Saturday, 16 November 2019

*ବେଦମାନଙ୍କର ତତ୍ତ୍ୱଚିନ୍ତନ*

ବେଦମାନଙ୍କର ଅନେକ ସୂକ୍ତରେ ତତ୍ତ୍ୱଜ୍ଞାନର ବିଶ୍ଳେଷଣ ଓ ଅନୁଭୂତି ସବୁ ଦେଖିବାକୁ ମିଳେ। ଏହି ସବୁ ସୂକ୍ତ ମଧ୍ୟରୁ ଋଗବେଦର ନାସଦୀୟ ସୂକ୍ତ, ଅସ୍ୟବାମୀୟ ସୂକ୍ତ, ପୁରୁଷ ସୂକ୍ତ, ହିରଣ୍ୟଗର୍ଭ ସୂକ୍ତ, ଯଜୁର୍ବେଦର ଚାଳିଶତମ ଅଧ୍ୟାୟର ତତ୍ତ୍ୱଚିନ୍ତନ, ଅନୁଭୂତି ଦୃଷ୍ଟିରୁ ସର୍ବୋଚ୍ଚ ଶିଖରରେ ପହଞ୍ଚିଛନ୍ତି। ଏହି ସୂକ୍ତମାନଙ୍କ ମଧ୍ୟରୁ ନାସଦୀୟ ସୂକ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ସୃଷ୍ଟି ପୂର୍ଵଠୁ ଆରମ୍ଭକରି ଏବେ ପର୍ଯ୍ୟନ୍ତ ଯେତେ ଯେତେ ଦର୍ଶନ ବିକଶିତ ହୋଇଛି ତାହାର ମୂଳ ମଞ୍ଜି ଏହି ସୂକ୍ତରେ ରହିଛି। ସ୍ୱାମୀ ବିବେକାନନ୍ଦଙ୍କୁ ମଧ୍ୟ ଏହି ସୂକ୍ତ ଅତ୍ୟନ୍ତ ପ୍ରିୟ ଥିଲା। ଏହି ସୂକ୍ତକୁ ଆମ ଦେଶର ଅନେକ ଲୋକ ଦେଖିଥିବେ ଓ ଶୁଣିଥିବେ। ଶ୍ୟାମ ବେନେଗଲଙ୍କ ରଚିତ "ଭାରତ ଏକ ଖୋଜ" ଧାରାବାହିକର ଆରମ୍ଭରେ କିଛି ବେଦ ମନ୍ତ୍ର ବୋଲାଯାଉଥିଲା। ଏହା ସବୁ ନାସଦୀୟ ସୂକ୍ତର ମନ୍ତ୍ର ଥିଲା। ଏହାକୁ ଟିକେ ଗମ୍ଭୀରତାର ସହ ବିଚାର କଲେ ବୈଦିକ ତତ୍ତ୍ୱଚିନ୍ତନର ଅନୁଭୂତିର ଗଭୀରତାକୁ ଆମେ ମାପି ପାରିବା। 

ନାସଦୀୟ ସୂକ୍ତ - ଆଜି ମଧ୍ୟ ବିଶ୍ୱର ବୈଜ୍ଞାନିକମାନଙ୍କ ସମ୍ମୁଖରେ ପ୍ରଶ୍ନ ଅଛି ଯେ ବ୍ରହ୍ମ୍ମାଣ୍ଡର ଉତ୍ପତ୍ତି ପୂୂର୍ବର ସ୍ଥିତି କ'ଣ ଥିଲା ? ସ୍ଥାନ, କାଳ ଏ ସବୁୁୁର ଅଵଧାରଣା ସାପେକ୍ଷ। ଏଣୁ ବ୍ରହ୍ମ୍ମାଣ୍ଡର ଉତ୍ପତ୍ତି ପରେ ଏମାନଙ୍କ ଅସ୍ତିତ୍ବ ଜଣାପଡ଼େ, କିନ୍ତୁ ଏହା ପୂୂର୍ବର ସ୍ଥିତି କ'ଣ ଥିଲା ତାହା ବର୍ଣ୍ଣନା କରିିିବାକୁ ଯାଇ ନାସଦୀୟ ସୂକ୍ତ(ଋ. ୧-୧୨୯)ର ଆରମ୍ଭ ହୋଇଛି। 

