Monday, 31 December 2018

*ଧଉଳି ଆଡ଼େ ମୁହାଁଇଲେ*

ରାମଚନ୍ଦ୍ରଦେଵ ତକୀ ଖାଁର ଆକ୍ରମଣର ଆସନ୍ନ ବୁଝି ଏବେ ସାଙ୍ଗରେ କେତେଜଣ ସେନାପତି ଓ ସର୍ଦ୍ଦାରଙ୍କୁ ଘେନି ଶୁନ୍ୟଗିରି ଦୁର୍ଗ ଭିତରକୁ ପଳାଇ ଆସିଲେ। କାରଣ ଏହି ଦୁର୍ଗଟି ସାମରିକ ଦୃଷ୍ଟିରୁ ଖୁବ ନିରାପଦ ଥିଲା।

ରାମଚନ୍ଦ୍ରଦେଵଙ୍କ ସ୍ତିମିତ ସ୍ନାୟୁ ଓ କ୍ଳାନ୍ତ ଦେହ ଉତ୍ତେଜନାରେ ଚଞ୍ଚଳ ହୋଇ ଉଠିଲା। ତାଙ୍କର ମନେ ପଡ଼ିଗଲା ତକୀ ଖାଁ ଜଗନ୍ନାଥଙ୍କ ଆଡ଼େ ବାହିଛି। ଜଗନ୍ନାଥ ଏବେ କେଉଁ ବନ ପାହାଡ଼ରେ ବନବାସୀ ହେବେ କେଜାଣି ?

କଣ୍ଟି ବାଉଁଶ ବୁଦା ଭିତରେ ଶୁଖିଲା ପତ୍ର ଗଦା ଉପରେ ହଠାତ୍ ମଣିଷର ପାଦ ଶବ୍ଦ ବାରି ରାମଚନ୍ଦ୍ରଦେଵ ଅଣ୍ଟାରୁ ଖଣ୍ଡା ଖୋଳ ଉପରେ ହାତ ରଖି ଯେଉଁଆଡୁ ଶବ୍ଦ ଶୁଭୁଥିଲା ସେହି ଆଡ଼କୁ ପାଦେ ପାଦେ ଆଗେଇ ଗଲେ।

ସେତେବେଳେ ଜଣେ ଖବର ଦେଲା ଯେ ତକୀ ଖାଁ ଲସ୍କର ଶିଶୁପାଳଗଡ଼ ଲୁଟ କରି ଧଉଳି ଆଡ଼େ ମୁହାଇଲାଣି।

କ୍ରମଶଃ...

୩୧.୧୨.୧୮

Sunday, 30 December 2018

*ଫୌଜ .. ଖୋର୍ଦ୍ଧା କୁଚ କରୋ*

ତକୀ ଖାଁ ଚିନ୍ତା କରୁଥିଲା କିପରି ରାମଚନ୍ଦ୍ରଦେଵଙ୍କୁ ବନ୍ଦୀ କରିବ। ତେଣୁ ସେ ଖୋଜାର ଖବରକୁ ଅପେକ୍ଷା କରିଥାଏ।

ଫୌଜଦାରର ଅପଦାର୍ଥତା ପାଇଁ ମୋଗଲ ଇଜ୍ଜତ ଲୁଟ ହେଲା। ଅପଦାର୍ଥତାର କାରଣ ଅବିଶ୍ୱାସ। ସେ ସମୟରେ ମୋଗଲ ଅଧିକାରୀମାନେ ଅନ୍ୟମାନଙ୍କୁ ବିଶ୍ୱାସ କରିବା ତ ଦୂରର କଥା, ନିଜ ଛାଇଟିକୁ ମଧ୍ୟ ବିଶ୍ୱାସ କରୁ ନଥିଲେ।

ଫୌଜଦାର ଠାରୁ ସୋଲରୀ ଘାଟୀର ଆକ୍ରମଣର ବିବରଣୀରୁ ସିଦ୍ଧ ହେଲା ଯେ ଏ ସବୁ କାଣ୍ଡ କରିଛି ହାଫିଜ କାଦର। ଏତିକିବେଳେ ଖୋଜା ଆସି ଖବର ଦେଲା - ରାମଚନ୍ଦ୍ରଦେଵ କୁଆଡ଼େ ଉଭାନ।

ତକୀ ଖାଁ - ସାହଜାଦୀର ଚିଡ଼ିଆ ?
ଖୋଜା - ଖୋର୍ଦ୍ଧା ରାଜା ପିଞ୍ଜୁରୀ ଫିଟାଇ ଉଡ଼ାଇ ଦେଲା।

ସାହାଜାଦୀଙ୍କ ଚିଡ଼ିଆକୁ ହାଫିଜ କାଦର ଖାଲି ଯେପରି ଉଡ଼ାଇ ଦେଲା ତାହା ନୁହେଁ; ବୃଦ୍ଧାଙ୍ଗୁଷ୍ଠୀ ଦେଖାଇ ନାଏବ ନାଜିମ ତକୀ ଖାଁର ଆଧିପତ୍ୟକୁ ମଧ୍ୟ ଘୋର ତାଛଲ୍ୟରେ ରାମଚନ୍ଦ୍ରଦେଵ ଉଡ଼ାଇ ଦେଲା।

ତକୀ ଖାଁ ଜ୍ଞାନ ଶୂନ୍ୟ ହୋଇ କହିଲା ...
ଫୌଜ .. ଖୋର୍ଦ୍ଧା କୁଚ କରୋ

ଖୋର୍ଦ୍ଧା କୁଚ କରିବାପାଇଁ ତକୀ ଖାଁ ପରମ ବିକ୍ରମରେ ଅର୍ଦ୍ଧ ଚନ୍ଦ୍ର ଲାଂଛିତ ପତାକା ଉଡ଼ାଇ ଆସୁଥିବା ରାମଚନ୍ଦ୍ରଦେଵ ଲକ୍ଷ୍ୟ କରୁଥିଲେ।

କ୍ରମଶଃ...

Saturday, 29 December 2018

*ତକୀ ଖାଁ କ୍ରୋଧରେ କମ୍ପୁଥିଲା*

ଲାଲବାଗର ଦିୱାନ ଇ ଖାସରେ ତକୀ ଖାଁର ମନ୍ତ୍ରଣା ସଭା ବସିଥିଲା। ତକୀ ଖାଁକୁ ବେଷ୍ଟନ କରି ବସିଥିଲେ ଫୌଜଦାର, ଉଜୀର, ମହତାସୀବ୍ ଓ ହିନ୍ଦୁ ଅମିନଚାନ୍ଦ ପ୍ରମୁଖ ପାରିଷଦମାନେ। ଦିୱାନୀ ଖାସ ବାହାରେ କଡ଼ା ଚୌକୀ। ଭିତରକୁ ମାଛିଟିର ପ୍ରବେଶ ସୁଦ୍ଧା ନିଷିଦ୍ଧ।

ସିଂହଲ ବ୍ରହ୍ମପୁର ଗାଁରେ ପୀର ମୁଜାହିଦ ଘାଜୀ ସୁଲତାନ ବେଗ ଦିନ ଦି' ପହରେ କାଫେର ହିନ୍ଦୁ ମାନଙ୍କର ହାଣରେ ମରିବା ଦିନ ଠାରୁ ଚିକାକୋଲର ଫୌଜଦାର ଉପରେ ସୋଲରୀ ଘାଟୀରେ ଆକ୍ରମଣ କରି ପେସକିସ ଟଙ୍କା ଲୁଟ କରିବା ପୁଣି ଖୋର୍ଦ୍ଧା ରାଜା ତକୀ ଖାଁର ଭେଟକୁ ନ ଆସି ତାଙ୍କର ପ୍ରଭୁତ୍ୱକୁ ପ୍ରତ୍ୟାଖ୍ୟାନ କରିବା ପର୍ଯ୍ୟନ୍ତ ଯେତେ ଯାହା ସବୁ ଘଟିଗଲାଣି ସେ ସବୁ ଯଦି ମୁର୍ଶିଦାବାଦରେ ବଙ୍ଗ ବିହାର ଓଡ଼ିଶାର ନବାଵ ସୁଜା ଖାଁର କାନକୁ ଯାଏ ତା ହେଲେ ଓଡ଼ିଶା ସୁବାରେ ତକୀ ଖାଁର ନାଏବୀର ଦିନ କାଳ ଯେ ପୁରୀ ଆସିଲା ଏହା ନିଶ୍ଚିତ କଥା।

ଏଥିପାଇଁ ତକୀ ଖାଁ କ୍ରୋଧରେ ଅପସ୍ମାରଗସ୍ତ ରୋଗୀ ପରି କମ୍ପୁ ଥିଲା। ରାମଚନ୍ଦ୍ରଦେବଙ୍କୁ ବନ୍ଦୀ କରିବାର ଅଭିନବ ପନ୍ଥା ସେ ମନେ ମନେ ପାଞ୍ଚୁ ଥିଲା। ଖୋଜାର ପ୍ରତ୍ୟାବର୍ତ୍ତନକୁ ସେ ଚାହିଁ ବସିଥିଲା।

କ୍ରମଶଃ...

୨୯.୧୨.୧୮

Friday, 28 December 2018

*ଟିଆପରି ରାମଚନ୍ଦ୍ର ମଧ୍ୟ ଉଡ଼ି ଯାଇଥିଲେ*

ଲୋଧୁ ମିଆଁ - "ସାହାଜାଦୀଙ୍କ ଟିଆ ବହୁତ ହୁସିଆର ଶରୀଫ।"

ରାମଚନ୍ଦ୍ରଦେଵ - ଖୋଜା ହାତରେ ଖବର ପଠାଇଦିିଅ ଯେ ଆମେ କାଲି ନିଶ୍ଚୟ କଟକରେ ପହଞ୍ଚି ଯିବା।

ପିଞ୍ଜରା ଭିତରେ ଟିଆଟି "ଖୋଦା ହାଫିଜ" "ଖୋଦା ହାଫିଜ" ଡାକି ଉଠୁଥିଲା।

ରିଜିଆ ବେଗମଙ୍କ ଏଇ ପକ୍ଷୀଟିକୁ ଧରିବା ପାଇଁ ରାମଚନ୍ଦ୍ରଦେଵ ପଞ୍ଜୁରୀର ଦ୍ୱାର ଖୋଲିଦେଲେ, କିନ୍ତୁ ପଞ୍ଜୁରୀର ଦ୍ୱାର ଫିଟିବା ମାତ୍ରେ ଶୁଆ ପକ୍ଷୀଟି ଏଣିକି ତେଣିକି ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ବାହାରକୁ ଉଡ଼ି ପଳାଇଲା।

ଲୋଧୁ ମିଆଁ - "ସାହଜାଦୀଙ୍କ ଟିଆ ଉଡ଼ିଗଲା।"

ରାମଚନ୍ଦ୍ରଦେଵ - ହୋ-ହୋ ହସି ଉଠିଲେ।

ତା' ପରଦିନ କିନ୍ତୁ ରାମଚନ୍ଦ୍ରଦେଵ ଭିତର ଗଡ଼ ଉଆସରେ ନ ଥିଲେ କିମ୍ବା କଟକରେ ପହଞ୍ଚି ନ ଥିଲେ। ସାହଜାଦୀଙ୍କ ଟିଆପରି ସେ ମଧ୍ୟ ଉଡ଼ି ଯାଇଥିଲେ ଜଙ୍ଗଲ ପାହାଡ଼ର ମୁକ୍ତି ଭିତରକୁ

କ୍ରମଶଃ...

୨୮.୧୨.୧୮

Thursday, 27 December 2018

*ଟିଆ ଚିହ୍ନିଲା*

ଟିଆଟି ଅପରିଚିତ ପରିବେଶ ମଧ୍ୟରେ ପିଞ୍ଜରା ବାଡ଼ାରେ ଡେଣା ପିଟି କର୍କଶ କଣ୍ଠରେ ଚିତ୍କାର କରି ଉଠିଲା। ରାମଚନ୍ଦ୍ର ଦେବଙ୍କ ନିର୍ଦ୍ଦେଶରେ ଖୋଜା ପିଞ୍ଜରାଟି ତାଙ୍କ ପାଖରେ ତଳେ ଥୋଇ ଦେଲା। ଲୋଧୁ ମିଆଁ, ଗଦାଧର ମଙ୍ଗରାଜ ଆଖି ମଳି ମଳି ଢୁଳ ଭାଙ୍ଗି କଟକରୁ ବୁହା ହୋଇ ଆସିଥିବା ଟିଆଟିକୁ ବିସ୍ମିତ କୌତୁହଳରେ ଚାହିଁ ରହିଲେ। ଏ ଅଦ୍ଭୁତ ଉପଢୌକନର ସାଙ୍କେତିକ ଅର୍ଥ ସେମାନେ କିମ୍ବା ରାମଚନ୍ଦ୍ରଦେଵ କେହି ହଠାତ୍ ବୁଝି ପାରିଲେ ନାହିଁ।

ଟିଆଟି ବେକ ଭାଙ୍ଗି, ଦୁଇ ପଟେ ଏଣେ ତେଣେ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ରାମଚନ୍ଦ୍ର ଦେଵଙ୍କୁ ଚିହ୍ନି ପାରି ରାବି ଉଠିଲା - "ଖୋଦା ହାଫିଜ।"

ଏହି ପରିଚିତ ସମ୍ବୋଧନ ଶୁଣି ରାମଚନ୍ଦ୍ରଦେଵଙ୍କ ଆଖି ଆଗରେ ଭାସି ଉଠିଲା - ବାରବାଟୀ ଦୁର୍ଗରେ ତାଙ୍କ ବନ୍ଦୀ ଜୀବନର ଦୃଶ୍ୟ। ଏହି ଟିଆଟି ପରି ସେ ମଧ୍ୟ ଦିନେ ଲୁହା ପଞ୍ଜୁରୀରେ ବନ୍ଦୀ ହୋଇ  ଚିଲିକା କୂଳୁ ମାଳକୁଦା ଗାଁରୁ ବାରବାଟୀ କଟକ ଅଣା ଯାଇଥିଲେ।

କ୍ରମଶଃ...

୨୭.୧୨.୧୮

Wednesday, 26 December 2018

*ଖୋଜା ପହଞ୍ଚିଲା ଖୋର୍ଦ୍ଧାରେ*

ଖୋର୍ଦ୍ଧା ଉପରେ ପୁଣି ମୋଗଲଗୋଳ ଲାଗିବା ଆଶଙ୍କାରେ ସମସ୍ତେ ଆତଙ୍କିତ ହୋଇ ଉଠିଲେ।

ଘରେ ଘରେ ପୁଣି ନିଆଁ ଲାଗିବ। ଗାଁକୁ ଗାଁ ପଦା କରି ଲୋକେ ପ୍ରାଣ ବିକଳରେ ଆତ୍ମରକ୍ଷା ପାଇଁ ଅରଣ୍ୟ ଭିତରକୁ ଧାଇଁବେ। ଯେଉଁମାନେ ପଳାଇ ନ ପାରିବେ, ସେମାନଙ୍କ ମାନ ମହତ ଯିବ। ଅତୀତର ବହୁ ଭୟଙ୍କର ସ୍ମୃତି ଗୋଟି ଗୋଟିକରି ଖୋର୍ଦ୍ଧା ଲୋକଙ୍କ ଆଖି ଆଗରେ ଭାସି ଉଠିଲା। ସବୁ ଆଡ଼େ ପୁଣି ତ୍ରାହି ତ୍ରାହି ରବ ପଡ଼ିଗଲା।

କିନ୍ତୁ ଏ ସବୁ ଆତଙ୍କ ଓ ଆଶଙ୍କା ମଧ୍ୟରେ ଖୋର୍ଦ୍ଧାରେ କେହି ଯଦି ବେପରୁଆ ଥିଲେ ତେବେ ସେ ହେଉଛନ୍ତି ରାମଚନ୍ଦ୍ର ଦେବ।

ଏ ସବୁ ଚାଲିଥିବା ବେଳେ କଟକ ଲାଲବାଗରୁ ଛାମୁଙ୍କୁ ଭେଟିବାକୁ ଜଣେ ଖୋଜା ଆସି ପହଞ୍ଚିଲା ଖୋର୍ଦ୍ଧାରେ। ରାମଚନ୍ଦ୍ର ଦେବ ନିଜ ଛାତି ତଳେ ଦୁକ୍ ଦୁକିର ସ୍ପନ୍ଦନ ଶୁଣିପାରିଲେ। ଖୋଜା ରାମଚନ୍ଦ୍ର ଦେବଙ୍କୁ ଦେଖାକରି କହିଲା, "ସାହାଜାଦୀ ରିଜିଆ ବେଗମ ଏ ଟିଆଟିକୁ ଆପଣଙ୍କ ପାଖକୁ ପଠାଇ କହିଛନ୍ତି ଯେ ଆପଣ ଶୀଘ୍ର କଟକ ଚାଲନ୍ତୁ।"

କ୍ରମଶଃ...

