Saturday, 30 June 2018

*ପାରିବାରିକ ବିଘଟନ...- ୬

ବ୍ୟକ୍ତିସ୍ୱାର୍ଥର ପ୍ରଭାବ ବଢ଼ିବାରୁ ସ୍ତ୍ରୀ ପୁରୁଷ ସମ୍ବନ୍ଧରେ ତିକ୍ତତା ଦେଖା ଦେଉଛି। ପାଶ୍ଚାତ୍ୟ ଜୀବନ ଚଳଣୀକୁ ଆପଣେଇ  ସ୍ୱାଧୀନତା ଏବଂ ସମାନତା ନାଁ ରେ ସ୍ତ୍ରୀ ସ୍ୱାମୀ ସହ ବିଦ୍ରୋହ କରୁଛି। ସ୍ୱାମୀକୁ ମଧ୍ୟ ଏ ସବୁ ଭଲ ଲାଗୁ ନାହିଁ। ଗୋଟିଏ ଛାତ ତଳେ ଥାଇ ମଧ୍ୟ ପତି ପତ୍ନୀର ଦାମ୍ପତ୍ୟ ଜୀବନରେ ଆସୁଥିବା ରୁକ୍ଷ କଳହକୁ ରେଖାଙ୍କିତ କରି କବି କହୁଛନ୍ତି -

"ମିଷ୍ଟର ଔର ମିସେସ ଭାନ୍
ଲନ ମେ ବୈଠେ
ଅପନେ ବିବାହ କି
ବର୍ଷ ଗାଁଠ ମନା ରହେ ଥେ।

ମିସେସ ଭାନ ନେ ମିଷ୍ଟର ଭାନ କେ ଲିଏ
ଜୂତା ଖରୀଦା ଥା
ଔର ମିଷ୍ଟର ଭାନ ନେ
ମିସେସ ଭାନ କେ ଲିଏ ଆଳୁଚା।

ମିଷ୍ଟର ଭାନ କୋ ନୟା ଜୂତା
କାଟ ରହା ଥା
ଔର ମିସେସ ଭାନ କୋ ଆଲୁଚା
ଖଟେ ଲଗ ରହେ ଥେ।

ଦୋନୋ କୋ ଏକ-ଦୂସରେ ପର
ଗୁସ୍ସା ଆ ରହା ଥା।"

ସ୍ତ୍ରୀ ପୁରୁଷଙ୍କ ପାରସ୍ପରିକ ପ୍ରେମ ଏବଂ ବିଶ୍ୱାସକୁ ଭୋଗବାଦୀ ବ୍ୟକ୍ତିସ୍ୱାର୍ଥ ଏବଂ ନାରୀ ସ୍ୱାଧୀନତାର ଚେତନା ବହୁତ କ୍ଷତି ପହଞ୍ଚାଇଛି।

କ୍ରମଶଃ...

୩୦. ୬. ୧୮

Friday, 29 June 2018

*ପାରିବାରିକ ବିଘଟନ...- ୫*

ସମକାଳୀନ ପରିବେଶରେ ମନୁଷ୍ୟ ଚିଡ଼ ଚିଡ଼ା ହୋଇ ଯାଉଛି। ନିଜର ସ୍ୱାଭାବିକ ଇଚ୍ଛା ସବୁକୁ ପୂର୍ତ୍ତି କରିବା ପାଇଁ ମନୁଷ୍ୟ ବହୁ ମାତ୍ରାରେ ସ୍ୱାର୍ଥୀ ଓ କ୍ରୁର ହୋଇଯାଉଛି। ଅଭାବ ଅନଟନରେ ପେସି ହୋଇ ତାର ଅନ୍ତଃକରଣରେ ଥିବା ପାରିବାରିକ ଭାବନା ଦୁର୍ବଳ ହୋଇଯାଉଛି। କୁଅଁର ନାରାୟଣଙ୍କ କବିତା "ଜବ ଆଦମୀ ଆଦମୀ ନହିଁ ରହ ଜାତା" ରେ ମାନବୀୟ ସମ୍ବେଦନାର ସମାପ୍ତି ହୋଇଯାଉଥିବା ସଙ୍କଟ ବିଷୟକୁ ବ୍ୟକ୍ତ କରାଯାଇଛି।

ସାମାଜରେ ସାମାଜିକ କ୍ରୁରତା ସାଧାରଣ ଭାବରେ ମାନ୍ୟତା ପାଇବାରେ ଲାଗିଛି। ପ୍ରାକୃତିକ ଆବଶ୍ୟକତାର ପୂର୍ତ୍ତି ପାଇଁ ଯଦି ମନୁଷ୍ୟ ସ୍ୱର୍ଥୀ ଏବଂ କ୍ରୁର ବି ହୋଇଯାଏ ତେବେ କବି ସେଥିରେ କିଛି ଆଶ୍ଚର୍ଯ୍ୟ ନ ହୋଇ ବ୍ୟକ୍ତ କରୁଛନ୍ତି -

"ମାମୁଲି ତୌର ପର କ୍ରୁରତା ଭି ଆଜ
ଜିନ୍ଦା ରହନେ କେ ଲିଏ ଏକ ଜରୁରତ ବନଗୟୀ।"

ଏଥିରୁ ବୁଝିହେଉଛି ଯେ ଧ୍ୱସ୍ତ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପାରିବାରିକ ବନ୍ଧନରେ ଏକ ଗଣ୍ଠି ପଡ଼ି ଯାଇଛି। ସାମାଜିକ ସମ୍ବନ୍ଧ ଏବେ କୃତ୍ରିମ ପ୍ରାୟ। ମନୁଷ୍ୟ ନିଜ ସମ୍ପର୍କୀୟଙ୍କୁ ଗୌଣ ମନେକରି ଉପେକ୍ଷା ମଧ୍ୟ କରୁଛି। ସାମାଜିକ ଓ ପାରିବାରିକ ସମ୍ପର୍କ ଆଜି କେବଳ ଅର୍ଥକେନ୍ଦ୍ରିକ ସାଜିଛି। ମାତା ପିତା ପୁତ୍ର ସନ୍ତାନ ମଧ୍ୟରେ ଏବେ ତିକ୍ତତା ବଢ଼ିବାରେ ଲାଗିଛି। ଘର ଭିତରେ ମନୁଷ୍ୟର କ୍ଳାନ୍ତ ମନ ବିଶ୍ରାମ ଓ ଶାନ୍ତି ପାଉ ନାହିଁ।

କ୍ରମଶଃ...

୨୯. ୬. ୧୮

Thursday, 28 June 2018

*ପାରିବାରିକ ବିଘଟନ...- ୪*

ସମକାଳୀନ କବିତାରେ ଯୌଥ ପରିବାରର ପରମ୍ପରା ଭିତରୁ ବାହାରି ନ ପାରିବାରୁ ମନରେ ବିଦ୍ରୋହ ଓ କୁଣ୍ଠା ଭାବ ଦେଖିବାକୁ ମିଳୁଛି। ଯୌଥ ପରିବାରରେ ଅନେକ ଅବହେଳାର ଚିତ୍ର ବି ଦିଆ ଯାଇଛି। ଅଶ୍ଵଘୋଷଙ୍କ କବିତା "ଦିନୁ ପାଣ୍ଡେ" ଯୌଥ ପରିବାରର ଚକ୍କିରେ ପେସି ହୋଇ ସାଧାରଣ ମଣିଷଟିଏ କେତେ ଅବହେଳିତ ହୋଇଛି ତାହାର କାହାଣୀ

"ବେତନ ଲେକର ଜବ ଘର ଆୟେ
ଦେଖ ରହେ ସବ ଆଁଖ ଗଡ଼ାଏ।

ଦୁନିଆଁ ତୋ ବସ୍ତେ କୀ ବୋଲି
ଶ୍ୟାମୂ ମାଂଗେ ମିଠି ଗୋଲି।

ରାମୂ କୋ ଜୂତେ ଆନେ ହେ
ଆମ୍ମା କୋ ସୌ ସୌ ତାନେ ହେ।

ସିର ପର ବୈଠେ କଇ ଜିନ୍ନ ହେ
ଦିନୁ ପାଁଡେ ବହୁତ ଖିନ୍ନ ହେ।"

ଅର୍ଥାତ୍ ଦିନୁ ପାଣ୍ଡେଙ୍କ ଭଳି ଜଣେ ସାଧାରଣ ମଣିଷ ଚାକିରୀ ଖଣ୍ଡେ କରିଛି ବୋଲି ତାର ବେତନ ପାଇବା ଦିନ ଘରର ସଦସ୍ୟ ସଦସ୍ୟାମାନଙ୍କର ସେହି ବେତନ ଉପରେ କେଉଁ ପ୍ରକାର ଆଖି ଥାଏ ତାହା ଏହି କବିତାରେ ବର୍ଣ୍ଣିତ।

ଏହିପରି ସମକାଳୀନ କବିତା ଯୌଥ ପରିବାରର ବିଘଟନ, ନୂତନ ସ୍ଥିତି ଓ ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛି।

କ୍ରମଶଃ....

୨୮. ୬. ୧୮

Wednesday, 27 June 2018

*ପାରିବାରିକ ବିଘଟନ...- ୩*

ଯୌଥ ପରିବାରରେ ବିଘଟନ ହେବା ଦ୍ଵାରା ପରସ୍ପର ପ୍ରେମ, ଦୟା, ସହାନୁଭୂତି, ସହଯୋଗ ଆଦି ସମ୍ବେଦନା ମଧ୍ୟ ଲୁପ୍ତ ହୋଇଯାଉଛି। ଏହି କାରଣରୁ କବିଙ୍କର ମନ ମାଆକୁ ନ ପାଇ ବିକଳ ହୋଇ ବୋବାଉଥିବା ବାଛୁରୀ ପରି ଚିତ୍କାର କରି ଉଠି କହିଛି -

"ଯଦ୍ୟପି ତାର ଆବଶ୍ୟକତା ପାଇଁ ମୁଁ ମୋର ସବୁ କିଛି ଦେଇ ଦେବାକୁ ପ୍ରସ୍ତୁତ କିନ୍ତୁ ଭାଙ୍ଗି ଯାଇଥିବା ପରିବାର ଠିକ ଭଙ୍ଗା ଧନୁ ଭଳି ବା ଗାଈକୁ ହରାଇ ଥିବା ବାଛୁରୀ ଭଳି ମୁଁ ବିଳାପ କରିବା ଛଡ଼ା ମୋର ଆଉ କିଛି କରିବାର ନାହିଁ।"

ଭଗ୍ନପ୍ରାୟ ସଂଯୁକ୍ତ ପରିବାରର ବିଘଟନର କାରଣ ଗୁଡ଼ିକ ଭିତରୁ ଔଦ୍ୟୋଗିକରଣ ଏବଂ ସହରୀକରଣରୁ ସୃଷ୍ଟ ଆର୍ଥିକ ଚାପ ସହ ନାରୀ ଜାଗରଣ ହିଁ ମୁଖ୍ୟ। ଡା. ଅଞ୍ଜନୀ କୁମାର ଦୁବେ 'ଭାବୁକ' ଙ୍କ ଅନୁସାରେ "ଔଦ୍ୟୋଗିକରଣର ପରିଣାମରୁ କୁଟୀର ଉଦ୍ୟୋଗ ସବୁ ଭାଙ୍ଗିଗଲା। ଯାହା ଅଧିକାଂଶ ଯୌଥ ପରିବାରର ଆର୍ଥିକ ସଂରଚନାର ଆଧାର ଥିଲା। କୁଟୀର ଉଦ୍ୟୋଗରେ ଲାଗିଥିବା କୋଟି କୋଟି ଲୋକଙ୍କ ଜୀବିକା ଉପାର୍ଜନର ନୂଆ ସାଧନ ଖୋଜିବା ପାଇଁ ସହରକୁ ଆସିବାକୁ ଲୋକ ବାଧ୍ୟ ହେଲେ।  ନାରୀ ଜଗରୂକତା ବୃଦ୍ଧି ପାଇଲା। ଆର୍ଥିକ ସ୍ୱାଧୀନତା ପାଇବା ପାଇଁ ନାରୀମାନଙ୍କ ଭିତରେ ପାରିବାରିକ ସ୍ତରରେ ଆନ୍ତରିକ କଳହ ବଢ଼ିଲା। ପରବର୍ତ୍ତୀ ସମୟରେ ଯୌଥ ପରିବାର ଭାଙ୍ଗିଯିବାର ଏହା ଏକ ବଡ଼ କାରଣ ହୋଇ ଠିଆ ହେଲା। ଅନେକ ମହିଳା ଆନ୍ଦୋଳନ ପାଇଁ ସ୍ତ୍ରୀମାନଙ୍କ ଭିତରେ ନବ ଚେତନାର ପ୍ରବେଶ କରାଇଲେ। ଶିକ୍ଷା ଏବଂ ଚାକିରୀରେ ସାମାନ ସହଭାଗିତା ପ୍ରାପ୍ତ କରିନେବା ପରେ ଝିଅମାନେ ଆଉ ଯୌଥ ପରିବାରକୁ ସହିବାକୁ ପ୍ରସ୍ତୁତ ହେଲେ ନାହିଁ  ପୁଣି ଏମାନେ ନିଜ ବ୍ୟକ୍ତିତ୍ୱ ବିକାଶ ପାଇଁ ଆଉ କାହାର ହସ୍ତକ୍ଷେପକୁ ମଧ୍ୟ ସ୍ୱୀକାର କଲେ ନାହିଁ ।"

ବର୍ତ୍ତମାନର ସ୍ଥିତିରେ ଆଜିର ନାରୀ ସମାଜ ପରିବାରରେ ଥିବା ଆଦର୍ଶ ଓ ନୈତିକତାକୁ ଭାଙ୍ଗି ଦେବାକୁ ଚାହୁଁଛି। ଯାହା ଆମ ଯୌଥ ପରିବାରରକୁ ଦୋହଲାଇ ଦେଉଛି।

କ୍ରମଶଃ...

୨୭. ୬. ୧୮

Tuesday, 26 June 2018

*ପାରିବାରିକ ବିଘଟନ...- ୨*

ପତି ପତ୍ନୀଙ୍କ ସମ୍ପର୍କରେ ଯଦି ଘଟା ଆସେ ଏଭଳି ସ୍ଥିତିରେ ଆତ୍ମୀୟ ସମ୍ବନ୍ଧଙ୍କ ବିଷୟରେ ଚର୍ଚ୍ଚା ହେଲେ ମଧ୍ୟ ଅବିଶ୍ୱାସର ପାହାଡ଼ ଛିଡ଼ା ହୋଇଯାଏ। ଏ ବିଷୟରେ  କବି ଶ୍ରୀକାନ୍ତ ବର୍ମାଙ୍କ କବିତାରେ କୁହାଯାଇଛି -

"ଇତନେ ଦିନୋ କେ ବାଦ
ଅକସ୍ମାତ ମିଲି ତୋ
ଆସୁଓଁ ନେ ଉସକେ ଉସେ,
ମେରେ ମୁଝେ ଭରମା ଦିୟା।
ଆସୁ ଜବ ଥମେ ତୋ
ମେ କୁଛ ଓର ଥା। ୱହ କୁଛ ଓର।
ୱହ ମେରୀ ଆଖୋ ମେ
ମେ ଉସକି ଆଖୋ ମେ।
ଢୁଣ୍ଡ ରହା ଥା ଶଙ୍କା
ଅବିଶ୍ୱାସ ଓର ଯାଚନା ସେ ଠୌର।"

ପରିବାର ବିଘଟନର ମୂଳ ସହରୀ ସଭ୍ୟତାର ଚାକଚକ୍ୟ ଓ ଉତ୍ତେଜିତ ହୋଇପଡୁଥିବା ଦାମ୍ପତ୍ୟ ଜୀବନର ଧାରା। ସାମାଜିକ ପ୍ରତିଷ୍ଠା, ଧାର୍ମିକ-ସାଂସ୍କୃତିକ ଶ୍ରେଷ୍ଠତା, ଜାତିଗତ ଉଚ୍ଚତା ଯାହା କେବେ ଭାରତୀୟ ସମାଜରେ ସମ୍ମାନର ସୂଚକ ଭାବରେ ନିଆଯାଉ ଥିଲା, ଏବେ ଆଉ ସେ ସବୁ ନାହିଁ। ତା ପ୍ରତି ବଦଳରେ ଆର୍ଥିକ ସମ୍ପନ୍ନତା ହିଁ ପରିବାରର ସମ୍ମାନର ମାନଦଣ୍ଡ ହୋଇଯାଇଛି। କବି ରାଜେନ୍ଦ୍ର କିଶୋରଙ୍କ କବିତା ପଙ୍କ୍ତିରେ ଏହି ଆର୍ଥିକ ଚାପ କାରଣରୁ ଭାଙ୍ଗି ପଡୁଥିବା ପାରିବାରିକ ସମ୍ବନ୍ଧର ଚିତ୍ର ଦେଇ ସେ ଲେଖିଛନ୍ତି -

"ଜୀବନ କେ ଅନୁଭବ କା
ଏକ ବୋଲ କହତା ହୁଁ
ବାପ କଭି ନ ବନତା
ପୈସେ ନ ହୋ ଯଦି
ବେଟେ ଔର ବେଟିୟୋଂ କେ
କ୍ରୋଧ ସେ ବଚନା।"

ଆଜିକାଲି ବିବାହକୁ ଏକ ଚୁକ୍ତିର ସମ୍ପର୍କ ବୋଲି ଗ୍ରହଣ କରାଯାଉଛି। ଯେଉଁଥିରେ ପତିବ୍ରତ ଓ ନୈତିକତାର କୌଣସି ସ୍ଥାନ ନାହିଁ। ଏହାଦ୍ୱାରା ପତି ପତ୍ନୀ ସମ୍ବନ୍ଧର ସାର୍ଥକତା ନଷ୍ଟ ହୋଇଯାଉଛି। ଦୁହେଁ କେବଳ ଔପଚାରିକତା ପାଳନ କରୁଛନ୍ତି। ପ୍ରେମ, ସୌହାର୍ଦ୍ଦ୍ୟ ଓ ସମ୍ମାନ ଯାହା ପତି ପତ୍ନୀର ସମ୍ବନ୍ଧକୁ ପ୍ରଗାଢ଼ କରାଇଥାଏ ତାହା ଆଜର ସମାଜରେ ଆର୍ଥିକ ଚାପ ଯୋଗୁ ଅଧିକରୁ ଅଧିକ ବିଘଟିତ ହେଉଛି। ଯୌଥ ପରିବାରର ବିଘଟନର ମୂଳ କାରଣ ହେଇ ଯାଉଛି ବ୍ୟକ୍ତି ସ୍ୱାଧୀନତା। ବ୍ୟକ୍ତିବାଦର ପ୍ରଭାବ କାରଣରୁ ମନୁଷ୍ୟ ଭିତରେ ସ୍ୱାଧୀନତାର ଭାବନା ବଢ଼ି ବଢ଼ି ଚାଲିଛି। ଆଜିକାଲି ଗଢ଼ି ଉଠୁଥିବା ସମ୍ପର୍କ ସବୁ  ସମାଜକୁ ଗୁରୁତ୍ୱ ନ ଦେଇ  ବ୍ୟକ୍ତି କେନ୍ଦ୍ରିକ ହୋଇପଡୁଛି। ଯଦି କୌଣସି ଯୌଥ ପରିବାରରେ ବ୍ୟକ୍ତି ସ୍ୱାଧୀନତା ଉପରେ ଆଞ୍ଚ ଆସୁଛି ସେଠି ପରିବାର ସାମାନ୍ୟ ଆଘାତରେ ମଧ୍ୟ ଭାଙ୍ଗି ଯାଉଛି। ଏ ହେଉଛି ଆଜି ପାଇଁ ଯୌଥ ପରିବାରର ବିଘଟନର କାରଣ।

କ୍ରମଶଃ...

୨୬. ୬. ୧୮

Monday, 25 June 2018

*ପାରିବାରିକ ବିଘଟନ ଓ ସମକାଳୀନ କବିତା - ୧*

ଭାରତୀୟ ସାମାଜିକ ସଂରଚନାର ମୌଳିକ ଏକକ ହେଉଛି ପରିବାର। ପ୍ରାଚୀନ କାଳରୁ ଭାରତୀୟ ପରିବାରର ପ୍ରକୃତି ଯୌଥ ପରିବାର ଭାବେ ରହି ଆସିଛି। ଗୋଟିଏ ପରିବାରରେ ଯେଉଁଠି ଏକରୁ ଅନେକ ଦମ୍ପତ୍ତି ନିଜ ନିଜ ପୁଅ, ଝିଅ, ନାତି, ନାତୁଣୀ ଓ ଅନ୍ୟମାନଙ୍କ ସହ ଏକାଠି ରହୁଛନ୍ତି ଏଭଳି ପରିବାରକୁ ଏକନ୍ନବର୍ତ୍ତୀ ମିଳିତ ତଥା ଯୌଥ ପରିବାର କୁହାଯାଏ। ଏଥିରେ ମୁଖ୍ୟତଃ ବୟୋଜ୍ୟେଷ୍ଠ  ମୁଖିଆ ତଥା କର୍ତ୍ତାଙ୍କ ଅନୁଶାସନ,  ଉଦାରତା ସହ ପରିବାରର  ସଦସ୍ୟମାନଙ୍କ ତ୍ୟାଗପୂର୍ଣ୍ଣ ସଂସ୍କାରିତ ବ୍ୟବହାର ଏହାକୁ ସୁସମ୍ପାଦିତ ଓ ଦୀର୍ଘଜୀବୀ କରିଥାଏ।

ସ୍ୱାଧୀନତା ପରଠାରୁ ଭାରତୀୟ ପାରିବାରିକ ସଂରଚନାରେ ବିଘଟନ ପ୍ରକ୍ରିୟା ଆରମ୍ଭ ହେଲା। ପରିବାର ଭିତରେ ଯେଉଁ ପ୍ରେମ, ଦୟା, ସହାନୁଭୂତି, ସହଯୋଗ ଆଦି ଉଚ୍ଚ ମାନବୀୟ ମୂଲ୍ୟବୋଧ ଗୁଡ଼ିକର ପୋଷକ ତତ୍ତ୍ୱ ଥିଲା ତାହା ପରସ୍ପରର ଇର୍ଷା, କଳହ, ସ୍ୱାର୍ଥ ଏବଂ ନିଜେ ନିଜକୁ ବଡ଼ କରିବାର ଆକାଂକ୍ଷାରେ ପରିବର୍ତ୍ତିତ ହୋଇ ଏହି ବିଘଟନର କାରଣ ସାଜିଲା। ଫଳତଃ ଭାରତର ପାରିବାରିକ ବ୍ୟବସ୍ଥା ଦୁର୍ବଳ ହୋଇ ବ୍ୟକ୍ତି ପରିବାର ବା ଏକକ ପରିବାରରେ ପରିବର୍ତ୍ତିତ ହେବାକୁ ଲାଗିଲା। ଏହି ବିଘଟନର ଏକମାତ୍ର କାରଣ ହେଲା ସାଂସ୍କୃତିକ ଅବକ୍ଷୟ। ଏହି ସାଂସ୍କୃତିକ ପ୍ରଦୂଷଣର ନମୁନାମାନ ଆମେ ପ୍ରତିଦିନ ସମାଜରେ ଘଟୁଥିବା ଘଟଣାବଳୀ ଗୁଡ଼ିକରୁ ଦେଖିବାକୁ ପାଉଛେ। ପରିବାର ବିଘଟନର ମୂଳରେ ରହିଛି ଭୌତିକବାଦୀ ଏବଂ ବ୍ୟକ୍ତିବାଦୀ ଚିନ୍ତନର ପ୍ରସାର। ସମକାଳୀନ କବିତାରେ ଏହାର ଚିତ୍ରଣ ଦେଖିବାକୁ ମିଳେ। ଡ. ରତନ କୁମାର ପାଣ୍ଡେ କହନ୍ତି - "୧୯୬୦ ପରେ ମୋହଭଙ୍ଗ, ବିଫଳତାବୋଧ ଓ ଦିଗହୀନ ଅନାସ୍ଥା ସୃଷ୍ଟି ହେଲା। ଚରିତ୍ର ନାଁ ରେ ସ୍ୱାର୍ଥ, ଛଳ, ପ୍ରପଞ୍ଚ, ବେଇମାନୀ, କର୍ମ ନାଁ ରେ ଷଡ଼ଯନ୍ତ୍ର, ହତ୍ୟା, ପ୍ରବଞ୍ଚନା, ସାମାଜିକ କଲ୍ୟାଣ ନାଁ ରେ କଳାଧନକୁ ସାଇତିବାର ସ୍ପର୍ଦ୍ଧା ଚାଲିଲା। ଏହା ଦ୍ୱାରା ବେରୋଜଗାରୀ ଯୁବ ପିଢ଼ିଙ୍କ ମନରେ ବିଦ୍ରୋହ, ଅସ୍ବୀକାର ଓ ନକାରାତ୍ମକ ଭାବ ବୃଦ୍ଧି ପାଇଲା। ଅନ୍ୟାନ୍ୟ କାରଣରୁ ଯୁବ ଵର୍ଗର ପରିବାର ପ୍ରତି ଉଦାସୀନ ଭାବ ଆସିଲା ଓ ପରିବାରରେ ସମ୍ବନ୍ଧ ବିଗିଡ଼ିଗଲା।" ଏ ଥିଲା ଯୌଥ ପରିବାରର ବିଘଟନର କାରଣ ସବୁ।

ସମକାଳୀନ କବିତାରେ ଯୌଥ ପରିବାରର ବିଘଟନ ସ୍ଥିତି ଓ ତାର ପରିଣାମର ସୁନ୍ଦର ଚିତ୍ରଣ ହୋଇଛି। କବିମାନେ ପାରିବାରିକ ବିଘଟନର ସ୍ଥିତି ପ୍ରତି ସହାନୁଭୂତି ପ୍ରଦର୍ଶନ କରିଛନ୍ତି। ଆହୁରି ମଧ୍ୟ ବିଡ଼ମ୍ବନାର ବିଷୟ ଏହି ଯେ; ଏକକ ପରିବାରରେ ପତି ପତ୍ନୀର ମଧୁର ସମ୍ପର୍କରେ ଶଙ୍କା ଓ ସନ୍ଦେହ ସୃଷ୍ଟି ହେବା। ଯାହା ଦାମ୍ପତ୍ୟ ଜୀବନକୁ କଣ୍ଟକିତ କରୁଥିଲା ଏବଂ ଏହାର ଦୁଷ୍ପ୍ରଭାବରେ ପତି ପତ୍ନୀଙ୍କ ଚିରନ୍ତନ ସମ୍ପର୍କରେ ଘୁଣ ପଶି ଅଲଗା କରିବାକୁ ଲାଗିଲା। ସର୍ବେଶ୍ୱର ଦୟାଲ ସାକ୍ସେନା ଲେଖିଛନ୍ତି -

"ବନ୍ଦ ରହିଥିବା କାଚର ଝରକା ପଛରେ
ତୁମେ ବସିଛ ମୁହଁକୁ ଲୁଚାଇ
କ'ଣ ହେଇଗଲା ସେଠୁ
ଯଦି ତୁମ ମୋ ଭିତରେ
ପଦୁଟିଏ ବି କଥାବାର୍ତ୍ତା ନାହିଁ
ଯାହା କହିବା କଥା ଏବେ କୁହାଯାଉ
ମୁଁ ତ ବାସ୍ନା ଭଳି ତୁମ ପାଖରେ ଅଛି
ତୁମ ମନ ଆଉ ଶରୀରକୁ
ସଦା ମୁଁ ଛୁଉଁଛି।"

ଏଇଭଳି ଏକକ ପରିବାରର ଅବସାଦଗ୍ରସ୍ତ ମନସ୍ଥିତି  ଜୀବନକୁ ଶୁଷ୍କ କରିଦେଇ ବିଘଟନ ଘଟାଏ।

କ୍ରମଶଃ...

୨୫. ୬. ୧୮

Sunday, 24 June 2018

*ଭାରତୀୟ ସାହିତ୍ୟ...- ୪*

ଜୟଶଙ୍କର ପ୍ରସାଦ ଲେଖିଛନ୍ତି ଯେତେବେଳେ ପୁରୁଷ ନାରୀ ହେବାକୁ ଚେଷ୍ଟା କରେ ତେବେ ସେ ଦେବତା ହୋଇଯାଏ କିନ୍ତୁ ନାରୀ ପୁରୁଷ ହେବାକୁ ଚେଷ୍ଟା କଲେ  ସେ ରାକ୍ଷସୀ ରୂପରେ ଅବତୀର୍ଣ୍ଣ ହୁଏ। କଠୋରତାର ଉଦାହରଣ ପୁରୁଷ ହେଉଥିଲା ବେଳେ କୋମଳତାରେ ଶ୍ରେଷ୍ଠ ହେଉଛି ନାରୀ। ଏଠାରେ ଲେଖକ ନାରୀକୁ ନିଜ ସତୀତ୍ୱ, କୌମାର୍ଯ୍ୟ, ଲଜ୍ଜା ଓ ସହନଶୀଳତା ବଜାୟ ରଖିବାର ଉପଦେଶ ଦେଇଛନ୍ତି। ପୁରୁଷର ପ୍ରେରଣାଦାତ୍ରୀ ଭାବରେ ନାରୀ  ବିଜୟର ଶକ୍ତି ପ୍ରାପ୍ତ କରାଏ। ଯେତେବେଳେ ପୁରୁଷ କୌଣସି ସଙ୍କଟରେ ପଡ଼ି ନିଜ ମନର ସନ୍ତୁଳନ ହରାଇବାକୁ ବସେ ସେ ବେଳରେ ସେହି ନାରୀ ହିଁ ପୁରୁଷକୁ ଦୃଢ଼ ରହିବାକୁ ପରାମର୍ଶ ଦେଇ ବିକଟ ସମସ୍ୟାରୁ ରକ୍ଷା କରିଥାଏ। ଶଙ୍କର ପ୍ରସାଦ ନାରୀକୁ  ଲଜ୍ଜାର ଏକ ଚଳନ୍ତ ପ୍ରତିମୂର୍ତ୍ତି ବୋଲି ମାନିଛନ୍ତି। ତାଙ୍କ ମତରେ ଯେଉଁଦିନ ନାରୀଠାରେ ଲଜ୍ଜା ସମାପ୍ତ ହୋଇଯିବ ସେହିଦିନ ତାର ନାରୀତ୍ବ ମଧ୍ୟ ସମାପ୍ତ ଲଭିବ।

ନାରୀ ହେଉଛି କୁଟୁମ୍ବର ମୁଖ୍ୟ ଆଧାର ଏବଂ କୁଟୁମ୍ବ ବ୍ୟବସ୍ଥାର ପ୍ରମୁଖ ସମନ୍ଵୟ ରକ୍ଷାକାରିଣୀ।

ସାହିତ୍ୟ ବଦଳୁଥିବା ଦାମ୍ପତ୍ୟ ଜୀବନକୁ ନେଇ ଅନେକ ରଚନାତ୍ମକ ସୃଷ୍ଟି ସମାଜକୁ ଉପହାର ଦେଲାଣି। ଯେଉଁଥିରେ ପତି ସର୍ବସ୍ୱ ସମାଜର ବିଚ୍ୟୁତି ଘଟି ପତିପତ୍ନୀ ଉଭୟଙ୍କ ଆର୍ଥିକ ସହଯୋଗୀତାର ସାମାଜ ସୃଷ୍ଟି କରିଛି। ଆଜି ନାରୀ କେବଳ ଗୃହିଣୀ ସାଜି ପରଦା ଆଢୁ ଆଳରେ ନ ରହି ନିଜେ କର୍ମ କ୍ଷେତ୍ରକୁ ଓଲ୍ହାଇ ପଡ଼ି ପାରିବାରିକ ଅର୍ଥ ବ୍ୟବସ୍ଥାର ଉନ୍ନତି ପାଇଁ ସହଯୋଗୀଭାବେ ଆଗକୁ ଆସି କି ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଛି ଯାହା ଯଥେଷ୍ଟ ଭାବରେ ନାରୀର ମୂଲ୍ୟକୁ ଉଚ୍ଚ କରିଦେଇଛି। ବର୍ତ୍ତମାନ ଏହି ସମାଜ ଚଳଣୀକୁ ନେଇ ସାହିତ୍ୟିକମାନେ ମଧ୍ୟ ତାଙ୍କ ରଚନାରେ ନାରୀ ପୁରୁଷ ଭିତରେ ଥିବା ସାମାଜିକ ଅସମାନତାକୁ ଯଥେଷ୍ଟ ଭାବେ ହ୍ରାସ କଲେଣି।

୨୪. ୬. ୧୮

Saturday, 23 June 2018

*ଭାରତୀୟ ସାହିତ୍ୟ...- ୩*

ଶରତ ଚନ୍ଦ୍ର ଚଟୋପାଧ୍ୟାୟ ବଙ୍ଗର ଜଣେ ପ୍ରସିଦ୍ଧ ଔପନ୍ୟାସିକ ଯିଏ ତତ୍କାଳୀନ ସମାଜର ନାରୀ ନିର୍ଯ୍ୟାତନାକୁ ତାଙ୍କ ଉପନ୍ୟାସରେ ଚିତ୍ରିତ କରିଛନ୍ତି। "ନାରୀର ମୂଲ୍ୟ" ପ୍ରବନ୍ଧରେ ସେ ବର୍ଣ୍ଣନାକରି କହିଛନ୍ତି ଯେ ମଣି-ମାଣିକ ହେଉଛି ମହା ମୂଲ୍ୟବାନ ବସ୍ତୁ; କାରଣ ସଂସାରରେ ଏହା ଦୁର୍ଲ୍ଲଭ। ସେଭଳି ମନୁଷ୍ୟର ଜୀବନ ଧାରଣ ପାଇଁ ଜଳ ଏକ ପ୍ରତିଦିନର ଆବଶ୍ୟକ ହେଉଥିବା ବସ୍ତୁଟିଏ। ତଥାପି ସୁଲଭତା କାରଣରୁ ତାହାର ମୂଲ୍ୟକୁ ଆମେ ଉପଲବ୍ଧି କରିପାରୁ ନାହୁଁ। ପରନ୍ତୁ, ଯଦି କୌଣସି ଦିନ ଜଳ ମିଳିବା ଦୁର୍ଲ୍ଲଭ ହୋଇଯାଏ, ତେବେ ସେହି ସମୟରେ ରାଜାଧିରାଜ ମଧ୍ୟ ଜଳର ଏକ ବୁନ୍ଦା ପାଇବା ପାଇଁ ନିଜ ମୁକୁଟ ଭଳି ମୂଲ୍ୟବାନ ବସ୍ତୁ ବିକ୍ରୀ କରି ଦେବାକୁ ପଛାନ୍ତି ନାହିଁ। ଏହିପରି ସ୍ଥିତି ବା ଈଶ୍ୱର ଏମିତି ନ କରନ୍ତୁ ଯେ ନାରୀ ସଂସାରରେ ବିରଳ ହୋଇଯିବେ ଏବଂ ସେହିଦିନ ତାର ଯଥାର୍ଥ ମୂଲ୍ୟ କେତେ ଏ ପ୍ରଶ୍ନର ଉତ୍ତର ସବୁଦିନ ପାଇଁ ନିର୍ଣ୍ଣୟ ହୋଇଯିବ। ଡ. ହଜାରୀ ପ୍ରସାଦ ଦ୍ବିବେଦୀ କହନ୍ତି ଯେ ନାରୀ ହେଉଛି ସମାଜର ମାନଦଣ୍ଡ। ଯଦି ଏହି ସଂସାରରେ ନାରୀଭଳି ଚରିତ୍ରଟିଏର ପରିସ୍ଫୁଟନ ହୋଇ ନଥାନ୍ତା ତାହେଲେ ସମାଜ, ସଭ୍ୟତା ଓ ସଂସ୍କୃତିର ଚିହ୍ନ ମଧ୍ୟ ଦେଖିବାକୁ ମିଳି ନଥାନ୍ତା। ନିଜର ଭିନ୍ନ ଭିନ୍ନ ରୂପରେ ନାରୀ ପୁରୁଷଙ୍କୁ ସେବା କରି ସେମାନଙ୍କୁ ସଂରକ୍ଷିତ, ପ୍ରୋତ୍ସାହିତ ଓ ଶକ୍ତି ପ୍ରଦାନକାରୀ ପ୍ରେରଣାର ଉତ୍ସ ଭାବରେ ପ୍ରକୃତିକୁ ବିକୃତିରହିତ ସଂସ୍କୃତିରେ ପରିବର୍ତ୍ତିତ କରିଦେଇଥାଏ।

ଏ ଦୃଷ୍ଟିରେ ସ୍ୱାମୀ ବିବେକାନନ୍ଦ ନାରୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଗଲେ ହିଁ ରାଷ୍ଟ୍ରର ଉନ୍ନତି ସମ୍ଭବ ହେବ ବୋଲି କହିଛନ୍ତି। ଯେଉଁ ଦେଶରେ ଓ ଯେଉଁ ଧର୍ମରେ ନାରୀର ଆଦର ହୁଏ ନାହିଁ ସେ ଦେଶ ଓ ସେ ଧର୍ମ କେବେ ବି ଉନ୍ନତି କରିପାରେ ନାହିଁ। ସ୍ୱାମୀଜୀ ନାରୀମାନଙ୍କୁ ଏ ବିଶ୍ୱର ମହାଶକ୍ତି ରୂପେ ବର୍ଣ୍ଣନା କରି କହିଛନ୍ତି ଯେ ନାରୀମାନଙ୍କ ଅବହେଳା ସମାଜ ବା ସଂସ୍କୃତି ପତନର ମୁଖ୍ୟ କାରଣ । ଯେଉଁ ଦେଶରେ ନାରୀ ଦୁଃଖୀ ନିର୍ଯ୍ୟାତିତ ସେ ଦେଶର ଉନ୍ନତି  ଅସମ୍ଭବ।

କ୍ରମଶଃ...

୨୩. ୬. ୧୮

Thursday, 21 June 2018

*ଭାରତୀୟ ସାହିତ୍ୟ...-୨*

ଭାରତୀୟ ସଂସ୍କୃତିରେ ନାରୀ ହିଁ ମାତୃତ୍ୱର ପ୍ରତୀକ। ସ୍ତ୍ରୀ ଶବ୍ଦର ଉଚ୍ଚାରଣ ପ୍ରତି ଭାରତୀୟଙ୍କ ମନରେ ମାତୃତ୍ୱ ବୋଧ ବା ମାଆଙ୍କୁ ସ୍ମରଣ କରାଏ। ଆମର ଏଠି ପାଳନ କର୍ତ୍ତା ଈଶ୍ୱରଙ୍କୁ ମଧ୍ୟ ମାଆ ରୂପରେ ସମ୍ବୋଧନ କରାଯାଇଥାଏ। ଯଥା - ତୁମୈବ ମାତା ଚ ପିତା ତୁମୈବ ...। ପାଶ୍ଚାତ୍ୟ ସଭ୍ୟତାରେ ନାରୀ ବିଶେଷରେ ପତ୍ନୀ ରୂପରେ ସୁସ୍ପଷ୍ଟ। କିନ୍ତୁ ଆମ ଭାରତୀୟ ସଂସ୍କୃତିରେ ନାରୀ ମାତୃ କେନ୍ଦ୍ରିତ। ମନକୁ ଆସେ ମାଆଙ୍କ ଠାରୁ ଆଉ ଅଧିକା କିଛି ପବିତ୍ରତମ ସ୍ଥାନ ବା ସମ୍ପର୍କ ନାହିଁ। ପରିବାରରେ ମାଆ ହିଁ ସମସ୍ତ କାର୍ଯ୍ୟର ଅଧିକାରିଣୀ ହୋଇଥିବା ସଙ୍ଗେ ସଙ୍ଗେ ପରିବାରକୁ ସଂସ୍କାର ପ୍ରଦାନକରି ଏକାଠି ରହିବାର ପ୍ରେରଣା ପ୍ରଦାନ କରିଥାନ୍ତି। ନିଜ ପିଲାମାନଙ୍କୁ ପରିବାରର ମହତ୍ତ୍ୱ ବୁଝାଇ ସୁସଙ୍ଗଠିତ କରାଇଥାନ୍ତି।

ବିଂଶ ଶତାବ୍ଦୀର ଆରମ୍ଭରେ ନାରୀ ବିଷୟକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ସାମନାକୁ ଆସିଛି। ଏହା ସତ୍ୟ ଯେ ବୈଦିକ କାଳରୁ ଆଜି ପର୍ଯ୍ୟନ୍ତ ସାହିତ୍ୟ ସୃଜନରେ ନାରୀ ଚରିତ୍ରର ଚିତ୍ରଣ ପୁରୁଷ ସହିତ ସମ ତାଳରେ ଚାଲିଛି। କୁଟୁମ୍ବରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ପରିବାର ମଧ୍ୟରେ ସେ ଅଧିକ ଶୋଷିତ ଓ ପ୍ରତାଡ଼ିତ ହେଉଥିବା ଦେଖାଯାଏ। ଆଜିକାଲି ନାରୀକୁ ଏକ ମନୁଷ୍ୟ ଭାବରେ ଗ୍ରହଣ ନ କରି ବରଂ ଏକ ଭୋଗ୍ୟ ବସ୍ତୁ ବିଚାର କରି ଏହାର ପ୍ରୟୋଗ, ଉପଯୋଗ ଏବଂ ଉପଭୋଗ କରାଯାଉଛି। ଏଭଳି ଏକ ସ୍ଥିତିରେ ମହାଭାରତରେ ଦ୍ରୋପଦୀଙ୍କୁ ଜୁଆ ଖେଳରେ ଏକ ବସ୍ତୁ ଭାବରେ ବାଜି ଲଗାଇ ଦିଆ ଯାଇଥିଲା। ସେଭଳି ଆଜିକାଲି ମଧ୍ୟ ନାରୀଙ୍କୁ ପୁରୁଷମାନେ କାଠ କଣ୍ଢେଇ ଭଳି ବ୍ୟବହାର କରୁଥିବାର ଅନେକ ପ୍ରସଙ୍ଗ ଦେଖିବାକୁ ମିଳୁଛି।  ସଂଘର୍ଷ ତାର କର୍ମ ହେଉଥିବା ବେଳେ ବିମର୍ଶ ତାର ଭାଗ୍ୟ ରୂପେ ଉଭା ହେଉଛି। ପୁରୁଷ ଦ୍ୱାରା ଅନୁଶାସିତ ସମାଜରେ ନାରୀକୁ ଏକ ଅବଳା ଦୁର୍ବଳା ଭାବରେ ଚିତ୍ରଣ କରାଯାଇ ନାରୀ ଚରିତ୍ରର ଦକ୍ଷତା ସ୍ୱାଭିମାନ ଓ ମୂଲ୍ୟବୋଧକୁ ଆଘାତ କରାଯାଉଛି। ଯାହାର ପରିବର୍ତ୍ତନ ଆଜିକା ନାରୀ ସମାଜ ଆବଶ୍ୟକ କରେ। ଯାହାକୁ ନେଇ ଆଜିକାଲି ସାହିତ୍ୟିକମାନେ ନାରୀ ଚରିତ୍ରକୁ ସଂଙ୍ଘର୍ଷମୁଖର କରିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା କରିବାରେ ଅଧିକା ମନୋନିବେଶ କରିବାକୁ ଆରମ୍ଭ କଲେଣି।

କ୍ରମଶଃ...

୨୨. ୬. ୧୮

*ଭାରତୀୟ ସାହିତ୍ୟ ଏବଂ କୁଟୁମ୍ବ - ୧*

ସାହିତ୍ୟ ମାନବ ଜାତିର ଶ୍ରେଷ୍ଠ ତଥା ସୁନ୍ଦର ବିଚାର ଗୁଡ଼ିକର ଏକ ସମାହାର। ଯେଉଁଥିରେ ବାହ୍ୟ ସୌନ୍ଦର୍ଯ୍ୟ ଓ ଅନ୍ତଃ ସୁଗନ୍ଧ ମନପ୍ରାଣକୁ ହରଣ କରି ନେଲା ଭଳି କ୍ଷମତା ରହିଛି। ଏଣୁ ବୋଧେ ସାହିତ୍ୟର ପାଠକମାନେ ଅଧ୍ୟୟନ କଲାବେଳେ ନିଜକୁ  ଭୁଲିଯାଇଥାନ୍ତି। କୌଣସି ଜାତିର ମହନୀୟତା ସେମାନଙ୍କ ଦ୍ବାରା ରଚିତ ସାହିତ୍ୟରୁ ହିଁ ଅନୁଭବ କରିହୁଏ। ଯେଉଁଥିରେ ଭରି ରହିଥାଏ ତାଙ୍କ ବିଚାର, କଳ୍ପନା ଆଉ ପ୍ରଗତିର ବିଭିନ୍ନ ଦିଗ। ଏଣୁ କୌଣସି ଜାତି ବା ରାଷ୍ଟ୍ରର ଉତ୍ଥାନ କରିବାକୁ ହେଲେ ସେହି ଜାତି ବା ରାଷ୍ଟ୍ରର ସାହିତ୍ୟର ବିକାଶ ତଥା ଉତ୍ଥାନ ହେବା ଆବଶ୍ୟକ।

ସାହିତ୍ୟ ସଭ୍ୟତାର ଦ୍ୟୋତକ। ସାହିତ୍ୟରେ ଦେଶର ସଂସ୍କୃତି ସମାହିତ ରହିଥାଏ। ସାହିତ୍ୟରେ ସମୟ ବା କାଳଖଣ୍ଡର ବିଶେଷତ୍ୱ ଦେଖିବାକୁ ମିଳେ। କୌଣସି ଦେଶର ଉନ୍ନତି ଓ ତାହାର ଗୌରବ ସେହି ଦେଶର ସାହିତ୍ୟିକ ଏବଂ ରଚିତ ସାହିତ୍ୟ ଉପରେ ନିର୍ଭରଶୀଳ। ଦେଶର ସଂସ୍କୃତି, ସଭ୍ୟତା ଓ ଚଳଣୀ ଦର୍ପଣ ଭଳି ସାହିତ୍ୟ ମାଧ୍ୟମରେ ପ୍ରତିବିମ୍ବିତ ହୋଇଥାଏ। କୌଣସି ଦେଶର ସାହିତ୍ୟିକ ପରମ୍ପରା ସେ ଦେଶର ଯୁବପିଢ଼ିମାନଙ୍କ ପାଇଁ ଏକ ସର୍ବ ଶ୍ରେଷ୍ଠ ଉପହାର କହିବା ଅତ୍ୟୁକ୍ତି ନୁହଁ। ବିଶେଷରେ ରୀତିନୀତି, ଆଚାର, ବ୍ୟବହାର, ବେଶଭୁଷା, ଚାଲିଚଳନ, ଖାଦ୍ୟପେୟ ଇତ୍ୟାଦିକୁ ନେଇ ଆମ ସାହିତ୍ୟ ସମୃଦ୍ଧ। ସମାଜିକ ସ୍ଥିତି ତଥା ତାହାର ବିକାଶକୁ ସୁସଙ୍ଗଠିତ କରିବାରେ ସାହିତ୍ୟିକମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲମର ମୁନରେ ଏତେ ଶକ୍ତି ଅଛି ଯେ ତାହ ସମାଜ ଓ ତାର ପରିବେଶକୁ ପରିବର୍ତ୍ତନ କରିଦେଇ ପରମାଣୁ ଯୁଦ୍ଧ ଭଳି ଭୟଙ୍କର ବିଭୀଷିକାରୁ ମଧ୍ୟ ଏ ବିଶ୍ବକୁ ରକ୍ଷା କରିଦେଇପାରେ।

ସାହିତ୍ୟ ଜନ ମାନସରେ ସଚେତନତା ସୃଷ୍ଟି କରିବା ସହ ମାନବୀୟ ମୂଲ୍ୟବୋଧର ବାହକ ରୂପେ କାର୍ଯ୍ୟ ସମ୍ପାଦନ କରିଥାଏ। ସମାଜରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରିବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବା ସହ ଜନ ଜାଗରଣ ସୃଷ୍ଟି କରେ।

ଭାରତୀୟ ସାହିତ୍ୟରେ ପରିବାର ଓ କୁଟୁମ୍ବର ଅଵଧାରଣା ପ୍ରାଚୀନ କାଳରୁ ରହିଆସିଛି। ଆଈମା'ଙ୍କ କାହାଣୀ: ଅତିଭୌତିକ କଳ୍ପନା ମାଧ୍ୟମରେ ଅସତ୍ ଉପରେ ସତ୍ ର ବିଜୟ ଗାଥା କୋମଳମତି ଶିଶୁ ମାନସରେ ସଦାଚାରୀ ହେବାକୁ ପ୍ରେରଣା ଦିଏ। ସେଭଳି ପଞ୍ଚତନ୍ତ୍ର ଓ ଅନ୍ୟାନ୍ୟ ପ୍ରାଚୀନ କାହାଣୀମାନଙ୍କରୁ ସଭ୍ୟ ମଣିଷଟିଏ ହେବା ପାଇଁ ନୀତିଶିକ୍ଷା ମିଳି ଥାଏ।  ଆମ ଦେଶରେ କୁଟୁମ୍ବ ହିଁ ଥିଲା ବୈଦିକ ସମାଜର ଆଧାର। କୁଟୁମ୍ବକୁ ନେଇ ସମାଜ ଓ ସମାଜକୁ ନେଇ ରାଷ୍ଟ୍ର ନିର୍ମିତ ହୋଇଛି। ଭାରତୀୟ ସାଂସ୍କୃତିକ ସମାଜରେ କୁଟୁମ୍ବ ତଥା ପରିବାର ହେଉଛି ଏକ ଖଣ୍ଡ ବା ଏକକ। ଯାହା ଅଧୀନରେ ପରିବାର ସମ୍ବନ୍ଧୀୟ ସବୁ ଅନୁଶାସନର ସମ୍ପାଦନ ବ୍ୟବସ୍ଥା ଦେଖିବାକୁ ମିଳେ। ବିବାହାଦି ସଂସ୍କାର ଓ ଅନ୍ୟ ସମସ୍ତ ସୁଶୃଙ୍ଖଳିତ ଆଚାର ବ୍ୟବସ୍ଥା ଆମ ଭାରତରେ ବୈଦିକ କାଳରୁ ଚଳି ଆସିଛି। ଯେଉଁଥିରେ ବିବାହ ଜନ୍ମଜନ୍ମାନ୍ତରର ଏକ ପବିତ୍ର ଓ ସ୍ଥାୟୀ ସମ୍ବନ୍ଧ ଭାବରେ ଗ୍ରହଣ କରାଯାଇଛି।

କ୍ରମଶଃ...

୨୧. ୬. ୧୮

Wednesday, 20 June 2018

* ହିନ୍ଦୀ ସାହିତ୍ୟରେ...- ୪*

ଗତ କିଛି ବର୍ଷ ତଳେ ବୈଶ୍ବିକ ସ୍ତରରେ ବୃଦ୍ଧମାନଙ୍କ ସମସ୍ୟାକୁ ଅନୁଭବ କରି ମିଳିତ ଜାତିସଂଘ ୧୯୯୯ ମସିହାକୁ ଅନ୍ତର୍ରାଷ୍ଟ୍ରୀୟ ବୃଦ୍ଧ ବର୍ଷ ଘୋଷିତ କରିଥିଲା। ଏହାକୁ ନେଇ ହିନ୍ଦୀ ସାହିତ୍ୟରେ ଅନେକ ଉପନ୍ୟାସ ଲେଖାଗଲା। ଯେଉଁଥିରେ ନିର୍ମଳ ବର୍ମାଙ୍କ 'ଅନ୍ତିମ ଅରଣ୍ୟ', କୃଷ୍ଣା ସୋବତୀଙ୍କ 'ସମୟ ସରଗମ' ଚିତ୍ରା ମୁଦ୍ଗଲଙ୍କ 'ଗିଲିଗଡ଼', ନାଗ ବୋଡ଼ଶଙ୍କ 'ମେନିଫେଷ୍ଟୋ', ଗୀତାଞ୍ଜଳି ଶ୍ରୀଙ୍କ 'ମାଇଁ' ପ୍ରମୁଖ ଅଟେ। ଉପଭୋକ୍ତାବାଦର ମୋହରେ ଆମ ଘର ଟିଭି, ଫ୍ରିଜ, ଏସି ଭଳି ମୂଲ୍ୟବାନ ଉତ୍ପାଦରେ ଭର୍ତ୍ତି କିନ୍ତୁ ଆମ ପରିବାରର ସମ୍ମାନନୀୟ ଓ ମୂଲ୍ୟବାନ ବୟୋଜ୍ୟେଷ୍ଠମାନେ ଉପେକ୍ଷିତ। ଭାରତୀୟ ସଂସ୍କୃତିରେ ବୃଦ୍ଧମାନଙ୍କ ପାଇଁ ବାନପ୍ରସ୍ଥ ଆଶ୍ରମର ଅଵଧାରଣା ରହିଛି। ଯେଉଁଥିରେ ବ୍ୟକ୍ତି ନିଜ ଜୀବନର ସାନ୍ଧ୍ୟ କାଳରେ ଏକାନ୍ତରେ ରହି କିମ୍ବା ଅରଣ୍ୟରେ ଆଶ୍ରମ ଜୀବନ ବିତାଇ ଓ ସେଠାରେ ଚିନ୍ତନ ମନନ କରି ଜୀବନର ସାର୍ଥକତା ପାଇଁ ଅନେକ ମୌଳିକ ପ୍ରଶ୍ନର ସମାଧାନ କରିବାର ଚେଷ୍ଟା କରିଥାନ୍ତି। ନିର୍ମଳା ବର୍ମାଙ୍କ ଉପନ୍ୟାସ 'ଅନ୍ତିମ ଅରଣ୍ୟ'ରେ ମିତ୍ର ମେହରା  ଅନ୍ତିମ ସମୟରେ ନିଜ ଜୀବନର ପୁନରାଵଲୋକନ କରି ଏଇଭଳି ପ୍ରଶ୍ନର ସମାଧାନ କରିଛନ୍ତି।

ନିଜ ଜୀବନର ଏକ ବଡ଼ ଭାଗ ନିଜର ପିଲାମାନଙ୍କ ପରିବେଶରେ ରହି ପିଲାମାନଙ୍କର ଆବଶ୍ୟକତାକୁ ପୂରା କରିବାରେ ନିଜ ଜୀବନର ସାର୍ଥକତା ଥିବା ଭାବୁଥିବା ବେଳେ ତାଙ୍କୁ ଉପେକ୍ଷା ଓ ପ୍ରତାଡ଼ନାର ଶିକାର ହେବାକୁ ପଡୁଛି। ଭିନ୍ନ ଭିନ୍ନ ରୋଗ, ଏକୁଟିଆପଣ, ଅସୁରକ୍ଷା ବୋଧ ଓ ଭାବନାତ୍ମକ ଦୁର୍ବଳତା ଦ୍ୱାରା ଦିନ କାଟୁଥିବା ବୃଦ୍ଧ ବୃଦ୍ଧାମାନେ ନିଜ ପିଲାମାନଙ୍କ ଠାରୁ କିଛି ଆଶ୍ୱାସନାର ସ୍ନେହବୋଳା କଥା ଦୁଇପଦ ଶୁଣିବା ବଦଳରେ ନୂତନ ପିଢ଼ି ଠାରୁ ପାଆନ୍ତି ଉପେକ୍ଷା, ନିରାଶା ଓ ଦୁର୍ବ୍ୟବହାର। ଏଥିପାଇଁ ବିଶେଷରେ ଆଧୁନିକତା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରବେଶ ହିଁ ସମ୍ଭବତଃ ଦାୟୀ। ଅତୀତରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଶ୍ରବଣ କୁମାରଙ୍କ ଭଳି ଆଜ୍ଞାକାରୀ ଓ ସତ୍ୟନିଷ୍ଠ ସନ୍ତାନକୁ ଜନ୍ମଦେଇ ବିଶ୍ବକୁ ବର୍ତ୍ତିକା ସଦୃଶ ଦିଶା ପ୍ରଦର୍ଶନ କରୁଥିବା ଭାରତୀୟ ସଂସ୍କୃତିର ଅବକ୍ଷୟ ଘଟି ଆଧୁନିକତା ନାମରେ ଇତର ବାହ୍ୟସଂସ୍କୃତିର ଅନୁପ୍ରବେଶ ଘଟିବା ଉଦବେଗଜନକ। ଏହି ପରିସ୍ଥିତିରେ ଆମେ ରାଷ୍ଟ୍ରପ୍ରେମୀମାନେ ସେହି ପ୍ରାଚୀନ ପରମ୍ପରା ଓ ସଭ୍ୟତାର ସୁରକ୍ଷା ତଥା ପ୍ରସାର ନିମନ୍ତେ ନିଷ୍ଠାପର ଉଦ୍ୟମ କରିବା ଜରୁରୀ।

୨୦. ୬. ୧୮

Tuesday, 19 June 2018

*ହିନ୍ଦୀ ସାହିତ୍ୟରେ...- ୩*

ଉଷା ପ୍ରିୟମ୍ବଦାଙ୍କ କାହାଣୀ "ୱାପସି" ରେ ଜଣେ ବୃଦ୍ଧ ବ୍ୟକ୍ତି ଗଦାଧର ବାବୁ ନିଜ ଚାକିରିରୁ ଅବସର ନେଇ ଘରକୁ ଫେରି ଆସିଛନ୍ତି ପିଲାମାନଙ୍କ ସହ ବାକିତକ ଜୀବନ ଆନନ୍ଦରେ କଟାଇବା ପାଇଁ। କିନ୍ତୁ କିଛି ଦିନ ପରେ ତାଙ୍କୁ ଅନୁଭଵ ହେଉଛି ଯେ ସେ ପିଲାମାନଙ୍କ ସ୍ୱାଧୀନତାର ବାଧକ ସାଜିଛନ୍ତି। ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ତାଗିଦ କରି କହୁଛନ୍ତି ଯେ, ତୁମେ ଆଉ ପିଲାମାନଙ୍କ କାମରେ ହସ୍ତକ୍ଷେପ କର ନାହିଁ। ନିଜ ହାତରେ ତିଆରି କରିଥିବା ଘରେ ତାଙ୍କୁ ବଖରେ ଘର ମିଳୁ ନାହିଁ ଶାନ୍ତିରେ ଶୋଇବାପାଇଁ। ପ୍ରଥମେ ତାଙ୍କୁ ଦାଣ୍ଡ ଘରେ ରହିବାକୁ ପଡୁଛି। କିଛିଦିନ ପରେ ତାଙ୍କୁ ଭଣ୍ଡାର ଘରେ ବିଛଣା ପାରିବାକୁ ହେଉଛି। ପିଲାମାନଙ୍କ ସହ ଅବସର ସମୟ କାଟିବା ପାଇଁ ଫେରିଆସିଥିବା ଗଦାଧରଙ୍କୁ ଅନୁଭବ ହେଉଛି ସେ ନିଜ ଘରେ ଜଣେ ଅଦରକାରୀ ଅତିଥି ଜୀବନ ବିତାଉଛନ୍ତି। ଏଇ ଘରେ ତାଙ୍କର ଭୂମିକା ହୋଇଯାଇଛି ଜଣେ ପଇସା ରୋଜଗାର କରୁଥିବା ମେସିନ ମାତ୍ର। ତାଙ୍କୁ ଆଉ ଘରେ ରହିବାକୁ ଭଲ ଲାଗୁ ନାହିଁ। ସେ ଜଣେ ସେଠ ଘରକୁ ଯାଇ ପୁଣିଥରେ ଚାକିରୀ ଜୀବନ ଆଦରି ନେଉଛନ୍ତି। ଏ କାହାଣୀ ରେଖାଙ୍କିତ କରିଛି ଯେ ଜଣେ ବ୍ୟକ୍ତି ତାଙ୍କର ପୂରା ଜୀବନ ଏକଲା ରହି ପିଲାମାନଙ୍କ ପାଇଁ ସବୁ ସ୍ୱାହା କରିଦେଇଥିବା ବେଳେ, ଯେତେବେଳେ ସେ ଅବସର ନେଇ ନିଜର ପରିବାର ଗହଣରେ ପାରିବାରିକ ମମତ୍ତ୍ୱବୋଧ ସହ ଜୀବନର ଆନନ୍ଦ ନେବାକୁ ଫେରି ଆସିଛନ୍ତି ସେତେବେଳେ ତାଙ୍କୁ କେବଳ ଉପେକ୍ଷା ମିଳିଛି। ଗଦାଧର ବାବୁ ହେଉଛନ୍ତି ସେଇ ବୟୋଜ୍ୟେଷ୍ଠଙ୍କ ପ୍ରତିନିଧି ଯେଉଁମାନେ କିଛି ନା କିଛି ଉପାୟରେ ଉପେକ୍ଷାର ପାତ୍ର ହୋଇଛନ୍ତି।

ମନୋବିଜ୍ଞାନ କୁହେ ଯେ ବୃଦ୍ଧ ବ୍ୟକ୍ତିଙ୍କର ଏକ ବଡ଼ ସମସ୍ୟା ହେଲା ଏକଲାପଣ। ନିଜ ଜୀବନ ସନ୍ଧ୍ୟାରେ ବଳ ବୟସ ସହଯୋଗୀ ହୁଏ ନାହିଁ। ତେଣୁ ବ୍ୟକ୍ତି ବୟସ୍କ ହେବା ସହ ଏକୁଟିଆ ଅନୁଭବ କରେ। ସେ ପରିବାରର ନୂତନ ପିଢ଼ି ସହ ହସ ଖୁସୀରେ ଦିନ କାଟିବାକୁ ଭଲ ପାଏ। କିନ୍ତୁ ସେତିକିବେଳେ ତାଙ୍କୁ ଉପେକ୍ଷା କରାଯାଇ ପୁଣି ତାଙ୍କୁ ସେହି ଏକାକୀ ରହିବାର ବ୍ୟଥିତ ଜୀବନ ବିତାଇବାକୁ ବାଧ୍ୟ କରି ଦିଆଯାଉଛି। ନିର୍ମଳ ବର୍ମାଙ୍କ କାହାଣୀ 'ସୁବହ କୀ ଶୈର୍' ରେ କର୍ନେଲ ନିହାଲଚନ୍ଦଙ୍କ ଆତ୍ମହତ୍ୟା, ତାଙ୍କର ଆଉ ଏକ କାହାଣୀ 'ବିଚ ବହସ ମେ' ରେ ପିତା ବେମାର ପଡ଼ିବା ପରେ ମାତା ପୁତ୍ରଙ୍କ ଚିନ୍ତା ସେ କିପରି ମୃତ୍ୟୁଲାଭ କରନ୍ତୁ, ରାଜେନ୍ଦ୍ର ଯାଦବଙ୍କ କାହାଣୀ 'ବିରାଦରୀ ବାହର' ରେ ଏକ ବଡ଼ ପରିବାର ଭିତରେ ଜଣେ ବୃଦ୍ଧଙ୍କୁ ଅବହେଳାର ଶିକାର ହେବା, ରବୀନ୍ଦ୍ର କାଲିୟାଙ୍କ କାହାଣୀ 'ବୁଢ଼ୱା ମଙ୍ଗଳ', ପଙ୍କଜ ମିତ୍ରଙ୍କ କାହାଣୀ 'ପଡ଼ତାଳ' ରେ ବୃଦ୍ଧ ଅପେକ୍ଷା ଟିଭିର ଅଧିକ ମହତ୍ତ୍ୱ କଥା ବର୍ଣ୍ଣିତ। ଭାରତରେ ପଚାଶ ପ୍ରତିଶତ ବୃଦ୍ଧ ଆଜି ଏପରି ଉପେକ୍ଷାର ଶିକାର ହେଉଛନ୍ତି। ଉଦୟ ପ୍ରକାଶଙ୍କ କାହାଣୀ 'ଛପନ ତୋଲେ କା କରଧନ' ରେ ସମ୍ପତ୍ତି ପାଇଁ ବୁଢ଼ୀର ଯତ୍ନ କଥା କୁହାଯାଇଛି। ଏହିପରି ଅନେକ କାହାଣୀ ସମ୍ପତ୍ତି ଓ ପେନସନକୁ ନେଇ ଲେଖାଯାଇଛି।

କ୍ରମଶଃ...

୧୯. ୬. ୧୮