Tuesday, 30 April 2019

*ଛବି ଆଉ ରବି*

ରାତି ପହରେ ହୋଇ ନ ଥାଏ ଗଉଡ଼ସାହି ଦାଣ୍ଡରେ ଓଦାରେ ବସିପଡ଼ିଲା ବଡ଼ ପଙ୍ଗତ। କଦଳୀ ପତରରେ ଭାତ ଡାଲନା ପରଷା ହେଲା। ଅତି ଆଗ୍ରହରେ ଟାଉ ଟାଉ କରି ଲୋକେ ଖାଇନେଲେ। ପରଷି ପରଷି ଘୂରି ବୁଲୁଥିଲେ ଛବି ଓ ତା ସାଙ୍ଗର ଦଳ। କେଉଁଠି ଗଉଡ଼ସାହିରେ କାହା ଘରେ ଶୁଖିଲା ଲୁଗା ପାଲଟି ଆସିଛନ୍ତି, ସତେ କି ସବୁଠି ତାଙ୍କର ଘର, କେଉଁଠି ଅଚିହ୍ନା ନୁହେଁ। ତାଙ୍କ ସଙ୍ଗେ ସଙ୍ଗେ ଗଉଡ଼ସାହିର ସ୍ତ୍ରୀଲୋକମାନେ ପୁଣି ଆଉ ଆଉ ଲୋକେ। ସିନ୍ଧୁ ଚୌଧୁରୀ ଦେଖିବାକୁ ଆସିଥିଲେ, କିନ୍ତୁ ଝିଅକୁ ପାଇଲେ ନାହିଁ, ଫେରିଗଲେ।

ରାତି ପହରେ ଗଡ଼ି ଯାଇଥାଏ, ଛବି ଓ ତା ସାଙ୍ଗର ଲୋକେ ଘରକୁ ଫେରିଲେ। ସଙ୍ଗରେ ନେଇଗଲେ ଶତୁରା ପାଣର ନାତୁଣୀ ବୋହୂକୁ, ତାର ମାସକର ପୁଅଟିଏ। ବିଲି ବିଲି ଅନ୍ଧାର, ବାଟରେ ପୁଣି ବରଷା; କିନ୍ତୁ ଛବିର ମନ ଉଷତ ଥାଏ, ସେମାନେ ସତେ କି ଗଡ଼ ଜିତି ଫେରୁଛନ୍ତି। ଦିନଯାକର ଗୋଳମାଳ ସେ ସ୍ଥାନଠୁ ଦୂର ହେଉ ହେଉ ମୁଣ୍ଡ ଭିତରେ ପଛେଇ ପଛେଇ ଯାଉଥାଏ।

ଛବି ହେତୁ କଲା, ଏମିତି ବରଷା ରାତି ହୋଇଥିଲା ସେଥର। ଜୁଡୁବୁଡୁ ହୋଇ ଆସି ପହଞ୍ଚିଥିଲା ସେହି ଜଣକ, ଯାହାକୁ ସେ ଧ୍ୟାନ କରେ - ରବି। କଣ କରୁଥିବ ସେ ? ଉତ୍ସାହ ଦେଉଛି ତାର ମୁହଁର କଳ୍ପିତ ଭଙ୍ଗୀ, ଏଇ ତ ବାଟ, ଏଇ ତ କାମ। ମନେ ମନେ କିଏ କହୁଛି, ଅନ୍ଧାର ବରଷା ମଣିଷକୁ ଏକାଠି କରେ, ଦୁର୍ଦ୍ଦିନ ଏକାଠି କରେ।

ଏଇ ବରଷାରେ ଛଟପଟ ହେଉଥିବେ ତୋଟା ତଳେ ଯୋଗୀସାହି ଓ ପାଣସାହିର ଲୋକେ। ଶତୁରାର ନାତୁଣୀବୋହୂ କାନ୍ଦୁଣୀମାନ୍ଦୁଣୀ ହୋଇ କହୁଛି, "ଏଡ଼େ ବରଷା ଅଇଲା, ସେମାନେ କଣ କରୁଥିବେଟି ! ସେଣେ ଘରେ କଣ ହେବଣି କେଜାଣି ! କାନ୍ଥଗୁରାକ ପଡ଼ିଯିବଣି ପରା।" ତାର ସ୍ୱର ଯେମିତି ଅନ୍ଧାରରେ ବିଜୁଳି, ଝକ୍ କରି ସବୁ ଦିଶିଯାଉଛି। ତୋଟା ତଳେ ହାଉଳିକାଉଳି ଲାଗିଥିବ। ଗାଉଡ଼ସାହିରେ ଘର ଓଳି ତଳେ କିଏ କେତେ ଜାକିଜୁକି ହେଉଥିବେ। ଛବିର ଚିନ୍ତା ପଛେଇ ପଛେଇ ଚାଲିଛି। ଦିଶି ଯାଉଛି ସେହି ଅଥଳ ଅକୂଳ ଗୋଳିପାଣି, ଦୂର ଦିଗବଳୟ ଯାଏ ଲାଗିରହିଛି, ମଝିରେ ଭାସିଲା ପରି ସାହି ଦି'ଟା, ପାଣିର ସେହି କଳ କଳ ଶବ୍ଦ, କାନ୍ଥ ପଡ଼ିବାର ଦୁଲ୍ ଦାଲ୍ ଶବ୍ଦ। ଦିଶି ଦିଶି ଯାଉଛି ଲୋକଙ୍କର ବିପତ୍ତିବୋଳା ମୁହଁର ଭଙ୍ଗୀ, ଅସହାୟ ଜୁଳୁଜୁଳୁ ଆଖି। ବରଷା ଛାଡ଼ିଗଲା, କିନ୍ତୁ ଛବିର ଚିନ୍ତାରେ ଲାଖି ରହିଥିଲା ବରଷା, ସରି ନ ଥିଲା।

୩୦.୪.୧୯

Monday, 29 April 2019

*ପାଣସାହି ପରେ ଗଉଡ଼ସାହି*

ପାଣି ବଢୁଛି। ଯୋଗୀସାହିରୁ ପାଣସାହିରୁ ଚାଲିଛନ୍ତି ଲୋକ ବନ୍ଧ ଉପରକୁ। କିଏ ଥରେ ଦି'ଥର ଯା ଆସ କରି ଜିନିଷ ଥୋଇ ଦେଇ ପୁଣି ଆସୁଛନ୍ତି ଜିନିଷ ନେବାକୁ।

ସେହିମାନଙ୍କ ସଙ୍ଗରେ ଜିନିଷ ବୋହି ପିଲା କାଖେଇ ଚାଲିଛନ୍ତି ଛବି, କେଳା ଭାରିଜା, ରଘୁଆ ମା' ସାଙ୍ଗର ଯେତେ ବୋହୂଝିଅ, ଦୁଃଖ ଦୁର୍ଦ୍ଦଶାରେ ଏକାଠି ଦଳବାନ୍ଧି ମଣିଷ ସମସ୍ତେ ସତେ କି ଏକା ଘର, ଭିନେ ଜାତି ନାହିଁ, ସାହି ନାହିଁ, ଭିନେ ପଣର ଚେତନା ହିଁ ନାହିଁ।

ମେଘ ଅନ୍ଧାର କରିଛି। ହାଉ ହାଉ ପବନ। ପାଣିରେ ସୂଅ ପଡ଼ିଛି। ଜଙ୍ଘେ ଅଣ୍ଟାଏ ପାଣିରେ ଠେଲି ପେଲି ହୋଇ ଚାଲିଛନ୍ତି ମଣିଷ। ରାତିଟା କୋଉଠି ହେଲେ କଟେଇ ଦେଇ ସକାଳକୁ ପାଣି ଛାଡ଼ି ଗଲେ ପୁଣି ଲେଉଟିଯିବା କଥା।

ଛବିର ପାଦ ଗଳିପଡ଼ିଲା, ଜଙ୍ଘେ ପାଣି, ପଛରୁ ରତନା ପାଣ ପାଟିକଲା, "ସମ୍ଭାଳି ସମ୍ଭାଳି, ଡାହାଣେ ଖାଇଟା, ବାଁକୁ ଚାଲ। ଏଡ଼େ ଝଡ଼ି ବରଷାରେ କାହିଁକି ତେମେ ସବୁ ଘର ଛାଡ଼ି କଦର୍ଯ୍ୟକୁ ଆଇଲ ?"

