Friday, 31 May 2019

*ସରକାରୀ ଜିପ୍ ଖାଲରେ ପଡ଼ିଗଲା*

ଜୀପ୍ ଟା ଧଡ଼୍ କିନା ଗୋଟିଏ ଖାଲ ଭିତରେ ପଡ଼ିଗଲା। ଗିଅର ବଦଳେଇବା ବେଳକୁ ଗଁ ଗଁ ଶବ୍ଦ ହେଲା। ବାମ ପାଖ ପୋଖରୀରେ ଅନେକ ଲୋକ ଗାଧୋଉ ଥିଲେ। ଡାହାଣେ ଧାନ ବିଲ ଲମ୍ବି ରହିଛି, ଧାନ ଠିଆ ହୋଇଛି। ସାମନାରେ ଦିଶୁଛି ଗୋଟିଏ ବସ୍ତି, କେତେ ଘର ଭାଙ୍ଗି ଯାଇଛି, ଆଉ କେତେଟା ଘର ଠିଆ ହେଇଛି।

ଜୀପ୍ ଅଟକିଛି। ତଳେ କାଦୁଅ ଥିଲା, ଚକ ଗଳି ପଡ଼ିଛି। "ହୋ ଆସ ଆସ ଟିକିଏ, ଟିକିଏ ପେଲିଦେଲେ ଗାଡ଼ିଟା ଉଠିଯିବ।"

କେହି ଶୁଣିଲେ ନାହିଁ। ସମସ୍ତେ ବାଟ ଭାଙ୍ଗି ଚାଲିଗଲେ। ବିପିନ, ଟଙ୍କ ଓ ଚପରାଶି ତିନିହେଁ ମିଶି ଗାଡ଼ି ଠେଲିଲେ। ସବୁ ନିଷ୍ଫଳ। ଡ୍ରାଇଭର ଗାଡ଼ିଟାକୁ ଜଗି ଅପେକ୍ଷା କଲା। ଏମାନେ ତିନିହେଁ ଗଲେ ଲୋକ ଖୋଜି।

"କିଏ ଟିକିଏ ଆସ ମ, ଗାଡ଼ିଟା ପଡ଼ି ଯାଇଛି, ଟିକିଏ ଠେଲି ଦେବ।"
ଲୋକଟିଏ କହିଲା, "ଭାଇ ଏଠୁ କେହି ଯିବେ ନାହିଁ। ମୂଲିଆ କରେଇ ଦେଉନ।"
ଆଉ ଜଣେ କହିଲା,"ଆର ଗାଁକୁ ଯା' ଲୋକ ମିଳିବେ।"
ବିପିନ କହିଲା, "କି ଗାଁ ଇଏ ?"

ଘର ଆଗରେ ଅଳିଆ କୁଢ଼ା ହୋଇଛି, ଘାସ ଅରମା ବଢ଼ିଛି, ଗୋବର ଗଦା ବାଟରେ ବାଟରେ, ମାଠପରି ସଁବାଳୁଆ ଗୁରେଇ ହୋଇ ସଜନାଗଛ ଠିଆ ହୋଇଛି। ଚାଳ ତଳ ଖୁଣ୍ଟରେ ଧାର ଧାର ହୋଇ ଉଇ ଚଢ଼ିଛି। ଓଳି ତଳେ ଛାତରେ ଅଳନ୍ଧୁ। କାନ୍ଥ ସବୁ ଫାଟିଛି, ଖଣ୍ଡେ ଖଣ୍ଡେ ଖସିପଡ଼ି ଆବୁଡା ଖବୁଡ଼ା ଦିଶୁଛି। ଅକଥ୍ୟ ଭାଷାରେ ଗାଳି ଦିଆ ଦେଇ ଚାଲିଛି। ଛୋଟ ପିଲାଙ୍କ ଉପରେ ପ୍ରହାର, କାନ୍ଦଣା ଶୁଭୁଛି, ନାକରୁନ୍ଧା ଧୂଆଁ ଗନ୍ଧ। ଯେଝା କାମରେ ଯେ' କିନ୍ତୁ ଗାଡ଼ି ଠେଲିବାକୁ କେହି ମଙ୍ଗୁ ନାହାଁନ୍ତି।

ଆର ସାହିଟି ଥିଲା କଣ୍ଡରା ସାହି। ସେଠାକୁ ଯିବା ଛଡ଼ା ଆଉ କିଛି ବାଟ ନ ଥିଲା। ତିନିହେଁ ଚାଲିଲେ କଣ୍ଡରା ସାହି। ସେ ଗାଁରେ ଲୋକ ସବୁ ଯେଝା କାମରେ ଲାଗିଥିଲେ। ବୁଢ଼ାଟିଏ ଟାଙ୍ଗିଆ ଧରି କାଠ ଚିରୁଛି। ଚାଳରେ ପାଣି କଖାରୁ, କେଉଁଠି ଲାଉ, ବହଳ ହୋଇ ଶିମ, ବରଗୁଡ଼ି, ହରଡ଼ ଗଛ, ଜଡ଼ା ଗଛ, କପା, ଛନଛନିଆ ମୁକ୍ତକେଶୀ ବାଇଗଣ ଫଳଧରି ହୃଷ୍ଟପୁଷ୍ଟ ବାଇଗଣ ଗଛ। ଶ୍ରମର ଶିରୀ ଫୁଟି ଦିଶୁଛି। ଅତିଥି ଦେଖି ଲମ୍ବ ଲମ୍ବ ଦଣ୍ଡବତ କଲେ ଗାଁ ଲୋକେ। ଅଳ୍ପକେ ବୁଝାଇ ଦେଉ ଦେଉ ସଜ ହୋଇଗଲେ ସେମାନେ ସାହାଯ୍ୟ କରିବାକୁ। ପଇସା ମୂଲଚାଲ ହେବାରୁ ଧଡ଼ି ମଳିକ କହିଲା, "କି କାମଟା ଯେ ପଇସା ଏଥିପାଇଁ ନେବୁ ? ଗାଡ଼ିଟା କାଦୁଅରେ ଫସି ଯାଇଛି, କାଠ ଦି' ଖଣ୍ଡ ଆଗରେ ଥୋଇ ଦେଇ ପଛରୁ ଟିକେ ଠେଲି ଦେଲେ କାମ ଶେଷ। ଏତିକ ପାଇଁ ସେ ଗାଁରେ ଲୋକ ମିଳିଲେ ନାଇଁ ଯେ ତେମେ ଆପଣ ପୁଣି ଏତେ ବାଟ ଚାଲି ଚାଲି ଆମ ଗାଁକୁ ଆସିଲ !

ଚାଲରେ ପିଲେ -"

ସେମାନେ ଆଗେ ଆଗେ ଦୌଡ଼ି ଦୌଡ଼ି ଚାଲିଲେ। ବିପିନ, ଟଙ୍କ ଓ ଆଶା ଦେବୀ ପଛେ ପଛେ ଆସିଲେ।

ବିପିନ ମନ୍ତବ୍ୟ ଦେଲା, "ଏଇଆ ଆମର ଅସୁବିଧା।"

ଯେଉଁ ଲୋକମାନେ ଆମ କାମ ପାଇଁ ବାହାରି ଆସିଲେ, ଏମାନଙ୍କ ସ୍ୱର ସମାଜରେ ଶୁଭେ ନାହିଁ। ଏମାନେ ତଳେ ପଡ଼ିଥାନ୍ତି।

ଆଉ ଯେଉଁ ଅଙ୍ଗଟା ସ୍ଥାଣୁ, ନିଷ୍କ୍ରିୟ, ସେହି ଲୋଡୁଛି କ୍ଷମତା ଓ କର୍ତ୍ତୃତ୍ୱ।

ବିପିନ କହିଲା, ଏଇ ଅଥର୍ବ ମାନଙ୍କର ଜମି ପଡ଼ିଆ ପଡୁଛି।

ଟଙ୍କ କହିଲା ଏଥିପାଇଁ ଗାଁ ଛାଡ଼ି ଚାକିରି କରିବାକୁ ଏମାନେ ସହରକୁ ଯାଉଛନ୍ତି। କ'ଣ ଏଇ ମାନସିକତାର ଲୋକଙ୍କ ଦ୍ୱାରା ସହରର ବିକାଶ ହେବ ?