୨୬.୧୨.୧୮

*ଅନାଗତ ଅମଙ୍ଗଳର ଆଶଙ୍କା*

କେଜାଣି ଏ ଟିଆ ପକ୍ଷୀଟି ହାଫିଜ କାଦର ଓ ରିଜିଆ ମଧ୍ୟରେ ମୋହବତର କେଉଁ ଗୋପନୀୟ ରହସ୍ୟମୟ ସଂକେତ ! ଚିଠିଠାରୁ ଏ ସଂକେତ ଯେ ଆଉରି ସମ୍ବେଦନଶୀଳ ଓ ଶକ୍ତିଶାଳୀ ହୋଇପାରେ, ସେଥିରେ କିନ୍ତୁ ତକୀ ଖାଁର ସନ୍ଦେହ ନ ଥିଲା। ଗୋଟିଏ ଜଟିଳ ସମସ୍ୟାର ସମାଧାନ ଏପରି ସହଜ ଭାବରେ ହୋଇପାରିବ ବୋଲି ତକୀ ଖାଁର ଧାରଣା ନ ଥିଲା। ଇଦ ପର୍ବରେ ରାମଚନ୍ଦ୍ର ଦେବ ତକୀ ଖାଁ ର ଭେଟକୁ ଯାଇ ନ ଥିଲେ। ସେଥିପାଇଁ ତକୀ ଖାଁ ଦାନ୍ତ କଡ଼ ମଡ଼ କରି ରହିଥିଲା।

ତା ଉପରେ ପୁଣି ଖୋର୍ଦ୍ଧା ରାଜ୍ୟ ଭିତରେ ପେସ କସ ଟଙ୍କା ରାହାଜାନିରେ ଗଲା। ଲୋଧି ମିଆଁ ସ୍ପଷ୍ଟ ହୋଇ ସାରିଲାଣି ଯେ ଏ ଲୋକସାନି ପାଇଁ କୈଫୟତ ଖୋର୍ଦ୍ଧା ରାଜାଙ୍କୁ ଦେବାକୁ ହେବ। ଝଡ଼ ଆସିବା ପୂର୍ବରୁ ପକ୍ଷୀ କୁଳ ତାହାର ସଙ୍କେତ ବୁଝି ନୀଡ଼ କୋଣରେ ହଠାତ୍ ନୀରବ ହୋଇ ପଡ଼ିବା ପରି ଖୋର୍ଦ୍ଧାବାସୀଙ୍କ ଅବଚେତନ ଅନାଗତ ଅମଙ୍ଗଳର ଆଶଙ୍କାରେ ଆଶଙ୍କିତ ହୋଇ ଉଠିଥିଲା।

କ୍ରମଶଃ...

୨୫.୧୨.୧୮

Monday, 24 December 2018

*ହାଫିଜ ଭାଇ କେମିତି କଟକ ଆସିବେ ?*

ରିଜିଆ ପରି ତକୀ ଖାଁ ମଧ୍ୟ ଅନ୍ୟ ଏକ ହିନ୍ଦୁ ରମଣୀର ଗର୍ଭଜାତ ସୁଜା ଖାଁଙ୍କର ଜାରଜ ପୁତ୍ର। ମାତ୍ର ତକୀ ଖାଁ ଯେତିକି ପାଷଣ୍ଡ, ରିଜିଆ ସେତିକି କୋମଳ। ତକୀ ଖାଁ ଶୁନୀ ମାନଙ୍କ ଠାରୁ ବଳି ସୁଦ୍ଧା ଆହୁରି ଧର୍ମାନ୍ଧ। ସେଥିପାଇଁ ସୁଜା ଖାଁ ନିଜ ଉତ୍ତରାଧିକାରୀ ଭାବେ ତକୀ ଖାଁକୁ  ଓଡ଼ିଶା ସୁବାର ଦାୟିତ୍ୱ ଦେଇଥିଲା। କିନ୍ତୁ ରିଜିଆ ବୈଷ୍ଣବୀ କାଞ୍ଚନର ପ୍ରଭାବରେ ବଢ଼ି ଥିବାରୁ ହିନ୍ଦୁ ଧର୍ମ ପ୍ରତି ତା'ର ଶ୍ରଦ୍ଧା ଥିଲା ଯେତିକି ମାର୍ମିକ, ପ୍ରବୃତ୍ତି ସବୁ ଥିଲା ସେହିପରି କୋମଳ। ଉଭୟଙ୍କ ମଧ୍ୟରେ ଚରିତ୍ରର ଏଇ ମୌଳିକ ପ୍ରଭେଦ ସତ୍ତ୍ୱେ ତକୀ ଖାଁ ପ୍ରାଣରେ ଭଉଣୀ ରିଜିଆ ପ୍ରତି ପ୍ରଗାଢ଼ ଶ୍ରଦ୍ଧା ଓ ସହାନୁଭୂତି ଥିଲା।
ତକୀ ଖାଁ ରିଜିଆକୁ ପଚାରିଲା - ହାଫିଜ ଭାଇ କେମିତି କଟକ ଆସିବେ ?
ରିଜିଆ - ଏ ଟିଆକୁ ଦେଖିଲେ ସେ ଯେଉଁଠି ଯେଉଁ ଅବସ୍ଥାରେ ଥିବେ ନିଶ୍ଚୟ କଟକ ଫେରି ଆସିବେ। କେହି ଜଣେ ଖୋଜା ଏ ଟିଆ ପଞ୍ଜୁରୀ ଧରି ଖୋର୍ଦ୍ଧା ଯିବା ଦରକାର।

କ୍ରମଶଃ...

୨୪.୧୨.୧୮

Sunday, 23 December 2018

*କାଞ୍ଚନର ଶେଷ ଇଚ୍ଛା*

ସେହିଦିନୁ କାଞ୍ଚନ ନାଏବ ନାଜିମ ସୁଜା ଖାଁଙ୍କ ହାରେମରେ ତାଙ୍କର ପ୍ରିୟତମା ମୁର୍ଶିଦାବାଦୀ ବେଗମ ହୋଇ ରହିଥିଲା। ଏଥିପାଇଁ ଶ୍ୱଶୁର ଓ ଜାମାତା ମଧ୍ୟରେ ପୁଣି ତୀବ୍ର ବିବାଦ ଉପୁଜିଥିଲା। ଏହି କାରଣରୁ କଟକ ସୁବାରୁ ସୁଜା ଖାଁକୁ ବିତାଡ଼ିତ କରିବା ପାଇଁ ନାନାଦି ଚେଷ୍ଟା ହୋଇଥିଲା।

ସୁଜା ଖାଁ କଟକ ଆସିବା ପରେ ବାରବାଟୀ ହାରେମରେ ତାଙ୍କ ପ୍ରିୟତମା କାଞ୍ଚନ କ୍ରମେ ପ୍ରବଳ ଶକ୍ତିରେ ପରିଣତ ହୋଇପଡ଼ିଲା। ରିଜିଆ ସେହି କାଞ୍ଚନର କନ୍ୟା !

କାଞ୍ଚନର ଦେହ ସୁଜା ଖାଁର କ୍ଷୁଧିତ କାମନାର ଭୋଜ୍ୟରେ ପରିଣତ ହୋଇଥିଲା ସତ୍ୟ, କିନ୍ତୁ ତାହାର ଆତ୍ମା ଥିଲା ଅନାହତ ଓ ନିଷ୍କଳଙ୍କ। ଦୁର୍ବାଦଳର ଶିଶିର ବିନ୍ଦୁରେ ପ୍ରଭାତ ସୂର୍ଯ୍ୟର ଦ୍ୟୁତି ଭିନ୍ନ ଅନ୍ୟ ପ୍ରତିଫଳନ ନ ଥିବା ପରି କାଞ୍ଚନର ଆତ୍ମାରେ ଗୋପୀକୃଷ୍ଣଙ୍କ ରସରାଜ ବିଗ୍ରହ ବ୍ୟତୀତ ଅନ୍ୟ ପ୍ରତିବିମ୍ବ ନ ଥିଲା। ଅନେକ କହନ୍ତି, କାଞ୍ଚନର ପ୍ରଭାବରେ ସୁଜା ଖାଁ ଯେତେଟା ହିନ୍ଦୁଦ୍ରୋହୀ ହେବା କଥା ସେତେଟା ହୋଇ ପାରି ନ ଥିଲା।

କାଞ୍ଚନର ବଡ଼ ଅଭିଳାଷ ଥିଲା ଶ୍ରୀମନ୍ଦିରରେ ରତ୍ନବେଦୀ ତଳେ ଥରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ! ମାତ୍ର ତାହା ତ ସଫଳ ହୋଇପାରି ନ ଥିଲା।

ସେ ମୃତ୍ୟୁ ଶଯ୍ୟାରେ ରିଜିଆକୁ କହିଥିଲା, "ତୋର ଯଦି କେବେ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ଘଟେ, ତେବେ ତାଙ୍କର ରତ୍ନବେଦୀ ତଳେ ମୋର ଏଇ ଇନ୍ଦ୍ରନୀଳମଣୀବସା ମୁଦିଟି ନିବେଦନ କରିଦେବୁ। ବ୍ରାହ୍ମଣୀ ହୋଇ ମୁଁ ତ ଜଗନ୍ନାଥଙ୍କୁ ଥରେ ଦେଖିପାରିଲି ନାହିଁ। ତୁ ପାରୁ ଯଦି ସେ ନିଳଗିରୀଙ୍କୁ ନିଶ୍ଚୟ ଦେଖିବୁ। ସେ ସବୁ ନିଶିର ପ୍ରଭାତ, ସବୁ ପ୍ରତୀକ୍ଷାର ପ୍ରାପ୍ତି, ସବୁ ଦୁଃଖ-କୁମୁଦିନିର ଚନ୍ଦ୍ରମା।"

କାଠଯୋଡ଼ିର ନୀଳ ଜଳବେଣୀ, ଜନ୍ମଦାତ୍ରୀ ଅଭାଗିନୀ କାଞ୍ଚନର ବେଦନାଦଗ୍ଧ ଅତୃପ୍ତିରେ ଯେପରି ଆହୁରି ସୁନୀଳ ହୋଇ ଉଠିଥିଲା। କାଠଯୋଡ଼ିର ଦକ୍ଷିଣ ପାର୍ଶ୍ଵରେ ଦୂର ପର୍ବତ ଶ୍ରେଣୀ ଓ ଶ୍ୟାମ ବନଭୂମିର ନିଳିମାରେ କାଞ୍ଚନର ସେହି ଜଗନ୍ନାଥ, ଯେପରି ଲକ୍ଷ ହାତ ଠାରି ଡାକୁଥିଲେ।

କ୍ରମଶଃ...

୨୩.୧୨.୧୮

Saturday, 22 December 2018

*ମୁର୍ଶିଦାବାଦର କାଞ୍ଚନ*

ରିଜିଆ ଗୋଟିଏ ଦୀର୍ଘ ଶ୍ଵାସ ପକାଇ ଅଳିନ୍ଦ ତଳେ ନଦୀ ଜଳର ସ୍ରୋତ ବେଣୀ ଆଡ଼େ ଚାହିଁଲା। ନଦୀ ସ୍ରୋତରେ ଅଗଣିତ ଚୂର୍ଣ୍ଣଘୁର୍ଣ୍ଣି ମୁହୂର୍ତ୍ତକ ପାଇଁ ଭଉଁରୀ ଖେଳି ପୁଣି ମିଳାଇ ଯାଉଥିଲା।

ରିଜିଆର ମାଆ କାଞ୍ଚନ ଥିଲେ ବ୍ରାହ୍ମଣ ପରିବାରର କନ୍ୟା ଓ ବଧୁ। ତାଙ୍କର ନବଯୌବନ ଯେତେବେଳେ ଦାରିଦ୍ର୍ୟ ମଳିନ ପିତୃକୁଳର ବନ୍ଧ ସରୋବରରେ ଉଦ୍ଭିନ୍ନ କମଳ ପରି ଫୁଟି ଆସୁଥିଲା, ଦୁର୍ଦଇବର ଆକସ୍ମିକ କରକାପାତରେ ସେ ବାଲ୍ୟ ବିଧବା ହୋଇଥିଲେ। ତା'ପରେ ମୁର୍ଶିଦାବାଦର ଗୋପୀକୃଷ୍ଣ ମନ୍ଦିରରେ ଫୁଲମାଳଗୁନ୍ଥା ତାଙ୍କର ସଂସାର ପ୍ରତିପୋଷଣର ଏକମାତ୍ର ଅବଲମ୍ବନ ହୋଇଥିଲା। କ୍ରମେ କାଞ୍ଚନ ହୋଇଥିଲେ ଗୋପୀକୃଷ୍ଣଙ୍କର ସେବା ଦାସୀ। ସେତେବେଳେ କାଞ୍ଚନର ନୃତ୍ୟ ଓ ପଦାବଳୀ ସଙ୍ଗୀତ ମୁର୍ଶିଦାବାଦର ଘରେ ଘରେ ବିଖ୍ୟାତ ହୋଇ ପଡ଼ିଥିଲା।

କୃଷ୍ଣ ପ୍ରେମରେ କାଞ୍ଚନ କେଉଁଦିନ ପାଗଳିନୀ ହେଲେ ସେ ନିଜେ ଜାଣି ନ ଥିଲେ;  କିନ୍ତୁ କାଞ୍ଚନ ପଦାବଳୀ ଗାନ କରିବା ବେଳେ ତାଙ୍କର ପ୍ରେମୋନ୍ମାଦର ଦୃଶ୍ୟ ଦେଖିବାପାଇଁ ମନ୍ଦିର ପ୍ରାଙ୍ଗଣରେ ତିଳ ଧାରଣ ପାଇଁ ସ୍ଥାନ ରହୁ ନ ଥିଲା।

ଘଟଣା ଚକ୍ରରେ ସେହି କାଞ୍ଚନ....

ମୁର୍ଶିଦାବାଦ ନବାବଙ୍କ ଜାମାତା ସୁଜା ଖାଁ ଗୋଟିଏ ସପ୍ତପର୍ଣ୍ଣ ଗଛ ଉହାଡ଼ରୁ ସ୍ନାନରତା କାଞ୍ଚନ ଆଡ଼େ କେତେବେଳୁ କ୍ଷୁଧିତ ଦୃଷ୍ଟିରେ ଚାହିଁ ରହିଥିଲା...
କାଞ୍ଚନ ପଥରବନ୍ଧା ପାହାଚରେ ଉପରକୁ ଉଠିବା ମାତ୍ରେ ସୁଜା ଖାଁ କ୍ଷୁଧିତ ଇଗଲ ପରି ଆଖି ପିଛୁଳାକେ ତାକୁ ଘୋଡ଼ା ପିଠି ଉପରକୁ ଉଠାଇ ନେଇ ବର୍ଦ୍ଧମାନ ଅଭିମୁଖେ ପଳାୟନ କରିଥିଲା।

କ୍ରମଶଃ...

୨୨.୧୨.୧୮

Friday, 21 December 2018

*ଲାଲବାଗ ଦୁର୍ଗ*

ଲାଲବାଗ ଦୁର୍ଗର ଦକ୍ଷିଣ ପ୍ରାନ୍ତରେ ରିଜିଆ ବେଗମ ନିଜ ଖାସ ମଞ୍ଜିଲ ଅଳିନ୍ଦରେ ଠିଆ ହୋଇ କାଠଯୋଡ଼ିର ନୀଳ ଜଳବେଣୀର ଘୁର୍ଣ୍ଣିର ତରଙ୍ଗ ଲକ୍ଷ୍ୟ କରୁଥିଲେ। ଅଳିନ୍ଦର ପ୍ରବେଶ ଦ୍ୱାରରେ ଜଣେ ଖୋଜା ନପୁଂସକ ପ୍ରହରୀ ପଥରରେ ଖୋଳା  ଗୋଟିଏ ସ୍ଥାଣୁ ପ୍ରସ୍ତର ମୂର୍ତ୍ତି ପରି ଠିଆ ରହିଥିଲା। ମଞ୍ଜିଲ ବାହାରେ ଦେବଦାରୁ ବିଥିକା ଶୋଭିତ ଗୋଲାପୀ ବାଗ୍ ର ପତ୍ର କୁଞ୍ଜରୁ ଡାହୁକଟାଏ ରହି ରହି ଆହତ ଆତ୍ମାର ଆର୍ତ୍ତନାଦ ପରି ରାବି ଉଠୁଥିଲା। ଭରା ପାଣି ମାଠିଆ ଉବୁଡାଇବା ପରି ଡାହୁକର ରାଵ ଥମି ଯିବା ମାତ୍ରେ, ଗୋଟାଏ କାପ୍ତା କେଉଁଠୁ ରହି ରହି ବାହୁନି ଉଠୁଥିଲା। ମଞ୍ଜିଲର ପାରାବସାମାନଙ୍କରେ ପାରାସବୁ ଘୁମୁରୁ ଥିଲେ। ଲାଲବାଗର ପ୍ରବେଶ ଦ୍ୱାରରେ ନହବତଖାନାରୁ ଶାହାନାଇରେ ବାଗେଶ୍ରୀର ବିଳମ୍ବିତ ଆଳାପ ଭାସି ଆସୁଥିଲା। ବାଗେଶ୍ରୀର ଆଳାପ ମଧ୍ୟରେ, ରିଜିଆର ଆଖି ଆଗରେ ଭାସି ଉଠୁଥିଲା ଜନ୍ମଦାତ୍ରୀ କାଞ୍ଚନ ମୁର୍ଶିଦାବାଦୀର ମୂର୍ତ୍ତି !

