ତାହେଲେ କିଏ ନିତ୍ୟ ? କିଏ ସ୍ୱତନ୍ତ୍ର ?
ଦେହ ଓ ମନ ତ ସେପରି ବସ୍ତୁ ନୁହଁ। କାରଣ ଦେହର ନାଶ ତ ପ୍ରତି ସମୟରେ ହେଉଛି। ମନ ତ ସବୁବେଳେ ପରିବର୍ତ୍ତନ ହେଉଛି। ପରିବର୍ତ୍ତନଶୀଳତାର ଊର୍ଦ୍ଧ୍ବରେ ଏହା ପହଞ୍ଚି ପାରେ ନାହିଁ। ପରନ୍ତୁ ସ୍ଥୂଳ, ଜଡ଼ ଭୂତର ଏହି କ୍ଷଣିକ ଆବରଣରୁ ଊର୍ଦ୍ଧ୍ଵରେ, ମନର ସୂକ୍ଷ୍ମ ଆବରଣରୁ ଊର୍ଦ୍ଧ୍ୱରେ ମନୁଷ୍ୟର ପ୍ରକୃତ ସ୍ୱରୂପ ଅବସ୍ଥିତ। ଯାହା ନିତ୍ୟ ମୁକ୍ତ ସନାତନ, ଯାହାକୁ ଆମେ କହୁ ଆତ୍ମା। ଏହି ଆତ୍ମଜ୍ଞାନ ଲାଭ କରିବା ପାଇଁ ବର୍ଷ ବର୍ଷ ତପସ୍ୟା କରିବାକୁ ପଡ଼େ।
ଗୀତାର ତୃତୀୟ ଅଧ୍ୟାୟର ୪୨ ଶ୍ଳୋକରେ ମଧ୍ୟ ଏହି ଆତ୍ମା ବିଷୟରେ ବଡ଼ ସ୍ପଷ୍ଟ ଭାବରେ କୁହାଯାଇଛି -
ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ।
ମନସସ୍ତୁ ପରା ବୁଦ୍ଧିର୍ୟୋ ବୁଦ୍ଧେଃ ପରତସ୍ତୁ ସଃ।।
ସେହି ଆତ୍ମାର ସ୍ବତନ୍ତ୍ରତାର ଝଲକ ମନ ଓ ଜଡ଼ ଶରୀରର ସ୍ତର ଗୁଡ଼ିକରେ ମଧ୍ୟ ଆଭାସିତ ହୁଏ। ନାମ-ରୂପ ଦ୍ୱାରା ରଞ୍ଜିତ ହେଲେ ମଧ୍ୟ ସର୍ବଦା ନିଜ ଅବାଧିତ ଅସ୍ତିତ୍ୱକୁ ପ୍ରମାଣିତ କରିଥାଏ।
ତାହାର ଅମରତ୍ୱ, ତାହାର ଆନନ୍ଦ ସ୍ୱରୂପ, ତାହାର ଶାନ୍ତି ଓ ତାହାର ଦିବ୍ୟତ୍ୱ ପ୍ରକାଶିତ ହୋଇଥାଏ। ଅଜ୍ଞାନର ମୋଟା ମୋଟା ସ୍ତର ଥିଲେ ସୁଦ୍ଧା ତାହା ନିଜର ଅସ୍ତିତ୍ୱର ଅନୁଭବ କରାଉଥାଏ। ତାହା ଯଥାର୍ଥ ପୁରୁଷ ଅଟେ, ନିର୍ଭୟ ଅଟେ, ଅମର ଅଟେ, ସ୍ୱତନ୍ତ୍ର ଅଟେ।
ସ୍ୱତନ୍ତ୍ରତା ତ ସେତେବେଳେ ସମ୍ଭବ ଯେତେବେଳେ କୌଣସି ବାହାର ଶକ୍ତି ନିଜର ପ୍ରଭାବ ବିସ୍ତାର କରି ପାରୁ ନ ଥିବେ। ସ୍ୱତନ୍ତ୍ରତା ତା ପାଇଁ ସମ୍ଭବ ଯିଏ ସବୁ ବନ୍ଧନରୁ ମୁକ୍ତ, ସବୁ ନିୟମରୁ ମୁକ୍ତ, କାର୍ଯ୍ୟ କାରଣର ଶିକୁଳିରୁ ମୁକ୍ତ।
କହିବାର ତାତ୍ପର୍ଯ୍ୟ ହେଲା ଏକ ଅବ୍ୟୟ(ପୁରୁଷ) ହିଁ ସ୍ୱତନ୍ତ୍ର ହୋଇ ପାରେ। ସେଥିପାଇଁ ସେ ଅମର ହୋଇପାରେ।
ଏହି ପୁରୁଷ, ଏହି ଆତ୍ମା, ମନୁଷ୍ୟର ଏହି ଯଥାର୍ଥ ସ୍ୱରୂପ ମୁକ୍ତ, ଅବ୍ୟୟ, ଅବିନାଶୀ ତଥା ସବୁ ବନ୍ଧନରୁ ମୁକ୍ତ। ଏଥିପାଇଁ ସେ ନା ଜନ୍ମ ହୁଏ ନା ସେ ମରେ ।
ମନୁଷ୍ୟର ଏହି ଆତ୍ମା ନିତ୍ୟ, ସନାତନ ଓ ଜନ୍ମ ମରଣ ରହିତ ଅଟେ।
୩୧. ୭. ୧୮
