Wednesday, 29 January 2020

(୪)

*ନଶ୍ୱର ଭିତରେ ଶାଶ୍ୱତ ତତ୍ତ୍ୱ*

ବେଳେବେଳେ ଲାଗେ ଏତେ ପରିବର୍ତ୍ତନ ଭିତରେ ମଧ୍ୟ ମୁଁ ଯେମିତି ଥିଲି ସେମିତି ଅଛି। ଏପରି ବୋଧ ହୁଏ କାହିଁକି ? ଆମ ଜୀବନ କୌଣସି କୋଠା ଘର ଭଳି ସ୍ଥିର ନୁହେଁ, ବରଂ ଏହା ନଦୀ ଭଳି ଗତିଶୀଳ। ନଦୀର କୌଣସି ପାଣିରେ ଦ୍ଵିତୀୟ ଥର ସ୍ନାନ କରିବା ସମ୍ଭବ ନୁହେଁ। କାରଣ ସେହି ପାଣି ଆଗକୁ ବହି ଯାଉଥାଏ। ଦ୍ଵିତୀୟ ଥର ପାଣିରେ ବୁଡ଼ିବା ବେଳକୁ ପ୍ରଥମ ପାଣି ଆଉ ନ ଥାଏ। ନୂଆ ପାଣି ସହିତ ନଦୀ ବି ନୂଆଭଳି ଲାଗେ। କିନ୍ତୁ ନା, ନଦୀ ଗୋଟିଏ, ତା' ରୂପ ଖାଲି ବଦଳୁଥାଏ। କେବଳ ପ୍ରବାହ ଥାଏ, ଯାହା ନିରନ୍ତର ଆଗକୁ ବଢୁଥାଏ। ଏହିପରି ମଧ୍ୟ ଆମର ବାହ୍ୟ ଅସ୍ତିତ୍ବର ସ୍ଥିତି। ଶରୀର, ମନ, ବୁଦ୍ଧିର ପ୍ରକ୍ରିୟା ସର୍ବଦା ବଦଳୁଥାଏ। ଏହା ଶାଶ୍ୱତ ନୁହଁ, ସ୍ଥିର ନୁହଁ; କିନ୍ତୁ ଏ ସବୁ ମିଶିଲେ  ଗୋଟିଏ ମଣିଷ।

ଆମ ଶରୀରର ଗଠନ ବି ସେମିତି ହୋଇଛି। ମା' ଗର୍ଭରେ ପ୍ରଥମ ଜୀଵକୋଷ ବଢ଼ି ବଢ଼ି ପାଞ୍ଚ ହଜାର କୋଟି ଜୀବକୋଷ ତିଆରି ହୁଏ। ଏହା କିପରି ତିଆରି ହୁଏ ? ଏଥିରେ କେଉଁ ଚେତନା ଥାଏ ?

ବୃକ୍ଷର ମଞ୍ଜି ବି ସେଇଭଳି। ଏହା କେତେ ଛୋଟ ! ତଥାପି ସେହି ଛୋଟ ମଞ୍ଜି ଭିତରେ ବିଶାଳ ବୃକ୍ଷ ହେବାର କ୍ଷମତା ଥାଏ। ଏହା କିପରି ସମ୍ଭବ ହେଉଛି ? ଏହା ଭିତରେ କେଉଁ ଚେତନା ଶକ୍ତି ଅଛି ? କେମିତି ଏହା ଏତେ ବଢ଼ି ପାରୁଛି ? ଅବଶ୍ୟ କେଉଁ ଚେତନା ଶକ୍ତି ଅଛି ଯାହା ଅନ୍ୟାନ୍ୟ ସବୁ ତତ୍ତ୍ୱକୁ ସାଙ୍ଗରେ ନେଇ ଯୋଡ଼ାଯୋଡ଼ି କରି ବଡ଼ ଆତ୍ମୀୟତାର ସହ ତାହାକୁ ଏକ ଶରୀର ରୂପେ ବିକଶିତ କରୁଛି। ନିଜ ଭିତରେ ଥିବା ଏହି ଚେତନା ଶକ୍ତି ଦ୍ୱାରା ହିଁ ସାରା ଖେଳ ଚାଲିଛି।

ଯାହାକୁ 'ମୁଁ', 'ମୋ ବ୍ୟକ୍ତିତ୍ବ' ବୋଲି ଆମେ କହୁଛୁ - ସେ ଶରୀର ଏତେ ନଶ୍ୱର ହେବା ପରେ ମଧ୍ୟ ପିଲାବେଳଠୁ ଆଜି ପର୍ଯ୍ୟନ୍ତ ସେଥିରେ ଶରୀର ଦୃଷ୍ଟିରୁ, ଭାବନା ଦୃଷ୍ଟିରୁ, ବୁଦ୍ଧି ଦୃଷ୍ଟିରୁ ଏତେ ସବୁ ପରିବର୍ତ୍ତନ ହେବା ପରେ ମଧ୍ୟ ମୁଁ ସ୍ଥିର ଅଛି। ମୁଁ ପିଲାବେଳେ ଥିଲି, ଯୌବନରେ ଥିଲି, ବୃଦ୍ଧାବସ୍ଥାରେ ବି ଅଛି। ସବୁ ଅବସ୍ଥାରେ 'ମୁଁ' ତତ୍ତ୍ୱଟି ସ୍ଥିର ରହୁଛି। ଏହି ମୁଁ ତତ୍ତ୍ୱ ଯାହା ଶରୀର, ମନ ଓ ବୁଦ୍ଧିଠାରୁ ଅଲଗା ହୋଇ ମଧ୍ୟ ସମସ୍ତଙ୍କୁ ଯୋଡ଼ିବାରେ, ସମସ୍ତଙ୍କ ଭିତରେ ସମନ୍ୱୟ ଆଣିବାରେ, ସମସ୍ତଙ୍କ ଭିତରେ ସାମଞ୍ଜସ୍ୟ ପ୍ରସ୍ଥାପିତ କରିବାରେ ପ୍ରମୁଖ ସୂତ୍ରଧର ଅଟେ। ଏହାକୁ ଆମେ ଆତ୍ମା, ପରମାତ୍ମା ଓ ବ୍ରହ୍ମ ବୋଲି କହିଥାଉଁ। ଏହା ଆମର ଚେତନା ଶକ୍ତି ଅଟେ।

ଆମକୁ ନିତ୍ୟ ଅନୁଭବରେ ଆସୁଥିବା ଆଉ ଏକ ବିଷୟ ହେଲା ନିଦ୍ରା। ମନେକର ଏବେ ଆମେ ଜାଗ୍ରତ ଅବସ୍ଥାରେ ଅଛନ୍ତି, ଆମକୁ ଲାଗୁଛି ଆମେ ଜାଗ୍ରତ ଅବସ୍ଥାରେ ଅଛନ୍ତି, ପ୍ରକୃତରେ ଜାଗ୍ରତ କି ନୁହେଁ ତାହା ତ ଭଗବାନ ଜାଣନ୍ତି। ଏହା ଏକ ଅବସ୍ଥା। 
ଆଉ ଏକ ଅବସ୍ଥା ହେଲା ସ୍ୱପ୍ନାବସ୍ଥା। ଏଥିରେ ଆମେ ଶୋଇଥାଉ। କିନ୍ତୁ ସ୍ୱପ୍ନ ଦେଖୁ। ଏହି ସ୍ୱପ୍ନ ଆମକୁ ସତ୍ୟ ବୋଲି ପ୍ରତୀତ ହୁଏ। ନିଦ୍ରା ତ୍ୟାଗ ପରେ ଆମେ ଜାଣୁ ଏହା ସତ୍ୟ ନୁହଁ, କେବଳ ସ୍ୱପ୍ନ ଥିଲା। 

ଆଉ ଏକ ଅବସ୍ଥା ହେଉଛି ଗଭୀର ନିଦ୍ରା। ଏଥିରେ ସ୍ୱପ୍ନ ନ ଥାଏ। ସେ ସମୟରେ ଆମେ କେଉଁ ଲୋକରେ ଥାଆନ୍ତି କିଏ ଜାଣେ ? କିନ୍ତୁ ଉଠିବା ପରେ ମନ ଖୁସି ହୋଇ ଯାଏ।

 ପ୍ରତିଦିନ ଆମେ ନିଦ୍ରା ଯାଆନ୍ତି। ଶୋଇବା ଓ ନିଦ ଆସିବା ଏହାର ଅର୍ଥ କ'ଣ ? ଏହା କା' ହାତରେ ଅଛି ? ପ୍ରତିଦିନ ୪-୬ ଘଣ୍ଟା ଆମେ ଏଇ ଅବସ୍ଥା ଦେଇ ଗତି କରନ୍ତି। ନିଦ, ସ୍ୱପ୍ନ, ଗଭୀର ନିଦ - ଏ ସବୁରେ ବି 'ମୁଁ' ଅଛି।

ଆମେ କହୁ - ମୋତେ ଭଲ ନିଦ ହେଲା, କାଲି ରାତିରେ ମୁଁ ସୁନ୍ଦର ସ୍ୱପ୍ନ ଦେଖିଲି, ସ୍ୱପ୍ନରେ ମୁଁ ରସଗୋଲା ଖାଇଥିଲି, କିନ୍ତୁ ଜଳପାନରେ ଚଣା ମିଳିଲା।

ରାତିରେ ସ୍ୱପ୍ନରେ ରସଗୋଲା ଖାଇଲା ବେଳେ ମୁଁ ଥିଲି। ଏବେ ଚଣା ଖାଇବା ବେଳେ ମୁଁ ଅଛି। ଉଭୟ ସ୍ଥାନରେ ମୁଁ ଅଛି। ଏହା ବି ସତ୍ୟ ବୋଲି ମୁଁ କହୁଛି। କିନ୍ତୁ ଏ 'ମୁଁ' କିଏ ?
ଏହାର ସ୍ୱରୂପ କ'ଣ ? ଏହା କେହି ଜାଣନ୍ତି ନାହିଁ।

Tuesday, 28 January 2020

(୩)

ମୁଁ କିଏ ?
ମଣିଷର ସ୍ୱରୂପ କ'ଣ ? 
ଏହାର ଅନୁମାନ କରିବା ଆଦୌ କଠିନ ନୁହେଁ। ନିଜର ସାମାନ୍ୟ ଅନୁଭବକୁ ନେଇ ଯଦି କୌଣସି ସାଧାରଣ ବ୍ୟକ୍ତି ଏହା ବିଷୟରେ ବିଶ୍ଳେଷଣ କରନ୍ତି, ତେବେ ସେ ଏ ବିଷୟରେ ଠିକ୍ ଆକଳନ କରିପାରିବେ।