ଛବି ହେରିକା ଥରକୁଥର ଏମିତି ଯା ଆସ କଲେ ତିନିଥର। ଏଡ଼େ ହାଉଳିରେ କେହି ସେମାନଙ୍କୁ ଅଲଗା କରି ଭାବି ନାହିଁ। ପାଟେଳି ଗାଁର ସ୍ନେହ ଆଦରର ପ୍ରତିନିଧି ସେମାନେ। ତିନି ଥର ଉତ୍ତାରୁ ଆହୁରି ଥରେ ସେମାନେ ବନ୍ଧତଳକୁ ଗଡ଼ିଲା ବେଳକୁ ଲୋକେ ତାଙ୍କୁ ମନା କଲେ, ରୋକିଲେ। କାରଣ ବରଷା ତୋଫାନ ନ ଥିଲେ ମଧ୍ୟ ପାଣି ବଢୁଛି, ଅନ୍ଧାର ବେଳ ଆସୁଛି, ବାଟ ନ ଜାଣିପାରିଲେ ମଣିଷ ବୁଡ଼ିଯିବ।

ବନ୍ଧ ଉପରେ ଆଉ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ନାହିଁ। ସବୁଠୁ ପାଖ ଗଉଡ଼ ସାହି ମୁଁହ ସାମ୍ନା ଆମ୍ବତୋଟା। ଜିନିଷ ମୁଣ୍ଡେଇ ଛୁଆପିଲା ଗୋରୁ ଗାଈ ଧରି ଯୋଗୀସହିର ଓ ପାଣସାହିର ଲୋକେ ଚାଲିଲେ ସେହି ଆଡ଼କୁ। ଯାହାକୁ ଜାଗା ମିଳିଲା ସେ ଗଉଡ଼ସାହିରେ କାହା ଗୁହାଳ କଣରେ, କାହା ପିଣ୍ଡା ପହଣ୍ଡରେ ମୁଣ୍ଡ ଗୁଞ୍ଜିଲା, ନ ହେଲେ ଗଛ ମୂଳ, କେଉଁଠି ଶୁଖିଲା, କେଉଁଠି ଓଦା, କାଦୁଅ, ଥାନ ଅଥାନ ବିଚାର ନାହିଁ। ଲୋକ ଗହଳିରେ ତୋଟା ପୂରି ଉଠିଲା। ଚର୍ଚ୍ଚା ବୁଝିବାକୁ, ନ ହେଲେ ଖାଲି ଦେଖିବାକୁ ସାହି ସାହିରୁ ପୁରୁଷ ସ୍ତ୍ରୀ ଉଠିଆସିଲେ। ସେଇଠି ରହିଲେ ଛବି ଓ ତା ସାଙ୍ଗର ସ୍ତ୍ରୀଲୋକମାନେ, ଲୋକଙ୍କ ଥଇଥାନ କାର୍ଯ୍ୟରେ। ଆଉ କେତେ ଲୋକ ଗାଁଭିତରେ ଖେଳେଇ ହୋଇଗଲେ, ଅନ୍ୟ କେଉଁଠି ସୁବିଧା ଥାନ ଖୋଜିଲେ। ସୁଖରେ ଦୁଃଖରେ ସମସ୍ତେ ଖାପିଗଲେ। ଗାଁ ତାଙ୍କୁ ଆଦରି ନେଲା।

୨୯.୪.୧୯

Sunday, 28 April 2019

*ପାଣି କଣ ଜାତି ଦେଖେ ? *

ପାଟେଳି ଗାଁର ଲୋକେ ବୁଲି ବୁଲି କୋବଲେଇବାରେ ଲାଗିଛନ୍ତି, ବନ୍ଧ ତଳେ ଘଳିଆ ଫୁଟିଛି, ଯେତେ ଯାହା କଲେ ବୋଲ ମାନୁ ନାହିଁ, ରାତି ଆସୁଛି, ଚାଲି ଆସ ବନ୍ଧ ଉପରକୁ, ଆଗ ଜୀବନ, ପଛେ ଆଉ ଯାହା। କିଏ କହୁଚି, ରହ ସବୁର କର, ଏ ବଳେ କମିଯିବ, କେତେ ଏମିତି ଦେଖା ହେଇଚି ନା ଏ ନୂଆ ? କିଏ କହୁଚି, ରଇଥା ଠାକୁରେ ଅଛନ୍ତି, ଠାକୁରଙ୍କୁ ଡାକୁଚୁଁ, ସେଇ ରଖିବେ। ଯେତିକି ଶୁଖିଲା ଥାନ ଅଛି ତାରି ଭିତରେ କୌଣସିମତେ ଲାଖି ରହିବାକୁ ସମସ୍ତିଙ୍କ ଇଚ୍ଛା, କିଏ କେତେବେଳେ ଦଳରୁ ଫିଟି ପଡୁଛି, ବୋଲ ମାନି ବନ୍ଧ ଆଡ଼କୁ ମୁହାଁଉଛି।

ମାଇପି ଦଳରେ ଛବି* ମିଶିଯାଇଛି। ଘରେ ଘରେ ସେହି ମୁଣ୍ଡ ଘୁରା ଭଉଁରୀ ଭିତରେ କେତେବେଳେ ସେ କଣ କରିଥିଲା ତାର ହେତୁ ରହି ନାହିଁ, କାହାର ପିଲାକୁ କାଖେଇଛି, କାହା ଘରେ ଜିନିଷ ବାନ୍ଧିଛି, କାହା ହାତକୁ ଧରି ଘୋଷାରି ଘୋଷାରି ପଦାକୁ କାଢ଼ି ନେଇଛି ଡେରି ହୋଇଥିବା କାନ୍ଥ ପଡ଼ିଯିବ ବୋଲି। ଦୁଲ୍ ଦାଲ୍ ହୋଇ କାହାର କାନ୍ଥ ପଡ଼ି ଯାଇଛି ସେ ଦେଖିଛି, ଲୋକଙ୍କ ଚିତ୍କାର ତା ମୁଣ୍ଡ ଭିତରେ ପଶିଛି। ମନରୁ ବୁଦ୍ଧି କାଢ଼ି କହିଛି ଏଇଟା କର, ସେଇଟା କର। ବିଚିତ୍ର ପ୍ରକାରେ ବୁଦ୍ଧି ବି ଏଠି ଯେମିତି ଅଡୁଆ ତଡୁଆ ହୋଇ ଯାଇଛି, ସାନ ସାନ ଜିନିଷକୁ ବେଶି ନିଘା, କାହାର ଟୋକେଇ, କାହାର କୁଲା, କାହାର ଜାଳ ଦି'ଖଣ୍ଡ ଓଦା ହୋଇଗଲା, ବାରିଆଡ଼ ଟପି ବୁଦ୍ଧି ପଦାକୁ ଯାଉ ନାହିଁ, କେବଳ ହାଉଯାଉ।

ଯାହାହେଉ ଚାଲିଯାଅ ଚାଲିଯାଅ କହି କୁହାପୋଛା କରି ସେମାନେ ଯୋଗୀସାହିରୁ ଗଲେ ପାଣସାହିକୁ। ପାଣସାହି ଚଉଦ ପନ୍ଦର ଘର ବସ୍ତି। ସେତେବେଳକୁ ସେ ସାହିରେ ମଧ୍ୟ କାହା କାହା ଘରେ ପାଣି ପଶିବା ଆରମ୍ଭ କଲାଣି। ସେ ସାହିର ଲୋକେ ବାହୁଙ୍ଗୀରେ ବୁଜୁଳା ପୁଟୁଳା ବୋହି ଆଗେଇ ଗଲେଣି। ଅଶୀ ବରଷର ବୁଢ଼ା ଶତୁରା ପାଣ ସମିସ୍ତିଙ୍କି ଚେତେଇ ଦେଇଛି - "କୁଆଡ଼ର ଘରଭଙ୍ଗା ପାଣି ୟେ, ନ ହେଲେ ବିଲର ବଦଳାପାଣିର ଏଡ଼େ ଦାଉ ହେବ ନାହିଁ। ପୁଣି ଦେଖ ଯେ ବରଗଛ ସେପଟେ ବନ୍ଧ ତଳେ ଘଳିଆ ପଡ଼ିଛି, କେତେବେଳେ ବନ୍ଧ ଭୁଷୁଡ଼ିବ ତ ସଂସାର ସରିଲା। ଯୁଆଡ଼କୁ ଚାହିଁଲେ ସମୁଦର ଦରିଆ, ୟେ କଣ ୟେ, ବେଳ ଥାଉଣୁ ବନ୍ଧ ଉପରକୁ ଉଠି ଚାଲ, ମୋ ଦିହାତିରେ ଏଡ଼େ ପାଣି ଦେଖି ନାଇଁ।"

ଘରେ ଛାଡ଼ି ଯିବାକୁ ସେମାନଙ୍କର ବେଶି କିଛି ନାହିଁ, ସେମାନେ ସଜ ହେଉଛନ୍ତି। ସେମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଉଚ୍ଚ କୁଳର ଏହି ସ୍ତ୍ରୀ ପିଲାଙ୍କୁ ଆପଣା ଦୁଆରେ ଦେଖି। କୁଆଡ଼େ କାହିଁକି ଆଇଲ ମା ସାଆନ୍ତାଣୀମାନେ ! ଦେଖୁନା କେମିତି ପାଣି ମାଡ଼ି ଆସୁଛି। ଓ ହୋ ହୋ, ଯୋଉ ବରଷା ପବନ କୋଉଠି ଥଳ ଅଛି ଯେ ଠିଆ ହେବ ? ଥଳ ଅଛି, ସେମାନେ ଘରେ ଘରେ ପଶିଲେଣି, ମିଶିଗଲେଣି ସାରୁ ପରିବା ପରି। ସେମାନଙ୍କ ମନରେ ଛୁଆଁ ଅଛୁଆଁ ଧାରଣା ହି ନାହିଁ। ଦୁଃଖ ସୁଖ ହେବାକୁ ବେଳ ନାହିଁ। ବରଷା ଛେଚୁଛି, କାନ୍ଥ ପଡୁଛି, ପାଣିରେ ପଶି ଜିନିଷ ମୁଣ୍ଡେଇ ଲୋକେ ବନ୍ଧ ଉପରକୁ ଯିବେ ବୋଲି ଚାଲିଛନ୍ତି।

୨୮.୪.୧୯

Saturday, 27 April 2019

*ପାଟେଳି ଗାଁ*

ଯୋଗୀ ସାହିର ଲୋକେ କହନ୍ତି, "ମୂଳ ପାଟେଳି ଗାଁ ଏଇ, ତାଙ୍କରି ପୂର୍ବପୁରୁଷ ଏ ଗାଁ ବସେଇ ଥିଲେ, ତାକୁ ନାଁ ଦେଇଥିଲେ। ଏଇ ମାଟିରେ ପୋତା ହୋଇଛନ୍ତି ତାଙ୍କରି ଅକଳନ ଯୁଗର ମହାପୁରୁଷମାନେ, ଆଉ କେତେ ବସିଛନ୍ତି ଜୀଅନ୍ତା। ସେମାନେ କହନ୍ତି, ଏ ଖଣ୍ଡକରେ ଏତକ ଥିଲା ଅପୋଡ଼ା ପୃଥ୍ଵୀ, କେଉଁ ଯୁଗରେ ନଈ ଭିତରେ ଥିଲା, ସିଦ୍ଧ ସାଧକମାନେ ରହିବେ ବୋଲି ନଈ ଆଡ଼େଇ ହୋଇଗଲା, ସିଦ୍ଧ ଏଠି ଆସନ ବସାଇଲେ। ସେହିଦିନୁଁ ଅଛି ୟେ ଏଠି। କାଶ୍ୟପ, କପିଳ ଓ କମଳଙ୍କ ସାଧନା ପୀଠ ଏଠି ଅଛି।

କିନ୍ତୁ ଚାହିଁ ଦେଲେ ଭୂଇଁ କହେ, ନଈ ଏଠି କେବେ ବନ୍ଧ ଭାଙ୍ଗିଥିଲା। ଜାଣନ୍ତା ଦେଖନ୍ତା ଲୋକ କହିବା ଭଳି ବଞ୍ଚି ନାହାନ୍ତି କେବେ ସେ ଭାଙ୍ଗିଥିଲା।

ଚେକା ଚେକା ଗୋଜା ଗୋଜା ହୋଇ ବସିଥିବା ତିନି ସିଦ୍ଧ ନାଥଙ୍କ ଚାରିକରେ କଣ୍ଟା ସିଝୁ ଆଉ ଡେଙ୍ଗା ନାଗଫଣିଆ ବଢ଼େ, ଫୁଲ ଫୁଟେ, ପଛେ ପଛେ ଗୋଲ ଗୋଲ ହୋଇ ରହିଥାଏ କଣ୍ଟା ବବୁର୍ ଗଛ ଗୁଡ଼ାଏ, ଫୁଲ ଖୁନ୍ଦି ହୋଇଯାଏ।

କିନ୍ତୁ ଯୋଗୀ ସାହିର ବୁନିଆଦକୁ ଅସ୍ବୀକାର କରେ ପାଣ ସାହି। ସେମାନେ ହାଡ଼ିପାଙ୍କ କଥା ଶୁଣାନ୍ତି।
ଶତୁରା ପାଣ ଓ ନର୍ସିଙ୍ଗା ପାଣ କହନ୍ତି, "ଏ ଯୋଗୀସାହି - ସେ ତ କେତେ ପଛର, ଏଇ କାଲିକା କଥା, ନଈ ପଠାରେ ବେଣାବୁଦା କାଟି ଭଉଁରିଆ ଟେକିଥିଲେ, ହଃ, କେଵର ମଣିଷ ମ !

ଯୋଗୀ ସାହିରେ କେନ୍ଦେରା ଅଭ୍ୟାସ କଲାବେଳେ, ସେପଟୁ ଶୁଭେ ମହୁରୀର ଉତ୍ତାଳ ଚିତ୍କାର। ଏପଟେ ଖଣ୍ଡିଆ କାନ୍ଥ ଉପରେ ଦାଢ଼ିଆ ଛେଳି ମେଁ ମେଁ କଲାବେଳେ ସେପଟେ ଖଣ୍ଡିଆ କାନ୍ଥ ଉପରେ ଚଢ଼େ ଗଞ୍ଜା କୁକୁଡ଼ା, ପହରିକିଆ ଡାକେ।

ପାଣ ସାହି ଚାରିକରେ ପାଣି ବୁଲିଯାଇଛି; କିନ୍ତୁ ସେ ଯୋଗୀସାହିଠୁ ଟିକେ ଉଞ୍ଚରେ ଅଛି। ପାଣି କାନ୍ଥ ପାଖକୁ ଲାଗି ଆସିଛି, କିନ୍ତୁ ଦୁଆରକୁ ପଶି ନାହିଁ। ଯୋଗୀସାହିରେ ଖାଲି ହାଉ ହାଉ ଲାଗିଛି। ଥାଳ ଧରି ବୁଲିଲେ ବି ସେମାନେ ଚାଷୀ, ଭିକ ମାଗିବା ପୁରାତନ ପରମ୍ପରା ପ୍ରତି ମର୍ଯ୍ୟାଦା, ସାମାଜିକ କର୍ତ୍ତବ୍ୟ ବି। ଘରେ ହଳ ବଳଦ ଅଛନ୍ତି, ଓଳିଆ ଓଦର କୋରମେଇଁ ଘୁମ ଆଉ ପେଡ଼ି ପେଟରା ଅଛି, କେତେ କାଳର ସଞ୍ଚୟ, କେତେ ଛିଣ୍ଡାକନା, ଆଳୁକୁଚି ମାଳୁକୁଚି, କେତେ ଅଦରକାରୀ ଜିନିଷ ଯାହା କେବେ କିଛି କାମରେ ନ ଲାଗିଲେ ବି ଘରୁ କାଢ଼ି ଦେବାକୁ ସତ ବଳେ ନାହିଁ। କାହା ସହିତ କେଉଁ ସ୍ମୃତି ଲାଗି ରହିଛି। ହଠାତ୍ ଦୁଆରେ ପାଣି ଲହାଡ଼ା ଖେଳୁଛି, ଦୁଆର ବନ୍ଧ ଡେଉଁଛି। ଆଗ ଜିନିଷ ଟେକି ରଖା ହେଉଛି ସଂଘା ଉପରେ, ସିନ୍ଧୁକ ବାକ୍ସ ଥିଲେ ତା ଉପରେ। ତା ପରେ ଏଠୁ ନେଇ ସେଠି, ଯେଉଁଠି ଟିକେ ଶୁଖିଲା ଜାଗା ଅଛି, ତା ଉପରେ। ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି, ଘର ଭିତରେ ପାଣିର ପତ୍ତନ ଉପରକୁ ଉପରକୁ ଉଠୁଛି, କଣ ହେବ ତା ପରେ ? ସତେ କଣ ଘର ଛାଡ଼ି ପଦାକୁ ଯିବାକୁ ପଡ଼ିବ ?

୨୭.୪.୧୯

Friday, 26 April 2019

*ଅଜପା, ଅଛପା, ଅରୂପୀ*

ହେଇତି ୟେ କାଶ୍ୟପନାଥ, ୟେ କପିଳନାଥ, ୟେ କମଳନାଥ। ତିନି ସିଦ୍ଧ ଧ୍ୟାନ କରୁ କରୁ ସେମିତି ଜୀଅନ୍ତାରେ ହୁଙ୍କା ପାଲଟିଗଲେ। ତାଙ୍କରି ବଂଶର ଆମେ, ସେହି ରକ୍ତ। ଅକଳନ ଯୁଗର ସାଧନାପୀଠ, ଅକଳନ ଯୁଗର ବସତି।

ଆଗେ ଏ ଖଣ୍ଡିକ ପାଟଳି ବଣ ଥିଲା, ସେହିମାନେ ବସ୍ତି ବସାଇ ଥିଲେ। ତେଣୁ ଏହାର ନାଁ ପାଟେଳି ଗାଁ ହୋଇଛି।

ହାଡ଼ିପା ଗୁରୁ ଗୋବିନ୍ଦଚନ୍ଦ୍ରଙ୍କୁ ବୁଲେଇ ଆଣି ଆପେ ଯେତେବେଳେ ଜଗତଯାକ ବୁଲୁଥିଲେ ସେତେବେଳେ ପାଟେଳି ବଣର ସୁନ୍ଦର ଶୋଭା ଦେଖି ସେ ଏଇଠି କେତେ ବର୍ଷ ଅଟକି ଯାଇଥିଲେ, ତାଙ୍କୁ ଭୁଲେଇ ରଖିବା ପାଇଁ ଇନ୍ଦ୍ର ପଠେଇ ଥିଲେ ପାଟେଳି କନ୍ୟା। ପାଟେଳି ବଣରେ ପାଟେଳି କନ୍ୟା ତାଙ୍କର ସେବା କଲା, ଜନମିଲେ ଗୋଟିକ ପଛେ ଗୋଟିଏ ହୋଇ ଦି'ପୁଅ, ଏକ ଝିଅ - ଅଜପା, ଅଛପା, ଅରୂପୀ।

ଅରୂପୀ ବିଭା ହୋଇଗଲା ଜଇଁତିରା ଗଡ଼ରେ। ଅଛପା ଉଠିଗଲେ ଚଣ୍ଡୀ ବରମପୁର, ଅଜପା ଏଠି ରହିଲେ, ଘର ସଂସାର କଲେ, ବଉଁଶ ବଢ଼ିଲା।

କିଏ ନ ଜାଣେ ତାଙ୍କ ମହିମା ? ମାଟିକି ସୁନା ସୁନାକୁ ମାଟି, ଜୀଅନ୍ତାକୁ ମୁର୍ଦ୍ଦାର ମୂର୍ଦ୍ଦାରକୁ ଜୀଅନ୍ତା ସବୁ ସେ କରିପାରୁଥିଲେ। ଇନ୍ଦ୍ରପଦ ପାଇଯାଇଥାନ୍ତେ, ସେ ପାଟେଳୀ କନ୍ୟା ଯାହା ଭୋଳ କରିଦେଲା।

୨୬.୪.୧୯

Thursday, 25 April 2019

*ହୃଦୟ ନିର୍ମଳ ଥିଲେ ଆପେ ବୁଦ୍ଧି ଦିଶିବ*

ରବି ତାର ସନ୍ଦେହକୁ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲା।

ଧୋବେଇ ମିଶ୍ର କହିଲେ, "ଗୋଟାଏ ଅନ୍ଧବିଶ୍ବାସ ହୋଇଯାଇଛି ଯେ ଲୋକେ ଖାଇଲେ ପିଇଲେ କୋଠାଘରେ ରହିଲେ ଧନ ସମ୍ପତ୍ତିର ଅଧିକାରୀ ହେଲେ ସେମାନଙ୍କ ମନ ବି ଉଦାର ହୋଇଯାଏ, ହୃଦୟ ଶୁଦ୍ଧ ହୁଏ, ଠିକ୍ ଯେମିତି ଆଉ ଗୋଟାଏ ଅନ୍ଧବିଶ୍ୱାସ ଅଛି ଯେ ସ୍ୱାଚ୍ଛନ୍ଦ୍ୟରେ ରହିଲେ ମଣିଷର ମନ ସ୍ୱାର୍ଥପର ହୋଇଯାଏ, ତାର ଆଧ୍ୟାତ୍ମିକ ଅଧୋଗତି ଘଟେ। କିଏ କେଉଁ ଅନ୍ଧବିଶ୍ୱାସକୁ ଆଶ୍ରା କରେ, ସମସ୍ତେ କହନ୍ତି ସେଇମାନେ ହିଁ ପ୍ରକୃତ ପ୍ରଗତିପନ୍ଥୀ, ସତ୍ୟକୁ ଖୋଜୁ ଖୋଜୁ ମୁରବୀମାନେ ବି ତର୍କରେ ଭୁଆଁ ବୁଲନ୍ତି। ଏ ଉଭୟେ ବସ୍ତୁ ଉପରେ ଆତ୍ମାର ପ୍ରଭାବକୁ ସ୍ୱୀକାର କରନ୍ତି ଅଥଚ ଉଭୟେ ଖୋଜନ୍ତି ଆତ୍ମାକୁ ବସ୍ତୁ ଦାଉରୁ ମୁକ୍ତ କରିବାକୁ। ଲୋକେ ତ ଯୁକ୍ତି ପଛରେ ଧାଇଁଲେ, ମଣିଷ ପାଖକୁ ଆସୁଛି କିଏ ?"

ନନ୍ଦ ତହସିଲଦାର ହସିଲେ, କହିଲେ, "ଏମିତି ଦର୍ଶନଶାସ୍ତ୍ର ଭାବୁ ଭାବୁ ଆମେ ଏକ ପନ୍ଥା କରି ରହିଯିବା। ଆଉ କାମ କିଛି ହୋଇପାରିବ ନାହିଁ।

ରବି ହସିଲା ନାହିଁ। ଗମ୍ଭୀର ହୋଇ କହିଲା, "ମୁଁ ଓଲଟି ଭାବୁଛି ଯେ ଦର୍ଶନଶାସ୍ତ୍ର କଥା ଆମେ ଅଧିକ ଭାବି ନାହୁଁ। ବିପିନ୍ ର ଚିଠିକୁ ମୁଁ ହସରେ ଉଡ଼େଇ ଦେଇ ପାରୁନାହିଁ। ବିପଦର ଗୋଟାଏ ଦିଗ ସେ, ହୁସିଆର ନ ହେଲେ ଆମ କାମ ଭିତରେ ସେହିପରି ମନ ବାହାରିପାରେ।

ନନ୍ଦ ତହସିଲଦାର କହିଲେ, "ଏଠି ସେ ବିପଦର ଆଶଙ୍କା ନାହିଁ ବାବୁ, ଏଠି ବିଶ୍ୱାସ ଅଛି, ଉତ୍ସାହ ଅଛି, ଜୁଆରରେ ଭଟ୍ଟା ପଡ଼ିବ ନାହିଁ। ବିଶ୍ବାସେ ମିଳଇ କୃଷ୍ଣ ତର୍କେ ବହୁ ଦୂର।"

