ମହାମନା ମଦନମୋହନ ମାଲବ୍ୟ ବନାରସରେ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ। ସେହି ହିନ୍ଦୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ ଅବସରରେ ଡ. ଏନି ବେସେଣ୍ଟ ଯେଉଁ ବିଚାର ବ୍ୟକ୍ତ କରିଥିଲେ, ତାହା ଭାରତୀୟ ରାଷ୍ଟ୍ରୀୟତାର ଏକ କାଳଜୟୀ ନମୁନା।
ଡ. ଏନି ବେସେଣ୍ଟ ଜଣେ ଆୟରିସ ମହିଳା। ପିଲାବେଳେ ତାଙ୍କର ଧର୍ମ ପ୍ରତି ଆସ୍ଥା ନ ଥିଲା। ଯୁବ ଅବସ୍ଥାରେ ସେ ପୂରା ନାସ୍ତିକ ଥିଲେ। ଏହି ସମୟରେ ସେ ଏଚ. ପି. ବ୍ଲାବତସ୍କି ନାମକ ଜଣେ ଋଷିୟ ମହିଳାଙ୍କ ସମ୍ପର୍କରେ ଆସିଲେ। ଏହି ଋଷିୟ ମହିଳା ହିନ୍ଦୁ ଧର୍ମ ଦ୍ୱାରା ପ୍ରଭାବିତ ହୋଇ ନିଜର ନାମ ବଦଳାଇ ଯୋଗିନୀ ରାଧାଵାଈ ରଖିଥିଲେ। ଯୋଗିନୀ ରାଧାଵାଈ ଗୋଟିଏ ଥିଓସୋଫିକାଲ ସୋସାଇଟ ଗଢ଼ିଥିଲେ। ସେଠାକୁ ଏନି ବେସେଣ୍ଟ ନିୟମିତ ଆସି ହିନ୍ଦୁ ଧର୍ମଶାସ୍ତ୍ରର ଗଭୀର ଅଧ୍ୟୟନ କରିଥିଲେ।
କାଶୀ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ ସଭାରେ ବ୍ୟକ୍ତ କରିଥିବା ତାଙ୍କ ବିଚାର ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ନିଜ ଧର୍ମ ସମ୍ବନ୍ଧରେ ବିଚାର କରିବାକୁ ବାଧ୍ୟ କରିଥାଏ।
ସେ କହିଥିଲେ, "ବିଶ୍ୱର ବିଭିନ୍ନ ମହାନ୍ ଧର୍ମ ଏବଂ ପନ୍ଥ ସମ୍ବନ୍ଧରେ ମୁଁ ଚାଳିଶ ବର୍ଷରୁ ଅଧିକ ସମୟ ଅଧ୍ୟୟନ କରିସାରିଲିଣି, ସେଇ ଆଧାରରେ ମୁଁ କହିପାରିବି ଯେ, ମୋତେ ହିନ୍ଦୁ ଧର୍ମ ଯେତେ ସମ୍ପୂର୍ଣ୍ଣ, ବିଜ୍ଞାନସମ୍ମତ, ଦାର୍ଶନିକ ଓ ଆଧ୍ୟାତ୍ମିକ ଅନୁଭବ ହେଲା, ସେପରି ଅନ୍ୟ ଧର୍ମରେ ହେଲା ନାହିଁ। ଯେତେ ଅଧିକ ଆପଣ ଏହା ଭିତରକୁ ପ୍ରବେଶ କରିବେ ସେତେ ଅଧିକ ଆପଣ ଏହାକୁ ଆଦର କରିବେ, ଯେତେ ଅଧିକ ଏହାକୁ ଜାଣିବେ, ସେତେ ଗଭୀରକୁ ଯାଇ ଏହାର ମହତ୍ତ୍ୱକୁ ବୁଝିପାରିବେ।
ସେ ପୁଣି କହିଲେ, "ଏଥିରେ କୌଣସି ସନ୍ଦେହ ହେବା ଉଚିତ ନୁହେଁ ଯେ ବିନା ହିନ୍ଦୁତ୍ୱରେ ଭାରତର ଭବିଷ୍ୟତ କିଛି ନାହିଁ। ହିନ୍ଦୁତ୍ୱ ହେଉଛି ସେହି ମାଟି ଯେଉଁଠି ଭାରତର ଚେର ବହୁତ ଗଭୀରକୁ ଯାଇଛି, ଯଦି ଏହି ଚେରକୁ ସେ ମାଟିରୁ ଉପାଡ଼ି ଦିଆଯିବ ତେବେ ଭାରତ ସେହିପରି ଶୁଖିଯିବ ଯେପରି କୌଣସି ଗଛ ଭୂମିରୁ ଉପୁଡ଼ି ଗଲେ ଶୁଖିଯାଏ। ସମୟ ସହିତ ସମସ୍ତେ ସେହିପରି ଚାଲି ଯିବେ, ଯେପରି ସେମାନେ ଆସିଥିଲେ, କିନ୍ତୁ ଥରେ ହିନ୍ଦୁତ୍ୱକୁ କାଢ଼ି ଦେଲେ ଭାରତର ଆଉ କ'ଣ ରହିବ ? ଭାରତର ଇତିହାସ, ସାହିତ୍ୟ, କଳା, ତା'ର ସ୍ମାରକ ସବୁ କିଛି ହିନ୍ଦୁତ୍ୱ ଭିତରେ ଗଚ୍ଛିତ ହୋଇ ରହିଛି।
ଭାଷଣ ସମାପ୍ତ କରିବା ବେଳେ ସେ କହିଲେ, "ଯଦି ହିନ୍ଦୁ ନିଜେ ହିନ୍ଦୁତ୍ୱକୁ ବଞ୍ଚାଇ ରଖିବ ନାହିