Sunday, 25 August 2019

*ଏ ସବୁ ବିଶ୍ୱାସର କଥା*

କନ୍ଧ ମଧ୍ୟ ପ୍ରାଚୀନ ଓଡ଼ିଆ ରାଜ୍ୟର ଜଣେ ସାମନ୍ତ, କଳିଙ୍ଗର କନ୍ଧ ଭାଷାରେ ରାଜାକୁ କୁହାଯାଏ ଓଡ଼େସି, ଅର୍ଥାତ୍ ଓଡ଼। କିନ୍ତୁ କନ୍ଧ ଲେଖା ପୋଥି ବ୍ୟବହାର କରେ ନାହିଁ। ସେମାନଙ୍କର ଲେଖା ହରଫ କିଛି ନାହିଁ, ସବୁ ଜ୍ଞାନ କଥିତ, ଅର୍ଥାତ୍ ଶ୍ରୁତି, ସବୁ ଜ୍ୟୋତିଷ ଚାକ୍ଷୁଷ ଗଣନା ଉପରେ। ଏମାନେ ତଳେ କାଠ ପୋତି ସୂର୍ଯ୍ୟର ଗତି ମାପନ୍ତି, ବେଳ ଗଣନା କରନ୍ତି ଲାଠିରେ, ଅର୍ଥାତ୍ କେତେ ଲାଠି ସୂର୍ଯ୍ୟ ଉପରକୁ ଉଠିଲାଣି ସେଇ ହିସାବରେ, ରାତିର ଗଣନା ତାରାକୁ ଦେଖି କରନ୍ତି। ଆଖି ଆଗରେ ଆଙ୍ଗୁଠିରେ ଛକି କରି ତା'ରି ଭିତରେ ତାରାମାନଙ୍କୁ ଚାହିଁ ଚାହିଁ ଦେଖନ୍ତି।

ଏ ସବୁ ଦେଖା ହିସାବ ଓ ଦେଖା ମାପ ଉପରେ ପୁଣି ଦିସାରୀର, ବେଜୁଣୀର ଦିବ୍ୟ ଦୃଷ୍ଟିର ଫଳ, କେତେ ତହିଁରୁ ଦିବ୍ୟ ଦୃଷ୍ଟି, କେତେ ରନ୍ଧା ମଦର ବାମ୍ଫ ତାହା କିଏ କହିବ ?

ଏ ସବୁ ବିଶ୍ୱାସର କଥା, ଯାହା ଵିଶ୍ଵାସ ହୋଇଗଲା, ବଣୁଆ ମଣିଷ ସେଇଆକୁ ଜାକି ଧରିଥାଏ, ଯାହା ହେଉ ସବୁ ତା'ର ଫଳ।

କେବେ କିଏ ଯଦି ବିଶ୍ୱାସ ଜନ୍ମେଇଲା କଳା ଜିନିଷ ଅମଙ୍ଗଳର  ହେତୁ, ତେବେ କଳା ଛେଳି, କଳା ଘୁଷୁରୀ, କଳା କୁକୁଡ଼ା ଏକାଦିନକେ ନିପାତ।

ବିଶ୍ୱାସ ଆଉ ଗଣନାର ମତଭେଦ ଅନୁସାରେ ଦେଶ କେ ଫାଙ୍କ ନଈ କେ ବାଙ୍କ ନୀତିରେ ବେଳେବେଳେ ଗାଁକୁ ଗାଁ ଶୁଭ ଦିନ ପର୍ଵଯୋଗର ଦିନ ଫରକ ପଡ଼େ।

ଗାଁ ଲୋକେ ପର ଗାଁ ବଜାର ଟାହି ଟାପରାରେ ଚଞ୍ଚଳ ହୋଇ ଉଠିଲେ। ଗାଁ ଦିଶାରୀ ପାଣ୍ଡୁ ଜାନୀ ସମସ୍ତଙ୍କୁ ଧମକେଇ ଦେଇ କହିଲା, ରୁହ ବେଳ ଆସି ନାହିଁ, ଟୋକାଟକଳିଆ ପ୍ରତିବାଦ କରି କହିଲେ, ବୁଢ଼ା ମାନଙ୍କର ଏହିପରି କଥା, ତାଙ୍କର ବେଳ ଆସିବା ବେଳକୁ ମଣିଷର ବଳ ନ ଥାଏ।

୨୫.୮.୧୯

Saturday, 24 August 2019

*ନା ତୁମେ ନ୍ୟାୟ କଥା କହୁ ନାହଁ*

ତୋ ପାଇଁ ସମସ୍ତେ ମରିବେ ନା କ'ଣ ?
ସାହୁକାର ଆମ ସମସ୍ତଙ୍କୁ ପୋଷିଛି। ତା ସାଙ୍ଗରେ ବାଦୀ ?
ତା'ର ସବୁ ଅଛି, ଆମର କେହି ନାହିଁ। ଏ କଥା ଅତି କରୁଣ କଣ୍ଠରେ ଲେଞ୍ଜୁ କନ୍ଧ କହିଲା। ତା କଥାକୁ ସବୁ ବଡ଼ମାନେ ସମର୍ଥନ କଲେ।

ପାଣ୍ଡୁ ଜାନି ଗ୍ରହ ନକ୍ଷତ୍ର ଓ ପାଗ ଯୋଗ କଥା କହିଲା। କେଉଁଥି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, ସାହୁକାରର ଯୋଗ କଣ ଅଛି, ସୁଗ୍ରୀ କନ୍ଧର ଯୋଗ କଣ ଅଛି ସବୁ ବିଷୟ କହିଲା। ଯୁଦ୍ଧ ଆରମ୍ଭ ପାଇଁ ଗୋଟେ ଯୋଗ। ଶତ୍ରୁ ନିପାତ ପାଇଁ ଆଉ ଗୋଟିଏ ଯୋଗ।

ଦିଉଡୁ କହିଲା, "ନ୍ୟାୟର କଥା ନ କହି ତୁମେ ବୁଢ଼ା ଲୋକମାନେ ଖାଲି ଭୟ ଓ ପାଗଯୋଗର କଥା କହୁଥିବ। ଜଣକୁ ମାହାଳିଆଟାରେ ସାହୁକାର ହରବର କରୁଛି, ସେ ତୁମ ପାଖେ ଗୁହାରି କରୁଛି, ବଡ଼ଲୋକ ସାଙ୍ଗେ ବାଦୀ ଲାଗିଲେ ତୁମ ଚମ ଆଂଚୁଡ଼ି ହୋଇଯିବ ବୋଲି ତୁମେ ଡରି ମରି ଫନ୍ଦି କଥା କହୁଛ ? ତୁମେ ପରା କନ୍ଧ ବୋଲାଉଛ ? ଲାଜ ସରମ ନାହିଁ ? ଗୋଇଠା ମାଡ଼ ଖାଇ ବଡ଼ ଲୋକ ଦେଖେଇ ହେଉଛ ? କୋଉ ଗାଁର କନ୍ଧ ତୁମେ ? ଡରୁଆ ବୁଢ଼ାଲୋକର ପ୍ରାଣକୁ ଏତେ ଭୟ ଯଦି ପଞ୍ଚାତି ବସାଉଛ କେଉଁ ମୁହଁରେ ?

ଶଲପୁ କନ୍ଧ କହିଲା, କନ୍ଧ ମରିବାକୁ ଡରେ ନାହିଁ। ଅସତକୁ ଡରେ। ସୁଗ୍ରୀ କନ୍ଧ କଥା ଦେଇ ଦେଇଛି, ଲେଖା ପଢ଼ା କରିଦେଇଛି ପନ୍ଦର ବର୍ଷ ଗୋତି ଖଟିବ। କେଉଁ ଅକଲରେ ତୁମେ ତାକୁ ଉସକଉଚ ଯେ ତୁ ସେ ସାହୁକାର କାମ କରନା, ଦେଖିବା ତୋର କିଏ କଣ କରିବ ? ମନେ ରଖ,  କନ୍ଧ କେବେ କଥା ଦେଇ କଥା ଭାଙ୍ଗେନା।

ହାର୍ଗୁଣା ଓ ଅନ୍ୟ ଟୋକା ମାନେ କହିଲେ, ନା ତୁମେ ନ୍ୟାୟ କଥା କହୁ ନାହଁ। ଆମେ କମେଇବୁ ସେ ଖାଇବ। ଆମେ ଭୋକରେ ମରିବୁ ସେ ଦଉଲତ ସଜେଇବ, ତା ଛେଳିକୁ ବାଘ ଖାଇବ ଆମେ ଦେବୁ ଭରଣା ? ସେ କଥା ହୋଇପାରିବ ନାହିଁ। ସେ ଆମର ଶତ୍ରୁ। ଆମେ ହାଣିବୁ ତାକୁ।

ବୁଢ଼ା ମାନେ ତିରସ୍କାର କଲେ। କଣ ହେଉଛ ପିଲାମାନେ, ଏମିତି ତତଲା ମୁଣ୍ଡରେ  କୁରାଢ଼ୀ ମାରିବ ଆପଣା ଗୋଡ଼ରେ, ବାପ ଅଜାଙ୍କର ନାଁ ବୁଡ଼େଇବ। ପୁଲିସ ଅଛି, ମାଜିଷ୍ଟ୍ରେଟ, କଇଦିଖାନା, ଫାଶି ଏ ସବୁ ଅଛି। ତୁଚ୍ଛାଟାରେ  ପିଣ୍ଡାରେ ଠିଆହୋଇ ହାଣିବୁ ହାଣିବୁ ହେଲେ କଣ ହେବ ? ବୁଦ୍ଧି ଅଛି ନା ଖାଲି ମଦ ? ପଞ୍ଚାଏତ ଭାଙ୍ଗିଗଲା। ବାଆଲି ଆଉ ସୁଗ୍ରୀ ନିରାଶ ହୋଇ ଫେରିଲେ।

୨୪.୮.୧୯

Friday, 23 August 2019

*ଦୋଷ କାହାର ?*

ମଣିଆପାୟୁ ଗାଁ ଭେରାମଣରେ ପଞ୍ଚାତି ବସିଥାଏ। କନ୍ଧର ସାମାଜିକ ଜୀବନରେ ସବୁ କଥାରେ ପଞ୍ଚୁଆତି। କିଏ କାହାକୁ ଗାଳି ଦେଲା, କାହାର ଗୋରୁ କାହାର ଫସଲ ଖାଇଲା, ଏ ସବୁ ତ ଛୋଟ ଛୋଟ କଥା। ବ୍ୟଭିଚାରର ଶାସ୍ତି, ଚୋରକୁ ଦଣ୍ଡ, ଅନ୍ୟାୟ ବିଷୟରେ ମତାମତ। ତା' ପରେ ଗୋଷ୍ଠୀର କଥା, କେଉଁଠି ବଣମରା ହେବ, କେଉଁଠି ଘର ତୋଳା ହେବ, କେଉଁ ଗାଁ ସାଙ୍ଗରେ ଅଥବା କେଉଁ ଦଳ ସହିତ ବନ୍ଧୁତା / ଶତ୍ରୁତା ହେବ।

ଆଜିର ପଞ୍ଚାୟତର ଟିକିଏ ବିଶେଷତ୍ୱ ଥିଲା। ଏ ଗାଁର ବୁଢ଼ା ବାଆଲି କନ୍ଧର ପୁଅ ସୁଗ୍ରୀ କନ୍ଧ ଘରର ଦୁରବସ୍ଥା ବଢ଼ିବାରୁ ଯାଇ ପର ଗାଁରେ ଭୋଗିଲା ଜଗନ୍ନାଥ ଶୁଣ୍ଢି ଘରେ ଗୋତି ରହିଥିଲା। ଗୋତି ବୋଇଲେ କିଣା ଚାକର। ଦଶୋଟି ଟଙ୍କା କରଜ ଆଣିଥିଲା। ସେଥିପାଇଁ ଆଉ ଦରମା ନ ନେଇ ଦୁଇ ବର୍ଷ ଖଟିବ, ଦିନରାତି ସେଇଟି ପଡ଼ି ରହିବ, କେବଳ ମାସକୁ ଏକ ପୁଟି ମାଣ୍ଡିଆ, ଶୀତ ଦିନେ ବର୍ଷକୁ ଖଣ୍ଡେ ଟଙ୍କିକିଆ କମ୍ବଳ। ସୁଗ୍ରୀ କନ୍ଧ ସାହୁକାରର ଛେଳି ଜଗେ, ସାହୁକାରର ଘର ପାଖେ ଛେଳି କୁଡ଼ିଆ। ସେଦିନ ସୁଗ୍ରୀ ଖାଇବାକୁ ଯାଇଥିଲା। ଫେରି ଆସି ଦେଖେ ତ ଗୋଟିଏ କଲରାପତରିଆ ବାଘ ଛେଳି କୁଡ଼ିଆରେ ପଶି ସବୁଯାକ ଛେଳିକୁ ମାରି ସାରିଛି। କେବଳ ଖାଇବା ବାକି ଅଛି। ସୁଗ୍ରୀ କନ୍ଧ ଟାଙ୍ଗିଆ ଉଞ୍ଚେଇ ଧାଇଁଗଲା, ବାଘ ପଳେଇଲା। ସାହୁକାର ଏ ଖବର ଜାଣିବା ପରେ ସୁଗ୍ରୀ କନ୍ଧ ଉପରେ ଛେଳିର ଦାମ୍ ଭିଡ଼ି ଦେଲା ୫୫ ଟଙ୍କା। ଆଗ କରଜରୁ ବାକି ଥାଏ ୫ ଟଙ୍କା। ଏହିପରି ୬୦ ଟଙ୍କା କରଜ ଶୁଝିବାକୁ ତାକୁ ଆଉ ପନ୍ଦର ବର୍ଷ ଲାଗିବ ବୋଲି ଲେଖାପଢ଼ା କରିନେଲା।  ବାର ବର୍ଷରେ ତ ୬୦ ଟଙ୍କା ସରିବା କଥା। କିନ୍ତୁ ସେ କହିଲା, ମୋ ଛେଳି ଛୁଆ ଅଧିକ ଟଙ୍କା ହେଇଥାନ୍ତେ ବଢ଼ିଗଲେ, ସେ ଦାମ୍ ବି ତତେ ଭରିବାକୁ ହେବ। ଆଉ ୧୫ ଟଙ୍କା ସେଥିରେ ମିଶିଗଲା।ଭବିଷ୍ୟତକୁ ଅନେଇଁ କାନ୍ଦି ବୋବେଇ ସୁଗ୍ରୀ କନ୍ଧ ଗାଁ ଲୋକଙ୍କର ପରାମର୍ଶ ନେବାକୁ ପଞ୍ଚାତି ଡାକିଛି, ପଞ୍ଚାଏତ ବସିଛି।

ଟୋକାଦଳ ଓ ବୁଢ଼ାଦଳଙ୍କର ପ୍ରତିବାଦ ଲାଗିଥାଏ। ବନ୍ଦିକାରର ଲୋକେ ପହଞ୍ଚିଲେ। ଦିଉଡୁ ସାଓଁତା କହୁଥାଏ, "କିଛି ଶୁଣନା ସେ ସାହୁକାର କଥା, କଣ କରିବ ତୋର ଦେଖିବା। ବାଘ ଛେଳିକୁ ଖାଇଲା ଭଲ କଲା, ତୁ କଣ ବାଘକୁ ଶିଖେଇ ଦେଇଥିଲୁ ? ଦୋଷ ସବୁ ସାହୁକାରର, ତୁ ନ ଆସିବା ଯାଏ, ସେ କାହିଁକି ନିଜେ ଛେଳି ଜଗିଲା ନାହିଁ ?"

ବୁଢ଼ା ଦଳ କହୁଥାନ୍ତି ସବୁ ଦୋଷ ସୁଗ୍ରୀବର। ଏଇ ବୁଢ଼ା ଦଳର ମୁଖିଆ ଲେଞ୍ଜୁ କନ୍ଧ। ତା'ର କହିବା କଥା ହେଲା ସୁଗ୍ରୀ ଗୋତି ରହିଛି। ତା କାମ ଛେଳି ଜଗିବା। ସେ ତା କାମ କଲା ନାହିଁ। ଛେଳିକୁ ବାଘ ଖାଇଲା। ତେଣୁ ସେ ସବୁ ଛେଳିର ପଇସା ଗଣିବ।

ଦିଉଡୁ କହିଲା, "ଭାରି ସାହୁକାରର ପଟ ନେଇ କଥା କହୁଚୁ ଦାଦି, ବୁଢ଼ା ଲୋକର ବିଚାର କଣ ଏଇଆ, ନା ବୁଢ଼ା ହୋଇଗଲେ ଲୋକର ମିଞ୍ଜାସ ଖରାପ ହୋଇଯାଏ ? ବାଘ ଖାଇଲା ଛେଳି, ବିଚରା ସୁଗ୍ରୀ କଣ କଲା ? ସାହୁକାରକୁ କହି ଗଣ୍ଡିଏ ଖାଇବାକୁ ଯାଇଥିଲା। ୟେ କଣ ଗୋଟିଏ ଦୋଷରେ ଲେଖା ଯେ ତା ଉପରେ ଦୋଷ ଲଦି ଦେଉଛୁ ?"

"ନାହିଁ ନାହିଁ, ଟୋକା ଲୋକର ବିଚାରିବା ମୁଣ୍ଡ ଭାରି ଠିକ୍। ସାଓଁତା ହୋଇଛୁ ନା ସେଥିପାଇଁ ତୋର ଭାରି ବୁଦ୍ଧି ହୋଇଯାଇଛି ପରା, ଆଉ ଆମେ ବୁଢ଼ା ଗୁଡ଼ାକ ସମସ୍ତେ ଓଲୁ। ହଉ ସୁଗ୍ରୀବ କନ୍ଧର କିଛି ଦୋଷ ଥାଉ ବା ନ ଥାଉ, ସାହୁକାର ତା'ଠୁଁ ଲେଖେଇ ନେଇଛି, ଏବେ କଣ କରିବୁ କର ?"

"କଣ କରିବି ? ତା'ର ଲେଖା ତା ଠି ଥାଉ, ତା'ର, ଲେଖାକୁ ନେଇ ସେ ଯାଉ ତା'ର ବାପା ପାଖକୁ, ମୋର ସେଥିରେ କି ଯାଏ। ମୁଁ ଗୋତି ଖଟିବି ନାହିଁ, ସେ କଣ କରିବ କରୁ।"

ଲେଞ୍ଜୁ କନ୍ଧ କହିଲା, "ଛି, ଥୁ।" ଲେଞ୍ଜୁ କନ୍ଧ ଛେପ ପକେଇଲା।

୨୩.୮.୧୯

Tuesday, 20 August 2019

*ଡୁମ୍ବାଗୁଡ଼ା ହାଟ*

ଏଇ ଡୁମ୍ବାଗୁଡ଼ା ହାଟ। କୋରାପୁଟ ଜିଲ୍ଲାର ଉତ୍ତର ଆଉ କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ସୀମା ସରିହାଦୁରେ। ଏପାଖ ସେପାଖର ପ୍ରାକୃତିକ ସୀମାପରି ଏଠି ଦୁଇ ପାଖକୁ ପାହାଡ଼ ଛାଡ଼ି ଯାଇଛି। ମଝିରେ ଉପତ୍ୟକା। ଏ ପାଖରେ ଲମ୍ବ ହୋଇ ପାହାଡ଼ର ଧାଡ଼ି ଲାଗିଛି ପନ୍ଦର କୋଷ, ପୂର୍ବରୁ ପଶ୍ଚିମ, କସାକେନ୍ଧୁଠୁ ଭିତର ବାଗ୍ରୀଠୁ ଗିର୍ଲିଗୁମ୍ମା କାଟ୍ରାଗଡ଼ା ପର୍ଯ୍ୟନ୍ତ, ବିଶାଳ ପର୍ବତ, ତା ଉପରେ ପ୍ରାନ୍ତର, ସେପାଖେ କଳାହାଣ୍ଡିର ବାଉଁଶବଣ ବୋଝେଇ ସାନ ସାନ ପର୍ବତର ଢେଉ।

ଡୁମ୍ବାଗୁଡ଼ା ହାଟ କୋରାପୁଟ ଜିଲ୍ଲାରେ ଗୋଟିଏ ବଡ଼ ହାଟ।

ରାସ୍ତାରେ ବୋଝ ଭାର ଧରି ଲୋକ ଚାଲିଥାନ୍ତି। ଗୋରୁ ଛାଲ, ମଇଁଷି ଛାଲ ଭାର ଭାର। ଛେଳି ପରି ମଢ଼ିଆ ମଢ଼ିଆ ସାନ ସାନ କଳାହାଣ୍ଡିଆ ବଳଦ। ବୋଝ ବୋଝ ଦେଶୀ ଲୁହାର କୋଡ଼ି, କାଙ୍କ, ଲଙ୍ଗଳ, ଫାଳ। ଗୋଦ୍ରୀଗାଁର ପ୍ରସିଦ୍ଧ କମ୍ହାରଙ୍କ ବର୍ଚ୍ଛା, ଛୁରା। ରଙ୍ଗମାଟିର ହାଣ୍ଡିକୁଣ୍ଢେଇ, ଚିତ୍ର ବିଚିତ୍ର ମାଠିଆ, ଫୁଲଝାଡୁ, କେତେ କ'ଣ। ସବୁଠୁ ବେଶି, - ଫସଲ।

ଘୋଡ଼ାରେ ଚଢ଼ି ଆସିଥାନ୍ତି ସାହୁକାରମାନେ, ମୋପନ୍ନା, ପା' ପନ୍ନା। ଏମାନେ ସାହୁକାର। ୟାଙ୍କ ଦେଶରେ ୟାଙ୍କ ଜାତିରେ ବି ଚାଷୀ ମଜୁରୀଆ ବେଶି। ଦରିଦ୍ର ବେଶି, କିନ୍ତୁ ଏମାନେ ସାହୁକାର।

ଅସଂଖ୍ୟ ଲୋକ। ଅସଂଖ୍ୟ ପର୍ବତିଆ ବୋଲି। କିଏ ଘୋଳି ହୋଇ ଆମ୍ବଗଛ ମୂଳେ ବସିଲାଣି, କିଏ ଆରାମ କରିସାରି ପୁଣି ଘେରାଏ ହାଟକୁ ଯିବାକୁ ପ୍ରସ୍ତୁତ ହେଉଛି।

ଏଇ ହାଟ ମଣିଷର ପୃଷ୍ଠପଟ। ଏତିକି କାଟିଦେଲେ ଲେଞ୍ଜୁ, ଦିଉଡି, ପୁବୁଲି, ପୁଲମେଁ କାହାରିକୁ ବୁଝିବା ଅସମ୍ଭବ।

ହୋ ହୋ ଘୋ ଘୋ ଚାଲିଛି। ହାଟ ଭାଙ୍ଗିଲା। ଡଙ୍ଗରିଆ ହାଟ। ଆଖପାଖରେ ଲୋକଙ୍କର ଚିହ୍ନ ବର୍ଣ୍ଣ ନାହିଁ।

ସଞ୍ଜ ହେଲା। ହାଟ ଫେରନ୍ତି ଦୂର ବାଟୋଇ ଏକାଠି ଜମାହୋଇ ବସି ପଡ଼ିଲେ। ଜଙ୍ଗଲ ତଳେ ତଳେ ଠାଆ ଠାଆକେ ନିଆଁ ଜଳିଲା ଦାଉ ଦାଉ, ଚାରିଶହ ଲୋକଙ୍କର ଏକାଠି ବସବାସ। ସେଇଠି କଜିଆ ଗୋଳ, ଗପ ପଙ୍ଗତ, ଗୀତ ଆଉ ନାଟ।

ରାତି ବଢ଼ିଲା। ନିଆଁ ଲିଭିଲା। ସମସ୍ତେ ଶୋଇଲେ। ଉପରେ ଖୋଲା ଆକାଶ, ତଳେ ତୋଟାମୂଳେ ଏକାଠି ଚାରିଶହ ଲୋକଙ୍କର ଫଁ ଫଁ ନିଃଶ୍ୱାସ ଆଉ ସାମନାରେ ପଥୁରିଆ ପୋଢ଼ଗାଡ଼ ନଈର ଛଳ ଛଳ ସାଇଁ ସାଇଁ।

ସମସ୍ତେ ଶୋଇରହିଲେ। ପୁବୁଲି, ସୁନାଦେଇ, ଦିଉଡୁ, ଲେଞ୍ଜୁ। ରାତି ବଣ ଚଢ଼େଇର କିଳିକିଳା। ନିଦ ଘୋରରେ ଚାରିଶହ ମଣିଷ। ଜଣ ଜଣକୁ ଉଠାଇ ଦେଖିଲେ ଗୋଟିଏ ଗୋଟିଏ ଜୀବନବ୍ୟାପୀ ଉପନ୍ୟାସ।

୨୦.୮.୧୯

Monday, 19 August 2019

*ଦିଉଡୁ ପୁୟୁ ଭିତରେ ଅନ୍ତର ବଢୁଛି*

ପୁବୁଲି ଓ ଦିଉଡୁ ଡୁମ୍ବାଗୁଡ଼ା ହାଟକୁ ଯାଇଛନ୍ତି। ଯିବା ପୂର୍ବରୁ ପୁବୁଲି ପୁୟୁକୁ ଡାକିଲା, କିନ୍ତୁ ଦିଉଡୁ କିଛି କଥା ହେଲା ନାହିଁ।

ଦସ୍ରୁ କୁକୁର ଆସି ପାଖରେ ଛିଡ଼ା ହୋଇ କେଁ କେଁ ହେଲା, ଲାଙ୍ଗୁଡ଼ ପିଟିଲା। ସେ କହି ଦେବାକୁ ଚାହେଁ ଯେ ତାକୁ ଭୋକ କଲାଣି। ହଠାତ୍ ପୁୟୁ କଅଁଳ ହୋଇଗଲା, ସାଓଁତା କଥା ମନେପଡ଼ିଲା। ସାଓଁତା ଥିଲେ ସେ ଫେରାଦ୍ ହୋଇଥାଆନ୍ତା। ଆଜି ଫେରାଦ୍ ହେବାକୁ କେହି ନାହିଁ।

ଦୀର୍ଘଶ୍ଵାସ ପକାଇ ବିକଳ ହୋଇ ପୁୟୁ ଚାହିଁ ରହିଲା। ହାକିନା ଶୋଇଲାଣି। ଖରା ବଢ଼ିଲାଣି। ଭାଁ ଭାଁ ଲାଗୁଛି। ଦସ୍ରୁ ମୁଣ୍ଡ ଆଉଁସି କହିଲା, "ଭୋକ କଲାଣି କି ରେ ? ରଇଥା ଖାଇବାକୁ ଦେବି।"

ପାଖ ଘରର ଦୁଆରମୁହଁରେ ଜାମିରି କନ୍ଧର ବୁଢ଼ୀ ଗାଧୁଆ ପାଣି ଥୋଇ ଦେଇଗଲା। ବୁଢ଼ା ଜାମିରି କନ୍ଧ ଗାଧୋଇବାକୁ ଆସି ବସିଲା। ସବୁଦିନ ଗାଧୁଆ ଗୋଟେ ଘଣ୍ଟା ଚାଲେ। ବୁଢ଼ୀ ବୁଢ଼ାକୁ ଗାଧୋଇଦିଏ। ନାଉ ଅଣକାରେ ପାଣି ଆଣି ବୁଢ଼ୀ ବୁଢ଼ା ଉପରେ ଅଜାଡ଼ିଲା, ଘଷାପୋଛା କଲା। ସ୍ଵସ୍ଥିର ଭଙ୍ଗୀରେ ଉଜ୍ୱଳ ମୁହଁ କରି ସବୁଦିନ ବୁଢ଼ା ଦୁଆର ମୁହଁରେ ବସେ। ବୁଢ଼ୀର ଅଲିଅଳ ସହୁଥାଏ।

କନ୍ଧ ଦେଶରେ ସ୍ୱାମୀଙ୍କୁ ଗାଧୋଇଦେବା ସ୍ତ୍ରୀର ଅଧିକାର ଓ ଅଭ୍ୟାସ। ଯେ ଯେତେ ହସୁ, କନ୍ଧ ଦାମ୍ପତ୍ୟ ଜୀବନର ଏତିକି ସୁଆଙ୍ଗ ଗୋଟିଏ ପୁରୁଣା ଶିଷ୍ଟାଚାର।

ପିଲାଝିଲା ଜନ୍ମ ହୋଇଛନ୍ତି, ବଡ଼ ହୋଇଛନ୍ତି, ଆପଣା ଆପଣା ଘର କରିଛନ୍ତି ଅଲଗା ଅଲଗା। ବୁଢ଼ା ବୁଢ଼ୀ ପରସ୍ପରକୁ ଆଦରି ପଡ଼ି ରହିଛନ୍ତି ସେକାଳରୁ ଏ କାଳ ଯାଏ।

ପୁୟୁ ଡାକିଲା, "ଏ ଆଈ, ଏଣିକି ଆ।"

"କ'ଣ,  ଗଲୁ ନାହିଁ କିଲୋ ହାଟକୁ ? ହଁ, ପିଲାବୁଆଳିଟିଏ ଯିବୁ କେମିତି ? ବସି ରହିଛୁ ଯେ, ଖିଆପିଆ ସାରିଲୁଣି ?"

"ଆଜି ରନ୍ଧା ନାହିଁ, ଦେହଟା ଭଲ ଲାଗୁ ନାହିଁ।"

"ଉପାସ ରହିବୁନା କ'ଣ ? ଏ କି ଛୋପରି କଥା ?"

"ନାଇଁ ସତେ ମ।"

"ଛି ଛି ଏ ଗୋଟିଏ କଥା ନା। ଆ ମୋ ସାଙ୍ଗରେ ଗଣ୍ଡାଏ ଖାଇଦବୁ। ନ ଖାଇଲେ ଦୁଧ ଶୁଖିଯିବ ଲୋ, ପିଲାଟା ଖାଇବ କ'ଣ ?"

"ଭଲ ଲାଗୁ ନାହିଁ ଆଈ, ଖାଇବାକୁ ମନ ହେଉ ନାହିଁ।"

"ହଉ ହଉ ଆ ଆ -" ବଳେ ବଳେ ବୁଢ଼ୀ ଓଟାରି ନେଇଗଲା। ମନକୁ ମନ ସ୍ୱାଧୀନ ମତାମତ ଗାଇ ଲାଗିଥାଏ, ଦେଖ୍ ତ ଏବେ କାଳ ପିଲାଙ୍କ କଥା - ହଁ ମୁଁ ଜାଣେ ଲୋ ସବୁ ଜାଣେ। ଆ ଆ।"

ବୁଢ଼ା ଅପେକ୍ଷା କରି ବସିଥିବ, ବୁଢ଼ୀ ନ ଗଲେ ସେ ଖାଇବ ନାହିଁ। କେବଳ ସ୍ନେହ, ଭଲ ପାଇବାର ବିବାହ ବନ୍ଧନ ଯେଉଁଠି ସହି ନ ହୁଏ ସେଠି ଭାଙ୍ଗେ, ଯେଉଁଠି ନ ଭାଙ୍ଗି ରହିଥାଏ ସେଠି ବଜ୍ର ପରି ଟାଣ, ଶେଷଯାକେ।

୧୯.୮.୧୯

Wednesday, 14 August 2019

*ବଣେ ବଣେ ଏଇ ତିନି ଦଳ*

ତାଙ୍କ ପଛେ ପଛେ ପିଲାବୁଆଳି ବୋହୂମାନଙ୍କ ଗୋଠ। ଗଜା ଗଛରେ କଷି ଧରିଛି, ସ୍ଥିତି ଉଦ୍ଦେଶ୍ୟ ପାଇଛି, ଅବାଟରେ କଣ୍ଟା ନାହିଁ, ଆଂଚୁଡା ନାହିଁ କି ପ୍ରତୀକ୍ଷା ଆନନ୍ଦ ନାହିଁ, ଉଛ୍ୱାସ ନାହିଁ। ମଡ଼ା ବାଟର ଆରାମ, ଆନନ୍ଦ କେବଳ ଅଭ୍ୟାସରୁ, ଚାଲି ଧୀରେ ଧୀରେ। ପିଲା ଜନ୍ମ ହୋଇଛନ୍ତି, ଆହୁରି ପିଲା ଜନ୍ମ ହେବେ। ଘରକରଣା ଆରମ୍ଭ ହୋଇଛି, ଆହୁରି ବଢ଼ିଯିବ। ସେମାନେ ସଂସାରରେ ଧରା ପଡ଼ିଛନ୍ତି। ନିତିଦିନିଆ ଦିନ ବଞ୍ଚିବାରେ ତାଙ୍କର ଆନନ୍ଦ। ତାଙ୍କର ନିର୍ଭର ଚାରିପାଖରେ ଦେଖା ପରିଖା ମଣିଷ ଆଉ ଜିନିଷ ଉପରେ ବଳର ଉପାଦାନ ସ୍ବପ୍ନ ନୁହେଁ, ସ୍ମୃତି ନୁହେଁ, କେବଳ ବିଶ୍ୱାସ।

ପଛେ ପଛେ ବୃଦ୍ଧା। ଭବିଷ୍ୟତ ହଳଦିଆ ଅସ୍ତ ସୂର୍ଯ୍ୟର ଆଲୁଅରେ ତାଙ୍କର ପ୍ରକାଶ। ବିଶ୍ୱାସର ଦମ୍ଭ ନାହିଁ, ନାହିଁ ସ୍ୱପ୍ନର ନିଶା, ପାଦ ଥୁରୁଥୁରୁ, ମନରେ ନିଷ୍ଫଳ ବିଦ୍ରୋହ, ବିଚାରରେ ଛକାଛକି ସାତ ପାଞ୍ଚ।

ବଣେ ବଣେ ଏଇ ତିନି ଦଳ।

ଗଛକୁ ଥୁଣ୍ଟାକରି ବୁଢ଼ୀମାନେ କାଠ ଭାଙ୍ଗି ନିଅନ୍ତି, କରଡ଼ି ଭାଙ୍ଗିନେଇ ବାଉଁଶ ଗଛ ମୂଳକୁ ପଦା କରିଦିଅନ୍ତି, ନିଠେଇ ନିଠେଇ ବାଟ ଚାଲନ୍ତି, ଝୁଣ୍ଟନ୍ତି, ଟୋକୀମାନଙ୍କୁ ସମାଲୋଚନା କରନ୍ତି, ବାଟକୁ ଗାଳି ଦିଅନ୍ତି, ଯେତେ ଫିରିଆଦି, ଯେତେ ଅଭିଯୋଗ ସବୁ ତାଙ୍କରି।

"ହେ ଝିଅମାନେ, କୁଆଡ଼କୁ ଅନେଇଁ ବାଟ ଚାଲୁଛ ଲୋ, କେଡ଼େ ସୁନ୍ଦର କାଇବସା ଛାଡ଼ି ଦେଇଗଲ, ହେଇ ଦେଖ ସେଠି, ତୋଳି ନେଇଥିଲେ କାମ ଦେଇ ନ ଥାନ୍ତା ?

"ତୁ ତୋଳୁନୁ ଆଈ ?"

"ମୋର ତୋଳିବାକୁ ବଳ ବହପ ଥିଲେ ଆଉ ତୁମକୁ ଡାକିପକାନ୍ତି କାହିଁକି ?"

''ଆଃ ଦେଖ ଦେଖ୍, କ'ଣ ହେଉଛନ୍ତି ଏଗୁଡ଼ାକ, ଆଉ ଟିକକୁ ଅନ୍ଧାର ହେବ। ଜନ୍ତୁ-ଜୁନ୍ତା ବହାରିବା ବେଳ, ଟିକିଏ ଭୟ ନାହିଁ, ଗଲେଣି କେଉଁ ବଣ ଭିତରକୁ ଫୁଲ ତୋଳି।"

ଗାଁ ପାଖ ହୋଇ ଆସିଲା। ଏଠିକାର ପଥୁରିଆ ଖୋଲା ମେଲା ଜାଗାରେ କେତେ କାହାକୁ ବାଘ ଖାଇଛି। ବାଘ ସେତେ ବଣରେ ଖାଏ ନାହିଁ, ଯେତେ ଖାଏ ବଣ ପାଖ ଏଇ ଖୋଲା ଜାଗାରେ।

ବେଳ ବୁଡ଼ି ଆସିଲା। ତେଜଟା ନିଗିଡ଼ି ଯାଉଥାଏ ଆକାଶ ଉପରୁ ଧୀରେ ଧୀରେ ପାହାଡ଼ ସେପାଖକୁ। ବଇଁଶୀର ସ୍ୱର ପାଖ ହେଲା। ଅଚିହ୍ନା କନ୍ଧ ପଞ୍ଝାଏ ମାଡ଼ି ଆସିଲେ।

"ଏ ଆଈ ! ଧୂଆଁ ପତ୍ର ଅଛିକି ଦେବ ଟିକିଏ।"

୧୪.୮.୧୯

Tuesday, 13 August 2019

*ବଣରେ ପୁବୁଲି*

ଗାଁର ସ୍ତ୍ରୀଲୋକମାନେ କାଠହାଣି ବଣବୁଲି ବାହାରି ଥାଆନ୍ତି, ପଛେ ପଛେ ବୁଢ଼ୀ ଦରହ ବୁଢ଼ୀ ଦଳ, ସବା ଆଗରେ ଦଳଛଡ଼ା ହୋଇ ଅଭିଆଡ଼ି ଝୁଏ, ମଝିରେ ବୋହୂମାନେ। ବାଟ ଚାଲିଲେ ଆପେ ଆପେ ଦଳର ବିଭାଗ ଫାଟିପଡ଼େ, କେହି ଜାଣିଶୁଣି ସଜେଇ ଦିଏ ନାହିଁ।

ପ୍ରଥମ ଦଳ -

ପୁବୁଲି ଆଗରେ ଥାଏ, ଅଗ୍ରଗାମୀ ପ୍ରଜାପତି ବାହିନୀ ତାଙ୍କର। ସେହି ଦଳରେ ରେନ୍ଦ, କାଠ୍କ, ଟିଟ, ପୁଲ୍ମେ। କାମ କରିବା ଖାଲି ଗୋଟେ ପତିଆରା, କାମ ପାଇଁ କାହାରି ଗରଜ ନାହିଁ, ଖାଲି ମନ ଆରା ଖୋଜେ ସମସ୍ତିଙ୍କଠୁଁ ଅଲଗା ହେବାକୁ, ହାତକୁ ହାତ ଛନ୍ଦି, ବେକରେ ବେକ ଖଞ୍ଜି ଦେଇ କାନ ପାଖେ ଫୁସ୍ ଫୁସ୍ ହେବାକୁ, ଅକାରଣରେ ହସିହସି ଗଡ଼ିବାକୁ। କଳରବର ଅର୍ଥ ନାହିଁ, ଉଦ୍ଦେଶ୍ୟ ରହିଛି, ଯୌବନର ସ୍ବପ୍ନର ରୂପାନ୍ତର ଆନନ୍ଦ। ରୂପାନ୍ତରିତ ସ୍ୱପ୍ନର କାହାଣୀରେ ଛିଣ୍ଡା ଛିଣ୍ଡା ଅନୁଭୂତିର କଥା ପଡ଼ିଯାଏ, କେବେ କିଏ ଦି' ଘଡ଼ି ଆଖି ଝଲସେଇ ଦେଇ ଚାଲିଯାଇଥିଲା, କେହି ତାକୁ ଗଣ୍ଠି ପକେଇ ସାଇତି ରଖି ନାହିଁ, ସେ ଖାଲି ଗୋଟାଏ ପ୍ରତୀକ, ମନର ତଳେ ତଳେ ତା'ର ଛାପା ନାହିଁ, ତେଣୁ ସେ ହସର ଉପାଦାନ। ସାନ ସାନ କଥା, ଭାଷା ଅଳ୍ପ, ଅଭିବ୍ୟକ୍ତି ବେଶି, ପଛେ ପଛେ ହସ। ହସୁ ହସୁ କେହି ଜଣେ ମାଡ଼ି ପକାଏ ନିବୁଜା ମନର କେଉଁ ଗହୀର ସ୍ମୃତିକୁ। ଶୋଇ ଶୋଇ ଯେ ଅପେକ୍ଷା କରି ରହିଥିଲା କେଉଁ 'ରେଦାସୀ' ଯୋଗକୁ। ଅଜାଣତରେ ମାଡ଼ି ପକାଏ। ଆଖି ଖୋଲେ, କିରୀଟିକୁଣ୍ଡଳ ପିନ୍ଧା ହସ ହସ ଉଜ୍ଜ୍ୱଳ ମୁହଁ, ସ୍ୱପ୍ନରେ ଭାସିଲା ଭାସିଲା, ଚାରିଆଖି ଏକାଠି ହୁଏ, ଯୁବତୀର ଚହଲା ହସ ଆଉ ଚହଳ ପକାଏ ନାହିଁ। ଅନନ୍ତ ଶବ୍ଦ-ବ୍ରହ୍ମର ପୃଷ୍ଠପଟରେ ବାଜେ ଅନାଦି ମନ୍ତ୍ରର ଧ୍ଵନି, ଯୁବତୀ ମୁଣ୍ଡ ନୂଆଏଁ। ଦଳରୁ ଫିଟିପଡ଼ି ଏକୁଟିଆ ଅଳସେଇ ରହେ, ପାଦ ଭାରୀ ଭାରୀ। ଧାର ଆଖିରେ ଭାବର ନିଶା। ପହଲି ଚମକ ସମ୍ଭାଳି ନେଇ ଅନେଇଁ ଦେଖେ ଚାରିଆଡ଼େ ନୂଆ ବଉଳ, ନୂଆ ପତ୍ର, ନୂଆ ଫୁଲର ଝଡ଼ି ତୋଫାନ, ସେ ବି ଆପଣାର ବକଳ ଝାଡ଼େ।

୧୨.୮.୧୯
୧୩.୮.୧୯

Sunday, 11 August 2019

*ବଣର ସନ୍ତାନ ବଣକୁ ଚିହ୍ନେ*

ଏଠି ବାଟ ସରେ ନାହିଁ, କାମ ସରେ ନାହିଁ, କେଉଁ କାମ କେତେବେଳେ ଆରମ୍ଭ ହୁଏ ଆଉ କେତେବେଳେ ସରେ କେହି ତା'ର ପତ୍ତା ରଖେ ନାହିଁ। ଠିକ୍ କାମ ସଫା କରିବ ବୋଲି କେହି ଲାଗିରହେ ନାହିଁ, ଲାଗିରହେ ଅଭ୍ୟାସରୁ।

ସାଙ୍ଗସାଥି ହୋଇ କନ୍ଧୁଣୀମାନେ ଚାଲିଥାନ୍ତି, କେଉଁଠି ବାଟ ମଝିରେ ଶୁଖିଲା ଡାହି ଶୋଇ ଶୋଇ ଅପେକ୍ଷା କରିଛି, କେଉଁଠି ସରୁ ମଲା ଗଛ, କନ୍ଧୁଣୀ କାମରେ ଲାଗନ୍ତି, କାଠ ଭାଙ୍ଗି ନିଅନ୍ତି। କିଏ ଶିଆଳି ପତ୍ର ତୋଳେ, କିଏ କନ୍ଦା ଖୋଳେ, କରଡ଼ି ଭାଙ୍ଗେ କିଏ ବା ରଙ୍ଗ ସରସର ହୋଇ ଧାଇଁଯାଏ ଫୁଲ ପେନ୍ଥାଏ ତୋଳିବାକୁ, ବୁଦା ଉହାଡ଼ରେ ବଣ କୁକୁଡ଼ା ଡିମ୍ବ, ମୟୁର ଡିମ୍ବ, ମୁଣ୍ଡ ଉପରେ କାଇ ବସା, ପଥର ସନ୍ଧିରେ ମହୁ ଫେଣା, ଚିହ୍ନରା ଆଖି ଚହଟିଯାଏ, ଚିହ୍ନି ନିଏ।

ଖଣ୍ଡେଦୂର ଉଠି ଝଙ୍କା ଆମ୍ବଗଛ ମୂଳେ ଗୋଡ଼ ଳମ୍ବେଇ ବସି ଏକାଠି ପଙ୍ଗତ, କିଏ ଛୁଆକୁ ଗେଲ କରେ, ଦୁଧ ଖୁଆଏ, କିଏ ପିକା ଟାଣେ, ଗପ ପଡ଼େ। କନ୍ଧୁଣୀମାନଙ୍କ ସଭା ହୁଏ। ସଭାରେ ଆଲୋଚନା ହୁଏ ମଣିଷ ଜୀବନର ବଡ଼ ବଡ଼ ସମସ୍ୟାର। ପରସ୍ପର ସାନ୍ନିଧ୍ୟ, ସୁଖାଳାପ ଆଉ ବଣ ବୁଲା ଏହା ତ ତାଙ୍କର ନିତିଦିନିଆ ଘଟଣା।

ଏହିମାନଙ୍କ ସଙ୍ଗେ ସମତାଳ ରଖି ଏକା ବଣ ଭିତରେ ବଣର ଜନ୍ତୁ ଚାଲିଥାନ୍ତି, ଗଛମୂଳେ ବୈଠକ ବସାନ୍ତି, ବଡ଼ ଗଛମୂଳେ ମାଙ୍କଡ଼ ପଲ, ତଳ ଝୋଲାର ବାଲିରେ ହରିଣ ସମ୍ବର ଦଳ ଦଳ, ବଣ ମଝିରେ ଖୋଲା ଜାଗାରେ ବଣ କୁକୁଡ଼ା, ଖୋଲା ଖୋଲା ବୁଦା ଜଙ୍ଗଲଛୁଆଣି ପାହାଡ଼ ଢାଲୁରେ ପଲ ପଲ ମୟୁର।

ନିଘଞ୍ଚ ବଣ ଭିତରେ ବାରିହୁଏ ନାହିଁ ଜନ୍ତୁର ଘର, ନା ବାରିହୁଏ ମଣିଷର ପଲା - ଗାଁ,ଏକା ଦଶା ସମସ୍ତିଙ୍କର।

ମିଣିଆକା ହାକିନା ସବୁ ଦେଖେ, କାନ ଟକଣେଇ ସବୁ ଶୁଣେ, ବଣୁଆ ପୃଥିବୀ ସଙ୍ଗେ ତା'ର ଚିହ୍ନାଜଣା ବଢ଼େ, ପ୍ରଶ୍ନ ଉଠେ, ବିସ୍ମୟ ପରେ ବିସ୍ମୟର ଢେଉ, ଛିଣ୍ଡା ଛିଣ୍ଡା ଅନୁଭୂତି ଏକାଠି ଆଉଟି ଆଉଟି ହୋଇ ଆକାର ପାଏ, ବଣର ସନ୍ତାନ ବଣକୁ ଚିହ୍ନେ।

୧୧.୮.୧୯

Saturday, 10 August 2019

*ହାକିନାର ପୃଥିବୀ*

ସେହି ଆରାମରେ ମିଣିଆକା ହାକିନା ଆଖି ମିଟିକା ମାରେ। ଦେଖେ ଏକ ସେଣିକିଆ ଦି' ସାଉଡ଼ି ଘର। ସବୁଠି ଚୂଲି, ସବୁଠି ଉଷୁମ୍ ସମାନ।

ମଣିଷମାନଙ୍କୁ ସେ ଅନାଏ ଛାତିଏ ଉଞ୍ଚରୁ, କେହି ତା ଆଖିରେ ଉଣା ଅଧିକା ଦିଶନ୍ତି ନାହିଁ, ହଲିଲା ଚାଲିଲା ଗୁଡ଼ାଏ ମୁଁହ, ସ୍ଥିର ରହିଛି ଯେ ସେ ତା'ର ମା' ସବୁବେଳେ ଏକାପରି। ବେଳେବେଳେ ହାକିନାର ପୃଥିବୀଟା ଦୋହଲେ। ଖଣ୍ଡେ ଟୋକେଇରେ ପଶି ଓରାରୁ ନ ହେଲେ ଗଛ ଡାଳରୁ ଓହଳିଥାଏ ସେ। ଚିହ୍ନା ମୁହଁଗୁଡ଼ିକ ପାଖରେ ନ ଥାଏ, ହାକିନାକୁ ନିଦ ମାଡ଼େ। କେତେବେଳେ ଖାଲି ତଳଟାରେ ପଦାରେ ଖଣ୍ଡେ କନା ଉପରେ ପଡ଼ିଥାଏ ସେ। ଆଖି ଆଗରେ ଗୁଡ଼ାଏ ଛବି ଚାଲିଯାଏ, ଗୋଟାକୁ ଗୋଟାକୁ ସେ ଧରିବାକୁ ସେ ଚେଷ୍ଟାକରେ ମନ ଭିତରେ। ପାରେ ନାହିଁ, କାନ୍ଦେ। ସାମାନ୍ୟ ଅଭାବରେ ସେ କାନ୍ଦେ, କାନ୍ଦିଲେ ଅଭାବ ମେଣ୍ଟେ।

ଆପଣାର ଅଭାବ ମେଣ୍ଟିଲା ପରେ ସେ ଗୋଟିଏ ଛୋଟିଆ ଦେଖଣାହାରୀ ହୁଏ, ପାରା ଆଖି ପରି ଆଖି, ସୋରିଷ ପଡ଼ିଲେ ଦିଶେ। କିନ୍ତୁ ଚାହାଣୀରେ କେବଳ ପ୍ରଶ୍ନ, ଏ ପୃଥିବୀର ଛନ୍ଦମନ୍ଦର ବନ୍ଧାଗତ ସେ ବୁଝିପାରେ ନାହିଁ। କାଉ ଥଣ୍ଟରେ ଥଣ୍ଟ ପୂରାଇ କାଉ ଛୁଆ କଣ ଖାଉଥିଲା, ମଣିଷଟିଏ ଆସିଲା, କାଉ ଉଡ଼ିଗଲା। କେତେ ଚଢ଼େଇ ଗଡ଼ର ଗଡ଼ର ହେଉଥାନ୍ତି ତା' ଚାରିପାଖେ, କିନ୍ତୁ ସବୁବେଳେ ମନ ଚଂ ଚଂ, ପାଖକୁ ଭରସନ୍ତି ନାହିଁ। ତା'ର ଇଚ୍ଛାହୁଏ ସେମାନେ ତା'ର ଆହୁରି ପାଖରେ ଆସି ବସୁଥାନ୍ତେ। ସମସ୍ତିଙ୍କ ପାଇଁ ତା'ର ମନ ହୁଏ, କେହି ତା ପାଖରେ ଅଟକି ରହନ୍ତି ନାହିଁ। ତାକୁ ସବୁ ରଙ୍ଗ ଭଲ ଲାଗେ। ରଙ୍ଗ ବଦଳିଲେ ସେ କାନ୍ଦେ।

ବେଳେବେଳେ ମା' ମୁହଁର ଉଜ୍ଜ୍ୱଳ ଧାସ କମିଯାଇ ଶୁଖିଲା କଳାକାଠ ପଡ଼ିଯାଇଥିବା ମୁହଁ ଦେଖିଲେ ସେ କାନ୍ଦେ।

ସାନ ମଣିଷ, ମନ ଗହୀରରେ ତା'ର ବି ବାଜେ ଅଭାବର ଢେଉ, ପୂର୍ଣ୍ଣତାର, ସେ କାନ୍ଦେ ହସେ, ସବୁ କଥାରେ ବାନ୍ଧିହୋଇ ରହେ ମା' କାନିରେ।

୧୦.୮.୧୯

Friday, 9 August 2019

*କାହିଁ ହିଡ଼ବାଡ଼ ନାହିଁ ତ ସେଠି !*

ମିଣିଆକା ହାକିନା କନ୍ଧିସ୍ଥାନକୁ ଆସିଲାଣି ପ୍ରାୟ ମାସେ ହେବ, ସାନ ପିଲାଟିଏ ସେ, କିନ୍ତୁ ତା'ର ବି ଏ ପୃଥିବୀ ଉପରେ ସମାନ ଅଧିକାର। ମଣିଷ ଦେହର ମନର ଯାହା ଦରକାର ସବୁ ତା'ରି ଅଛି, ସେ ସମ୍ପୂର୍ଣ୍ଣ ବା ଅସମ୍ପୂର୍ଣ୍ଣ ସେତିକି ମାପରେ ଯେପରି ପୃଥିବୀର ଆଉ ସବୁଠି ମଣିଷ ପିଲା ସମ୍ପୂର୍ଣ୍ଣ କି ଅସମ୍ପୂର୍ଣ୍ଣ। ତା'ର ଜନ୍ମଦିନ କେଉଁଠି ଲେଖା ହୋଇ ନାହିଁ, ତା'ର ଜାତକ ନାହିଁ କି ପାଞ୍ଜି ନାହିଁ, କେହି ତା'ର ଜନ୍ମ ଦିବସ ପାଳି ନାହାନ୍ତି, ତା'ର ଜନ୍ମରେ ରାଜ୍ୟରେ ଚହଳ ପଡ଼ି ଯାଇ ନାହିଁ, କି ତାର ସ୍ମାରକ ପ୍ରତିଛବି କେଉଁଠି ଛପା ହୋଇ ନାହିଁ। ସଂସାରର ଅଗଣିତ ପିଲାଙ୍କ ପରି ଜଣେ ସେ।

କିନ୍ତୁ ଆକାଶର ନକ୍ଷତ୍ର ଯୋଗ ଦେଇଛି ସେ ରାଜା ହେବ ନାହିଁ, ତା'ର ବୋଇତ ଭାସିବ ନାହିଁ, ସେ ମଣିଷକୁ ଖେଳନା କରି ଫୋପାଡ଼ିବ ନାହିଁ, ନଚେଇବ ନାହିଁ, ଖଟେଇବ ନାହିଁ, ତୋଳିବ ନାହିଁ ମହଲା ମହଲା କୋଠା ରାବଣା ସାହୁକାରର ସ୍ୱର୍ଗକୁ ନିଶୁଣି ପରି। ଅନେକ ନାହିଁ ନାହିଁ ଅଛି ତା'ର ଜୀବନରେ, ନକ୍ଷତ୍ର ଯୋଗ ଦେଇଛି।

ଦଇବ ତା' ପାଇଁ ପଘା ଖଣ୍ଡେ ତିଆରି କରି ଖଟେଇ ଦେଇଛି ଖୁଣ୍ଟରେ, ସେତିକିରେ ସେ ଚରିବ, ବୁଲିବ, ତା ବାହାରକୁ - ନାହିଁ ନାହିଁ କେବଳ।

ପୁଅଟିଏ ହୁଏ, ମା କଳ୍ପନା କରେ କ'ଣ ହେବ ତା କପାଳ, ସ୍ନେହରେ ସିନା ମୁଣ୍ଡ ଉପରେ ଆଙ୍ଗୁଠିରେ ଆଉଁସି ଆଉଁସି ଭାବେ ସତେ ଏ ବକଟକ ମଣିଷ ହେବ, କ'ଣ ଅଛି ୟା ଭାଗ୍ୟରେ ଟି ! ଦେବତାଙ୍କୁ ମନାସେ, ବାର ଲାଞ୍ଚ ଯାଚେ, ଦୈବିଜ୍ଞାକୁ ଲୁଚେଇ ଲୁଚେଇ ଡାକେ, ଆଉ ପଚାରି ବୁଝେ, ସବୁ ଭଲଟି, ନା କଣ କହ କହ। ଦୈବିଜ୍ଞ, ଖଡ଼ି ପକାଏ, ପାଗଯୋଗ ହିସାବ କରେ, ମୋଟାମୋଟି କଷାକଷିରେ କହି ଦିଏ ଯୋଗ ଅନୁସାରେ କଣ ହେବ। ମା ସେତିକିରେ ସନ୍ତୋଷ ପାଏ।

ଦୈବିଜ୍ଞ କହେ ନାହିଁ କଣ ହେବ ନାହିଁ।

କେଉଁଥିରେ କମ୍ ମିଣିଆକା ହାକିନା ତା ସାଙ୍ଗର ପୃଥିବୀରେ ଅନ୍ୟ ଯେଉଁମାନେ ଜନ୍ମ ହୋଇଛନ୍ତି ତାଙ୍କଠାରୁ ? ଅଥଚ ଅନେକ ଜୁଲୁମ ଅନେକ ଭୋଗ ବାକି ରହିଯିବ ତା' କପାଳରେ, ତା' ସାଙ୍ଗର ପିଲା ବଡ଼ ହେଲେ ତା ପାଇଁ ଆଇନ ବାନ୍ଧିଦେବେ, କରିବେ ଝୋଳ ଝୋଳ ଫଳ ଫଳ, ତାକୁ କାଠିରେ ନଚେଇବେ, ସେ ଗରିବ ଭାଇ, ସେ କନ୍ଧିଆ ଭାଇ।

ଯେତେ ଜନ୍ମ ହୁଅନ୍ତି, ତାଙ୍କ ଭିତରୁ ଅଧିକାଂଶ ବୁଝିପାରନ୍ତି ନାହିଁ, ତାଙ୍କ ଜୀବନରେ ନାହିଁ ନାହିଁ କେତେ। ଯାହା ପାଆନ୍ତି ଗୋଟାଇ ନିଅନ୍ତି, ନ ପାଇଥିବା ପଦାର୍ଥର ହିସାବ ରଖନ୍ତି ନାହିଁ। ଅଳ୍ପ କେଇଜଣ ଗୋଡ଼ ଅଡ଼ାନ୍ତି, ତାଲିକାରେ ତାଙ୍କ ନାଁ ଉଠେ। ତାଙ୍କ ଇଙ୍ଗିତରେ ପୃଥିବୀରେ ତୋଫାନ୍ ଉଠେ।

ମିଣିଆକା ହାକିନା ପୃଥିବୀଟାକୁ ଦେଖେ ମା ଛାତିରୁ, ଉଷୁମ୍ ନରମ, ଅଭାବ ନାହିଁ, ଝରଣାର ଅସରନ୍ତି ଧାରପରି କଳେ କଳେ ମା କ୍ଷୀର, କି ସୁନ୍ଦର ଖୋଲା ଆକାଶ ନେଳି ଆକାଶ, କାହିଁ ହିଡ଼ବାଡ଼ ନାହିଁ ତ ସେଠି !

୯.୮.୧୯

Thursday, 8 August 2019

*ପ୍ରେତ-ସନ୍ତତି*

ପର୍ବତ ଉପରେ କନ୍ଧର ଚାଷ। ତଳେ ସେ ଯେଉଁ କ୍ଷେତକୁ ସବୁ ଦିନିଆ କରି ଛାଡ଼ି ଦେଇ ଯାଇଛି ସେସବୁ ପରର। ଧୀରେ ଧୀରେ ସାହୁକାର ଆସିଲେ, କ୍ଷେତ ବଢ଼େଇଲେ, କନ୍ଧିଆ ଦେଶରେ ଚେର ମଡ଼େଇଲେ। ସେମାନେ ତ ବନ୍ଧୁ ହୋଇ ଆସି, ସଙ୍ଗାତ ମୈତ୍ର ବସି, ମଦ ପାଣି ଦେଇ ଧୀରେ ଧୀରେ ଚେକାମାଡ଼ି ବସନ୍ତି। ଚଞ୍ଚକତା କରି କାଗଜରେ ଟିପ ଚିହ୍ନ ନେଇ ଜମି ଦଖଲ କରି ନିଅନ୍ତି। କିଏ ବନ୍ଧା ରଖିଛି ବୋଲି କହି ବିକ୍ରି କାଗଜ ପତ୍ର କରି ଛୁ। କିଏ ରସିଦ ନେଉଛି କହି ତ୍ୟାଗପତ୍ର ଲେଖେଇ ନେଉଛି।

ଅନ୍ଧାରି ବଣ, ତହିଁକି ବାଟ ନାହିଁ। ଚାରିପାଖରୁ ଧୀରେ ଧୀରେ ସାହୁକାର ଆସୁଛନ୍ତି, ଧୀରେ ଧୀରେ ତାଙ୍କର ବେପାର ବଢୁଛି, ତାଙ୍କର ସହର ବସୁଛି, ଗାଁ ବସୁଛି। ଦେଶୀଆର ଧନ, ଦେଶୀ ଆଳୁ କରଜ ଲଗାଇ ସେମାନେ ସୁଧ ଖାଇବେ, ଦେଶିଆ ତାଙ୍କର ଗୋତି ହେବ, ତାର ପୁରୁଣା କ୍ଷେତ ଚଷିବ, କିନ୍ତୁ ଚାକର ହୋଇ।

ସେ ଠକେଇରେ ତ ପଡ଼େ, ପଇସା ସରେ, ଗୋତି ହୋଇ ଆପଣା ଧିଆତି ଉପରେ ଆପଣା ପୁଅ ନାତିଙ୍କ ଧିଆତି ବି ବାନ୍ଧିଦିଏ ଖଟି ମରିବାକୁ। ଏତିକିରେ ତା'ର ନିସ୍ତାର ନ ଥାଏ, ବାହାର ଗୋରାଲୋକେ ବଣ ଭିତରକୁ ଆଖିଝଲସା ନୂଆ ଆଲୁଅ ଆଣନ୍ତି, ଆଣନ୍ତି ରଙ୍ଗ ରଙ୍ଗର କାଚ, ବଣବାସୀ ସେଥିରେ ମାତିଯାଏ। କେବେ ଆପଣା ହାତରେ ତିଆରି କରି ସେ ଧୁଙ୍ଗିଆ ପିଉଥିଲା, ଏମାନେ ତାକୁ ଦେଖାଇଲେ ବିଡ଼ି। ଆପଣା ହାତରେ ବୁଣି ସେ ଲୁଗା କରୁଥିଲା, ଡମ୍ବର ଖଦି, କୁମ୍ଭପକା ମୋଟା ଲୁଗା,ପରଜା ପାଞ୍ଚିଆ, ବାଘ ପଟିଆ ଲୁଗା, ସହରୀ ସଭ୍ୟତା ଏ ସବୁ ବୁଡ଼ାଇଲା, ତାଙ୍କୁ ଦେଖାଇଲା ଲୁଗା, କୋଟ, କମିଜ।

ଦେଶୀଆ ବାବୁ ହେବାକୁ ମନ କରେ, କୌପୀନି ପିନ୍ଧେ, ଅଥଚ ଦେହରେ ଖଣ୍ଡେ କୋଟ ଲଗାଏ, ନିଜ ଭାଷାକୁ ଘୃଣା କରେ, ସହରୀ ଭାଷା ଶିଖେ। ରାସ୍ତାକଡ଼ର ଦେଶୀଆମାନେ ଆପଣାର ଭାଷା ଭୁଲିଗଲେଣି, ବେଶ ଛାଡ଼ିଲେଣି, ତାଙ୍କର ଘର ତିଆରି କି ଘରକରଣାର ପ୍ରାଚୀନ ଶୈଳୀ କେବେଠୁଁ ଗଲାଣି। ସାମାଜିକ ଜୀବନ ବି ବିଭ୍ରାଟ, ନୂଆ ସଭ୍ୟତାର କବଳରେ ପଡ଼ି ସମାଜ ଭାଙ୍ଗିଛି, ସାବୁନ-ଧୂଆ ଶାଢ଼ୀ ପିନ୍ଧା ସ୍ତ୍ରୀଲୋକ ମେସିନ ଧୂଆ ଚକାଚକ୍ ପିନ୍ଧା ବାହାର ପୃଥିବୀର ପୁରୁଷଙ୍କ ଆଡ଼କୁ ଚହଲି ଯାଇଛନ୍ତି।

କନ୍ଧ ଅଭିଧାନରେ 'ବେଶ୍ୟା' ଶବ୍ଦର ପ୍ରତିଶବ୍ଦ ନାହିଁ, ଗଦବା ଅଭିଧାନରେ ନାହିଁ, କିନ୍ତୁ ସୌର ପଲ୍ଲୀ ହାଟ, ନାରଣପାଟଣା, ବନ୍ଦୁଗାଁ, ଆଲମଣ୍ଡାର କନ୍ଧ ଓ ଡୁମରିପୁଟ କୋରାପୁଟ, ସିମିଳିଗୁଡ଼ା, ଜଇନଗର, ନବରଙ୍ଗପୁରର ଗଦବା, କୋରାପୁଟ ପାଖ ଚିନ୍ଦିରଗାଁ ଓ ଆଉ କେତେ ଅଞ୍ଚଳର ପରଜା ଏବଂ ସବୁ ଅଞ୍ଚଳର ନୂଆ ହାୱା ଲାଗିଥିବା ଖ୍ରୀଷ୍ଟିଆନ ଡମ୍ବ ବା ପାଣ ଏମାନଙ୍କ ଅଭିଧାନରେ ଖରାପ ଶବ୍ଦର ଆବଶ୍ୟକତା କେବେଠୁଁ ହେଲାଣି, ଜାତିକ୍ଷୟକାରୀ ରୋଗ ତ ନିଆଁ ପରି ମାଡ଼ି ଚାଲିଛି। ବଣ ଆଉ ସଡ଼କ ଧୂଳିର ସଂଘର୍ଷରେ ଯେଉଁମାନେ ନୂଆ ରୂପ ପାଉଛନ୍ତି ସେମାନେ ବିଶ୍ୱାମିତ୍ର ସୃଷ୍ଟି ପରି, ସେମାନେ ଉଦ୍ଦେଶ୍ୟହୀନ କାମକ୍ଷୁଧାର ଫଳ। ତାଙ୍କର ଗଠନପାଇଁ ବଛାବଛି ନ ଥିଲା କି ଯୋଜନା ନ ଥିଲା। ମସ୍ତିଷ୍କ ଦୁର୍ବଳ, ମନରେ ବିକଟ ପାଶବିକତା, ଦେହରେ ରୋଗ ବା ରୋଗର ଉପରୋଗ ଗଣ୍ଠିବାତ, ପେଟଫୁଲା, ଚେହେରା ବିଶିଷ୍ଟହୀନ, ସାହେବ ଆଖି ପରି ଆଖି, ବ୍ରାହ୍ମଣ କପାଳ, କନ୍ଧ ଥୋମଣୀ, ଗଦବା ଭ୍ରୁଲତା।

ସେମାନଙ୍କ ଆଖିରେ ଆଶା ନାହିଁ, ଛାତିରେ ବଳ ନାହିଁ, ସେମାନେ  ଦୋକାନ ପାଖରେ ଭିଡ଼ ଲଗାନ୍ତି। ଏଇ ଅଧା ତିଆରି ପ୍ରେତ ଦଳଙ୍କ ଭିତରେ କେଉଁ ଦେଶ ବିଦେଶର କେତେ ବଡ଼ଲୋକ ସାନଲୋକଙ୍କ ପୁଅଝିଅ ଥିବେ କିଏ କହିପାରିବ,  ନିଛାଟିଆ ବଙ୍ଗଳା ଘର, ବିଲାତି ମଦ ନିଶା, ଘରଭୁଲା ବାଟୋଇ, ତା'ର ନିର୍ଜନ ବନବାସ, ଲଙ୍ଗଳା ବଣଦେଶ, ସବୁ ମିଶି ବିଶ୍ଵାମିତ୍ର ସୃଷ୍ଟି, ଅନାବନା। ବାଟରେ ବାଟୋଇ ଚାଲିଯାଇଛି, ସେ ତା'ର ସମ୍ମାନ ମୁଣ୍ଡେଇ ବାଟ ଚାଲୁଥିବ କେଉଁ ଦୂରଦେଶରେ, ଏଠି ତା'ର ପ୍ରେତ-ସନ୍ତତି ଯେଉଁମାନେ କେଉଁ କୁଳର ନୁହଁନ୍ତି କୁଲି ଗୋତି ସିଟିଏମ୍ ବେଶ୍ୟା।

୭.୮.୧୯,
୮.୮.୧୯