Saturday, 16 November 2019
*ବେଦମାନଙ୍କର ତତ୍ତ୍ୱଚିନ୍ତନ*
Monday, 4 November 2019
*ବେଦର ବିଷୟବସ୍ତୁ*
Sunday, 3 November 2019
*ବେଦପାଠର ଅଧିକାର*
Wednesday, 30 October 2019
*ବେଦର ଭାଷ୍ୟ*
Wednesday, 23 October 2019
*ବୈଦିକ ଦେବତା*
ବୈଦିକ ସୂକ୍ତରେ ଅନେକ ଦେବତାଙ୍କର ଵର୍ଣ୍ଣନ ହୋଇଛି। ନିଜଠାରୁ ଉଚ୍ଚତର ଶକ୍ତିର ମାନ୍ୟତା ଏବଂ ତାହାର ଶ୍ରେଷ୍ଠତା ଓ ମହାନତାର ଅନୁଭୂତି କାରଣରୁ ମନୁଷ୍ୟ ହୃଦୟରେ ଉତ୍ପନ୍ନ ଏହି ଶକ୍ତି ବା ଦେବତାଙ୍କ ପ୍ରତି ଶ୍ରଦ୍ଧାର ଅଭିବ୍ୟକ୍ତି ଏହି ସୂକ୍ତରେ ହୋଇଛି। କାଳର ପ୍ରଭାବରେ ଶ୍ରଦ୍ଧାର ଭାବ ତ ନିରନ୍ତର ଅତୁଟ ରହିଛି, ପରନ୍ତୁ ଶ୍ରଦ୍ଧାର ପାତ୍ର ବଦଳି ଚାଲିଛନ୍ତି। ଏଣୁ ଆମେ ଦେଖୁଛୁ ଯେ ସାମ୍ପ୍ରତିକ କାଳରେ ଭଗବାନ ବିଷ୍ଣୁ , ଶିବ, ଶକ୍ତି ଆଦି ରୂପ ସମାଜର ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ହୋଇଛି। ହନୁମାନଙ୍କ ପ୍ରତି ଶ୍ରଦ୍ଧା ବନବାସୀ ଅଞ୍ଚଳ ଠାରୁ ଆରମ୍ଭ କରି ନଗର ପର୍ଯ୍ୟନ୍ତ ସମାନ ରହିଛି। କିନ୍ତୁ ଏହି ସବୁ ଦେବତାଙ୍କ ନାଁ ବୈଦିକ ଯୁଗରେ ପ୍ରଚଳିତ ନ ଥିଲା।
ସେ ସମୟରେ ପ୍ରଚଳିତ ଶ୍ରଦ୍ଧା କେନ୍ଦ୍ର ଥିଲେ - ଇନ୍ଦ୍ର, ଯମ, ଅଗ୍ନି, ମାତରିଶ୍ବାନ, ମିତ୍ର ଆଦି ଦେବତା । ବୈଦିକ କାଳରେ ଇନ୍ଦ୍ର ସର୍ବାଧିକ ଲୋକପ୍ରିୟ ଦେବତା ଥିଲେ। ତେଣୁ ତାଙ୍କ ବିଷୟରେ ୨୫୦ ସୂକ୍ତ ଅଛି। ବୈଦିକ ଇନ୍ଦ୍ର ପୌରାଣିକ ଇନ୍ଦ୍ରଙ୍କ ଠାରୁ ଭିନ୍ନ ସ୍ୱରୂପରେ ଦେଖାଯାନ୍ତି। ଅତ୍ୟନ୍ତ ପରାକ୍ରମୀ, ନୀତି ଓ ସଂଯମର ପାଳନକର୍ତ୍ତାରୂପେ ତାଙ୍କର ଛବି ଦେଖିବାକୁ ମିଳେ। ବରୁଣ ବି ବହୁତ ପ୍ରଚଳିତ ଥିିଲେ। ତାଙ୍କ ବିଷୟରେ ପ୍ରାୟତଃ ୨୦୦ ସୂକ୍ତ ରହିଛି। ଦେବତାମାନଙ୍କର ବୈଦ୍ୟ ଅଶ୍ବିନୀ କୁମାରଙ୍କ ଉପରେ ୬ ଟି ସୂକ୍ତ ଥିବାବେଳେ ବିଷ୍ଣୁଙ୍କ ଉପରେ କେବଳ ୫ ଟି ସୂକ୍ତ ରହିଛି। ବାହ୍ୟ ଦୃଷ୍ଟିରୁ ଦେବତାମାନେ ଭିନ୍ନ ଭିନ୍ନ ଜଣାପଡୁଥିଲେ ମଧ୍ୟ ବାସ୍ତବରେ ସେମାନେ ଗୋଟିଏ ତତ୍ତ୍ୱର ଅଭିବ୍ୟକ୍ତି ଅଟନ୍ତି। ଏହି ବିବିଧତାରେ ଏକତାର ମୌଳିକ ସୂତ୍ରର ଅନୁଭୂତି ବେଦ ମନ୍ତ୍ରରେ ହୋଇଥାଏ। ଦୀର୍ଘତମସ୍ ଋଷିଙ୍କ ଦୃୃଷ୍ଟିକୁୁ ଆସିଥିବା ମନ୍ତ୍ର ସମୁଚୟ ଭାରତୀୟ ସଂସ୍କୃତିର ଆଧାର ସ୍ତମ୍ଭ ଅଟେ।
ଇନ୍ଦ୍ରଂ ମିତ୍ରଂ ବରୁଣମଗ୍ନିମାହୁ ରଥୋ ଦିବ୍ୟଃ ସ ସୁପର୍ଣା ଗୁରୁତ୍ମାନ୍
ଏକଂ ସଦ୍ ବିପ୍ରା ବହୁଧା ବଦନ୍ତ୍ୟଗ୍ନିଂ ଯମଂ ମାତରିଶ୍ବାନମାହୁଃ
- (ଋଗ୍ ବେଦ - ୧ - ୧୬୪ - ୪୬)
ଅର୍ଥାତ୍ - ଏକ ସତ୍ ବସ୍ତୁ ଯାହାକୁ ଜ୍ଞାନୀ ଲୋକ ଅନେକ ପ୍ରକାର ବର୍ଣ୍ଣନା କରିଥାନ୍ତି। ତାକୁ ହିଁ ସେମାନେ ଇନ୍ଦ୍ର, ମିତ୍ର, ବରୁଣ, ଅଗ୍ନି, ଯମ ଓ ମାତରିଶ୍ବାନ କହନ୍ତି ଓ ତାହା ଦିବ୍ୟ ସମ୍ପୂର୍ଣ୍ଣ ଓ ଗୁରୁତ୍ମାନ୍ ଅଟେ।
୨୪.୧୦.୧୯
Tuesday, 22 October 2019
*ବୈଦିକ ମନ୍ତ୍ର ବିକୃତ ନ ହେବାର ରହସ୍ୟ*
ବେଦ ବିଷୟରେ ବିଚାର କଲାବେଳେ ଗୋଟିଏ ତଥ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ ଯେ ଏହା ପ୍ରଚଳିତ ହେବାର ହଜାର ହଜାର ବର୍ଷ ବିତିଯାଇଛି, କାଳର ପ୍ରବାହରେ ଅନେକ କିଛି ବଦଳି ଯାଇଛି; କିନ୍ତୁ ବେଦ ମନ୍ତ୍ର, ବେଦର ଅକ୍ଷର, ବେଦର ସ୍ୱର ଆଜି ମଧ୍ୟ ସେଇଆ ଅଛି ଯାହା ପ୍ରଥମରେ ଥିଲା।
ସାଧାରଣତଃ ଆମ ଜୀବନରେ ଏପରି ଅନୁଭବ ଆସେ ଯେ ଯଦି ଗୋଟିଏ କଥା ୨୦-୨୫ ଲୋକଙ୍କ ପାଖରେ କ୍ରମଶଃ ପହଞ୍ଚାଇବାକୁ ହୁଏ ତେବେ ପ୍ରଥମ ବ୍ୟକ୍ତିକୁ ବିନାୟକ କୁହାଯାଇଥିଲେ ପଚିଶ ତମ ବ୍ୟକ୍ତି ପାଖରେ ତାହା ବାନର ହୋଇଯାଇଥାଏ। ଯେଉଁମାନେ ମଣ୍ଡଳରେ ବସି ଏଭଳି ଖେଳ ଖେଳିଛନ୍ତି ସେମାନଙ୍କର ଏହି ଅନୁଭବ ଥିବ।
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ହଜାର ହଜାର ବର୍ଷର ବୈଦିକ ମନ୍ତ୍ରରେ କିଛି ବି ପରିବର୍ତ୍ତନ ନ ହୋଇ ଏହା କିପରି ପିଢ଼ି ପରେ ପିଢ଼ି ଆଗକୁ ଗତିକରିବାରେ ସମର୍ଥ ହୋଇଛି ?