୩୧.୫.୧୯,
୧.୬.୧୯

Thursday, 30 May 2019

*ଚୌକିଦାରକୁ ଚୋର କଲା କିଏ ?*

ରୋହିନାଥ କହିଲା, ଏ ଦୁନିଆଁଯାକ ଏଇ କାରବାର, ଧନ ବଢୁଛି, କଳକାରଖାନା କୋଠାବାଡ଼ି ସବୁ ବଢ଼ି ବଢ଼ି ଯାଉଚି, ହେଲେ ମନ ଭିତରେ କାହାଠି କାହାରି ସ୍ନେହ ନାହିଁ, ଓଲଟି ଜଗତ ଧ୍ୱଂସ କରିବା ପାଇଁ ବିଷ ଓ ଵମ୍ ତିଆରି ଚାଲିଛି।"

ବିପିନ - "ତମ ଆମ ମାଇପେ ଯେତେ ପଣ କୁକୁଡ଼ା ଖାଇଲେ ବି ଶହେ ବରଷ ଗଲେ ସୁଦ୍ଧା ଗୋଟେ ବାଣ କି ବିଷ ତିଆରି କରି ପାରିବେ ନାହିଁ। ସେ ଭୟ କରନି।"

ସତୁରା - "ମାଇପେ କ'ଣ ବମ୍ ଭିଡ଼ନ୍ତେ କି ? ଭିଡ଼ିବେ ତାଙ୍କ ପିଲାଏ। ତେଣ ରାଇଜରେ ଯେମିତି ହଇଚି ଏଣ ରାଇଜରେ ସେଇଆ ହବ। ମା ଭଉଣୀଙ୍କ ହୃଦୟରେ ସେନେହ ଦୟା ଥିଲେ ସିନା ସେମାନେ ଜଗତପାଳେଣୀ ହେବେ। ସେମାନେ ଯଦି କୁକୁଡ଼ା ପାଳି ତା ଡିମ୍ବ ଛଡ଼େଇ ନଉଥିବେ, ତାକୁ ହାଣି ଖାଉଥିବେ, କେତବେଳେ ସେ ହୃଦ ଭିତର ତ କ୍ରୁର ହୋଇଯିବ, ପଥର ହୋଇଯିବ, ସେମାନେ ଏ ସଂସାରକୁ କ'ଣ ପାଳିବେ ?"

କୁନି ମଳିକ - "ଖାଲି ଆପଣା ପିଲାଙ୍କୁ ପାଳିବେ ।"

ରଘୁନାଥ - "ବାପା ମାଆ ଯେମିତିକା, ପିଲାମାନେ ବି ସେମିତିକା ହେବେ। ସେ ପିଲାମାନେ ଯେବେ ବଡ଼ ହେବେ କେବଳ ନିଜ ପିଲାଙ୍କୁ ପାଳିବେ, ଆଉ କାହାକୁ ଅନେଇବେ ନାହିଁ। ଭାଇ ଭାଇ ଭିନେ ହେବେ, ଘର ଭାଙ୍ଗିବ, କଳି ଗୋଳ ବଢ଼ିବ। ଏହା ସ୍ୱାର୍ଥ ଶିଖାଇବ, ହିଂସା ଶିଖାଇବ। ଦେହଟାକୁ ଖାଲି ପୁଷ୍ଟ କଲେ କ'ଣ ହେଲା ମନଟାକୁ ତ ବିଗାଡ଼ି ଦେବ।"

ସତୁରା - "ସେଇଆ ସେଇଆ, ନ ହେଲେ ପାଟିରେ ତ ଯାହା ପକେଇଦେଲେ ପେଟକୁ ଯିବ। ଆଇଁଷ ନିରାମିଷ ପାଟି ବୁଝିବ ନା ପେଟ ବୁଝିବ, ବୁଝିବ ମନ।"

ବିପିନ - "ରଖ ମ ସେ ବ୍ରହ୍ମ ଜ୍ଞାନ। ଧନ କେମିତି ବଢ଼ିବ, ବଳ କେମିତି ବଢ଼ିବ, ରୋଗ କେମିତି ନ ହବ, ସେତିକି ଚିନ୍ତା କର।"

ରୋହିନାଥ - "ଯାହା ତ ଆମେ ହିତ ମଣିଲୁ ସେୟା କହିଲୁ। ଆମେ କ'ଣ ଆପଣଙ୍କ ପରି ବଡ଼ ମଣିଷ ? ଏବେ ଖାଲି ଆପଣ କହିବେ ଆମେ ଶୁଣିବୁ।"

ବିପିନ - ହୋଉ ଆଜି କୁକୁଡ଼ା କଥା ଏତିକି ଥାଉ। ଏମିତି ପରିସ୍ଥିତି ଆମେ ସବୁ ଉନ୍ନୟନ କର୍ମୀମାନେ ସୃଷ୍ଟି କରିସାରିଲୁଣି ଯେ ତୁମର ଇଚ୍ଛା ନ ଥିଲେ ମଧ୍ୟ ତୁମେ ସବୁ ଏଇ କାମ କରିବାକୁ ବାଧ୍ୟ ହେବ। ହୋଉ, ଆଜି ଖାଲି ଗୋଟେ ପଞ୍ଚାୟତ ପ୍ରତିନିଧି ବାଛ।"

ସତୁରା - "ଆମେ ତ କିଛି ପାଠଶାଠ ପଢ଼ି ନାହୁଁ, କିନ୍ତୁ ଗୋଟେ ପରିବାର ପରି ଆମେ ଏଇ କୋଠରେ ଚଳୁଛୁ। ଏ ପର୍ଯ୍ୟନ୍ତ ଆମର କିଛି ଅଖଞ୍ଜ ହୋଇ ନାହିଁ। ସମସ୍ତିଙ୍କର ଗୋଟିଏ ମତ।"

ଟଙ୍କବାବୁ - "ଅଶିକ୍ଷିତ ରହିଲେ ପଞ୍ଚାୟତର ପ୍ରଗତି ହବ କେମିତି? ଆଇନ ଅନୁଯାୟୀ ଏହାର ଦାୟିତ୍ୱ ନେବ କିଏ ?"

ବହୁତ ବଡ଼ ପାଟିରେ ଆବାଜ ଆସିଲା, "ଆମେ ସମସ୍ତେ।"

ବିପିନ - ଆରେ ବାବୁ, ସରକାର କିଛି ସାହାଯ୍ୟ ପଠାଇଲେ ଦସକତ କରିବ କିଏ ?

ସଦା ଗୋଛାୟତ - "ଆମ ହାତ ଗୋଡ଼ ଚଳୁଛି। ଆମର ଏବେ ସରକାରୀ ସାହାଯ୍ୟ ଦରକାର ନାହିଁ।"

ବିପିନ - "ସରକାର ବହୁତ ସାହାଯ୍ୟ ଦେଉଛନ୍ତି। ତୁମକୁ ଆଉ ବେଶୀ କଷ୍ଟ ସହିବାକୁ ପଡ଼ିବ ନାହିଁ।"

ରଘୁନାଥ - "ଆମର ଗାଁ ପାଇଁ ଯାହା ଦରକାର ସେଥିରେ ସିନା ସରକାର ସହଯୋଗ କଲେ ଆମ ଗାଁର ଉନ୍ନତି ହେବ। ସରକାର ଅନୁସାରେ ଆମେ କାହିଁକି ଚିକେନ୍ ଚାଷ କରିବୁ ? ତା ପରେ ଆମେ ଜାଣିଛୁ - ମାଗି ଆଣିଲା କାଣ୍ଡ କିଛି କାମରେ ଲାଗେ ନାହିଁ।"

ବିପିନ ରାଗିକରି କହିଲା, "କାଳି ଗାଈର ଭିନେ ଗୋଠ। ମୁଁ ରାଇଜ ସାରା ସବୁଠି ଟଙ୍କା ବାଣ୍ଟି ବାଣ୍ଟି ଆସିଲିଣି। ତୁମ ଗାଁ ଲୋକ ବହୁତ ଚାଲାକ। ହୋଉ ଟଙ୍କା ନ ନିଅ। ଅନ୍ଧାରରେ ରୁହ।"

ଗାଁର ଲୋକ ତଥାକଥିତ ଇଂରେଜୀ ପଦ୍ଧତି ପାଠ ପଢ଼ି ନ ଥିଲେ ବି ସ୍ୱାଭିମାନୀ ଥିଲେ। କିନ୍ତୁ ବଡ଼ ବାବୁ ମାନେ ସେମାନଙ୍କୁ ମାଗିଖିଆର ପାଠ ପଢ଼ାଇବାକୁ ଯୋଜନାବଦ୍ଧ ଭାବେ ଯାଉଥିଲେ। ଯାହା ମାଟିକୁ, ପାଣିକୁ ଦୂଷିତ କରେ, ତାକୁ ହିଁ କ୍ଷଣିକ ସୁଖର କ୍ଷଣିକ ଲାଭର ପ୍ରୟୋଗ ମାଧ୍ୟମରେ ଉପକାର ବୋଲି ବୁଝାଇବାରେ ସଫଳ ହେଉଥିଲେ।

ତଥାପି ବିପିନର କଥାକୁ କିଛି ସମୟ ଭାବି, ସତୁରା କହିଲା, "ପୋଲା ଟଙ୍କା ସବୁ ଅନର୍ଥର ମୂଳ। ଲୋକେ ଅଳସୁଆ ହେବେ, ହାତଗୋଡ଼ ଟେକି ଆଁ କରି ବସିଥିବେ, କେତେବେଳେ ବାବୁମାନେ ଉପରୁ ଝଡ଼େଇଲେ କାମ ହେବ, ଆପଣା ଆପଣା ଭିତରେ ବାଦ ଛେଦ ଦେଖାହେବ, ନିଜଦେଇ କଣ କରିହେବ ସେ କଥା କେହି ପରଖିବେ ନାହିଁ। ଆଉ ଗୋଟିଏ କଥା ବାବୁ, ଯେଉଁ ଟିକକ ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିଲା ନାହିଁ, ତାର ଅସଲ ମୂଲ କେତେ, ତାକୁ କେମିତି ଗଣ୍ଠିଧନ କରି ସେ ସାଇତିବ, କେମିତି ଏଥିରୁ ଅଧିକ କରିହେବ ଏ କଥା ଲୋକ କାହିଁକି ବିଚାର କରିବ, ଆପଣା ହୃଦରୁ ବିଚାର ନ ବାହାରିଲେ, ଯେତେବେଳେ ଅଭାବ ପଡ଼ିବ, ସେ ଏଇ ସରକାରୀ ବାବୁ ମାନଙ୍କ ଜିନିଷ ଚୋରି କରିବାକୁ ଯେ ପଛାଇବ ନାହିଁ କିଏ କହିବ ? କାରଣ ଏଇ ବାବୁମାନେ ତାକୁ ବୁଝାଇଥିବେ, ସରକାର ପାଖରେ ବହୁତ ଅଛି, ପଚୁଛି, ସେତେବେଳେ କେତେ ଜଗୁଆଳ ରଖିବ ହୋ ? ତେମେ ତ ଚୌକିଦାରକୁ ଚୋର ବୁଦ୍ଧି ଶିଖାଉଛ।

୨୯-୩୦.୫.୧୯

Tuesday, 28 May 2019

*ହୃଦରୁ ଦୟାପଦଟା ଶୁଖିଯିବ*

ହେଇ, କାମ ଲାଗିଛି। ଏକାଠି ପଚାଶ ପୁରୁଷ ଆଉ କୋଡ଼ିଏ ତିରିଶ ସ୍ତ୍ରୀ ଲୋକ କାମରେ ଲାଗିଛନ୍ତି। ଗଇଁତି ଉଠୁଛି ପଡୁଛି। ଖରା ବାଧୁ ନାହିଁ। ଶ୍ରମ ବାଧୁ ନାହିଁ। ସେହି ଝାଳ ଦରଦର ପାଖକୁ ପାଖ ଟାଆଁସିଆ ମଣିଷମାନଙ୍କୁ ଦେଖି ରୋହିନାଥର ସତେ କି ଆଖି ଲୋଭେଇଲା, ଛାତି ଲୋଭେଇଲା। କେଉଁଟା ବୁଢ଼ା, କେଉଁଟା ଭେଣ୍ଡିଆ, କେଉଁଟା କଳା, କେଉଁଟା ଗୋରା। ହୃଦ ଭିତରେ ଏକ ପଦ - 'ଭାଇ'। ପୁରୁଣା ରକ୍ତର ଧାରକୁ ଚିହ୍ନା ଚିହ୍ନି। ଯେପରି ମାଟି ହାଣିବାକୁ ମାଟି ଡାକୁଛି। ପଡୁଛି ଗଇଁତି। କରଡ଼ା ଚେମେଡ଼ା ପୁରୁଷ ଦେହ। ମାଂସର ଦଉଡ଼ି ଫଡ଼କି ଉଠୁଛି, ଗୋଲଗୋଲ ଲୁହା ପିଣ୍ଡୁଳା ପରି ମାଂସ ପିଣ୍ଡୁଳା ଖେଳୁଛି ନାଚୁଛି। ଦର ଦର ଝାଳ ନିଗୁଡୁଛି। ଏଇ ସେ ଦେହର ଚରମ ଗୌରବ, ଶ୍ରମର ଏହି ଆଭା ତାହାର ଜ୍ୟୋତି।

ସ୍ତ୍ରୀ ଲୋକମାନେ ଟୋକେଇରେ ମାଟି ବୋହି ନେଉଛନ୍ତି। ଦଳେ ଯାଉଛନ୍ତି ଦଳେ ଆସୁଛନ୍ତି। ଅନ୍ୟାନ୍ୟ ସ୍ତ୍ରୀଲୋକଙ୍କ ସଙ୍ଗେ ଏକାଠି ମିଶି ଟୋକେଇରେ ମାଟି ବୋହି ଆଣୁଛି ଛବି, ସିନ୍ଧୁ ଚୌଧୁରୀଙ୍କ ଝିଅ। ଆଖିସହା ହୋଇଗଲାଣି, କିନ୍ତୁ ଏ ରୂପ ଦେଖିଲେ ସଂଭ୍ରମରେ ମୁଣ୍ଡ ନଇଁ ପଡ଼େ।

କାଳ ଓଲଟିଛି। କାମ ନୁହେଁ ସତେ କି ସମୁଦ୍ର ଡାକୁଛି।
ରୋହିନାଥ ସେଥିରେ ମିଶିଗଲା।

ଏମିତି ମାଟି ଖୋଳା ଚାଲିଥିବା ବେଳେ ହଠାତ୍ ଏକ ଜିପ୍ ଆସୁଥିବାର ଶବ୍ଦ ଶୁଭିଲା। ଖାଲ ଭିତରୁ ବାହାରିପଡ଼ି ଲୋକେ ସେଇ ଜିପ୍ ଆଡ଼କୁ ଅନାଇଁ ଠିଆ ହୋଇ ରହିଲେ। ଜିପ୍ ଟା ଅଟକିଲା। ସାମନା କାଚ ଭାଙ୍ଗିଯାଇ ତାରା ଭଳି ଦିଶୁଥାଏ। ଆଗ ଲାଇଟରୁ ଗୋଟିଏ ଭାଙ୍ଗି କଣା ଆଖି ଭଳି ଦିଶୁଥାଏ। ଭିତରେ ଟାରପୋଲିନ ଓ ବିଛଣା ପତ୍ର ବୋଝେଇ ହୋଇଥାଏ। ତିନି ଜଣ ଓଲ୍ହାଇ ପଡ଼ିଲେ। ତାଙ୍କ ଭିତରୁ ସିଗାରେଟ ଟଣା ବାବୁ ଜଣକ ପଚାରିଲେ - "ଏଇଟା ପାଟେଳି ଗାଁ ତ ? ମୁଁ ଉନ୍ନୟନ କର୍ମଚାରୀ।"

ରବିର ବନ୍ଧୁ ଉନ୍ନୟନ କର୍ମଚାରୀ ବିପିନ୍ ରାତିକ ସେହି କୋଠ ବସ୍ତିରେ କଟାଇବା ପାଇଁ ସ୍ଥିର କରିଥିଲା। ମେଲା ଫରଚା କୋଠ ବସା ଉଠା ଘରେ ସେମାନଙ୍କ ରହଣି ହେବ। ଗାଁ ଲୋକ ରୁଣ୍ଡ ହେଲେ। କିନ୍ତୁ ବିପିନ୍ ର ଚିକେନ୍ ଆଶା ପୂରଣ ହେଲାନି। ବିପିନ୍ ସ୍ଥିର କଲା ଆଜି ରାତିରେ ସେ ସମସ୍ତଙ୍କୁ ଚିକେନ୍ ଚାଷ ବିଷୟରେ ବୁଝାଇଦେବ।
ଚାଲିଲା ବିପିନ୍ ର ଅନର୍ଗଳ ବକ୍ତୃତା।

ରଘୁନାଥ କହିଲା, " ଚଳେଇଲେ କୋଉ କଥା ଚଳିବ ନାହିଁ, କିନ୍ତୁ ମାଇପେ ମଙ୍ଗିଲେ ହେଲା।"

ବିପିନ - "ସେଥିପାଇଁ ତ ମହିଳା ସମିତି ଗଢ଼ା ହେବ। ଏହି ଉପକାରୀ ଚଳଣୀଟିକୁ ମାଇପି ମହଲରେ ପାଶ କରାଇ ନେଇ ହାଣ୍ଡିଶାଳରୁ ଆରମ୍ଭ କଲେ ଯାଇ ଏ ଯୋଜନାଟା ତିଷ୍ଠିବ। ତେବେ କ'ଣ କହୁଛ ? ମୁଁ ନୋଟ୍ କରି ନେବି ତ ପାଟେଳି ଗାଁରେ ଗୋଟେ ମହିଳା ସମିତି ଗଢ଼ା ହେବ ଏବଂ ସେ ସମିତି କୁକୁଡ଼ା ପାଳନ କରିବ।"

ବୁଢ଼ା ସତୁରା ପାଣ ଠିଆ ହେଲା,  କହିଲା, "ହଜୁରେ, ଗୋଟିଏ କଥା, ମାଇପି ଲୋକେ ଏ କାମରେ ଘାଣ୍ଟି ହେବେ କାଇଁକି ? ସେମାନେ ପରା ଘରର ଲକ୍ଷ୍ମୀ।"

ବିପିନ - "ଆରେ ବାବୁ, ସେଇ ଘରର ଲକ୍ଷ୍ମୀମାନେ ଚିକେନ୍ ଖାଇଲେ, ଡିମ୍ବ ଖାଇଲେ ଗୋଲଗାଲ ହେବେ। ସବୁ କାମକୁ ମଜଭୁତ ହେବେ।"

ସତୁରା କହିଲା, "ଗଣ୍ଡି ବଢ଼ିବ, ହୃଦରୁ ଦୟାପଦଟା ଶୁଖିଯିବ।"

ରଘୁନାଥ କହିଲା, "ସେଇଆ, ସେଇଆ, ଆଜିକାଲି ଯୁଗଟା ସେୟା ହେଇଚି, ଯୁଆଡ଼େ ଦେଖୁଥା ଲୋକେ ଗଣ୍ଡି ବଢ଼ାଉଛନ୍ତ, ହୃଦରେ ଆହା ପଦ ନାଇଁ, ସେ ବଢ଼ତି ରାବଣାଶର କଂସାସୁର କରି ନ ଥିଲେ କି ?"

