Saturday, 31 March 2018

*ଆନନ୍ଦମଠ-୬*

ଏହିପରି ଆନନ୍ଦମଠ ଉପନ୍ୟାସରେ ବନ୍ଦେ ମାତରମର ଦିବ୍ୟଦର୍ଶନ ପୂର୍ଣ୍ଣ ହୋଇଛି। ଏହି ଦର୍ଶନକୁ ଗୀତ ଆକାରରେ ଲିପିବଦ୍ଧ କରାଯାଇଛି।

ଏହି ଉପନ୍ୟାସରେ ବାରମ୍ବାର ଭଗବାନ ବିଷ୍ଣୁଙ୍କର ଶକ୍ତିମୟ ସ୍ୱରୂପର ଵର୍ଣ୍ଣନ ବିଭିନ୍ନ ଚରିତ୍ର ଦ୍ୱାରା ବୋଲା ଯାଇଥିବା ଗୀତରେ ବର୍ଣ୍ଣିତ। ଯେପରି - ପ୍ରଥମ ଖଣ୍ଡର ପରିଚ୍ଛେଦ ୪ରେ ଜଣେ ସନ୍ନ୍ୟାସୀ(ସତ୍ୟାନନ୍ଦ) ଗାଉଛନ୍ତି -
"ହରେ ମୁରାରେ ମଧୁକୈଟଭାରେ !
ଗୋପାଳ ଗୋବିନ୍ଦ ମୁକୁନ୍ଦ ସୌରେ
ହରେ ମୁରାରେ ମଧୁକୈଟଭାରେ !"

ପରିଚ୍ଛେଦ ୧୨ରେ କଲ୍ୟାଣୀ ଓ ମହେନ୍ଦ୍ର ମଧ୍ୟ ଏହି ଗୀତକୁ ଗାଇଛନ୍ତି। "ସେହି ସମୟରେ ଚାରିଆଡ଼େ ଏହି  ଧ୍ଵନି ଗୁଞ୍ଜି ଉଠିଛି -
ହରେ ମୁରାରେ ମଧୁକୈଟଭାରେ !

ଗଛ ଡାଳରେ ରାବୁଥିବା ପକ୍ଷୀମାନଙ୍କ କଣ୍ଠରୁ ମଧ୍ୟ ସତେ ଯେପରି ଭାସି ଆସୁଛି  -
ହରେ ମୁରାରେ ମଧୁକୈଟଭାରେ !....

ନଦୀର କଳ କଳ ତାନରେ ମଧ୍ୟ ମୁଖରିତ ହେଉଛି - ହରେ ମୁରାରେ ମଧୁକୈଟଭାରେ !

ମହେନ୍ଦ୍ର  ଶୋକ ତାପ ଭୁଲି ଉନ୍ମାଦ ହୋଇ କଲ୍ୟାଣୀ ସହ ଏକ ସ୍ୱରରେ ଗାଉଛି -
ହରେ ମୁରାରେ ମଧୁକୈଟଭାରେ !"

ପରିଚ୍ଛେଦ ୧୮ରେ ଜ୍ଞାନାନନ୍ଦ କହୁଛନ୍ତି, ଭାଇମାନେ କୁହ - ହରେ ମୁରାରେ ମଧୁକୈଟଭାରେ !

ଯିଏ ମଧୁ କୈଟଭ ରାକ୍ଷସ ଦ୍ୱୟଙ୍କୁ ବିନାଶ କରିଥିଲେ,
ଯିଏ ହିରଣ୍ୟକଶ୍ୟପୁ, କଂସ, ଦଂତକ୍ର, ଶିଶୁପାଳ ଆଦି ଦୁର୍ଜୟ ଅସୁରଙ୍କୁ ସଂହାର କରିଥିଲେ, ଯାହାଙ୍କ ଚକ୍ରର ଘର୍ଘର ନାଦରେ ମୃତ୍ୟୁଞ୍ଜୟ, ଶୁମ୍ଭ ପର୍ଯ୍ୟନ୍ତ  ଭୟଭୀତ ହୋଇଯାଇଥିଲେ, ଯିଏ ଅଜେୟ ଓ ଯୁଦ୍ଧରେ ବିଜୟ ଦିଅନ୍ତି, ଆମେସବୁ ତାଙ୍କରି ଉପାସକ, ତାଙ୍କରି ଶକ୍ତିରୁ ଆମ ବାହୁରେ ଅନନ୍ତ ବଳ ଅଛି, ସେ ଇଚ୍ଛାମୟ, ତାଙ୍କର ଇଚ୍ଛା ହେବ ତ ଆମେ ଯୁଦ୍ଧରେ ଅବଶ୍ୟ ବିଜୟୀ ହେବା।...

କ୍ରମଶଃ...

୩୧. ୩. ୧୮

Friday, 30 March 2018

*ଆନନ୍ଦମଠ-୫*

ମହେନ୍ଦ୍ର "ବନ୍ଦେ ମାତରମ" କହି କାଳୀ ମୂର୍ତ୍ତିକୁ ପ୍ରଣାମ କଲା। ତା'ପରେ ବ୍ରହ୍ମଚାରୀ ତାକୁ ନେଇ ଅନ୍ୟ ସୁଡ଼ଙ୍ଗ ଦେଇ ଉପରକୁ ଉଠିଗଲେ। ଉପରକୁ ଉଠିବା ମାତ୍ରେ ସେମାନେ ଦେଖିଲେ ସକାଳର କଅଁଳ କିରଣ ଓ ପକ୍ଷୀମାନଙ୍କର କଳରବ। ସେଠାରେ ପଥରରେ ନିର୍ମିତ ମନ୍ଦିର ମଧ୍ୟରେ ଦଶଭୁଜା ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ଯାହା ସୂର୍ଯ୍ୟଙ୍କ ସୁନେଲି କିରଣରେ ଜ୍ୟୋତିର୍ମୟ ହୋଇ ହସି ଉଠୁଥିଲେ। ବ୍ରହ୍ମଚାରୀ ସେହି ପ୍ରତିମାକୁ ପ୍ରଣାମ କରି କହିଲେ ଏହା ହେଉଛି ମାଆଙ୍କର ସେହି ରୂପ ଯାହା ଆମକୁ ଗଢ଼ିବାକୁ ହେବ। ଦଶଭୁଜା ଦଶ ଦିଗରେ ବିସ୍ତାରିତ ହୋଇଛି, ପ୍ରତ୍ୟେକ ଭୁଜାରେ ନାନା ପ୍ରକାର ଅସ୍ତ୍ର ନାନା ପ୍ରକାର ଶକ୍ତିଦ୍ୱାରା ଶୋଭିତ, ପାଦତଳେ ଶତ୍ରୁ  ବିମର୍ଦିତ, ପଦାଶ୍ରିତ ବୀର-କେଶରୀ ଶତ୍ରୁ ଦମନରେ ନିଯୁକ୍ତ ! କହୁ କହୁ ସତ୍ୟାନନ୍ଦ(ବ୍ରହ୍ମଚାରୀ)ଙ୍କ କଣ୍ଠ ରୁଦ୍ଧ ହୋଇଗଲା।

ତା'ପରେ ବି ସେ ପୁଣି କହିଲେ, ଦିଗଭୁଜା ନାନା ପ୍ରହରଣ ଧାରିଣୀ ଶତ୍ରୁ ବିମର୍ଦିନୀ ବୀରେନ୍ଦ୍ର ପୃଷ୍ଠ ବିହାରିଣୀ-ଦକ୍ଷିଣେ ଭାଗ୍ୟ ରୂପିଣୀ ଲକ୍ଷ୍ମୀ ବାମେ, ବାଣୀ ବିଦ୍ୟା ବିଜ୍ଞାନ ଦାୟିନୀ, ସାଙ୍ଗରେ ବଳରୂପୀ କାର୍ତ୍ତିକେୟ, କାର୍ଯ୍ୟସିଦ୍ଧିରୂପୀ ଗଣେଶ; ଆସ ଆମେ ଦୁଇଜଣ ମାଆଙ୍କୁ ପ୍ରଣାମ କରିବା।"

ଦୁଇଜଣଯାକ କରଯୋଡ଼ି ମଥା ସିଧା କରି ଏକାସାଙ୍ଗରେ ଉଚ୍ଚାରଣ କଲେ -

"ସର୍ବମଙ୍ଗଳ-ମାଙ୍ଗଲେ ୍ୟ ଶିବେ ସର୍ବାର୍ଥ ସାଧିକେ।
ଶରଣେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ।।

ଭକ୍ତିଭାବରେ ପ୍ରଣାମକରି ଦୁଇଜଣଯାକ ଉଠିପଡ଼ିବା ବେଳେ ମହେନ୍ଦ୍ର ପଚାରିଲା - ମାଆଙ୍କ ଏପରି ମୂର୍ତ୍ତି ଆମେ କେବେ ଦେଖି ପାରିବା ?