ଅଳିନ୍ଦ ତଳେ ଲାଲବାଗ ଦୁର୍ଗର ପ୍ରାଚୀର ଭିତ୍ତି ଦେହରେ ଧକ୍କା ଖାଇ କଳକଳ ଛଳଛଳ ଶବ୍ଦରେ ବହିଯାଉଥିବା କାଠଯୋଡ଼ିର ନୀଳ ଜଳବେଣୀ ରିଜିଆଙ୍କ ମାନସ ଦୃଷ୍ଟିରେ ଜନନୀ କାଞ୍ଚନ ମୁର୍ଶିଦାବାଦୀର ନିତମ୍ବଚୁମ୍ବୀ କୁଟୀଳ କେଶରାଶି ମନେପକାଇ ଦେଉଥିଲା ଆଃ... ଜନ୍ମଦାତ୍ରୀ ଜନନୀଙ୍କର କି ସେ ଭୁବନମୋହିନୀ ରୂପ !

କ୍ରମଶଃ...

୨୧.୧୨.୧୮

Thursday, 20 December 2018

*ତକୀ ଖାଁଙ୍କ ଲାଲବାଗ ଓ ବାରବାଟୀ*

ମୁସଲମାନଙ୍କ କୁଳାଚାରରେ ଚାରିଗୋଟି ସ୍ତ୍ରୀ ବିବାହ କରିବାର ନିର୍ଦେଶ ଥିବା ସମସ୍ତେ ଜାଣନ୍ତି। ଏ ସମ୍ପର୍କରେ ବାଦାଉନି କିନ୍ତୁ ଯେଉଁ ଭାଷ୍ୟ ଲେଖିଛନ୍ତି ତାହା ଅନେକ ଜାଣି ନ ଥିବେ। ସେଥିରେ କୁହାଯାଇଛି - ଚାରିଗୋଟି ସ୍ତ୍ରୀ ମଧ୍ୟରୁ ହିନ୍ଦୁସ୍ଥାନୀ ସ୍ତ୍ରୀଟି ଆବଶ୍ୟକ ସନ୍ତାନ ସନ୍ତତିଙ୍କ ଲାଳନ ପାଇଁ, ଖୀରସ୍ଥାନୀ ସ୍ତ୍ରୀଟିର ଦାୟିତ୍ୱ ଘରଧନ୍ଦା ବୁଝିବା ପାଇଁ, ଇରାନୀ ସ୍ତ୍ରୀଟି ଲୋଡ଼ା ପ୍ରେମାଳାପ ଓ ସାହଚର୍ଯ୍ୟ ପାଇଁ, ଆଉ ଓକ୍ ସିଆନା ଦେଶର ସ୍ତ୍ରୀଟିର ପ୍ରୟୋଜନ ଅନ୍ୟ ତିନିଜଣ ସପତ୍ନୀଙ୍କୁ ଚାବୁକରେ ପିଟି ପରିବାରର ଶାନ୍ତି ରକ୍ଷା ପାଇଁ। ଏ ସବୁ ଦୃଷ୍ଟିରୁ ଦେଖିଲେ ତକୀ ଖାଁଙ୍କ ଲାଲବାଗ ଓ ବାରବାଟୀ ହାରେମରେ ବେଗମ ମାନଙ୍କ ସଂଖ୍ୟା ଥିଲା ମୋଟ ୩୬୫।
ଜୁଲିଫିକର ଯେଉଁ ବିଧବା ରମଣୀଙ୍କ ପାଣି ଗ୍ରହଣ କରିଥିଲା, ସେ ଜୁଲିଫିକରଙ୍କ ଠାରୁ ବୟସରେ ସାତ ବର୍ଷ ବଡ଼ ଥିଲା। ଜୁଲିଫିକରଙ୍କ ସମୟରେ ଆଠ ପତ୍ନୀ ଗ୍ରହଣ କରିଥିବା ମୌଲବୀ ମଧ୍ୟ ଥିଲେ।
ପ୍ରବଳ ପ୍ରତାପୀ ତକୀ ଖାଁ ଜୁଲିଫିକରକୁ ଭୟ କରୁଥିଲା। କାରଣ ମୁର୍ଶିଦାବାଦ ଠାରୁ ଦିଲ୍ଲୀ ସାହାଜାହାନାବାଦ ପର୍ଯ୍ୟନ୍ତ ତାର ପ୍ରଭାବଶାଳୀ ରାଜନୈତିକ ସମ୍ପର୍କ ଥିଲା। ନୈଷ୍ଠିକ ଧର୍ମାନ୍ଧତା ପାଇଁ ସେ ପ୍ରସିଦ୍ଧ ଥିଲା। ଖୋର୍ଦ୍ଧା ଉପରେ ଅବିଳମ୍ବେ ଆକ୍ରମଣ ପାଇଁ ସେ ତକୀ ଖାଁକୁ ଆଦେଶ ଦେଲା। ତକୀ ଖାଁ ଯୋଜନା କଲା ଇଦ ଉଲ ଫିତର ଦିନ ହାଫିଜ କାଦର ବେଗକୁ କଟକ ଡକାଇବ ଏବଂ ସେଇଠି ତାଙ୍କୁ ଗିରଫ କରିବ।

କ୍ରମଶଃ...

୨୦.୧୨.୧୮

Wednesday, 19 December 2018

*ଅଖ୍ୟାତ, ଅଜ୍ଞାତ ଭକ୍ତ*

ଏତେ ବଡ଼ ରାଇଜର ହିନ୍ଦୁ ଆରାଧ୍ୟ ଦେବତା ଦିବା ଲୋକରେ ଘୋଷାଡ଼ି ହୋଇ ମରଣ ମୁଖକୁ ଯାଉଥିବାବେଳେ ସମସ୍ତେ ହାୟ !ହାୟ ! ବିଳାପ କରୁଥିଲେ। ସେଦିନ କିନ୍ତୁ କିଛି ବିଳାପ କରି ନ ଥିଲା ଜଣେ ଲୋକ। ସେହି ଅଖ୍ୟାତ ଆଜ୍ଞାତ ବିଶର ମହାନ୍ତି କ୍ଷୁଧିତ ଭିକ୍ଷୁକ ବେଶ ସାଜି ଗୌଡ଼ (ବଙ୍ଗ ପ୍ରଦେଶ) ଦାଣ୍ଡରେ ପଠାଣ ଫୌଜଙ୍କ ପଛେ ପଛେ ଛୁଟିଥିଲା ଜଗନ୍ନାଥଙ୍କୁ ଉଦ୍ଧାର କରିବା ପାଇଁ। ଭିକ୍ଷୁକ ବେଶ ଥିବାରୁ ପଠାଣ ଫୌଜ ତାକୁ ଦୃଷ୍ଟି ଦେଉ ନ ଥିଲେ। ସେମାନେ ଭାବୁଥିଲେ ଇଏ ବୋଧ ହୁଏ ଗୌଡ଼ ଦେଶର କେଉଁ ଆଉଲ ବା ବାଉଲ ବୈଷ୍ଣବ ଘରମୁହାଁ ହୋଇ ଫେରୁଥିବ। ସାଧାରଣ ଲୋକଟିଏ ଭାବୁଥିଲା ଇଏ କୋଉଠିକାର ବଦ୍ଧପାଗଳ ହୋଇଥିବ। ହାତୀ ପିଠିରେ ଝୁଲୁଥିଲେ ଦାରୁବିଗ୍ରହ। ଆଗରେ ଓ ପଛରେ ଚାଲିଥିଲେ ଲସ୍କରମାନେ 'ଆଲ୍ଲା ହୋ ଆକବର' ଧ୍ୱନି ଦେଇ। ଗଙ୍ଗା କୂଳରେ କଳାପାହାଡ଼ ଦାରୁ ବିଗ୍ରହମାନଙ୍କୁ ପୋଡ଼ି ଅର୍ଦ୍ଧ ଦଗ୍ଧ ମୂର୍ତ୍ତିକୁ ଗଙ୍ଗାରେ ଭସାଇ ଦେଇ ଚାଲିଗଲା। ବିଶର ମହାନ୍ତି ଏଇ ସୁଯୋଗର ଅପେକ୍ଷାରେ ସେଠାରେ ଦିନ ଦିନ ଜଗି ବସିଥିଲା। ସମସ୍ତେ ପଳାଇ ଯିବା ପରେ ସେ ଗଙ୍ଗା ସ୍ରୋତରୁ ଜଗନ୍ନାଥଙ୍କ ଅର୍ଦ୍ଧ ଦଗ୍ଧ ଦାରୁବିଗ୍ରହରୁ ବ୍ରହ୍ମଟି କାଢ଼ି ନିଜ ପଖୋଜ ଖୋଳ ଭିତରେ ରଖିଲା। ତା ପରେ ସେ ସ୍ଥଳ ଭାଗରେ ନ ଫେରି ସମୁଦ୍ର ପଥ ଦେଇ ବୋଇତରେ ଆସି କୁଜଙ୍ଗରେ ପହଁଚିଲା। ସେଠାରୁ ସ୍ଥଳ ଭାଗରେ ରାତ୍ରିର ଦସ୍ୟୁ ପରି ଚାଲିଥିଲା ଖୋର୍ଦ୍ଧା ଅଭିମୁଖେ। ଖୋର୍ଦ୍ଧାରେ ଥିଲେ ରାଜା ରାମଚନ୍ଦ୍ରଦେଵ। ଓଡ଼ିଶାର ମର୍ମ ଭୂମିରେ କେବଳ ଗୋଟିଏ ବିଳାପ ଚାଲିଥିଲା.. ଜଗନ୍ନାଥ ! ଜଗନ୍ନାଥ !  ବିଶର ମହାନ୍ତି ଠାରୁ ବ୍ରହ୍ମ ପାଇବା ପରେ ସେଦିନ ଓଡ଼ିଶାରେ ଘରେ ଘରେ ହୋଇଥିଲା ମହୋତ୍ସବ।

