Sunday, 30 September 2018

*ପ୍ରଥମ ଦିନରୁ ଉପନିବେଶବାଦୀଙ୍କ ହାତରେ*

ଦେଶ ସ୍ଵାଧୀନ ହେବ ବୋଲି ନିଶ୍ଚିତ ହୋଇଯିବା ପରେ କଂଗ୍ରେସର  ପ୍ରେସ ବକ୍ତବ୍ୟ ଆସିଲା ୨୧ ଜୁଲାଇ ୧୯୪୭ ଦିନ 'ଦ ହିନ୍ଦୁସ୍ଥାନ ଟାଇମ୍ସ' ରେ। ସେଥିରେ ଲେଖା ଯାଇଥିଲା ଆମେ ପନ୍ଦର ଅଗଷ୍ଟକୁ ଏପରି ପାଳନ କରିବା ଉଚିତ ଯଦ୍ୱାରା ଲୋକଙ୍କ ମାନସିକତା ପରିବର୍ତ୍ତନ ହୋଇ ତାଙ୍କୁ ଅନୁଭବ ହେବ ଯେ ସେମାନେ ସମସ୍ତେ ସ୍ୱାଧୀନ ଭାରତର ନାଗରିକ..

ଆମର ଭାଗ୍ୟ ଏବେ ଆମ ହାତରେ...

ଆମକୁ ଏବେ ଏକ ମଜଭୁତ ଏବଂ ସମ୍ପନ୍ନ ରାଷ୍ଟ୍ର ନିର୍ମାଣ କରିବାକୁ ପଡ଼ିବ...

ଆମକୁ ଏକ ଲୋକତାନ୍ତ୍ରିକ ବ୍ୟବସ୍ଥା ସ୍ଥାପିତ କରିବାକୁ ହେବ...

ଆମ ଭିତରେ ଥିବା ଆସମାନତା, ଗରିବୀ ଓ ବେରୋଜଗାରୀ ହଟାଇବାକୁ ପଡ଼ିବ..

ଆମକୁ ଲୋକଙ୍କୁ ସଶକ୍ତ କରିବାକୁ ପଡ଼ିବ..

ଏହାକୁ ପଢ଼ିଲେ ଆମକୁ ସ୍ପଷ୍ଟ ଦେଖାଯିବ ଯେ କଂଗ୍ରେସର ଏହି ସଂକଳ୍ପ ପତ୍ରରେ ଆର୍ଥିକ ଓ ରାଜନୈତିକ କଥା ତ ଉଲ୍ଲେଖ ହୋଇଛି; ପରନ୍ତୁ ଦୀର୍ଘ ଦିନର ପରାଧୀନତା କାରଣରୁ ଭାରତର ମାନସ, ଭାରତର ବିଚାର ଓ ଭାରତର ସଂସ୍କୃତି  କିପରି ପ୍ରଭାବିତ ହୋଇଛି ଏବଂ ଏଥିରୁ ମୁକ୍ତି ହେବା ଆବଶ୍ୟକ ବୋଲି କିଛି କଥା ଲେଖା ଯାଇ ନାହିଁ।

ରାଷ୍ଟ୍ରର ସଶକ୍ତିକରଣରେ ସଂସ୍କୃତି ଓ ମାନସିକ ଉନ୍ନତିର ବହୁତ ବଡ଼ ଯୋଗଦାନ ରହିଥାଏ। ସାମ୍ରାଜ୍ୟବାଦୀ ବା ଉପନିବେଶବାଦୀଙ୍କ କବଳରୁ ନିଜକୁ ମୁକ୍ତ କରିବା ପାଇଁ ସେତେବେଳେ ଏକ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଏହି ସାଂସ୍କୃତିକ ଓ ମାନସିକ ପରିବର୍ତ୍ତନ ଭଳି ଅନ୍ତ ଶୁଦ୍ଧି ପ୍ରକ୍ରିୟାକୁ ଲାଗୁ କରିବା ହିଁ ଏ ଦେଶ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା। ଏହା ହିଁ ସ୍ୱାଧୀନତାର ପ୍ରକୃତ ଅର୍ଥ ଓ ଯେଉଁ ଅସଂଖ୍ୟ ବଳିଦାନୀ ସ୍ୱାଧୀନତା ପାଇଁ ବଳି ବେଦୀରେ ଚଢ଼ି ଗଲେ ପ୍ରତ୍ୟେକଙ୍କୁ ଆମେ ଅଧ୍ୟୟନ କଲେ ଏଇଭଳି ଶୁଦ୍ଧ ଚାରିତ୍ର୍ୟର ଭାରତ ଦେଖିବାକୁ ପାଇବା। କିନ୍ତୁ ଯେଉଁ ରାଜସିକ ଲୋକେ ନିଜ ପ୍ରାଣକୁ ବଞ୍ଚାଇ କ୍ଷମତା ପାଇଁ ପାଗଳ ହୋଇଥିଲେ ସେମାନେ ଉପନିବେଶବାଦ ଭଳି ରାକ୍ଷସ ପ୍ରବୃତ୍ତିରୁ ଭାରତକୁ ମୁକ୍ତି ଦେବେ କ'ଣ
ସେମାନେ ଉପନିବେଶବାଦୀଙ୍କ ପାଇଁ ଯାହା ଅନୁକୂଳ, ଦେଶରେ ସେହି ସବୁ ଧାରା ଲାଗୁ କଲେ। ସେମାନେ ଭାରତକୁ ଭାରତ ହିସାବରେ ଦେଖିଲେ ନାହିଁ। ଭାରତ ବିଭାଜନରେ ତାଙ୍କ ଆଖିରେ ଲୁହ ନ ଥିଲା। ସେମାନେ ପଶ୍ଚିମ ଚଷମାରେ ଭାରତକୁ ଆବିଷ୍କାର କଲେ। ସେ ଆବିଷ୍କାରକୁ ଆମ ପିଲାମାନେ ମନ ପ୍ରାଣ ଦେଇ ପଢୁଛନ୍ତି, ଯେଉଁଠି ଭାରତ ଭୂମି ମାତ୍ର ତାକୁ ପଢ଼ିଲେ ଭାରତକୁ ସେ ମାଆ କିପରି କହିବ ? ତେଣୁ ଆଜି ପର୍ଯ୍ୟନ୍ତ ତାକୁ ପଢ଼ି ପଢ଼ି ଗୋଟେ ପିଢ଼ି ତିଆରି ହୋଇଛି, କିଛି ମରିଗଲେଣି, କିନ୍ତୁ ବହୁତ ଅଛନ୍ତି ସେମାନେ ଭାରତ ମାତା କୀ ଜୟ ଶୁଣିଲେ ବିରକ୍ତ ହୁଅନ୍ତି। କାରଣ ସେମାନେ ଯେଉଁ ପଶ୍ଚିମ ଦେଶର ଅନୁକରଣ କରୁଛନ୍ତି ସେ ଦେଶରେ ଆଜି ଯାଏ କେହି ଶୁଣି ନାହିଁ ଇଂଲଣ୍ଡ ମାତା କୀ ଜୟ କିମ୍ବା ଆମେରିକା ମାତା କୀ ଜୟ। ସେମାନେ ଭାରତକୁ ଇଣ୍ଡିଆ କରିଦେଲେ। ତେଣୁ ତାଙ୍କ ସଂସ୍କୃତି ଅନୁସାରେ ଆଜି ଭାରତରେ କେହି ଜଣେ ବି ଇଣ୍ଡିଆ ମାତା କୀ ଜୟ କହିବ ନାହିଁ କିମ୍ୱା କହିବାର ସମ୍ଭାବନା ମଧ୍ୟ ନାହିଁ।

ସେହି ସମୟରୁ ଯେଉଁମାନେ ଭାରତକୁ ଭାରତ ହିସାବରେ ରଖିବାକୁ ବାହାରିଲେ ସେମାନେ ଏହି ଉପନିବେଶବାଦୀ ମାନସିକତାର ଲୋକଙ୍କ ପାଇଁ ବା ଏହି ଉପଭୋଗବାଦୀ ଲୋକଙ୍କ ପାଇଁ ହୋଇଗଲେ ଶତ୍ରୁ।

ସେମାନଙ୍କୁ ଏହି ଉପଭୋଗବାଦୀଙ୍କ ସମକକ୍ଷ ହେବା ପାଇଁ ଇଂରାଜୀ ପଢ଼ିବା ଛଡ଼ା ଅନ୍ୟ କିଛି ଉପାୟ ନ ଥିଲା। ପରିଣାମ କଣ ହେଲା ?

