*ନଶ୍ୱର ଭିତରେ ଶାଶ୍ୱତ ତତ୍ତ୍ୱ*
ବେଳେବେଳେ ଲାଗେ ଏତେ ପରିବର୍ତ୍ତନ ଭିତରେ ମଧ୍ୟ ମୁଁ ଯେମିତି ଥିଲି ସେମିତି ଅଛି। ଏପରି ବୋଧ ହୁଏ କାହିଁକି ? ଆମ ଜୀବନ କୌଣସି କୋଠା ଘର ଭଳି ସ୍ଥିର ନୁହେଁ, ବରଂ ଏହା ନଦୀ ଭଳି ଗତିଶୀଳ। ନଦୀର କୌଣସି ପାଣିରେ ଦ୍ଵିତୀୟ ଥର ସ୍ନାନ କରିବା ସମ୍ଭବ ନୁହେଁ। କାରଣ ସେହି ପାଣି ଆଗକୁ ବହି ଯାଉଥାଏ। ଦ୍ଵିତୀୟ ଥର ପାଣିରେ ବୁଡ଼ିବା ବେଳକୁ ପ୍ରଥମ ପାଣି ଆଉ ନ ଥାଏ। ନୂଆ ପାଣି ସହିତ ନଦୀ ବି ନୂଆଭଳି ଲାଗେ। କିନ୍ତୁ ନା, ନଦୀ ଗୋଟିଏ, ତା' ରୂପ ଖାଲି ବଦଳୁଥାଏ। କେବଳ ପ୍ରବାହ ଥାଏ, ଯାହା ନିରନ୍ତର ଆଗକୁ ବଢୁଥାଏ। ଏହିପରି ମଧ୍ୟ ଆମର ବାହ୍ୟ ଅସ୍ତିତ୍ବର ସ୍ଥିତି। ଶରୀର, ମନ, ବୁଦ୍ଧିର ପ୍ରକ୍ରିୟା ସର୍ବଦା ବଦଳୁଥାଏ। ଏହା ଶାଶ୍ୱତ ନୁହଁ, ସ୍ଥିର ନୁହଁ; କିନ୍ତୁ ଏ ସବୁ ମିଶିଲେ ଗୋଟିଏ ମଣିଷ।
ଆମ ଶରୀରର ଗଠନ ବି ସେମିତି ହୋଇଛି। ମା' ଗର୍ଭରେ ପ୍ରଥମ ଜୀଵକୋଷ ବଢ଼ି ବଢ଼ି ପାଞ୍ଚ ହଜାର କୋଟି ଜୀବକୋଷ ତିଆରି ହୁଏ। ଏହା କିପରି ତିଆରି ହୁଏ ? ଏଥିରେ କେଉଁ ଚେତନା ଥାଏ ?
ବୃକ୍ଷର ମଞ୍ଜି ବି ସେଇଭଳି। ଏହା କେତେ ଛୋଟ ! ତଥାପି ସେହି ଛୋଟ ମଞ୍ଜି ଭିତରେ ବିଶାଳ ବୃକ୍ଷ ହେବାର କ୍ଷମତା ଥାଏ। ଏହା କିପରି ସମ୍ଭବ ହେଉଛି ? ଏହା ଭିତରେ କେଉଁ ଚେତନା ଶକ୍ତି ଅଛି ? କେମିତି ଏହା ଏତେ ବଢ଼ି ପାରୁଛି ? ଅବଶ୍ୟ କେଉଁ ଚେତନା ଶକ୍ତି ଅଛି ଯାହା ଅନ୍ୟାନ୍ୟ ସବୁ ତତ୍ତ୍ୱକୁ ସାଙ୍ଗରେ ନେଇ ଯୋଡ଼ାଯୋଡ଼ି କରି ବଡ଼ ଆତ୍ମୀୟତାର ସହ ତାହାକୁ ଏକ ଶରୀର ରୂପେ ବିକଶିତ କରୁଛି। ନିଜ ଭିତରେ ଥିବା ଏହି ଚେତନା ଶକ୍ତି ଦ୍ୱାରା ହିଁ ସାରା ଖେଳ ଚାଲିଛି।
ଯାହାକୁ 'ମୁଁ', 'ମୋ ବ୍ୟକ୍ତିତ୍ବ' ବୋଲି ଆମେ କହୁଛୁ - ସେ ଶରୀର ଏତେ ନଶ୍ୱର ହେବା ପରେ ମଧ୍ୟ ପିଲାବେଳଠୁ ଆଜି ପର୍ଯ୍ୟନ୍ତ ସେଥିରେ ଶରୀର ଦୃଷ୍ଟିରୁ, ଭାବନା ଦୃଷ୍ଟିରୁ, ବୁଦ୍ଧି ଦୃଷ୍ଟିରୁ ଏତେ ସବୁ ପରିବର୍ତ୍ତନ ହେବା ପରେ ମଧ୍ୟ ମୁଁ ସ୍ଥିର ଅଛି। ମୁଁ ପିଲାବେଳେ ଥିଲି, ଯୌବନରେ ଥିଲି, ବୃଦ୍ଧାବସ୍ଥାରେ ବି ଅଛି। ସବୁ ଅବସ୍ଥାରେ 'ମୁଁ' ତତ୍ତ୍ୱଟି ସ୍ଥିର ରହୁଛି। ଏହି ମୁଁ ତତ୍ତ୍ୱ ଯାହା ଶରୀର, ମନ ଓ ବୁଦ୍ଧିଠାରୁ ଅଲଗା ହୋଇ ମଧ୍ୟ ସମସ୍ତଙ୍କୁ ଯୋଡ଼ିବାରେ, ସମସ୍ତଙ୍କ ଭିତରେ ସମନ୍ୱୟ ଆଣିବାରେ, ସମସ୍ତଙ୍କ ଭିତରେ ସାମଞ୍ଜସ୍ୟ ପ୍ରସ୍ଥାପିତ କରିବାରେ ପ୍ରମୁଖ ସୂତ୍ରଧର ଅଟେ। ଏହାକୁ ଆମେ ଆତ୍ମା, ପରମାତ୍ମା ଓ ବ୍ରହ୍ମ ବୋଲି କହିଥାଉଁ। ଏହା ଆମର ଚେତନା ଶକ୍ତି ଅଟେ।
ଆମକୁ ନିତ୍ୟ ଅନୁଭବରେ ଆସୁଥିବା ଆଉ ଏକ ବିଷୟ ହେଲା ନିଦ୍ରା। ମନେକର ଏବେ ଆମେ ଜାଗ୍ରତ ଅବସ୍ଥାରେ ଅଛନ୍ତି, ଆମକୁ ଲାଗୁଛି ଆମେ ଜାଗ୍ରତ ଅବସ୍ଥାରେ ଅଛନ୍ତି, ପ୍ରକୃତରେ ଜାଗ୍ରତ କି ନୁହେଁ ତାହା ତ ଭଗବାନ ଜାଣନ୍ତି। ଏହା ଏକ ଅବସ୍ଥା।
ଆଉ ଏକ ଅବସ୍ଥା ହେଲା ସ୍ୱପ୍ନାବସ୍ଥା। ଏଥିରେ ଆମେ ଶୋଇଥାଉ। କିନ୍ତୁ ସ୍ୱପ୍ନ ଦେଖୁ। ଏହି ସ୍ୱପ୍ନ ଆମକୁ ସତ୍ୟ ବୋଲି ପ୍ରତୀତ ହୁଏ। ନିଦ୍ରା ତ୍ୟାଗ ପରେ ଆମେ ଜାଣୁ ଏହା ସତ୍ୟ ନୁହଁ, କେବଳ ସ୍ୱପ୍ନ ଥିଲା।
ଆଉ ଏକ ଅବସ୍ଥା ହେଉଛି ଗଭୀର ନିଦ୍ରା। ଏଥିରେ ସ୍ୱପ୍ନ ନ ଥାଏ। ସେ ସମୟରେ ଆମେ କେଉଁ ଲୋକରେ ଥାଆନ୍ତି କିଏ ଜାଣେ ? କିନ୍ତୁ ଉଠିବା ପରେ ମନ ଖୁସି ହୋଇ ଯାଏ।
ପ୍ରତିଦିନ ଆମେ ନିଦ୍ରା ଯାଆନ୍ତି। ଶୋଇବା ଓ ନିଦ ଆସିବା ଏହାର ଅର୍ଥ କ'ଣ ? ଏହା କା' ହାତରେ ଅଛି ? ପ୍ରତିଦିନ ୪-୬ ଘଣ୍ଟା ଆମେ ଏଇ ଅବସ୍ଥା ଦେଇ ଗତି କରନ୍ତି। ନିଦ, ସ୍ୱପ୍ନ, ଗଭୀର ନିଦ - ଏ ସବୁରେ ବି 'ମୁଁ' ଅଛି।
ଆମେ କହୁ - ମୋତେ ଭଲ ନିଦ ହେଲା, କାଲି ରାତିରେ ମୁଁ ସୁନ୍ଦର ସ୍ୱପ୍ନ ଦେଖିଲି, ସ୍ୱପ୍ନରେ ମୁଁ ରସଗୋଲା ଖାଇଥିଲି, କିନ୍ତୁ ଜଳପାନରେ ଚଣା ମିଳିଲା।
ରାତିରେ ସ୍ୱପ୍ନରେ ରସଗୋଲା ଖାଇଲା ବେଳେ ମୁଁ ଥିଲି। ଏବେ ଚଣା ଖାଇବା ବେଳେ ମୁଁ ଅଛି। ଉଭୟ ସ୍ଥାନରେ ମୁଁ ଅଛି। ଏହା ବି ସତ୍ୟ ବୋଲି ମୁଁ କହୁଛି। କିନ୍ତୁ ଏ 'ମୁଁ' କିଏ ?
ଏହାର ସ୍ୱରୂପ କ'ଣ ? ଏହା କେହି ଜାଣନ୍ତି ନାହିଁ।