୨୮.୫.୧୯

Monday, 27 May 2019

*ଗଢ଼ିବାକୁ ତାର ଜନ୍ମ*

ଦୁଲ କଥା ନ ମାନି ସେ (ରୋହି ନାଥ) କାମକୁ ବାହାରି ପଡ଼ିଲା। କିନ୍ତୁ ପାଦ ସେମିତି ଧକ୍ ଧକ୍ ହେଉଥାଏ। ତା ମନ କହୁଥିଲା ଏଇ ଓଳିଟା ରହିଯିବ କି ! କିନ୍ତୁ ପୁଣି ସେ ଆପଣାକୁ ଆପେ ଦମ୍ଭ ଦେଇ ଆଗେଇ ଚାଲିଲା। କାରଣ ସେଠି ଯେତେ ସବୁ କାମରେ ଲାଗିଥିଲେ, ସମସ୍ତେ ଧଣ୍ଡା ତୁଳସୀ ଧରି ନିୟମ କରିଥିଲେ ଯେ ବିଛଣାରେ ପଡ଼ିବା ଭଳି ରୋଗ ନ ହେବା ଯାକେ କେହି କାମ ମାରା କରିବେ ନାହିଁ।

ଉଦୁଉଦିଆ ଖରାରେ କାନ୍ଧରେ ଗଇଁତି ବୋହି ଖଣ୍ଡିଆ ଗୋଡ଼କୁ ଘୋଷାରି ଘୋଷାରି ପେଙ୍ଗେଇ ପେଙ୍ଗେଇ ଚାଲିଲା ବେଳେ ତା ମନରେ ପୁଲକ ଓ ଉତ୍ସାହ ବହକି ଉଠୁଛି। କାହିଁ ଆଗେ ଏତେ ଏତେ ବର୍ଷ ସେ କଳ ପରି ଆପଣା କାମ କରି କରି ହିଁ ଜୀବନ ବିତେଇ ଦେଇଛି; ସୁଖ ପାଇଛି, କିନ୍ତୁ ଏ ଉଛୁଳା ଆନନ୍ଦ ପାଇ ନାହିଁ।

ରାମନଅମୀ କି ରାହାସ କି ଝୁଲଣ କି ଭାଗବତ ସପ୍ତା ଏ ସବୁ କାମରେ ରୋହି ନାଥ ଥାଏ ସବୁଠୁ ଆଗରେ। ସେ ଚାହୁଁଥାଏ ଏଇ କାମ ସବୁଦିନ ଲାଗି ରହନ୍ତା କି ! ଯାହାହେଉ ଏବେ ଭଙ୍ଗା ଗାଁକୁ ଗଢ଼ିବା ପାଇଁ ସବୁଦିନିଆ କାମ ଆସିଯାଇଛି। କାମର ମେଳା ଲାଗିଛି।

ବନ୍ଧ ତଳେ ପାଖ ପାଖ ହୋଇ ଯୋଡ଼ିଏ ବସ୍ତି ଥିଲା - ଯୋଗୀସାହି ଓ ପାଣସାହି। କେତେ ହିଂସାବାଦ ଥିଲା, କିନ୍ତୁ ଏ ନଈ ବଢ଼ିରେ ଯୋଗୀସାହି ଗଲା, ପାଣସାହି ଗଲା, କ୍ଷେତ ବାଡ଼ି ଘର ତୋଟା ସବୁ ଚାଲିଯାଇ ରହିଲା କେଉଁଠି ଖାଇ କେଉଁଠି ବାଲିପଟା, ସବୁ ଏକାକାର।

ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ନାଗ ମୁଣ୍ଡକଟା ସୂଅକୁ ନ ଡରି ମଣିଷଙ୍କ ଉପକାର କରିବାକୁ ତୁରନ୍ତ ଆସି ସେତେବେଳେ ପହଁଚିଥିଲେ ଫୁଲଶରାବାସୀ, ତା ପରେ ଅନ୍ୟମାନେ। ବଜ୍ରେଶ୍ୱରଙ୍କ ଢିପରେ ସେହି ଦିନଟା ଆଦୌ ପାସୋରି ହେବ ନାହିଁ।

ସେମାନେ ଆସିବା ପୂର୍ବରୁ ଆମ ଗାଁ(ପାଟେଳି ଗାଁ)ର ଝିଅ ଛବି କାମରେ ଲାଗିଯାଇଥିଲା। ଆଶ୍ଚର୍ଯ୍ୟ ସେ ଝିଅଟି, ଏବେ ବି ତ ସେ ଏଇ ଗାଁର ଜୀବନ-ପ୍ରାଣ, ଅନ୍ଧାର ବାଟରେ ସେହି ତ ଆଲୁଅ, ଧନ୍ୟ କହିବ ତାକୁ। ତାରି ସଙ୍ଗେ ସଙ୍ଗେ ଆଉ କେତେ ବୋହୂ ଝିଅ ଏକାଠି ବାହାରି ପଡ଼ିଥିଲେ, ତାଙ୍କ ପଛେ ପଛେ ନିଜେ ତାର ବାପା ସିନ୍ଧୁ ଚୌଧୁରୀ, ଗାଁର ଆହୁରି କିଛି - କି ଯୁବକ କି ବୃଦ୍ଧ।

ଫୁଲଶରା ଓ ପାଟେଳି ଗାଁକୁ ମିଶେଇ ଦେଇଥିଲା ବଢ଼ି। ତହିଁରୁ ଉପୁଜିଥିଲା ନୂଆ ସମାଜ। ସମସ୍ତେ କୋଠରେ ଚଳିବେ, ପାଣ ନାହିଁ, ଯୋଗୀ ନାହିଁ, ବ୍ରାହ୍ମଣ ନାହିଁ, କରଣ ନାହିଁ। ସମସ୍ତେ କୋଠର, କୋଠ ସମସ୍ତିଙ୍କର।

ଦୂରରୁ ପାଟି ଶୁଭୁଛି, କୁହାଟ ଶୁଭୁଛି, ସେଇଠି ସେମାନେ କାମ କରୁଛନ୍ତି। ରୋହିନାଥର ମନଟା ଚାଉଁ କଲା। ଗୋଡ଼ ବଥା ପାସୋରି ଗଲା। ସେ ବି କୁହାଟ ଛାଡ଼ିଲା। ତା ପାଦର ଗତି ତେଜିଲା।

ମନରେ ପ୍ରବଳ ଉତ୍ସାହ, ବିପୁଳ ଆଶା। ତାକୁ ଲାଗୁଛି -  ଗଢ଼ିବାକୁ ତା'ର ଜନ୍ମ, ସେ ଗଢ଼ିବ, ଗଢ଼ିବ, ସାଙ୍ଗରେ ଆଉ ଦଶ ଜଣଙ୍କ ଶ୍ରମରେ ଶ୍ରମ ମିଶାଇଦେଇ ଦେହରେ ଶକ୍ତି ଥିବାଯାକେ ସେ ଗଢ଼ି ଚାଲିଥିବ।

୨୭.୫.୧୯

Sunday, 26 May 2019

*ଏମିତି ଭାବିଲେ ଘର ଭାଙ୍ଗେ*

ଜମ୍ବୁ ବେହେରା କହିଲା, "ହେଇ ଯେଉଁ ଆଲୁଅଗୁଡ଼ାକ ପାଖକୁ ପାଖ ଦିଶୁଛି ସେହି ପାଟେଳି ଗାଁ। ଚାହୁଁ ଚାହୁଁ ଡଙ୍ଗା ମୋଡ଼ ବୁଲି ବାଙ୍କରେ ବାହାରିଗଲା।

ଏଡ଼େ ଭୟଙ୍କର ବଢ଼ିଟା ଆସିଥିଲା ଯେ  ଭାଙ୍ଗିବାକୁ ନୁହେଁ ଯୋଡ଼ିବାକୁ ଆଉ ଗଢ଼ିବାକୁ।

ଉଦୁଉଦିଆ ଦ୍ବିପ୍ରହରେ ବନ୍ଧ ଉପରେ ବସି ରୋହି ନାଥ ନୂଆ ବସ୍ତି ଆଡ଼କୁ ଅନାଇଁ ଥାଏ ଆଉ ଭାବୁଥାଏ। ଡାଳି ଡାଳି ହୋଇ ଘଞ୍ଚ ଅରଖ ବୁଦା ଚେକାମାଡ଼ି ବସିଛି, ଫିକା ବାଇଗଣି ଫୁଲ ଖୁନ୍ଦି ହୋଇଛି। କତିରେ ଗୋଟିଏ ଲମ୍ବା ଗଇଁତି ପଡ଼ିଛି। ଅରଖ ଗଛ ଉପରେ ହଳଦିଆ ପ୍ରଜାପତି ଓ ଲମ୍ଵ ଲମ୍ବ ଭଅଁର ବସିଛନ୍ତି।

ରୋହି ନାଥ ଗଇଁତି ଟେକିଧରି ଠିଆ ହେଲା। ମନରେ ଦୋ ଦୋ ପାଞ୍ଚ ଆସୁଛି, ସିଏ ଯିବ କି ନାହିଁ। ତା ଡାହାଣ ପାଦରେ ଖେଣ୍ଟା ବାଜି ଗୋଟିଏ ଛୋଟ ଘା ହୋଇଛି, ପାଦ ଦରଜ, ଚାଲିଲେ କାଟୁଛି। ଏ ଓଳି ପୁଣି ସେହି ପୋଖରୀ ଖୋଳା କାମ। ସେ ଯାଉ ନ ଯାଉ ତା ଘରେ ଆସି ଡାଲି ଚାଉଳ ପରିବା ଲୁଣ ତେଲ କରି ସଞ୍ଚାଟିଏ ଆସି ଥୁଆ ହେବ, ଏମିତି ଚାଲି ଆସିଲାଣି ଅନେକ ଦିନ ହେବ, କାମ କଲେ ଖାଇବାକୁ ମିଳିବ, କାମ ନ କଲେ ବି। ସେଥିପାଇଁ ତ ମାଡ଼ିପଡ଼େ। କାମ ନ କରି ସେ ଭୋଜନ ବଜେଇବ କେମିତି ? ଦଶ ଜଣଙ୍କ ଧନ, ଏକା ତାହାରି ବୋଲି ନୁହେଁ। ସତେ କି ଶିବ ନିର୍ମାଲ୍ୟ, ଠକିଲେ ସେ ହଜମ ହେବ କେମିତି ? ଠକିବା ଅବା କାହାକୁ ? କିଏ ସାଆନ୍ତ, କିଏ ମୂଲିଆ ? ଧନ ବଢ଼ିଲେ ସେଥିରେ ଦଶ ଜଣଙ୍କର ଉପକାର। ତିନିମାଣିଆଁ ପୋଖରୀଟା ବରଷା ଆଗରୁ ଖୋଳି ପାରିଲେ ତା ଭିତରେ ଗୋବର କୁଢ଼େଇ ତା ଉପରେ ହଳ କରି ପହିଲି ଅସରାରେ ସେଥିରେ ପାଣି ପଶିଲେ ମାଛ ଯାଆଁଳ ଛଡ଼ା ହେବ। ଯୋଡ଼ାଏ ବର୍ଷରେ ମାଛ ବଡ଼ ବଡ଼ ହୋଇଯାଇଥିବେ। ତା ପରେ ସମସ୍ତିଙ୍କ ପତରରେ ସେଥିରୁ ଆସି ମାଛ ପଡ଼ିବ ତ ! ଅବଶ୍ୟ ନଈରୁ କିଛି ଆସୁଛି, ସେ ସବୁଦିନେ ନୁହେଁ କି ମନଲାଖି ନୁହେଁ, ସାମାନ୍ୟ ପରିମାଣରେ ଚୂନି ମାଛ କି ପୋହଳା କି ଜହ୍ଲା।

ସେମିତି ଆହୁରି କିଛି ତୋଟା ଲଗାଇବା କାମ। ଯାହା ଅଳ୍ପ ଆମ୍ବଗଛ ଥିଲା ସେ ସେହି ବଢ଼ିରେ ଯାଇଛି, ଗଲା ବର୍ଷଠୁଁ ତୋଟା କାମ ଆରମ୍ଭ ହୋଇଛି। ନାନା ଜାତି ଗଛ ଲଗାଯାଇଛି। ଏ ବର୍ଷ ଆହୁରି ଅନେକ ଲାଗିବ।

ବାଲିପଟାଳି ସାରା ଏ ବର୍ଷ ଝାଉଁ ଲାଗିବ। ବାଡ଼ ବୁଜା, ଘର ତୋଳା, ନାନା କାମ, ମୁହୂର୍ତ୍ତେ ଫୁରୁସତ ନାହିଁ। ଭାବୁ ଭାବୁ ସେ ବନ୍ଧେ ବନ୍ଧେ ଚାଲିଲା। ସେହି ସବୁ ଯୁକ୍ତି ସେ ଦୁଲ ଆଗରେ କହିଥିଲା -

"ଏତେ କାମ ଛାଡ଼ି ଘରେ ମାଣ୍ଟେଇଲେ କୋଠପ୍ରତି ବେଇମାନି ହେବ, ଦ୍ରୋହ ହେବ, ପାପ ହେବ, କୋଠର ଆୟ କମିବ, ସମସ୍ତିଙ୍କ ଉପରେ କ୍ଷତିର ପରିଣାମ ପଡ଼ିବ।"

ଦୁଲ କହିଲା - "ଏକା ତେମେ ଜଣେ ଓଳିଏ ନ ଗଲେ ଏତେ କ୍ଷତି ହୋଇଯିବ ? ଆଉ କ'ଣ କେହି ନାହାନ୍ତି ??
ତେମେ ଏକୁଟିଆ ସବୁ ମୁଣ୍ଡେଇ ଧରିଛ ???

ରୋହି ନାଥ - "ଏମିତି ଭାବିଲେ ଘର ଭାଙ୍ଗେ। ସମସ୍ତେ ଏଇଆ କହି ଘରେ ବସିଲେ କୋଠ କାମ କେମିତି ଚାଲିବ ?"

୨୬.୫.୧୯

Saturday, 25 May 2019

*ଏବେ ଲେଉଟା ବେଳ*

ଫୁଲଶରାର ତିନି ଖଣ୍ଡି ନାହା କେତେବେଳେ ଏକାଠି ଭେଟା ଭେଟି ହୁଏ, କେତେବେଳେ ତିନି ଦଳ ହୋଇ ତିନି ପଟେ କୁଆଡ଼େ କୁଆଡ଼େ ସେମାନେ ଛିନ୍ ଛତର ହୋଇ ରହନ୍ତି। ଡଙ୍ଗାଏ ଡଙ୍ଗାଏ ଜୀବନ, ପାଣି କାଦୁଅରେ କାମ, ମଣିଷଙ୍କୁ ଏଠୁ ନେଇ ସେଠି ଛାଡ଼ିବା, ସାହାଯ୍ୟ ଦେବା, ସାହସ, ସହାନୁଭୂତି ଦେବା ଏଇଥିରେ ଦିନ ସରିଯାଏ। କେତେ ସର୍ଦି, କାଶ, ଜ୍ଵର , ପେଟବ୍ୟଥା ଦେହେ ଦେହେ ଯାଇଛି। କେତେଦିନ କେତେ ରାତି  ବିତିଛି, ଆଖି କସରା ପଡ଼ି ନାହିଁ। ପୁଞ୍ଜି ସରିଲେ ବି କାମ ଅଟକି ନାହିଁ। ଡାକିଲେ ଲୋକେ ଓ' କରିଛନ୍ତି। ଯାହାର ଅଛି ସେ ସାହାଯ୍ୟ ଦେବାକୁ ଆଗଭର ହୋଇଛନ୍ତି।

ଆଖି ଛଳ ଛଳ, ଓଠ ଥର ଥର, ଦାଣ୍ଡ କବାଟ ଖୋଲି କେତେଠିଁ ବାହାରି ପଡ଼ିଛି ଖଡୁ କାଚ ପିନ୍ଧା ଯୋଡ଼ା ହାତ,
"ଆହା, ନିଅ ନିଅ.."