ବ୍ରହ୍ମଚାରୀ କହିଲେ, "ଯେଉଁଦିନ ମାଆଙ୍କ ସବୁ ସନ୍ତାନ ମାଆକୁ ମାଆ ବୋଲି ଡାକିବେ, ସେଇଦିନ ସେ ପ୍ରସନ୍ନ ହେବେ।"

କ୍ରମଶଃ...

୩୦. ୩. ୧୮

Thursday, 29 March 2018

*ଆନନ୍ଦମଠ-୪*

ଅନ୍ୟ କକ୍ଷରେ ଏକ ଅତ୍ୟନ୍ତ ସୁନ୍ଦର ସର୍ବାଙ୍ଗସମ୍ପନ୍ନ ଏବଂ ଆଭୂଷଣଯୁକ୍ତ ଜଗଦ୍ଧାତ୍ରୀଙ୍କ ପ୍ରତିମା ଶୋଭା ପାଉଥିଲା।
ମହେନ୍ଦ୍ର ପଚାରିଲା - ଇଏ କିଏ ?
ବ୍ରହ୍ମଚାରୀ - ମାଆ.... ସେମାନେ ଯେମିତି ଥିଲେ।
ମହେନ୍ଦ୍ର - କଣ କହୁଛନ୍ତି ଆପଣ ?
ବ୍ରହ୍ମଚାରୀ - "ଇଏ ହାତୀ ଓ ସିଂହ ଆଦି ବନ୍ୟ ପଶୁଙ୍କୁ ପାଦରେ ଦଳି ବନ୍ୟ ପଶୁ ରହୁଥିବା ସ୍ଥାନରେ ନିଜର ପଦ୍ମାସନ ସ୍ଥାପିତ କରିଛନ୍ତି। ଇଏ ସର୍ବାଳଙ୍କାରଯୁକ୍ତା ହସହସ ମୁଖ ଓ ବହୁତ ସୁନ୍ଦର ଥିଲେ। ନବାରୁଣ ପରି ବର୍ଣ୍ଣ ଥିଲା ତାଙ୍କର ଓ ସେ ସମସ୍ତ ଐଶ୍ୱର୍ଯ୍ୟର ଅଧିକାରିଣୀ ଥିଲେ। ତୁମେ ଏଇ ଦେବୀଙ୍କୁ ପ୍ରଣାମ କର।"

ମହେନ୍ଦ୍ର ଭକ୍ତିଭାଵରେ ଜଗଦ୍ଧାତ୍ରୀରୂପିଣୀ ମାତୃଭୂମିଙ୍କୁ ପ୍ରଣାମ କଲା। ଏହାପରେ ଭୁଗର୍ଭସ୍ଥିତ ଏକ ଅନ୍ଧକାର କକ୍ଷରେ କ୍ଷୀଣ ଆଲୋକରେ କାଳୀ ମୂର୍ତ୍ତି ଦେଖାଗଲା।

ବ୍ରହ୍ମଚାରୀ କହିଲେ ଦେଖ ମହେନ୍ଦ୍ର, ମାଆ ଏବେ କେଉଁ ରୂପ ଧାରଣ କରିସାରିଲେଣି ?

ମହେନ୍ଦ୍ର ଡରି ଡରି କହିଲା, ଇଏ ତ କାଳୀ ମୂର୍ତ୍ତି।

ବ୍ରହ୍ମଚାରୀ କହିଲେ, "କାଳୀ-କାଳୀ......
ଅନ୍ଧକାର ସମାଚ୍ଛନ୍ନ କାଳିମାମୟୀ।
ୟାଙ୍କର ସବୁ କିଛି ହରଣ କରି ନିଆ ଯାଇଛି। ସେଥିପାଇଁ ସେ ଏପରି ନଗ୍ନ ଦେଖାଯାଉଛନ୍ତି।
ଆଜି ଦେଶ ସାରା ଶ୍ମଶାନ ହୋଇଯାଇଛି। ଏଥିପାଇଁ ମାଆଙ୍କ ବକ୍ଷରେ ନର ମୁଣ୍ଡଙ୍କ ମାଳା ପଡିଛି।  ଶିବଙ୍କ ଉପରେ ନିଜ ପାଦରେ ଚଢ଼ି ଯାଇଛନ୍ତି...
ହାୟ ମାଆ।"
ବ୍ରହ୍ମଚାରୀ ଅଶ୍ରୁ ବିଗଳିତ ହୋଇଗଲେ।
ମହେନ୍ଦ୍ର ପଚାରିଲା ତାଙ୍କ ହାତରେ ଖଡ୍ଗ ଓ ଖପୁଡ଼ି କଣ ପାଇଁ ?

ବ୍ରହ୍ମଚାରୀ କହିଲେ, "ଆମେ ସନ୍ତାନ ଅଟୁ। ଆମେ ମାଆଙ୍କ ହାତରେ ଏଇ ଅସ୍ତ୍ର ଦେଇଦେଇଛୁ। କେବଳ କୁହ ବନ୍ଦେ ମାତରମ।"

କ୍ରମଶଃ...

