Sunday, 31 March 2019

*ଭୂତକୁ ଖୁଆଇବାରେ କି ଆନନ୍ଦ ? *

ପାଠ ତତେ ଏଇଆ ଶିଖେଇଲା ? ଏଇଥିପାଇଁ ତତେ ଏତେ ପଇସା ଖର୍ଚ୍ଚ କରି ପାଠ ପଢ଼ାଇ ଥିଲି ? ତୁ ଶିଖିଲୁ ଯୋଉ ଡାଳରେ ଚଢ଼ିଥିବୁ ସେଇ ଡାଳକୁ କୁରାଢ଼ିରେ ହାଣିବୁ, ଏଇଆ ? ଏତେ ସମ୍ପତ୍ତି କେମିତି ସମ୍ଭାଳିବୁ ? ଲୋକଙ୍କୁ କେମିତି ଜିତିବୁ ? ଏଣେ ସିନା ଧ୍ୟାନ ଦିଅନ୍ତୁ, କଣ ନା ଠିକ୍ ଓଲଟା ? 

ଯାହାଙ୍କ ଛାଇ ପଡ଼ିଲେ ଲୋକ ଦୂରେଇ ରହେ, ତୁ ଯାଇ ତାଙ୍କରି ସଙ୍ଗେ ମିଶୁଛୁ। ସାନ ସାନ ଲୋକଗୁଡ଼ାଙ୍କ ଆଗରେ ବଡ଼ ବଡ଼ କଥା କହୁଚୁ, ତାଙ୍କ ମୁଣ୍ଡରେ ବୁଦ୍ଧି ପୂରାଇବା କଥା, ସେ ଯାହା ଟିକେ ଚପି ଚାପି ଥିଲେ ଆହୁରି ଅଧିକ ମାତିବେ, ବେମହତିଆ ହେବେ, ତୋ ପାଇଁ ମୋ ସମ୍ପତ୍ତି ସବୁ ଉଜୁଡ଼ି ଯିବ, କିଛି ରହିବ ନାହିଁ।

ଆରେ ଜମି ତ ମୋର, ସେଥିରେ ତାଙ୍କର କି ଅଧିକାର ଅଛି ? ଆମେ ଯେମିତି ବି ଚାଷ କଲେ ଲାଭ ମିଳିବ। ମଣିଷ ଆପଣା ସମ୍ପତ୍ତି କଥା ନିଜେ ବୁଝେ ନା ଭୂତକୁ ଖୁଆଏ ??

୩୧.୩.୧୯

Saturday, 30 March 2019

*ମାର୍ଚ୍ଚ-ମାର୍ଚ୍ଚ*

ରବିର ପ୍ରଶ୍ନ ମୌଳିକ। ମୌଳିକ ! ଦେଶ କେମିତି ଗଢ଼ା ହେବ। ମଣିଷ ମନ କେମିତି ବଦଳିବ। ଏକତା ଆସିବ। ଆତ୍ମବିଶ୍ୱାସ ଆସିବ। ୟା ଆସିବ। ତା ଆସିବ ସତ। କିନ୍ତୁ ତା ନିଜର ପ୍ରଶ୍ନ ଆତ୍ମରକ୍ଷାମୂଳକ। ରବି ବିଶ୍ୱାସ କରୁଛି ମଣିଷଠି ଭଲ ପଣ ଅଛି। ମଣିଷ ସତ୍ ସୁଧାର, କିନ୍ତୁ ତାକୁ ଯେଉଁ ରୀତିରେ କାମ କରିବାକୁ ପଡୁଛି ସେଥିରେ ଧରି ନିଆ ହୋଇଛି ଜଣେ ଜଣକୁ ଠକେ ଆଉ ଖାଲରେ ପକାଏ, ତେଣୁ ପଦେ ପଦେ ପାହାଚ ପାହାଚକେ ବନ୍ଧା ରୀତି ଆଉ କଟକଣା, ସେଇଆ ଜଗୁ ଜଗୁ ବୁଦ୍ଧିର ପୁଞ୍ଜି ଯାଏ ଖର୍ଚ୍ଚ ହୋଇ, ଚିଠି ଗରୁଣ୍ଡି ଗୁରୁଣ୍ଡି ଚାଲେ, କ୍ଷେତରେ ବିହନ ପହଞ୍ଚୁ ପହଞ୍ଚୁ ଧାନ ଠିଆ ହୋଇଯାଏ ହାତେ ଉଞ୍ଚା। ଅବିଶ୍ୱାସକୁ ଆଶ୍ରା କରି ସବୁ କଳା ଓ ଗୋଦାଚୂରୀ ଆତ୍ମରକ୍ଷା ପାଇଁ ବିହିତ ବ୍ୟବସ୍ଥା କରି କଥା ପଦେ କହିବାକୁ ସମୟ ଲାଗେ।

ଏତେ ତାକତରକରେ ଚାଲି ତଥାପି ବନ୍ଧା ସମୟ ଭିତରେ ଟଙ୍କା ଖରଚ କରିବାକୁ ପଡ଼ିବ। ଆଗରେ ଅପ୍ରେଲ ପହିଲା। ମାର୍ଚ୍ଚ ଏକତିରିଶ ତାରିଖ ସହିତ ବର୍ଷଯାକର ହିସାବରେ ମୁଣ୍ଡି ମରିବ। ତା ପରେ ହିସାବ ହେବ ଏ ବର୍ଷ କେତେ ଟଙ୍କାର କାମ ସେ କରିପାରିଲା। ଅନ୍ୟମାନଙ୍କ ସଙ୍ଗେ ତାର ତୁଳନା ହେବ। ହିସାବ ହେବ, କେତେ ଟଙ୍କା ବଳି ପଡ଼ିଲା। ସେହି ହେବ ତାର ନିପାରିଲା ପଣର ମାପ। ସବୁ ବେପାରୀ ଅପେକ୍ଷା କରି ବସିଛନ୍ତି ସେହି ମାର୍ଚ୍ଚର ଫସଲକୁ। ମାର୍ଚ୍ଚ-ମାର୍ଚ୍ଚ ଘମାଘୋଟ କାମର ଦିନ, ଏକମାତ୍ର ଚିନ୍ତା ଟଙ୍କା ଖର୍ଚ୍ଚ ହୋଇଯାଉ। କିଛି ନ ବଳୁ ତାର ଅପବାଦ ନାଗରା ପିଟିବାକୁ।

୩୦.୩.୧୯

Friday, 29 March 2019

*ବେମୁରବୀ ଗାଁ*

"ହଇଲୋ ଗୁରୁବୋଉ, କଣ କରିବା ? କଣ ହବ ?"

"ତୁଚ୍ଛାକୁ ଡରୁଛୁ ଖୁଡୀ !"   ବତାଫାଳ ପରି ଶୁଖିଲା ଗୁରିଆ ବୋଉ ପ୍ରବୋଧ ଦେଇଥିଲା - "ଭୁକିଲା କୁକୁର କାମୁଡ଼େ ନାହିଁ। ଯେ ବାଡ଼ିଆପିଟା ହବାର ସେ ଦଣ୍ଡକେ ନହୁ ନୁହାଣ ହୋଇଯାଆନ୍ତି। ଏମିତି ମାରିବି ମାରିବି ବୋଲି ଚଦାଚଦି ହୁଅନ୍ତି ନାହିଁ। ବଳେ ଭୁକାଭୁକି ପରସ୍ତେ ହୋଇ ପାଟି ଘୋଳି ହେଲେ ଘରକୁ ଲେଉଟି ଯିବେ, ତୁମେ ଦେଖିବ ରଇଥା।"

"ନାଇଁ ଲୋ, ତୁ କଣ କହୁଚୁ ? ଘଡ଼ିକି ଘଡ଼ି ନିଆଁ ଲାଗିଲା ପରି ଏ କଳି କୁହୁଳି ଉଠୁଛି ଦେଖୁନୋଉଁ ? ମୁଣ୍ଡକୁ ପିତ୍ତ ଉଠିଯାଇଛି, ବାଇଆ କୁକୁର ଲୋ, ମଣିଷ ନୁହଁନ୍ତି। କୋଉ କାଳର କେତେ ଗଲା କଥା ଉଝୁଳା ଲାଗିଚି ଦେଖୁନୁ। କଣ ଗାଁ ଭେଦା ଟଙ୍କା କାହା ପାଖେ କେବେ ଜମା ରହିଥିଲା, କିଏ ଖାଇଦେଇ  କହୁଚି - କିଏ ବାବଦ ବୁଝେଇ ଖର୍ଚ୍ଚ ମଜୁରୀ ଦେଇ ଝାଡ଼ି ଝୁଡ଼ି ହଉଚି। କୋଉ ବର୍ଷ କାହା ଘର ନାଁ ରେ କିଏ କଣ ରଟେଇ ଥିଲା ସେ କଥା ପଡୁଚି ଅଇଛା। କୋଉ କଥା କୋଉଠୁ ଗଡ଼ି ଗଡ଼ି ଆସି ଅଇଛା ଗାଧୁଆ ପୋଖରୀ କଳିରେ ଠେକ ଦେଲାଣି। ଗାଧୋଉ ଗାଧୋଉ କାହା ଦେହରୁ ପାଣି ଟିକିଏ ଆସି କାହା ଉପରେ ଛିରିକି ପଇଲା ସେଉଠୁ କଣ ନା ଗୋଟାଏ ପଟକୁ ପୋଖରୀ ଅଟକ। ତମର କେହି ଆସିବେ ନାଇଁ ଏ ପୋଖରୀରେ ଗାଧୋଇବାକୁ, ବୁଝି ଖବରଦାର, ପୋଖରୀ ହୁଡ଼ା ମାଡ଼ିବେ ନାହିଁ ଏ ଗୋଛିଣ୍ଡା କଥା ଭଲା କିଏ କାହିଁକି ମାନିବ, ଆର ପଟ ଜିଦି ଧରିଲେଣି କେଉଟ ଡକେଇ ସେହି ପୋଖରୀରୁ ମାଛ ମରେଇବେ କୁଆଡ଼େ, ଅଇଛା ତ ଅଥଳ ପାଣି। ଦେଖ କୋଉଠୁ କୋଉଯାକେ ଆସିଲାଣି କଥା, ଇଆରି ନାଁ ବେମୁରବୀ ଗାଁ, କାହା କଥା କାହା ଦେହରେ ଯିବ ନାହିଁ, ତୁଚ୍ଛା କଥାକୁ କଳି ଉପୁଜି ଅଇଛା କେତେ କଥା ନ ପଡୁଚି ଦେଖ। ଏ ଲୋକଙ୍କୁ ବାୟା ଘୋଟିଲାଣି, ଭଲ ଦଶା ନାଇଁ ---"

୨୯.୩.୧୯

Thursday, 28 March 2019

*ଲୋକଙ୍କ ହିତ କରିବାକୁ ଲାଗିଛନ୍ତି କେଇଜଣ ? *

ନିଧି ମଳିକ ତୁନି ହୋଇ ବସିଥିଲା। କହିଲା, "ମୁଁ ବି ଶୁଣିଛି, ପାଟେଳି ଗାଁ ରେ କଳି ଲାଗିଛି ବୋଲି। ସେ ଗାଁ ଚୌକିଦାର କହୁଥିଲା। ଦି'ଦଳ ହେଲେଣି। ତାଙ୍କର ସବୁ ଆଗରୁ ମନ ଫଟାଫଟି ଥିଲା, ଅଇଛା ତେଜିଛି। କଜିଆ କରିବାକୁ ମନହେଲେ ଲୋକେ ମିଛରେ ଗୋଟାଏ ଉପଲକ୍ଷ ଯୋଡ଼ି ଦିଅନ୍ତି। ସେଥିରେ କଣ ଥାଏ ? ତମର ତେମେ ଝଡ଼େଇ ହବାକୁ ମନ କରିବ, ଦି ଦଳ ହବ, ଆପଣା ଆପଣା ପଟେ ବାନା ପୋତିବ, ଢୋଲ ବାଡ଼ିଆ ହେଲେ ଢୋଲ ଫୋପଡ଼ା ଫୋପଡ଼ି ହେଇ ସେଇଠି ନଉଡ଼ି ପିଟାପିଟି ହୋଇ ମୁଣ୍ଡ ଫଟାଫଟି ହେବ, ହଳହଳ ହଇ ବନ୍ଧାହୋଇ ଥାନାକୁ ଯିବ, ସେଥିରେ ୟା ତା ନାଁ ଯୋଡ଼ି ଦବ କାହିଁକି ରେ ବାବୁ ? ଲୋକଙ୍କ ଖୋଇ ସେମିତି ରେ ବାବୁ ! ମଲେ ବି ନାନ୍ଦୁରା ଲୋକ ଖୋଇ ଛାଡ଼ିବେ ନାଇଁ ।"

ଖୁଡ଼ି ହସିଲା। କହିଲା, "ତାଙ୍କର ସେମାନେ ବାଡ଼ିଆ ପିଟା ହଉଥାନ୍ତୁ,  ଏଣେ ବାଜା ବଜାଇ କନ୍ୟା ଘେନି ବାହାରି ଆସିଲେ ଗଲା, କୋଉ ଅଜାତି ନା ଅକୁଳ ନା କଣ କି ? ମନ କଲେ ବାହାଘର ହେଲା, ଭଲ ହଅନ୍ତା ତ, ନାଙ୍କରା କଣ ?"

ରବି ବାବୁଙ୍କୁ ତୁ ଚିହ୍ନିନୋଉଁ ଖୁଡୀ। ସେ ବାହା ହେବେ ନାଇଁ। ସେ ଦେଶ କାମ କରିବେ। ଚାକିରି ନ କଲେ କାହିଁକି ଆଉ ? କହୁଥିଲେ ପରା ରାଇଜଯାକ କାମ ପଡ଼ିଚି। ଯେ ପଦାକୁ ବାହାରିଲେ ସେ ଖାଲି ନାଁ ପାଇଁ ନଇଲେ ପଇସା ପାଇଁ। ତୁଣ୍ଡ ମୁଣ୍ଡ ନ କରି ଗାଁ ଗହଳିରେ ପଡ଼ି ରହି ଲୋକଙ୍କ ହିତ କରିବାକୁ ଲାଗିଛନ୍ତି କେଇଜଣ ?

ନିଧି ମଳିକ - "ହଁ ହଁ, ଜାତିଏ ମଣିଷ ସେ। ନିଘାଟା ଯେଡ଼ିକି, ବଡ଼ ମନଟା ଆହୁରି।"

୨୮.୩.୧୯

Wednesday, 27 March 2019

*ଦୁଇ ବାଡ଼ କାହିଁକି ? *

ଝିମିଟି ଖେଳରୁ ମହାଭାରତ ପରି ହଠାତ୍ ପାଟେଳି ଗାଁରେ କୁହୁଳି ଉଠିଲା ଦୁଇଟା ମତବାଦ, ନୋକା ନାହାକ ଓ କିଣେଇ ଓଝା କଳିକୁ କେନ୍ଦ୍ରକରି, ଆଉ ତାର ପିଠି ଆଡ଼େ ପର ଘର କଥା, ସିନ୍ଧୁ ଚୌଧୁରୀ ଘର କଥା, ପାଖେ ଯଦି ଦୋଷୀ କହିଲେ, ପାଖେ କହିଲେ ନିଦୋଷୀ। ମନକୁ ମନ ଏପଟ ସେପଟ ହୋଇ ଲୋକେ ଆଉଜିଗଲେ, ସତେ ଯେପରି ଦି' ଭାଗ ହେବାକୁ ଆପଣା ଆପେ ଗାଁର ମନ, ଦରକାର ଥିଲା ଖାଲି ଗୋଟିଏ ଘଟଣାର ପତିଆରା। ଠିକ୍ ଏତିକିବେଳକୁ ମନେ ପଡ଼ିଲା କିଏ କାହା କଥାରୁ କେବେ ବାହାର ହୋଇଥିଲା, କିଏ କାହାକୁ କେବେ ଅପମାନ କରିଥିଲା, ସମାଲୋଚନା କରିଥିଲା, କିଏ କାହାର ଶିରୀ ଦେଖିପାରେ ନାହିଁ, କିଏ କାହାକୁ ଜମି ନ ବିକି ଆଉ କାହାକୁ ବିକିଛି, କିଏ କାଳିରେ ସଉଦା ଦେଇ ନାହିଁ, କିଏ ଉଧାର ଦେଇ ବାଟରେ ଘାଟରେ ମାଗିଛି, କିଏ କାହା ହଳିଆକୁ ଛଡ଼ାଇ ନେଇ ଚାକିରି ରଖିଛି। ଅର୍ଥାତ୍ ଜଣେ ଏ ପାଖେ ରହିଲେ, ଆଉ ଜଣେ ସେପାଖେ ରହିବ। ୟେ ଭୁଲ କହିଲେ, ସେ କହିବ ଠିକ୍। ଆଲୋଚନା କରୁ କରୁ ବହୁଳ ପ୍ରଚାର, ସେଥିରେ ମାଇପଙ୍କ ବିଚାର, ଘରଆଡୁ ନିର୍ଦ୍ଦେଶ ଘେନି ପୁରୁଷଙ୍କ ମତଗଢ଼ା। ହଠାତ୍ ଜଣେ ଆବିଷ୍କାର କରୁଛି, ଆର ଜଣକ କେଡ଼େ ଖରାପ !

ସଞ୍ଜକୁ ଗାଁ ରେ ଦୁଇ ବାଡ଼।

୨୭.୩.୧୯

Tuesday, 26 March 2019

* ଆମ୍ଭ ଗ୍ରାମ ଲୋକେ*

ଅନେକ ଅଛନ୍ତି ଯେଉଁମାନଙ୍କର ନିଜର ମତାମତ ନାହିଁ, ପିଲାକାଳୁ ବଡ଼ ହେବାଯାକେ ଏକପ୍ରକାର ଚଳାଚଳ, ଦରିଦ୍ର ଗାଉଁଲି ଗୃହସ୍ଥପଣରୁ ବଡ଼ତି ହୋଇ ନାହିଁ, ଛିଡ଼ି ନାହିଁ ବି ବେଶୀ, ଏକାପ୍ରକାର ସିଧା ସରୁଗାର, ପରିବର୍ତ୍ତନ ନାହିଁ। ଭାବିବା ଦରକାର ପଡ଼ି ନାହିଁ, ଯାହା ଆସୁ ଭାଗ୍ୟକୁ ଆଦରି କର୍ମର ନାଁ କହି, ଆଖିବୁଜି ଚଳି ଆସିଛନ୍ତି। ଆଉ ପିଲାକାଳୁ ମନ ଭିତରେ ସେଇ ପୁରୁଣା ସଂସ୍କାର ପ୍ରତି ବିଶ୍ବାସ, ବଡ଼ ସାନର ଧାରଣା, ଜାଣି ଜାଣି ହେତୁ ନ କଲେ ବି ମନର ତଳେ ତଳେ। ଅବସ୍ଥା ଚକ୍ରରେ ପଡ଼ି ଏମାନେ ସହଜେ 'ମାଧିଆ ଭାଇ, ସବୁ କଥାକୁ ହୋଇ ହୋଇ।' ଯେ ଆଡ଼େଇ ପାରିଲା ସେମାନେ ତାର ଗୋଠ, ଯେ ମତେଇ ପାରିଲା ଏମାନେ ତା ପଟ। କିନ୍ତୁ ସବୁ ଦିନକୁ ନୁହେଁ, ଏ ବିଷୟରେ ଏମାନଙ୍କର ସ୍ମରଣ ଶକ୍ତି ବେଶୀ ନୁହେଁ। ତେଣୁ ଅତି ଶୀଘ୍ର ପଟ ଓଲଟାନ୍ତି। ସାମାନ୍ୟ କଥାରେ ଅଡ଼ି ବସନ୍ତି। ଓଟାରିବା କଷ୍ଟ ନୁହେଁ, ହୁରୁଡ଼େଇବା ଆହୁରି ସହଜ। ଏମାନେ ରାଜନୈତିକ ଦଳଗଢ଼ାମାନଙ୍କର ଏକାଧାରରେ ଆଶାର ଭୂମି ଓ ହତାଶାର ବାଲିଭୁଷା, ମୁଣ୍ଡ ଗଣତିରେ ମୋଟା ମୋଟି ଏହିମାନେ ହିଁ ଉଭୟ ପକ୍ଷ ପାଇଁ "ଆମ୍ଭ ଗ୍ରାମ ଲୋକେ।"

୨୬.୩.୧୯

Sunday, 24 March 2019

*ସେତେବେଳର ଭାଷଣ*

ସବୁ ତ ମନେ ପଡ଼ି ଯାଉଛି ଭାବି ବସିଲେ, ହେଇ ଲାଗୁଛି କାଲି ପରି ଶୁଭାର୍ଥୀ ସାହୁ ଆସିଥିଲେ। ସେତେବେଳେ ଏ ଚାହାଳି ଘର ନ ଥିଲା। ଗାଁ ମଝି ଦାଣ୍ଡରେ ଲୋକଙ୍କୁ ଜାଗା ହେବ ନାହିଁ ବୋଲି ନଈ ବନ୍ଧ ତଳେ ଝଙ୍କା ବରଗଛ ତଳେ ସଭା ହେଲା ଯେ ଲାଗିଗଲା ଦଣ୍ଡାଏ ଦଣ୍ଡାଏ କାହିଁ ଦୂରକୁ ବୋଲି। ସେ କଣ ଗୋଟାଏ ଗାଁର ଲୋକ ! ସତେ ଯେମିତି ଦୋଳ ମେଳଣ, କେତେ ଚିହ୍ନା ମଣିଷଙ୍କ ସଙ୍ଗେ ଭେଟା ଭେଟି। ବାଡ଼ି ଧରି ଥୁରୁ ଥୁରୁ ବୁଢ଼ା ବୁଢ଼ୀମାନେ, ଛୁଆ କାଖେଇ ମାଇପେ - ଖବର ଚହଳି ଯିବାରୁ ଗଦା ହୋଇପଡ଼ିଲେ କୁଆଡୁ କୁଆଡୁ। ମୁଣ୍ଡ ଉପରୁ ଖରା ଢଳୁ ଢଳୁ ଲାଗିଗଲା ବଡ଼ ସଭା।

ଆଉ ଶୁଭାର୍ଥୀ ସାହୁ କହିଲେ, "ଏହି ପରା ସେହି ପାଟେଳି ଗାଁ, ଯାହା ନାଁ ଚାରିଆଡ଼େ ଲୋକେ କହନ୍ତି ! ଏବେ ବି ଅଛନ୍ତି ଏ  ଗାଁ ଚୌଧୁରୀ ବଂଶ, ଯାହାଙ୍କ ପୂର୍ବ ପୁରୁଷ ଥିଲେ ଯୋଦ୍ଧା, ବୀର, ସେନାପତି। ଆପଣା ପରାକ୍ରମ ଲାଗି ଚୌଧୁରୀ ପଦ ଅର୍ଜି ଥିଲେ। ଦେଶରେ ମୁକ୍ତି ଲାଗି ବକ୍ସି ଜଗବନ୍ଧୁ ଯେତେବେଳେ ଲଢ଼ିଥିଲେ, ସେତେବେଳେ ଚୌଧୁରୀ ବି ଥିଲେ ତାଙ୍କ ସଙ୍ଗରେ। ଜଣେ ନୁହଁନ୍ତି, କେତେ ଗାଁର କେତେ ଚୌଧୁରୀ ଥିଲେ। ଏକା ନ ଥିଲେ, ତାଙ୍କ ସଙ୍ଗେ ସଙ୍ଗେ ଥିଲେ ଏ ଦେଶର ଅଗଣିତ ନରନାରୀ। ଆଜି କଣ ସେ ରକ୍ତ ପାଣି ଫାଟିଗଲା ?

ଆଜି ପୁଣି ସମୟ ଆସିଛି, ହିମାଳୟଠୁ କୁମାରିକା ଯାଏ ସମଗ୍ର ଭାରତ ଚେଇଁ ଉଠିଛି। ଆମେ ଅଳ୍ପ ନୋହୁଁ, ତିରିଶ କୋଟି ମଣିଷ ଆମେ। ଆମ ଦେଶ ଖାଲି ଗୋଟାଏ ପାଟେଳି ଗାଁ କି ଗୋଟାଏ ଓଡ଼ିଶା ନୁହେଁ। ଭାରତବର୍ଷ ଗୋଟାକ ଯାକ ଆମେ ଏକ। ସମସ୍ତେ ଆମେ ଭାଇ ଭାଇ। ଆମ ଭିତରେ ଜାତି ଅଜାତି କିଛି ନାହିଁ। ଏକ ମନ ଏକ ଆତ୍ମା ହୋଇପାରିଲେ ଦଣ୍ଡକେ ସ୍ୱରାଜ୍ୟ ଆମ ହାତ ପାଆନ୍ତାରେ, ଏ ରଥକୁ ରୁହାଇବ ଏଡ଼େ ଶକ୍ତି କାହାର ? ସମସ୍ତେ ଆସ, ଡେଇଁ ପଡ଼ ଏ ଯଜ୍ଞରେ ଭାରତ ସ୍ୱାଧୀନ ହେବ, ବିଦେଶୀ ଦ୍ରବ୍ୟ ଛାଡ଼, ବିଦେଶୀ ମୋହ ଦିଅ କାଟି, ହାତରେ କୁଟି ହାତରେ କାଟି ମୋଟା ଖାଇ ମୋଟା ପିନ୍ଧି ଲାଗିପଡ଼ ସମସ୍ତେ ଦେଶ ସେବାରେ। ଆଉ ତର ସହୁ ନାହିଁ, ନେଡ଼ିଗୁଡ଼ କହୁଣୀକି ଗଡ଼ିଗଲାଣି। କେତେଦିନଯାକେ ବିଦେଶୀ ଗୋଡ଼ ତଳେ ବନ୍ଦୀ ହୋଇ ପଡ଼ିଥିବ ଏ ଦେଶ ?
ଏକ ସ୍ୱରରେ କୁହ ଭାଇ ---

ଭାରତ ମାତା କୀ ଜୟ

୨୫.୩.୧୯

*ସ୍ୱାଧୀନତାର ପ୍ରଚାରକ*

ସେହି ବାର୍ତ୍ତାର ପ୍ରଚାରକ ପରି ଗାଁ ରେ ଆସି ପହଁଚିଲେ ଶୁଭାର୍ଥୀ ସାହୁ। ଡେଙ୍ଗା ମଣିଷ, ଚେକା ବଡ଼ ମୁହଁଟି କେମିତି ଖୋଲା ଖୋଲା ଦିଶେ। ଆଖିରେ ଚଷମା। ମୋଟା ଖଦଡ଼ ପିନ୍ଧି ଆଣ୍ଠୁଏ ଧୂଳି ହୋଇ ଆସି ପହଁଚିଲେ। ତା ଆଗରୁ ଗାଁରେ ଆସି ପହଞ୍ଚିଥିଲା ତାଙ୍କ ନାଆଁର ମହକ। ଏତେ ପାଠ ପଢ଼ିଲେ ଯେ ବହି ଶଗଡ଼ ଶଗଡ଼, ମନ କରିଥିଲେ ସରକାର କେଡ଼େ ବଡ଼ ଚାକିରୀ ନ ଦେଇ ଥାନ୍ତେ ! ପୁଣି କେଡ଼େ ଥିଲା ଘର ପିଲା ! ଜମି ଜମିଦାରୀ କୋଠାବାଡ଼ି ବେଉସା, କାହିଁରେ ଊଣା, ନାଁ ଡାକ ସାହୁ ଘର, ତାଙ୍କ ଘରୁ କିଏ କେତେ ନ ଧାରିଛି, କିଏ କେତେ ନ ଖାଇଛି। ଏହିପରି ତାଙ୍କ ଇଲାକାର ଖାନଦାନ ଘର ସେମାନେ। ଆଉ ଅଇଛା ସବୁ ଛାଡ଼ିଛୁଡ଼ି ଦେଇ ଏଇଥିରେ ମିଶିଛନ୍ତି, ଖାଲି ଚାଲି ଚାଲି ପାଦର ତଳି ଛିଣ୍ଡି ଯାଉଛି, ଖାଇବାକୁ ବଗଡ଼ା ଶୁଣ୍ଠା, ଯେଉଁଠି ଯାହା, ଶୋଇବାକୁ କାହାଘର ପିଣ୍ଡା କି ମେଲା, ସେ କିନ୍ତୁ ନିର୍ବିକାର। ଗାଁ ଲୋକଙ୍କ ସଙ୍ଗେ ଅତି ଆପଣାର ହୋଇ ହସିହସି ମିଶି ଯାଆନ୍ତି, ଯେତେବେଳେ ଦେଖିଲେ ପସନ୍ନ ମୁଁହ, କ୍ଳାନ୍ତି ନାହିଁ, ସତେ ଯେପରିକି ଗାଁର ଧୂଳି ଦେହରେ ବୋଳି ହେଲେ ତାଙ୍କର ଶାନ୍ତି, ଖରାଏ ତରାଏ ବୁଲି ବୁଲିକା ପରର ଉପକାର ପାଇଁ ଦେହଟାକୁ ଘୋରିଦେଲେ ହିଁ ତାଙ୍କର ଆନନ୍ଦ।

ଏମିତି ଖବର ଆଗେ ଆଗେ ଉଡ଼ିଉଡ଼ିକା ଆସିଥିଲା ସେ ନ ଆସୁଣୁ। ବନ୍ଧେ ବନ୍ଧେ ଯେତେବେଳେ ଚାଲିଚାଲିକା ଆସୁଥିଲେ, ଗାଁ ଗାଁକେ ଲୋକେ ବାଉଁଶ ପୋତି ଆମ୍ବପତ୍ର ଆଉ ଫୁଲହାର ଟାଙ୍ଗି ରଖିଥିଲେ, କାମ ବନ୍ଦ କରି ପିଲା ବଡ଼ ସମସ୍ତେ ଆସି ରୁଣ୍ଡ ହୋଇଥିଲେ ତାଙ୍କୁ ଦେଖିବା ପାଇଁ। ଆଖିରେ କଳା ବେଣ୍ଟର ଚଷମା, କପାଳରେ ଭାବୁକତା, ମୁହଁରେ ହସ, ଫୁଙ୍ଗା ଦେହ, ଡେଙ୍ଗା ଲୋକ ଯେପରିକି ତୀଖ ସରଳ ସହଜ ନିର୍ଭୀକ ସତ ବିଚାର ପରି ରୂପ।

ଯେଉଁମାନେ ଆସିଥିଲେ ତାଙ୍କୁ ଦେଖିବା ପାଇଁ, ସେମାନଙ୍କୁ କେହି ଡାକି ନ ଥିଲା, ସେମାନେ ସମସ୍ତେ ଆସିଥିଲେ ସ୍ୱୟଂ ପ୍ରେରଣାରେ।
କୁଳଭୁଆସୁଣୀ ଏକାଠି  ହୁଳହୁଳି ଦେଇଥିଲେ, ହଳଦିମିଶା ଅରୁଆ ଚାଉଳ ଛାଟିଥିଲେ, ଘିଅ ଦୀପ ଜାଳି ବନ୍ଦାପନା କରିଥିଲେ। ଶଙ୍ଖୁଆ ଶଙ୍ଖ ବଜାଇ ଥିଲା, ଢୋଲିଆ ଢୋଲ, ଶୁଭ ମଙ୍ଗଳ ଅନୁଷ୍ଠାନ ପାଇଁ ଯିଏ ଯାହା କରିବା କଥା ସେ ତାହା ହୃଦୟମତ୍ତା ହୋଇ କରିଥିଲେ। ନଈର ଏକର ସେକର କୋଶେ କୋଶେ ଦୂରକୁ ଶୁଭୁଥିଲା ହଜାର ହଜାର କଣ୍ଠରେ ସେଇ ଏକ ଅଭୟ ବାଣୀ, ଚେଇଁ ଉଠିଥିବା ଭାରତର ପ୍ରଥମ ଜୀଅନ୍ତା ଭାଷା --

ଭାରତ ମାତା କୀ ଜୟ।

୨୪.୩.୧୯

Saturday, 23 March 2019

*ଗାନ୍ଧୀ ଯୁଗ*

ଆସିଲା ୧୯୨୧, ୧୯୨୨। ପବନରେ ଉଡ଼ି ଉଡ଼ି ନୂଆ ନାଁ ଆସି କାନରେ ବାଜିଲା - "ମହାତ୍ମା ଗାନ୍ଧୀ"।

ସେ କିଏ ସେ ? ଇଂରେଜ ହିଁ ତ ରାଜା, ବ୍ରିଟିଶ ସରକାର !

ସେ ମହାତ୍ମା, ସେ ଅବତାର। ମାଳିକା କଥା ସତ ହେବ। କଳି ସରିଗଲା। ସତ ଉପୁଜିବ।

"ସ୍ୱରାଜ ଆସିବ। ଭାରତ ସ୍ୱାଧୀନ ହେବ।" ଖେଳିଗଲା ବାର୍ତ୍ତା। କେମିତି ସେ ସ୍ୱରାଜ ? "ଇଂରେଜ ଯିବେ। ନାଲି ପଗଡ଼ି ଆଉ ନାଲି ଆଖି ଆଉ ରହିବ ନାହିଁ। ରହିବ ନାହିଁ ଅନାଚର, ଅତ୍ୟାଚାର, ଶୋଷଣ, ପେଷଣ, ଆପଣା ଭଲ ବିଚାରି ଆପଣା ଦେଶକୁ ଶାସନ କରିବେ ଏ ମଣିଷ। ଆମର ପୁରୁଣା ଆଚାର ବିଚାର, ଧର୍ମ କର୍ମ ପୁଣି ଚଳିବ। ସମସ୍ତେ ସୁଖରେ ଖାଇପିଇ ଚଳିବେ। କାହାରିକି ଦୁଃଖ ପଡ଼ିବ ନାହିଁ। ପୁଣି ପୁରୁଣା ଓଡ଼ିଆ ପାଠ, ସଂସ୍କୃତ ପାଠରେ କାମ ଚାଲିବ। ପୁଣି ଜୀଇଁ ଉଠିବେ ତନ୍ତୀକୁଳ, ଆଉ ଦେଶର ଯେତେ ଶିଳ୍ପୀ କାରିଗର, ପଦାକୁ ପଇସା ଯିବ ନାଇଁ, କାହାରି ଶରଣ ଆମେ ପଶିବୁ ନାଇଁ। ଆମର ଏଡ଼େ ବଡ଼ ଦେଶ। କଣ ନାଇଁ ଏଠି ? ଆମ ଦେଶ ଜିନିଷ ଆମରି ଲୋକଙ୍କ କାମରେ ଲାଗିବ, ବିଦେଶକୁ ବୁହା ହେବ ନାହିଁ। ସମସ୍ତେ ସମସ୍ତିଙ୍କୁ ଅନେଇଁବେ। ଭାଇ ଭାଇ ହୋଇ ଚଳିବେ। ୟାର ନ ଥିଲେ ସେ ଦେବ। ତା'ର ନ ଥିଲେ ୟେ। ମଣିଷକୁ କେହି ଦୂର୍ ଦୂର୍ କରିବେ ନାହିଁ। ଛୁଆଁ ଅଛୁଆଁ ରହିବ ନାହିଁ। ମାଲିକ ମୂଲିଆ ରହିବ ନାହିଁ। ବାବୁ ଚାକର ରହିବ ନାହିଁ। ସମସ୍ତେ ସତ କହିବେ, ସତ ଭାବିବେ, ପରସ୍ପରଙ୍କୁ ଭଲ ପାଇବେ, ଦିଆଘେନା କରିବେ, ଆଦର କରିବେ। ସମସ୍ତେ କାମ କରିବେ, ଖାଇବେ। କେହି ଆମକୁ ଡରେଇବେ ନାହିଁ, ଲୁଟିବେ ନାହିଁ, ବେଠି ଖଟେଇବେ ନାହିଁ, କାହା ଦୁଆରେ ଯାଇ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ିବ ନାହିଁ। ଏଇ ତ ସ୍ୱରାଜ ?"

ଘଷି ପାରୁଛି କାଣୀ ବୁଢ଼ୀ, ସେ ବି ଜାଣେ। ଜାଣନ୍ତି ସମସ୍ତେ, ଚଷା ମୂଲିଆ, ଜମିଦାର ଦୋକାନୀ। ଗାଁ ଚୌକିଆ ପୋଷାକ ପିନ୍ଧି ଥାନାରେ ଡିଉଟି କଲାବେଳେ ମନେ ମନେ ଭାବେ, "କେବେ ୟେ ଯିବେ ! ଦିନ ତ ହୋଇଗଲା। ମହାତ୍ମା ଆସିଗଲେ।"

ହାଟରେ ବାଟରେ ଭାଗବତ ଟୁଙ୍ଗୀରେ ପଶା ଖେଳ ପାଖରେ ସମସ୍ତିଙ୍କ ମୁହଁରେ ସେଇ ଗୋଟିଏ କଥା, "କଳିଯୁଗ ସରିଗଲା, ଗାନ୍ଧିଯୁଗ ଆସିଗଲା।"

୨୩.୩.୧୯

Friday, 22 March 2019

*ପୁଅର ଇତିହାସ ପାଠ*

ଖାଲି ଇଂରାଜୀ ବିଷୟ ନୁହେଁ, ଅନେକ ପାଠ ତାକୁ ଅଦରକାରୀ ବୋଲି ଲାଗେ। ଯେପରି ଇତିହାସ। ଏତେ ରାଜା, ଏତେ ଲଢ଼େଇ, ଏତେଗୁଡ଼ାଏ ତାରିଖ,  ଏତେ ଘଟନା। ଘୋଷିଲେ ମୁଣ୍ଡ ବଥାଏ। ଆଲଫ୍ରେଡ଼ ଠୁ ଆଉରଙ୍ଗଜେବ।

ଭାବେ କିଏ କାହାର ? କିଏ ସ୍ଥିର ? ଭାବେ ୟେ ତ ଗଲା ବଡ଼ ଲୋକଙ୍କ କାହାଣୀ, ଗରିବର କାହିଁ ? ପାଠ ବହିର ଇତିହାସ କହେ ଗୋଟାଏ ଯୁଗରେ  ଗୋଟାଏ ରଜାର କଥା। ଆଉ ସବୁ ମଣିଷଙ୍କ ଭଲ ମନ୍ଦର କଥା ଗଲା କୁଆଡ଼େ ? ସେତେବେଳେ ପିଲାଏ କେମିତି ପାଠ ପଢୁଥିଲେ ? ଲୋକେ କେମିତି ରହୁଥିଲେ ? କଣ ଖାଉଥିଲେ ? କି କାମ କରୁଥିଲେ ? କେମିତି ଚଳୁଥିଲେ ? ଗାଈ ଗୋରୁ ବାରିବଗିଚା ଅବସ୍ଥା ଥିଲା କେମିତି ? ଲୋକେ କି ପ୍ରକାରେ ହରବର ହେଉଥିଲେ ? ପୁଣି ଭଲ ବା ହେଉଥିଲେ କେମିତି ?

ଡରି ଡରି ସାଙ୍ଗ ପଢୁଆଙ୍କ ଦ୍ୱାରା କ୍ଲାସରେ ଥରେ ପଚରାଇ ଥିଲା।
ମୌର୍ଯ୍ୟ ଶାସନପଦ୍ଧତି ପଢ଼ା ହେଲା ବେଳେ ସେ କ୍ଲାସରେ ପଚରାଇଥିଲା ଯେ ସେ କାଳରେ ଗାଁ ଲୋକମାନେ କି କି ପୁଣ୍ୟପର୍ବ ପାଳନ କରୁଥିଲେ ? କି ପ୍ରକାର ପିଠା ପଣା କରୁଥିଲେ ?

ତା ପ୍ରଶ୍ନରେ ସମସ୍ତେ ହସିଥିଲେ। ଶିକ୍ଷକ ଭାବିଲେ ସେ ବଗୁଲିଆମୀ କରୁଛି। କୁତୁହଳ ଦେଖାଇ ସେ ତା ବଦଳରେ ଗାଳି ଖାଇଥିଲା।

ବିଧି ରକ୍ଷାକରି ପାଠ ଘୋଷିଯାଏ, କିନ୍ତୁ ଯେତେବେଳେ ଭାବେ ଅନ୍ୟ କଥା, ଯେପରି କୁଳିଆ ବଢ଼େଇ ବିଷୟରେ। ଜରରେ କତରାଲଗା ହୋଇ ପୁଣି ଉଠିପଡ଼ି ନିହାଣ ବାରିସି ଧରି ସେ ମୂଲ ପାଇଁ ଧାଇଁଛି। ଶିର ଦଉଡ଼ି ବଳା ହାତ ହେଲେ କଣ ହେଲା, ବଡ଼ ସୁତୁରା ତା କାମ। ଆଗେ ପରା ବଢ଼େଈକୁଳ ଏମିତି  ବୋଇତ ଗଢ଼ି ଦେଉଥିଲେ ଯେ ସେଥିରେ ହାତୀ ଵୋଝେଇ ହୋଇ ବିଦେଶକୁ ଯାଉଥିଲେ ବିକ୍ରି ହେବାକୁ। ଆଉ ପଥରରେ କାରିଗରୀ ଦେଖାଇ ଦେଉଳ ଦେହରେ ଛୁଞ୍ଚି କାମ କରୁଥିଲେ ପରା। ସେ ବେଳରୁ କୁଳିଆ ବଢ଼େଇ ଯାକେ କେତେ ପାହାଚ  ?

ଏଇ ଲୋକେ ଜାହାଜ ଚଢ଼ି ଏତେ ଦେଶ ବିଦେଶ ବୁଲୁଥିଲେ, ଏତେ ବଡ଼ ବଡ଼ କାମ କରୁଥିଲେ। ସେତେବେଳେ ତାଙ୍କ ଚଳଣି କଣ ଏମିତି ହୋଇଥିଲା ? ନା ଥିଲା ଆଉ ଭିନେ କିଛି ? କୁଆଡ଼େ ଗଲା ସେସବୁ ଚଳଣୀ ? କୁଆଡ଼େ ଗଲେ ସେକାଳ ମଣିଷ ସେହି ଯେଉଁମାନେ ପହିଲମାନ ପରି ହୋଇଥିଲେ --- ପାଞ୍ଚହତା ଭେଣ୍ଡାମାନେ, ଦେଉଳ ଚିତ୍ର ମାନଙ୍କରେ ଯାହାଙ୍କ ଛବି ମାଳ ମାଳ।

ନା ସେ ସବୁ ଚିତ୍ର କଣ ଖାଲି ଶିଳ୍ପୀର କଳ୍ପନା ! ଖାଲି ମନଗଢ଼ା ଛବି ସବୁ ! ବୁଢ଼ା ବୁଢ଼ୀଙ୍କ ହାଡ଼ର ଛାଞ୍ଚ ଆଉ ଆଡ଼ା ଟୋକାଟୋକୀଙ୍କଠି ଆଉ ନାହିଁ। ଉପଯୁକ୍ତ ଖାଦ୍ୟ ନ ପାଇ ଲୋକେ ବଢ଼ି ପାରୁ ନାହାନ୍ତି, ଶୁଖିଲା ସେମେଟା ହୋଇଯାଉଛନ୍ତି। ବେମାରୀ ଦାଉରେ ଗଜା ଭେଣ୍ଡିଆ ମାଟି କାମୁଡୁଛନ୍ତି। ଭାଉ ବଢୁଛି। ଦୁଧରେ ଖଡ଼ି ଆଉ ପାଣି, ଘିଅ ପରିବର୍ତ୍ତେ ଘାସଘିଅ, ସୋରିଷ ତେଲରେ ଅଗରା ମଞ୍ଜି ତେଲ, ମହୁରେ ଆଉଟା ଗୁଡ଼ପାଣି, ଚାଉଳ ଯେ ସେ କଳକୁଟା - ସାର ଚାଂଛି ହୋଇ ଚାଲିଯାଇଛି, କେଡ଼େ କଷ୍ଟରେ ଜୀଉଣା ମଣିଷଙ୍କର ! ଆଉ ଅଭାବ ସାଙ୍ଗକୁ ଅଶାନ୍ତି ଓ ରୋଗ। ସତେ କି ମଣିଷ ଜୀବନରୁ ସୁଖ ସରି ସରି ଆସୁଛି। ଆଉ ଏଥିରେ ପଢୁଥିବ ସେ ତା'ର ପାଠ -- ସାହିତ୍ୟ, ଇତିହାସ। କଥା କହି ଶିଖୁଥିବ, ଇଂରେଜୀ ଓ ଓଡ଼ିଆ ଭାଷା ଚିକଣେଇ ଚିକଣେଇ ଲେଖି ଶିଖୁଥିବ। କାହା ଦୁଃଖ ଯିବ ସେଥିରେ ?

୨୨.୩.୧୯

Thursday, 21 March 2019

*ପୁତ୍ର ପାଠ ପଢ଼ିଲା*

ପୁଅ ଭାବୁଛି ଇଂରାଜୀ ପାଠ ପଢ଼ିବା ଘୋଷିବା ଯେପରି ଏକ ଅକାମୀ ବୋଝ। ପୃଥିବୀରେ ଏତେ ଭାଷା, ସବୁ କଣ ସେ ଶିଖିବ ?
ଦେଶଯାକ ଏତେ ଲୋକ ଅଛନ୍ତି, ସେଥିରୁ କେତେଜଣ ଇଂରାଜୀ ଜାଣନ୍ତି ? ଭଲ ଇଂରେଜୀ ପଢ଼ିଲେ ବହୁତ କଥା ଜାଣିପାରିବ ବୋଲି କ୍ଲାସରେ ତାକୁ ଶିକ୍ଷକ କୁହନ୍ତି। ସେ ମନକୁ ମନ ପଚାରି ହୁଏ ଏତେ ଗୁଡ଼େ ବହି ସେ ପଢ଼ିବ କେତେବେଳେ ? ସେ ଭାବେ ଶବ୍ଦ ଗୁଡ଼ା କଣ ଅନୁବାଦ କରି ହୁଏ ? ଖାଲି ଠାସକୁ ମାରିବା କଥା, ନ ହେଲେ କେଉଁ ସାହେବ ଭାତ ରାନ୍ଧେ କି ଭାତ ଖାଏ ଯେ ରାଇସ କହିଲେ ଆମେ ଯାହାକୁ ଭାତ ବୋଲି କହୁଁ ସେ ତାକୁ କାହୁଁ ବୁଝିବ ? ଚାଉଳ ବଛା, ଚାଉଳ ପାଛୁରା, ଚାଉଳ ଧୂଆ, ହାଣ୍ଡି ବସା, ଚାଉଳ ପକା, ଭାତ ଗଳା, ଏତେ କାମ ସରିଲେ ହାଣ୍ଡି ଭିତରେ ଚାଉଳ ଦୋଟି ଫୁଟି ରହେ, ରାଇସ ବୋଲି କହିଦେଲେ ବୁଝାଇବ ଏତେ କଥା ?  ଟେମ୍ସ ନଈର ପୋଲ କି ଡେଜି ଫୁଲ ବିଷୟରେ କବିତା ତା ମନରେ କିଛି ଉନ୍ମାଦନା ଆଣେ ନାହିଁ। ଓଲଟି ଇଂରେଜୀ ପଢ଼ିବାକୁ ବସିଲେ ସେ ଭାବେ ଇଂରେଜ ଅମଳ କଥା, ପରାଧୀନତା, ସ୍ୱାଧୀନତା ଆନ୍ଦୋଳନ, ଦମନ ଓ ଅତ୍ୟାଚାରର କାହାଣୀ, ସ୍ୱାଧୀନତା --- ଏହିପରି କେତେ କଥା। ଇଂରେଜୀ ପଢ଼ା ଲାଗେ ଯେପରିକି ଜାତୀୟ ଚେତନାରେ ପୁରୁଣା ଖଣ୍ଡିଆ ଦାଗ ପରି, ଖୋଳପା ତଳେ ଶୁଖି ନାହିଁ। ଶୁଖିଥିଲେ ବି ନାଲିଆ ଚିହ୍ନଟା ରହିଛି ସେହିପରି। କାନ୍ଥରୁ ଇଂରେଜ ରାଜା ରାଣୀର ଫଟୋ କାଢ଼ି ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗେଇଦେଲେ କଣ ଆମେ ସ୍ୱାଧୀନ ହୋଇଗଲେ ? ଇଂରେଜ ପରମ୍ପରା ତ ତୁଟି ନାହିଁ। ଇଂରେଜୀ ଭାଷା ଇଂରେଜ ପରମ୍ପରାକୁ ମନେ ପକାଇଦିଏ। ପରାଧୀନ ଭାରତର ଏକ ଲଜ୍ୟାକର ପରିଚ୍ଛେଦ କଥା ମନେ ପକାଇଦିଏ। ଏହା ଶିକ୍ଷା ଦିଏ ଯେ ଏକ ବିଜେତାର ଭାଷା ଇଂରେଜୀ। ଇଂରେଜ ଲୋକମାନେ ବୋଧହୁଏ ଅତିମାନବ। ତାଙ୍କ ଦେଶ ସତେ ଯେମିତି ଏକ ସ୍ୱର୍ଗପୁରୀ।

ଛି, ଏଗୁଡ଼ା ସବୁ କଞ୍ଚା ମିଛ।

୨୦.୩, ୨୧.୩.୧୯

Tuesday, 19 March 2019

*ଇଂରାଜୀ ମାଧ୍ୟମର ପରିଣାମ*

ବାପା - ଆପଣ ଯାହା କହିଲେ ଏ ସବୁ ସାକ୍ଷାତ୍ ଆର୍ଯ୍ୟ ସତ୍ୟ। ତେବେ ଏ ନୀତି କଥା ତ ସବୁ ବିଦ୍ୟାକୁ ପ୍ରଯୁଜ୍ୟ। ଇଂରେଜୀ ଭାଷାର ଆଉ ଅଧିକା ଦୋଷ କଣ ?

ଜେଜେ - ହଁ, ଇଂରେଜୀ ବି ମଣିଷଙ୍କର ଭାଷା। ସେ ବି ଆମ ଭାଷା ହୋଇପାରିଥାନ୍ତା। ମୁଁ ଭାଷା ବିବାଦୀ ନୁହେଁ। ତେବେ ସେ ଭାଷା ପଢ଼ିଲେ ଆମ ପିଲାଏ ସେଇବାଟେ ତାଙ୍କ ସମାଜ ନୀତି କଥା ଶିଖିବେ। ସେମାନେ ବେଶୀ ଯୁଗର ଲୋକ ନୁହଁନ୍ତି, କାହିଁ ମହାଭାରତରେ ତାଙ୍କ କଥା ନାହିଁ ତ ? ହଁ, ରୁଦ୍ରା ନଦୀ ଆରପାରି ଥୋଡ଼ାଏ ଅନାଚାରୀ ଲୋକଙ୍କ କଥା ସାରଳା ଦାସେ ଲେଖିଛନ୍ତି, ସେଇ ଯେଉଁମାନେ ଅଭକ୍ଷ ଖାଉଥିଲେ, ଅଗମ୍ୟକୁ ଯାଉଥିଲେ, ଶାସ୍ତ୍ରୀୟ ଆଚାର ଯେଉଁଟା ଠିକ୍ ତାର ଓଲଟାଟା କରୁଥିଲେ। ତେଣୁ ସେମାନଙ୍କ ଆଚାରଟା ଆମର ନୁହେଁ।

ଶେଷ ଚେଷ୍ଟା କରି ବାପା କହିଥିଲେ - ଇଂରେଜଙ୍କ ଭିତରେ ବି କେତେ ଭଲ ମଣିଷ ଅଛନ୍ତି, କେତେ ସାଧୁ ସନ୍ଥ ଅଛନ୍ତି, ଅନାଚାରୀ କଣ ସମସ୍ତେ ? ସେମାନେ ଏବେ ତ ରାଜା ଜାତି; ଲୋକେ ତାଙ୍କୁଇ  କହୁଚନ୍ତି ସେଇମାନେ ବେଶୀ ସଭ୍ୟ, ବେଶୀ ଶିକ୍ଷିତ। ହଁ, ଆମେ କେବେ ବେଶୀ ଶିକ୍ଷିତ ହୋଇଥିଲେ, କିନ୍ତୁ ଏବେ ତ ସେମାନେ ସବୁଠୁ ବେଶୀ ଶିକ୍ଷିତ। ତାଙ୍କ ବିଦ୍ୟା ପଢ଼ିଲେ ମଣିଷର ଆଖି ଫିଟିଯିବ।

ଜେଜେ ପୂରା ଗମ୍ଭୀର ହୋଇଗଲେ ଏବଂ କହିଲେ -
ଫିଟିଯିବ ନା ଫୁଟିଯିବ କିଏ କହିବ ? ଭଲ ମଣିଷ ସାଧୁ ବାବା ତାଙ୍କ ଭିତରେ ବି ଥିବେ, ସେମାନେ ସବୁ ଜାତିରେ ଅଛନ୍ତି। ତେବେ ତାଙ୍କର ସେଇ ଭଲ ମଣିଷମାନେ ସାଧୁ ସନ୍ଥମାନେ କଣ ଏକଥା କହି ଏଇମାନଙ୍କୁ ପଠାଇଛନ୍ତି ଯେ ତେମେ ଯାଇ ସାତ ସମୁଦ୍ର ତେର ନଈ ଡେଇଁ ପରଦେଶରେ ମଣିଷମରା, ଘରପୋଡ଼ା ଲଗେଇ ଦେଶ ଦଖଲ କରି ଭାଲୁଶୋଷା ଚଳେଇ ଦିଅ। ତନ୍ତୀଙ୍କ ବୁଢ଼ା ଆଙ୍ଗୁଠି କାଟି ଦିଅ, ମଣିଷଙ୍କୁ କଲବଲ କରି ମାରିଦିଅ, ଲୁଣ ଉପରେ ବି ପାନୁ ବସେଇଦିଅ, ଖଜଣାକୁ ପାଞ୍ଚଗୁଣ ବଢ଼େଇ ଦିଅ, ଗୋରୁ ମାର, ଚଢ଼େଇ ମାର, ଯାହା ଦେଖ ତାହା ମାର, ଘୋଡ଼ା ବୁଢ଼ା ହୋଇଗଲା - ଦିଅ ତାକୁ ଗୁଳିକରି। କୁକୁର ଛୁଆ ପଲେ ହୋଇଗଲେ, ଦିଅ ତାଙ୍କୁ ଗୋଟି ଗୋଟି କରି ଗରମ ପାଣିରେ ପକାଇ ମାର, ଓଃ,  କି ଦୟା ସେମାନଙ୍କର !

ବାପା - ଯେ ଯେଉଁ କାମ କରିବ ସେ ତା ଫଳ ପାଇବ। ପାଠରେ କଣ ଲେଖା ହୋଇଛି ଅକଥା କରିବୁ ?

ଜେଜେ - କଣ ଲେଖା ହେଇଚି ଯେ ପଢ଼ିବ ସେ ଜାଣିବ, ତେବେ ତାଙ୍କ ଧାରଣାଟା କେମିତି ଭିନେ ରକମର ଲାଗୁଚି, ସେଥିରେ ଆମ ଏଠା ପରି ତ୍ୟାଗ ତପସ୍ୟା ଆଚାର ବିଚାରର ଜୟଜୟକାର ନାହିଁ, ପାଇସାବାଲାର ଜୟଜୟକାର, ପଇସାକୁ ସେମାନେ ଆଗ ଚିହ୍ନନ୍ତି, ସେଇଥିପାଇଁ ବୋଇତ ଚଢ଼ି ଏ ଦେଶକୁ ଆସିଲେ, ହାଣକଟା କୂଟ କପଟ କଲେ, ତନ୍ତୀଙ୍କ ଆଙ୍ଗୁଠି କାଟିଲେ। ସେଇଥିପାଇଁ ବାହା ହେଲା ପୁଅ ବାପା ମାଆଙ୍କ ଠୁ ଭିନେ ହୁଏ। ଆଗ ନିଜ ସ୍ୱାର୍ଥ, ନିଜ ସୁଖ, ଆପଣା ବାପା ମା ବି କେହି ନୁହଁନ୍ତି। କେହି କାହାର ସହେ ନାହିଁ, ମନ ନ ମାନିଲେ ମାଇପ ଘଇତାକୁ ଛାଡ଼ି ଚାଲିଯାଏ, ନୂଆ ଘର କରେ। ପାଞ୍ଚ ପତି ବଞ୍ଚି ଥିଲେ ବି ପୁଣି ପଞ୍ଚମ ଜଣକ ଘର ଭାଙ୍ଗିଦେଇ ଆଉ ଜଣେ ଷଷ୍ଠ ସ୍ୱାମୀ ଗ୍ରହଣ କରିବା ତାଙ୍କ ସମାଜରେ ଅତି ସାଧାରଣ କଥା। ଆମର ଯଦି ଲୁଚେଇ ହେଲେ ଆନନ୍ଦ, ତାଙ୍କ  ଆନନ୍ଦ ଦେଖେଇ ହବାରେ, ପୋଷାକ ସେମିତି, ବେଶ ସେମିତି, ଆଚାର ସେମିତି। ସେ ଯେଉଁ ଲୋକ ଦେଖାଣି କୁଣ୍ଢାକୁଣ୍ଢି ଵୋକ ଦିଆଦେଇ, ମଣିଷ ଭାବିବ କଣ ନା ୟାଙ୍କର ପାଣି ଗଳୁ ନାହିଁ। ଏଣେ ସ୍ୱାମୀ ସ୍ତ୍ରୀ ମୁହଁ ଚାହାଁ ଚାହିଁ ହେବେ ନାହିଁ, ଆଉ ଟିକିଏ ଗଲେ ଛୁଆଙ୍କୁ ପଠାଇ ଦେବେ କୁଆଡ଼େ ନାଇଁ କୁଆଡ଼େ। ବୁଢ଼ା ବୁଢ଼ିଙ୍କି ଅଲଗା କରିଦେବେ, ଏମିତିଆ ତ, ଖାଲି ଆପଣା ସାର୍ଥିକା ଜୀଉଣା, ସେଠି ଦାଦି ପୁତୁରା, ମାମୁ ଭଣଜା, ମାଉସୀ ଝିଆରୀ, ଶାଶୁ ଶ୍ୱଶୁର, ନେତାଗୋତା, ଅଳିଆ ବାଳିଆ ହୋଇ ଛନ୍ଦାଛନ୍ଦି ସ୍ନେହ ପ୍ରୀତିର ଘରକରଣା କାହିଁ ?

ସମସ୍ତେ ଜାଣନ୍ତି ପାଞ୍ଚ ଆଙ୍ଗୁଠି ସମାନ ନୁହେଁ, ଦେଶ କେ ଫାଙ୍କ୍ ନଈ କେ ବାଙ୍କ୍, ମଣିଷଙ୍କ ଆଚାର ବିଚାର ଭିନେ ହୋଇଥିବ। ତାଙ୍କ ଆଚାର ବିଚାରରେ ସେ ଚଳି ଆସିଛନ୍ତି, ସେଭଳି ଧରଣ ତାଙ୍କୁ ଆରେଇ ଯାଇଛି।

ତେବେ ଆମର ପରା ଆଉ ପ୍ରକାରେ ଚଳି ଆସିଛି କେଉଁ ଅନାଦି କାଳରୁ, ତାଙ୍କଟାକୁ ଶିଖିଲେ ଆମରଟା ଭାଙ୍ଗି ଚୁନା ହୋଇଯିବ ଯେ, ତାକୁ ଯୋଡ଼ିବ କିଏ ? ସାହେବଙ୍କ ପଛରେ ଗୋଡ଼ାଣିଆ ହୋଇ ଧାଇଁଲେ ଯେଉଁ ଧନ ମିଳିବ, କ୍ଷମତା ମିଳିବ, ତା ବଦଳରେ ମୂଲ ଦେବାକୁ ପଡ଼ିବ ଖାଲି କଣ ତାଙ୍କ ଭାଷା ଶିଖିକି  ମୁଣା ଓ ଓଲଟା ପଲମ ପରି ଟୋପର ପୋଷାକ ପିନ୍ଧି ?
ନାଇଁ ମୂଲ ଦେବାକୁ ପଡ଼ିବ ଆପଣା ଆଚାର, ବିଚାର, ଧର୍ମ, ସମାଜ ସବୁ ନିଆଁରେ ଆହୁତି ଦେଇ। ଖାଲି କଣ ଚୁଟି ମାଳି, ଖାଲି ଏ ବେଶ ଚାଲିଯିବ ଭାବିଛ ପିଲେ, ବିଚାରଟା ଚାଲି ଯିବରେ, ଏ ଷାଠିଏ ପ୍ରାଣୀ କୁଟୁମ୍ବଙ୍କ କୋଠାଘର ଏ ସନାତନ ସମାଜ ଯେଉଁଠି ଏକା ଡୋରରେ ସମସ୍ତେ ଛନ୍ଦାଛନ୍ଦି ସେଇଟା ଭାଙ୍ଗି ଧୂଳିସାତ୍ ହୋଇଯିବ।
ଇଂରେଜୀ ପଢୁଆ ଟୋକାଏ ଆପଣା ଆପଣା ଭାରିଯାଟିମାନଙ୍କ ହାତ ଧରି ଏରୁଣ୍ଡି ଟପି ସାହବ ହବାକୁ ବିଦେଶକୁ ଚାଲିଯିବେ। ଖାଲି ଆପଣା ପେଟ ପୋଷିବା ହେବ ତାଙ୍କ ଜୀବନର ଉଦ୍ଦେଶ୍ୟ। ତାଙ୍କ ଠଁ ଦେଖିବେ, ଆପେ ସେଇଆ ହେବେ, ଚମଡ଼ା ଆଉ ଭାଷା ଛଡ଼ା ଆଉ ସବୁଥିରେ ସାହବ ପାଲଟିଯିବେ। ଧନ ପାଆନ୍ତୁ, କ୍ଷମତା ପାଆନ୍ତୁ, ମନଟା ତ ଯିବ, ଖାଲି ଆପଣା ସାର୍ଥିକା ପେଟବିକଳିଆ ପଲେ ଗାଁ ଛାଡ଼ି ସହରରେ କିଲିବିଲି ହେଉଥିବେ, ଆମକୁ ବଡ଼ ବଡୁଆ ବୋଲି ପାଣି ଆଞ୍ଜୁଳାଏ ଦବ କିଏରେ ? ଦରକାର ନାଇଁ ଆମର ସେ ପାଠ, ଆଉ ସେ କଥା ଉଠାନା, ଛି---।

(ଇଏ ଆମ ଓଡ଼ିଆ ସାହିତ୍ୟିକ, ଯିଏ ଭବିଷ୍ୟତକୁ ନିର୍ଭୁଲ ଭାବେ ଚେତେଇ ଦେଇଥିଲେ। ଯେଉଁମାନେ ଏହାକୁ ନ ମାନିଲେ ସେମାନଙ୍କ ଅବସ୍ଥା କଣ ହୋଇଛି, ଆମେ ଆମ ଆଖି ଆଗରେ ଦେଖୁଛେ।)

୧୯.୩.୧୯