ଆଜି ଯେତେବେଳେ ଗାଁରୁ ଅପାଠୁଆ ଲୋକଟିଏ ଡାକ୍ତର ଖାନାକୁ ଆସୁଛି, ଆମ ଧଳା କୋଟ ପିନ୍ଧା ଡାକ୍ତର ବାବୁ ତାକୁ ତା ଭାଷାରେ ଔଷଧ ଲେଖି ଦେଇପାରୁ ନାହିଁ।

ନ୍ୟାୟ ପାଇବା ପାଇଁ ସେ କଳା କୋଟ ପିନ୍ଧା ନ୍ୟାୟପତି ପାଖକୁ ଆସୁଛି ତାକୁ ତା ଭାଷାରେ ଧାଡ଼ିଏ ବି ନ୍ୟାୟ ମିଳୁ ନାହିଁ।

ସେ କଥାର କିଛି ମହତ୍ତ୍ୱ ଥିଲା ଭଳି ସ୍ମାର୍ଟ ସହର, ଆଦର୍ଶ ବିଦ୍ୟାଳୟ ଓ ଆଦର୍ଶ ଗ୍ରାମ ତିଆରି କରୁଥିବା ବାବୁମାନଙ୍କୁ ଲାଗୁ ନାହିଁ।

ଆରେ ବାବୁ ! ଭାରତର ଜନ କୋଉଠି, ଗଣ କୋଉଠି ଓ ତୁମେ କୋଉଠି ଥରେ ତ ହିସାବ କର।

୩୦. ୯. ୧୮

Saturday, 29 September 2018

*ଡ. ଡାଭିଡ଼ ଫ୍ରଲେ*

https://www.vedanet.com/about-2/about-acharya-david-frawley-pandit-vamadeva-shastri/

ଭାରତ ବୋଧ ଭାରତୀୟଙ୍କ ପାଖରୁ ଦୂରେଇ ଯାଉଥିବା ବେଳେ ବିଦେଶୀମାନେ କେତେ ବିଶ୍ୱାସର ସହ ଭାରତ ଆସି ଭାରତରେ ବେଦାନ୍ତର ଆଚାର୍ଯ୍ୟ ହୋଇ ପାରୁଛନ୍ତି ତାହାର ଜୀବନ୍ତ ଉଦାହରଣ ହେଲେ ଡ. ଡାଭିଡ଼ ଫ୍ରଲେ। ତାଙ୍କର ପ୍ରଚଳିତ ନାମ ହେଲା ପଣ୍ଡିତ ବାମଦେବ ଶାସ୍ତ୍ରୀ। ହିନ୍ଦୁ ଧର୍ମ ଶାସ୍ତ୍ର ପ୍ରତି ଆକୃଷ୍ଟ ହୋଇ ସେ ବୈଦିକ ଶିକ୍ଷକ ତଥା ହିନ୍ଦୁ ଆଚାର୍ଯ୍ୟ ହୋଇପାରିଛନ୍ତି। ବିଶ୍ୱରେ କୋଡ଼ିଏଟି ଭାଷାରେ ପ୍ରକାଶିତ ହେଉଥିବା  ପଚାଶଟି ବହିର ସେ ଲେଖକ। ତାଙ୍କର ବିଶେଷ ରୁଚି ହେଲା ଯୋଗ, ଆୟୁର୍ବେଦ, ବେଦାନ୍ତ, ଜ୍ୟୋତିଷ ଓ ପ୍ରାଚୀନ ବୈଦିକ ଗ୍ରନ୍ଥ। ସେ ୨୦୧୫ ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଏବେ ସେ ଆମେରିକାନ ଇନଷ୍ଟିଚ୍ୟୁଟ ଅଫ ବେଦିକ ଷ୍ଟଡିଜ ର ନିର୍ଦେଶକ ଅଛନ୍ତି।

୨୯. ୯. ୧୮

Friday, 28 September 2018

*ଭାରତ ବୋଧ*

ଭାରତ ଭୂମି ମାତ୍ର ନୁହେଁ। ଏହା ଆମର ମାତୃଭୂମି। ଏହାର ବିଚାର ପାଇଁ ପୁଣି ଆମକୁ ଆଉ ଦୁଇଟି ଶବ୍ଦକୁ ବୁଝିବାକୁ ପଡ଼ିବ। ଗୋଟିଏ ହେଲା ଶୋଧ ବା ଗବେଷଣା ଅନ୍ୟଟି ହେଲା ବୋଧ ବା ଭାବନା।

ଗବେଷଣା ସମ୍ଭବ ହୁଏ ଉପଲବ୍ଧ ତଥ୍ୟ, ଉପଲବ୍ଧ ବିଚାର, ଉପଲବ୍ଧ ସାମଗ୍ରୀକୁ ନେଇ। ଏଥିରେ ବି ଗବେଷକର ଏକ ନିଷ୍କର୍ଷ ଥାଏ।

ଭାବନା - ପରମ୍ପରା, ସଂସ୍କୃତି ଓ ଦର୍ଶନର ପ୍ରତ୍ୟକ୍ଷ ଅନୁଭୂତି ଅଟେ।

ଗବେଷଣା - ଇତିହାସ ଓ ଭୁଗୋଳ ବହି ତିଆରି କରିପାରେ। ନଦୀର ଗତିପଥ ଦେଖାଇ ପାରେ, ଭୂମିର ଅକ୍ଷାଂଶ, ଦ୍ରାଘିମା ସ୍ଥିର କରିପାରେ, ଡିସ୍କଭରି ଅଫ ଇଣ୍ଡିଆ ବହି ଲେଖିପାରେ।

ଗୀତାରେ ସାଂଖ୍ୟ ଯୋଗ, କର୍ମ ଯୋଗ, ବିଷାଦ ଯୋଗ ଆଦି ଦ୍ୱାରା ସ୍ଥିତିକୁ ବୁଝାଯାଇପାରେ।

ସେହି ଗୀତାରେ କିଛି ବାଟ ଗଲେ ଆସେ ଭାବ ତତ୍ତ୍ୱ। ସେଥିରେ ଶ୍ରୀକୃଷ୍ଣ କୁହନ୍ତି ସବୁର ଶ୍ରେଷ୍ଠଗୁଡ଼ିକ ମୁଁ।

ସେହିପରି ଇତିହାସ ଓ ଭୁଗୋଳରେ ଥିବା ନଦୀ ଓ ଭୂମି  ସ୍ୱାମୀ ବିବେକାନନ୍ଦ, ବଙ୍କୀମଚନ୍ଦ୍ର, ଯୋଗୀ ଅରବିନ୍ଦ, କବିଗୁରୁ ଆଦିଙ୍କ ପାଇଁ ହୋଇଯାଏ ମାଆ। ସ୍ୱାମୀ ରାମତୀର୍ଥ କୁହନ୍ତି ମୁଁ ହିଁ ଭାରତ।

ଶୋଧର ନିଷ୍କର୍ଷ ଓ କିଛି ସଭାର ନିଷ୍କର୍ଷକୁ ଅନ୍ତିମ ସତ୍ୟ ବୋଲି କୁହାଯାଉଛି। ଆମ ବୁଦ୍ଧିଜୀବୀ ଆଜି ଏହି ରୋଗରେ ଗ୍ରସ୍ତ।
କିଛି ନିଷ୍କର୍ଷର କାଗଜ ଧରି ସେ କହୁଛି ଦିସ ଇଜ ଦ ଲ। ୟୁ କ୍ୟାଣ୍ଟ ଡେଭିଏଟ ଦିସ ଲାଇନ।