  ମୋ ଶରୀର, ମୋ ହାତ, ମୋ ଆଖି, ମୋ ମୁଣ୍ଡ, ମୋର ଦେହ ଆଜି ଭଲ ନାହିଁ - ଏଭଳି ଶବ୍ଦ ପ୍ରୟୋଗ କଲାବେଳେ କେହି ଏପରି ବୁଝେ ନାହିଁ ଯେ ମୁଁ ଏସବୁରୁ ଅଲଗା। 
ମୋ ସାଙ୍ଗ, ମୋ ଘର, ମୋ ପଇସା - ଏଭଳି ଶବ୍ଦ ପ୍ରୟୋଗ କଲେ ଟିକିଏ ଲାଗେ ମୁଁ ଅଲଗା, ସାଙ୍ଗ ଅଲଗା, ଘର, ପଇସା ଅଲଗା।
 ଏହିପରି ଅଜାଣତରେ ଆମେ କହିଥାଉଁ ଯେ ମୁଁ ଶରୀର ନୁହେଁ। 
ଆମେ ନିଜ ବିଚାର ବ୍ୟକ୍ତ କଲାବେଳେ ମଧ୍ୟ କହିଥାଉଁ ଯେ, 'ମୋ ମନ ଅଶାନ୍ତ ଅଛି, ମୋ ବୁଦ୍ଧି କାମ କରୁ ନାହିଁ।' ଏଇ ଦୁଇଟି ବାକ୍ୟରୁ ସ୍ପଷ୍ଟ ଜଣା ପଡୁଛି ଯେ ମୁଁ କିଛି ଅଲଗା। ମୋର କିଛି ଅଲଗା ଅସ୍ତିତ୍ୱ ଅଛି। ମୁଁ ମନ ନୁହେଁ, ମୁଁ ବୁଦ୍ଧି ନୁହେଁ - ଏଭଳି ଆଭାସ ହେଉଛି। 

ଥରେ ଦୀନଦୟାଲଜୀ ତାଙ୍କର ଏକ ରୋଚକ ଅନୁଭଵ ଶୁଣାଇଥିଲେ -

ଗୋଟିଏ ସାନ ପିଲାକୁ ସେ କହିଲେ, "ମୋତେ ଛୁଅଁ।"
ପିଲାଟି ତୁରନ୍ତ ତାଙ୍କ ପାଦକୁ ସ୍ପର୍ଶ କଲା। ସେ କହିଲେ, "ତୁମେ ତ ମୋର ପାଦକୁ ଛୁଇଁଲ, ମୋତେ କେଉଁଠି ଛୁଇଁଲ ? ପିଲାଟି ପୁଣି ତାଙ୍କ ହାତକୁ ଛୁଇଁଲା, ମୁଣ୍ଡକୁ ଛୁଇଁଲା। ପ୍ରତି ଥର ଦୀନଦୟାଲଜୀ ସେଇ ପ୍ରଶ୍ନ ଦୋହରାଇଲେ। ପିଲାଟି ହାରିଗଲା...। ଆଉ କିଛି ନ କହି ସେଠୁ ପଳେଇଲା।

 କିଛି ସମୟ ପରେ ଚୁପ୍ ଚୁପ୍ କି ଆସି ଦୀନଦୟାଲଜୀଙ୍କ ପିଠିରେ ଖୁବ ଜୋର୍ ରେ ବିଧା ମାରିଲା। 
ପଣ୍ଡିତଜୀଙ୍କ ମୁହଁରୁ ସ୍ୱାଭାବିକ ବାହାରି ଆସିଲା, "ଆରେ ବାବା, ମୋତେ କାହିଁକି ମାରୁଛ ?"

ପିଲାଟି କହିଲା, "ମୁଁ ତ ତୁମକୁ ମାରି ନାହିଁ। ମୁଁ ତୁମ ପିଠିକୁ ମାରିଛି।"

ଏଥିରୁ ବୁଝି ହେଉଛି ଯେ ମୁଁ ସବୁଥିରେ ଥାଇ ମଧ୍ୟ ସବୁଠୁ ଅଲଗା।

ଏହିପରି ଆମେ ଜାଣୁ ଯେ ଆମ ଶରୀର ନଶ୍ୱର, କ୍ଷଣଭଙ୍ଗୁର। ଏହା ପାଣିଫୋଟକା ଭଳି କ୍ଷଣସ୍ଥାୟୀ। ବିଜ୍ଞାନ ମଧ୍ୟ ସେଇ କଥା କହୁଛି। ଆମ ଯକୃତର ପ୍ରତ୍ୟେକ ଜୀଵକୋଷ ପ୍ରତି ଛ' ସପ୍ତାହରେ ବଦଳିଯାନ୍ତି। ଆମ ହାଡ଼ ଏତେ ଶକ୍ତ, ତଥାପି ପ୍ରତି ତିନି ମାସରେ ଏହାର କୋଷ ବଦଳି ଯାଇଥାଏ। ଆମ ଚମଡ଼ାର କୋଷ ମାସେ ଭିତରେ ବଦଳି ଯାଏ। ଆହୁରି ଶୀଘ୍ର ବଦଳୁଥାନ୍ତି ଆମ ପାକସ୍ଥଳୀର କୋଷଗୁଡ଼ିକ। ବର୍ଷେ ଭିତରେ ଆମ ଶରୀରର ନବେ ଭାଗ କୋଷ ମରିଯାଇଥାନ୍ତି। ଅର୍ଥାତ୍ ପ୍ରତି କ୍ଷଣ ଆମ ଶରୀରରେ କୋଷ ମରୁଥାନ୍ତି। ନୂଆ ନିର୍ମାଣ ହେଉଥାଏ। ନୂଆ ସୃଷ୍ଟିକୁ ଦେଖିଲେ ଆମକୁ ଲାଗେ ଆମ ଶରୀର ପୂର୍ବରୁ ଯେମିତି ଥିଲା, ସେମିତି ଅଛି, ଏଥିରେ କିଛି ପରିବର୍ତ୍ତନ ହୋଇ ନାହିଁ। କିନ୍ତୁ ପ୍ରକୃତ କଥା ସେଇଆ ନୁହଁ। ଆମ ଶରୀରରେ କୋଟି କୋଟି ଜୀବକୋଷ ମରିଯାଇଥାନ୍ତି। ୭ ବର୍ଷ ଭିତରେ ପୁରୁଣା ସବୁ ଜୀବକୋଷ ମରିଯାଇଥାନ୍ତି। ସେ ସ୍ଥାନ ନେଇଥାନ୍ତି ନୂଆ ଜୀବକୋଷ। ଠିକ୍ ସେହିପରି ମନ, ବୁଦ୍ଧି, ବିଚାର ଓ ଭାବନାରେ ମଧ୍ୟ ନିରନ୍ତର ପରିବର୍ତ୍ତନ ହେଉଥାଏ। 

Monday, 27 January 2020

ବିଶ୍ୱ ଶାନ୍ତି ଓ ହିନ୍ଦୁତ୍ୱ(୨)

*ସମୃଦ୍ଧିରେ କ'ଣ ସୁଖ ଅଛି ?*

ଆମେ ରୁଷରେ ସାମ୍ୟବାଦର ବିଫଳତା ବିଷୟରେ ଶୁଣିଥିଲେ। ଆଜି ଆମେରିକା କଥା ବିଚାର କରିବା। ସେଠାରେ ଅନ୍ନର ଅଭାବ ନାହିଁ। ଶାରୀରିକ ସୁଖ ପାଇଁ ଯାହା ଯାହା ଆବଶ୍ୟକ, ସେ ସବୁ ସେଠାରେ ଉପଲବ୍ଧ ଅଛି; ତଥାପି ସେଠାରେ ମନର ସୁଖ ନାହିଁ, କାହାରି ମନରେ ଶାନ୍ତି ନାହିଁ। ସେଠାରେ ହାହାକାର ଅଛି, ଅଶାନ୍ତି ଅଛି। ରୁଷରେ ଅନ୍ନାଭାଵ ଲାଗିରହିଥିଲା। ପ୍ରଜାମାନେ ଭୋକିଲା ରହିବା କାରଣରୁ ସେଠାରେ ସାମ୍ୟବାଦ ବିଫଳ ହେଲା। କିନ୍ତୁ ପାଶ୍ଚାତ୍ୟ ପୁଞ୍ଜିବାଦୀ ଦେଶରେ ସ୍ୱତନ୍ତ୍ରତା, ସମାନତା ଓ ଶାରୀରିକ ସୁଖ କଥା ବିଚାର କଲେ ଦେଖିବା ଏ ସବୁ ଏଠି ତ ପର୍ଯ୍ୟାପ୍ତ ମାତ୍ରାରେ ମିଳୁଥିଲା, ତଥାପି ସେମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ସେମାନଙ୍କୁ ମାନସିକ ଶାନ୍ତି ମିଳୁ ନାହିଁ। ତେଣୁ ସେମାନେ ମଧ୍ୟ ତୃତୀୟ ବିକଳ୍ପ ଖୋଜିବାରେ ଲାଗିଛନ୍ତି।

ଏଥିରୁ ଏହା ସ୍ପଷ୍ଟ ଯେ କୌଣସି ସିଦ୍ଧାନ୍ତ ସେତେବେଳେ ବୈଶ୍ବିକ ହୋଇ ପାରିବ ଯେତେବେଳେ ତା ଭିତରେ ସମସ୍ତଙ୍କୁ ସୁଖ ଦେବାର କ୍ଷମତା ଥିବ। ଅର୍ଥାତ୍ ବୈଚାରିକ, ମାନସିକ ଓ ଆତ୍ମିକ ସ୍ତରରେ ଏହା ସୁଖ ଦେଇପାରୁଥିବ।

*ଗଣେଶ ଗଢୁ ଗଢୁ ମାଙ୍କଡ଼ ଗଢ଼ି ହୋଇଯାଏ*

ମଣିଷକୁ ସୁଖ ଦେବା ପାଇଁ ସାରା ବିଶ୍ୱରେ ବିଭିନ୍ନ ପ୍ରକାର ଉପାୟ ଚିନ୍ତା କରାଯାଇଛି। ବିଭିନ୍ନ ପ୍ରକାର ଯନ୍ତ୍ରପାତିର ଉଦ୍ଭାବନ ହେଉଛି। ତଥାପି ସୁଖ ମିଳୁ ନାହିଁ। 

ଯାହାର ସୁଖ କଥା ଆମେ ଚିନ୍ତା କରୁଛନ୍ତି। ସେ କିଏ ?  ତାଙ୍କ ବିଷୟରେ ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ। 

ଯଦି ମଣିଷକୁ ଆମେ ଠିକ୍ ଭାବେ ଚିହ୍ନିବା ତେବେ ତା'ର ବାସ୍ତବ ସୁଖ କଥା ଆମେ ଚିନ୍ତା କରିପାରିବା। ଅନ୍ୟଥା ଆମର କଳ୍ପନା, ଆମର କୃତି ମନୁଷ୍ୟକୁ ପ୍ରକୃତ ସୁଖ ଦେଇ ପାରିବ ନାହିଁ। 