ଧୋବେଇ ମିଶ୍ର କହିଲେ, "ହଁ ବିଶ୍ୱାସରେ କୃଷ୍ଣ ମିଳିବେ ଯେ ଅନ୍ଧବିଶ୍ଵାସରେ ଅଣ୍ଡାଳୁ ଅଣ୍ଡାଳୁ କଂସ ବି ମିଳିବେ। ଖାଲି ଉତ୍ସାହରେ ମାତିଗଲେ କଣ ହେବ ? ମଣିଷ ଯାହାକୁ ନିଜେ ନ ବୁଝି ପାରିବ ତାକୁ ଘେନି ସେ ଜୀବନ ବିତାଇବ କେମିତି ? ସେଥିପାଇଁ ସବୁବେଳେ ସବୁ ପଟ ଦେଖି ଦେଖି କାମ କରିବା ଦରକାର।"

ରବି କହିଲା, "କେତେ ଥାଆନ୍ତି ଯେ ସେମାନେ ମଣିଷଠି ବିଶ୍ୱାସ ରଖନ୍ତି ନାହିଁ, ଭଗବାନଙ୍କଠି ବିଶ୍ୱାସ ରଖନ୍ତି ନାହିଁ, ନାକ ଟେକି ଟେକି ନିଃଶ୍ୱାସ ଛାଡ଼ି, ଆଶା ଛାଡ଼ି ସେମାନେ ବାଟ ହୁଡ଼ନ୍ତି। ଆଉ କେତେ ଥାଆନ୍ତି ଯେ, ସେମାନେ ଜମା ତଳକୁ ଦେଖନ୍ତି ନାହିଁ, ପରଖନ୍ତି ନାହିଁ, ଉପରେ ଉପରେ ଭାସିଯାଆନ୍ତି। ସେମାନେ କିଛି ବୁଝନ୍ତି ନାହିଁ, କିନ୍ତୁ ଯେତେବେଳେ ଦେଖିବ ସେମାନେ ଖାଲି ଉଛ୍ୱାସରେ ଉଡ଼ି ବୁଲୁଥିବେ। ଏମିତି ଯିଏ ଆତ୍ମଦୃଷ୍ଟିରେ ଆଖି ବୁଜିଦିଏ, କହେ ଯାହା ଚାଲିଛି ସେଇ ଭଲ, ସେ ବି ବାଟ ହୁଡ଼େ। ଆମେ ଏ ଦୁଇ ବିପଦକୁ ଏଡ଼େଇ ଚାଲିବା।"

ନନ୍ଦ ବୁଢ଼ା କହିଲେ, "ତୁମେ ବାବୁ ବୁଦ୍ଧିଆ ଲୋକ, ପାଠୁଆ ଲୋକ, ଭାବୁଥା ତୁମେ ଏପାଖ ସେପାଖ ଯେତେ ପାରୁଛ। ମୋ ଠି ଏ ବୁଦ୍ଧି ନାହିଁ, ଏ ଭାବନା ନାହିଁ। ହୃଦୟ ନିର୍ମଳ ଥିଲେ, ମଣିଷ ଭିତରେ ସ୍ନେହ ଥିଲେ ସେ ତ ଗଙ୍ଗା ଧାର ପରି ଆପେ ବୋହିଯିବ, ଆପେ ବୁଦ୍ଧି ଦିଶିବ। ତାକୁ ଗୋଳିଆ କରିବ କିଏ ? ହୃଦୟ ନିର୍ମଳ ନ ଥିଲେ ତାକତରକରେ ଯାହା କରୁଥିବ ସେଥିରେ ପଦେ ପଦେ ବାଧା, ହିସାବ କଷୁଥିବ, ଏଣେ ଘାସ ଗଜୁରିବ ନାହିଁ।"

ଏ ଯୁକ୍ତିକୁ ରବି ଉତ୍ତର ପାଇଲା ନାହିଁ। ଧୋବେଇ ମିଶ୍ର କିଛି କହିବାକୁ ଭରସିଲେ ନାହିଁ। ଦୁହେଁ କେବଳ ତାଙ୍କ ମୁହଁକୁ ଅନାଇଁ ରହିଲେ।

ତା ପରେ ଏକାଠି ହସି ଉଠିଲେ ତିନିହେଁଯାକ।

୨୫.୪.୧୯

Wednesday, 24 April 2019

*ନୈତିକ ଆଧ୍ୟାତ୍ମିକ ଉନ୍ନତି ବିହୀନ ଯୋଜନା*

ସେହି ସାଧାରଣ ମଣିଷଙ୍କ ପାଇଁ ଭେକ ବଡ଼ ନୁହଁ, ଆଜି ଯେ ଲେଙ୍ଗୁଟା ମାରୁଛି କାଲି ତା ପୁଅ ସ୍ଵଚ୍ଛନ୍ଦରେ ଯେ କୌଣସି ପୋଷାକ ପିନ୍ଧି ପାରେ। ବୋଲି ଶିଖିବା ବଡ଼ କଥା ନୁହଁ, ଆବଶ୍ୟକ ପଡ଼ିଲେ ସଂସାରର ନାନା ବୋଲି ସେ ଶିଖିନେବ ଜଗନ୍ନାଥଙ୍କ ପଣ୍ଡା ପରି। ତାର ବିଚାର ବଡ଼। ତାହାରି ଉପରେ ତାର ଭଲ ମନ୍ଦର ଧାରଣା ଗଢ଼ା ହୋଇଛି। ସମୟର ପ୍ରଭାବରେ ନାନା ଜଞ୍ଜାଳରେ ଧନ୍ଦି ହୋଇ ସେ ମଣିଷ କେବଳ ନିଜେ ଭାବିବା ଛାଡ଼ି ଦେଇଛି। ସବୁ ଜାଣି ସବୁ ବୁଝି ତଥାପି ନିଜକୁ ଭସେଇ ଦେଇଛି ଚଳନ୍ତି ସୂଅରେ। ଭାବି କାମ କଲେ ଏବେ ବି ସେ ଅନ୍ଧାରକୁ ଆଲୁଅ କରିପାରିବ। ତାର ମନ ହେଲେ ସେ ସବୁକିଛି କରିପାରିବ।

ବିପିନ୍ ର ସମ୍ବନ୍ଧ ସତେ କି ସେ ମଣିଷର ମନ ସଙ୍ଗରେ ନୁହେଁ, ତାର ସମ୍ବନ୍ଧ କେଇଟା ବଛା ବଛା ମୋଟା କାମ ସଙ୍ଗରେ; ତେଣୁ ସେ ହାଲିଆ ହୋଇ ପଡୁଚି, ତା ମନ ପିତା ପଡ଼ି ଯାଉଚି।

ମଣିଷର ପ୍ରବଣତା ନ ଚିହ୍ନି, ମନର ଶକ୍ତିକୁ ନ ଚିହ୍ନି ନ କଳି ମଣିଷକୁ ଅବିଶ୍ୱାସ ଆଉ ଉପହାସ କରି କୌଣସି ଯୋଜନା ସ୍ଥାୟୀ ହୋଇ ନ ପାରେ। ତୁଚ୍ଛା ବୁଦ୍ଧିଜୀବୀର ଆସ୍ପର୍ଦ୍ଧା ଆସ୍ଫାଳନ - ବୃଥା।

ଯେ ମଣିଷକୁ ଭଲ ପାଇ ଶିଖି ନାହିଁ, ସମ୍ମାନ କରି ଶିଖି ନାହିଁ, ମଣିଷର ସୁଖ ଦୁଃଖ ହାନି ଲାଭରେ ତା ସଙ୍ଗରେ ସମ୍ବନ୍ଧ ରଖିବାକୁ ଓଲ୍ହାଇବା ତାର ଉଚିତ ନୁହେଁ।

ବିପିନ୍ ର ଚିଠି ପଢ଼ି ରବି ଏମିତି ଭାବିଥିଲା। ତା ଆଖି ଆଗରେ ଗୋଟିଏ ପ୍ରଶ୍ନ ଥିଲା ଯେ ଏ ସବୁ ଆତ୍ମାବିହୀନ ଯୋଜନାର ଭବିଷ୍ୟତ କଣ ହେବ ?

କାହାର ଉନ୍ନୟନ କିଏ କରିବ ଏଇ ମନ ଘେନି ? ରୋଷେଇ ହେବ, ଖାଇବ କିଏ ? କୋଠା ହେବ, ସଡ଼କ ହେବ, କୂଅ ପୋଖରୀ ହେବ, ମଣିଷର ମନ ଉପରେ ମଣିଷ ଜାତିର ଚରିତ୍ରର ପରମ୍ପରା ଉପରେ ତାର କି ପ୍ରଭାବ ପଡ଼ିବ ?

