Tuesday, 1 October 2019

*ହିନ୍ଦୁ କାହିଁକି ହିନ୍ଦୁତ୍ୱର ବିରୋଧ କରୁଛି ?*

ଉପରେ ବର୍ଣ୍ଣିତ ସମସ୍ତ ୟୁରୋପୀୟ ବିଦ୍ୱାନଙ୍କ ଦ୍ୱାରା ଭାରତୀୟ ଗ୍ରନ୍ଥମାନଙ୍କର ବିକୃତିକରଣ, ଇତିହାସର ପ୍ରାଚୀନତାକୁ ନଷ୍ଟ କରିବାର ଚେଷ୍ଟା ଏବଂ ଭାରତର ଶିକ୍ଷିତ ଲୋକଙ୍କୁ ସେମାନଙ୍କ ମୂଳ ଜୀବନମୂଲ୍ୟରୁ କାଟି ଦେବାର କାରଣ ହେଉଛି ମେକଲେ ଶିକ୍ଷା ପଦ୍ଧତିର ପ୍ରଚଳନ।

ଥୋମାସ ବବିଙ୍ଗଟନ ମେକଲେ ପ୍ରଚଣ୍ଡ ଭାରତ ବିରୋଧୀ ଥିଲା। ତାକୁ ନା ଭାରତର ବ୍ୟକ୍ତି ଭଲ ଲାଗୁଥିଲେ, ନା ଗଛ ପତ୍ର, ଭୋଜନ,  ସଙ୍ଗୀତ, ସଂସ୍କୃତି ନା ଭାରତର ସାହିତ୍ୟ। ତା ନଜରରେ ଏ ସବୁ ବେକାର ଥିଲା। ତାକୁ ଭାରତୀୟ ଜୀବନ ଅନୈତିକ, ଅଜ୍ଞାନ, ଅନ୍ଧବିଶ୍ୱାସ ଓ ଋଢ଼ିଗ୍ରସ୍ତ ବୋଲି ଲାଗୁଥିଲା। ତା'ର ଧାରଣା ଥିଲା ଯେ ଇଂଲଣ୍ଡର ଗ୍ରନ୍ଥାଗାରର କୌଣସି ଏକ ଆଲମୀରାର ଦୁଇଟି ପୁସ୍ତକ ଭାରତର ସମଗ୍ର ସାହିତ୍ୟ ଠାରୁ ଅଧିକ ମୂଲ୍ୟବାନ। ଏହି ମାନସିକତାର ବ୍ୟକ୍ତି ୧୮୩୪ ମସିହାରେ ଶିକ୍ଷା ବିଭାଗର ମୁଖ୍ୟ ହୋଇ ଭାରତ ଆସିଲା ଓ ୧୮୩୫ ରେ ନିଜ ଯୋଜନାର ଶିକ୍ଷା ପଦ୍ଧତି ଭାରତରେ ଲାଗୁକଲା।

୧୮୩୬ ରେ ଭାରତର ଶିକ୍ଷା ବୋର୍ଡ଼ର ସଭାପତି ଭାବେ କାର୍ଯ୍ୟ କରୁଥିବା ବେଳେ ସେ ତା'ର ବାପାଙ୍କ ପାଖକୁ ବଡ଼ ଉତ୍ସାହରେ ଚିଠି ଲେଖିଲା, "ଆମ ଇଂରାଜୀ ଭାଷାର ବିଦ୍ୟାଳୟ ଏଠାରେ ଆଶ୍ଚର୍ଯ୍ୟ ଜନକ ଭାବରେ ତା'ର ଲକ୍ଷ୍ୟ ପ୍ରାପ୍ତିରେ ସଫଳ ହେଉଛି। ଏ ବିଦ୍ୟାଳୟ ହିନ୍ଦୁ ମାନଙ୍କ ଉପରେ ଗଭୀର ପ୍ରଭାବ ପକାଉଛି। ମୋର ପୂର୍ଣ୍ଣ ବିଶ୍ୱାସ, ଯଦି ଶିକ୍ଷା ସମ୍ବନ୍ଧରେ ଥିବା ଆମର ସମସ୍ତ ଯୋଜନା ଏହିପରି କାର୍ଯ୍ୟାନ୍ଵୟନ ହୁଏ ତେବେ ଆଜିଠୁଁ ତିରିଶ ବର୍ଷ ପରେ ବଙ୍ଗ ପ୍ରଦେଶର ସମ୍ଭ୍ରାନ୍ତ ହିନ୍ଦୁ କୁଳରେ ଆଉ ଜଣେ ବି ହିନ୍ଦୁ ନ ଥିବ ମୂର୍ତ୍ତି ପୂଜା କରିବାକୁ। ମତାନ୍ତରଣ କରିବାର କୌଣସି ଚେଷ୍ଟା ନ କରି ବା ଧାର୍ମିକ ସ୍ବାଧୀନତାରେ କୌଣସି ବାଧା ନ ପହଞ୍ଚାଇ ମଧ୍ୟ କେବଳ ଶିକ୍ଷାର ସ୍ୱାଭାବିକ ପ୍ରସାର ଓ ଆମ ଯୋଜନାକୁ ପ୍ରତିବିମ୍ବିତ କରିବା ଦ୍ୱାରା ହିଁ ଏ ସବୁ କାମ ସହଜରେ ହୋଇଯିବ। ଏଭଳି ସମ୍ଭାବନାର ଅନୁମାନ କରି ମୋତେ ବହୁତ ଶାନ୍ତି ମିଳୁଛି।"

