ଭାରତୀୟ ସାମାଜିକ ସଂରଚନାର ମୌଳିକ ଏକକ ହେଉଛି ପରିବାର। ପ୍ରାଚୀନ କାଳରୁ ଭାରତୀୟ ପରିବାରର ପ୍ରକୃତି ଯୌଥ ପରିବାର ଭାବେ ରହି ଆସିଛି। ଗୋଟିଏ ପରିବାରରେ ଯେଉଁଠି ଏକରୁ ଅନେକ ଦମ୍ପତ୍ତି ନିଜ ନିଜ ପୁଅ, ଝିଅ, ନାତି, ନାତୁଣୀ ଓ ଅନ୍ୟମାନଙ୍କ ସହ ଏକାଠି ରହୁଛନ୍ତି ଏଭଳି ପରିବାରକୁ ଏକନ୍ନବର୍ତ୍ତୀ ମିଳିତ ତଥା ଯୌଥ ପରିବାର କୁହାଯାଏ। ଏଥିରେ ମୁଖ୍ୟତଃ ବୟୋଜ୍ୟେଷ୍ଠ ମୁଖିଆ ତଥା କର୍ତ୍ତାଙ୍କ ଅନୁଶାସନ, ଉଦାରତା ସହ ପରିବାରର ସଦସ୍ୟମାନଙ୍କ ତ୍ୟାଗପୂର୍ଣ୍ଣ ସଂସ୍କାରିତ ବ୍ୟବହାର ଏହାକୁ ସୁସମ୍ପାଦିତ ଓ ଦୀର୍ଘଜୀବୀ କରିଥାଏ।
ସ୍ୱାଧୀନତା ପରଠାରୁ ଭାରତୀୟ ପାରିବାରିକ ସଂରଚନାରେ ବିଘଟନ ପ୍ରକ୍ରିୟା ଆରମ୍ଭ ହେଲା। ପରିବାର ଭିତରେ ଯେଉଁ ପ୍ରେମ, ଦୟା, ସହାନୁଭୂତି, ସହଯୋଗ ଆଦି ଉଚ୍ଚ ମାନବୀୟ ମୂଲ୍ୟବୋଧ ଗୁଡ଼ିକର ପୋଷକ ତତ୍ତ୍ୱ ଥିଲା ତାହା ପରସ୍ପରର ଇର୍ଷା, କଳହ, ସ୍ୱାର୍ଥ ଏବଂ ନିଜେ ନିଜକୁ ବଡ଼ କରିବାର ଆକାଂକ୍ଷାରେ ପରିବର୍ତ୍ତିତ ହୋଇ ଏହି ବିଘଟନର କାରଣ ସାଜିଲା। ଫଳତଃ ଭାରତର ପାରିବାରିକ ବ୍ୟବସ୍ଥା ଦୁର୍ବଳ ହୋଇ ବ୍ୟକ୍ତି ପରିବାର ବା ଏକକ ପରିବାରରେ ପରିବର୍ତ୍ତିତ ହେବାକୁ ଲାଗିଲା। ଏହି ବିଘଟନର ଏକମାତ୍ର କାରଣ ହେଲା ସାଂସ୍କୃତିକ ଅବକ୍ଷୟ। ଏହି ସାଂସ୍କୃତିକ ପ୍ରଦୂଷଣର ନମୁନାମାନ ଆମେ ପ୍ରତିଦିନ ସମାଜରେ ଘଟୁଥିବା ଘଟଣାବଳୀ ଗୁଡ଼ିକରୁ ଦେଖିବାକୁ ପାଉଛେ। ପରିବାର ବିଘଟନର ମୂଳରେ ରହିଛି ଭୌତିକବାଦୀ ଏବଂ ବ୍ୟକ୍ତିବାଦୀ ଚିନ୍ତନର ପ୍ରସାର। ସମକାଳୀନ କବିତାରେ ଏହାର ଚିତ୍ରଣ ଦେଖିବାକୁ ମିଳେ। ଡ. ରତନ କୁମାର ପାଣ୍ଡେ କହନ୍ତି - "୧୯୬୦ ପରେ ମୋହଭଙ୍ଗ, ବିଫଳତାବୋଧ ଓ ଦିଗହୀନ ଅନାସ୍ଥା ସୃଷ୍ଟି ହେଲା। ଚରିତ୍ର ନାଁ ରେ ସ୍ୱାର୍ଥ, ଛଳ, ପ୍ରପଞ୍ଚ, ବେଇମାନୀ, କର୍ମ ନାଁ ରେ ଷଡ଼ଯନ୍ତ୍ର, ହତ୍ୟା, ପ୍ରବଞ୍ଚନା, ସାମାଜିକ କଲ୍ୟାଣ ନାଁ ରେ କଳାଧନକୁ ସାଇତିବାର ସ୍ପର୍ଦ୍ଧା ଚାଲିଲା। ଏହା ଦ୍ୱାରା ବେରୋଜଗାରୀ ଯୁବ ପିଢ଼ିଙ୍କ ମନରେ ବିଦ୍ରୋହ, ଅସ୍ବୀକାର ଓ ନକାରାତ୍ମକ ଭାବ ବୃଦ୍ଧି ପାଇଲା। ଅନ୍ୟାନ୍ୟ କାରଣରୁ ଯୁବ ଵର୍ଗର ପରିବାର ପ୍ରତି ଉଦାସୀନ ଭାବ ଆସିଲା ଓ ପରିବାରରେ ସମ୍ବନ୍ଧ ବିଗିଡ଼ିଗଲା।" ଏ ଥିଲା ଯୌଥ ପରିବାରର ବିଘଟନର କାରଣ ସବୁ।
ସମକାଳୀନ କବିତାରେ ଯୌଥ ପରିବାରର ବିଘଟନ ସ୍ଥିତି ଓ ତାର ପରିଣାମର ସୁନ୍ଦର ଚିତ୍ରଣ ହୋଇଛି। କବିମାନେ ପାରିବାରିକ ବିଘଟନର ସ୍ଥିତି ପ୍ରତି ସହାନୁଭୂତି ପ୍ରଦର୍ଶନ କରିଛନ୍ତି। ଆହୁରି ମଧ୍ୟ ବିଡ଼ମ୍ବନାର ବିଷୟ ଏହି ଯେ; ଏକକ ପରିବାରରେ ପତି ପତ୍ନୀର ମଧୁର ସମ୍ପର୍କରେ ଶଙ୍କା ଓ ସନ୍ଦେହ ସୃଷ୍ଟି ହେବା। ଯାହା ଦାମ୍ପତ୍ୟ ଜୀବନକୁ କଣ୍ଟକିତ କରୁଥିଲା ଏବଂ ଏହାର ଦୁଷ୍ପ୍ରଭାବରେ ପତି ପତ୍ନୀଙ୍କ ଚିରନ୍ତନ ସମ୍ପର୍କରେ ଘୁଣ ପଶି ଅଲଗା କରିବାକୁ ଲାଗିଲା। ସର୍ବେଶ୍ୱର ଦୟାଲ ସାକ୍ସେନା ଲେଖିଛନ୍ତି -
"ବନ୍ଦ ରହିଥିବା କାଚର ଝରକା ପଛରେ
ତୁମେ ବସିଛ ମୁହଁକୁ ଲୁଚାଇ
କ'ଣ ହେଇଗଲା ସେଠୁ
ଯଦି ତୁମ ମୋ ଭିତରେ
ପଦୁଟିଏ ବି କଥାବାର୍ତ୍ତା ନାହିଁ
ଯାହା କହିବା କଥା ଏବେ କୁହାଯାଉ
ମୁଁ ତ ବାସ୍ନା ଭଳି ତୁମ ପାଖରେ ଅଛି
ତୁମ ମନ ଆଉ ଶରୀରକୁ
ସଦା ମୁଁ ଛୁଉଁଛି।"
ଏଇଭଳି ଏକକ ପରିବାରର ଅବସାଦଗ୍ରସ୍ତ ମନସ୍ଥିତି ଜୀବନକୁ ଶୁଷ୍କ କରିଦେଇ ବିଘଟନ ଘଟାଏ।
କ୍ରମଶଃ...
୨୫. ୬. ୧୮