କ୍ରମଶଃ...

୧୯.୧୨.୧୮

Tuesday, 18 December 2018

*ଅଇଲା କଳାପାହାଡ଼*

ଦେଉଳ ଭଙ୍ଗାଳୀମାନେ ଶାବେଳୀ ପ୍ରହାର କରି କରି କ୍ଳାନ୍ତ ହୋଇ ପଡ଼ିଲେ, ଘାଜି ମିଆଁ ପାଗଳ ପରି ଚିତ୍କାର କରି ଉଠୁଥିଲା..."ଆଲ୍ଲା ହୋ ଆକବର।" ଏଇ କୁହାଟ ଶୁଣି ପୁଣି ସେମାନେ ତେଜି ଉଠୁଥିଲେ।

ମନ୍ଦିରଠାରୁ ନିରାପଦ ଦୂରତ୍ୱରେ ରହି ଶହ ଶହ ଦେଖଣାହାରୀ ହିନ୍ଦୁ ଅସହାୟ ଭାବରେ ଠିଆ ହୋଇ ଶୂନ୍ୟ ଭୀତିଗ୍ରସ୍ତ ଦୃଷ୍ଟିରେ ମନ୍ଦିର ଭଙ୍ଗା ଚାହିଁ ଦେଖୁଥିଲେ ଓ ପରସ୍ପର ଡକା ଡକି ହୋଇ ଦେଖାଇ ଦେଉଥିଲେ। କିନ୍ତୁ ଏଇ ଦେଖଣାହାରୀମାନେ ଯଦି ଘାଜି ମିଆଁ ଓ ତାର ଦେଉଳଭଙ୍ଗାଳୀ ମାନଙ୍କୁ ପ୍ରତିରୋଧ କରିବାପାଇଁ ସେତେବେଳେ ଟିପଟିଏ ଉଠାଇ ଥାଆନ୍ତେ, ତେବେ ସେମାନେ  ଛତ୍ରଭଙ୍ଗ ଦେଇ  କେଉଁଆଡ଼େ ପଳାଇଥାନ୍ତେ, ତାର ପତା ମିଳି ନ ଥାନ୍ତା। 

ତକୀ ଖାଁ ଦେଉଳଭଙ୍ଗା ଓ ମସଜିଦ ତିଆରି କାମରେ ଲଗାଇଥିଲା ଘାଜି ମିଆଁକୁ। ଖୋର୍ଦ୍ଧା ରାଜା ମୁସଲମାନ ହୋଇଯିବା ପରେ ତାର ଶକ୍ତି ବହୁତ ବଢ଼ି ଯାଇଥିଲା।

ଏହା ଆଗରୁ କଳା ପାହାଡ଼ର ଆକ୍ରମଣ କଥା ଆମ ଲୋକଗୀତରେ ଅଛି "ଅଇଲା କଳାପାହାଡ଼" ରୂପେ। ମା' ମାଉସୀମାନେ ସେ ପଦକ ନିଦୁଳିଆ କଣ୍ଠରେ ଗାଇବା ବେଳେ ତାହା ଅସଂଖ୍ୟ ଉପକଥାର ଜାଲ ବୁଣିଯାଏ; ମାତ୍ର ତାହାର ନେପଥ୍ୟରେ ଥିବା ଘର୍ମ, ଅଶ୍ରୁ ଓ ରକ୍ତର ଶତ ବିୟୋଗାନ୍ତ ଇତିହାସ କିଏ ବା ମନେ ରଖିଥାଏ ?

କଳାପାହାଡ଼ ସେତେବେଳେ ଆତଙ୍କ ସୃଷ୍ଟି କରିଥିଲା। ତା ସହ ଯୁଦ୍ଧରେ ଓ ରାମଚନ୍ଦ୍ରଭଞ୍ଜଙ୍କ ପଛ ଆଡୁ ଛୁରା ଭୁଷାରେ ଗଜପତି ମୁକୁନ୍ଦଦେବ ଶେଷ ନିଶ୍ୱାସ ତ୍ୟାଗ କଲେ।

ତା ପରେ କଟକ ଅଧିକାର କରିସାରି ପୁଣି କଳାପାହାଡ଼ ପୁରୀ ଶ୍ରୀକ୍ଷେତ୍ରରେ ଡେରା ଜମାଇ ବସି ରହିଲା। ସେ ଜଗନ୍ନାଥଙ୍କୁ କରାୟତ କରି ଚମ ଦଉଡ଼ିରେ ହାତୀ ପିଠିରେ ବାନ୍ଧି ନେଇଗଲା। ଉଦ୍ଦେଶ୍ୟ ଥିଲା ହାତୀ ପିଠିରେ ବନ୍ଧା ହୋଇ ଓହଳି ଥିବା ଦେବତାଙ୍କୁ ସମସ୍ତେ ଦେଖନ୍ତୁ। ଯେଉଁ ଜାତି ନିଜ ଦେବତାଙ୍କୁ ରକ୍ଷା କରିପାରୁ ନାହିଁ ସେ ଆଉ କାହାକୁ ରକ୍ଷା କରିବ ? ଏଭଳି ମାନସିକତା ସାଧାରଣ ହିନ୍ଦୁ ମାନଙ୍କ ଭିତରେ ତିଆରି କରିବା। ଶେଷରେ ସେ ଗୌଡ଼ ଦେଶରେ ପହଞ୍ଚି  ଦାରୁ ବିଗ୍ରହ ମାନଙ୍କୁ ପୋଡ଼ିଦେଲା ଏବଂ ଅର୍ଦ୍ଧ ଦଗ୍ଧ ବିଗ୍ରହ ମାନଙ୍କୁ ଗଙ୍ଗା ଜଳରେ ଫୋପାଡ଼ି ଦେଲା।

କ୍ରମଶଃ...

୧୮.୧୨.୧୮

Monday, 17 December 2018

*ଏକମାତ୍ର ଶୁଭଚିନ୍ତକ ଲକ୍ଷ୍ମୀ ପରମଗୁରୁ*

ସେଦିନ ଦରବାରକୁ ଆସିଥିଲେ ଜଣେ ଅପ୍ରତ୍ୟାଶିତ ଆଗନ୍ତୁକ ଲକ୍ଷ୍ମୀ ପରମଗୁରୁ।
ତାଙ୍କର ଆଗମନ ଦେଖି ...

ତକୀ ଖାଁ - ଆସନ ଗ୍ରହଣ କରନ୍ତୁ।

ପରମଗୁରୁ - ମ୍ଳେଛର ସିଂହାସନ ତଳେ ସାଧକର ଆସନ ଗ୍ରହଣ ଶାସ୍ତ୍ରରେ ନିଷିଦ୍ଧ।

ତକୀ ଖାଁ - ଆସିବାର ଉଦ୍ଦେଶ୍ୟ ?

ପରମଗୁରୁ - ଖୋର୍ଦ୍ଧା ସିଂହାସନ ଶୂନ୍ୟ। ମୁଁ ଆସିଛି ଖୋର୍ଦ୍ଧା ରାଜାଙ୍କୁ ଫେରେଇ ନେବାପାଇଁ।

ତକୀ ଖାଁ - ମଞ୍ଜୁର।

ତା'ପରେ ଗୃହହରା  ଅବୋଧ ବାଳକର ବାହୁ ଧରି ଅଚିହ୍ନା ବାଟରୁ ଫେରାଇ ଆଣିବା ପରି ଲକ୍ଷ୍ମୀ ପରମଗୁରୁ ସେଦିନ ରାମଚନ୍ଦ୍ରଦେଵଙ୍କ ଗୋଟିଏ ବାହୁକୁ ଝିଙ୍କି ଧରି, ତକୀ ଖାଁର ବ୍ୟୁହ ମଧ୍ୟରୁ ତାଙ୍କୁ ମୁକୁଳାଇ ଆଣିଥିଲେ। ଏହି ପରମଗୁରୁ ହିଁ ଥିଲେ ରାମଚନ୍ଦ୍ରଦେଵଙ୍କ ଏକମାତ୍ର ଶୁଭଚିନ୍ତକ ଓ ମନ୍ତ୍ରଣାଦାତା

ଖୋର୍ଦ୍ଧା ରାଜବଂଶର କୁଳ ପୁରୋହିତ ଗୋଦାବରୀବର୍ଦ୍ଧନ ଲକ୍ଷ୍ମୀ ପରମଗୁରୁ ମହାପାତ୍ରଙ୍କ ବ୍ୟତୀତ ଆଉ କେହି ଏ ଘୋର ଦୁର୍ଦ୍ଦିନରେ ସୁଦ୍ଧା ଏପରି ସ୍ପର୍ଦ୍ଧିତ ପାଦ ଶବ୍ଦରେ ଭିତର ଗଡ଼ ଉଆସର ନୀରବ ଗାମ୍ଭୀର୍ଯ୍ୟକୁ ଆହତ କରିବା ପାଇଁ ସାହସ କରି ନ ଥିଲେ। ସେ ହିଁ ଏକାମାତ୍ର ନିଶ୍ଚତ ଅବଲମ୍ବନ ଓ ସାନ୍ତ୍ୱନା। ସେ ହିଁ ଏକା ରାମଚନ୍ଦ୍ରଦେଵଙ୍କର ଧର୍ମାନ୍ତରକୁ ଗଭୀର ସହାନୁଭୂତିର ସହ ସହ୍ୟ କରିପାରିଛନ୍ତି। ସେ ଏକା ବୁଝିଛନ୍ତି ଖୋର୍ଦ୍ଧାର ଶାନ୍ତି ଓ ଜଗନ୍ନାଥଙ୍କ ମାନରକ୍ଷା ପାଇଁ ରାମଚନ୍ଦ୍ରଦେଵ ନିଜକୁ ପତିତ ଓ ଅପାଂକ୍ତେୟ କଲେ।

କ୍ରମଶଃ...

୧୭.୧୨.୧୮

Sunday, 16 December 2018

*କ୍ଷମତାର ଦରବାରରେ କଣ ହୁଏ ?*

ସେଦିନ ଦିୱାନଖାସ୍ ରେ ତକୀ ଖାଁଙ୍କ ଦରବାର ଆରମ୍ଭ ହୋଇଛି। ଲାଞ୍ଛନାର ସେହି ଦରବାରରେ ଗୋଟିଏ କୋଣରେ ବସି ରହିଛନ୍ତି ରାମଚନ୍ଦ୍ରଦେଵ ଜଣେ ବଶମ୍ବଦ ଦରବାରୀ ସାଜି। ପ୍ରଥମେ ପ୍ରଥମେ ଏପରି ବସିବା ପାଇଁ ରାମଚନ୍ଦ୍ରଦେବଙ୍କୁ ଅତ୍ୟନ୍ତ ଅସ୍ବସ୍ତିକର ବୋଧ ହେଉଥିଲା।

ନରପଶୁ ତକୀ ଖାଁ ପାଇଁ ନିର୍ବୋଧ ତୋଷାମଦୀ କରିବା ଓ ମୋସାହେବୀରେ ଯୋଗ ଦେବା  ଗଜପତି ଐତିହ୍ୟ ସ୍ପର୍ଦ୍ଧିତ ରାମଚନ୍ଦ୍ରଦେଵଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଥିଲା, ତଥାପି ନିରୁପାୟ !
ଖୋର୍ଦ୍ଧା ସେତେବେଳେ ଏହି ନାରାଧମଟିର ମେହେର୍ବାନୀ ଉପରେ ତିଷ୍ଠି ରହିଥିଲା।

ହାୟ ! କ୍ଷମତାର ଦରବାରରେ ଦୈନ୍ୟ ଯେପରି ଐଶ୍ୱର୍ଯ୍ୟ ରୂପେ ବିବେଚିତ ହୁଏ, ଆତ୍ମଗ୍ଳାନି ଯେପରି ଆତ୍ମଶ୍ଳାଘାରେ ପରିଣତ ହୁଏ, ପଦଲେହେନ ଯେପରି ଚରମ ପୌରୁଷରୂପେ ଅନୁମିତ ହୁଏ; ଏହା ଦେଖୁଥିଲେ ରାମଚନ୍ଦ୍ରଦେଵ ସେହି ଦରବାରରେ। ଏଥିରେ ହେଉଥିବା ହାସ୍ୟରୋଳରେ ଯୋଗ ନ ଦେଇ ପାଷାଣମୂର୍ତ୍ତିପରି ସେ ବସି ରହୁଥିଲେ।

କ୍ରମଶଃ...

୧୬.୧୨.୧୮

Saturday, 15 December 2018

*ରିଜିଆ ବିବି ହେଲେ ଖୋର୍ଦ୍ଧାର ବେଗମ*

ରିଜିଆ ବା ଜବା ସହିତ ରାମଚନ୍ଦ୍ରଦେଵଙ୍କର ରସମ-ଇ-ନାମଜାଦ ବା ମଙ୍ଗଳକୃତ୍ୟ ବଢ଼ିଗଲା। ରାମଚନ୍ଦ୍ରଦେଵ ଓ ରିଜିଆକୁ କଲମା ପଢ଼ାଇବା ପରେ କାଜୀ ବିବାହ ଖାତାରେ ଉଭୟଙ୍କ ନାମ ଚଢ଼ାଇଦେଲା। ରାମଚନ୍ଦ୍ରଦେଵ ହେଲେ ହାଫିଜ କାଦର ବେଗ ଓ ସୁଜା ଖାଁର ଜାରଜାତକା କନ୍ୟା ରିଜିଆ ବିବି ହେଲେ ଖୋର୍ଦ୍ଧାର ବେଗମ୍।

ଏହା ଶୁଣି ଓଡ଼ିଶାର ଲୋକେ ମୁଣ୍ଡରେ ହାତ ଦେଇ ବସିଲେ। ଜଗନ୍ନାଥଙ୍କ ସେବକ ଶିରୋମଣି ଖୋର୍ଦ୍ଧାର ମହାରାଜା ଶେଷକୁ ଜାତିଭ୍ରଷ୍ଟ ହେଲେ !

ରାମଚନ୍ଦ୍ରଦେଵ ଏବେ ବାରବାଟୀର ନବମ ପ୍ରସ୍ତର ଅନ୍ଦର ମହଲକୁ ସ୍ଥାନାନ୍ତରିତ ହେଲେ।

ରିଜିଆ କହିଲା, "ମା' ମୋତେ ସବୁବେଳେ କହୁଥିଲା ଜଗନ୍ନାଥଙ୍କୁ ଥରେ ପାଇଲେ ଜୀବନରେ କୁଆଡ଼େ ସବୁ ନ ପାଇବାର ଅବଶୋଷ ମେଣ୍ଟିଯାଏ। ଜଗନ୍ନାଥ ରାତିର ଅନ୍ଧକାର ପରି; ତାଙ୍କ ଭିତରେ ସବୁ ପାଇବା, ସବୁ ନ ପାଇବା, ସବୁ ଦୁଃଖ, ସବୁ ଆନନ୍ଦ, ସବୁ ହସ, ସବୁ ଲୁହ ଏକାକାର ହୋଇ କାଳେ ମିଳାଇଯାଏ ? ଆଃ.... ବିଚାରୀ ଜଗନ୍ନାଥ ଜଗନ୍ନାଥ ହୋଇ କବର ନେଲା ସିନା, ଥରେ କିନ୍ତୁ ଜଗନ୍ନାଥ ଦେଖି ପାରିଲା ନାହିଁ।

ମୋତେ ଜଗନ୍ନାଥ ଦେଖାଇ ପାରିବେ ମହାରାଜ ?,"

ରାମଚନ୍ଦ୍ରଦେଵ - "ହଁ, ନିଶ୍ଚିତ।"

ଏଣେ ଖୋର୍ଦ୍ଧା ତକୀ ଖାଁର କବଳିତ ହେବାକୁ ଯାଉଥିବା ବେଳେ ରାମଚନ୍ଦ୍ରଦେଵଙ୍କୁ ମୁକୁଳାଇ ନେବା ତ ଦୂରର କଥା ସେ ମଲେ କି ଗଲେ ବୁଝିବା ପାଇଁ ସୁଦ୍ଧା ଖୋର୍ଦ୍ଧାରୁ କାହା ପାଦ ଥରକ ପାଇଁ କଟକରେ ପଡ଼ି ନ ଥିଲା। ବାରବାଟୀ ଦୁର୍ଗରେ ପିଞ୍ଜରାବଦ୍ଧ ପକ୍ଷୀପରି ବସି ରହିଥିଲେ ରାମଚନ୍ଦ୍ରଦେଵ।

କ୍ରମଶଃ...

୧୫.୧୨.୧୮

Friday, 14 December 2018

*ଜଗନ୍ନାଥ ଜଗନ୍ନାଥ କହି ସେ ଶେଷ ନିଃଶ୍ୱାସ ଛାଡ଼ିଥିଲେ*

ନାଏବ ନାଜିମ ବାହାଦୁରଙ୍କ ଇଚ୍ଛା ଖୋର୍ଦ୍ଧା ଓ କଟକ ଭିତରେ ଯୁଦ୍ଧ ଶେଷ ହେଉ, ଶାନ୍ତି ଫେରିଆସୁ। ସେଥିପାଇଁ ତକୀ ଖାଁଙ୍କ ଇଚ୍ଛା ଆପଣଙ୍କୁ ଭିଣୋଇ କରିବା ପାଇଁ।

ଜବରଦସ୍ତ ଖାଁ ହଠାତ୍ ଆସି ଏତିକି କହି ଚାଲିଯିବା ପରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରସ୍ତାବ ତଳେ ଯେଉଁ ଧମକ ପ୍ରଛନ୍ନ ରହିଥିଲା, ତାହାର ପରିଣତି ଚିନ୍ତାକରି ରାମଚନ୍ଦ୍ରଦେଵ ଅସ୍ତିର ହୋଇ ପଡ଼ିଥିଲେ।

ଖୋର୍ଦ୍ଧା ଏବେ ନାଏବନାଜିମ ତକୀ ଖାଁର ଅନୁଗ୍ରହ ଉପରେ ଯେମିତି ତିଷ୍ଠି ରହିଛି ତାହା ଆଉ କେହି ବୁଝୁ ବା ନ ବୁଝୁ, କିନ୍ତୁ ରାମଚନ୍ଦ୍ରଦେବ ତାହା ଅତ୍ୟନ୍ତ ସ୍ପଷ୍ଟଭାବେ ବୁଝିପାରିଥିଲେ। ତକୀ ଖାଁର ପ୍ରତିରୋଧ ପାଇଁ ଓଡ଼ିଆ ପାଇକ ମାନଙ୍କର ତଥାପି ଯେ ବଳ ନ ଥିଲା, ତାହା ନୁହେଁ, ମାତ୍ର ବାହାରର ଶତ୍ରୁ ସେତେବେଳେ ଯେତେ ବିପଜ୍ଜନକ ନ ଥିଲେ, ଘର ଶତ୍ରୁ ଥିଲେ ତତୋଧିକ। ଖୋର୍ଦ୍ଧାର ସ୍ୱାଧୀନତା ସହ ଜଗନ୍ନାଥ ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ଖୋର୍ଦ୍ଧାର ଟାଣପଣ ତଥାପି ଭାଙ୍ଗି ନ ଥିଲା ବୋଲି ନାଏବ ନାଜିମମାନେ ଜଗନ୍ନାଥ ମନ୍ଦିରକୁ ଅକ୍ଷତ ରଖିଥିଲେ। ମାତ୍ର ଥରେ ଯଦି ଖୋର୍ଦ୍ଧା ତାଙ୍କ କବଳକୁ ଚାଲିଯାଏ; ତା'ହେଲେ ଶ୍ରୀମନ୍ଦିର ଭାଙ୍ଗି ସେହି ପଥରରେ ପୁରୁଷୋତ୍ତମ କ୍ଷେତ୍ରରେ ଗୋଟାଏ ମସଜିଦ କରିବା ପାଇଁ ତକୀ ଖାଁକୁ ବା କେତେ ବିଳମ୍ବ ଲାଗିବ ?

ଶତ ଦୁର୍ଯୋଗ, ପରାଜୟ ଓ ଲାଂଚ୍ଛନା ମଧ୍ୟରେ ଯେଉଁ ଜଗନ୍ନାଥଙ୍କୁ ଯବନ ଆକ୍ରମଣରୁ ଅକ୍ଷତ ରଖିବା ପାଇଁ, ଭୋଇ ବଂଶର ମହାରାଜାମାନେ ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇଛନ୍ତି, ଆଜି ସେଇ ଜଗନ୍ନାଥ ଯଦି ତକୀ ଖାଁ ଦ୍ୱାରା ନିର୍ଯ୍ୟାତିତ ହୁଅନ୍ତି, ତା'ହେଲେ ?

  ବାରବାଟୀ ଦୁର୍ଗ ଭିତରେ ଏହିପରି ଚିନ୍ତା କରୁଥିବା ବେଳେ  ବୋରଖାବୃତ ନାରୀ ସହ ସମ୍ପର୍କ ହୁଏ ରାମଚନ୍ଦ୍ରଦେଵଙ୍କର। ସେ ପଚାରନ୍ତି, ତୁମେ କିଏ ?

ବୋର୍ଖାବୃତ ନାରୀଟି କୁହେ - "ମୁଁ ଜବା, ମା' ମୋତେ ସେହି ନାମରେ ଡାକୁ ଥିଲେ; କିନ୍ତୁ ଏମାନେ ନାଁ ରଖିଛନ୍ତି ରିଜିଆ।"

ରାମଚନ୍ଦ୍ରଦେଵ - ତୁମେ ପରା ତକୀ ଖାଁଙ୍କ ଭଉଣୀ ?

ଜବା ବିଷର୍ଣ୍ଣ କଣ୍ଠରେ ଉତ୍ତର ଦିଏ - ମା' ମୋର ଥିଲେ ମୁର୍ଶିଦାବାଦର ପ୍ରସିଦ୍ଧ ଖେମଟାୱାଲି କାଞ୍ଚନ, ମୁର୍ଶିଦାବାଦୀ। ନବାଵ ସୁଜା ଖାଁ ହାରେମକୁ ସେ କେମିତି ଆସିଲେ, ମୋତେ ଜଣା ନାହିଁ, ମାତ୍ର ମା' ମୋର ନାଁ ରଖିଥିଲେ ଜବା। ସେ ମୋତେ ସବୁବେଳେ କହୁଥିଲେ, ତୁ ହିନ୍ଦୁ କନ୍ୟା... ଜବା। ମା' ମୋର କବର ନେଇଥିଲେ ଏଇ କଟକର କଦମରସୁଲରେ। ଶେଷ ପର୍ଯ୍ୟନ୍ତ ମୁଁ ତାଙ୍କ ପାଖେ ପାଖେ ରହିଥିଲି। ମଲାବେଳକୁ ତାଙ୍କର ଶେଷ ଇଚ୍ଛା ଥିଲା, ସେ ଦେଖିବେ ପୁରୁଷୋତ୍ତମ ଜଗନ୍ନାଥ।

ଜଗନ୍ନାଥ ଜଗନ୍ନାଥ କହି ସେ ଶେଷ ନିଃଶ୍ୱାସ ଛାଡ଼ିଥିଲେ।

କ୍ରମଶଃ...

୧୪.୧୨.୧୮