ଯେପରି ଜଣେ ରୋଗୀକୁ ତା'ର ରୋଗର କାରଣ ନ ଜାଣି ଔଷଧ ଦେଲେ, ପରିଣାମ ଭୟାବହ ହୁଏ। ରୋଗ ଠିକ୍ ହେବା ଜାଗାରେ ବଢ଼ିଯାଏ କିମ୍ବା ସ୍ଥଳ ବିଶେଷରେ ରୋଗୀ ମୃତ୍ୟୁ ମୁଖରେ ପଡ଼େ। ସେହିପରି ମନୁଷ୍ୟ ବିଷୟରେ ନ ଜାଣି ତାକୁ ସୁଖ ଦେବାକୁ ଭାବିଥିବା ବ୍ୟକ୍ତି ତା ଦୁଃଖର କାରଣ ହୁଏ।

ପାଶ୍ଚାତ୍ୟ  ସଭ୍ୟତାର ଯେଉଁ ପାଶ୍ଚାତ୍ୟ ଜୀବନ ଶୈଳୀ ଚାଲିଛି, ସେ ବିଷୟରେ ବିଜ୍ଞାନ ଆଧାରରେ ବିଶ୍ଳେଷଣ କରିଥିବା ଏକ ବଡ଼ ପୁସ୍ତକ ଫ୍ରାନ୍ସର ଜୀଵ ବିଜ୍ଞାନୀ ଆଲେକ୍ସିସ କରେଲ ୮୦ ବର୍ଷ ପୂର୍ବେ ଲେଖିଥିଲେ।

ଯାହା ଗତ ଶତାବ୍ଦୀର ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ପୁସ୍ତକ ଭାବେ ପରିଗଣିତ ହୋଇଛି। ଯାହାର ନାଁ ରଖାଯାଇଛି "Man the Unknown." କେତେ ସୁନ୍ଦର ନାଁ। "ଅଜ୍ଞାତ ମାନବ !" ଅର୍ଥାତ୍ ମଣିଷ କ'ଣ ଏହା ଆମେ ଜାଣି ନାହୁଁ। ସେ ସେଥିରେ ସମୂର୍ଣ୍ଣ ବୈଜ୍ଞାନିକ ଆଧାରରେ ସବୁ ତଥ୍ୟର ବିଶ୍ଳେଷଣ କରିଛନ୍ତି। ଶରୀରର, ମନର ସବୁ ପ୍ରକାର ଶାସ୍ତ୍ରୀୟ ଅଧ୍ୟୟନ କରିବା ପରେ ସେ କହିଛନ୍ତି ଯେ ମଣିଷର ପ୍ରକୃତ ସ୍ୱରୂପ କ'ଣ, ଏହା ଆମେ ଜାଣି ନାହୁଁ। ତା' ପରେ ସେ ସେଥିରେ ବର୍ଣ୍ଣନା କରିଛନ୍ତି ଯେ, "ମଣିଷର ସ୍ୱ-ରୂପ କ'ଣ ଏହା ଆମେ ଠିକ୍ ଭାବେ ନ ଜାଣି ଅଜ୍ଞାନତାର ଆଧାରରେ ମଣିଷକୁ ସୁଖ ଦେବାର ବିଶାଳ ପ୍ରାସାଦ ଠିଆ କରିଦେଇଛୁ, ତାହାର ପରିଣାମ ଯାହା ହେବା କଥା ହୋଇଛି, ତାକୁ ଆଜି ମାନବ ସମାଜ ଭୋଗ କରୁଛି।

ଏଥିପାଇଁ ଏହାର ଭିତ୍ତିଭୂମିରେ ପରିବର୍ତ୍ତନ କରିବାକୁ ପଡ଼ିବ। ସଭ୍ୟତାରେ ଥିବା ତ୍ରୁଟିକୁ ସୁଧାରିବାକୁ ହେବ, ଠିକ୍ ସିଦ୍ଧାନ୍ତ ନେବାକୁ ପଡ଼ିବ, ସେ ଆମ ପାଇଁ ନୂଆ ହୋଇପାରେ, ତାହରି ଉପରେ ହିଁ ସୁଖର ଭବନ ଠିଆ କରିବାକୁ ହେବ।"  

ଆମର ଏଠାରେ ସଂସ୍କୃତରେ ଏକ ଶ୍ଳୋକରେ କୁହାଯାଇଛି ଯେ ଜଣେ କାରିଗର ଗଣେଶ ମୂର୍ତ୍ତି ଗଢ଼ିବାକୁ ବାହାରିଲା। ସେ କେବେ ବି ଗଣେଶ ମୂର୍ତ୍ତି ଦେଖି ନ ଥିଲା। ସେ ଚିନ୍ତାରେ ପଡ଼ିଗଲା ଯେ ଶୁଣ୍ଢ କେଉଁଠି ଲଗାଇବ। ଗଣେଶ ନ ଦେଖିଲେ କ'ଣ ହେଲା, ସେ ତ ମାଙ୍କଡ଼ ଦେଖିଛି। ତେଣୁ ସେ ଶୁଣ୍ଢକୁ ମୁଣ୍ଡରେ ଲଗାଇବା ବଦଳରେ ଲାଞ୍ଜ ଜାଗାରେ ଲଗାଇ ଦେଲା। ଶ୍ଳୋକରେ କୁହାଯାଇଛି - "ବିନାୟକମ୍ ପ୍ରକୁର୍ବାଣୋ ରଚୟାମାସ ବାନରମ୍" - ଅର୍ଥାତ୍ ବିନାୟକ ଗଢୁ ଗଢୁ ସେ ବାନର ଗଢ଼ି ଦେଲା। ପାଶ୍ଚାତ୍ୟ ସଭ୍ୟତା ଦେଇଥିବା ସୁଖ ଠିକ୍ ଏହିପରି।

Friday, 17 January 2020

*ବିଶ୍ୱ ଶାନ୍ତି ଓ ହିନ୍ଦୁତ୍ୱ(୧)*

ଗତ ଶତାବ୍ଦୀର ଶେଷ ଦଶକର ଆରମ୍ଭରୁ ଆମେ ଶୁଣି ଆସୁଛୁ ଆଗାମୀ ଶତାବ୍ଦୀ ହିନ୍ଦୁ ଶତାବ୍ଦୀ ହେବ। ଆମେ ଗୀତ  ଗାଉଥିଲୁ "ଶତାବ୍ଦୀ ଆସେ ହିନ୍ଦୁତ୍ୱର।" ସେ ଦଶକ ଯାଇ ଏକ ବିଂଶ ଶତାବ୍ଦୀର ଦୁଇ ଦଶକ ମଧ୍ୟ ପାର ହେବାକୁ ବସିଛି। ଏଇ ଗତ ତିନି ଦଶକର କାର୍ଯ୍ୟ କଳାପ ଦେଖିଲେ ଲାଗୁ ନାହିଁ ଯେ ଏହା କେବଳ ଏକ ଶୁଷ୍କ ସ୍ଲୋଗାନ ଥିଲା। କୌଣସି ସ୍ଲୋଗାନ ବା ବିଚାର ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଜାଣିବାକୁ ପଡ଼େ ଏହାର ବୈଚାରିକ ପୃଷ୍ଠଭୂମି କ'ଣ ? ହିନ୍ଦୁତ୍ୱ ଭିତରେ ବିଶ୍ୱକୁ ଶାନ୍ତି ଦେଲା ଭଳି କିଛି ଆଦର୍ଶ ଅଛି କି ନାହିଁ ? ବିଶ୍ୱକୁ ଶାନ୍ତି ଦେବା ଭଳି କଥା କହିବା ପଛରେ ଏହା ପାଖରେ ଆଧାର କ'ଣ ଅଛି ? 

ବିଶ୍ୱ ଅର୍ଥାତ୍ ସମଗ୍ର ଜଗତକୁ ପ୍ରଭାବିତ କଲାଭଳି କି ଜିନିଷ ଅଛି ହିନ୍ଦୁତ୍ୱ ପାଖରେ ଯାହାକୁ ସାରା ବିଶ୍ୱର ମାନବ ଜାତି ସ୍ୱୀକାର କରିବ ? ଯଦି ଅଛି ତେବେ ଆମେ କହି ପାରିବା ଯେ ହିନ୍ଦୁ ବିଚାର ହେଉଛି ବୈଶ୍ବିକ ବିଚାର। 

 ଆମକୁ ଜାଣିବାକୁ ପଡ଼ିବ ଯେ ସମଗ୍ର ମାନବ ଜାତି ଗୋଟିଏ ବିଚାରକୁ କେବେ ସ୍ୱାଗତ କରେ ଓ କେଉଁ ଆଧାରରେ ସ୍ୱାଗତ କରେ ? କେବଳ ମଣିଷ ନୁହଁନ୍ତି ସର୍ବ ସାଧାରଣ ପ୍ରାଣୀ, ପଶୁ-ପକ୍ଷୀ, କୀଟ-ପତଙ୍ଗ, ଏପରିକ ବୃକ୍ଷ-ଲତା ମଧ୍ୟ ସୁଖ ଚାହାନ୍ତି। ଆମେ ଯଦି କୌଣସି ଗଛକୁ ଛାଇରେ ଲଗାଉଛୁ ତେବେ ଦେଖୁଛୁ ତା' ଶାଖା ପ୍ରଶାଖା ଖରା ପଡୁଥିବା ଦିଗକୁ ବଢୁଛି। ଏଥିରୁ ଜଣା ପଡୁଛି ଯେ ଯେଉଁ ସିଦ୍ଧାନ୍ତ ଦ୍ୱାରା ଅଖିଳ  ମାନବ ଜାତିକୁ ସୁଖ ମିଳିବ ସେ ତାକୁ ହିଁ ସ୍ୱୀକାର କରିବ, ଯେଉଁଥିରେ ତାକୁ ସୁଖ ମିଳିବ ନାହିଁ ସେସବୁକୁ ସେ ପ୍ରତ୍ୟାଖ୍ୟାନ କରିବ।

ଏ ପର୍ଯ୍ୟନ୍ତ ବିଶ୍ୱ ଇତିହାସ ସେହି କଥା କହି ଆସୁଛି ଯେ ଯେଉଁ ଦିଗରେ ସୁଖର ସନ୍ଧାନ ମିଳୁଛି ସାରା ବିଶ୍ୱ ସେଇ ଆଡ଼େ ଦୌଡୁଛି, କିଛି ଦିନ ଦୌଡ଼ିବା ପରେ ଯଦି ତାକୁ ଲାଗୁଛି ଯେ ନା, ଏଠି ସୁଖ ମିଳିବ ନାହିଁ, ତେବେ ସେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ଆଉ ଏକ ରାସ୍ତା ଖୋଜୁଛି। ଏହି ଭଳି ଅନେକ ପ୍ରୟୋଗ ହୋଇଛି। କେତେବେଳେ ଏହା ସମ୍ପ୍ରଦାୟ ନାଁ ରେ ହୋଇଛି ତ କେତେବେଳେ ବିଜ୍ଞାନ ଆଧାରରେ। ଏହି ପ୍ରୟୋଗ ଆଜି ମଧ୍ୟ ଚାଲୁ ରହିଛି। ଆର୍ଥିକ ସିଦ୍ଧାନ୍ତ ଓ ରାଜନୀତିକ ସିଦ୍ଧାନ୍ତକୁ ନେଇ ମଧ୍ୟ ଏହାର ପ୍ରୟୋଗ ଚାଲିଛି। ଏ ସବୁର ଏକ ମାତ୍ର ଉଦ୍ଦେଶ୍ୟ ହେଲା ମଣିଷକୁ ସୁଖ କେମିତି ମିଳିବ ? ପ୍ରକୃତରେ ସୁଖର ସନ୍ଧାନ ହିଁ ସବୁ ବ୍ୟବସ୍ଥା ଓ ସବୁ ଦର୍ଶନର ଏକମାତ୍ର ଉଦ୍ଦେଶ୍ୟ। ମନୁଷ୍ୟ ସବୁବେଳେ ଅଧିକ ସୁଖ ତଥା ଅପର୍ଯ୍ୟାପ୍ତ ସୁଖ ଚାହେଁ। ଯଦି ସୁଖ ନାହିଁ, ଶାନ୍ତି ନାହିଁ, ତେବେ ସେହି ବିଚାରଧାର ଯେତେ ଶ୍ରେଷ୍ଠ ହେଉନା କାହିଁକି, ତାହାକୁ ସେ ପ୍ରତ୍ୟାଖ୍ୟାନ କରେ। 

ରୁଷର ଉଦାହରଣ ନେବା। ସେଠାରେ ୭୫ ବର୍ଷ ପର୍ଯ୍ୟନ୍ତ ସାମ୍ୟବାଦର ଖୁବ୍ ପ୍ରୟୋଗ ହେଲା। ସେପରି ପ୍ରୟୋଗ ଆଉ କେଉଁଠି ହୋଇ ନାହିଁ। ସରକାରଙ୍କ ପାଖରେ ନିରଙ୍କୁଶ କ୍ଷମତା ଥିଲା। ପ୍ରତ୍ୟକ ବ୍ୟକ୍ତି ଉପରେ, ପତି ପତ୍ନୀ ଉପରେ, ଏପରିକି ନିଜ ସନ୍ତାନଙ୍କ ଉପରେ ବିଶ୍ୱାସ କରିବା କଠିନ ଥିଲା। ୨୪ ଘଣ୍ଟା ସରକାର ହିଁ ସିସିଟିଭି ଭଳି ସମସ୍ତଙ୍କୁ ଧ୍ୟାନ ଦେବାର ବ୍ୟବସ୍ଥା କରିଥିଲା। ମୋଲୋତୋବ୍ ଜୋ ଯେତେବେଳେ ବିଦେଶ ମନ୍ତ୍ରୀ ଥିଲେ ସେତେବେଳେ ଥରେ ପୋଲିସ ତାଙ୍କ ପତ୍ନୀଙ୍କୁ ଗିରଫ କରି ନେଇଥିଲା। ମୋଲୋତୋବ୍ ସେ ବିଷୟରେ ପାଟି ଖୋଲିବାର ସ୍ଥିତିରେ ନ ଥିଲେ। ମୋ ପତ୍ନୀକୁ କୁଆଡ଼େ ନେଉଛ, ଏହା ପଚାରିବାର ବି ଅଧିକାର ନ ଥିଲା। ଅର୍ଥାତ୍ ପତ୍ନୀ ଉପରେ ପତିର ନୁହଁ ସରକାରଙ୍କ ଅଧିକାର ଥିଲା। ଏଭଳି ପରିସ୍ଥିତି ସେଠାରେ ସୃଷ୍ଟି ହୋଇଥିଲା। 

କମ୍ୟୁନିଷ୍ଟ ନେତାମାନେ ଦାବୀ କରୁଥିଲେ ଯେ ଜନ ସାଧରଣଙ୍କୁ ସବୁ ପ୍ରକାର ସୁଖ ଦେବା ଆମ କାମ। ପ୍ରକୃତରେ ଆମେ ଏପରି ରାଜ୍ୟ ନିର୍ମାଣ କରିବୁ ଯାହାର ଗୁଣ ଭାରତର ଲୋକେ ଗାଇ ଥାଆନ୍ତି। ସେ ସ୍ଥିତି ହେଉଛି ରାଜ୍ୟ ବିହୀନ ସ୍ଥିତି। ସମସ୍ତେ ପରସ୍ପରକୁ ସହଯୋଗ କରି ଏକ ଆଦର୍ଶ ଜୀବନ ଚଳଣୀର ରଚନା କରିବେ। ଏହାକୁ Withering away of the state ବା ରାଜ୍ୟ ବିହୀନ ବ୍ୟବସ୍ଥା କୁହାଯାଏ। ଯେଉଁଠି ରାଜ୍ୟର ଆବଶ୍ୟକତା ପଡ଼େ ନାହିଁ। କାରଣ ଏପରି ସ୍ଥିତିରେ କେହି ଅପରାଧୀ ନ ଥାନ୍ତି, କୌଣସି ଜେଲର ଆଵଶ୍ୟକତା ନ ଥାଏ।  ତେଣୁ ପୋଲିସ ରଖିବାର ପ୍ରଶ୍ନ ଉଠୁନାହିଁ। ଶାସନ କର୍ତ୍ତା ମଧ୍ୟ ଆଵଶ୍ୟକ ନ ଥାଏ। ଏଭଳି ଆଦର୍ଶ ସ୍ଥିତିର ସେମାନେ କଳ୍ପନା କରିଥିଲେ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହା ସତ୍ୟ ସାବ୍ୟସ୍ଥ ହେଲା। ସୋଭିଏତ ୟୁନିୟନ ପୂରା ଧ୍ୱସ୍ତ ହୋଇଗଲା। Withering away of the state ର କଳ୍ପନା ସାକାର ହେଲା !

ସାରା ବିଶ୍ୱକୁ ଖୁଆଇବାର ଶକ୍ତି ବା ଅନ୍ନ ଯୋଗାଇବାର ଶକ୍ତି ଅଛି ବୋଲି ଦାବୀ କରୁଥିବା ସୋଭିଏତ ରୁଷର ନିଜ ପ୍ରଜାଙ୍କୁ ଦୁଇ ଓଳି ଅନ୍ନ ଦେବାର କ୍ଷମତା ରହିଲା ନାହିଁ। ଅନ୍ନ ପାଇଁ ବଡ଼ ବଡ଼ ଧାଡ଼ିରେ ଲୋକେ ଠିଆ ହେଲେ, ହାହାକାର ପଡ଼ିଗଲା। ବିଶ୍ୱର ଛୋଟ ଛୋଟ ଦେଶଙ୍କ ପାଖରେ ଥାଳି ପତେଇବାକୁ ପଡ଼ିଲା। ବଡ଼ ବଡ଼ ଅଣୁ ବୈଜ୍ଞାନିକ ବିଦେଶ ଯାଇ ନିଜ ଚାକିରିକୁ ସୁରକ୍ଷିତ କଲେ। ଏଭଳି ବିକଟ ପରିସ୍ଥିତି ସୃଷ୍ଟି ହୋଇଥିଲା। 

ଗୋର୍ବାଚୋଭ ଗ୍ଲାସନୋସ୍ତ ଓ ପେରେସ୍ତ୍ରାଇକା ନାମରେ ମୁକ୍ତ ସମାଜ ଓ ନୂଆ ଅର୍ଥ ସଂରଚନା ଆଣିଲେ। ଲୋକେ ବିନୋଦ ପୂର୍ଵକ କହିଲେ, "ଦେଖ, ମୁହଁରେ କହିବା ପାଇଁ ଏଠି କିଛି ଆକଟ ନାହିଁ, କିନ୍ତୁ ପାଟି ଭିତରକୁ ଯିବା ପାଇଁ ଏଠାରେ କିଛି ନାହିଁ।"

ଏହା ସହିତ ଆଉ ଏକ ବିନୋଦପୂର୍ଣ୍ଣ କଥା ଶୁଣିବାକୁ ମିଳୁଥିଲା ଯେ 'ବୋଡ଼କା' ଯାହା ସେଠିକାର ଅଧିବାସୀଙ୍କର ପ୍ରିୟ ପାନୀୟ(ମଦ), ସେ ମଦ ପାଇବା ପାଇଁ ଲମ୍ବା ଧାଡ଼ି ଲଗେଇବାକୁ ପଡୁଛି। ଏଇଭଳି ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଜଣେ ଲୋକର ଧୈର୍ଯ୍ୟ ତୁଟିଗଲା। ସେ କହିଲା - " ଇଏ କି ରାଜ୍ୟ ଆସିଲା, ଯେଉଁଠି 'ବୋଡ଼କା' ଟିକେ ବି ମିଳୁ ନାହିଁ। ଏବେ ମୁଁ ଗୋର୍ବାଚୋଭକୁ ହତ୍ୟା କରିବାକୁ ଯାଉଛି।" ସେ ସେଠୁ ଯିବାର ଦୁଇ ତିନି ଘଣ୍ଟା ପରେ ପୁଣି ଫେରି ଆସିଲା। ଲୋକେ ପଚାରିଲେ, " କ'ଣ ଭାଇ, ଗୋର୍ବାଚୋଭଙ୍କୁ ହତ୍ୟା କରିଦେଲ ?" ତା' ଉତ୍ତର ଥିଲା - "କ'ଣ କରିବି ? ସେଠାକାର ଧାଡ଼ି ତ ଏ ଧାଡ଼ି ଠାରୁ ଆହୁରି ଲମ୍ବା।"

ଏହି ବ୍ୟବସ୍ଥା ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରାଥମିକ ଆଵଶ୍ୟକତା ଥିବା ପେଟ ପୂରା ଖାଦ୍ୟ ବି ଦେବାକୁ ସମର୍ଥ ହେଲା ନାହିଁ, ବୌଦ୍ଧିକ ସ୍ୱାଧୀନତା କଥା ତ ବହୁତ ଦୂରର କଥା। ତେଣୁ କମ୍ୟୁନିଷ୍ଟ ଏଥିରେ ପୂର୍ଣ୍ଣତଃ ବିଫଳ ହେଲା।

କ୍ରମଶଃ....