Wednesday, 31 October 2018

*ଶିକ୍ଷା ଓ ସଂସ୍କୃତିରୁ ଦୂରେଇ ଦେବା*

୩. ଶିକ୍ଷା କ୍ଷେତ୍ରରେ ଭାରତର ପରିଚୟ, ଭାରତର ଆର୍ଥିକ ଆବଶ୍ୟକତା, ସମୁଦାୟିକ ଓ ସାଂସ୍କୃତିକ ଅପେକ୍ଷା ଗୁଡ଼ିକ ମଧ୍ୟରେ ସମନ୍ଵୟର ଭାବ ତଥା ସମାଜ ବିଜ୍ଞାନ ଦର୍ଶନର ଅଧ୍ୟୟନକୁ ପ୍ରାଥମିକତା ନ ଦେବା ଦ୍ୱାରା ଆମେ ହୀନ ଭାବନାର ଶିକାର ହେଲେ। ୟୁରୋପ ଶିକ୍ଷା ଏବଂ ବିଚାରଗୁଡ଼ିକର ଆଦର୍ଶକୁ ଆମ ନେତୃତ୍ୱକର୍ତ୍ତାମାନେ ମାନି ନେଲେ। ଯାହାର ଅନୁକରଣ କ୍ରମଶଃ ସ୍ତର ପରେ ସ୍ତର ଦେଇ ହୋଇଚାଲିଲା ଓ ସାଧାରଣ ଲୋକେ ମଧ୍ୟ ସେହି ପର ଆଦର୍ଶକୁ, ଯାହାକୁ ତଥାକଥିତ ଶିକ୍ଷିତ ବଡ଼ ବଡ଼ିଆମାନେ ଆଚରୁଥିଲେ, ଅନିଚ୍ଛା ସତ୍ତ୍ୱେ ଆପଣେଇବାକୁ ବାଧ୍ୟ ହେଲେ।

୪. ସାଂସ୍କୃତିକ ଚେତନା ଯାହା ଆମର ମହାନ ବୌଦ୍ଧିକ ପରମ୍ପରାର ଅଂଶ ହୋଇ ଆସିଛି ତାକୁ ହିନ୍ଦୁ କର୍ମକାଣ୍ଡର ଆଖ୍ୟା ଦେଇ ତାଛଲ୍ୟ କରିବା ସହିତ ତାହାର ଅବମୂଲ୍ୟାୟନ କରାଗଲା। ସାମ୍ରାଜ୍ୟବାଦୀଙ୍କ କର୍ମ ଥିଲା ଭାରତୀୟଙ୍କୁ ସିଦ୍ଧାନ୍ତତଃ ଭାରତୀୟ ଦର୍ଶନ ଓ ଭାରତର ପ୍ରଗତିଶୀଳ ସଂସ୍କୃତିଠାରୁ ଦୂରେଇ ଦେବା। ଭାରତର ସଂସ୍କୃତି, ଦର୍ଶନ ଓ ବୌଦ୍ଧିକ ରଚନାଗୁଡ଼ିକ ଯାହା ଆଜିର ସନ୍ଦର୍ଭରେ ଅଧ୍ୟୟନର ପାତ୍ର ହେବା ଉଚିତ, ସେ ସବୁ ଉପେକ୍ଷିତ ହେଲା। ଏହି କାରଣରୁ "ଆମେ କିଏ ?" ଓ "ଆମେ କାହିଁକି" ଭଳି ପ୍ରଶ୍ନର ଉତ୍ତର ଭ୍ରମିତ ତଥା ଧୂଆଁଳିଆ ହୋଇଗଲା। ଭାରତୀୟ ହେବାର ପରିଭାଷା - ସଂବୈଧାନିକ, ରାଜନୈତିକ ଓ ଭୌଗୋଳିକ ଏହି ତିନିଟି ମାପଦଣ୍ଡରେ ପକାଇବାରେ ସମସ୍ତ ବଳ ବୁଦ୍ଧି ଖର୍ଚ୍ଚ କରାଗଲା। ଗୋଟିଏ ଐତିହାସିକ ସମାଜ ଓ ସଭ୍ୟତାର ଏହି ପରାଭଵ ସହିତ ଅନ୍ୟ ଦ୍ୱାରା ତିଆରି ଜାଲରେ ଫଶିବାର, ନିଜ ଅସ୍ତିତ୍ୱକୁ ତାଙ୍କ ଢଙ୍ଗରେ ଓ ତାଙ୍କ ଛାଞ୍ଚରେ ପକାଇବାର ଏହା ସର୍ବଶ୍ରେଷ୍ଠ ଉଦାହରଣ ଅଟେ।

କ୍ରମଶଃ...

୩୧.୧୦.୧୮

Tuesday, 30 October 2018

* ୨. ଧର୍ମର କଦର୍ଥ କରିବା*

ଭାରତର ଦୀର୍ଘ ସଭ୍ୟତାଥିବା ଜୀବନଯାତ୍ରାରେ ଯେଉଁ ସବୁ ଅଙ୍ଗ ଉପାଙ୍ଗଗୁଡ଼ିକର ବିକାଶ ହୋଇଛି ସେ ସବୁଥିରେ ସ୍ୱାଭାବିକ ଭାବେ ପନ୍ଥ ନିରପେକ୍ଷ ଅଵଧାରଣା ରହିଛି। ସବୁ ପନ୍ଥକୁ ସମାନ ଭାବେ ଆଦର କରିବା ଭାରତର ସ୍ଵଭାବ। ଏହା ଅନେକତାର ପୋଷାକ ଓ ବିବିଧତାର ସଂରକ୍ଷକ। ଏଥିପାଇଁ ଭାରତର ସାଂସ୍କୃତିକ ଓ ଧାର୍ମିକ ପ୍ରବାହରେ ଅନନ୍ତ ବିବିଧତା ଥିବା ସତ୍ତ୍ୱେ ଏହା ବିଭାଜନର କାରଣ ହେଲା ନାହିଁ। ୧୯୧୧ର ଜନଗଣନା ବିବରଣୀରେ ଜନଗଣନା ମୁଖ୍ୟ ଅଧିକାରୀ ଲେଖିଛନ୍ତି, "ଭାରତରେ ପଡ଼ୋଶୀଙ୍କ ଆସ୍ଥା(ପୂଜା ପଦ୍ଧତି) କଣ ? ଏଥିରେ ଲୋକଙ୍କ ରୁଚି ନ ଥାଏ।" ଏଣୁ ଏଠାରେ ବିବିଧତା ଭିତରେ ଥିବା ଏକତ୍ୱର ଭାବ "ପର ହେବାର" ନକାରାତ୍ମକ ବୋଧକୁ ଜନ୍ମ ଦିଏ ନାହିଁ। କିନ୍ତୁ ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀଙ୍କ ପ୍ରଭାବରେ ଭାରତରେ ଧର୍ମକୁ ଲୋକଙ୍କ ମଧ୍ୟରେ ବିଭାଜନର ଏକ କାରଣ ବୋଲି ପ୍ରସ୍ତୁତ କରି ନୂତନ ଅଵଧାରଣାକୁ ଥୋପି ଦିଆଗଲା - ଯାହା ଭାରତୀୟ ସଭ୍ୟତା ଯାତ୍ରାର ଅଂଶ ନ ଥିଲା। ଯେପରି ଅଳ୍ପ ସଂଖ୍ୟକ ଓ ବହୁ ସଂଖ୍ୟକ ବିଚାର - ଏହା ତ ଗୋରା ସାହେବଙ୍କ ବିଭାଜନ କର ଓ ଶାସନ କର ନୀତିରୁ ଏଠାରେ ପ୍ରବେଶ କରିଛି। ଔପନିବେଶିକ ବିମର୍ଶ ବିବିଧତା ଗୁଡ଼ିକ ମଧ୍ୟରେ ବିଭାଜନକାରୀ ପରିଚୟ ଓ ଅସ୍ୱସ୍ଥ ପ୍ରତିଦ୍ବନ୍ଦ୍ବିତାର ଭାବ ସୃଷ୍ଟି କଲା।

ସ୍ୱାଧୀନ ହେବା ପରେ ସାମାଜିକ ସାଂସ୍କୃତିକ ଆନ୍ଦୋଳନ ଗୁଡ଼ିକ ଏହି ମୌଳିକ ପ୍ରଶ୍ନ ଗୁଡ଼ିକୁ ପ୍ରାୟତଃ ଏଡ଼ାଇ ଦେଲେ। ଅଧିକାଂଶ ସାମାଜିକ ରାଜନୈତିକ ଓ ସୁଧାରବାଦୀ ଆନ୍ଦୋଳନ ଶାସକଙ୍କ ନିକଟତା କାରଣରୁ ନିଜ ମହତ୍ତ୍ୱକୁ ଓ ନିଜ ସ୍ଵୟତ୍ତତାର ଅବକ୍ଷୟକୁ ଆକଳନ କରିପାରିଲେ ନାହିଁ।
ନେହେରୁବାଦୀ ଶାସନ ଏହି ଆନ୍ଦୋଳନ ଗୁଡ଼ିକୁ ନିଜର ନିକଟତା ଓ ପ୍ରଶ୍ରୟ ଦ୍ୱାରା ନିଷ୍ପ୍ରଭାବୀ କରିବାର କାମ କଲେ। ଏହି କାରଣରୁ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସୁଧାର ପ୍ରକ୍ରିୟା ସହିତ ଔପନିବେଶିକ ସଂସ୍କୃତିରୁ ମୁକ୍ତିର ଅଭିଯାନ - ଏ ଉଭୟ ରାଜ୍ୟ ଶାସନ ଉପରେ ପୂରାପୂରି ଆଶ୍ରିତ ହୋଇଗଲା।

କ୍ରମଶଃ....