ଏହାର ବିଶ୍ଳେଷଣ କଲେ ଧ୍ୟାନକୁ ଆସେ ଯେ ଆମ ପୂର୍ବପୁରୁଷଙ୍କ ଦ୍ଵାରା ଆବିଷ୍କୃତ ବେଦର ବିଶିଷ୍ଟ ପାଠ ପଦ୍ଧତିର ପରିଣାମସ୍ୱରୂପ ଏହା ସମ୍ଭବ ହୋଇଛି। ଏହା ଭିନ୍ନ ଭିନ୍ନ ଋଷି ଓ ପଣ୍ଡିତଙ୍କର ଅବଦାନ ଅଟେ।
ବେଦମନ୍ତ୍ରର ପାଠ ପାଇଁ ଦୁଇ ପ୍ରକାର ପଦ୍ଧତି ଅଛି -
୧. ପ୍ରାକୃତ ପାଠ - ଅର୍ଥାତ୍ ମନ୍ତ୍ର ଯେପରି ଅଛି ସେଥିରେ ଅକ୍ଷରଗୁଡ଼ିକର କ୍ରମ ଯେମିତି ଅଛି, ସେହି କ୍ରମ ଅନୁସାରେ ପଢ଼ିବା ବା ଗାଇବା।
୨. ବିକୃତ ପାଠ - ଋଷିଗଣ ସ୍ୱୟଂ ଅକ୍ଷରଗୁଡ଼ିକର କ୍ରମକୁ ବିକୃତ କରି ସେ ମନ୍ତ୍ରର ଭିନ୍ନ ଭିନ୍ନ ରୂପ ତିଆରି କଲେ। ସେମାନଙ୍କ ଦ୍ବାରା ସେହି କ୍ରମରେ ମନ୍ତ୍ରର ଉଚ୍ଚାରଣକୁ ବିକୃତ ପାଠ କୁହାଯାଏ।
ପ୍ରାକୃତ ପାଠ ତିନି ପ୍ରକାର -
୧. ସଂହିତା ପାଠ - ମନ୍ତ୍ର ଯେପରି ଅଛି ସେପରି ଉଚ୍ଚାରଣ କରିବାକୁ ସଂହିତା ପାଠ କୁହାଯାଏ।
୨. ପଦ ପାଠ - ଶବ୍ଦର ସନ୍ଧିବିଚ୍ଛେଦ କରି ମନ୍ତ୍ର ପଢ଼ିବା ବା ଗାଇବାକୁ ପଦ ପାଠ କୁହାଯାଏ। ଏହାର ଆବିଷ୍କାର ମହା ପଣ୍ଡିତ ରାବଣ କରିଥିଲେ।
୩. କ୍ରମ ପାଠ - ମନ୍ତ୍ରର ଶବ୍ଦ ଗୁଡ଼ିକୁ କ୍ରମ ଦେଇ କ୍ରମଶଃ ପ୍ରଥମ-ଦ୍ଵିତୀୟ, ଦ୍ଵିତୀୟ-ତୃତୀୟ, ତୃତୀୟ-ଚତୁର୍ଥ ଏହିପରି ଉଚ୍ଚାରଣ କରିବାକୁ କ୍ରମ ପାଠ କୁହାଯାଏ। ଏହାର ଆବିଷ୍କାରକ ହେଲେ ବ୍ରାଭବ୍ୟ ଋଷି।
ବିକୃତ ପାଠ ଆଠ ପ୍ରକାର। ପାଠର ପ୍ରକାର ଓ ଋଷିମାନଙ୍କର ନାଁ ହେଲା -
୧. ଜଟା ପାଠ - ମହର୍ଷି ବ୍ୟାଡ଼ି
୨. ମାଳା ପାଠ - ମହର୍ଷି ବଶିଷ୍ଠ
୩. ରେଖା ପାଠ - ମହର୍ଷି ଅଷ୍ଟାଵକ୍ର
୪. ଶିଖା ପାଠ - ମହର୍ଷି ଭୃଗୁ
୫. ଧ୍ଵଜ ପାଠ - ମହର୍ଷି ବିଶ୍ଵାମିତ୍ର
୬. ଦଣ୍ଡ ପାଠ - ମହର୍ଷି ପରାଶର
୭. ରଥ ପାଠ - ମହର୍ଷି କାଶ୍ୟପ
୮. ଘନ ପାଠ - ମହର୍ଷି ଅତ୍ରି
ଏହି ପାଠକୁ ଜାଣିବା ପାଇଁ ଉଦାହରଣ ହିସାବରେ ଗୋଟିଏ ବୈଦିକ ମନ୍ତ୍ରକୁ ନେବାକୁ ପଡ଼ିବ। ତାହାର ବିବିଧ ପାଠ ପଦ୍ଧତିକୁ ବୁଝିବାକୁ ପଡ଼ିବ। ଆମେ ଏଠାରେ ଯଜୁର୍ବେଦର ଚାଳିଶ ଅଧ୍ୟାୟର ପ୍ରଥମ ମନ୍ତ୍ରର ଦ୍ଵିତୀୟ ଧାଡ଼ିକୁ କେମିତି ପାଠ କରାଯାଏ ତାକୁ ଧ୍ୟାନ ଦେବା।
ଏହି ପଦ୍ଧତି ଅନୁସାରେ ପ୍ରଥମେ ମନ୍ତ୍ରର ପଙ୍କ୍ତିରେ ଥିବା ଶବ୍ଦଗୁଡ଼ିକୁ ଅଙ୍କ ଦେଇ ଚିହ୍ନିତ କରିବାକୁ ହୁଏ ଯଦ୍ଦ୍ୱାର କୌଣସି ପାଠରେ ଶବ୍ଦ ଉଚ୍ଚାରଣର କ୍ରମ କ'ଣ ହେବ ତାହା ସ୍ପଷ୍ଟ ହୋଇଯାଏ।
ଆମେ ବାଛିଥିବା ମନ୍ତ୍ରର ପଙ୍କ୍ତି ହେଲା -
ତେନ ତ୍ୟକ୍ତେନ ଭୁଞ୍ଜିଥା। ମା ଗୃଧଃ କସ୍ୟ ସ୍ୱିଦ୍ ଧନମ୍।
୧ ୨ ୩ ୪ ୫
ଏହି ପଙ୍କ୍ତିକୁ ବିବିଧ ପଦ୍ଧତିରେ ବୋଲିଲେ ତାହାର ସ୍ୱରୂପ ନିମ୍ନ ପ୍ରକାର ହେବ।
ସଂହିତା ପାଠ - ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ
ପଦ ପାଠ - ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ
କ୍ରମ ପାଠ - ଏହାର ଶବ୍ଦ କ୍ରମ ରହିବ ୧-୨/ ୨-୩/ ୩-୪/ ୪-୫/
ଏଣୁ କ୍ରମପାଠୀ ଏହି ମନ୍ତ୍ରକୁ ଏପରି ପଢ଼ିବ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା, ଭୁଞ୍ଜିଥା ମା, ମା ଗୃଧଃ। ଏହିପରି ଯିଏ ବେଦକୁ ମନେ ରଖେ ତାକୁ କ୍ରମପାଠୀ କହନ୍ତି।
ବିକୃତ ପାଠ - ଆଠ ପ୍ରକାର ବିକୃତ ପାଠ ପାଇଁ ପ୍ରତ୍ୟେକଙ୍କର ଜଟିଳ ପଦ୍ଧତି ରହିଛି। ତା ଭିତରୁ ତିନିଟି ପଦ୍ଧତି ଜଟା, ଶିଖା ତଥା ଘନ ପାଠର ନମୁନା ନିମ୍ନରେ ଦିଆ ଯାଇଛି।
ଜଟା ପାଠ - ବେଦ ମନ୍ତ୍ରର ଜଟା ପାଠର କ୍ରମ ହେଉଛି - ୧-୨, ୨-୧, ୧-୨/ ୨-୩, ୩-୨, ୨-୩/ ୩-୪, ୪-୩, ୩-୪/ ୪-୫, ୫-୪, ୪-୫/ ଏଣୁ ଜଟା ପାଠରେ ଉକ୍ତ ମନ୍ତ୍ରକୁ ବୋଲାଯାଏ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା, ଭୁଞ୍ଜିଥା ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା, ଭୁଞ୍ଜିଥା ମା, ମା ଭୁଞ୍ଜିଥା, ଭୁଞ୍ଜିଥା ମା, ମା ଗୃଧଃ, ଗୃଧଃ ମା, ମା ଗୃଧଃ - ଏହିଭଳି ବେଦ ମନ୍ତ୍ରକୁ ପାଠ କରୁଥିବା ଲୋକଙ୍କୁ ଜଟାପାଠୀ କହନ୍ତି।
ଶିଖା ପାଠ - ଏହାର ଶବ୍ଦ କ୍ରମ ହେଲା -
୧-୨, ୨-୧, ୧-୨, ୩/ ୨-୩, ୩-୨, ୨-୩, ୪/ ୩-୪, ୪-୩, ୩-୪, ୫/
ଏଣୁ ଶିଖା ପାଠରେ ସେହି ମନ୍ତ୍ରକୁ ପଢ଼ାଯାଏ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ, ଭୁଞ୍ଜିଥା, ତ୍ୟକ୍ତେନ ଭୁଞ୍ଜିଥା, ଭୁଞ୍ଜିଥା ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା, ମା, ଭୁଞ୍ଜିଥା ମା, ମା ଭୁଞ୍ଜିଥା, ଭୁଞ୍ଜିଥା ମା, ଗୃଧଃ -
ଏହିପରି ଯେଉଁମାନେ ବେଦ ମନ୍ତ୍ରଙ୍କୁ ପାଠକରନ୍ତି ସେମାନଙ୍କୁ ଶିଖା ପାଠୀ କୁହାଯାଏ।
ଘନ ପାଠ - ଏହା ସର୍ବାଧିକ କ୍ଳିଷ୍ଟ ଅଟେ। ତଥାପି ଏବେ ମଧ୍ୟ କିଛି ଘନ ପାଠୀ ପଣ୍ଡିତ ଅଛନ୍ତି।
ଏହାର ଶବ୍ଦ କ୍ରମ ହେଲା -
୧-୨, ୨-୧, ୧-୨, ୩, ୩-୨-୧, ୧-୨-୩/ ୨-୩, ୩-୨, ୨-୩, ୪, ୪-୩-୨, ୨-୩-୪/
ଏଣୁ ଘନ ପାଠୀ ଏହି ମନ୍ତ୍ରକୁ ଉଚ୍ଚାରଣ କରିବେ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ, ଭୁଞ୍ଜିଥା, ଭୁଞ୍ଜିଥା ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ ଭୁଞ୍ଜିଥା-ତ୍ୟକ୍ତେନ ଭୁଞ୍ଜିଥା, ଭୁଞ୍ଜିଥା ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା ମା, ମା ଭୁଞ୍ଜିଥା-ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା ମା -
ଏହିପରି ସମ୍ପୂର୍ଣ୍ଣ ବେଦକୁ ଯେଉଁମାନେ କଣ୍ଠସ୍ଥ କରିଥାନ୍ତି ସେମାନଙ୍କୁ ଘନପାଠୀ କୁହାଯାଏ।
ବେଦ ମନ୍ତ୍ରରାଶିକୁ କାଳର ପ୍ରବାହରେ ଅବିକୃତ ରଖି ପିଢ଼ି ପରେ ପିଢ଼ି ପ୍ରବାହିତ କରିବାରେ ଏହିପରି ପାଠ କରିବାର ପଦ୍ଧତିର ଅବଦାନ ଅତୁଳନୀୟ।
୨୨.୧୦.୧୯
Monday, 21 October 2019
*ବେଦମନ୍ତ୍ର ଓ ସ୍ୱର --*
ଏଣୁ ବେଦ ମନ୍ତ୍ରର ଉଚ୍ଚାରଣ ପାଇଁ ନିର୍ଦ୍ଦିଷ୍ଟ ସ୍ୱର ଅଛି। ଏହାର ସଙ୍କେତ ଦୃଷ୍ଟିରୁ ବେଦ ମନ୍ତ୍ରର ଅକ୍ଷର ଉପରେ ଦୁଇଟି ରେଖାର ସଙ୍କେତ ରହିଥାଏ। ଯଥା : - ( - ), ( । )
କେତେକ ଅକ୍ଷର ଉପରେ କିଛି ସଙ୍କେତ ନ ଥାଏ। ଏ ସଙ୍କେତ ସ୍ୱରକୁ ଉଚ୍ଚାରଣ କରିବାର ପ୍ରକାରକୁ ବୁଝାଇଥାଏ। ବେଦ ମନ୍ତ୍ରର ଉଚ୍ଚାରଣ ସମୟରେ ବେଦ-ପଣ୍ଡିତ ହାତ ପାପୁଲିକୁ ତଳ ଉପର କରିବାର ଦେଖାଯାଏ। ଏହା ମଧ୍ୟ ଏହି ସଙ୍କେତକୁ ବୁଝାଇଥାଏ।
ସ୍ୱର ମାନଙ୍କର ପ୍ରକାର :
ସ୍ୱର ତିନି ପ୍ରକାର -
୧. ଉଦ୍ଦାତ୍ତ ୨. ଅନୁଦ୍ଦାତ୍ତ ୩. ସ୍ୱରିତ।
ମହର୍ଷି ପାଣିନୀଙ୍କ ଅନୁସାରେ -
ଉଚ୍ଚୈରୁନୁଦାତ୍ତଃ : - ଉଦ୍ଦାତ୍ତ ଅର୍ଥାତ୍ ଯେଉଁ ସ୍ୱର ଉପରେ ବଳ ଦେଇ ଜୋର୍ ରେ ଉଚ୍ଚାରଣ କରାଯାଏ।
ନୀଚୈରନୁଦାତ୍ତଃ : - ଅନୁଦ୍ଦାତ୍ତ ଅର୍ଥାତ୍ ଧୀରେ ବା କମ୍ ଜୋର୍ ଦେଇ ଉଚ୍ଚାରଣ କରାଯାଉଥିବା ସ୍ୱର।
ସମାହାର ସ୍ୱରିତ : - ଅର୍ଥାତ୍ ଶେଷ ସ୍ୱର ହେଉଛି ସ୍ୱରିତ। ଏଥିରେ ଉଦ୍ଦାତ୍ତ ଓ ଅନୁଦ୍ଦାତ୍ତର ଧର୍ମ ସମ ଭାବରେ ରହିଥାଏ।
ବେଦରେ ସ୍ବରାଙ୍କନ : - ବେଦ ଗ୍ରନ୍ଥ ମାନଙ୍କରେ ସ୍ୱରକୁ ନିର୍ଦେଶ କରିବାର ବିଧି ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ।
୧. ଋଗ୍ ବେଦରେ ଉଦ୍ଦାତ୍ତ ସ୍ୱରର ଚିହ୍ନ ନ ଥାଏ। ଅନୁଦ୍ଦାତ୍ତ ସ୍ୱରର ନିର୍ଦେଶ ତଳେ ଆଡ଼ି ରେଖା ପରି ହୋଇଥାଏ (-) ତଥା ସ୍ୱରିତର ନିର୍ଦେଶ ଉପରକୁ ଉଠିଥିବା ବା ଠିଆ ହୋଇଥିବା ରେଖା ପରି ( । ) ହୋଇଥାଏ।
୨. ଯଜୁର୍ବେଦରେ ଉଦ୍ଦାତ୍ତ ସ୍ୱରର ନିର୍ଦେଶ ଉପରକୁ ଠିଆ ହୋଇଥିବା ରେଖା ପରି ହୋଇଥାଏ ତଥା ଅନୁଦ୍ଦାତ୍ତ ରେଖା ଆଡ଼ି ରେଖା ପରି ହୋଇଥାଏ।
୩. ସାମବେଦରେ ଉଦ୍ଦାତ୍ତ, ଅନୁଦ୍ଦାତ୍ତ ତଥା ତ୍ୱରିତ ସ୍ୱରର ନିର୍ଦେଶ ୧, ୨, ୩ ଅଙ୍କ ଦ୍ୱାରା କରାଯାଇଥାଏ।
ଏହି ସ୍ୱର ଦ୍ୱାରା ହିଁ ସଙ୍ଗୀତର ସପ୍ତ ସ୍ୱର ଓ ତାହାର ସଂଯୋଗ ଦ୍ୱାରା ଭିନ୍ନ ଭିନ୍ନ ପ୍ରକାର ରାଗର ସୃଷ୍ଟି ହୋଇଥାଏ।
ଏହା ସମ୍ବନ୍ଧରେ ଏକ ଶ୍ଳୋକ ଅଛି -
ଉଚ୍ଚୈର୍ନିଷାଦଗାନ୍ଧାରୌ, ନୀଚୈ ଋର୍ଷଭଧୈବତୌ।
ଶେଷାସ୍ତୁ ସ୍ବରିତାଃ ଜ୍ଞେୟାଃ ଷଡ଼ଜ-ମଧ୍ୟମ-ପଂଚମାଃ।।
ଅର୍ଥାତ୍ ଗାନ୍ଧାର ଓ ନିଷାଦ ଉଦ୍ଦାତ୍ତ, ଋଷଭ ତଥା ଧୈବତ୍ ଅନୁଦ୍ଦାତ୍ତ ଏବଂ ଷଡ଼ଜ ମଧ୍ୟମ ଓ ପଞ୍ଚମ ଏହା ସ୍ୱରିତ ଅଟେ। ସଙ୍ଗୀତ ଶାସ୍ତ୍ର ଅନୁସାରେ ଏହାର ପ୍ରତୀକ ଚିହ୍ନ ଗାନ୍ଧାରର -ଗ, ନିଷାଦର -ନି, ଋଷଭର -ରେ, ଧୈବତର -ଧ, ଷଡ଼ଜର -ସା, ମଧ୍ୟମର -ମ ତଥା ପଞ୍ଚମର -ପ।
ବେଦ ମନ୍ତ୍ରର ନିରନ୍ତର ଗାନ ହେବା ଦ୍ୱାରା ଆମ ମନରେ ଏକ ବିଶେଷ ଭାବର ଅନୁଭୂତି ହୁଏ। ତାହା ସ୍ୱରର କମ୍ପନର ପ୍ରଭାବ ଦ୍ୱାରା ଆବେଷ୍ଟିତ ବାତାବରଣର ପ୍ରଭାବରୁ ହୋଇଥାଏ।
୨୧.୧୦.୧୯
Sunday, 20 October 2019
*ବେଦ ମନ୍ତ୍ର ଓ ସ୍ୱର*
ଆମର ଏଠାରେ ପରୀକ୍ଷା କରି କୁହାଯାଇଛି ଯେ ସୃଷ୍ଟିରେ ସର୍ବତ୍ର ନାଦ ରହିଛି। ଏହି ନାଦକୁ ସୃଷ୍ଟି ଉତ୍ପତ୍ତିର ମହା ବିସ୍ଫୋଟ (ଯାହା ବିଗ୍ ବ୍ୟାଙ୍ଗ ଥିଓରି) ର ସିଦ୍ଧାନ୍ତ ବୋଲି କୁହାଯାଇଛି। ପ୍ରଥମ ବିସ୍ଫୋଟରେ ଯଦି ନାଦ ଥିଲା, ତେବେ ସମୁଚୟ ସୃଷ୍ଟିରେ ନାଦ ଅଛି, ଧ୍ଵନି ଅଛି। ଏହା ସୂକ୍ଷ୍ମରୁ ସ୍ଥୂଳରୂପେ ଅଭିବ୍ୟକ୍ତ ହେଉଛି।
ନିଜର ପ୍ରଚଣ୍ଡ ତପସ୍ୟା ଦ୍ୱାରା ଋଷିମାନେ ଏହାର ଦର୍ଶନ କଲେ। ସେମାନେ ଜାଣିଲେ ଯେ ଏହାର ଚାରୋଟି ରୂପ ଅଛି। ଯଥା : - ପରା, ପଶ୍ୟନ୍ତି, ମଧ୍ଯମା ଓ ବୈଖରୀ
ଏହି ଚାରୋଟି ରୂପ ଭିତରୁ ପରା ବାଣୀ ଓଁକାର ସ୍ୱରୂପ ଅଟେ, ଯାହା ଯୋଗ ସାଧନାର ଗଭୀରକୁ ପ୍ରବେଶ କଲେ ଅନୁଭୂତ ହୁଏ। ଏହା ମଧ୍ୟ ନାଦର ମୂଳ ସ୍ରୋତ ଅଟେ।
ପରାର ସ୍ଥୂଳ ଅଭିବ୍ୟକ୍ତି ହେଲା ପଶ୍ୟନ୍ତି। ଏହା ଚିତ୍ର ରୂପ ଅଟେ।
ତୃତୀୟ ରୂପ ହେଲା ମଧ୍ଯମା। ଏଥିରେ ଧ୍ଵନି କଣ୍ଠ ପର୍ଯ୍ୟନ୍ତ ଆସେ।
ଚତୁର୍ଥ ଧ୍ଵନ୍ୟାତ୍ମକ ହେଲା ବୈଖରୀ। ଏହି ବୈଖରୀ ବାଣୀ ସ୍ୱର ରୂପେ ଅଭିବ୍ୟକ୍ତ ହୋଇଥାଏ। ଏହି ସ୍ୱର ଦ୍ୱାରା ବାୟୁମଣ୍ଡଳରେ ଏକ ପ୍ରକାର କମ୍ପନ ହୋଇଥାଏ ଯାହା ବାତାବରଣକୁ ପ୍ରଭାବିତ କରିଥାଏ।
ଏଣୁ ବେଦ ମନ୍ତ୍ରର ଉଚ୍ଚାରଣରେ ସ୍ୱର ବିଜ୍ଞାନର ମହତ୍ତ୍ୱ ସର୍ବାଧିକ। ସ୍ୱର ଉପରେ ଜୋର୍ ଦେବା ସମୟରେ ଯଦି ଭିନ୍ନତା ପରିଲକ୍ଷିତ ହୁଏ ତେବେ ତାହାର ଅର୍ଥ ଅଲଗା ହୋଇଯାଏ।
ପୁରାଣରେ ଗୋଟିଏ କାହାଣୀ ଅଛି। ଥରେ ଦେବଗୁରୁ ବୃହସ୍ପତି ଦେବସଭାରେ ଯାଇ ପହଞ୍ଚିଲେ। ସେତେବେଳେ କ୍ଷମତାର ଅହଂକାର ବଶତଃ ଇନ୍ଦ୍ର ନିଜ ସିଂହାସନରୁ ଉଠିଲେ ନାହିଁ, ତାଙ୍କର ଏହି ଅଭଦ୍ରତାରେ କ୍ଷୁବ୍ଧ ହୋଇ ବୃହସ୍ପତି ତାଙ୍କୁ ଦରିଦ୍ର ହୋଇଯିବାର ଅଭିଶାପ ଦେଲେ। ଅସୁରମାନଙ୍କୁ ଏହି କଥା ଜଣାପଡ଼ିଯିବା ପରେ ସେମାନେ ଉତ୍ସାହିତ ହୋଇ ଦେବତାଙ୍କ ଉପରେ ଆକ୍ରମଣ କରି ପରାଜିତ କରିଦେଲେ। ଏଥିରୁ ମୁକୁଳିବା ପାଇଁ ଦେବତାମାନେ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ବ୍ରହ୍ମା ତାଙ୍କୁ କୌଣସି ବ୍ରହ୍ମନିଷ୍ଠ ବ୍ରାହ୍ମଣଙ୍କୁ ଗୁରୁକରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ପରାମର୍ଶ ଦେଲେ। ଦେବତାମାନେ ପଚାରିଲେ, "ଏପରି ବ୍ରାହ୍ମଣ କିଏ ?"
ବ୍ରହ୍ମା କହିଲେ, "ପ୍ରଜାପତି ତ୍ବଷ୍ଟାଙ୍କ ପୁତ୍ର ବିଶ୍ୱରୂପ ବ୍ରହ୍ମନିଷ୍ଠ। ଦେବତାମାନେ ବିଶ୍ଵରୂପଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଗୁରୁହେବା ପାଇଁ ପ୍ରାର୍ଥନା କଲେ। ବିଶ୍ଵରୂପ ଏହା ସ୍ୱୀକାର କରିବା ସହିତ ତାଙ୍କୁ ନାରାୟଣ କବଚ ଦେଲେ ଯାହାଦ୍ୱାରା ଦେବତାମାନେ ପୁଣି ବିଜୟ ହେଲେ। ବିଶ୍ଵରୂପଙ୍କର ଦେବ ଓ ଦାନବଙ୍କ ପ୍ରତି ସମ ଦୃଷ୍ଟି ଥିଲା। ତାଙ୍କର ମାମୁ ଘର ଅସୁର କୁଳର ଥିଲେ। ଏ ଖବର ଜାଣିବା ପରେ ଇନ୍ଦ୍ର ତାଙ୍କ ମୁଣ୍ଡ କାଟିଦେଲେ। ପୁତ୍ର ମୃତ୍ୟୁର ସମ୍ବାଦ ପାଇ ତ୍ବଷ୍ଟା କ୍ରୋଧିତ ହୋଇ ଇନ୍ଦ୍ରକୁ ବଧ କରି ପାରିବା ଭଳି ପୁତ୍ର ପ୍ରାପ୍ତ କରିବାର ଯଜ୍ଞ କଲେ। ସେ ଯଜ୍ଞରେ ଋତ୍ତ୍ୱିଜମାନେ ଆହୂତି ଦେଇ ମନ୍ତ୍ର ଉଚ୍ଚାରଣ କଲେ -
"ଇନ୍ଦ୍ରଶତ୍ରୋ ବିବର୍ଧସ୍ବ, ଇନ୍ଦ୍ରଶତ୍ରୋ ବିବର୍ଧସ୍ବ"
ଏଥିରେ ଭୁଲରେ ଇନ୍ଦ୍ର ଶବ୍ଦକୁ ଉଦ୍ଦାତ୍ତ ସ୍ୱରରେ ଏବଂ ଶତ୍ରୋ ଶବ୍ଦକୁ ଅନୁଦ୍ଦାତ୍ତ ସ୍ୱରରେ କହିଲେ। ପରିଣାମ ସ୍ୱରୂପ ଏହାର ଅର୍ଥ ବଦଳିଗଲା।
ଇନ୍ଦ୍ରଶତ୍ରୋ ଶବ୍ଦରେ ଦୁଇଟି ପଦ ଅଛି। ଗୋଟିଏ ହେଲା ଇନ୍ଦ୍ର ଆଉ ଗୋଟିଏ ହେଲା ଶତ୍ରୁ। ଶତ୍ରୁ ଅର୍ଥ ହେଲା ହତ୍ୟାକାରୀ।
ଯଦି ପ୍ରଥମ ପଦ ଉପରେ ଜୋର୍ ଦିଆଯିବ ତେବେ ଏହାର ଅର୍ଥ ହେବ "ଇନ୍ଦ୍ରଃ ଶତ୍ରୁଃ ଯସ୍ୟ ସଃ" ଅର୍ଥାତ୍ ଇନ୍ଦ୍ର ଯାହାକୁ ହତ୍ୟାକରିବେ, ସେ।
ଯଦି ଶେଷ ପଦରେ ଜୋର୍ ଦିଆଯିବ ତେବେ ତା'ର ଅର୍ଥ ହେବ "ଇନ୍ଦ୍ରସ୍ୟ ଶତ୍ରୁଃ" ଅର୍ଥାତ୍ ଇନ୍ଦ୍ରର ଶତ୍ରୁ ବା ଇନ୍ଦ୍ରର ହତ୍ୟାକାରୀ।
ଋଷି ଯେହେତୁ ପ୍ରଥମ ପଦ ଉପରେ ଜୋର୍ ଦେଇଥିଲେ ତେଣୁ ଏହାର ଅର୍ଥ ବଦଳିଗଲା। ଏଣୁ ଯେଉଁ ପୁତ୍ର ବୃତ୍ରାସୁର ଜନ୍ମ ହେଲା ସେ ଇନ୍ଦ୍ର ହାତରେ ବଧ ହେଲା।
ସେଥିପାଇଁ କୁହାଯାଇଛି ଯେ ଭୁଲ୍ ଉଚ୍ଚାରଣ ସ୍ୱର ସାଧକଙ୍କ ଉପରେ ବଜ୍ର ଭଳି ପ୍ରହାର କରିଥାଏ।
୨୦.୧୦.୧୯
Friday, 18 October 2019
*ବେଦର ବାହ୍ୟ ପରିଚୟ*
ମଣ୍ଡଳ, ସୂକ୍ତ ଓ ମନ୍ତ୍ର ସଂଖ୍ୟା
୧. ଋଗ୍ ବେଦ : - ଏହି ବେଦରେ ୧୦ ମଣ୍ଡଳ, ୬୪ ଅଧ୍ୟାୟ, ୧୦୨୮ ସୂକ୍ତ ତଥା ୧୦,୫୫୨ ମନ୍ତ୍ର ରହିଛି।
୨. ଯଜୁର୍ବେଦ : - ଏହାର ଦୁଇଟି ଭାଗ ଅଛି। ଗୋଟିଏ ହେଲା ଶୁକ୍ଳ ଯଜୁର୍ବେଦ ଅନ୍ୟଟି କୃଷ୍ଣ ଯଜୁର୍ବେଦ। ଏଥିରେ ରହିଛି ୪୦ ଅଧ୍ୟାୟ, ୩୦୩ ଅନୁବାକ୍ ତଥା ୧୯୭୫ କଣ୍ଡିକା ବା ମନ୍ତ୍ର।
୩. ସାମ ବେଦ : - ଏଥିରେ ୧୮୭୫ ମନ୍ତ୍ର ଅଛି। କିନ୍ତୁ ନୂଆ ମନ୍ତ୍ର କେବଳ ୭୫ ଟି। ବାକି ସବୁ ମନ୍ତ୍ର ଋଗ୍ ବେଦରୁ ନିଆଯାଇଛି।
୪. ଅଥର୍ବ ବେଦ : - ଏଥିରେ ୨୦ କାଣ୍ଡ, ୭୩୧ ସୂକ୍ତ ତଥା ୫୯୭୭ ମନ୍ତ୍ର ଅଛି। ସମସ୍ତ ବେଦମନ୍ତ୍ର ସହିତ ୠଷି, ଦେବତା ତଥା ଛନ୍ଦର ଉଲ୍ଲେଖ ରହିଛି।
ଋଷି - ସେହି ମନ୍ତ୍ରର ଦ୍ରଷ୍ଟା
ଦେବତା - ସେହି ମନ୍ତ୍ରରେ ପ୍ରତିପାଦ୍ୟ ବିଷୟ
ଛନ୍ଦ - ସେହି ମନ୍ତ୍ରର ଅକ୍ଷର ଏବଂ ସ୍ୱର ରଚନାକୁ ଇଙ୍ଗିତ କରିଥାଏ।
ବେଦଗୁଡ଼ିକର ଦ୍ରଷ୍ଟା ଋଷି - ବେଦର ମନ୍ତ୍ର ଦ୍ରଷ୍ଟା ଋଷି ଅନେକ ଅଛନ୍ତି। ଏଥିରେ ପୁରୁଷ ଓ ମହିଳା ଉଭୟ ଅଛନ୍ତି। ପାଖା ପାଖି ୩୦୦ ରୁ ଅଧିକ ଋଷିଙ୍କ ନାମ ଏଥିରେ ରହିଛି। ପ୍ରମୁଖ ପୁରୁଷ ମନ୍ତ୍ରଦ୍ରଷ୍ଟା ଋଷିମାନଙ୍କ ନାମ ହେଲା - ବଶିଷ୍ଠ, ବିଶ୍ଵାମିତ୍ର, ଅତ୍ରୀ, ଅଙ୍ଗିରା, ଭୃଗୁ, ଭରଦ୍ୱାଜ, ବାମଦେବ, କଶ୍ୟପ, ନାରଦ, ମନୁ, ଗୃତ୍ସମଦ, ଦୀର୍ଘତମସ୍, ଵୈବଶ୍ବେତ ମନୁ, ଶିବି, ଔଶୀନର, ପ୍ରତର୍ଦ୍ଦନ, ମଧୁଛନ୍ଦା, ଦେବାପି ମେଘାତିଥି, ଶୁନଃଶେପ, କଣ୍ୱ, ଗୌତମ, କତ୍ସ, କୁକ୍ଷିବାନ୍..ଆଦି।
ମହିଳା ମନ୍ତ୍ରଦ୍ରଷ୍ଟା - ଶ୍ରଦ୍ଧା, ରୋମଶା, ଲୋପାମୁଦ୍ରା, ବିଶ୍ୱବାରା, ଅପାଲା, ଘୋଷା, ଯମୀ, ଇନ୍ଦ୍ରାଣୀ, ଉର୍ବଶୀ, ଦିକ୍ଷିଣା, ସୂର୍ଯ୍ୟା ଆଦି।
୧୮.୧୦.୧୯
Wednesday, 16 October 2019
*ବେଦ*
ବୈଦିକ ଋଷିମାନଙ୍କର ମତ ଯେ ଅବ୍ୟକ୍ତ ଅବସ୍ଥାରୁ ଜଗତ ଯେତେବେଳେ ବ୍ୟକ୍ତ ହୁଏ ସେତେବେଳେ ମୂଳ ସ୍ଥିତିରେ ବିକ୍ଷୋଭ ସୃଷ୍ଟି ହୁଏ। ଏହି ବିକ୍ଷୋଭ ସହିତ କମ୍ପନ ପ୍ରାରମ୍ଭ ହୁଏ। କମ୍ପନ ଧ୍ଵନି ରୂପେ ବ୍ୟକ୍ତ ହୁଏ। ଏଣୁ ମାନ୍ୟତା ଅଛି ଯେ ସୃଷ୍ଟି କମ୍ପନ ଅଟେ। ଆମର ଏଠି ପ୍ରାଚୀନ କାଳରୁ ନାଦ ବ୍ରହ୍ମକୁ ସୃଷ୍ଟିର କାରଣ ବୋଲି ମାନି ଆସିଛନ୍ତି। ସୃଷ୍ଟିରେ ବ୍ୟାପ୍ତ ଏହି ନାଦର ବିବିଧ ରୂପକୁ ଋଷିମାନେ ସାକ୍ଷାତକାର କଲେ ତଥା ତାହାକୁ ବୈଦିକ ମନ୍ତ୍ର ରୂପେ ଅଭିବ୍ୟକ୍ତ କଲେ। ବୁଦ୍ଧି ଦ୍ୱାରା ବିଚାର ଆସିଲା ଏବଂ ତା ପରେ ସେହି ବିଚାରକୁ ସେମାନେ ବ୍ୟକ୍ତ କଲେ, ଏପରି ହୋଇ ନାହିଁ।
ଏପରି ଯଦି ହୋଇଥାନ୍ତା ତେବେ ଋଷିମାନଙ୍କୁ ମନ୍ତ୍ର କର୍ତ୍ତାର ବୋଲି କୁହାଯାଇଥାନ୍ତା।
ଋଷିଗଣ ମନ୍ତ୍ରରେ ଅଭିବ୍ୟକ୍ତ ନାଦଜନିତ ସତ୍ୟକୁ ସାକ୍ଷାତକାର କଲେ। ସେଥିପାଇଁ କୁହାଗଲା ଋଷିୟୋ ମନ୍ତ୍ର ଦ୍ରଷ୍ଟାରଃ। କର୍ତ୍ତାର ସ୍ଥାନରେ ଦ୍ରଷ୍ଟା ଶବ୍ଦ ପ୍ରୟୋଗ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ବେଦ ବିଷୟରେ କରାଯାଇଥିବା ପରିଭାଷାକୁ ହିଁ ସିଦ୍ଧ କରୁଛି। ସେ କହିଥିଲେ ଯେ ବେଦର ଅର୍ଥ ହେଉଛି ବିଭିନ୍ନ ଆଧ୍ୟାତ୍ମିକ ସତ୍ୟଗୁଡ଼ିକର ସମୁଚୟ।
ବେଦର ବିଭନ୍ନ ନାମ
ଆମ ପ୍ରାଚୀନ ସାହିତ୍ୟରେ ବେଦର ଜ୍ଞାନ-ରାଶିକୁ ବିଭନ୍ନ ନାଁରେ ଅଭିବ୍ୟକ୍ତ କରାଯାଇଛି। ତା ଭିତରୁ ପ୍ରମୁଖ ନାଁ ଓ ତା'ର ଅର୍ଥ ଗୁଡ଼ିକ ହେଲା -
ବେଦ - ଜ୍ଞାନ
ମନ୍ତ୍ର - ମନନ କରିବାର ବିଚାର।
ଶ୍ରୁତି - ଶ୍ରବଣରୁ ପ୍ରାପ୍ତ।
ନିଗମ - ଅନୁଭୂତିର ଅଭିବ୍ୟକ୍ତି ଯେଉଁ ଗ୍ରନ୍ଥରେ ଅଛି।
ଛନ୍ଦସ୍ - ନାଦ ରୂପ। ସମ୍ପୂର୍ଣ୍ଣ ବେଦ ସ୍ୱର ବିଜ୍ଞାନ ଆଧାରିତ।
ଆମ୍ନାୟ - ମାନବୀୟ ଉନ୍ନତିର ଉପଦେଶଗୁଡ଼ିକର ସମୁଚୟ।
ଚାରି ବେଦ - ବ୍ୟାପକ ଅର୍ଥରେ ବେଦ ହେଉଛି ନିରପେକ୍ଷ ଜ୍ଞାନ। କିନ୍ତୁ ସେହି ନିରପେକ୍ଷ ଜ୍ଞାନର ଅନୁଭୂତି ନିଜର ସାଧନା ଓ ତପସ୍ୟା ଦ୍ୱାରା ଭିନ୍ନ ଭିନ୍ନ ଋଷିମାନେ କରିଛନ୍ତି। ସେହି ସାକ୍ଷାତକାରକୁ ବାଣୀ ଦ୍ୱାରା, ମନ୍ତ୍ର ରୂପରେ, ରୁଚା ରୂପରେ ଅଭିବ୍ୟକ୍ତ କରିଛନ୍ତି। ବେଦରେ ଯେଉଁ ଅଭିବ୍ୟକ୍ତି ଅଛି ତାହା ତିନି ପ୍ରକାର। ବୈଦିକ ପଦ୍ୟକୁ ଋକ୍ ବା ରୁଚା କହନ୍ତି। ବୈଦିକ ଗଦ୍ୟକୁ କହନ୍ତି ଯଜୁଷ୍। ଏହି ଦୃଷ୍ଟିରୁ ବେଦରାଶି ପଦ୍ୟ, ଗଦ୍ୟ ଓ ଗେୟ ଏହିପରି ତିନିଟି ରୂପେ ହେବାରୁ ପ୍ରାଚୀନ କାଳରେ "ବେଦ ତ୍ରୟୀ ଶବ୍ଦର ପ୍ରୟୋଗ ହେଉଥିଲା। ଏହି ତିନି ରୂପର ମନ୍ତ୍ର ସମୂହକୁ ସୂକ୍ତ କୁହାଗଲା, ଯାହାର ଅର୍ଥ ହେଲା ଉତ୍କୃଷ୍ଟ ଉକ୍ତି। ଏହି ମନ୍ତ୍ରର ସଙ୍କଳନ ପରବର୍ତ୍ତୀ ସମୟରେ ବେଦ ରୂପେ ପ୍ରତିଷ୍ଠିତ ହେଲା।
ବେଦ ମନ୍ତ୍ରର ସଙ୍କଳନ ଏବେ ଯେଉଁ ରୂପେ ମିଳୁଛି, ତାହାକୁ ସଂହିତା କହନ୍ତି। ପ୍ରଥମରେ ଏକ ହିଁ ବେଦ ଜ୍ଞାନ-ରାଶି ଥିଲା ଯାହା ପରମ୍ପରାକ୍ରମେ ଗୁରୁ ଦ୍ୱାରା ଶିଷ୍ୟ ପାଖକୁ, ପିତା ଦ୍ୱାରା ପୁତ୍ର ପାଖକୁ ଶ୍ରୁତି ବା ଶ୍ରବଣ ଦ୍ୱାରା ପ୍ରାପ୍ତ ହେଉଥିଲା। ଏଣୁ ଏହାକୁ ଶ୍ରୁତି କୁହାଯାଏ। ବିଭିନ୍ନ ଋଷି ବଂଶରେ ଯାହା ସୂକ୍ତ ପରମ୍ପରା ଭାବେ ଚାଲି ଆସିଛି ସେହି ବେଦ ରାଶିକୁ ସର୍ବସାଧାରଣ ଲୋକଙ୍କ ସୁବିଧା ପାଇଁ ମହର୍ଷି ବେଦବ୍ୟାସ ଚାରି ଭାଗରେ ବିଭାଜିତ କଲେ। ଯାହାକୁ ଆମେ ଚାରି ବେଦ ବୋଲି ଜାଣୁ। ଯଥା :
୧. ଋଗ୍ ବେଦ
୨. ଯଜୁର୍ବେଦ
୩. ସାମ ବେଦ
୪. ଅଥର୍ବ ବେଦ
୧୬.୧୦.୧୯
Thursday, 3 October 2019
ଆମ ସାହିତ୍ୟ
ଯେତେବେଳେ ଆମେ କୌଣସି ଦେଶ, ତାହାର ସଂସ୍କୃତି, ପରମ୍ପରାର ବିଶେଷତା ବିଷୟରେ ଜାଣିବାକୁ ଚାହିଁବା ସେତେବେଳେ ତାହାର ଆଧାର ହୁଏ ସେ ଦେଶର ଗ୍ରନ୍ଥ ସମ୍ପଦ। ୟୁରୋପ ବିଷୟରେ ଜାଣିବାକୁ ଚାହିଁଲେ ସେଠିକାର ଗ୍ରନ୍ଥ ସମୂହକୁ ଅଧ୍ୟୟନ କରିବାକୁ ପଡ଼ିବ; ରୋମ, ଗ୍ରୀକ ବା ୟୁନାନ ବିଷୟରେ ଜାଣିବାକୁ ହେଲେ ସେହି ସେହି ଦେଶର ଗ୍ରନ୍ଥ ଆଧାର ହୁଏ। ସେହିପରି ଭାରତ ବିଷୟରେ ଜାଣିବାକୁ ହେଲେ; ଭାରତର ଦର୍ଶନ, ଧର୍ମ, ସଂସ୍କୃତି ଓ ସଭ୍ୟତାକୁ ଜାଣିବାକୁ ହେଲେ, ତାହାର ମଧ୍ୟ ଆଧାର ହେବ ଏଠିକାର ଗ୍ରନ୍ଥ ସମ୍ପଦ। ଏଣୁ ଏଠାରେ ଆମେ ସଂକ୍ଷେପରେ ଭାରତର ମୌଳିକ ଗ୍ରନ୍ଥ ସମୂହ ବିଷୟରେ ଜାଣିବାକୁ ଚେଷ୍ଟା କରିବା।
ଭାରତରେ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଲେଖା ଯାଇଥିବା ସାହିତ୍ୟର ସୂଚୀ ଯଦି ତିଆରି କରାଯାଏ, ତେବେ କେବଳ ଏହି ସୂଚୀର ଅନେକ ଗ୍ରନ୍ଥ ତିଆରି ହୋଇଯିବ। କିନ୍ତୁ କିଛି ମୌଳିକ ଗ୍ରନ୍ଥ ଯାହା ସମ୍ପୂର୍ଣ୍ଣ ସମାଜରେ ମାନ୍ୟ, ଯେଉଁଠୁ ସମାଜ ପ୍ରେରଣା ପ୍ରାପ୍ତ କରେ, ସମଗ୍ର ଭାରତ ଯେଉଁ ଗ୍ରନ୍ଥରେ ଅଭିବ୍ୟକ୍ତ, ତାହା ପ୍ରତୀକାତ୍ମକ ଭାବେ ଏହି ଶ୍ଳୋକରେ ଆମେ ପ୍ରତିଦିନ ସ୍ମରଣ କରିଥାଉଁ -
ଚତୁର୍ବେଦାଃ ପୁରାଣାନି ସର୍ବୋପନିଷଦସ୍ତଥା।
ରାମାୟଣଂ ଭାରତଂ ଚ ଗୀତା ସଦ୍ ଦର୍ଶନାନି ଚ।।
ଜୈନାଗମାସ୍ତ୍ରୀପିଟକା ଗୁରୁଗ୍ରନ୍ଥଃ ସତାଂ ଗିରଃ।
ଏଷ ଜ୍ଞାନନିଧିଃ ଶ୍ରେଷ୍ଠଃ ଶ୍ରଦ୍ଧେୟୋ ହୃଦି-ସର୍ବଦା।।
ଅର୍ଥାତ୍ - ଚାରି ବେଦ, ପୁରାଣ, ଉପନିଷଦ, ରାମାୟଣ, ମହାଭାରତ, ଗୀତା, ସମସ୍ତ ଦର୍ଶନ, ଜୈନ ଆଗମ, ବୌଦ୍ଧ ତ୍ରିପିଟକ, ଗୁରୁଗ୍ରନ୍ଥ ସାହେବ ତଥା ସମସ୍ତ ସନ୍ଥଙ୍କର ବାଣୀରେ ନିହିତ ଥିବା ଶ୍ରେଷ୍ଠତମ ଜ୍ଞାନ-ନିଧି ଶ୍ରଦ୍ଧାପୂର୍ବକ ହୃଦୟରେ ଧାରଣ କର।
ବେଦ - ଭାରତୀୟ ସମାଜ ଜୀବନରେ ବେଦର ମହତ୍ତ୍ୱ ସର୍ବାଧିକ। ପ୍ରାଚୀନ କାଳରୁ ସମାଜ ଏହାକୁ ଆମର ଦର୍ଶନ, ଧର୍ମ ଓ ସଂସ୍କୃତିର ଗଙ୍ଗୋତ୍ରୀ ବୋଲି ମାନି ଆସିଛି। ବେଦ ସମ୍ବନ୍ଧିତ କିଛି ସୂକ୍ତିରୁ ଏହାର ମହତ୍ତ୍ୱକୁ ଆମେ ସ୍ପଷ୍ଟ ବୁଝି ପାରିବା। ଏଥିରେ କୁହାଯାଇଛି -
"ବେଦୋ ଖିଳୋ ଧର୍ମ ମୂଳମ୍"
ବେଦ ସବୁ ଧର୍ମର ମୂଳ ଅଟେ।
ବେଦୋ ଖିଳୋ ଜ୍ଞାନ ମୂଳମ୍"
ବେଦ ସବୁ ଜ୍ଞାନର ମୂଳ ଅଟେ।
ବେଦର ଅର୍ଥ - ବେଦ କ'ଣ ? କ'ଣ ବେଦ ଖାଲି କିଛି ପୁସ୍ତକ ? ଏହି ପ୍ରଶ୍ନର ବିଚାର କଲା ବେଳେ ଜଣାପଡ଼େ ଯେ ବେଦ ଶବ୍ଦ 'ବିଦ୍' ଧାତୁରୁ ଆସିଅଛି, ଯାହାର ଅର୍ଥ ହେଉଛି ଜାଣିବା। ଏଣୁ ବେଦର ଅର୍ଥ ହେଲା ଜ୍ଞାନରାଶି। ଏହାକୁ ସ୍ପଷ୍ଟ କରିବାକୁ ଯାଇ ସ୍ୱାମୀ ବିବେକାନନ୍ଦ କହିଛନ୍ତି, "ବେଦର ଅର୍ଥ କୌଣସି ପୁସ୍ତକ ନୁହେଁ, ବରଂ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଆବିଷ୍କୃତ ଆଧ୍ୟାତ୍ମିକ ସତ୍ୟ ଗୁଡ଼ିକର
ସଞ୍ଚିତ କୋଷ।
ଅପୌରୁଷେୟ - ବେଦ ସମ୍ବନ୍ଧରେ ଆଉ ଏକ କଥା କୁହାଯାଇଛି ଯେ ଏହା ଅପୌରୁଷେୟ। କୌଣସି ମନୁଷ୍ୟ ଏହାକୁ ରଚନା କରି ନାହିଁ। ଆପୌରୁଷେୟର ବ୍ୟାଖ୍ୟା ଭିନ୍ନ ଭିନ୍ନ ବିଚାରର ଲୋକେ ଭିନ୍ନ ଭିନ୍ନ ପ୍ରକାର କରିଛନ୍ତି। ମିମାଂସକ ମାନେ ମାନିଛନ୍ତି ଯେ ବେଦ ସନାତନ। ସୃଷ୍ଟି ଯେବେଠୁଁ ବ୍ୟକ୍ତ ହେଲା, ସେବେଠୁ ବେଦ ମଧ୍ୟ ବ୍ୟକ୍ତ ହୋଇଛି, ପୁଣି ସୃଷ୍ଟି ଯେବେ ଲୋପ ହେବ ବେଦ ମଧ୍ୟ ଲୋପ ହୋଇଯିବ। ଅନ୍ୟ ଏକ ମତ ତାର୍କିକ ଏବଂ ପ୍ରୟୋଗବାଦୀ ନ୍ୟାୟାୟିକ ତଥା ବୈଶେଷିକ ଦର୍ଶନକୁ ମାନୁଥିବା ଲୋକଙ୍କର। ତାଙ୍କ ଅନୁସାରେ ବେଦ ଆପୌରୁଷେୟ କାରଣ ଆମକୁ ଜଣା ନାହିଁ ଯେ ଏ ମନ୍ତ୍ରର ସ୍ରଷ୍ଟା କିଏ।
ଋଷି ମନ୍ତ୍ରଦ୍ରଷ୍ଟା - ବେଦର ଆଉ ଏକ ବୈଶିଷ୍ଟ୍ୟ ରହିଛି ଯାହା ଦ୍ୱାରା ଅପୌରୁଷେୟ ବ୍ୟାଖ୍ୟା ଅଧିକ ବୋଧଗମ୍ୟ ହୋଇଯାଇଛି। ପ୍ରାରମ୍ଭରୁ ମାନ୍ୟତା ରହିଆସିଛି ଯେ ବେଦରେ ଯେଉଁ ଭିନ୍ନ ଭିନ୍ନ ମନ୍ତ୍ର ଅଛି, ତାହାକୁ କେହି ନା କେହି ଋଷି କହିଛନ୍ତି। କାରଣ ଋଷି ଓ ମନ୍ତ୍ରର ସମ୍ବନ୍ଧକୁ ଅଭିବ୍ୟକ୍ତ କରୁଥିବା ଏକ ବିଲକ୍ଷଣ ବାକ୍ୟ ପ୍ରଚଳିତ, ତାହା ହେଉଛି "ଋଷିୟୋ ମନ୍ତ୍ର ଦ୍ରଷ୍ଟାରଃ" ଅର୍ଥାତ୍ ଋଷି ମନ୍ତ୍ର ଦ୍ରଷ୍ଟା ଅଟନ୍ତି।
୩.୧୦.୧୯
Wednesday, 2 October 2019
*ଏକ୍ସପେରିମେଣ୍ଟ ଅନ ଟ୍ରୁଥ*
ଯେତେବେଳେ ହିନ୍ଦୁତ୍ୱ ଶବ୍ଦର ପ୍ରୟୋଗ କରାଯାଏ ସ୍ୱାଭାବିକ ଭାବେ ମନରେ ପ୍ରଶ୍ନ ଆସେ ଯେ ଏହାର ଅର୍ଥ କ'ଣ ? କାରଣ ଆମେ ଏପରି କିଛି ଶବ୍ଦ ଶୁଣିଥାଆନ୍ତି ଯାହା ସହିତ ହିନ୍ଦୁ ଯୋଡ଼ି ହୋଇଥାଏ। ଯେପରି ହିନ୍ଦୁ ଦର୍ଶନ, ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ସଭ୍ୟତା। ହିନ୍ଦୁତ୍ୱକୁ ବୁଝିବା ଅର୍ଥ ହେଲା ଏହାର ଦର୍ଶନ, ଧର୍ମ, ସଂସ୍କୃତି ଓ ସଭ୍ୟତାକୁ ବୁଝିବା। ତେବେ ପୁଣି ପ୍ରଶ୍ନ ଆସୁଛି ଯେ ଏହି ଚାରିଟି ବିଷୟର ପରସ୍ପର ସହ କିଛି ସମ୍ବନ୍ଧ ଅଛି କି ? ଏହାକୁ ଆମେ ଏକ ଉଦାହରଣ ଦ୍ୱାରା ବୁଝିପାରିବା। ଯେପରି ଆମେ ସମସ୍ତେ ମନୁଷ୍ୟ, ପରନ୍ତୁ ଆମର ବିଶ୍ୱାସ ଯେ ମନୁଷ୍ୟ ବାହ୍ୟ ରୂପରେ ଦେଖାଯାଉ ଥିବା ଗୋଟିଏ ଶରୀର ମାତ୍ର ନୁହେଁ, ଏହା ଭିତରେ ଅନେକ କିଛି ସତ୍ତା ରହିଛି। ସ୍ଥୂଳରୁ ସୂକ୍ଷ୍ମ ରୂପର ଏହି ସତ୍ତାଗୁଡ଼ିକର ବିବେଚନା ଭଗବାନ ଶ୍ରୀକୃଷ୍ଣ ଗୀତାର ନିମ୍ନ ଶ୍ଳୋକରେ କରିଛନ୍ତି -
ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ
ମନସସ୍ତୁ ପରା ବୁଦ୍ଧିର୍ୟୋ ବୁଦ୍ଧେଃ ପରତସ୍ତୁ ସଃ।।(ଅଧ୍ୟାୟ ୩, ଶ୍ଳୋକ ୪୨)
ଇନ୍ଦ୍ରିୟଗୁଡ଼ିକୁ ନେଇ ଶରୀର, ଶରୀରର ଊର୍ଦ୍ଧ୍ବରେ ମନ, ମନର ଊର୍ଦ୍ଧ୍ବରେ ବୁଦ୍ଧି ଓ ବୁଦ୍ଧିର ଊର୍ଦ୍ଧ୍ବରେ ଯିଏ ରହିଛି ତାହା ହେଲା ଆତ୍ମା। ଆତ୍ମା ଯେବେ ନିଜକୁ ଅଭିବ୍ୟକ୍ତ କରେ, ତାହାର ପ୍ରଥମ ଚରଣ ହୋଇଥାଏ ବୁଦ୍ଧି ଅର୍ଥାତ୍ ବିଚାରଶକ୍ତି, ଏହି ଶକ୍ତି ଦ୍ୱାରା ଜଗତକୁ ବିଶ୍ଳେଷଣ କରାଯାଇଥାଏ। ବିଚାର ଶକ୍ତିଦ୍ୱାରା ଆମେ ସୃଷ୍ଟିରେ ବ୍ୟାପ୍ତ ନିୟମଗୁଡ଼ିକ ବିଷୟରେ ଜ୍ଞାନ ପ୍ରାପ୍ତ କରନ୍ତି। ବ୍ୟକ୍ତି ଓ ସମାଜର ବ୍ୟବହାର ଉପଯୋଗୀ ନିୟମ ତିଆରି କରନ୍ତି। ଏହିସବୁ ନିୟମର ଆଧାରରେ ଆମେ ସ୍ଥିର କରନ୍ତି ଯେ କ'ଣ କରିବା ଉଚିତ, କ'ଣ ନ କରିବା ଉଚିତ। ଏହି ନିୟମ ଅନୁସାରେ ଚାଲିବା ଦ୍ଵାରା ବ୍ୟକ୍ତିର ମନ ସଂସ୍କାରିତ ହୋଇଥାଏ। ଏହାକୁ ସେ ବେଶଭୁଷା, ଭାଷା ଏବଂ ବ୍ୟବହାରରେ ଅଭିବ୍ୟକ୍ତ କରିଥାଏ। ତେଣୁ ମୂଳ ହେଲା ଆତ୍ମା, ଆତ୍ମାରୁ ବୁଦ୍ଧି, ସେଥିରୁ ଉତ୍ପନ୍ନ ହୋଇଥିବା ନିୟମ ବିଷୟରେ ଜ୍ଞାନ ତଥା ତାକୁ ପାଳନ କରୁଥିବା ମନ ଓ ତାହାର ବାହ୍ୟ ଅଭିବ୍ୟକ୍ତି ହେଲା ଶରୀର; ଏହିପରି ହୋଇଥାଏ ଆତ୍ମାର ଅଭିବ୍ୟକ୍ତି।
ବ୍ୟକ୍ତିର ଯେମିତି ଆତ୍ମା ଅଛି, ଠିକ୍ ସେହିପରି ଆମ ଦେଶର ଗୋଟିଏ ଆତ୍ମା ଅଛି, ଯାହାକୁ ଆମେ ହିନ୍ଦୁତ୍ୱ ନାମରେ ଜାଣିଛୁ। ଏହି ହିନ୍ଦୁତ୍ୱର ଅଭିବ୍ୟକ୍ତି ଆମର ବୈଶ୍ବିକ ବିଚାର ରୂପେ ହୋଇଛି, ତତ୍ତ୍ୱଜ୍ଞାନ ରୂପେ ହୋଇଛି, ତାକୁ ଆମେ ହିନ୍ଦୁ ଦର୍ଶନ କହୁଛୁ। ଏଥିରେ ଅନୁଭବ ହେଲା ଯେ ସବୁରି ମୂଳରେ ଗୋଟିଏ ତତ୍ତ୍ୱ ରହିଛି। ଯାହା କିଛି ଆମେ ଦେଖୁଁ, ସେ ସବୁ ଭିତରେ ଏକ ସତ୍ତା ବିଦ୍ୟମାନ। ତେବେ ପ୍ରଶ୍ନ ଉଠେ ଯଦି ସମସ୍ତଙ୍କ ଭିତରେ ଏକ ସତ୍ତା ରହିଛି, ତାହେଲେ ପରସ୍ପର ମଧ୍ୟରେ ସଂଘର୍ଷ କାହିଁକି ? ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରହୁ ନାହିଁ କାହିଁକି ? ସଙ୍ଘର୍ଷ ପାଇଁ ତ ଦୁଇଟି ଭିନ୍ନ ସତ୍ତାର ପ୍ରୟୋଜନ ହୋଇଥାଏ।
ଏ ସାରା ଚରାଚର ଜୀଵଜଗତ ଏକ ଅଟେ, କିନ୍ତୁ ବ୍ୟାବହାରିକ ଜୀବନରେ ଆମକୁ ଏହାର ଭିନ୍ନ ଭିନ୍ନ ସ୍ୱରୂପ ଦେଖାଯାଏ। ଯଥା - ବ୍ୟକ୍ତି, ସମାଜ, ସୃଷ୍ଟି, ପରମାତ୍ମା। ଏହା ସବୁ ଯଦି ଏକ, ତେବେ ଏମାନଙ୍କ ମଧ୍ୟରେ ସଂଘର୍ଷ ହେବା ଉଚିତ ନୁହେଁ, ଏଥିପାଇଁ କିଛି ନିୟମ ତିଆରି ହେଲା, ଯାହା ଦ୍ୱାରା ଭିନ୍ନ ଦେଖାଯାଉଥିବା ସତ୍ତା ମାନଙ୍କ ମଧ୍ୟରେ ସମନ୍ୱୟ ରହିପାରିବ। ଏହି ନିୟମ ସମୂହକୁ ଧର୍ମ କୁହାଗଲା। ଏହାକୁ ସନାତନ କୁହାଗଲା, କାରଣ ଏହି ନିୟମ ସର୍ବକାଳିକ ତଥା ସମସ୍ତଙ୍କ ପାଇଁ ଉପଯୋଗୀ। ବିଭିନ୍ନ ସତ୍ତାର ପାରସ୍ପରିକ ସମ୍ବନ୍ଧକୁ ନିୟନ୍ତ୍ରିତ ତଥା ନିୟମିତ କରୁଥିବା ନିୟମ ସମୂହର ଭିନ୍ନ ଭିନ୍ନ ନାଁ ରହିଛି। ଯେପରି ବ୍ୟକ୍ତି ଓ ସମାଜ ମଧ୍ୟରେ ଥିବା ସମ୍ବନ୍ଧ ଗୁଡ଼ିକୁ କର୍ତ୍ତବ୍ୟ-ଧର୍ମ କୁହାଯାଇଛି, ବ୍ୟକ୍ତି ଓ ପ୍ରକୃତି ମଧ୍ୟରେ ଥିବା ସମ୍ବନ୍ଧକୁ ଆଚାର-ଧର୍ମ, ସମାଜ ଓ ପ୍ରକୃତି ମଧ୍ୟରେ ଥିବା ସମ୍ବନ୍ଧକୁ ସୃଷ୍ଟି-ଧର୍ମ ତଥା ବ୍ୟକ୍ତି ଓ ପରମାତ୍ମାଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ମୋକ୍ଷ-ଧର୍ମ କୁହାଯାଇଛି। ଏହି ନିୟମ ସମୂହ ଅନୁସାରେ ବ୍ୟକ୍ତି, ସମାଜ ଚାଲିବା ଦ୍ୱାରା ଧୀରେ ଧୀରେ କିଛି ପରମ୍ପରା ବିକଶିତ ହେଲା। ଯେପରି ପ୍ରକୃତି ପ୍ରତି ତା'ର ଦୃଷ୍ଟି, ସ୍ତ୍ରୀଙ୍କ ପ୍ରତି ଦୃଷ୍ଟି, ଅନ୍ୟର ଧନ ପ୍ରତି ଦୃଷ୍ଟି, ପଶୁ, ପକ୍ଷୀ, କୀଟ, ପତଙ୍ଗ ପ୍ରତି ଦୃଷ୍ଟି। ପୁଣି ଏହି ଦୃଷ୍ଟିକୋଣ ଓ ପରମ୍ପରା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ହସ୍ତାନ୍ତରିତ ହୋଇଥାଏ।
ଏଣୁ ସଂସ୍କୃତିକୁ ପରିଭାଷିତ କରିବାକୁ ଯାଇ ୟୁନେସ୍କୋ ପ୍ରଣୀତ ଗ୍ରନ୍ଥ "ଟ୍ରେଡ଼ିସନାଲ କଲଚରସ୍ ଇନ୍ ସାଉଥ-ଇଷ୍ଟ ଏସିଆ" ରେ କୁହାଯାଇଛି ସଂସ୍କୃତିର ଅର୍ଥ ହେଲା କୌଣସି ସମାଜର ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହେଉଥିବା ଜଡ଼-ପଦାର୍ଥ, କଳ୍ପନା ସମୂହ, ପ୍ରତୀକ, ମତ, ମୂଲ୍ୟବୋଧ, ଭାବ ସମୂହ ଓ ସାମାଜିକ ଶୈଳୀର ଗଚ୍ଛିତ ସମ୍ପଦ।
ମନୁଷ୍ୟ ଦୃଷ୍ଟିରୁ -
ଆତ୍ମା - ବୁଦ୍ଧି - ନିୟମ - ମନ - ଶରୀର
ଦେଶ ଦୃଷ୍ଟିରୁ -
ହିନ୍ଦୁତ୍ୱ - ଦର୍ଶନ - ଧର୍ମ - ସଂସ୍କୃତି - ସଭ୍ୟତା
ବିଚାର ଅନୁଭୂତିର ଅସରନ୍ତି ଯାତ୍ରା -
ତତ୍ତ୍ୱଜ୍ଞାନ କ୍ଷେତ୍ରରେ ଅନ୍ୱେଷଣର ଏକ ଦୀର୍ଘକାଳୀନ ପରମ୍ପରା ଆମ ଦେଶରେ ରହିଛି। ଆମ ଦେଶର ସହସ୍ର ସହସ୍ର ଋଷି, ମୁନି, ସିଦ୍ଧ ପୁରୁଷ, ମହର୍ଷି ଓ ସାଧକ ନିଜର ସମଗ୍ର ଜୀବନ କେବଳ ବୋଦ୍ଧିକ ତାତ୍ତ୍ଵିକ ବିଶ୍ଳେଷଣ ନୁହଁ ବରଂ ବିଭିନ୍ନ ସାଧନା ପଦ୍ଧତି ଦ୍ୱାରା ଅନୁଭୂତିର ଗଭୀରତା ଭିତରୁ ଅନେକ ତଥ୍ୟ ଉଦ୍ଘାଟନ କରିଛନ୍ତି। ଏହିପରି କେଉଁ ଅନାଦି କାଳରୁ ଆମ ଦର୍ଶନର, ତତ୍ତ୍ୱଜ୍ଞାନର ଯାତ୍ରା ଚାଲିଆସିଛି। ଏହି ଦୀର୍ଘକାଳୀନ ଯାତ୍ରା ସମ୍ବନ୍ଧରେ ଆମେ ଯେତେବେଳେ ଅଵଲୋକନ କରନ୍ତି ଆମ ଧ୍ୟାନକୁ ଆସେ ଯେ ସତ୍ୟର, ଅନ୍ତିମ ସତ୍ୟର ଏହି ଯାତ୍ରା ସମ୍ପୂର୍ଣ୍ଣ ବସ୍ତୁନିଷ୍ଠ ଥିଲା, ଅନାସକ୍ତ ଥିଲା। ଏହାର କୌଣସି ଆସ୍ଥା ପ୍ରତି ନା ଥିଲା ଆକର୍ଷଣ ନା ଅନାଗ୍ରହ।
ଏହି ଯାତ୍ରାରେ ବିଚାର ଓ ଅନୁଭୂତିର ପ୍ରବାହ ଅନ୍ତିମ ସତ୍ୟର ଅନ୍ବେଷଣର ଲାଳସାରେ ବ୍ୟକ୍ତିଗତ ଅଭିମତ ଓ ପୂର୍ବାଗ୍ରହ ବିନା ନିରନ୍ତର ଉଚ୍ଚ ଓ ଉଚ୍ଚତ୍ତର ସତ୍ୟ ଆଡ଼କୁ ବଢ଼ି ଚାଲିଲା। ଏହି ଯାତ୍ରାରେ ଅନ୍ତର୍ଜଗତର ବିଶ୍ଳେଷଣ କରାଗଲା। ସେହି ବିଶ୍ଳେଷଣରୁ ପ୍ରାପ୍ତ ନିଷ୍କର୍ଷର ବର୍ଗିକରଣ କରି ତାକୁ ବିଭିନ୍ନ ସିଦ୍ଧାନ୍ତ ରୂପେ ସମାଜ ସମ୍ମୁଖରେ ପ୍ରସ୍ତୁତ କରାଗଲା। ସମାଜ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ସିଦ୍ଧାନ୍ତ ଗୁଡ଼ିକ ମଧ୍ୟ ଅନେକ ସମୟରେ ବିରୋଧର ସମ୍ମୁଖୀନ ହେଲା। ସେଥିରେ ଥିବା ନିହିତ ସତ୍ୟଗୁଡ଼ିକୁ ଅନୁଭୂତି ଆଧାରରେ ପରୀକ୍ଷା ନିରୀକ୍ଷା କରି ବିନା ଭୟରେ ସ୍ୱୀକାର ବା ଅସ୍ବୀକାର କରାଗଲା।
ଏହି ଯାତ୍ରାରେ ଦୀର୍ଘ କାଳରୁ ଚାଲି ଆସିଥିବା ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧାକେନ୍ଦ୍ର ଗୁଡ଼ିକ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛି। କେତବେଳେ ଏହା ଉପହାସିତ ହୋଇଛି ତ ଆଉ କେତବେଳେ ସାମାନ୍ୟ ଦୁଃଖ ନ କରି ଏହା ଉପରୁ ଆସ୍ଥା ତୁଟାଇ ଦିଆଯାଇଛି। ଏହିପରି ସତ୍ୟର ଅନୁଭୂତି ଦ୍ୱାରା ପରୀକ୍ଷିତ ହୋଇ ବିଭିନ୍ନ ମାନ୍ୟତା, ଶ୍ରଦ୍ଧା କେନ୍ଦ୍ର ତଥା ଅନୁଭୂତି ସବୁକୁ ସ୍ୱୀକାର ବା ଅସ୍ବୀକାର କରି ଆଗକୁ ଆଗକୁ ପାଦ ଥାପିଥିବା ତତ୍ତ୍ୱଜ୍ଞାନର ଏହି ଅସରନ୍ତି ଯାତ୍ରାର ଅଜସ୍ର ପ୍ରବାହରୁ ଏକ ସର୍ବସମାବେଶକ, ସର୍ବକାଳିକ ବା ସାର୍ବଭୌମିକ ତତ୍ତ୍ୱଜ୍ଞାନର ଅଭିବ୍ୟକ୍ତି ହେଲା ଯାହା ସମଗ୍ର ବିଶ୍ୱ ପାଇଁ ନା କେବଳ ଅତୀତରେ ମାର୍ଗଦର୍ଶକ ଥିଲା ଅପିତୁ ଆଜି ଏବଂ ଭବିଷ୍ୟତରେ ମଧ୍ୟ ସେତିକି ପ୍ରାସଙ୍ଗିକ ରହିବ।
ଧର୍ମ - ସଂସ୍କୃତି - ସଭ୍ୟତାର ପ୍ରବାହ -
ତତ୍ତ୍ୱଜ୍ଞାନ ଓ ଅନୁଭୂତିର ଦୀର୍ଘକାଳୀନ ଯାତ୍ରା ହିନ୍ଦୁ ଦର୍ଶନ ରୂପେ ଅଭିବ୍ୟକ୍ତ ହେଲା। ଅର୍ଥାତ୍ ସେହି ଏକ ତତ୍ତ୍ୱ ହିଁ ଅନେକ ରୂପରେ ଅଭିବ୍ୟକ୍ତ ହୋଇଛି। ତାହାର ବିଭିନ୍ନ ରୂପ ତଥା ସେଥିରେ ସାମଞ୍ଜସ୍ୟ ହେତୁ ତିଆରି ହୋଇଥିବା ନିୟମ ସମୂହ ଓ ତାହାର ବିଭିନ୍ନ କାଳରେ ଓ ବିଭିନ୍ନ ସ୍ତରରେ କ୍ରିୟାନ୍ଵୟନ ହେଉଛି ହିନ୍ଦୁ ଧର୍ମ। ଏହାକୁ ନିରନ୍ତର ପାଳନ କରି ଆସୁଥିବା ସମାଜର ଏକ ଦୃଷ୍ଟି , ମାନ୍ୟତା, ସଂସ୍କାର, ପରମ୍ପରା ତିଆରି ହେଲା, ତାହା ହିନ୍ଦୁ ସଂସ୍କୃତି ରୂପେ ଅଭିବ୍ୟକ୍ତ ହେଲା। ସେହି ସଂସ୍କୃତିର ପ୍ରଭାବ ସମାଜ ଜୀବନର ଖାଦ୍ୟ ପେୟ, ବେଶଭୁଷା, ସ୍ଥାପତ୍ୟ, କଳାକୌଶଳ ଉପରେ ପଡ଼ିଲା। ଏହାକୁ ହିଁ ହିନ୍ଦୁ ସଭ୍ୟତା କହନ୍ତି।
ଏହା ହେଉଛି ସତ୍ୟ ଦ୍ୱାରା ପରୀକ୍ଷିତ ହୋଇଥିବା ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ସଭ୍ୟତାର ଦୀର୍ଘ କାଳୀନ ଯାତ୍ରାର କାହାଣୀ।
୨.୧୦.୧୯