କିନ୍ତୁ ଭାରତ ଵୋଧ କ'ଣ କୁହେ ?  ନା, ସେଇଟା ତ ଠିକ୍ ଭଳି ଲାଗୁ ନାହିଁ। ଆସ ଆଉଥରେ ବସି ବିଚାର କରିବା। କାରଣ ଦେଶ, କାଳ, ପାତ୍ର ଅନୁସାରେ ଗୋଟିଏ ନିୟମ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇ ନ ପାରେ।

ତେଣୁ ବେଦ କାଳରୁ ଆମର ଏଠି ରହି ଆସିଛି
ପ୍ରଶ୍ନକୁ ସ୍ୱାଗତ କରିବା, ସମ୍ମୁଖୀନ ହେବା, ଧର୍ଯ୍ୟର ସହ ବୁଝାଇବାର ଭାବନା।  ଶିବ ପାର୍ବତୀ ସମ୍ବାଦ, ପଶୁପକ୍ଷୀ ସମ୍ବାଦ, ଯମ ନଚିକେତା ସମ୍ବାଦ, ଯକ୍ଷ ଯୁଧିଷ୍ଠିର ପ୍ରଶ୍ନ, ଯମ ସାବିତ୍ରୀ ସମ୍ବାଦ ଆଦି ଅସଂଖ୍ୟ ସମ୍ବାଦରେ ଆମ ଶାସ୍ତ୍ର ଭରପୂର। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଶଙ୍କା ସମାଧାନ କାର୍ଯ୍ୟକ୍ରମ, ଯେଉଁଠି ବଡ଼ ଅଧିକାରୀଙ୍କୁ ସାମାନ୍ୟ ସଦସ୍ୟ ଜଣେ ସ୍ୱାଭାବିକ ଭାବରେ ପ୍ରଶ୍ନ ପଚାରି ପାରନ୍ତି, ଯେଉଁ ପରିବାରରେ ଏ ପ୍ରକାର ପ୍ରଶ୍ନ ପଚାରିବାକୁ ସ୍ୱାଗତ କରାଯାଇଥାଏ ସେହି ପରିବାର ବା ସେହି ସଂସ୍ଥାର ଭାବ ବୋଧ ବହୁତ ସୁଦୃଢ଼ ହୋଇଥାଏ। ପ୍ରଭୁ ଶ୍ରୀ ରାମଚନ୍ଦ୍ର ଅଯୋଧ୍ୟାରେ ଜନ୍ମ ହୋଇଥିଲେ ବୋଲି ଭାରତର ଜନ ଓ ଗଣକୁ ବୁଝାଇବାକୁ ପଡ଼ିବ କି ? କୌଣସି କାରଣରୁ ସେହି ସତ୍ୟକୁ ପରୀକ୍ଷା କରିବା ପାଇଁ ପ୍ରଶ୍ନ ଆସିଛି ଓ ଭାରତବାସୀ ଧର୍ଯ୍ୟର ସହ ତା'ର ଉତ୍ତର ଦେଉଛନ୍ତି।

ଏଇଭଳି ବୋଧକୁ ନେଇ ସୃଷ୍ଟି ହୁଏ ମୂଲ୍ୟବୋଧ
ବା ଜୀବନ ମୂଲ୍ୟ।

ଆମ ଭାରତର ଜନ, ଆମ ଭାରତର ଗଣର ସ୍ଵଭାବ ହେଉଛି ସାମୂହିକତା । ଏକଲା ରହିବାକୁ ସେ କେବେ ବି ପସନ୍ଦ କରେ ନାହିଁ।
ଏହାହିଁ ହେଉଛି ଆମ ଭାରତୀୟ ଜନ ଗଣଙ୍କ ଭାରତ ବୋଧ। ଭାରତର ସୁଖରେ ସେ ସୁଖି ହୁଏ ଭାରତର ଦୁଃଖରେ ସେ ଦୁଃଖି ହୁଏ।

ଏହାର ଓଲଟା ବିଚାର କଲେ ହେବ ମୁଁ  ଓଡ଼ିଶାର, ମୁଁ ଭୁବନେଶ୍ୱରର, ମୁଁ ଜୟଦେବ ବିହାରର, ମୁଁ ଅମୁକ ପ୍ଲାଜାର, ମୁଁ ଅମୁକ କକ୍ଷର... ଏହିପରି ବିଶାଳ ଭାବ କମି କମି ଶେଷରେ ଯାଇ ଏକ ଦୁଇ ଗୋଡ଼ିଆ ଜୀଵ ପାଖରେ ଅଟକିଯାଏ।

ପ୍ରଶ୍ନ ହେଉଛି ଆମେ କେଉଁ ପ୍ରକାର ବିଚାର କରୁଛନ୍ତି ?

ଭାରତର ଭାବ-ବୋଧ ଆମ ପାଖରେ ଅଛି ତ ?

ଯଦି କେଉଁଠି କିଛି ଅସୁବିଧା ଦେଖାଯାଉଛି, ରାଷ୍ଟ୍ର ବିଷୟକ କିଛି ବିଶୃଙ୍ଖଳା ବା ସମସ୍ୟା ଦେଖାଯାଉଛି ତେବେ ଆମେ ଆଖି ବନ୍ଦ କରି କହିପାରିବା ସେ ଜାଗାରେ ଭାରତ ବୋଧର ଅଭାବ ଅଛି।

୨୮. ୯. ୧୮

Thursday, 27 September 2018

*ଜନ ଗଣ ମନ*

ସ୍ୱାଧୀନତାର ଅନେକ ବର୍ଷ ପରେ ଆଜି 'ଜନ ଗଣ ମନ' ବିଷୟରେ ବିଚାର ଚାଲିଛି। ଦୁଇଟି ଭିନ୍ନ ବିଚାରଧାରାର ବୈଚାରିକ ସଂଘର୍ଷ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା ପରି ମନେ ହେଉଛି। ଗୋଟିଏ ପଟେ ରହିଛି ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ରାମତୀର୍ଥ,  ଯୋଗୀ ଅରବିନ୍ଦ, ଡା. ହେଡ଼ଗେୱାର, ସର୍ଦ୍ଦାର ପଟେଲଙ୍କ ବିଚାର ତ ଅନ୍ୟ ପଟେ ରହିଛି ଜବାହାରଲାଲ ନେହେରୁ, ସାମ୍ୟବାଦୀ ଓ ଛଦ୍ମ ସେକୁଲାରବାଦୀଙ୍କ ବିଚାର।

ଭାରତ ଏକ ରାଷ୍ଟ୍ର ନା ଗୁଡ଼ାଏ ରାଷ୍ଟ୍ରର ସମାହାର ?

ଏହା ପ୍ରାଚୀନ କାଳରୁ ରହି ଆସିଥିବା ଏକ ଦେବ ନିର୍ମିତ ଦେଶ ନା ୧୯୪୭ ଅଗଷ୍ଟ ୧୫ ରାତି ୧୨ଟାରେ ଏହାର ଜନ୍ମ ??

ଏହା ଧର୍ମ ନିରପେକ୍ଷ ହେବା ଉଚିତ ନା ଧର୍ମ ପକ୍ଷ ହେବା ଉଚିତ ???

ଏଠାରେ  ବିବିଧତାର ସୌନ୍ଦର୍ଯ୍ୟ ଯାହା ଅନାଦି କାଳରୁ ରହିଆସିଛି ତାହା ରହିବା ଉଚିତ ନା କନଭର୍ସନ କରି ବଳ ପ୍ରୟୋଗ କରି ସମସ୍ତଙ୍କୁ ଗୋଟିଏ ଫର୍ମାଟରେ ପକାଇବା ଉଚିତ ????

ଏହି ସବୁ ଝଗଡ଼ାର ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି।

ଭାରତର ମନ କଣ ?
ଭାରତର ଜନ କିଏ ??
ଭାରତର ଗଣ କିଏ ???

