Friday, 17 January 2020

*ବିଶ୍ୱ ଶାନ୍ତି ଓ ହିନ୍ଦୁତ୍ୱ(୧)*

ଗତ ଶତାବ୍ଦୀର ଶେଷ ଦଶକର ଆରମ୍ଭରୁ ଆମେ ଶୁଣି ଆସୁଛୁ ଆଗାମୀ ଶତାବ୍ଦୀ ହିନ୍ଦୁ ଶତାବ୍ଦୀ ହେବ। ଆମେ ଗୀତ  ଗାଉଥିଲୁ "ଶତାବ୍ଦୀ ଆସେ ହିନ୍ଦୁତ୍ୱର।" ସେ ଦଶକ ଯାଇ ଏକ ବିଂଶ ଶତାବ୍ଦୀର ଦୁଇ ଦଶକ ମଧ୍ୟ ପାର ହେବାକୁ ବସିଛି। ଏଇ ଗତ ତିନି ଦଶକର କାର୍ଯ୍ୟ କଳାପ ଦେଖିଲେ ଲାଗୁ ନାହିଁ ଯେ ଏହା କେବଳ ଏକ ଶୁଷ୍କ ସ୍ଲୋଗାନ ଥିଲା। କୌଣସି ସ୍ଲୋଗାନ ବା ବିଚାର ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଜାଣିବାକୁ ପଡ଼େ ଏହାର ବୈଚାରିକ ପୃଷ୍ଠଭୂମି କ'ଣ ? ହିନ୍ଦୁତ୍ୱ ଭିତରେ ବିଶ୍ୱକୁ ଶାନ୍ତି ଦେଲା ଭଳି କିଛି ଆଦର୍ଶ ଅଛି କି ନାହିଁ ? ବିଶ୍ୱକୁ ଶାନ୍ତି ଦେବା ଭଳି କଥା କହିବା ପଛରେ ଏହା ପାଖରେ ଆଧାର କ'ଣ ଅଛି ? 

ବିଶ୍ୱ ଅର୍ଥାତ୍ ସମଗ୍ର ଜଗତକୁ ପ୍ରଭାବିତ କଲାଭଳି କି ଜିନିଷ ଅଛି ହିନ୍ଦୁତ୍ୱ ପାଖରେ ଯାହାକୁ ସାରା ବିଶ୍ୱର ମାନବ ଜାତି ସ୍ୱୀକାର କରିବ ? ଯଦି ଅଛି ତେବେ ଆମେ କହି ପାରିବା ଯେ ହିନ୍ଦୁ ବିଚାର ହେଉଛି ବୈଶ୍ବିକ ବିଚାର। 

 ଆମକୁ ଜାଣିବାକୁ ପଡ଼ିବ ଯେ ସମଗ୍ର ମାନବ ଜାତି ଗୋଟିଏ ବିଚାରକୁ କେବେ ସ୍ୱାଗତ କରେ ଓ କେଉଁ ଆଧାରରେ ସ୍ୱାଗତ କରେ ? କେବଳ ମଣିଷ ନୁହଁନ୍ତି ସର୍ବ ସାଧାରଣ ପ୍ରାଣୀ, ପଶୁ-ପକ୍ଷୀ, କୀଟ-ପତଙ୍ଗ, ଏପରିକ ବୃକ୍ଷ-ଲତା ମଧ୍ୟ ସୁଖ ଚାହାନ୍ତି। ଆମେ ଯଦି କୌଣସି ଗଛକୁ ଛାଇରେ ଲଗାଉଛୁ ତେବେ ଦେଖୁଛୁ ତା' ଶାଖା ପ୍ରଶାଖା ଖରା ପଡୁଥିବା ଦିଗକୁ ବଢୁଛି। ଏଥିରୁ ଜଣା ପଡୁଛି ଯେ ଯେଉଁ ସିଦ୍ଧାନ୍ତ ଦ୍ୱାରା ଅଖିଳ  ମାନବ ଜାତିକୁ ସୁଖ ମିଳିବ ସେ ତାକୁ ହିଁ ସ୍ୱୀକାର କରିବ, ଯେଉଁଥିରେ ତାକୁ ସୁଖ ମିଳିବ ନାହିଁ ସେସବୁକୁ ସେ ପ୍ରତ୍ୟାଖ୍ୟାନ କରିବ।

ଏ ପର୍ଯ୍ୟନ୍ତ ବିଶ୍ୱ ଇତିହାସ ସେହି କଥା କହି ଆସୁଛି ଯେ ଯେଉଁ ଦିଗରେ ସୁଖର ସନ୍ଧାନ ମିଳୁଛି ସାରା ବିଶ୍ୱ ସେଇ ଆଡ଼େ ଦୌଡୁଛି, କିଛି ଦିନ ଦୌଡ଼ିବା ପରେ ଯଦି ତାକୁ ଲାଗୁଛି ଯେ ନା, ଏଠି ସୁଖ ମିଳିବ ନାହିଁ, ତେବେ ସେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ଆଉ ଏକ ରାସ୍ତା ଖୋଜୁଛି। ଏହି ଭଳି ଅନେକ ପ୍ରୟୋଗ ହୋଇଛି। କେତେବେଳେ ଏହା ସମ୍ପ୍ରଦାୟ ନାଁ ରେ ହୋଇଛି ତ କେତେବେଳେ ବିଜ୍ଞାନ ଆଧାରରେ। ଏହି ପ୍ରୟୋଗ ଆଜି ମଧ୍ୟ ଚାଲୁ ରହିଛି। ଆର୍ଥିକ ସିଦ୍ଧାନ୍ତ ଓ ରାଜନୀତିକ ସିଦ୍ଧାନ୍ତକୁ ନେଇ ମଧ୍ୟ ଏହାର ପ୍ରୟୋଗ ଚାଲିଛି। ଏ ସବୁର ଏକ ମାତ୍ର ଉଦ୍ଦେଶ୍ୟ ହେଲା ମଣିଷକୁ ସୁଖ କେମିତି ମିଳିବ ? ପ୍ରକୃତରେ ସୁଖର ସନ୍ଧାନ ହିଁ ସବୁ ବ୍ୟବସ୍ଥା ଓ ସବୁ ଦର୍ଶନର ଏକମାତ୍ର ଉଦ୍ଦେଶ୍ୟ। ମନୁଷ୍ୟ ସବୁବେଳେ ଅଧିକ ସୁଖ ତଥା ଅପର୍ଯ୍ୟାପ୍ତ ସୁଖ ଚାହେଁ। ଯଦି ସୁଖ ନାହିଁ, ଶାନ୍ତି ନାହିଁ, ତେବେ ସେହି ବିଚାରଧାର ଯେତେ ଶ୍ରେଷ୍ଠ ହେଉନା କାହିଁକି, ତାହାକୁ ସେ ପ୍ରତ୍ୟାଖ୍ୟାନ କରେ। 

ରୁଷର ଉଦାହରଣ ନେବା। ସେଠାରେ ୭୫ ବର୍ଷ ପର୍ଯ୍ୟନ୍ତ ସାମ୍ୟବାଦର ଖୁବ୍ ପ୍ରୟୋଗ ହେଲା। ସେପରି ପ୍ରୟୋଗ ଆଉ କେଉଁଠି ହୋଇ ନାହିଁ। ସରକାରଙ୍କ ପାଖରେ ନିରଙ୍କୁଶ କ୍ଷମତା ଥିଲା। ପ୍ରତ୍ୟକ ବ୍ୟକ୍ତି ଉପରେ, ପତି ପତ୍ନୀ ଉପରେ, ଏପରିକି ନିଜ ସନ୍ତାନଙ୍କ ଉପରେ ବିଶ୍ୱାସ କରିବା କଠିନ ଥିଲା। ୨୪ ଘଣ୍ଟା ସରକାର ହିଁ ସିସିଟିଭି ଭଳି ସମସ୍ତଙ୍କୁ ଧ୍ୟାନ ଦେବାର ବ୍ୟବସ୍ଥା କରିଥିଲା। ମୋଲୋତୋବ୍ ଜୋ ଯେତେବେଳେ ବିଦେଶ ମନ୍ତ୍ରୀ ଥିଲେ ସେତେବେଳେ ଥରେ ପୋଲିସ ତାଙ୍କ ପତ୍ନୀଙ୍କୁ ଗିରଫ କରି ନେଇଥିଲା। ମୋଲୋତୋବ୍ ସେ ବିଷୟରେ ପାଟି ଖୋଲିବାର ସ୍ଥିତିରେ ନ ଥିଲେ। ମୋ ପତ୍ନୀକୁ କୁଆଡ଼େ ନେଉଛ, ଏହା ପଚାରିବାର ବି ଅଧିକାର ନ ଥିଲା। ଅର୍ଥାତ୍ ପତ୍ନୀ ଉପରେ ପତିର ନୁହଁ ସରକାରଙ୍କ ଅଧିକାର ଥିଲା। ଏଭଳି ପରିସ୍ଥିତି ସେଠାରେ ସୃଷ୍ଟି ହୋଇଥିଲା। 

କମ୍ୟୁନିଷ୍ଟ ନେତାମାନେ ଦାବୀ କରୁଥିଲେ ଯେ ଜନ ସାଧରଣଙ୍କୁ ସବୁ ପ୍ରକାର ସୁଖ ଦେବା ଆମ କାମ। ପ୍ରକୃତରେ ଆମେ ଏପରି ରାଜ୍ୟ ନିର୍ମାଣ କରିବୁ ଯାହାର ଗୁଣ ଭାରତର ଲୋକେ ଗାଇ ଥାଆନ୍ତି। ସେ ସ୍ଥିତି ହେଉଛି ରାଜ୍ୟ ବିହୀନ ସ୍ଥିତି। ସମସ୍ତେ ପରସ୍ପରକୁ ସହଯୋଗ କରି ଏକ ଆଦର୍ଶ ଜୀବନ ଚଳଣୀର ରଚନା କରିବେ। ଏହାକୁ Withering away of the state ବା ରାଜ୍ୟ ବିହୀନ ବ୍ୟବସ୍ଥା କୁହାଯାଏ। ଯେଉଁଠି ରାଜ୍ୟର ଆବଶ୍ୟକତା ପଡ଼େ ନାହିଁ। କାରଣ ଏପରି ସ୍ଥିତିରେ କେହି ଅପରାଧୀ ନ ଥାନ୍ତି, କୌଣସି ଜେଲର ଆଵଶ୍ୟକତା ନ ଥାଏ।  ତେଣୁ ପୋଲିସ ରଖିବାର ପ୍ରଶ୍ନ ଉଠୁନାହିଁ। ଶାସନ କର୍ତ୍ତା ମଧ୍ୟ ଆଵଶ୍ୟକ ନ ଥାଏ। ଏଭଳି ଆଦର୍ଶ ସ୍ଥିତିର ସେମାନେ କଳ୍ପନା କରିଥିଲେ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହା ସତ୍ୟ ସାବ୍ୟସ୍ଥ ହେଲା। ସୋଭିଏତ ୟୁନିୟନ ପୂରା ଧ୍ୱସ୍ତ ହୋଇଗଲା। Withering away of the state ର କଳ୍ପନା ସାକାର ହେଲା !

ସାରା ବିଶ୍ୱକୁ ଖୁଆଇବାର ଶକ୍ତି ବା ଅନ୍ନ ଯୋଗାଇବାର ଶକ୍ତି ଅଛି ବୋଲି ଦାବୀ କରୁଥିବା ସୋଭିଏତ ରୁଷର ନିଜ ପ୍ରଜାଙ୍କୁ ଦୁଇ ଓଳି ଅନ୍ନ ଦେବାର କ୍ଷମତା ରହିଲା ନାହିଁ। ଅନ୍ନ ପାଇଁ ବଡ଼ ବଡ଼ ଧାଡ଼ିରେ ଲୋକେ ଠିଆ ହେଲେ, ହାହାକାର ପଡ଼ିଗଲା। ବିଶ୍ୱର ଛୋଟ ଛୋଟ ଦେଶଙ୍କ ପାଖରେ ଥାଳି ପତେଇବାକୁ ପଡ଼ିଲା। ବଡ଼ ବଡ଼ ଅଣୁ ବୈଜ୍ଞାନିକ ବିଦେଶ ଯାଇ ନିଜ ଚାକିରିକୁ ସୁରକ୍ଷିତ କଲେ। ଏଭଳି ବିକଟ ପରିସ୍ଥିତି ସୃଷ୍ଟି ହୋଇଥିଲା। 

ଗୋର୍ବାଚୋଭ ଗ୍ଲାସନୋସ୍ତ ଓ ପେରେସ୍ତ୍ରାଇକା ନାମରେ ମୁକ୍ତ ସମାଜ ଓ ନୂଆ ଅର୍ଥ ସଂରଚନା ଆଣିଲେ। ଲୋକେ ବିନୋଦ ପୂର୍ଵକ କହିଲେ, "ଦେଖ, ମୁହଁରେ କହିବା ପାଇଁ ଏଠି କିଛି ଆକଟ ନାହିଁ, କିନ୍ତୁ ପାଟି ଭିତରକୁ ଯିବା ପାଇଁ ଏଠାରେ କିଛି ନାହିଁ।"

ଏହା ସହିତ ଆଉ ଏକ ବିନୋଦପୂର୍ଣ୍ଣ କଥା ଶୁଣିବାକୁ ମିଳୁଥିଲା ଯେ 'ବୋଡ଼କା' ଯାହା ସେଠିକାର ଅଧିବାସୀଙ୍କର ପ୍ରିୟ ପାନୀୟ(ମଦ), ସେ ମଦ ପାଇବା ପାଇଁ ଲମ୍ବା ଧାଡ଼ି ଲଗେଇବାକୁ ପଡୁଛି। ଏଇଭଳି ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଜଣେ ଲୋକର ଧୈର୍ଯ୍ୟ ତୁଟିଗଲା। ସେ କହିଲା - " ଇଏ କି ରାଜ୍ୟ ଆସିଲା, ଯେଉଁଠି 'ବୋଡ଼କା' ଟିକେ ବି ମିଳୁ ନାହିଁ। ଏବେ ମୁଁ ଗୋର୍ବାଚୋଭକୁ ହତ୍ୟା କରିବାକୁ ଯାଉଛି।" ସେ ସେଠୁ ଯିବାର ଦୁଇ ତିନି ଘଣ୍ଟା ପରେ ପୁଣି ଫେରି ଆସିଲା। ଲୋକେ ପଚାରିଲେ, " କ'ଣ ଭାଇ, ଗୋର୍ବାଚୋଭଙ୍କୁ ହତ୍ୟା କରିଦେଲ ?" ତା' ଉତ୍ତର ଥିଲା - "କ'ଣ କରିବି ? ସେଠାକାର ଧାଡ଼ି ତ ଏ ଧାଡ଼ି ଠାରୁ ଆହୁରି ଲମ୍ବା।"

ଏହି ବ୍ୟବସ୍ଥା ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରାଥମିକ ଆଵଶ୍ୟକତା ଥିବା ପେଟ ପୂରା ଖାଦ୍ୟ ବି ଦେବାକୁ ସମର୍ଥ ହେଲା ନାହିଁ, ବୌଦ୍ଧିକ ସ୍ୱାଧୀନତା କଥା ତ ବହୁତ ଦୂରର କଥା। ତେଣୁ କମ୍ୟୁନିଷ୍ଟ ଏଥିରେ ପୂର୍ଣ୍ଣତଃ ବିଫଳ ହେଲା।

କ୍ରମଶଃ....

No comments: