Sunday, 30 June 2019

*ସତ୍ୟ ପଥରେ ବିନୋଦ*

ଆର ଦିନ ସକାଳେ ବିନୋଦ ରିପୋର୍ଟ ଲେଖିଲା। ଯାହା ଯାହା ସେ ଦେଖିଲା, ଶୁଣିଲା ସବୁ ସଂକ୍ଷେପରେ ସେ ଲେଖିଲା। ନକ୍ସା କାଟି ବସ୍ତି, ମନ୍ଦିର, ରାସ୍ତା ଯୋଡ଼ିକ ସେଥିରେ ଦେଖାଇଲା। ରିପୋର୍ଟରେ ସେ ଲେଖିଲା ଯେ, ଦଶ ବାର ବର୍ଷ ହେଲା ଦି ଟା ଦଳ ହୋଇ ବହୁତ ମାଡ଼ ଫୌଜଦାରୀ ମାଲିମକଦ୍ଦମା ହେଲାଣି, ତଥାପି ଦୁଇ ଠାକୁରଙ୍କର ବର୍ଷିକିଆ ଯାତ୍ରା ହୁଏ। ଏ ବର୍ଷ ଗୋପୀନାଥ ଠାକୁରଙ୍କ ଯାତ୍ରା ବେଳେ ଗଣ୍ଡଗୋଳ ହେବାର ପୂରା ଆଶଙ୍କା ରହିଛି, ତା'ର କାରଣ ସମ୍ଭବତଃ ଗଣ୍ଡଗୋଳ ତେଜିବା ଉଦ୍ଦେଶ୍ୟ ଥାଇ ଗୋପୀନାଥ ଦଳ ତାଙ୍କ ଠାକୁରଙ୍କୁ ରଘୁନାଥ ଦଳଙ୍କ ବସ୍ତିର ଅନ୍ଧି ସନ୍ଧି ବାଟେ ବୁଲେଇ ବଙ୍କେଇ ପଟୁଆର କରି ନେବାକୁ ଚାହାନ୍ତି, ଯଦିଚ ଗୋପୀନାଥ ମନ୍ଦିରରୁ ଯାତ୍ରାପଡ଼ିଆଯାକେ ସିଧା ଫାଙ୍କା ଫର୍ଚ୍ଚା ହୋଇ ଅନ୍ୟ ରାସ୍ତା ଅଛି, ପୂର୍ବେ ସେହିବାଟେ ସେହି ଠାକୁର ଯାଉଥିଲେ ବୋଲି ରଘୁନାଥ ଦଳର ଲୋକେ ଓ  କେହି କେହି  ଅନ୍ୟମାନେ ବି କହୁଛନ୍ତି, କିନ୍ତୁ ପୋଲିସ ପୂର୍ବ ବର୍ଷର କାଗଜ କାଢ଼ି ନାହାନ୍ତି କି ସେ ବିଷୟରେ କିଛି କହୁ ନାହାନ୍ତି, ଓଲଟି ଗୋପୀନାଥ ଦଳର ଲୋକଙ୍କୁ ରଘୁନାଥ ଦଳିଆଙ୍କ ସାହିର ସଂକୀର୍ଣ୍ଣ ଗଳିବାଟେ ଠାକୁର ନେବାକୁ ଲାଇସେନ୍ସ ଦେଇଛନ୍ତି।

ବିନୋଦ ସୁପାରିଶ କଲା ଏ ପରିସ୍ଥିତିରେ ଯାତ୍ରା ପାଇଁ ଅନୁମତି ନ ଦିଆଯାଉ। କାରଣ ଶୁଣିବାକୁ ମିଳିଲା ଗୋପୀନାଥ ଦଳ ବାହାରୁ ଦଳେ ଗୁଣ୍ଡାଙ୍କୁ ଡାକି ଗଣ୍ଡଗୋଳ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ପୋଲିସ ଆଉ ନିରପେକ୍ଷ ହୋଇ ରହି ନାହିଁ, ଗୋପୀନାଥ ଦଳର ବୋଲି ତାଙ୍କ ସ୍ଵଭାଵ କଥା ଭାଷା ସବୁ ହୋଇଯାଇଛି। ଗୋପୀନାଥ ଦଳର ଜଣକ ବଗିଚାରେ ସେମାନେ ନ ରହନ୍ତୁ। ସେମାନେ ନିରପେକ୍ଷ ହେବା ଦରକାର। ସାଧାରଣ ଗ୍ରାମବାସୀଙ୍କ ବିଶ୍ୱାସଭାଜନ ହେବା ଦରକାର।

ସେ ପୁଣି ଲେଖିଲା ଯେ ଗାଁ ଭିତରର କଳି ଗାଁରେ ଆପୋଷ ବୁଝାମଣାରେ ସମାଧାନ କରିଦେବା ଦରକାର। ନ ହେଲେ ରକ୍ତପାତ ହେବାର, ଧନ ଜୀବନ ହାନି ହେବାର ସମ୍ଭାବନାକୁ ଆଡ଼େଇ ଦେଇ ହେବ ନାହିଁ।

ନିଜେ ବସି ରିପୋର୍ଟର ତିନି କିତା ସେ ଟାଇପ କରାଇ କିତାଏ ଡାକରେ କଲେକ୍ଟରଙ୍କ ପାଖକୁ, କିତାଏ ନିଜ ପାଇଁ ରଖିଲା ଏବଂ ଆଉ କିତାଏ ଏସ ଡି ଓ ଙ୍କ ପାଖକୁ ପଠାଇ ଦେଲା।

ଏତିକି ବେଳେ ତାର ମନେ ପଡ଼ିଲା ରାଘବ ଚୌଧୁରୀଙ୍କ କଥା। ସେ କହିଥିଲେ ମୋତେ ନ ଦେଖାଇ ରିପୋର୍ଟ ପଠାଇବ ନାହିଁ। ଆମେ ଦୁହେଁ ମିଶି ଏମିତି ରିପୋର୍ଟ ଲେଖିଦେବା ଯେପରି ରଘୁନାଥ ଦଳରେ ଥିବା ଦୁଷ୍ଟ ଲୋକେ ସାଧ୍ୟ ହେବେ।

ବିନୋଦ ହସି ଦେଲା।

୩୦.୬.୧୯

Saturday, 29 June 2019

*ରକ୍ଷକ ଯେଉଁଠି ଭକ୍ଷକ ସାଜେ*

ବିନୋଦ କହିଲା, "ଦେଖ ବାବା, ଏଠି ଏମିତି କଳି ଗୋଳ କଲେ ଇନକ୍ୱାରୀ ବନ୍ଦ ରହିବ, କାହାର କିଛି ମଙ୍ଗଳ ହେବ ନାହିଁ।

ସେମାନେ ତୁନି ହେଲେ।

ବିନୋଦ କହିଲା, "ଚାଲ ଏବେ ଯିବା ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ଦୁଆରମୁହଁକୁ। ସେଠାରୁ ମୋତେ ଯାତ୍ରା ପଡ଼ିଆକୁ ନେଇଯିବ।"

ମନ୍ଦିର ଦୁଆରମୁହଁରେ ପହଞ୍ଚିବା ପରେ ଲୋକେ କହିଲେ ଆଜ୍ଞା ଆସନ୍ତୁ ମନ୍ଦିର ଭିତରକୁ। ବିନୋଦ ମନାକଲା କହିଲା, ଆଗେ ଠାକୁରଙ୍କ କାମ, ତା'ପରେ ଦର୍ଶନ।

ଆଗ ମୋତେ ଦେଖାନ୍ତୁ କେଉଁବାଟେ ଠାକୁରଙ୍କୁ ବାଟ କଢ଼ାଇ ନେବେ। ଦୁଇ ଦଳର ଲୋକେ ଆଗେ ଆଗେ ଚାଲିଲେ। ଦୁଇଟି ସାହି ଯିବାପରେ ଆସିଲା ଓସାର ଦାଣ୍ଡ। ବଡ଼ ବଡ଼ ଘର। ଗୋପୀନାଥ ସାହିର ଲୋକମାନଙ୍କ ଭିତରୁ ଯାହା ଘର ପଡୁଥାଏ ସେ ଡାକୁଥାଏ,  ଆମ ଘରେ ଟିକେ ହଜୁରଙ୍କ ପାଦ ପଡୁ। ବିନୋଦ ମନା କରି ଦେଇ ଆଗକୁ ଚାଲୁଥାଏ। ବଡ଼ ଓସାର ଦାଣ୍ଡ ସରିବା ପରେ ଦୁଇ ଆଡ଼ିଆ ରାସ୍ତା ପଡ଼ିଲା। ଗୋପୀନାଥ ଦଳ ଲୋକେ କହିଲେ ଏବେ ଡାହାଣ ପଟକୁ ଯିବାକୁ ହେବ।

ରଘୁନାଥ ପଟରୁ ହାଉଯାଉ ଶୁଭିଲା। ନାଇଁ ହଜୁର, ବାଏଁ ହେଲା ସାବକ ବାଟ। ବିନୋଦ ଅଟକିଲା, ପଚାରିଲା, "ଆପତ୍ତି କେଉଁ ବିଷୟରେ ?"

ରଘୁନାଥ ଦଳ - ସେହିବାଟେ ସବୁ ବର୍ଷ ଠାକୁରଙ୍କୁ ନିଆଯାଉଥିଲା। ତୋଟା, ପୋଖରୀ, ଛାଡ଼ି ଛାଡ଼ିକା ଘର, ବାହାରେ ବାହାରେ ସେଇ ରାସ୍ତାଟି ଯାଇଛି ଯାତ୍ରା ପଡ଼ିଆକୁ।

ଗୋପୀନାଥ ଦଳ - ମିଛ ମିଛ । ଡାହାଣ ପଟ ବାଟ ପଡ଼ିଛି ରଘୁନାଥ ମନ୍ଦିରକୁ। ସେଠାରୁ ସିଧା ରାସ୍ତା ପଡ଼ିଛି ଯାତ୍ରା ପଡ଼ିଆକୁ।

ବିନୋଦ ପୋଲିସ ସବଇନସ୍ପେକ୍ଟରଙ୍କୁ ପଚାରିଲା, "ଗତ ବର୍ଷ, ତା ପୂର୍ବ ବର୍ଷ କେଉଁବାଟେ ଯାଇଥିଲେ ?  ଆପଣ ଅନୁମତି ଦେଇଥିଲେ ପରା ? ରେକର୍ଡ଼ ବି ଥିବ କୁହନ୍ତୁ -"

"ମୋର ମନେ ନାହିଁ ସାର, ରେକର୍ଡ଼ ଦେଖିଲେ ଜଣା ପଡ଼ିବ।"

ବିନୋଦ ଇନ୍ସପେକ୍ଟରଙ୍କୁ ପଚାରିଲା, "ଆପଣ ତ ଇନକ୍ୱାରୀ କରିଥିଲେ, ଜାଣିଥିବେ, କୁହନ୍ତୁ।"

ଇନସ୍ପେକ୍ଟର ସବଇନ୍ସପେକ୍ଟରଙ୍କୁ ପଚାରିଲେ, "ସବୁ ପୁରୁଣା ରେକର୍ଡ଼ ଆଣିଛନ୍ତି ତ, ମୁଁ କହୁଥିଲି ଦରକାର ପଡ଼ିବ ବୋଲି।"

"ସାର, ବସାରେ ଅଛି।"

ନେଇ ଆସନ୍ତୁ। ମାଜିଷ୍ଟ୍ରେଟ ସାହେବ ଦେଖିବେ।

ବିନୋଦକୁ ଇନ୍ସପେକ୍ଟର କହିଲେ, ରେକର୍ଡ଼ରେ ଯାହାଥିବ ବାହାରିବ ସାର, କଥା ସେଠି ନାହିଁ। ଠାକୁରଙ୍କ ପଟୁଆର ଯିବ ବୋଲି ଗାଁ ଲୋକ ରାସ୍ତା ଚିହ୍ନଟ କରି ଦରଖାସ୍ତ ଦେଲେ, ସେ ବାଟ ଡାହାଣ ପଟ। ଇନକ୍ୱାରୀ ହେଲା। ଦେଖାଗଲା ଅସୁବିଧା କିଛି ନାହିଁ। ଡାହାଣ ପଟେ ବସ୍ତି ସବୁ ଅଛି, ଲୋକେ ଦର୍ଶନ କରିବେ, ଗାଁର ଉତ୍ସବ ତ।"

ରଘୁନାଥ ଦଳ - "ଆମେ ଇନକ୍ୱାରୀ ଫିନ୍ କ୍ୱାରୀ କିଛି ଜାଣି ନାହୁଁ।"

ଇନ୍ସପେକ୍ଟର - "ଜାଣି ନାହଁ ? ତୁମକୁ ଏସ ଡି ଓ ସାହେବ, ତହସିଲଦାର ସାହେବ କିଛି ବୁଝାଇ ନାହାନ୍ତି ?"

ଉତ୍ତର - ହାଉ ହାଉ

ବିନୋଦ କହିଲା, "ଚାଲ ସେହି ଡାହାଣ ପଟ ରାସ୍ତା କେମିତି ଅଛି, ଦେଖି ଆସିବା।"

ଗୋପୀନାଥ ଦଳ ଵାଲା ବାଟ କଢ଼ାଇଲେ। ପୂରା ସରୁ ଗହଳି ରାସ୍ତା। ସରୁ ବାଟଟିଏ ପଡ଼ିଛି ରଘୁନାଥ ମନ୍ଦିରକୁ। ସେଠୁ ପୁଣି ବସ୍ତି ବାଟ ଦେଇ ବାଁକୁ ବଙ୍କେଇ ଯାଇଛି ତୋଟାକୁ। ତୋଟା ସେପାଖେ ମନ୍ଦିର ଅଛି ସିଦ୍ଧେଶ୍ୱର ମହାଦେବଙ୍କର।

ବିନୋଦ ପଚାରି ବୁଝି ସାରିଲାଣି, ସେ ବସ୍ତିରେ ରୁହନ୍ତି ରଘୁନାଥ ଦଳର ଲୋକେ। ଚାଷୀ, ମୂଲିଆ, ଗାଁର ଅନ୍ୟ ବୃତ୍ତିଧାରୀ ଲୋକମାନେ। ଠାକୁରମାନଙ୍କ ଯାତ୍ରା ହୁଏ ସିଦ୍ଧେଶ୍ୱର ମହାଦେବଙ୍କୁ ଲାଗିଥିବା ବଡ଼ ପଡ଼ିଆ।

ବିନୋଦ ଇନ୍ସପେକ୍ଟରଙ୍କୁ ପଚାରିଲା, "ସିଧା ସିଧା ପଟୁଆରକୁ ପଡ଼ିଆକୁ ନ ନେଇ ଏ ବାଟ ବାଛିବାର କାରଣ ?"

ଆମ ଆଡୁ କାରଣ ତ କିଛି ନାହିଁ, "ଦରଖାସ୍ତକାରିଏ ଏଇ ରାସ୍ତା ମାଗିଲେ, ଜଣାଗଲା ଆପତ୍ତି କିଛି ନାହିଁ, ମଞ୍ଜୁରୀ ଦିଆଗଲା।"

ବିନୋଦ କହିଲା ବାମ ପଟ ରାସ୍ତା ଦେଖାଅ।
ରଘୁନାଥ ଦଳ ଵାଲା ଖୁସି ହେଲେ। ବାଟ ଦେଖାଇଲେ ବହୁତ ଓସାର ରାସ୍ତା ଠାକୁର ଯିବେ ଲୋକେ ଯିବେ, ସଂକୀର୍ତ୍ତନ ଦଳ ଯିବ, ବାଜା ଵାଲା, ଏ ସବୁ ପାଇଁ ତ ପର୍ଯ୍ୟାପ୍ତ ଚଉଡ଼ା ରାସ୍ତା ଅଛି। ତେବେ ଏ ରାସ୍ତା ଛାଡ଼ି ସେ ରାସ୍ତାରେ ଯିବା ପାଇଁ ଜିଦ୍ କାହିଁକି ?

ରଘୁନାଥ ଦଳ - ବର୍ଷ ବର୍ଷରୁ ଏଇ ରାସ୍ତା ହିଁ ଠାକୁରଙ୍କ ଯିବା ରାସ୍ତା ଥିଲା। ଏଇ ଦୁଇ ବର୍ଷ ହେବ ଆମକୁ ଡରେଇ ଧମକେଇ ମିଛ କେଶ କରି ଡାହାଣ ପଟେ ନେଉଛନ୍ତି। ଏ ଥର ଯାହା ବି ହେଉ ଆମେ ମରିବୁ ପଛେ ଛାଡ଼ିବୁ ନାହିଁ।

ବସ ଫେରିବାକୁ ଆଉ ଅଧ ଘଣ୍ଟାଏ ବାକି ଥିଲା। କଣ ଫଇସଲା ହେଲା ବୋଲି ଉଭୟ ପଟର ଲୋକେ ପଚାରିଲେ। ବିନୋଦ କହିଲା, ମୋତେ ରିପୋର୍ଟ ଦେବାକୁ ହେବ। ମୁଁ ଯାହା ଦେଖିଲି ସେଇଆ ରିପୋର୍ଟ ଲେଖିବି। ବିନୋଦ ଚିନ୍ତା କରୁଥାଏ ଏ ରକ୍ଷକ ବାହିନୀ ଯିଏ ସମାଜକୁ ସୁରକ୍ଷା ଦେବା କଥା ସେ କାହିଁକି ବଡ଼ ବଡ଼ିଆଙ୍କ ସଖୀ କଣ୍ଢେଇ ସାଜି ଦୁର୍ବଳଙ୍କ ଉପରେ ଅତ୍ୟାଚାର କରିଚାଲିଛି ?

ବସ ଆସିଲା। ଜଗୁ ଓ ବିନୋଦ ଘରକୁ ଫେରି ଆସିଲେ।

୨୯.୬.୧୯ 

Friday, 28 June 2019

*ଗଣତନ୍ତ୍ର ଓ ଲୋକ ଚରିତ୍ର*

ଧୀର ବଳବନ୍ତ ରାୟ କହିଲେ, "ଯେଉଁ ଲୋକଗୁଡ଼ାକ ଗାଁରେ ଉତ୍ପାତ କରୁଛନ୍ତି, ତାଙ୍କୁ ଧରି ଦଣ୍ଡ ଦିଆଯାଉ, ଜେଲ ଖଟନ୍ତୁ ସେଗୁଡ଼ାକ।"

ରଘୁନାଥ ଦଳରୁ ପାଟି ହେଲା - "ଆମେ ବି ଖୋଜୁଛୁ ସେଇଆ ଯେ, ତମ ଅଦୋଉତିରେ ଆମେ ମଲୁଣି, କୋଉ ବଞ୍ଚି କରି ଅଛୁ  ? ହାତରେ ମାରିଲ, ଭାତରେ ମାରିଲ, ମକଦ୍ଦମା ଲଗେଇ କେତେ ଲୋକଙ୍କୁ ଝୁଣି ଖାଇଲ, ଅଇଛା ପନ୍ଦର ଷୋଳ ଗୁଣ୍ଡାଙ୍କୁ ସହରରୁ ଡାକି ଆଣି ଆମକୁ ପିଟେଇବ ବୋଲି ରଖେଇଚ -"

"ମିଛ ମିଛ ମିଛ -"

"କଣ ଏଠି ଠାକୁରଙ୍କ ଆଗରେ ଭୁରୁଡ଼ି ମାରୁଛ ?"

"କଣ କରି ପାଇଲୁ କିରେ, କଣ ଭାରି ବଢ଼ି ବଢ଼ି କହିଲୁଣି ?"

ବିନୋଦ କହିଲା, "ପୁଣି ଏମିତି କଳି କଲେ ମୁଁ ଆଉ କାମ କରି ପାରିବି ନାହିଁ। ଆଗ ତମ ପଟରୁ ଜଣେ କହୁ, କିଏ ତୁମ ମାନଙ୍କ କି କି ଅନିଷ୍ଟ କଲା, ଯଦି ସେ ସବୁ ନ କହି ପାରିବ, ତେବେ ଆଉ ଜଣେ କହିବ, ସେମିତି ଆର ପଟର ଲୋକ କହିବେ। ଉତ୍ତର ଶୁଣାହେବ। ତା'ପରେ ପୁଣି ତୁମକୁ ପଚରା ହେବ, ଏହି କ୍ରମ ଚାଲିବ। ମାନିବ ମୋ କଥା ? ଯଦି ମାନିବ ତେବେ ଆଗକୁ ବଢ଼ିବା ନ ହେଲେ ଏ ହାଉ ଯାଉରେ କେମିତି ସଭା ଚାଲିବ ?

ଉଭୟ ପକ୍ଷ ଏକ ସ୍ୱରରେ କହିଲେ, "ଆଜ୍ଞା ତେମେ ଆପଣ ଯାହା କହିଲେ, ସେମିତି ସଭା ଚାଲୁ।"

"ଦେଖ, ଏଠି କେହି କାହାକୁ ଗାଳି ଦେବ ନାହିଁ, ଅଭଦ୍ର କଥା କହିବ ନାହିଁ, ମୁଣ୍ଡ ଥଣ୍ଡା ରଖ, ଘଟନାମାନ କହିଯାଅ।"

"ଆମେ ଆଗେ କହିବୁ।"

"ଆମେ ଆଗ।"

ବିନୋଦ କହିଲା, "ଏବେ ଗୋପୀନାଥ ମହାପ୍ରଭୁଙ୍କ ଯାତ୍ରା ଆସୁଛି, ତେଣୁ ସେହିପଟ ଲୋକ ଆଗ କହିଯାନ୍ତୁ।"

ଏବେ ସଭା ଠିକ୍ ବାଟରେ ଆରମ୍ଭ ହେଲା। ଜଣେ କହୁଥିବା ବେଳେ ବିନୋଦ ତାଙ୍କୁ ପ୍ରଶ୍ନ ପଚାରେ, କଥାର ସାରାଂଶ ଟିପି ରଖେ, ଅବାନ୍ତର କଥା କୁହାଇ ଦିଏ ନାହିଁ, ରୋକେ। ଏମିତି ପଚାରି ପଚାରି ସେ ଦୁଇ ପଟର ସାରାଂଶ ଟିପି ରଖିଲା।

ଉଭୟଙ୍କ କଥାରୁ ଜଣା ପଡ଼ିଲା ଯେ ଦଶ ବର୍ଷ ହେଲା ଗାଁ ଦି' ଦଳ ହେଲାଣି। ଧୀର ବଳବନ୍ତରାଏ ବୁଢ଼ା ମହନୀ ବେହେରା ଗଉଡ଼ର ବାଁ କାନକୁ ଜାବୁଡ଼ାଏ ପକାଇଥିଲା, ସେ କାନଟି କାଲ ହୋଇଗଲା  ବୋଲି ଅଭିଯୋଗ କରି ମହନୀ ବେହେରା ପଞ୍ଚାୟତ ଡାକିଲା। ପଞ୍ଚାୟତ ଏ ବଡ଼ ବଡ଼ିଆ ମାନଙ୍କ ପଟେ ରହି ମହନୀ ଉପରେ ପାଞ୍ଚ ଟଙ୍କା ଜୋରିମାନା କଲା। ଧୀରେ ଧୀରେ ଗଉଡ଼ ମେଣ୍ଟ ସୁଦୃଢ଼ ହେଲା। ଗଉଡ଼ ମାନେ ଶବାରି କାନ୍ଧେଇବାକୁ ମନାକଲେ।
ଏଇଠୁ କଥା ଆରମ୍ଭ ହୋଇ ମକଦ୍ଦମା, କଳି ତକରାଳ, ଜିଦା ଜିଦ୍, ଗଣ୍ଡଗୋଳ ଘଟିଲା, ଲମ୍ବା କାହାଣୀ।

ବିନୋଦ ବୁଝିଲା - ଦଶ ବର୍ଷ ହେଲା ଶାନ୍ତି ସୌହାର୍ଦ୍ଦ୍ୟ ପାଇଁ କେହି ଟିକେ ଚେଷ୍ଟା କରି ନାହାନ୍ତି, ଖାଲି କୁହୁଳିବାରେ ଲାଗିଛନ୍ତି।

ଗାଁ ଲୋକଙ୍କ ସହ ଦି' ପଦ କଥା ହେବା ପାଇଁ ସରକାରଙ୍କର କୌଣସି ବିଭାଗ ନାହିଁ। ଯାହା କରିବେ ନିଜେ ଗାଁ ଲୋକେ, କିମ୍ବା ଯଦି କେଉଁ ବେସରକାରୀ ପରୋପକାରୀ ସଂସ୍ଥା ଜନ୍ମିଥିବ, ସେ ହୁଏତ କରିପାରେ, କି କୌଣସି ବିଶାଳ ହୃଦୟ ବ୍ୟକ୍ତି ଯଦି ସେଠି ଜନ୍ମ ହୋଇଥିବ, ସେ କରିପାରେ।

