Thursday, 12 March 2020

*ଶ୍ରୀମଦ୍ଭଗବଦ୍*

*ଶ୍ରୀମଦ୍ଭାଗବତର ଶିକ୍ଷା*

ବ୍ରହ୍ମା ଯେବେ ପ୍ରକଟ ହେଲେ ସେତେବେଳେ ସେ ଏକା ହିଁ ଥିଲେ। ସେ ଏତିକି ବି ବୁଝିପାରିଲେ ନାହିଁ ଯେ ମୁଁ କିଏ, ମୋତେ କ'ଣ କରିବାର ଅଛି। ତେଣୁ ସେ ତପସ୍ୟା କଲେ ଏବଂ ଭଗବାନଙ୍କୁ ପାଇଲେ। ସେ ଭଗବାନଙ୍କୁ ପ୍ରାର୍ଥନା କଲେ ଯେ ଆପଣ ମୋତେ ତତ୍ତ୍ୱ ଏବଂ କର୍ତ୍ତବ୍ୟର ଶିକ୍ଷା ଦିଅନ୍ତୁ। ସେତେବେଳେ ବ୍ରହ୍ମାଙ୍କୁ ଭଗବାନ ଚତୁଃ ଶ୍ଳୋକୀ ଶ୍ରୀମଦ୍ଭଗବତର ଶିକ୍ଷା ଦେଲେ। ସେହି ଚାରି ଶ୍ଳୋକରେ ଚାରିଟି ତତ୍ତ୍ୱର ବର୍ଣ୍ଣନା କରାଯାଇଛି। 

୧. ପରମାତ୍ମା ତତ୍ତ୍ୱ, ୨. ମାୟା ତତ୍ତ୍ୱ, ୩. ଜଗତ ତତ୍ତ୍ୱ ଓ ୪. ଆତ୍ମ ତତ୍ତ୍ୱ। 

୧. ପରମାତ୍ମା ତତ୍ତ୍ୱ :- ପ୍ରଥମ ଶ୍ଳୋକରେ ପରମାତ୍ମା ତତ୍ତ୍ୱର ବର୍ଣ୍ଣନ କରାଯାଇଛି। ଭଗବାନ କହୁଛନ୍ତି ସୃଷ୍ଟି ପୂର୍ବରୁ ମୁଁ ହିଁ ଥିଲି।  ସେତେବେଳେ ନା ସ୍ଥୂଳ ଥିଲା ନା ସୂକ୍ଷ୍ମ, ନା ପ୍ରକୃତି ଥିଲା। ସୃଷ୍ଟି ହେବା ପରେ ଏ ଯେଉଁ ଜଗତ ଦେଖା ଯାଉଛି, ସେ ସବୁ ବି ମୁଁ। ପ୍ରଳୟ ହେବା ପରେ ଯାହା ବି କିଛି ବାକି ରହିବ ସେ ସବୁ ମଧ୍ୟ ମୁଁ। 

ଅହମେବାସମେବାଗ୍ରେ ନାନ୍ୟଦ୍ୟତ୍ସଦସତ୍ପରମ୍।
ପଶ୍ଚାଦହଂ ଯଦେତଚ୍ଚ ୟୋଅବଶିଷ୍ୟେତ ସୋଅସ୍ମ୍ୟହମ୍।।
(ଶ୍ରୀମଦ୍ଭଗବଦ୍ ୨।୯।୩୨)

ଅର୍ଥାତ୍ ପରମାତ୍ମା ଏକ ଏବଂ ଅଦ୍ଵିତୀୟ। ସଜାତୀୟ, ବିଜାତୀୟ ଓ ସ୍ୱଗତ- ଭେଦ ଶୂନ୍ୟ ଅଟନ୍ତି। ପରମାତ୍ମାଙ୍କ ଛଡ଼ା ଆଉ କିଛି ନାହିଁ ଦୁନିଆରେ। (ଏତିକି ବୁଝିଗଲେ ଅହଂକାର ଅଙ୍କୁରିତ ହେବାର ସମ୍ଭାବନା ହିଁ ରୁହନ୍ତା ନାହିଁ।)

୨. ମାୟା ତତ୍ତ୍ୱ : - ଯେଉଁ ବସ୍ତୁ ନ ଥାଏ କିନ୍ତୁ ଜଣାଯାଏ ଅଛି ବୋଲି ତାହା ହିଁ ମାୟା। ଯେମିତି ଆକାଶରେ ଗୋଟିଏ ଚନ୍ଦ୍ରମା ଅଛି, କିନ୍ତୁ ଯାହାକୁ ଅନ୍ଧରକଣା ରୋଗ ହୋଇଥିବ ତାକୁ ଦୁଇଟି ଚନ୍ଦ୍ରମା ଦେଖା ଯିବ। ଦ୍ଵିତୀୟ ତ ନ ଥାଏ। କିନ୍ତୁ ମାୟା କାରଣରୁ ଏପରି ଦେଖା ଯାଏ। ଯାହା ବସ୍ତୁତଃ ନାହିଁ କିନ୍ତୁ ଠିକ୍ ସେହିପରି ଦେଖା ଯିବାକୁ ମାୟା କୁହାଯାଏ। 
ଯେପରି ଈଶ୍ୱର ସର୍ବତ୍ର ଅଛନ୍ତି କିନ୍ତୁ ଦେଖା ଯାଆନ୍ତି ନାହିଁ। ଅର୍ଥାତ୍ ମାୟାର ଆବରଣ ଥିବା ଜିନିଷକୁ ଦେଖାଇ ଦିଏ ନାହିଁ ଓ ନଥିବା ଜିନିଷକୁ ଦେଖାଇଦିଏ। 

ମାୟାର ଏହି ପ୍ରଭାବ କେବଳ ଜୀବ ଉପରେ ପଡ଼େ, କିନ୍ତୁ ପରମାତ୍ମାଙ୍କ ଉପରେ ଏହାର ପ୍ରଭାବ କିଛି ପଡ଼େ ନାହିଁ। ଏହା ଦେଖାଇବା ପାଇଁ କୁହାଯାଇଛି "ଯଥାଭାସୋ ଯଥା ତମଃ।" 
ସୂର୍ଯ୍ୟଙ୍କର ଦୁଇଟି ଶକ୍ତି ଅଛି।  ୧. ପ୍ରକାଶ ଓ ୨. ଅନ୍ଧକାର। 

ପ୍ରକାଶ ଅନ୍ତରଙ୍ଗ ଶକ୍ତି ଅଟେ ଓ ଅନ୍ଧକାର ବାହିରଙ୍ଗ ଶକ୍ତି ଅଟେ। ସୂର୍ଯ୍ୟଙ୍କର ଏହି ବହିରଙ୍ଗ ଶକ୍ତି ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଏ। କିନ୍ତୁ ସୂର୍ଯ୍ୟଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ। ଅନ୍ଧକାର ତ କେବେ ବି ସୂର୍ଯ୍ୟଙ୍କ ସମ୍ମୁଖକୁ ଯାଇ ପାରେ ନାହିଁ। 

ସେହିପରି ସୂର୍ଯ୍ୟଙ୍କ ପ୍ରତିବିମ୍ବ ବା ଆଭାସ ପୁଷ୍କରିଣୀରେ ପଡ଼େ। ଏ ପ୍ରତିବିମ୍ବ ସୂର୍ଯ୍ୟଙ୍କ ଉପରେ ପଡ଼ିବାର ସମ୍ଭାବନା ନାହିଁ। ଏହି ଦୃଷ୍ଟାନ୍ତରୁ ଜଣାପଡୁଛି ଯେ ସୂର୍ଯ୍ୟଙ୍କର ଯେପରି ଆଭାସ ଓ ଅନ୍ଧାରର ସତ୍ତା ଅଛି, ତଥାପି ଏ ଦୁଇଟି ସୂର୍ଯ୍ୟଙ୍କୁ ପ୍ରଭାବିତ କରି ପାରନ୍ତି ନାହିଁ, ଠିକ୍ ସେହିପରି ଭଗବାନଙ୍କର ବହିରଙ୍ଗ ଶକ୍ତି ହୋଇ ମଧ୍ୟ ମାୟା ଭଗବାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରେ ନାହିଁ। ପ୍ରଭାବ ପକାଇବା ଛାଡ଼ ତାଙ୍କ ସମ୍ମୁଖକୁ ଯାଇ ପାରେ ନାହିଁ। 

ଋତେର୍ଥେ ୟତ୍ପ୍ରତୀୟତେ ନ ପ୍ରତୀୟେତ ଚାତ୍ମନି। 
ତଦ୍ ବିଦ୍ୟାଦାତ୍ମନୋ ମାୟାଂ ୟଥାଭାସୋ ଯଥା ମମଃ।।
(ଶ୍ରୀମଦ୍ଭଗବଦ୍ ୨।୯।୩୩)

୩. ଜଗତ ତତ୍ତ୍ୱ : ଯେପରି ପ୍ରାଣୀମାନଙ୍କ ପଞ୍ଚଭୂତର ଗଠିତ ଶରୀର ପଞ୍ଚଭୂତରେ ପ୍ରବିଷ୍ଟ ଥାଇ ମଧ୍ୟ ଅପ୍ରବିଷ୍ଟ ରହେ, ସେହିପରି ସବୁଥିରେ ବ୍ୟାପ୍ତ ଥାଇ ମଧ୍ୟ ମୁଁ(ପରମାତ୍ମା) କୌଣସିଥିରେ ଲିପ୍ତ ହୁଏ ନାହିଁ। 

ଯଥା ମହାନ୍ତି ଭୂତାନି ଭୂତେଷୁଚ୍ଚାବଚେଷ୍ବନୁ।
ପ୍ରବିଷ୍ଟାନ୍ୟପ୍ରବିଷ୍ଟାନି ତଥା ତେଷୁ ନ ତେଷ୍ବହମ୍।।
(ଶ୍ରୀମଦ୍ଭଗବଦ୍ ୨।୯।୩୪)

୪. ଆତ୍ମ ତତ୍ତ୍ୱ : - ଆତ୍ମ ତତ୍ତ୍ୱର ଜିଜ୍ଞାସୁ ମାନଙ୍କ ପାଇଁ ଏତିକି ଜାଣିବା ପର୍ଯ୍ୟାପ୍ତ ଯେ ଅନ୍ବୟ ଓ ବ୍ୟତିରେକ ଦ୍ୱାରା ସବୁ ଜାଗାରେ ଯିଏ ଥାଆନ୍ତି ସେ ହେଉଛନ୍ତି ଆତ୍ମା। ଯେତେବେଳେ ସୃଷ୍ଟି ନ ଥିଲା, ସେତେବେଳେ ବି ଆତ୍ମା ଥିଲେ। ଯେତେବେଳେ ସୃଷ୍ଟି ଆରମ୍ଭ ହେଲା ସେତେବେଳେ ବି ଆତ୍ମା ଥିଲେ ଓ ଅଛନ୍ତି। ପୁଣି ସୃଷ୍ଟି ଯେତେବେଳେ ସମାପ୍ତ ହୋଇଯିବ ସେତେବେଳେ ବି ଆତ୍ମା ରହିଥିବେ। 

ଏତାବଦେବ ଜିଜ୍ଞାସ୍ୟଂ ତତ୍ତ୍ୱଜିଜ୍ଞାସୁନାତ୍ମନଃ।
ଅନ୍ବୟବ୍ୟତିରେକାଭ୍ୟାଂ ୟସ୍ୟାତ୍ ସର୍ବତ୍ର ସର୍ବଦା।।
(ଶ୍ରୀମଦ୍ଭଗବଦ୍ ୨।୯।୩୫)

Wednesday, 11 March 2020

*ଶ୍ରୀ ବିଷ୍ଣୁ*

'ତ୍ରିଦେବ' କହିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ବୁଝାଯାଏ। ଏହି ପଦରେ କେବେ କେବେ ପରଂବ୍ରହ୍ମ ପରମାତ୍ମା ଅବତୀର୍ଣ୍ଣ ହୋଇ ପ୍ରତିଷ୍ଠିତ ହୋଇଯାଆନ୍ତି ତ କେବେ କେବେ ଜୀବମାନେ ଆସି ଯାଆନ୍ତି। ଶିବ ପୁରାଣରେ ପରଂବ୍ରହ୍ମ ପରମାତ୍ମା ଶିବଙ୍କ ପଦରେ ଓ ଶ୍ରୀମଦ୍ଭଗବତରେ ବିଷ୍ଣୁଙ୍କ ପଦରେ ଆସୀନ ଥାଆନ୍ତି। ଏଇ କଥାକୁ ସୂଚିତ କରିବା ପାଇଁ ବିଷ୍ଣୁଙ୍କୁ ମହାବିଷ୍ଣୁ କୁହାଯାଏ। 

ଶିକ୍ଷା ପ୍ରାୟଃ ଦୁଇ ପ୍ରକାର ଦିଆଯାଏ।
୧. ଚରିତ୍ର ମାଧ୍ୟମରେ
୨. ବାଣୀ ମାଧ୍ୟମରେ

ଚରିତ୍ର ମାଧ୍ୟମରେ ପରୋପକାରର ଶିକ୍ଷା -
ଭଗବାନ ବିଷ୍ଣୁଙ୍କ ସମ୍ପୂର୍ଣ୍ଣ ଚରିତ୍ର ହିଁ ଶିକ୍ଷାର ମୂର୍ତ୍ତ ରୂପ ଅଟେ। ପରୋପକାର, ଦୟା, ଦାକ୍ଷିଣ୍ୟ, ସୁଶୀଳତା, ବିନମ୍ରତା ଆଦି ଗୁଣର ଶିକ୍ଷା ତାଙ୍କ ଚରିତ୍ରର ମୁଖ୍ୟ ଅଙ୍ଗ ଅଟେ। ସେ ଆପ୍ତ କାମ ଅଟନ୍ତି। ସେ ଆନନ୍ଦରୂପ ଅଟନ୍ତି। ତାଙ୍କର କାହାଠାରୁ  କିଛି  ପାଇବାର ଅପେକ୍ଷା ନ ଥାଏ। ତଥାପି ସେ ବିଶ୍ୱର ଦୁଃଖ ତାପ ଦୂର କରିବା ପାଇଁ ଆନନ୍ଦର ଅନନ୍ତ ସାଗର ପ୍ରତିଷ୍ଠା କରିବା ପାଇଁ ଭିନ୍ନ ଭିନ୍ନ ରୂପରେ ଅବତରିତ ହୁଅନ୍ତି।  କେହି ଜଣେ ଅନ୍ତର୍ଦର୍ଶୀ କହିଛନ୍ତି -
ପରୋପକାରକୈବଲ୍ୟୈ ତୋଲୟିତ୍ବା ଜନାର୍ଦ୍ଦନଃ।
ଗୁର୍ବୀମୁପକୃତିଂ ମତ୍ବା ହ୍ୟବତାରାନ୍ ଦଶାଗ୍ରହୀତ୍।।

ଅର୍ଥାତ୍ ଭଗବାନ ବିଷ୍ଣୁ ତରାଜୁର ଗୋଟିଏ ପଟେ ପରୋପକାର ରଖିଲେ ଏବଂ ଅନ୍ୟପଟେ ମୋକ୍ଷକୁ ରଖି ଓଜନ କଲେ ପରୋପକାର ପଟ ତଳକୁ ରହିଲା। ଏଣୁ ସେ ଅନେକ ଅବତାର ନେଲେ, ଯାହା ଭିତରୁ ଦଶଟି ମୁଖ୍ୟ ଅବତାର ଅଛି। 
ଭଗବାନ ବିଷ୍ଣୁ ଦେଦରୂପ ଅଟନ୍ତି। ଏଣୁ ଯେତେ ଶିକ୍ଷା ଅଛି, ସବୁ ତାଙ୍କରି ଦାନ। 

ଚରିତ୍ରରୁ ସୁଶୀଳତାର ଶିକ୍ଷା -

ଥରେ ସରସ୍ୱତୀ ନଦୀ କୂଳରେ ଯଜ୍ଞ କରିବା ପାଇଁ ଅନେକ ଋଷି ଏକାଠି ହେଲେ। ସେମାନଙ୍କ ଭିତରେ କଥା ଚାଲିଲା ଯେ ତ୍ରିଦେବଙ୍କ ଭିତରୁ ବଡ଼ କିଏ ? ଲୋକେ କହିଲେ ପରୀକ୍ଷା କରାଯାଉ। ପରୀକ୍ଷକ କିଏ ହେବେ ? ସର୍ବ ସମ୍ମତିକ୍ରମେ ଏଇକାମ ପାଇଁ ଭୃଗୁଙ୍କୁ ନିଯୁକ୍ତ କରାଗଲା। 

ଭୃଗୁ ସର୍ବ ପ୍ରଥମେ ନିଜ ପିତା ବ୍ରହ୍ମାଙ୍କ ପାଖକୁ ଗଲେ। ପରୀକ୍ଷା ନେବାର ଥିଲା। ତେଣୁ ସେ ପିତାଙ୍କୁ ଦେଖି ନା ପ୍ରଣାମ କଲେ ନା ସ୍ତୁତି। ଏହା ଘୋର ଅଶିଷ୍ଟତା ଥିଲା। ବ୍ରହ୍ମା ଭୃଗୁଙ୍କ ଠାରୁ ଏପରି ବ୍ୟବହାର ଆଶା କରି ନ ଥିଲେ। ସେ ରାଗି ଯାଇ ଖୁବ୍ ଗାଳି କଲେ ଭୃଗୁଙ୍କୁ।  ଭୃଗୁ ଚୁପଚାପ ଠିଆହୋଇ ଥିଲେ। କିଛି କ୍ଷଣ ପରେ ବ୍ରହ୍ମା ବିବେକ ଦ୍ୱାରା କ୍ରୋଧକୁ ନିୟନ୍ତ୍ରିତ କରିଦେଲେ।

ଏହାପରେ ଭୃଗୁ କୈଳାସକୁ ଗଲେ। ଶଙ୍କର ନିଜ ଭାଇ ଭୃଗୁ ଆସୁଛି ଦେଖି ଆନନ୍ଦରେ ଗଦ୍ ଗଦ୍ ହୋଇଗଲେ। ସେ ନିଜର ଦୁଇ ବାହୁ ପ୍ରସାରିତ କରି ଆଗେଇ ଆସିଲେ ଭାଇକୁ ହୃଦୟରେ ଆଲିଙ୍ଗନ କରିବା ପାଇଁ। ଭୃଗୁ ଆଗେଇ ନ ଆସି ରାଗିକରି କହିଲେ, "ତୁମେ ବେଦର ଅବମାନନା କରିଛ। ମୁଁ ତୁମ ସହ ମିଶିବି ନାହିଁ। ଶଙ୍କରଙ୍କୁ ଭୃଗୁଙ୍କ ଅଜ୍ଞତା ଦେଖି କ୍ରୋଧ ଆସିଲା। ଭଗବତୀ ସତୀ ମାତା ଅନୁନୟ ବିନୟ କରି ତାଙ୍କ କ୍ରୋଧ ଶାନ୍ତ କରିଦେଲେ।

ଏବେ ଭୃଗୁ ବୈକୁଣ୍ଠରେ ପହଞ୍ଚିଲେ। ସେତେବେଳେ ଭଗବାନ ବିଷ୍ଣୁ ଲକ୍ଷ୍ମୀ ମାତାଙ୍କ କୋଳରେ ମୁଣ୍ଡ ରଖି ବିଶ୍ରାମ କରୁଥାନ୍ତି। ଭୃଗୁ ସେଠି ପହଞ୍ଚି ଭଗବାନଙ୍କ ଛାତିକୁ ଗୋଟିଏ ଶକ୍ତ ଗୋଇଠା ମାରିଲେ। ଭଗବାନ ତ ଭକ୍ତବତ୍ସଳ। ସେ ତୁରନ୍ତ ତାଙ୍କ ବିଛଣାରୁ ଉଠି ଆସିଲେ। ମାଆ ବି ଉଠି ପଡ଼ିଲେ। ଭଗବାନ ମଥା ନଇଁ ମୁନିଙ୍କୁ ପ୍ରଣାମ କଲେ ଏବଂ କହିଲେ - "ହେ ବ୍ରହ୍ମ ! ଆପଣଙ୍କୁ ଏଠି ସ୍ୱାଗତ ବନ୍ଦନ ଅଭିନନ୍ଦନ। ଆସନ୍ତୁ, ଏଇ ଆସନରେ ବସି ବିଶ୍ରାମ କରନ୍ତୁ। ମୁଁ ଆପଣ ଆସୁଥିବେ ବୋଲି ଜାଣିପାରିଲି ନାହିଁ, ଏଥିପାଇଁ ଆପଣଙ୍କୁ ସ୍ୱାଗତ କରିପାରିଲି ନାହିଁ। ଏ ଭୁଲ୍ ପାଇଁ ମୋତେ କ୍ଷମା କରିଦିଅନ୍ତୁ ମୁନିବର। ଏହା କହି ସେ ମୁନିଙ୍କ ପଦ ବନ୍ଦନା କଲେ। 

 ଆହା.. କି ସୁନ୍ଦର ବିନମ୍ରତା ! ଏହା କେତେ ସୁନ୍ଦର ସୁବାସିତ ! କି ମଧୁର ବ୍ୟବହାର ! ଭୃଗୁ ଗଦ୍ ଗଦ୍ ହୋଇଗଲେ। ତାଙ୍କ ଆଖିରୁ ଲୁହ ଝରି ଆସିଲା।

Tuesday, 10 March 2020

*ଶ୍ରୀବ୍ରହ୍ମା*

 ସମସ୍ତ ଲୋକର ସୃଷ୍ଟି ବ୍ରହ୍ମା ହିଁ କରିଥିଲେ। ଚର ଅଚର ସମସ୍ତ ପ୍ରାଣୀ ବ୍ରହ୍ମାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଅଟନ୍ତି। ବ୍ରହ୍ମା ହେଉଛନ୍ତି ପୁରାଣର ଆଦିସ୍ମର୍ତ୍ତା ଓ ବେଦ ମାନଙ୍କର ଆଦି ଦ୍ରଷ୍ଟା।

ସୃଷ୍ଟି ଆରମ୍ଭରେ ବ୍ରହ୍ମା ନିଜକୁ ଦେଖିଲେ ସେ ଏକ ପଦ୍ମଫୁଲ ଉପରେ ବସିଛନ୍ତି। ସେ ପଦ୍ମପୁଲର ଆଭା ଥିଲା କୋଟି କୋଟି ସୂର୍ଯ୍ୟ ସମ। ତା'ର ବିସ୍ତୃତି ଥିଲା ଅନନ୍ତ ଯୋଜନ। ଅଦ୍ଭୁତ ଥିଲା ସେହି ପଦ୍ମଫୁଲ। ଏଇ ପଦ୍ମଫୁଲ ହିଁ ଥିଲା ବ୍ରହ୍ମାଣ୍ଡ। ବ୍ରହ୍ମା ଚାରି ଆଡ଼କୁ ଦେଖିଲେ, ପଦ୍ମଫୁଲ ଛଡ଼ା ଆଉ କିଛି ତାଙ୍କୁ ଦେଖାଗଲା ନାହିଁ। ମୁଁ କିଏ ? କେଉଁଠୁ ଆସିଲି ?? କିଏ ମୋତେ ଜନ୍ମ ଦେଲା ??? ମୋତେ କେଉଁ କାମ କରିବାକୁ ହେବ ???? ଆଦି ବିଚାର ତାଙ୍କ ମନରେ ଆସିଲା; କିନ୍ତୁ ତା'ର ଉତ୍ତର କିଛି ମିଳୁ ନ ଥିଲା। ସେ ଭାବିଲେ ମୋର ଜନକ କିଏ ଜଣା ପଡ଼ି ଗଲେ ସବୁ ସମାଧାନ ହୋଇଯିବ। ସେ ପଦ୍ମଫୁଲର ନାଡ଼କୁ ଧରି ତଳକୁ ଗଲେ। କିନ୍ତୁ ସେଠି କିଛି ପାଇଲେ ନାହିଁ। କେବଳ ଧ୍ଵନି ଶୁଣିବାକୁ ମିଳିଲା - 'ତପସ୍ୟା କର, ତପସ୍ୟା କର।'

ବ୍ରହ୍ମା ତପସ୍ୟା କଲେ। ତପସ୍ୟା ଦ୍ୱାରା ତାଙ୍କୁ ବିଷ୍ଣୁଙ୍କ ଦର୍ଶନ ମିଳିଲା। ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦ ପ୍ରସନ୍ନତାରେ ଭରିଯାଇଥିଲା। ସେ କୋଟି କୋଟି କାମଦେବଙ୍କ ଭଳି ସୁନ୍ଦର ଥିଲେ। ତାଙ୍କ ରୂପରେ ବିମୋହିତ ହେଲେ ବ୍ରହ୍ମା।

ଭଗବାନ ବିଷ୍ଣୁ ସୃଷ୍ଟି ନିର୍ମାଣ ପାଇଁ ବ୍ରହ୍ମାଙ୍କୁ ଆଦେଶ ଦେଲେ। ବ୍ରହ୍ମା ତପସ୍ୟା କରି ପ୍ରଥମେ ସମସ୍ତ ପୁରାଣର ସ୍ମରଣ କଲେ, ତାପରେ ତାଙ୍କ ମୁଖରୁ ଈଶ୍ୱର ଦତ୍ତ ବେଦ ଉଚ୍ଚାରିତ ହେଲା। ବେଦକୁ ପାଇ ସେହି ଶବ୍ଦର ସହାୟତାରେ ସେ ସୃଷ୍ଟି ସର୍ଜନା କଲେ।

ନାରଦଙ୍କୁ ନାମ ଓ ଜପର ଶିକ୍ଷା -
ପଦ୍ମପୁରାଣରେ ବ୍ରହ୍ମା ନିଜ ପୁତ୍ର ନାରଦଙ୍କୁ ନାମ-ଜପର ଶିକ୍ଷା ଏହିପରି ଦେଇଥିଲେ -
ପୁତ୍ର, ଏ କଳିଯୁଗରେ ନାମ କୀର୍ତ୍ତନ ପୂର୍ବକ ଭଗବାନଙ୍କ ଭକ୍ତି ବିଶେଷ ମହତ୍ତ୍ଵ ରଖିଥାଏ। ଯେଉଁ ବଡ଼ ବଡ଼ ପାପର ପ୍ରାୟଶ୍ଚିତ ଶାସ୍ତ୍ର ଦ୍ୱାରା ହୋଇପାରିବ ନାହିଁ, ତାହାର ଉପଚାର ପାଇଁ ଭଗବାନଙ୍କ ସ୍ମରଣ ବା ନାମ-ଜପ ଉତ୍ତମ ସାଧନ ଅଟେ। 

ଅସ୍ମିନ୍ କଲୌ ବିଶେଷେଣ ନାମୋଚ୍ଚାରଣପୂର୍ବକମ୍। 
ଭକ୍ତିଃ କାର୍ଯ୍ୟା ଯଥା ବତ୍ସ ତଥା ତ୍ବଂ ଶ୍ରୋତୁମର୍ହସି।। 
ଦୃଷ୍ଟଂ ପରେଷାଂ ପାପାନାମନୁକ୍ତାନାଂ 
ପ୍ରଯତ୍ନେନ ସ୍ମରଣେ ପାପନାଶନମ୍।।
(ପଦ୍ମ ପୁରାଣ ଉତ୍ତରଂ ୭୨/୯-୧୦)

ଶାସ୍ତ୍ରରେ ଯେତେ ପାପର ପ୍ରାୟଶ୍ଚିତ କଥା କୁହାଯାଇଛି ତାହା କଠିନ ତପସ୍ୟା ଅଟେ। ସେ ସମସ୍ତ ତପସ୍ୟାଠାରୁ ବଡ଼ ହେଲା ଭଗବାନଙ୍କୁ ସ୍ମରଣ କରିବା।

ପ୍ରାୟଶ୍ଚିତାନି ସର୍ବାଣି ତପଃକର୍ମାତ୍ମକାନି ବୈ। 
ୟାନି ତେଷାମଶେଷାଣାଂ କୃଷ୍ଣାନୁସ୍ମରଣଂ ପରମ୍।। 
(ପଦ୍ମ ପୁରାଣ ଉତ୍ତରଂ ୭୨/୧୩)

ସାଂସାରିକ ବସ୍ତୁମାନଙ୍କର ମିଥ୍ୟାକୁ ଜାଣି ଯିଏ ଭଗବାନଙ୍କ ନାମର ପାଠ ବା ଜପ କରିଥାଏ, ସେ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁଙ୍କ ପରମପଦ ପ୍ରାପ୍ତ କରିଥାଏ।

ମିଥ୍ୟା ଜ୍ଞାତ୍ବା ତତଃ ସର୍ବଂ ହରେର୍ନାମ ପଠନ୍ଜପମ୍। ସର୍ବପାପବିନିର୍ମୁକ୍ତୌ ୟାତି ବିଷ୍ଣୌଃ ପରଂ ପଦମ୍।।
(ପଦ୍ମ ପୁରାଣ ଉତ୍ତରଂ ୭୨/୧୧)

ଜପ, ହୋମ, ପୂଜା ଆଦି କରିବା ସମୟରେ ନିଜ ମନକୁ ଭଗବାନଙ୍କ ସ୍ମରଣରେ ଲଗାଇବା ଉଚିତ। ଏପରି କରିବା ଦ୍ୱାରା ସମସ୍ତ କର୍ମ ଏକ କଳ୍ପ ପର୍ଯ୍ୟନ୍ତ ଅକ୍ଷୟ ହୋଇଯାଏ।

ବାସୁଦେବେ ମନୋ ୟସ୍ୟ ଜପହୋମାର୍ଚନାଦିଷୁ। 
ତଦକ୍ଷୟଂ ବିଜାନୀୟାଦ୍ ୟାବଦିନ୍ଦ୍ରାଶ୍ଚତୁର୍ଦଶ।।
(ପଦ୍ମ ପୁରାଣ ଉତ୍ତରଂ ୭୨/୧୬)

ସମଭାବସମ୍ପନ୍ନ ହୁଅ -
ପ୍ରଥମେ ବ୍ରହ୍ମା ବିଶ୍ୱକୁ ବେଦର ଉଦ୍ଘୋଷ ଶୁଣାଇଲେ। ନିମ୍ନ ଲିଖିତ ବୈଦିକ ସାମ୍ୟର ଶିକ୍ଷା ତାଙ୍କରିଠାରୁ  ମନୁଷ୍ୟଙ୍କୁ ପ୍ରାପ୍ତ ହେଲା। ସାମ୍ୟଯୋଗ କଥା କହୁଥିବା ଏହି ରୁଚା ଗୁଡ଼ିକ ଋକ୍ ସଂହିତାର ଉପସଂହାରରେ ଆସିଅଛି।
ସଂ ଗଚ୍ଛଧ୍ଵଂ ସଂ ବଦଧ୍ଵଂ ସଂ ବୋ ମନାଂସି ଜାନତାମ୍।
 ଦେବା ଭାଗଂ ଯଥା ପୂର୍ବେ ସଂଜାନାନା ଉପାସତେ।।
(ଋଗ୍ ୧୦/୧୯୧/୨)

"ତୁମେ ସଙ୍ଗଠିତ ରୁହ। ବିରୋଧ ଛାଡ଼ି ସମାନ କଥା କୁହ। ତୁମ୍ଭମାନଙ୍କର ମନ ସମାନ ଅର୍ଥ ଗ୍ରହଣ କରୁ। ଯେପରି ପୂରାତନ କାଳରେ ଦେବତାମାନେ ଏକମତ ହୋଇ ସୌଭାଗ୍ୟ ପ୍ରାପ୍ତ କରିଥିଲେ, ସେପରି ତୁମେମାନେ ମଧ୍ୟ ଏକମତ ହୋଇ ନିଜ ନିଜ ଭାଗ ଗ୍ରହଣ କର।"

ସମାନୋ ମନ୍ତ୍ରଃ ସମିତିଃ ସମାନୀ
ସମାନଂ ମନଃ ସହ ଚିତ୍ତମେଷାମ୍।
ସମାନଂ ମନ୍ତ୍ରମଭିମନ୍ତ୍ରୟେ ବଃ
ସମାନେନ ବୋ ହବିଷା ଜୁହୋମି ॥
(ଋଗ୍ ୧୦/୧୯୧/୩)

"ତୁମ ବିଚାର ସମାନ ହେଉ। ତୁମେ ଯାହା ପାଇବ, ତାହା ସମାନ ରହୁ। ତୁମର ଅନ୍ତଃକରଣ ସମାନ ରହୁ। ବିଚାର ମନ୍ଥନରୁ ଉତ୍ପନ୍ନ ହେଉଥିବା ତୁମର ଜ୍ଞାନ ସମାନ ରହୁ।"

ସମାନୀ ବ ଆକୂତିଃ ସମାନା ହୃଦୟାନି ବଃ। 
ସମାନମସ୍ତୁ ବୋ ମନୋ ଯଥା ବଃ ସୁସହାସତି।।
(ଋଗ୍ ୧୦/୧୯୧/୪)

"ତୁମର ସଙ୍କଳ୍ପ ସମାନ ହେଉ। ତୁମର ହୃଦୟ ସମାନ ହେଉ। ତୁମର ମନ, ବୁଦ୍ଧି, ଚିତ୍ତ ଓ ଅହଂକାର ସମାନ ହେଉ। ଯେପରି ତୁମ୍ଭମାନଙ୍କର ସୁନ୍ଦର ସହଭାବ ହୋଇପାରିବ ସେପରି କର।"

Monday, 9 March 2020

*ଶୁକଦେବଙ୍କ ବୈରାଗ୍ୟ*

 ବ୍ୟାସଦେବଙ୍କ ମନରେ ବିବାହ କରିବାର ଅଭିଳାଷା ଜନ୍ମିଲା। ସେ ଜାବାଳୀ ମୁନିଙ୍କୁ କନ୍ୟା ଦାନ ପାଇଁ ପ୍ରସ୍ତାବ ଦେଲେ। ଜାବାଳୀ ତାଙ୍କ ଚେଟିକା ନାମ୍ନୀ କନ୍ୟାଙ୍କୁ ତାଙ୍କ ସହ ବିବାହ କରିଦେଲେ। ଚେଟିକାର ଆଉ ଏକ ନାଁ ଥିଲା ପିଙ୍ଗଳା। କିଛି ଦିନ ପରେ ତାଙ୍କ ଗର୍ଭକୁ ଆସିଲେ ଶୁକଦେବ। ବାର ବର୍ଷ ବିତିଗଲା, କିନ୍ତୁ ଶୁକଦେବଙ୍କର ଜନ୍ମ ହେଲା ନାହିଁ। ତାଙ୍କ ବୁଦ୍ଧି ବଡ଼ ପ୍ରଖର ଥିଲା। ସେ ସମସ୍ତ ବେଦ, ବେଦାଙ୍ଗ, ପୁରାଣ, ଧର୍ମଶାସ୍ତ୍ର ଓ ମୋକ୍ଷ ଶାସ୍ତ୍ର ସେଇ ଗର୍ଭରେ ଥିବା ବେଳେ ଶ୍ରବଣ କରି ମନେରଖି ଦେଉଥିଲେ। ସେଠି ଆଶ୍ରମରେ ଯଦି ପାଠ କରିବାରେ କିଛି ଭୁଲ ହୋଇ ଯାଉଥିଲା ତେବେ ଶୁକଦେଵ ସେହି ଗର୍ଭରେ ଥାଇ ଗାଳି ଦେଉଥିଲେ। ଏପଟେ ଗର୍ଭରେ ବଢୁଥିବାରୁ ମାଆକୁ ବି ବହୁତ କଷ୍ଟ ହେଉଥିଲା। 

ଏହା ଦେଖି ବ୍ୟାସଦେବ ବଡ଼ ବିସ୍ମିତ ହେଉଥିଲେ। ଦିନେ ସେ ଗର୍ଭସ୍ଥ ଶିଶୁକୁ ପଚାରିଲେ, "ତୁମେ କିଏ ?"

ଶୁକଦେଵ କହିଲେ, "ଯେଉଁ ଚୌରାଅସି ଯୋନି କଥା କୁହାଯାଇଛି, ମୁଁ ସେ ସବୁ ପାର ହୋଇ ଆସିଛି। ଏମିତି ଅବସ୍ଥାରେ କିପରି କହିବି ମୁଁ କିଏ ?"

ବ୍ୟାସଦେବ କହିଲେ, "ତୁମେ ବାହାରକୁ ଆସୁ ନାହଁ କାହିଁକି ?"

ଶୁକଦେଵ କହିଲେ, "ଭୟଙ୍କର ସଂସାରର ସବୁ ପଥରେ  ବୁଲି ସାରିବା ପରେ ମୋତେ ବୈରାଗ୍ୟ ଆସିଯାଇଛି। କିନ୍ତୁ ମୁଁ ଜାଣିଛି ଗର୍ଭରୁ ବାହାରକୁ ଆସିବା ମାତ୍ରେ ବୈଷ୍ଣବୀ ମାୟାର ସ୍ପର୍ଶରେ ମୋର ସମସ୍ତ ଜ୍ଞାନ ବିଜ୍ଞାନ ନଷ୍ଟ ହୋଇଯିବ। ଅତଏବ ମୋର ବିଚାର ହେଲା ଗର୍ଭରେ ରହି ଯୋଗଭ୍ୟାସ କରି ମୋକ୍ଷ ପ୍ରାପ୍ତି କରିବା।

ଶେଷରେ ବ୍ୟାସଦେବଙ୍କ ଦ୍ଵାରା ବୈଷ୍ଣବୀ ମାୟାଙ୍କ ସ୍ପର୍ଶ ନ କରିବାର ଆଶ୍ୱାସନା ଦେବା ଦ୍ଵାରା କୌଣସି ଉପାୟରେ ସେ ବାହାରକୁ ଆସିଲେ। କିନ୍ତୁ ତୁରନ୍ତ ଜଙ୍ଗଲକୁ ଚାଲିଯିବାକୁ ବାହାରିଲେ। ଏହା ଦେଖି ବ୍ୟାସଦେବ କହିଲେ, "ପୁଅ, ମୋ ଘରେ ରୁହ। ମୁଁ ତୁମ ଜନ୍ମ ସଂସ୍କାର କାର୍ଯ୍ୟ କରିଦିଏଁ। ତା ପରେ କୁଆଡ଼େ ଯିବା କଥା ଚିନ୍ତା କରିବ।"

ଶୁକଦେଵ କହିଲେ, "ଏ ପର୍ଯ୍ୟନ୍ତ ଜନ୍ମ ଜନ୍ମାନ୍ତରରେ ମୋର ଶହ ଶହ ଜନ୍ମ ସଂସ୍କାର ହୋଇ ସାରିଛି। ସେହି ବନ୍ଧନପ୍ରଦ ସଂସ୍କାରସବୁ ମୋତେ ଭଵ ସାଗରରେ ବୁଡ଼େଇ ରଖିଛି। ଅତଏବ ସେ ସବୁ ମୋର ଆଉ କିଛି ଆବଶ୍ୟକ ନାହିଁ।"

ବ୍ୟାସଦେବ, "ଦ୍ଵିଜର ବାଳକକୁ ପ୍ରଥମେ ବିଧିପୂର୍ବକ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ରହି ବେଦ ଅଧ୍ୟୟନ କରିବା ଉଚିତ। ତା ପରେ ତାକୁ ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ ଆଶ୍ରମରେ ପ୍ରବେଶ କରିବା ଉଚିତ। ଏହା ପରେ ହିଁ ତାକୁ ମୋକ୍ଷ ପ୍ରାପ୍ତ ହେବ। ଅନ୍ୟଥା ତାର ପତନ ଅବଶ୍ୟମ୍ଭାବୀ।"

ଶୁକଦେଵ - "ଯଦି ବ୍ରହ୍ମଚର୍ୟ୍ଯ ଦ୍ୱାରା ମୋକ୍ଷ ପ୍ରାପ୍ତି ହେଉଥାଆନ୍ତା ତେବେ ସବୁ ନପୁଂଶକ ମୋକ୍ଷ ପାଇ ଯାଇଥାନ୍ତେ। କିନ୍ତୁ ଏପରି ତ ହୋଇନାହିଁ। ଯଦି ଗୃହସ୍ଥାଶ୍ରମ ମୋକ୍ଷର ସହାୟକ ହୋଇଥାନ୍ତା ତେବେ ସମ୍ପୂର୍ଣ୍ଣ ଜଗତ କେବେଠୁ ମୁକ୍ତି ପାଇ ସାରନ୍ତାଣି। ଯଦି ବାନପ୍ରସ୍ତିମାନଙ୍କୁ ମୋକ୍ଷ ମିଳିଯାଉଥାନ୍ତା ତେବେ ସମସ୍ତ ମୃଗ କେବେଠାରୁ ମୋକ୍ଷ ପାଇ ସାରିଥାନ୍ତେ। ଯଦି ଆପଣଙ୍କ ବିଚାରରେ ସନ୍ନ୍ୟାସ ଧର୍ମର ପାଳନ କରିବା ଲୋକଙ୍କୁ ମୋକ୍ଷ ମିଳୁଥାନ୍ତା ତେବେ ଦରିଦ୍ରଙ୍କୁ ପ୍ରଥମେ ମୋକ୍ଷ ମିଳିବା ଉଚିତ।"

ବ୍ୟାସଦେବ କହିଲେ, "ମନୁ କହିଛନ୍ତି,  ସଦ୍ ଗୃହସ୍ଥ ପାଇଁ ଲୋକ ପରଲୋକ ଉଭୟ ସୁଖପ୍ରଦ। ଗୃହସ୍ଥର ସମନ୍ଵୟାତ୍ମକ ସଂଗ୍ରହ ସନାତନ ସୁଖଦାୟକ ହୋଇଥାଏ।"

ଶୁକଦେଵ, "ହୁଏତ ଦେବତା ମାନଙ୍କ ତପସ୍ୟା ଦ୍ୱାରା ଅଗ୍ନିରୁ ଶୀତ ଉତ୍ପନ୍ନ ହୋଇପାରେ, ଚନ୍ଦ୍ରମାରୁ ତାପ ବାହାରିବା ସମ୍ଭବ ହୋଇପାରେ; କିନ୍ତୁ ପରିଗ୍ରହ ଦ୍ୱାରା କେହି ସୁଖୀ ହୋଇ ଯାଇଛି, ଏହା ତ ତ୍ରିକାଳରେ ବି ସମ୍ଭବ ହୋଇ ନାହିଁ।"

ବ୍ୟାସଦେବ, "ବଡ଼ ପୁଣ୍ୟ ଦ୍ୱାରା ମନୁଷ୍ୟ ଶରୀର ମିଳିଥାଏ। ଏହାକୁ ପାଇ ଯଦି କେହି ଗୃହସ୍ଥ ଧର୍ମର ତତ୍ତ୍ୱ ଠିକ୍ ଭାବେ ବୁଝିଯାଏ ତେବେ ତାଙ୍କୁ କାହିଁକି ମୋକ୍ଷ ମିଳିବ ନାହିଁ ?

ଶୁକଦେଵ - "ଜନ୍ମ ହେବା ପରେ ମନୁଷ୍ୟ ଗର୍ଭ ଜନିତ ଜ୍ଞାନ ଧ୍ୟାନ ସବୁ ଭୁଲିଯାଏ। ଏଭଳି ଅବସ୍ଥାରେ ଗୃହସ୍ଥରେ ପ୍ରବେଶ ତଥା ତାହାର ଲାଭ ଆଶା କରିବା ଏହା ଆକାଶରୁ ଫୁଲ ତୋଳିବା ଭଳି କଥା ହେବ।"

ବ୍ୟାସଦେବ - "ଯମ ଲୋକରେ ଏକ ମହା ଭୟଙ୍କର ନର୍କ ଅଛି। ଯାହାର ନାମ ହେଲା ପୁମ୍। ପୁତ୍ରହୀନ ମନୁଷ୍ୟ ସେଠାକୁ ଯାଏ। ଏଥିପାଇଁ ପୁତ୍ରର ପ୍ରଶଂସା କରାଯାଇଛି।"

ଶୁକଦେଵ - "ଯଦି ପୁତ୍ର ପାଇଁ ସ୍ୱର୍ଗ ପ୍ରାପ୍ତ ହେଉଛି ତେବେ ଘୁଷୁରୀ, କୁକୁର ଆଦିଙ୍କୁ ଏହା ବିଶେଷ ରୂପେ ମିଳିଯାଇଥାନ୍ତା।"

ବ୍ୟାସଦେବ, "ପୁତ୍ରର ଦର୍ଶନ ଦ୍ୱାରା ମନୁଷ୍ୟ ପିତୃ ଋଣରୁ ଓ ପୌତ୍ର ଦର୍ଶନରୁ ଦେବ ଋଣରୁ ମୁକ୍ତିପାଇ ଯାଏ। ପ୍ରପୌତ୍ର ଦର୍ଶନ କରି ସେ ମୋକ୍ଷ ପାଇଯାଏ।"

ଶୁକଦେଵ - "ଶାଗୁଣା ଦୀର୍ଘଜୀବୀ ହୋଇଥାଏ। ସେ ତ ତାର କେତେ ପିଢ଼ିଙ୍କୁ ଦେଖୁଥିବ। କିନ୍ତୁ ତା ପାଖରେ ତ ଏ ପୌତ୍ର, ପ୍ରପୌତ୍ର ସର୍ବଦା ନଗଣ୍ୟ କଥା। କିନ୍ତୁ ମୋତେ ଜଣା ନାହିଁ, ତାଙ୍କ ଭିତରୁ ଆଜିଯାଏ କେତେ ଜଣଙ୍କୁ ମୋକ୍ଷ ମିଳିଛି ?"

ଏଇଭଳି ଉତ୍ତର ଦେଇ ଶୁକଦେବ ବିରକ୍ତ ହୋଇ ବଣକୁ ଚାଲିଗଲେ। ପରେ ପୁଣି ବ୍ୟାସଦେବ ତାଙ୍କୁ ଫେରେଇ ଆଣି ଭାଗବତ ପଢ଼ାଇ ଥିଲେ।

Sunday, 8 March 2020

*ଏଇଟା ସତ ନା ସେଇଟା ସତ ?*

*ଏଇଟା ସତ ନା ସେଇଟା ସତ ?*
ମିଥିଳା ନରେଶ ମହାରାଜ ଜନକ ତାଙ୍କ ରାଜଭବନରେ ଶୟନ କରିଥିଲେ। ନିଦ୍ରାରେ ସେ ଗୋଟିଏ ଅଦ୍ଭୁତ ସ୍ୱପ୍ନ ଦେଖିଲେ -
ମିଥିଳା ଉପରେ ଗୋଟିଏ ଶତ୍ରୁ ରାଜା ଆକ୍ରମଣ କରିଛି। ତାଙ୍କର ଦୁର୍ଦ୍ଧଷ ସେନା ନଗରକୁ ଘେରାବନ୍ଦୀ କରିଦେଇଛି।  ତାଙ୍କ ସହିତ ଘମାଘୋଟ ଲଢ଼େଇ ଚାଲିଲାବେଳେ ମିଥିଳା ସେନା ହାରି ଯାଇଛି। ମହାରାଜ ଜନକ ବନ୍ଦୀ ହୋଇଯାଇଛନ୍ତି। ବିଜୟୀ ଶତ୍ରୁ ଆଦେଶ ଦେଇଛି, "ମୁଁ ତୁମକୁ ହତ୍ୟା କରିବି ନାହିଁ, କିନ୍ତୁ ତୁମେ ତୁମର ବସ୍ତ୍ର ସବୁ ଖୋଲିଦେଇ ଏଇଠି ରଖିଦିଅ ଏବଂ ଏ ରାଜ୍ୟ ଛାଡ଼ି ଶୀଘ୍ର ଚାଲିଯାଅ।"
ସେହି ରାଜା ପୁଣି ଘୋଷଣା କଲେ, "ଜନକଙ୍କୁ ଯିଏ ଆଶ୍ରୟ ବା ଭୋଜନ ଦେବ ତାକୁ ପ୍ରାଣ ଦଣ୍ଡ ମିଳିବ।"

ରାଜା ଜନକ ପିନ୍ଧା ବସ୍ତ୍ର ଖୋଲିଦେଇଛନ୍ତି। କେବଳ ଅଣ୍ଟାରେ ଏକ ଛୋଟ ବସ୍ତ୍ର ବେଢ଼େଇ ଦେଇ ରାଜଭବନ ତ୍ୟାଗ କରିଛନ୍ତି। ପାଦରେ ଚାଲି ଚାଲି ତାଙ୍କୁ ରାଜ୍ୟ ସୀମା ଛାଡ଼ିବାକୁ ପଡ଼ିଛି।  ରାସ୍ତାରେ ତାଙ୍କୁ ଲୋକ ଦେଖୁଥିଲେ ମଧ୍ୟ ପ୍ରାଣ ଭୟରେ କେହି କିଛି କଥା ହେଲେ ନାହିଁ। ଚାଲି ଚାଲି ଗୋଡ଼ରେ ଫୁଟୁକା ବାହାରି ପଡ଼ିଛି। ଗଛ ତଳେ ବସନ୍ତୁ ବା ଭୋକରେ ରୁହନ୍ତୁ କେହି ତାଙ୍କୁ ନିଜ ଘର ଆଗରେ ଠିଆ ହେବାକୁ ଦେଉ ନ ଥିଲେ। ସମସ୍ତଙ୍କର ପ୍ରାଣ ଦଣ୍ଡ ପ୍ରତି ଭୟ ଥିଲା। ଏମିତି କେତେ ଦିନ ପର୍ଯ୍ୟନ୍ତ ତାଙ୍କ ପେଟକୁ ଦାନାଟିଏ ବି ଗଲା ନାହିଁ।

ଏବେ ତ ସେ ରାଜା ନ ଥିଲେ। ନୁଖୁରା ବାଳ, ଧୂଳି ଧୂସରିତ ଶରୀର, କ୍ଷୁଧା ଓ ତୁଷାର୍ତ୍ତରେ ଅତ୍ୟନ୍ତ ବ୍ୟାକୁଳ ଭିକ୍ଷୁକ ଭଳି ସେ ବୁଲୁଥିଲେ।

ରାଜ୍ୟ ବାହାରେ ସେ ଏକ ନଗରରେ ଯାଇ ପହଞ୍ଚିଲେ। ଜଣା ପଡ଼ିଲା ସେଠାରେ ଗୋଟିଏ  ଅନ୍ନଛତ୍ର ଅଛି ଯେଉଁଠି କ୍ଷୁଦ୍ଧାର୍ତ୍ତଙ୍କୁ ଖିଚିଡ଼ି ବଣ୍ଟା ଯାଏ। ବଡ଼ ଆଶା ନେଇ ଜନକ ସେଠାରେ ଯାଇ ପହଞ୍ଚିଛନ୍ତି। କିନ୍ତୁ ଖିଚିଡ଼ି ବଣ୍ଟା ସରିଯାଇଥିଲା। ଏବେ ବାଣ୍ଟୁ ଥିବା ବ୍ୟକ୍ତି ଜଣକ ଦ୍ୱାର ବନ୍ଦ କରିବାକୁ ଯାଉଥିଲେ। ଭୋକରେ ଆଉଟି ହେଉଥିବା ଜନକଙ୍କ ମୁଣ୍ଡ ବୁଲେଇଲା। ସେ ସେଠାରେ ବସି ପଡ଼ିଲେ। ତାଙ୍କ ନୟନରୁ ଅଶ୍ରୁ ପ୍ଲାବିତ ହେଲା। ଏ ଅବସ୍ଥା ଦେଖି ଅନ୍ନ ବାଣ୍ଟୁଥିବା ଲୋକର ଦୟା ଆସିଲା। ସେ କହିଲା, "ଖିଚିଡ଼ି ତ ନାହିଁ, କିନ୍ତୁ ହାଣ୍ଡି ଭିତରେ ତଳ ଆଡ଼କୁ କିଛି ଖାଦ୍ୟ ଲାଗି ରହିଛି। କହିବ ତ ସେତିକି କୋରିକି ତୁମକୁ ଦେଇଦେବି। ସେଥିରେ ବି ଜଳିଯିବାର ଗନ୍ଧ ଆସୁଥାଏ।"

ଜନକ କହିଲେ ଏତିକି ବୋଧେ ମୋ ଭାଗ୍ୟରେ ଅଛି। ସେ ଦୁଇ ହାତ ବଢ଼ାଇ ଦେଲେ। ବିତରଣକାରୀ ଜଳାଗନ୍ଧ ଆସୁଥିବା ଖିଚିଡ଼ି ତାଙ୍କ ହାତରେ ଦେଲେ। କିନ୍ତୁ ଏତିକିବେଳେ  ଗୋଟିଏ ଚିଲ ଆସି ସେତକ ଖାଦ୍ୟ ଝାମ୍ପି ନେଲା। ଚିଲର ପଞ୍ଝା ତାଙ୍କ ହାତରେ ପିଟିହେବା ଦ୍ୱାରା ବାକି ସବୁ ଖାଦ୍ୟ ତଳେ ଅପନ୍ତରାରେ ପଡ଼ିଗଲା।   ତାଙ୍କୁ ଭୀଷଣ କଷ୍ଟ ହେଲା। ସେ ଚିତ୍କାର କଲେ। 

ଏ ପର୍ଯ୍ୟନ୍ତ ସବୁ କଥା ସ୍ୱପ୍ନ ଥିଲା।

 କିନ୍ତୁ ନିଦ୍ରାରେ ଜନକ ସତକୁ ସତ ଚିତ୍କାର କରୁଥିଲେ। ଏହା ଦ୍ୱାରା ତାଙ୍କ ନିଦ ଭାଙ୍ଗିଗଲା। ରାଣୀମାନେ ଓ ସେବକ ସେବିକାମାନେ ତାଙ୍କ ପାଖକୁ ଦୌଡ଼ି ଆସିଲେ। ସେମାନେ ଜାଣିବାକୁ ଚାହୁଁଥିଲେ ଯେ "ମହରାଜଙ୍କର କ'ଣ ହୋଇଛି ?"
ମହାରାଜ ଜନକ ଏବେ ଆଖି ତରାଟି ଚାହିଁଲେ ସବୁଆଡ଼େ। ସେ ନିଜ ସୁସଜ୍ଜିତ ଶୟନ କକ୍ଷରେ ସ୍ଵର୍ଣ୍ଣ ରତ୍ନାଦି ପଲଙ୍କରେ ଦୁଗ୍ଧ ଫେଣ ପରି କୋମଳ ଶଯ୍ୟାରେ ଶୋଇଛନ୍ତି। ତାଙ୍କୁ ଭୋକ ଲାଗିବାର ପ୍ରଶ୍ନ ଉଠୁ ନାହିଁ। ରାଣୀମାନେ ପାଖରେ ଠିଆ ହୋଇଥାନ୍ତି। ସେବକ ସେବିକାମାନେ ସେବା ଦେବାରେ ପ୍ରସ୍ତୁତ ଅଛନ୍ତି। ସେ ଏବେବି ସେହି ପୂର୍ବବତ୍ ମିଥିଳା ନରେଶ ଅଛନ୍ତି। ଏ ସବୁ ଦେଖି ସେ ବଡ଼ ପାଟିରେ କହିବାକୁ ଲାଗିଲେ "ଏଇଟା ସତ ନା ସେଇଟା ସତ ?"

ରାଣୀମାନେ ଚିନ୍ତାରେ ପଡ଼ିଲେ। ମନ୍ତ୍ରୀମାନଙ୍କର ବ୍ୟାକୁଳତା ବଢ଼ିଗଲା। ଲାଗୁଥିଲା ମହାରାଜ ଜନକ ପାଗଳ ହୋଇଗଲେ। ସେ ନା କାହାରିକୁ କିଛି କହୁଥିଲେ ନା କାହା ପ୍ରଶ୍ନର ଉତ୍ତର ଦେଉଥିଲେ। ତାଙ୍କ ଆଗକୁ ଯିଏ ବି ଯାଉଥିଲା, ତାକୁ ସେ ଗୋଟିଏ ହିଁ ପ୍ରଶ୍ନ ପଚାରୁଥିଲେ ଯେ "ଏଇଟା ସତ ନା ସେଇଟା ସତ।"

ଚିକିତ୍ସକମାନଙ୍କୁ ଡକାଗଲା। ମନ୍ତ୍ରଜ୍ଞମାନେ ମଧ୍ୟ ଆସିଲେ। ଆହୁରି କେତେ ପ୍ରକାର ଲୋକ ଯାହାଙ୍କୁ ଏଭଳି ରୋଗ ଭଲ କରିବା ଜଣା ଅଛି, ଡକାଗଲା। କିନ୍ତୁ ମହାରାଜଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ହେଲା ନାହିଁ। 

ହଠାତ୍ ଦିନେ ଋଷି ଅଷ୍ଟାବକ୍ର ମିଥିଳା ଆସିଲେ। ସେ ଜନକଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କଲେ। ମନ୍ତ୍ରୀମାନଙ୍କୁ ରାଜା ଭଲ ହୋଇଯିବାର ଆଶ୍ୱାସନା ଦେଲେ। ମନ୍ତ୍ରୀମାନେ ତାଙ୍କୁ ରାଜା ଜନକଙ୍କ ପାଖକୁ ନେଇଗଲେ। ଜନକ ତାଙ୍କୁ ସେଇ ଏକା ପ୍ରଶ୍ନ ପଚାରିଲେ ଯାହା ସେ ଅନ୍ୟମାନଙ୍କୁ ପଚାରୁଥିଲେ। ଯୋଗିରାଜ ଅଷ୍ଟାବକ୍ର ଧ୍ୟାନ କରି ରାଜାଙ୍କ ପ୍ରଶ୍ନର କାରଣ ଜାଣିନେଲେ।

ଅଷ୍ଟାବକ୍ର ପଚାରିଲେ -
"ମହାରାଜ ! ଯେତେବେଳେ ଆପଣ ଅଣ୍ଟାରେ ଏକ ଛୋଟ ବସ୍ତ୍ର ଘୋଡ଼େଇ ହୋଇ ଅନ୍ନଛତ୍ରର ଦ୍ୱାର ମୁହଁରେ ଭିକ୍ଷୁକ ବେଶରେ ଦୁଇ ହାତ ପାତି ଠିଆ ହୋଇଥିଲେ ଓ ଆପଣଙ୍କ ଆଞ୍ଜୁଳାରେ ଖିଚିଡ଼ିର ଜଳା ଅଂଶ ସେଇ  ବିତରଣକାରୀ ଦେଉଥିଲେ, ସେ ସମୟରେ ଏ ରାଜଭବନ, ଆପଣଙ୍କର ଏ ରାଜବେଶ,  ରାଣୀମାନେ,  ରାଜମନ୍ତ୍ରୀମାନେ, ସେବକ ସେବିକାମାନେ ଥିଲେ କି ?

ମହାରାଜ ଜନକ ଏବେ କହିଲେ, "ଭଗବାନ ! ଏ କେହି ସେ ସମୟରେ ନ ଥିଲେ। ସେ ସମୟରେ ତ ବିପତ୍ତିରେ ମରୁଥିବା କ୍ଷୁଧିତ, ଭିକ୍ଷୁକ ଜନକ ଏକୁଟିଆ ଥିଲା।"

ଅଷ୍ଟାବକ୍ର କହିଲେ, "ଆଚ୍ଛା ମହାରାଜ !  ନିଦରୁ ଉଠିବା ପରେ ଯେତେବେଳେ ଆପଣ ଏଇ ରାଜବେଶରେ ରାଜଭବନରେ ପଲଙ୍କ ଉପରେ ବସିଥିଲେ ସେତେବେଳେ ସେହି ଅନ୍ନଛତ୍ର,  ସେ ବିତରକ, ଆପଣଙ୍କର ସେହି କାଙ୍ଗାଳୀ ବେଶ, ସେ ଜଳିଯାଇଥିବା ଖିଚିଡ଼ିର ଛାଲି ଓ ଆପଣଙ୍କର ସେହି ପ୍ରବଳ କ୍ଷୁଧା ଥିଲା କି ?

ମହାରାଜ ଜନକ କହିଲେ, "ଭଗବାନ ! ମୋଟେ ନୁହେଁ, ସେ କେହି ନ ଥିଲେ।"

ଅଷ୍ଟାବକ୍ର କହିଲେ, "ମହାରାଜ ! ଯିଏ ଗୋଟିଏ ସମୟରେ ରହେ ଓ ଅନ୍ୟ ସମୟରେ ରହେ ନାହିଁ, ତାହା ସତ୍ୟ ନୁହେଁ। ଆପଣଙ୍କ ଜାଗ୍ରତ ଅବସ୍ଥାରେ ଏବେ ସେ ସ୍ୱପ୍ନ ଅବସ୍ଥା ନାହିଁ। ତେଣୁ ତାହା ସତ୍ୟ ନୁହଁ।  ତା ଛଡ଼ା ସ୍ୱପ୍ନ ସମୟରେ ମଧ୍ୟ ଏବେକା ଅବସ୍ଥା ନ ଥିଲା। ଏଥିପାଇଁ ଏହା ମଧ୍ୟ ସତ୍ୟ ନୁହଁ। ନା ଏଇଟା ସତ୍ୟ ନା ସେଇଟା।"

ଜନକ - "ଭଗବାନ ! ତେବେ ସତ୍ୟ କେଉଁଟା ?"

ଅଷ୍ଟାବକ୍ର - "ମହାରାଜ, ଯେତେବେଳେ ଆପଣ କ୍ଷୁଧିତ ହୋଇ ଅନ୍ନଛତ୍ରର ଦୁଆର ମୁହଁରେ ଠିଆ ହୋଇଥିଲେ ସେତେବେଳେ ଆପଣ ସେଠି ଥିଲେ ନା ?

ଜନକ - "ଭଗବାନ ! ହଁ, ମୁଁ ତ ସେଠି ଥିଲି।"

ଅଷ୍ଟାବକ୍ର - "ଆଚ୍ଛା ମହାରାଜ ! ଏବେ ଏ ରାଜଭବନରେ ଆପଣ ଅଛନ୍ତି ତ ?"

ଜନକ - "ଭଗବାନ ! ହଁ, ମୁଁ ତ ଏଠି ଅଛି।"

ଅଷ୍ଟାବକ୍ର - "ହେ ମହାରାଜ ! ଜାଗ୍ରତ ଅବସ୍ଥାରେ, ସ୍ୱପ୍ନରେ ଓ ସୁସୁପ୍ତିରେ ସାକ୍ଷୀରୂପେ ଆପଣ ରହିଛନ୍ତି। ଅବସ୍ଥା ବଦଳିଯାଏ, କିନ୍ତୁ ଅବସ୍ଥାକୁ ଦେଖୁଥିବା ଆପଣ ବଦଳନ୍ତି ନାହିଁ। ଆପଣ ତ ସେ ସବୁ ଅବସ୍ଥାରେ ଥିଲେ। ଏଣୁ କେବଳ ଆତ୍ମା ଓ ପରମାତ୍ମା ହିଁ ସତ୍ୟ।"

Saturday, 7 March 2020

*କାଳ ହିଁ ସୃଷ୍ଟିକୁ ସଜାଇଛନ୍ତି*

କାଳ ମାନେ ସମୟ। ଏହା ଭାରତୀୟ ମାନଙ୍କର ଅତି ପ୍ରିୟ ବିଷୟ। ବେଦକାଳରୁ ଭାରତୀୟମାନେ ଏହି ବିଷୟରେ ଚିନ୍ତନ କରି ଆସିଛନ୍ତି। ଋଗ୍ ବେଦର ନାସଦୀୟ ସୂକ୍ତରେ ଦିନ ରାତି ନ ଥିବା କଥାର ମଧ୍ୟ ବର୍ଣ୍ଣନ ହୋଇଛି। କାଳ କଥା ବିଚାର କରିବା ବେଳେ ଦିନ ଓ ରାତିର ବିଭିନ୍ନ ଚିତ୍ର ଆମ ଦୃଷ୍ଟିପଥକୁ ଆସେ। ଋଷିଙ୍କ ଅନୁସାରେ ସେତେବେଳେ ନା ରାତି ଥିଲା ନା ଦିନ। ମୂଳ ବିଷୟ ହେଉଛି କାଳ କ'ଣ ସେତେବେଳେ ଥିଲା ? ବସ୍ତୁତଃ କାଳର ବୋଧ ଗତିରୁ ହୋଇଛି। ଋଷିଙ୍କ ଅନୁସାରେ କେବଳ 'ସେ' ହିଁ ଥିଲେ। ସେ ନିଜ କ୍ଷମତା କାରଣରୁ ବାୟୁହୀନ ସ୍ଥିତିରେ ମଧ୍ୟ ସ୍ପନ୍ଦିତ ଥିଲେ। ଏଣୁ ଏହା ସ୍ପଷ୍ଟ ଯେ ସେତେବେଳେ କାଳ ନ ଥିଲା। ଅନେକ ଦେଶରେ କାଳ ଆଧୁନିକ ବିଶ୍ୱରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତୀତ ହୋଇଥାଏ। ଭାରତ, ଆମେରିକା ବା ବ୍ରିଟେନର କାଳ ଅଲଗା ଅଲଗା। 

ବର୍ଷ, ମାସ, ଦିନ, ପ୍ରହର, ଘଣ୍ଟା, ମିନିଟ, ସେକେଣ୍ଡ ହେଉଛି କାଳର ବିଭାଜିତ ଅଂଶ। ଭାରତୀୟ କାଳ ଗଣନାରେ ପଲ, ବିପଲ ସହିତ ମୁହୂର୍ତ୍ତ ବି ରହିଛି। ସମୟ ବିଭାଜନ କଥା ବିଚାର କଲେ ନବ ବର୍ଷର ଚର୍ଚ୍ଚା ସ୍ୱାଭାବିକ ଭାବରେ ଅଧିକ ହୋଇଥାଏ।  ନବ ଦିବସ, ନବ ପ୍ରହର ବା ନବ ମିନିଟ କଥା ବହୁତ କମ୍ ଆସେ। ବସ୍ତୁତଃ କାଳର କୌଣସି ଏକକ ନୂଆ ନୁହଁ କିମ୍ବା ପୁରୁଣା ନୁହଁ। କାଳ ଅଖଣ୍ତ ଅଟେ। ହିନ୍ଦୁ ନବବର୍ଷ ଯୁଗାବ୍ଦ ୫୧୨୨ ଆରମ୍ଭ ହେବ। ଏହି କାଳ ଗଣନା ଅନୁସାରେ ଏଇ ଇଂରାଜୀ ମାର୍ଚ୍ଚ ୨୪ ହେବ ଯୁଗାବ୍ଦ ୫୧୨୧ର ଅନ୍ତିମ ତିଥି। ଏଇଭଳି ଚିନ୍ତା କଲେ ୫୧୨୧ର ବା ୫୧୨୨ ର ଏକ ଏକ ସ୍ୱତନ୍ତ୍ର ଅସ୍ତିତ୍ୱ ଜଣା ପଡ଼େ। ପ୍ରକୃତରେ ଏ ଦୁଇଟି ମଧ୍ୟ ଅଲଗା ନୁହଁ। ସମୟ ନୂଆ ବା ପୁରୁଣା ହୋଇ ନ ଥାଏ। ବାସ୍ତବିକ ଆମେ ଆମ ଜନ୍ମ, ଯୌବନ, ବୃଦ୍ଧ ସମୟରେ  ନୂଆ ପୁରୁଣା ହୁଅନ୍ତି। 

ଅଥର୍ବ ବେଦରେ କାଳକୁ ସର୍ବବ୍ୟାପୀ ପ୍ରଭାବଶାଳୀ ଅସ୍ତିତ୍ୱ ରୂପେ ବର୍ଣ୍ଣନା କରାଯାଇଛି। ୧୯ତମ କାଣ୍ଡର ୫୩ ଓ ୫୪ ସୂକ୍ତର ୧୫ଟି ମନ୍ତ୍ରରେ ଋଷି କବି ଭୃଗୁ କାଳର ସୁନ୍ଦର ମହିମା ଗାନ କରିଛନ୍ତି। ସେଥିରେ ବର୍ଣ୍ଣନା କରାଯାଇଛି "କାଳ ଅଶ୍ୱ ଅଟେ। ବିଶ୍ୱ ହେଉଛି ରଥ। କାଳ ଅଶ୍ୱ ହେଉଛି ବିଶ୍ୱ ରଥର ବାହକ। ଏହା ସାତ କିରଣ ଓ ସହସ୍ର ଚକ୍ଷୁଯୁକ୍ତ। ଏହା କେବେ ଜର୍ଜର ବା ବୃଦ୍ଧ ହୁଅନ୍ତି ନାହିଁ। ସମସ୍ତ ଲୋକ ଏହାର ଚକ୍ର ଅଟନ୍ତି। ଏହା ଉପରେ କବି ଆରୋହଣ କରନ୍ତି।"
ଏଥିରେ ଅଶ୍ୱ ଗତିର ପର୍ଯ୍ୟାୟ ଅଟେ। ଗତି କାରଣରୁ ଅଶ୍ୱର ପ୍ରତିଷ୍ଠା ରହିଛି। କବି ହିଁ ଏହି ରଥରେ ବସିବାର ପାତ୍ର ବୋଲି କୁହାଯାଇଛି। କାଳର ବାସ୍ତବିକ ଅନୁଭୂତି ବା କାଳବୋଧ ପାଇଁ କବିଙ୍କ ଭଳି ସମ୍ବେଦନଶୀଳତା ଆବଶ୍ୟକ। କାଳ ପ୍ରାଚୀନ, ଅର୍ବାଚୀନ ବା ନୂତନ ହୁଅନ୍ତି ନାହିଁ। କାଳ ଦୃଷ୍ଟିରେ ସଂସାର ବା ପ୍ରକୃତିର ଦୃଶ୍ୟପଟ ହିଁ ନୂଆ ପୁରୁଣା ହୋଇଥାଏ। ଭୃଗୁ କହୁଛନ୍ତି, "କାଳରେ ମନ ଅଛି, କାଳରେ ପ୍ରାଣ ଅଛି  ଏବଂ  କାଳ ଭିତରେ ହିଁ ସମସ୍ତଙ୍କ ନାମ ଅଛି। କାଳର ଅନୁକୂଳତା ହେଲେ ହିଁ ପ୍ରଜାକୁ ଆନନ୍ଦ ମିଳେ। 

ପ୍ରକୃତିର ଅଣୁ ପରମାଣୁ ଗତିଶୀଳ ଅଟେ। ଗତିରୁ ସମୟର ବୋଧ ହୋଇଥାଏ। ଅନୁକୂଳ ଗତି ଆନନ୍ଦ ଦିଏ। ପ୍ରତିକୂଳ ଗତି ବ୍ୟଥା ଦିଏ। ଏହାକୁ ହିଁ ଆମେ ସମସ୍ତେ ଭଲ ବା ମନ୍ଦ ସମୟ କହିଥାଉଁ।

 ମହାଭାରତର ରଚୟିତା ମହର୍ଷି ବ୍ୟାସଦେବ ମଧ୍ୟ କାଳ ପ୍ରତି ସଚେତନ  ଥିଲେ। ସେ ବି ଅଥର୍ବ ବେଦ ଅନୁସାରେ ଶୀତ, ଗ୍ରୀଷ୍ମ ଆଦି ଋତୁକୁ ମଧ୍ୟ କାଳର ପ୍ରଭାବ ବୋଲି ମାନୁ ଥିଲେ। ରାଜା ଓ କାଳର ପ୍ରଭାବ ପ୍ରସଙ୍ଗକୁ ପ୍ରଶ୍ନୋତ୍ତର ମାଧ୍ୟମରେ ସେ କହିଛନ୍ତି, "କ'ଣ ରାଜା କାଳ ନିର୍ମାତା ? ନା କାଳ ହିଁ ରାଜାର କାରଣ ? ଉତ୍ତର - ରାଜା ହିଁ କାଳର ନିର୍ମାତା।"

ଭୃଗୁ ମଧ୍ୟ ମନକୁ କାଳ ଅଧୀନ ବୋଲି କହିଛନ୍ତି। କିନ୍ତୁ ବେଳେବେଳେ ମନ ବି ଯାନ୍ତ୍ରିକ କାଳର ଅତିକ୍ରମଣ କରିଥାଏ। ମିତ୍ର ବା ଆତ୍ମୀୟର ସଙ୍ଗତିରେ କାଳ ଛୋଟ ହୋଇଯାଏ। ପ୍ରତିକୂଳ ବା ବିରୋଧରେ କାଳ ବହୁତ ଦୀର୍ଘ ହୋଇଯାଏ। ଏଠାରେ କାଳ ଉପରେ ସଙ୍ଗତିର ପ୍ରଭାବ ପଡ଼େ। 

ବୈଦିକ ଦେବତାମାନେ ନାମ ଓ କତିପୟ ବିଶେଷତା କାରଣରୁ ଅଲଗା ଅଲଗା ଅଟନ୍ତି। କିନ୍ତୁ ନିଜର ବ୍ୟାପ୍ତିରେ ସେମାନେ ସମ୍ପୂର୍ଣ୍ଣ ଲୋକକୁ ଆଚ୍ଛାଦିତ କରିଥାନ୍ତି। ୠଗ୍ ବେଦରେ ଇନ୍ଦ୍ର ଏକ ପୃଥକ ନାମ ଓ ବରୁଣ ମଧ୍ୟ ଆଉ ଏକ ନାମ। କିନ୍ତୁ ଇନ୍ଦ୍ର, ବରୁଣ ନିଜ ବ୍ୟାପ୍ତିରେ ସର୍ବତ୍ର ଶକ୍ତିମାନ ସର୍ବସମୁପସ୍ଥିତ। ଅଥର୍ବ ବେଦରେ ମଧ୍ୟ ଏହି ସ୍ଥିତି। କାଳ ମଧ୍ୟ ଏହିପରି ଦେବ ଅନୁଭୂତି ଅଟେ। 

ଭୃଗୁ କହୁଛନ୍ତି, "କାଳ ହିଁ ସୃଷ୍ଟି ସର୍ଜନ  କରିଛନ୍ତି। ସୂର୍ଯ୍ୟଦେବ କାଳ କାରଣରୁ ଉତ୍ତପ୍ତ ହେଉଛନ୍ତି। ସମସ୍ତ ପ୍ରାଣୀ କାଳ ଆଶ୍ରିତ। ନେତ୍ର ବି କାଳ ଆଶ୍ରିତ ହୋଇ ଦେଖେ। 

"କାଳ ଦିବ୍ୟଲୋକ ଉତ୍ପନ୍ନ କରିଛନ୍ତି। ସମସ୍ତ ପ୍ରାଣୀଙ୍କ ଆଶ୍ରୟଦାତା ଭୂମିକୁ ମଧ୍ୟ ସେ ଉତ୍ପନ୍ନ କରିଛନ୍ତି। ଭୂତ, ଭବିଷ୍ୟ ଓ ବର୍ତ୍ତମାନ ମଧ୍ୟ କାଳ ଆଶ୍ରିତ। 

କାଳରେ ତପ ଅଛି। କାଳରେ ବରିଷ୍ଠତା ଅଛି। କାଳରେ ବ୍ରହ୍ମା ମଧ୍ୟ ସମାହିତ। କାଳ ସମସ୍ତଙ୍କ ପିତା, ପାଳକ, ପ୍ରଜାପତି ଓ ସମସ୍ତଙ୍କ ଈଶ୍ୱର ଅଟନ୍ତି। 

ଉପରୋକ୍ତ ତିନୋଟି ମନ୍ତ୍ରରେ କାଳ ହିଁ  ସ୍ରଷ୍ଟା, ଦ୍ରଷ୍ଟା ଓ ବିଧାତା ବୋଲି କୁହାଯାଇଛି। ଏଠାରେ କାଳର ବ୍ୟାପ୍ତି ଅନନ୍ତ। ୠଷି କବିଙ୍କ କାଳବୋଧ ସମ୍ପୂର୍ଣ୍ଣତାବୋଧ ପର୍ଯ୍ୟନ୍ତ ବିସ୍ତୃତ। କବିଙ୍କ ସୃଜନରେ କାଳ ଅନନ୍ତ ଓ ଅପରିମେୟ ସତ୍ତା ହୋଇଯାଇଛନ୍ତି। 

ସୃଷ୍ଟି ସୃଜନର ପୂର୍ବକାଳର ଅସ୍ତିତ୍ୱ ବିଚାରଣୀୟ ଅଟେ। ଦିଗ ଓ କାଳ ସୃଷ୍ଟିର ଭାଗ ଅଟନ୍ତି। ସେତେବେଳେ କାଳର ଉତ୍ପତ୍ତି ମଧ୍ୟ ସୃଷ୍ଟି ସହିତ ବା ପରେ ହୋଇଥିବ । 

ଭୃଗୁ କହୁଛନ୍ତି - 
କାଳ ସର୍ବ ପ୍ରଥମେ ପ୍ରଜାପତିଙ୍କୁ ସର୍ଜନା କଲେ। ତା ପରେ ପ୍ରଜାର। ସଂସାର କାଳ ପ୍ରେରିତ, କାଳ ଦ୍ୱାରା ଉତ୍ପନ୍ନ, କାଳରେ ପ୍ରତିଷ୍ଠିତ। ଏଠାରେ କାଳ ସ୍ୱୟଂଭୂ। ସର୍ବଦା ଅଛନ୍ତି। ସେତେବେଳେ ସୃଷ୍ଟି ଅବ୍ୟକ୍ତ ଥିଲା ବେଳେ ବି କାଳ ଥିଲେ। 

କିନ୍ତୁ ଋଗ୍ ବେଦର ଧାରଣା ଅନୁସାରେ ଅବ୍ୟକ୍ତ ଅବସ୍ଥାରେ ଗତି ନାହିଁ। ଦିନ ଓ ରାତି ଭଳି କାଳର ରୂପ ନାହିଁ। 
ଭୃଗୁ ସମ୍ଭବତଃ ସୃଷ୍ଟିର ଅବ୍ୟକ୍ତ ଅବସ୍ଥାରେ ମଧ୍ୟ କାଳବୀଜକୁ ଅବ୍ୟକ୍ତ ସୃଷ୍ଟିର ଅଙ୍ଗ ବୋଲି ମାନୁଥିଲେ। ସେ ଏହି ୧୯.୫୩.୪ ସୂକ୍ତରେ  କହିଲେ - ସେହି କାଳ ସମସ୍ତ ଭୁବନରେ ବ୍ୟାପ୍ତ। ସମସ୍ତଙ୍କ ପୋଷଣ କରିଥାନ୍ତି। ପ୍ରଥମେ ତ ସେ ସମସ୍ତଙ୍କ ପିତା ଓ ପରେ ସେ ସମସ୍ତଙ୍କ ପୁତ୍ର। ଏଇଭଳି ସେ ଭୂତ ଓ ସେ ହିଁ ବର୍ତ୍ତମାନ। ବର୍ତ୍ତମାନ ଓ ଭୂତ ଏକ ଅଟନ୍ତି। ଅଲଗା ଅଲଗା ଏହାର କୌଣସି ଅସ୍ତିତ୍ବ ନାହିଁ। 

ଭୂତ ଓ ଭବିଷ୍ୟ ଅନୁସାରେ କାଳର ବିଭାଜନ ଜଣାପଡ଼ିଥାଏ। ଏହା ସମୟ ବୋଧକ ପ୍ରତୀତ ହୋଇଥାଏ। ପ୍ରକୃତରେ ସମସ୍ତଙ୍କର ଭୂତ କାଳ ହେଉଛି ସମସ୍ତଙ୍କ ନିଜ ଅତୀତର ସ୍ମୃତି। ଯାହାର ସ୍ମୃତି ଯେତେ ଅଧିକ ତାହାର ଅତୀତ ସେତେ ଅଧିକ। କିନ୍ତୁ ସ୍ମୃତିର ଅସ୍ତିତ୍ୱ ବର୍ତ୍ତମାନରୁ ସୃଷ୍ଟି ହୋଇଥାଏ। ଘଟଣା ସବୁ ବର୍ତ୍ତମାନ ହିଁ ଘଟିଥାଏ। ଏହା ପରେ ସେ ଭୂତ ହୋଇଯାଏ। ସେହି ସବୁ ଘଟଣାର ବର୍ତ୍ତମାନ ସ୍ମୃତି ହିଁ ଭୂତକାଳ। 

ଭୃଗୁ କହୁଛନ୍ତି -
କାଳ  ହିଁ ପୂର୍ବକାଳରେ ଭୂତ ଓ ଭବିଷ୍ୟକୁ ଜନ୍ମ ଦେଇଛି। ଏହାର ଅର୍ଥ ହେଲା କୌଣସି ଏକ ସମୟରେ ଭୂତ ଓ ଭବିଷ୍ୟ ମଧ୍ୟ ନ ଥିଲା। କାଳ ବି ଥିଲା କି ନାହିଁ ଏହା ମଧ୍ୟ ଏକ ଅନୁତ୍ତରିତ ପ୍ରଶ୍ନ।

ବୈଦିକ ମନ୍ତ୍ରମାନଙ୍କରେ ଶାଶ୍ୱତ ଓ ତାତ୍କାଳିକ ବିବରଣ ରହିଛି। ଶାଶ୍ୱତ ସବୁବେଳେ ଥିଲା ଓ ସବୁବେଳେ ରହିଥିବ। ତାତ୍କାଳିକ ସେହି ସମୟରେ ଆସିଥିବା ମନୋଭୂମିରୁ ପ୍ରକଟ ହୋଇଥାଏ। ପରେ ଏହା ଭୂତ ହୋଇଯାଏ। 

ଭୃଗୁ କହୁଛନ୍ତି ଋଗ୍ ବେଦ ଓ ଯଜୁର୍ବେଦର ମନ୍ତ୍ର ମଧ୍ୟ କାଳ ଦ୍ୱାରା ପ୍ରକଟିତ ହୋଇଛି। ଏ ଦୁଇ ବେଦ ଅଥର୍ବ ବେଦର ପୂର୍ବବର୍ତ୍ତୀ। ଅଥର୍ବ ବେଦର ରଚନା ସମୟରେ ଏ ଦୁଇ ବେଦର ଖୁବ୍ ପ୍ରତିଷ୍ଠା ଥିଲା। ଭୃଗୁ କାଳ ସୂକ୍ତ ରଚନା କଲାବେଳେ ସ୍ୱାଭାବିକ ଭାବେ ଏ ଦୁଇ ସଂହିତାର ଉଲ୍ଲେଖ କରିଛନ୍ତି।

