Monday, 30 July 2018

*ଜନ୍ମ-ମରଣ ରହିତ*

ତାହେଲେ କିଏ ନିତ୍ୟ ? କିଏ ସ୍ୱତନ୍ତ୍ର ?
ଦେହ ଓ ମନ ତ ସେପରି ବସ୍ତୁ ନୁହଁ। କାରଣ ଦେହର ନାଶ ତ ପ୍ରତି ସମୟରେ ହେଉଛି। ମନ ତ ସବୁବେଳେ ପରିବର୍ତ୍ତନ ହେଉଛି। ପରିବର୍ତ୍ତନଶୀଳତାର ଊର୍ଦ୍ଧ୍ବରେ ଏହା ପହଞ୍ଚି ପାରେ ନାହିଁ। ପରନ୍ତୁ  ସ୍ଥୂଳ, ଜଡ଼ ଭୂତର ଏହି କ୍ଷଣିକ ଆବରଣରୁ ଊର୍ଦ୍ଧ୍ଵରେ, ମନର ସୂକ୍ଷ୍ମ ଆବରଣରୁ ଊର୍ଦ୍ଧ୍ୱରେ ମନୁଷ୍ୟର ପ୍ରକୃତ ସ୍ୱରୂପ ଅବସ୍ଥିତ। ଯାହା ନିତ୍ୟ ମୁକ୍ତ ସନାତନ, ଯାହାକୁ ଆମେ  କହୁ ଆତ୍ମା। ଏହି ଆତ୍ମଜ୍ଞାନ ଲାଭ କରିବା ପାଇଁ ବର୍ଷ ବର୍ଷ ତପସ୍ୟା କରିବାକୁ ପଡ଼େ।
ଗୀତାର ତୃତୀୟ ଅଧ୍ୟାୟର ୪୨ ଶ୍ଳୋକରେ ମଧ୍ୟ ଏହି ଆତ୍ମା ବିଷୟରେ ବଡ଼ ସ୍ପଷ୍ଟ ଭାବରେ କୁହାଯାଇଛି -

ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ।
ମନସସ୍ତୁ ପରା  ବୁଦ୍ଧିର୍ୟୋ  ବୁଦ୍ଧେଃ ପରତସ୍ତୁ ସଃ।।

ସେହି ଆତ୍ମାର ସ୍ବତନ୍ତ୍ରତାର ଝଲକ ମନ ଓ ଜଡ଼ ଶରୀରର ସ୍ତର ଗୁଡ଼ିକରେ ମଧ୍ୟ ଆଭାସିତ ହୁଏ। ନାମ-ରୂପ ଦ୍ୱାରା ରଞ୍ଜିତ ହେଲେ ମଧ୍ୟ ସର୍ବଦା ନିଜ ଅବାଧିତ ଅସ୍ତିତ୍ୱକୁ ପ୍ରମାଣିତ କରିଥାଏ।

ତାହାର ଅମରତ୍ୱ, ତାହାର ଆନନ୍ଦ ସ୍ୱରୂପ, ତାହାର ଶାନ୍ତି ଓ ତାହାର ଦିବ୍ୟତ୍ୱ ପ୍ରକାଶିତ ହୋଇଥାଏ। ଅଜ୍ଞାନର ମୋଟା ମୋଟା ସ୍ତର ଥିଲେ ସୁଦ୍ଧା ତାହା ନିଜର ଅସ୍ତିତ୍ୱର ଅନୁଭବ କରାଉଥାଏ। ତାହା ଯଥାର୍ଥ ପୁରୁଷ ଅଟେ, ନିର୍ଭୟ ଅଟେ, ଅମର ଅଟେ, ସ୍ୱତନ୍ତ୍ର ଅଟେ।

ସ୍ୱତନ୍ତ୍ରତା ତ ସେତେବେଳେ ସମ୍ଭବ ଯେତେବେଳେ କୌଣସି ବାହାର ଶକ୍ତି ନିଜର ପ୍ରଭାବ ବିସ୍ତାର କରି  ପାରୁ ନ ଥିବେ। ସ୍ୱତନ୍ତ୍ରତା ତା ପାଇଁ ସମ୍ଭବ ଯିଏ ସବୁ ବନ୍ଧନରୁ ମୁକ୍ତ, ସବୁ ନିୟମରୁ ମୁକ୍ତ, କାର୍ଯ୍ୟ କାରଣର ଶିକୁଳିରୁ ମୁକ୍ତ।

କହିବାର ତାତ୍ପର୍ଯ୍ୟ ହେଲା ଏକ ଅବ୍ୟୟ(ପୁରୁଷ) ହିଁ ସ୍ୱତନ୍ତ୍ର ହୋଇ ପାରେ। ସେଥିପାଇଁ ସେ ଅମର ହୋଇପାରେ।

ଏହି ପୁରୁଷ, ଏହି ଆତ୍ମା, ମନୁଷ୍ୟର ଏହି ଯଥାର୍ଥ ସ୍ୱରୂପ ମୁକ୍ତ, ଅବ୍ୟୟ, ଅବିନାଶୀ ତଥା ସବୁ ବନ୍ଧନରୁ ମୁକ୍ତ। ଏଥିପାଇଁ ସେ ନା ଜନ୍ମ ହୁଏ ନା ସେ ମରେ ।

ମନୁଷ୍ୟର ଏହି ଆତ୍ମା ନିତ୍ୟ, ସନାତନ ଓ ଜନ୍ମ ମରଣ ରହିତ ଅଟେ।

୩୧. ୭. ୧୮

*ସ୍ୱାଧୀନତାର ଭାବନା*

ଆମ ଜୀବନ ସହ ସମ୍ବନ୍ଧ ରଖୁଥିବା ଆଉ ଏକ ଅଦ୍ଭୁତ ଵସ୍ତୁ ଅଛି। ଯାହା ବିନା କିଏ ବଞ୍ଚି ପାରିବ ? ଯାହା ବିନା କିଏ କ୍ଷଣ ଭରି ପାଇଁ ମଧ୍ୟ ଜୀବନର ସୁଖ ପାଇ ପାରିବ ??

ତାହା ହେଉଛି ସ୍ୱାଧୀନତାର ଭାବନା।

ଏହି ଭାବନା ଆମକୁ ପ୍ରତିଟି କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ। ଆମର ପ୍ରତିଟି କାର୍ଯ୍ୟକୁ ସମ୍ଭବ କରାଇଥାଏ। ଆମର ପ୍ରତ୍ୟେକଙ୍କ ସହ ସମ୍ବନ୍ଧ ନିୟମିତ କରିଥାଏ। କେବଳ ଏତିକି ନୁହଁ, ଏହା ମଧ୍ୟ ମାନବ ଜୀବନ ରୂପୀ ବସ୍ତ୍ରର ସଂରଚନା ଅଟେ। ଏହି ବିଷୟକୁ ଆମ ଭିତରେ ଥିବା ତର୍କ ଜ୍ଞାନ ମାନେ ନାହିଁ। ତର୍କ ଦ୍ୱାରା ସେ ଏହାକୁ ଖଣ୍ଡନ କରେ। ସେ ଏହାକୁ କାର୍ଯ୍ୟ ଓ କାରଣର ଲୌହ ନିର୍ମିତ ଶିକୁଳି ଦ୍ୱାରା ଦୃଢ଼ତାର ସହ ବାନ୍ଧି ଦେବାକୁ ଚେଷ୍ଟା କରେ। କିନ୍ତୁ, ସେହି ସ୍ୱାଧୀନ ସତ୍ତା ଆମର ଏହି ସବୁ ଚେଷ୍ଟାକୁ ଦେଖି ହସୁଥାଏ।

ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଯେ,  କାର୍ଯ୍ୟ-କାରଣର ଯେଉଁ ବୃହତ ପଞ୍ଜୁରୀ ଭିତରେ ଜବରଦସ୍ତ ଭର୍ତ୍ତି କରି ଆମେ ତାର ଗଳା କାଟିବାକୁ ଚେଷ୍ଟା କରନ୍ତି, ତାହା ଉପରେ ସେ ଆହୁରି ଦୃଢ଼ ଭାବେ ପ୍ରତିଷ୍ଠିତ। ତା'ର ବିପରୀତ ଦିଶାରେ ସେ ଯିବ ବା କେମିତି ? ଅସୀମ ବସ୍ତୁକୁ ବୁଝିବା ପାଇଁ ଆମେ ତାକୁ ସରଳୀକରଣ କରି ସବୁବେଳେ ସସୀମ ବସ୍ତୁର ସାହାରା ନେଇଥାଉ।

ବଦ୍ଧକୁ ମୁକ୍ତ ଦ୍ୱାରା, ସକାରଣକୁ ଅକାରଣ ଦ୍ୱାରା ଆମେ ବୁଝାଇ ପାରୁ। ପରନ୍ତୁ ଏଠି ପୁଣି ସେହି ସମସ୍ୟା। ମୁକ୍ତ କିଏ ? ଶରୀର ନା ମନ ?  ଏହା ସ୍ପଷ୍ଟ ଯେ ଶରୀର ଓ ମନ ମଧ୍ୟ ନିୟମରେ ସେତିକି ବନ୍ଧା ଯେତିକି ସଂସାରରେ ଅନ୍ୟ ପଦାର୍ଥ।

ଏବେ ସମସ୍ୟା ଦ୍ଵିବିଧ ରୂପ ଧାରଣ କରିନିଏ। ଗୋଟିଏ ହେଲା ସାରା ସୃଷ୍ଟି କେବଳ ସଦା ପରିବର୍ତ୍ତନଶୀଳ ବସ୍ତୁର ସାମଗ୍ରିକ ରୂପ ଅଟେ। ତା' ଛଡ଼ା ଆଉ କିଛି ନୁହେଁ। ଏହା କାର୍ଯ୍ୟ-କାରଣ ନିୟମ ଭିତରେ ଏପରି ବାନ୍ଧି ହୋଇ ରହିଛି ଯେ ଏଥିରୁ ମୁକ୍ତ ହେବା ସମ୍ଭବ ନୁହେଁ। ଏହା ଭିତରୁ ଅଣୁ ମାତ୍ର ମଧ୍ୟ ସ୍ୱତନ୍ତ୍ର ଅସ୍ତିତ୍ୱ ପ୍ରାପ୍ତ କରିପାରିବେ ନାହିଁ।
ତଥାପି ଏହା ମଧ୍ୟ ନିତ୍ୟତା ଓ ସ୍ୱାଧୀନତାର ଆଶ୍ଚର୍ଯ୍ୟ ଜନକ ଭ୍ରମ ସୃଷ୍ଟି କରୁଛି।

ଅଥବା ଆମେ ଓ ସୃଷ୍ଟି ଭିତରେ ଏପରି କୌଣସି ବସ୍ତୁ ଅଛି ଯାହା ନିତ୍ୟ ଓ ସ୍ୱତନ୍ତ୍ର। ଯାହା ଦ୍ୱାରା ଏହା ସିଦ୍ଧ ହୁଏ ଯେ ମନୁଷ୍ୟ ମନର ଏହି ମୌଳିକ ପ୍ରାକୃତିକ ବିଶ୍ୱାସ ଭ୍ରମ ନୁହଁ।  ବିଜ୍ଞାନ ଏହାକୁ ବହୁତ ସରଳୀକରଣ କରି ବୁଝାଇବା ଉଚିତ। କିନ୍ତୁ ଯେଉଁ ଘଟଣାର ସତ୍ୟତାକୁ ବୁଝାଇବାର ଅଛି ସେହି ଘଟଣାର କିଛି ଅଂଶକୁ ଖଣ୍ଡନ କରି ବାକି ଅଂଶକୁ ଉପଯୁକ୍ତ ବୋଲି ବୁଝାଇବାର ଯୁକ୍ତି କଦାପି ବୈଜ୍ଞାନିକ ହୋଇପାରିବ ନାହିଁ।

ଏଣୁ ଏପରି ବ୍ୟାଖ୍ୟା ଯାହା ସ୍ୱାଧୀନତାର ଏହି ପ୍ରବଳ ଓ ସର୍ବଦା ଅନିବାର୍ଯ୍ୟ ଭାବନାକୁ ଉପେକ୍ଷା କରେ ଓ ସତ୍ୟର ଗୋଟିଏ ଅଂଶ ଭୁଲ ଓ  ବାକି ଅଂଶକୁ ଠିକ୍ ବୋଲି କହେ ତାହା ଅଶୁଦ୍ଧ ଓ ଭ୍ରମାତ୍ମକ।

ତେବେ ଆମକୁ ଏଇ ଦ୍ଵିତୀୟ ପକ୍ଷକୁ ମାନିବାକୁ ପଡ଼ିବ ଯେ ଆମ ଭିତରେ ପ୍ରକୃତିର ଅନୁକୂଳ ଏପରି କିଛି ବସ୍ତୁ ଅଛି ଯାହା ସ୍ୱତନ୍ତ୍ର ଓ ନିତ୍ୟ।

କ୍ରମଶଃ....

୩୦. ୭. ୧୮

Sunday, 29 July 2018

*ମାନିସିକ ଅସମର୍ଥତା*

ସେହି ଖେଳ ଖେଳିବା ସମୟରେ ବହୁତ ଅଧିକ ଭୟଙ୍କର ପରିଣାମକାରୀ ଏଇ ମାନସିକ ପରିଶ୍ରମ ଓ ବ୍ୟଥା ପଛରେ ଏକ ଯଥାର୍ଥ ବସ୍ତୁ ଅଛି, ତାକୁ ମଧ୍ୟ ଜାଣିବାକୁ ପଡ଼ିବ। ଯାହାର ପ୍ରତିବାଦ ହୋଇ ନାହିଁ ଏବଂ ହେଇ ପାରିବ ନାହିଁ। ସେହି ସତ୍ୟ ବା ସେହି ଆଶ୍ଚର୍ଯ୍ୟକର ବିଷୟକୁ ମହାଭାରତ କହୁଛି ଯେ ନିଜର ନାଶ (ମୃତ୍ୟୁ) କଥା ଭାବିବାକୁ ଆମେ ମାନସିକ ରୂପେ ଅସମର୍ଥ। ଏହାକୁ ସେଥିରେ କୁହାଯାଇଛି ମାନସିକ ଅସମର୍ଥତା। ଯଦି ମୁଁ ନିଜର ନାଶ ( ମୃତ୍ୟୁ) ର କଳ୍ପନା କରିବି, ତେବେ ମଧ୍ୟ ମୋତେ ସାକ୍ଷୀ ରୂପେ ଛିଡ଼ା ହୋଇ ତାକୁ ଦେଖିବାକୁ ହେବ।

ଏଇ ଅଦ୍ଭୁତ ବିଷୟର ଅର୍ଥ ବୁଝିବା ପୂର୍ବରୁ ଆମେ ଜାଣିବା ଉଚିତ ଯେ ଏଇ ତଥ୍ୟ ଉପରେ ସାରା ସଂସାର ଛିଡ଼ା ହୋଇଛି। ବାହ୍ୟଜଗତର ନିତ୍ୟତାର ଅତୁଟ ସମ୍ପର୍କ ଅନ୍ତର୍ଜଗତର ନିତ୍ୟତା ସହିତ ରହିଛି। ବିଶ୍ୱର ଏଇ ସିଦ୍ଧାନ୍ତକୁ ଯଦିଓ କେହି ଗୋଟିଏକୁ ନିତ୍ୟ ଅନ୍ୟଟିକୁ ଅନିତ୍ୟ କହିଛନ୍ତି, ତାହା ଯେତେ ଯୁକ୍ତି ସଙ୍ଗତ ହେଲେ ମଧ୍ୟ ଆମର ପିଣ୍ଡ ବା ଶରୀରରୂପୀ ଯନ୍ତ୍ର ଦ୍ୱାରା ଏ କଥା ଜଣା ପଡ଼ିଯାଏ ଯେ ଜ୍ଞାନପୂର୍ବକ କରାଯାଇଥିବା ଏପରି ଏକ କାର୍ଯ୍ୟ କରିବା ସମ୍ଭବ ନୁହେଁ ଯାହା ଭିତରେ ଆନ୍ତରିକ ଓ ବାହ୍ୟ ସଂସାର ଉଭୟର ନିତ୍ୟତା ସେହି କାର୍ଯ୍ୟର ପ୍ରେରକ କାରଣର ଏକ ଅଂଶ ହୋଇ ନ ଥିବ। ଯଦ୍ୟପି ଏହା ସତ୍ୟ ଯେ ମନୁଷ୍ୟର ମନ ଯେତେବେଳେ ନିଜର ସୀମା ଟପିଯାଏ ସେତେବେଳେ ସେ ଏହି ଦ୍ବନ୍ଦକୁ ଅଖଣ୍ଡ ଐକ୍ୟରେ ପରିଣତ ହୋଇଥିବା ଦେଖେ। ସେଇ ଅସୀମ ସତ୍ତାର ଏପଟେ ସମ୍ପୂର୍ଣ୍ଣ ବାହ୍ୟ ସଂସାର ଆର୍ଥତ୍ ସେହି ସଂସାର ଯାହା ଅନୁଭବର ବିଷୟ ଅଟେ, ଯାହାର ଅସ୍ତିତ୍ବ ବିଷୟୀ(ଜ୍ଞାତା)କୁ ଜଣା ପଡ଼ିଥାଏ। ଏଠାରେ କଥା ଆସୁଛି ଯେ ଆମେ ବିଷୟର ବିନାଶ କଥା ଚିନ୍ତା କରିବା ନା ବିଷୟୀର ?

ଏତେ ବାଟ ପର୍ଯ୍ୟନ୍ତ ତ ବୁଝି ହେଉଛି। ପରନ୍ତୁ ଏହା ପରେ ବିଷୟ କଠିନ ହୋଇଯାଏ। ସାଧାରଣତଃ ଆମେ ସ୍ୱୟଂ ନିଜକୁ ନିଜ ଶରୀର (ଦେହ) ଛଡ଼ା ଆଉ କିଛି ଅଟୁ, ଏ କଥା ଭାବି ପାରୁ ନାହୁଁ। ଆମର ଏଇ ଦେହ ଭାବନା ନିତ୍ୟତା ଅନ୍ତର୍ଗତ ଅଟେ। ପରନ୍ତୁ ଦେହ  ତ ସ୍ପଷ୍ଟ ଅନିତ୍ୟ ସେହିଭଳି ଯେଉଁଭଳି ସଦା ପରିବର୍ତ୍ତନଶୀଳ ସ୍ୱଭାବର ସମସ୍ତ ପ୍ରକୃତି। ତେବେ ଏ ନିତ୍ୟତା ଅଛି କେଉଁଠି ?

କ୍ରମଶଃ...

୨୯. ୭. ୧୮

Saturday, 28 July 2018

*ଆଶ୍ଚର୍ଯ୍ୟ*

ବୃହତ ପୌରାଣିକ ଗ୍ରନ୍ଥ "ମହାଭାରତ"ରେ ଏକ ଆଖ୍ୟାନ ଅଛି ଯେଉଁଥିରେ କଥାନାୟକ ଯୁଧିଷ୍ଠିରଙ୍କୁ ଧର୍ମ ପ୍ରଶ୍ନ କରିଛନ୍ତି ଯେ ଏ ସଂସାରରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟକର ବିଷୟ କ'ଣ ? ଯୁଧିଷ୍ଠିର ଉତ୍ତର ଦେଇଛନ୍ତି ଯେ ମନୁଷ୍ୟ ନିଜ ଜୀବନରେ ପ୍ରାୟତଃ ପ୍ରତି କ୍ଷଣ ନିଜ ଚତୁର୍ପାର୍ଶ୍ଵରେ ସର୍ବତ୍ର ମୃତ୍ୟୁର ଦୃଶ୍ୟ ଦେଖୁଛି, ତଥାପି ତା'ର ଦୃଢ଼ ଓ ଅଟଳ ବିଶ୍ୱାସ ଯେ ସେ ଅମର, ମୃତ୍ୟୁ ତାକୁ ସ୍ପର୍ଶ କରିପାରିବ ନାହିଁ, ସେ ମୃତ୍ୟୁହୀନ ଅଟେ। ଏହା ହିଁ ମନୁଷ୍ୟ ଜୀବନର ସବୁଠୁ ବଡ଼ ଆଶ୍ଚର୍ଯ୍ୟକର ବିଷୟ ଅଟେ। ଯଦ୍ୟପି ଇନ୍ଦ୍ରିୟ ଦ୍ୱାରା ଗ୍ରାହ୍ୟ ଓ ଅତୀନ୍ଦ୍ରିୟ ସୃଷ୍ଟି ମଧ୍ୟରେ ଯେଉଁ ରହସ୍ୟକୁ ଭେଦ କରିବା ସାଧାରଣ ମନୁଷ୍ୟ ପକ୍ଷେ ଆଦୌ ସମ୍ଭବ ନୁହେଁ, ତଥାପି ମନୁଷ୍ୟ ପୂର୍ଣ୍ଣ ରୂପେ ଏଇଆ ମାନି ଆଗକୁ ଚାଲିଥାଏ ଯେ ସେ ମରଣହୀନ।

ଆମେ ଜୀବନ ସାରା ଅଧ୍ୟୟନ କଲା ପରେ ମଧ୍ୟ ଶେଷରେ ଜୀବନ ଓ ମୃତ୍ୟୁ ସମସ୍ୟାକୁ ତର୍କ ଦ୍ୱାରା ପ୍ରମାଣିତ କରି ହଁ ବା ନାଁ ରେ ଉତ୍ତର ଦେବାରେ ସମର୍ଥ ହେବା ସମ୍ଭବ ନୁହେଁ। ଆମେ ମାନବ ଜୀବନର ନିତ୍ୟତା ବା ଅନିତ୍ୟତା ପକ୍ଷରେ ଯେତେ ଲେଖିଲେ ବା କହିଲେ, ଶିକ୍ଷା ଦେଲେ ବା ଉପଦେଶ ଦେଲେ, ଏ ପକ୍ଷର ବା ସେ ପକ୍ଷର ହୋଇଗଲେ, ଏହା ଉପରେ ଗବେଷଣା କରିଥିବା ଅନେକ ଗବେଷକଙ୍କ ସାକ୍ଷୀ ଯେତେ ଦେଲେ,  ସମସ୍ୟା ସମାଧାନ ହୋଇଗଲା ବୋଲି ନିଜକୁ ଯେତେ ବୁଝାଇ ଦେଲେ, ଆମେ  ଧାର୍ମିକ ବିଶ୍ୱାସ ବା ବୈଜ୍ଞାନିକ ବିଶ୍ୱାସର ଯେତେ ସାହାଯ୍ୟ ନେଲେ ମଧ୍ୟ ଶେଷରେ ଆମେ ପାଇବା ଯେ ତର୍କର ସଂକୀର୍ଣ୍ଣ ଗଳି ଭିତରେ ଆମେ ଦରାଣ୍ଡି ହେଉଛନ୍ତି। ସେହି ଗଳିରେ ଜନ୍ମ ମୃତ୍ୟୁର ଖେଳ ଜିତିବାକୁ ମନ ବୁଦ୍ଧି ଗୋଟିଏ ପରେ ଗୋଟିଏ ଗୋଟି ଚଳାଇ ଚାଲିଛନ୍ତି।

କ୍ରମଶଃ....

୨୮. ୭. ୧୮

*ବିଜୟର ଆଧାର*

ଶୌର୍ଯ୍ୟ, ଶକ୍ତି ତଥା ନୀତି - ବିଜୟର ଆଧାର।
ରାଷ୍ଟ୍ରର କଲ୍ୟାଣ ପାଇଁ ଶକ୍ତି, ଶୌର୍ଯ୍ୟ ଏବଂ ନୀତି ଆବଶ୍ୟକ। ଭଗବାନ ମନୁଙ୍କ କଥା ଅନୁସାରେ କୌଣସି ପ୍ରକାର ଆହ୍ୱାନର ସମ୍ମୁଖୀନ ହେବା ପାଇଁ ସାମର୍ଥ୍ୟଶାଳୀ ରାଷ୍ଟ୍ର ଅସ୍ତ୍ର ଶସ୍ତ୍ର ସହ ସର୍ବଦା ପ୍ରସ୍ତୁତ ରହିବା ଉଚିତ। ସୈନ୍ୟ ଶିକ୍ଷାର ନିତ୍ୟ ଅଭ୍ୟାସ ହେବା ଆବଶ୍ୟକ। ସମୟ ସମୟରେ ନିଜ ଶୌର୍ଯ୍ୟ ଓ ପରାକ୍ରମର ପ୍ରଦର୍ଶନ ହେବା ଉଚିତ।

ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୁର୍ଗା ସପ୍ତଶତୀରେ ଋଷି ବରଦାୟିନୀ, ଶତ୍ରୁବିନାଶିନୀ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ ମା' ଦୁର୍ଗାଙ୍କୁ ପ୍ରାର୍ଥନା କରୁଛନ୍ତି -

ହେ ମାତା ! ଆପଣ ଶତ୍ରୁମାନଙ୍କୁ ବିନାଶ କରି ସମସ୍ତ ତ୍ରିଲୋକକୁ ରକ୍ଷା କରିଛନ୍ତି। ସେହି ଶତ୍ରୁମାନଙ୍କୁ ହତ୍ୟାକରି ଆପଣ ସ୍ୱର୍ଗଲୋକରେ ପହଞ୍ଚାଇ ଦେଇଛନ୍ତି ତଥା ଉନ୍ମତ୍ତ ଦୈତ୍ୟଙ୍କ ଭୟରୁ ଆମକୁ ମୁକ୍ତି ଦେଇଛନ୍ତି। ଆପଣଙ୍କୁ ନମସ୍କାର।

ହେ ଦେବୀ !
ଶୂଳ ଦ୍ୱାରା ଆମର ରକ୍ଷା କରନ୍ତୁ।
ହେ ଅମ୍ବିକେ !
ଖଡ୍ଗ ଦ୍ୱାରା ତଥା ଧ୍ୱନି ଓ ଧନୁର ଟଙ୍କାର ଦ୍ୱାରା ଆମର ରକ୍ଷା କରନ୍ତୁ।
ହେ ଚଣ୍ଡିକେ ! ପୂର୍ବ ପଶ୍ଚିମ ଓ ଦକ୍ଷିଣ ଦିଗରୁ ଆମକୁ ରକ୍ଷା କରନ୍ତୁ । ତ୍ରିଶୂଳ ବୁଲାଇ ଆପଣ ଆମକୁ ଉତ୍ତର ଦିଗରୁ ମଧ୍ୟ ରକ୍ଷା କରନ୍ତୁ। ତିନି ଲୋକରେ ଆପଣଙ୍କର ଯେଉଁ ପରମ ସୁନ୍ଦର ଓ ଅତ୍ୟନ୍ତ ଭୟଙ୍କର ରୂପ ବିଚରିତ ହୋଇଛି, ତା ଦ୍ୱାରା ଆପଣ ଆମକୁ ତଥା ଏଇ ଭୁଲୋକକୁ ରକ୍ଷା କରନ୍ତୁ।
ହେ ଅମ୍ବିକେ ! ଆପଣଙ୍କ କର ପଲ୍ଲବରେ ଶୋଭା ପାଉଥିବା ଖଡ୍ଗ, ଶୂଳ ଓ ଗଦା ଆଦି ଯେଉଁ ସବୁ ଅସ୍ତ୍ର ଅଛି ସେ ସବୁ ଅସ୍ତ୍ର ଦ୍ୱାରା ଆପଣ ସବୁ ଦିଗରୁ ଆମକୁ ରକ୍ଷା କରନ୍ତୁ।

"ଶୂଳେନ ପାହିନୋ ଦେବୀ
ପାହି ଖଡ଼ଗେନ ଚାମ୍ବିକେ।
ଘଣ୍ଟାସ୍ୱନେନ ନଃ ପାହି
ଚାପଜ୍ୟାନିଃ ସ୍ୱନେନ ଚ।।"

କ୍ରମଶଃ...

୨୮. ୭

Friday, 27 July 2018

*ବେଦବ୍ୟାସ*

ଯମୁନା ନଦୀ କୂଳରେ ବୁଲୁବୁଲୁ ମହର୍ଷି ପରାଶର ମତ୍ସ୍ୟଗନ୍ଧା ନାମକ ଏକ କୈବର୍ତ୍ତ କନ୍ୟାର ରୂପରେ ବିମୋହିତ ହୋଇ ତାହାର ପାଣି ଗ୍ରହଣ କରନ୍ତି। ଯମୁନା ନଦୀରେ ନୌକା ବିହାର କରିବା ସମୟରେ ଉଭୟେ କଳ୍ପୀ ପାଖରେ ଯମୁନାର ଏକ ଦ୍ବୀପସ୍ଥିତ ବଦରିବନ ମଧ୍ୟରେ ଗୃହସ୍ଥ ଭାବରେ ଅବସ୍ଥାନ କରିବାର ସଙ୍କଳ୍ପ ନିଅନ୍ତି। ସେହି ସ୍ଥାନରେ ଉଭୟଙ୍କ ପ୍ରଣୟର ନିଦର୍ଶନ ସ୍ୱରୂପ ଆଷାଢ଼ ପୂର୍ଣ୍ଣିମା ଅବସରରେ ଏକ ତେଜସ୍ୱୀ ବାଳକ ଜନ୍ମ ନିଏ। ଉକ୍ତ ବାଳକ କୈବର୍ତ୍ତ କନ୍ୟାର ପୁତ୍ର ହୋଇଥିବାରୁ ତାହାର ବର୍ଣ୍ଣ କଳା ଏବଂ ସେ ଦ୍ବୀପ ମଧ୍ୟରେ ବଦରି ବନ ମଧ୍ୟରେ ଜନ୍ମଗ୍ରହଣ କରିଥିବାରୁ ପିତା ତାହାର ନାମ ଦିଅନ୍ତି କୃଷ୍ଣଦୈପାୟନ। କେହିକେହି ବଦରିବନ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ବାଳକକୁ ବାଦରାୟଣ ବୋଲି ମଧ୍ୟ ସମ୍ବୋଧନ କରନ୍ତି। ପିତା ପରାଶରଙ୍କ ସଂସ୍କାର ପ୍ରକ୍ରିୟାର ଅଂଶ ଭାବରେ ଉକ୍ତ ବାଳକ କ୍ରମେ କ୍ରମେ ନାନା ବିଦ୍ୟା ପାରଙ୍ଗତ ହୋଇ ଉଠେ।

ସମୟର ପ୍ରବାହରେ ଏହି ତେଜସ୍ୱୀ ଯୁବକ କ୍ରମେ ବଡ଼ ହୋଇ ଭାରତୀୟ ଆର୍ଯ୍ୟ ପରମ୍ପରାର ଶ୍ରେଷ୍ଠ ଧନ ଋଷି ପ୍ରଣୀତ ଅପୌରୁଷେୟ ବେଦ ବିଦ୍ୟା ଉଦ୍ଧାର କରିବା ପାଇଁ ସଙ୍କଳ୍ପ ନିଅନ୍ତି। ତାଙ୍କ ସମୟରେ ଭାରତବର୍ଷର କୋଣ ଅନୁକୋଣରେ ବେଦର ଋଚା ଗୁଡ଼ିକର ଅନେକ ଶାଖା ପ୍ରଶାଖା ବିକ୍ଷିପ୍ତ ହୋଇ ରହିଥିଲା। ସେସବୁ ଏକତ୍ର କରି ସଙ୍କଳନ କରିବା ଆବଶ୍ୟକ ପ୍ରତୀତ ହେଲେ ମଧ୍ୟ ଏହା ଏକ ଦୁଷ୍କର କାର୍ଯ୍ୟ ଥିଲା। ବେଦବ୍ୟାସ ଏହି ଦୁରୁହ କାର୍ଯ୍ୟକୁ ସୁଗମ କରିବା ପାଇଁ କଟିବଦ୍ଧ ହେଲେ ଏବଂ ବେଦର ଉପଲବ୍ଧ ଶାଖାଗୁଡ଼ିକ ସଙ୍କଳିତ କରି ତାହାକୁ ଚାରି ଭାଗରେ ବିଭକ୍ତ କଲେ। ଅସମ୍ଭବ ମନେ ହେଉଥିବା ଏପରି ଏକ ଅପାର ବ୍ୟାପାର ସାକାର କରିଥିବାରୁ ଲୋକେ କହିଲେ ଏ ହେଉଛନ୍ତି ବିଷ୍ଣୁଙ୍କ ଅବତାର, ନହେଲେ କ'ଣ ଏ ଅସମ୍ଭବ ସମ୍ଭବ ହୋଇଥାନ୍ତା ! ବେଦର ବିଭାଜନ କରି ବିଷୟାନୁସାରେ ନାମକରଣ କରିଥିବାରୁ ସେ ସମୟର ଗୁଣଗ୍ରାହୀମାନେ ତାଙ୍କୁ ଡାକିଲେ ବେଦବ୍ୟାସ।