୩୦.୧୦.୧୮

Monday, 29 October 2018

*ପର ବୁଦ୍ଧି ଘରେ ପଶିଲା କେମିତି ?*

ଭାରତରେ ଔପନିବେଶିକ ମାନସିକତାରୁ ମୁକ୍ତି ପାଇବାରେ ଯେଉଁ ସଂଘର୍ଷ ସ୍ୱାଧୀନତା ଆନ୍ଦୋଳନ ସମୟରୁ ଚାଲି ଆସିଲା ସେଥିରେ ଅସଫଳ ହେବାର ଅନେକ କାରଣ ରହିଛି। ଆମେ ଏଠାରେ ସାତଟି ମୁଖ୍ୟ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା।

୧. ଚୟନିତ ବିରୋଧୀ - ସ୍ୱାଧୀନତା ସଂଗ୍ରାମ ସମୟରେ ବା ସାମ୍ରାଜ୍ୟବାଦୀଙ୍କ ବିରୋଧରେ ହେଉଥିବା ଆନ୍ଦୋଳନ ସମୟରେ  ମଞ୍ଚ ଓ ବିମର୍ଶରେ ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ବିଚାରଧାରାର ସମାବେଶ ହେଉଥିଲା। ଏସବୁ ବିଚାରଧାରାର ଭଲ ମନ୍ଦ ବିଷୟରେ ଆଲୋଚନା କରିବା ଏକ ଅଲଗା ପ୍ରଶ୍ନ, ପରନ୍ତୁ ସମସ୍ତେ ପ୍ରାୟତଃ ୟୁରୋପୀୟ ଚିନ୍ତାନାୟକ ମାନଙ୍କର ଯଥା - ସାମ୍ୟବାଦ, ସମାଜବାଦ ଓ ପୁଞ୍ଜିବାଦ କିମ୍ବା ବ୍ୟକ୍ତିବାଦର ଭାଷାକୁ ବ୍ୟବହାର କରୁଥିଲେ। ସେଇ ଚିନ୍ତାଧାରାରୁ ମଧ୍ୟ ଆଧୁନିକତାର ଧାରଣା ଜନ୍ମ ନେଲା। ଏ ସବୁ ପ୍ରଶ୍ନ ଉପରେ ଶିକ୍ଷିତ ଭାରତୀୟମାନେ ଭାରତୀୟ ସନ୍ଦର୍ଭ, ଭାରତୀୟ ମାନସ ଓ ଭାରତବୋଧକୁ  ଉପେକ୍ଷା କଲେ। ପର ବିଚାରଗୁଡ଼ିକୁ ଏବଂ ତା'ର ମୌଳିକ ସ୍ୱରୂପକୁ ପ୍ରାୟତଃ ଆପଣେଇ ନେଲେ । ଏହି କାରଣରୁ ଭାରତର ଭାଷାକୁ ଛାଡ଼ି ବିଦେଶୀ ଶାସକର ଭାଷା କହିବା ଓ ଏହା ହିଁ ବୌଦ୍ଧିକ ଉନ୍ନତିର ଏକ ମାତ୍ର ରାସ୍ତା ବୋଲି ଏମାନଙ୍କ ମନରେ ଘର କରିଗଲା। ଏହା ଥିଲା ଭାରତୀୟ ସାଂସ୍କୃତିକ ପ୍ରବାହ, ଭାରତର ମୌଳିକତା ଓ ଭାରତୀୟ ମାନସିକତା ଉପରେ ଗଭୀର ଆଘାତ। ଗୋରାମାନଙ୍କ ଚତୁରତା, ସେମାନଙ୍କ ଭୌତିକ ଉନ୍ନତି ଆମ ଦେଶର ବଡ଼ ବଡ଼ ନେତୃବୃନ୍ଦଙ୍କ ପାଇଁ ହୋଇଯାଇଥିଲା ଆଦର୍ଶ। କାରଣ ୟା ଭିତରେ ଗୋରା ଇଂରେଜମାନେ ନିଜ ପସନ୍ଦର କଳା ଇଂରେଜ ନେତାଙ୍କୁ ହିଁ ମାନ୍ୟତା ଦେଉଥିଲେ। ତାଙ୍କର ଅସଲ ଶତ୍ରୁ ଯଥା - କ୍ରାନ୍ତି କାରୀମାନଙ୍କୁ ହତ୍ୟା କରିବା ଓ ଦେଶଭକ୍ତ ନେତାଙ୍କ ଭାଷଣକୁ ଦେଶ ଦ୍ରୋହ ବୋଲି କହିବା ତାଙ୍କ ନୀତି ଥିଲା। ସଭ୍ୟତା ଓ ସଂସ୍କୃତିର ଅସଲ ରକ୍ଷକ ଅର୍ଥାତ୍ ଏ ଦୁଇ ପ୍ରକାର ଲୋକଙ୍କୁ  ଯିଏକି ତାଙ୍କର ଅସଲ ଶତ୍ରୁ ଏମାନଙ୍କୁ ଚୁପଚାପ ହତ୍ୟା ଓ ଦମନ କରିବା ସହିତ ଯେଉଁମାନେ ଗୋରାମାନଙ୍କ ଗୁଣଗାନ କରିବେ ତାଙ୍କୁ ଶତ୍ରୁ (ଚୟନିତ ଶତ୍ରୁ) ବୋଲି ଘୋଷଣା କରି, ତାଙ୍କ ସହିତ ସମ୍ମାନର ସହ କଥା ହୋଇ ନିଜର ସମର୍ଥକ ବଢ଼ାଇବା ତାଙ୍କର କୌଶଳ ଥିଲା। ଯଦି ବି ଏଭଳି ଚୟନିତ ନେତାମାନେ ଜେଲ ଯାଉଥିଲେ, ସେମାନଙ୍କ ପ୍ରତି ନାମକୁ ମାତ୍ର ଦଣ୍ଡ ବିଧି (କୋହଳ) ଲାଗୁ ହେଉଥିଲା। ସେମାନଙ୍କୁ ବଡ଼ ନେତା କରି ଉପସ୍ଥାପନ କରାଯାଉଥିଲା। ସେମାନଙ୍କ ଆଗରେ ନେତା ନ ଥିଲେ ବାଲ ଗଙ୍ଗାଧର ତିଳକ, ବିପିନ ଚନ୍ଦ୍ର ପାଲ, ମହର୍ଷି ଅରବିନ୍ଦ, ରାଜ ନାରାୟଣ ବସୁ ଆଦି ଦେଶଭକ୍ତ ନେତାଗଣ। କାରଣ ଏମାନଙ୍କ ଲେଖାରେ ଓ ଭାଷଣରେ ଭାରତୀୟ ସଭ୍ୟତା ଓ ଭାରତୀୟ ସଂସ୍କୃତିର ସୁରକ୍ଷା ବିଷୟ ସ୍ଥାନ ପାଉଥିଲା। ଚୟନିତ ନେତାମାନଙ୍କ ଦ୍ଵାରା ଏମାନଙ୍କୁ ମୁଖ୍ୟ ସ୍ରୋତରୁ ଅଲଗା ରଖିବାର ରୀତିମତ ଚେଷ୍ଟା ଚାଲିଲା ଓ ଏହି ହୀନ କାର୍ଯ୍ୟରେ ସେମାନେ ସଫଳ ହେଉଥିଲେ। ସେହି ଚୟନିତ ନେତାମାନେ ଦେଶ ସ୍ୱାଧୀନ ହେବା ପରେ ବୈଧାନିକ ନେତା ହୋଇଗଲେ। ଯାହା ପର ବୁଦ୍ଧିରୁ ଶିଖିଥିଲେ ତାହା ହିଁ ତାଙ୍କ ମଧ୍ୟରେ ପ୍ରତିଫଳିତ ହେଲା। ଯିଏ ଭାରତୀୟ ସଭ୍ୟତା ଓ ଭାରତୀୟ ସଂସ୍କୃତି ରକ୍ଷାର କଥା କହିଲା ସେ ହୁଏ ତ ଦଳରୁ ବହିଷ୍କାର ହେଲା ନାହିଁ ତ ମୁଖ୍ୟ ବୌଦ୍ଧିକ ସ୍ରୋତରୁ ତାକୁ ଅଲଗା କରିଦିଆଗଲା। ମିଥ୍ୟା ମନଗଢ଼ା ଅଭିଯୋଗ କରି ତାଙ୍କୁ ଜେଲର କଳା କୋଠରୀକୁ ପଠାଇ ଦିଆଗଲା।

କ୍ରମଶଃ....