ନା ସଦାସୀନ୍ନୋ ସଦାସୀତ୍ ତଦାନୀଂ ନାସୀଦ୍ରଜୋ ନୋ ବ୍ୟୋମା ପରୋୟତ୍।
କିମାବରୀବଃ କୁହ କସ୍ୟ ଶର୍ମନ୍ନମ୍ଭଃ କିମାସୀଦ୍ଗଗହନଂ ଗମ୍ଭୀରମ୍ ।। ୧ ।।

ନ ମୃତ୍ୟୁରାସୀଦମୃତଂ ନ ତର୍ହି ନ ରାତ୍ର୍ୟା ଅହ୍ୟ ଆସୀତ୍ ପ୍ରକେତଃ।
ଆନୀଦବାତଂ ସ୍ବଧୟା ତଦେକଂ ତସ୍ମାଦ୍ଧାନ୍ୟନ୍ନ ପରଃ କିଂ ଚନାସ ।।୨।।

ସ୍ୱାମୀ ବିବେକାନନ୍ଦ ଏହାର କାବ୍ୟାତ୍ମକ ବ୍ୟାଖ୍ୟା କରିଛନ୍ତି -

ସେତେବେଳେ ନା ସତ୍ ଥିଲା ନା ଅସତ୍
ନା ଥିଲା ଏହି ସଂସାର  ନା ଆକାଶ
ତେବେ ଏହାର ଆବରଣ କ'ଣ ଥିଲା ? 
ତାହା ବି କାହାର ?
ଗହନ ଅନ୍ଧକାରର ଗଭୀରତାରେ କ'ଣ ଥିଲା ? ।।୧।।

ସେତେବେଳେ ନା ଥିଲା ମରଣ ନା ଅମରତ୍ବ
ନା ରାତ୍ରୀ ଥିଲା ଦିବସଠୁ ଅଲଗା
କିନ୍ତୁ ସେ ଗତିଶୂନ୍ୟ ହୋଇଥିଲା ସ୍ପନ୍ଦିତ
ସେତେବେଳେ କେବଳ ସେ ହିଁ ଥିଲା
ଯାହା ଉପରେ ନ ଥିଲା 
ଅସ୍ତିତ୍ବ ଆଉ କାହାର
ଏ ସାରା ଚରାଚର
କେବଳ ସେ ହିଁ  ଥିଲା ।।୨।।

୧୬.୧୧.୧୯

Monday, 4 November 2019

*ବେଦର ବିଷୟବସ୍ତୁ*

ବେଦରେ ସୃଷ୍ଟି ଆରମ୍ଭଠୁ ନେଇ ସମାଜର ବିକାଶ, ବିବିଧ ପ୍ରକାରର ଜ୍ଞାନ-ବିଜ୍ଞାନ ବୀଜ ରୂପରେ ରହିଛି। ଏଣୁ ବୈଦିକ ସୂକ୍ତରେ ଯେଉଁଠି ଗୋଟିଏ ପଟେ ସୃଷ୍ଟିର ନିୟମ ସମ୍ବନ୍ଧୀୟ ଶକ୍ତି ଗୁଡ଼ିକର ପ୍ରତୀକ ଦେବତାମାନଙ୍କର ଶ୍ରଦ୍ଧାପୂର୍ଣ୍ଣ ଆନ୍ତଃକରଣରେ କରାଯାଇଥିବା ପ୍ରାର୍ଥନା ଦେଖିବାକୁ ମିଳେ, ଅନ୍ୟପଟେ ଆଉ କିଛି ସୂକ୍ତରେ ଦୈନ୍ୟ ଦାସ୍ୟରୁ ମୁକ୍ତ ଏକ ଓଜସ୍ୱୀ, ତେଜସ୍ୱୀ, ଚୈତନ୍ୟଯୁକ୍ତ, ଯଶର ତଥା ଜୟର କାମନା କରୁଥିବା ସମାଜର ଚିତ୍ର ଦେଖିବାକୁ ମିଳେ। ଅଥର୍ବ ବେଦର ଭୂମି ସୂକ୍ତରେ ଭାରତ ଭୂମି ପ୍ରତି ଭକ୍ତି  ଆଦି ଗାନ ଥିବା ବେଳେ ବ୍ୟକ୍ତି, ବିବାହ ସଂସ୍ଥା ଓ ସଭା, ସମିତି ଓ ରାଷ୍ଟ୍ରର ବିକାଶ ଗାଥା ମଧ୍ୟ ଏହି ବେଦରେ ରହିଛି।  ବିଜ୍ଞାନର ଅନେକ ତଥ୍ୟ ବୈଦିକ ରୁଚାରେ ଅଛି। ଦୀର୍ଘତମସ୍ ଋଷିଙ୍କ ଅସ୍ୟବାମୀୟ ସୂକ୍ତରେ ସୂର୍ଯ୍ୟଙ୍କ ଉତ୍ପତ୍ତି ତଥା ତାଙ୍କଠୁ ବିଭିନ୍ନ ଗ୍ରହର ଦୂରତା ଓ ଅନ୍ୟ ତଥ୍ୟର ଗାଥା ରହିଛି।

ସମ୍ପୂର୍ଣ୍ଣ ବ୍ୟାକରଣ ଶାସ୍ତ୍ର ଓ ଧ୍ଵନି ଶାସ୍ତ୍ରର ବିକାଶର ମୂଳରେ ଋଗବେଦର ଏକ ରୁଚା ଅଛି।

ଚତ୍ବାରି ବାକ୍ ପରିମିତା ପଦାନି ତାନି ବିଦୁର୍ବ୍ରାହ୍ମଣା ୟେ ମନୀଷିଣଃ।
ଗୃହା ତ୍ରୀଣି ନିହିତା ନେଡ଼ ଗୟନ୍ତି ତୁରୀୟଂ ବାଚୋ ମନୁଷ୍ୟା ବଦନ୍ତି।
(ଋଗବେଦ ୧ - ୧୬୪ - ୪୫)

ଅର୍ଥାତ୍ ବାଣୀର ଚାରିଟି ପଦ ରହିଛି ଯାହାକୁ ମନୀଷୀଗଣ ଜାଣିଛନ୍ତି। ସେ ଗୁଡ଼ିକ ହେଲା - ପରା, ପଶ୍ୟନ୍ତି, ମଧ୍ୟମା, ବୈଖରୀ। ଏଥି ମଧ୍ୟରୁ ତିନିଟି ଗୁପ୍ତ ରୁହନ୍ତି ତଥା ଚତୁର୍ଥ ତୁରୀୟ ବାଚା ଲୋକେ ଗାଇଥାଆନ୍ତି। ଏହିପରି କାଳଗଣନାର ବୃହତ ଏକକ ବ୍ରହ୍ମଦିନର ଗଣନା ଅଥର୍ବ ବେଦର ୮/୨/୨୯ ସୂକ୍ତରେ ଦିଆଯାଇଛି। ସେଥିରେ କୁହାଯାଇଛି - "ଶତଂ ତେୟୁତଂ ହାୟନାନ୍ଦ୍ବୈ ଯୁଗେ ତ୍ରୀଣୀଂ ଚତ୍ବାରି କୃଣମଃ" ଅର୍ଥାତ୍ ଶହ ଅୟୁତ ଆଗରେ ୨,୩,୪ ଲେଖିଲେ କଳ୍ପର ସଂଖ୍ୟା ଆସିବ ଓ "ଅକାଂନାମ୍ ବାମତୋ ଗତିଃ" ଏହି ନିିୟମରେ ୪୩୨୦୦୦୦୦୦୦ ଚାରି ଶହ  ବତିଶ କୋଟିି ବର୍ଷ। ଋଗ୍  ବେଦର ସଜ୍ଞାନ ସୂକ୍ତ ସଙ୍ଗଠନ ଶାସ୍ତ୍ରର ଆଦି କାବ୍ୟ ହୋଇଥିବା ବେଳେ ତାହାର ଯମ-ଯମୀ ସମ୍ବାଦରେ ନୈତିକ ମାପଦଣ୍ଡର ସମାଜ ସ୍ଥାପନାର ଚିତ୍ର ରହିଛି। ଏହି ଦୃଷ୍ଟିରୁ ଐହିକ ଜୀବନରେ ଏକ ସକ୍ଷମ, ସମ୍ପନ୍ନ, ଜୀବନ୍ତ ସମାଜ ଚିତ୍ର ଆମ ଆଗରେ ଉଦ୍ଭାସିତ ହୁଏ। ଭୌତିକତାରେ ସୁଖ ନ ଥାଏ, ତେଣୁ  ତାଠାରୁ କିଛି ଉଚ୍ଚତ୍ତର ଚିନ୍ତା  ଏବଂ  ଅନ୍ୱେଷଣର ଗହନ ଆଧ୍ୟାତ୍ମିକ ଅନୁଭୂତିକୁ  ବ୍ୟକ୍ତ କରୁଥିବା ସୂକ୍ତ ଭାରତୀୟ ତତ୍ତ୍ୱ ଚିନ୍ତନର ଆଧାର ହୋଇଛି।

