ ଭକ୍ତ ମଧ୍ୟ ବହୁ ମର୍ମସ୍ପର୍ଶୀ ଜଣାଣରେ ଶ୍ରୀଜଗନ୍ନାଥଙ୍କ ଆରାଧନା କରିଛନ୍ତି। ବସ୍ତୁତଃ ସାର୍ବଜନୀନ ମାନବର ମୈତ୍ରୀ ସାଧନାର ଇଷ୍ଟଦେଵ ରୂପେ ଶ୍ରୀଜଗନ୍ନାଥଙ୍କ ପରିକଳ୍ପନା ଯେତିକି ଅଦ୍ଵିତୀୟ ସେହିପରି ବିରାଟ ଓ ଉଦାର।

ପ୍ରତି ଓଡ଼ିଆ ପ୍ରାଣରେ ପୁଣି ଶ୍ରୀଜଗନ୍ନାଥଙ୍କ ଲାଗି ଏକ ଶ୍ରଦ୍ଧାପୂତ ସ୍ଥାନ ରହିଅଛି। ବସ୍ତୁତଃ ତାହା ଏକ ସୁବିସ୍ତୀର୍ଣ୍ଣ ଶରଧା-ବାଲି। ଭକ୍ତି ସେଠାରେ ଗୌଣ, ଶ୍ରଦ୍ଧା ହିଁ ମୁଖ୍ୟ। ଜଗନ୍ନାଥଙ୍କ ବ୍ୟତୀତ ଓଡ଼ିଆ ଜାତିର ଏପରି ଅନ୍ତରଙ୍ଗ ଆତ୍ମୀୟ ଆଉ କେହି ନାହାନ୍ତି। ସେଥିପାଇଁ "ସର୍ବ ମଙ୍ଗଳ ଜଗନ୍ନାଥ" ସ୍ମରଣ କରିବା ମାତ୍ରେ ଓଡ଼ିଆ ଗୃହସ୍ଥର ସବୁ ବିପଦର ଆଶଙ୍କା ବିଦୁରିତ ହୋଇଥାଏ। ଜଗନ୍ନାଥଙ୍କୁ ଓଡ଼ିଆ କଳାମୁହାଁ ବୋଲି ଯେପରି ଗାଳି ଦିଏ, ଜଗା ବଳିଆ ଡାକି ସେହିପରି ମଧ୍ୟ ସ୍ନେହ କରେ, କାଳ ସର୍ପ କହି ଅଭିମାନ କରେ, ତାଙ୍କ ବିଗ୍ରହକୁ ପହଣ୍ଡି ବେଳେ କଚାଡ଼େ, ପିଟେ... ଏ ସବୁ ମଧ୍ୟ ଓଡ଼ିଆ ଦୃଷ୍ଟିରେ ଆରାଧନାର ଅଙ୍ଗିଭୁତ !

କ୍ରମଶଃ...

୨୧.୧୧.୧୮

Tuesday, 20 November 2018

*ରାଜା ରାମଚନ୍ଦ୍ର ଦେବ*

ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ‘ନୀଳଶୈଳ’ ଉପନ୍ୟାସ ଏକ ମନୋଜ୍ଞ ସୃଷ୍ଟି। ଏ ଉପନ୍ୟାସଟି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଜୀବନ ଇତିହାସକୁ ଉପଜୀବ୍ୟ କରି ଗଢ଼ିଉଠିଛି। ଇତିହାସର ରାମଚନ୍ଦ୍ର ଦେବ ଏଠି ଏକ ଭିନ୍ନ ଭୂମିକାରେ ବିଦ୍ୟମାନ। ସମଗ୍ର ‘ନୀଳଶୈଳ’ ଉପନ୍ୟାସର କଥାବସ୍ତୁ ଭିତରେ ସେ ଏକ ନିରବଚ୍ଛିନ୍ନ, ନିଃସଙ୍ଗ, ସଂଗ୍ରାମୀ ଚରିତ୍ର। ତାଙ୍କର କ୍ଷତ୍ରିୟସୁଲଭ ସଂଗ୍ରାମଶୀଳ ନିଷ୍ଠାପର କର୍ମକୃତିର ଆଭାସ ଏହି ଉପନ୍ୟାସରେ ନାଟକୀୟ ରୀତିରେ ପରିକୀର୍ତ୍ତିତ। ଔପନ୍ୟାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଉତ୍କଳର ଭାଗ୍ୟବିଧାତା, ଜଗନ୍ନାଥ ସେବକ, ଅଭୂତପୂର୍ବ ବୀର ରୂପେ ଚିତ୍ରଣ କରିଛନ୍ତି। ପୂର୍ବ ସ୍ମୃତିର ରୋମନ୍ଥନରେ ଅତୀତର ଗବାକ୍ଷଦ୍ବାର ଉନ୍ମୁକ୍ତ ହୋଇ ଇତିହାସର ଆଲୋକରେ ‘ନୀଳଶୈଳ’ର ପୃଷ୍ଠା ଆଲୋକିତ ହୋଇଛି। ଅତୀତରେ ଅନ୍ଧକାର ତଳୁ ଇତିହାସ ମୁଣ୍ଡ ଟେକିଛି। କଳାପାହାଡ଼ ଚମ ଦଉଡ଼ିରେ ବାନ୍ଧି ଶ୍ରୀଜଗନ୍ନାଥଙ୍କୁ ଟାଣି ନେଇଥିଲା ବଡ଼ ଦାଣ୍ଡରେ। ଅତୀତର ସେହି ମର୍ମାନ୍ତିକ ଜାତୀୟ ଓ ଧର୍ମୀୟ ଅଧଃପତନ ଏବଂ ଅପମାନର ପୁନରାବୃତ୍ତି ନଘଟାଇବା ପାଇଁ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ୍‌ କାଦର ବେଗଙ୍କର ଜୀବନମୂର୍ଚ୍ଛା ସଂଗ୍ରାମ ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ। ଦୁଃଖର କଷାଘାତରେ ରାମଚନ୍ଦ୍ର ଦେବ କ୍ଷତବିକ୍ଷତ, ଶୋକର ଉଚ୍ଛ୍ବାସରେ ଆତ୍ମା ତାଙ୍କର ବିଭ୍ରାନ୍ତ। ତଥାପି ଲକ୍ଷ୍ୟ ଓ ସଙ୍କଳ୍ପର ମହାମେରୁ ପରି ସେ ଅଚଳ, ଅଟଳ ଓ ଦୃଢ଼। ଇତିହାସ ପୃଷ୍ଠାରୁ ଲେଖକ ଏପରି ଏକ ନରପତିଙ୍କୁ ବାଛିଛନ୍ତି ଯାହାଙ୍କ ଚରିତ୍ର ଦ୍ବୈତସତ୍ତା ଓ ବ୍ୟକ୍ତିତ୍ବର ବହୁବିଚି଼ତ୍ର ଅଧ୍ୟାୟରେ ପୂର୍ଣ୍ଣ। ଓଡ଼ିଶା ଇତିହାସରେ ରାମଚନ୍ଦ୍ର ଦେବ ଏକମାତ୍ର ବ୍ୟତିକ୍ରମ। ମୁସଲମାନ ମତ ଗ୍ରହଣ କରି ମଧ୍ୟ ଜଗନ୍ନାଥଙ୍କ ପ୍ରତି ଏପରି ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଅର୍ଘ୍ୟର ଅର୍ପଣ ଆହୁରି ବିସ୍ମୟକର। ରେଜିୟା ବେଗମ୍‌ଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ପ୍ରବଳ, କିନ୍ତୁ ଲଳିତା ପାଟଦେଈଙ୍କ ପ୍ରତି ସେ ତିଳେମାତ୍ର ଅବିଚାର କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ରାମଚନ୍ଦ୍ର ଦେବ ଥିଲେ ଓଡ଼ିଶା ଇତିହାସର ଚମକପ୍ରଦ ଆକର୍ଷଣୀୟ ଚରିତ୍ର।

କ୍ରମଶଃ...

୨୦.୧୧.୧୮