ଏପରି ଶିକ୍ଷା ପଦ୍ଧତି ଚାଲୁ ରହିଲେ ତା'ର ପରିଣାମ କ'ଣ ହେବ, ତାହା ବର୍ଣ୍ଣନା କରିବାକୁ ଯାଇ ସେ ପୁଣି କହିଛି ଯେ, " ଆମେ ଭାରତରେ ଏମିତି ଏକ ପିଢ଼ି ତିଆରି କରିବାକୁ ଯାଉଛୁ ଯିଏ ରକ୍ତ ଓ ରଙ୍ଗରେ କେବଳ ଭାରତୀୟ, କିନ୍ତୁ ଅଭିରୁଚି, ମତ, ନୈତିକତା ଓ ବୁଦ୍ଧିମତାରେ ସମ୍ପୂର୍ଣ୍ଣ ଇଂରେଜ ହୋଇଯାଇଥିବ। (C. H. I vol. V I P)

ଏହି ଉଦ୍ଦେଶ୍ୟର ପୂର୍ତ୍ତି ପାଇଁ ତା'ର ପ୍ରଥମ କାମ ଥିଲା ଏଠାରେ ଚାଲୁଥିବା ସାଂସ୍କୃତିକ ପୁନର୍ଜାଗରଣକୁ ବନ୍ଦ କରିବା। ଯଦି ଭାରତର ଶିକ୍ଷା, ଶିକ୍ଷା ବ୍ୟବସ୍ଥା ତଥା ଶିକ୍ଷାର ମାଧ୍ୟମ ଭାରତୀୟ ଭାଷାରେ ହୁଏ ତେବେ ଏହା ସମ୍ଭବ ହେବ ନାହିଁ। ଏଣୁ ଏ ସବୁ ପୁରୁଣା ପଦ୍ଧତିକୁ ବହିଷ୍କୃତ କରାଗଲା। ପୁରାତନ ପାଠଶାଳା ଗୁଡ଼ିକର ଆଉ କିଛି ମହତ୍ତ୍ୱ ରହିଲା ନାହିଁ। ସମ୍ପୂର୍ଣ୍ଣ ଭାରତୀୟ ଶିକ୍ଷା ବ୍ୟବସ୍ଥା ଯାହାକୁ ମହାତ୍ମା ଗାନ୍ଧୀ ଏକ "ବିଉଟିଫୁଲ ଟ୍ରୀ" ବୋଲି କହିଛନ୍ତି ତାକୁ ସମ୍ପୂର୍ଣ୍ଣ ରୂପେ ମୂଳରୁ ଉପାଡି଼ ଫିଙ୍ଗି ଦିଆଗଲା। ତା ସ୍ଥାନରେ ଇଂରାଜୀ ଶିକ୍ଷା ପଦ୍ଧତି ଲଗେଇ ଦିଆଗଲା।

ଏହି ପଦ୍ଧତିକୁ ବୁଝିବା ପାଇଁ ଆମେ ମେକେଲର 'ମିନିଟସ'କୁ ପଢ଼ିବା ଦରକାର, ଯାହା ଆଧାରରେ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ଏହି ଶିକ୍ଷା ନୀତି ତିଆରି ହୋଇଥିଲା। ସେଥିରେ କୁହାଯାଇଛି ଯେ ତାକୁ ଚାକିରି ମିଳିବ ଯିଏ ଇଂରାଜୀ ମାଧ୍ୟମର ଅମୁକ ଅମୁକ ବିଷୟ ପଢ଼ିବ। ଏଥିରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ୟୁରୋପୀୟ ସାହିତ୍ୟ ରଖାଗଲା। ସେକ୍ସପିଅର ଓ ମିଲଟନଙ୍କୁ ରଖାଗଲା, ଗ୍ରୀକ ସାହିତ୍ୟ ରହିଲା, କିନ୍ତୁ ଭାରତୀୟ ସାହିତ୍ୟ ନ ଥିଲା।