ଏଥରକ ଲେଉଟି ଯିବାକୁ ପଡ଼ିବ। ବଢ଼ି ସାହାଯ୍ୟ ପାଇଁ ଚରିଆଡ଼େ ବ୍ୟାପକ ବ୍ୟବସ୍ଥା ହୋଇସାରିଛି। ସରକାରୀ ସାହାଯ୍ୟ ବ୍ୟବସ୍ଥା ବ୍ୟାପକ ଭାବେ ପହଞ୍ଚି ଯାଇଛି। କିଛି ବେସରକାରୀ ସାହାଯ୍ୟକାରୀ ସଂସ୍ଥା ମଧ୍ୟ ପହଞ୍ଚି ଗଲେଣି।

ଆଗେ ଲେଉଟିଲା ଖଣ୍ଡେ, ତା ପରେ ଆଉ ଖଣ୍ଡେ, ତା ପରେ ଦି' ଦିନି  ଛାଡ଼ି ତୃତୀୟ ଦିନ ଲେଉଟିଲା ରବିର ଡଙ୍ଗା। ସେମାନେ ଦେଖିଥିବା କେତେ ଗାଁ, କେତେ ପାଟ, କାନ୍ଦୁରା କାକୁସ୍ଥ ବେଳର କେତେ କାଲୁବାଲୁ ଦୃଶ୍ୟ, ସବୁ ଏବେ ଅଦୃଶ୍ୟ ହୋଇଯିବ। ସେହି କଥା ରବି ଭାବୁଥିଲା,  ଆସନ୍ତା ଦିନର ଛବି ଆଙ୍କୁଥିଲା। ସାମନାରେ ଥିଲା ସେଇ ଗୋଳିପାଣିର ସମୁଦ୍ର। ଜହ୍ନ ଆଲୁଅ ତେଜିଲା। ତଥାପି ଚାରିଆଡ଼େ ଅନ୍ଧାର ଅନ୍ଧାର ଦିଶୁଥିଲା।

ବିଲୁଆ ବୋବେଇଲେ, ସତେ ଯେପରିକି ୟେ ଖାଲି ବିଧି ରକ୍ଷା, ଅଳ୍ପ କେଇ ଜଣ, ଅନ୍ୟପଟୁ କେହି ପାଳି ଧରିବାକୁ ନାହାନ୍ତି, ବିଲୁଆ ବି ବଢ଼ିରେ ଭାସିଗଲେ।

"ପୁଣି କେବେ ଆସିବ ? ପୁଣି କେବେ ଆସିବ ??" ଦିନବେଳେ କେତେ ଗାଁର ଲୋକେ ଆଗ୍ରହରେ ପଚାରିଥିଲେ।

ରବି ମୌନ ରହି ହେତୁ କଲା, କେତେ ମୁହଁ, କେତେ ଆଖି, କେତେ ବିକଳ, କେତେ ଅଳି।

ସେମାନେ ସମସ୍ତେ ତା'ର ଆପଣାର।

୨୫.୫.୧୯

Friday, 24 May 2019

*ଏ କି ବଢ଼ି ଆସିଛି !*

ଡଙ୍ଗା ମରାମତି ସରିଛି। ସେହି ଡଙ୍ଗାରେ ଠିଆ ହୋଇଛି ରବି। ସେ ଅପେକ୍ଷା କରିଛି ଅନ୍ୟମାନଙ୍କୁ। ସମସ୍ତେ ଆସିବା ପରେ ସେ କହିଲା, "ଆପଣମାନଙ୍କୁ ଧୋବେଇ ଭାଇ ସେ ଡଙ୍ଗାରେ ନେଇ ପାଟେଳୀ ଗାଆଁରେ ଛାଡ଼ିଦେବେ।"

ଛବି କହିଲା, "ଆମେମାନେ କିଛି କାର୍ଯ୍ୟରେ ଆସିବୁ କି ନାହିଁ ?

ଧୋବେଇ ମିଶ୍ର - "ଆପଣା ଗାଁରେ ତ ବଢ଼ି। ସେଇଠି ଆପଣଙ୍କ କାମ।"

ସିନ୍ଧୁ ଚୌଧୁରୀ - ଲୋକେ କେମିତି ଓଦାରୁ ଶୁଖିଲାକୁ ଅଣା ହେବେ, ଥଇଥାନ ହେବେ, ଖାଇବେ ପିଇବେ, ରହିବେ, ବଢ଼ି ଛାଡ଼ିଗଲେ ପୁଣି ଯେମିତି ଚାଳ ଟେକା ହେବ, ସର୍ବସ୍ବ ଯାଇଛି, ସେଥିକି ସାହାଯ୍ୟ କଲେ ସିନା ଯିବା। ଅନ୍ୟଥା ଖାଲି ଦେଖଣାହାରି ହୋଇ ଗଲେ କି ଲାଭ ? ଏଇ ବିପତ୍ତି ସମୟରେ ସେମାନଙ୍କ ସାହାଯ୍ୟରେ ଲାଗିଲେ ସିନା ହେବ।

ଧୋବେଇ ମିଶ୍ର  - ଆପଣଙ୍କ ଆଶୀର୍ବାଦ ଥିଲେ ସବୁ କାମ ଠିକ୍ ହୋଇଯିବ।

ସଦା ଗୋଛାୟତ - "ସତ କଥା। ମନ ଥିଲେ ଉପାୟ ଆସେ। ଖାଇବା ଭାତରୁ, ପିନ୍ଧା ଲୁଗାରୁ, ପୁଞ୍ଜିରୁ ପାଣ୍ଠିରୁ କାଢ଼ି ଭାଗ ଦେଇ ହୁଏ। ନିଜର ସାମଗ୍ରୀରେ ସମସ୍ତ ବିପନ୍ନଙ୍କ କଷ୍ଟ ଦୂର ନ ହେଲେ ପାଖ ଆଖରୁ ସଂଗ୍ରହ କରିବାକୁ ହେବ। ସେଥିରେ କି ଲାଜ ! ଆମରି ଭାଇ ବନ୍ଧୁ ତ ସେମାନେ।"

ସିନ୍ଧୁ ଚୌଧୁରୀ - "ସେଇ ହେଲା ଆଗ କାମ। ଆଶୀର୍ବାଦ କରୁଛି, ସମସ୍ତେ ସେଇ ସେବା କାମରେ ଲାଗିଯାଅ।"

ଦୁଇ ନାହା ଦୁଇ ପଟେ ଯାତ୍ରା ଆରମ୍ଭ କରିଛି। ଦୁଇ ଦଳ ପରସ୍ପରକୁ ଅନାଅନି ହୋଇ ଠିଆ ହୋଇଛନ୍ତି। କିଛି ସମୟ ପରେ ରବିର ଡଙ୍ଗା ଅଦୃଶ୍ୟ ହୋଇଗଲା। ଛବି ସେହି ଆଡ଼କୁ ଅନାଇଁ ରହିଛି।

ବଡ଼ ବଡ଼ ଆଖି ଫାଡ଼ି ଫାଡ଼ି ରୋହି ଆଉ ଦୁଲ ସେହି ପାଣିକି ଅନାଇଁଛନ୍ତି, ଅଙ୍ଗେ ନିଭେଇଥିବା ସେହି ବିଭୀଷିକା ପୁଣି ସତେ କି ଆଖି ଆଗରେ ଦିଶି ଦିଶି ଯାଉଛି।

ଭୟଙ୍କର ବଢ଼ି ପାଣିରେ ଡଙ୍ଗା ସିଅର କାଟି ଚାଲି ଯାଉଛି। ଚାରିଆଡ଼େ ଚହଳ, ଏ କି ବଢ଼ି ଆସିଛି ! ଶହ ଶହ ଘାଇ ଭାଙ୍ଗିଛି। ଶହ ଶହ ଗାଁ ମୂଳପୋଛ ହୋଇଛି। ଲକ୍ଷ ଲକ୍ଷ ଲୋକଙ୍କ ଘର, ବାରି, ଗୋରୁ, ଛେଳି, ଜୀବନଯାକର ସଞ୍ଚୟ ସବୁ ଭାସି ଯାଇଛି। ଶହ ଶହ ଶବ ଏଠି ସେଠି ଲାଗି ଥିବାର ଦେଖା ଯାଇଛି। କେତେ ଲୋକଙ୍କର ଏବେ ବି ପତ୍ତା ମିଳୁ ନାହିଁ। ପାହାଡ଼ ଉପରେ, ଢିପରେ, ନଈ ବନ୍ଧରେ ଜନ୍ଦା ପିମ୍ପୁଡ଼ି ପରି ମଣିଷ, ଗୋରୁଗାଈ ଖୁନ୍ଦି ହୋଇ ରହିଛନ୍ତି। ବର୍ଷା ବାଡ଼ଉଛି, ପିଇବାକୁ ଗୋଳିପାଣି, ମୁଣ୍ଡ ଉପରେ ଚାଳ ନାହିଁ, ସେମିତି ସେମାନେ ରହିଲେଣି ପାଞ୍ଚ ଦିନ। ରେଳ ପୋଲ ଭାଙ୍ଗିଛି, ରେଲ୍ ଗାଡ଼ି ବନ୍ଦ। ଗାଈ ଗୋରୁଙ୍କ ଶବ ସଢ଼ି ସଢ଼ି ଯେଉଁ ଦୁର୍ଗନ୍ଧ କରୁଛି କୋଶ କୋଶ ଯାକେ ନିଃଶ୍ବାସ ନେଇ ହେଉ ନାହିଁ। ଶବ ଅବଶ୍ୟ ବିଲୁଆ ଖାଇ ଯାଆନ୍ତେ, କିନ୍ତୁ ସେମାନେ ତ ସବୁ ମରିକି ଭାସୁଛନ୍ତି। ପ୍ରକାଣ୍ଡ ପ୍ରକାଣ୍ଡ ଗଛମାନ ଭାସି ଯାଇଛି। ଯେଉଁ ଗାଁରେ ଜାକିଜୁକି ହୋଇ ଘରମାନ ଠିଆ ହୋଇଥିଲା, ସେଠି ଗଣ୍ଡ ହୋଇ ଅକାତ ପାଣି। ଯେଉଁ ସବୁ ଗାଁ ତା ଇତିହାସରେ କେବେ ନଈବଢ଼ି ଦେଖି ନ ଥିଲା, ବଢ଼ି ଦାଉରେ ସେ ସବୁ ଗାଁ ଅଦୃଶ୍ୟ ହୋଇଯାଇଛି।

୨୪.୫.୧୯

Thursday, 23 May 2019

*ଏ ସୃଷ୍ଟିରେ ମଣିଷ ସୁନ୍ଦର କି ଅସୁନ୍ଦର ?*

ଡେଙ୍ଗା ଡେଙ୍ଗା ଗଛ ସେକରେ ସୂର୍ଯ୍ୟ ଉଇଁଲେଣି। ପୂର୍ବ ଆକାଶରେ ଲଦାଲଦି ମେଘରେ ସତେ କି ନିଆଁ ଲାଗିଛି। ଖାଲି ଓଦା ଘାସ, କେତେଗୁଡ଼ିଏ ଗଛବୁରୁଛ, ଠା ଠା ହୋଇ କୁଦଗୁଡ଼ିଏ, ଚଢ଼େଇ, ପ୍ରଜାପତି, ପୋକଜୋକ, ମଣିଷ ସେ ଏକୁଟିଆ। ଛବିର ଆଖିରେ ନୂଆ ଆଲୁଅ। ସେ ଏକର ସେକର ବୁଲୁଛି। ସମୟର ଚେତନା ନାହିଁ। ସେ ଭାବୁଛି ଏଠିକାର ଏଇ ଉଦ୍ଭିଦ ଓ ପକ୍ଷୀମାନଙ୍କ ଗହଣରେ ମୁଁ ଜଣେ ମାତ୍ର ମଣିଷର ପ୍ରତିନିଧି।

ବାଙ୍ଗର ହୋଇ ଖଜୁରୀ ଗଛଟି, ଦେହଯାକ ଖୋଳପାମୟ, ପ୍ରତି ପତ୍ର ଆଗରେ ମୁନିଆଁ କଣ୍ଟା। ଘଞ୍ଚ ହୋଇ ଚାରି କରକୁ ବାହୁଙ୍ଗା ମେଲିଛି। ଆଉ ଟିକେ ଛାଡ଼ିକି ସେ ବଙ୍କା ତାଳଗଛ, ଦୁଇ ବାଙ୍କ ଥିଲେ ବି ଉପରକୁ ସଳଖ, ସୁନେଲି କାଳିଚା ତାଳ ଖୁନ୍ଦି ହୋଇଛି, ବସିଛନ୍ତି ପଲେ ବଣି। କିଆ ବୁଦାରେ ଫୁଲ ଫୁଟିଛି। ଗୋଟିକିଆ କାପ୍ତାଟିଏ ତଳେ ବୁଲୁଛି। ଆମ୍ବଗଛରେ ଘଞ୍ଚହୋଇ ମାଳତୀ ଲଟେଇଛି, ତଳେ ଗଦାହୋଇଛି ଫୁଲ। କୁଞ୍ଜଲତା ଡଙ୍କ ମାଡ଼ି ଯାଇଛି, କି ସୁନ୍ଦର ଦିଶୁଛି ଗୋଟିଗୋଟିକା ନାଲିଫୁଲ, ନାନାଜାତି ଫୁଲ ଆଉ ପତ୍ରରେ ସତେ ଯେମିତି ଅରମା ଛୁଆଣି ହୋଇଛି। କଜଳପାତୀ ଉଡ଼ାଉଡ଼ି ହେଉଛନ୍ତି। ଶୂନ୍ୟେ ଶୂନ୍ୟେ ସୁନାର ଗାର ଟାଣି ଟାଣି ହଳଦୀବସନ୍ତ ଯୋଡ଼ିଏ ଏପାଖରୁ ସେପାଖ ସେପାଖରୁ ଏପାଖ ଉଡ଼ାଉଡ଼ି ହେଉଛନ୍ତି। ଟିକିଟିକି ହୋଇ ନାନା ବର୍ଣ୍ଣର ନିଆଁ ପରି ଉଡୁଛନ୍ତି ଜାତି ଜାତି ପ୍ରଜାପତି। କେଉଁଠି କୁମ୍ଭାଟିଆ ବୋବାଉଛି। ଏତେ ଜାତିର ଏକାପ୍ରକାର ଏକାଠି ଅଛନ୍ତି। ଏକାଠି ନାନା ବର୍ଣ୍ଣର ଫୁଲ, ନାନା ଗଛ, ନାନା ଚଢ଼େଇ। ଏକାଧାରାରେ ନାନା ସୂଅ, ଏକା ଛବିରେ ନାନା ରୂପ। ଟଣାଓଟରା, ଛଡ଼ାଛଡ଼ି କରୁଥିବା ମଣିଷ ଏ ସୃଷ୍ଟିରେ ସୁନ୍ଦର କି ଅସୁନ୍ଦର ?

ମିଶିପାରିଲେ ସୁନ୍ଦର, ଶରଧା କରିପାରିଲେ ସୁନ୍ଦର, ନ ହେଲେ ଏ ମେଳଣ ଭିତରେ ସେ ଅଚେତ, କୁତ୍ସିତ, ସେ କାହାରି ନୁହେଁ।

ଛବି ପୁଣି ଚିଆଁ ପରିସ୍ଥିତିକୁ ଲେଉଟି ଆସିଲା। ବଢ଼ି ଆସିଛି। ଚେତନାରେ ଖେଳିଗଲା ଦିଗନ୍ତଛୁଆଁ ଗୋଳିପାଣିର ପ୍ରଳୟ ସମୁଦ୍ର।

ବୋଉ କ'ଣ କରୁଥିବ ? କ'ଣ ଭାବୁଥିବ ??

ସେ ତରତର ହୋଇ ଫେରିଗଲା ଗହଳିକୁ। ରବି ଆସି ନାହିଁ। ବାପା ଅଛନ୍ତି, ଅନ୍ୟମାନେ ଅଛନ୍ତି।

"ଆ ଯିବା ପରା ଝିଅ !" ବାପା କହିଲେ।

୨୩.୫.୧୯

Wednesday, 22 May 2019

*ମହାକାଳ*

ଯେତେ ଡେରିରେ ଶୋଇଥିଲେ ବି ସକାଳୁ ଆଗ ଉଠିଲା ଛବି, ତା ପରେ ଦୁଲ; କିନ୍ତୁ ସେତେବେଳ ସରିକି ଆରପାଖ ଛାମୁଣ୍ଡିଆ ଖାଲି, ସେମାନେ ସମସ୍ତେ ଚାଲିଯାଇଥାନ୍ତି ସେ ଜଖମ ଖାଇଥିବା ଡଙ୍ଗାଟାର କଣ ହେଲା ଦେଖିବେ ବୋଲି। ଫର୍ଚ୍ଚା ହୋଇ ନ ଥାଏ। କଜଳପାତି ଡକାଡକି ହେଉଥାନ୍ତି। ସେହି ବଢ଼ି ପାଣି ଘେରା ନିଛାଟିଆ କୁଦରେ ଅଟଳ ନିର୍ବିକାର ହୋଇ ଠିଆ ହୋଇ ରହିଥାଏ ବଜ୍ରେଶ୍ୱରଙ୍କ ଇଟା ଦେଉଳଟି। ସେହି ସକାଳେ ଚାରିଆଡ଼କୁ ଅନାଇଁ ଛବିର ମନରେ ପୂରିଗଲା ବିସ୍ମୟ। କାଲି ଡଙ୍ଗାରୁ ଓଲ୍ହାଇ ଭଲକରି ଦେଖିବାକୁ ସେ ବେଳ ପାଇ ନ ଥିଲା। ଖାଲି ଆଖି ବୁଲେଇ ଆଣିଥିଲା। ଆଜି ସବୁ ଗୋଟି ଗୋଟି ହୋଇ ବାରି ହୋଇ ପଡୁଛି, ଏଇ ଚୂନ ପୁଟ ଦିଆ ପୁରୁଣା ଇଟା ଦେଉଳ, ତାର ଠଣାଏ ଠଣାଏ ନାନା କାରୁକାର୍ଯ୍ୟମୟ ମୂର୍ତ୍ତିମାନ। ଚାରିକର ଅରମା ହେଲେ ବି ଭିତର ସତେ କି ସଜା ସଜି ! ରାତିର ତାରା ଲୁଚି ସତେ କି କାଠଚମ୍ପା ତୋଟାରେ ତାରା ଫୁଟି ଥାଏ, ଆଉ ଆସୁଥାଏ ନାନା ଫୁଲର ବାସ୍ନା।