ପୃଥିବୀ ଗତିଶୀଳ। ୟୁରୋପ ଦେଶ ମାନଙ୍କରେ ଏ ଜ୍ଞାନ ଆଧୁନିକ କାଳରେ ଆସିଲା। ସେମାନେ ପ୍ରଥମେ କହୁଥିଲେ ପୃଥିବୀ ସ୍ଥିର। ପୃଥିବୀ ଗତିଶୀଳ କହିଥିବା ବୈଜ୍ଞାନିକମାନେ କଠୋର ଦଣ୍ଡ ପାଉଥିଲେ। ଅଥର୍ବ ବେଦର ରଚନା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମର ପ୍ରାୟ ତିନି ହଜାର ବର୍ଷ ପୂର୍ବରୁ ହୋଇଥିଲା ବୋଲି କୁହାଯାଏ। ଅଥର୍ବର ଋଷି ପୃଥିବୀର ଗତିଶୀଳ ଗୁଣ ସହିତ ପରିଚିତ ଥିଲେ। କୁହାଯାଏ, କାଳ ଦ୍ୱାରା ପୃଥିବୀ ଗତିଶୀଳ ହେଉଛି। ଦିବ୍ୟଲୋକ କାଳର ଆଶ୍ରୟରେ ରହିଛି। ଅଥର୍ବ ବେଦରେ କାଳ ଚିନ୍ତନ ଗମ୍ଭୀର ବିଚାର ଯୋଗ୍ୟ। ବଡ଼ କଥା ହେଉଛି ଆମ ଦେଶରେ ହଜାର ହଜାର ବର୍ଷ ପୂର୍ବରୁ କାଳ ବିଷୟରେ ଜ୍ଞାନ ଥିଲା। କାଳ ବିଷୟରେ ଲୋକ ବିବେଚନା କରିଥିଲେ। ଏପରି ଜଟିଳ ଦାର୍ଶନିକ ଓ ବୈଜ୍ଞାନିକ ବିଷୟ ଉପରେ ଆମ ପୂର୍ବଜମାନଙ୍କର ଗଭୀର ଜ୍ଞାନ ଥିଲା। ଅଥର୍ବା ଓ ଅଙ୍ଗିରା ବୈଦିକ ସମାଜର ଦୁଇ ଜଣ ପ୍ରତିଷ୍ଠିତ ଦାର୍ଶନିକ ଋଷି କବି ଥିଲେ। ଏମିତି ଦେଖିବାକୁ ଗଲେ  ଅଥର୍ବବେଦର କାଳ  ଗଣନା ଅନୁସାରେ ସମସ୍ତ ଲୋକ କାଳ ଆଶ୍ରିତ। କିନ୍ତୁ ଋଷି କବି ଭୃଗୁ ଋଗ୍ ବେଦ ଓ ଯଜୁର୍ବେଦର ମନ୍ତ୍ର ସହିତ ଅଥର୍ବା ଓ ଅଙ୍ଗିରାଙ୍କ ପୃଥକ୍ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ସେ ଏ ଦୁଇ ଜଣ ଦାର୍ଶନିକ ଓ କବିଙ୍କୁ କାଳର ଜ୍ଞାତା ଭାବେ ବିବେଚନା କରିଛନ୍ତି। 

କାଳ ବ୍ରହ୍ମାଣ୍ଡରେ ବ୍ୟାପ୍ତ। ଏହିପରି ସେ ଆସ୍ତିକ ଭାବରେ ପ୍ରକୃତିର ମହାନ୍ ଭାବଶକ୍ତି ହୋଇଯାଆନ୍ତି। ଆୟୁ କାଳାଧୀନ ହୋଇଯାଏ। ଜନ୍ମ ମୃତ୍ୟୁ ବି କାଳାଧୀନ ହୋଇଯାଏ। ଅଥର୍ବ ବେଦର କାଳଧାରଣା ଆଧୁନିକ, ବୈଜ୍ଞାନିକ ଯୁଗରେ ମଧ୍ୟ ଅଖଣ୍ଡ ଭାବେ ପ୍ରବାହିତ।
(ମୂଳ ଲେଖା : ହୃଦୟ ନାରାୟଣ ଦୀକ୍ଷିତ, ମାନନୀୟ ଅଧ୍ୟକ୍ଷ, ଉତ୍ତର ପ୍ରଦେଶ ବିଧାନ ସଭା)

Friday, 6 March 2020

(୨୬)

*କର୍ମତପସ୍ୱୀମାନଙ୍କୁ ଆବାହନ*
ଆଜି ଆମ ଦେଶର ପ୍ରତ୍ୟେକ କ୍ଷେତ୍ର ସ୍ୱାର୍ଥରେ ପୂରି ରହିଛି। ଏହି ସ୍ୱାର୍ଥରୁ ଦୂରେଇ ରହିବା ଏତେ ସହଜ ନୁହଁ। ଏଥିପାଇଁ ଏକ ପ୍ରଚଣ୍ଡ ସାମାଜିକ ଶକ୍ତି ଠିଆ କରିବାକୁ ହେବ। ସାତ୍ତ୍ଵିକ ଶକ୍ତିର ଅନୁଗ୍ରହ କରିବାକୁ ହେବ। ସମାଜରୁ ଭ୍ରଷ୍ଟାଚାର, ଅନାଚାର, ଅନୀତି, ନିହିତ ସ୍ୱାର୍ଥରେ ବଢୁଥିବା ଦୁଷ୍ଟ ଶକ୍ତିଙ୍କୁ ନିଗ୍ରହ ତଥା ନିପାତ କରିବାକୁ ହେବ। ଗାଁ ଗାଁରେ ଜିଲ୍ଲା ଜିଲ୍ଲାରେ ଏପରି ହଜାର ହଜାର ଲକ୍ଷ ଲକ୍ଷ ଯୁବକଙ୍କୁ ଠିଆ କରିବାକୁ ହେବ। ଏହିପରି ଧ୍ୟେୟନିଷ୍ଠ ଯୁବକ ଯେତେବେଳେ ଠିଆ ହୋଇଯିବେ ଯେଉଁମାନେ ନିଜ ଚିନ୍ତା ନ କରି ନିଜର ପରିବାର ସୁଖ କଥା ଚିନ୍ତା ନ କରି ଏ ସବୁକୁ ଜଳାଞ୍ଜଳି ଦେଇ ରାଷ୍ଟ୍ରକୁ ଦେବତା ମାନି ଏହି ଏକମାତ୍ର ମନ୍ତ୍ର ନେଇ ଆଗେଇ ଆସିବେ, ସେତେବେଳେ ଏହି ଯୁବକଙ୍କ ଭରସାରେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ। ହିନ୍ଦୁସ୍ଥାନ ବୈଭବଶାଳୀ ହେବ। ରାମ ରାଜ୍ୟ ନିର୍ମାଣ ହେବ। ଏହି ଶତାବ୍ଦୀ ହିନ୍ଦୁ ଶତାବ୍ଦୀ ହେବାକୁ ଯାଉଛି ଏଥିରେ କୌଣସି ସଂଶୟ ନାହିଁ। ବିଶ୍ୱ ସମ୍ମୁଖରେ ଭାରତ ଜଗଦ୍ଗୁରୁ  ଭାବେ ଠିଆ ହେବାର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଲାଣି। ଏତିକିରୁ ଅଟକିଗଲେ ଚଳିବ ନାହିଁ। ଏହାକୁ ପ୍ରକୃତ ଅର୍ଥରେ ରୂପ ଦେବା ପାଇଁ ମାନବ ସମାଜର କଲ୍ୟାଣ ପାଇଁ ମୋର ପୁରୁଷାର୍ଥ କାମ ଦେଉ। ମୋର ବି କିଛି ଯୋଗଦାନ ରହୁ। ମୁଁ ବି ମୋର ରକ୍ତ ଓ ଝାଳକୁ ଏକତ୍ର କରି ଏହି ଯଜ୍ଞରେ ଆହୂତି ଦେଇଛି, ଏପରି ଅନୁଭୂତି ନେଇ ନିଜ ଜୀବନକୁ ସାର୍ଥକ କରିବା ଆବଶ୍ୟକ।

କୌଣସି ବି ବଡ଼ କାମ କରିବା ପଛରେ ବହୁତ ମୂଲ୍ୟ ଦେବାକୁ ପଡ଼ିଥାଏ। ଇଂରାଜୀରେ ଏକ ବୋଧପୂର୍ଣ୍ଣ କବିତା ଅଛି -
କବି ସକାଳୁ ଉଠି ଦେଖୁଛନ୍ତି ତାଙ୍କ ଆଗରେ ଗୋଟିଏ ସୁନ୍ଦର ଗୋଲାପ ଗଛ। ସେହି ଗଛରେ ସୁନ୍ଦର ଲାଲ ଲାଲ ଗୋଲାପ ଫୁଲ ଫୁଟିଛି। ଆହା.. ଏଇ ଫୁଲ କେତେ ସୁନ୍ଦର, କେତେ ମୋହକ, କେତେ ସୁଗନ୍ଧିତ, କେତେ ଆନନ୍ଦଦାୟକ। ତାକୁ ଦେଖି ସେ ବହୁତ ପ୍ରସନ୍ନ ହୋଇଛନ୍ତି। କିନ୍ତୁ ଯେତେବେଳେ ତାଙ୍କ ଦୃଷ୍ଟି ସେହି ଗଛର ମୂଳରେ ପଡ଼ିଛି ସେତେବେଳେ ସେ ଏକ ମୃତ କୋଇଲିକୁ ଦେଖୁଛନ୍ତି। କବି କହୁଛନ୍ତି -
ସାରା ରାତି ଏ କୋଇଲି ନିଜ ମନ ପ୍ରାଣ ଦେଇ ଏ ଫୁଲରେ ନିଜର ରକ୍ତ ଢାଳିଛି। ସେଥିପାଇଁ ତ ଗୋଲାପ ଗଛର ଏ ଫୁଲରେ ଏତେ ସୁନ୍ଦରତା ଏତେ ମୋହକତା ଆସିଛି। ଏହିପରି ଯଦି ଆମେ ହିନ୍ଦୁସ୍ଥାନର ସୁନ୍ଦର ସୁଗନ୍ଧିତ ଜୀବନ ପୁଷ୍ପ ଦେଖିବାକୁ ଚାହୁଁଛନ୍ତି ତେବେ ତା ଚରଣରେ ନିଜ ଜୀବନର ରକ୍ତ ଓ ଝାଳର ଏକ ଏକ ବିନ୍ଦୁକୁ ସମର୍ପି ଦେବାକୁ ହେବ। ନିଜ ରକ୍ତକୁ ଭାରତ ମାଆର ମଥାରେ ଏପରି ତେଜସ୍ୱୀ ତିଳକ କରି ଲଗାଇବାକୁ ହେବ, ଯଦ୍ୱାରା ତାକୁ ଦେଖି ସାରା ଦୁନିଆ ନତ ମସ୍ତକ ହେବ। ଆଜି ଇସ୍ରାଏଲର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଭାରତର ନମସ୍କାରକୁ ବିଶ୍ୱ ଗ୍ରହଣ କରୁ। ଏହିପରି ପୁରୁଷାର୍ଥପୂର୍ଣ୍ଣ ନୂଆ ଯୁଗ ଆମକୁ ଆବାହନ କରୁଛି। ତାକୁ ସ୍ୱୀକାର କରି ଆମେ ଆଗେଇଯିବା ଆବଶ୍ୟକ।
                               ----

Thursday, 5 March 2020

(୨୫)

*ସମାଜ ବୃକ୍ଷ ଜୀବନରସରେ ଭରିଯାଉ*
ରାମରାଜ୍ୟ ସ୍ଥାପନା କରିବା ବା ବୈଭବଶାଳୀ ଭାରତବର୍ଷ ନିର୍ମାଣ କରିବା ପାଇଁ ଆମକୁ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ ? ଏହାର ଢାଞ୍ଚା କିପରି ହେବ ? ଏହାର ବ୍ୟବସ୍ଥା କିପରି ହେବ ? ବଡ଼ ବଡ଼ ବୁଦ୍ଧିମାନ ଲୋକ, ବିଦ୍ୱାନ ଲୋକ ବସି ଆର୍ଥିକ କ୍ଷେତ୍ର, ସ୍ୱାସ୍ଥ୍ୟ କ୍ଷେତ୍ର, ଶିକ୍ଷା କ୍ଷେତ୍ର ଆଦି କିପରି ହେବ ସେ ଦିଗରେ ଚିନ୍ତା କରୁଛନ୍ତି। ବୁଦ୍ଧିଜୀବୀମାନଙ୍କର ରାଷ୍ଟ୍ରୀୟ ସମାବେଶ ବି ବହୁତ ହେଉଛି। ଏ ସବୁ ତ ଚାଲିବ। କିନ୍ତୁ ଆମେ ବ୍ୟକ୍ତିଗତ ସ୍ତରରେ କ'ଣ କରିପାରିବା ? ସବୁ ବିଷୟର ମୂଳକୁ ଆମକୁ ଯିବାକୁ ପଡ଼ିବ। କାରଣ ଗୋଟିଏ ଦେଶର ସମୃଦ୍ଧି ସେ ଦେଶରେ ଥିବା ସାଧାରଣ ଲୋକର ଇଚ୍ଛା ଆକାଂକ୍ଷା ଉପରେ ନିର୍ଭରଶୀଳ। ଆମର ସ୍ୱାଧୀନୋତ୍ତର ଭାରତର ଇତିହାସ କ'ଣ ? ଆମେ ପରାଧୀନତାକୁ ବିଦାୟ ଦେବା ନାଁ ରେ କିଛି ମୁଷ୍ଟିମେୟ ଇଂରେଜଙ୍କୁ  ବିଦାୟ ଦେଲୁ, କିନ୍ତୁ ତାଙ୍କରି ପର ତନ୍ତ୍ରକୁ ସେମିତି ଯଥାବତ୍ ରଖିଲୁ। ସେମାନଙ୍କ ବିଭେଦ ନୀତିକୁ ମାନି ନେଲୁ।  'ସ୍ୱ'ର ସ୍ଥାପନା କୌଣସି କ୍ଷେତ୍ରରେ କଲୁ ନାହିଁ। ପରିଣାମ ସ୍ୱରୂପ ଆମର ରାଷ୍ଟ୍ର ଜୀବନରୂପୀ ବୃକ୍ଷର ଶାଖା ପ୍ରଶାଖା ସବୁ ଶୁଷ୍କ ହୋଇଗଲା। ଦିନେ ଏଇ ଭୂମିରେ ହିନ୍ଦୁ ଜୀବନ ବୃକ୍ଷ ଜୀବନରସରେ ଭରି ଯାଇଥିଲା। ଏହା ଶୁଦ୍ଧ ପୂତ ଫଳ ଫୁଲ ଦେବାକୁ ସମର୍ଥ ହେଉଥିଲା। ଆଜି ଫଳ ଫୁଲ ତ ଛାଡ଼ ଏହାର ଡାଳରେ ପତ୍ର ଆଉ କଅଁଳୁ ନାହିଁ। ଏହା ଦିନକୁ ଦିନ ଶୁଷ୍କ ହେବାରେ ଲାଗିଛି। ଏହା ଉପରେ ନିର୍ମୂଳୀ ଲତା ଭଳି ଅନେକ ପରାବଲମ୍ବୀ ବୃକ୍ଷ ଏହାକୁ ବେଢ଼ି ଯାଇ ଏହାର ଗତିକୁ କେବଳ ଅଟକାଇ ନାହାନ୍ତି ବରଂ ଏହାର ଜୀବନରସକୁ ଶୋଷି ଚାଲିଛନ୍ତି। ଏହି ପରିସ୍ଥିତିରେ ଆମର କାମ କ'ଣ ହେବା ଉଚିତ ? ବୃକ୍ଷ ବିଜ୍ଞାନ କହୁଛି ଗୋଟିଏ ବୃକ୍ଷ ସେତେବେଳେ ବଞ୍ଚିବ ଯେତେବେଳେ ତା ଉପରେ ବଢୁଥିବା ସବୁ ପରଜୀବୀ ବୃକ୍ଷକୁ ଉପାଡ଼ି ଫୋପାଡ଼ି ଦିଆଯିବ ଏବଂ ତାହାର ମୂଳରେ ପାଣି ଓ ଜୀବସାର ଦିଆଯିବ। ମୂଳରେ ଯଦି ପୋକ ଲାଗିଥାନ୍ତି ତେବେ ତାକୁ ମଧ୍ୟ କୀଟ ନାଶକ ଦ୍ୱାରା ସଫା କରିବାକୁ ହେବ। ବୃକ୍ଷ ଯଦି ଥରେ ଜୀବନରସ ଗ୍ରହଣ କରିବା ଆରମ୍ଭ କରିଦିଏ ତେବେ ତା ଦେହରେ ସବୁ ବ୍ୟବସ୍ଥା ଆପଣାଛାଏଁ ସୃଷ୍ଟି ହୁଏ। ନୂଆ ନୂଆ ଶାଖା ତା ଦେହରୁ ବାହାରନ୍ତି। ନୂଆ ନୂଆ ପତ୍ର, ଫୁଲ ଓ ଫଳରେ ସେ ଗଛ ଭର୍ତ୍ତି ହୋଇଯାଏ। ପୂର୍ବରୁ ତା'ର ଯେଉଁ ସୁନ୍ଦରତା ଥାଏ ତା ଠାରୁ ବହୁତ ଅଧିକ ସୁନ୍ଦର ହୃଷ୍ଟପୁଷ୍ଟ ହୋଇ ସେ ଠିଆ ହୋଇଯାଏ। ଅର୍ଥାତ୍ ତା ଶରୀର ପାଇଁ ଆବଶ୍ୟକ ଥିବା ବିବିଧ ପ୍ରକାରର ବ୍ୟବସ୍ଥା ସେ ସ୍ୱତଃ ସୃଷ୍ଟି କରିବାକୁ ସମର୍ଥ ହୁଏ। ଏ ସବୁ ତା ଦେହରେ ସହଜ ଭାବରେ ବିକଶିତ ହୁଏ। 

ସେହିପରି ଆମର ଏହି ସନାତନ ରାଷ୍ଟ୍ର କଥା ଆମ ସମସ୍ତଙ୍କୁ  ଚିନ୍ତା କରିବାକୁ ହେବ।  ଆମ ରାଷ୍ଟ୍ରର ମୂଳ କେମିତି ଅଛି ? ଏହାକୁ କେଉଁ କୀଟ ଦଂଶନ କରୁଛି ? ଏପରି ଚିନ୍ତା କରୁଥିବା ସାଧାରଣ ଲୋକ, ତପସ୍ୱୀ, ସାଧକଙ୍କ ଆବଶ୍ୟକ। ଏଥିପାଇଁ ବହୁ ତ୍ୟାଗ ତପସ୍ୟା କରିବାକୁ ହେବ। ଭାରତର ଅମର ପରମ୍ପରା ଯାହା ଆଜି ବଞ୍ଚି ରହିଛି, ତା ମୂଳରେ ଅଛି ତ୍ୟାଗ ଓ ତପସ୍ୟା। ଆମର ଧର୍ମ ସଂସ୍କାର ଆଜିଯାଏ ବଞ୍ଚି ରହିଛି, କେଉଁଥି ପାଇଁ ? ଏହାର ଆଧାର କ'ଣ ? ଏହା କେବଳ ମାତ୍ର କିଛି ଲୋକଙ୍କ ବ୍ୟବସ୍ଥା କାରଣରୁ ନୁହେଁ ବରଂ ଆମର ମୂଳ ହିନ୍ଦୁ ଦର୍ଶନ ଆଧାରରେ ଜୀବନ ଜିଉଁ ଥିବା, ନିଜ ଜୀବନରେ କୌଣସି ପ୍ରକାର ସ୍ୱାର୍ଥ ରଖି ନ ଥିବା, କେବଳ ସମାଜ ପାଇଁ ଚନ୍ତା କରୁଥିବା, ସମାଜ ପାଇଁ ଜୀବନ ଦେବାରେ ନିଜକୁ ଧନ୍ୟ ମାନୁଥିବା, ସମାଜ ପାଇଁ ସବୁ କଷ୍ଟକୁ ଚୁପଚାପ ସହି ଯାଉଥିବା, ଚନ୍ଦନ ଭଳି ଘୋରୀ ହୋଇ, ନିଜକୁ ଜଳାଇ, ସର୍ବତ୍ର ସୁଗନ୍ଧ ଭରିଦେଉଥିବା କର୍ମଠ, ତପସ୍ୱୀ, ସାଧକ, ସମାଜସେବୀଙ୍କ ଦ୍ୱାରା ହିଁ ତିଷ୍ଠି ରହିଛି। ଏହିପରି ଜୀବନବ୍ରତୀ ମାନଙ୍କ ଦ୍ୱାରା ହିଁ ସମାଜବୃକ୍ଷ ଜୀବନରସ ପାଇ ସମୃଦ୍ଧ ଓ ବଳଶାଳୀ ହେବ।

Wednesday, 4 March 2020

(୨୪)

*ହିନ୍ଦୁ ସମାଜଠାରୁ ବିଶ୍ୱର ଅପେକ୍ଷା*
ପାଶ୍ଚାତ୍ୟ ଜଗତ ବର୍ଷ ବର୍ଷର ଯାତନା ସହିବା ପରେ ସେଥିରୁ ମୁକ୍ତ ହେବା ପାଇଁ ହିନ୍ଦୁ ଦର୍ଶନ ପ୍ରତି ଆକୃଷ୍ଟ ହେଉଛି। ଏ ସମୟରେ ହିନ୍ଦୁ ସମାଜର ଦାୟିତ୍ୱ ବହୁତ ବଢ଼ି ଯାଇଛି। ହିନ୍ଦୁ ସମାଜ ଥରେ ଚିନ୍ତା କରିବା ଦରକାର ପଶ୍ଚାତ୍ୟ ତାକୁ କେଉଁ ଦୃଷ୍ଟିରେ ଦେଖୁଛି। ବିଶ୍ୱର ବଡ଼ ବଡ଼ ବିଦ୍ୱାନ ଚିନ୍ତାନାୟକ ମାନଙ୍କ ଭାଷାକୁ ହିନ୍ଦୁ ସମାଜ ପଢ଼ିବା ଉଚିତ -

Arnold Joseph Toynbeeଙ୍କ ଭଳି ବ୍ରିଟିଶ ଐତିହାସିକ କହିଛନ୍ତି  -

ଏଭଳି ବିଧ୍ଵଂସକାରୀ ବିପଦ ସମୟରୁ ଭୟଙ୍କର ଦୁରବସ୍ଥାରୁ ବଞ୍ଚିବାକୁ ହେଲେ ହିନ୍ଦୁ ଦର୍ଶନକୁ ହିଁ ଆପଣେଇବାକୁ ପଡ଼ିବ। ଏହାଛଡ଼ା ଆଉ କିଛି ରାସ୍ତା ନାହିଁ। ସମସ୍ତ ସମାଜବିତ୍, ଐତିହାସିକ, ବୈଜ୍ଞାନିକ ଭାରତ ଆଡ଼କୁ ଆଶାଭରା ନୟନରେ ଚାହିଁଛନ୍ତି। ଭାରତରୁ ହିଁ କିଛି ମାର୍ଗ ମିଳିବ। ଭାରତରୁ ହିଁ ଆଲୋକ ମିଳିବ। ସେ ପୁଣି କହିଛନ୍ତି - ଭାରତ ଏଥିପାଇଁ ପ୍ରସ୍ତୁତ ଅଛି କି ?

ଭାରତ ଯେବେ ସ୍ୱାଧୀନ ହେଲା ସେତେବେଳେ ବିଶ୍ୱର ବିଶିଷ୍ଟ କଳାକାର Yehudi Menuhin ପଣ୍ଡିତ ନେହେରୁଙ୍କୁ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଥିଲା - ଭାରତ ସ୍ୱାଧୀନ ହୋଇଛି। ଆପଣଙ୍କ ଠାରୁ ଆମର ବହୁତ ବଡ଼ ଅପେକ୍ଷା ଅଛି। ଆମେ ତ ଦିଗ୍ ଭ୍ରମିତ ହୋଇ ଅନ୍ଧକାରରେ ଗତିକରୁଛୁ। ଆମକୁ ବାଟ ଦେଖାଇବା ଏବଂ ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଯିବାର ଦାୟିତ୍ୱ ଭାରତ ଉପରେ ଆସିଯାଇଛି। କୃପାକରି ଆପଣ ଆମର ଅନ୍ଧାନୁକରଣ କରନ୍ତୁ ନାହିଁ। ଆପଣଙ୍କ ପଛରେ ସମ୍ପୂର୍ଣ୍ଣ ୟୁରୋପ, ସମ୍ପୂର୍ଣ୍ଣ ବିଶ୍ୱ ଚାଲିବା ପାଇଁ ପ୍ରସ୍ତୁତ ହୋଇଯିବ।

ବିଖ୍ୟାତ ଆମେରିକାନ ଦାର୍ଶନିକ Ralph Waldo Emerson କହିଛନ୍ତି -
ଭାରତର ଶ୍ରେଷ୍ଠ ଗ୍ରନ୍ଥମାନଙ୍କରୁ ଯେଉଁ ବିଚାର ଆମକୁ ପଢ଼ିବାକୁ ମିଳୁଛି ସେଥିରେ କିଛି ବି ନ୍ୟୁନତା ଓ ଅଦରକାରୀ ବିଷୟ ନାହିଁ। ଏହି ପୁରାତନ ଜ୍ଞାନର ଉଦାର, ଶାନ୍ତ ଓ ସୁସଙ୍ଗତ ସ୍ୱରରେ ଆମକୁ ଆଘାତ କରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରହିଛି।

ସ୍ୱାମୀ ବିବେକାନନ୍ଦ କହିଛନ୍ତି -
ଅତ୍ୟନ୍ତ ଉଚ୍ଚ ଓ ଉଦ୍ଦାତ୍ତ ବିଚାରକୁ ଜନ୍ମ ଦେଇଆସୁଥିବା ଭାରତ ବିଶ୍ୱକୁ ନିଜର ଆଧ୍ୟାତ୍ମିକ ଦର୍ଶନ ଦ୍ୱାରା ପରିପୋଷିତ କରିଆସିଛି। ଆଜି ମୂର୍ଚ୍ଛାପ୍ରାୟ ହୋଇଯାଉଥିବା, ଭୁଲ୍ ରାସ୍ତାରେ ଚାଲୁଥିବା ମାନବ ଜାତିକୁ ପୁଣି ଥରେ ପ୍ରାଣ ଓ ଚୈତନ୍ୟ ଦେବାର କାମ ଭାରତ ପାଇଁ ଆସିଯାଇଛି।

ଏଥିପାଇଁ ବହୁତ ବଡ଼ ଦାୟିତ୍ୱ ହିନ୍ଦୁ ସମାଜକୁ ବହନ କରିବାକୁ ହେବ। କିନ୍ତୁ ଏ କାମ କ'ଣ ସମ୍ଭବ ହେବ ଯଦି ଆମ କେବଳ କହିଚାଲିବା ଯେ ଆମର ପୂର୍ବଜ ବହୁତ ମହାନ୍ ଥିଲେ। ଏଠାରେ ଆମର ରାମ ରାଜ୍ୟ ଥିଲା। ପୂର୍ବ କାଳରେ ଆମ ସାଧୁ ସନ୍ଥ ତଥା ଚିନ୍ତାନାୟକମାନେ ସାରା ଦୁନିଆ ଗସ୍ତ  କରି ଜ୍ଞାନର ଆଲୋକ ଓ ଆମ ସଭ୍ୟତାର ସୌଗନ୍ଧ ପ୍ରସାରିତ କରିଥିଲେ। ଏ କଥା ସବୁ କହିବା ଠିକ୍। କିନ୍ତୁ ସବୁଠୁ ବଡ଼ କଥା ହେଉଛି  ସେମାନେ ଆମକୁ ଦେଖିଲେ ପ୍ରଥମେ ପ୍ରଶ୍ନ କରିବେ ଯେ ଆପଣମାନେ ଏବେ କେମିତି ଅଛନ୍ତି ? କେବଳ ଭୂତ ଭବିଷ୍ୟତର ବର୍ଣ୍ଣନ କରିଦେଲେ କାମ ଚଳିବ ନାହିଁ। ବର୍ତ୍ତମାନ ସମୟରେ ଆମର ସ୍ଥିତି ଓ ଆମର କାର୍ଯ୍ୟକଳାପ କିପରି ଅଛି - ଏହି ଚିନ୍ତା ଆମକୁ କରିବାକୁ ହେବ।

Tuesday, 3 March 2020

(୨୩)

*ବିଡ଼ମ୍ବନାର ବିଷୟ  ଯେ ହିନ୍ଦୁ ଦର୍ଶନକୁ ପାଶ୍ଚାତ୍ୟବାସୀ ଗ୍ରହଣ କରୁଥିବାବେଳେ ନିଜେ ହିନ୍ଦୁ ବିପରୀତ ଦିଶାରେ ଗତି କରୁଛି*

ବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ଚିନ୍ତାନାୟକମାନେ ଦୃଢ଼ତାର ସହ ଘୋଷଣା କରୁଥିଲେ ଯେ ଆଗାମୀ ଶତାବ୍ଦୀ ହିନ୍ଦୁ ଶତାବ୍ଦୀ ହେବ। ସେତେବେଳେ ସେମାନେ ଏକଥା ମଧ୍ୟ ଆକଳନ କରିଥିଲେ ଯେ ଏଥିରେ ଭାରତରେ ବାସ କରୁଥିବା ହିନ୍ଦୁ ସମାଜର ଯୋଗଦାନ କେତେ ରହିବ ? ସେମାନେ ଘରେ ବସି ବିଶ୍ୱ ଚିନ୍ତା କରୁଥିବା ଲୋକ ନ ଥିଲେ। ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ଧାର୍ମିକ, ସାମାଜିକ, ସାହିତ୍ୟିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ।  ଫଳତଃ ସେମାନଙ୍କର ନିଷ୍କର୍ଷ ଥିଲା ଯେ ଏବେ  ପାଶ୍ଚାତ୍ୟ ଦେଶରେ ଲୋକେ ଦ୍ରୁତ ଗତିରେ ହିନ୍ଦୁ ଦର୍ଶନ ପ୍ରତି ଆକର୍ଷିତ ହେଉଛନ୍ତି। କାରଣ ସେମାନେ ଅନେକ ବର୍ଷ ହେଲା ସେମାନଙ୍କ ସଭ୍ୟତାର କୁପରିଣାମ ଭୋଗ କରିଆସୁଛନ୍ତି। ସେଥିରୁ ମୁକ୍ତ ହେବା ପାଇଁ ସେମାନେ ହିନ୍ଦୁ ଦର୍ଶନକୁ କେବଳ ଗ୍ରହଣ କରୁନାହାନ୍ତି ବରଂ ଏହାର ନେତୃତ୍ୱ ନେବାକୁ ଆଗେଇ ଆସୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା ଭାରତୀୟମାନେ ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣ କରିବାରେ ଗର୍ବ ଅନୁଭବ କରୁଛନ୍ତି। ଏହାର ପରିଣାମ ପାଶ୍ଚାତ୍ୟବାସୀ ଭୋଗି ସାରି ଥିବାରୁ ସେମାନେ ନୂଆ ମାର୍ଗ ଭାବେ ହନ୍ଦୁ ସଭ୍ୟତା ଆଡ଼କୁ ପ୍ରବଳ ବେଗରେ ଆକୃଷ୍ଟ ହେଉଛନ୍ତି। ଏହାକୁ ଦେଖିବା ପରେ ହିଁ ସେ ସମୟର ପ୍ରବାସୀ ବିଦ୍ୱାନଗଣ ନିଃସଙ୍କୋଚରେ କହୁଥିଲେ ଆଗାମୀ ଶତାବ୍ଦୀ ହିନ୍ଦୁ ଶତାବ୍ଦୀ ହେବ। ଏହାକୁ ପାଳନ କରିବାରେ ପଶ୍ଚାତ୍ୟବାସୀ ଆଗରେ ରହିବେ। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଲା ପାଶ୍ଚାତ୍ୟ ବାସୀ ଯୋଗ ଦିବସକୁ ଗ୍ରହଣ କରିନେବା ବେଳେ ଭାରତର ଅନେକ ରାଜ୍ୟ ସରକାର ଏହାକୁ ବିରୋଧ କରିବା ଏବଂ କେତେକ ଧାର୍ମିକ ପରମ୍ପରା ଆଳରେ ବିରୋଧ କରିବା।

କିନ୍ତୁ ବିଦେଶରେ ସଚେତନତା ଅଧିକ ବୃଦ୍ଧି ପାଇଛି। ପର୍ଯ୍ୟାବରଣ ସୁରକ୍ଷା ନାମରେ ରାଜନୈତିକ ଦଳ ତିଆରି ହେଉଛି। ବିଜ୍ଞାନ ସ୍ୱାସ୍ଥ୍ୟ ସମ୍ପର୍କରେ କହିଲାଣି ଯେ ମାନବ କେବଳ ଏକ ଯନ୍ତ୍ର ନୁହେଁ। ଶରୀର ଓ ମନ ଛଡ଼ା ଅନ୍ୟ ଏକ ଅଦୃଶ୍ୟ ସତ୍ତା ଅଛି ଯାହାକୁ ଆମେ ଚେତନା କହି ପାରିବା - ତା ବିଷୟରେ ଆମକୁ ଚିନ୍ତା କରିବାକୁ ହେବ। ମଣିଷକୁ ଆଖି ଆଗରେ ରଖି ଏକାତ୍ମ ମାନବ, ସମଗ୍ର ମାନବ ଭଳି ଆର୍ଥିକ ଚିନ୍ତନ ଓ ବିଜ୍ଞାନର ବିକାଶର ନୂଆ ଦିଗ ଆରମ୍ଭ କରିବାକୁ ହେବ। 

ମହାଭାରତରେ କୁହାଯାଇଛି -
'ଯଦ୍ ଭୂତ ହିତମତ୍ୟନ୍ତ ତତ୍ ସତ୍ୟମିତି ଧାରଣମ୍' 
ସତ୍ୟ କାହାକୁ ମାନିବା ?
କୌଣସି ବି ଆବିଷ୍କାରକୁ ସତ୍ୟ ମାନିନେବା ଉଚିତ ନୁହଁ। ଜୀଵ ହିତ ପାଇଁ ବିନାଶକାରୀ, ବିଧ୍ଵଂସକାରୀ ଆବିଷ୍କାର ସତ୍ୟ ହୋଇ ପାରିବ ନାହିଁ।  ଯାହା କେବଳ ମାନବ ମାତ୍ର ପାଇଁ ନୁହେଁ, ବରଂ ସର୍ବସାଧାରଣ ଜୀଵ ମାତ୍ର ପାଇଁ ହିତକର, ଏହା ହିଁ ସତ୍ୟ। ଏହି ନିଷ୍କର୍ଷ ଆଡ଼କୁ ପଶ୍ଚାତ୍ୟବାସୀ ଅଗ୍ରସର ହେଉଛନ୍ତି। ମଣିଷ ପାଇଁ, ସୃଷ୍ଟି ପାଇଁ  ଧ୍ୱଂସାତ୍ମକ ବିଷୟ ଛାଡ଼ିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି। 

ବିଜ୍ଞାନ ତଥା ବୈଷୟିକ ବିଦ୍ୟା ମଣିଷ ପାଇଁ ଅଭିଶାପ ନ ହେଉ। ଏହା ମଣିଷର ଉପକାରକ ହେଉ। ଆର୍ଥିକ ଯୋଜନା ଓ ବୈଷୟିକ ଯୋଜନା କଲାବେଳେ ଏ ବିଷୟକୁ ଧ୍ୟାନ ଦେବାକୁ ସେମାନେ ବିଚାର କଲେଣି। ଏହି ଯୋଜନା କଲା ସମୟରେ ଜଣେ ସାଧାରଣ ଲୋକର କର୍ମକ୍ଷେତ୍ର , ପରିବାରର ସ୍ଥିତି, ଶିକ୍ଷାର ବ୍ୟବସ୍ଥା, ସ୍ୱାସ୍ଥ୍ୟର ଅବସ୍ଥା ଏ ସବୁ କଥା ଚିନ୍ତା କରି ମଣିଷ ସମାଜର ହିତ ପାଇଁ ସବୁ ଯୋଜନା କରିବାକୁ ପଡ଼ିବ ବୋଲି ସେମାନେ ମତ ଦେଉଛନ୍ତି। ଏଭଳି ଏତେ ସୁନ୍ଦର ସମନ୍ବୟାତ୍ମକ ବିଚାର ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବୈଜ୍ଞାନିକ, ଚିନ୍ତାନୟକ ମାନେ କହିବା ଆରମ୍ଭ କଲେଣି।

Thursday, 27 February 2020

(୨୨)

*ଆଧୁନିକ ବିଜ୍ଞାନର ସମର୍ଥନ*

କିଛି ବର୍ଷ ତଳେ ଗ୍ରୀନ କ୍ଲବର ଏକ ବୈଠକ ହୋଇଥିଲା। ଏଇ କ୍ଳବ ବିଶ୍ୱରେ ପର୍ଯ୍ୟାବରଣର ହିତ ଚିନ୍ତା କରିବା ପାଇଁ ଏକ ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା। ଏଇ ଗ୍ରୀନ କ୍ଳବ ବିଶ୍ୱ ବିନାଶର ସତର୍କ ଘଣ୍ଟି ବଜାଇ ସାରିଛି। ସେତେବେଳେ ଇଂଲଣ୍ଡରେ ୩୨ ଜଣ ବିଶିଷ୍ଟ  ବୈଜ୍ଞାନିକ, ଯେଉଁମାନେ ନୋବେଲ ସମ୍ମାନ ପାଇସାରିଛନ୍ତି, ଏକାଠି ହୋଇଥିଲେ। ସେମାନେ ଚେତାବନୀ ଦେଇଥିଲେ ଯେ ଯଦି ଏଇଭଳି ସ୍ଥିତି ଚାଲୁ ରହେ ତେବେ ପଚାଶ ବର୍ଷ ଭିତରେ ସାରା ପୃଥିବୀ ନଷ୍ଟ ହୋଇଯିବ। ମଣିଷ ଜୀବିତ ରହିବା ଅସମ୍ଭବ ହୋଇପଡ଼ିବ।

ପାଶ୍ଚାତ୍ୟରେ ସୃଷ୍ଟି ପ୍ରତି ଦୃଷ୍ଟିକୋଣ ହେଲା ଶୋଷଣ। କିନ୍ତୁ ହିନ୍ଦୁର ଦୃଷ୍ଟିକୋଣ ଦୋହନ।  ହିନ୍ଦୁ ପ୍ରକୃତିକୁ ମାଆ ବୋଲି ମାନି ଆସିଛି। ସେ ସାରା ବିଶ୍ୱକୁ ଏକାତ୍ମ ଦୃଷ୍ଟିରେ ଦେଖେ। ତା ମତରେ ବ୍ୟକ୍ତି ପରିବାର, ସମାଜ, ମାନବ ସମାଜ ଓ ସୃଷ୍ଟି ସହିତ ସମନ୍ବୟ ରକ୍ଷାକରି ବଞ୍ଚି ପାରିବ। ସୁଖରେ ରହି ପାରିବ। ଅନ୍ୟର ଦୁଃଖ ସୁଖରେ ସାଥି ହୋଇ ପାରିବ। ଏହା ହିଁ ହିନ୍ଦୁର ବିଶ୍ୱ ଦର୍ଶନ।

ଅତ୍ୟାଧୁନିକ ବୈଜ୍ଞାନିକମାନେ ମଧ୍ୟ ପୁରାତନ ଭୌତିକବାଦୀ ସିଦ୍ଧାନ୍ତକୁ ତ୍ୟାଗ କରି ହିନ୍ଦୁ ଦର୍ଶନକୁ ସମର୍ଥନ କଲେଣି। ସମ୍ପୂର୍ଣ୍ଣ ସୃଷ୍ଟିରେ ଏକାତ୍ମତା ଅଛି। ସମସ୍ତଙ୍କ ଭିତରେ ପରସ୍ପର ଅବିଭାଜ୍ୟ ସମ୍ପର୍କ ରହିଛି। ଏହା କୌଣସି ଭୌତିକ ଜଗତ ନୁହଁ। ସୃଷ୍ଟି ଭିତରେ ଜୀଵନ୍ତ ଓ ନିର୍ଜୀବ ଏପରି କୌଣସି ଭେଦ ନାହିଁ। ସମସ୍ତେ ଗୋଟିଏ ଅବିଭାଜ୍ୟ ଏକକର ଅଙ୍ଗ ଉପାଙ୍ଗ ଅଟନ୍ତି। ଏହା ଏବେର ବୈଜ୍ଞାନିକମାନଙ୍କ ମତ। 

ଜଣେ ବୈଜ୍ଞାନିକ କହିଛନ୍ତି When an electron vibrates the whole universe shakes. ଅର୍ଥାତ୍ ଏକ ଅତ୍ୟନ୍ତ କ୍ଷୁଦ୍ରାତି କ୍ଷୁଦ୍ର ବିଦ୍ୟୁତ୍ କଣିକା ସ୍ପନ୍ଦିତ ହେଲେ ସାରା ବିଶ୍ୱ ହଲିଥାଏ। ପରସ୍ପର ଏତେ ନିବିଡ଼ ସମ୍ବନ୍ଧ ରହିଛି। ହିନ୍ଦୁ ଦର୍ଶନ କହିଆସିଛି "ଯତ୍ ପିଣ୍ଡେ ତତ୍ ବ୍ରହ୍ମାଣ୍ଡେ।" ଆଜିର ବିଜ୍ଞାନ ମଧ୍ୟ ଏହି ସତ୍ୟକୁ ତା ଭାଷାରେ କହୁଛି "ପରମାଣୁର ଅନ୍ତର୍ବିଶ୍ୱ ଓ ବାହାର ସୃଷ୍ଟିର ଅନ୍ତର୍ଲୋକ ଉଭୟ ଏକାପରି।"

ଏହି ଏକାତ୍ମ ଦୃଷ୍ଟିକୁ ସମର୍ଥନ କରି ଆଧୁନିକ ଜୀଵବିଜ୍ଞାନ ମଧ୍ୟ ଚାର୍ଲସ ଡାରଉଇନଙ୍କ 'ମତ୍ସ୍ୟ ନ୍ୟାୟ' ସିଦ୍ଧାନ୍ତକୁ ବହିଷ୍କାର କରିଛି। ଏହି ବିଜ୍ଞାନ କହୁଛି ଯେ ପ୍ରକୃତି ପରସ୍ପର ସହଯୋଗ, ସହ ଅସ୍ତିତ୍ୱ ଓ ପରସ୍ପରାବଲମ୍ବନ ଉପରେ ନିର୍ଭର। ପ୍ରକୃତିରେ ଏହା ହିଁ ମୁଖ୍ୟ ତତ୍ତ୍ୱ। ସମାଜ ମଧ୍ୟ ଏକ ଜୈବିକ ଅଖଣ୍ଡ ଅସ୍ତିତ୍ୱ। ତାହାର ବ୍ୟବସ୍ଥା ମଧ୍ୟ ସ୍ୱୟଂ ବିକଶିତ ହୋଇଥାଏ। ବାହାରୁ କିଛି ତା ଦେହରେ ଥୋପାଯାଇ ପାରିବ ନାହିଁ। ମନ କେବଳ ଶରୀର ପାଖରେ ଅଟକି ଯିବାଭଳି ସୀମିତ ଚେତନା ନୁହଁ। ବ୍ୟକ୍ତିର ମନ ସେହି ବିଶାଳ ଏକକର ଏକ ଅଂଶ ଅଟେ। ବ୍ୟକ୍ତିର ମନକୁ ଯେତେବେଳେ ଏହି ସୃଷ୍ଟିଠାରୁ ଅଲଗା କରିବାର ଅପଚେଷ୍ଟା କରାଯାଏ, ସେତେବେଳେ ସେ ସୃଷ୍ଟିଛଡ଼ା ହୋଇ ସୃଷ୍ଟିକୁ ଶୋଷଣ କରିବାକୁ ଆଗେଇ ଆସେ। 

ମାନବ ବ୍ୟକ୍ତିଠୁଁ ଆରମ୍ଭ ହୋଇ ସୃଷ୍ଟି ପର୍ଯ୍ୟନ୍ତ ଯେଉଁ କ୍ରମ ଅଛି ତାହାର  ଏକ ଅବିଭାଜ୍ୟ ଅଙ୍ଗ। ତେଣୁ ତା'ର ସ୍ୱାସ୍ଥ୍ୟ ଓ ଚିକିତ୍ସାର କ୍ରମକୁ ମଧ୍ୟ ଏକ ଏକାତ୍ମ ଶାସ୍ତ୍ର ବୋଲି କୁହାଯାଇଛି। ରୋଗର ଉପଚାର କରିବାର ଅଛି ତ ବ୍ୟାପକ ସାମାଜିକ, ସାଂସ୍କୃତିକ ଓ ନୈସର୍ଗିକ ପରିସର ସହ ଜୀବନଶୈଳୀରେ ଏକାତ୍ମତା ସ୍ଥାପନ କରିବାକୁ ହେବ। ମନୋବିଜ୍ଞାନରେ ମଧ୍ୟ ବ୍ୟକ୍ତିର ସାମାଜିକ ସାଂସ୍କୃତିକ ଓ ଭାବନାତ୍ମକ ପରିସର ଉପରେ ଧ୍ୟାନ ଦେବାକୁ କୁହାଯାଉଛି।

ଏହାକୁ ସଫଳ କରିବା ପାଇଁ ଅନେକ ଦେଶରେ ଜନ ଆନ୍ଦୋଳନ ଚାଲିଛି। ପରିସର ସଂରକ୍ଷଣର ବୋଧ ପ୍ରଖର ହେବାରେ ଲାଗିଛି। ପର୍ଯ୍ୟାବରଣ ସମ୍ବନ୍ଧୀୟ ବିଭିନ୍ନ ସଂଗଠନ ଗଢ଼ା ଯାଉଛି। 
ପଶୁ ବଧ ନ କରିବା ପାଇଁ ସ୍ଥାନେ ସ୍ଥାନେ ଆନ୍ଦୋଳନ ଚାଲୁଛି। ଶୋଭାଯାତ୍ରା ବାହାରୁଛି। ପଶୁ ଵଧ ଅନୁଚିତ। ବିଜ୍ଞାନରେ ପ୍ରୟୋଗ ପାଇଁ ଯେଉଁ ପଶୁ ଵଧ ହେଉଛି ଏହା ମଧ୍ୟ ଅନୁଚିତ ବୋଲି ଲୋକେ ମତ ଦେଉଛନ୍ତି। ମଣିଷ ପାଇଁ ମଧ୍ୟ ଏହା ଠିକ୍ ନୁହେଁ। ମଣିଷ ମାଂସାହାର ଛାଡ଼ି ଶାକାହାରୀ ହେଉ। ଲୋକଙ୍କ ଜୀବନ ପଦ୍ଧତି ସରଳ ହେଉ। ଏଇ ଭାବନା ନେଇ ଆଧୁନିକ ସଭ୍ୟତା ଛାଡ଼ି ଭାରତୀୟ ଜୀବନର ଏକାତ୍ମ ଜୀବନଶୈଳୀ ପ୍ରତି ଲୋକଙ୍କର ଆକର୍ଷଣ ବଢୁଛି। କ'ଣ ପାଇଁ ? ସେଇ ଏକା ସୂତ୍ର। ଯେଉଁ ସିଦ୍ଧାନ୍ତ ଦ୍ୱାରା, ଯେଉଁ ଜୀବନଶୈଳୀ ଦ୍ୱାରା ମଣିଷ ସୁଖୀ ହୋଇ ପାରିବ ନାହିଁ, ତା'ର ଦୁଃଖ ବଢ଼ି ଚାଲିବ, ସେଭଳି ଜୀବନଶୈଳୀକୁ ସେ କାହିଁକି ଗ୍ରହଣ କରିବ ?

ୱାସିଂଗଟନର ଆର୍ଥିକ ପ୍ରବୃତ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜେରେମି ରିଫକିନ ଆମେରିକା ସମସ୍ୟାର ସମାଧାନ ପାଇଁ ଲେଖିଥିଲେ ଯେ "ଭୌତିକ କାମନା ଗୁଡ଼ିକର ପୂର୍ତ୍ତିରେ ନୁହେଁ ବରଂ ବିଶ୍ୱର ଏକାତ୍ମ ଭାବ ସହ ଏକରୂପ ହେଲେ ମୁକ୍ତି ମିଳିବ।"

Wednesday, 26 February 2020

(୨୧)

*ସାରା ସୃଷ୍ଟି ହେଉଛି ଏକାତ୍ମ*

ଆତ୍ମାର ବିକାଶ ଯାତ୍ରାର ଶେଷ ପାହାଚ ହେଉଛି ସୃଷ୍ଟି ସହିତ ଏକାତ୍ମତା। ପଶୁ, ପକ୍ଷୀ, ଗଛ, ଲତା କେବଳ ନୁହଁ ସକଳ ଚରାଚର ସୃଷ୍ଟିରେ ଆମେ ପରମାତ୍ମାଙ୍କ ଦର୍ଶନ କରୁଁ। ତା'ର ହିତ ଚିନ୍ତନ କରୁଁ। ମହାରାଷ୍ଟ୍ରରେ ଗୋଟିଏ ଗରିବ ପରିବାରରେ ଜନ୍ମ ନେଇଥିବା ୭-୮ ବର୍ଷର ଶିଶୁଟିଏ ଅଚାନକ ଘର ଛାଡ଼ି କେଉଁ ଆଡ଼େ ପଳାଇଗଲା। ତା' ନାଁ ଥିଲା ନାରାୟଣ। ଘର ଲୋକ ବଡ଼ ଚିନ୍ତାରେ ପଡ଼ିଗଲେ। ତିନି ଦିନ ପର୍ଯ୍ୟନ୍ତ କେଉଁଠି କିଛି ଖବର ମିଳିଲା ନାହିଁ। ଚତୁର୍ଥ ଦିନ ତା ମା' ନିଜ ଘରର ଅମାର ଭିତରକୁ ଗଲାବେଳକୁ ଦେଖିଲେ ନାରାୟଣ ସେଠାରେ ଧ୍ୟାନରେ ବସିଛି। ତିନି ଦିନ ହେଲା କିଛି ଖାଇ ନାହିଁ କି ପିଇ ନାହିଁ। କ'ଣ କିଛି ହୋଇଗଲା କି ଭାବି ମା' ଘାବରେଇ ଗଲେ। ସେ ତାକୁ ହଲାଇ ଉଠାଇଲେ ଏବଂ ପଚାରିଲେ ଏଠି କ'ଣ କରୁଛୁ ? ନାରାୟଣ ବଡ଼ ସହଜ ଭାବେ କହିଲା, ମା' "ମୁଁ ଟିକେ ବିଶ୍ୱ ଚିନ୍ତା କରୁଥିଲି।" 

ଏକ ୭-୮ ବର୍ଷର ଶିଶୁର ବାଲ୍ୟକାଳରେ ବିଶ୍ୱ ଚିନ୍ତା !

ବଡ଼ ହୋଇ ଏଇ ଶିଶୁ 'ସମର୍ଥ ରାମଦାସ' ହୋଇଥିଲେ। ଏହା ହେଉଛି ଭାରତର ସଂସ୍କୃତି। ଏହା ହେଉଛି ଆମର ଆତ୍ମାର ବିକଶିତ ଅବସ୍ଥା। ଆମେ କେବେ ନିଜର ଚିନ୍ତା କଲୁ ନାହିଁ। ବରଂ ସମ୍ପୂର୍ଣ୍ଣ ଚରାଚର ସୃଷ୍ଟିର ହିତ କାମନା କରିଛୁ। ସୃଷ୍ଟିର ହିତକୁ ଆମେ ନିଜର ହିତ ବୋଲି ମାନିଛୁ। ଏବେ ପାଶ୍ଚାତ୍ୟ ବୈଜ୍ଞାନିକମାନେ ମଧ୍ୟ ଏହାକୁ ମାନିବା ଆରମ୍ଭ କରିଛନ୍ତି। Unity of life କହିବା ଆରମ୍ଭ କଲେଣି। 

ପଶ୍ଚାତ୍ୟ ଜଗତ ସୃଷ୍ଟିର ବିନାଶ ହିଁ କରିଆସିଛି। ଏହାର ମୂଳ ବାଇବେଲରେ ଅଛି। Reader's Digest ପତ୍ରିକାରେ ଗୋଟିଏ ଲେଖା ଆସିଥିଲା - ବାଇବେଲରେ କୁହାଯାଇଛି ଯେ ମଣିଷକୁ ତିଆରି କରିବା ସମୟରେ ଭଗବାନ ମଣିଷକୁ କହିଲେ, "ସମ୍ପୂର୍ଣ୍ଣ ସୃଷ୍ଟିର ଉପଭୋଗ କରିବା ପାଇଁ ମୁଁ ତୁମକୁ ପୂର୍ଣ୍ଣ ଅଧିକାର ଦେଲି।"

ପରିଣାମ ଆମେ ଦେଖୁଛନ୍ତି। କିଭଳି ବିଜ୍ଞାନ ଓ ଅର୍ଥଶାସ୍ତ୍ର ସୃଷ୍ଟିକୁ ବିନାଶ କରିବାରେ ଲାଗିପଡ଼ିଛି। ଜଳ ପ୍ରଦୂଷିତ, ବାୟୁ ପ୍ରଦୂଷିତ, ଭୂମି ପ୍ରଦୂଷିତ। ଏଥିପାଇଁ ଚାଷ ଉଜୁଡ଼ି ଯାଉଛି। ଓଜନ ସ୍ତର ନଷ୍ଟ ହୋଇଯାଉଛି। ମାନବ ଧ୍ୱଂସ ପଥରେ ଆଗେଇ ଚାଲିଛି।

Tuesday, 25 February 2020

(୨୦)

*ଅର୍ଥର ଅଭାବ ଓ  ଅର୍ଥର ଆଧିକ୍ୟ - ଉଭୟ ଦୁଖଦାୟକ*

ଯେଉଁଠି ପ୍ରଚୁର ସମୃଦ୍ଧି ରହିଛି ଏବଂ ଯେଉଁଠି ଅଭାବ ଲାଗି ରହିଛି - ଏ ଉଭୟ ସ୍ଥାନର ଲୋକେ ଚିନ୍ତାଗ୍ରସ୍ତ ରୁହନ୍ତି। ଏମାନେ ସୁଖ ଓ ଶାନ୍ତିରେ ରହି ପାରନ୍ତି ନାହିଁ। ଥରେ ଏକ ବୈଠକ ନିମିତ୍ତ ଆମେ ଚେନ୍ନାଇ ଯାଇଥିଲୁ। ସେତେବେଳେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଛଅ ସାତ ଦିନ ଧରି ବର୍ଷା ଲାଗି ରହିଲା। କିନ୍ତୁ ଆମେ ଶୁଣିଲୁ କିଛିଦିନ ପୂର୍ବରୁ ସେଠାରେ ଜଳ ସଙ୍କଟ ଥିଲା। ସବୁଠି ମାଆମାନେ ମୁଣ୍ଡ ଉପରେ କଳସି ରଖି ପାଣି ପାଇଁ ବହୁ ଦୂରକୁ ଯାଉଥିଲେ। ପାଣି ପାଇଁ ହାହାକାର ଲାଗି ରହିଥିଲା। ଟ୍ୟାଙ୍କରରୁ ପାଣି ଆଣି ଘରେ ସଞ୍ଚୟ କରିବାକୁ ହେଉଥିଲା। ଏବେ ଘୋର ବର୍ଷାରେ ଆମେ ଯେଉଁଠି ରହୁଥିଲୁ ସେଠାରେ ଚାରିପଟେ ଚାରି ଛଅ ଫୁଟର ପାଣି ଚାଲିଥିଲା। କିଛି ଜାଗାରେ ତ ଆଠ ଆଠ ଫୁଟର ପାଣି  ଚାଲିଥିଲା। ତା ପରେ ବି ପାଣି ପାଇଁ ହାହାକାର ପଡ଼ିଥିଲା। ସବୁଆଡ଼େ ନଗରପାଳିକା ଟ୍ୟାଙ୍କରରେ ପାଣି ଯୋଗାଉ ଥିଲା। ମାଆମାନେ ଆଣ୍ଠୁଏ ପାଣିରେ କଳସି ମୁଣ୍ଡେଇ ଟ୍ୟାଙ୍କର ପର୍ଯ୍ୟନ୍ତ ଧାଡ଼ି ଲଗାଇଥିଲେ। କି ବିଚିତ୍ର ଦୃଶ୍ୟ ! ଥରେ ଅଭାବରେ ହାହାକାର ପଡ଼ିଗଲା। ଆଉ ଥରେ ବିପୁଳତାରେ ମଧ୍ୟ ସେଇ ହାହାକାର। ବିପୁଳତାରେ ହାହାକାର କ'ଣ ପାଇଁ ? କାରଣ ବଢ଼ି ପାଣି ପିଇବା ଯୋଗ୍ୟ ନୁହଁ। ତାକୁ ପିଇଲେ ରୋଗ ହେବ। ତେଣୁ ପିଇବା ପାଇଁ ଶୁଦ୍ଧ ଜଳ ଆବଶ୍ୟକ। 
ଏପରି ଯେଉଁଠି 'ଅର୍ଥ' ଓ 'କାମ'ର ଅଭାବ ସେଠି ହାହାକାର ଓ ଯେଉଁଠି ଏହା ଅଧିକ ମାତ୍ରାରେ ଅଛି ସେଠି ବି ମଣିଷ ସୁଖରେ ନାହିଁ। କାରଣ ସବୁକିଛି ବିକାର ଦ୍ଵାରା ପ୍ରଦୁଷିତ ହୋଇଯାଇଛି। ମଣିଷର ସମସ୍ତ ପାଶବିକ ବିକାର ଲୋଭ, ମୋହ, ମତ୍ସର ଆଦି ଦ୍ୱାରା ପ୍ରଦୁଷିତ।

ଅଭାବ ଓ ଆଧିକ୍ୟ ଉଭୟରେ ମଣିଷ ସୁଖୀ ନୁହେଁ। ଜଳ ବିହୁନେ ସୃଷ୍ଟି ନାଶ  ପୁଣି ଜଳ ଗହଳେ ସୃଷ୍ଟି ନାଶ।

Monday, 24 February 2020

(୧୯)

*ଅର୍ଥନୀତିଜ୍ଞମାନେ ମଧ୍ୟ ଅଗ୍ନିରେ ଘିଅ ଢାଳିଲେ*

ଅର୍ଥନୀତିଜ୍ଞ ମାନଙ୍କ ଅର୍ଥ ସିଦ୍ଧାନ୍ତ ମଧ୍ୟ ସେମାନଙ୍କ ପାଇଁ ସହାୟକ ସିଦ୍ଧ ହେଲା। Adam Smith ନାମକ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ କହିଲେ, "ଭଲ କରିବାର ଚେଷ୍ଟା କର ନାହିଁ। ସ୍ୱାର୍ଥ ସିଦ୍ଧିପାଇଁ ଭଲକାମ ତ୍ୟାଗ କର। ତାଙ୍କ ଠାରୁ ଆଉ ଚାରି ପାଦ ଆଗକୁ ଯାଇ John Maynard Keynes ନାମକ ଆଉ ଜଣେ ଅର୍ଥନୀତିଜ୍ଞ ବାହାରିଲେ ଯାହାଙ୍କ ସିଦ୍ଧାନ୍ତର କୁପରିଣାମ ଆଜି ଯାଏ ପାଶ୍ଚାତ୍ୟ ଜଗତକୁ ଭୋଗକରିବାକୁ ପଡୁଛି। ସେ କହିଲେ ଯଦି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଆମେ ଭଲକୁ ଖରାପ ମାନିବା, ଲୋଭ ଓ ସାହୁକାରୀକୁ ଆଦର୍ଶ ବୋଲି ମାନିବା, ତେବେ ଆମେ ଗରିବୀର ସୁଡ଼ଙ୍ଗରୁ ବାହାରି ଆସି ପାରିବା। ଏହାକୁ ଆମକୁ ବୁଝିବାକୁ ପଡ଼ିବ ଓ ଅନ୍ୟକୁ ବୁଝାଇବାକୁ ପଡ଼ିବ। 

ଅର୍ଥାତ୍ ସାମ୍ପ୍ରଦାୟିକତା, ବିଜ୍ଞାନ ଓ ଅର୍ଥଶାସ୍ତ୍ର ଏଇ ତିନିହେଁ ମିଳିମିଶି ଜଣେ ଅନ୍ୟକୁ ସମର୍ଥନ କରି ସେଠିକାର ସମାଜକୁ ଏପରି ଭୟଙ୍କର ରାକ୍ଷସ ସମାଜ ରୂପେ ତିଆରି କରିଦେଲେ ଯାହା ବିଶ୍ୱ ପାଇଁ ଭୟଙ୍କର ସଙ୍କଟ ହୋଇ ଠିଆ ହୋଇଛି।

ଆମର ଏଠି ଗୋଟିଏ ଶ୍ଳୋକରେ କୁହାଯାଇଛି ଯେ, ଗୋଟିଏ ମାଙ୍କଡ଼ ଥିଲା ତାକୁ ମଦ ପିଆଇ ଦିଆଗଲା। ତା ଉପରେ ବିଚ୍ଛା ଛାଡ଼ି ଦିଆଗଲା ପୁଣି ତା ମୁଣ୍ଡରେ ଭୂତ ଚଢ଼ିଗଲା। ଏବେ କଳ୍ପନା କରନ୍ତୁ, ସେ ମାଙ୍କଡ଼ର ଅବସ୍ଥା କ'ଣ ହୋଇଥିବ ! ଠିକ୍ ଏଇଆ ଚାଲିଛି ପାଶ୍ଚାତ୍ୟ ଜଗତରେ। ପ୍ରଥମରୁ ତ ସେମାନେ ସ୍ୱାର୍ଥୀ ଓ ଭୋଗବାଦୀ। ସେମାନଙ୍କୁ ପ୍ରଥମେ ସାମ୍ପ୍ରଦାୟିକତାର ମଦ ପିଆଇ ଦିଆଗଲା। ତା ପରେ ସେମାନଙ୍କ ଉପରେ ବିଜ୍ଞାନର ବିଚ୍ଛା ଛାଡ଼ି ଦିଆ ଗଲା। ପୁଣି ଅର୍ଥଶାସ୍ତ୍ରର ଭୂତ ସେମାନଙ୍କ ମୁଣ୍ଡରେ ଭର୍ତ୍ତି ହେଲା। ସେମାନେ ନିଜ କର୍ତ୍ତୃତ୍ୱ ଦ୍ୱାରା ସମ୍ପୂର୍ଣ୍ଣ ମାନବ ସମାଜକୁ ନେଇ କେଉଁଠି ପହଞ୍ଚାଇ ଦେଲେ ! ଯାହା ମାନବ ସମାଜ ପାଇଁ ଭୟଙ୍କର ଅଭିଶାପ ହୋଇ ଠିଆ ହୋଇଛି।

Aleksander Solzhenitsyn Isayevich ନାମକ ରୁଷର ଜଣେ  ବିଶିଷ୍ଟ ଔପନ୍ୟାସିକ ଥିଲେ। ତାଙ୍କୁ ପଶ୍ଚାତ୍ୟ ଲୋକେ ନୋବେଲ ପୁରସ୍କାର ଦେଇଥିଲେ। ସେ ରୁଷରେ ଅନେକ ବର୍ଷ ପର୍ଯ୍ୟନ୍ତ ସେଠାକାର ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ସହିବା ପରେ ସେଥିରୁ ମୁକ୍ତି ପାଇବା ପାଇଁ ଆମେରିକା ପଳେଇ ଯିବାକୁ ଚିନ୍ତା କଲେ। ସେ ଆମେରିକା ଚାଲିଗଲେ। ସ ଭାବିଥିଲେ ଯେ ସେଠାରେ ତାଙ୍କୁ ସ୍ୱାଧୀନତା ମିଳିବ, ସ୍ୱର୍ଗ ମିଳିବ, କିନ୍ତୁ ଆମେରିକା ଆସିବା ପରେ ସେ ଲେଖିଛନ୍ତି ଯେ ସ୍ୱାଧୀନତା କି ପ୍ରକାର, ଯେଉଁଠି ପିଲାମାନଙ୍କ ପାଇଁ  ଓ ଯୁବକ ମାନଙ୍କ ପାଇଁ ମନର କୌଣସି ସ୍ୱାଧୀନତା ନାହିଁ।

ଯେଉଁଠି ଦେଖିବ ସେଠି ସେମାନଙ୍କ ମନ ଉପରେ ଆଘାତ କରିବା ଭଳି ବିଜ୍ଞାପନ, ଅଶ୍ଳୀଳ ସାହିତ୍ୟ, କାମନା, କ୍ରୋଧ, ଅସୂୟାକୁ ପ୍ରୋତ୍ସାହିତ କରୁଥିବା ସାହିତ୍ୟ, ଚିତ୍ର ଓ ଚଳଚିତ୍ର ଉପଲବ୍ଧ। ଚତୁର୍ପାର୍ଶ୍ୱରେ ଏହି ବାତାବରଣରେ ସେମାନଙ୍କ ମନକୁ କିପରି ଶାନ୍ତି ମିଳିବ ?

ଏଇଭଳି ସେଠାରେ ବଡ଼ ବଡ଼ ଚିନ୍ତାନାୟକମାନେ, ତତ୍ତ୍ୱଜ୍ଞାନୀମାନେ ସମସ୍ତଙ୍କର ଚିନ୍ତା ଓ ଗବେଷଣାର ଏକମାତ୍ର ବିଷୟ - ପାଶ୍ଚାତ୍ୟ ସଭ୍ୟତା ଯେଉଁ ରାସ୍ତାରେ ଚାଲିଛି ତାହା ମାନବ ସମାଜ ପାଇଁ ହିତକାରୀ ନା ବିଷାକ୍ତ ? ଏହା ଉପରେ ବଡ଼ ପ୍ରବନ୍ଧ, ବଡ଼ ପୁସ୍ତକ ଲେଖାଯାଉଛି। କିପରି ଏହା ବିଶ୍ୱପାଇଁ ଅନିଷ୍ଟକାରୀ ଅଣୁ ଅସ୍ତ୍ରର ନିର୍ମାଣ କରିଛି ? ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତେବେ ଏହା ଏହି ଅଣୁ ଅସ୍ତ୍ରରେ ଲଢ଼ାଯିବ। ତେବେ ଏହା କେତେ ସମୟ ପାଇଁ ଚାଲିବ ? ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪-୧୯୧୮ ଚାରି ବର୍ଷ ଚାଲିଥିଲା, ଦ୍ଵିତୀୟ ୧୯୩୯-୧୯୪୫ ଛ' ବର୍ଷ ଚାଲିଥିଲା, କିନ୍ତୁ ତୃତୀୟ ଏତେ ସମୟ ନେବ ନାହିଁ। ମାତ୍ର ୩୫ ମିନିଟରେ ଯୁଦ୍ଧ ଶେଷ ହୋଇଯିବ। ୩୫ ମିନିଟ ଭିତରେ ଅଧିକାଂଶ ମନୁଷ୍ୟ ସଫା ହୋଇଯିବେ। ଗଛ ପତ୍ର ପଶୁ ପକ୍ଷୀଙ୍କ କଥା ପଚାରେ କିଏ ? ଏହିପରି ସଭ୍ୟତା ସେମାନେ ବିକଶିତ କରିଛନ୍ତି। ମଣିଷ ପାଇଁ ବିନାଶକାରୀ ବିଜ୍ଞାନ ଓ ତନ୍ତ୍ରଜ୍ଞାନର ସେମାନେ ବିକଶିତ କଲେ। ଏହାଠୁ ବଳି ଅଧିକ ରାକ୍ଷସ ସମାଜର କଳ୍ପନା କରାଯାଇ ନ ପାରେ ! ଏହା ମାନବ ଜୀବନର ପୋଷକ ହେବା ପରିବର୍ତ୍ତେ ଅଭିଶାପ ହୋଇଛି।

Tuesday, 18 February 2020

(୧୮)

*ବୈଜ୍ଞାନିକମାନେ ମଧ୍ୟ ଭେଦ ନିର୍ମାଣ କଲେ।*
ଏଇଭଳି ନୃଶଂସ ଆଚରଣକୁ ବିଜ୍ଞାନ ମଧ୍ୟ ସମର୍ଥନ କଲା। ଦୁର୍ଭାଗ୍ୟବଶତଃ ସେତେବେଳେ ଯେଉଁ ବିଜ୍ଞାନ ବିକଶିତ ହୋଇଥିଲା ଯଥା ଡାଲଟନଙ୍କ ପରମାଣୁ ବିଜ୍ଞାନ ତ ସାରା ବିଶ୍ୱକୁ ଏକ ଭୌତିକ ଦୁନିଆଁ ଭିତରେ ଆବଦ୍ଧ କରି ଦେଲା। ବିଜ୍ଞାନ ତ ଏହାକୁ କେବଳ ଭୌତିକ ଦୁନିଆର ରୂପ ଦେଲା। କିନ୍ତୁ ପରେ ଚାର୍ଲସ ଡାରଉଇନ ନାମରେ ଜଣେ ଜୀଵ ବିଜ୍ଞାନୀ ଏଥିରେ ଆଉ ଏକ ସିଦ୍ଧାନ୍ତ ଯୋଡ଼ି ଦେଲେ ଯେ "ଯିଏ ବଳଶାଳୀ ତାର ହିଁ ଏ ଦୁନିଆରେ ବଞ୍ଚିବାର ଅଧିକାର ଅଛି।" ସେଠିକାର ଲୋକେ ଏହାକୁ ଅସ୍ତ୍ର କରି ସାରା ଦୁନିଆକୁ ଅଧିକାର କରିବା ପାଇଁ ହତିଆର ବଳ ପ୍ରୟୋଗ କଲେ। ଯେତେବେଳେ ସେମାନେ ଭାରତକୁ ଆସିଲେ ସେତେବେଳେ ସେମାନେ ଏହି ନାରା ଦେଉଥିଲେ - Whiteman's burden ଅର୍ଥାତ୍ ଭଗବାନ ଆମକୁ ସମସ୍ତ କଳା ଓ ହଳଦିଆ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପଠାଇଛନ୍ତି। ଗୋରାମାନଙ୍କର ଏହିପରି ଅହଂକାର ଥିଲା।

ଥରେ ଡ. ରାଧାକୃଷ୍ଣନଙ୍କ ସହିତ ଜଣେ ଗୋରା ଲୋକ ଦିଲ୍ଲୀରେ କଥାବାର୍ତ୍ତା କରିବା ପାଇଁ ବସିଥିଲା। କଥା ହେବା ସମୟରେ ସେ କହିଲା ଭଗବାନଙ୍କର ଆମ ଉପରେ ବଡ଼ କୃପା ଅଛି। ସେ ଆମକୁ କେବଳ ଗୋରା କରିଛନ୍ତି। ବାକି ସମସ୍ତଙ୍କୁ ଅନ୍ୟ ରଙ୍ଗ ଦେଇଛନ୍ତି। ଡ. ରାଧାକୃଷ୍ଣନ ତାକୁ କହିଲେ କଥା ଏପରି ନୁହଁ। ପ୍ରକୃତ କଥା ହେଲା ଭଗବାନ ଯେତେବେଳେ ବିଶ୍ୱକୁ ସୃଷ୍ଟି କଲେ ସେତେବେଳେ ସେ ପ୍ରଥମେ ରୋଟିକୁ ଆଧାର କରିଦେଲେ। ପ୍ରଥମେ ଏହା ଠିକ୍ ଭାବେ ପ୍ରସ୍ତୁତ ହୋଇ ନ ଥିଲା। କଞ୍ଚା କଞ୍ଚା ରହି ଯାଇଥିଲା। କଞ୍ଚା ଥିଲା ବେଳେ ସେ ଏହାକୁ ୟୁରୋପକୁ ଦେଇ ଦେଲେ। ତା ପରେ ଦ୍ଵିତୀୟ ଥର  ରୋଟି ପ୍ରସ୍ତୁତ କଲେ। ଏଥର ରୋଟି ଜଳିଗଲା। କଳା କଳା ହୋଇଗଲା। ସେ ତାକୁ ଆଫ୍ରିକୀୟ ଦେଶକୁ ଦେଇ ଦେଲେ। କିନ୍ତୁ ପରେ ବହୁ ଅନୁଭବ ଆଧାରରେ ଉତ୍ତମ ରୋଟି ପ୍ରସ୍ତୁତ କଲେ ଯାହା କଞ୍ଚା ନ ଥିଲା ଏବଂ ପୋଡ଼ି ବି ନ ଥିଲା। ସେ  ଏହାକୁ ଭାରତକୁ ଦେଇଦେଲେ।

ଏଇ କଥୋପକଥନରୁ ଆମେ ହୃଦୟଙ୍ଗମ କରିବା ଯେ ଗୋରା ଲୋକମାନେ କେତେ ଅହଂକାରରେ ବଞ୍ଚି ଥିଲେ ! ବିଜ୍ଞାନ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା। ଚାର୍ଲସ୍ ଡାରଉଇନ ଜଣେ ପ୍ରାମାଣିକ ବୈଜ୍ଞାନିକ ଥିଲେ। ନିଜ ବୈଜ୍ଞାନିକ ସିଦ୍ଧାନ୍ତ ଉପରେ ତାଙ୍କର ଅତୁଟ ଆସ୍ଥା ଥିଲା। ତଥାପି ଅଷ୍ଟ୍ରେଲିଆରେ, ସ୍କେଣ୍ଡେନବିୟାରେ, ଆମେରିକାରେ ଯେଉଁ ଗୋରା ଲୋକ ଯାଉଥିଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କଲେ, ସେତେବେଳେ ଏଇ ଡାରଉଇନ କହୁଥିଲା ସାରା ବର୍ବର ଲୋକ ସଫା ହୋଇଯିବା ଉଚିତ। ସାରା ପୃଥିବୀରୁ ଏମାନଙ୍କ ନାମ ନିଶାନ ରହିବା ଉଚିତ ନୁହେଁ। ତାହେଲେ ଏଠାରେ ସଭ୍ୟତାର ଉଦୟ ହେବ। ଏହିଭଳି ସେ ଆନନ୍ଦିତ ହେଉଥିଲା। ଦୁନିଆରେ କେଉଁ ସଭ୍ୟ ମଣିଷ ଏପରି ନରହତ୍ୟା ଦେଖି ଖୁସି ହେବ ? 

Monday, 17 February 2020

(୧୭)

*ସେମାନଙ୍କ ଆଚରଣ*

ପାଶ୍ଚାତ୍ୟର ବ୍ୟବହାର ଠିକ୍ ଓଲଟା। ପନ୍ଥ ଆଧାରରେ ସେଠାକାର ତିନିଟି ଯାକ ପନ୍ଥ ଯଥା ଇହୁଦୀ, ଖ୍ରୀଷ୍ଟିଆନ ଓ ମୁସଲମାନମାନେ ସମାଜକୁ ବିଶ୍ୱାସୀ ଓ ଅବିଶ୍ୱାସୀ ନାମରେ ଦୁଇ ଭାଗରେ ବାଣ୍ଟି ଦେଇଛନ୍ତି। ସେମାନଙ୍କ ମତରେ ବିଶ୍ୱାସୀଙ୍କୁ ସ୍ୱର୍ଗ ଯିବାର ଅଧିକାର ମିଳିବ ଓ ଅନ୍ୟମାନଙ୍କ ପାଇଁ ନର୍କର ରାସ୍ତା ଖୋଲା ଅଛି। ଏଥିପାଇଁ ପନ୍ଥ ନାଁ ରେ ସେଠାରେ ନିରନ୍ତର ରକ୍ତପାତ ହୋଇ ଆସିଛି। ଇହୁଦୀ ମତର ଗ୍ରନ୍ଥରେ ମୋସିସଙ୍କ ଆଦେଶର ଏହିପରି ବର୍ଣ୍ଣନା ରହିଛି -
ତାଙ୍କ ମତ ଅନୁସାର ମୂର୍ତ୍ତି ପୂଜକମାନଙ୍କ ଏବଂ ପଡ଼ୋଶୀ ରାଷ୍ଟ୍ରର ନର ସଂହାର କରାଗଲା। ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକଙ୍କ ରାଜ୍ୟ ସ୍ଥାପନ କରାଗଲା। ମୋସିସ ଓ ତାଙ୍କର ଉତ୍ତରାଧିକାରୀ  ଯହୋଵା କହିଲେ ଯେ ମୋତେ ଭଗବାନଙ୍କ ଆଦେଶ ମିଳିଛି ଏଠି ନଗରରେ ବସବାସ କରୁଥିବା ସମସ୍ତ ଲୋକ ଯଥା ମହିଳା, ଛୁଆପିଲା ଓ ପ୍ରତ୍ୟେକ ପ୍ରାଣୀଙ୍କ ହତ୍ୟା କରିବା ପାଇଁ। ସେ ସମସ୍ତଙ୍କୁ ହତ୍ୟା କରିଚାଲିଲେ। ତାହାକୁ ସେ ପବିତ୍ର ଈଶ୍ୱରୀୟ କାର୍ଯ୍ୟ ବୋଲି କହିଲେ। ଏ କଥା କହିବା ବାହୁଲ୍ୟ ଯେ ଇହୁଦୀ ସମାଜ ଏବେ ସୁସଭ୍ୟ ହୋଇଯାଇଛି। ପୁରୁଣା ଗ୍ରନ୍ଥକୁ ସେ ତ୍ୟାଗ କରିଛି। ଏବେ ତ ସେଠାରେ ସେ ପୁରୁଣା ଗ୍ରନ୍ଥର ଅର୍ଥ କିଛି ନାହିଁ। ଏବେ ସେଠାରେ ସମସ୍ତେ ପ୍ରଜାତନ୍ତ୍ରକୁ ଓ ବିଜ୍ଞାନକୁ ମାନୁଛନ୍ତି।

ଖ୍ରୀଷ୍ଟିଆନଙ୍କ କଥା ମଧ୍ୟ ଏହାଠୁ କିଛି ଅଲଗା ନାହିଁ। ଏମାନେ ଯେଉଁଠିକି ଗଲେ ରକ୍ତରଞ୍ଜିତ ଇତିହାସ  ନିର୍ମାଣ କଲେ। ଆମେରିକାରେ ଯେତେବେଳେ ଏମାନେ ପ୍ରଥମେ ପହଞ୍ଚିଲେ ସେଠାରେ ଥିବା କିଛି ମାତ୍ର ଲୋହିତ ଭରତୀୟଙ୍କୁ ଛାଡ଼ି ବାକି ସବୁ ମୂଳ ବାସିନ୍ଦାଙ୍କୁ ହତ୍ୟା କଲେ। କୋଲମ୍ଵସ ଯେବେ ସେଠାରେ ପହଞ୍ଚିଲେ ତାର ଏକ ଶତାବ୍ଦୀ ଭିତରେ କେରେବିୟନ ଦ୍ବୀପ ସମୂହରେ ପ୍ରାୟ ଅଶୀ ଲକ୍ଷ ଲୋକଙ୍କର ଜଘନ୍ୟ ହତ୍ୟା ହେଲା। ଲେଟିନ ଆମେରିକା ଦେଶରେ ପନ୍ଦରଶ ଶତାବ୍ଦୀ ଶେଷ ଆଡ଼କୁ ସେଠିକାର ଜନସଂଖ୍ୟା ନଅ କୋଟି ଥିଲା। କୋଲମ୍ଵସ ପହଞ୍ଚିବା ପରେ କୋଟିଏରୁ କମ୍ ଲୋକ ଜୀବିତ ଥିଲେ। ଅର୍ଥାତ୍ ଏତିକି ସମୟ ଭିତରେ ସେମାନେ  ଆଠ କୋଟିରୁ ଅଧିକ ଲୋକଙ୍କୁ ହତ୍ୟା କରିସାରିଥିଲେ।

ଅଷ୍ଟ୍ରେଲିଆରେ ତ ସେମିତି ବହୁତ କମ୍ ମୂଳ ନିବାସୀ ବଞ୍ଚିଛନ୍ତି। ଯେଉଁଭଳି ଜଙ୍ଗଲୀ ପଶୁଙ୍କୁ ଶିକାର କରାଯାଏ ଠିକ୍ ସେହିପରି ସେମାନଙ୍କୁ ହତ୍ୟା କରିଦିଆଗଲା।

ଆନୁମାନିକ ଭାବେ ଆଫ୍ରିକାରେ ପାଞ୍ଚ କୋଟି କଳା ଲୋକଙ୍କୁ ହତ୍ୟା କରାଯାଇଛି। ୧୯୪୨ ରେ ନାଜି ମାନେ ଯେପରି ୬୦ ଲକ୍ଷ ଇହୁଦୀଙ୍କୁ ହତ୍ୟା କଲେ ଏହା ଶୁଣି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା।

ତା ପୂର୍ବରୁ ଷ୍ଟାଲିନ ତ ୧୯୩୦ ରେ ନିଜ ଦେଶର ଦେଢ଼ରୁ ଦୁଇ କୋଟି ଲୋକଙ୍କୁ ହତ୍ୟାକରି ବିଶ୍ୱର ରକ୍ତରଞ୍ଜିତ ଇତିହାସରେ ଆଉ ଏକ ଭୟଙ୍କର ରକ୍ତାକ୍ତ ପୃଷ୍ଠା ଯୋଡ଼ିଦେଇ ଥିଲେ। ସାମ୍ୟବାଦ ବି ସେହି ପାଶ୍ଚାତ୍ୟ ଅସହିଷ୍ଣୁ ପ୍ରବୃତ୍ତିର ପ୍ରତୀକ ଥିଲା। ଏହାକୁ ଖ୍ରୀଷ୍ଟିଆନଙ୍କ ବିଦ୍ରୋହୀ ସନ୍ତାନ ବୋଲି କୁହାଯାଏ।

ମୁସଲମାନଙ୍କ କ୍ରୁର ଇତିହାସର ଯେତେ ବର୍ଣ୍ଣନା କଲେ ବି କମ୍ ହେବ। Will Durant ଲେଖିଛନ୍ତି -
ଭାରତରେ ମୁସଲମାନ ଆକ୍ରମଣ ବିଶ୍ୱ ଇତିହାସରେ ସବୁଠୁ ବଡ଼ ରକ୍ତାକ୍ତ ଇତିହାସ ଥିଲା। ଗାନ୍ଧାରରେ ମୁସଲମାନ ଆକ୍ରମଣ କାଳରେ ସେଠାକାର ସମସ୍ତ ଲୋକଙ୍କୁ ହତ୍ୟା କରାଗଲା ନ ହେଲେ ମୁସଲମାନ କରାଗଲା। ହିନ୍ଦୁକୁଶ ଶବ୍ଦର ଅର୍ଥ ହେଲା ହିନ୍ଦୁ ନରସଂହାର। ଦଖ୍ଖନର ଯାଵନୀ ସୁଲତାନମାନେ ତ ପ୍ରତ୍ୟେକ ବର୍ଷ ଏକ ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରିବାର ଶପଥ କରିଥିଲେ। ପ୍ରତି ସ୍ଥାନରେ ନର ସଂହାର, ମା ଭଉଣୀଙ୍କ ଇଜ୍ଜତ ଲୁଟିବା, ମନ୍ଦିର ଓ ହିନ୍ଦୁ ମାନଙ୍କ ତୀର୍ଥ ସ୍ଥଳକୁ ନଷ୍ଟ ଭ୍ରଷ୍ଟ କରିବା ସେମାନଙ୍କର ନିତି ଦିନିଆ କାମ ଥିଲା। ପ୍ରତି ପୃଷ୍ଠାର ଇତିହାସ ଏଥିରୁ ବାଦ ଯାଇ ନାହିଁ।

Sunday, 16 February 2020

(୧୬)

*ଭାରତର ଦର୍ଶନ ଓ ଆଚରଣ*

ଏବେ ଆମେ ଆମ ଦେଶ କଥା ବିଚାର କରିବା। ଆମର ରାଷ୍ଟ୍ରୀୟ ପ୍ରାର୍ଥନା, ଧ୍ୟେୟ ବାକ୍ୟ, ଆକାଂକ୍ଷା - ଏହା ସୃଷ୍ଟିର ସମସ୍ତ ପ୍ରାଣୀ ମାତ୍ରର କଲ୍ୟାଣ ପାଇଁ ଅର୍ପିତ। ସର୍ବୋପି ସୁଖିନଃ ସନ୍ତୁ - ଏହା ଆମର ସମସ୍ତଙ୍କୁ ମଙ୍ଗଳ କାମନାର ବାର୍ତ୍ତା। ବସୁଧୈବ କୁଟୁମ୍ବକମ୍, ସ୍ବଦେଶୋ ଭୁବନ ତ୍ରୟମ - ଏହା ମଧ୍ୟ ଥିଲା ଆମ ପୂର୍ବଜ ମାନଙ୍କ ଦୃଷ୍ଟିକୋଣ।

"କୃଣ୍ୱନ୍ତୋ ବିଶ୍ୱମାର୍ଯ୍ୟମ୍" - ସାରା ବିଶ୍ୱକୁ ସୁସଂସ୍କୃତ କରିବା। ଏହି ଆଦର୍ଶକୁ ନେଇ ବିଶ୍ୱ ସାରା ଆମ ଶ୍ରେଷ୍ଠପୁରୁଷମାନେ ବିଚରଣ କଲେ। ଆମ ଆଧ୍ୟାତ୍ମିକ ଦାର୍ଶନିକ ଯୋଗୀ, ମୁନି ବହୁ ଦୂର ପର୍ଯ୍ୟନ୍ତ ଗଲେ। ବେଦ ଓ ବୁଦ୍ଧର ଧାର୍ମିକ ସନ୍ଦେଶ ବିଶ୍ୱସାରା ପ୍ରସାରିତ କରିବା ପାଇଁ ତାଙ୍କ ହାତରେ ତରବାରୀ ନ ଥିଲା।

"ଏକମ୍ ସତ୍ ବିପ୍ରାଃ ବହୁଧା ବଦନ୍ତି" ଏହା ହେଉଛି ହିନ୍ଦୁ ମାନଙ୍କର ଆଧ୍ୟାତ୍ମିକ ତଥା ଦାର୍ଶନିକ ଦର୍ଶନ। ଏଥିପାଇଁ ନିଜର ମତକୁ ଅନ୍ୟ ଉପରେ ଲଦି ଦେବା ବା ଅନ୍ୟକୁ ଜିତିବା ପାଇଁ ତାକୁ ଯେ କୌଣସି ଉପାୟରେ ଡରେଇ ଧମକେଇ ପ୍ରଲୋଭନ ଦେଇ ନିଜ ଆଡ଼କୁ ଟାଣି ନେବାର ଅପଚେଷ୍ଟା ସେ କରେ ନାହିଁ। ଭାରତରେ ଅନ୍ୟ ମତାଵଲମ୍ବୀ ଇହୁଦୀ, ଖ୍ରୀଷ୍ଟିଆନ, ମୁସଲମାନ ଯେଉଁମାନେ ଅତିଥି ବା ଆଶ୍ରୟ ନେବାପାଇଁ ବା ବେପାର ବଣିଜ କରିବା ପାଇଁ ଏଠାକୁ ଆସିଲେ, ସେମାନଙ୍କୁ ମଧ୍ୟ ଏଠାରେ ଉଦାରତାର ସହ ସ୍ୱାଗତ କରାଗଲା। ସାରା ବିଶ୍ୱରେ ଭାରତ ହିଁ ଏକମାତ୍ର ଦେଶ ଯେଉଁଠି ଇହୁଦୀ ଶରଣାର୍ଥୀମାନେ କୌଣସି ପ୍ରକାର ଅତ୍ୟାଚାରିତ ହୋଇ ନାହାନ୍ତି। ଭାରତକୁ ଜଗନ୍ମାତା, ଜଗଦ୍ଗୁରୁ, ଅନ୍ନପୂର୍ଣ୍ଣା ଆଦି ବିଶେଷଣରେ ସମ୍ବୋଧିତ କରାଯାଏ। ଏହା ସାର୍ଥକ ଅଟେ। ବିଶ୍ୱସାରା ଆମ ସଂସ୍କୃତିର ଅତ୍ୟନ୍ତ ମଙ୍ଗଳକାରୀ ପ୍ରଭାବ ପଡିଛି। ବିଶ୍ୱରେ ଯେଉଁ ବଡ଼ ବଡ଼ ପ୍ରମୁଖ ସାମ୍ରାଜ୍ୟ ରହିଛି, ତାର ଉଦ୍ଗମ ସ୍ଥାନ ମଧ୍ୟ ଭାରତ। ଏବେ ଏବେ  କରାଯାଇଥିବା ଗବେଷଣା ଅନୁସାରେ ଏହା ସ୍ପଷ୍ଟ ଭାବେ ଲୋକ ଲୋଚନକୁ ଆସିଛି। ମିଶର ଯାହା ଏକ ସମୟରେ ବଡ଼ ସାମ୍ରାଜ୍ୟ ଓ ବଡ଼ ସଭ୍ୟତା ବୋଲି କୁହାଯାଉଥିଲା, ସେଠାରେ ସର୍ବ ପ୍ରଥମେ ପହଞ୍ଚି ଥିବା ଲୋକ ହିନ୍ଦୁ ହିଁ ଥିଲେ। ଆଠ ହଜାର ବର୍ଷ ପୂର୍ବେ ହିନ୍ଦୁଙ୍କ କାରଣରୁ ହିଁ ସେଠାରେ ସଭ୍ୟତାର ଅଙ୍କୁରୋଦ୍ଗମ୍ ହୋଇଥିଲା।

ରୋମ ଯାହା ଏକ ସମୟରେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲା, ଯାହାର ବହୁତ ବଡ଼ ସାମ୍ରାଜ୍ୟ ଥିଲା, ତାର ନାଁ ମଧ୍ୟ ରାମଙ୍କ ନାମର ସାମାନ୍ୟ ରୂପାନ୍ତର।

ଗ୍ରୀକ, ଲାଟିନ ଆଦି ଭାଷା ମଧ୍ୟ ସଂସ୍କୃତରେ ପରିପୋଷିତ ହୋଇଛି। ସେହି ସବୁ ଭାଷା ମାନଙ୍କ ଉପରେ ସଂସ୍କୃତର ପ୍ରଭାବ ସର୍ବାଗ୍ରେ ରହିଛି।

ସାରା ବିଶ୍ୱରେ ଗଣିତରେ, ବିଜ୍ଞାନରେ ଭାରତର ଅବଦାନ କେତେ ଏହା ଅନେକ ଥର ଆମେ ଶୁଣିଛନ୍ତି। କିନ୍ତୁ ଯେଉଁଠି ସାରା ଦେଶ ମୁସଲମାନ ହୋଇଗଲେ ସେହି ଇଣ୍ଡୋନେସିଆ ଦେଶରେ ମଧ୍ୟ ଭାରତ ପ୍ରତି କୃତଜ୍ଞତାର ଭାବ ରହିଛି। ସେମାନେ ଆଜି ମଧ୍ୟ ଭାରତର ହିନ୍ଦୁ ସଂସ୍କୃତିକୁ ମାନୁଛନ୍ତି। ଭାରତକୁ ଆସୁଥିବା ସେ ଦେଶର ମୁସଲମାନମାନେ କେବଳ ପ୍ରବାସୀ ହୋଇ ଆସୁ ନାହାନ୍ତି। ସେମାନେ ଭାରତକୁ ତୀର୍ଥ ସ୍ଥାନ ବୋଲି ମାନୁଛନ୍ତି।  ଭାରତରୁ ଫେରିବାବେଳେ ଟିକେ ଗଙ୍ଗାଜଳ ନେଇ ଆସିବ ବୋଲି ତାଙ୍କ ପରିବାର ଲୋକେ ମନେ ପକେଇ ଦେଇଥାଆନ୍ତି। ଅର୍ଥାତ୍ ଭାରତ ପ୍ରତି ତାଙ୍କର ଶ୍ରଦ୍ଧା ଭାବ ଅଛି। ଆପଣ ପୃଥିବୀର ଯେ କୌଣସି ସ୍ଥାନକୁ ଯାଆନ୍ତୁ ସେଠାରେ ପାଇବେ ଭାରତର ଛାପ। ମେକ୍ସିକୋରେ ଲୋହିତ ଭାରତୀୟ କିଛି ଅଛନ୍ତି। ବାକି ସମସ୍ତଙ୍କୁ ସାମ୍ରାଜ୍ୟବାଦୀ ଗୋରା ଲୋକମାନେ ହତ୍ୟା କରିଦେଲେ। ଯେଉଁମାନେ ବଞ୍ଚି ଗଲେ ସେମାନେ କୁହନ୍ତି ହିନ୍ଦୁ ମରିବା ବେଳେ ମଧ୍ୟ ତା ସହିତ  କୁକୁରକୁ ସ୍ୱର୍ଗକୁ ନେଇଯାଏ। (ମହାଭାରତରେ ଯୁଧିଷ୍ଠିରଙ୍କ ସମ୍ବନ୍ଧରେ ଏ କଥା ପ୍ରଚଳିତ।) କିନ୍ତୁ ଏ ଗୋରା ଲୋକ ତ ବଞ୍ଚି ଥାଉଁ ଥାଉଁ ତାଙ୍କ ମହା ମାନବଙ୍କୁ ନର୍କରେ ପକାଇ ଦିଅନ୍ତି।

ପ୍ରାଚୀନ ସମୟରେ ଭାରତ ଯାତ୍ରାରେ ଆସିଥିବା ପ୍ରତ୍ୟେକ ମହାନୁଭଵ ଏ ଦେଶର ଅତ୍ୟୁଚ୍ଚ ନୈତିକ ବ୍ୟବହାରକୁ ଦେଖି ସ୍ତମ୍ଭିତ ହୋଇଯାଉଥିଲେ। ଏଠାକାର ବ୍ୟବସାୟୀ ବର୍ଗ କିପରି ଶତ ପ୍ରତିଶତ ପ୍ରାମାଣିକ ଓ ବିଶ୍ୱସନୀୟ ଥିଲେ, ରାଜା କିପରି କଠୋରତାର ସହ ରାଜଧର୍ମ ପାଳନ କରୁଥିଲେ, ସାଧାରଣ କାରିଗର, କଳାକାର, ବିଦ୍ୟାର୍ଥୀ ବା ଗୃହସ୍ଥ .. ସମସ୍ତେ ନିଜ ନିଜ ଧର୍ମ ପାଳନରେ କେତେ ତତ୍ପର ଥିଲେ, ଏଠିକାର ସାମାନ୍ୟ ଲୋକର ବ୍ୟବହାର କେତେ ଶାଳୀନ ଓ ସ୍ୱଚ୍ଛ ଥିଲା - ଏହା ସେମାନେ ଆଦର ଓ ଆଶ୍ଚର୍ଯ୍ୟର ସହ ବର୍ଣ୍ଣନା କରିଛନ୍ତି।

ଇଂରେଜ ଯେତେବେଳେ ଭାରତକୁ ପରାଧୀନ କଲେ ସେତେବେଳେ ସେମାନେ କହିଥିଲେ ଏଠାରେ ଥିବା ସମସ୍ତ କଳା ଓ ହଳଦିଆ ଲୋକଙ୍କୁ ସଭ୍ୟ କରିବା ହେଲା ଆମ ଗୋରା ଲୋକମାନଙ୍କର ଉତ୍ତରଦାୟିତ୍ୱ। ଏହାକୁ ସମ୍ପନ୍ନ କରିବା ପାଇଁ ଆମେ ଆସିଛୁ। ସେତେବେଳେ ୧୮୯୨ ରେ ଇଂଲଣ୍ଡର ଏଡ଼ିନବରୋ ରେନ୍ୟୁ ଲେଖିଛନ୍ତି ଯେ ହିନ୍ଦୁ ବିଶ୍ୱରେ ସବୁଠୁ ପୁରୁଣା ରାଷ୍ଟ୍ର ଯାହାର ସଭ୍ୟତା ଓ ସଂସ୍କୃତି ଅତୁଳନୀୟ।

ଯିଏ ଭାରତର ଶିକ୍ଷା ପଦ୍ଧତି ପରିବର୍ତ୍ତନ କରିବା ସମୟରେ ନିଜ ବାପାଙ୍କ ପାଖକୁ ଚିଠି ଲେଖିଥିଲେ ଆଉ ୩୦ ବର୍ଷ ଭିତରେ ବଙ୍ଗଳାରେ ଗୋଟେ ବି ମୂର୍ତ୍ତି ପୂଜକ ରହିବେ ନାହିଁ, ସେଇ ମେକେଲେ ହିଁ ନିଜେ ଲେଖିଥିଲେ ଖ୍ରୀଷ୍ଟିଆନଙ୍କ କେତେ ଶତାବ୍ଦୀ ବର୍ଷ ପୂର୍ବରୁ ଯେତେବେଳେ ଇଂଲଣ୍ଡର ଲୋକେ ଗୁମ୍ଫାରେ ରହୁଥିଲେ, ନିଜ ଶରୀରରେ ବିଭିନ୍ନ ପ୍ରକାର ରଙ୍ଗ ଚଢ଼ାଉ ଥିଲେ, ଜଙ୍ଗଲରେ ପଶୁଭଳି ବୁଲୁଥିଲେ ସେତେବେଳେ ଭାରତର ସଭ୍ୟତା ଅତ୍ୟୁଚ୍ଚ ଶିଖରରେ ପହଞ୍ଚି ଥିଲା।

ଚୀନର ହୁଶିହ ଜୋ ଆମେରିକାରେ ରାଜଦୂତ ଥିବା ବେଳେ କହିଥିଲେ ଭାରତ ଚୀନ୍ ଉପରେ ଦୁଇ ହଜାର ବର୍ଷ ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ଚଳାଇ ଥିଲା। କିନ୍ତୁ ଜଣେ ବି ସୈନ୍ୟ ପଠାଇ ନ ଥିଲା। କିମ୍ବା ଚୀନକୁ କିଛି ବାଧ୍ୟ କରି ନ ଥିଲା। ଚୀନର ବିଦ୍ୟାର୍ଥୀ ଗବେଷଣା ପାଇଁ, ଶିକ୍ଷା ପାଇଁ ଭାରତ ଯାଉଥିଲେ। ଚୀନ୍ ପାଇଁ ଏହା ଏକ ତୀର୍ଥ ଯାତ୍ରା ଥିଲା।

ଜାପାନରେ ମଧ୍ୟ ଭାରତ ପ୍ରତି ଏହି ଭାବନା ରହିଛି। ଆମେରିକାର ମେକ୍ସିକୋ ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତ ବଡ଼ ବଡ଼ ଦେଶକୁ ହିନ୍ଦୁ ଲୋକ ଜଳ ଜାହାଜ ଦ୍ୱାରା ଯାଉଥିଲେ। "କୃଣ୍ୱନ୍ତୋ ବିଶ୍ୱମାର୍ଯ୍ୟମ" କେବଳ ନାମକୁ ମାତ୍ର ନ ଥିଲା। ଆମ ସଂସ୍କୃତି ବିଶ୍ୱ ବିଜୟୀ ଥିଲା। ଏହାର ପ୍ରମୁଖ କାରଣ ହେଲା ଆମ ଦର୍ଶନ। ଯାହାର ସନ୍ଦେଶ ହେଉଛି ନିଜ ଆତ୍ମାର ଅଧିକାଧିକ ବିକାଶ ପାଇଁ ଅଧିକାଧିକ ବିସ୍ତୃତି ପାଇଁ ମାନବ ସମାଜ ହିତକୁ ନିଜ ହିତ ମାନିବା। ଆମେ ମାନବ ମାତ୍ର ପାଇଁ ଯେଉଁ ସର୍ବୋଚ୍ଚ ଆଦର୍ଶ ମାନିଲୁ ତାହା ହେଲା "ଆତ୍ମନୋ ମୋକ୍ଷାର୍ଥଂ ଜଗଦ୍ ହିତାୟ ଚ" - ଅର୍ଥାତ୍ ନିଜ ଆତ୍ମାର ବିକାଶ ଓ ଜଗତ କଲ୍ୟାଣ ଏ ଦୁଇଟି ହେଉଛି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ।

ଆମର ଲୋକ କଲ୍ୟାଣକାରୀ ପ୍ରାଚୀନ ପରମ୍ପରା ଦ୍ୱାରା ପ୍ରଭାବିତ ହୋଇଥିବା ଅନ୍ୟ ଦେଶର ସାଧାରଣ ଲୋକଙ୍କ ମନରେ ଏବେ ମଧ୍ୟ ଭାରତ ପ୍ରତି ସେହି ସ୍ନେହଭାଵ ଓ ଆଦର ଭାବ ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଏକ ଉଦ୍ ବୋଧକ ପ୍ରସଙ୍ଗ ରହିଛି -

ଆମେରିକା ଯିବା ରାସ୍ତାରେ ଯେତେବେଳେ ତାଙ୍କ ଜାହାଜ ଚୀନ ବନ୍ଦରରେ ଅଟକିଥିଲା ସ୍ୱାମୀଜୀ ପାଖରେ ଥିବା କେଣ୍ଟନ ନଗରକୁ ବୁଲିବାକୁ ଗଲେ। ସେଠାରେ ଏକ ସୁପ୍ରସିଦ୍ଧ ମନ୍ଦିରରେ ଯେତେବେଳେ ପ୍ରବେଶ କଲେ ତାଙ୍କର ମାର୍ଗଦର୍ଶକ ଚୀନ ଭାଷା ଜାଣୁଥିବା ଦ୍ଵିଭାଷୀ ତାଙ୍କୁ  ମନାକଲା। କାରଣ ସେଠାରେ ଥିବା ଜଗୁଆଳି ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ ମାଡ଼ ଦେଇ ବିଦା କରିଦେଉଥିଲା। କିନ୍ତୁ ସ୍ୱାମୀଜୀ ଭିତରକୁ ଗଲେ ଓ କହିଲେ ମୁଁ ଭାରତରୁ ଆସିଛି। ମୁଁ ଜଣେ ସନ୍ନ୍ୟାସୀ। ଏହିପରି ନିଜ ପରିଚୟ ଦେଇ ସାରିବା ମାତ୍ରେ ମାଡ଼ ଦେବାକୁ ଆସିଥିବା ସେ ଜଗୁଆଳି ତା ଦଣ୍ଡ ଫୋପାଡ଼ି ଦେଲା ଓ ସ୍ୱାମୀଜୀଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲା। ସେ କହିଲା, ଆଜି ମୋତେ ଭଗବାନ ବୁଦ୍ଧ ମିଳିଗଲେ। ମୁଁ ଆଜି ଭଗବାନ ବୁଦ୍ଧଙ୍କୁ  ଦର୍ଶନ କରୁଛି। ଏ ମନ୍ଦିରକୁ ଆପଣ ପବିତ୍ର କରିଦେଲେ। ସେ ସ୍ୱାମୀଜୀ ଙ୍କୁ ପ୍ରାର୍ଥନା କଲା ଯେ ଆପଣ ଆଜି ଆମର ମନ୍ଦିରକୁ ପବିତ୍ର କରି ଦିଅନ୍ତୁ। ସ୍ୱାମୀଜୀ ଗୋଟିଏ  କାଗଜରେ ଓଁ ଲେଖି ତା ହାତରେ ଦେଇଦେଲେ।

Saturday, 15 February 2020

(୧୭)

*ମଣିଷ ବିକାଶର କି ବିପରୀତ ଧାରଣା !*
ବିଶ୍ୱର ପ୍ରତିନିଧିତ୍ୱ କରୁଥିବା ସବୁଠୁ ବଡ଼ ସଂସ୍ଥା ହେଲା ମିଳିତ ଜାତିସଂଘ। ମଣିଷର ବିକାଶ ପାଇଁ ଏହା ଏକ ସମିତି ଗଠନ କରିଛି ଯାହାର ନାମ ହେଲା 'ମଣିଷ ବିକାଶ ସମିତି'। ଏ ସମିତି ଯେତେବେଳେ ପ୍ରଥମେ ଗଠିତ ହେଲା ଏହାର ଅଧ୍ୟକ୍ଷ ଥିଲେ ପାକିସ୍ଥାନର ବିଖ୍ୟାତ ଅର୍ଥନୀତିଜ୍ଞ Mahbub ul Haq। ସାରା ବିଶ୍ୱର ମଣିଷ ମାନଙ୍କୁ ବିଭିନ୍ନ ମାନକରେ ମାପି ଏହି ସମିତି ଯେଉଁ ତଥ୍ୟ ସଙ୍କଳିତ କରିଥିଲା ତାହାକୁ ସେ ମିଳିତ ଜାତିସଂଘରେ  ନିବେଦନ କରିଥିଲା। ସେଥିରେ ରହିଥିଲା ବିଭିନ୍ନ ଦେଶର ଦଶ ବର୍ଷର ପ୍ରଗତିର ଚିତ୍ର। ପ୍ରଗତି ପାଇଁ କିଛି ମୌଳିକ ବିନ୍ଦୁ ବା ମାନକ ବିନ୍ଦୁ ସମିତି ସ୍ଥିର କରିଥିଲା। ଯେପରି ସ୍ୱାସ୍ଥ୍ୟର ସ୍ତର, ଶିକ୍ଷାର ସ୍ତର, ଶୁଦ୍ଧ ଜଳ, ଗ୍ରାମୀଣ ସ୍ଥିତି ଆଦି...। ଏ ସବୁ ମାନକ ଉପରେ ପ୍ରଶ୍ନ କରିବାର କିଛି କାରଣ ନ ଥିଲା। କିନ୍ତୁ ସେ ଏଥିରେ ଆଉ ଏକ ମାନକ ଯୋଡ଼ିଥିଲେ ତାହା ହେଲା ସ୍ୱାଧୀନତା। ମଣିଷ କେତେ ସ୍ୱାଧୀନ ? ରାଜନୀତିକ ସ୍ଵାଧୀନତା,  ବହୁପକ୍ଷୀୟ ପ୍ରଜାତନ୍ତ୍ରର ସ୍ୱାଧୀନତା, କଥା କହିବାର ସ୍ୱାଧୀନତା, ସଙ୍ଘ ଗଢ଼ିବାର ସ୍ୱାଧୀନତା ଆଦି...। ଏହିପରି ସ୍ୱାଧୀନତା ଯେଉଁଠି ଅଛି ସେ ଦେଶ ଠିକ୍ ପ୍ରଗତି କରୁଛି ବୋଲି ଦର୍ଶାଇ ସେମାନେ ଏହି ମାନକଟିକୁ ଶେଷରେ ଯୋଡ଼ିଥିଲେ। ସେ ଯେଉଁ ବିବରଣୀ ଦେଇଥିଲେ ସେଥିରେ ବଡ଼ ବିଚିତ୍ର ଅନୁଭବ ଆସିଥିଲା। ତାଙ୍କ ମାନକ ଅନୁସାରେ ଯେଉଁ ଦେଶଗୁଡ଼ିକ ଅତ୍ୟନ୍ତ ବିକଶିତ ସେହି ସବୁ ଦେଶରେ ସବୁଠୁ ବେଶି ସାମାଜିକ କ୍ଳେଶ ବ୍ୟାପିଛି। ସେଠିକାର ସାମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଶୃଙ୍ଖଳିତ। ସେଠାରେ ବଢ଼ିଛି ବଳାତ୍କାର, କୁଟୁମ୍ବ ଧ୍ୱସ୍ତ ହୋଇଯାଇଛି, ମାତା ପିତା ଏକତ୍ର ରହୁଥିବା ପରିବାର ସଂଖ୍ୟା କମୁଛି। ଅବିବାହିତ ମାଆଙ୍କ ସଂଖ୍ୟା ବଢୁଛି। ରୋଗ ବଢୁଛି, ଆତ୍ମହତ୍ୟା ବଢୁଛି। ସାମାଜିକ ଶୃଙ୍ଖଳା ଧ୍ୱସ୍ତ ପ୍ରାୟ। ସାମାଜିକ ଦୁଃଖ ବଢୁଛି। ସମିତିର ଏ ବିବରଣୀ ପଢ଼ିଲେ ବଡ଼ ବିଚିତ୍ର ଲାଗେ।

'ହ୍ୟୁମ୍ୟାନ ଡେଭେଲ୍ପମେଣ୍ଟ କମିଟି' ଭଳି ବିଶ୍ୱର ସବୁଠୁ ବଡ଼ ସଂସ୍ଥା ମଣିଷ ଜୀବନର ବିକାଶକୁ ଯେଉଁ ଯନ୍ତ୍ରରେ ମାପିବାକୁ ଚେଷ୍ଟା କରିଛି ସେ ସବୁ ହେଲା ଭୌତିକ, ରାଜନୀତିକ ବା ଆର୍ଥିକ।

ମହବୁବ ଉଲ ହକ୍ ଙ୍କର ନିଷ୍କର୍ଷ ଥିଲା ଯେ ଯେତେ ବିକଶିତ ଦେଶ ଅଛନ୍ତି ସେଠାରେ ସେତେ ଅଶାନ୍ତି। ସେହି ଦେଶର ସାମାଜିକ ସଂରଚନା ଧ୍ୱସ୍ତ ହେବାକୁ ବସିଲାଣି। ସଭ୍ୟ ମାନବ ଜୀବନର ପ୍ରାଥମିକ ସଂରଚନା 'ପରିବାର' ଭାଙ୍ଗିଯାଉଛି। ମଣିଷ ଅସୁଖୀ ହେଉଛି। ଅର୍ଥାତ୍ ଏଠି ବିକାଶର କି ବିସଙ୍ଗତି।

ମଣିଷ ଯାହାଦ୍ୱାରା ସୁଖୀ ନୁହଁ, ଅଶାନ୍ତିରେ ରହୁଛି, ଯାହାଦ୍ୱାରା ତା'ର ସାମାଜିକ ବ୍ୟବସ୍ଥା ଭାଙ୍ଗି ଯାଉଛି ସେହି ଦେଶକୁ ବିକଶିତ ଦେଶ ବୋଲି କୁହାଯାଉଛି କିପରି ?

ସେମାନେ ପୂରା ବିଶ୍ୱକୁ ଏହିପରି ବାଣ୍ଟିଛନ୍ତି। ବିକଶିତ ଦେଶ, ବିକାଶଶୀଳ ଦେଶ ଓ ଅବିକଶିତ ଦେଶ। ଏଭଳି ବର୍ଗୀକରଣ ହିଁ ମାନବ ସୁଖର ବିପରୀତ ଅଟେ। ଯେତେ ବିକଶିତ ଦେଶ ସେତେ ଅସୁଖୀ।

ମିଳିତ ଜାତିସଙ୍ଘ ଭଳି ମାନ୍ୟତା ପ୍ରାପ୍ତ ବିଶ୍ୱ ସ୍ତରୀୟ ସଂସ୍ଥାର ଏ କି ବିପରୀତ ବୁଦ୍ଧି !

ପ୍ରକୃତରେ ଯେ କୌଣସି ସଂସ୍ଥାର ବିଚାର ହେବା ଉଚିତ ଯେ ମଣିଷକୁ ସୁଖ କିପରି ମିଳିବ। କିନ୍ତୁ ଏଠାରେ ତ ଠିକ୍ ଓଲଟା ବିଚାର। ମଣିଷ ସୁଖ ଦୁଃଖର ଚିନ୍ତା ଏ ସଂସ୍ଥା କରେ ନାହିଁ। ଏମାନଙ୍କର ମୁଖ୍ୟ ବିଷୟ ହେଲା ରାଜନୀତିକ ଓ ଆର୍ଥିକ ସଂରଚନାର ବିସ୍ତାର। ଏହି ମାପଦଣ୍ଡ ଚାଲୁରହିଲେ ବିକଶିତ ଦେଶ ଗରିବ ଦେଶର ଶୋଷଣ କରିବ।

ପ୍ରକୃତରେ ମାନବ ସୁଖର ବିଚାର କଲେ ଏ ସଂସ୍ଥା ଯାହାକୁ ବିକଶିତ ଦେଶ ବୋଲି ଘୋଷଣା କରିଛି ଏ ସବୁ ଅବିକଶିତ ଦେଶ ବୋଲି ଗଣା ହେବେ।

ଏମାନେ ଜାଣିଶୁଣି ଏପରି ବ୍ୟବସ୍ଥା କରିଛନ୍ତି। 

Friday, 14 February 2020

(୧୬)

*ବନ୍ଧୁତା ଆଇନ ଦ୍ୱାରା ନୁହେଁ, ସଂସ୍କାର ଦ୍ୱାରା*
କିଛି ବର୍ଷ ତଳେ ଫ୍ରାନ୍ସରେ କ୍ରାନ୍ତିର ଦ୍ଵିଶତାବ୍ଦୀ ପାଳନ ହେଉଥିଲା। ସେତେବେଳେ ଫ୍ରାନ୍ସର ଜଣେ ଉଚ୍ଚ ଅଧିକାରୀ ବେଙ୍ଗଲୁର ଆସିଥିଲେ। ଆମର ଜଣେ ଅଧିକାରୀଙ୍କ ସହ ତାଙ୍କର ବର୍ତ୍ତାଳାପ ହେଲା। ଆମ ଅଧିକାରୀ ତାଙ୍କୁ ପଚାରିଲେ, "ସ୍ୱାଧୀନତା, ସମାନତା ଓ ବନ୍ଧୁତା ଆପଣଙ୍କ ସମାଜ ଓ ରାଷ୍ଟ୍ର ଜୀବନରେ କେତେ ମାତ୍ରାରେ ଆସିଲା ?" ଫ୍ରାନ୍ସ ଅଧିକାରୀ କହିଲେ, "ସମାନତା ଓ ସ୍ୱାଧୀନତା ବହୁ ପରିମାଣରେ ଆସିଛି, କିନ୍ତୁ ବନ୍ଧୁତା ନାମକୁ ମାତ୍ର । ପରସ୍ପର ଭିତରେ ପ୍ରବଳ ପ୍ରତିଯୋଗିତା ଚାଲିଛି।"
ଆମ ଅଧିକାରୀଙ୍କ ଦ୍ଵିତୀୟ ପ୍ରଶ୍ନ ଥିଲା, " ଏଭଳି ପ୍ରତିଯୋଗିତା ଲାଗିରହିଲେ ବନ୍ଧୁତା ଆସିବ କେମିତି ? ସମାନତା ରହିବ କେମିତି ? ବନ୍ଧୁ ଭାବ ନ ଆସିଲେ ସମାନତା କେମିତି ଆସିବ ?"

ଏହାର ଉତ୍ତର ସେ ଦେଇ ପାରିଲେ ନାହିଁ। ପ୍ରଶ୍ନ ଉଠୁଛି ଯେ କ'ଣ  କେବଳ ଆଇନ ତିଆରି କରିଦେଲେ ବନ୍ଧୁତା ଆସିଯିବ ? ମନେକର ଆଇନ ତିଆରି ହୋଇଗଲା ଏବଂ କୁହାଗଲା ଯେ ଆସନ୍ତା କାଲିଠାରୁ ଆପଣମାନେ ସମସ୍ତେ ପରସ୍ପର ବନ୍ଧୁତା ସ୍ଥାପନ କରିନେବେ, ସ୍ନେହଭାଵ ବୃଦ୍ଧି କରିବେ, ଶାନ୍ତିରେ ସହାବସ୍ଥାନ କରିବେ। ଏତିକିରେ କ'ଣ ସମାଜରେ ବନ୍ଧୁତା ଆସେ, ସ୍ନେହ ଭାବ ଆସେ ନା ଶାନ୍ତି ଆସେ। ଏଥିପାଇଁ ତ ସଂସ୍କାର ଆବଶ୍ୟକ। ଏ ସଂସ୍କାର ବାଲ୍ୟକାଳୁ ଦେବାକୁ ହୁଏ। ପରିବାର ଓ ସମାଜର ସଂସ୍କାର ଦ୍ୱାରା ପିଲାମାନେ ବିକଶିତ ହୁଅନ୍ତି। ପରିବାର ପ୍ରତି ଓ ସମାଜ ପ୍ରତି ସେମାନଙ୍କ ମନରେ ଆଦର ଭାବ ସୃଷ୍ଟି ହୁଏ। ଯଦି ସଂସ୍କାର ନ ଦିଆଗଲା ତେବେ ପିଲାମାନେ ସ୍ୱାର୍ଥୀ ହୋଇଯିବେ, କାହା ସହିତ ସେମାନଙ୍କର କିଛି ସମ୍ବନ୍ଧ ରହିବ ନାହିଁ। ତାଙ୍କ ମନରେ 'Out Sider' ଭାବ ସୃଷ୍ଟି ହେବ। ସମାଜରେ ଥାଇ ମଧ୍ୟ ସେମାନେ ସମାଜଠାରୁ ପରିବାର ଠାରୁ ଅଲଗା ହୋଇଯିବେ।

ଏହିପରି ଯଦି ମଣିଷ ସ୍ୱାର୍ଥୀ ହୋଇଯିବ, ସମାଜ ଓ ପରିବାର ଠାରୁ ଅଲଗା ହୋଇଯିବ ତେବେ ସାମାଜିକ ବ୍ୟବସ୍ଥା ସହ ମଧ୍ୟ ତା'ର ସମ୍ବନ୍ଧ ତୁଟିଯିବ। ତା'ର ସାମାନ୍ୟ ସ୍ୱାର୍ଥ ପାଇଁ ସେ ସାମାଜିକ ବ୍ୟବସ୍ଥାକୁ ଭାଙ୍ଗିଦେବାକୁ ପଛାଇବ ନାହିଁ। ବିଦ୍ରୋହ କରିବାକୁ ଆଗେଇ ଆସିବ। ଏହା ହେଲେ ସାମାଜିକ ବ୍ୟବସ୍ଥା ଅଶାନ୍ତ ହୋଇଯିବ। ଶାନ୍ତି ପାଇଁ ତ ପରସ୍ପର ମଧ୍ୟରେ ପ୍ରେମ ସମ୍ବନ୍ଧ, ଆତ୍ମୀୟତାର ସମ୍ବନ୍ଧ ଆବଶ୍ୟକ। ପରସ୍ପର ମଧ୍ୟରେ ଜଣେ ଆଉ ଜଣକ ପାଇଁ ତ୍ୟାଗ କରିବାର ମନୋଭାବ ଆବଶ୍ୟକ। ଜଣେ ଅନ୍ୟ ଜଣକ ସୁଖରେ ସୁଖ ଓ ଦୁଃଖରେ ଦୁଃଖ ଅନୁଭବ କରିବା ଆବଶ୍ୟକ। ପରସ୍ପର ଭିତରେ ଆତ୍ମୀୟତା ଥିଲେ ହିଁ ଏହା ସମ୍ଭବ ହୁଏ। ଏହା ଆଧ୍ୟାତ୍ମିକ ଆଧାର ଦ୍ୱାରା ହିଁ ହୋଇପାରେ। ଅନ୍ୟକୁ ନିଜର କରିବା ଅର୍ଥାତ୍  ଏ ମୋର ଆପଣାର, ଏ ଦୃଷ୍ଟିକୋଣ ଥିଲେ ହିଁ ବନ୍ଧୁ ଭାବ ଆସେ। ଏ ଦୃଷ୍ଟିକୋଣ କେବଳ ବାଲ୍ୟକାଳର ସଂସ୍କାର ଦ୍ୱାରା ହିଁ ସମ୍ଭବ ହୁଏ। 

ଆମେ ଦେଖୁଛନ୍ତି ଯେ ପାଶ୍ଚାତ୍ୟ ଦେଶରେ ସେମାନେ ବହୁତ କିଛି ଉନ୍ନତ ପ୍ରୟୋଗ କରିଛନ୍ତି। ତଥାପି ସେଠାରେ ମଣିଷ ସୁଖ ପାଉ ନାହିଁ। ଆମେରିକାରେ ଏତେ ଧନ ଅଛି ଯେ କୁହାଯାଏ ବିଶ୍ୱର ଚାରି ପ୍ରତିଶତ ଜନସଂଖ୍ୟା ସେଠାରେ ରୁହନ୍ତି ଓ ବିଶ୍ୱର ଚାଳିଶ ପ୍ରତିଶତ ସୁଖ ସାଧନ ସେମାନେ ଉପଭୋଗ କରନ୍ତି। ତଥାପି ସେଠାରେ ମଣିଷ ସୁଖ ପାଉ ନାହିଁ କାହିଁକି ? ଜର୍ମାନ ଅର୍ଥନୀତିଜ୍ଞ Ernst Friedrich Schumacher  କହିଛନ୍ତି ଯେ ଭାରତର ବସ୍ତର ଭଳି ଜଙ୍ଗଲ ଅଞ୍ଚଳରେ ଥିବା ଜଣେ ବନବାସୀ ଯେତେ ସୁଖରେ ଅଛି ସେତିକି ସୁଖ ଆମେରିକାର ବହୁ ପ୍ରାଚୁର୍ଯ୍ୟ ଭିତରେ ଥିବା ଜଣେ ମଣିଷ ପାଖରେ ନାହିଁ। ଏତେ ମାନସିକ ଅଶାନ୍ତି ସେଠାରେ କାହିଁକି ? ଏହି କାରଣରୁ ସେଠାରେ ସମାଜ ବ୍ୟବସ୍ଥା ସବୁ ଭାଙ୍ଗି ଯାଉଛି।

Thursday, 13 February 2020

(୧୫)

*ସମାନତା ଓ ସ୍ୱାଧୀନତା ମଧ୍ୟରେ ସଂଘର୍ଷ*

ଆମେ ଏବେ ପାଶ୍ଚାତ୍ୟ ଦେଶମାନଙ୍କ କଥା ଆଲୋଚନା କରିବା। ସେଠାରେ କେବଳ ଅଧିକାରର ଉଦ୍ଘୋଷ ଶୁଣିବାକୁ ମିଳେ। ସମସ୍ତେ ନିଜ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ପରସ୍ପର ଭିତରେ ପ୍ରତିଯୋଗିତା ଚଳାଇଛନ୍ତି, ଆନ୍ଦୋଳନ କରୁଛନ୍ତି। ଆମର ତ ଏଠି ସମସ୍ତେ ସ୍ବଧର୍ମ ଅନୁସାରେ ଚାଲୁଛନ୍ତି। ପ୍ରଜା ଧର୍ମ, ରାଜ ଧର୍ମ, ବେପାରୀ ଧର୍ମ, ବ୍ୟକ୍ତି ଧର୍ମ....ଆଦି ପାଳନ କରୁଛନ୍ତି। ଏଠାରେ ଧର୍ମ ମାନେ କର୍ତ୍ତବ୍ୟ। ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଇଁ ସଚେତନ ଥିବାରୁ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ହୋଇପାରୁଛି। କିନ୍ତୁ ପାଶ୍ଚାତ୍ୟ ଦେଶରେ ଧର୍ମର କଳ୍ପନା ନାହିଁ। ଆଧ୍ୟାତ୍ମିକ ସାଧନାର ଦୃଷ୍ଟି ନାହିଁ। କେବଳ ଭୌତିକବାଦ ଆଧାରରେ ବିକାଶ ଚାଲିଛି। ମୋର ସୁଖ ମାନେ ଶରୀର ସୁଖ। ଏଇଭଳି ଜୀବନର କେବଳ ଭୌତିକ ଦୃଷ୍ଟିକୋଣକୁ ସେମାନେ ପ୍ରାଧାନ୍ୟ ଦେଉଛନ୍ତି। ଏହା କେବଳ ସେଠିକାର ସାଧାରଣ ବ୍ୟକ୍ତିଙ୍କ କଥା ନୁହଁ, ତାଙ୍କ ସମୁଦାୟର ମୁଖ୍ୟ ପ୍ରେରଣାସ୍ରୋତ ପୋପ ମଧ୍ୟ ଲୋକମାନଙ୍କୁ ଶୋଷଣ କରୁଥିଲେ। ସମ୍ପୂର୍ଣ୍ଣ ୟୁରୋପ ତାଙ୍କ ଅଧୀନରେ ଥିଲା। ସେ ହିଁ ସବୁ ରାଜନୀତିର ସୂତ୍ରଧର ଥିଲେ। ୟୁରୋପର ରାଜାମାନେ ତାଙ୍କ ବିରୋଧରେ ଏକାଠି ହେଲେ। ଅନେକ ଦିନ ଚାଲିଲା ରାଜତନ୍ତ୍ର।

ପୁଣି ଯେତେବେଳେ ରାଜାମାନଙ୍କର ଶୋଷଣ ଚାଲିଲା ସେତେବେଳେ ତାଙ୍କ ବିରୋଧରେ ଲୋକେ ବିଦ୍ରୋହ କଲେ। ପ୍ରଜାତନ୍ତ୍ରର ଘୋଷଣା ହେଲା। ତା'ର ଆଧାର ହେଲା ସମାନତା, ସ୍ୱାଧୀନତା ଓ ବନ୍ଧୁତା। ଏହାକୁ ଲାଗୁ କରିବା ସମୟରେ ଭେଦ ନିର୍ମାଣ ହେଲା। ସ୍ୱାଧୀନତାକୁ ସେମାନେ ସ୍ବେଚ୍ଛାଚାର ଭଳି ବ୍ୟବହାର କଲେ। ଯାହା ପାଖରେ ବୁଦ୍ଧି ଥିଲା, ବିଜ୍ଞାନ ଥିଲା ଓ ଧନ ଥିଲା ସେମାନେ ଗରିବଙ୍କୁ ଶୋଷଣ କରିବା ଆରମ୍ଭ କରିଦେଲେ। ଭୟଙ୍କର ବିଷମତା ସୃଷ୍ଟି ହେଲା। ପରିଣାମ ସ୍ୱରୂପ ସାମ୍ୟବାଦ (କମ୍ୟୁନିଜମ) ର ଜନ୍ମ ହେଲା।  ସ୍ୱାଧୀନତା ନଷ୍ଟ କରାଗଲା। ମଣିଷକୁ ପଶୁଭଳି ବ୍ୟବହାର କରାଗଲା। କ୍ରମଶଃ ସଙ୍ଘର୍ଷ ଚାଲିଆସିଲା। ସୁଖ ଶାନ୍ତି ଉଭେଇ ଗଲା। ଯାହାକୁ ସ୍ୱାଧୀନତା ଦିଆଗଲା ସେ ବାକି ଲୋକଙ୍କୁ ଶୋଷଣ କଲେ। ଏବେ ସଙ୍ଘର୍ଷ କିଛି ମାତ୍ରାରେ କମିଛି। ଗରିବଙ୍କୁ ଆଇନ ଦ୍ୱାରା କିଛି ମାତ୍ରାରେ ସଂରକ୍ଷଣ ଦିଆଯାଇଛି। ତଥାପି ସଙ୍ଘର୍ଷ ଚାଲିଛି। ଗରିବ ଧନୀ ଭିତରେ ପୁଞ୍ଜିବାଦର ଯେଉଁ ଅଭିଶାପ ଥିଲା ତାହା ଏ ଯାଏ ଚାଲୁ ରହିଛି। ଯେଉଁଠି ସମାନତା ପାଇଁ ସ୍ୱାଧୀନତା ନଷ୍ଟ କରାଗଲା ସେଠାରେ ତ ଅବସ୍ଥା ବଡ଼ ଭୟାନକ। ସୋଭିଏତ ରୁଷ ପୂରା ଧ୍ୱସ୍ତ ହୋଇଗଲା। ଅର୍ଥାତ୍ ସେମାନେ କ'ଣ କରିବେ କିଛି ସ୍ଥିର କରିପାରିଲେ ନାହିଁ। ଏପଟ ଧରିଲେ ହେଲା ନାହିଁ ସେପଟ ଧରିଲେ ବି ହେଲା ନାହିଁ। ଉଭୟ ସ୍ୱାଧୀନତା ଓ ସମାନତା ତାଙ୍କୁ ଅଶାନ୍ତି ଦେଲା।

ଏହାର କାରଣ ବଡ଼ ସ୍ପଷ୍ଟ। ଯଦି କୌଣସି ବ୍ୟକ୍ତିର ଅଣ୍ଟା ବ୍ୟଥା ହେଉଛି ତେବେ କେଉଁଥି ପାଇଁ ଏପରି ହେଲା ତାହାର କାରଣ ଜଣା ନ ପଡ଼ିବା ପର୍ଯ୍ୟନ୍ତ ସେ ବ୍ୟକ୍ତିକୁ ବାମ କଡ଼ ମାଡ଼ି ଶୋଇଲେ ଟିକେ ଭଲ ଲାଗେ ସେ ଭାବେ ଏବେ ମୁଁ ଠିକ୍ ହୋଇଗଲି। କିନ୍ତୁ କିଛି ସମୟ ପରେ ତାକୁ କଷ୍ଟ ହୁଏ ସେ କଡ଼ ବଦଳେଇ ଦିଏ। ଏବେ ତାକୁ ଡାହାଣ କଡ଼ ଭଲ ଲାଗେ ସେ ଭାବେ ଏବେ ମୁଁ ଠିକ୍ ହୋଇଗଲି। କିନ୍ତୁ ନା ବାମ କଡ଼ ନା ଡାହାଣ କଡ଼ ଠିକ୍। ଉଭୟ ପଟ କଷ୍ଟ ଦିଏ। ସେଥିରେ ସୁଖ ଓ ଶାନ୍ତିର କୌଣସି ଚିହ୍ନ ନ ଥାଏ।

ଥରେ ଗୋଟିଏ ଗାଁରେ ଜୁଆ ଖେଳ ହେଲା। ଜଣେ ୧୦୦ ଟଙ୍କା ବାଜି ଲଗେଇଲା। ସେ କହିଲା ଆମ ଗାଁର କେହି ଯଦି ଶହେଟି ଲଙ୍କା ଖାଇଦେବ ତାକୁ ମୁଁ ଏଇ ଶହେ ଟଙ୍କା ଦେଇଦେବି। କିନ୍ତୁ ଗୋଟିଏ ସର୍ତ୍ତରେ ଏହା ମିଳିବ। ଯିଏ ବାଜି ହାରିବ ସିଏ 100 ପ୍ରହାର ଖାଇବ। ଜଣେ ଲୋଭୀ   ଶସ୍ତାରେ ଟଙ୍କା ହାତେଇବାକୁ ଖେଳିବା ପାଇଁ ବାହାରିଲା। ସେ ଭାବିଲା ଏଇଟା କୋଉ ବଡ଼ କଥା ଯେ...। ଶହେ ଲଙ୍କା ତ ସେମିତି ମୁଁ ଖାଇଦେବି। ତେଣୁ ସେ ଖେଳ ମଞ୍ଚକୁ ଆସିଲା ଓ ଲଙ୍କା ଖାଇବା ଆରମ୍ଭ କଲା। ୮ - ୧୦ ଟା ଲଙ୍କା ଖାଇବା ପରେ ତା'ର ମୁହଁ, ଜୀଭ, ପେଟ ଜଳିଲା .. । ସେ ଆଉ ଖାଇ ପାରିଲା ନାହିଁ। ସେ କହିଲା ମୁଁ ପ୍ରହାର ମାଡ଼ ଖାଇବାକୁ ପ୍ରସ୍ତୁତ କିନ୍ତୁ ଲଙ୍କା ଆଉ ନୁହେଁ...। ତା' ଲୁଗାପଟା ଖୋଲାଗଲା। ତା' ଫୁଙ୍ଗୁଳା ପିଠିକୁ ଚାବୁକରେ ପ୍ରହାର କଲାବେଳେ ଚମଡ଼ା ଫାଟିଗଲା। ରକ୍ତ ବାହାରି ତାକୁ ଭୀଷଣ କଷ୍ଟ ହେଲା। ସେ ଗୋଡ଼ ହାତ ଧରି କହିଲା ଆଉ ପ୍ରହାର ଖାଇ ପାରିବି ନାହିଁ। ଏବେ ମୋତେ ଲଙ୍କା ଦିଅ ଖାଇବି। ଏହି କ୍ରମ ଚାଲିଲା। ସେ 100 ଚାବୁକ ପ୍ରହାର ଖାଇଲା। 100  ଲଙ୍କା ବି ଖାଇଲା। ଏହା ହେଲା ପଶ୍ଚାତ୍ୟର ସ୍ୱାଧୀନତା ଓ ସମାନତାର କାହାଣୀ। ଉଭୟ ସ୍ଥିତି ସେମାନଙ୍କର ନିଦ ହଜେଇ ଦେଇଛି।

Wednesday, 12 February 2020

(୧୪)

*ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ*

ଆମର ହିନ୍ଦୁ ଶାସ୍ତ୍ରରେ ବ୍ୟକ୍ତି ଓ ସମାଜ ଭିତରେ ଥିବା ସମ୍ପର୍କକୁ ଅତ୍ୟନ୍ତ ସରଳ ଭାବରେ ବୁଝାଇ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସମାଜ ଆମର ଦେବତା। ତେଣୁ ସମାଜକୁ ଭକ୍ତି କର। ଜନତା ଜନାର୍ଦ୍ଦନର ସେବା କର। 

ସ୍ୱାମୀ ବିବେକାନନ୍ଦ କହିଛନ୍ତି ଭାରତ ମାତାଙ୍କୁ ପୂଜା କର। ସମସ୍ତ ଦେବାଦେବୀଙ୍କ ସେବା ମାନେ ରାଷ୍ଟ୍ର ପୂଜା। ରାଷ୍ଟ୍ର ସେବା ହିଁ ହେଉଛି ଆଧ୍ୟାତ୍ମିକ ସାଧନା। 

ଡ ରାଧକୁମୁଦ ମୁଖାର୍ଜୀ ତାଙ୍କ 'ଦି ଫଣ୍ଡାମେଣ୍ଟାଲ ୟୁନିଟ ଅଫ ଇଣ୍ଡିଆ' ପୁସ୍ତକରେ ଲେଖିଛନ୍ତି, "ହିନ୍ଦୁ ନିଜ ପରମ୍ପରା ଓ ଧର୍ମ ଅନୁସାରେ ଭାରତକୁ କେବଳ ଏକ ରାଜନୈତିକ ଏକକ ବୋଲି ମାନେ ନାହିଁ ବରଂ ନିଜ ଆଧ୍ୟାତ୍ମିକ ସଂସ୍କୃତିର ସାକ୍ଷତ ମନ୍ଦିର ତଥା ତା ଠୁ ବଡ଼ ଦେବୀ ମା' ବୋଲି ମାନି ଆସିଛି।" 

ରାଷ୍ଟ୍ରୀୟତାର ବ୍ୟାଖ୍ୟା କରିବା ଏକ କଠିନ କାମ। କିନ୍ତୁ ଭାରତର ଋଷିଗଣ ଏହାକୁ ନିଜ ଆତ୍ମାରେ ପ୍ରତିଷ୍ଠିତ କରିଯାଇଛନ୍ତି।

ସେମାନେ ଏହାକୁ ସମାଜ ପୁରୁଷ, ବିରାଟ ପୁରୁଷ, ଭାରତ ମାତା ଆଦି ସମ୍ବୋଧିତ କରି ଆଧ୍ୟାତ୍ମିକ ସାଧନାର ଏକ ସରଳ ମାର୍ଗ ପ୍ରସ୍ତୁତ କରିଦେଇଛନ୍ତି। 

ସ୍ୱାମୀ ରାମତୀର୍ଥ କହିଛନ୍ତି - "ମୁଁ ଭାରତ। ମୋର ମସ୍ତକ ହିମାଳୟ, ମୋ ମଥାର ମୁକୁଟ ଗୌରୀଶଙ୍କର, ହିମାଳୟର ପର୍ବତ ଶ୍ରେଣୀଗୁଡ଼ିକ ମୋର ଦୁଇ ବାହୁ, ମୋ କଣ୍ଠରେ ଶୋଭା ପାଉଛି ଗଙ୍ଗା ଯମୁନା ରୂପୀ ରତ୍ନମାଳା, ମୋ ଅଣ୍ଟାର ବୀର ଭୂଷଣ ବିନ୍ଧ୍ୟ ପର୍ବତ, ମୋର ଦୁଇଟି ଜଙ୍ଘ ପୂର୍ବ ଓ ପଶ୍ଚିମଘାଟ ପର୍ବତ ଶ୍ରେଣୀ, ମୋ ପାଦରେ ତିନି ମହାସାଗର ସକାଳେ ସଞ୍ଜେ ଅଞ୍ଜଳି ଚଢ଼ାଉଛନ୍ତି। ମୁଁ ପାଦ ଆଗକୁ ବଢ଼ାଉଛି ତ ଭାରତ ଆଗକୁ ପାଦ ବଢ଼ାଉଛି, ମୁଁ ଶ୍ଵାସ ନେଉଛି ତ ଭାରତ ଶ୍ଵାସ ନେଉଛି। ମୁଁ ସ୍ୱୟଂ ଶଙ୍କର, ଶିବ ଶଙ୍କର। ମୁଁ ହିଁ ଭାରତ, ମୁଁ ହିଁ ଭାରତ।"

 ଏହା ହିଁ ପ୍ରକୃତ ଅଦ୍ୱୈତ ଭାବ। ଭାରତ ସହ ଏକାତ୍ମତା ଅର୍ଥ ଅଦ୍ୱୈତ ଅନୁଭୂତିର ଏହା ଏକ ମହାଶିଖର। ଏହିପରି ନିଜ ଆତ୍ମବିକାଶର ଏତେ ସୁନ୍ଦର ମାର୍ଗ ସେ ପ୍ରଶସ୍ତ କରିଥିଲେ।

ନିଜ ସମାଜର ସେବାପାଇଁ, ଜନତା ଜନାର୍ଦ୍ଦନର ସେବାପାଇଁ ବା ଭାରତ ମାତାର ସେବା ପାଇଁ ବ୍ରତ ଧାରଣ କରି ବଳିଦାନ କରି ଜୀବନକୁ ସାର୍ଥକ କରିଥିବା ଅଗଣିତ ବଳିଦାନୀ ମହାପୁରୁଷଙ୍କ ଉଦାହରଣ ଆମ ସମ୍ମୁଖରେ ରହିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ଗୁପ୍ତଚରମାନେ ଭାରତର କ୍ରାନ୍ତିକାରୀମାନଙ୍କ ସମ୍ପର୍କରେ ଆସି ବଡ଼ ଆଶ୍ଚର୍ଯ୍ୟ ହେଉଥିଲେ। ସେମାନେ କହୁଥିଲେ ଯେ "ଏଠିକାର କ୍ରାନ୍ତିକାରୀମାନେ ବଡ଼ ବିଚିତ୍ର। ଏମାନଙ୍କର ମରିବାରେ କିଞ୍ଚିତ ମାତ୍ର ଭୟ ନାହିଁ।"

ଭଗବତ୍ ଗୀତାର ସେହି ଶ୍ଳୋକ 
("ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ....।"
ଅର୍ଥାତ୍ - ମୋତେ କୌଣସି ଶସ୍ତ୍ର ମାରିପାରିବ ନାହିଁ। ଅଗ୍ନି ଜଳାଇ ପାରିବ ନାହିଁ।) କୁ ଗାଇ ହସି ଖେଳି ଯେପରି ନବ ବଧୁ ଗଳାରେ ହାର ପକାଏ ସେହିପରି ଏମାନେ ଫାଶିକୁ ଗଳାରେ ଲଗାଇ ଦିଅନ୍ତି।
ମୁଁ ତ ଅମର, ଏପରି କହି ଫାଶିର ଦଉଡ଼ିକୁ ଚୁମ୍ବନ ଦେଇଥିବା ଆମ ସ୍ୱାଧୀନତା ସଂଗ୍ରାମୀ ଅଥବା କ୍ରାନ୍ତିକାରୀଙ୍କ ଆତ୍ମାହୁତି, ଆତ୍ମ ବଳିଦାନ ଆଧ୍ୟାତ୍ମିକ ସାଧନାର ଏକ ଉଚ୍ଚକୋଟୀର ସାଧନା। ଭଗବତ ଗୀତାର ଏକ ଶ୍ଳୋକରେ କୁହାଯାଇଛି -  ପରିବ୍ରାଜକ ଯୋଗୀ ତଥା ଧର୍ମଯୁଦ୍ଧରେ ଆତ୍ମାହୁତି ଦେଉଥିବା ସୈନିକ - ଏ ଦୁଇ ପ୍ରକାର ଲୋକେ ସୂର୍ଯ୍ୟମଣ୍ଡଳକୁ ଭେଦକରି ପରମ ଗତି ପ୍ରାପ୍ତ ହୁଅନ୍ତି।

ଏହିପରି ବ୍ୟାବହାରିକ ଜୀବନରେ ଧର୍ମର ସ୍ଥାପନା କରିବା, ଭାରତର ସ୍ବାଧୀନତା ପାଇଁ ଆତ୍ମୋତ୍ସର୍ଗ କରିବା, ଜନତା ଜନାର୍ଦ୍ଦନଙ୍କ ସେବାରେ ଧନ୍ୟତା ପାଇବା  ହେଉଛି ଆତ୍ମାର ବିକାଶ ଧାରା। ଆଧ୍ୟାତ୍ମିକ ସାଧନା କିଛି ଅଲଗା ବିଷୟ ନୁହେଁ। ରାଷ୍ଟ୍ରସେବା ବା ଜନତାର ସେବା କିଛି ଅଲଗା ବିଷୟ ନୁହେଁ। ଏହିପରି ୨ଟି ବିଷୟକୁ ଏଠାରେ ସମନ୍ଵୟ କରିଦିଆଯାଇଛି। ଏଥିପାଇଁ ଆମର ଏଠାରେ ବ୍ୟକ୍ତି ଓ ସମାଜ ମଧ୍ୟରେ ବା ରାଷ୍ଟ୍ର ମଧ୍ୟରେ କେବେ ସଙ୍ଘର୍ଷ ହୋଇ ନାହିଁ।

ସମସ୍ତଙ୍କ ଭିତରେ ଗୋଟିଏ ଦୃଷ୍ଟିକୋଣ ବିକଶିତ ହୋଇଛି ତାହା ହେଲା "ୱାନ୍ ଫର୍ ଅଲ  ଏଣ୍ଡ ଅଲ ଫର୍ ୱାନ୍।" ରାଷ୍ଟ୍ର ଜୀବନର ଉତ୍ଥାନ କିପରି ହେବ ବ୍ୟକ୍ତି ଏ କଥା ଚିନ୍ତା କରୁଛି ଏବଂ ବ୍ୟକ୍ତିର ସୁଖ ପାଇଁ ରାଷ୍ଟ୍ର ଚିନ୍ତା କରୁଛି।  ତେଣୁ ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ।

Monday, 10 February 2020

(୧୩)

*ବିଶ୍ୱକଲ୍ୟାଣର ଆଧାର ଏକାତ୍ମ ଦର୍ଶନ*

ହିନ୍ଦୁ ବିଚାରରେ ବ୍ୟକ୍ତିର ବିକାଶର କ୍ରମ ହେଲା ପ୍ରଥମେ ନିଜ ଭିତରେ ଶାନ୍ତି ସ୍ଥାପନ କରିବା। ନିଜ କଥା ସରିଗଲେ ନିଜ କୁଟୁମ୍ବର ସୁଖ ଦୁଃଖର ସାଥୀ ହେବା। ପରିବାର ପରେ ବ୍ୟକ୍ତି ନିଜ ସମାଜ ସହିତ ଓ ଧୀରେ ଧୀରେ ସମ୍ପୂର୍ଣ୍ଣ ମାନବ ସମାଜ ସହିତ ସମରସ ହୁଏ। ଶେଷରେ ସାରା ଚରାଚର ସୃଷ୍ଟି ସହିତ ସେ ନିଜକୁ ମିଶାଇ ଦିଏ ଅର୍ଥାତ୍ ସୃଷ୍ଟିର ସବୁ କିଛି ତାକୁ ନିଜର ଲାଗେ। 

କିନ୍ତୁ ପାଶ୍ଚାତ୍ୟ ଜଗତରେ ମନୁଷ୍ୟ ଭୌତିକବାଦ ଉପରେ ଚାଲି ଚାଲି ନିଜ ବିକାଶର ପ୍ରଥମ ଶିଢ଼ିକୁ ଭାଙ୍ଗିଦେଇ ଦୟନୀୟ ହୋଇଯାଇଛି। 

ହିନ୍ଦୁ ଦର୍ଶନ, ହିନ୍ଦୁ ଧାର୍ମିକ ପରମ୍ପରା ଭିତରେ ଏଥିରୁ ଉଦ୍ଧାର ହେବାର ବାଟ ଅଛି କି ?

ହିନ୍ଦୁତ୍ୱ କ'ଣ ବୈଶ୍ବିକ ଦର୍ଶନ ହୋଇ ପାରିବ ? 

ଏହା ବିଚାର କରିବା ସମୟରେ ଆମେ ଦେଖିବା ଯେ ପ୍ରକୃତରେ ସେହି ସିଦ୍ଧାନ୍ତ ବିଶ୍ୱବ୍ୟାପୀ ହେବାର କ୍ଷମତା ରଖେ ଯାହା ଭିତରେ ସାଧାରଣ ମନୁଷ୍ୟକୁ ସୁଖ ଦେବାର କ୍ଷମତା ଥିବ। ଆମେ ଆଗରୁ ବିଚାର କରିଥିଲେ ସୁଖ କେଉଁଠି ଅଛି ? ମଣିଷ କେମିତି ସୁଖୀ ହୋଇପାରିବ ??

 ଏଥିପାଇଁ ଆମକୁ ମଣିଷର ପ୍ରକୃତ ସ୍ୱରୂପ ଜାଣିବାକୁ ହେବ। ଏହି ସ୍ୱରୂପ ଖୋଜିବାକୁ ଯାଇ ଆମେ ଦେଖିଲେ ଯେ ମଣିଷ ଭିତରେ ଥିବା ଶରୀର, ମନ, ବୁଦ୍ଧି, ସ୍ଵଭାଵ, ଚିତ୍ତ, ଅହଙ୍କାର ..ଆଦି ସବୁକୁ ଏକ ସୂତ୍ରରେ  ଯୋଡୁଥିବା 'ମୁଁ' ହିଁ ଏହାର ପ୍ରକୃତ ରୂପ ଯାହାକୁ ଆମେ ଆତ୍ମା, ଜୀବାତ୍ମା, ପରମାତ୍ମା, ବ୍ରହ୍ମ ଆଦି ଶବ୍ଦ ଦ୍ୱାରା ସମ୍ବୋଧିତ କରିଥାଉଁ।

*ଆପଣାର ଭାବକୁ ବିସ୍ତାରିତ କରିବା*

ନାଁ, ପଦ ପଦବୀ ଯାହା ବି ଥାଉ କିନ୍ତୁ ଏ ଆତ୍ମାନୁଭୁତି ଦ୍ୱାରା ଅଧିକ ସୁଖ କେମିତି ମିଳିବ ?

ଆମ ଶାସ୍ତ୍ରରେ କୁହାଯାଇଛି ଯେ ଯେତେବେଳେ ଏହି ଆତ୍ମତତ୍ତ୍ୱର ସମନ୍ୱୟ ହେବ, ସାମଞ୍ଜସ୍ୟ ହେବ, ସଙ୍ଘର୍ଷ ନ ହେବ, ପୀଡ଼ା ନ ହେବ ସେତେବେଳେ ସେହି ସ୍ଥିତିରେ ହିଁ ବ୍ୟକ୍ତିକୁ ସୁଖ ମିଳିବ। 

କିନ୍ତୁ ଏ ପ୍ରକାର ସାମଞ୍ଜସ୍ୟ ସାଧାରଣ ଜୀବନରେ ସମ୍ଭବ କି ? 

ହଁ, ସମ୍ଭବ। ଯେଉଁଠି ଆପଣାର ଭାବ ଥାଏ,  ଆତ୍ମୀୟତାର ଅନୁଭୂତି ଥାଏ ସେଠାରେ ସାମଞ୍ଜସ୍ୟ ସହଜ ଓ ସୁଲଭ ହୋଇଯାଏ। ଯେଉଁଠି ସହାନୁଭୂତି ଥାଏ ଯେଉଁଠି ପ୍ରେମ ଥାଏ ସେଇଠି ଆମକୁ ଅଧିକ ସୁଖ ମିଳେ। ଏଥିପାଇଁ ଆମ ଶାସ୍ତ୍ରମାନଙ୍କରେ  ଆମ ଆତ୍ମାର ବିକାଶ ଯାତ୍ରାର କ୍ରମକୁ ଏ ଦୃଷ୍ଟିରୁ ବିଚାର କରାଯାଇଛି। ସେଥିରେ କୁହାଯାଇଛି ଯେ ଅଧିକାଧିକ ସମୂହରେ ବ୍ୟକ୍ତି ନିଜର ଅର୍ଥାତ୍ 'ମୋର' ଓ  'ଆପଣାର' ପ୍ରତିବିମ୍ବକୁ ଦେଖି ପାରିଲେ  ତା'ର ସୁଖ ବଢ଼ିଚାଲେ। ଯେଉଁଠି ସଂଘର୍ଷ, ଦ୍ଵେଷ ସମାପ୍ତ ହୋଇଯାଏ ସେଠାରେ ମନରେ ଶାନ୍ତି ଆସେ ଏବଂ ବ୍ୟକ୍ତିକୁ ସୁଖ ପ୍ରାପ୍ତ ହୁଏ। ଏହା ସବୁ ଆମର ଦୈନନ୍ଦିନ ଜୀବନରେ ଅନୁଭବର ବିଷୟ। ଏଥିପାଇଁ ଆମର ଏଠାରେ ପ୍ରଥମେ ବ୍ୟକ୍ତି ସ୍ତରରେ ଶାନ୍ତି ଓ ସୁଖର ନିର୍ଦ୍ଧାରଣ କରାଯାଇଛି।

ମୋର ତଥା ଆପଣାର ଭାବରେ ହିଁ ବ୍ୟକ୍ତିକୁ ସୁଖର ଅନୁଭୂତି ହୁଏ। ଏଥିପାଇଁ ସେ ଯେତେ ଅଧିକ ମାତ୍ରାରେ ନିଜର ତଥା ଆପଣାର ଭାବକୁ ବିସ୍ତାରିତ କରେ ତାକୁ ସେତେ ଅଧିକ ମାତ୍ରାରେ ସୁଖ ପ୍ରାପ୍ତ ହୋଇଥାଏ। 
ପୁଣି କୁହାଯାଇଛି ଯେ ଯେତେବେଳେ କେହି ସୁଖରେ ଥାଏ, ଆନନ୍ଦ ପାଉଥାଏ, ସେତେବେଳେ ସେ ଏହି ଆନନ୍ଦକୁ ଅନ୍ୟକୁ ବାଣ୍ଟିବା ଉଚିତ। ସାଧାରଣତଃ ଦେଖାଯାଏ ସୁଖୀ ବ୍ୟକ୍ତି ତା ସୁଖ କଥା ନ ବାଣ୍ଟିବା ଯାଏ ଶାନ୍ତିରେ ରହିପାରେ ନାହିଁ। କାରଣ ଏହାଦ୍ୱାରା ତାକୁ ଅଧିକ ଆନନ୍ଦ ମିଳେ। ଅର୍ଥାତ୍ ସୁଖ ବାଣ୍ଟିଲେ ବଢ଼େ। 

ଏହାର ବିପରୀତ ଦୁଃଖକୁ ବାଣ୍ଟିଲେ କମେ। ଦଶ ଲୋକ ଆସି ସାନ୍ତ୍ୱନା ଦିଅନ୍ତି। ଦୁଃଖରେ ସହଭାଗୀ ହୁଅନ୍ତି।

ଏଥିପାଇଁ ଆମେ ଉଭୟ କ୍ଷେତ୍ରରେ ଅଧିକାଧିକ ଜଡ଼ିତ ହେବା ସମରସ ହେବା ଉଚିତ।
ସମରସ ହେବା ଅର୍ଥ ଏକାତ୍ମ ହେବା। ଏକାତ୍ମ ଅନୁଭୂତିରେ ସୁଖ ମିଳେ। ଏହାର ବିପରୀତ ସଙ୍ଘର୍ଷ ଓ ବିଦ୍ୱେଷରେ ଶତ୍ରୁତା ବଢ଼େ ଜୀବନ ଦୁର୍ବିସହ ହୋଇଯାଏ।
ଏଥିପାଇଁ ମନୁଷ୍ୟକୁ ସମରସତା ତଥା ସାମଞ୍ଜସ୍ୟର ମାର୍ଗରେ ନେଇଯିବାକୁ ପଡ଼ିବ।

ଜଣେ ସନ୍ଥ ଏହାକୁ ଏକ ସୁନ୍ଦର ଉଦାହରଣ ଦେଇ ବୁଝାଇଛନ୍ତି -

କର୍ଣ୍ଣାଟକର ଧର୍ମସ୍ଥଳରେ ଗୋଟିଏ ବଡ଼ କକ୍ଷ ଅଛି। ସେଇ କକ୍ଷର ଚାରିଟି ଯାକ କାନ୍ଥରେ ଉଚ୍ଚା ଉଚ୍ଚା ଅଇନା ଲାଗିଛି। କାନ୍ଥର ଚାରିପଟେ କାଚ ଅଇନା ଲାଗିଥିବା ହେତୁ ଗୋଟିକର ପ୍ରତିବିମ୍ବ ଅନ୍ୟଟିରେ ପଡୁଛି। ଏହିପରି କେହି ଜଣେ ସେ କକ୍ଷରେ ପ୍ରବେଶ କଲେ ଅଇନା ଭିତରେ ତାଙ୍କର ଶହ ଶହ ପ୍ରତିଛବି ସୃଷ୍ଟି ହୋଇଯାଏ। ଥରେ ସେହି କକ୍ଷରେ ଗୋଟିଏ କୁକୁର ପ୍ରବେଶ କଲା। ତୁରନ୍ତ ତାକୁ ଶହ ଶହ କୁକୁର ଦେଖାଗଲେ। ଗୋଟିଏ କୁକୁର ଆଉ ଗୋଟିଏ କୁକୁରକୁ ଦେଖିଲେ କେମିତି ପ୍ରେମ କରେ, ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ସେ କୁକୁର ଅନ୍ୟ କୁକୁରମାନଙ୍କୁ ଦେଖିବା ମାତ୍ରେ ଖୁବ୍ ଜୋର୍ ରେ ଭୁକିଲା। ଅନ୍ୟ କୁକୁର ଉପରେ ଝାମ୍ପି ତାକୁ ଝିଣି ଦେବା ପାଇଁ ଖୁବ୍ କୁଦା ମାରିଲା। ସେ ଯେତେବେଳେ ଆଗକୁ ଯାଉଥିଲା ଦେଖୁଥିଲା ଆଗରେ ଦଶ କୋଡ଼ିଏ କୁକୁର ତା ଆଡ଼କୁ ମାଡ଼ି ଆସୁଛନ୍ତି। ସେ ଡରିଗଲା। ସେ ବାମ ପଟକୁ ଦୌଡ଼ିଲା, ଡାହାଣ ପଟକୁ ଦୌଡ଼ିଲା ସବୁଠି ସେଇ ଏକା ଦଶା। ଚାରିପଟୁ ଶହ ଶହ କୁକୁର ତା ଆଡ଼କୁ ମାଡ଼ି ଆସୁଛନ୍ତି। ତାକୁ ଆକ୍ରମଣ କରି ମାରିଦେବାକୁ ଉଦ୍ୟତ ହେଉଛନ୍ତି। ଏଇଆ ଭାବି ସେ ଏତେ ଡରିଗଲା ଯେ ତା ହାର୍ଟ ଫେଲ ହୋଇଗଲା। ସେଇଠି ସେ ମରିଗଲା। 

ସେଇ କକ୍ଷରେ ଯେତେବେଳେ ମଣିଷ ପହଞ୍ଚେ ସେତେବେଳେ ସେ ଏକା ନୁହଁ, ଶହ ଶହ ତା ନିଜ ପ୍ରତିବିମ୍ବ ଦେଖି ପ୍ରସନ୍ନ ହୁଏ। ଆମକୁ ମଧ୍ୟ ଜଣା ମଣିଷ ନିଜ ପ୍ରତିବିମ୍ବ ଦେଖି କେତେ ଖୁସୀ ହୁଏ। ପୁଣି ଏଠି ସେ ଦେଖେ ଏକ ନୁହଁ ଦୁଇ ନୁହଁ ଶହ ଶହ ନିଜ ପ୍ରତିବିମ୍ବ। ତେଣୁ ସେ ବହୁତ ଆନନ୍ଦିତ ହୁଏ। 

କୁକୁର ଓ ମଣିଷ ଭିତରେ ଏ ପାର୍ଥକ୍ୟ କାହିଁକି ?

କାରଣ କୁକୁରକୁ ଜଣା ନାହିଁ ଯେ ଏ ସବୁ ପ୍ରତିବିମ୍ବ ତା'ର ବୋଲି। କିନ୍ତୁ ମନୁଷ୍ୟ ଏହା ଜାଣିପାରେ। 

ଏଥିରୁ ଏହା ସ୍ପଷ୍ଟ ଯେ ଯେଉଁଠି ମୋର ଭାବ ଆପଣାର ଭାବର ଅନୁଭୂତି ନାହିଁ ସେଠାରେ ଦ୍ଵେଷ ହୁଏ, ଝଗଡ଼ା ହୁଏ, ମୃତ୍ୟୁ ହୁଏ। କିନ୍ତୁ ଯେଉଁଠି ନିଜର ଭାବ, ଆତ୍ମୀୟତାର ଭାବ, ଆପଣାର ଭାବ ଥାଏ ସେଠାରେ ସ୍ନେହ ଥାଏ, ଆନନ୍ଦ ଥାଏ, ଜୀବନ ଥାଏ। 

ଏହି ଆପଣାର ଭାବ ଯଦି ଅଧିକାଧିକ କ୍ଷେତ୍ରରେ ଅଧିକାଧିକ ବିସ୍ତାରରେ ଆମର ଦୃଷ୍ଟିଗୋଚର ହୁଏ ତେବେ ଆମର ଆନନ୍ଦ ସେତେ ମାତ୍ରାରେ ବଢ଼ିଯାଏ। ଏହାହିଁ ଏକାତ୍ମତାର ସରଳ ସୂତ୍ର। 

ଏଥିପାଇଁ କୁହାଯାଇଛି -

ଅୟଂ ନିଜଃ ପରୋବେତି 
ଗଣନା ଲଘୁ ଚେତସାମ୍।
ଉଦାର ଚରିତାନାଂ ତୁ
ବସୁଧୈବ କୁଟୁମ୍ବକମ୍।।
This is mine, that is his, says the small minded, The wise believe that the entire world is a family.

Sunday, 9 February 2020

(୧୨)

*ସବୁଥାଇ ବି ଅନାଥ*

ପାଶ୍ଚାତ୍ୟ ଦେଶମାନଙ୍କରେ ଲୋକେ ଦୁଃଖରେ ଉଦ୍ ବିଗ୍ନ ରହୁଛନ୍ତି। ସେମାନଙ୍କୁ ଶାନ୍ତି ମିଳୁ ନାହିଁ। କିନ୍ତୁ କାହିଁକି ? ଏହାର ମୂଳ କାରଣ କ'ଣ ?? ଏହାର ଉତ୍ତର ଖୋଜିବାକୁ ଗଲେ ଆମେ ପାଇବା ଯେ କୁଟୁମ୍ବ ବ୍ୟବସ୍ଥା ବୋଲି ସେଠାରେ କିଛି ନାହିଁ। ଜଣେ ଭାରତୀୟ ନିୟୁର୍କରେ ଥିବା ସମୟର ଅନୁଭୂତି ଶୁଣାଇବାକୁ ଯାଇ କହିଲେ, ମୁଁ ଯାହାଙ୍କ ଘରେ ଥିଲି ସେହି ଘର ଆଗରେ ଜଣେ ବୃଦ୍ଧା ଯାହାର ଅଣ୍ଟା ନଇଁ ଗଲାଣି ବଡ଼ କଷ୍ଟରେ ଧୀରେ ଧୀରେ ବଜାରକୁ ଯାଉଥିଲେ କିଛି ଜିନିଷ କିଣିବା ପାଇଁ। ମୁଁ ମୋର ବନ୍ଧୁଙ୍କୁ ପଚାରିଲି, "କ'ଣ ଏଇ ବୃଦ୍ଧାଙ୍କର କେହି ନାହାନ୍ତି ? କ'ଣ ପାଇଁ ତାଙ୍କୁ ଏ ବୟସରେ ବଜାର ସୌଦା କରିବାକୁ ପଡୁଛି ??"

ମୋର ବନ୍ଧୁ କହିଲେ, "ଦେଖନ୍ତୁ, ଏଇ ଆଗରେ ଯେଉଁ ବଡ଼ କୋଠାଟି ଦେଖାଯାଉଛି, ଏଇଟା ତାଙ୍କ ପୁଅର। ତାଙ୍କ ପୁଅ ଜଣେ ବଡ଼ ଡାକ୍ତର।"
ମୁଁ - "ଏ ବୃଦ୍ଧା କାହିଁକି ପୁଅ ପାଖରେ ରହୁ ନାହାନ୍ତି ?"
ବନ୍ଧୁ - "ଏଠିକାର ଚଳଣୀ ଏମିତିକା। ପୁଅ ଝିଅ ବଡ଼ ହୋଇଗଲେ ମାଆ ବାପା ସହ କିଛି ସମ୍ବନ୍ଧ ରଖନ୍ତି ନାହିଁ।" 
ମୁଁ - "ଏମାନେ କ'ଣ ଏତେ କୃତଘ୍ନ ?"
ବନ୍ଧୁ - "କେବଳ ସନ୍ତାନ ନୁହଁନ୍ତି। ମାଆ ବାପା ମଧ୍ୟ ସେଇଆ। ସେମାନେ ମଧ୍ୟ ସେମାନଙ୍କ ସନ୍ତାନମାନଙ୍କ ସହ କୌଣସି ସମ୍ବନ୍ଧ ରଖନ୍ତି ନାହିଁ। ହୃଦୟହୀନ ବ୍ୟବହାର କରନ୍ତି। ପିଲା ଜନ୍ମ ହେବା ପରେ ଏମାନେ ପିଲାକୁ ଅଲଗା ରଖନ୍ତି। ଆମର (ଭାରତରେ) ଅତ୍ୟନ୍ତ ଗ୍ରାମୀଣ ଗରିବ ମାଆର ଛୁଆଟିଏ ତା ମାଆ କୋଳରେ ରହି ମାଆ ସ୍ତନରୁ ଦୁଗ୍ଧ ପାନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥାଏ, କିନ୍ତୁ ଏଠି କୋଟିପତିର ଛୁଆଙ୍କୁ ମଧ୍ୟ ସେ ସୁଯୋଗ ଜୁଟେ ନାହିଁ। ଜନ୍ମରୁ ସେମାନଙ୍କୁ ମଆଠୁ ଅଲଗା ରଖାଯାଏ। କ୍ଷୀର ବୋତଲ ତାଙ୍କ ମୁହଁରେ ଲଗାଇ ଦିଆଯାଏ। ଏହିପରି ସେମାନେ ନିଜ ମାଆ ବାପାଙ୍କ ବଦଳରେ ବୋତଲର ଛୁଆ ହୋଇଯାଆନ୍ତି। ଛୋଟବେଳୁ ସେମାନଙ୍କର ଏକାକୀ ରହିବାର ଅଭ୍ୟାସ ହୋଇଯାଇଥାଏ। ବଡ଼ ହେଲେ ସେମାନେ ମାଆ ବାପାଙ୍କର ନାଁ କେବଳ କାଗଜପତ୍ର ପାଇଁ ବ୍ୟବହାର କରିଥାନ୍ତି। ମାଆ ବାପାଙ୍କ କଥା କହିଲେ ସେମାନଙ୍କ ଭିତରେ କୌଣସି ପ୍ରକାର ଆତ୍ମୀୟତାର ଭାବ ଉତ୍ପନ୍ନ ହେବାର ସମ୍ଭାବନା ନ ଥାଏ।"

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଯେତେବେଳେ ଜଙ୍ଗଲରେ ରହୁଥିବା ମଣିଷ ନିଜ ସ୍ତ୍ରୀ ଓ ଛୁଆପିଲାଙ୍କ ସହ ରହୁଥିଲା ସେତେବେଳେ କୁଟୁମ୍ବର ପ୍ରାଥମିକ ରଚନା ହେଲା। ଧୀରେ ଧୀରେ ମାନବ ସଭ୍ୟତାର ବିକାଶ ହେଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ କୁଟୁମ୍ବ ବ୍ୟବସ୍ଥା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ଶିଢ଼ି। ଏବେ ଏହି ପ୍ରଥମ ଶିଢ଼ି ପାଶ୍ଚାତ୍ୟ ଦେଶରେ ନଷ୍ଟ ହୋଇଯାଇଛି। କାରଣ କୁଟୁମ୍ବ ଧର୍ମର ସଂସ୍କାର ସେଠାରେ ଦିଆଯାଏ ନାହିଁ। ଏଥିପାଇଁ ସେଠାରେ ଏତେ ଅଶାନ୍ତି। ଆମେ ଭାରତରେ "ବୈକୁଣ୍ଠ ସମାନ ଆହା ଅଟେ ସେହି ଘର" ଜନ୍ମରୁ ଶିଖୁଥିବା ବେଳେ, ଅଭ୍ୟାସ କରୁଥିବା ବେଳେ ସେଠାକାର ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା ଦେବାକୁ କେହି ନାହିଁ। ସେଠାକାର ପିଲାମାନେ ଜନ୍ମରୁ ମାନସିକ ଦୃଷ୍ଟିରୁ ଅନାଥ ହୋଇଯାଆନ୍ତି। ଖୁବ୍ ପ୍ରାଚୁର୍ଯ୍ୟ ଭିତରେ ମଧ୍ୟ ସେମାନେ ମାନସିକ ଦରିଦ୍ର। ପ୍ରଚୁର ସମ୍ପତ୍ତି ଥାଇ ମଧ୍ୟ ସେମାନଙ୍କ ପିଲାମାନେ ଅନାଥ। ପିଲାଦିନରୁ ପିଲାଟି ଭାବେ ମୋର ଏ ଦୁନିଆରେ  ନିଜର ବୋଲି କେହି ନାହିଁ। ଆମେ ଭାରତରେ କହୁ "ମାଆ ନାହିଁ ଯାହାର ସାହା ନାହିଁ ତାହାର।" ସେଇଭଳି ଅନାଥ ହୋଇ ସେଠାରେ ପିଲାମାନଙ୍କ ବାଲ୍ୟଜୀବନ କଟେ। ପିଲାଟି ଅନାଥ ପ୍ରଜ୍ଞାର ଶିକାର ହୁଏ। ସେ ଭାବେ ମୋର ମାଆ ନାହିଁ, ବାପା ନାହିଁ, ସାଙ୍ଗ ନାହିଁ, ସାଥି ନାହିଁ, ସମ୍ପର୍କୀୟ ନାହିଁ, ଏ ସମାଜ ସହ ମୋର କିଛି ସମ୍ବନ୍ଧ ନାହିଁ। ଏ ଦୁନିଆରେ ମୁଁ ଏକା। ଏଇ ଏକଲାପଣ ରୋଗରେ ଗ୍ରସ୍ତ ପ୍ରତ୍ୟେକ ପଶ୍ଚାତ୍ୟବାସୀ। ପାଶ୍ଚାତ୍ୟ ଔପନ୍ୟାସିକମାନେ ମଧ୍ୟ ଏଇ ବିଷୟକୁ ନେଇ ବଡ଼ ବଡ଼ ରୋଚକ କାହାଣୀ ରଚନା କରିଛନ୍ତି। Albert Camus ନାମକ ଜଣେ ପ୍ରସିଦ୍ଧ ଔପନ୍ୟାସିକ "The Outsider" ନାମକ ଏକ ଉପନ୍ୟାସ ରଚନା କରିଛନ୍ତି। ଏହାର ଅର୍ଥ ହେଲା "ବାହାରର ଲୋକ।" ଆଖପାଖର ଲୋକମାନେ ତା' ପାଇଁ ମଣିଷ ରୂପୀ ପଶୁମାତ୍ର। ତା'ର କାହା ସହିତ କିଛି ସମ୍ବନ୍ଧ ନାହିଁ।

ଏହିପରି ମନୁଷ୍ୟ ଯଦି ଏକଲାପଣ ନେଇ ଏକାକୀ ଜୀବନଯାପନ କରିବ ତେବେ ମାନବ ସମାଜର ଅବସ୍ଥା କ'ଣ ହେବ ? ମାନବ ଯେତେବେଳେ ପ୍ରକୃତ ନିଃସ୍ୱାର୍ଥ ପ୍ରେମରୁ ବଞ୍ଚିତ ହୋଇଯିବ ସେତେବେଳେ ତା' ଜୀବନ ଶୁଷ୍କ ହୋଇଯିବ ନିରସ ହୋଇଯିବ। ସେ ରାକ୍ଷସ ହୋଇଯିବ। ସେ ଭାବିବ ମୋର କେହି ନାହିଁ। କାହାପ୍ରତି ମୋର କିଛି କର୍ତ୍ତବ୍ୟ ନାହିଁ। ତେବେ କା'ର କ'ଣ ହୋଇଗଲେ ମୋର କ'ଣ ଯାଏ ?  ସମସ୍ତଙ୍କ ପ୍ରତି ଅନାସ୍ଥା ଓ ନିଜ ସ୍ୱାର୍ଥ ପାଇଁ ଗଣ୍ଡଗୋଳ ଏପରିକି କାହା ଜୀବନ ନେଇଗଲେ ବି ତାକୁ ଦୁଃଖ ହେବ ନାହିଁ, ଏପରି ସ୍ଥିତି ସୃଷ୍ଟି ହେବ। 

ଏଭଳି ବିକଟାଳ ସ୍ଥିତି ସୃଷ୍ଟି ହୋଇଛି। ତାକୁ ଶାନ୍ତି ମିଳୁ ନାହିଁ। ଏଥିରୁ ସେ ମୁକ୍ତିଲାଭ ପାଇଁ ବାଟ ଖୋଜୁଛି। ଜୀବନରେ ଏପରି କେଉଁ ମାର୍ଗ ଅଛି ଯିଏ ମଣିଷକୁ ପ୍ରକୃତ ସୁଖ ଓ ଶାନ୍ତି ଦେଇ ପାରିବ - ଏ ବିଷୟରେ ସେମାନେ ଗବେଷଣାରତ। 

Saturday, 8 February 2020

(୧୧)

*ଧର୍ମାତ୍ ଅର୍ଥଶ୍ଚ କାମଶ୍ଚ*

Alexis Carrel କହିଛନ୍ତି ଯେଉଁମାନଙ୍କୁ ବଡ଼ ବଡ଼ ବୈଜ୍ଞାନିକ, କଳାକାର, ଗବେଷକ ହେବାର ଅଛି ସେମାନଙ୍କୁ ନିଜର ବିଷୟ ସୁଖ ତ୍ୟାଗ କରିବାକୁ ହେବ। ଋଷରେ ମଧ୍ୟ ଯେଉଁ ବଡ଼ ବଡ଼ ମାନସିକ ପ୍ରୟୋଗ ହେଉଛି ସେମାନେ ତାଙ୍କ ସାଧକଙ୍କୁ ଶାକାହାରୀ ଭୋଜନ ଦେଉଛନ୍ତି। ସେମାନଙ୍କୁ ପଥ୍ୟ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଶରୀର ସୁଖ ବିଷୟରେ ସଂଯମିତ ରଖାଯାଉଛି। ଆମର ଏଠି ବଡ଼ ବଡ଼ ତପସ୍ୱୀମାନେ ଯେଉଁ ପ୍ରକାର ସଂଯମିତ ଜୀବନ ଯାପନ କରୁଥିଲେ ସେହିପରି ସେମାନେ ମଧ୍ୟ କଷ୍ଟ ସ୍ୱୀକାର କରୁଛନ୍ତି। ଅନ୍ତରୀକ୍ଷ ବିଜ୍ଞାନୀ ମାନଙ୍କୁ ମଧ୍ୟ କଠୋର ଅନୁଶାସନ ପାଳନ କରିବାକୁ ହୋଇଥାଏ। ଏହି ଅନୁଶାସନ ହିଁ ଧର୍ମ। ଧର୍ମ କାରଣରୁ ମଣିଷକୁ ସୁଖ ପ୍ରାପ୍ତ ହୁଏ। 

ଭଗବାନ ବେଦବ୍ୟାସ କହିଛନ୍ତି -

ଊର୍ଦ୍ଧ୍ଵବାହୁର୍ବିରୌମ୍ୟୈଷ ନ ଚ କଶ୍ଚିଚ୍ଛୃଣୋତି ମେ।
ଧର୍ମାତ୍ ଅର୍ଥସ୍ୟ କାମଶ୍ଚ ସ କିମର୍ଥ ନ ସେବ୍ୟତେ।।

ଅର୍ଥାତ୍ - ମୁଁ ହାତ ଉଠାଇ ରଡ଼ି ରଡ଼ି ଏତେ ବଡ଼ ପାଟିରେ କହୁଛି, ତଥାପି ମୋ କଥା କେହି ଶୁଣୁନ ?

ଧର୍ମ ଦ୍ୱାରା ହିଁ ଅର୍ଥ ଓ କାମ ପୁରୁଷାର୍ଥ ପ୍ରାପ୍ତ ହେବ। ଧର୍ମ ଅନୁସାରେ କାହିଁକି ଆଚରଣ କରୁ ନାହଁ ??

ତୁଚ୍ଛାରେ ଏଣେ ତେଣେ କାହିଁକି ବୁଲୁଛ ???

ଧର୍ମ ଅନୁସାରେ କାମ ଓ ଅର୍ଥ ଭୋଗ କର। ତେବେ ତୁମକୁ ସୁଖ ମିଳିବ ଓ ତୁମର ଆଧ୍ୟାତ୍ମିକ ଉନ୍ନତି ହେବ।

ଅତଏବ ଧର୍ମର ପରିପାଳନ ଉପରେ ଆମ ହିନ୍ଦୁଶାସ୍ତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ସାଧାରଣ ଜୀବନରେ ମଧ୍ୟ ଆମର ଅନୁଭବ ଏହିପରି। ମନେକର ଜଣେ ବ୍ୟକ୍ତି  ଜିଲାପି ଖାଇବାରେ ଆନନ୍ଦ ପାଆନ୍ତି, ସେ ଯଦି କେବଳ ଜିଲାପିରେ ପେଟଭରିବେ, ତେବେ କ'ଣ ହେବ ? ପେଟ ବିଗିଡ଼ି ଯିବ। ଦେହକୁ ଠିକ୍ କରିବା ପାଇଁ ମାସେ ଦୁଇମାସ ପଥ୍ୟ ପାଳନ କରିବାକୁ ହେବ। ଦାମିକିଆ ଔଷଧ ଖାଇବାକୁ ହେବ। ସାଧାରଣ ନିତ୍ୟ ଖାଦ୍ୟ ଖାଇ ହେବ ନାହିଁ। ଅର୍ଥାତ୍ ଦୁଇମାସ ପର୍ଯ୍ୟନ୍ତ ଦୁଃଖ ଭୋଗିବାକୁ ହେବ। 

ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ ଶରୀରର ଗୋଟିଏ ଧର୍ମ ଅଛି। ଏ ଶରୀର ଧର୍ମ କହୁଛି ଯେ ଅନେକ ସମୟରେ ଆମେ ରୁଚିକର ଖାଦ୍ୟ ଖାଇପାରିବା, କିନ୍ତୁ ଏହା ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବ। ସ୍ୱାସ୍ଥ୍ୟ ଖରାପ ହେଲେ ନିତ୍ୟ ଆହାର ବି ବର୍ଜନୀୟ ହୋଇଯିବ। ଏଣୁ ଶରୀର ପାଇଁ ସ୍ୱସ୍ଥ ଆହାର ନିତ୍ୟ ନିୟମିତ ଆବଶ୍ୟକ ପରିମାଣରେ ଖାଇବା ଉଚିତ। ଏହା ଦ୍ୱାରା ଶରୀର ସ୍ଵସ୍ଥ ରହିବ। ମଝିରେ ମଝିରେ ବିଶେଷ ରୁଚିର ଖାଦ୍ୟ ଖାଇବାର କ୍ଷମତା ମଧ୍ୟ ପ୍ରାପ୍ତ ହେବ। ସ୍ଵସ୍ଥ ଶରୀରର ଆନନ୍ଦ ବି ମିଳିବ। ଏହାକୁ କହନ୍ତି ଧର୍ମ। ଏଥିରେ ଅଛି ସଂଯମ ଓ ଅନୁଶାସନ।

ଶରୀର ଧର୍ମ ପାଳନ କରିବା ପରେ ବ୍ୟକ୍ତି ଆଉ ଗୋଟିଏ ପାଦ ଆଗକୁ ବଢ଼ି ଥାଏ। ବ୍ୟକ୍ତିର ସମ୍ବନ୍ଧ ପରିବାର ସହିତ ରହିଥାଏ।  ନିଜର ସ୍ୱାସ୍ଥ୍ୟ ପାଇଁ ଯେପରି ସଂଯମ ଆଚରଣ କରିବାକୁ ହେଉଛି ଠିକ୍ ସେହିପରି ପରିବାର ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ପଡ଼େ। ଭାବିବାକୁ ହୁଏ ପରିବାର ସୁଖରେ ମୋ ସୁଖ ରହିଛି। ଅର୍ଥାତ୍ ୱାନ୍ ଫର୍ ଅଲ୍ ଏଣ୍ଡ ଅଲ୍ ଫର୍ ୱାନ୍। ଏହାର ଅର୍ଥ ହେଲା ପରିବାରର ପ୍ରତ୍ୟକ ସଦସ୍ୟ ପରିବାର ପାଇଁ ଏବଂ ପରିବାର ମଧ୍ୟ ପ୍ରତ୍ୟେକ ସଦସ୍ୟ ପାଇଁ। ପରିବାରର ସୁଖରେ ମୋ ସୁଖ ରହିଛି। ଏହା ହିଁ ପରିବାର ଧର୍ମ। ଏଥିରେ ଅଛି ପିତୃଧର୍ମ, ମାତୃଧର୍ମ, ପତ୍ନୀଧର୍ମ, ପୁତ୍ରଧର୍ମ ଆଦି..। ଯଦି ସମସ୍ତେ ନିଜ ନିଜ ଧର୍ମ(କର୍ତ୍ତବ୍ୟ) ପାଳନ କରିବେ ତେବେ ପୂରା ପରିବାର ସୁଖୀ ରହିବ। ଯଦି ସମସ୍ତେ କେବଳ ନିଜ ନିଜର ସୁଖ କଥା ଚିନ୍ତା କରିବେ ତେବେ ସମସ୍ତଙ୍କ ସୁଖ ନଷ୍ଟ ହୋଇଯିବ। କେବଳ ସ୍ୱାର୍ଥ ଆଧାରରେ ଚିନ୍ତା କଲେ ପାଶ୍ଚାତ୍ୟ ଦେଶରେ ଯାହା ହେଉଛି ଏଠାରେ ସେହି ଅବସ୍ଥା ହେବ। ସେଠାରେ ତ ପତି ପତ୍ନୀ ବହୁତ ଦିନ ପର୍ଯ୍ୟନ୍ତ ସାଙ୍ଗରେ ରହି ପାରନ୍ତି ନାହିଁ। କିଛି ବର୍ଷ ସାଙ୍ଗରେ ରହିବା ପରେ ବିଚ୍ଛେଦ ହୋଇଯାଆନ୍ତି। ବହୁତ ଛୋଟ ଛୋଟ କାରଣକୁ ନେଇ ବିଚ୍ଛେଦ ହୋଇଥାଏ। ମା' ଓ ପିଲାଙ୍କ ସମ୍ବନ୍ଧ କେବଳ ଔପଚାରିକ ରହିଯାଏ। ଭାରତୀୟମାନଙ୍କୁ ସେଠାକାର ଲୋକେ ପଚାରିଥାନ୍ତି - ଆପଣ ପତି ପତ୍ନୀ ହୋଇ ରହିବାର କେତେ ବର୍ଷ ହେଲାଣି ? ଉତ୍ତର ଯେତେବେଳେ ମିଳେ ୨୦ ବର୍ଷ ୨୫ ବର୍ଷ, ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ଏଥିପାଇଁ ହିନ୍ଦୁ ପରିବାର ପ୍ରତି ସେମାନଙ୍କ ମନରେ ବଡ଼ ସମ୍ମାନର ଭାବ ଉତ୍ପନ୍ନ ହୋଇଥାଏ। ଏହା ହିଁ ହିନ୍ଦୁ ଜୀବନର ବିଶେଷତ୍ୱ। ଜନ୍ମ ସମୟରୁ ହିଁ ଧର୍ମ ଓ ସଂସ୍କୃତିର ସଂସ୍କାର କାରଣରୁ ସଂଯମ ଓ ଅନୁଶାସନ କାରଣରୁ ଏହା ସମ୍ଭବ ହୋଇପାରୁଛି। ବର୍ଷ ବର୍ଷ ଧରି ପରିବାର ଧର୍ମର ପରିପାଳନ ହେତୁ ବିଦେଶରେ ମଧ୍ୟ ଆମର ହିନ୍ଦୁ ବନ୍ଧୁମାନେ ଏହି ଆଦର୍ଶ ସେଠାରେ ମଧ୍ୟ ପ୍ରସ୍ଥାପିତ କରିପାରିଛନ୍ତି। ଯାହାକୁ ଦେଖି ସେଠିକାର ଅଧିବାସୀ ମଧ୍ୟ ପ୍ରଭାବିତ ହେଉଛନ୍ତି।

ଆଜିକାଲି ବିଦେଶରେ ଯେଉଁ ବଡ଼ ବଡ଼ ହିନ୍ଦୁ ସମ୍ମିଳନୀ ହେଉଛି, ସେଥିରେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉ ନାହିଁ। ଦଶ ଦଶ ହଜାର କାର୍, ହଜାରେ ବସ ସମ୍ମିଳନୀ ସ୍ଥାନକୁ ଆସୁଛି। ଲକ୍ଷେ ଲୋକଙ୍କର ସମାଗମ ହେଉଛି। ତଥାପି ଗୋଟିଏ ବି ଦୁର୍ଘଟଣା ହେଉ ନାହିଁ। କିଛି ଅବ୍ୟବସ୍ଥା ହେଉ ନାହିଁ। ସବୁ କିଛି ଶାନ୍ତିରେ ଅନୁଶାସନବଦ୍ଧ ଢଙ୍ଗରେ ହୋଇଯାଉଛି। ପୋଲିସ ନିରବ ଦ୍ରଷ୍ଟା ସାଜୁଛି। ଅର୍ଥାତ୍ ପୋଲିସର ସେଠି କିଛି କାମ ଆବଶ୍ୟକ ହେଉ ନାହିଁ। ଅପର ପକ୍ଷରେ ସେଠିକାର ସ୍ଥାନୀୟ ଅଧିବାସୀଙ୍କର କେତେ ହଜାର ଲୋକ ଏକତ୍ରିତ ହେବାକୁ ଥିଲେ ପୋଲିସକୁ ଆଗରୁ ସତର୍କ ରହିବାକୁ ପଡୁଛି। ସଭା ସରିବା ଯାଏ ପୋଲିସ ଲୋକଙ୍କ ଗଣ୍ଡଗୋଳ ସୁଧାରିବାରେ ପଡ଼ି ଉଠି ଲାଗିରହୁଛି। ବିନା ପୋଲିସରେ ବଡ଼ ସଭା ହେବା ସମ୍ଭବ ନୁହଁ। ଏହାକୁ ନେଇ ସ୍ଥାନୀୟ ଖବରକାଗଜରେ ତୁଳନାତ୍ମକ ଭାବେ ହିନ୍ଦୁସଭା ତଥା ହିନ୍ଦୁ ସଂସ୍କୃତିର ଗୁଣଗାନ କରାଯାଇଥାଏ।

Friday, 7 February 2020

(୧୦)

*ହୃଦିକନ୍ଦର ତାମସ ଭାସ୍କର ହେ*

ମୃଗର ନିଜ ଶରୀରରେ କସ୍ତୁରୀ ଥିବା ଭଳି ମଣିଷ ଭିତରେ ସୁଖ ରହିଛି। ମନ ଶାନ୍ତ ଥିଲେ ସୁଖ ମିଳେ। ସୃଜନଶୀଳ ଅବସ୍ଥା ପ୍ରାପ୍ତ ହୁଏ। ମନ ଯେତେବେଳେ ପୂର୍ଣ୍ଣ ଶାନ୍ତ ହୋଇଯାଏ ସେତେବେଳେ ସେ ଆତ୍ମାର ସ୍ୱରୂପ ପ୍ରାପ୍ତ କରେ। ଆତ୍ମା ତ ଜ୍ଞାନର ଭଣ୍ଡାର। ମଣିଷ ଯାହା କିଛି ଚାହୁଁଛି ସବୁ ସେଇଠୁ ପ୍ରାପ୍ତ ହୋଇଥାଏ। ଆଇନଷ୍ଟାଇନଙ୍କ ଭଳି ବଡ଼ ବଡ଼ ବୈଜ୍ଞାନିକ ମଧ୍ୟ ଏହା ସ୍ୱୀକାର କରି କହିଛନ୍ତି ଯେ କେବଳ ବୁଦ୍ଧି ଦ୍ୱାରା ଆମେ ଏ ସମସ୍ତ ଆବିଷ୍କାର କରି ନାହୁଁ। Intuition ଦ୍ୱାରା ଅର୍ଥାତ୍ ବୁଦ୍ଧି ବାହାରେ ଯେଉଁ ଅତିନ୍ଦ୍ରିୟ ବା ଏପରି କୌଣସି ଆନ୍ତରିକ ଚେତନା ବା ପ୍ରଜ୍ଞାର ଜାଗରଣ ଦ୍ୱାରା ଆମ ମସ୍ତିଷ୍କରୁ ଏ ସବୁ ବାହାରିଛି। ଆଧୁନିକ ବଡ଼ ବଡ଼ ବୈଜ୍ଞାନିକ, ଜୀଵ ବିଜ୍ଞାନୀ, କଳାକାର, ସମସ୍ତଙ୍କ କହିବା କଥା ହେଲା ଯେ କେଉଁଠୁ ଏ ପ୍ରକାଶ ଆସୁଛି, ଏ କଥା ଆମକୁ ଜଣା ନାହିଁ। କେବେ କେବେ ଗଭୀର ନିଦ୍ରା ପରେ ଏହା ଆସିଯାଏ। କେବେ ମନ ଶାନ୍ତ ଥିଲେ ତ ତୁରନ୍ତ ଆସିଯାଏ। 
ଏ କଥା କେବଳ ବୈଜ୍ଞାନିକ ମାନଙ୍କ କ୍ଷେତ୍ରରେ ଘଟେ ଏପରି ନୁହେଁ, ସାଧାରଣ ବ୍ୟକ୍ତିଙ୍କର ବି ଏଇ ଅନୁଭବ ରହିଛି। ବେଳେବେଳେ ଆମେ ଆମର କିଛି ପରିଚିତ ବ୍ୟକ୍ତିଙ୍କ ନାଁ ଭୁଲିଯାଉ। ଅନେକ ଜାଣିଥିବା କଥା ଭୁଲିଯାଉ। ପରେ ଆମେ ଗଭୀର ନିଦ୍ରାରୁ ଉଠିବା ସମୟରେ ସେ ବ୍ୟକ୍ତି ଓ କେତେବେଳେ ସେ କଥା ସବୁ ଆମ ସ୍ମରଣକୁ ଆସିଯାଇଥାଏ। କାହିଁକି ଏପରି ଘଟେ ? ଏହାର କାରଣ ହେଲା ଗଭୀର ନିଦ୍ରାରେ ମନ ବହୁ ପରିମାଣରେ ଶାନ୍ତ ହୋଇଯାଇଥାଏ।

ବେଳେବେଳେ ନିଦରେ ମଧ୍ୟ ଭଲ ବିଚାର ଆସେ। ଆମେ ସମସ୍ତେ ଜାଣିଛୁ Marie Curie ରେଡ଼ିୟମ ଆବିଷ୍କାର କରିଥିଲେ। ଏଥିପାଇଁ ସେ ଅନେକ ପ୍ରୟୋଗ କରିଛନ୍ତି। ଅନେକ ରାତି ଅନିଦ୍ରା ହୋଇଛନ୍ତି। ହଠାତ୍ ଦିନେ ସକାଳୁ ଉଠି ସେ ତାଙ୍କ ଟେବୁଲ ଉପରେ ଗୋଟିଏ ଲେଖା ଦେଖି ଆଶ୍ଚର୍ଯ୍ୟ ହେଲେ। ସେ ଯାହା ଯାହା ଖୋଜୁଥିଲେ ସେହି ବିଷୟ ସବୁ ଟେବୁଲ ଉପରେ  ଲେଖାହୋଇ ରହିଛି । ବହୁ ଦିନରୁ ସେ ଯାହାକୁ ଖୋଜୁଥିଲେ, ଯାହାକୁ ପାଇବା ପାଇଁ ବ୍ୟାକୁଳ ହେଉଥିଲେ, ଯେଉଁ ସବୁ ସୂତ୍ର ତାଙ୍କୁ ମିଳୁ ନ ଥିଲା, ସେହି ସୂତ୍ର ସବୁ ସେ କାଗଜରେ ଲେଖାଯାଇଥିଲା। ସେ ଯେତେବେଳେ ଭଲ ଭାବରେ ଦେଖିଲେ ଏ ଅକ୍ଷର ଆଉ କାହାର ନୁହେଁ,  ଏହା ତାଙ୍କ ନିଜ ଅକ୍ଷର, ସେତେବେଳେ ସେ ଭାବିବାକୁ ଲାଗିଲେ ଯେ ରାତିରେ ମୁଁ କେତେବେଳେ ଉଠିଲି ? କେତେବେଳେ ମୁଁ ଏ ସବୁ ଲେଖିଲି ?? ପ୍ରକୃତରେ ସେ ସେଦିନ ରାତିରେ ଉଠିପଡ଼ିଥିଲେ ଓ ସବୁ ଲେଖିଦେଇ ପୁଣି ଶୋଇ ପଡ଼ିଥିଲେ। କିନ୍ତୁ ଏ କଥା ତାଙ୍କ ସ୍ମରଣକୁ ଆସୁ ନ ଥାଏ। ଏଥିରୁ ଜଣାପଡୁଛି ମନ ଯେତେବେଳେ ଶାନ୍ତ ଥାଏ ତା ଭିତରେ ପ୍ରଚଣ୍ଡ ସୃଜନ କ୍ଷମତା ଥାଏ। ସୁଖ ଥାଏ। ସାରା ଜ୍ଞାନର ଗନ୍ତାଘର ତା ଭିତରେ ଥାଏ। ଏଥିପାଇଁ ଯିଏ ବି ଜୀବନରେ କିଛି ନା କିଛି ଆବିଷ୍କାର କରିଛନ୍ତି ସେ ସବୁ ଏହି ସ୍ଥିତିରେ କରିଛନ୍ତି।  ଏହି ସୃଜନ ବିଷୟରେ ପଚାରିଲେ ସେମାନେ କୁହନ୍ତି ଏହା ଈଶ୍ୱରଙ୍କ ଦାନ। ପ୍ରାର୍ଥନାରେ ଆମେ ମଧ୍ୟ କହିଥାଉଁ "ହୃଦି କନ୍ଦର ତାମସ ଭାସ୍କର ହେ।" ପ୍ରକୃତରେ ଏହା କୌଣସି ଶୁଷ୍କ ତାତ୍ତ୍ଵିକ କଥା ନୁହଁ ବରଂ ପ୍ରତ୍ୟକ୍ଷ ବୈଜ୍ଞାନିକ ଅନୁଭବ ଅଟେ।

ଏଥିରୁ ଏହା ସ୍ପଷ୍ଟ ଯେ ବ୍ୟକ୍ତି ଜୀବନରେ ଯଦି ସୁଖ ଆବଶ୍ୟକ, ଯଦି ସେ ତାଙ୍କର ସୃଜନଶୀଳତା ବା କର୍ତ୍ତୃତ୍ୱର ବିକାଶ ହେବା ଚାହୁଁଥିବେ, ଯଦି ସେ ସମସ୍ତ ପ୍ରକାର ଜ୍ଞାନର ଆବିଷ୍କାର କରିବାକୁ ଇଚ୍ଛୁକ ତେବେ ନିଜର ମୂଳକୁ ଯିବାକୁ ପଡ଼ିବ। ଆତ୍ମ ସାକ୍ଷାତ୍କାର କରିବାକୁ ହେବ। ଏଥିପାଇଁ ତାଙ୍କୁ ଧର୍ମ ମାର୍ଗରେ ହିଁ ଚାଲିବାକୁ ହେବ।

Thursday, 6 February 2020

(୯)

*ଅଶାନ୍ତସ୍ୟ କୁତଃ ସୁଖମ୍ ?*

ଆତ୍ମା ଓ ପରମାତ୍ମା ସହିତ ଆନ୍ତରିକ ସମନ୍ଵୟର ଯେଉଁ ମୂଳ ସୂତ୍ର ରହିଛି, ତାହା ହେଉଛି ଧର୍ମ। ବ୍ୟକ୍ତିଗତ ଧର୍ମରେ ବ୍ୟକ୍ତିଗତ ଆନ୍ତରିକ ସାମଞ୍ଜସ୍ୟ ପାଇଁ ଆମ ଶାସ୍ତ୍ରରେ ଅନେକ ପ୍ରକାର ମାର୍ଗ ବିଷୟରେ କୁହାଯାଇଛି। ଭକ୍ତିଯୋଗ, ଜ୍ଞାନଯୋଗ, ରାଜଯୋଗ, କର୍ମଯୋଗ ଆଦି...। ଯୋଗ ମାନେ ଯୋଡ଼ିବା। ଏଠି ଆମେ କାହା ସହିତ କାହାକୁ ଯୋଡ଼ିବା ? ନିଜ କର୍ମକୁ, ନିଜ ଭାବନାକୁ ଓ ନିଜ ବିଚାରକୁ ପରମାତ୍ମାଙ୍କ ସହ ଯୋଡ଼ିବା।

ଏଥିପାଇଁ ଆମେ ଯୋଗାସନ କରନ୍ତି। ଏହା କେବଳ ଆସନ ମାତ୍ର ନୁହେଁ। ଏହି ଆସନରେ ଶାରୀରିକ କ୍ରିୟା କରିବା ସମୟରେ ମନର ସମ୍ବେଦନା ଏହା ସହିତ ଜଡ଼ିତ ହୁଏ। ଏହି ସମୟରେ ଶରୀରରେ ଅନେକ ପ୍ରକାରର ସ୍ପନ୍ଦନ ଚାଲିଥାଏ। ତା ସହ ବୁଦ୍ଧି ଓ ମନ ମଧ୍ୟ ସମରସ ହୋଇଯାଏ। ଏ ସମୟରେ ସାକ୍ଷୀ ଭାବ ରଖିବାକୁ ହୁଏ।
ଏହିପରି ମଧ୍ୟ ଭଗବାନ ବୁଦ୍ଧଙ୍କର ଧ୍ୟାନ ମାର୍ଗ 'ବିପଶନା'। ଏଥିରେ ପରମାତ୍ମାଙ୍କ ନାମ ତ ନିଆଯାଏ ନାହିଁ, କିନ୍ତୁ ତାଙ୍କ ସହ ଯୁକ୍ତ ହେବାର ଏହା ଏକ ରାଜମାର୍ଗ ଅଟେ। ଏହା ମଧ୍ୟ ସାଧନା ଓ ଧ୍ୟାନର ଏକ ମାର୍ଗ। ସବୁ ଧ୍ୟାନର, ସବୁ ଯୋଗର ସୂତ୍ର ହେଲା ନିଜ ଭିତରେ ଥିବା ଆତ୍ମା ସହ ସବୁ କ୍ରିୟାକୁ ଯୋଡ଼ିବା।

ନିଜ ଭିତରେ ସୁଖର ଓ ଶାନ୍ତିର ଯେଉଁ ଧାମ ଅଛି ତା ସହ ଯଦି ଆମେ ନିଜକୁ ଯୋଡ଼ିବା ନାହିଁ ତେବେ ଜୀବନରେ ଶାନ୍ତି କିପରି ଆସିବ ? ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ସ୍ଥିତି ସୃଷ୍ଟି ହୋଇଛି। ସେଠାରେ କାମ ଓ ଅର୍ଥର ସଂସାର ଚାଲିଛି। ଏହା କାହାରି ନିୟନ୍ତ୍ରଣରେ ନାହିଁ। ଏଥିପାଇଁ ସେଠାରେ ସବୁ ପ୍ରକାର ସମୃଦ୍ଧି ଥିବା ସତ୍ତ୍ୱେ ଶାନ୍ତି ନାହିଁ।

ଆମେରିକା ପ୍ରବାସରେ ଯାଇଥିବା ଜଣେ ଭାରତୀୟ ତାଙ୍କ ଅନୁଭୂତି ଶୁଣାଉଥିଲେ।  ସେ କହିଲେ ମୁଁ ମୋର ଜଣେ ବନ୍ଧୁଙ୍କ ଘରେ  ରହିଥିଲି। ବନ୍ଧୁ ଭାରତୀୟ ଥିବାବେଳେ ବନ୍ଧୁଙ୍କ ପତ୍ନୀ ଥିଲେ ଆମେରିକୀୟ। ବହୁତ ବଡ଼ ସମ୍ଭ୍ରାନ୍ତ ପରିବାର। ପତ୍ନୀ ବି ସୁଶିକ୍ଷିତା। ଏମାନେ କିପରି ଅଛନ୍ତି ଜାଣିବା ପାଇଁ ମୁଁ ଉତ୍ସୁକ ଥିଲି। ତାଙ୍କ ସହ କଥୋପକଥନ ସମୟରେ ମୁଁ କହିଲି ଏଠାରେ ଲାଗୁଛି ସତେ ଯେପରି ସ୍ୱର୍ଗ ପୃଥିବୀକୁ ଓଲ୍ହାଇ ଆସିଛି। ଏଠାରେ ଏତେ ସମୃଦ୍ଧି, ଏତେ ସୁଖ ସାଧନ, ସବୁ କିଛି ତ ଏଠାରେ ହାତ ପାଆନ୍ତାରେ ମିଳିଯାଉଛି। ତେଣୁ ପ୍ରକୃତରେ ଆପଣମାନେ ବହୁତ ସୁଖରେ ଥିବେ ! ସେ ମହିଳା କହିଲେ - ଉପରେ ଉପରେ ଏ ସବୁ ସୁନ୍ଦର। କିନ୍ତୁ ଭିତରେ ତ ଦୁଃଖଭରା ଜୀବନ। ମନ ଏଠି ଏତେ ଅଶାନ୍ତ ଯେ, ଆମଠୁ ନିମ୍ନ ମଧ୍ୟ ବର୍ଗ ଅଧିକ ସୁଖରେ ଅଛନ୍ତି। ଏଠାରେ ଛୋଟ ପିଲାଟିଏ ମଧ୍ୟ ଶାନ୍ତିରେ ରହି ପାରୁ ନାହିଁ। ସେ କହୁଛି ମମି ଆଇ ଆମ ବୋର୍। ମନ ଉଦାସ, ନିଦ ହେବା ପାଇଁ ବଟିକା ଖାଇବାକୁ ପଡୁଛି। ବହୁତ ଖର୍ଚ୍ଚ କରିବାକୁ ପଡୁଛି, କିନ୍ତୁ ଶାନ୍ତି କାହିଁ ? ବେଳେ ବେଳେ ଲୋକେ ଆତ୍ମହତ୍ୟା କରିଦେଉଛନ୍ତି।

ଏହି ଅନୁଭୂତି ଶୁଣିବା ପରେ ଲାଗୁଛି ଏତେ ପ୍ରାଚୁର୍ଯ୍ୟ ଭିତରେ କ'ଣ ଗୋଟିଏ ଅଭାବ ରହିଗଲା। ସେଇ ଅଭାବ ହେଉଛି ମନରେ ଶାନ୍ତିର ଅଭାବ। ବାହ୍ୟ ବସ୍ତୁର ପ୍ରାବଲ୍ୟ ମଧ୍ୟ ସୁଖ ଦେଇପାରୁ ନାହିଁ। କାହାରି ମନରେ ଶାନ୍ତି ନାହିଁ। ଗୀତାରେ କୁହାଯାଇଥିବା ସେହି ବାକ୍ୟ "ଅଶାନ୍ତସ୍ୟ କୁତଃ ସୁଖମ୍" ସେଠାରେ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି।

Wednesday, 5 February 2020

(୮)

*'କାମ' ମଧ୍ୟ ଏକ ପୁରୁଷାର୍ଥ*

ଜଣେ ବୁଦ୍ଧିମାନ ଯୁବକ ପ୍ରଶ୍ନ କଲେ ଯେ ଆମର ହିନ୍ଦୁ ଧର୍ମଶାସ୍ତ୍ରରେ କାମ, କ୍ରୋଧ, ମତ୍ସର ଆଦିକୁ ମଣିଷର ଶତ୍ରୁ ବୋଲି କୁହାଯାଏ। ପୁଣି କେତେକ ଜାଗାରେ 'କାମ'କୁ ପୁରୁଷାର୍ଥ ବୋଲି କୁହାଯାଇଛି। ଗୋଟିଏ ଜାଗାରେ ପ୍ରଶଂସା କରାଯାଇଥିବା ବେଳେ ଆଉ ଗୋଟିଏ ଜାଗାରେ ନିନ୍ଦା କରାଯାଇଛି। ଆମ ଧର୍ମଶାସ୍ତ୍ରରେ ଏଭଳି ଦ୍ୱନ୍ଦ୍ୱ କାହିଁକି ?
ଏହା ଭିତରୁ ସତ୍ୟ କେଉଁଟି ?

ପ୍ରକୃତରେ ଦୁଇଟିଯାକ କଥା ସତ୍ୟ। ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ଏ ଦୁଇଟି ଭିତରେ ଥିବା ଅନ୍ତର ମଧ୍ୟ ବଡ଼ ସ୍ପଷ୍ଟ ଭାବେ ଦିଆଯାଇଛି।

ଯେତେବେଳେ 'କାମ' ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ଉଚ୍ଛୃଙ୍ଖଳ ହୋଇଯାଏ, ତା' ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହୁଏ ନାହିଁ ସେତେବେଳେ ଏହା ଶତ୍ରୁ ହୋଇଯାଏ।

କିନ୍ତୁ ଯେତେବେଳେ ଏହା 'ଧର୍ମ' ଓ 'ମୋକ୍ଷ'ର ମଧ୍ୟବର୍ତ୍ତୀ ସ୍ଥାନରେ ଥାଏ ସେତେବେଳେ ଏହା ମଣିଷ ପାଇଁ ଉପକାରୀ ପୁରୁଷାର୍ଥ ହୋଇଯାଏ। 

ଯେପରି ଏକ ଘୋଡ଼ା ଉପରେ ଜଣେ ନୂଆ ମଣିଷକୁ ବସାଇ ଦେଲେ ସେ ନାଚି କୁଦି ତାକୁ କଚାଡ଼ି ଦିଏ। ନୂଆ ମଣିଷର ହାଡ଼ ଗୋଡ଼ ଭାଙ୍ଗିଯାଏ। କିନ୍ତୁ ସେହି ଘୋଡ଼ାକୁ ଠିକ୍ ଭାବେ ପ୍ରଶିକ୍ଷିତ କରି ତାକୁ ନିୟନ୍ତ୍ରଣରେ ରଖିପାରୁଥିବା ମଣିଷ ଯେତେବେଳେ ତା' ଉପରେ ବସେ ସେ ଯୁଦ୍ଧ ଜିତାଇ ଦିଏ। ଅର୍ଥାତ୍ ହାଡ଼ ଗୋଡ଼ ଭାଙ୍ଗିଦେଉଥିବା ଶତ୍ରୁରୂପୀ ସେହି ଘୋଡ଼ା ଏବେ ମଣିଷର ପ୍ରବଳ ସହଯୋଗୀ ସାଧନ ବା ପୁରୁଷାର୍ଥ ହୋଇଯାଏ।

ଏଥିରୁ ବୁଝାପଡୁଛି ଯେ 'କାମ' ପୁରୁଷାର୍ଥ ଖରାପ ନୁହେଁ। କିନ୍ତୁ ଏହାକୁ 'ଧର୍ମ' ଓ 'ମୋକ୍ଷ' ମଝିରେ ରଖିବାକୁ ପଡ଼େ।

ଭଗବତ୍ ଗୀତାରେ ମଧ୍ୟ କୁହାଯାଇଛି -
ବଳଂ ବଳବତାଂ ଚାହଂ କାମରାଗ ବିବର୍ଜିତମ୍।
ଧର୍ମୋ ବିରୁଦ୍ଧୋ ଭୂତେଷୁ କାମୋସ୍ମି ଭରତର୍ଷଭ।।

ଅର୍ଥାତ୍ - ମୁଁ ହେଉଛି ବଳବାନମାନଙ୍କ କାମନା ତଥା ଇଚ୍ଛା ରହିତ ବଳ। ହେ ଭାରତ ଶ୍ରେଷ୍ଠ ଅର୍ଜୁନ ! ମୁଁ ହେଉଛି ସେହି 'କାମ' ଯାହା 'ଧର୍ମ'ର ବିରୋଧରେ ଯାଏ ନାହିଁ।

ଅର୍ଥାତ୍ - 'କାମ' ହେଉଛି ଭଗବାନଙ୍କ ଅଂଶ। ଏ କଥା ଭଗବାନ ନିଜେ କହିଛନ୍ତି। ତେଣୁ 'କାମ' ରେ ପୁରୁଷାର୍ଥ  ହେବାର ବା ସାଧନ ହେବାର ପ୍ରଚଣ୍ଡ କ୍ଷମତା ଅଛି। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଏହା ଧର୍ମ ଓ ମୋକ୍ଷର ମଧ୍ୟବର୍ତ୍ତୀ ସ୍ଥାନରେ ରହିବ। ଯେଭଳି ଗୋଟିଏ ନଦୀ ଦୁଇ କୂଳର ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରବାହିତ ହୋଇଥାଏ। କୂଳ ଲଙ୍ଘିଲେ ଏହା ସୃଷ୍ଟିର ବିନାଶ କରିଥାଏ। ନିଜେ ମଧ୍ୟ ନଷ୍ଟ ହୋଇଯାଇଥାଏ। ନିଜେ ନିଜର ଲକ୍ଷ୍ୟ ପୂରଣ କରିପାରେ ନାହିଁ। ଅର୍ଥାତ୍ ସମୁଦ୍ରରେ ମିଶି ପାରେ ନାହିଁ। କିନ୍ତୁ ଏହି ନଦୀ ଯେତେବେଳେ ଦୁଇ କୂଳର ମଝିରେ ପ୍ରବାହିତ ହେଉଥାଏ ସେତେବେଳେ ସେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଏ ଏବଂ ସୃଷ୍ଟିପାଇଁ ବରଦାନ ସିଦ୍ଧ ହୋଇଥାଏ। 

ସେହିପରି କାମ ଓ ଅର୍ଥ ଦୁଇଟିଯାକ ପୁରୁଷାର୍ଥ ମଣିଷ ପାଇଁ ପ୍ରଚଣ୍ଡ ପ୍ରବାହ ସଦୃଶ। ଏହା ଭିତରେ ପ୍ରଚଣ୍ଡ ଶକ୍ତି ରହିଛି। ମଣିଷକୁ ଏହା ଅଦ୍ଭୁତ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ। କିନ୍ତୁ ଏହି ପ୍ରଚଣ୍ଡ ଶକ୍ତି ଅନିୟନ୍ତ୍ରିତ ହୋଇଗଲେ ଏହା ସମାଜର ପ୍ରଭୁତ କ୍ଷତି କରେ। ପାଶ୍ଚାତ୍ୟ ସମାଜରେ ଯାହା ଆଜି ଆମ ଆଖି ଆଗରେ ଘଟିଯାଉଛି, ଏବେ ଏବେ ପାଶ୍ଚାତ୍ୟ ବୁଦ୍ଧିରେ ପାଳିତ ଲୋକେ ଆମ ଦେଶରେ ଯାହା ଘଟାଇଲେ ସେ ସବୁର କାରଣ ହେଲା ସେମାନଙ୍କର ଏହି ଦୁଇଟିଯାକ ପୁରୁଷାର୍ଥ ଅନିୟନ୍ତ୍ରିତ ହୋଇ ବିନାଶର କାରଣ ସାଜିଛି।

Tuesday, 4 February 2020

(୭)

*ଧର୍ମ - ପରମାତ୍ମାଙ୍କୁ ପାଇବାର ରାଜମାର୍ଗ*

ଆତ୍ମାର ମୂଳ ସ୍ୱରୂପ ହେଉଛି ସଚ୍ଚିଦାନନ୍ଦ। ଏହା ହିଁ ବ୍ୟକ୍ତିକୁ ସୁଖ ଦେଇଥାଏ। ଆତ୍ମ ବିସ୍ମୃତି ହିଁ ଦୁଃଖର କାରଣ। ଏହି ପରମ ତତ୍ତ୍ୱର ଦର୍ଶନ ଦ୍ୱାରା ଦୁଃଖ ଦୂର ହୁଏ। ଆତ୍ମ ଦର୍ଶନରେ ବାଧା ନିର୍ମାଣ କରୁଥିବା କାରଣ ସବୁକୁ ଦୂର କରିବାକୁ ହେବ। ଆତ୍ମ ସୂର୍ଯ୍ୟକୁ ଢାଙ୍କି ଦେଇଥିବା କଳାପରଦାକୁ ବାହାର କରିଦେବାକୁ ପଡ଼ିବ। ବ୍ୟକ୍ତିକୁ ପରମ ସୁଖ ଦେଉଥିବା ପରମାତ୍ମା ଆତ୍ମା ରୂପେ ନିଜ ଶରୀର ଭିତରେ ବିଦ୍ୟମାନ। ଏହାକୁ ବାହାରେ ନୁହେଁ ନିଜ ଭିତରେ ହିଁ ଖୋଜିବାକୁ ହେବ।

ରମଣ ମହର୍ଷି ଏହାକୁ ବୁଝାଇବାକୁ ଯାଇ ଏକ ସୁନ୍ଦର ଉଦାହରଣ ଦେଉଥିଲେ।
ଦିନେ ଜଣେ ପଥିକ ଦୀର୍ଘ ପଥ ଚାଲି ଚାଲି ଥକି ପଡ଼ିଥିଲା। ଥକା ମେଣ୍ଟେଇବା ପାଇଁ ସେ ଗୋଟିଏ ଗଛ ମୂଳରେ ଯାଇ ବିଶ୍ରାମ ନେଲା। ଗଛର ଛାଇ ଓ ଥଣ୍ଡା ପବନ କାରଣରୁ ତାକୁ ଟିକେ ଶୋଇଯିବାକୁ ଇଚ୍ଛା ହେଲା। ବହୁତ ଥକି ଯାଇଥିବାରୁ ତାକୁ ସଙ୍ଗେ ସଙ୍ଗେ ନିଦ ହୋଇଗଲା। ନିଦରେ ସେ ଗୋଟିଏ ସ୍ୱପ୍ନ ଦେଖିଲା। 

ସ୍ୱପ୍ନରେ ତାକୁ ଅନୁଭବ ହେଉଛି ଯେ ଭୀଷଣ ତାତି। ସେ ମରୁଭୂମିରେ ଚାଲିଛି। ଆଗ ପଛ ଚତୁର୍ଦିଗ ଖାଲି ବାଲୁକାମୟ। କେଉଁଠି ହେଲେ ଗୋଟେ ବୃକ୍ଷ ଦେଖାଯାଉ ନାହିଁ। ପାଣି ବି କେଉଁଠି ନାହିଁ। ଭୋକ ଓ ଶୋଷରେ ସେ ଆଉଟ ପାଉଟ ହେଲା। ଏପରିକି ତା'ର ମୃତ୍ୟୁ ସମୟ ଆସିଗଲା। ଏତିକିବେଳେ ସେ ଖୁବ୍ ଜୋରରେ ଚିତ୍କାର କଲା। ଏଇ ଚିତ୍କାର ଦ୍ୱାରା ତା'ର ନିଦ ଭାଙ୍ଗିଗଲା। ସେ ଦେଖିଲା ଯେ ଗଛ ମୂଳର ଛାଇରେ ସେ କେତେ ଆନନ୍ଦରେ ଶୋଇଛି। ଟିକେ ଦୂରରେ ସ୍ୱଚ୍ଛ ଜଳ ଦେଖାଯାଉଛି। କଡ଼ରେ ଖାଇବା ପାଇଁ ମଧ୍ୟ ଅନେକ ଫଳ ଗଛ ଅଛି। କିନ୍ତୁ ଏତେ ସମୟ ସେ ଥିଲା କେଉଁଠି ? ଅଜ୍ଞାନବଶତଃ ସେ ବୋଧହୁଏ କେଉଁଠି ବୁଲୁଥିଲା। ସବୁ କିଛି ତ ତା' ପାଖରେ ଥିଲା। 

ରମଣ ମହର୍ଷି କହିଲେ, ଏହିପରି ଅଜ୍ଞାନବଶତଃ ସ୍ୱପ୍ନବଶତଃ ଆମେ ଏଣେ ତେଣେ ବୁଲୁଥାଉ। ସେଥିରୁ ଆମେ ମୁକ୍ତି ପାଇବା ଉଚିତ। 

ଏବେ ପ୍ରଶ୍ନ ଉଠୁଛି ଯେ କେଉଁ କେଉଁ ପରିସ୍ଥିତିରେ ଆମ ଭିତରେ ଥିବା ଆତ୍ମସ୍ୱରୂପକୁ ଭୁଲିଯିବାର ସମ୍ଭାବନା ଦେଖାଦେଇଥାଏ ? ଟିକେ ଶାନ୍ତ ଚିତ୍ତରେ ବିଚାର କଲେ ଆମେ ଜାଣିପାରିବା ଯେ ଏହି ପ୍ରକାର ସ୍ଥିତି ସାଧାରଣତଃ ଚାରି ପ୍ରକାର ସମ୍ବନ୍ଧ ଦ୍ୱାରା ଉପୁଜିଥାଏ । 
ବ୍ୟକ୍ତିଗତ ସ୍ତରରେ ଯଦି ବ୍ୟକ୍ତି ନିଜ ଶରୀର, ମନ, ବୁଦ୍ଧି ଓ ଆତ୍ମା ଭିତରୁ ମୁଖ୍ୟତଃ ଆତ୍ମା ସହ ସାମଞ୍ଜସ୍ୟ ରକ୍ଷା କରି ଚାଲିବ ତେବେ ସୁଖରେ ରହିବ। ତା' ଭିତରେ କୌଣସି ପ୍ରକାର ସଂଘର୍ଷପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବ ନାହିଁ। ଯଦି ମନ, ବୁଦ୍ଧି ଓ ଶରୀର ସବୁ ଅଲଗା ଅଲଗା ଦିଗରେ ଚାଲିବେ ତେବେ ସଂଘର୍ଷ ନିଶ୍ଚିତ ହେବ। ଅଶାନ୍ତି ସୃଷ୍ଟି ହେବ। ନିଜ ଭିତରେ ଥିବା ସୁଖ ଶାନ୍ତି ସବୁ ନଷ୍ଟ ହୋଇଯିବ। ଅଶାନ୍ତ ସ୍ଥିତିରେ ନିଜ ସ୍ୱରୂପ ନିଜେ ଦେଖିବା ମଧ୍ୟ ଅସମ୍ଭବ ହୋଇପଡ଼ିବ। ଯେପରି କୂଅ ପାଣି ଗୋଳିଆ ହୋଇଗଲେ ତଳେ ପଡ଼ିଥିବା ପଦାର୍ଥ ଦେଖାଯାଏ ନାହିଁ, କିନ୍ତୁ ସ୍ଥିର ସ୍ୱଚ୍ଛ ପାଣିରେ ସବୁ ଦେଖାଯାଇଥାଏ। ଆମ  ମନର ସ୍ଥିତି ଠିକ୍ ସେହିପରି। ଯଦି ଶରୀର, ମନ ବୁଦ୍ଧି ଏ ତିନିହେଁ ଆତ୍ମା ସହିତ ମିଶି  ଜଣେ ଅନ୍ୟ ସହିତ ସମନ୍ୱୟ ରକ୍ଷା କରି ଚାଲନ୍ତି ତେବେ ଶାନ୍ତି ମିଳେ। ଚିତ୍ତ ଶାନ୍ତ ଥିଲେ ମୂଳ ଆତ୍ମତତ୍ତ୍ୱ ଜାଗୃତ ହୋଇଥାଏ। ସେଥିରୁ ହିଁ ବ୍ୟକ୍ତିକୁ ଶାନ୍ତି ମିଳେ। ଆମେ ଆମର ସମସ୍ତ ମନ୍ତ୍ରର ଶେଷରେ ଶାନ୍ତି ଶାନ୍ତି କହିଥାଉ। ପ୍ରକୃତରେ ସାରା ସୃଷ୍ଟିରେ ଆମେ ଶାନ୍ତି ଚାହୁଁଛୁ। କାରଣ  ଆମେ ଦେଖୁଛୁ ଯେଉଁଠି ସଂଘର୍ଷ ଚାଲିଛି ସେଠି ଶାନ୍ତି ନାହିଁ, ସୁଖ ନାହିଁ।

ସାଧାରଣତଃ ବ୍ୟକ୍ତିକୁ ପ୍ରଥମେ ନିଜ ଭିତରେ ଶାନ୍ତି ସ୍ଥାପିତ କରିବାକୁ ପଡ଼େ, ତା' ପରେ ନିଜ କୁଟୁମ୍ବ ଭିତରେ, ତା' ପରେ ସମାଜରେ। ମାନବ ସମାଜ ସହିତ ଶାନ୍ତି ସ୍ଥାପନ କରି ସେ ଅଟକେ ନାହିଁ ପୁଣି ସେ  ଚିନ୍ତା କରେ ସାରା ଚରାଚର ସୃଷ୍ଟିରେ ଶାନ୍ତି ସ୍ଥାପନ ପାଇଁ। ଏହି ଚାରି ସ୍ତରରେ ସମସ୍ତଙ୍କ ସହ ଏକାତ୍ମ ହୋଇ, ସମସ୍ତଙ୍କ ସହ ସମରସ ହୋଇ ଯଦି ସେ ଆଗକୁ ବଢ଼େ ତେବେ ସେ ପ୍ରକୃତ ସୁଖ ଓ ଶାନ୍ତିର ରାସ୍ତାରେ ଆଗକୁ ବଢୁଛି ବୋଲି  ବୁଝାଯିବ।

ଏଣୁ ବ୍ୟକ୍ତି ଯଦି ପ୍ରକୃତରେ ଶାନ୍ତି ଚାହୁଁଛି, ତେବେ ଉପରୋକ୍ତ ଚାରୋଟି ସ୍ତର ଦେଇ ତାକୁ ଗତି କରିବାକୁ ହେବ। ଚାରୋଟି ଭିତରେ  ସବୁ ପ୍ରକାର ସମନ୍ୱୟ ସାଧିବାକୁ ହେବ। ଏଠାରେ ଏହି ଚାରୋଟି ଭିତରେ ସମନ୍ଵୟ ସ୍ଥାପନ କରୁଥିବା ତତ୍ତ୍ୱଟି ହେଲା 'ଧର୍ମ'। ନିଜ ଶରୀର, ମନ ଓ ବୁଦ୍ଧିକୁ ମିଶାଇ, ଏକାଗ୍ର ଚିତ୍ତ ହୋଇ, ସମସ୍ତ ପ୍ରକାର କାମନା, ବାସନା, ଆକର୍ଷଣକୁ ମୂଳ ଆତ୍ମା ଓ ପରମାତ୍ମାଙ୍କ ସହ ଯୋଡ଼ିବାର, ସମନ୍ୱୟ କରିବାର ଯେଉଁ ରାଜମାର୍ଗ ଅଛି, ସେ ମାର୍ଗ ହେଉଛି ଧର୍ମ ମାର୍ଗ।

Sunday, 2 February 2020

(୬)

*ସୁଖର ସ୍ରୋତ ତ ନିଜ ଭିତରେ ଅଛି*

ମନୁଷ୍ୟର ଅସଲ ସ୍ୱରୂପ ଯାହା ସାରା ଚରାଚର ସୃଷ୍ଟିରେ ବିଦ୍ୟମାନ ଚିରନ୍ତନ ସତ୍ୟ ଓ ଶାଶ୍ୱତ ବୋଲି ଆମେ ଆଲୋଚନା କଲେ ସେହି ଆଧାର ଉପରେ ଯଦି ତା'ର ଜୀବନ ଗଢ଼ା, ତେବେ ତ ସେ ନିଶ୍ଚିତ ସୁଖୀ ହୋଇ ପାରିବ। 

ତା' ଜୀବନ କିପରି ଗଢ଼ାଯାଇଛି ? ଏହାର ବିଚାର କରିବା ସମୟରେ ଆମକୁ ଜାଣିବାକୁ ହେବ ଯେ ସେ କେଉଁଥି ପାଇଁ ଅସୁଖୀ ବା ଦୁଃଖୀ ହୁଏ। ଦୁଃଖର ଏହି କାରଣ ଗୁଡ଼ିକୁ ଦୂର କରିବାକୁ ହେବ। ମହାତ୍ମା ବୁଦ୍ଧ  ଏହି ବିଷୟର ବିଶ୍ଳେଷଣ କରିଥିଲେ। ଅନ୍ୟ ମୁନି ଋଷି ମହାପୁରୁଷଗଣ ମଧ୍ୟ ଏହାର କାରଣ ଜାଣିବା ପାଇଁ ଦିନ ରାତି ତପସ୍ୟା କରିଛନ୍ତି ଏବଂ ସେହି କାରଣ ଗୁଡ଼ିକୁ ଦୂର କରିଦେଇ ସୁଖର ମାର୍ଗ ନିର୍ଦ୍ଧାରଣ କରିଛନ୍ତି। ପ୍ରକୃତରେ ସୁଖର ମାର୍ଗ ନ ଜାଣିବା ଏହା ହିଁ ଦୁଃଖର ମୂଳ କାରଣ ଅଟେ।

ସୁଖ ମଣିଷ ଭିତରେ ଅଛି। ଆତ୍ମା ହିଁ ସୁଖର ସାଗର ଅଟେ। ଏହା ହିଁ ସୁଖର ସ୍ରୋତ ଅଟେ। ଏହା ହିଁ ସୁଖର ଉଦ୍ଗମ ସ୍ଥାନ। ଏହି ସତ୍ୟକୁ ଭୁଲି ବାହ୍ୟ ବସ୍ତୁରେ ମଣିଷ ସୁଖ ଖୋଜୁଛି। ଏଥିପାଇଁ ସେ ସୁଖଠାରୁ ଦୂରେଇ ଯାଉଛି। ଏହା ହିଁ ତା ଦୁଃଖର ମୁଖ୍ୟ କାରଣ। କସ୍ତୁରୀ ମୃଗ ଯେପରି କସ୍ତୁରୀର ସୁଗନ୍ଧ ପାଇବା ପାଇଁ ଜଙ୍ଗଲ ସାରା ଦୌଡୁଥାଏ। ତାକୁ ଜଣା ନ ଥାଏ ଯେ ସେ ଯେଉଁ କସ୍ତୁରୀକୁ ଅତି ବ୍ୟାକୁଳ ହୋଇ ଖୋଜୁଛି ତାହା ତା'ର ନାଭିରେ ଅଛି। ମଣିଷର ଅବସ୍ଥା ଠିକ୍ ସେହି କସ୍ତୁରୀ ମୃଗପରି।

ବାହାର ବସ୍ତୁ କେବେ ବି ସୁଖର କାରଣ ହୋଇ ପାରିବ ନାହିଁ। ଉଦାହରଣ ସ୍ୱରୂପ ରସଗୋଲା କଥା ଚିନ୍ତା କରାଯାଉ। ଏହା ଆମକୁ ବହୁତ ଆନନ୍ଦ ଦେଇଥାଏ। ଯଦି ଜଣେ ବ୍ୟକ୍ତିକୁ ସେ ଯେତେ ଚାହିଁବ ସେତେ ରସଗୋଲା ଦିଆଯାଏ ତେବେ ସେ କେତେ ଖାଇବ ? ବକାସୁର ଭଳି ବହୁତ ଖାଉଥିବା ଲୋକ ବି ହେଉ, ତା'ର ବି ଏକ ସୀମା ଅଛି। ସେ ସୀମା ପାର ହେଲେ ତାକୁ ଯେତେ ଆଗ୍ରହ କଲେ ମଧ୍ୟ ସେ ଆଉ ଗୋଟେ ବି ରସଗୋଲା ଖାଇବାକୁ ଇଚ୍ଛା ପ୍ରକାଶ କରିବ ନାହିଁ। ଯଦି ରସଗୋଲାରେ ସୁଖ ଦେବାର କ୍ଷମତା ଅଛି ତେବେ ଅଧିକ ରସଗୋଲା ମଧ୍ୟ ସୁଖ ଦେଇଥାନ୍ତା। କିନ୍ତୁ ୮ - ୧୦ ରସଗୋଲା ଖାଇବା ପରେ ରସଗୋଲାର ସ୍ୱାଦ କମି କମି ଆସେ। ପେଟ ପୂରା ହୋଇଗଲେ ଆଉ ଗୋଟେ ବି ଖାଇବାକୁ ଆଗ୍ରହ ରହେ ନାହିଁ। ଏହାକୁ ଆମେ ଅନ୍ୟ ଭାବରେ ସହଜରେ ବୁଝି ପାରିବା। 

ମନେକର ରସଗୋଲାର ଆନନ୍ଦ ନେବାପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିକୁ  ଆମେ ପର୍ଯ୍ୟାପ୍ତ ମାତ୍ରାରେ ରସଗୋଲା ଦେଇଦେଲେ। ସେ ବି ଖୁବ୍ ଖୁସିରେ ରସଗୋଲା ଖାଇବା ଆରମ୍ଭ କରିଛନ୍ତି, ଠିକ୍ ଏତିକିବେଳେ ତାଙ୍କ ମୋବାଇଲରେ ମେସେଜ ଆସିଲା ଯେ ତାଙ୍କର ଜଣେ ଅତି ପ୍ରିୟ ବନ୍ଧୁଙ୍କର ଦେହାନ୍ତ ହୋଇଗଲା।  ସେତେବେଳେ ତାଙ୍କ ମନ ଦୁଃଖରେ ଭରି ଯାଉଛି। ଆଉ ଗୋଟେ ବି ରସଗୋଲା ତାଙ୍କ ପାଟିକୁ ଯାଉ ନାହିଁ। ରସଗୋଲା ସେହି ସମୟରେ ତାଙ୍କୁ ବିଷ ପରି ଲାଗୁଛି। 

ପ୍ରତ୍ୟେକ ବାହ୍ୟ ବସ୍ତୁ ବିଷୟରେ ସେହି ଏକା ପ୍ରକାର ଅନୁଭବ ଆସେ। ବାହ୍ୟ ବସ୍ତୁ ଏକ ନିମିତ୍ତ ମାତ୍ର। ତାହାର ସମ୍ପର୍କରେ ଆସିଲେ ସେହି କ୍ଷଣରେ ମନ ପୂର୍ଣ୍ଣ ରୂପେ ଆନନ୍ଦିତ ହୋଇଯାଏ। ମନ ଶାନ୍ତ ହୋଇଯାଏ। ଏହି ସମୟରେ ଆତ୍ମୀୟ ଅନୁଭୂତି ହୁଏ। ଏଥିପାଇଁ ସୁଖର ସ୍ୱାଦ ମିଳେ। କିନ୍ତୁ ଏହି ବାହ୍ୟ ବସ୍ତୁ ଅଧିକ ସମୟ ସୁଖ ଦେଇପାରେନା। ଏହାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ସେହି ସୀମା ପାର ହେଲେ ଏହା ସୁଖ ବଦଳରେ ଦୁଃଖ ଦେଇଥାଏ। ଏଥିପାଇଁ ବାହ୍ୟ ବସ୍ତୁର ଅବଲମ୍ବନ ବିନା ଯଦି ମୂଳ ପରମାନନ୍ଦ ସ୍ୱରୂପୀ ଆତ୍ମାର ସମ୍ପର୍କରେ ରହିବା ସମ୍ଭବ ତେବେ ତାହା ହିଁ ନିରନ୍ତର ତଥା ଅପାର ସୁଖର ମାର୍ଗ ହେବ।

Saturday, 1 February 2020

(୫)

*ବିଜ୍ଞାନ ସାକ୍ଷୀ*

ବଡ଼ ବଡ଼ ବୈଜ୍ଞାନିକମାନେ ମଧ୍ୟ ଏହି ମତକୁ ସମର୍ଥନ କରିଛନ୍ତି। ପ୍ରଥମରୁ ଯେଉଁ ଭୌତିକବାଦୀ ସିଦ୍ଧାନ୍ତ ଥିଲା, ତାକୁ ସେମାନେ ଅସ୍ବୀକାର କଲେଣି। ପାଶ୍ଚାତ୍ୟ ବିଜ୍ଞାନୀ ଏର୍ଥର  ଏଡ଼ମିଙ୍ଗଟନ ତାଙ୍କର ଏକ ଆଲେଖ୍ୟରେ ପ୍ରକାଶ କରିଛନ୍ତି ଯେ "The World is less like a thing than like a thought. ଅର୍ଥାତ୍ ବାହାରର ବିଶ୍ୱ ବସ୍ତୁ ବଦଳରେ ଚେତନା ଅଟେ, ବିଚାର ଅଟେ।
ସେଇଭଳି ମାନବର ସ୍ୱରୂପ ଯାହା ଦେଖାଯାଉଛି, ପ୍ରକୃତରେ ତାହା ସେହିପରି ନୁହଁ। ବିଶ୍ୱ ଯେପରି ଦେଖାଯାଉଛି, ତାହା ମଧ୍ୟ ସେହିପରି ନୁହଁ। ତେବେ ତାହାର ଅସଲ ସ୍ୱରୂପ କ'ଣ ? ଏହା କିଛି ଅଲଗା ଅଟେ। ଅସଲ ସ୍ୱରୂପ ହେଉଛି ଚେତନା। ସବୁ କିଛି ତାହାରି ନ୍ୟାୟ ଅନ୍ୟାୟର ଖେଳ ଅଟେ। ଆମେ ମଧ୍ୟ ବିବିଧତାରେ ଏକତାର କଥା କହିଥାଉଁ। ଏ ସାରା ବିବିଧତା, ବିଭିନ୍ନତା ବା ବିଚିତ୍ରତାର ଅଦ୍ଭୁତ ଖେଳ ଯାହା ସୃଷ୍ଟିରେ ଚାଲିଛି, ତାହା ଭିତରେ ଯେଉଁ ଏକାତ୍ମତାର ସୂତ୍ର ରହିଛି, ତାହା ହିଁ ଚେତନା।

ଏହି ସତ୍ୟକୁ ବୈଜ୍ଞାନିକ ଉପାୟରେ ସର୍ବ ପ୍ରଥମେ ଉପସ୍ଥାପିତ କରିଥିଲେ ଭାରତର ମହାନ୍ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବସୁ। ସେ ବୃକ୍ଷ ମଧ୍ୟରେ ପ୍ରାଣ ଅଛି ବୋଲି ପ୍ରମାଣିତ କଲେ। ତାଙ୍କୁ ବ୍ରିଟିଶ ରୟାଲ ସୋସାଇଟି ଆମନ୍ତ୍ରଣ କରିଥିଲା। ଶ୍ରୀ ବସୁ ସେଠାକୁ ଯାଇ ସମସ୍ତଙ୍କ ସମ୍ମୁଖରେ ବୃକ୍ଷର ପ୍ରାଣ ସ୍ପନ୍ଦନ କିପରି ଅଛି, ତା'ର ପ୍ରୟୋଗ କରି ଦେଖାଇଲେ। ପରେ ସେ ଯେତେବେଳେ ଶିଶା ଉପରେ ଏହି ପ୍ରୟୋଗ କଲେ, ଶିଶାରୁ ବିଦ୍ୟୁତ୍ କିରଣ ବିଛୁରିତ ହେଲା।  ସେଠାରେ ଉପସ୍ଥିତ ଥିବା ସେ ସୋସାଇଟିର ଅଧ୍ୟକ୍ଷ ଏହା ଦେଖିବା ମାତ୍ରେ ଆନନ୍ଦରେ ନାଚିବାକୁ ଲାଗିଲେ। ସେ କହିଲେ, "Mr Basu, What are you trying to demonstrate ? ଶ୍ରୀ ବସୁ, ଆପଣ କ'ଣ ଦେଖାଇବାକୁ ଚାହୁଁଛନ୍ତି ?

ଶ୍ରୀ ବସୁ ସ୍ମିତହାସ୍ୟରେ କହିଲେ, "ଯାହାକୁ ଆପଣ ନିର୍ଜୀବ ବୋଲି କହୁଛନ୍ତି ସେଥିରେ ବି ଜୀବନ ଅଛି, ସେଥିରେ ବି ପ୍ରାଣ ତନ୍ତୁ ଅଛି। ଯେପରି ମଣିଷର ସ୍ନାୟୁରେ ସ୍ପନ୍ଦନ ଜଣାପଡ଼ିଥାଏ ଠିକ୍ ସେହିପରି ଏହି ବିଦ୍ୟୁତ ରେଖା ଗୁଡ଼ିକ ଦର୍ଶାଉଛି ଶିଶାରେ ବି  ସ୍ପନ୍ଦନ ଅଛି।"

 ପରିଶେଷରେ ଶ୍ରୀ ବସୁଙ୍କର ଏକ ବକ୍ତୃତା କାର୍ଯ୍ୟକ୍ରମର ଆୟୋଜନ କରାଗଲା। ବିଶ୍ୱର ବହୁତ ବଡ଼ ବଡ଼ ବୈଜ୍ଞାନିକ ସେହି ଭାଷଣ ସଭାରେ ଉପସ୍ଥିତ ଥିଲେ। ଶ୍ରୀ ବସୁ ଭାଷଣ ଶେଷରେ କହିଲେ, ଆଜି ମୁଁ ଯେଉଁ ପ୍ରୟୋଗ କଲି, ଏହା ତ ଭାରତର ମୁନି ଋଷିମାନେ ଗଙ୍ଗା କୂଳରେ ବସି ପାଞ୍ଚ ହଜାର ବର୍ଷ ପୂର୍ବରୁ କରିଯାଇଥିବା ସତ୍ୟ ଦର୍ଶନର ଏକ ଛୋଟ ଅଂଶ ମାତ୍ର।"

ଆମର ଋଷି ମୁନି କହିଥିଲେ ଯେ ସାରା ସୃଷ୍ଟିରେ ଆମେ ଯେଉଁ ବିବିଧତା, ବିଭିନ୍ନତା, ବା ବିଚିତ୍ରତାର ଅଦ୍ଭୁତ ଖେଳ ଦେଖୁଛୁ  ଏହା ଭିତରେ ଏକତାର ସୂତ୍ର ଅଛି, ଏକାତ୍ମତାର ସୂତ୍ର ଅଛି। ସମସ୍ତ ଖେଳ ତାହାରି ଦ୍ବାରା ହେଉଛି। ଏହାକୁ ଯିଏ ଦର୍ଶନ କରନ୍ତି, ସେ ହିଁ ପରମ ଜ୍ଞାନୀ।

"ବିଦ୍ୟାବିନୟସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନୀ।
ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମ ଦର୍ଶିନଃ।।"

Wednesday, 29 January 2020

(୪)

*ନଶ୍ୱର ଭିତରେ ଶାଶ୍ୱତ ତତ୍ତ୍ୱ*

ବେଳେବେଳେ ଲାଗେ ଏତେ ପରିବର୍ତ୍ତନ ଭିତରେ ମଧ୍ୟ ମୁଁ ଯେମିତି ଥିଲି ସେମିତି ଅଛି। ଏପରି ବୋଧ ହୁଏ କାହିଁକି ? ଆମ ଜୀବନ କୌଣସି କୋଠା ଘର ଭଳି ସ୍ଥିର ନୁହେଁ, ବରଂ ଏହା ନଦୀ ଭଳି ଗତିଶୀଳ। ନଦୀର କୌଣସି ପାଣିରେ ଦ୍ଵିତୀୟ ଥର ସ୍ନାନ କରିବା ସମ୍ଭବ ନୁହେଁ। କାରଣ ସେହି ପାଣି ଆଗକୁ ବହି ଯାଉଥାଏ। ଦ୍ଵିତୀୟ ଥର ପାଣିରେ ବୁଡ଼ିବା ବେଳକୁ ପ୍ରଥମ ପାଣି ଆଉ ନ ଥାଏ। ନୂଆ ପାଣି ସହିତ ନଦୀ ବି ନୂଆଭଳି ଲାଗେ। କିନ୍ତୁ ନା, ନଦୀ ଗୋଟିଏ, ତା' ରୂପ ଖାଲି ବଦଳୁଥାଏ। କେବଳ ପ୍ରବାହ ଥାଏ, ଯାହା ନିରନ୍ତର ଆଗକୁ ବଢୁଥାଏ। ଏହିପରି ମଧ୍ୟ ଆମର ବାହ୍ୟ ଅସ୍ତିତ୍ବର ସ୍ଥିତି। ଶରୀର, ମନ, ବୁଦ୍ଧିର ପ୍ରକ୍ରିୟା ସର୍ବଦା ବଦଳୁଥାଏ। ଏହା ଶାଶ୍ୱତ ନୁହଁ, ସ୍ଥିର ନୁହଁ; କିନ୍ତୁ ଏ ସବୁ ମିଶିଲେ  ଗୋଟିଏ ମଣିଷ।

ଆମ ଶରୀରର ଗଠନ ବି ସେମିତି ହୋଇଛି। ମା' ଗର୍ଭରେ ପ୍ରଥମ ଜୀଵକୋଷ ବଢ଼ି ବଢ଼ି ପାଞ୍ଚ ହଜାର କୋଟି ଜୀବକୋଷ ତିଆରି ହୁଏ। ଏହା କିପରି ତିଆରି ହୁଏ ? ଏଥିରେ କେଉଁ ଚେତନା ଥାଏ ?

ବୃକ୍ଷର ମଞ୍ଜି ବି ସେଇଭଳି। ଏହା କେତେ ଛୋଟ ! ତଥାପି ସେହି ଛୋଟ ମଞ୍ଜି ଭିତରେ ବିଶାଳ ବୃକ୍ଷ ହେବାର କ୍ଷମତା ଥାଏ। ଏହା କିପରି ସମ୍ଭବ ହେଉଛି ? ଏହା ଭିତରେ କେଉଁ ଚେତନା ଶକ୍ତି ଅଛି ? କେମିତି ଏହା ଏତେ ବଢ଼ି ପାରୁଛି ? ଅବଶ୍ୟ କେଉଁ ଚେତନା ଶକ୍ତି ଅଛି ଯାହା ଅନ୍ୟାନ୍ୟ ସବୁ ତତ୍ତ୍ୱକୁ ସାଙ୍ଗରେ ନେଇ ଯୋଡ଼ାଯୋଡ଼ି କରି ବଡ଼ ଆତ୍ମୀୟତାର ସହ ତାହାକୁ ଏକ ଶରୀର ରୂପେ ବିକଶିତ କରୁଛି। ନିଜ ଭିତରେ ଥିବା ଏହି ଚେତନା ଶକ୍ତି ଦ୍ୱାରା ହିଁ ସାରା ଖେଳ ଚାଲିଛି।

ଯାହାକୁ 'ମୁଁ', 'ମୋ ବ୍ୟକ୍ତିତ୍ବ' ବୋଲି ଆମେ କହୁଛୁ - ସେ ଶରୀର ଏତେ ନଶ୍ୱର ହେବା ପରେ ମଧ୍ୟ ପିଲାବେଳଠୁ ଆଜି ପର୍ଯ୍ୟନ୍ତ ସେଥିରେ ଶରୀର ଦୃଷ୍ଟିରୁ, ଭାବନା ଦୃଷ୍ଟିରୁ, ବୁଦ୍ଧି ଦୃଷ୍ଟିରୁ ଏତେ ସବୁ ପରିବର୍ତ୍ତନ ହେବା ପରେ ମଧ୍ୟ ମୁଁ ସ୍ଥିର ଅଛି। ମୁଁ ପିଲାବେଳେ ଥିଲି, ଯୌବନରେ ଥିଲି, ବୃଦ୍ଧାବସ୍ଥାରେ ବି ଅଛି। ସବୁ ଅବସ୍ଥାରେ 'ମୁଁ' ତତ୍ତ୍ୱଟି ସ୍ଥିର ରହୁଛି। ଏହି ମୁଁ ତତ୍ତ୍ୱ ଯାହା ଶରୀର, ମନ ଓ ବୁଦ୍ଧିଠାରୁ ଅଲଗା ହୋଇ ମଧ୍ୟ ସମସ୍ତଙ୍କୁ ଯୋଡ଼ିବାରେ, ସମସ୍ତଙ୍କ ଭିତରେ ସମନ୍ୱୟ ଆଣିବାରେ, ସମସ୍ତଙ୍କ ଭିତରେ ସାମଞ୍ଜସ୍ୟ ପ୍ରସ୍ଥାପିତ କରିବାରେ ପ୍ରମୁଖ ସୂତ୍ରଧର ଅଟେ। ଏହାକୁ ଆମେ ଆତ୍ମା, ପରମାତ୍ମା ଓ ବ୍ରହ୍ମ ବୋଲି କହିଥାଉଁ। ଏହା ଆମର ଚେତନା ଶକ୍ତି ଅଟେ।

ଆମକୁ ନିତ୍ୟ ଅନୁଭବରେ ଆସୁଥିବା ଆଉ ଏକ ବିଷୟ ହେଲା ନିଦ୍ରା। ମନେକର ଏବେ ଆମେ ଜାଗ୍ରତ ଅବସ୍ଥାରେ ଅଛନ୍ତି, ଆମକୁ ଲାଗୁଛି ଆମେ ଜାଗ୍ରତ ଅବସ୍ଥାରେ ଅଛନ୍ତି, ପ୍ରକୃତରେ ଜାଗ୍ରତ କି ନୁହେଁ ତାହା ତ ଭଗବାନ ଜାଣନ୍ତି। ଏହା ଏକ ଅବସ୍ଥା। 
ଆଉ ଏକ ଅବସ୍ଥା ହେଲା ସ୍ୱପ୍ନାବସ୍ଥା। ଏଥିରେ ଆମେ ଶୋଇଥାଉ। କିନ୍ତୁ ସ୍ୱପ୍ନ ଦେଖୁ। ଏହି ସ୍ୱପ୍ନ ଆମକୁ ସତ୍ୟ ବୋଲି ପ୍ରତୀତ ହୁଏ। ନିଦ୍ରା ତ୍ୟାଗ ପରେ ଆମେ ଜାଣୁ ଏହା ସତ୍ୟ ନୁହଁ, କେବଳ ସ୍ୱପ୍ନ ଥିଲା। 

ଆଉ ଏକ ଅବସ୍ଥା ହେଉଛି ଗଭୀର ନିଦ୍ରା। ଏଥିରେ ସ୍ୱପ୍ନ ନ ଥାଏ। ସେ ସମୟରେ ଆମେ କେଉଁ ଲୋକରେ ଥାଆନ୍ତି କିଏ ଜାଣେ ? କିନ୍ତୁ ଉଠିବା ପରେ ମନ ଖୁସି ହୋଇ ଯାଏ।

 ପ୍ରତିଦିନ ଆମେ ନିଦ୍ରା ଯାଆନ୍ତି। ଶୋଇବା ଓ ନିଦ ଆସିବା ଏହାର ଅର୍ଥ କ'ଣ ? ଏହା କା' ହାତରେ ଅଛି ? ପ୍ରତିଦିନ ୪-୬ ଘଣ୍ଟା ଆମେ ଏଇ ଅବସ୍ଥା ଦେଇ ଗତି କରନ୍ତି। ନିଦ, ସ୍ୱପ୍ନ, ଗଭୀର ନିଦ - ଏ ସବୁରେ ବି 'ମୁଁ' ଅଛି।

ଆମେ କହୁ - ମୋତେ ଭଲ ନିଦ ହେଲା, କାଲି ରାତିରେ ମୁଁ ସୁନ୍ଦର ସ୍ୱପ୍ନ ଦେଖିଲି, ସ୍ୱପ୍ନରେ ମୁଁ ରସଗୋଲା ଖାଇଥିଲି, କିନ୍ତୁ ଜଳପାନରେ ଚଣା ମିଳିଲା।

ରାତିରେ ସ୍ୱପ୍ନରେ ରସଗୋଲା ଖାଇଲା ବେଳେ ମୁଁ ଥିଲି। ଏବେ ଚଣା ଖାଇବା ବେଳେ ମୁଁ ଅଛି। ଉଭୟ ସ୍ଥାନରେ ମୁଁ ଅଛି। ଏହା ବି ସତ୍ୟ ବୋଲି ମୁଁ କହୁଛି। କିନ୍ତୁ ଏ 'ମୁଁ' କିଏ ?
ଏହାର ସ୍ୱରୂପ କ'ଣ ? ଏହା କେହି ଜାଣନ୍ତି ନାହିଁ।

Tuesday, 28 January 2020

(୩)

ମୁଁ କିଏ ?
ମଣିଷର ସ୍ୱରୂପ କ'ଣ ? 
ଏହାର ଅନୁମାନ କରିବା ଆଦୌ କଠିନ ନୁହେଁ। ନିଜର ସାମାନ୍ୟ ଅନୁଭବକୁ ନେଇ ଯଦି କୌଣସି ସାଧାରଣ ବ୍ୟକ୍ତି ଏହା ବିଷୟରେ ବିଶ୍ଳେଷଣ କରନ୍ତି, ତେବେ ସେ ଏ ବିଷୟରେ ଠିକ୍ ଆକଳନ କରିପାରିବେ।

  ମୋ ଶରୀର, ମୋ ହାତ, ମୋ ଆଖି, ମୋ ମୁଣ୍ଡ, ମୋର ଦେହ ଆଜି ଭଲ ନାହିଁ - ଏଭଳି ଶବ୍ଦ ପ୍ରୟୋଗ କଲାବେଳେ କେହି ଏପରି ବୁଝେ ନାହିଁ ଯେ ମୁଁ ଏସବୁରୁ ଅଲଗା। 
ମୋ ସାଙ୍ଗ, ମୋ ଘର, ମୋ ପଇସା - ଏଭଳି ଶବ୍ଦ ପ୍ରୟୋଗ କଲେ ଟିକିଏ ଲାଗେ ମୁଁ ଅଲଗା, ସାଙ୍ଗ ଅଲଗା, ଘର, ପଇସା ଅଲଗା।
 ଏହିପରି ଅଜାଣତରେ ଆମେ କହିଥାଉଁ ଯେ ମୁଁ ଶରୀର ନୁହେଁ। 
ଆମେ ନିଜ ବିଚାର ବ୍ୟକ୍ତ କଲାବେଳେ ମଧ୍ୟ କହିଥାଉଁ ଯେ, 'ମୋ ମନ ଅଶାନ୍ତ ଅଛି, ମୋ ବୁଦ୍ଧି କାମ କରୁ ନାହିଁ।' ଏଇ ଦୁଇଟି ବାକ୍ୟରୁ ସ୍ପଷ୍ଟ ଜଣା ପଡୁଛି ଯେ ମୁଁ କିଛି ଅଲଗା। ମୋର କିଛି ଅଲଗା ଅସ୍ତିତ୍ୱ ଅଛି। ମୁଁ ମନ ନୁହେଁ, ମୁଁ ବୁଦ୍ଧି ନୁହେଁ - ଏଭଳି ଆଭାସ ହେଉଛି। 

ଥରେ ଦୀନଦୟାଲଜୀ ତାଙ୍କର ଏକ ରୋଚକ ଅନୁଭଵ ଶୁଣାଇଥିଲେ -

ଗୋଟିଏ ସାନ ପିଲାକୁ ସେ କହିଲେ, "ମୋତେ ଛୁଅଁ।"
ପିଲାଟି ତୁରନ୍ତ ତାଙ୍କ ପାଦକୁ ସ୍ପର୍ଶ କଲା। ସେ କହିଲେ, "ତୁମେ ତ ମୋର ପାଦକୁ ଛୁଇଁଲ, ମୋତେ କେଉଁଠି ଛୁଇଁଲ ? ପିଲାଟି ପୁଣି ତାଙ୍କ ହାତକୁ ଛୁଇଁଲା, ମୁଣ୍ଡକୁ ଛୁଇଁଲା। ପ୍ରତି ଥର ଦୀନଦୟାଲଜୀ ସେଇ ପ୍ରଶ୍ନ ଦୋହରାଇଲେ। ପିଲାଟି ହାରିଗଲା...। ଆଉ କିଛି ନ କହି ସେଠୁ ପଳେଇଲା।

 କିଛି ସମୟ ପରେ ଚୁପ୍ ଚୁପ୍ କି ଆସି ଦୀନଦୟାଲଜୀଙ୍କ ପିଠିରେ ଖୁବ ଜୋର୍ ରେ ବିଧା ମାରିଲା। 
ପଣ୍ଡିତଜୀଙ୍କ ମୁହଁରୁ ସ୍ୱାଭାବିକ ବାହାରି ଆସିଲା, "ଆରେ ବାବା, ମୋତେ କାହିଁକି ମାରୁଛ ?"

ପିଲାଟି କହିଲା, "ମୁଁ ତ ତୁମକୁ ମାରି ନାହିଁ। ମୁଁ ତୁମ ପିଠିକୁ ମାରିଛି।"

ଏଥିରୁ ବୁଝି ହେଉଛି ଯେ ମୁଁ ସବୁଥିରେ ଥାଇ ମଧ୍ୟ ସବୁଠୁ ଅଲଗା।

ଏହିପରି ଆମେ ଜାଣୁ ଯେ ଆମ ଶରୀର ନଶ୍ୱର, କ୍ଷଣଭଙ୍ଗୁର। ଏହା ପାଣିଫୋଟକା ଭଳି କ୍ଷଣସ୍ଥାୟୀ। ବିଜ୍ଞାନ ମଧ୍ୟ ସେଇ କଥା କହୁଛି। ଆମ ଯକୃତର ପ୍ରତ୍ୟେକ ଜୀଵକୋଷ ପ୍ରତି ଛ' ସପ୍ତାହରେ ବଦଳିଯାନ୍ତି। ଆମ ହାଡ଼ ଏତେ ଶକ୍ତ, ତଥାପି ପ୍ରତି ତିନି ମାସରେ ଏହାର କୋଷ ବଦଳି ଯାଇଥାଏ। ଆମ ଚମଡ଼ାର କୋଷ ମାସେ ଭିତରେ ବଦଳି ଯାଏ। ଆହୁରି ଶୀଘ୍ର ବଦଳୁଥାନ୍ତି ଆମ ପାକସ୍ଥଳୀର କୋଷଗୁଡ଼ିକ। ବର୍ଷେ ଭିତରେ ଆମ ଶରୀରର ନବେ ଭାଗ କୋଷ ମରିଯାଇଥାନ୍ତି। ଅର୍ଥାତ୍ ପ୍ରତି କ୍ଷଣ ଆମ ଶରୀରରେ କୋଷ ମରୁଥାନ୍ତି। ନୂଆ ନିର୍ମାଣ ହେଉଥାଏ। ନୂଆ ସୃଷ୍ଟିକୁ ଦେଖିଲେ ଆମକୁ ଲାଗେ ଆମ ଶରୀର ପୂର୍ବରୁ ଯେମିତି ଥିଲା, ସେମିତି ଅଛି, ଏଥିରେ କିଛି ପରିବର୍ତ୍ତନ ହୋଇ ନାହିଁ। କିନ୍ତୁ ପ୍ରକୃତ କଥା ସେଇଆ ନୁହଁ। ଆମ ଶରୀରରେ କୋଟି କୋଟି ଜୀବକୋଷ ମରିଯାଇଥାନ୍ତି। ୭ ବର୍ଷ ଭିତରେ ପୁରୁଣା ସବୁ ଜୀବକୋଷ ମରିଯାଇଥାନ୍ତି। ସେ ସ୍ଥାନ ନେଇଥାନ୍ତି ନୂଆ ଜୀବକୋଷ। ଠିକ୍ ସେହିପରି ମନ, ବୁଦ୍ଧି, ବିଚାର ଓ ଭାବନାରେ ମଧ୍ୟ ନିରନ୍ତର ପରିବର୍ତ୍ତନ ହେଉଥାଏ।