୨୯.୧୦.୧୮

Sunday, 28 October 2018

*ପର ବୁଦ୍ଧିରେ କ'ଣ ଘର ଚାଲିବ ?*

ପ୍ରାଚ୍ୟବାଦ ହେଉ ବା ଉତ୍ତର ଆଧୁନିକ ବିମର୍ଶ ଉଭୟଙ୍କ ଭିତରୁ କେହି ବୈଶ୍ବିକ ସମ୍ବାଦର ଲୋକତାନ୍ତ୍ରିକରଣ କରିପାରିଲେ ନାହିଁ। ପ୍ରତ୍ୟେକ ନୂଆ ସିଦ୍ଧାନ୍ତ ଯାହା ୟୁରୋପରୁ ଉପୁଜିଛି ଯାହାକୁ ଅଣ-ୟୁରୋପୀୟ ଦେଶଗୁଡ଼ିକର ବିଦ୍ୱାନମାନେ ଏକ ନୂଆ ଉପଲବ୍ଧି ମାନି ପଢ଼ନ୍ତି, ବୁଝନ୍ତି, ବ୍ୟାଖ୍ୟା କରନ୍ତି ଓ ଶେଷରେ ନିଜ ଚିନ୍ତାଧାରା ଓ ପାଠ୍ୟ ପୁସ୍ତକକୁ ସେହି ଢାଞ୍ଚାରେ ପକାଇବାରେ ଲାଗିପଡ଼ନ୍ତି, ପ୍ରକୃତରେ ଏପରି ପାଶ୍ଚାତ୍ୟରୁ ଉପୁଜିଥିବା ସବୁ ଚିନ୍ତନଧାରା ପଶ୍ଚାତ୍ୟର ବୈଚାରିକ ନେତୃତ୍ୱର ଦାବିକୁ ଓ ଅପ୍ରତ୍ୟକ୍ଷ ବୌଦ୍ଧିକ ଦମନକୁ ବୈଧାନିକତା ପ୍ରଦାନ କରିଥାଏ।

ଏଥିପାଇଁ ଆଜିର ଆବଶ୍ୟକତା ହେଉଛି ତାହାର ମୂଳ କେଉଁଠି ସେ ବିଷୟରେ ବିଚାର ହେଉ ଏବଂ ତାହାକୁ ଭାରତୀୟ ଦୃଷ୍ଟିକୋଣରୁ ପରୀକ୍ଷଣ କରାଯାଉ। ପାଶ୍ଚାତ୍ୟ ଯେଉଁ ସ୍ଥାନୀୟତାର ବୈଶିଷ୍ଟ୍ୟକୁ ମହତ୍ତ୍ୱ ଦେବାର କଥା କହୁଛି ସେଥିରେ ଭାରତର ବିବିଧତାର କଣ ଅର୍ଥ ବାହାର କରାଯାଉଛି ଓ ଭାରତୀୟ ପରିବେଶରେ ଅନେକତାର ଯେଉଁ ଅର୍ଥ ଯାହା ବସ୍ତୁତଃ ଭାରତୀୟ ଜୀବନପଦ୍ଧତିର ଅଂଶ ଅଟେ ତାହା ପାଶ୍ଚାତ୍ୟବାସୀଙ୍କ ବହୁଳତାବାଦ(ପ୍ଲୁରାଲିଜିମ) ଠାରୁ କିପରି ଭିନ୍ନ ଏହି ପ୍ରଶ୍ନ ସହିତ ଉଭୟର ଦାର୍ଶନିକ ଇତିହାସର ବିକାଶ ପ୍ରକ୍ରିୟାକୁ ବୈଦିକ ସଭ୍ୟତାର ଆରମ୍ଭ ସହ ତୁଳନାତ୍ମକ ବା ଆଲୋଚନାତ୍ମକ ଅଧ୍ୟୟନ କରାଯାଉ।

ପାଶ୍ଚାତ୍ୟ ବିଚାର କେତେ ଶହ ବର୍ଷ ହେଲା ଅର୍ଥାତ୍ ସାମ୍ରାଜ୍ୟବାଦର ଉତ୍ପତ୍ତି ପରଠାରୁ ପ୍ରମୁଖତଃ ତୁଳନାତ୍ମକ ଅଧ୍ୟୟନର କ୍ଷେତ୍ର ହୋଇ ରହିଛି। କିନ୍ତୁ ଏଥିରେ ସଭ୍ୟତାର ଅଧ୍ୟୟନ ସହ ସଂସ୍କୃତିର ବିକାଶର ତୁଳନାତ୍ମକ ଅଧ୍ୟୟନ କାହିଁ ?

ଇଂରେଜ ଶାସନ ସମାପ୍ତି ପରେ ମଧ୍ୟ ଭାରତରେ ସବୁ କ୍ଷେତ୍ରରେ ୟୁରୋପୀୟ ବିଚାରଧାରା ଚାଲୁ ରହିଲା। ଶାସନର ସେଇ ପୁରୁଣା ପଦ୍ଧତି, ବୁଦ୍ଧି ବିଚାରର ପ୍ରକ୍ରିୟା ସେମିତି ଚାଲି ଆସିଛି। ତାଙ୍କରି ବିଚାର ଆଜି ଆମର ଦର୍ପଣ ହୋଇଛି। ଏହାକୁ ଭାରତୀୟ ବୋଲି କହିବାରେ ଅଯଥା ବୁଦ୍ଧିର କସରତ କରାଯାଉଛି। ଏଇ ପରବୁଦ୍ଧି ଘର ସଜାଡ଼ିବା ପରିବର୍ତ୍ତେ ଘରକୁ ଭାଙ୍ଗିବାରେ ହିଁ ସାହାଯ୍ୟ କରେ।

୨୮.୧୦.୧୮

Saturday, 27 October 2018

*ଭାରତୀୟ ଚିନ୍ତନର ବିପରୀତ*

ଉତ୍ତର ଆଧୁନିକ ଦର୍ଶନ, ଯାହା ୟୁରୋପ ଚିନ୍ତାନାୟକ ମାନଙ୍କର ଆଧୁନିକତମ ପ୍ରସ୍ତୁତି ଅଟେ ତାହା ବିଖଣ୍ଡନ ଓ ପୁନଃ ନିର୍ମାଣ  ଦ୍ୱାରା ଚିନ୍ତନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଚାହୁଁଛି। Jackie Élie Derrida (୧୯୩୦-୨୦୦୪), Emmanuel Lévinas (୧୯୦୬-୧୯୯୫), MIŠEL FUKO (୧୯୨୬-୧୯୮୪) ଆଦିଙ୍କ ଦର୍ଶନରେ ଏଇ ଅଧିଷ୍ଠାନର ସମାନତାକୁ ଦେଖାଯାଇପାରେ।  ଏମାନେ ସମସ୍ତେ 'ସ୍ୱ'ର ଉପସ୍ଥିତିକୁ ବିରୋଧ କରନ୍ତି ଯାହା ଭାରତୀୟ ଚିନ୍ତନର ବିପରୀତ । ଏମାନେ ପଶ୍ଚିମର ବ୍ୟାପକ ଅଧିଷ୍ଠାନ ଯାହା ବସ୍ତୁକୁ ସାର୍ବଭୌମ ରୂପେ ଦେଖେ, ପାଇଁ ଆହ୍ୱାନ। ଏମାନେ ମାନନ୍ତି ଯେ ପ୍ରତ୍ୟେକ ସମୁଦାୟ ବା ରାଷ୍ଟ୍ରର ନିଜର ବିଚାର, ବୁଦ୍ଧି ଓ ଅଭିବ୍ୟକ୍ତି ରହିଛି। ସେ ସବୁ ରାଷ୍ଟ୍ରକୁ ଗୋଟିଏ ଛାଞ୍ଚରେ ପକାଇ ବୁଝିବା ଠିକ ହେବ ନାହିଁ। କିନ୍ତୁ ଏପରି କରିବା ସମୟରେ ଏମାନେ ନିଜ ପୂର୍ବଜ ଚିନ୍ତାନାୟକମାନଙ୍କ ଦୃଷ୍ଟିକୋଣକୁ ଖଣ୍ଡନ କରନ୍ତି ଓ ଭାରତୀୟ ଚିନ୍ତନରେ ବିଦ୍ୟମାନ ସାର୍ବଭୌମିକତାର ପରିଭାଷା, ସ୍ଥାନୀୟତା ଓ ବିବିଧତାର ମହତ୍ତ୍ୱକୁ ସନ୍ଦର୍ଭ ବିନ୍ଦୁ କରନ୍ତି ନାହିଁ। ଏଠାରେ ମଧ୍ୟ ଭାରତୀୟ ଚିନ୍ତନ ଦର୍ଶନ ଅପ୍ରତ୍ୟକ୍ଷ ରୂପେ ସେମାନଙ୍କ ସମସ୍ୟାର ଏକ ମାତ୍ର ଉଦ୍ଧାରର ବାଟ ହୋଇ ରହିଯାଏ। ପାଶ୍ଚାତ୍ୟ ବିଦ୍ୱାନ ପ୍ରଫେସର ଓଲସନଙ୍କ ବିଚାର ମଧ୍ୟ ଏଠାରେ ବହୁତ ମହତ୍ତ୍ୱପୂର୍ଣ୍ଣ, ସେ କହିଛନ୍ତି, "ବ୍ୟବସ୍ଥା ସମ୍ବନ୍ଧିତ/ ଅର୍ଥ ବିଷୟକ (hermeneutical) ସମ୍ବାଦ ଉତ୍ତର ଆଧୁନିକ ଚିନ୍ତନ ଦ୍ୱାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମ୍ମୁଖରେ ଯେଉଁ ଆହ୍ୱାନ ସବୁ ଛିଡ଼ା କରିଛି, ଭାରତୀୟ ଚିନ୍ତନ ହିଁ ତାର ଉତ୍ତର ଦେବାକୁ ସକ୍ଷମ।"

୨୭.୧୦.୧୮

Friday, 26 October 2018

*ବିଚାର ଓ ଦର୍ଶନର ବିସ୍ଥାପନ*

ଭାରତୀୟ ସଂସ୍କୃତି ମୁଖ୍ୟତଃ ବେଦ ଉପରେ ଆଧାରିତ ପନ୍ଥନିରପେକ୍ଷତାରେ ପରିପୂର୍ଣ୍ଣ। ଯେଉଁଥିରେ ସତ୍ୟ ଏକ ଅଟେ ଓ ଏହାକୁ ବିଦ୍ୱାନମାନେ ଅନେକ ପ୍ରକାର ବ୍ୟାଖ୍ୟା କରିଥାନ୍ତି। ଭାରତୀୟ ଦର୍ଶନ ଦ୍ୱନ୍ଦ୍ୱବାଦର ସିଦ୍ଧାନ୍ତକୁ ମାନ୍ୟତା ଦିଏ ନାହିଁ, ଯଦ୍ୱାରା 'ପର ଭାବ' ବୋଧ ଏଥିରେ ନ ଥାଏ। ଏଥିପାଇଁ ଭାରତରୁ ବିକଶିତ ହୋଇଥିବା ଦୁଇଟି ମୁଖ୍ୟ ବିଚାର ପନ୍ଥନିରପେକ୍ଷତା ଓ ରାଷ୍ଟ୍ରବାଦ ସାରା ଦୁନିଆଁକୁ ପ୍ରଭାବିତ କରିଥାଏ। ଏହା ପାଶ୍ଚାତ୍ୟ ବିଚାର ଦ୍ୱାରା ସମ୍ଭବ ନୁହେଁ। ପନ୍ଥନିରପେକ୍ଷତାରେ ଥାଏ ବିବିଧତା, ବିଶ୍ୱାସ, ଜଣେ ଅନ୍ୟର ଭାବନାକୁ ସମ୍ମାନ ଓ ତ୍ୟାଗର ଭାବନା। ଏହାର ବିକାଶ ଏକ ଜୀବନ ପଦ୍ଧତି ରୂପେ ହୋଇଛି ଯାହାର କୌଣସି ଅନ୍ତ ନାହିଁ।

ପାଶ୍ଚାତ୍ୟ ଚିନ୍ତନ ଓ ବିମର୍ଶରେ ଖ୍ରୀଷ୍ଟୀୟ ଦର୍ଶନ ଓ ତାର ବିକାଶକୁ ମହତ୍ତ୍ୱ ଦିଆଯାଇଛି। ଏଥିପାଇଁ ତାଙ୍କ ସେକୁଲାରିଜିମ, ସହିଷ୍ଣୁତାର ଅଵଧାରଣା ଉପରେ ବାଇବେଲ ଓ ଖ୍ରୀଷ୍ଟିଆନମାନଙ୍କର ବିମର୍ଶର ଛାପ ଦେଖିବାକୁ ମିଳେ। ତାଙ୍କ ସାହିତ୍ୟରେ ଏପରି ଧାର୍ମିକ ଶବ୍ଦ ସବୁ ଆସେ ଯାହା ବାହାରକୁ ସାମାନ୍ୟ ଜଣାପଡୁ ଥିଲେ ମଧ୍ୟ ଖ୍ରୀଷ୍ଟ ମତ ପାଇଁ ଏହାର ବହୁତ ଗୁରୁତ୍ୱ ଥାଏ। ଏଣୁ ପଶ୍ଚାତ୍ୟର ଆଧୁନିକତାର ଅଵଧାରଣା ଏକ ବିଶେଷ ଢଙ୍ଗରେ ବିକଶିତ ହୋଇଛି। ପାଶ୍ଚାତ୍ୟ ସମାଜଶାସ୍ତ୍ର ଭାରତୀୟ ସାହିତ୍ୟ ଓ ଭାରତୀୟ ଦର୍ଶନକୁ ଅଧ୍ୟୟନର ବିଷୟବସ୍ତୁ ତ କଲା କିନ୍ତୁ ତାଙ୍କୁ ବିମର୍ଶରେ ଭାଗ ନେବାକୁ ଦେଲା ନାହିଁ। ଏଥିପାଇଁ ଆଧୁନିକତା ଓ ଏପରି ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଦ୍ୱାରା ଦୁନିଆଁର ଦୁଇ ତୃତୀୟାଂଶରୁ ଅଧିକ ଲୋକ ପ୍ରଭାବିତ।

Ronald Inden ତାଙ୍କ ପୁସ୍ତକ

"Imagining India" ରେ

ଠିକ କହିଛନ୍ତି, "ଦୁନିଆଁକୁ ଗଢ଼ିବାର ଯେଉଁ କ୍ଷମତା ଭାରତୀୟଙ୍କ ପାଖରେ ଅଛି ବା ଭାରତୀୟ ବିଧାର ଯେଉଁ ଭିନ୍ନ ଭିନ୍ନ ସଂସ୍ଥାମାନଙ୍କ ପାଖରେ ଅଛି ସେମାନଙ୍କୁ ପାଶ୍ଚାତ୍ୟର ଜ୍ଞାନ ପରମ୍ପରାର ଅନ୍ୟ ବିଧା ଦ୍ୱାରା ବିସ୍ଥାପିତ କରିଦିଆ ଯାଇଛି।

ଇଣ୍ଡେନଙ୍କ କଥାରେ ଏଥିପାଇଁ ସାର୍ଥକତା ଅଛି ଯେ ଭାରତୀୟ ସମାଜଶାସ୍ତ୍ର ୟୁରୋପର  ବିମର୍ଶକୁ ଅଧିନାୟକବାଦୀରୁ ଲୋକତାନ୍ତ୍ରିକ କରିବାକୁ କେବେ ଚେଷ୍ଟା କରି ନାହିଁ। ଏହାର କାରଣ ହୋଇପାରେ ଘୋର ସମର୍ପଣର ଭାବ ନ ହେଲେ ଘୋର ସମାଲୋଚନାର। ଭାରତୀୟ ଦର୍ଶନକୁ ବର୍ତ୍ତମାନ ସହିତ ସନ୍ଦର୍ଭୀକରଣ କରିବାରେ ଓ ସମକାଳୀନ ଦୁନିଆଁର ସମସ୍ୟା ଗୁଡ଼ିକ ଉପରେ ଦାର୍ଶନିକ ଦୃଷ୍ଟି ଓ ଚିନ୍ତନ କରିବାର ପ୍ରକ୍ରିୟାରେ ସମାଜଶାସ୍ତ୍ରର ବିଫଳତାକୁ ଦେଖା ଯାଇପାରେ। ସେପଟେ ୟୁରୋପୀୟ ବିଦ୍ୱାନମାନେ ନିଜ ବିଦ୍ୱତା ଓ ଜ୍ଞାନ ପରମ୍ପରାକୁ କେବେ ମଧ୍ୟ ଅନ୍ୟ ଜ୍ଞାନ ପରମ୍ପରା ଆଗରେ ସମାନ ଭାବେ ଛିଡ଼ା କରିବାକୁ ଦେଲେ ନାହିଁ।

୨୬.୧୦.୧୮

Thursday, 25 October 2018

*ପ୍ରାଚ୍ୟବାଦର ତିନୋଟି ସ୍ତର*

professor Edward Wadie Said  ମିଶନାରୀଙ୍କ ଆଚରଣ, ଚାକିରିତନ୍ତ୍ର ଏବଂ ଔପନିବେଶିକ ନୀତି ଉପରେ ସେମାନଙ୍କର ପ୍ରଭାବକୁ ଉଚିତ ସ୍ଥାନ ଦେଇ ନାହାନ୍ତି। ସେ କହିଛନ୍ତି, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭିତରେ ଥିବା ସମ୍ବନ୍ଧ ହେଲା ଶକ୍ତି, ଆଧିପତ୍ୟ ଓ ଅଲଗା ଅଲଗା ସ୍ତରରେ ଏକ ଜଟିଳ ପ୍ରଭୁତ୍ୱବାଦ।

ସେ ପ୍ରାଚ୍ୟବାଦକୁ ତିନୋଟି ସ୍ତରରେ ବିଭକ୍ତ କରିଛନ୍ତି। ଏହାକୁ ଦେଖିଲେ ବୁଝିହେବ ଯେ ଏଇ ବିଧା ଦ୍ୱାରା ସେମାନେ କିପରି ପୂର୍ବ ଉପନିବେଶଗୁଡ଼ିକୁ ଅତୀତରେ ଉପଯୋଗୀ ଏବଂ ଏବେ ପରଜୀବୀ କରିବାରେ ସଫଳ ହୋଇଛନ୍ତି।

(୧) ପ୍ରାଥମିକ ସ୍ତରରେ ଏଇ ବିଧା ଭାରତୀୟ ଦର୍ଶନର ଅସ୍ତିତ୍ୱ ଆଧାରରେ ସ୍ଥାପିତ। ଏହା ସ୍ପଷ୍ଟ କରିଛି ଯେ ଭାରତ ବିନା ଇତିହାସ କିମ୍ବା ବିନା ସଭ୍ୟତାର ଦେଶ ନୁହେଁ। ଏଥିରେ ସେମାନେ ଭାରତୀୟ ସଂସ୍କୃତି ଓ ଭାରତୀୟ ସଭ୍ୟତାର ମହିମା ଗାନ କରିବା ସହିତ ଏହାର ଆଲୋଚନା ମଧ୍ୟ କରିଛନ୍ତି।

(୨) ଭାରତୀୟ ଦର୍ଶନ ଛାଞ୍ଚରେ ଆଧୁନିକ ୟୁରୋପୀୟ ବିଚାରଗୁଡ଼ିକୁ ପକାଇବା। ଏହିପରି ଭେଦଭାବ  ପ୍ରଥମରୁ ସେଥିରେ ରହି ଆସିଛି। ଏହି ଅଵଧାରଣାକୁ ଜେ ଜେ କ୍ଲାର୍କ ମଧ୍ୟ ଚିହ୍ନିତ କରିଛନ୍ତି। ସେ କହିଛନ୍ତି, "ପ୍ରାଚ୍ୟ ବିଚାର ଗୁଡ଼ିକ ପଶ୍ଚିମରେ ରାଜନୈତିକ, ନୈତିକ ଓ ଧାର୍ମିକ କ୍ଷେତ୍ରରେ ଆତ୍ମ ମନ୍ଥନ ଓ ବିଚାରର ନବୀନତା ପାଇଁ ପ୍ରୟୋଗ ହେଲା।

(୩) ପଶ୍ଚିମ ଓ ପୂର୍ବ ସହିତ ପରସ୍ପର ସମ୍ବାଦକୁ ମହତ୍ତ୍ୱ ଦେଇଛି।

ସଇଦଙ୍କ ଅନୁସାରେ ପ୍ରାଚ୍ୟବାଦ ସିଦ୍ଧାନ୍ତ ଓ ବ୍ୟବହାର ରୂପେ ଏକ ପାଶ୍ଚାତ୍ୟ ଅଵଧାରଣା ଅଟେ। ଯାହାର ପ୍ରୟୋଗ ୟୁରୋପୀୟମାନେ ନିଜ ପ୍ରଭାବ ବିସ୍ତାର, ପୁନଃସ୍ଥାପନ ଆଦି ଅନେକ ପ୍ରକାର ବିଭାଜନ କରି ଲୋକଙ୍କୁ ସୁହାଇବା ଭଳି କରୁଥିଲେ, ଯାହା ଦ୍ୱାରା ଲୋକମାନେ ତାଙ୍କ ନିୟନ୍ତ୍ରଣରେ ରହିବେ।

ଏହା ଏକ ପୂର୍ବ ନିୟୋଜିତ, ସୁବିଚାରିତ ରଣନୀତି ଅନୁସାରେ କରାଗଲା ଯାହା ଦ୍ୱାରା ପାଶ୍ଚାତ୍ୟ ବିଚାରର ଆଧିପତ୍ୟ ପ୍ରାଚ୍ୟ ବିଚାର ଓ ବ୍ୟବହାର ଉପରେ କରିହେବ।
ପାଶ୍ଚାତ୍ୟ ବିଦ୍ୱାନଙ୍କ ଏହି ଉପାୟ ତାଙ୍କ ପ୍ରଭୁତ୍ୱ ଓ ପ୍ରାଚ୍ୟବାଦ ସଂସ୍କୃତିର ଶୋଷଣର ଏକ ଲମ୍ବା ଇତିହାସର ପ୍ରତିନିଧିତ୍ୱ କରୁଛି।

୨୫.୧୦.୧୮

Wednesday, 24 October 2018

*ପ୍ରାଚ୍ୟବାଦର ଠିକ ବ୍ୟାଖ୍ୟା*

ଔପନିବେଶିକ ନୀତି ନିର୍ଦ୍ଧାରଣରେ ଖ୍ରୀଷ୍ଟମତର  ସିଦ୍ଧାନ୍ତଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା। ଭାରତରେ ୧୮୭୨ ଠାରୁ ଆରମ୍ଭ କରି ୧୯୪୧ ପର୍ଯ୍ୟନ୍ତ ଜନଗଣନା ବିବରଣୀ ଏହା ଦର୍ଶାଉଛି ଯେ ଔପନିବେଶିକ ଶାସନ ସହ ସମ୍ବନ୍ଧ ଥିବା ବା ତାଙ୍କ ଅଧୀନରେ ଚାକିରୀ କରିଥିବା ଲୋକ, ରାଜନୀତିଜ୍ଞ ଓ ଖ୍ରୀଷ୍ଟମତର ପ୍ରଚାରକ ମାନଙ୍କ ଭିତରେ କ୍ଷୀର ନୀର ସମ୍ପର୍କ ଥିଲା। ଔପନିବେଶିକ ନୀତିର ଏକ ମହତ୍ତ୍ୱପୂର୍ଣ୍ଣ ପକ୍ଷ ଥିଲା ଖ୍ରୀଷ୍ଟମତର ପ୍ରସାର। ଏଥିପାଇଁ ସେମାନଙ୍କୁ ଶାସନ ସହଯୋଗ କରୁଥିଲା ଓ ଶାସନକୁ ଏଇ  ଖ୍ରୀଷ୍ଟମତର ଲୋକେ ବଳ ଯୋଗାଉ ଥିଲେ।

ପାଶ୍ଚାତ୍ୟ ଅଧ୍ୟୟନ ପ୍ରଣାଳୀ (ଓସିଡେଣ୍ଟାଲ) ଏଇ ବିଷୟକୁ ପ୍ରାଥମିକତା ଦେଲା ନାହିଁ। ଏହି ଅଧ୍ୟୟନ ପ୍ରଣାଳୀକୁ ଗମ୍ଭୀରତାର ସହ ବିଶ୍ଳେଷଣ କଲେ ଏ କଥା ସ୍ପଷ୍ଟଭାବେ ଜଣା ପଡ଼େ ଯେ ସମାଜ ଓ ସଂସ୍କୃତିକୁ ନଷ୍ଟ କରିବା ପାଇଁ ସାମ୍ରାଜ୍ୟବାଦୀ ଚକ୍ରାନ୍ତ ଓ ବୈଚାରିକ ସଂଘର୍ଷର ଚେଷ୍ଟାକୁ ଏଥିରେ ଲୁଚାଇ ଦେବାର ଚେଷ୍ଟା କରାଯାଇଛି। ଏପରିକି ପ୍ରାଚ୍ୟବାଦରେ ମଧ୍ୟ ଉପନିବେଶ ଗୁଡ଼ିକର ଅସ୍ମିତା ଓ ଉପଲବ୍ଧି ଗୁଡ଼ିକର କଥା ତ କୁହାଗଲା କିନ୍ତୁ ସାମ୍ରାଜ୍ୟବାଦୀଙ୍କ ଦମନର ସାଂସ୍କୃତିକ ଓ ଧାର୍ମିକ ପ୍ରଭାବକୁ ଗୌଣ ଭାବେ ପ୍ରଦର୍ଶିତ କରାଗଲା।