୨୯. ୩. ୧୮

Wednesday, 28 March 2018

*ଆନନ୍ଦମଠ-୩*

ଆନନ୍ଦମଠ ଉପନ୍ୟାସର ପ୍ରଥମ ଖଣ୍ଡର ଚତୁର୍ଥ ପରିଶିଷ୍ଟରେ ଶୁଭ୍ର ଶରୀର, ଶ୍ୱେତ କେଶ, ଶୁଭ୍ର ଦାଢ଼ି, ଶ୍ୱେତ ବସ୍ତ୍ରରେ ମହାଶରୀର ମହାମୁନି ବୀଣା ହାତରେ ନେଇ ଚନ୍ଦ୍ରମାରେ ପ୍ରଦୀପ୍ତ ନୀଳାକାଶର ପଥରେ ଗାଉ ଥିଲେ 'ହରେ କୃଷ୍ଣ ମୁରାରେ ମଧୁକୈଟଭାରେ'। ପ୍ରଥମ ଖଣ୍ଡର ଦଶମ ପରିଶିଷ୍ଟରେ ଭବାନନ୍ଦ ଦ୍ୱାରା 'ବନ୍ଦେ ମାତରମ' ଗୀତ ପୂରା ବୋଲାଗଲା। ମହେନ୍ଦ୍ରକୁ ବୁଝାଇବାକୁ ଯାଇ ଭବାନନ୍ଦ କହୁଛନ୍ତି - "ଆମେ ଆଉ କୌଣସି ମାଆକୁ ମାନୁ ନାହୁଁ। ଆମ ପାଇଁ ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ। ଆମେ ଜନ୍ମଭୂମିକୁ ହିଁ ମାଆ କହୁ। ଆମର ଆଉ କୌଣସି ମାଆ ନାହିଁ, ବାପା ନାହିଁ, ଭାଇ ନାହିଁ, ଭଉଣୀ ନାହିଁ, ମିତ୍ର ନାହିଁ, ସ୍ତ୍ରୀ-ପୁରୁଷ ନାହିଁ, ଘର ଦ୍ୱାର ନାହିଁ, ଆମ ପାଇଁ ଏକ ମାତ୍ର ସେଇ ସୁଜଳା, ସୁଫଳା, ମଳୟଜ ଶୀତଳା, ଶସ୍ୟଶ୍ୟାମଳା ମାଆ...।"
ପରିଶିଷ୍ଟ ଏଗାରରେ 'ଆନନ୍ଦମଠ' ନାମକ ସ୍ଥାନରେ ସ୍ଥିତ ଦେବାଳୟର ଅଭ୍ୟନ୍ତର ପ୍ରକୋଷ୍ଠକୁ ମହେନ୍ଦ୍ର ଦେଖୁଛି - "ସେଠାରେ ଏକ ପ୍ରକାଣ୍ଡ ଚତୁର୍ଭୁଜ ମୂର୍ତ୍ତି ସ୍ଥାପିତ ହୋଇଛି। ଶଙ୍ଖ ଚକ୍ର ଗଦା ପଦ୍ମ ସହିତ ସେହି ମୂର୍ତ୍ତିର ବକ୍ଷରେ ମଣି ସୁଶୋଭିତ ଅଛି ଓ ସମ୍ମୁଖରେ ଚକ୍ର ଏପରି ସ୍ଥାପିତ ହୋଇଛି ଯେ ଏହା ସର୍ବଦା ଘୁରୁଥିବା ଭଳି ଜଣାପଡୁଛି। ମଧୁକୈଟଭ ସ୍ୱରୂପ ବଡ଼ ବଡ଼ ଦୁଇଟି ଛିନ୍ନ ମସ୍ତକ ଲାଲ ରଙ୍ଗରେ ରଙ୍ଗୀତ ହୋଇ ଏପରି ରଖା ଯାଇଛି, ସତେ ଯେପରି ସେଥିରୁ ରକ୍ତର ଧାର ବହିଯାଉଛି। ବାମପଟେ ଲକ୍ଷ୍ମୀଙ୍କ ମୂର୍ତ୍ତି ଅଛନ୍ତି ଯାହାଙ୍କ କେଶ ଅଲରା ହୋଇ ପଡ଼ିଛି, ଯିଏ ଶହେ ନର ମୁଣ୍ଡର ମାଳ ପିନ୍ଧିଛନ୍ତି, ସେ ଭୀତ ତ୍ରସ୍ତ ହୋଇ ଛିଡ଼ା ହୋଇଛନ୍ତି। ଡାହାଣ ପଟେ ସରସ୍ବତୀଙ୍କ ମୂର୍ତ୍ତି ବିରାଜମାନ କରୁଛନ୍ତି, ଯିଏ ପୁସ୍ତକ, ବୀଣା, ଆଦି ଧରିଛନ୍ତି। ବିଷ୍ଣୁଙ୍କ ଅଙ୍ଗରେ ଏକ ମୋହିନୀ ମୂର୍ତ୍ତି ଅଛନ୍ତି ଯିଏ ଲକ୍ଷ୍ମୀ ସରସ୍ବତୀଙ୍କ ଠାରୁ ମଧ୍ୟ ଅଧିକ ଆକର୍ଷକ ଓ ଐଶ୍ୱର୍ଯ୍ୟମୟୀ। ଗନ୍ଧର୍ବ, କିନ୍ନର, ଯକ୍ଷ, ଦେବ, ରାକ୍ଷସ ଆଦି ତାଙ୍କର ପୂଜା କରୁଛନ୍ତି। ବ୍ରହ୍ମଚାରୀ ଗମ୍ଭୀର ଆବାଜରେ ମହେନ୍ଦ୍ରକୁ ପଚାରୁଛନ୍ତି -
"ସବୁ ଦେଖି ପାରୁଛ ?

ମହେନ୍ଦ୍ର - ହଁ।

ବ୍ରହ୍ମଚାରୀ - ବିଷ୍ଣୁଙ୍କ ଅଙ୍ଗରେ କଣ ଅଛି ଦେଖୁଛ ?

ମହେନ୍ଦ୍ର - ହଁ ଦେଖୁଛି ଯେ କିନ୍ତୁ କିଛି ଜାଣି ପାରୁନି।

ବ୍ରହ୍ମଚାରୀ - ମାଆ।

ମହେନ୍ଦ୍ର - ମାଆ, କୋଉ ମାଆ ?

ବ୍ରହ୍ମଚାରୀ - ଆମେ ଯାହାଙ୍କ ସନ୍ତାନ।

ମହେନ୍ଦ୍ର - ଏ ମାତା କିଏ ?

ବ୍ରହ୍ମଚାରୀ -
ସମୟ ସବୁ ବୁଝାଇ ଦେବ।
କୁହ, ବନ୍ଦେ ମାତରମ।
ଏବେ ଚାଲ, ଆଗକୁ ଯିବା।

କ୍ରମଶଃ....

୨୮. ୩. ୧୮

Tuesday, 27 March 2018

*ଆନନ୍ଦମଠ-୨*

"ଆନନ୍ଦମଠ" ଉପନ୍ୟାସ ୧୯୦୫ ମସିହାରୁ ଆରମ୍ଭକରି ପୂରା ସ୍ଵାଧୀନତା ଆନ୍ଦୋଳନର ସମାପ୍ତି ପର୍ଯ୍ୟନ୍ତ ସଶସ୍ତ୍ର ବା ଅହିଂସାତ୍ମକ କ୍ରାନ୍ତିର ମଶାଲ ହୋଇଥିଲା। ବନ୍ଦେ ମାତରମ ସଙ୍ଗୀତ ସେହି ମଶାଲର ପ୍ରଜ୍ବଳିତ ବହ୍ନି ଥିଲା। ବିଶ୍ୱ ଇତିହାସରେ ଏପରି ଦ୍ଵିତୀୟ ଘଟଣା ନ ଥିବ, ଯେଉଁଠି ଗୋଟିଏ ଉପନ୍ୟାସକୁ ରାଷ୍ଟ୍ରୀୟ ସଂଗ୍ରାମର ଏକ ହତିଆର ରୂପେ ପ୍ରୟୋଗ କରାଯାଇଥିବ ଓ ତା ଭିତରେ ଥିବା ଏକ ସଙ୍ଗୀତ ସ୍ୱାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ହଜାର ହଜାର ବୀରଙ୍କ ପାଇଁ ରାଷ୍ଟ୍ରୀୟ ମନ୍ତ୍ର ହୋଇଯାଇଥିବ। ଲକ୍ଷ ଲକ୍ଷ ତଥା କୋଟି କୋଟି ହୃଦୟକୁ ଆନ୍ଦୋଳିତ କରିଥିବା କାଳଜୟୀ ଉପନ୍ୟାସ ହେଲା ଆନନ୍ଦମଠ। ତା ଭିତରେ ଥିବା ସଙ୍ଗୀତ 'ବନ୍ଦେ ମାତରମ' ହେଲା କ୍ରାନ୍ତିର ବୀଜ ମନ୍ତ୍ର ଯାହାକୁ ଆସେତୁ ହିମାଚଳ ଏକ ବିଶିଷ୍ଟ ଅଭିବାଦନ ରୂପେ ସ୍ୱୀକାର କରିଥିଲା।

କଥାବସ୍ତୁ ଅନୁସାରେ ଏହା ୧୭୭୦-୭୧ ରେ ଉତ୍ତର ବଙ୍ଗରେ ପଡ଼ିଥିବା ଭୟଙ୍କର ମରୁଡ଼ିର ପୃଷ୍ଠଭୂମିରେ ଐତିହାସିକ ସନ୍ନ୍ୟାସୀ ବିଦ୍ରୋହର ମହାଗାଥା ଅଟେ।
ପ୍ରେମ, ତ୍ୟାଗ, କରୁଣା ଓ ବଳିଦାନ ପରି ମାନବୀୟ ଗୁଣରେ ଓତଃପ୍ରୋତ ଏହି ଗାଥା ନିଜର ଜ୍ୱଳନ୍ତ ସାମାଜିକ ଚେତନା ଓ ରାଷ୍ଟ୍ରୀୟ ଭାବନା ପାଇଁ ଆଜି ପର୍ଯ୍ୟନ୍ତ ଆମକୁ ଉଦବୁଦ୍ଧ କରିଆସିଛି। ଉପରୋକ୍ତ ଐତିହାସିକ ମରୁଡ଼ିର ଭୟାବହ ବର୍ଣ୍ଣନ ସହିତ ଉପନ୍ୟାସର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସନ୍ନ୍ୟାସୀ ଦଳ ଗଠନ, ଗୋଟିଏ ପଟେ ଭୋକ ତ୍ରସ୍ତ ଜନତା, ଅନ୍ୟପଟେ ଅତ୍ୟାଚାରୀ ଇଂରେଜ ଶାସକ ଓ ମୋଗଲ ଶାସକ। ଏହି ଅରାଜକ ସ୍ଥିତିରେ ଗାଁର କୃଷକ ଏକାଠି ହୋଇ ନିଜର ରକ୍ଷା ପାଇଁ ସନ୍ନ୍ୟାସୀ(ସନ୍ତାନ) ଦଳ ଗଠନ କରି ଇଂରେଜ ଓ ମୋଗଲ ରାଜ୍ୟ ବିରୋଧରେ ସଶସ୍ତ୍ର ବିଦ୍ରୋହ କରିଛନ୍ତି ଓ ଶେଷରେ ବିଜୟ ଲାଭ କରିଛନ୍ତି। ସେମାନେ ଗାଇଛନ୍ତି "ବନ୍ଦେ ମାତରମ" ଓ ନାରା ଦେଇଛନ୍ତି - "ହରେ ମୁରାରେ ମଧୁକୈଟଭାରେ !