ଏହାର ବିଚାର କେତେ ଜଣ କରିଛନ୍ତି ?

ଭାରତର ସାଧାରଣ ଜନତାଙ୍କ ମାନସିକ ପୃଷ୍ଠଭୂମିକୁ ଏ ଦେଶର  ସାଧୁ, ସନ୍ଥ ତଥା ଏ ଦେଶର ଧୂଳି ମାଟିରୁ ନିର୍ମିତ ମହାପୁରୁଷ, ସମାଜ ସୁଧାରକ, ବିଦ୍ୱାନ, ଚିନ୍ତକ, କବି, ସାହିତ୍ୟିକ, କଳାକାରମାନେ ଏତେ ସୁନ୍ଦର ଓ ଏତେ ମଜଭୁତ କରି ଗଢ଼ିଛନ୍ତି ଯେ ଧାର କରି ଅଣା ଯାଇଥିବା ବିଚାର ବା ଏଠିକାର ମାଟି ସହ ସମ୍ପର୍କ ନ ଥିବା ବିଚାରକୁ ଏଠାରେ ଯେତେ ଥୋପିବାକୁ ଚେଷ୍ଟା କଲେ ମଧ୍ୟ ସବୁ ବିଫଳ ହୋଇଛି ଓ ଯାହା କିଛି ଆମ ଭୁଲ ବଶତଃ ରହିଯାଇଥିଲା ତାହା ଏଇ ଲଢ଼େଇରେ ସଫା ହୋଇଯିବ ବୋଲି ଜଳ ଜଳ ହୋଇ ଦେଖା ଯାଉଛି।

ଭାରତର ଜନତା କାଙ୍ଗାଳ ହୋଇପାରେ, ଦରିଦ୍ର ହୋଇପାରେ, କିନ୍ତୁ ବଜାରବାଦୀ ଲୋକମାନେ ତାକୁ ଆର୍ଥିକ ପ୍ରାଣୀ ମନେ କରି ତା ସହ ଯେତେ ଚାଲବାଜି କଲେ ମଧ୍ୟ ତାକୁ ପଥଭ୍ରଷ୍ଟ କରିବାରେ ବିଫଳ ହୋଇଛନ୍ତି। ତାଙ୍କର ବଳ ବଜାରବାଦୀଙ୍କ ଡଲାର ନୁହଁ। ତାଙ୍କର ତାକତ ହେଉଛି ତାଙ୍କର ମନ। ଏହାକୁ ଠିକ ଭାବେ ବୁଝି ଭାରତର ସବୁ ମହାପୁରୁଷ ଏପରିକି ଅବଦୁଲ କାଲାମ ମଧ୍ୟ ଲେଖିଛନ୍ତି "ଇଗନାଇଟେଡ଼ ମାଇଣ୍ଡ।" ଭାରତର ଏଇ ସାଧାରଣ ଜନତା ଯାହାଙ୍କ ମନ ଅତ୍ୟନ୍ତ ସମୃଦ୍ଧ ତାଙ୍କରି ମେରୁଦଣ୍ଡକୁ ଯଦି ଆମେ ଶକ୍ତ ରଖିବା ତେବେ ସେ ସଫଳତାର ଶୀର୍ଷକୁ ଛୁଇଁ ପାରିବ। ତାଙ୍କ ମନରେ ମାଟି ପ୍ରତି ଥିବା ଶ୍ରଦ୍ଧାକୁ ପାଠପଢ଼ା ଦ୍ୱାରା ଓ ବାବୁମାନଙ୍କ ହାକିମାତି ଦ୍ୱାରା ହଟାଇ ଦିଆ ଯାଇଛି। ତାଙ୍କ ଭିତରେ ଭିକାରି ପଣକୁ ଜଗାଇବାରେ ସ୍ପର୍ଦ୍ଧା କରାଯାଉଛି।
ଲଜ୍ଜା ଲାଗୁଛି ଏ ଦେଶକୁ ଲଣ୍ଠନ ଦେଖାଉଥିବା କାଗଜ ମାଧ୍ୟମର ସମ୍ପାଦକୀୟ ପୃଷ୍ଠା ଗୁଡ଼ିକୁ ପଢ଼ିଲେ। ସେଥିରେ ଗୋଟିଏ ମାତ୍ର ଧାଡ଼ି ଲେଖାଯାଇଥିବ ଯେ "ଜନତା ସବୁ ଭୁଲ କରୁଛି। କୁକୁର ଲାଙ୍ଗୁଡ଼ ଭଳି ଯେତେ ସିଧା କଲେ ମଧ୍ୟ ସେ ସିଧା ହେବ ନାହିଁ।"

ନିଜ ତ୍ରୁଟିର ପରିଣାମକୁ ଏ ପଣ୍ଡିତମାନେ ଜନତା ଉପରେ ଲଦନ୍ତି ଓ କୁହନ୍ତି ବିଦେଶ ଭାରି ସୁନ୍ଦର। ସାଧୁ ସାବଧାନ..
ମହାଭାରତ ଯୁଦ୍ଧରେ ସେଇ ବଡ଼ କୁହାମାନେ ଛାଡ଼ ପାଇ ନ ଥିଲେ।

କ୍ରମଶଃ...

୨୭. ୯. ୧୮

Wednesday, 26 September 2018

*ନର୍ମଦାର ଦୁଃଖ..*

ମୁଁ ତା' କୋଳରେ ଶୋଇଛି। ଖୋଲା ଆକାଶରେ ତାରାମାନଙ୍କୁ ଦେଖି ତା' ର ଦୁଃଖ କଥା ଭାବି ଭାବି ମୋ ଆଖି ବୁଜି ହୋଇଯାଏ।

ଜଙ୍ଗଲ କାଟିବା ଦ୍ୱାରା ନର୍ମଦାର ସହାୟକ ନଦୀରେ ଆଉ ପାଣି ଆସୁ ନାହିଁ। ଏବେ ତା'ର ପ୍ରବାହ କ୍ଷୀଣ ହୋଇ ଯାଉଛି। ଏହା ଆଉ ସେହି ନର୍ମଦା ମା' ହୋଇ ରହି ନାହିଁ ଯାହା କୋଳରେ ମୁଁ ଖେଳିଥିଲି। ଯାହା କୂଳରେ ମୁଁ ଅସଂଖ୍ୟ ଦୀପ ଜଳାଇ ଭସାଇ ଦେଇଥିଲି। ଏହା ତ କେବଳ ଆଖ ପାଖର ଜଳ ସ୍ରୋତକୁ ଯୋଡୁଥିବା ମାଧ୍ୟମ ହୋଇଗଲାଣି। ଏହିସବୁ ଦୃଶ୍ୟ ଦେଖି ମୁଁ ଦୁଃଖିତ। ମୁଁ ମନେପକାଉଛି ସେହି ଦିନଗୁଡ଼ିକୁ ଯେତେବେଳେ ନର୍ମଦା ଜୟନ୍ତୀ ହୁଏ, ସହସ୍ର ଦୀପରେ ମା'ଙ୍କ ଆରତୀ ହୁଏ। ମା'ଙ୍କ ସୁନ୍ଦର ସାଜ ସଜ୍ଜା ଏବେ ବି ମନେ ପଡୁଛି।

ମାଆ ନର୍ମଦା ପୂଜନୀୟ ଅଟନ୍ତି। ଏଥିରେ ମିଳୁଥିବା ସମସ୍ତ ପଥର, ବାଲିଗରଡ଼ାକୁ ଭକ୍ତଗଣ ନେଇଯାଇ ଶ୍ରଦ୍ଧାର ସହ ପୂଜନ କରନ୍ତି। ଶାସ୍ତ୍ରରେ କୁହାଯାଇଛି ଏହାର ସମସ୍ତ ପଥର ଶଙ୍କର। ମା'ଙ୍କ ପୂଜନ ସହ ପ୍ରଦକ୍ଷିଣାର ବିଶେଷ ମହତ୍ତ୍ୱ ରହିଛି। ହଜାର ହଜାର ଭକ୍ତ ପରିବାର ସୁଖ ପାଇଁ ପ୍ରଦକ୍ଷିଣା କରନ୍ତି। ଏହି ପ୍ରଦକ୍ଷିଣା ଦ୍ୱାରା ଜନ୍ମ ଜନ୍ମର ପାପ ନାଶ ହୋଇଯାଏ। ଏ ପ୍ରଦକ୍ଷିଣା ସେତେବେଳେ ସଫଳ ହେବ ଯେତେବେଳେ ଆମେ ନଦୀକୁ କେବଳ ନଦୀ ବୋଲି ନ ଦେଖିବା।