ଏଥିପାଇଁ  professor Edward Wadie Said  ପ୍ରାଚ୍ୟବାଦର ସମ୍ପୂର୍ଣ୍ଣ ଠିକ ବ୍ୟାଖ୍ୟା କରିଛନ୍ତି। ପ୍ରାଚ୍ୟ ମୂଳତଃ ୟୁରୋପୀୟ ଚିନ୍ତାନାୟକ ମାନଙ୍କ ଆବିଷ୍କାର ଅଟେ। ଏହା ୟୁରୋପୀୟଙ୍କ ନିକଟତର ଅଟେ ଏବଂ ୟୁରୋପୀୟଙ୍କ ଦ୍ୱାରା ଶାସିତ ସବୁଠୁ ପୁରୁଣା ଓ ସବୁଠୁ ଧନୀ ଉପନିବେଶ ଗୁଡ଼ିକର ସ୍ଥାନ ଅଟେ। ଏହା ୟୁରୋପୀୟ ସଭ୍ୟତା ଓ ଭାଷା ଗୁଡ଼ିକର ସ୍ରୋତ ଏବଂ  ଏହାର ସାଂସ୍କୃତିକ ପ୍ରତିରୋଧକ ଅଟେ। ପ୍ରାଚ୍ୟ ହିଁ ୟୁରୋପକୁ ନିଜ ବିପରୀତ ଛବି, ବିଚାର, ବ୍ୟକ୍ତିତ୍ୱ ଓ ଅନୁଭବକୁ ପରିଭାଷିତ କରିବାରେ ସାହାଯ୍ୟ କରିଛି। ତା ପରେ ମଧ୍ୟ ପ୍ରାଚ୍ୟର କୌଣସି ଭାଗ ଏମାନଙ୍କ ପାଇଁ କେବଳ କଳ୍ପନାର ବସ୍ତୁ ନୁହଁ। ପ୍ରାଚ୍ୟ ୟୁରୋପର ଭୌତିକବାଦୀ ସଭ୍ୟତା ଓ ସଂସ୍କୃତିର ଅଭିନ୍ନ ଭାଗ ଅଟେ। ପ୍ରାଚ୍ୟବାଦ ବିମର୍ଶର ସେହି ସାଂସ୍କୃତିକ ଓ ବୈଚାରିକ ପକ୍ଷର ଅଭିବ୍ୟକ୍ତି ଓ ପ୍ରତିନିଧିତ୍ୱ ଅଟେ ଯାହା ଅନେକ ସଂସ୍ଥା, ଅନେକ ଶବ୍ଦାବଳୀ, ବିଦ୍ୱତା, କଳ୍ପନା, ଅନେକ ବିଚାର ଓ ଏପରିକି ଔପନିବେଶିକ ଚାକିରୀ ତନ୍ତ୍ର ଓ ଔପନିବେଶିକ କାର୍ଯ୍ୟ କୌଶଳର ସମର୍ଥନ ପ୍ରାପ୍ତ କରିଛି।

୨୪. ୧୦.୧୮

Tuesday, 23 October 2018

*ଉତ୍ତର ଔପନିବେଶିକ ଅଧ୍ୟୟନ*

ଆମେ ଶ୍ରେଷ୍ଠ ଓ ସେମାନେ ନୀଚ୍ଚ ଏଇଭଳି ନିଜ ପର (ଅଦର ୱାର୍ଲଡ) ଭାବ ମଧ୍ୟରେ ଯେଉଁ ପାତର ଅନ୍ତର ରହିଲା, ତାହା ସାମ୍ରାଜ୍ୟବାଦୀଙ୍କ ମନରେ ଆଧିପତ୍ୟ କରିବାର ଓ ତାକୁ ସ୍ଥାୟୀ କରିବାର ବିଚାରକୁ ଜନ୍ମ ଦେଲା। ତାଙ୍କ ଅଧୀନରେ ଥିବାରୁ ଉପନିବେଶର ଲୋକମାନେ ମଧ୍ୟ ବଂଶବାଦର ସେହି ଉଚ୍ଚ ନୀଚ୍ଚ ସିଦ୍ଧାନ୍ତକୁ ଆଧୁନିକତାର ଆଧାରଶିଳା ବୋଲି ଭାବି ନେଲେ।

 Against race: Imagining political culture beyond the color line

Gilroy - 2000 - books.google.com
ଉପରୋକ୍ତ ବହିରେ ଏହା ସ୍ପଷ୍ଟ ଭାବେ ବର୍ଣ୍ଣିତ।

ସମାଜଶାସ୍ତ୍ରରେ ଏହି ଅଦରନେସ ବା ପର ଭାବର ଯେଉଁ ବୋଧ ଥିଲା ତାହା ବ୍ୟାବହାରିକ ଅନ୍ତର୍ରାଷ୍ଟ୍ରୀୟ ରାଜନୀତିରେ ପ୍ରକଟ ହେଲା।
ପ୍ରାଚ୍ୟଶାସ୍ତ୍ରର ସବୁଠୁ ବଡ଼ ବିଫଳତା ହେଲା ଯେ ଏହା ପାଶ୍ଚାତ୍ୟ ମନ ଓ ବିବେକକୁ ଏହି କଥା ବୁଝାଇବାରେ ବିଫଳ ହେଲା ଯେ ଲୋକଙ୍କ ଚିନ୍ତନ ନିଜ ସ୍ଥାନୀୟଙ୍କ ପ୍ରତି ଶ୍ରଦ୍ଧାରୁ ଉତ୍ପନ୍ନ ହୋଇଥାଏ। ସେମାନେ ତାଙ୍କ ଅନୁଭବରୁ, ଚିନ୍ତନରୁ, ଜୀବନଶୈଳୀରୁ, ପ୍ରକୃତିକୁ ଦେଖିବାର ତାଙ୍କ ଭିତରେ ଥିବା ଦୃଷ୍ଟିକୁ ନେଇ ଆଗକୁ ବଢ଼ିଥାନ୍ତି। ପ୍ରାଚ୍ୟଶାସ୍ତ୍ର ସଭ୍ୟତାର ବିମର୍ଶକୁ ଜନ୍ମଦେବାରେ ଅକ୍ଷମ ହେଲା। ନିଜ ସୀମାରେ ସେ ସଙ୍କୁଚିତ ହୋଇ ରହିଗଲା। ଉଦାହରଣସ୍ବରୂପ ପ୍ରାଚ୍ୟଶାସ୍ତ୍ର ଭାରତର ବୌଦ୍ଧିକ ଓ ସାଂସ୍କୃତିକ ଉପଲବ୍ଧିଗୁଡ଼ିକୁ ତ ଲୋକଙ୍କ ସମ୍ମୁଖରେ ରଖିଲା, ପରନ୍ତୁ ଭାରତୀୟ ରାଷ୍ଟ୍ର ଓ ପଶ୍ଚିମ(ସେମିଟିକ) ରାଷ୍ଟ୍ର ଭିତରେ ଥିବା ମୌଳିକ ଅନ୍ତରକୁ ଉପସ୍ଥାପନ କରିବାରେ ବିଫଳ ହେଲା। ପଶ୍ଚିମ ଚିନ୍ତନରେ ରାଷ୍ଟ୍ରର ପରିଭାଷା ଯାହା ଭାରତୀୟ ଚିନ୍ତନରେ ରାଷ୍ଟ୍ରର ପରିଭାଷା ସେଇଆ ନୁହଁ। ଯେଉଁଠି ପଶ୍ଚିମ ଚିନ୍ତନ ରାଜ୍ୟ ଓ ରାଷ୍ଟ୍ରକୁ ସମାନ ଦୃଷ୍ଟିରେ ଦେଖେ ଓ ମୂଳତଃ ଏହାକୁ ରାଜନୈତିକ ବା ବଂଶବାଦର ପରିଚୟ ଦିଏ ସେଇଠି ଭାରତୀୟ ଚିନ୍ତନରେ ରାଷ୍ଟ୍ରର ଅଵଧାରଣା ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ପରମ୍ପରାରେ ରାଷ୍ଟ୍ର ରାଜନୈତିକ ଏକକ ନୁହେଁ ଏହା ସାଂସ୍କୃତିକ ଏକକ। ସଭ୍ୟତା ଓ ସଂସ୍କୃତିକୁ ନେଇ ଏହା ସର୍ବସମାବେଶୀ ଅଟେ। ଗତ କିଛି ଶତାବ୍ଦୀ ହେଲା ଅନ୍ତର୍ରାଷ୍ଟ୍ରୀୟ ରାଜନୀତିର ଦୁଷ୍ପ୍ରଭାଵରୁ ଏହା ଚାରି କାନ୍ଥରେ ସଙ୍କୁଚିତ। ଏହାର ସାଂସ୍କୃତିକ ଓ ବୈଚାରିକ ବିକାଶର ପ୍ରକ୍ରିୟାକୁ ବଳପୂର୍ବକ ଅବରୁଦ୍ଧ କରାଯାଇଛି। ସେ ଜାଗାରେ ସାମ୍ରାଜ୍ୟବାଦୀଙ୍କ ରାଜନୈତିକ ରାଷ୍ଟ୍ର ଓ ରାଜ୍ୟ ଆମ ଲୋକମାନଙ୍କୁ ଏକାପରି ଜଣାପଡୁଛି। ଭାରତୀୟ ରାଷ୍ଟ୍ର ବର୍ତ୍ତମାନ ସନ୍ଦର୍ଭରେ ଯାହା ପରିଭାଷିତ ହୁଏ ସେପରି ନୁହଁ ।  ନା ଏହା ଭୂ-ରାଜନୈତିକ ସୀମା ଦ୍ୱାରା ପରିଭାଷିତ ହୋଇପାରିବ। ଏହାର ସାଂସ୍କୃତିକ ଐତିହ୍ୟ ଓ ବୌଦ୍ଧିକ ସମ୍ପଦର ପ୍ରଭାବ ଯେଉଁ ରୂପେ ହୋଇଛି ତାହା ଭୂ-ରାଜନୈତିକ ସୀମାରେ ସୀମିତ ନୁହଁ। ରାଜନୈତିକ ସୀମା ଅଲଗା ହେଲେ ମଧ୍ୟ ଆମର ରାଷ୍ଟ୍ରୀୟ ଅଵଧାରଣା ଏକ ଓ ଅଭିନ୍ନ ରହି ଆସିଛି। ପାଣିନୀଙ୍କ ଜନ୍ମ ସ୍ଥାନ ପାକିସ୍ତାନରେ। କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଓ କର୍ତ୍ତୃତ୍ୱ ଭାରତୀୟ ରାଷ୍ଟ୍ର ସାଧନାର ଅଂଶ ଅଟେ। ପଶ୍ଚିମ ଚିନ୍ତନ ପ୍ରଣାଳୀରେ ପ୍ରାଚ୍ୟଶାସ୍ତ୍ର ପରେ ଉତ୍ତର ଔପନିବେଶିକ ଅଧ୍ୟୟନ ବା ପୋଷ୍ଟ ମଡର୍ଣ୍ଣିଜିମର ବିଧା ଆସିଲା। ତାହା ମଧ୍ୟ ପାଶ୍ଚାତ୍ୟ ଆଧିପତ୍ୟବାଦୀଙ୍କ ସୀମା ମଧ୍ୟରେ ବାନ୍ଧି ହୋଇ ରହିଗଲା। ଏହାର ରୂପ ବ୍ୟାପକ ଥିଲା ପରନ୍ତୁ ଏହା ପଶ୍ଚିମର 'ଅଦର ୱାର୍ଲଡ' ଭାବକୁ ବଦଳାଇ ପାରିଲା ନାହିଁ। ଏହା ସେ ପର୍ଯ୍ୟନ୍ତ ସମ୍ଭବ ହେବ ନାହିଁ ଯେ ପର୍ଯ୍ୟନ୍ତ ଏଠାରେ ତାଙ୍କ କାର୍ଯ୍ୟକଳାପର ଇତିହାସର ପୁନର୍ପରୀକ୍ଷଣ ନ ହୋଇଛି। ଉତ୍ତର ଔପନିବେଶିକ ଅଧ୍ୟୟନ ଅବଶ୍ୟ ତାଙ୍କ 'ଉଚ୍ଚ' ଭାବନାକୁ ସୈଦ୍ଧାନ୍ତିକ ରୂପେ ପ୍ରତ୍ୟାଖ୍ୟାତ କରିଛି। ପଶ୍ଚିମର ଚିନ୍ତକ ଓ ଚିନ୍ତନ ପ୍ରକ୍ରିୟା ଭାରତୀୟ ସଂସ୍କୃତିର ତୁଳନା ତାଙ୍କ ନିଜ ସ୍ଥାନରେ ତାଙ୍କୁ ଦିଆଯାଇଥିବା ଜ୍ଞାନ ଅନୁସାରେ ଆରମ୍ଭ କଲେ। ତେଣୁ ଏହି ଚିନ୍ତନ ପଦ୍ଧତି ଜନ୍ମରୁ ହିଁ କୁଣ୍ଠିତ ଓ ନ୍ୟୁନତାଯୁକ୍ତ ରହି ଆସିଲା। ନବ ଜାଗରଣ ପୂର୍ବର ୟୁରୋପ ଓ ସେହି ସମୟର ଭାରତର ତୁଳନା କଲେ ତାହା ହିଁ ହେବ ଦୁଇ ସଭ୍ୟତା ଭିତରେ ବିମର୍ଶାତ୍ମକ ସାର୍ଥକ ତୁଳନା। ସେହି ଦୁଇ ସଭ୍ୟତା ମଧ୍ୟରେ ଥିବା ବୌଦ୍ଧିକ ଓ ସାଂସ୍କୃତିକ ଉପଲବ୍ଧିଗୁଡ଼ିକ ଭିତରେ ଅନ୍ତର, ଉଭୟଙ୍କ ପ୍ରଭାବ ଭିତରେ ଥିବା ଅନ୍ତର, ଉଭୟଙ୍କ ଭିତରେ ଥିବା ଶାଶ୍ୱତ ମୂଲ୍ୟବୋଧର ତୁଳନାତ୍ମକ ସ୍ୱରୂପ ପ୍ରସ୍ତୁତ କରିଥାଏ। କିନ୍ତୁ ଏପରି ତୁଳନାତ୍ମକ ଅଧ୍ୟୟନ ନା ପ୍ରାଚ୍ୟବାଦୀ(ଓରିଏଣ୍ଟାଲିଷ୍ଟ) କଲେ ନା ଉତ୍ତର ଔପନିବେଶିକ ଚିନ୍ତକ।

୨୩.୧୦.୧୮

Monday, 22 October 2018

*ପ୍ରାଚ୍ୟ ଶାସ୍ତ୍ର*

ସାମ୍ରାଜ୍ୟବାଦର ବିସ୍ତାର ତିନୋଟି ବାଟରେ ହୋଇଛି। ସେଗୁଡ଼ିକ ହେଲା ସୈନ୍ୟ, ମତାନ୍ତର ଓ ବିଚାର। ଏହି ତିନୋଟି ଭିତରେ  ପରସ୍ପର ଜୀବନ୍ତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ଥିଲା। ତିନିହେଁ ସମାନ ଉଦ୍ଦେଶ୍ୟ ପାଇଁ ନିଜ ନିଜ ଶୈଳୀରେ ଚେଷ୍ଟାରତ ଥିଲେ। ସେମାନଙ୍କର କାର୍ଯ୍ୟଶୈଳୀ ଅଲଗା ଅଲଗା ରହୁଥିଲା। କିନ୍ତୁ ତିନିହେଁ ଯାକ ମିଳିମିଶି ଉପନିବେଶମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ କରୁଥିଲେ। ଶାସିତ ଲୋକ ଯଦି ବିଦ୍ରୋହ କରିବେ ତାକୁ କିପରି ଦମନ କରି ହେବ ଏଥିପାଇଁ ସମସ୍ତେ ନିଜ ନିଜ କୌଶଳ ପ୍ରୟୋଗ କରୁଥିଲେ। ଏହି ପୂରା ପ୍ରକରଣ ସାମ୍ରାଜ୍ୟବାଦୀମାନଙ୍କୁ ଉପନିବେଶମାନଙ୍କରେ ଥିବା ଲୋକଙ୍କ ସ୍ଵଭାବ, ବିରୋଧ, ବିବିଧତା, ପରମ୍ପରା, ଜୀବନଶୈଳୀ ଓ ଇତିହାସ ବୁଝିବା ପାଇଁ ପ୍ରେରିତ ଓ ବାଧ୍ୟ କରୁଥିଲା। ଜଣେ ସୈନିକ ହେଉ ବା ଜଣେ ଜନଗଣନା ଅଧିକାରୀ, ଜଣେ ଚାକିରିଆ ହେଉ ବା ଜଣେ ସମାଜଶାସ୍ତ୍ରୀ, ସମସ୍ତେ ନିଜ ନିଜ ଶୈଳୀରେ ଓ ନିଜ ନିଜ ବୁଦ୍ଧିରେ ଉପନିବେଶର ଲୋକଙ୍କ ଉପରେ ନିଜର ମନ୍ତବ୍ୟ ଭାଷଣ, ଲେଖା ଓ ପୁସ୍ତକ ଆକାରରେ ବ୍ୟକ୍ତ କଲେ। ଏଇଠୁ ଆରମ୍ଭ ହେଲା ଉପନିବେଶରେ ଥିବା ଲୋକଙ୍କର ସାମ୍ରାଜ୍ୟବାଦୀଙ୍କ ସହ ବୈଚାରିକ ସମ୍ବନ୍ଧ। ଯେଉଁ ଉପନିବେଶରେ ବିଶେଷକରି ଭାରତରେ ବୌଦ୍ଧିକ ରଚନା ଓ ଦର୍ଶନର ପ୍ରଚୁର ସାମଗ୍ରୀ ଉପଲବ୍ଧ ହେଲା ସେହି ସବୁ ଜାଗାରେ ପାଶ୍ଚାତ୍ୟ ବିଦ୍ୱାନଙ୍କ ରୁଚି ବଢ଼ିବାକୁ ଲାଗିଲା। ନୂଆ ଅଧ୍ୟୟନର ଏହି ବିଦ୍ୟାକୁ ପ୍ରାଚ୍ୟ ଶାସ୍ତ୍ର ବା 'ଓରିଏଣ୍ଟାଲିଜିମ' କୁହାଯାଏ। ଏହି ବିଧା ଦ୍ୱାରା ଉପନିବେଶର ସଂସ୍କୃତି, ସାହିତ୍ୟ, ଚିନ୍ତନ, ଜ୍ଞାନ ଓ ପରମ୍ପରା ସହିତ ତାର ପ୍ରାଚୀନ ସମାଜର ଉପଲବ୍ଧି ଗୁଡ଼ିକର ଅଧ୍ୟୟନ କରାଗଲା। କିନ୍ତୁ ସାମ୍ରାଜ୍ୟବାଦୀ ମାନଙ୍କର ମାନସିକତା ଏପରି ଥିଲା ଯେ ସେମାନେ ନିଜର ସାହିତ୍ୟ, ସମାଜ ଶାସ୍ତ୍ର, ଇତିହାସ, ଚିନ୍ତନ ପ୍ରକ୍ରିୟା ଓ ଏପରିକି ଧର୍ମୀୟ ବିଷୟ ଗୁଡ଼ିକୁ ଉପନିବେଶ ତୁଳନାରେ ଶ୍ରେଷ୍ଠ ବୋଲି ଅଡ଼ି ବସିଥିଲେ। ତାଙ୍କର ଶ୍ରେଷ୍ଠତା ଓ ଉପନିବେଶମାନଙ୍କର ଅକ୍ଷମତା ଓ ପଛୁଆ ଭାବ ଐତିହାସିକ ଓ ବୌଦ୍ଧିକ ସ୍ତରରେ ଦୁଇଟି କଥା ଆଡ଼କୁ ଇଙ୍ଗିତ କରୁଛି।
(୧) ପାଶ୍ଚାତ୍ୟର ମନୁଷ୍ୟମାନେ ଆଧୁନିକ। ତାଙ୍କ ଚିନ୍ତନ ପ୍ରକ୍ରିୟା ଉଚ୍ଚ ସ୍ତରର ଓ ପ୍ରଗତିଶୀଳ।
(୨) ଉପନିବେଶର ଲୋକମାନେ ପ୍ରଗତିଠାରୁ ବହୁ ଦୂରରେ। ଚିନ୍ତନ ପ୍ରକ୍ରିୟାରେ ମଧ୍ୟ ପଛୁଆ।

ସାମ୍ରାଜ୍ୟବାଦୀମାନେ ଆଉ ଏକ ମାନଦଣ୍ଡ ତିଆରି କଲେ ଯେ ଯିଏ ପ୍ରକୃତି ସହ ଯେତେ ନିକଟତର ସେ ଆଧୁନିକତା ଠାରୁ ସେତେ ଦୂରରେ । ଏଥିପାଇଁ ଯେଉଁ ଦେଶର ପରମ୍ପରାରେ ଗଛ, ଲତା, ନଦୀ, ପାହାଡ଼ ଓ ପଶୁଙ୍କ ସହ ଭାବାତ୍ମକ ଅଥବା ଆଧ୍ୟାତ୍ମିକ ରୂପରେ ହେଉ ବା କର୍ମକାଣ୍ଡ ସ୍ତରରେ ହେଉ ସନ୍ନିକଟତା ରହିଛି ତାକୁ ସମକାଳୀନ ପାଶ୍ଚାତ୍ୟ ଚିନ୍ତାନାୟକଗଣ ଅପଯଶ, ନିନ୍ଦା, ବର୍ବରତା ଓ ଅସଭ୍ୟତା ବୋଲି କହିଲେ ଏବଂ ନିଜେ ମିଥ୍ୟା ଆତ୍ମ ଗୌରବର ବଶବର୍ତ୍ତୀ ହୋଇ ନିଜକୁ ଭାବିଲେ ସବୁ ଚିନ୍ତନ ସୃଜନର ଆମେ ହେଲୁ କର୍ତ୍ତା।

ଭାରତରେ କ୍ରମଶଃ ସାମ୍ରାଜ୍ୟବାଦୀ ଶାସନର ବିସ୍ତାର ଆରମ୍ଭ ହେଲା। ସେତେବେଳେ ୟୁରୋପୀୟ ଚିନ୍ତାନାୟକମାନଙ୍କୁ ନିଜ ସାମ୍ରାଜ୍ୟବାଦୀ ମାନ୍ୟତା ବିଷୟରେ ପୁନର୍ଚିନ୍ତନ କରିବାକୁ ପଡ଼ିଲା। ତାଙ୍କ ଶାସନ ସମୟରେ ଯଦିଓ ଭାରତରେ ଅନେକ ପ୍ରକାର ଧାର୍ମିକ, ସାମାଜିକ କୁରୀତି ବିଦ୍ୟମାନ ଥିଲା ତଥାପି ତାକୁ ପାର ହୋଇ ସେମାନେ ଯେତେବେଳେ ଏହାର ମୂଳ ସାଂସ୍କୃତିକ ଓ ବୌଦ୍ଧିକ ସମ୍ପଦକୁ ଦର୍ଶନ କଲେ ସେତେବେଳେ ପଶ୍ଚାତ୍ୟର ଭାରତ ପ୍ରତି ଥିବା ରଣନୀତି ବଦଳିଗଲା। ଅନେକ ପାଶ୍ଚାତ୍ୟ ଚିନ୍ତକ ଭାରତୀୟ ଦର୍ଶନ ଓ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଏହାର ମୁକ୍ତ ପ୍ରଶଂସକ ଓ ଅନୁଯାୟୀ ହୋଇଗଲେ। ସେମାନେ ଭାରତ ବିରୋଧୀ ବୁଦ୍ଧି ଓ ଲେଖାର ସଂଶୋଧନ କଲେ। ଭାରତୀୟ ଦର୍ଶନର ଶ୍ରେଷ୍ଠତା ଓ ସୃଜନଶୀଳତାକୁ ଆଖି ଆଗରେ ରଖି କାର୍ଯ୍ୟ ଆରମ୍ଭ କଲେ। ଯଥାର୍ଥରେ ସେଇଠୁ ଆରମ୍ଭ ହେଲା ପ୍ରାଚ୍ୟ ବିଦ୍ୟା ବା 'ଓରିଏଣ୍ଟାଲିଜିମ'ର ଅୟମାରମ୍ଭ।

ଏହା ଭାରତର ଦାର୍ଶନିକ ଉପଲବ୍ଧି ଓ ବୈଭବଗୁଡ଼ିକୁ ପ୍ରାଥମିକତା ଦେଇ ଅଧ୍ୟୟନ କାର୍ଯ୍ୟକୁ ଆଗକୁ ବଢ଼ାଇଲା। କିନ୍ତୁ  ସାମ୍ରାଜ୍ୟବାଦୀମାନେ ଏହାକୁ ହଜମ କରି ପାରିଲେ ନାହିଁ। ସେମାନେ ପ୍ରାଚ୍ୟ ଶାସ୍ତ୍ରକୁ "ଭାରତ ପୂଜକ" ବା ଇଣ୍ଡିଆ ଓରସିପର୍ସ କହି ସମାଲୋଚନା କଲେ।

ତଥାପି ପ୍ରକାରାନ୍ତରେ ପାଶ୍ଚାତ୍ୟବାସୀ ଭାରତୀୟ ଦର୍ଶନ ଓ ଚିନ୍ତନକୁ ଦୋହନ କରିବା ଆରମ୍ଭ କରିଦେଇଥିଲେ ଏବଂ ଏହାକୁ ନିଜ ଦାର୍ଶନିକ ଉନ୍ନତିର ଆଧାର ବୋଲି ଅନୁଭବ କଲେ।
ସାମାନ୍ୟ ପାଶ୍ଚାତ୍ୟ ବାସୀ ଏହି କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ସାମ୍ରାଜ୍ୟବାଦୀ ବୌଦ୍ଧିକ ଜଗତ ଏହାକୁ ଉଚିତ ସମ୍ମାନ ଦେଲା ନାହିଁ। କାରଣ ସେମାନଙ୍କ ଭିତରେ ଥିଲା ଶାସକତ୍ୱର ବୃଥା ଅହମିକା, ଉତ୍କୃଷ୍ଟ ଓ ନିକୃଷ୍ଟ, ନିଜ ଓ ପର ଭାବନା। ସାମ୍ରାଜ୍ୟବାଦ ପତନ ହେଲା ପରେ ମଧ୍ୟ ଏହି ପର ଭାବନା (ଅଦରନେସ) ସେମାନଙ୍କ ଚିନ୍ତା ଚେତନାରୁ ଲିଭି ନାହିଁ। ସେହି କୁହୁଳା ନିଆଁ ଅନେକ ସମୟରେ ସଂଘର୍ଷର କାରଣ ହେଉଛି।

୨୨.୧୦.୧୮