କ୍ରମଶଃ..

୨୭. ୩. ୧୮

Monday, 26 March 2018

*ଆନନ୍ଦମଠ-୧*

ନିଜର ଚଉଦଟି ଉପନ୍ୟାସ ଭିତରୁ ଶେଷ ତିନିଟି ଉପନ୍ୟାସ ଯଥା - ଆନନ୍ଦମଠ(୧୮୮୨), ଦେବୀ ଚୌଧୁରାଣୀ(୧୮୮୪) ଓ ସୀତାରାମ(୧୮୮୭) ଲେଖି ପ୍ରସିଦ୍ଧ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ ଦେଶପ୍ରେମ ଓ ରାଷ୍ଟ୍ରୀୟ ଭାବନାକୁ ଉଜାଗର କରିବାର ସଫଳ ଚେଷ୍ଟା କରିଥିଲେ। "ଆନନ୍ଦମଠ" ଏଇ ଶ୍ରେଣୀର ପ୍ରଥମ ଉପନ୍ୟାସ। ଏହା ସ୍ୱାଧୀନତା ସଂଗ୍ରାମର ଜୀବନ ବେଦ। ଏ ପର୍ଯ୍ୟନ୍ତ ଏହାର ହିନ୍ଦୁତ୍ୱର ସ୍ୱର ଓ ଏଥିରେ ସଂଯୋଜିତ "ବନ୍ଦେ ମାତରମ" ଗୀତକୁ ନେଇ ଏତେ ବିବାଦ ହୋଇଛି ଯେ ବିଶ୍ୱ ସାହିତ୍ୟରେ ଏପରି ଦ୍ଵିତୀୟ ଉଦାହରଣ ମିଳିବ ନାହିଁ। "ଆନନ୍ଦମଠ" ଭାରତର ପ୍ରଥମ ରାଜନୈତିକ ଉପନ୍ୟାସ ଅଟେ। ଏହାର ପ୍ରସିଦ୍ଧି "ବନ୍ଦେ ମାତରମ" (୧୮୭୬) ଗୀତ ପାଇଁ ହୋଇଛି ଯାହା କି ଏଇ ଉପନ୍ୟାସର ମୂଳ ସନ୍ଦେଶ ଅଟେ। ଔପନ୍ୟାସିକଙ୍କ ଆଶା ଅନୁରୂପ ପରବର୍ତ୍ତୀ ସମୟରେ ଦେଶର ଲୋକମାନେ ଏଇ ଗୀତକୁ ଗାଇ ଦେଶପ୍ରେମରେ ଉନ୍ମତ୍ତ ହୋଇ ଉଠିଲେ। ୧୯୦୫ର ବଙ୍ଗ-ଭଙ୍ଗ ବିରୋଧରେ ହୋଇଥିବା ଆନ୍ଦୋଳନରେ ଏହି ଗୀତ ସମଗ୍ର ବଙ୍ଗ ପ୍ରଦେଶର ଜନତାଙ୍କ କଣ୍ଠରେ ଗୁଞ୍ଜି ଉଠିଲା। ଏହାପରେ ରାଷ୍ଟ୍ରୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଗତି ପାଇଁ ସମଗ୍ର ଭାରତ ଏଇ ଗୀତକୁ ରାଷ୍ଟ୍ରଗାନ ରୂପେ ଆପଣେଇ ନେଇଥିଲା। ସ୍ୱାଧୀନତା ମିଳିବା ଯାଏ ଏହା ରାଷ୍ଟ୍ର ଗୀତ ଥିଲା। ସ୍ୱାଧୀନତା ମିଳିବା ପରେ ମଧ୍ୟ ଭାରତୀୟ ସମ୍ବିଧାନରେ ଏହାକୁ ରାଷ୍ଟ୍ରଗୀତର ମର୍ଯ୍ୟାଦା ଦିଆ ଯାଇଛି।

କ୍ରମଶଃ...

୨୬. ୩. ୧୮

Saturday, 24 March 2018

*ସମସ୍ୟା ସମାଧାନର....*

ସଂଯମଶୀଳ ଲେଖକଙ୍କ ସୁବିଚାରିତ ସାହିତ୍ୟରେ ଅପାର ସାମର୍ଥ୍ୟ ଥାଏ ଯାହା ବିବାଦ ଓ ଶସ୍ତ୍ରର ଆତଙ୍କରୁ ଉତ୍ପନ୍ନ ସମସ୍ୟାକୁ ଦୂର କରିପାରେ। ଭାରତର ମେଧା ଶକ୍ତି ଆଜି ମଧ୍ୟ କମି ନାହିଁ। ଆଜି ମଧ୍ୟ ମହାନ ଲେଖକଙ୍କ ଏକ ସ୍ତୁତ୍ୟ ପରମ୍ପରା ଅଛି। ଯାହାଙ୍କ ସାହିତ୍ୟ ସୃଷ୍ଟିରେ ସେହି ଡାକ୍ତରଙ୍କ ଛୁରୀ ଅଛି ଯିଏ ସମସ୍ୟାକୁ ଚିରି ଅପରେସନ କରି ପାରୁଛି। କିନ୍ତୁ ଗୋଟିଏ କଥା ଧ୍ୟାନ ଦେବାକୁ ପଡ଼ିବ ଯେ ବିଜ୍ଞାନର ଏଇ ଇଲେକ୍ଟ୍ରୋନିକ ଯୁଗରେ ସମସ୍ୟା ମଧ୍ୟ କାଳନେମି ଭଳି ନୂଆ ନୂଆ ରୂପ ଧାରଣ କରି ଉଭା ହେଉଛି। ତାର ସମାଧାନ ପାଇଁ ସାହିତ୍ୟ ଓ ସାହିତ୍ୟିକ ଉଭୟଙ୍କ ଭାବନା ତର୍କ ଓ ସ୍ୱପ୍ନ ସହିତ ବିଜ୍ଞାନର ଭୌତିକ ଭାଷା ଓ ଉଦ୍ଦେଶ୍ୟକୁ  ବୁଝିବାକୁ ହେବ।

ଇଲେକ୍ଟ୍ରୋନିକ ବିଦ୍ୟାର ବିସ୍ତାର ଦ୍ୱାରା ସାହିତ୍ୟର ମଧ୍ୟ ବିବିଧ ରୂପରେ ବିସ୍ତାର ହୋଇଛି। ଏହି ରୂପର ନାଁ ଦେଲେ ତାହା ଏପରି ହୋଇ ପାରେ - ୧. ପ୍ରକାଶିତ ବା ପଠନୀୟ, ୨. ଶ୍ରବଣୀୟ ଯାହା ବେତାର ଯୋଗେ ଶୁଣି ହେଉଛି, ୩. ଦୃଶ୍ୟ ଶ୍ରାବ୍ୟ ସାହିତ୍ୟ (ଚଳ ଚିତ୍ର, ଦୂର ଦର୍ଶନ), ୪. ଗୀତିନାଟ୍ୟ, ପାଲା ଆଦି।

ଏ ସମସ୍ତ ସାହିତ୍ୟ ଭିତରେ ସମସ୍ୟା ସହ ଲଢ଼ିବାର ପ୍ରବଳ ସାମର୍ଥ୍ୟ ରହିଛି । କେବଳ ସାମାନ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି। ସାହିତ୍ୟ ସର୍ବଦା ମାନବୀୟ ମୁଲ୍ୟବୋଧ ଓ ରାଷ୍ଟ୍ରଧର୍ମକୁ ଧ୍ୟାନରେ ରଖି ସୃଜନ କରାଯାଉ। ଅଶ୍ଲୀଳତା, ଛଳ ଓ ହିଂସାକୁ ସାହିତ୍ୟରେ ଅଙ୍କିତ ବା ଚିତ୍ରିତ କରା ନ ଯାଉ। ବସୁଧା ଏକ କୁଟୁମ୍ବ ଏଭଳି ଦୂରଗାମୀ ଲକ୍ଷ୍ୟକୁ ପୂର୍ଣ୍ଣ ସାକାର କରିବା ପୂର୍ବରୁ ଦେଶର ସୀମା ସୁରକ୍ଷା ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପ୍ରେରଣା ଦେଉଥିବା ସାହିତ୍ୟ ସୃଷ୍ଟି ହେଉ ଯାହାକୁ ଦେଶବାସୀ ଚାହିଁ ବସିଛନ୍ତି।

"ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ..ଲକ୍ଷ୍ମଣ !
ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ।"

୨୫. ୩. ୧୮

*ସମସ୍ୟା ସମାଧାନରେ...*

ସନ୍ଥ ତୁଳସୀ ଦାସଙ୍କ ସାହିତ୍ୟର ଅବତରଣ ସମୟରେ ଆମ ଦେଶରେ ପ୍ରାୟ ପ୍ରାୟ ଆଜି ଭଳି ପରିସ୍ଥିତି ଥିଲା। କେବଳ ଜନ ସଂଖ୍ୟାକୁ ଛାଡ଼ି ଦେଲେ ଚରିତ୍ରହୀନତା, ଧାର୍ମିକ ଉଗ୍ରତା, ଗରିବୀ, କ୍ଷମତା ଓ ଶାସକୀୟ ଉନ୍ମାଦତା, ମୋଗଲ ଆକ୍ରମଣ, ପରାଧୀନତା ତଥା ଆନ୍ତରିକ କଳହରେ ଦେଶ ତ୍ରସ୍ତ ଥିଲା। ଶସ୍ତ୍ର ବଳରେ ସମସ୍ୟା ସୁଧୁରୁ ନ ଥିଲା। ଶିକ୍ଷିତ ଓ ବିଜ୍ଞ ବର୍ଗ ସ୍ୱାର୍ଥୀ ବ୍ୟାଖ୍ୟାରେ ଲିପ୍ତ ଥିଲେ। ମୋଗଲମାନେ ନ୍ୟାୟ ନୁହଁ କ୍ଷମତାର ରାଜନୀତି କରୁଥିଲେ। ହିନ୍ଦୁ ରାଜା ତାଙ୍କ ସହ ଏକ ହୋଇ ଲଢ଼ିବେ କଣ ? ସେମାନେ ପରସ୍ପର ଲଢୁଥିଲେ।

ସେତିକିବେଳେ ସନ୍ଥ ତୁଳସୀ ରାଷ୍ଟ୍ରର ବହୁସଂଖ୍ୟକ ମନକୁ ପଢ଼ିଲେ, ତାଙ୍କର ଆବଶ୍ୟକତାକୁ ବୁଝିଲେ ଓ ତାର ଉପଚାରର ଔଷଧ ଖୋଜିଲେ ଯାହା ନିଃସ୍ୱାର୍ଥ ରାଷ୍ଟ୍ରୀୟତାର ଉଦ୍ୟୋଗଶାଳାରେ ଆସ୍ଥାର ନ୍ୟାୟିକ ରଙ୍ଗରେ ଧୋଇ ସାହିତ୍ୟ ରୂପେ ଜନ ଗଣଙ୍କ ମଧ୍ୟରେ ପ୍ରସାଦ ରୂପେ ବିତରଣ କରାଗଲା। ସାହିତ୍ୟିକ ତୁଳସୀ ଦାସ ସମସ୍ୟା ଗୁଡ଼ିକୁ କ୍ରମବଦ୍ଧ କଲେ। ପୁଣି ତାର ଗୋଟି ଗୋଟି କରି ସମାଧାନ ଖୋଜିଲେ। ତାଙ୍କର ଏହି କ୍ରମବଦ୍ଧତା ଭିତରୁ ପ୍ରଥମ କ୍ରମରେ ଥିଲା ରାଷ୍ଟ୍ରରେ ଅସୁରକ୍ଷାର ଭାବ ଓ ନେତୃତ୍ୱ ପ୍ରତି ଅବିଶ୍ୱାସର ସଙ୍କଟ। ଏହାର ନିରାକରଣ ପାଇଁ ସେ ଏପରି ଏକ ଚରିତ୍ର ଖୋଜିଲେ ଯାହାଙ୍କ ସମୟରେ ଅନେକ ଶାସକ ତଥା ରାଜାମାନଙ୍କ ମଧ୍ୟରୁ ସେ ନିଷ୍କଳଙ୍କ ଥିବେ। ଏହିପରି ଲକ୍ଷଣ ସେ ପ୍ରଭୁ ରାମଚନ୍ଦ୍ରଙ୍କ ଠାରୁ ପାଇଥିଲେ।  ଏହି ଚରିତ୍ର ମାଧ୍ୟମରେ ସେ ଶାସକ ଓ ତତ୍କାଳୀନ ଜନ ସମୁଦାୟକୁ ଜାଗ୍ରତ କଲେ ଯେ ଶାସନ କିପରି ହେବା ଉଚିତ। ସେ ନିଜ ସାହିତ୍ୟ ମାଧ୍ୟମରେ ଘୋଷଣା କଲେ ଯେ ରାଜା ଓ ଶାସକମାନେ କିପରି ବ୍ୟବହାର କରିବା ଉଚିତ। ସ୍ୱୟଂ ଭଗବାନଙ୍କୁ ମଧ୍ୟ ଯଦି ଭଗବାନ ଭଳି ବ୍ୟବହାର ଦରକାର ତେବେ ତାଙ୍କୁ କ୍ଷମତା, ପ୍ରଭୁତା, ବ୍ରହ୍ମତ୍ୱ ଆଦିର ଦର୍ପ ଛାଡ଼ିବାକୁ ହେବ । ଦଳିତ, ପୀଡ଼ିତ, ଦୀନ, ହୀନଙ୍କ ପାଖକୁ ଯାଇ ତାଙ୍କୁ ସହାୟତା କରିବାକୁ ପଡ଼ିବ। ଯେପରି ପ୍ରଭୁ ଶ୍ରୀରାମ କରିଥିଲେ। ତୁଳସୀ ସେଥିପାଇଁ ଦୁଇଟି ଶବ୍ଦ ବାଛିଲେ ଗୋଟିଏ ହେଲା ଦୀନବନ୍ଧୁ ଆଉ ଗୋଟିଏ ହେଲା ଦୀନନାଥ।
ଇତିହାସ ସାକ୍ଷୀ ଅଛି ଯେ ତୁଳସୀ ସାହିତ୍ୟର ପ୍ରଭାବ ଓ ପ୍ରଚାର ଦ୍ୱାରା ଶାସକମାନଙ୍କ ମଧ୍ୟରେ ସୁଧୁରିବାର ଲକ୍ଷଣ ଦେଖାଦେଲା ଓ ପ୍ରଜାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଅଙ୍କୁରିତ ହେଲା। ଏହି ସାହିତ୍ୟ ଭାରତର ସାମାଜିକ ରାଜନୈତିକ ଭବିଷ୍ୟର ନିର୍ଣ୍ଣାୟକ ଦିଗ ମଧ୍ୟ ଦେଖାଇଲା। ମହାତ୍ମା ଗାନ୍ଧୀ ତୁଳସୀଙ୍କ ମାନସରୁ ରାମଙ୍କ ଚରିତ୍ର ପଢ଼ି ଅଭିଭୂତ ହେଲେ। ସ୍ୱାଧୀନ ଭାରତକୁ ରାମରାଜ୍ୟ ରୂପେ ବିକଶିତ କରିବାର ସଂକଳ୍ପ ଓ ସନ୍ଦେଶ ସେ ପ୍ରତ୍ୟେକ ଜନ ସଭାରେ ଦୋହରାଉଥିଲେ।

କ୍ରମଶଃ...

୨୪. ୩. ୧୮

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
      *ଆଜି ଚୈତ୍ରମାସ ଶୁକ୍ଳପକ୍ଷ ସପ୍ତମୀ ତିଥି*
          *ମୀନ ୧୦ଦିନ,ମୃଗଶିରା ନକ୍ଷତ୍ର*
          *ମିଥୁନ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ, ଯୁଗାବ୍ଦ-୫୧୨୦*
             *ବିକ୍ରମ ସମ୍ବତ୍- ୨୦୭୫*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ମାର୍ଚ୍ଚ୍ ମାସ ୨୪ ତାରିଖ*
             🌾 *ଶ ନି  ବା   ର* 🌾⛳ 
      🌹🚩 *ଦିନଟି ମଂଗଳମୟ ହେଉ*🚩🌹
          📣⛳🙏🚩🇮🇳🏹🔱🕉
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
           କେ ତୋ ସମ ବଳୀ କହ ସମୀର
          ଅସୀମ ଅନନ୍ତ ତୋହୋ ଶରୀର
   କେତେ ଭଙ୍ଗିକରି      କେତେ   ଆଶାକରି
          ନ ହୁଅନ୍ତି କ୍ଳାନ୍ତ, ନିତ୍ଯ ଅସ୍ଥିର
       ଅଟୁ ତୁ ତୋ ଗୁଣ ବଳଇ ଗିର
      
          ଶରୀର ଜୀବର ଜୀବ ଧାରଣ
             ତୋ ଯୋଗୁ ହୁଅଇ ହେ ସମୀରଣ
   ସ୍ଥଳଚର ସ୍ଥଳେ         ମୀନ ଆଦି ଜଳେ
        ତୋ ପ୍ରଭାବେ ନଭେ ଖଗ ଚେତନ
          ଅଭାବେ ସରବେ ହେବେ ନିଧନ
                       ➖ _*କବିବର ରାଧାନାଥ*_
    🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
      🌈 *ଜୟ ଜୟ ଶ୍ରୀ ଜଗନ୍ନାଥ*🌈
           🐌🌿🍁🐌🐇💐🐌🐚🐌

Friday, 23 March 2018

*ସମସ୍ୟା ସମାଧାନରେ..*

ବିବେକପୂର୍ଣ୍ଣ ବିଚାର ଦ୍ୱାରା ସାହିତ୍ୟର ସୃଜନ ହୁଏ। ସାହିତ୍ୟ ନିୟମଗୁଡ଼ିକୁ ଶବ୍ଦ ଓ ଅର୍ଥ ଦେବାରେ ସହଯୋଗ କରିଥାଏ। ନ୍ୟାୟାଧୀଶ ମଧ୍ୟ ସାହିତ୍ୟ ସଂସାରର ଉପଜ ଅଟନ୍ତି, ଯିଏ କି ସମସ୍ୟା ସମାଧାନ ପାଇଁ ନିର୍ଣ୍ଣୟ ଦେଇଥାନ୍ତି।

ଭାରତ ସଂସ୍କୃତି ଦୃଷ୍ଟିରୁ ହେଉ ବା ରାଷ୍ଟ୍ର ଦୃଷ୍ଟିରୁ ହେଉ ଏହା ସନାତନ ଅଟେ, ସତ୍ୟ ଅଟେ, ଚିରଞ୍ଜିବି ଅଟେ ଓ ଯୁଗାନୁକୂଳ ଅଟେ। ଅନେକ ଅବତାର ଏଠାରେ ଜନ୍ମ ନେଇଛନ୍ତି। ନିଜ ସମୟରେ ସେମାନେ ଧର୍ମ ସ୍ଥାପନା କରିଯାଇଛନ୍ତି। ତଥାପି ସମସ୍ୟା ରହିଛି। ଆଶାର କଥା ହେଉଛି ସମସ୍ୟାର ସମାଧାନ ପାଇଁ ବିବିଧ ଉପାୟ ସୂତ୍ରବଦ୍ଧ ଭାବେ ବିବିଧ ସାହିତ୍ୟରେ ରହିଛି। ଏଠାରେ ଯଦି ଅକଳ୍ପନୀୟ ତଥା ମାନବେତ୍ତର ସମସ୍ୟା ଆସେ ତେବେ ଏହାର ସମାଧାନ ପାଇଁ ବେଦ ରହିଛି। ଅର୍ଥାତ ଏଭଳି ସମସ୍ୟାର ସମାଧାନ ବେଦରୁ ମିଳିଯାଏ। ମନୁଷ୍ୟକୃତ ବା ମନୁଷ୍ୟ ବୁଦ୍ଧିରୁ ସମସ୍ୟା ଯଦି ଉପୁଜେ ତେବେ ଏହାର ସମାଧାନ ପାଇଁ ଶାସ୍ତ୍ର ରୂପୀ ସାହିତ୍ୟର ସର୍ଜନା ହୋଇଛି। ଯଦି ସମସ୍ୟା ନାଗରିକ ମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ଯେପରି ଧାର୍ମିକ ଉଗ୍ରତା, ଜାତିଭେଦ, ସ୍ତ୍ରୀ ଶୋଷଣ, ଘୋର ହିଂସା ...
ସେତେବେଳେ ସନ୍ଥ ସାହିତ୍ୟ ଜନ୍ମ ନେଇଛି।

ଏବେ ଭାରତରେ ଯେଉଁ ଭୟଙ୍କର ସମସ୍ୟା ଛିଡ଼ା ହୋଇଛି ତାହା ହେଲା ବ୍ୟକ୍ତି ବ୍ୟକ୍ତି ଭିତରେ ଚରିତ୍ରର ଘୋର ପତ୍ତନ, ଧାର୍ମିକ ଅନ୍ଧତା, ନିଜକୁ ଅଲଗା ଦେଖାଇବାର ଅସାମ୍ବିଧାନିକ ସାମ୍ପ୍ରଦାୟିକତା, ରାଷ୍ଟ୍ରୀୟତାର ଭାବନାର ଘୋର ଅଭାବ, ଅନେକ ରୂପର ଆତଙ୍କବାଦ, ସୀମାରେ ଅଘୋଷିତ ଯୁଦ୍ଧ।
ଏହାର ସମାଧାନ ପାଇଁ ବଡ଼ ବଡ଼ ଆନ୍ଦୋଳନ, ଟିଭିରେ ହେଉଥିବା ତର୍କ, ନ୍ୟାୟାଳୟର ନିର୍ଣ୍ଣୟ, ବର୍ଦ୍ଧିତ ଜନ ସଂଖ୍ୟା ଦ୍ଵାରା ବଢୁଥିବା ଗରିବିକୁ ଦୂର କରିବା ପାଇଁ ବିବିଧ ଯୋଜନା - ଏ ସବୁ ପ୍ରଭାବକାରୀ ହୋଇପାରୁ ନ ଥିବା ପରିଲକ୍ଷିତ ହେଉଛି।

ତେବେ ଏ ସମସ୍ୟାର ସମାଧାନ କିପରି ହେବ ?

ଆମେ ଯଦି ସାହିତ୍ୟ କଥା ବିଚାର କରିବା ତେବେ ଏହା କେବଳ ଶବ୍ଦ ସଂଯୋଜନା ମାତ୍ର ନୁହେଁ। ନା ଏହା ଜ୍ଞାପନ, ବିଜ୍ଞାପନ ପ୍ରଚାର ଲେଖନ, ସଙ୍କଳନ ବା ମତବାଦର ଛନ୍ଦାଙ୍କନ। ସାହିତ୍ୟ ତ ସମସ୍ତଙ୍କ ହିତ କଥା କହେ।

ଆଜିକାଲି ହିତ ଶବ୍ଦକୁ ମଧ୍ୟ ସମସ୍ତେ ବାଣ୍ଟି ନେଲେଣି। ନିଜ ହିତ, ବର୍ଗୀୟ ହିତ, ଶତ୍ରୁ ହିତ.... ଘୋର ଛଦ୍ମ ସ୍ୱାର୍ଥ ହିତ।  ଏପରି ଲେଖାଯାଉଥିବା ସାହିତ୍ୟ କିଛି ବର୍ଗଙ୍କ ପାଇଁ ସାହିତ୍ୟ ହୋଇପାରେ କିନ୍ତୁ ଏହା ରାଷ୍ଟ୍ରୀୟ ସ୍ତରରେ ସ୍ବୀକାରଯୋଗ୍ୟ ହେବ ନାହିଁ।

ବିବିଧତାରେ ଭରା ସମାଜ ଓ ଲୋକତନ୍ତ୍ରଯୁକ୍ତ ଶାସନରେ ଯେଉଁ ସବୁ ପ୍ରଜାଙ୍କ ସଙ୍ଗଠିତ ରୂପ ଅଛି, ସେମାନଙ୍କର ମୌଳିକତା, ମୂଳ ଆବଶ୍ୟକତା, ମୂଳ ସମାନତା ଓ ସମସ୍ତଙ୍କ ପାଇଁ ଆବଶ୍ୟକ ହେଉଥିବା ବିଷୟ, ସେମାନଙ୍କ ଉନ୍ନତି ପାଇଁ ସ୍ଥାନ କାଳ ପାତ୍ରର ଚିନ୍ତା କରି ଯେଉଁ ଭାବ ସନ୍ଦେଶ ଯୁକ୍ତ ଲେଖନ ଲେଖାଯାଇଥାଏ ତାହା ହିଁ ସାହିତ୍ୟ। ଏଥିରେ ସମସ୍ତଙ୍କ ଭାବ ଭାବନା ଓ ସୁଖ ଦୁଃଖର ଗାଥା ଗୁନ୍ଥିତ ହୋଇଥାଏ ଯାହା ରାଷ୍ଟ୍ରୀୟତାର ସ୍ୱରରେ ଜନମାନସରେ ଗୁଞ୍ଜରିତ ହେଉଥାଏ। ସାହିତ୍ୟ ସିଏ ଯିଏ ପ୍ରଶ୍ନ ଉଠାଏ ଓ ତାର ଉତ୍ତର ବି ଖୋଜେ ବ୍ୟବସ୍ଥାର କୌଣସି କ୍ଷତି ନ କରି। ଏଭଳି ସାହିତ୍ୟ ସମସ୍ୟାକୁ ଦୂର କରିବାରେ ଶସ୍ତ୍ର ଭଳି କାର୍ଯ୍ୟ କରିଥାଏ। ସମସ୍ୟାର ସମାଧାନ ହୋଇଯିବା ପରେ ଶାସ୍ତ୍ର ହୋଇଯାଏ ଏହି ସାହିତ୍ୟ।

କ୍ରମଶଃ...

୨୩. ୩. ୧୮

Thursday, 22 March 2018

*ସମସ୍ୟା ସମାଧାନରେ.*

ଭାରତ ଏକ ପ୍ରାଚୀନ ସଂସ୍କୃତିସମ୍ପନ୍ନ ରାଷ୍ଟ୍ର। ଅନେକ ପ୍ରକାର ଗମ୍ଭୀର ସମସ୍ୟା ସହ ଲଢ଼ି ତାକୁ ପରାସ୍ତ କରି ଏଇ ରାଷ୍ଟ୍ର ଆଗକୁ ବଢ଼ି ଚାଲିଛି। ସମସ୍ୟାଗୁଡ଼ିକୁ ନିଷ୍କ୍ରିୟ କରିବା ବା ସମାପ୍ତ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରିଛି। କିଛି ଚେଷ୍ଟା ଜନ ଆନ୍ଦୋଳନ ରୂପେ ହୋଇଛି, କିଛି ସନ୍ଥମାନଙ୍କ ପ୍ରବଚନ ଦ୍ୱାରା ହୋଇଛି ତ କେତେ ଥର ରାଜ୍ୟ ଶାସନର ଆଇନ ପ୍ରଣୟନ ଦ୍ୱାରା ହୋଇଛି। ବାହାର ଶତ୍ରୁ ସହ ଲଢ଼ିବାରେ ଯୁଦ୍ଧର ଭୂମିକା ମଧ୍ୟ କିଛି କମ ନୁହଁ। ତଥାପି ଜନଶ୍ରୁତି ଓ ଇତିହାସର ଅନେକ କଥା ସାକ୍ଷୀ ଅଛି ଯେ ପ୍ରତ୍ୟେକ ଯୁଗରେ ନିର୍ମିତ ହୋଇଥିବା ସାହିତ୍ୟ ସମସ୍ୟାକୁ ସମାଧାନ କରିବାରେ ଯେଉଁ ସଫଳତା ପାଇଛି ତାହା ଅନ୍ୟ ସବୁ ଚେଷ୍ଟାଠାରୁ ନିଶ୍ଚିତ ଅଧିକ ପରିଣାମକାରୀ ହୋଇଛି। ସାହିତ୍ୟ ବ୍ୟତୀତ ଅନ୍ୟ ଯେତେ ଚେଷ୍ଟା ହୋଇଛି ଅତୀତ ବା ବର୍ତ୍ତମାନ ସମୟରେ, ସେସବୁ ବିରୋଧରେ ଛୋଟ ବଡ଼ ପ୍ରତିକ୍ରିୟା ସୃଷ୍ଟି ହୁଏ ବେଳେବେଳେ ତାହା ନୂଆ ସମସ୍ୟାକୁ ଜନ୍ମ ଦେଇଥାଏ। କିନ୍ତୁ ସମାଧାନ ଦେଉଥିବା ସାହିତ୍ୟ ମନୁଷ୍ୟର ମନ ଉପରେ ଯେଉଁ  ପ୍ରଭାବ ପକାଏ ତାହା ସବୁବେଳେ ସକାରାତ୍ମକ ହୁଏ। ଧୀରେ ଧୀରେ ସତ୍ୟ ସାହିତ୍ୟର ପ୍ରଭାବ ଦ୍ୱାରା ବ୍ୟକ୍ତି, ସମାଜ, ରାଜ୍ୟ ଓ ଧର୍ମର ସମସ୍ୟା ଦୂର କରିବାରେ ସହନଶୀଳତା କାମ କରେ। ବିବେକର ଜାଗୃତି ହୁଏ ଓ ମନରୁ ଭ୍ରମ ଦୂର ହୋଇ ସମନ୍ଵୟର ରାସ୍ତା ଦୃଶ୍ୟମାନ ହୁଏ। ସାହିତ୍ୟର ବିରାଟ ପ୍ରଭାବଶାଳୀତାର ପ୍ରମାଣ ଓ ନିଜ ନିଜ ସମୟର ବିଭିନ୍ନ ସମସ୍ୟା ସହ ଲଢ଼ି ସେଥିରୁ ମୁକୁଳି ଆସିଥିବା କଥା ସମଗ୍ର ବିଶ୍ୱରେ ଦେଖିବାକୁ ମିଳେ। ଆମେରିକାରେ କଳା ମାନଙ୍କ ବିରୋଧରେ ନିର୍ମମତା, ୟୁରେସିଆ ଦେଶମାନଙ୍କରେ ଶ୍ରମିକମାନଙ୍କର ଘୋର ଶୋଷଣର ସମସ୍ୟା, ଭାରତରେ ପରାଧୀନତାର ସମସ୍ୟା ଓ ଏବେ ଏବେ ତିନି ତଲାକ ବିରୋଧରେ ଜାଗୃତିରେ ସାହିତ୍ୟର ମହାନ ଭୂମିକା ରହିଛି।

କ୍ରମଶଃ...

୨୨. ୩. ୧୮

Wednesday, 21 March 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
      *ଆଜି ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଥୀତିଥି*
          *ମୀନ ୦୬ଦିନ,ଦ୍ବିଜା ନକ୍ଷତ୍ର*
          *ମେଷ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ, ଯୁଗାବ୍ଦ-୫୧୨୦*
             *ବିକ୍ରମ ସମ୍ବତ୍- ୨୦୭୫*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ମାର୍ଚ୍ଚ୍ ମାସ ୨୧ ତାରିଖ*
             🌾 *ବୁ  ଧ  ବା   ର* 🌾⛳ 
      🌹🚩 *ଦିନଟି ମଙ୍ଗଳମୟ ହେଉ*🚩🌹
          📣⛳🙏🚩🇮🇳🏹🔱🕉
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
           *ଧୀରେ ଧୀରେ ଆସ ମଳୟ ପବନ*
          ଧୀରେ ଧୀରେ ଆସ ବହି
      ପୁଲକିତ କର ଉତ୍କଳବାସୀଙ୍କି
         ଶୁଭ ସମାଚାର କହି
     ସ୍ବାଗତ କରୁଛୁଁ ଉପହାର ଘେନି
           ଆମ୍ବ ବଉଳର କଷି
    ଉଦାର ହୃଦୟେ ଗ୍ରହଣ କର ତା
           ମୃଦୁ ହିଲ୍ଲୋଳରେ ହସି
   ଋଷିକୂଲ୍ୟା ମୂଳେ ପୟର ପଖାଳି
          ମହେନ୍ଦ୍ର ଆସନେ ବସି
      ଚିତ୍ରୋତ୍ପଳା ଜଳେ ସ୍ନାନ କରି ପାନ
        କର ସ୍ବର୍ଣ୍ଣରେଖା ରସ
      ମହୋଦଧି ଜଳେ ତର୍ପଣ କରିବ
          ବିହରିବ ବନେ ବନେ
          ନୃସିଂହନାଥର ପ୍ରପାତ ଲମ୍ଫନ
           ଚାହିଁ ମୁଗ୍ଧ ହେବ କ୍ଷଣେ
           ➖ _*ସ୍ବଭାବ କବି ଗଙ୍ଗାଧର*_
    🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
      🌈 *ଜୟ ଜୟ ଶ୍ରୀ ଜଗନ୍ନାଥ*🌈
           🐌🌿🍁🐌🐇💐🐌🐚🐌

Tuesday, 20 March 2018

*ସାହିତ୍ୟର ସାମର୍ଥ୍ୟ*

ଶବ୍ଦକୋଷରେ ସାମର୍ଥ୍ୟ ଶବ୍ଦର ଅର୍ଥ ଦିଆ ଯାଇଛି  ଭକ୍ତି, ବଳ, କ୍ଷମତା, ସମାନ ଉଦ୍ଦେଶ୍ୟ, ସମାନ ଭାବ, ଯୁକ୍ତିଯୁକ୍ତ, ଲାଭ ଓ ଧନ ଅଟେ। ଏହା ସହିତ ସାମର୍ଥ୍ୟ ବିହୀନର ଅର୍ଥ ହେଲା ଶକ୍ତିହୀନ ଓ ଦୁର୍ବଳ। ଏଠାରେ ଯୁକ୍ତିଯୁକ୍ତ ଏବଂ ଅର୍ଥଶକ୍ତିର ଭାବ ଏବଂ ରୂପ ମାଧ୍ୟମରେ ବିଷୟକୁ ପ୍ରତିପାଦନ କରିବା ସମୀଚୀନ ହେବ। ଭକ୍ତିକାଳର ସନ୍ଥଗଣ ନିଜର ଦିବ୍ୟବାଣୀ ତଥା ସର୍ଜନ ଶକ୍ତି ଦ୍ୱାରା ବିଗଳିତ ଓ ଦିଗଭ୍ରମିତ ଜନତାଙ୍କୁ ଜାଗୃତ କରିଛନ୍ତି ଏବଂ ବିଭିନ୍ନ ପ୍ରକାର ବିକୃତିର ନିରାକରଣ କରିଛନ୍ତି। ସନ୍ଥ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସର ଚଉପାଇଗୁଡ଼ିକ କାବ୍ୟ ସାହିତ୍ୟର ସାମର୍ଥ୍ୟ ଭାବେ ଶ୍ରେଷ୍ଠତମ ଉଦାହରଣ ଯାହା ଭୌତିକ ଏବଂ ଆଧ୍ୟାତ୍ମିକ ତୁଷ୍ଟି ପ୍ରଦାନକାରୀ।

ବୀର ରସର କବିମାନଙ୍କ ରଚନାର ସାମର୍ଥ୍ୟ ଏପରି ଥିଲା ଯାହା ଜନ ସମାଜରେ ସ୍ୱାଧୀନତା ସଂଗ୍ରାମ ସମୟରେ ବୀରତ୍ୱର ଜାଗୃତି ଏବଂ ରାଷ୍ଟ୍ରଭକ୍ତିର ଭାବ ଜାଗରଣ ପାଇଁ ପ୍ରେରଣାର ଆଧାର ହୋଇଥିଲା। ଯାହା ଫଳରେ ବଳିଦାନୀ ସୈନିକ ଏବଂ କ୍ରାନ୍ତିକାରୀ ହସି ହସି ଫାଶିଖୁଣ୍ଟରେ ଝୁଲିଯାଉଥିଲେ। ଆସଫାକ ଉଲ୍ଲା ଖାଁ,  ସୁଖ ଦେବ, ରାଜଗୁରୁ, ଭଗତ ସିଂହ ଆଦି ଅନେକ ଏହାର ଜ୍ୱଳନ୍ତ ଉଦାହରଣ।

୧୮୫୭ର କ୍ରାନ୍ତିଠାରୁ ୧୯୪୭ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ବୀର ରସର ଅନେକ କବି ସ୍ୱାଧୀନତା ଆନ୍ଦୋଳନ ପାଇଁ ରାଷ୍ଟ୍ରଭକ୍ତି ଭାବନାର ଜ୍ୟୋତି ଜଳାଇଥିଲେ। ଅନେକ କବି ଆଜି ମଧ୍ୟ ସ୍ୱାଧୀନତାକୁ ଚିରସ୍ଥାୟୀ କରିବାପାଇଁ ନିଜର ରାଷ୍ଟ୍ରୀୟ ରଚନା ଦ୍ୱାରା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି।

ମାଖନଲାଲ ଚତୁର୍ବେଦୀଙ୍କ "ଫୁଲ କି ଚାହ"
ସେଇଭଳି ଏକ କବିତା। ସେଥିରେ ସେ ଲେଖିଛନ୍ତି

ଚାହ ନହିଁ ମେ ସୁରବାଲା କେ
ଗହନାଁ ମେ ଗୁନ୍ଥା ଯାଉଁ
ମୁଝେ ତୋଡ଼ ଲେନା ବନମାଲି,
ଉସ ପଥ ପର ଦେନା ତୁମ ଫେଁକ
ମାତୃଭୂମି ପର ଶିଶ ଚଢ଼ାନେ,
ଜିସ ପଥ ଜାତେ ବୀର ଅନେକ।।

ବୀର ସାବରକର ଲେଖିଛନ୍ତି -

ମୃତ୍ୟୁ ପଥ ପର ଚଲୋ ଧୀର ବୀର
ଲେକର ଗୀତା ହାଥୋ ମେ
ବନ୍ଦନ ହେ ଶତ ବାର ହମାରା
ଶ୍ରୀ ଚାଫେକର ଚରଣୋ ମେ
ଫର୍ଜ ଅଧୁରା ଛୋଡ଼ ଚଲେ ହୋ
ଇସକି ଚିନ୍ତା କରୋ ନହିଁ
ସବ କୁଛ ଦେକର ପୂର୍ଣ୍ଣ କରୁଙ୍ଗା
ମାନା ଜୀବନ କା ଧ୍ୟେୟ ୟହି।।

ଗଦ୍ୟ ସାହିତ୍ୟର ବିକାଶ ଆଧୁନିକ କାଳରେ ହେଲା। ତାର କ୍ଷମତା-ସାମର୍ଥ୍ୟ ମଧ୍ୟ କମ ନୁହେଁ। ବିଭିନ୍ନ ଉପନ୍ୟାସ, କାହାଣୀ, ନାଟକ, ବ୍ୟଙ୍ଗ ଆଦି ଦ୍ୱାରା ସମାଜର କୁରୀତି ଉପରେ ଆଘାତ କରାଯାଇଛି। ସାହିତ୍ୟର ସାମର୍ଥ୍ୟ ଅସ୍ତ୍ରାଘାତ ଠାରୁ ଅଧିକ। ତେଣୁ ଯଥାର୍ଥରେ କୁହା ଯାଇଛି ଅସୀ ଠାରୁ ମସୀ ବଡ଼।
ସାହିତ୍ୟର ପ୍ରଭାବ ଜୀବନର ସବୁ କ୍ଷେତ୍ରରେ ଯଥା ଆଧ୍ୟାତ୍ମିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ଆଦିକାଳରୁ ରହିଆସିଛି ଓ ଏହା ଭବିଷ୍ୟତରେ ମଧ୍ୟ ସାର୍ଥକ ଭୂମିକା ନିଭାଇବ।

୨୧. ୩. ୧୮