ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ତାଛଲ୍ୟ - ୨୮.୧.୧୮୮୨ ରେ ବୈରାମଜୀ ମଲୱାରୀଙ୍କୁ ଚିଠି ଲେଖି ମେକ୍ସମୁଲାର କହିଛନ୍ତ - "ଦୟାନନ୍ଦଙ୍କ ପରି ଲୋକେ ବେଦକୁ ବହୁତ ମହତ୍ତ୍ୱ ଦେଉଛନ୍ତି। ଯେଉଁ ଅର୍ଥ ମୂଳରୁ ନାହିଁ ତାକୁ ମାନୁଛନ୍ତି। ବେଦକୁ କେବଳ ଐତିହାସିକ ଗ୍ରନ୍ଥ ଭାବରେ ଦେଖିଲେ ସେଥିରେ ସରଳହୃଦୟ, ନିରୀହ, ପ୍ରାଚୀନ ଲୋକମାନଙ୍କ ବିଚାର ଭଲ ଲାଗିବ କିନ୍ତୁ ଯଦି ସେଥିରେ ବାଷ୍ପ ଯନ୍ତ୍ର, ବିଦ୍ୟୁତ ଶକ୍ତି, ନୀତି ବା ଦର୍ଶନ ଶାସ୍ତ୍ରର ତତ୍ତ୍ୱଜ୍ଞାନ ଖୋଜିବେ, ତେବେ ତାହାର କିଛି ଅର୍ଥ ନାହିଁ।"
ଏହି ଚିଠିରୁ ବେଦ ଅନୁବାଦର ହେତୁ କ'ଣ ଥିଲା ତାହା ସ୍ପଷ୍ଟ ହୋଇଯାଇଛି। ଏହାର ପରିଣାମସ୍ୱରୂପ ମେକ୍ସମୁଲାରଙ୍କ ଲେଖା ଦର୍ଶାଇଲା ଯେ ବେଦ ହେଉଛି କେବଳ ଗାଇଆଳ ପିଲାଙ୍କ ଗୀତ ଅଟେ। ସେ ବୈଦିକ ସୂକ୍ତିଗୁଡ଼ିକୁ ଜଟିଳ, ଅଧମ ଓ ପିଲାଳିଆମୀ ବୋଲି କହିଲେ। ବେଦର ସମୟ ଖ୍ରୀଷ୍ଟପୂର୍ବ ୧୫୦୦ ବର୍ଷ ବୋଲି ଗଣନା କଲେ। ହିନ୍ଦୁ ଦେବୀ ଦେବତା ମାନଙ୍କୁ ହାସ୍ୟାସ୍ପଦ ରୂପେ ଦର୍ଶାଇଲେ। ଏଠିକାର ଲୋକ ଏଠିକାର ନୁହଁନ୍ତି ବୋଲି ବିତଣ୍ଡା ଯୁକ୍ତି ତିଆରି କରି ଭାରତୀୟ ଇତିହାସକୁ ବିକୃତ କରିବାର ସିଦ୍ଧାନ୍ତ, ଯେପରି ଆର୍ଯ୍ୟ ଗୋଟିଏ ଜାତି ଥିଲେ, ସେ ବାହାରୁ ଏଠାକୁ ଆସିଛନ୍ତି, ସେମାନେ ଏଠାରେ ଆକ୍ରମଣ କରିଛନ୍ତି, ଏପରି ମନଗଢ଼ା କାହାଣୀ ତିଆରି କଲେ। ରାଥ ଆଦି ଅନ୍ୟ ବିଦ୍ୱାନଗଣ ତାଙ୍କରି ସ୍ୱରରେ ସ୍ୱର ମିଳାଇଲେ। ଇଂରେଜ ଶାସକଗଣ ମେକ୍ସମୁଲାରଙ୍କୁ ଭାରତୀୟ ବିଦ୍ୱାନ ଭାବେ ଖୁବ୍ ପ୍ରଚାର କଲେ।
ମେକ୍ସମୁଲାରଙ୍କ ପରେ ମେକଡୋନଲ ପ୍ରଫେସର ହେଲେ। ସେ ଖ୍ରୀଷ୍ଟ ମତର ପ୍ରଚାର କଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ବୈଦିକ ସାହିତ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ସେ ନିମ୍ନଲିଖିତ ପୁସ୍ତକଗୁଡ଼ିକୁ ପାଠ୍ୟକ୍ରମରେ ଦେଲେ - ୧. ବୈଦିକ ରିଡର ଫର ଷ୍ଟୁଡେଣ୍ଟସ୍ ୨. ବୈଦିକ ମାଇଥୋଲୋଜି ୩. ବୈଦିକ ଗ୍ରାମାର। ଆଜି ମଧ୍ୟ ଭାରତରେ ବେଦ ପଢ଼ିବା ପାଇଁ ଏହି ପୁସ୍ତକଗୁଡ଼ିକୁ ବିଶ୍ୱବିଦ୍ୟାଳୟମାନେ ନିର୍ଦ୍ଦେଶିତ କରୁଛନ୍ତି।
(ଖ) ଆଉ ଏକ ଚେଷ୍ଟା ହେଲା ଭାରତୀୟ ଇତିହାସକୁ ନୀଚ କରିବା ପାଇଁ କିଛି ଶବ୍ଦ ପ୍ରୟୋଗ କରିବା। ଯେପରି ମିଥକ ଓ ମାଇଥୋଲୋଜି। ସମସ୍ତ ଋଷି-ମୁନି ମହାପୁରୁଷ ଯେପରି : ମନୁ, ପରାଶର, ନାରଦ, କପିଳ, ବଶିଷ୍ଠ, ବିଶ୍ଵାମିତ୍ର, ରାମ, କୃଷ୍ଣ ଆଦି ସମସ୍ତେ ମିଥକ୍ ହୋଇଗଲେ। ସେମାନେ ଯଦି କଳ୍ପିତ ଚରିତ୍ର ହେଲେ, ସେମାନଙ୍କୁ ଯେଉଁ ଗ୍ରନ୍ଥ ସ୍ଥାନୀତ କରିଛି ସେ ସମସ୍ତ ଗ୍ରନ୍ଥ ବେଦ, ବ୍ରାହ୍ମଣ, ଆରଣ୍ୟକ, ରାମାୟଣ, ମହାଭାରତ ଆଦି ସମସ୍ତ ଗ୍ରନ୍ଥ ହୋଇଗଲେ ମାଇଥୋଲୋଜି। ଯଦି ଏହା ସବୁ କାଳ୍ପନିକ, ତେବେ ଏହା କିପରି ଇତିହାସର ଅଂଶ ହେବ ? ଏହିପରି ଯୁକ୍ତି ଦେଖାଇ ଯେଉଁ ସବୁ ଗ୍ରନ୍ଥରେ ଭାରତୀୟ ଜୀବନର ସମସ୍ତ ପକ୍ଷ ଯଥା ରାଜନୀତି, ଅର୍ଥନୀତି, ଭୂଗୋଳ, ଖଗୋଳ, ଶିକ୍ଷାନୀତି, ତର୍କ ଓ ହଜାର ହଜାର ବର୍ଷର ଅଖଣ୍ଡ ଜୀବନ ପ୍ରବାହ ବର୍ଣ୍ଣିତ ହୋଇଛି, ସେ ସବୁକୁ ପାଠ୍ୟକ୍ରମରୁ କାଢ଼ି ଦିଆଗଲା।
ଗୋଟିଏ ପଟେ କାଳ୍ପନିକ କହି ଭାରତୀୟ ସାହିତ୍ୟକୁ ଅନୈତିହାସିକ ସିଦ୍ଧ କରିବାର ଚେଷ୍ଟା ହେଲା, ଅନ୍ୟ ପଟେ ନିଜ ଦୃଷ୍ଟିକୋଣରେ ଭାରତୀୟ ଇତିହାସ ଲେଖି ଏଠିକାର ପ୍ରକୃତ ଇତିହାସକୁ ବଦଳାଇ ଦିଆଗଲା। ଏପରି ଚେଷ୍ଟା କରୁଥିବା ବ୍ରିଟିଶ ଐତିହାସିକ ମାନଙ୍କର ପିତା ବୋଲି କୁହାଯାଏ ଜେମ୍ସ ମିଲଙ୍କୁ। ସେ ବ୍ରିଟିଶ ଭାରତର ଇତିହାସ ଲେଖିଲେ ଯାହା ସେ ସମୟର ଇଂରେଜ ମାନଙ୍କ ପାଇଁ ପ୍ରାମାଣିକ ଗ୍ରନ୍ଥ ହୋଇଗଲା। କିନ୍ତୁ ତାଙ୍କର ସେହି ଇତିହାସ ବହି କେତେ ପ୍ରାମାଣିକ ଥିଲା, ତାକୁ ଜାଣିବାକୁ ହେଲେ ଆସନ୍ତୁ ପଢ଼ିବା ସେହି ବହିର ପ୍ରସ୍ତାବନାର କିଛି ଅଂଶ -
୧. ସେ କେବେ ବି ଭାରତ ଆସି ନାହାନ୍ତି।
୨. ସେ ଇଂଲଣ୍ଡରେ ଥିବା ଭାରତୀୟଙ୍କ ସହ କେବେ ବି ମିଶି ନାହାନ୍ତି।
୩. ସେ କୌଣସି ଭାରତୀୟ ଗ୍ରନ୍ଥ ପଢ଼ି ନାହାନ୍ତି।
୪. ସେ କୌଣସି ଭାରତୀୟ ଭାଷା ଜାଣି ନାହାନ୍ତି।
ଏପରି ବ୍ୟକ୍ତି ଭାରତ, ଭାରତୀୟ ଓ ଭାରତୀୟ ସଂସ୍କୃତିର ଇତିହାସ ଲେଖିଲେ। ଏହାଦ୍ୱାରା ସେ ଅନେକ ବିକୃତିକୁ ଜନ୍ମ ଦେଲେ ଯାହା ଆଜି ଯାଏ ବଞ୍ଚି ରହିଛି।
୫. ସେ ଇତିହାସକୁ ହିନ୍ଦୁ, ମୁସଲମାନ ଓ ଇଂରେଜ କାଳରେ ବାଣ୍ଟି ଏକ ନୂଆ ବିକୃତିର ଜନ୍ମ ଦେଲେ।
୬. ଭାରତକୁ ଗୋଟିଏ ଦେଶ ବୋଲି ନ କହି ଏହାକୁ ଏକ ଉପ ମହାଦ୍ବୀପ ବୋଲି କହି ଦେଶର ଏକତାକୁ ଭାଙ୍ଗିବାର ଚେଷ୍ଟା କଲେ।
୭. ତାଙ୍କ ଲେଖାରେ ସ କେଉଁଠି ବି ମାନିବାକୁ ପ୍ରସ୍ତୁତ ନ ଥିଲେ ଯେ ମାନବ ସଭ୍ୟତାର ବିକାଶରେ ଭାରତର କିଛି ଅବଦାନ ଅଛି।
ଆଉ ଜଣେ ଐତିହାସିକ ବାହାରିଲେ ଜନ୍ ମାଲକମ୍। ସେ ଲେଖିଲେ ପଲଟିକାଲ ହିଷ୍ଟ୍ରି ଅଫ ଇଣ୍ଡିଆ। ସେ ସେଥିରେ ଶିଖ ଓ ମରାଠାଙ୍କୁ ଅଲଗା ଅଲଗା ଜାତି ବୋଲି ଦର୍ଶାଇ ହିନ୍ଦୁ ସମାଜକୁ ଭାଙ୍ଗିବାର ଚେଷ୍ଟା କଲେ। ତା ପରେ ତାଙ୍କ ସହ ଯୋଗଦେଲେ ଏଲଫିଣ୍ଟସନ୍, କୀଥ, ପାର୍ଜିଟର୍ ଆଦି ପାଶ୍ଚାତ୍ୟ ବିଦ୍ୱାନଗଣ। ସେମାନେ ଉପରୋକ୍ତ ବିଷୟକୁ ନିଜ ନିଜ ଶୈଳୀରେ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କଲେ।
୩୦.୯.୧୯

No comments:
Post a Comment