ଯିଏ ଏଇ ପାଠ ପଢ଼ିବ, ଡିଗ୍ରୀ ପ୍ରାପ୍ତ କରିବ, ତାଙ୍କୁ ହିଁ ଶିକ୍ଷିତ କୁହାଯିବ, ତାଙ୍କୁ ହିଁ ଚାକିରି ମିଳିବ। ସେହି ଅନୁସାରେ ଯିଏ ବି.ଏ ପଢ଼ି ଦେଲା ତାକୁ ତୁରନ୍ତ ଚାକିରି ମିଳିଗଲା। ଏଇ ଇଂରେଜୀ ପଢୁଆ ବ୍ୟକ୍ତି ଯେତେବେଳେ ମାଷ୍ଟର/ଅଧ୍ୟାପକ ଚାକିରି ପାଇ ଭାରତ ଇତିହାସ ପଢ଼ାଇଲା, ତା'ର ଆଧାର ହେଲା କେମ୍ବ୍ରିଜ ହିଷ୍ଟ୍ରି ଅଫ ଇଣ୍ଡିଆ। ତେଣୁ ସେହି ପାଠ୍ୟକ୍ରମ ଆଧାରରେ ଉପରେ ବର୍ଣ୍ଣିତ ବିକୃତି ସବୁ ପଢ଼ାଗଲା।

ଯଦି କିଛି ଭାରତୀୟ ସନ୍ଦର୍ଭ ଆଧାରରେ ଆମ ସଂସ୍କୃତିର ଶ୍ରେଷ୍ଠତା ବା କୌଣସି ତଥ୍ୟର ପ୍ରତିପାଦନ କରିବାକୁ ପଡୁଥିଲା ତେବେ ତାହାକୁ ଅନ୍ଧଶ୍ରଦ୍ଧା, ଅବୈଜ୍ଞାନିକ, ଅନୈତିହାସିକ, ତର୍କ ବିରୋଧୀ, ପ୍ରମାଣଶୂନ୍ୟ କାହାଣୀ ଅଥବା କାଳ୍ପନିକ ଆଦି  ଉପାଧି ଦେଇ ଭାରତର ସମସ୍ତ ବିଷୟ ପ୍ରତି ଅରୁଚି ନିର୍ମାଣର ଚେଷ୍ଟା କରାଗଲା। ସେତିକିବେଳେ ଯଦି କିଛି ତୁଳନାତ୍ମକ ଅଧ୍ୟୟନ ନାମରେ କୌଣସି ଆଚାର୍ଯ୍ୟ ଯଥା ସାୟଣାଚାର୍ଯ୍ୟ ଆଦି ଭାଷ୍ୟକାରଙ୍କ କଥା ଆସିଲା, ତେବେ ତାଙ୍କର ଯେତେ ଦୁର୍ଗୁଣ ଅଛି, ସେତିକି ଯିଏ ବାହାର କରି ଦେଉଥିଲା, ତାକୁ ତୁରନ୍ତ ପି. ଏଚ ଡି ମିଳିଯାଉଥିଲା। ଏହା ସାଙ୍ଗକୁ ଅଧିକ ଦରମା, ସୁନ୍ଦର ବାସସ୍ଥାନ, ପ୍ରଫେସର ପଦବୀ, ଏ ସବୁ ପ୍ରତି ଆକର୍ଷଣ ଧୀରେ ଧୀରେ ଭାରତୀୟ ଶିକ୍ଷା ବ୍ୟବସ୍ଥାର ମୂଳୋତ୍ପାଟନରେ ସମର୍ଥ ହେଲା। ଶିକ୍ଷିତ ବର୍ଗରେ ଭାରତ, ଭାରତୀୟତା, ପ୍ରାଚୀନ ଜୀବନମୂଲ୍ୟ ପ୍ରତି ଅଜ୍ଞାନ ଓ ଉପହାସର ଭାବ ଉତ୍ପନ୍ନ ହେଲା। ପରିଣାମତଃ ଏଇ ଇଂରାଜୀ ପଢୁଆ ଶିକ୍ଷିତ ଵର୍ଗ ଯେଉଁମାନେ ଦେଶର ନୀତି ନିୟମ ତିଆରି କଲେ ସେମାନେ ସମସ୍ତେ ମାନସିକ ଦାସତାଗ୍ରସ୍ତ ହୋଇଗଲେ।

ଦେଶ ସ୍ଵାଧୀନ ହେଲା। ସାମ୍ରାଜ୍ୟବାଦୀ ଇଂରେଜ ଆମ ଦେଶ ଛାଡ଼ି ତାଙ୍କ ଇଂଲଣ୍ଡ ଦେଶକୁ ଚାଲିଗଲେ। ଆଶା ଥିଲା ଏ ସାମ୍ରାଜ୍ୟବାଦୀ ମାନସିକତା, ଏ ଇଂରେଜ ମାନସିକତା ମଧ୍ୟ ତାଙ୍କ ସହ ଇଂଲଣ୍ଡ ଚାଲିଯିବ। ପରନ୍ତୁ ଦୁର୍ଭାଗ୍ୟବଶତଃ ଏପରି ହେଲା ନାହିଁ। ଇଂରେଜମାନେ ତାଙ୍କର ଦୂରଗାମୀ ରଣନୀତି ଅନ୍ତର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଦେଶର ପ୍ରଧାନମନ୍ତ୍ରୀ ରୂପେ ଅବସ୍ଥାପିତ କଲେ, ଯାହାଙ୍କ ସମ୍ପୂର୍ଣ୍ଣ ଶିକ୍ଷା ଦୀକ୍ଷା ଇଂଲଣ୍ଡରେ ହୋଇଥିଲା। ଯିଏ ଇଂରେଜପଣକୁ ଅସ୍ଥି ମଜ୍ଜାଗତ କରିନେଇଥିଲେ।  ଏହି ଭାବନା ତାଙ୍କ କାର୍ଯ୍ୟରେ ବି ଦେଖିବାକୁ ମିଳୁଥିଲା।

ଆମେରିକାର ରାଷ୍ଟ୍ରଦୂତ ଜନ ଗେଲବ୍ରେଥଙ୍କୁ ସେ କହିଥିଲେ, "ମୁଁ ଭାରତରେ ଶାସନ କରୁଥିବା ଶେଷ ଇଂରଜ।"

ଏଣୁ ସେକୁଲାରବାଦ ନାମରେ ସେହି ପୁରୁଣା ସାମ୍ରାଜ୍ୟବାଦୀ ମେକଲେ ଶିକ୍ଷା ପଦ୍ଧତି ଦେଶରେ ଅପରିବର୍ତ୍ତିତ ରହିଲା। ଯଦି ଏହାର ପରିବର୍ତ୍ତନ ହୋଇଥାନ୍ତା ତେବେ ଦେଶରେ କୌଣସି ବି କ୍ଷେତ୍ରରେ ଭାରତର କିଛି ଅବଦାନ ଅଛି, ଏ ବିଷୟରେ ଆମ ବିଦ୍ୟାର୍ଥୀ ପରିଚିତ ହୋଇଥାନ୍ତେ। ପାଠପଢ଼ା ସରିବା ପରେ ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ତତ୍ତ୍ୱଜ୍ଞାନ ସମ୍ବନ୍ଧରେ ଅଜ୍ଞାନ ରହି ନ ଥାନ୍ତେ।

ଏହି ଦୁର୍ଗତିକୁ ଇଙ୍ଗିତ କରି ଡ. ଏନି ବେସେଣ୍ଟ କହିଥିଲେ ଯେ ହିନ୍ଦୁ ଯଦି ହିନ୍ଦୁତ୍ୱକୁ ନ ବଞ୍ଚାଇବ, ତା'ର ପିଲାମାନେ ଯଦି ତା ବିଷୟରେ ନ ଜାଣିବେ ତେବେ ତାକୁ ଆଉ କିଏ ବଞ୍ଚାଇବ ? ଏଣୁ ହିନ୍ଦୁତ୍ୱ, ଯେଉଁଥିପାଇଁ ସାରା ଦୁନିଆ ଏହାକୁ ହିନ୍ଦୁସ୍ଥାନ କହୁଛି, ଯାହାର ତତ୍ତ୍ୱଜ୍ଞାନକୁ ଜାଣି ସାରା ଦୁନିଆ ଗର୍ବିତ, ତା ସହିତ ଆମ ସମାଜ ଭଲଭାବେ ପରିଚିତ ହେବା ଅତ୍ୟନ୍ତ ଆବଶ୍ୟକ।

୧.୧୦.୧୯

No comments: