*ସମୃଦ୍ଧିରେ କ'ଣ ସୁଖ ଅଛି ?*
ଆମେ ରୁଷରେ ସାମ୍ୟବାଦର ବିଫଳତା ବିଷୟରେ ଶୁଣିଥିଲେ। ଆଜି ଆମେରିକା କଥା ବିଚାର କରିବା। ସେଠାରେ ଅନ୍ନର ଅଭାବ ନାହିଁ। ଶାରୀରିକ ସୁଖ ପାଇଁ ଯାହା ଯାହା ଆବଶ୍ୟକ, ସେ ସବୁ ସେଠାରେ ଉପଲବ୍ଧ ଅଛି; ତଥାପି ସେଠାରେ ମନର ସୁଖ ନାହିଁ, କାହାରି ମନରେ ଶାନ୍ତି ନାହିଁ। ସେଠାରେ ହାହାକାର ଅଛି, ଅଶାନ୍ତି ଅଛି। ରୁଷରେ ଅନ୍ନାଭାଵ ଲାଗିରହିଥିଲା। ପ୍ରଜାମାନେ ଭୋକିଲା ରହିବା କାରଣରୁ ସେଠାରେ ସାମ୍ୟବାଦ ବିଫଳ ହେଲା। କିନ୍ତୁ ପାଶ୍ଚାତ୍ୟ ପୁଞ୍ଜିବାଦୀ ଦେଶରେ ସ୍ୱତନ୍ତ୍ରତା, ସମାନତା ଓ ଶାରୀରିକ ସୁଖ କଥା ବିଚାର କଲେ ଦେଖିବା ଏ ସବୁ ଏଠି ତ ପର୍ଯ୍ୟାପ୍ତ ମାତ୍ରାରେ ମିଳୁଥିଲା, ତଥାପି ସେମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ସେମାନଙ୍କୁ ମାନସିକ ଶାନ୍ତି ମିଳୁ ନାହିଁ। ତେଣୁ ସେମାନେ ମଧ୍ୟ ତୃତୀୟ ବିକଳ୍ପ ଖୋଜିବାରେ ଲାଗିଛନ୍ତି।
ଏଥିରୁ ଏହା ସ୍ପଷ୍ଟ ଯେ କୌଣସି ସିଦ୍ଧାନ୍ତ ସେତେବେଳେ ବୈଶ୍ବିକ ହୋଇ ପାରିବ ଯେତେବେଳେ ତା ଭିତରେ ସମସ୍ତଙ୍କୁ ସୁଖ ଦେବାର କ୍ଷମତା ଥିବ। ଅର୍ଥାତ୍ ବୈଚାରିକ, ମାନସିକ ଓ ଆତ୍ମିକ ସ୍ତରରେ ଏହା ସୁଖ ଦେଇପାରୁଥିବ।
*ଗଣେଶ ଗଢୁ ଗଢୁ ମାଙ୍କଡ଼ ଗଢ଼ି ହୋଇଯାଏ*
ମଣିଷକୁ ସୁଖ ଦେବା ପାଇଁ ସାରା ବିଶ୍ୱରେ ବିଭିନ୍ନ ପ୍ରକାର ଉପାୟ ଚିନ୍ତା କରାଯାଇଛି। ବିଭିନ୍ନ ପ୍ରକାର ଯନ୍ତ୍ରପାତିର ଉଦ୍ଭାବନ ହେଉଛି। ତଥାପି ସୁଖ ମିଳୁ ନାହିଁ।
ଯାହାର ସୁଖ କଥା ଆମେ ଚିନ୍ତା କରୁଛନ୍ତି। ସେ କିଏ ? ତାଙ୍କ ବିଷୟରେ ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ।
ଯଦି ମଣିଷକୁ ଆମେ ଠିକ୍ ଭାବେ ଚିହ୍ନିବା ତେବେ ତା'ର ବାସ୍ତବ ସୁଖ କଥା ଆମେ ଚିନ୍ତା କରିପାରିବା। ଅନ୍ୟଥା ଆମର କଳ୍ପନା, ଆମର କୃତି ମନୁଷ୍ୟକୁ ପ୍ରକୃତ ସୁଖ ଦେଇ ପାରିବ ନାହିଁ।
ଯେପରି ଜଣେ ରୋଗୀକୁ ତା'ର ରୋଗର କାରଣ ନ ଜାଣି ଔଷଧ ଦେଲେ, ପରିଣାମ ଭୟାବହ ହୁଏ। ରୋଗ ଠିକ୍ ହେବା ଜାଗାରେ ବଢ଼ିଯାଏ କିମ୍ବା ସ୍ଥଳ ବିଶେଷରେ ରୋଗୀ ମୃତ୍ୟୁ ମୁଖରେ ପଡ଼େ। ସେହିପରି ମନୁଷ୍ୟ ବିଷୟରେ ନ ଜାଣି ତାକୁ ସୁଖ ଦେବାକୁ ଭାବିଥିବା ବ୍ୟକ୍ତି ତା ଦୁଃଖର କାରଣ ହୁଏ।
ପାଶ୍ଚାତ୍ୟ ସଭ୍ୟତାର ଯେଉଁ ପାଶ୍ଚାତ୍ୟ ଜୀବନ ଶୈଳୀ ଚାଲିଛି, ସେ ବିଷୟରେ ବିଜ୍ଞାନ ଆଧାରରେ ବିଶ୍ଳେଷଣ କରିଥିବା ଏକ ବଡ଼ ପୁସ୍ତକ ଫ୍ରାନ୍ସର ଜୀଵ ବିଜ୍ଞାନୀ ଆଲେକ୍ସିସ କରେଲ ୮୦ ବର୍ଷ ପୂର୍ବେ ଲେଖିଥିଲେ।
ଯାହା ଗତ ଶତାବ୍ଦୀର ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ପୁସ୍ତକ ଭାବେ ପରିଗଣିତ ହୋଇଛି। ଯାହାର ନାଁ ରଖାଯାଇଛି "Man the Unknown." କେତେ ସୁନ୍ଦର ନାଁ। "ଅଜ୍ଞାତ ମାନବ !" ଅର୍ଥାତ୍ ମଣିଷ କ'ଣ ଏହା ଆମେ ଜାଣି ନାହୁଁ। ସେ ସେଥିରେ ସମୂର୍ଣ୍ଣ ବୈଜ୍ଞାନିକ ଆଧାରରେ ସବୁ ତଥ୍ୟର ବିଶ୍ଳେଷଣ କରିଛନ୍ତି। ଶରୀରର, ମନର ସବୁ ପ୍ରକାର ଶାସ୍ତ୍ରୀୟ ଅଧ୍ୟୟନ କରିବା ପରେ ସେ କହିଛନ୍ତି ଯେ ମଣିଷର ପ୍ରକୃତ ସ୍ୱରୂପ କ'ଣ, ଏହା ଆମେ ଜାଣି ନାହୁଁ। ତା' ପରେ ସେ ସେଥିରେ ବର୍ଣ୍ଣନା କରିଛନ୍ତି ଯେ, "ମଣିଷର ସ୍ୱ-ରୂପ କ'ଣ ଏହା ଆମେ ଠିକ୍ ଭାବେ ନ ଜାଣି ଅଜ୍ଞାନତାର ଆଧାରରେ ମଣିଷକୁ ସୁଖ ଦେବାର ବିଶାଳ ପ୍ରାସାଦ ଠିଆ କରିଦେଇଛୁ, ତାହାର ପରିଣାମ ଯାହା ହେବା କଥା ହୋଇଛି, ତାକୁ ଆଜି ମାନବ ସମାଜ ଭୋଗ କରୁଛି।
ଏଥିପାଇଁ ଏହାର ଭିତ୍ତିଭୂମିରେ ପରିବର୍ତ୍ତନ କରିବାକୁ ପଡ଼ିବ। ସଭ୍ୟତାରେ ଥିବା ତ୍ରୁଟିକୁ ସୁଧାରିବାକୁ ହେବ, ଠିକ୍ ସିଦ୍ଧାନ୍ତ ନେବାକୁ ପଡ଼ିବ, ସେ ଆମ ପାଇଁ ନୂଆ ହୋଇପାରେ, ତାହରି ଉପରେ ହିଁ ସୁଖର ଭବନ ଠିଆ କରିବାକୁ ହେବ।"
ଆମର ଏଠାରେ ସଂସ୍କୃତରେ ଏକ ଶ୍ଳୋକରେ କୁହାଯାଇଛି ଯେ ଜଣେ କାରିଗର ଗଣେଶ ମୂର୍ତ୍ତି ଗଢ଼ିବାକୁ ବାହାରିଲା। ସେ କେବେ ବି ଗଣେଶ ମୂର୍ତ୍ତି ଦେଖି ନ ଥିଲା। ସେ ଚିନ୍ତାରେ ପଡ଼ିଗଲା ଯେ ଶୁଣ୍ଢ କେଉଁଠି ଲଗାଇବ। ଗଣେଶ ନ ଦେଖିଲେ କ'ଣ ହେଲା, ସେ ତ ମାଙ୍କଡ଼ ଦେଖିଛି। ତେଣୁ ସେ ଶୁଣ୍ଢକୁ ମୁଣ୍ଡରେ ଲଗାଇବା ବଦଳରେ ଲାଞ୍ଜ ଜାଗାରେ ଲଗାଇ ଦେଲା। ଶ୍ଳୋକରେ କୁହାଯାଇଛି - "ବିନାୟକମ୍ ପ୍ରକୁର୍ବାଣୋ ରଚୟାମାସ ବାନରମ୍" - ଅର୍ଥାତ୍ ବିନାୟକ ଗଢୁ ଗଢୁ ସେ ବାନର ଗଢ଼ି ଦେଲା। ପାଶ୍ଚାତ୍ୟ ସଭ୍ୟତା ଦେଇଥିବା ସୁଖ ଠିକ୍ ଏହିପରି।

No comments:
Post a Comment