କାର୍ଯ୍ୟଟିଏ ଯେ ଆରମ୍ଭ ହେବ ସେ କଣ ସେଇଠି ସରିଯିବାକୁ ନା ସେଇ ଗୋଟିଏ କାର୍ଯ୍ୟରେ ନାନା କାର୍ଯ୍ୟର ସୂତ୍ରପାତ ହେବ ?

ମଣିଷର ଉନ୍ନତି ଆଉ ଉପକାର କରିବାକୁ ସେମାନେ ଯେତେ ବ୍ୟବସ୍ଥା କରନ୍ତି ମଣିଷର ମନ କଥା କହିଲେ ନାକ ଟେକନ୍ତି କାହିଁକି ?

ଯେ ତାର ସବୁ କାର୍ଯ୍ୟର ଶକ୍ତି, ତାର ସବୁ ପ୍ରଚେଷ୍ଟାର ଆଗ ମଙ୍ଗ ତାର ସେହି ବୁଦ୍ଧି ବିଚାର ସ୍ନେହ ସରାଗକୁ ବିକାଶ କରିବା ପାଇଁ କାହିଁ ଏଥିରେ ବ୍ୟବସ୍ଥା ??

ତାର ନୈତିକ ଆଉ ଆଧ୍ୟାତ୍ମିକ ଉନ୍ନୟନ ପାଇଁ ଏଥିରେ କି ବ୍ୟବସ୍ଥା ହୋଇଛି ???

୨୪.୪.୧୯

Tuesday, 23 April 2019

*ମଣିଷମନ୍ଦା ଭିତରୁ ସୃଷ୍ଟି ହେଉଥିଲେ ମହାପୁରୁଷ*

ବିପିନ ସେମାନଙ୍କୁ ମେସିନ ଭଳି ବ୍ୟବହାର କରିଛି, ଚିହ୍ନିବାର ଚେଷ୍ଟା କରିନାହିଁ। ଯୁଗର ପବନରେ କେତେ ରଙ୍ଗର ଧୂଳି ଉଡ଼ି ଆସେ, କିଏ ଇଂରିଜି ଦି' ଅକ୍ଷର ପଢ଼ିଛି, ଆଗରୁ ଯେମିତି କେହି ଫାର୍ସୀ ବି ପଢ଼ିଥିଲେ। କିଏ ସେହି ଇଂରିଜି ଭାଷାରେ ଓ ଇଂରିଜି ବିଚାରରେ ଏ ଦେଶର କଥାକୁ ଭାବିଛି। କେତେ ନୂଆ କାମ ବି କରିଛି। କିନ୍ତୁ ସେ ନୁହେଁ ଏ ଦେଶର ପ୍ରକୃତ ପ୍ରତିନିଧି। ସେ ଏକ ସ୍ୱତନ୍ତ୍ର ଶ୍ରେଣୀ ବୋଲି ନିଜକୁ ଭାବିଛି।

ଯେଉଁମାନେ ସ୍ୱତନ୍ତ୍ର ନୁହଁନ୍ତି ସେମାନେ ହେଲେ ସାଧାରଣ। ପଦାରେ ସେମାନଙ୍କ ନାଁ ପଡ଼େ ନାହିଁ। କେଉଁ ଗଣ୍ଡ ମଫସଲରେ କେଉଁ ଅଖ୍ୟାତ ମଣିଷର କାର୍ଯ୍ୟରେ ଫୁଟିଉଠେ ଏ ଦେଶର ସନାତନ ଧର୍ମ। ଆପଣା ସୁଖକୁ ପଛ କରି ସେ ଭାଇ ଭଉଣୀ ଓ ଘରଯାକର ବୋଝ ମୁଣ୍ଡକୁ ନିଏ। ପର ପାଇଁ ନିଜ ସୁଖ ସୁବିଧାକୁ ତୁଚ୍ଛ କରେ। ସେ କାଉକୁ ଆଧାର ଦିଏ, ଛେଳି ଗୋରୁଙ୍କୁ ଆଉଁସେ, ଭିକାରୀକି ଭିକ ଦିଏ, ନିପାରିଲାକୁ ପୋଷେ, ଆପଣା କାମକୁ ସମାଲୋଚନା କରି ନିଜର ଦୋଷ ବାଛେ। ଈଶ୍ୱରଙ୍କଠି ବିଶ୍ୱାସ ରଖେ, କ'ଣ କଲେ ନୀତି ନ ତୁଟିବ, ପାପ ନ ଲାଗିବ, ଧର୍ମ ନ ଛାଡ଼ିବ ସେହିପରି କରେ। କେତେବେଳେ କେଉଁ କାରଣରୁ ଯଦିବା କାର୍ଯ୍ୟରେ ନ କରିପାରେ, ଯଦିବା କାର୍ଯ୍ୟରେ ଠିକ୍ ଓଲଟା କରେ, ତେବେ ବି ତା ମନଟା ଥାଏ ସେଠି, ମନରେ ଥାଏ -- ସେଇଆ ସେ କରିଥାନ୍ତା, କରିବା ଉଚିତ ଥିଲା। ସେହି ଅସଂଖ୍ୟ ନାଁ ନ ପଡୁଥିବା ମଣିଷମନ୍ଦା ଭିତରୁ କେତେବେଳେ ବାହାରି ପଡ଼ିଥିଲେ ରାମ, କୃଷ୍ଣ, ବୁଦ୍ଧ; ସେହି ଗୋଷ୍ଠୀ ଭିତରୁ ବାହାରିଥିଲେ ଅସଂଖ୍ୟ ମହାପୁରୁଷ, ସେହି ସନାତନ ନୀତିମନ୍ତ ଅତି ପ୍ରାଚୀନ ହିନ୍ଦୁ ସମାଜ ଭିତରୁ ଆହୁରି ବି ବାହାରୁଥିବେ ସେହିପରି।

୨୩.୪.୧୯

Monday, 22 April 2019

*ଆମେ କଣ ମେସିନ ?*

କେଉଁ ପରିମାଣରେ ବିପିନ ସେମାନଙ୍କୁ ସେ ଆଦର୍ଶ ଯୋଗାଇ ପାରିଛି ? ବିପିନ ନିଜେ ଅନେକ ଯୋଜନା ତାଙ୍କ ଆଗରେ ଥୋଇଛି। ନାନା ଦେଶ, ନାନା ଲୋକଙ୍କ ଦେଖାଦେଖିରେ ଗୋଟିଏ ଫର୍ମା ତିଆରି ହୋଇଛି। ସେହି କାମ କଲେ ସେଥିରୁ ଅନେକ ଉପକାର ହେବ ବୋଲି କୁହାଯାଇଛି। କିନ୍ତୁ, ଯେଉଁ ସତ୍ ଵିଚାର, ଯେଉଁ ଆଦର୍ଶକୁ ଏ ମାଟିର ମଣିଷ ବଡ଼ ବୋଲି ଭାବି ଆସିଛି, ତାହା ଏଇ ବିପିନ ମାନଙ୍କ ପରି ଯୋଜନା ପ୍ରାଣୟନକାରୀଙ୍କ କଥାରୁ ହୃଦ୍ ବୋଧ ହେଉ ନାହିଁ କି ପ୍ରାଣରେ ପୁଲକ ଆସୁ ନାହିଁ।

ବିପିନ ସେମାନଙ୍କୁ ଭଲ ପାଇ ନାହିଁ, ଚିହ୍ନିବାକୁ ଚେଷ୍ଟା କରି ନାହିଁ। ବ୍ୟଙ୍ଗ କଥା କହି ଆପଣା ବୁଦ୍ଧିର ପ୍ରଖରତା ଦେଖାଇଛି। ସେମାନେ ବି ତାକୁ ହସିଛନ୍ତି। ହସିବେ ନାହିଁ କିପରି ? ସେମାନେ ଭାବିଛନ୍ତି ଆମେ କଣ ମେସିନ, ଯେ ଚାହିଁବ ସେ ବ୍ୟବହାର କରିବ ?

୨୨.୪.୧୯

Sunday, 21 April 2019

*ଚେତନା ଲାଗି ଭାଷା ଜ୍ଞାନ ଲୋଡ଼ା ପଡ଼େ ନାହିଁ*

ବିପିନର ଚିଠି ପଢ଼ି ସେ ଥକ୍କା ହୋଇ ବସି ପଡ଼ିଲା। ମନେ ମନେ ବିପିନକୁ ଦେଖିଲା -- ଅଶାନ୍ତ, ଅସୁଖୀ।

ସେ ଆପଣା ରୁଚି ଘେନି କର୍ମ କରୁ ନାହିଁ, ତା'ର ଯୋଜନା ତା'ର ଚାକିରି, ସେ ହୁକୁମ ମାନୁଛି, ନିଜ ମତାମତକୁ ସେ ପେଡ଼ିରେ ତାଲା ପକେଇ ଦେଇଛି।

ଯେଉଁଥିରେ ତା'ର ବିଶ୍ୱାସ ନାହିଁ, ଉତ୍ସାହ ନାହିଁ, ସେଇଆକୁ ସେ ପର ଆଗରେ ଥୋଇ ପରର ବିଶ୍ୱାସ ଓ ଉତ୍ସାହ ସୃଷ୍ଟି କରିବ। ସେ ଚାକିରି କରିଛି ବୋଲି କରିବାକୁ ବାଧ୍ୟ। ଯେପରି ଆଦେଶ ମିଳିଲା ସେପରି ସେ ବିଶ୍ୱାସ କରିବ, କହିବ, କରାଇବ। ପୁଣି ଆର ଓଳିକୁ ଓଲଟା କାମ କରିବାକୁ ହୁକୁମ ଦେଲେ ସେ ଓଲଟା ପଦ ବୋଲିବ। କିନ୍ତୁ ଯେଉଁମାନଙ୍କ ଦ୍ୱାରା ଏ ଯୋଜନା କାର୍ଯ୍ୟକାରୀ ହେବ, ସେମାନେ ଦେଶର ସାଧାରଣ ନାଗରିକ। ସେମାନେ କରିବାକୁ ବାଧ୍ୟ ନୁହଁନ୍ତି। ସେମାନଙ୍କୁ ସେ  କହିବ, ବଳେଇ ପାରିବ ନାହିଁ। ତାଙ୍କର ମନ ହେଲେ ଉତ୍ସାହ ହେଲେ ସେମାନେ କରିବେ।

ଯୋଜନାର କାରପଟଦାର ଏ କଥାକୁ ନ ହେଜି କାମ ନ ହେଲେ ସାଧାରଣ ଲୋକଙ୍କୁ ଦୋଷ ଦିଏ।

ଲୋକେ ଖୋଜନ୍ତି ଗୋଟାଏ ଆଦର୍ଶ। ସେ ଆଦର୍ଶ ଖାଲି ଅଧିକ ବସ୍ତୁ ଉତ୍ପାଦନର ନୁହେଁ। ଅତି ଅଧିକ ବସ୍ତୁ ସେମାନଙ୍କର ନ ଥିଲା। କିନ୍ତୁ ଚେତନା ଥିଲା। ପାପ ପୁଣ୍ୟ ସତ ମିଛ ତ୍ୟାଗ ଭୋଗ ବିଷୟରେ ସ୍ପଷ୍ଟ ଧାରଣା ଥିଲା। ଏବେ ବି ରହିଛି। ସେ ଚେତନା ପାଇଁ ଭାଷା ଜ୍ଞାନ ଲୋଡ଼ା ପଡ଼ି ନାହିଁ। ନିରକ୍ଷର ଏବେ ବି ହିଡ଼ ମୁଣ୍ଡରେ ବସି ଆପଣା ଅଭିଜ୍ଞତାରୁ ଉଦାହରଣ ଦେଇ ତ ଭାଗବତ ଅର୍ଥ କରିପାରେ, କଲା କାମ ଆଲୋଚନା କରି କାଇଲ୍ ବାଛି ଦେଇପାରେ।

୨୧.୪.୧୯

Saturday, 20 April 2019

*କେତେ ନେହୁରା ହୋଇ ଥୋପ ଗିଳାଇ ଦିଆଯାଏ*

ବହୁତ ଦିନ ପରେ ବିପିନଠୁଁ ଭାଷା ଆସିଛି। ରବିର ବନ୍ଧୁ ବିପିନ୍, ମଝିଲା ସହରରେ ଉନ୍ନୟନ କାର୍ଯ୍ୟର କର୍ମଚାରୀ। ମଝିରେ ଗଲା ମାର୍ଚ୍ଚ ମାସ, ହିସାଵପତ୍ରର ବରଷଟା ମାର୍ଚ୍ଚ ୩୧ରେ ସରେ, କି ବୁଝିବ ତୁମେ ସେ ଦୁଃଖ ! ଟଙ୍କା ଖର୍ଚ୍ଚ ନ ହୋଇଥିଲେ ମଣିଷର ଅପାରଗତା ଜଣା ପଡ଼ିବ, ଏଣେ ସବୁ ଖର୍ଚ୍ଚ ହେବା ବି କାଠିକର ପାଠ। ଖର୍ଚ୍ଚ ହେଲା ବୋଲି ଧରିନେଲେ ଚଳିବ, କିନ୍ତୁ ମୁଣ୍ଡ ଉପରେ ସେ ଯେଉଁ ଦାୟିତ୍ୱ, ବିଶ୍ୱାସ କର, ରାତିରେ ନିଦ ହୁଏ ନାହିଁ। ପ୍ରତିଦିନ ମୁଣ୍ଡରୁ ପୁଳାଏ ଲେଖାଁ ଉପୁଡ଼େ, ବଡ଼ ବଡ଼ ଲୋକେ ଯେ ଚନ୍ଦା ହୁଅନ୍ତି ସେ ଏଇ ଭାବନା ପାଇଁ। ମାର୍ଚ୍ଚ ମାସର କାମ ଫଇସଲା କରୁକରୁ ଗଲା ଏପ୍ରିଲ, ମେ।

ତା'ପରେ ନୂଆ କାମର ଚାପ ତ ସେଇ ଏପ୍ରିଲ ମାସରୁ ଲାଗିରହିଛି। ଲୋକେ ମଙ୍ଗୁ ନ ଥିବେ, ଧାନ କର କହିଲେ କହିବେ ନଳିତା କରିବୁ, ରସାୟନିକ ସାର ନିଅ କହିଲେ କହିବେ ଏହା ଜମିକୁ ପୋଡ଼ିଦେଵ, ନିଃସାର କରିଦେବ। ତଥାପି ତାଙ୍କର ସତ୍ୟ ବିଶ୍ୱାସକୁ ଭାଙ୍ଗିବା ପାଇଁ ବଳ ବୁଦ୍ଧି ପ୍ରୟୋଗ କରିବାକୁ ପଡ଼େ। ନେହୁରା ହୋଇ ଯୋଜନାର ଥୋପଟା ଖଲାସ କରିବା ପାଇଁ କହିବାକୁ ପଡ଼େ ଏଇଟା କର, ସେଇଟା କର, ନ ହେଲେ ଆମ ଚାକରି ଯିବ। ପୁଣି କହିବାକୁ ପଡ଼େ, ଅଧେ ପଛେ ଛାଡ଼ ଦିଆଯିବ, ଆର ଅଧକ ଋଣ ସ୍ୱରୂପ ମିଳିବ ଯେ, ତୁମେ ତାକୁ ତିରିଶ ବର୍ଷରେ ଶୁଝିବ, ଆମ କୁହା ମାନ, ଆମ ଇଜ୍ଜତ ରଖ, ଯୋଜନା କର।

ଯୋଜନା ଉପରେ ଯୋଜନା ପାଇଖାନାଠୁଁ ଖାଇବସିବା ଯାକେ ମଣିଷ ଜୀବନର ପ୍ରତି ଅନ୍ଦିକନ୍ଦିରେ ଆମେ ଯୋଜନାବାଲା ତା ସହ ଖୁଜୁବୁଜୁ ହୋଇ ଲାଗିଥିବୁ। କହିବୁ, ପାଇଖାନା ଏମିତି ତିଆରି କର, ଚୂଲୀ ଏମିତି ତିଆରି ହେବ, ରୋଷେଇ ଏମିତି ହେବ, ଚାଷ ଏମିତି ହେବ, ପାଠପଢ଼ା ଏମିତି ହେବ, ମାଛ ଏମିତି ଛଡ଼ାଯିବ, କୁକୁଡ଼ା ଏମିତି ରଖିବାକୁ ହେବ, ବାରି ଏମିତି କରିବାକୁ ହେବ, ସହଯୋଗ ଏମିତି ରଖିବାକୁ ହେବ। ଆମ କଥା ନ ମାନିଲା ଯାଏ ଆମେ ଦୁଗୁଣେଇ ଆସୁଥିବୁ। ତୁଣ୍ଡରେ ଯଦି ସନ୍ତୁଷ୍ଟ ନ ହେଲେ, ମାଇକ ଲଗାଇ ବଡ଼ ପାଟିରେ କହୁ, ବକ୍ତୃତାରେ, ଛବିରେ, ଅକ୍ଷରରେ ସବୁ ମିଶାଇ ଥୋପ ନ ଗିଳିବା ଯାଏ ଆମ କାମ ଚାଲେ।

୧୯-୨୦.୪.୧୯

Thursday, 18 April 2019

*ପରଦେଶ ଭାଷା ପରିବାର ଭାଙ୍ଗିଦେଉଛି*

ଧନୁ ସାହୁ କହିଲେ, "ସତ କହିଲେ ରାଉତରାୟ ! ବିଦ୍ୟା ରହିଗଲା, ସେ ହୋଇଗଲା ପୋଥିଗତ ବିଦ୍ୟା। ଇଂରିଜି ଆସିଲା, ଇଂରିଜିରେ ଲେଖାହୋଇଥିଲେ ପାଠୁଆମାନେ ପଢ଼ିଥାନ୍ତେ। ତା ତ ନାହିଁ, ତାର କୋଉଠୁ ସମାଦର ହେବ ?"

ସମସ୍ତେ ହସିଲେ, ଇଂରିଜିକୁ ସମାଲୋଚନା କଲେ ସତେ କି ତାଙ୍କୁ ଭାରି ମଜା ଲାଗେ।

ଧନୁ ସାହୁ କହିଗଲେ, "ଆମ ପାଠ ଆମ ସଂଘାରେ ରହିଗଲା, ଚାଲିଲା ଇଂରିଜି ଅମଳ। କିଏ କେତେ ବଡ଼ ବଡ଼ ଆଶା କରି ପିଲାଙ୍କୁ ଇଂରିଜି ପଢ଼ାଇବାକୁ ସହରକୁ ପଠାଇଲେ, କଣ ନା ପିଲେ ମଣିଷ ହେବେ, ଭଲ ବୁଦ୍ଧି ଶିଖିବେ, ଗାଁ ହସି ଉଠିବ।

କିନ୍ତୁ ଏହି ଇଂରିଜି ପାଠ ହେଲା କାଳ। ଯିଏ ତାକୁ ପଢ଼ିଲା, ତାର ରୁଚି ବଦଳିଗଲା, ତା ମୁଣ୍ଡ ବିଗିଡ଼ିଗଲା। ତାର ଯାହା ଯାହା ଦରକାର ବୋଲି ସେ ସେଇଠୁ ଭାବିଲା, ଯେମିତି
କୋଠା ଘର, ଗାଡ଼ି, ବିଜୁଳି, ଧୋବଧାବଳିଆ ସାଙ୍ଗ, ବଜାର, ହୋଟେଲ, ବାଇସ୍କୋପ କି ଆଉ ଯାହା, ସେ ସବୁ ମଫସଲରେ ନାହିଁ, ସତେ କି ଇଂରିଜି ପାଠରେ ଯାହା ଅଛି ସେଗୁଡ଼ା ସବୁ ଖାଲି ସହରରେ ମିଳେ। ଗାଁ ତାକୁ ଗନ୍ଧେଇଲା। ମୁଣ୍ଡିଆ ମାରିବାକୁ ସେ ଗାଁରେ କାହାକୁ ପାଇଲା ନାହିଁ, ସମସ୍ତେ ସହରରେ।

ଇଂରିଜି ପାଠ ପଢ଼ି ସେ ଯେଉଁ ବୃତ୍ତି ଶିଖିଲା, ସେ ବୃତ୍ତି ସବୁ ସହରରେ ଅଛି, ଚାକିରି ବାକିରି, ଲେଖାପଢ଼ା କାମ, ଯାହା କହ ସବୁ ସହରିଆ ବେପାର।

ଇଂରିଜି ପଢୁଆ ଗଲେ ସହରକୁ। ସାଙ୍ଗରେ ନେଇଗଲେ ପୁଅ ଭାରିଜାଙ୍କୁ। ଏତେ ପଇସା ସାରି ଏତେ ମେହେନତ କରି ଇଂରିଜି ପଢ଼େଇଲୁ ଖାଲି ପଲ ପଲ ବୁଦ୍ଧିଆ ଲୋକ ଗାଁ ଛାଡ଼ି ଚେର କଟେଇ ହେଇ ପରଦେଶୀ ହୋଇ ବୁଲିବାକୁରେ, ହାଏ, ହାଏ !"

ଏଇ ସହରିଆ ଲୋକ ଗାଁ ପାଇଁ କରନ୍ତି ଯୋଜନା। ଗାଁ ଦେଖି ନ ଥିବା ଲୋକ ଗାଁ ପାଇଁ ଯୋଜନା କଲେ, ଯାହା ହେବା କଥା !
ଗାଁକୁ ସହରିଆ କରିବାର ଚେଷ୍ଟା ଚାଲିଚି। ତେବେ ଗାଁର ଅସଲ ସମସ୍ୟାଟା ତୁଟୁ ନାହିଁ, ବରଂ ବଢ଼ି ବଢ଼ି ଚାଲିଛି, ସେଇ ତ ଅଡ଼ୁଆ।"

ଧୋବେଇ ମିଶ୍ର ପୁଣି ଥରେ କହିଲେ ସେ ପୁରୁଣା କଥାଟା, ଯେପରିକି ଯେତେ ପୁରୁଣା ହେଲେ ବି କଥାଟା ଅତି ନୂଆ। ତାଙ୍କ ମୁହଁ ଉଦାସ ଦିଶିଲା, ସ୍ୱରରେ ଫୁଟିଉଠିଲା ଆନ୍ତରିକତା। କହିଲେ, "ପୂର୍ବେ ଲୋକେ ଗାଁ ବାନ୍ଧିଥିଲେ କାହିଁକି ? ଏକାଠି ସୁଖରେ ରହିବେ ବୋଲି, ମିଳିମିଶି ଏକାଠି ରହିବେ ବୋଲି, ସେଇଥିପାଇଁ ତ ଗାଁ। ସେ ଏକାଠିଏକାଠିପଣ କେବେଠୁଁ ଗଲାଣି ଉଭେଇ, ସହରର ଏକୁଟିଆ ଏକୁଟିଆପଣ ଗାଁକୁ ଗ୍ରାସ କଲାଣି। କେହି କାହା ହିତ ପାଇଁ ଦାୟୀ ରହିଲେ ନାହିଁ। କାହାରି ମଲାଗଲାରେ ଆଉ କାହାରି ଯେମିତି କିଛି ନାହିଁ। ପରିବାର ଭାଙ୍ଗି ଯାଉଛି। ଭାଇ ଭାଇ ଭିନେ। ଗାଁ ଫାଟି ପଡୁଚି। ଦଳ ଦଳ ହୋଇ ଖାଲି କଳି କଜିଆ ଅପଡ଼ ମନାନ୍ତର, ଅବିଶ୍ୱାସ, ଅନିଶ୍ଚିତତା।

ଏଇଆ ହେଲାଣି ଗାଁ ସବୁ। ଅସଲ ଆପଣା ଭିତରେ ତ ଘୁଣ ଧରିଚି, ମଣିଷର ନିଜ ବୁଦ୍ଧି ବିଚାର ଲୋପ, ଗୋଡ଼ରେ ବଳ ନାହିଁ ଟଳଟଳ, ପଦାରୁ ଯେତେ ସେ ସାହାଯ୍ୟ କଲେ ତା ଅବସ୍ଥା ଭଲ ହେବ କୁଆଡୁ ? ମଣିଷପଣିଆଁ ଯେଉଁଠି ଭୁଷୁଡ଼ି ପଡୁଚି ସେଠି ପଦାରୁ ଟଙ୍କା ଆସି ସଡ଼କ କୂଅ  ପୋଖରୀ ହେଇଗଲେ କଣ ଭାଙ୍ଗିଲାଘର ଯୋଡ଼ିବ  ନା ମଣିଷ ସୁଖରେ ରହିବ ?

୧୮.୪.୧୯