ଆକାଶକୁ ଅନାଇଁ ଛବି ଦେଖିଲା ମେଘ ଲଦି ରହିଛି, ଯେ କୌଣସି ମୁହୂର୍ତ୍ତରେ ଗାଳି ପାରେ।

ଏବେ କିନ୍ତୁ ଏ ଜାଗା ଶୂନ୍ ଶାନ୍।

ଏ ଦେଉଳ ତିଆରି କରିବାକୁ ବର୍ଷ ବର୍ଷ ବିତିଯାଇଥିବ। କୁଆଡୁ ପଥର ଆସିଥିବ, କୁଆଡୁ କାରିଗର ଆସିଥିବେ ପଥର ଚାଂଛି, ଖୋଳି ମୂର୍ତ୍ତି ଗଢ଼ିବାକୁ ଖଞ୍ଜିବାକୁ।

କିଏ ଭାଙ୍ଗିଲା ଏ ମୂର୍ତ୍ତି ସବୁ ? କଳାପାହାଡ଼ ଆସିଥିଲା କି ?
ବାପା କହନ୍ତି, ଜାଣିଲା ଲୋକେ କହନ୍ତି, ଯେଉଁଠି ଯେତେ ଦେଉଳ ଭାଙ୍ଗିଛି, ମୂର୍ତ୍ତି ବିକଳାଙ୍ଗ ହୋଇଛି, ସେ ସବୁ ଚୂନା କରିଥିଲା। ତାକୁ ତ ବହୁତ ରାତି ଅନିଦ୍ରା ହେବାକୁ ପଡ଼ିଥିବ ଏହାକୁ ଭାଙ୍ଗିବା ପାଇଁ ! ନ ହେଲେ ଭାଙ୍ଗିଥିବ ମହାକାଳ !
ଏଇ ଦେଉଳ ପଡ଼ିଛି। କେତେ ପିଢ଼ି ଚାଲି ଗଲେଣି।

ଲୋକେ କହନ୍ତି, ମଣିଷ ମଲେ ଭୂତ ହୁଏ। କେତେ ଦିନ ବଞ୍ଚି ରହେ ସେ ଭୂତ ? କାହିଁ ଏଠି, କେଉଁ ଅମଳର ? କେଶରୀ କି ଗଙ୍ଗ କି ଆଉ କିଛି ? ତାରା ମୂର୍ତ୍ତି ପାଖେ ନଇଁ ପଡ଼ି ଅନାଇଁ ରହି ଛବି ଭାବୁଥାଏ। ସତେ ଯେମିତି ଚିହ୍ନା ଚିହ୍ନା ମୁହଁଟି। ଏଇ ମୁହଁ କାହାର - ମା' କି ଭଉଣୀର। ସେହି ରୂପକୁ ସେ ପଥରରେ ଫୁଟାଇ ଦେବତା କରିଥିଲା। ଯୁଆଡ଼େ ଦେଖିଲେ ବି ସେ ତାକୁ ଅନେଇଛି। ଛାଡ଼ି ଯିବାକୁ ଇଚ୍ଛା ହେଉ ନ ଥାଏ।

ଗଦା ଗଦା ହୋଇ ଏଠି ଯେତେ ମୂର୍ତ୍ତି ଗଢ଼ା ଯାଇଛି, ଖାଲି ଖାଲି ଏମାନେ ଗଢ଼ା ଯାଇ ନ ଥିବେ । ପ୍ରତ୍ୟେକ ମୂର୍ତ୍ତିର ଗୋଟେ ଇତିହାସ ଥିବ, ପତ୍ୟେକଙ୍କ ଭିତରେ ପରସ୍ପର ସମ୍ବନ୍ଧର ନାନା କାହାଣୀ ଥିବ। କିଏ କାହାର ପୁଅ ଝିଅ, ଭାଇ ଭଉଣୀ, କାହାର ଭାରିଜା, କିଏ କାହାର ସାଙ୍ଗ ସାଥୀ କି ଆଜ୍ଞାକାରୀ, ଅବିକଳ ଏଇ ଦେଶର, ଏଇ ସ୍ଥାନର ମଣିଷଙ୍କ ପରି ସେ ମଣିଷଙ୍କ କଳ୍ପନାରେ ସେ ଦେବତାମାନଙ୍କ ସମାଜ, କିଏ କାହାର ଅଧିପତି, କିଏ କାହାର ତଳିଆ। ଯେତେବେଳର ସମାଜ ସେହି ନାଖି ଠାକୁର। ଯୁଗେ ଯୁଗେ ସେହି ଦିଅଁଙ୍କ ପାଖେ ଲୋକେ ମୁଣ୍ଡିଆ ମାରି ମାରି ଅସ୍ଥିର ହୋଇ ପ୍ରାର୍ଥନା କରୁଥିବେ - ଘର ଭର୍ତ୍ତି ହେଉ, ଶତ୍ରୁ ନାଶ ହେଉ, ଦେହ ଭଲ ରହୁ, ବିପଦ କଟିଯାଉ, ପୁଅ ଝିଅ ମଣିଷ ହୁଅନ୍ତୁ।
କଳାପାହାଡ଼ ଆଉ ଆସେ ନାହିଁ, କିନ୍ତୁ ମହାକାଳ ସବୁବେଳେ ଆସେ ସେ କାହାରିକୁ ଛାଡ଼େ ନାହିଁ। ସେ ଆସେ ରୋଗ ରୂପରେ, ବଢ଼ି ରୂପରେ, ବାତ୍ୟା ରୂପରେ। କେହି ଚିରକାଳ ସୁଖ ଭୁଞ୍ଜି ନାହିଁ, କେହି ଚିରକାଳ ବଞ୍ଚି ନାହିଁ, କାହାର ସାଇତା ପଦାର୍ଥ ଆଖିଦୃଶିଆ ହୋଇ ସବୁଦିନ ରହି ନାହିଁ।

ମଣିଷ ଆପଣା ହୃଦୟ ଭିତରର କାମନା ଓ ଭୟରେ ଗୋଳି ଚକଟି ଆପଣାର ଚିହ୍ନା ଚିହ୍ନା ମୁହଁର ଛାଞ୍ଚରେ ଗଢ଼ିଛି ଦେବତାମାନ, ଆପଣା ରୀତି ନୀତି ରୁଚି ଅରୁଚି ଅନୁସାରେ ତାଙ୍କୁ ବୁଝିବା ନ ବୁଝିବାର ବାଗ ଖଞ୍ଜିଛି, ଆପେ ଚାଲିଗଲେ ବି ରଖିଦେଇ ଯାଇଛି ସେଇ ସ୍ମାରକ ପଥରମାନ, କିଏ ତାଙ୍କୁ ପଚାରେ କିଏ ନ ପଚାରେ, କେଉଁଠି ଦୀପ ସଳିତା ଜଳେ ତ କେଉଁଠି ନାହିଁ।

ଯଦି ଭଲ ହେଲା ତେବେ ସେ କହେ ଦେବତା 'ଓ' କଲା ନହେଲେ କହେ ଦଇବ ବାମ।

ଗଛର ପତ୍ର ସକାଳ ଆଲୁଅରେ ଜିକି ଜିକି ଦିଶିଲାଣି। ବାମ୍ଫୁଆଣୀ ବାସ୍ନାରେ ବିଚାରରେ ଲାଗିଛି ଉତ୍ତେଜନା। ପ୍ରଫୁଲ୍ଲ ହୋଇ ସେ ଅନୁଭବ କଲା ସେ ଜଗତଯାକର ଶୁଭ ମନାସୁଛି, ଦେଶକୁ କି ମଣିଷକୁ ଭଲ ଆସୁ କି ମନ୍ଦ ଆସୁ, ମରଣ ଆଜି ହେଉ କି ଆଉ କେତେ ବର୍ଷ ପରେ ହେଉ, ଯେତେ ଯାହା ଅଛି ଯେତେ ଯାହା ଦିଶୁଛି ବାରିହେଉଛି ସବୁଠି ଅଛି ଜୀବନ, ସବୁଠି ଈଶ୍ୱର, ସବୁ ସେଇଠୁ ଜନ୍ମ ହେଉଛି, କି ଅଦ୍ଭୁତ ଉପାୟରେ ସେଇଠି ମିଶୁଛି, ବଦଳୁଛି, ପୁଣି ନୂଆରୂପ ଘେନୁଛି।

୨୨.୫.୧୯