ଆର ଦିନ ସକାଳେ ବିନୋଦ ରିପୋର୍ଟ ଲେଖିଲା। ଯାହା ଯାହା ସେ ଦେଖିଲା, ଶୁଣିଲା ସବୁ ସଂକ୍ଷେପରେ ସେ ଲେଖିଲା। ନକ୍ସା କାଟି ବସ୍ତି, ମନ୍ଦିର, ରାସ୍ତା ଯୋଡ଼ିକ ସେଥିରେ ଦେଖାଇଲା। ରିପୋର୍ଟରେ ସେ ଲେଖିଲା ଯେ, ଦଶ ବାର ବର୍ଷ ହେଲା ଦି ଟା ଦଳ ହୋଇ ବହୁତ ମାଡ଼ ଫୌଜଦାରୀ ମାଲିମକଦ୍ଦମା ହେଲାଣି, ତଥାପି ଦୁଇ ଠାକୁରଙ୍କର ବର୍ଷିକିଆ ଯାତ୍ରା ହୁଏ। ଏ ବର୍ଷ ଗୋପୀନାଥ ଠାକୁରଙ୍କ ଯାତ୍ରା ବେଳେ ଗଣ୍ଡଗୋଳ ହେବାର ପୂରା ଆଶଙ୍କା ରହିଛି, ତା'ର କାରଣ ସମ୍ଭବତଃ ଗଣ୍ଡଗୋଳ ତେଜିବା ଉଦ୍ଦେଶ୍ୟ ଥାଇ ଗୋପୀନାଥ ଦଳ ତାଙ୍କ ଠାକୁରଙ୍କୁ ରଘୁନାଥ ଦଳଙ୍କ ବସ୍ତିର ଅନ୍ଧି ସନ୍ଧି ବାଟେ ବୁଲେଇ ବଙ୍କେଇ ପଟୁଆର କରି ନେବାକୁ ଚାହାନ୍ତି, ଯଦିଚ ଗୋପୀନାଥ ମନ୍ଦିରରୁ ଯାତ୍ରାପଡ଼ିଆଯାକେ ସିଧା ଫାଙ୍କା ଫର୍ଚ୍ଚା ହୋଇ ଅନ୍ୟ ରାସ୍ତା ଅଛି, ପୂର୍ବେ ସେହିବାଟେ ସେହି ଠାକୁର ଯାଉଥିଲେ ବୋଲି ରଘୁନାଥ ଦଳର ଲୋକେ ଓ କେହି କେହି ଅନ୍ୟମାନେ ବି କହୁଛନ୍ତି, କିନ୍ତୁ ପୋଲିସ ପୂର୍ବ ବର୍ଷର କାଗଜ କାଢ଼ି ନାହାନ୍ତି କି ସେ ବିଷୟରେ କିଛି କହୁ ନାହାନ୍ତି, ଓଲଟି ଗୋପୀନାଥ ଦଳର ଲୋକଙ୍କୁ ରଘୁନାଥ ଦଳିଆଙ୍କ ସାହିର ସଂକୀର୍ଣ୍ଣ ଗଳିବାଟେ ଠାକୁର ନେବାକୁ ଲାଇସେନ୍ସ ଦେଇଛନ୍ତି।
ବିନୋଦ ସୁପାରିଶ କଲା ଏ ପରିସ୍ଥିତିରେ ଯାତ୍ରା ପାଇଁ ଅନୁମତି ନ ଦିଆଯାଉ। କାରଣ ଶୁଣିବାକୁ ମିଳିଲା ଗୋପୀନାଥ ଦଳ ବାହାରୁ ଦଳେ ଗୁଣ୍ଡାଙ୍କୁ ଡାକି ଗଣ୍ଡଗୋଳ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ପୋଲିସ ଆଉ ନିରପେକ୍ଷ ହୋଇ ରହି ନାହିଁ, ଗୋପୀନାଥ ଦଳର ବୋଲି ତାଙ୍କ ସ୍ଵଭାଵ କଥା ଭାଷା ସବୁ ହୋଇଯାଇଛି। ଗୋପୀନାଥ ଦଳର ଜଣକ ବଗିଚାରେ ସେମାନେ ନ ରହନ୍ତୁ। ସେମାନେ ନିରପେକ୍ଷ ହେବା ଦରକାର। ସାଧାରଣ ଗ୍ରାମବାସୀଙ୍କ ବିଶ୍ୱାସଭାଜନ ହେବା ଦରକାର।
ସେ ପୁଣି ଲେଖିଲା ଯେ ଗାଁ ଭିତରର କଳି ଗାଁରେ ଆପୋଷ ବୁଝାମଣାରେ ସମାଧାନ କରିଦେବା ଦରକାର। ନ ହେଲେ ରକ୍ତପାତ ହେବାର, ଧନ ଜୀବନ ହାନି ହେବାର ସମ୍ଭାବନାକୁ ଆଡ଼େଇ ଦେଇ ହେବ ନାହିଁ।
ନିଜେ ବସି ରିପୋର୍ଟର ତିନି କିତା ସେ ଟାଇପ କରାଇ କିତାଏ ଡାକରେ କଲେକ୍ଟରଙ୍କ ପାଖକୁ, କିତାଏ ନିଜ ପାଇଁ ରଖିଲା ଏବଂ ଆଉ କିତାଏ ଏସ ଡି ଓ ଙ୍କ ପାଖକୁ ପଠାଇ ଦେଲା।
ଏତିକି ବେଳେ ତାର ମନେ ପଡ଼ିଲା ରାଘବ ଚୌଧୁରୀଙ୍କ କଥା। ସେ କହିଥିଲେ ମୋତେ ନ ଦେଖାଇ ରିପୋର୍ଟ ପଠାଇବ ନାହିଁ। ଆମେ ଦୁହେଁ ମିଶି ଏମିତି ରିପୋର୍ଟ ଲେଖିଦେବା ଯେପରି ରଘୁନାଥ ଦଳରେ ଥିବା ଦୁଷ୍ଟ ଲୋକେ ସାଧ୍ୟ ହେବେ।
ବିନୋଦ ହସି ଦେଲା।
୩୦.୬.୧୯