ମୁଁ ଜଣେ ଶିକ୍ଷକ। ୩୭ ବର୍ଷ ଚାକିରିକରି ମୁଁ ଅବସର ନେଇଛି। ବର୍ଷ ବର୍ଷ ଧରି ପିଲାଙ୍କୁ ମୁଁ ପାଠ ପଢ଼ାଇଛି। ଗୋଟିଏ କଥା ସବୁବେଳେ ମୋ ମନରେ ଦୁଃଖ ଦେଉଛି ଯେ, ଆମେ ଆମ ଶିକ୍ଷା ବ୍ୟବସ୍ଥାରେ ଆମ ପିଲାମାନଙ୍କୁ ଜଳ, ଜଙ୍ଗଲ, ଜମିକୁ ପ୍ରେମ କରିବାକୁ ଶିଖାଇଲୁ ନାହିଁ। ଆମେ ତାଙ୍କୁ ଭୂଗୋଳ ତ ପଢ଼ାଇଲୁ, ନଦୀମାନଙ୍କ ବିଷୟରେ ସୂଚନା ମଧ୍ୟ ଦେଲୁ; କିନ୍ତୁ ଆମେ କେବେ ନଦୀର ବ୍ୟଥା, ନଦୀର ପୀଡ଼ା ବୁଝିବା ପାଇଁ ସେମାନଙ୍କ ଭିତରେ ଥିବା ସମ୍ବେଦନାକୁ ଜଗାଇଲୁ ନାହିଁ। ଆମେ ନାନା ଉପାୟରେ ନଦୀମାନଙ୍କର ଶୋଷଣ କରୁଛୁ। କିପରି ଆମେ ଆମ ପିଲାମାନଙ୍କୁ ଶିଖାଇ ପାରିବା ଯେ ଏଇ ଜଳ ଧାରା ଯାହାକୁ ଆମେ ଦେଖୁଛନ୍ତି, ଏହା ମା' ଅଟେ। ଅରଣ୍ୟ ପିତା ଅଟେ।

ଆମ ଇତିହାସ କୁହେ ଆଦିମ କାଳରେ ମନୁଷ୍ୟ ଅସଭ୍ୟ ଥିଲା। ପୁଣି ଧୀରେ ଧୀରେ ସଭ୍ୟତାର ବିକାଶ ହେଲା।
ଏହା କେଉଁ ପ୍ରକାର ସଭ୍ୟତା ?
ଏହା କେଉଁ ପ୍ରକାର ବିକାଶ ??

ଯେଉଁଥିରେ ଜୀବନଦାୟିନୀ ପ୍ରକୃତି ଉପରେ କୁଢ଼ କୁଢ଼ ବିଷ ଢଳା ଯାଉଛି।

ଗଛ ସବୁ ଥୁଣ୍ଟା ହୋଇଗଲେଣି।

ନଦୀ ସବୁ ପ୍ରଦୂଷିତ ହୋଇଗଲେଣି।

ସେତେବେଳେ କେଉଁଠି ଅସଭ୍ୟ ଥିଲା ମଣିଷ ?

ସେମାନେ ତ ଏ ପ୍ରକୃତିର ଉପାସକ ଥିଲେ।
ଗୁମ୍ଫା ମାନଙ୍କରେ ସେମାନଙ୍କ ଅଙ୍କିତ ଚିତ୍ର ଦେଖିବାକୁ ମିଳୁଥିଲା। ସେମାନେ ନଦୀମାନଙ୍କୁ, ନାଗ ଓ ପଶୁମାନଙ୍କୁ ଦେବତା ରୂପେ ଆଙ୍କୁଥିଲେ। ସେମାନେ କିପରି ଅସଭ୍ୟ ଥିଲେ ??

ଏହା ବିଡ଼ମ୍ବନା ଯେ ଆଜି ଆମେ ପଢ଼ା ଲେଖାଵାଲା ହୋଇଗଲେ, ଶିକ୍ଷିତ ହୋଇଗଲେ। ଧିକ ଆମ ପଢ଼ାଲେଖାପଣକୁ

ଯିଏ ଆମ ଅତୀତକୁ ହେୟ ଦୃଷ୍ଟିରେ ଦେଖୁଛି।

କିଭଳି ଜଡ଼ତା ଏଇ ସଭ୍ୟମାନଙ୍କୁ ଗ୍ରାସିଛି

ଏମାନେ ନିଜ ପୂର୍ବପୁରୁଷଙ୍କୁ ଅସଭ୍ୟ କହୁଛନ୍ତି

ଯେଉଁମାନେ ପ୍ରକୃତିର ମର୍ମକୁ ସମୟ ପୂର୍ବରୁ ବୁଝିପାରୁଥିଲେ।

ଏବେ କୋଉଠି ଅଛି ସମ୍ବେଦନା ଯାହାକୁ ମନୁଷ୍ୟ ନାମକ ଜୀବରେ ବ୍ରହ୍ମା ଦାନ କରିଥିଲେ। କର୍ମକାଣ୍ଡ, ହୋମ-ଯଜ୍ଞ, ନର୍ମଦା ମା'ର ପୂଜନ ଆମେ ଏଥିପାଇଁ କରୁଛୁ କାରଣ ମନରେ ଭୟ ଅଛି। ପ୍ରକୃତରେ ଆମ ମନରେ ପ୍ରେମ କାହିଁ ?

ଭୟ କ'ଣ ?

ବୈଶ୍ବିକ ଉତ୍ତାପ, ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧୀ ବୋଲି ନାଟକ....

ତଥାପି କିଛି ନିଃସ୍ୱାର୍ଥ ସେବକ ଅଛନ୍ତି ଯେଉଁମାନେ ମାଆ ନର୍ମଦାର ସେବା ଓ ପୂଜା ଶ୍ରଦ୍ଧାରେ କରୁଛନ୍ତି।

ଶେଷରେ ଅମୃତଲାଲ ବେଗଡ଼ କହୁଛନ୍ତି -

ହେ ମା' !
ମୁଁ କଣ ତୋର ପ୍ରଦକ୍ଷିଣା କରି ପାରିଛି ?

ମୁଁ ତ ଅମରକଣ୍ଟକରୁ ଭଡ଼ଚ ଓ ସାଗର ପୁଣି ସେଠାରୁ ଅମରକଣ୍ଟକ - ବାସ୍ !
ଏଇ କଣ ପ୍ରଦକ୍ଷିଣା ?

ନା, ମୁଁ ଯଦି ତୋର କଷ୍ଟ କମ୍ କରି ପାରିଥାନ୍ତି, ମୁଁ ଯଦି ତୋର ବ୍ୟଥା ଦୂର କରିପାରିଥାନ୍ତି ପ୍ରକୃତ ଅର୍ଥରେ ତାହା ହିଁ ହୋଇଥାନ୍ତା ମୋ ପାଇଁ ଶ୍ରେଷ୍ଠ ପ୍ରଦକ୍ଷିଣା।

୨୬. ୯. ୧୮

Tuesday, 25 September 2018

*ନର୍ମଦାର ଦୁଃଖ.*

ଅମରକଣ୍ଟକରୁ ବାହାରି ପ୍ରାୟଃ ଆଠ କିଲୋମିଟର ପ୍ରବାହିତ ହେବା ପରେ ରେବା ଦୁଗ୍ଧଧାରା ଜଳପ୍ରପାତ ଓ ଦଶ କିଲୋମିଟର ଯିବା ପରେ କପିଳଧାରା ଜଳପ୍ରପାତ ସୃଷ୍ଟି କରିଛି। ପୁଣି ମଣ୍ଡଳା ଦେଇ ଆଗକୁ ଯିବାବେଳେ ଜବଲପୁର ପାଖରେ ଶଙ୍ଖମଲମଲ ପଥରର ଦୁଧିଆ ଗୁମ୍ଫା ସବୁ ସୃଷ୍ଟି କରିଛି। ଏଠାରେ ରେବାର ରୂପ ଅତି ଭୟଙ୍କର। ପଚାଶ ଫୁଟ ଉପରୁ ତା'ର ପ୍ରବାହ ଯେତେବେଳେ ତଳ ପାହାଡ଼କୁ ଖସୁଥାଏ ସେହି ସମୟରେ ପବନର ବେଗ ସହିତ ଉଡ଼ି ଯାଇ ଧୂଆଁର ପରିବେଶ ତିଆରି କରିଥାଏ। ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ସ୍ରଷ୍ଟା କବିବର ରାଧାନାଥ ସେହି ସୁନ୍ଦର ଦୃଶ୍ୟକୁ ତାଙ୍କ ଚିଲିକା କାବ୍ୟରେ ବ୍ୟକ୍ତ କରିଛନ୍ତି -

"ଭ୍ରମିଲି ଭୀଷଣ ବିନ୍ଧ୍ୟାଦ୍ରୀ-କାନ୍ତାର,
ଧୂଆଁଧାରେ ଯହିଁ ହୋଇ ଶତଧାର

ଭୈରବ ଆରବେ ରେବା ଦେଇ ଲମ୍ପ
ଜନମାଏ ଜନମାନସେ ପ୍ରକମ୍ପ,

ଶୁଭ୍ର ସ୍ଵଛ ପୟଃ-ପ୍ରପାତ-ସୁଭଗା
ହର-ଜଟା ଭ୍ରଷ୍ଟା ଯଥା ତ୍ରିପଥଗା,

ଶିକର ଜଳଦେ ବିଭାତ ସୁକର
ସୃଜେ ଯହିଁ ଶକ୍ର ଚାପ ମନୋହର

ଶୃଣିଲି ଶ୍ରବଣେ ସେ ଭୈରବ ରବ
ଉର୍ଦ୍ଧ୍ୱେ ଦେଖିଲି ସେ ଜଳର ତାଣ୍ଡବ।"

ଧୂଆଁଧାର ପାର ହୋଇ ରେବା ଆହୁରି ଅନେକ ଘାଟି ପାର ହୋଇ ନରସିଂହପୁର ଓ ହୋସଙ୍ଗାବାଦ ଭୂମିରେ ସ୍ପର୍ଶ କରିଛି। ତା ପରେ ମହାରାଷ୍ଟ୍ର, ଗୁଜୁରାଟ ହୋଇ ଆରବ ସାଗରରେ ମିଶିଯାଇଛି।
ବାତ୍ସଲ୍ୟମୟୀ ଓ କରୁଣାମୟୀ ମା' ନର୍ମଦା ନିଜ ପାଖରେ ଅନେକ କିଛି ସଞ୍ଚିତ କରି ରଖିଛି।
ଏ ସବୁ ଵର୍ଣ୍ଣନ କରି ବେଗଡ଼ଜୀ କହୁଛନ୍ତି, "ଯାତ୍ରା ସମୟରେ ମହେଶ୍ୱର ଘାଟ ପାଖରେ ମୁଁ
ଚିନ୍ତାରେ ପଡ଼ିଗଲି। ଆମେ ମା' ରେବାକୁ କ'ଣ ଦେଉଛନ୍ତି ? ଆମେ ତ ଲଜ୍ଜାହୀନ ଭାବେ ମାତୃ ହତ୍ୟା କରୁଛନ୍ତି। ଆମେ ଆମ ଘରର ଅଳିଆ, ଆବର୍ଜନା, କଳ କାରଖାନାର ବିଷାକ୍ତ ପଦାର୍ଥ ସବୁ ଏହି ନିର୍ମଳ ଜଳରେ ଢାଳି ଚାଲିଛନ୍ତି। କ'ଣ ଆମେ କଳ୍ପନା କରିପାରୁଛନ୍ତି  ଏଭଳି ବିଷ ପିଇ ମାଆର ଅବସ୍ଥା କ'ଣ ହେଉଥିବ ?
ଏହାକୁ ଚିନ୍ତା କରି ମୁଁ ଦୁଃଖରେ ଷଡୁଛି; କିନ୍ତୁ ମାଆ ରେବା ତ ଏହାକୁ ଅନୁଭବ କରୁଥିବ।

କ୍ରମଶଃ...

୨୫. ୯. ୧୮

Monday, 24 September 2018

*ନର୍ମଦାର ଦୁଃଖ*

ସେଦିନ ସ୍ବର୍ଗତ ଅମୃତଲାଲ ବେଗଡ଼ଙ୍କ ପରିଚୟ ଦେବାବେଳେ ମୁଁ କହିଥିଲି ଯିଏ ଦୁଃଖୀର ପାଖକୁ ଯାଏ ସେ ତା'ର ଦୁଃଖ ପାଖରୁ ଦେଖିପାରେ, ଅନୁଭବ କରିପାରେ। ସେହିପରି ଶ୍ରୀ ଅମୃତଲାଲ  ନର୍ମଦା ନଦୀର ପୀଡ଼ାକୁ ବୁଝିପାରନ୍ତି ଓ ବ୍ୟକ୍ତ କରିପାରନ୍ତି ତାଙ୍କ ଲିଖିତ ପୁସ୍ତକରେ। କିନ୍ତୁ ବହିର ନାଁ ସହିତ ପୀଡ଼ାର କିଛି ସମ୍ପର୍କ ଥିଲା ଭଳି ମୋତେ ଜଣା ପଡ଼ିଲା ନାହିଁ। ତେଣୁ ମୁଁ ପୁଣି ତାଙ୍କୁ ପଢ଼ିଲି।

ଶରଦ ଯୋଶୀ "ଶଳଭ" ନାମକ ଜଣେ ସାହିତ୍ୟିକ ୨୦୧୮ ଜାନୁଆରୀରେ ଶ୍ରୀ ଅମୃତଲାଲ ବେଗଡ଼ଙ୍କୁ ଇନ୍ଦୋରରେ ତାଙ୍କ ବାସଭବନରେ ଭେଟିଛନ୍ତି। ସେତେବେଳକୁ ତାଙ୍କୁ ନବେ ବର୍ଷ ହେଲାଣି। ବେଗଡ଼ଜୀ ନର୍ମଦା ବିଷୟରେ ଲେଖିଛନ୍ତି, ନିଜ ରଙ୍ଗ ଓ ତୂଳିରେ ଚିତ୍ରିତ କରିଛନ୍ତି। ତାଙ୍କୁ ଯେତେବେଳେ ପଚାଶ ବର୍ଷ ହୋଇଥିଲା  ସେତେବେଳେ ଅର୍ଥାତ୍ ୧୯୭୭ ମସିହାରେ ସେ ନିଜ ପତ୍ନୀଙ୍କ ସହ ନର୍ମଦା ପରିକ୍ରମା ପାଇଁ ବାହାରିଥିଲେ। ସେହି ପରିକ୍ରମା ବିଷୟରେ ଶରଦ ଯୋଶୀ ତାଙ୍କୁ ପଚାରିବାରୁ ସେ କହିଲେ," ନର୍ମଦା ଉଦଗମ ସ୍ଥାନରୁ ମୁହାଁଣ ପର୍ଯ୍ୟନ୍ତ ଲମ୍ବା ହେଲା ତେରଶହ ବାର କିଲୋମିଟର। ତେଣୁ ଯିବା ଆସିବା ଅର୍ଥାତ୍ ପ୍ରଦକ୍ଷିଣା ପୂରା କରିବା ପାଇଁ ଛବିଶ ଶହ ଚବିଶ କିଲୋମିଟର ଯାତ୍ରା କରିବାକୁ ପଡ଼େ। ନିୟମ ଅନୁସାରେ ଗଲେ ତିନିବର୍ଷ ତିନି ମାସ ତେର ଦିନ ଲାଗେ। ଜଣେ ଯାତ୍ରୀ ପାଇଁ ଏତେ ଲମ୍ବା ଯାତ୍ରାରେ କେତେ କାହାଣୀ, କେତେ ଦୃଶ୍ୟ, କେତେ ଅନୁଭବ ସ୍ୱତଃ ଆସେ। ପୁଣି ସେ ଯାତ୍ରୀ ଯଦି ସାହିତ୍ୟିକ ଓ ଚିତ୍ରକର ହୋଇଥିବ ତେବେ ସେ କେବେ ଚାହିଁବ ନାହିଁ ଏ ସବୁ ଅନୁଭବକୁ ନିଜ ପାଖରେ ସୀମିତ କରିଦେବା ପାଇଁ। ଏଥିପାଇଁ ମୁଁ ବହି ଲେଖିଲି ଯେଉଁଥିରେ ଲେଖା ସହିତ ଅନେକ ଚିତ୍ର ବି ଅଛି।

ଶରଦ ଯୋଶୀ କହୁଛନ୍ତି, "ବେଗଡ଼ଜୀ ଆମକୁ ପ୍ରକୃତିକୁ ଦେଖିବାର ନୂଆ ଦୃଷ୍ଟି ଦେଲେ। ସେହି ଦୃଷ୍ଟି ନ ଆସିବା ଯାଏ ଆମକୁ ପାହାଡ଼ କେବଳ ପାହାଡ଼ ଭଳି, ଜଙ୍ଗଲ କେବଳ ଜଙ୍ଗଲ ଭଳି, ନଦୀ କେବଳ ନଦୀ ଭଳି ଦେଖାଯିବ। ସମ୍ବେଦନହୀନ ଦୃଷ୍ଟିରେ ଆମକୁ ତା'ର ସୌନ୍ଦର୍ଯ୍ୟ ତ ଦେଖାହେବ, ମର୍ମ ନୁହେଁ।"

ବେଗଡ଼ଜୀଙ୍କ ପ୍ରଦକ୍ଷିଣା ସମୟର ଅନୁଭବରେ ଥିବା ଧନ୍ୟବାଦ ଓ ସନ୍ତପ୍ତ ପୀଡ଼ା କ'ଣ ?

ସେ ଧନ୍ୟବାଦ ଦେଇଛନ୍ତି ସୂର୍ଯ୍ୟଙ୍କୁ ଯିଏ ସୌରମଣ୍ଡଳ ଭିତରେ ପୃଥିବୀକୁ ସର୍ବଶ୍ରେଷ୍ଠ ସ୍ଥାନରେ ରଖିଛନ୍ତି।

ସେ ଧନ୍ୟବାଦ ଦେଇଛନ୍ତି ସମୁଦ୍ରଙ୍କୁ ଯିଏ ନିଜେ ଖାର, କିନ୍ତୁ ବର୍ଷା ହୋଇ ମଧୁର ଜଳ ଦାନ କରୁଛନ୍ତି।

ସେ ଧନ୍ୟବାଦ ଦେଇଛନ୍ତି ସମସ୍ତ ନଦୀଙ୍କୁ ଯିଏ ଆମକୁ ଜୀବନ ଦେଇଛନ୍ତି।

ତାଙ୍କୁ ପୀଡ଼ା ଦେଇଛି ଓ ସେ ତିରସ୍କାର କରିଛନ୍ତି ସେହି ରାସାୟନିକ ଖାଦ୍ୟକୁ, ରାସାୟନିକ କାରଖାନାକୁ ଯିଏ ନିଜର ବର୍ଯ୍ୟବସ୍ତୁକୁ ନଦୀରେ ପକାଇ ଆମ ଜଳ, ଜଙ୍ଗଲ ଓ ଜମିକୁ ତିଳ ତିଳ କରି ମରିବାକୁ ବିବଶ କରିଦେଉଛି।
ସେ ତିରସ୍କାର କରିଛନ୍ତି ସେହି ସ୍ୱାର୍ଥ ମାନସିକତାକୁ ଯିଏ ମାତୃ ହତ୍ୟା କରୁଛନ୍ତି।
ନଦୀ ପ୍ରଦୂଷିତ ହେଉଛି, ତା'ର ପ୍ରଭାବ ମଧ୍ୟ ଜଙ୍ଗଲର ସୃଜନ ଶକ୍ତି ଉପରେ ପଡୁଛି।

ତାଙ୍କର ସବୁଠୁ ବଡ଼ ପ୍ରଶ୍ନ ହେଲା ଯେ କେଉଁ ଅନାଦି ଅନନ୍ତ କାଳରୁ ଆମ ପୂର୍ବ ପୁରୁଷଙ୍କ ତୃଷା ନିବାରଣ କରି ଆସିଥିବା ଏହି ନର୍ମଦା ଏବେ ଆଉ କ'ଣ ଆମର ଓ ଆମ ଉତ୍ତର ପୁରୁଷଙ୍କ ତୃଷ୍ଣାକୁ ନିବାରଣ କରିପାରିବ ?

ସେ କହୁଛନ୍ତି, ମୁଁ ଦେଖିଲି ରେବାର ସ୍ୱରୂପ ବଦଳି ଯାଇଛି। ଲଗାତର ଗଛ କାଟିବା ଦ୍ୱାରା ନଦୀରେ ପାଣି କମିବାରେ ଲାଗିଛି। ପ୍ରଦୂଷଣ ବଢ଼ି ଚାଲିଛି। ମୋ ନର୍ମଦା ମାଆ ରୋଗ ଗ୍ରସ୍ତ ଓ ମୁଁ ମଧ୍ୟ ଜଡ଼ ପାଲଟି ଯାଇଛି।
ଆମେ ମାତୃହତ୍ୟା ଭଳି ପାପ କେତେ ଲଜ୍ଜା ହୀନ ଭାବେ କରୁଛୁ !

କ୍ରମଶଃ...

୨୪. ୯. ୧୮

Sunday, 23 September 2018

*ଶ୍ରୀରାମ ପରିହାର*

http://www.hindisamay.com/writer/writer_details.aspx?id=2603

ଗତକାଲି ଆମେ ଜଣେ ସାହିତ୍ୟିକଙ୍କ କଥା ବିଚାର କରିଥିଲେ। ସେ ହେଉଛନ୍ତି ସ୍ବର୍ଗତ  ଅମୃତଲାଲ ବେଗଡ଼।

ଆଜି ଆଉ ଜଣେ ସାହିତ୍ୟିକଙ୍କ କଥା ଶୁଣିବା। ସେ ହେଉଛନ୍ତି ଆମର ଆଦରଣୀୟ ଶ୍ରୀରାମ ପରିହାର। ଡ. ପରିହାର ଏବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଉପାଧ୍ୟକ୍ଷ ଅଛନ୍ତି। ତାଙ୍କ ନାଁ ମନେ ପକାଇବାର କାରଣ ସେ ମାଆ ନର୍ମଦାଙ୍କ ପ୍ରଦକ୍ଷିଣା କରିସାରିଛନ୍ତି।
ପ୍ରଦକ୍ଷିଣା ସଂକ୍ରାନ୍ତରେ ଅନେକ କଥା ଆମେ ତାଙ୍କ ଠାରୁ ସିଧା ଶୁଣିପାରିବା।

ଆମେ ବି ଅନେକ ପ୍ରଶ୍ନ ତାଙ୍କୁ ପଚାରିଥିଲୁ। ତା
ଭିତରୁ ଗୋଟିଏ ପ୍ରଶ୍ନର ଉତ୍ତର ଏଠାରେ ରଖୁଛି।

ପ୍ରଶ୍ନ - ପରିହାରଜୀ ! ଆପଣ ପ୍ରଦକ୍ଷିଣା ସମୟରେ ଥକି ପଡୁ ନ ଥିଲେ ? ନଦୀ ନାଳ କେମିତି ପାର ହେଉ ଥିଲେ ? ବନ୍ୟ ଜନ୍ତୁ ଦେଖା ହେଉଥିଲେ କି ନାଇଁ ?

ଉତ୍ତର - ମାନସିକତା ଠିକ୍ ଥିଲେ ଥକା ଜଣା ପଡ଼େ ନାହିଁ। ଥକି ପଡ଼ିବା ବେଳେ ଟିକେ ବିଶ୍ରାମ ନେଉଥିଲୁ। ନଦୀ କୂଳରେ ଥିଲେ  ନଦୀର ଜଳ ଟିକେ ପିଇ, ସ୍ନାନ ବା ହାତ ମୁହଁ ଧୋଇ ଦେବା ପରେ ଥକା ଦୂର ହୋଇଯାଉଥିଲା। ରାତ୍ରୀ ବିଶ୍ରାମ ପରେ ସକାଳେ ଶରୀର ସ୍ଫୁର୍ତ୍ତି ହୋଇ ପୁଣି ଚାଲିବା ପାଇଁ ଆତୁର କରିଦେଉଥିଲା। ଆଗକୁ ବଡ଼ ନାଳ, ଶାଖା ନଦୀ ଆସିବାକୁ ଥିଲେ ପାଖ ଆଖର ଗ୍ରାମବାସୀ ଆମକୁ ସଚେତ କରିଦେଉଥିଲେ। ଆମକୁ ଠିକ୍ ଓ ସୁଗମ ରାସ୍ତା ବତାଇ ଦେଉଥିଲେ। ଆମର ଖାଇବା ପିଇବା କଥା ବୁଝିଦେଉଥିଲେ। ରାତିରେ ଆମକୁ ଘରେ ରଖାଉ ଥିଲେ। ଆମ ଗୋଡ଼ ଧୋଇ ଦେଉଥିଲେ। ଭୋଜନ ପରେ ଦଶ, ପାଞ୍ଚ ବା କୋଉଠି ପଚାଶ ଟଙ୍କା ଦକ୍ଷିଣା ବି ଦେଉଥିଲେ।

ହଁ, ବନ ପଥରେ ଆମକୁ ମୟୁର, ଶୃଗାଳ, ବାର୍ହା, ନୀଳଗାଈ ଓ ଅନେକ ପକ୍ଷୀଙ୍କର ଦର୍ଶନ ହୋଇଥିଲା। ନର୍ମଦା କୂଳରେ ଥିବା ଲୋକଙ୍କର ସେବାଭାବ ଅଦ୍ଭୁତ ଥିଲା। ଆଧୁନିକତାର ପ୍ରଭାବରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତଥାପି ସେବାଭାଵ ବଞ୍ଚିଛି। ବାଟ ଦେଖାଇଦେବା, ଯାତ୍ରୀଙ୍କୁ ସହାୟତା କରିବା, "ନର୍ମଦେ ହର" କହି ଭୋଜନ ସାମଗ୍ରୀ ଦେବାର ଭାବନା ଆଜି ବି ବଞ୍ଚିଛି। ପୂରା ପରିକ୍ରମା ସମୟରେ ନର୍ମଦା ମାଆ କୌଣସି ଯାତ୍ରୀଙ୍କୁ ଭୋକିଲା ରହିବାକୁ ଦିଅନ୍ତି ନାହିଁ। କାହାକୁ ଭୋକିଲା ଶୋଇବାକୁ ଦିଅନ୍ତି ନାହିଁ। ପାଖ ଘର ଲୋକ ଡାକି ନେଇ ଆମକୁ ନ ଖୁଆଇବା ଯାଏ  ଶୁଅନ୍ତି ନାହିଁ। ଯଦି ଆଶ୍ରମ ଥାଏ ସେଠାରେ ଭୋଜନ ବ୍ୟବସ୍ଥା ହୋଇଯାଏ। ଜାଗା ଜାଗାରେ ସଦାବ୍ରତ ଖୋଲାଯାଇଥାଏ। ସେଠାରେ ନିଃଶୁଳ୍କ ଭୋଜନ ହୋଇଯାଏ। ଯାତ୍ରୀ ନିବାସରେ କିମ୍ବା କୌଣସି ଘରେ ରହିଲେ ପରିକ୍ରମା ଯାତ୍ରୀଙ୍କ ଠାରୁ କେହି ଶୁଳ୍କ ନିଅନ୍ତି ନାହିଁ। ଏଇ ଶ୍ରଦ୍ଧାଭାବ ଏବେ ବି ଅତୁଟ ଅଛି।

ପୁନରପି ଜନମମ୍ ପୁନରପି ମରଣମ୍
ପୁନରପି ଜନନୀ ଜଠରେ ଶୟନମ୍

ଏହି କ୍ରମ ନିରନ୍ତର ଚାଲିଛି।
କିଏ କାହା ଋଣ ଏଇ ଭୂମିକୁ ଆସି ଶୁଝୁଛି
କିଏ ଜାଣେ ?
ହିସାବ କିତାବ ପୂରା କରି ଏଠାରୁ କବୀର, ତୁଳସୀ, ମୀରା, ରବିଦାସ, ସନ୍ତ ଜ୍ଞାନେଶ୍ୱର, ସନ୍ତ ବସବେଶ୍ୱର, ନାମଦେବ, ଏକନାଥ, ସମର୍ଥ ରାମଦାସ, ନାନକ, ନରସୀ ମେହେଟା, ଅନେକ ପରମହଂସ ଯାଇସାରିଲେଣି। ଯିବା ଆସିବା, ଋଣ ଶୁଝିବାର କ୍ରମ କର୍ମର ଗତି ଓ ସ୍ଥିତି ଅନୁସାରେ ଚାଲିଛି। ହୁଏତ ଏମାନେ ଗତ ଜନ୍ମରେ ପରିକ୍ରମା କରିଥିବେ ଏବେର ଯାତ୍ରୀମାନେ ତାଙ୍କୁ ଅନ୍ନ ଜଳ ଦେଇଥିବେ ନହେଲେ ଆର ଜନ୍ମରେ ନର୍ମଦା ମାଆ ପୁଣି ଚାଲିବାର ଅବସର ନ ଦେବେ କିଏ କହିପାରିବ ?

୨୩. ୯. ୧୮

Saturday, 22 September 2018

*ଶ୍ରୀ ଅମୃତଲାଲ ବେଗଡ଼*

https://en.m.wikipedia.org/wiki/Amritlal_Vegad

ଜଣେ ସାହିତ୍ୟିକ ଯେତେବେଳେ ନର୍ମଦାର ପ୍ରତ୍ୟେକ ଲହର ସହ ତାଳ ଦେଇ ଚାଲିବା ପାଇଁ ମନ ତିଆରି କରି ଦିଅନ୍ତି ସେତେବେଳେ ସେ ଖାଲି ପ୍ରଦକ୍ଷିଣା କରନ୍ତି ନାହିଁ ବରଂ ସେହି ନଦୀର ପୀଡ଼ାକୁ ବୁଝିପାରନ୍ତି ଓ ବ୍ୟକ୍ତ କରିପାରନ୍ତି ନିମ୍ନ ଲିଖିତ ପୁସ୍ତକ ରଚନା କରି।

୧. ସୌନ୍ଦର୍ଯ୍ୟ କୀ ନଦୀ ନର୍ମଦା
୨. ଅମୃତସ୍ୟ ନର୍ମଦା
୩. ତୀରେ-ତୀରେ ନର୍ମଦା
୪. ନର୍ମଦା ତୁମ କିତନୀ ସୁନ୍ଦର ହୋ
୫. ଦ ନର୍ମଦା ରିଭର ଅଫ ବିଉଟି
ଇତ୍ୟାଦି....

ସେହି ଚିତ୍ରକର ଓ ସାହିତ୍ୟିକ ହେଉଛନ୍ତି ଶ୍ରୀ ଅମୃତଲାଲ ବେଗଡ଼।

୨୨. ୯. ୧୮