୪.୧୧.୧୯

Sunday, 3 November 2019

*ବେଦପାଠର ଅଧିକାର*

ଦୁର୍ଭାଗ୍ୟ, ମଧ୍ୟବର୍ତ୍ତୀ କାଳଖଣ୍ଡରେ ଆମ ଦେଶରେ ଏକ ଧାରଣା ଉତ୍ପନ୍ନ ହୋଇଛି ଯେ ବେଦପାଠ କରିବାର ଅଧିକାର କିଛି ନିର୍ଦ୍ଦିଷ୍ଟ ଜାତି ପାଇଛନ୍ତି। ବେଦପାଠ କରିବାର ଅଧିକାର ଶୂଦ୍ର ଓ ସ୍ତ୍ରୀମାନଙ୍କର ନାହିଁ  ବୋଲି କିଛି ସ୍ମୃତିରେ ମିଳେ। ଏହାକୁ ଆଧାର କରିି ଏହା ଶାସ୍ତ୍ର ମାନ୍ୟତା ପାଇଅଛି ବୋଲି ଦାବି କରାଯାଏ। ଯେତେବେଳେ ଏହି ମାନ୍ୟତା ଉପରେ ବିଚାର କରାଯାଏ ସେତେବେଳେ ଧ୍ୟାନକୁ ଆସେ ଯେ ଯେଉଁ ବେଦର ଅନେକ ସୂକ୍ତର ଦ୍ରଷ୍ଟା ମହିଳା ଥିଲେ ସେହି ବେଦକୁ ମହିଳା ମାନେ ପଢ଼ିପରିବେ ନାହିଁ, ଏଭଳି କଥା ବଡ଼ ଅଡୁଆ ଲାଗେ। ଏଭଳି ଅବସ୍ଥାରେ ପ୍ରମାଣ ବୋଲି କାହାକୁ 
ମାନିବା ? ଏହି ପ୍ରସଙ୍ଗରେ ସ୍ୱାମୀ ବିବେକାନନ୍ଦଙ୍କ କଥା ଏଠାରେ ବିଚାରଣୀୟ।  ଥରେ ସେ ପ୍ରବାସରେ ଥିଲେ। ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତି ତାଙ୍କୁ କହିଲେ - ପୁରାଣରେ କୁହାଯାଇଛି ଯେ ଅମୁକ ରାଜାର ଷାଠିଏ ହଜାର ପୁତ୍ର ଥିଲେ, ଅମୁକ ରାଜା ହଜାର ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଚଳାଇଥିଲେ। ଏ ସବୁ କଥା ଜୈବିକ ଦୃଷ୍ଟିରୁ ଅବ୍ୟାବହାରିକ ଲାଗୁଛି। ଏହାର ଉତ୍ତରରେ ସ୍ୱାମୀଜୀ କହିଲେ, ଅନେକ କଥା ରୂପକ ଆକାରରେ କୁହାଯାଏ। ଏଣୁ ଯେବେ ଏପରି ପ୍ରସଙ୍ଗ ଆସେ ତାହେଲେ ଦେଖିବା ସବୁ ପୁରାଣର ମୂଳ ହେଉଛି ବେଦ। ବେଦରେ କୁହାଯାଇଛି - "ପଶ୍ୟୈମ ଶରଦଃ ଶତମ୍" ଅର୍ଥାତ୍ ଶହେ ବର୍ଷ ପର୍ଯ୍ୟନ୍ତ ଦେଖ। ଏ ରୁଚାରେ ମନୁଷ୍ୟର ବୟସ ଶହେ ବର୍ଷ ବୋଲି କୁହାଯାଇଛି। କିଛି ବ୍ୟତିକ୍ରମ ହୋଇପାରେ। କିନ୍ତୁ ବ୍ୟତିକ୍ରମ ନିୟମ ନୁହେଁ। ତେଣୁ କିଛି ସନ୍ଦର୍ଭରେ ଦୁଇ ବିପରୀତ ମତ ହୋଇଗଲେ ଯେପରି ତଳ ଅଦାଲତର ନିର୍ଣ୍ଣୟ ଉପର ଅଦାଲତରେ କଟିଯାଏ, ସେହିପରି ବେଦର ପ୍ରମାଣ ବାକି ସବୁକୁ କାଟିଦିଏ। ମହର୍ଷି ଦୟାନନ୍ଦ ସରସ୍ବତୀ ବେଦର ରୁଚା ଦ୍ୱାରା ଏହା ପ୍ରମାଣିତ କରିଛନ୍ତି ଯେ ବେଦଜ୍ଞାନ ଉପରେ ସମସ୍ତଙ୍କର ସମାନ ଅଧିକାର ରହିଛି।

ଏହାକୁ ସେ ଯଜୁର୍ବେଦର ୨୬ ଅଧ୍ୟାୟର ଦ୍ଵିତୀୟ ମନ୍ତ୍ର ଦ୍ଵାରା ସ୍ପଷ୍ଟ କରିଛନ୍ତି -

ୟଥେମାଂ ବାଚଂ କଲ୍ୟାଣୀମାବଦାନି ଜନେଭ୍ୟଃ
ବ୍ରହ୍ମା ରାଜନ୍ୟାଭ୍ୟାଂ ଶୂଦ୍ରାୟ ଚାର୍ଯ୍ୟାୟ ଚ ସ୍ବାୟ ଚାରଣାୟ ଚ।
ପ୍ରିୟୋ ଦେବାନାଂ ଦକ୍ଷିଣାୟୈ ଦାତୁରିହ ଭୂୟାସମୟଂ ମେ କାମଃ
ସମୁଧ୍ୟତାମୁପ ମାଦୋ ନମତୁ ( ଯଜୁର୍ବେଦ ୨୬/୨ )

ଅର୍ଥାତ୍ ଯେପରି ଏହି କଲ୍ୟାଣୀ ବାଣୀକୁ ମନୁଷ୍ୟଙ୍କ ପାଇଁ ମୁଁ କହିଛି ସେହିପରି ବ୍ରାହ୍ମଣ, କ୍ଷତ୍ରିୟ, ଶୂଦ୍ର, ବୈଶ୍ୟ, ସ୍ତ୍ରୀ ଏବଂ ଅନ୍ୟ ଲୋକଙ୍କ ପାଇଁ ତୁମେ କୁହ। ଏହିପରି ବିଦ୍ୟା ଦାନରେ ମୁଁ ଦେବତା ମାନଙ୍କର ପ୍ରିୟ ହୁଏଁଁ। ମୋତେ ପରୋକ୍ଷ ସୁଖ ମିଳୁ। ମୋର ସବୁ କାମନା ପୂର୍ଣ୍ଣ ହେଉ।

ପରେ ସ୍ବାମୀ ବିବେକାନନ୍ଦ ଏହି ରୁଚାର ଉଦାହରଣ ଦେଇ ବେଦଜ୍ଞାନ ଉପରେ ସମସ୍ତଙ୍କର ଅଧିକାର ଅଛି ବୋଲି କହିଛନ୍ତି।

୩.୧୧.୧୯