ହେଲେ ଦ୍ଵାପର ଯୁଗର ଶେଷ ଆଡ଼କୁ ବେଦର ଆର୍ଷ ଭାଷା ପ୍ରୟୋଗ ସାଧାରଣ ଜନତାଙ୍କ ପାଇଁ ଅତ୍ୟନ୍ତ କଠିନ ମନେ ହେଲା। ଏକଦା ଲୋକପ୍ରିୟ ବେଦ ବର୍ଣ୍ଣିତ ପୁରୁଷାର୍ଥ ଲୋକମାନସରୁ ତଥା ପ୍ରତ୍ୟକ୍ଷ ଆଚରଣରୁ କ୍ରମଶଃ କ୍ଷୀଣ ହୋଇଗଲା। ତେଣୁ ସେ ସମୟର ଐତିହାସିକ ଘଟଣାବଳୀକୁ ଉପଜୀବ୍ୟ କରି ବେଦବ୍ୟାସ ଗଣେଶଙ୍କ ସହାୟତାରେ ରଚନା କଲେ ମହାଭାରତ। ଏଥିରେ ସାମୟିକ ସଂସ୍କୃତ ଭାଷାରେ ବେଦର ଗୂଢ଼ ଭାବରାଜି କଥାଯୁକ୍ତ ହୋଇ ବର୍ଣ୍ଣିତ ହେଲା। ଲୋକେ କହିଲେ, ଏହା ହେଉଛି ପଞ୍ଚମ ବେଦ।

ଅଧ୍ୟାତ୍ମ ଶାସ୍ତ୍ରର ଗୂଢ଼ ଆଦର୍ଶକୁ ଲୋକାଭିମୁଖୀ କରିବା ପାଇଁ ବେଦବ୍ୟାସ ରଚନା କଲେ ଅଷ୍ଟାଦଶ ମହାପୁରାଣ। କେବଳ ସେତିକି ନୁହେଁ, ବେଦର ଜ୍ଞାନକାଣ୍ଡ ଭାବରେ ବିବେଚିତ ଉପନିଷଦର ସାରମର୍ମକୁ  ସୂତ୍ରବଦ୍ଧ କରି ସେ ରଚନା କଲେ ବ୍ରହ୍ମସୂତ୍ର, ଯାହା ଷଡ଼ଦର୍ଶନ ମଧ୍ୟରେ ଉତ୍ତର ମୀମାଂସା ନାମରେ ପରିଚିତ।

ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଉଦ୍ଦିଷ୍ଟ ଏହି ଭାରତୀୟ ବାଙ୍ ମୟର ମୁଖର ଉଦଘୋଷକ ବେଦବ୍ୟାସଙ୍କୁ ନିଜର ଆତ୍ମଜ ଶୁକ ତଥା ସୂତ ଏବଂ ଶୌନକ ଆଦି ପ୍ରଚାରକ ମାନଙ୍କ ମାଧ୍ୟମରେ ନିଜ ରଚନାବଳୀକୁ ଲୋକାଭିମୁଖୀ କରିବା ପାଇଁ ଅନେକ କଷ୍ଟ ସହିବାକୁ ହେଲା। ଅଜ୍ଞାନ ତିମିରକୁ ଧ୍ୱଂସ କରି ଯିଏ ଜ୍ଞାନର ବର୍ତ୍ତିକା ଜାଳିଲେ, ତାଙ୍କୁ କୃତଜ୍ଞତା ଜଣାଇ ଭାରତୀୟ ସମାଜ ତାଙ୍କର ଜନ୍ମଦିନରେ ତାଙ୍କୁ ଶ୍ରଦ୍ଧା ନିବେଦନ କରିଥାଏ।

୨୭. ୭. ୧୮

Thursday, 26 July 2018

*ରୀତି କାଳରେ ଶୌର୍ଯ୍ୟ ସାହିତ୍ୟ*

ମନୁଷ୍ୟ ଜୀବନ ପ୍ରକୃତିର ତିନି ଗୁଣ ସତ୍ୱ, ରଜ ଓ ତମ ଦ୍ୱାରା ସଞ୍ଚାଳିତ ହୋଇଥାଏ। ଏଇ ତିନି ଗୁଣର ସମନ୍ବିତ ରୂପ ପ୍ରତ୍ୟେକ ମନୁଷ୍ୟର କ୍ରିୟାଶୀଳତାର ଆଧାର। ଯାହା ତା ପାଇଁ ସାଧୁ ଅସାଧୁ ଭେଦର କାରଣ ହୋଇଥାଏ। ଶୌର୍ଯ୍ୟ ଶବ୍ଦ ମାନସିକ ପ୍ରତିରୋଧାତ୍ମକ ଶକ୍ତିର ପ୍ରତିଫଳ ଏବଂ ବୀରତ୍ବର ପ୍ରତୀକ। ସମାଜର ସୁଚାରୁ ସଞ୍ଚାଳନ ଓ ଦୈନିକ କାର୍ଯ୍ୟ ବ୍ୟବହାରରେ ଶୌର୍ଯ୍ୟ ହିଁ ବର୍ତ୍ତମାନ ରୂପରେ ସର୍ବଦା କ୍ରିୟାଶୀଳ ରହିଥାଏ। ତାହା ହିଁ ଜୀବନ୍ତତାର ଦ୍ୟୋତକ।

ଶୌର୍ଯ୍ୟ ଶବ୍ଦ ସଂସ୍କୃତର ଶୌର୍ଯ୍ୟମ୍ ଶବ୍ଦରୁ ଆସିଅଛି। ଯାହାର ଅର୍ଥ ପରାକ୍ରମ, ଶୂରତା, ବୀରତା। ଭତୃହରି କହିଛନ୍ତି -
"ଶୌର୍ଯ୍ୟ ବୈରିଣୀ ବଜ୍ରମାସୁ ନିପତ୍ବାର୍ଥ ଅସ୍ତୁ ନଃ କେବଳମ୍"
ଶୌର୍ଯ୍ୟ ଏପରି ଏକ ଗୁଣ ଯାହାକୁ ପଢ଼ିଲେ କିମ୍ବା ଶୁଣିଲେ ହୃଦୟରେ ଉତ୍ସାହ ଓ ବୀରତ୍ୱର ଭାବ ସୃଷ୍ଟି ହୋଇଥାଏ। କାବ୍ୟର ରସ ନିରୂପଣ କରିବାକୁ ଗଲେ ଆମେ ପାଇବା ଉତ୍ସାହ ହିଁ ବୀର ରସର ସ୍ଥାୟୀ ଭାବ।

ହିନ୍ଦୀ ସାହିତ୍ୟର ବିଭାଜନ ଅନୁସାରେ ତୃତୀୟ କାଳକୁ (୧୭୦୦-୧୯୦୦) ରୀତି କାଳ କୁହାଯାଏ।
ଯେଉଁ ସମୟରେ କବିତା ସ୍ୱାନ୍ତଃ ସୁଖାୟ ନ ହୋଇ ଦରବାରୀ ସାହିତ୍ୟ ହୋଇଥିଲା। ପ୍ରତ୍ୟେକ କବି ଆଶ୍ରୟ ଦାତାକୁ ପ୍ରସନ୍ନ କରିବାରେ ଲାଗିଥିଲେ। ଶୃଙ୍ଗାର ରଚନାର ବହୁଳତା ଥିଲା। ତଥାପି ସେତେବେଳର କବି ଭୂଷଣ ଵୀର ରସର ସିଦ୍ଧ କବି ଭାବେ ପରିଗଣିତ ହୋଇଛନ୍ତି।
ଔରଙ୍ଗଜେବ ନିଜ ଭାଇକୁ ହତ୍ୟା କରି ସିଂହାସନ ଦଖଲ କରିବାଠାରୁ ତାର ଧାର୍ମିକ କ୍ରୁରତାର ତାଣ୍ଡବ ଆରମ୍ଭ ହୋଇଯାଇଥିଲା। ଭାରତର ଭୋଳା ଜନତା ତ୍ରସ୍ତ ଥିଲା। ସେହି ସମୟରେ ଦେଶଭକ୍ତ କବି ଭୂଷଣ ନିଜର ଓଜପୂର୍ଣ୍ଣ କାବ୍ୟରେ ଶିବାଜୀ ଓ ଛତ୍ରସାଲଙ୍କ ଭଳି ବୀରଙ୍କୁ ଆଧାରକରି ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବଳିଦାନର ଭାବ ଜାଗ୍ରତ କଲେ। ହିନ୍ଦୁମାନଙ୍କର ପତନର କାରଣ ହେଉଛି ପରସ୍ପର କଳହ। ଏହାକୁ ସେ କାବ୍ୟରେ ଲେଖିଲେ -

"ଆପସ କୀ ଫୁଟ ହୀ ତେ
ସାରେ ହିନ୍ଦୁବାନ ଟୁଟେ
ଟୁଟୟୋ କୁଲ ରାବନ
ଅନୀତି ନୀତି କରତେ..."

ଶିବଜୀଙ୍କ ପରାକ୍ରମ ଔରଙ୍ଗଜେବକୁ ସଦା ଆତଙ୍କିତ କରି ରଖିଥିଲା। ଶିବାଜୀ ଲଢୁ ଥିଲେ କାହା ପାଇଁ ? ତ୍ରସ୍ତ ଜନତାଙ୍କୁ ସୁରକ୍ଷା ଦେବା ପାଇଁ ସେ ନିଜ ପ୍ରାଣକୁ ବାଜି ଲଗାଇ ଲଢ଼ିଥିଲେ। ବିଡ଼ମ୍ବନାର କଥା ହେଉଛି ତାଙ୍କୁ ଆତଙ୍କବାଦୀ ଓ ପାହାଡ଼ି ମୂଷା ବୋଲି ଇତିହାସରେ ଚିତ୍ରଣ କରିବା ଓ ଭୁଲ ଇତିହାସକୁ ପରବର୍ତ୍ତୀ ପିଢ଼ିକୁ ପଢ଼ାଇ ଆସିବା। ସତ୍ୟ ଲୁଚିବା ସମ୍ଭବ ନୁହେଁ। ସେତେବେଳର ଅନ୍ୟ କବି ଔରଙ୍ଗଜେବର କ୍ରୁରତାକୁ ସ୍ୱଚକ୍ଷୁରେ ଦେଖି ମଧ୍ୟ ନୀରବ ରହିବା କିମ୍ବା ତାର ସ୍ତୁତି କରିବାକୁ ଉଚିତ ମଣୁଥିବାବେଳେ କବି ଭୂଷଣ ଆଗକୁ ଆସିଛନ୍ତି ଓ ସ୍ୱର୍ଣ୍ଣାକ୍ଷରରେ ଲେଖିଦେଇଯାଇଛନ୍ତି -

"ଇନ୍ଦ୍ର ଜିମି ଜମ୍ଭ ପର,
ବାଡ଼ୱ ସୁଅମ୍ଭ ପର,
ରାବଣ ସଦମ୍ଭ ପର,
ରଘୁକୁଳ ରାଜ ହୈ।

ତେଜ ତମ ଅଂଶ ପର,
କାହ୍ନ ଜିମି କଂସ ପର,
ଜୋ ମ୍ଳେଛ ବଂଶ ପର,
ଶେର ଶିବ ରାଜ ହୈ।।"

୨୬. ୭. ୧୮

Wednesday, 25 July 2018

*ତ୍ରିବିଧ ଦୀପ*

ବହୁ ସଂଖ୍ୟକ ସୈନ୍ୟ ଥିଲେ ଯୁଦ୍ଧ ଜିଣିବା ସହଜ ହୋଇଯାଏ। ମଗଧ ପାଖରେ ଥିଲା ପର୍ଯ୍ୟାପ୍ତ ପଦାତିକ, ଅଶ୍ୱ ଓ ହାତୀ ଦଳ। ଏହି ସୈନ୍ୟବଳ ଭରସାରେ ମୁସ୍ତାକ ଶକ ଆକ୍ରମଣ କରିବାର ବାହାନା କରି ଗଣ ରାଜ୍ୟ ଅଧିକାର କରିବାକୁ ଚାହୁଁଥିଲା। ଏଥିରେ ମଧ୍ୟ ବହୁ ମାତ୍ରାରେ ସଫଳ ହେଲା। କିନ୍ତୁ ଗଣ ରାଜ୍ୟର ଉଦ୍ଦାତ୍ତ ଶୌର୍ଯ୍ୟ ପ୍ରଦର୍ଶନ ପାଖରେ ମଗଧର ବିପୁଳ ସେନା କିଛି କାମ ଦେଲା ନାହିଁ। ମଗଧର ରାଜସିକ ସେନାଙ୍କ ଶୌର୍ଯ୍ୟ ଠାରୁ ଅତି ଭୟାନକ ଥିଲା ତାମସିକ ସେନାର ଆକ୍ରମଣ। ଶକ ମାନଙ୍କର ତାମସିକ ସୈନ୍ୟ ନୀତି ନିୟମ ବିବର୍ଜିତ ହୋଇ ରାସ୍ତାରେ ପଡୁଥିବା ଗାଁ କୁ ଲୁଟୁ ଥିଲେ, ହତ୍ୟା କରୁଥିଲେ, ଝିଅ ବୋହୂଙ୍କୁ ବଳାତ୍କାର କରୁଥିଲେ। ଭୌତିକ ସମ୍ପତ୍ତି ହାସଲ କରିବା ଓ ଏଥିପାଇଁ ଶାରୀରିକ ବଳ ପ୍ରୟୋଗ କରିବା ହିଁ ତାଙ୍କର କାର୍ଯ୍ୟ ଥିଲା। ଏହାକୁ ଶୌର୍ଯ୍ୟ କୁହାଯାଇ ପାରିବ ନାହିଁ। କେବଳ ଶରୀର ବଳ ଓ ଜବରଦସ୍ତ ପ୍ରବୃତ୍ତି ଭିତରେ ଏମାନେ ସୀମିତ ଥିଲେ।
ମହର୍ଷି ଏଲ ନିଜର ସାରସ୍ୱତ ସାଧନା ଦ୍ୱାରା ଶରୀର ବଳରେ ପ୍ରବୃତ୍ତ ଆସୁରିକ ନୃତ୍ୟରେ ଉନ୍ମାଦ ସୈନ୍ୟଙ୍କୁ ଠିକ୍ ବାଟ ବତାଇଛନ୍ତି। ମୈନେନ୍ଦ୍ର-କୃଷ୍ଣାର ବିବାହ ଭୋଜିରେ ଶକ ସର୍ଦାର ମାନଙ୍କୁ ହୀରା, ମୋତି ଓ ସୁନା ଥାଳିରେ ଭୋଜନ ପରସିଛନ୍ତି। ତା'ପରେ ସେମାନଙ୍କ ସହ ସୁସମ୍ବାଦ କରି ତାଙ୍କର ସାରସ୍ୱତ ସାଧନାର ଅଭିବ୍ୟକ୍ତି ଦ୍ୱାରା ଶକ ସୈନ୍ୟ ଓ ମହେନ୍ଦ୍ରଙ୍କୁ ପ୍ରଜା କଲ୍ୟାଣକାରୀ ଭାବନାରେ ପ୍ରେରିତ କରିଛନ୍ତି।

ଗଣ ରାଜ୍ୟର ସଂସ୍କାରବଦ୍ଧ, ପ୍ରଶିକ୍ଷିତ, ସୁନିୟୋଜିତ ଧର୍ମାନୁରାଗୀ ସୈନ୍ୟ ଉଦ୍ଦାତ୍ତ ଶୌର୍ଯ୍ୟର ପ୍ରଦର୍ଶନ କରିଛନ୍ତି। ସେମାନେ ନିଜେ ଆହତ ହୋଇ ମଧ୍ୟ କେବେ ପ୍ରଜାଙ୍କ ଅନିଷ୍ଟ କରିନାହାନ୍ତି। ଯୁଗ ଯୁଗରୁ  ପ୍ରଜା ଜୀବନକୁ ଏହିପରି ଶୌର୍ଯ୍ୟ ଦ୍ୱାରା ସୁରକ୍ଷା ଓ ସମ୍ବଳ ମିଳିଆସିଛି।

ଦୀପ ନିର୍ବାଣ ଉପନ୍ୟାସରେ ଏହିପରି ଶୌର୍ଯ୍ୟର ପ୍ରକାଶନରେ ତତ୍କାଳୀନ ଅସ୍ତ୍ର ଶସ୍ତ୍ରର ପ୍ରଶିକ୍ଷଣ, ବ୍ୟୁହ ରଚନା, ଆକ୍ରମଣର ସମୟ ନିର୍ଘଣ୍ଟ, ସୈନ୍ୟର ମନସ୍ଥିତି ଦେଖିବାକୁ ମିଳେ। ଉପନ୍ୟାସରେ ଐତିହାସିକ ସତ୍ୟକୁ ବଜାୟ ରଖିବାକୁ 'ଦର୍ଶକ' ସମ୍ପୂର୍ଣ୍ଣ ଚେଷ୍ଟା କରିଛନ୍ତି। ଏହା ଗୁଜୁରାଟୀ ସାହିତ୍ୟର ସୌଭାଗ୍ୟ ଯେ ପ୍ରାଚୀନ ଭାରତର ଧର୍ମପ୍ରାଣିତ ଶୌର୍ଯ୍ୟ, ଭାରତର ସମ୍ମାନ ଓ ମୌଳିକ ପରିଚୟକୁ ସର୍ବ ସମକ୍ଷରେ ପରିଚିତ କରାଇବାରେ ସମର୍ଥ ହୋଇଛି।

ଆଧୁନିକ ଭାରତର ସ୍ବାଧୀନତା ସଂଗ୍ରାମର ଭୁକ୍ତଭୋଗୀ 'ଦର୍ଶକ' (ଔପନ୍ୟାସିକ) କେବଳ ଦର୍ଶକ ନ ଥିଲେ ବରଂ ସକ୍ରିୟ ସହଭାଗୀ ଥିଲେ।

ତାଙ୍କର ଏହି ଆମର କୃତିରେ ରହିଛି ଶୌର୍ଯ୍ୟ ତେଜଦୀପ, ସର୍ଜକ ତେଜଦୀପ ଓ ଆତ୍ମତେଜଦୀପ। ଏହି ତ୍ରିବିଧ ଦୀପର ସମାହାରରେ ତାଙ୍କର କୃତି ଆମ ସମାଜକୁ ଉଜ୍ଜ୍ୱଳ ଆଭା ପ୍ରଦାନ କରିଚାଲିଛି।

୨୫. ୭. ୧୮

Tuesday, 24 July 2018

*ମହର୍ଷି ଏଲ*

ଆତ୍ମବଳର ଉଜ୍ଜ୍ୱଳ ଉଦାହରଣ ହେଲେ ତକ୍ଷଶିଳାର ରକ୍ଷକ ମହର୍ଷି ଏଲ। ସିକନ୍ଦରଙ୍କ ଆକ୍ରମଣ ଦ୍ୱାରା ଭଗ୍ନସ୍ତୁପରେ ପରିଣତ ହୋଇଯାଇଥିବା ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟକୁ ସେ ଛାଡ଼ି ପଳାଇଲେ ନାହିଁ। ସେ ବିଶ୍ୱବିଦ୍ୟାଳୟର ସରସ୍ୱତୀ ପ୍ରତିଷ୍ଠାନ ଓ ଗ୍ରନ୍ଥାଳୟର ପ୍ରହରୀ ଭଳି କାମ କଲେ। ନିଜର ବିଦ୍ୟା ବୁଦ୍ଧି ସଂସ୍କାରରେ କୌଣସି ପ୍ରକାର ଆଞ୍ଚ ଆଣିବାକୁ ଦେଲେ ନାହିଁ। ଦୃଢ଼ ମନୋବଳ ଥିବା ବହୁତ କମ୍ ବିଦ୍ୟାର୍ଥୀ ତାଙ୍କ ପାଖକୁ ସେଭଳି କଠିନ ପରିସ୍ଥିତିରେ ମଧ୍ୟ ବିଦ୍ୟାଧ୍ୟୟନ ପାଇଁ ଆସୁଥିଲେ। ତା ଛଡ଼ା କିଛି ଯବନ ଛାତ୍ର ମଧ୍ୟ ତାଙ୍କ ପାଖରେ ପଢ଼ି ଭାରତୀୟ ଜୀବନ ଧାରାକୁ ଆପଣେଇ ନେଇଥିଲେ। ଶକ ସେନାପତି ମୈନେନ୍ଦ୍ର ମଧ୍ୟ ତାଙ୍କ ଯବନ ମାତାଙ୍କ ଇଚ୍ଛାନୁସାରେ ମହର୍ଷି ଏଲଙ୍କ ପାଖରେ ଦୁଇ ବର୍ଷ ବିଦ୍ୟାଧ୍ୟୟନ କରିଥିଲା। କୈକେୟ କନ୍ୟା କୃଷ୍ଣା ମହର୍ଷିଙ୍କର ଶିଷ୍ୟା ଥିଲେ। କୃଷ୍ଣା ଏଲ ଋଷିଙ୍କ ସଂସ୍କାରକୁ ସଫଳ କରିବା ପାଇଁ ମୈନେନ୍ଦ୍ରକୁ ବୁଝାଇବାରେ ସଫଳ ହୋଇଛି। ସେ କହୁଛି -

"ଅନିୟନ୍ତ୍ରିତ ସୈନିକଙ୍କ ପାଇଁ ତାଙ୍କ ରାଜା ଦଣ୍ଡ ପାଇବା ଯୋଗ୍ୟ। ଅନ୍ୟ ରାଜା କଣ ତୁମ ରାଜାଙ୍କ ପରି ସାଧରଣ ଲୋକମାନଙ୍କ ଉପରେ ଅତ୍ୟାଚାର କରନ୍ତି ? ରାଜା ତ ଧର୍ମଦାନ କରନ୍ତି, ଶିଳ୍ପ, ସ୍ଥାପତ୍ୟ, ମନ୍ଦିର ତିଆରି କରାନ୍ତି।"

ଶକ ମୈନେନ୍ଦ୍ର ଭିତରେ ବିଦେଶୀ ଗୁଣର ସଂସ୍କାରକୁ କୃଷ୍ଣା ଧୀରେ ଧୀରେ ବଦଳାଇ ଦେଇଛି। ଶେଷରେ କୃଷ୍ଣା ସହିତ ତା'ର ବିବାହ ହୋଇଛି। ଯେଉଁ ଆକ୍ରମଣକାରୀଙ୍କ ପାଇଁ ଗଣ ରାଜ୍ୟରେ ହାହାକାର ଛାଇ ଯାଇଥିଲା ସେହି ଭୟକୁ ବିଦ୍ୟାସଂସ୍କାର ଓ ମାନବୀୟ ଗୁଣର ସଂସ୍କାର ଦ୍ୱାରା ଦୂର କରି ମହର୍ଷି ଏଲ ଭାରତବର୍ଷର ମହାନ ଉଦ୍ଧାରକ ହୋଇଯାଇଛନ୍ତି। ମଣିଷ ଭିତରେ ଥିବା ଆତ୍ମବଳକୁ ଜାଗ୍ରତ କରିବାରେ ସଫଳ ହୋଇଥିବା ସେହି ମହାତ୍ମା ମହର୍ଷି ଏଲଙ୍କ ପାଖରେ ଭାରତବର୍ଷ ଋଣୀ। ହତ୍ୟା, ଚୋରୀ, ଆତଙ୍କରାଜ ଭିତରେ ସେ ଆଦୌ ବିଚଳିତ ନ ହୋଇ ଗୋଟିଏ ଗୋଟିଏ ବ୍ୟକ୍ତି ଚୟନ କରି ତାଙ୍କ ଭିତରେ ଏଇ ଆତ୍ମବଳକୁ ଜାଗ୍ରତ କରାଉଥିଲେ। ଏହା ଧୀରେ ଧୀରେ ସାମୂହିକ ଶୌର୍ଯ୍ୟର ରୂପ ନେଇଥିଲା। ଏ ସବୁର ଅସଂଖ୍ୟ ଉଦାହରଣ ଔପନ୍ୟାସିକ ଦୀପ ନିର୍ବାଣ ଉପନ୍ୟାସରେ ସ୍ଥାନୀତ କରିଛନ୍ତି।

୨୪. ୭. ୧୮

Monday, 23 July 2018

*କେବଳ ଶାରୀରିକ ବଳ ପର୍ଯ୍ୟାପ୍ତ ନୁହେଁ*

ବ୍ୟକ୍ତିର ସୁଦୃଢ଼ ଶରୀର ଥିଲେ ମଧ୍ୟ ଯଦି ତା' ପାଖରେ ଦୃଢ଼ ମନୋବଳ ଓ ଆତ୍ମବଳ ନ ଥାଏ ତେବେ  କଠିନରୁ କଠିନ ପରିସ୍ଥିତିରେ ଲକ୍ଷ୍ୟ ପ୍ରାପ୍ତି କରିବା ଅସମ୍ଭବ ହୋଇପଡ଼େ। ତେଣୁ ଦୀପ ନିର୍ବାଣ ଉପନ୍ୟାସରେ ଉପନ୍ୟାସକାର 'ଦର୍ଶକ' ଏଇଭଳି କିଛି ଦୃଢ଼ ମନୋବଳ ଓ ଆତ୍ମବଳ ଥିବା ଚରିତ୍ର ବାଛିଛନ୍ତି। ମାଳବକ ଗଣ ରାଜ୍ୟର ମହାକଶ୍ୟପ, ନଗରଶ୍ରେଷ୍ଠୀ, କଠ କନ୍ୟା ରୋହିଣୀ, ବ୍ରାହ୍ମଣକ ଗଣନାୟକ ଆସଙ୍ଗ, କୈକେୟ କନ୍ୟା କୃଷ୍ଣା ଆଦି ଏଇ ଶ୍ରେଣୀର ଚରିତ୍ର। କୈକେୟ କନ୍ୟା କୃଷ୍ଣା ତ ମୃତ୍ୟୁକୁ ଖାତର ନ କରି ଆନନ୍ଦ ଓ ଚାରୁଦତ୍ତଙ୍କ ସହ ଯୁଦ୍ଧ ଭୂମିରେ ପହଞ୍ଚି ଯାଇଛି। ସେଠାରେ ଦେଖିଛି ତାର ବାଲ୍ୟ ସାଥି ତଥା ଏଲଙ୍କ ଆଶ୍ରମରେ ପଢ଼ୁଥିବା ସହପାଠୀ ମୈନେନ୍ଦ୍ର ଶତ୍ରୁ ପକ୍ଷର ନେତୃତ୍ୱ ନେଉଛି।  ସେଥିରୁ ତାକୁ ନିବୃତ୍ତ କରିବାରେ କୃଷ୍ଣା ସଫଳ ହୋଇଛି। କୃଷ୍ଣାର ଶୌର୍ଯ୍ୟ, ଆନନ୍ଦଙ୍କ ସଂଯମିତ ଜୀବନ, ସାଧୁ ଚାରୁଦତ୍ତଙ୍କ ସାଧୁତ୍ୱଭରା ଧର୍ମଶୌର୍ଯ୍ୟକୁ ଔପନ୍ୟାସିକ ବଡ଼ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରିଛନ୍ତି।

ଏଠାରେ ସେ ବେଶୀ ମହତ୍ତ୍ୱ ଦେଇଛନ୍ତି ଆତ୍ମିକ ଶୌର୍ଯ୍ୟକୁ। ମହର୍ଷି ମହାକଶ୍ୟପ ଓ ମହର୍ଷି ଏଲ ଏହି ଉପନ୍ୟାସରେ ଆତ୍ମିକ ଶୌର୍ଯ୍ୟକୁ ଚରିତାର୍ଥ କରିଛନ୍ତି। ଏଭଳି ତପୋପୂତ ଆତ୍ମିକ ଶୌର୍ଯ୍ୟର ସାଧନା ଜୀବନଭରି କରୁଥିବା ଋଷିଗଣ ହିଁ ଆମ ଭାରତୀୟ ସଂସ୍କୃତିର ମେରୁଦଣ୍ଡ ସଦୃଶ। ଏମାନଙ୍କ ଜୀବନ ଆମ ପାଇଁ ଶାଶ୍ୱତ ପ୍ରେରଣାର ସ୍ରୋତ।

୨୨. ୭. ୧୮

Sunday, 22 July 2018

*ମହାପରାକ୍ରମୀ ଆନନ୍ଦ*

ଅସ୍ତ୍ର, ଶସ୍ତ୍ର, ବିଦ୍ୟା, ବୁଦ୍ଧି, ସୁଦୃଢ଼ ଶରୀର ଓ ସୁନ୍ଦର ସ୍ୱାସ୍ଥ୍ୟଥିବା ବ୍ୟକ୍ତି କୌଣସି ବି ସମୂହର ଗୌରବ ବୃଦ୍ଧି କରିଥାନ୍ତି। ବ୍ରାହ୍ମଣକ ଗଣ ରାଜ୍ୟର ଯୁବକ ଆନନ୍ଦ ଏଇଭଳି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ଖ୍ୟାତି ସାରା ବାହିକ ପ୍ରଦେଶରେ ବ୍ୟାପୀ ଯାଇଥିଲା। ଦୀପ ନିର୍ବାଣ ଉପନ୍ୟାସର ଆରମ୍ଭରେ ଏଇ ବ୍ରାହ୍ମଣକ ଗଣ ରାଜ୍ୟର ଯୁବକ ଆନନ୍ଦ ବିଦ୍ୟା ଲାଭ ପାଇଁ ମାଳବକ ଗଣ ରାଜ୍ୟର ମହର୍ଷି ମହାକାଶ୍ୟପଙ୍କ ପାଖକୁ ଯିବାର ବର୍ଣ୍ଣନା କରାଯାଇଛି। ସେହି ସମୟରେ ସେ ନିଜ ବାପା-ମାଆଙ୍କ  ବିଷୟରେ ଅନେକ ହୃଦୟବିଦାରକ ତଥ୍ୟ ଜାଣିବାକୁ ପାଇଛନ୍ତି ଯାହା ତାଙ୍କୁ ଘରେ ଥିବା ବେଳେ ଜଣା ନ ଥିଲା। ସେହି ଦୁଃଖରେ ବିଚଳିତ ହୋଇ ସେ ସ୍ନାନ କରିବାକୁ ଜଳସ୍ରୋତକୁ ଚାଲିଯାଇଛନ୍ତି। ତାଙ୍କୁ ଜଣା ଅଛି ଯେ ସେହି ଜଳସ୍ରୋତରେ କୁମ୍ଭୀର ଅଛି। ତଥାପି ସେ ସେଥିରେ ପ୍ରବେଶ କରିଛନ୍ତି। କୁମ୍ଭୀର ସହ ଲଢ଼େଇ ହୋଇଛି। ସୁନ୍ଦର ଶାରୀରିକ ସ୍ୱାସ୍ଥ୍ୟ, ବିଦ୍ୟା ବୁଦ୍ଧି କାରଣରୁ ପ୍ରବଳ ଲଢ଼େଇ ଭିତରେ ସେ କୁମ୍ଭୀରକୁ ମୃତ୍ୟୁ ମୁଖକୁ ପଠାଇଦେବା ସହ ସମସ୍ତ ଆଘାତ ସହି ନେଇଛନ୍ତି। ବାହିକ ପ୍ରଦେଶରେ ଯେତେ ଶସ୍ତ୍ର ପ୍ରତିଯୋଗିତା ହୋଇଛି ସେ ସବୁଠି ଆଗରେ ରହିଛନ୍ତି। ଏହାକୁ ନେଇ 'ଦର୍ଶକ' ଦୀପ ନିର୍ବାଣ ଉପନ୍ୟାସ ଆରମ୍ଭ କରିଛନ୍ତି। ପରେ ପରେ ଅନେକ ଯୋଦ୍ଧାଙ୍କର ପରାକ୍ରମ ମଧ୍ୟ ଏହି ଉପନ୍ୟାସରେ ଦେଖିବାକୁ ମିଳେ।

୨୨. ୭. ୧୮