ସରକାରୀ କର୍ମଚାରୀ ତ ଆଇନ ଆଦେଶରେ ବନ୍ଧା। ସମସ୍ତଙ୍କର ନିର୍ଦିଷ୍ଟ ସୀମା ଅଛି। ପୂରା ସମସ୍ୟା ସମାଧାନ ପାଇଁ କାହାର ଚିନ୍ତା ନାହିଁ।

ଗାଁ ଲୋକଙ୍କର ବ୍ୟକ୍ତିଗତ ଓ ସାମାଜିକ ସୁଖଦୁଃଖ ଅଛି।

ଏ ଦୁହିଁଙ୍କ ଭିତରେ ସିଢ଼ି ନାହିଁ। ସ୍ୱାଧୀନତା ଆସିଲା। ଲୋକଙ୍କ ମତରେ ସରକାର ଆସିଲା। ତେବେ ଏ ଅନ୍ତର, ଖାଲ, ଖାପଛଡ଼ା ବ୍ୟବସ୍ଥା କାହିଁକି ? କେବେ ଏଥିପ୍ରତି ଦୃଷ୍ଟି ପଡ଼ିବ ? ଏମିତି ଚାଲିଲେ ଏ ଦେଶର ଭବିଷ୍ୟତ ପିଢ଼ି କୁଆଡ଼କୁ ଯିବ ?

ଆଇନ ଦେଖାଇ, ଠେଙ୍ଗା ଦେଖାଇ, ସାମୟିକ ବକ୍ତୃତା ଦେଇ, ଲୋକଙ୍କ ମନରେ ଉତ୍ତମ ନାଗରିକତା ଉପଯୋଗୀ ନାନା ପ୍ରବୃତ୍ତି ନିର୍ମାଣ କରିବା କ'ଣ ସମ୍ଭବ ? ଡେମୋକ୍ରାସୀର ଅସଲ ମୂଳଦୁଆ ହେଉଛି ଲୋକ ଚରିତ୍ର।

ସେହି ଅସଲ ମୂଳଦୁଆ ପକାଇବା, ଦମ୍ଭକରିବା ଦାୟିତ୍ୱ କିଏ ନେବେ ?  ଯେମିତି ତହିଁରେ ଏତେ ଟିକିଏ ବି ପୋଲା ନ ଥିବ, ଯେତେ ବୋଝ ଲଦା ହେଉ, ଆସୁ ଯେତେ ବର୍ଷା କି ଭୂମିକମ୍ପର ଝାଙ୍କ, ସେ ଦବିବ ନାହିଁ, ଚହଲିବ ନାହିଁ, ତଳୁ ଉଇ ଉଠିବାକୁ ବାଟ ନ ଥିବ।

କାହିଁ, ଏମିତି କିଛି ମତି ଗତି ଏ ସ୍ୱାଧୀନ ଦେଶର ସରକାର ପାଖରେ ଥିବା ଭଳି ବୋଧ ହେଉ ନାହିଁ !

ତେବେ ଖାଲି ଆଶା, ଶୁଭେଚ୍ଛା ଓ ଭାଷଣରେ କଣ ଚରିତ୍ର ନିର୍ମାଣ ହେବ ?

କୁଲି ଯାହା କହିଥିଲା, ପୋଲିସ ଅଫିସର ଦୁଇଜଣ ଯାହା କହିଥିଲେ, ଉଭୟ ପକ୍ଷ ସେହି କଥାକୁ ବଖାଣିଲେ। ଗାଁ ଟି ବର୍ତ୍ତମାନ ବାରୁଦ ଗଦା ଉପରେ ଠିଆ ହୋଇଛି ବୋଲି ସେ ଅନୁଭବ କଲା।

୨୮.୬.୧୯

Thursday, 27 June 2019

*ଗାଁ ସଭା ଆରମ୍ଭ ହେଲା*

ତିନିଟା ବେଳେ ଇନ୍ସପେକ୍ଟର ବାବୁ ଆସି ବିନୋଦକୁ ଡାକିନେଲେ। ଚାଲିଚାଲି ଗଲାବେଳେ ଘର ଦୁଆରମୁହଁ ମାନଙ୍କରୁ ସ୍ତ୍ରୀଲୋକମାନେ ସେମାନଙ୍କୁ ଅନାଇଁ ଦେଖୁଥାନ୍ତି, କେତେପିଲା ପଛେ ପଛେ ଧାଉଁଥାନ୍ତି, କେତେ ମନ୍ତବ୍ୟ ଶୁଭୁଥାଏ, ବେଳେ ବେଳେ କେଉଁ ବୁଢ଼ା କି ବୁଢ଼ୀ କହିବାର ଶୁଭୁଥାଏ, "ଦୁଷ୍ଟଙ୍କୁ ସାଧ୍ୟ କର" "ଜେଲଖାନାକୁ ନିଅ।"
ଗାଁ ମଝିରେ ଥିବା ମହାବୀର ମଣ୍ଡପ ଆସିଗଲା। ସେଇଠି ସମସ୍ତେ ବସିଥିଲେ। ଚେହେରାରୁ ଜଣା ପଡୁଥିଲା ଅଧେ ଥିଲା ଵାଲା ଆଉ ଅଧେ ନ ଥିଲା ବାଲା। ସମସ୍ତେ ଠିଆ ହୋଇ ପଡ଼ିଲେ। ଦଣ୍ଡବତ ଆଦାନ ପ୍ରଦାନ ହେଲା।

ବିନୋଦ ପଚାରିଲା, "ଦୁଇ ପକ୍ଷର ସମସ୍ତେ ଅଛନ୍ତି ?"

"ହଁ"

ମଣ୍ଡପ ଉପରେ ଏ ଗାଁର ସବୁ ମୁଖିଆମାନେ ଅଛନ୍ତି ତ  ?

ମଣ୍ଡପ ଉପରୁ ଉତ୍ତର ଆସିଲା "ହଁ", ତଳୁ ଘୋ ଘା ହୋଇ ପ୍ରତିବାଦ ହେଲା - ସେମାନେ ତାଙ୍କ ପଟର ମୁଖିଆ ହୋଇଥିବେ, ଆମର ମୁଖିଆ ସେ ନୁହଁନ୍ତି। ଆମେ ସମସ୍ତେ ଏଇଠି ଅଛୁ।

ବିନୋଦ - "ସମସ୍ତ ମୁଖିଆ ମାନେ ଏଇଠି ବସ।"

ନା, ଆମେ ସେଠି ବସିବୁ ନାହିଁ।

ବିନୋଦ ତଳକୁ ଆସିଲା। କହିଲା, ଏହି ତଳେ ସବୁ ବସିବା।

ଦୁଇ ଦଳ ମୁହାଁ ମୁହିଁ ହୋଇ ତଳେ ବସିଲେ। ବିନୋଦ ବସିଲା ସେମାନଙ୍କ ମଝିରେ, ତା ସହ ସେ ପୋଲିସ ଅଧିକାରୀ ଦୁଇଜଣ ବି ବସିଲେ।

ବିନୋଦ କଥା ଆରମ୍ଭ କଲା - "ଠାକୁର ପୂଜା ଯାନି ଯାତ୍ରା ହେଲେ ଲୋକେ ସ୍ନେହରେ ଏକାଠି ହୁଅନ୍ତି, ଭୋଗ ବଣ୍ଟା ବଣ୍ଟି ହୁଅନ୍ତି, ଏକାଠି ଗାଁଯାକ ପର୍ବ କରନ୍ତି, ଯନ୍ତାଳ କରି ଖାଆନ୍ତି, ଏଠି କଣ ସବୁ ଓଲଟା ଚାଲିଛି !

ଘର କଲେ କେତେବେଳେ ବି କଳି ଲାଗେ, ଘର କଳି ଘରେ ମେଣ୍ଟେ, ସେମିତି ଗାଁ କଳି ବି ଗାଁରେ ମେଣ୍ଟିଯାଏ, ଯେତେବଡ଼ ଅଡୁଆ ହେଉ ଗାଁର ମୁଖିଆଲୋକେ ଏକାଠି ବସି ନିଜ ଭିତରେ ନିଶାପ କରି ଭାଙ୍ଗିଦିଅନ୍ତି, ଏଠି ଆପଣଙ୍କର କି କଳି ହୋଇଛି ଯେ, ଲାଗି ରହିଛି ବର୍ଷ ବର୍ଷ। କି ଅଶାନ୍ତି, କି ଉଦ୍ ବେଗ ନ ହେଉଥିବ !  କେତେ ସମୟ, କେତେ କାମ ମାରା ହେଉଥିବ ସେହି କଳି କଥାରେ ! କି କଥା ଏଇଟା ?  ଏଇଟା କଣ ଗାଁକୁ ଭଲ ?"

ଗୋପୀନାଥ ପଟର ବଡ଼ ନେତା ଭାଗୁ ସାହୁ କହିଲେ, "କାହିଁକି କଳି ହେଉଛି, କିଏ କଳି କରୁଚି, ଆପଣ ବୁଝନ୍ତୁ। କଳି ଭାଙ୍ଗିବାକୁ ଆମେ କଣ ମନା କରୁଛୁ ? ମାନୁଛି କିଏ ? ଏ ପରା ଯେଝା ହାତରେ ଯେ ଚୌଦପା।"

"ସେଇଆ ସେଇଆ," ତାଙ୍କ ପଟରୁ ଅନ୍ୟମାନେ କହିଲେ।

"ରଖିଥାହୋ, ତମ କୁହାଳିଆ ପଣ," ଆର ପଟରୁ ଉଦ ପଧାନ ପାଟିକଲା, ସବୁ ନାଟର ଗୋବର୍ଦ୍ଧନ ପରା ତେମେ କେଇଜଣ, ଆମ ନାଁରେ କେଇଦଫା ମକଦ୍ଦମା ଲଗେଇଲଣି ? ତେମେସବୁ କେତେ ମାଡ଼ ଫଉଜଦାରୀ ଲଗେଇଲଣି ? କେତେଲୋକଙ୍କୁ ଭାଗତାଷ ଜମିରୁ ଛଡ଼େଇଲଣି ?"

ଅଭିଯୋଗ ପରେ ଅଭିଯୋଗ ଚାଲିଲା। ହୋ ହାଲା ହେଲା। ବିନୋଦ ସମସ୍ତଙ୍କୁ ନିରସ୍ତ କରୁଥାଏ।

ଆର ପାଖରୁ ବୁଢ଼ା ବୈରାଗୀ ପଟ୍ଟନାୟକେ ଚିଁ ଚିଁ ସ୍ୱରରେ ପାଟି କଲେ, "ହଜୁର୍ ନିଜ କାନରେ ଶୁଣୁଛନ୍ତି ସବୁ, ଏ ହୁର୍ଦୁଙ୍ଗାଙ୍କର କେଡ଼େ ବହପ ଦେଖୁଥାନ୍ତୁ, ହ୍ୟାପ୍ କୋଡ଼ିଏ ହାତ ଦୂରରେ ହାତ ଯୋଡ଼ି ତଳେ ଠିଆ ହେବା ଲୋକ, ଅଇଛା ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି, ମୁଣ୍ଡ ଉପରେ ଚଢୁଛନ୍ତି। ହଜୁର୍ ଏଠି ଥାଉ ଥାଉ, ଦାରୋଗା ମୁନ୍ସୀ ଥାଉ ଥାଉ ଡର ଭୟ ନାହିଁ, ଅମରମତା ହେଉଛନ୍ତି, ଆଉ ବେଳେ କଣ, ହଜୁର୍ ବୁଝୁଥିବେ।"

ବିନୋଦ ତାଙ୍କ ପାଟି ବି ବନ୍ଦ କରେଇ, ଆଗକୁ ହାତ ବଢ଼େଇ ସମସ୍ତଙ୍କୁ ପଚାରିଲା, ୟେ ଆପଣମାନଙ୍କର କେଉଁ କାଳର ଠାକୁର ?

ରଘୁନାଥ ଦଳରୁ ଶୁଭିଲା, "ୟେ ତ କେଉଁ କାଳରୁ ଅଛନ୍ତି।"

ବିନୋଦ - "ଏ ଠାକୁର ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖନ୍ତି। ତାଙ୍କ ପାଖରେ ପର ଉପରେ ଘୃଣା ରାଗ ହିଂସା ଭଲ ନୁହେଁ। ଆପଣମାନେ ସମସ୍ତେ ଏକା ଗାଁର ଲୋକ। ମୁଁ କି ପୁଲିସ ଵାବୁମାନେ ଆପଣଙ୍କର କୁଣିଆଁ।"

ରଘୁନାଥ ଦଳରୁ ଜଣେ ମୁହଁ ପୋତି କହିଲା, "ହାକିମ ଗାଁ ଯାକର କୁଣିଆଁ ହ'ନ୍ତୁ। ପୋଲିସବାଲା ତ କେଉଁ କାଳୁ ଭାଗୁ ସାହୁର କୁଣିଆଁ।"

ବିନୋଦ - "ଆମେ କୁଣିଆଁ ଅଇଛା ଅଛୁ, ଆଉ ଟିକେ ପରେ ନ ଥିବୁ, ଗାଁରେ ରହିବ, ଚଳିବ, ମୁହଁ ଦେଖା ଦେଖି ହେବ ତୁମେମାନେ। ଆଜି କଳି ଅଛି, କାଲି ଶରଧା ଲାଗିବ, ଏଠି ଯେମିତି ଏକାଠି ବସିଛ, ସେମିତି ତେମେ ସବୁଦିନେ ଏକାଠି ବସ, ଭଲରେ ଚଳ। ଆମେ କେବେ ଆସିଲେ ପୁଣି ସବୁ ଘରୁ ପାନ ଖାଇବୁ।"

ଏତିକି ଶୁଣିବା ମାତ୍ରେ ଉଭୟ ପଟ ଲୋକ ପାନ ବଟା ଖୋଲି ବିନୋଦ ପାଖରେ ଦେଖାଇଲେ, ବିନୋଦ ଉଭୟପଟୁ ପାନ ନେଲା ଓ କହିଲା ଏବେ ମୁଁ ଆପଣମାନଙ୍କ କଥା ଶୁଣିବି। ଜଣେ କହିବା ସମୟରେ ଅନ୍ୟମାନେ ଚୁପ୍ ରହି ଶୁଣିବେ, ଆଉ କେହି ସେ ସମୟରେ ନିଜର କିଛି ପ୍ରତିକ୍ରିୟା ରଖିବେ ନାହିଁ। ମୁଁ ଆର ପଟକୁ ପଚାରୁଥିବି। ଦେଖିବା କେଉଁ କେଉଁ କଥା କାହାକୁ ପିତା କରିଛି।

୨୭.୬.୧୯

Wednesday, 26 June 2019

*ସ୍ୱାଧୀନତା ସମୟର ଗାଁ*

ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ଯାହା ସବୁ ବୁଝାଇଦେଲେ, ତାର ସାରାଂଶ ହେଲା ଯେ ଗୋପୀନାଥ ଦଳର ଲୋକ ଭଦ୍ରଲୋକ, ଶାନ୍ତ, ସୁଧାର, କୁହାର ବୋଲାର, ଆଇନ ମାନି ଚଳିବା ଲୋକ। ରଘୁନାଥ ଦଳର ଲୋକ ଠିକ୍ ତାର ଓଲଟା।

ଇନ୍ସପେକ୍ଟର କହିଲେ ଆପଣ ବି ଗୋପୀନାଥ ଦଳର ଫେବରରେ ରିପୋର୍ଟ ଦେଇଦିଅନ୍ତୁ।

ଦେଖେଁ କଣ ହୋଇଛି, ଇନ୍ କ୍ୱାରି ସରୁ। ଆପଣମାନେ ସବୁ କଣ ଇନ୍ କ୍ୱାରି କରିଛନ୍ତି ସେ ରିପୋର୍ଟ ସବୁ ମୋତେ କୁହନ୍ତୁ, ଆପଣମାନେ କଣ ସବୁ ବୁଝିଲେଣି ?

ରଘୁନାଥ ଦଳର ଗଣ୍ଡଗୋଳିଆ ମୁଖିଆ ମୁଖିଆ ନାଁ ଗୁଡ଼ିକ କହିବେ ? କିଏ ଗଣ୍ଡଗୋଳ କଲେ ? କେବେ କଲେ ?

ଆର ପକ୍ଷର ନେତାଙ୍କ ନାଁ ଗୁଡ଼ିକ ବି କୁହନ୍ତୁ

ଏମିତି ଅନେକ କଥା ପୋଲିସଙ୍କ ଠାରୁ ସଂଗ୍ରହ କରି ବିନୋଦ କହିଲା, ଏବେ ଆପଣମାନେ  ଯାଆନ୍ତୁ, ଠିକ୍ ସମୟରେ କାହାକୁ ଜଣକୁ ପଠାଇଦେବେ ମୋତେ ଗାଁ ମଝିକି ନେଇଯିବା ପାଇଁ।

ଇନ୍ସପେକ୍ଟର - ଗାଁ ବାଲାଙ୍କୁ ତ ଏଇଠିକି ଡାକି ଦେଲେ କାମ ସରନ୍ତା। ଆପଣ କାହିଁକି ଗାଁ ମଝିକି ଯିବେ ?

ବିନୋଦ - ସେକଥା ହୋଇଥିଲେ ତ ମୁଁ ଶିରୀପୁର ଡାକିଦେଇଥାନ୍ତି। ପୁଣି ଦଦରା ବସରେ ପଡ଼ି ଉଠି ଏ ଗାଁ ଯାଏ ଆସିବା କଣ ଦରକାର ଥିଲା ?

ଆପଣମାନେ ଯାଆନ୍ତୁ ସେହି ଗାଁ ମଝିରେ ବ୍ୟବସ୍ଥା କରନ୍ତୁ।

ସେମାନେ ଯିବା ପରେ ବିନୋଦ ଜଗୁକୁ କହିଲା, "
ବାଢ଼ ଭାତ।"

ଏତିକିବେଳେ ବିନୋଦ ବସି ବସି ଭାବୁଥାଏ - ଖାଲି ମକଦ୍ଦମା ! ମକଦ୍ଦମା !  କଚିରି, ପୋଲିସ, ମାଜିଷ୍ଟ୍ରେଟ, ଓକିଲ ! କେବେଠୁ ଗାଁ ଗାଁକେ ପଶିଲାଣି ଏ ରୋଗ ?

କି ଦୋଷ ରହିଛି ଏ ମାଟିରେ, ଯେ ଟିକିଏ ତାତି ବାଜିଲେ ଠାଇ ଠାଇ ଫଡ଼ା ଫଡ଼ା ହୋଇ ଫାଟିଯାଏ, ଆମେ ହେଉଁ ଅଇରି ଖପରା ବଇରି ବାଆ। ସେମିତି ପିଟା ପିଟି ହେଉ ହେଉ ସବୁ ଗଲା, ସ୍ୱାଧୀନତା ଗଲା, ମାଡ଼ି ଆସିଲେ ମୁସଲମାନ ଆକ୍ରମଣକାରୀ, ଯେତେ ରାଜ୍ୟର ଲୁଣ୍ଠନକାରୀ, ଆସିଲେ ଇଂରେଜ, କେଡ଼େ କଷ୍ଟରେ ପୁଣି ଆସିଲା ରାଜନୈତିକ ସ୍ୱାଧୀନତା, ତଥାପି ଏ ଚାଲିଛି, କଜିଆ ଘରେ ଘରେ, ଆଉ କେଉଁ ପ୍ରାନ୍ତୀୟ ଅଞ୍ଚଳରେ ଯେପରି ହୋଇଥାଉ, ଓଡ଼ିଶା ନାଁ କମେଇଛି କଳି କଜିଆ ପାଇଁ, ଖାଲି ଧରାଧରି, ପେଲାପେଲି, ଗୋଡ଼ ଓଟରା ଓଟରି, କଚଡ଼ା କଚଡ଼ି, ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ, ଏଣେ ଯେ ଲେଙ୍କଡ଼ା ଛିଣ୍ଡୁଛି !

ତଥାପି ଏତେ ଦେଉଳ ଏତେ ଠାକୁର! ଏତେ ଯାନିଯାତ, ନାମ ସଂକୀର୍ତ୍ତନ, ତୁଣ୍ଡରେ ହରିନାମ, ଯେ ଭାବିବ ବ୍ରହ୍ମକୁ ଏଇମାନେ ଚିହ୍ନିଛନ୍ତି, ଧର୍ମକୁ ଏଇମାନେ ରଖିଛନ୍ତି।

ଏକା ଧୂଳିରେ ଘର, ଚାଳକୁ ଚାଳ, ବାରିକୁ ବାରି ଲଗାଲଗି, ଏକା ଗାତରେ ଜୀବନ ଆଉ ମରଣ, ଗାଁ ଏମୁଣ୍ଡେ ହଇଜା ଲାଗିଲେ ଗାଁ ସେମୁଣ୍ଡେ ବି ଡିଏଁ, ଏ ଚାଳରେ ନିଆଁ ଲାଗିଲେ ସେ ଚାଳକୁ ବି ଧରେ, ସକାଳୁ ଉଠିଲେ ମୁହଁ ଚାହାଁ ଚାହିଁ, ସୁଖରେ ଦୁଃଖରେ ଛନ୍ଦା ଛନ୍ଦି, ତଥାପି କଳି, ମୁଣ୍ଡ ପିଟା ପିଟି, ମକଦ୍ଦମା ପାଇଁ ଅଣ୍ଟା ଭିଡ଼ା ଭିଡ଼ି !

ଯୁଆଡ଼େ ଚାହିଁଲେ ଯାହାକିଛି ଶିରୀ ତା' ପ୍ରକୃତିର, ବିସ୍ତୃତିର, ଗଛବୁରୁଛର, ତା ଭିତରେ ଶ୍ରୀହୀନ ହୋଇ ବଞ୍ଚି ରହିଛି ମଣିଷ, ଉଦ୍ଦେଶ୍ୟ ନାହିଁ, ଉଦ୍ୟମ ନାହିଁ, ଧରି ନେଇଛି ସେ ଏମିତି ରହିଥିବ, ଯଦି କିଛି ହେବ ତା ସରକାର କଲେ କରିବେ, ସେ ନୁହେଁ। ପିମ୍ପୁଡ଼ି ମନ୍ଦାରେ ଗୋଟିଏ ଗୋଟିଏ ଜନ୍ଦା ପରି ସେହି ଦଳରେ ଏଠି ସେଠି ଗୋଟିଏ ଗୋଟିଏ ଥିଲାବାଲା କେହି, ସେମାନେ ହେଲେ ସର୍ଵଗ୍ରାସୀ। ସେମାନେ ଯାହା ଚାହିଁବେ ତା କରିବେ, ଅନ୍ୟ ସବୁ ତାଙ୍କ ତଳେ ସେମିତି ରହିଥିବେ। ସମସ୍ତିଙ୍କଠିଁ ବାଦଛେଦ, ସଂକୀର୍ଣ୍ଣତା, ଅନ୍ଧବିଶ୍ୱାସ, କୁସଂସ୍କାର, ଜାତି ଅଜାତି ଭେଦ।

ଖାଉଥାଏ ଭାବୁଥାଏ।

୨୬.୬.୧୯

Tuesday, 25 June 2019

*ନିରପେକ୍ଷ ତଦନ୍ତ*

ସକାଳ ଆଠଟାରେ ବସରେ ଯାଇ ବିନୋଦ ଦିନ ଏଗାରଟାରେ ଗଣ୍ଡିକଟା ଗାଁରେ ପହଁଚିଲା। ବଡ଼ ଗାଁ, ବହୁତ ଧନୀଲୋକ, ଭଦ୍ରଲୋକ, ଆହୁରି ଏଣୁତେଣୁ ଲୋକ ଖୁବ୍।

ଗାଁର ବଡ଼ ବଡ଼ ଲୋକଙ୍କର ମନ୍ତ୍ରୀଙ୍କ ସହ ବି ଖୁବ୍ ଚିହ୍ନା ଜଣା। ଯାହା କିଛି ହେଲେ ଚାଲିଲେ ତାଙ୍କ ପାଖକୁ। ଅନ୍ୟ ବିରୋଧୀ ପାର୍ଟି ମଧ୍ୟ ଗାଁରେ ଆସି ଲୋକଙ୍କୁ ମତାଇଥାନ୍ତି।  ଗଣ୍ଡଗୋଳ ହେଇଛି ଗୋପୀନାଥ ମୂର୍ତ୍ତି କେଉଁ ବାଟରେ ଯିବ ଓ ରଘୁନାଥ ମୂର୍ତ୍ତି କେଉଁ ବାଟରେ ଯିବ, ତାକୁ ନେଇ।

ସ୍ୱାଧୀନତା ବେଳେ ଯେଉଁମାନେ କହୁଥିଲେ ଇଂରେଜକୁ ଡର ନାହିଁ, ତାଙ୍କ ବିରୋଧରେ ଲଢ଼, ସେଇମାନେ ଆଜି ଗାଁରେ ଇଂରେଜ ସାଜିଛନ୍ତି, କହୁଛନ୍ତି ଆମେ ଯାହା ଚାହିଁବୁ ସେଇଆ ହେବ, ସେମାନଙ୍କ ପାଖେ ଧନ ଅଛି, ନେତା ବି କିଛି ନ ବୁଝି ତାଙ୍କରି ପକ୍ଷରେ।

ସ୍ଥାନୀୟ ଥାନା ବାବୁ ବିନୋଦର ରହିବା ଓ ବୈଠକ କରିବାର ସବୁ ବ୍ୟବସ୍ଥା କରିଥିଲେ। ବସ୍ ରୁ ଓଲ୍ହାଇବା ପରେ ଥାନା କନଷ୍ଟେବଲ ଠାରୁ ଏପରି ବ୍ୟବସ୍ଥା ଶୁଣି ବିନୋଦ ସ୍ଥାନ ବଦଳାଇଦେଲା।  ରହିବା ସ୍ଥାନ ହେଲା ସ୍କୁଲ ଘର। ସେଠାରେ ପହଞ୍ଚିବା ଭିତରେ କୁଲି ଠାରୁ ସେ ଗାଁର ପରିସ୍ଥିତି ସମ୍ପର୍କରେ ଅନେକ ତାଜା ତଥ୍ୟ ସଂଗ୍ରହ କରିନେଇଥିଲା।

ପୋଲିସ ଇନସ୍ପେକ୍ଟର, ସବ ଇନସ୍ପେକ୍ଟର ସମେତ ଗାଁର ପନ୍ଦର ଜଣ ଭଦ୍ରଲୋକ ବିନୋଦ ଆଡ଼କୁ ଆଗେଇ ଆସିଲେ। ନମସ୍କାର ଓ ପରିଚୟ ଆଦି ଚାଲିଲା। ବିନୋଦ ବୁଝିଲା ଯେତେ ଲୋକ ଆସିଛନ୍ତି, ତହିଁରେ ପାଞ୍ଚ ଜଣ କେବଳ ରଘୁନାଥ ଦଳର, ଅନ୍ୟ ସମସ୍ତେ ଗୋପୀନାଥ ଦଳର, ଗାଁର ଧନୀ ମୁଖିଆ ଲୋକେ।

ସେତେବେଳକୁ ସାଢ଼େ ଏଗାର ହେଲାଣି। ବିନୋଦ କହିଲା ଏବେ ସମସ୍ତେ ଯାଅ। ମୁଁ ଗାଧୁଆ ପାଧୁଆ, ଖିଆ ପିଆ ସାରେ, ସାଢ଼େ ତିନିଟା ବେଳେ ଆସ, ଗାଁ କଥା ବୁଝିବା।

ସବ ଇନସ୍ପେକ୍ଟର ମିଶ୍ରବାବୁ କହିଲେ, "ଆପଣ ସେଠି ରହିବେ ବୋଲି ସବୁ ସୁବିଧା ହୋଇଥିଲା ସାର।"

କୋଉଠି ?

ଏ ଗାଁର ଦାଶରଥି ସାହୁଙ୍କ ବଗିଚା ଘରେ। ସାହୁ ବାବୁ ଏ ଅଞ୍ଚଳରେ ଖୁବ୍ ବଡ଼ ଲୋକ। ତାଙ୍କ ସାନ ଭାଇକୁ ସେ ପଠେଇଛନ୍ତି, ଆମେ ବି ସବୁ ସେଇଠି ଅଛୁ। ସବୁ ସୁବିଧା ସେଇଠି ଅଛି। ଆପଣ ସେଇଠିକି ଚାଲନ୍ତୁ।

ନାଁ, ସେଠିକି କାହିଁକି ଯିବି। ଏଇଠି ମୋର ଚଳିଯିବ। ଖଟିଆ ଖଣ୍ଡେ ହୋଇଥିଲେ ହୋଇଥାନ୍ତା, ନ ହେଲେ ବି ଚଳିବ।

ଖଟ ଆସିଯିବ ସାର।

ନାହିଁ ଥାଉ। ରାତିକି ଯଦି ରହେଁ ତେବେ ଦେଖିବା।

ଭାଗୁ ସାହୁ - ସେଇଠିକି ପାଦପଡୁ ସାର।

ନା, ଏଇଠି ଚଳିଯିବ।

ଭାଗୁ - ବାପାଙ୍କ ଅମଳରୁ ଏ ଗାଁକୁ ଯେତେ ଅଫିସର ଆସନ୍ତି ସବୁ ଆମକୁ କୃତାର୍ଥ କରିଥାନ୍ତି। ଆପଣ ବି ଚାଲନ୍ତୁ ନିଦୟା ହୁଅନ୍ତୁ ନାହିଁ।

ହେଲା ହେଲା ସାହୁଏ, ମନରେ ଏମିତି ଦୟା ଥାଉ। ବହୁତ ବହୁତ ଧନ୍ୟବାଦ। ମୁଁ ତ ସରକାରୀ କାମରେ ଆସିଛି। ତଦନ୍ତ ସରିଲେ ଫେରିଯିବି।

ଇନସ୍ପେକ୍ଟର ରାୟ ବାବୁ କହିଲେ, "ସାରଙ୍କୁ ଆଉ ବଳାନ୍ତୁ ନାହିଁ। ଯାଉନ୍ତୁ ସମସ୍ତେ। ସାଢ଼େ ୩ଟାରେ ଗାଁ ମଝିକି ଆସନ୍ତୁ।"

ସବୁ ଯିବା ପରେ ରାୟ ବାବୁ କହିଲେ, "ସାହୁ ବାବୁ ବହୁତ ଭଲ ଲୋକ, ଆପଣଙ୍କ ପାଇଁ ରୋଷେଇ କରିଥିଲେ। ମୁଁ ମଗେଇ ଦେଉଛି।"

ବିନୋଦ ହସିଲା, କହିଲା, "ନା, ମଗେଇବା ଦରକାର ନାହିଁ, ମୋ ସ୍ତ୍ରୀ ରାନ୍ଧି ଘରୁ ଯାହା ପଠାଇଛି, ସବୁ ନଷ୍ଟ ହେବ ଯେ, ବରଂ ଆପଣ ଦିହେଁ ମୋ ସାଙ୍ଗରେ ବସିଯାନ୍ତୁ, ଯଥେଷ୍ଟ ଅଛି।"

ନା ସାର, ଆମର ତେଣେ ହୋଇଛି।

ହଉ ଯାଉନ୍ତୁ, "ମୋତେ ଖାଲି କାଗଜପତ୍ର କଣ ଅଛି ଟିକେ ବୁଝେଇ ଦେଇଯାଆନ୍ତୁ।"

୨୫.୬.୧୯

Monday, 24 June 2019

*ସତକୁ ଜଗିଥିଲେ ବିପଦ ପଡ଼ିବ ନାହିଁ*

ଜଣେ ଚପରାଶି ଆସି ଅଫିସରେ ବିନୋଦ ଆଡ଼କୁ ଅନାଇଁ କହିଲା, "ଏସ ଡି ଓ ସଲାମ ଦେଇଛନ୍ତି।" ବିନୋଦ କିଛି ବୁଝି ନ ପାରି ନିଜ କାମରେ ବ୍ୟସ୍ତ ରହିଲା। ପୁରୁଣା କିରାଣୀ ଜଣେ କାମ କରୁଥିଲେ, ସେ କହିଲେ, "ଗଲେ ନାହିଁ ?"

ବିନୋଦ - କୋଉଠି କି ?

କିରାଣୀ - କଲେକ୍ଟର ଡାକିଲେ ପରା ?

ବିନୋଦ - କେତେବେଳେ ?

କିରାଣୀ - ହେଇପରା ଚପରାଶି କହିଗଲା ସଲାମ ଦେଇଛନ୍ତି।

ଏବେ ବିନୋଦ ବୁଝିଲା ସଲାମ ମାନେ ଡାକିବା। ସେ ଭାବିଲା, ଇଂରେଜ ତ ଗଲେଣି, କିନ୍ତୁ ସେହି ଛାଞ୍ଚ, ସେହି ଗତ ରହିଛି, କେତେ ଦିନ ଏହା ରହିବ କିଏ ଜାଣେ ?

ରାଘବ ଚୌଧୁରୀ ବିନୋଦକୁ ଦେଖି ମିଠା ହସଟିଏ ହସି ଟାଇପ ହୋଇଥିବା ଆଦେଶଟିଏ ବଢ଼ାଇ ଦେଲେ।

ଗୋଟିଏ ଦୂର ଗାଁରେ ଦୁଇ ଦଳ ଭିତରେ ଝଗଡ଼ା ହୋଇଛି, ସେଠାକୁ ଯାଇ ତଦନ୍ତ କରି ରିପୋର୍ଟ ଦେବାକୁ ଆଦେଶରେ କୁହାଯାଇଛି।

ବିନୋଦ - "ସାର, ମୁଁ ବୁଝିପାରୁ ନାହିଁ ଯେ, ସେ ତହସିଲର ତହସିଲଦାର ସୁନୀଲ ବାବୁ ତ ଅଛନ୍ତି, ସେ ସେଠିକାର ହାଲ ଚାଲ ଜାଣନ୍ତି, ତାଙ୍କୁ ଏ ତଦନ୍ତ ନ ଦିଆଯାଇ ମୋ ଭଳି ଏକ ତଳ କର୍ମଚାରୀକୁ କାହିଁକି ଦିଆଯାଇଛି ?"

ରାଘବ ଚୌଧୁରୀ - "ନାଇଁ ନାଇଁ, ଯେତେହେଲେ ବି ସେ ପିଲାଳିଆ। ଗାଁ ଲୋକ ବି ଜଣେ ଅଲଗା ଲୋକ ଦ୍ୱାରା ତଦନ୍ତ ହେଉ ବୋଲି ଗୁହାରି କରିଛନ୍ତି।"

ବିନୋଦ - "ଆପଣ ଏ କାମ ନିଜେ କରନ୍ତୁ, ଏଇଟା ମୋ କାମ ନୁହେଁ, ମୁଁ ଏ ତଦନ୍ତ କରିପାରିବି ନାହିଁ।"

ଚୌଧୁରୀ ବାବୁ - "ଆପଣଙ୍କ ପ୍ରମୋଶନ ପାଇଁ ମୁଁ ଆପଣଙ୍କ ନାଁ ଟା କଲେକ୍ଟରଙ୍କୁ କହି ତଦନ୍ତ ଲିଷ୍ଟରେ ଯୋଡ଼ିଛି। ଆପଣ ଯେମିତି ବି ତଦନ୍ତ କଲେ ଚଳିବ, ସେ ରିପୋର୍ଟ ମୋତେ ଦେବେ, ମୁଁ ତାକୁ ଠିକ୍ କରି କଲେକ୍ଟରଙ୍କ ପାଖକୁ ପଠାଇବି।"

ବିନୋଦ - "ମୋର ଏ ତୋଷାମଦିଆ ପ୍ରମୋଶନ ଦରକାର ନାହିଁ, ସେଦିନ ଭୁଲରେ ଏ ପ୍ରମୋଶନ କଥା କହି ମୁଁ ଅନୁତପ୍ତ। ତା' ପରେ  ତଦନ୍ତ କାର୍ଯ୍ୟ ମୁଁ ଏକା କରିବାକୁ ସମର୍ଥ, ଏଥିରେ ଆପଣଙ୍କ ସହଯୋଗ ମୋର ଆଦୌ ଲୋଡ଼ା ନାହିଁ।"

ଚୌଧୁରୀ ବାବୁ ଗମ୍ଭୀର ହୋଇ କହିଲେ, "ଭାବନ୍ତୁ ନାହିଁ ଆପଣଙ୍କୁ ମୁଁ ପ୍ରଭାବିତ କରିବା ପାଇଁ ଚାହୁଁଛି, କଥା କଣ କି ଏଇଟା ଗୋଟେ ଶାସନଗତ ବିଷୟ, ଆପଣ ଆଗେ ଯାଇ ସେ ଗାଁ ବୁଲି ଆସନ୍ତୁ, ତା ପରେ ମୁଁ ସବୁ କଥା କହିବି। କିପରି କାମ ହେବ, କିପରି ଗଣ୍ଡଗୋଳ ବନ୍ଦ ହେବ, କିପରି ଦୁଷ୍ଟ ଲୋକ ଜବତ୍ ହେବେ, କିପରି ମନ୍ତ୍ରୀ ଖୁସି ହେବେ, ଅନ୍ତତଃ ବିରକ୍ତ ହେବେ ନାହିଁ। ଏଣେ କାଗଜପତ୍ରରେ ଏପରି କିଛି ନ ଥିବ ଯାହାକୁ ଧରି ଓକିଲମାନେ ଅପିଲରେ ଗଲେ ଜଜ୍ କୋର୍ଟରେ ହାଇ କୋର୍ଟରେ ଆମକୁ ଅପଦସ୍ତ କରିପାରିବେ। କେମିତି ଏ ସବୁ କୁଳରକ୍ଷା ହେବ, ତଦନ୍ତ ରିପୋର୍ଟଟି ହେବ ତାରି ମୂଳଦୁଆ, ତା ଗୁରୁତ୍ୱ ବୁଝୁଛନ୍ତି ତ ?"

ବିନୋଦ - "ଆପଣଙ୍କୁ ଏ ସବୁ ବିଦ୍ୟା ଜଣା। ଆପଣ ତଦନ୍ତ କରନ୍ତୁ। ମୋର ଏଥିରେ ପଶିବାର ନାହିଁ।"

ଚୌଧୁରୀ ବାବୁ - "ଆପଣ ଖାଲି ଯାଇ ସେ ଗାଁ ବୁଲି ଆସନ୍ତୁ। ବାକି କାମ ମୁଁ ଏଇଠି ବସି ସବୁ କରିଦେବି।"

ବିନୋଦ - "ମୁଁ ଯଦି ଯିବି ମୋ ତଦନ୍ତ ରିପୋର୍ଟ ମୁଁ ସିଧା କଲେକ୍ଟରଙ୍କୁ ଦେବି। ସେଥିରେ କାହାରି ହେରଫେର ମୁଁ କରିବାକୁ ଦେବି ନାହିଁ।"

ଚୌଧୁରୀ ବାବୁ - "ଓହୋ, ଆପଣ କିଛି ବୁଝୁ ନାହାନ୍ତି। ଶାସନର ହିତ ଦିଗଟା ଆମକୁ ଚିନ୍ତା କରିବାକୁ ପଡ଼ିବ କି ନାହିଁ ?"

ବିନୋଦ - "ମୁଁ ଯାହା ଦେଖିବି, ସେୟା ଲେଖିବି। ମୋ ବିଚାର ଓ ବିବେକର ବେକ ମୋଡ଼ି ପାରିବି ନାହିଁ।"

ରାଘବ ଚୌଧୁରୀ -"ମୋର ଯାହା ଯାହା କହିବା କଥା ସବୁ କହି ସାରିଛି। ଖାଲି ଏତିକି ମନେରଖିବେ ଯେ, କେବଳ ମକଦ୍ଦମା ଚଳାଇବା ଆମ କାମ ନୁହଁ, ଶାସନ ସମ୍ପର୍କୀୟ ଦାୟିତ୍ୱ ବି ଆମ ଉପରେ ଥାଏ। କାର୍ଯ୍ୟ ଦକ୍ଷତା କଥା ବିଚାର କଲା ବେଳେ ଏ ଦୁଇଟି କଥା ଦେଖାଯାଏ।"

ଏ କଥା ଉହାଡ଼ରେ ଯେଉଁ ଧମକ ଥିଲା, ବିନୋଦ ତାକୁ ବୁଝିପାରିଲା। କହିଲା, "ଦେଖନ୍ତୁ, ଯାହାଙ୍କର ଯେପରି ଇଚ୍ଛା, ମଣିଷ କାମ କଲେ ଗଲା। ସତକୁ ଜଗିଥିଲେ, ଅନ୍ୟାୟ କିଛି ନ କଲେ, କେହି ପୁରସ୍କାର ନ ଦେଉ ପଛେ ବିପଦ ପଡ଼ିବ ନାହିଁ, ସେଇଟା ମୁଁ ଜାଣେ।"

"ହୁଁ" ରାଘବ ଚୌଧୁରୀ କହିଲେ, ତା ଆଖିକୁ କଟମଟ କରି ଅନାଇଲେ। କହିଲେ, ହଉ "ଯାଉନ୍ତୁ।"

୨୪.୬.୧୯