Wednesday, 31 July 2019

*ନାମକରଣ ପାଇଁ ପ୍ରସ୍ତୁତି*

ପୁଅର ନାଁ ଦିଆଯିବ। ପୁୟୁ ତା ପୁଅର ଭବିଷ୍ୟତ କଥା ଭାବେ। ପୁଅକୁ ଅଣ୍ଟିରେ ପୂରେଇ ବସି ସାହି ମହିଳାଙ୍କ ସହ ଗପ କଲାବେଳେ ପୁୟୁ ସମସ୍ତଙ୍କୁ ପଚାରେ ନାଁ କ'ଣ ଦିଆଯିବ।

ପୁୟୁ ଭାବେ ଗୋଟାଏ କଣ ବଡ଼ ନାଁ ହେବ, ଗୁରୁଗମ୍ଭୀର, ଭୟଙ୍କର, ଯେପରିକି ବଡ଼ ହେଲେ ଲୋକେ ମାନିବେ, ଡରିବେ। ଇଚ୍ଛା ହୁଏ ଦିଉଡ଼ିକୁ ପଚାରି ବୁଝାନ୍ତା ତା ମତାମତ କ'ଣ ?

ଦିଉଡୁର କ'ଣ ଯେମିତି ହେଇଯାଇଛି ଯେ ସେ ଦେଖା ଦେଉ ନାହିଁ। ଫସଲ କଟାକଟି ଲାଗିଛି, ଗାଁର ସମସ୍ତେ ପାହାଡ଼ ତଳେ। ଗାଁ ଟା ଖାଁ ଖାଁ। ପୁବୁଲି ବି ମାଣ୍ଡିଆ କ୍ଷେତକୁ ଯାଏ, ପୁୟୁ ପାଇଁ ମାଣ୍ଡିଆ ଭାତ ଥୋଇ ଦେଇ ଭାଇ ପାଇଁ, ଦାଦି ପାଇଁ ନେଇଯାଏ। କ୍ଷେତ ଉପରେ ମଞ୍ଚା ବନ୍ଧା ହୋଇଛି। ପାଚିଲା ଫସଲ ଜଗି ରହି, କଟା ଫସଲ ଜଗି ରହି ପୁରୁଷମାନେ ଆପଣା ଆପଣା ମଞ୍ଚା-କୁଡ଼ିଆରେ ରାତିରେ ଶୁଅନ୍ତି।

ପୁବୁଲି ସଞ୍ଜରେ ଫେରେ, ଦସ୍ତୁ କୁକୁର ଫେରେ ତା ସାଙ୍ଗରେ। ରାତିରେ ବଣ ଜନ୍ତୁଙ୍କୁ ଘଉଡ଼େଇବା ପାଇଁ ଯେତେବେଳେ ମନେପଡ଼େ ଲୋକେ କିଳିକିଳା ରଡ଼ି ଛାଡ଼ନ୍ତି। ଶିଙ୍ଗା ଫୁଙ୍କନ୍ତି। ପୁବୁଲିକୁ ନିଦ ହୋଇଯାଏ, ପୁୟୁ ସିଙ୍ଗା ଶବ୍ଦ ଶୁଣୁଥାଏ। ବେଳେବେଳେ ଶିଙ୍ଗା ଶବ୍ଦ ଶୁଣିଲାକ୍ଷଣି ଦସ୍ତୁ ଧଡ଼ମଡ଼େଇ ଉଠି ଏକା ରାଆରେ ପଦ ମେଲିଦେଇ କାନ୍ଦେ। ପିଲା ରଡ଼େ। ନିଆଁ ଜୁକୁଜୁକୁ ଧୂଆଁ ସରସର ଘରେ ଶୀତରେ କୁଙ୍କୁରି କାଙ୍କୁରି ହୋଇ ଶୋଇ ରହି ପୁୟୁ ଦିଉଡୁକୁ ମନେ ପକାଏ।

ଏଇ ପାଚିବା କାଟିବା ଦିନରେ କ୍ଷେତ ପାଖେ ବଣ ଆଢୁଆଳରେ କେତେ ହସଖୁସି, କେତେ ଘେନାଘେନି, କନ୍ଧ ଦେଶରେ। ମାଘ ମାସଟା ଖାଲି ବାହାଘର ମାସ। ପାଚିଲା ଫସଲ ଦେଖିଲେ ପେଟ ପୂରେ, ଶୀତୁଆ ଖରା ମତାଏ, ଶୀତ ଏକାଠି କରେ। ପୁୟୁ ପୁବୁଲିକୁ ବିଚିତ୍ର ଆଖିରେ ଅନାଏଁ, ତା ମନ କଥା ଜାଣିବାକୁ ଚେଷ୍ଟା କରେ। ପୁବୁଲି ନିଘୋଡ଼ ନିଦରେ ଶୋଇଥାଏ। ନିଛାଟିଆ ଶୀତୁଆ ଅନ୍ଧାର ରାତି। ଖାଲି ଶିଙ୍ଗା ଶବ୍ଦ। ଦାଦିକି ସେଠି ଜଗେଇ ଦେଇ ଦିଉଡୁ ଆସି ପାରନ୍ତା ନାହିଁ ? ପୁରୁଷମାନଙ୍କ ମନ କଣ ସତେ ପୁୟୁ ଭାବେ।

ସକାଳ ହୋଇଥାଏ, ଭାରି କୁହୁଡ଼ି। ପାଖ ଗୁହାଳରୁ ତା' ଉପରେ ତା' ଉପରେ ଦୋଟିଯାକ ବଳଦ ରଡ଼ି ଛାଡୁଛନ୍ତି। ପୁୟୁ ଉଠିଲା, ଦେଖିଲା ପୁବୁଲି ଉଠିଯାଇଛି। ଘର ଭିତର, ଅଳ୍ପ ଫରଚା, ନିଆଁ ଲିଭିଯାଇଛି। ପିଲାଟି ଶୋଇଛି। ପୁୟୁ ଗାଲିପାରି ଶୋଇ ରହିଲା ପୁବୁଲିକୁ ଅପେକ୍ଷା କରି। ବଳଦ ଯୋଡ଼ାକ ଆହୁରି ଆହୁରି ବୋବେଇଲେ, ଘର ଭିତର ପରିଷ୍କାର ଦେଖାଗଲା। ପୁଅ ଡବ ଡବ କରି ଅନେଇଲା।

ଜାମିର କନ୍ଧର ବୁଢ଼ୀ ପାଖେ ଛୁଆକୁ ଛାଡ଼ି ଦେଇ ନାହି ପଡ଼ିବା କଥା କହିଦେଇ ପୁୟୁ ଚଢ଼ିଲା ପର୍ବତରେ। ନାଲିମାଟି ଆଣିଲା, ଧଳାମାଟି ଆଣିଲା, ଶିଆଳି ପତ୍ର ଆଣିଲା।

ଫେରିଲା ବେଳକୁ ବୁଢ଼ୀ ପାଖେ ଛୁଆକୁ ଧରି ପୁବୁଲି ଗପୁଛି। ପୁୟୁ ଘର ଦ୍ୱାର ଲିପି ପକେଇଲା। ଗୁହାଳ ପୋଛିଲା। ଦୁଆରେ ଶୁଭ ଚିହ୍ନ ବୋଲି ଶିଆଳି ପତ୍ରର ମାଳ ଲଟକେଇଦେଲା। ଲୁଗା ଶିଝେଇଲା।

ଝୋଲାରୁ ଫେରି ପୁୟୁ ଦିଉଡୁକୁ କହିଲା ଖାଲି ମଦ ପିଇ ମାତିଲେ ଚଳିବ ନାହିଁ। ବହୁତ କାମ ବାକି, ବେଜୁଣୀକୁ ଡାକିବାକୁ ପଡ଼ିବ, ଡିଶାରୀ ଠୁଁ ପରାମର୍ଶ ନେବାକୁ ହେବ। ନାହି ପଡ଼ିଛି। ପିଲାର ନାଁ ଦିଆହେବ।

୩୧.୭.୧୯

Tuesday, 30 July 2019

*ଉଦାସ ପୁବୁଲି*

ସମସ୍ତେ କହନ୍ତି ପୁୟୁର ପୁଅ ସୁନ୍ଦର ହେବ ! ପୁୟୁ ଖୁସି ହୁଏ, ପିଲାକୁ କୋଡ଼ରେ ପୂରେଇ ସେ ବସି ରହେ, ପିଲାଠୁ ତେଣିକି ଆଉ ତାକୁ ଆଉ କିଛି ଦିଶେ ନାହିଁ, ସେତିକି ସବୁ। କଅଁଳା ପିଲା ଦୁଧରେ ମୁହଁ ଲଗେଇ ଶୋଷେ, ହାତରେ ଅଣ୍ଡାଳେ, ଶୋଷିଲା ଆଖିରେ ପୁୟୁ ତା ପୁଅକୁ ଅନେଇରହେ। ଛାତି ଖୋଲାରଖି ଖାଦ୍ୟଭର୍ତ୍ତି ଦୁଧ ପିଲାର ମୁହଁକୁ ଆଗେଇ ଧରେ। ସେହିବାଟେ ଗାଁ ଲୋକେ ଯାଆନ୍ତି ଆସନ୍ତି, ସ୍ତ୍ରୀ ପୁରୁଷ ଯାହାର ଇଚ୍ଛା ସେଠି ଠିଆ ହୋଇ ପିଲାକଥା ପୁୟୁକୁ ପଚାରନ୍ତି। ସେ ବିନା ସଙ୍କୋଚରେ ସେହିପରି ବସିଥାଏ, କଥାବାର୍ତ୍ତା କରେ। ମା'ର କ୍ଷୀର ପିଲାର ଖାଦ୍ୟ, ସେଥିରେ କିଛି ସରମ ଅଛି ତା କନ୍ଧୁଣୀ ମା' ବୁଝେ ନାହିଁ, କନ୍ଧ ସମାଜ ବୁଝେ ନାହିଁ, କନ୍ଧୁଣୀ ମା' ଗର୍ବ କରି ପିଲାକୁ ଖୁଆଏ, ସେ ଦୁର୍ବଳ ନୁହେଁ, ସେ ବନ୍ଧ୍ୟା ନୁହେଁ, ଆପଣାର ରକ୍ତରୁ ପିଲାଟିଏ ସେ ଗଢ଼ିଛି, ଶକ୍ତି ଅଛି ତାକୁ କ୍ଷୀର ଖୋଇ ମଣିଷ କରିବାକୁ।

ପୁବୁଲି ବାଧ୍ୟକରି ତାଠାରୁ ପିଲାକୁ ଛଡ଼େଇ ନେଇଯାଏ। କହେ, ତୁ କାମ କର ମୁଁ ହାଲିଆ ହୋଇଗଲି। ଛଡ଼େଇ ନେଇ ଘର ଭିତରେ ପଶେ, ଗେଲ କରେ, ଗୁଣୁଗୁଣୁ ହୋଇ ଗୀତ ବୋଲେ। ଚାରି ଆଡ଼କୁ ଅନେଇଁ ଦେଇ ଆସ୍ତେ ପିଲାଟିର ମୁହଁ ଲଗେଇ ଦିଏ ଆପଣା ଛାତିରେ। ପିଲା ଅଣ୍ଡାଳେ। ପରିଚୟ କ୍ଷେତ୍ର ସେ ପାଏ ନାହିଁ। ପିଲା ରଡ଼େ। ପାଖେ ପାଖେ ବାଁରେଇ ହେଉଥାଏ ପୁୟୁ, କ୍ଷୀର ବୋହିଯାଉଥାଏ। ପୁୟୁ କହେ, ଦେ, ତୁ ଯା ମୁଣ୍ଡ ବାନ୍ଧିବୁ, ବସେଇ ଉଠେଇ ଦେବ ନାହିଁ ତତେ। ପୁବୁଲିର ମନ ଭିତର ବାରମ୍ବାର କହେ, ସେ ହାରିଛି, ଛାତି ଭିତରେ କେଉଁଠି କଣ ହାକୁ ହାକୁ ହୁଏ, ଇଚ୍ଛା ହୁଏ ପିଲାଟିକୁ କୁଣ୍ଢେଇ ଧରି ନାଚିବାକୁ।

ପୁୟୁ ପିଲାକୁ କ୍ଷୀର ଦିଏ; ପୁବୁଲି ଠିଆ ହୋଇ ଅନାଏ, ଉଦାସ ଓଲ୍ହାଏ ତା ମୁହଁକୁ, ଆଖିରେ ସ୍ବପ୍ନ ଭାସେ। ଏଇ ମା', ଏଇ ତା'ର ଛୁଆ, ତା'ର ଭାଇର ପୁଅ, ସେ ଭାଇର ଭଉଣୀ। ଥରେ ପୁୟୁ ନଣନ୍ଦକୁ କହିଥିଲା, ଦେଖ୍ ତା'ର ଆଖି, ଦେଖ୍ ତା'ର କପାଳ, ଠିକ୍ ତୋରିପରି, ତୋରିଠୁ ଆଣିଛି, ଆଉ ପାଦ, ଠିକ୍ ତୋରି ପାଦପରି ସାନ ସାନ ହେବ ନାହିଁକି, ଦେଖ୍ ଦେଖ୍। ପୁୟୁ ହସି ହସି ଗଡ଼ି ଯାଉଥିଲା, ପୁବୁଲି ବି ହସିଥିଲା।

ପୁବୁଲି ପିଲାଟିକୁ ଭାରି ଭଲପାଏ।

ସାନ ଦର୍ପଣରେ ମୁହଁ ଦେଖି ଦେଖି ତେଲ ହଳଦୀ ବୋଳି ହେଲାବେଳେ ପୁବୁଲି ବାଆଁରେଇ ହୋଇ ପିଲାକୁ ଅନାଏଁ, ସତେ କଣ ତାରି ରୂପର ଛାଇ ପଡ଼ିଛି ପୁୟୁର ପିଲା ଉପରେ ! ପୁୟୁ ପିଲାକୁ ଗେଲ କରେ, ପିଲା ଲାଗିଯାଏ ମା ଦେହରେ, ଝିଟିପିଟି ପରି, ପୁବୁଲି ଦୀର୍ଘଶ୍ଵାସ ପକାଏ। ଅଜାଣତରେ ମନଟା କାହିଁକି ଫାଙ୍କା ଫାଙ୍କା ଲାଗେ। ଅଠର ବର୍ଷର ସବୁ ଅଭିଜ୍ଞତାର ମୁଣି ଝାଡ଼ଝୁଡ଼କରି ପୁବୁଲି ବାଛେ ଖାଲି ଦୁଃଖର ଅନୁଭୂତି। ମଲା ମା'ର କାନିଟା ବାଜିଯାଏ ସତେକି ପୁବୁଲି ଦେହରେ, ମନେପଡ଼େ ବୁଢ଼ା ବାପ, ଆଉ କେତେ କଣ ମନେ ପଡ଼ିବାକୁ ଅଧାଯାକେ ଉଠି ଆସେ, ପୁଣି ଛପିଯାଏ।

ଉଦାସ ହୋଇ ପୁବୁଲି ଦୂରକୁ ଅନାଏଁ। ହେଇ ପର୍ବତ ସେପାଖେ, ସେଠି ଚନ୍ଦିକାର ଗାଁ, ହିକୋକା ବଂଶର କନ୍ଧମାନଙ୍କ ବସତି। ସକାଳେ ସଞ୍ଜରେ ସେଠୁ ଧୂଆଁ ଉଠେ, ଖାଲରେ ଅଛି ଗାଁ। ଗଛ ସନ୍ଧିରୁ ଧୂଆଁର ଭଉଁରିର ଖିଅ ଧରି ଧରି ଭାବିବାକୁ ପୁବୁଲିକୁ ଭଲ ଲାଗେ। ସେଠି ଭେଣ୍ଡିଆ ସାଓଁତା ହିକୋକା ହାର୍ଗୁଣା, ଦିଉଡୁ ପରି ସେତେ ଉଞ୍ଚ ନୁହେଁ, କିନ୍ତୁ କୁନ୍ଦିଲାପରି ଦେହ। ପିଲାଦିନୁଁ କେତେ ଥର ସେ ଦେଖିଛି ତାକୁ। ବେଳେବେଳେ ସେ ଆସେ, ସରବୁ ସାଓଁତାର ପାଖରେ ବସେ। ପୁବୁଲି ଧୂଆଁର ଖେଳ ଦେଖେ। ସରବୁ ସାଓଁତା ଧୂଆଁରେ କେଉଁଆଡ଼େ ମିଶିଗଲା। ସେ ହାର୍ଗୁଣାକୁ ଭଲ ପାଉଥିଲା।

ପୁବୁଲି ହାର୍ଗୁଣା କଥା ଭାବେ, ଲୋକେ କହନ୍ତି ସାଓଁତାର ଝିଅ ସେପାଖ ସାଓଁତାକୁ ଭଲ ମାନିବ। ଦିନାକାତେ ହେଲା ହାର୍ଗୁଣା ଆସି ନାହିଁ। ଫସଲ କଟାକଟି ବେଳ। ଅନର୍ଥକ ପୁବୁଲି ହାର୍ଗୁଣାକୁ କଳି ବସେ, ଆହା, ତା'ର ବି ବାପା ମା' ନାହାନ୍ତି।

୩୦.୭.୧୯

Monday, 29 July 2019

*ପ୍ରେତ ଘଉଡ଼ା ପର୍ବ*

କେତେ ଆତ୍ମା ଉଡ଼ି ଚାଲିଛନ୍ତି ଶୂନ୍ୟକୁ, ଫୋପାଡ଼ି ଦେଇ ଯାଇଛନ୍ତି ଖାଲି ତାଙ୍କର ନାଁ ର ଖୋଳପା, ସମୟ ତାକୁ ବି ଖତିରା କରି ଦେଇଛି, ଧୂଳି କରି ଦେଇଛି। ଧୂଳିରେ ଧୂଳି ମିଶିଛି, ଅଗଣିତ ନାଁ, ଆଜି ବାଛି ହେବ ନାହିଁ।

ଗାଁ ମଝିରେ ବଡ଼ ନିଆଁ ଅଗି ଜଳୁଥାଏ। ଚାରିଟା କୁକୁଡ଼ା ଛୁଆଙ୍କ ରକ୍ତ ଢଳା ହେଲା, ରନ୍ଧା ମଦ ଢଳା ହେଲା। ଉଡ଼ନ୍ତା ଖଇ ଗୋବିନ୍ଦେ ସ୍ୱାହା। ସରବୁ ସାଓଁତାର ଆତ୍ମା ଶାନ୍ତି ହେଉ। ପୁରୋହିତ କାମ୍ବେଲା ଜାନୀ ପ୍ରେତକ୍ରିୟାର ମନ୍ତ୍ର ଶେଷ କଲା। କନ୍ଧମାନେ ଅପକ୍ଷା କରିଥିଲେ। ଏକାଥରକେ ଶବ୍ଦକରି ବାହାରିଗଲା ଗୁଡ଼ାଏ ଦୀର୍ଘଶ୍ଵାସ। ଏବେ ସରବୁ ସାଓଁତାର ପ୍ରେତ ଗାଁ ଛାଡ଼ି ବାହାରିଗଲା, ଏଣିକି ଶାନ୍ତି। କଳରବ ହେଲା, ମଦ ପିଆ ଲାଗିଲା। କନ୍ଧ ଡୋଲିଆ ମାଦଳ ପିଟିଲେ। କନ୍ଧ ପିଲାଏ ବଡ଼ ବଇଁଶୀରେ ଐକ୍ୟତାନ ଲଗେଇ ଦେଲେ। ମୁହାଁମୁହିଁ ଦି'ଧାଡ଼ି ହୋଇ ଧାଣ୍ଡି ନାଚିଲେ, ମାଡ଼ି ଆସିଲେ, ପଛେଇ ଗଲେ, ପୁରାତନ ରୀତି। ମଦ ପିଆ ବଢ଼ିଲା। ସବୁ ଗୋଳମାଳ ହୋଇଗଲା। ପଛେ ପଛେ ଭାତ ମାଉଁସ ଭୋଜି। କାଉ ପରି ରାବି ଉଠିଲେ ମଣିଷ ମେଂଚମେଂଚି ହୋଇ ହୋ-ହା ଘୋ-ଘା। ବାଜା ଥମ୍ବି ନ ଥାଏ, ରହିରହିକା ବଇଁଶୀ ଚାଲିଥାଏ। ଭୋଜି ପରେ ଅଇଁଠା ଗାଁ ଦାଣ୍ଡରେ ପୁଣି ନାଚ, ପୁଣି ଫୁର୍ତ୍ତି, କାହାର ହୋଶ ନ ଥାଏ। ପୁବୁଲି ନାଚୁ ଥାଏ, ଦିଉଡୁ ଗଡୁଥାଏ, ଲେଞ୍ଜୁ କରପଟିଆ ହୋଇ ହାତ ଗୋଡ଼ ଛାଟି ଡେଇଁବାରେ ଲାଗିଥାଏ। ଗାଁ ଲୋକେ ଖୁସି ହେଉଥାନ୍ତି।

ଏ ବି ପର୍ବ। ପ୍ରେତ ଘଉଡ଼ା ପର୍ବ। ଉଷୁମ ଅଗି, ନାଚ, ଭୋଜି। ଝୋଲା କୂଳରେ ନିଛାଟିଆ ବଣ ଭିତରେ ଅଙ୍ଗାର ଗୁଡ଼ାଏ ପଡ଼ିଥାଏ, ବିଲୁଆ ବୋବେଇ ବୋବେଇ ଯାଏ, ବଣର ଚଢ଼େଇ ବିକଟାଳ ରାଵ ଛାଡ଼େ। ଶୀତ ରାତି, ଅନ୍ଧାର ରାତି। ବଣର ଘୁଙ୍ଗୁଡ଼ି ପରି ଝୋଲା ଭିତରୁ ରହିରହିକା ଶବ୍ଦ ଆସେ। ଅଙ୍ଗାର ଉପରେ ଧାର ଲାଗିଯାଆନ୍ତି ଜୁଳୁଜୁଳିଆ ପୋକ, କାକର ଗଦା ହୁଏ।

ରାତି ବଢ଼ି ବଢ଼ି ଚାଲିଲା, ମଝି ଦାଣ୍ଡର ନିଆଁ ଲିଭିଲା, ଗୋଜିଣା ଗୁଡ଼ାକ ଛିଞ୍ଚାଡ଼ି ହୋଇପଡ଼ି ଧୀରେ ଧୀରେ ମଲା। ସବୁ ତୁନି ପଡ଼ିଲା। ମଝିରେ ମଝିରେ ଛିଗୁଲେଇଲା ପରି ନିଆଁ ଗୁଡ଼ାକ ଚାଇଁ ଚାଇଁ ଦିଶେ, ପୁଣି ଛାଇ ପଡ଼େ। ଗାଁ ଦାଣ୍ଡ ନିଶବଦ। କବାଟ ପଡ଼ିଲା।

ସରବୁ ସାଓଁତା ଅନ୍ଧାରକୁ ଡରୁଥିଲା। ଉଷୁମ୍ ଭଲ ପାଉଥିଲା। ଘରେ କବାଟ ପଡ଼ିଛି, ଭାରି ଶୀତ, ଅନ୍ଧାର।

୨୯.୭.୧୯

Sunday, 28 July 2019

*ଏଣିକି ସେ ପ୍ରେତ*

ସରବୁ ସାଓଁତା ଏ ପୃଥିବୀକୁ ଭଲ ପାଉଥିଲା, ବାଛି ବାଛି ଭଲ ପାଇବା ତାକୁ ଜଣା ନ ଥିଲା। ସେ ଯାହା ଦେଖିଛି, ଯାହା ପାଇଛି, ତାକୁ ଭଲ ପାଇଛି। ସେ ଘା' ଘାଉଡ଼କୁ ଡରି ନାହିଁ, ରକ୍ତାରକ୍ତିକୁ ହଟି ନାହିଁ। ସେ ବଇଁଶୀ ବଜେଇଛି, ପାହାଡ଼ ଦେଶରେ ସୁନ୍ଦର ପଣିଆରେ ଆପଣାକୁ ଭୁଲେଇଛି, ଜୀବନକୁ ଅନୁଭବ କରି କରି ଚାଖି ଚାଖି ଦେଇଛି ପିଇ। ଅଶୀ ବରଷର ଭଲ ପାଇବା ତାର, ଅଶୀ ବରଷର ଇତିହାସ। ମୁଁ ଆଉ ମୋର ବୋଲି କହି ଭଲ ପାଇବା ଇର୍ଷା କରିବାର ଯେଉଁ ପ୍ରସାରିତ ସଙ୍କୁଚିତ ଘର କରଣା ତା'ର ସବୁ ଅଛି, ସେ ନାହିଁ। ଏଇ ତା'ର ଘର, ତା'ର ପୁଅ ଝିଅ, ତା'ର ଗାଈଗୋରୁ, ତା'ର ବସିବା ପଥର, ସବୁ ତା'ର। ଏଇ ନାତିଟି ଯେ କାଲି ଆସିଛି, ସେ ବି ତା'ର। କିନ୍ତୁ ସେ ନାହିଁ।

ଝୋଲା (ନଦୀ) କୂଳରେ ଯେଉଁ ଅଶୁଭ ଅଙ୍ଗାର ଆଉ ଦରପୋଡ଼ା କାଠ, ସେଠି ବି ସେ ନାହିଁ। ସବୁ ତା'ର ହୋଇଥିଲା, ନଅ ଦିନର ମୋଟେ, - ଏଇ ପୃଥିବୀର ଲୋକେ ତା'ର ସବୁ ସ୍ପର୍ଶ, ସବୁ ସମ୍ପର୍କ ପୋଛିପାଛି ଲିପି ନିଭାଇ ଦେଲେ। ନୂଆ ହାଣ୍ଡିରେ ମାଉଁସ ଭାତ। ଚାରିଟା କୁକୁଡ଼ା ଛୁଆ କାଟି, ତାଙ୍କର ରକ୍ତ ତା'ରି ଉଦ୍ଦେଶ୍ୟରେ ଢାଳି ନିଜେ କୁକୁଡ଼ା ଛୁଆଙ୍କୁ ସମସ୍ତେ ଖାଇଲେ। ଗାଁ ପୁରୋହିତ ତା ନାଁ ଧରି ଡାକିଲା, କହିଲା, "ସରବୁ ସାଓଁତା, ସରବୁ ସାଓଁତା, ଆଉ ତୁମେ ଆସ ନାହିଁ, ଯେଉଁବାଟେ ଆସିଥିଲ, ସେହିବାଟେ ଯାଅ। ଆମକୁ ଜାଲ ଢାଙ୍କ ନାହିଁ, ରୋଗ ଦିଅ ନାହିଁ, ଆମେ ଅଛୁ ବୋଲି ତୁମକୁ ଯାହା କିଛି ଦେଲୁ, ନହେଲେ କିଏ ଦେଇଥାନ୍ତା, କିଏ ତୁମକୁ ପଚାରନ୍ତା, ମାଟି ଖାଇ ଖାଇ ତୁମେ ପନ୍ଦର ବର୍ଷ ବି ଏହିପରି ପଡ଼ିଥାନ୍ତ।  
ସରବୁ ସାଓଁତା, ସରବୁ ସାଓଁତା, ଯାହା ଦଉଛୁ, ସେଇଆ ନେଇ ତୁମେ ଯାଅ ଭାରି, ଯାଅ, ଆଉ ଆସ ନାହିଁ।"
ମନ୍ତ୍ର ପାଠ ହେଲା -
ନିଙ୍ଗେ ହିୟାତୋମି
ମାମ୍ବୁ ମଚାଳିଶ ହିୟାତୋମି
ମାମ୍ବୁ ହିଲାଆତେମା ଏମ୍ବା ହିୟତୁମା
ମାମ୍ବୁ କୋୟୁହିପା ହିହିମ୍ ଜାନୋମି
କୋୟୁ ହିପା ଆସନାହା ନିନୁ ହାଲମୁତେ
ନିନୁ ଇମ୍ବିଜିରୁ ତ୍ବାତି ଏଜିରୁ ହାଲାମୁ।।

ନଅଟା ଦିନରେ ମୋଟେ। ସବୁ ତାକୁ ପର କରିଦେଲେ। କହିଲେ ଯାଅ ଯାଅ। ଏଣିକି ସେ ପ୍ରେତ, ସେ ଅଶୁଭ।

୨୮.୭.୧୯

Saturday, 27 July 2019

*ଏଇ ତା ଜୀବନର ସକାଳ*

କେବେ ପର୍ବତ ଉପରେ ଏକୁଟିଆ ସେ ମରଣ ସଙ୍ଗେ ଯୁଦ୍ଧ କରି କ୍ଷତ ବିକ୍ଷତ ହୋଇଥିଲା ତାହା ପୁୟୁର ମନେ ନାହିଁ। ସେ କେଉଁ ଅତୀତର କଥା। ସେ ନାଲି ସୂର୍ଯ୍ୟପରି ନାଲିଆ ପୁଅର ମୁଁହକୁ ଅନେଇଲା। ଏଇ ତା'ର ଜୀବନର ସକାଳ, ସେ ପୁଅର ମାଆ, ସେ ଭାଗ୍ୟବତୀ।

କେଉଁଦିନ ସେ ଧାଣ୍ଡି ହୋଇ ହଳଦୀ ବୋଳି ହୋଇ ମୁଣ୍ଡରେ ଫୁଲ ମାରି ବାଇଆଣୀ ପରି ଚଇତି ପର୍ବରେ ଗୀତ ଗାଇ ଗାଇ ମନର ମଣିଷ ଖୋଜି ଖୋଜି ବୁଲିଥିଲା, କାହିଁକି ପ୍ରଜାପତି ପରି ପବନରେ ପକ୍ଷୀ ଖୋଲିଦେଇ ଉଡ଼ି ବୁଲିଥିଲା। ଅତୀତର କଥା ସେ ଜାଣେ ନାହିଁ, ଖାଲି ଜାଣେ, ସେ ସବୁ ପ୍ରଶ୍ନର ଜବାବ ପାଇଛି, ସେ ମଣିଷ ଛୁଆର ମାଆ।

ସେତେବେଳେ ଖରା ନଇଁ ଆସିଥାଏ। ପୁବୁଲିର ରନ୍ଧା ସରିଥାଏ। ଦିଉଡୁ ଖାଇ ସାରିଥାଏ। ଧୀରେ ଧୀରେ ତା ମନରେ ଆଶଙ୍କା ଆସୁଥାଏ, ଏତେବେଳଯାଏ ପୁୟୁ ଫେରିଲା ନାହିଁ କାହିଁକି ? ଥରକୁ ଥର ସେ ଭାବେ, ଟାଙ୍ଗିଆ କାନ୍ଧରେ ପକେଇ ବର୍ଚ୍ଛା ନଳୀ ଧରି ବଣ ଆଡ଼େ ଖୋଜି ଯିବ, କିନ୍ତୁ ପୁଣି ଭାବେ; ହୁଏତ ଆଶଙ୍କା ଅମୂଳକ।

ଏତିକିବେଳେ ଗାଁ ମୁଣ୍ଡରେ କୋଳାହଳ ଶୁଭିଲା। ଗାଁ ସ୍ତ୍ରୀଲୋକମାନେ ସମସ୍ତେ ଗୋଟାଏ ଆଡ଼େ ଧାଇଁ କୋଳାହଳ କରୁଛନ୍ତି। ଦିଉଡୁ ସେହି ଆଡ଼େ ଗଲା। ପୁୟୁ ଅଧା ବାଟରେ ପିଲାଟିକୁ ଧରି ଠିଆ ହୋଇଛି, ତାକୁ ଘେରି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପାଟି କରୁଛନ୍ତି। ଦିଉଡୁ ଆଁଟାଏ କରି ଠିଆ ହେଲା। କିଏ ଜଣେ ପୁଅଟିକୁ ଧରି ଟେକି ଦେଲା, ଦିଉଡୁ ଏଥର ହସିଲା। ନୂଆ ଆଗନ୍ତୁକର ଆଶ୍ଚର୍ଯ୍ୟ ଅଭ୍ୟୁଦୟ ସବୁ ଦୁଃଖ, ସବୁ ସନ୍ତାପ ମନରୁ ଉଡ଼େଇ ନେଲା।

ପୁବୁଲି ଆସିଲା, ଭାଉଜକୁ କୁଣ୍ଢେଇ ପକେଇଲା। ଗାଁ ଯାକ ସ୍ତ୍ରୀଲୋକଙ୍କର ପଟୁଆରରେ ମିଶି ପୁୟୁ ଆପଣା ଘର ଆଡ଼କୁ ଗଲା। ଲାଗୁଥାଏ, ଯେପରି ସେ ଗୋଟାଏ ଅତି ଆଶ୍ଚର୍ଯ୍ୟ କଥା କଣ କରି ଦେଇଛି। ଯାହାର ତୁଳନା ସମଗ୍ର ଦେଶରେ କେଉଁଠି ନାହିଁ। ସାନପୁଅ କାନ୍ଦୁଥାଏ, ପୁୟୁ ହସୁଥାଏ।

୨୭.୭.୧୯

Friday, 26 July 2019

*ଜନ୍ମହେଲା କନ୍ଧପୁତ୍ର*


ଏଇ ବେଳ ପାଇଁ ଅନେକ ଦିନୁଁ ଅପେକ୍ଷା କରି ରହିଥିଲା ପୁୟୁ। ଏ ନିଜ ମନକୁ ଆସେ ସହଜରେ ଯାଏ। କେତେ କେତେ ଛୁଆ ଜନ୍ମ ସେ ଦେଖିଛି। ଏ ସବୁ ସହଜ ଲାଗିଛି ତାକୁ। କିନ୍ତୁ ଏ କି କଷ୍ଟ ! କାନ୍ଦିଲେ କେହି ଶୁଣିବେ ନାହିଁ, ଡାକିଲେ କେହି ଆସିବେ ନାହିଁ ପାଖକୁ। ପୁୟୁ ଛାତିକୁ ପଥର କଲା। ଭୟ ଉଠି ଉଠିକା ଛାତି ପାଖକୁ ଆସିଲେ ସୁଦ୍ଧା ସେ ତାକୁ ତଳକୁ ଠେଲି ଦେଲା। ଏଠି ବିନା ଯୁଦ୍ଧରେ ମଣିଷ ବି ପ୍ରକୃତି ଠାରୁ କିଛି ପାଏ ନାହିଁ, ନିଜର ଯୁଦ୍ଧ ନିଜେ ସେ କରେ, ମରିବାକୁ ଭୟ କରେ ନାହିଁ।

ଥରକୁ ଥର ତୋଫାନ ପରି ଦୁଃଖ ଆସେ, ଦେହ ଉପରେ ଢେଉ ଖେଳେଇ ଦେଇଯାଏ, ପୁୟୁ ଚିତ୍କାର କରେ, କାନ୍ଦେ, ସବୁ ଭୁଲି ହୋଇଯାଏ, ବାହାରର ଉଜ୍ଜ୍ବଳ ଖରା, ଖୋଲା ପ୍ରକୃତି, ସବୁ।  ଯେପରିକି ତା'ର ଦେହ ଭିତରେ କଣ ଭୟଙ୍କର ବିପ୍ଳବ ଲାଗିଛି, ଛିଣ୍ଡାଛିଣ୍ଡି, ଟଣାଟଣି, ଆଂଚୁଡ଼ା ଆଂଚୁଡ଼ି, ସବୁ ଖାଲି ଅନ୍ଧାର ଆଉ ଦୁଃଖ। ପୁୟୁ ଶାଳ ଗଛକୁ ଦୁଇ ହାତରେ ଜାବୁଡ଼ି ଧରେ, ଗଜା ଗଛର ଛେଲିରେ ଦାନ୍ତ ଲଗେଇ ଦେଇ କାମୁଡ଼େ। କାଳିଶି ପରି ଦେହରେ ବଳ ଆସେ। ପୁୟୁ ଟାଳିଯାଏ।

କେତେବେଳ ଏହିପରି ଗଲା ତା'ର ମନେ ନାହିଁ। ହଠାତ୍ ତା'ର ମନେ ହେଲା, ତୋଫାନ ସରିଛି, ଆଖିରୁ ଅନ୍ଧାର କଟି ଯାଇଛି, ବଧିରା କାନରେ କଣ କେମିତି ନୂଆ ଜନ୍ତୁର ଚିତ୍କାର, କିଏ ଯେପରି ପାଟିକରି କାନଉତୁରା ପକୋଉଛି ଯେପରି ସେ ଶୁଣୁ। ପୁୟୁ ଆଶ୍ଚର୍ଯ୍ୟ ହୋଇ ଅନେଇଲା। ଭୂଇଁରେ ପଡ଼ି ରଡୁଛି ନାଲି ହୋଇ ଗୋଟିଏ ସାନ ମଣିଷ। ପୁୟୁର ହୋସ୍ ହେଲା।

ଆଖି ଦି' ଟା ଫାଡ଼ି ଦେଇ ପୁୟୁ ଦେଖିଲା ଏଁ ଏଇ ତା'ର ଶିଶୁ ! ଏଇ ତା'ର ଅନ୍ତର ଭିତରେ ଏତେ ଦିନ ଲୁଚକାଳି ଖେଳୁଥିଲା ! ଏଇ ତା'ର ! ଗୋଟା ସୁଦ୍ଧା ତା'ର ! ତା'ରି ରକ୍ତ ଆଉ ମାଂସ ଭିତରୁ ଖଣ୍ଡେ !

ତୋଫାନ ପଛର ମଳିନ ମୁହଁରେ ସ୍ନେହ ଆଉ କୁତୂହଳ ପୂରେଇ ଗୁରେଇ ତୁରେଇ ପୁୟୁ ଦେଖିଲା ଗୋଟାସୁଦ୍ଧା ନାଲି, ସକାଳର ସୂର୍ଯ୍ୟ ପରି ମିଟି ମିଟି ଯୋଡ଼ିଏ ଆଖି, ପାହାନ୍ତି ପହରେ ଛାଇ ତଳର ଗହୀର ଝୋଲାପରି। ଗୋଡ଼ ହାତ ଛାଟୁଛି, ଅଣ୍ଡାଳି ହେଉଛି - ଚାରି ହଜାର ଫୁଟ ଉଚ୍ଚ ପର୍ବତ ଉପରେ ନୂଆ ଜନ୍ମ ହୋଇଥିବା କନ୍ଧ ଘର ପୁଅ।

ହାତ ବଢ଼େଇ ପୁଅଟିକୁ ଧରିଲା, ଅବଶ ଦେହରେ ବଳ ଆସିଲା, ମନ ଭିତରେ ଅନେକ ବୁଦ୍ଧି ଆସିଲା, ଦେଖାଦେଖି ଶିଖାଶିଖି ବହୁତ କଥା ପୁୟୁ ଜାଣେ।

କେତେବେଳ ପରେ ପୁୟୁ ଉଠିଲା, ପିଲାର କାନ୍ଦଣା ବନ୍ଦ ନାହିଁ। ସୂର୍ଯ୍ୟ ମୁଣ୍ଡ ଉପରେ ଚଢ଼ିଲାଣି, ବଣ ଉପର ଠାଏ ଫିକା, ଠାଏ ଜିକିଜିକି। ପୁୟୁକୁ ଦୁର୍ବଳ ଲାଗୁଥାଏ। ଏକୁଟିଆ ପୁୟୁ ତା'ର ପିଲାକୁ ଛାତିରେ ଜାକି ଧରି ଉଠି ଠିଆ ହେଲା। ମୁଣ୍ଡର ବାଳ ଅଲରା ହୋଇ ଲମ୍ବି ଯାଇଛି, କୋତରା ଲୁଗାର ଅବସ୍ଥା ନାହିଁ। ଦେହରୁ କଳା ପାଣି ବୋହି ପଡୁଛି। କିନ୍ତୁ ଛାତି ତା'ର ଫାଙ୍କା ନୁହେଁ, ଛାତିରେ ଛୁଆ - ତା'ର ପହିଲି ଛୁଆ - ପୁଅ।

ଦୁର୍ବଳ ହାତରେ ଧାର ପଥର ଧରି ନିଜେ ପୁୟୁ ପିଲାର ନାହି କାଟିଦେଲା। କଟା ଜାଗାରେ ବୋଳି ଦେଲା ଚିହ୍ନା ଔଷଧ ଗଛର ପତ୍ର। ନିଜେ ଖଣ୍ଡେ ଔଷଧ ଚେର ଖାଇଲା। ତା'ର ପିଲା ମୁହଁରେ ଗୋଟାଏ ପତ୍ରର ରସ ଚଟେଇ ଦେଲା। ଏତକ କନ୍ଧ ଦେଶରେ ସାଧାରଣ ଜ୍ଞାନ। ପାଦ ତଳେ ଔଷଧ।

ପୁଅକୁ ଜାକି ପୁୟୁ ଫେରିପଡ଼ିଲା। ଅପରିଷ୍କାର ହୋଇ ଗାଁକୁ ଫେରିଯିବାର ନୁହେଁ। ଅଧବାଟରେ ଜଡ଼ା ଜଙ୍ଗଲ ଭିତରେ ତଳର ଝରଣାକୁ ଓଲ୍ହାଇ ଯିବାକୁ ଆଉ ଗୋଟିଏ ବାଟ ଅଛି। ସେହି ବାଟେ ବାଟେ ଅତଡ଼ା କରେ କରେ  ଆସ୍ତେ ଆସ୍ତେ ସେ ଓଲ୍ହେଇଲା। ଦୁର୍ବଳ ଲାଗୁଥାଏ। କିନ୍ତୁ ପଥରକୁ ପଥର ଓଲ୍ହେଇ ଯିବାକୁ ତା'ର ପାଦ ଥରେ ନାହିଁ।

ସବୁଥିରେ ସତର୍କ ହେବାକୁ ପଡ଼ିବ ତାକୁ, କେବଳ ଏଇ ପୁଅ ପାଇଁ। ଗୋଟିଏ ହାତରେ ତାକୁ ଧରି ଆର ହାତରେ ବାଟ କରର ଗଛକୁ ଲତାକୁ ଧରି ଧରି କାନ୍ଥପରି ଅତଡ଼ା ବାଟେ ସେ ତଳକୁ ଓଲ୍ହାଇ ପଡ଼ିଲା। ସର୍ବଜୟା ମାତୃମୂର୍ତ୍ତି। ନିଛାଟିଆ ଝରଣା କୂଳ, ଗାଧୋଇବା ବେଳ ଗଡ଼ିଗଲାଣି। ପଥୁରିଆ ଧାର, ସେଥିରେ ବାଲିସରା। ଖାଲି ଦି'ପାଖେ ଜଙ୍ଗଲ ଭର୍ତ୍ତି। ଏପାଖ ସେପାଖ ଦେଖିଲା ଝୋଲା କୂଳରେ ଶିଆଳି ପତ୍ରକୁ ପାରି କଅଁଳା ପିଲାକୁ ଶୁଆଇ ଦେଲା। ନିଜେ ଝୋଲାରେ ବୁଡ଼ି ବୁଡ଼ି ଗାଧୋଇଲା, ଲୁଗା ଧୋଇଲା। ପିଲା ଉପରେ ପାଣି ଛିଞ୍ଚିଦେଲା। ତା ପରେ ସଫା ସୁତୁରା ହୋଇ ପିଲାଟିକୁ ଛାତିରେ ଜାକି ପୁୟୁ ଗାଁକୁ ଚାଲିଲା।

୨୬.୭.୧୯

Thursday, 25 July 2019

*ପର୍ବତ ଶୃଙ୍ଗ ଉପରେ ପୁୟୁର କଷ୍ଟ*

ଗାଁର ସ୍ତ୍ରୀଲୋକମାନେ ଛିନଛତର ହୋଇ କନ୍ଦା ଖୋଜିବାକୁ ଅଦୃଶ୍ୟ ହୋଇଗଲେ। ଏତେଗୁଡ଼ାଏ ଉଠାଣି ଉଠି ପୁୟୁକୁ ଅସଜ ଲାଗୁଥାଏ। ସମସ୍ତେ ଗଲାପରେ ଏକୁଟିଆ ସେ ପଥର ଉପରେ ବସି ରହିଲା। ସ୍ତ୍ରୀଲୋକମାନଙ୍କର ସ୍ୱର ଶୁଭୁଛି। ସମସ୍ତେ କାମରେ ଲାଗିଗଲେଣି। ମୟୁର ଲୁଚିଗଲେ। କୁକୁଡ଼ା ବୋବେଇ ବୋବେଇ ଚାଲିଗଲେ। ସୂର୍ଯ୍ୟ ଆହୁରି ଉପରକୁ ଚଢ଼ିଗଲା। ପୁୟୁର ମନ ହେଉଥାଏ ସେଇଠି ସେ ଶୋଇପଡ଼ନ୍ତା - ଶୋଇପଡ଼ିଥାନ୍ତା ଗଛ ଛାଇରେ, ବଣ ଫୁଲର ବାସ୍ନାରେ। ଜୀବନରେ ଅନେକ ଥର ମନ ହୁଏ ଶୋଇପଡ଼ିବାକୁ, ଶୋଇ ହୁଏ ନାହିଁ, କାମ ଘାରେ।

ପୁୟୁ ଉଠିଲା, ଢାଲୁରେ ଅଳ୍ପ ଓଲ୍ହାଇଗଲା ଗୋଟାଏ କରକୁ। ପାଖର କୁହୁଡ଼ି ଭାଙ୍ଗିଲାଣି। ପୁୟୁ ଶିଆଳି ଫଳ ତୋଳିଲା, ଶିଆଳି ପତ୍ର ତୋଳିଲା। କଅଁଳ କଅଁଳ ବାଉଁଶ କରଡ଼ି ଭାଙ୍ଗି ଭାଙ୍ଗି ଏକାଠି କଲା। ଠାଏ ଦିଶିଲା ଗୋଟାଏ କନ୍ଦା-ଲଟା, ପୁୟୁ ବସି ବସି କନ୍ଦା ଖୋଳାରେ ମନଦେଲା।

ନଅମାସ ଗର୍ଭ, ପେଟରେ ଭାର, ଚାରିଆଡ଼େ କେତେ ଦେବତା ଆଉ ପ୍ରେତଙ୍କ ଅଶୁଭ ଦୃଷ୍ଟି, ନିଛାଟିଆ ବଣ। ଚିହ୍ନା ବଣ, ପୁୟୁର ଭୟ ନାହିଁ। ପେଟ ଭିତରର ବିଚିତ୍ର ଜୀଵ କେଉଁଦିନୁ ସାଙ୍ଗ ହେଲାଣି, କେମିତି କେମିତି ଲାଗେ, ଗୋଟାଏ ଦେହ ଭିତରେ ଆଉ ଗୋଟାଏ ମଣିଷର ବସା।  ପୂର୍ବରୁ ଭୟ କଟିଯାଇଥାଏ। ପୁୟୁ ମନେ ମନେ ଅଚିହ୍ନା ସାଥୀ ସଙ୍ଗେ କଥାଭାଷା ହୁଏ, କଳ୍ପନାରେ ଗଢ଼େ ଆସନ୍ତା ଅତିଥିର ଭବିଷ୍ୟତ।

ନିଛାଟିଆଟାରେ ସାଓଁତା ମନେପଡ଼ିଲା। କେଉଁ କାଳରୁ ବସି ବସି ସମୟର ଗତି ମାପୁଥିଲା ବୁଢ଼ା ସାଓଁତା। ସେ ମରିବାକୁ ଚାହିଁ ନ ଥିଲା, ମଲା ପରି ଦିଶି ନ ଥିଲା, ତଥାପି ସେ ମଲା। କୁଳବୃଦ୍ଧର ଆଶା ଥିଲା ସେ ନାତି ଦେଖି ମରିବ, ନାତି ତାକୁ ବୋଧ ଦେଇଥାନ୍ତା ! ତା'ର ପୁରୁଣା ସୂଅ ଆଗକୁ ଲମ୍ବି ଚାଲିଛି, ସେତିକି। ପୁୟୁ ଖୋଳି ଲାଗିଲା, କେତେ ବିଚିତ୍ର ଧାରଣା, କେଉଁଟା କେଉଁଠୁ ଆସେ ତା'ର ଠିକଣା ନାହିଁ। କାମ କରୁକରୁ କେଉଁଠୁ କାହିଁକି ଆସେ, ରଙ୍ଗ ଲଗେଇ ଦେଇଯାଏ ମନରେ।

ଖରା ବଢ଼ିଲା। ମୁଣ୍ଡ ଉପରୁ ଚଢ଼େଇମାନେ କୁଆଡୁ କୁଆଡ଼କୁ ଚାଲିଗଲେ। ଆଖପାଖର ସ୍ତ୍ରୀଲୋକମାନଙ୍କର ପାଟିତୁଣ୍ଡ ଆଉ ଶୁଭିଲା ନାହିଁ। ପୁୟୁର ବୋଝ ଟିକେ ଏକର ସେକର ହେଲା, ଦେହଯାକ ଖେଳିଗଲା ବିଜୁଳିପରି ବିଚିତ୍ର ଅନୁଭୂତି, ପୁୟୁ କଷ୍ଟ ପାଇଲା।

କନ୍ଦାଖୋଳା ଛାଡ଼ି ଅଳ୍ପ ଉପରକୁ ଚଢ଼ି ଖଣ୍ଡେ ପଥର ଚଟାଣ ଉପରେ ପୁୟୁ ବସିପଡ଼ିଲା। ସେଠି ସାନ ଶାଳ ଗଛ ଉପରେ ଭାଲୁକୁଣୀ ପରି ଶିଉଳି ଲଟା ଲଦାଲଦି ହୋଇ ଛାଇ ଅରାଏ ପଡ଼ିଛି। ଏକୁଟିଆ ଆଉଜି ରହି ସେ କଷ୍ଟ ପାଇଲା।

ମୁହଁପାଖେ ଆକାଶ, ସୁନ୍ଦର ନେଳି ପଡ଼ିଲାଣି, ତଳେ ନୀଳ ସବୁଜ, ମଝିରେ ସବୁ ଫାଙ୍କା ଫର୍ଚ୍ଚା। ସେଇ ଫାଙ୍କାରେ ଚିଲମାନେ ଉଡୁଛନ୍ତି। ଫୋପାଡ଼ି ହେଲା ପରି କଳା ଚଢ଼େଇ ପଲେ ଉଡ଼ିଯାଉଛନ୍ତି। କେହି ଅଟକି ରହେ ନାହିଁ। ସେହି ଫାଙ୍କା ଶୁନ୍ୟର କୌଣସି ଆଶ୍ୱାସ ନାହିଁ ଦୁଃଖୀ ଲୋକଙ୍କୁ। ଶୁନ୍ୟକୁ ମୁହଁ ରଖି କଷ୍ଟ ପାଇଲା ପୁୟୁ।

୨୫.୭.୧୯

Wednesday, 24 July 2019

*ପୁୟୁ ବି ଚାଲିଲା ବଣକୁ*

ସେଦିନ ସକାଳୁ ପୁୟୁର ନିଦ ଭାଙ୍ଗିଲା ବେଳକୁ ପୁବୁଲି ଶୋଇଥାଏ, ଦିଉଡୁ ଶୋଇଥାଏ, କୁହୁଡ଼ି ଘୋଡ଼େଇ ଥାଏ ଭାରି ବହଳ କରି। ଗାଁର ବୁଢ଼ାମାନେ ଖାଲି ଉଠିଥାନ୍ତି, ଆପଣା ଆପଣା ପିଣ୍ଡାରେ ନିଆଁ ଜାଳି ସେକି ହେଉଥାନ୍ତି। କିଛି ସମୟ ଗଲା, ପୁୟୁ ପଦାକୁ ଆସିଲା। ଜାମିର କନ୍ଧର ବୁଢ଼ୀ ଉଠିଛି, ପିଣ୍ଡାରେ ନିଆଁ ପୁଉଁଛି। ପୁୟୁ ସେଠି ଯାଇ ବସିଲା। ବୁଢ଼ୀ ସାଙ୍ଗରେ ଟୁପୁରୁ ଟାପୁରୁ ହେଲା। ଟିକିଏ ଗଲା, ଝଣ ଝଣ ଶବ୍ଦ ଶୁଭିଲା, ଆହୁରି ସ୍ତ୍ରୀ ଲୋକମାନେ ଉଠିଲେ, ଫର୍ଚ୍ଚା ହେଲା। ଏପାଖ ସେପାଖ କୁକୁଡ଼ା ଦଉଡ଼ା ଦଉଡ଼ି କଲେ। ଘୁଷୁରି ସଣର ସଣର ହେଲେ ଅସନା ଗାଁ ଦୁଆରରେ। ତା ପରେ ଘର ଦୁଆର ଓଳିଆ ଓଳି ପୁୟୁ ତା'ର ଘରକାମ କଲା।

ପୁବୁଲି ଶୋଇଥାଏ। ପୁୟୁ କଣ ମନେକଲା, ପୁବୁଲି ପାଖରେ ଯାଇ ବସିପଡ଼ି ତା' ମୁଣ୍ଡ ଆଉଁସି ଦେଲା, ଭାରି ଅଳସ ଲାଗୁଥାଏ। ଆଉଁଶୁ ଆଉଁଶୁ ଲୁହ ଦି' ଧାର ଝରି ପଡ଼ିଲା ପୁବୁଲି ମୁଣ୍ଡ ଉପରେ, ଦୀର୍ଘଶ୍ଵାସ ପକାଇ ପୁୟୁ ବାହାରିଗଲା।

ଗାଁ ସ୍ତ୍ରୀ ଲୋକମାନେ ଝୋଲା (ନଈ) କୁ ଯାଉଥିଲେ। ପୁୟୁ ବି ଗଲା। ଗପ କରୁ କରୁ ମନଟା ହାଲୁକା ଲାଗିଲା। ସେତେବେଳେ ଚାରିଆଡ଼େ ଲାଲ ହୋଇଆସିଲା, ପୁୟୁ ଫେରିଲା।

ସୂର୍ଯ୍ୟ ଉଠିଥାଏ। ଲେଲୁ କନ୍ଧର ପିଣ୍ଡାରେ ବଡ଼ ଢୋଲ ଉପରେ ସାନ ପିଲାମାନେ ପିଟୁଥାନ୍ତି, ଗାଁର ଲୋକେ କାମକୁ ଯାଇଥାନ୍ତି, ଦିଉଡୁ ନ ଥାଏ, ପୁବୁଲି ସୋର ଲଗାଇ କାନ୍ଦୁଥାଏ। ପୁୟୁ ଭାବିଲା ସେ ପଦାକୁ ଯିବ।

ଏଇ ଗୋଳମାଳ ଭିତରେ ଲାଗୁଥାଏ ସବୁ ଶୂନ୍ ଶାନ୍, ସବୁ ଚୁପ୍ ଚାପ୍। ଘର ଖାଇ ଗୋଡ଼ଉଛି, ଗାଁର ସବୁ କଳରବ ମିଶି ଗୋଟାଏ ଶୂନ୍ୟତାର ପୃଷ୍ଠପଟ, ସେ ହାବୁକା ମାରୁଛି ପଦାକୁ ପଦାକୁ।

ଗାଁ ସ୍ତ୍ରୀ ଲୋକେ ସବୁ ପଂଝା ହୋଇ କାମକୁ ଚାଲିଲେ। ଅଧିକାଂଶ ଗଲେ କନ୍ଦା ଖୋଳି। ବଣ ଭିତରେ ନାନା ଜାତି କନ୍ଦା ହୁଏ, ଥାଏ ବଡ଼ ଗହୀରରେ, ଗୋଟାଏ ବଡ଼ କନ୍ଦା ଉଠେଇ ଆଣିଲେ, ଖୁସିରେ ଦି' ଦିନ ଚାଲିଯିବ। କିନ୍ତୁ ବଡ଼ ଦୁର୍ଗମ, ଭୟ ବହୁତ, ବାଘ ଖାଏ, ଭାଲୁ ଗୋଡ଼ାଏ। ପୁୟୁର ଯିବାକୁ ମନ ନ ଥିଲା, ପେଟ ଭିତର ଥାଇ ଥାଇ ରକ୍ ରକ୍ କରି ଦେଉଛି, ଦେହଟା ତଳକୁ କିଏ ଟାଣି ଟାଣି ଦେଉଛି। କିନ୍ତୁ ଘରେ ମନ ଲାଗୁ ନାହିଁ, ତା ଅପେକ୍ଷା ଯାଇ ବାହାରେ ବୁଲି ଆସିବା ଭଲ।

ଛୋଟ ଶାବଳ ଖଣ୍ଡେ ଧରି ଦଳ ଭିତରେ ମିଶି ପୁୟୁ ଚାଲିଲା ଗାଁ ପାହାଡ଼ର ଶୃଙ୍ଗ ଆଡ଼କୁ। ଜଡ଼ା ବଣ ତଳେ ତଳେ। ଧାଡ଼ି ହୋଇ ପଛକୁ ପଛ ଗୁଡ଼ିଏ ସ୍ତ୍ରୀଲୋକ। ତିଖ ଉଠାଣି, ଦି' ପାଖେ ଖାଲି ଶୁନ୍ୟ, ଖାଲି ଆକାଶ, କ୍ରମେ ଉପରକୁ ଉପରକୁ, ସେଇ ଉପରେ ଦାଉ ଦାଉ ହୋଇ ସୂର୍ଯ୍ୟ ଜଳୁଛି। ଦି' ପାଖର ଶୂନ୍ୟରେ କୁହୁଡ଼ିର ସମୁଦ୍ର, ତାହାରି ତଳେ ଛପି ରହିଛି କେତେ ଅଗ୍ନାଗ୍ନି ବନସ୍ତ, ବାଘର ଭୂଇଁ, ହରିଣର ଭୂଇଁ, ଉପରେ ସୂର୍ଯ୍ୟର ବିକାଶ, ତଳେ ସୂର୍ଯ୍ୟର ପ୍ରବେଶ ନାହିଁ, ଖାଲି ଅନ୍ଧାରି ଝରଣା ତୋଫାନ ଉଡ଼େଇ ସାଇଁ ସାଇଁ ବହି ଚାଲେ।

ଜଡ଼ା ବଣ ଗଲା, ଜଙ୍ଗଲ ପଡ଼ିଲା, ବେଶି ଆବୁଡ଼ାଖାବୁଡ଼ିଆ ପଥର, ପାଦ ଖସିଲେ ଏପାଖେ ବା ସେପାଖେ ଅନ୍ଧାରି ରସାତଳ। ଉପରକୁ ଉପରକୁ ଦି ପାଖ ଅଁଳା ଗଛର ଜଙ୍ଗଲ, ପେନ୍ଥି ପେନ୍ଥି ହୋଇ କୋଳି ଗୁନ୍ଥି ହୋଇଛି। ଠାଏ ଠାଏ ଲଣ୍ଡା, ଠାଏ ଠାଏ ବୁଦା ବୁଦା ବଣ, ଠାଏ ଠାଏ ଗୋଟା ଗୋଟା ବଡ଼ ଗଛ।

ଆଗରେ ପୃଥିବୀ ସରୁ ହୋଇ ଆସିଲା। ଚାରିପାଖର କୁହୁଡ଼ି ଖରା ମିଶା ଝାଲୁଝାଲୁଆ ଆକାଶ ଭିତରେ ଗୋଜିଆ ହୋଇ ପର୍ବତର ଶୃଙ୍ଗଟିଏ ଖାଲି, ପ୍ରଶ୍ନସୂଚକ ଠାଣିରେ ଉପରକୁ ଅନେଇଁ ରହିଛି, ପ୍ରଶ୍ନର ଜବାବ ନାହିଁ।

୨୪.୭.୧୯

Tuesday, 23 July 2019

*ଦିଉଡୁ ତୁଣ୍ଡରେ କଥା ନାହିଁ*

ରାତିଟା ସ୍ବପ୍ନପରି କଟିଗଲା। ସକାଳୁ ସମସ୍ତେ ଉଠିଲେ। କାମିକା ଲୋକଙ୍କ ସକାଳ, ସେଇ ଚିରନ୍ତନୀ କୋଳାହଳ, ଗୋରୁ ଚରିବାକୁ ଯିବେ, କ୍ଷେତକୁ ହଳ ଯିବ, ମଣିଷ ଯିବେ। ଘରକରଣାର ସତସ୍ତରି ରୀତି। ଗାଁର ଗୋଟାଏ ପଟ କୁହୁଡ଼ି ଭିତରେ ଅତିଶୟ ଲାଲ ହୋଇ ସୂର୍ଯ୍ୟ ଉଠିଲା, ଉଠିଲାଣି ସେ ଏଥର ଆଉ ବସେଇ ଦେବ ନାହିଁ। ସବୁ ପୂର୍ବପରି। ଚାରିଆଡ଼େ ଚହଳ, ପାଟି, କିଛି ବଦଳି ନାହିଁ। ଖାଲି ସାଓଁତାର ଶୋଇବା ଘରୁ ସରୁ ଗଳାରେ କାନ୍ଦଣା ଶୁଭୁଛି ପୁବୁଲିର। ତା'ର ବି ଘରକରଣା ସରିଯିବ ଏଣିକି। ଯିବ ଯିବ ବୋଲି କେଉଁଦିନୁଁ ତା'ର ମନ ହେଲାଣି। କେହି ତାକୁ ଅଟକେଇ ରଖି ନାହିଁ। ଆଜି ସକାଳୁ ସେ ବୁଝିପାରୁଛି କାହିଁକି ଯାଇ ନ ଥିଲା - ମା ନାହିଁ, ବାପ ଥିଲା, ବୁଢ଼ାବାପାକୁ ଛାଡ଼ିଦେଇ ପରଘର କରିଯିବାକୁ କେମିତି କେମିତି ଲାଗିଥିଲା। ପୁବୁଲି ଯାଇ ନାହିଁ।

ବାପା ନାହିଁ, ଏଥର ସେ ମୁକ୍ତ। କିନ୍ତୁ ଏହିପରି ମୁକ୍ତ କଣ ସେ ଖୋଜିଥିଲା ? ପୁବୁଲି ବୁଝେ ନାହିଁ ବାପା ବୁଢ଼ା ହୋଇଥିଲା। ପିଲାମାନଙ୍କ ଆଖିରେ ବାପା ବୋଉ କେବେ ବୁଢା ହୁଅନ୍ତି ନାହିଁ, ତାଙ୍କର ବୟସ ନାହିଁ। ତଥାପି ବାପା ଡାକ ତା'ର ଗଲା ବୁଡ଼ି। ଝିଅ ସେ, ତା'ର ଏ କୁଳର ଜୀବନ କିଏ ମଝିରୁ କାଟି ଅନ୍ଧାର କରିଦେଲା। ପୁବୁଲିର କଇଁ ବାଧା ମାନୁ ନ ଥାଏ। ଲୋଟି ଗଡ଼ି ସେ କାନ୍ଦୁଥାଏ ସେହିପରି।

ଖରା ପଡ଼ିଲା ସାଓଁତାର ଅଙ୍ଗାର ଉପରେ। ଗୁଡ଼ାଏ ଅଙ୍ଗାର, ଗୁଡ଼ାଏ ଦରପୋଡ଼ା କାଠ। ଖଣ୍ଡ ଖଣ୍ଡ ହାଡ଼ ଗୁଡ଼ାଏ, କଳା ଧଳା ରଙ୍ଗର। ଗୋଟାଏ ଖପୁରି, ଭଙ୍ଗା ହାଣ୍ଡି ଆଉ ଚିରା ଟୋକେଇ।

କାଲି ଏ ଥିଲା ସରବୁ ସାଓଁତା, ପାଞ୍ଚ ଶହ କନ୍ଧଙ୍କର ସର୍ଦ୍ଦାର।

ପୁଣି ଗାଁ ଲୋକେ କାଠ ନେଇ ନିଆଁ ନେଇ ଆସିଲେ। ପ୍ରଥା ଅନୁସାରେ ଧ୍ୱଂସାବଶେଷ ଆଉ ଥରେ ସକାଳୁ ପୋଡ଼ା ହେବ। ଗୁଡ଼ାଏ ଲୋକ, ଅପ୍ରସନ୍ନ ମୁହଁ, ଗୋଟାଏ ଅପ୍ରୀତିକର କାମ ଚଞ୍ଚଳ ଶେଷ କରି ଯିବାକୁ ହେବ। ଦିଉଡୁ ବି ଥିଲା। ସାଓଁତା ଯାଉଁ ଯାଉଁ ତା'ରି ମୁଣ୍ଡରେ ଲଦା ହୋଇପଡ଼ିଲା କେଜାଣି କେତେ ବୋଝ। ତା'ର ମୁହଁରେ ଦୁଃଖ ପଥର ହୋଇଛି, ଆଖି କାଚ ପରି, ତୁଣ୍ଡରେ କଥା ନାହିଁ। ଶୀତଳ ପାଉଁଶ ଏକାଠି କରି ଦରପୋଡ଼ା ହାଡ଼କୁ ଆଉ ଥରେ ଚିତାରେ ଥୋଇଲେ।

ଏଥର ସବୁ ଶେଷ।

ଲେଞ୍ଜୁ କନ୍ଧର ହୋସ୍ ହେଲା, ଏଥର ସବୁ ସରିଲା, ବଡ଼ ଭାଇ ଆଉ ବସି ନ ଥିବ ଘର ଆଗରେ ପଥର ଉପରେ, ବିରାଟ ଧୁଙ୍ଗିଆ ପିକା ଆଉ ମଝିରେ ମଝିରେ କାଶ। ବଡ଼ ଭାଇ ଗଲା, ସେ ବଞ୍ଚିଛି, ଏମିତି ଦିନେ ସେ ବି ମରିଯିବ। ଲେଞ୍ଜୁ କନ୍ଧ କାନ୍ଦିଲା। ଦିଉଡୁ ଥକ୍କା ହୋଇ ନିଆଁ ଆଡ଼କୁ ଅନେଇ ଠିଆ ହୋଇଥାଏ। ଡିସାରି ପାଟିକଲା, "ଛି, ଅଶୁଭ; ପଛକୁ ଅନାନ୍ତି ନା !"

ମାଲଭାଇ ପୁଣି ଗାଧୋଇ ପାଧୋଇ ମୁଣ୍ଡରେ ଜଡ଼ାତେଲ ବୋଳି ଘରକୁ ଫେରିଲା ବେଳକୁ ବସିଲା ତଣ୍ଟିରେ ପୁବୁଲି କାନ୍ଦୁଛି। ମଣିଷର କାନ୍ଦଣା ନୁହେଁ ତ ଜନ୍ତୁର କାନ୍ଦଣା।

ଦିଉଡୁ କାମ କଲା ନାହିଁ। ବାପ ଯେଉଁ ପଥରରେ ବସେ, ସେଠି ଥକ୍କା ହୋଇ ବସି ରହିଲା ଆଉ ଧୁଙ୍ଗିଆ ଟାଣିଲା। ଲେଞ୍ଜୁ ଗୋରୁ ଗାଈଙ୍କି ଫିଟେଇ ନେଇଗଲା। ପୁୟୁ ନାହିଁ, ଯାଇଥିବ ବଣକୁ କନ୍ଦା ଖୋଳି, ସେ ଆସିଲେ ରନ୍ଧା ହେବ। ଘର ଭିତରେ ପୁବୁଲି କୋଉଠି ପଡ଼ି ରହି କାନ୍ଦୁଛି। ଦୁଆରେ ଦସ୍ତୁ ଶୋଇଛି। ଦିଉଡୁ ବସି ରହିଲା। ସବୁ ଶୂନ୍ ଶାନ୍। ଭାବିବାକୁ ମନହୁଏ। ଭାବନା ମଝିରେ ମୁଣ୍ଡ ଭିତରେ ତୋଫାନ ଆସେ, ଆଖିରୁ ଲୁହଧାର ଲାଗିରହେ, ଆଉ ମନେ ହୁଏ ନଇଁପଡ଼ି ଭାଙ୍ଗିପଡ଼ି ତଳେ ପୋତିହେବାକୁ। ପୁଣି ନିଜକୁ ସମ୍ଭାଳି ନିଏ, ଭାବିବାକୁ ମନେହୁଏ, ଖାଲି ଭାଁ ଭାଁ ଲାଗେ, ଆଖି ରହେ ଶୂନ୍ୟରେ, ଧୁଙ୍ଗିଆ ପିକା ଜଳିଯାଏ।

୨୩.୭.୧୯