ପୁଅର ନାଁ ଦିଆଯିବ। ପୁୟୁ ତା ପୁଅର ଭବିଷ୍ୟତ କଥା ଭାବେ। ପୁଅକୁ ଅଣ୍ଟିରେ ପୂରେଇ ବସି ସାହି ମହିଳାଙ୍କ ସହ ଗପ କଲାବେଳେ ପୁୟୁ ସମସ୍ତଙ୍କୁ ପଚାରେ ନାଁ କ'ଣ ଦିଆଯିବ।
ପୁୟୁ ଭାବେ ଗୋଟାଏ କଣ ବଡ଼ ନାଁ ହେବ, ଗୁରୁଗମ୍ଭୀର, ଭୟଙ୍କର, ଯେପରିକି ବଡ଼ ହେଲେ ଲୋକେ ମାନିବେ, ଡରିବେ। ଇଚ୍ଛା ହୁଏ ଦିଉଡ଼ିକୁ ପଚାରି ବୁଝାନ୍ତା ତା ମତାମତ କ'ଣ ?
ଦିଉଡୁର କ'ଣ ଯେମିତି ହେଇଯାଇଛି ଯେ ସେ ଦେଖା ଦେଉ ନାହିଁ। ଫସଲ କଟାକଟି ଲାଗିଛି, ଗାଁର ସମସ୍ତେ ପାହାଡ଼ ତଳେ। ଗାଁ ଟା ଖାଁ ଖାଁ। ପୁବୁଲି ବି ମାଣ୍ଡିଆ କ୍ଷେତକୁ ଯାଏ, ପୁୟୁ ପାଇଁ ମାଣ୍ଡିଆ ଭାତ ଥୋଇ ଦେଇ ଭାଇ ପାଇଁ, ଦାଦି ପାଇଁ ନେଇଯାଏ। କ୍ଷେତ ଉପରେ ମଞ୍ଚା ବନ୍ଧା ହୋଇଛି। ପାଚିଲା ଫସଲ ଜଗି ରହି, କଟା ଫସଲ ଜଗି ରହି ପୁରୁଷମାନେ ଆପଣା ଆପଣା ମଞ୍ଚା-କୁଡ଼ିଆରେ ରାତିରେ ଶୁଅନ୍ତି।
ପୁବୁଲି ସଞ୍ଜରେ ଫେରେ, ଦସ୍ତୁ କୁକୁର ଫେରେ ତା ସାଙ୍ଗରେ। ରାତିରେ ବଣ ଜନ୍ତୁଙ୍କୁ ଘଉଡ଼େଇବା ପାଇଁ ଯେତେବେଳେ ମନେପଡ଼େ ଲୋକେ କିଳିକିଳା ରଡ଼ି ଛାଡ଼ନ୍ତି। ଶିଙ୍ଗା ଫୁଙ୍କନ୍ତି। ପୁବୁଲିକୁ ନିଦ ହୋଇଯାଏ, ପୁୟୁ ସିଙ୍ଗା ଶବ୍ଦ ଶୁଣୁଥାଏ। ବେଳେବେଳେ ଶିଙ୍ଗା ଶବ୍ଦ ଶୁଣିଲାକ୍ଷଣି ଦସ୍ତୁ ଧଡ଼ମଡ଼େଇ ଉଠି ଏକା ରାଆରେ ପଦ ମେଲିଦେଇ କାନ୍ଦେ। ପିଲା ରଡ଼େ। ନିଆଁ ଜୁକୁଜୁକୁ ଧୂଆଁ ସରସର ଘରେ ଶୀତରେ କୁଙ୍କୁରି କାଙ୍କୁରି ହୋଇ ଶୋଇ ରହି ପୁୟୁ ଦିଉଡୁକୁ ମନେ ପକାଏ।
ଏଇ ପାଚିବା କାଟିବା ଦିନରେ କ୍ଷେତ ପାଖେ ବଣ ଆଢୁଆଳରେ କେତେ ହସଖୁସି, କେତେ ଘେନାଘେନି, କନ୍ଧ ଦେଶରେ। ମାଘ ମାସଟା ଖାଲି ବାହାଘର ମାସ। ପାଚିଲା ଫସଲ ଦେଖିଲେ ପେଟ ପୂରେ, ଶୀତୁଆ ଖରା ମତାଏ, ଶୀତ ଏକାଠି କରେ। ପୁୟୁ ପୁବୁଲିକୁ ବିଚିତ୍ର ଆଖିରେ ଅନାଏଁ, ତା ମନ କଥା ଜାଣିବାକୁ ଚେଷ୍ଟା କରେ। ପୁବୁଲି ନିଘୋଡ଼ ନିଦରେ ଶୋଇଥାଏ। ନିଛାଟିଆ ଶୀତୁଆ ଅନ୍ଧାର ରାତି। ଖାଲି ଶିଙ୍ଗା ଶବ୍ଦ। ଦାଦିକି ସେଠି ଜଗେଇ ଦେଇ ଦିଉଡୁ ଆସି ପାରନ୍ତା ନାହିଁ ? ପୁରୁଷମାନଙ୍କ ମନ କଣ ସତେ ପୁୟୁ ଭାବେ।
ସକାଳ ହୋଇଥାଏ, ଭାରି କୁହୁଡ଼ି। ପାଖ ଗୁହାଳରୁ ତା' ଉପରେ ତା' ଉପରେ ଦୋଟିଯାକ ବଳଦ ରଡ଼ି ଛାଡୁଛନ୍ତି। ପୁୟୁ ଉଠିଲା, ଦେଖିଲା ପୁବୁଲି ଉଠିଯାଇଛି। ଘର ଭିତର, ଅଳ୍ପ ଫରଚା, ନିଆଁ ଲିଭିଯାଇଛି। ପିଲାଟି ଶୋଇଛି। ପୁୟୁ ଗାଲିପାରି ଶୋଇ ରହିଲା ପୁବୁଲିକୁ ଅପେକ୍ଷା କରି। ବଳଦ ଯୋଡ଼ାକ ଆହୁରି ଆହୁରି ବୋବେଇଲେ, ଘର ଭିତର ପରିଷ୍କାର ଦେଖାଗଲା। ପୁଅ ଡବ ଡବ କରି ଅନେଇଲା।
ଜାମିର କନ୍ଧର ବୁଢ଼ୀ ପାଖେ ଛୁଆକୁ ଛାଡ଼ି ଦେଇ ନାହି ପଡ଼ିବା କଥା କହିଦେଇ ପୁୟୁ ଚଢ଼ିଲା ପର୍ବତରେ। ନାଲିମାଟି ଆଣିଲା, ଧଳାମାଟି ଆଣିଲା, ଶିଆଳି ପତ୍ର ଆଣିଲା।
ଫେରିଲା ବେଳକୁ ବୁଢ଼ୀ ପାଖେ ଛୁଆକୁ ଧରି ପୁବୁଲି ଗପୁଛି। ପୁୟୁ ଘର ଦ୍ୱାର ଲିପି ପକେଇଲା। ଗୁହାଳ ପୋଛିଲା। ଦୁଆରେ ଶୁଭ ଚିହ୍ନ ବୋଲି ଶିଆଳି ପତ୍ରର ମାଳ ଲଟକେଇଦେଲା। ଲୁଗା ଶିଝେଇଲା।
ଝୋଲାରୁ ଫେରି ପୁୟୁ ଦିଉଡୁକୁ କହିଲା ଖାଲି ମଦ ପିଇ ମାତିଲେ ଚଳିବ ନାହିଁ। ବହୁତ କାମ ବାକି, ବେଜୁଣୀକୁ ଡାକିବାକୁ ପଡ଼ିବ, ଡିଶାରୀ ଠୁଁ ପରାମର୍ଶ ନେବାକୁ ହେବ। ନାହି ପଡ଼ିଛି। ପିଲାର ନାଁ ଦିଆହେବ।
୩୧.୭.୧୯
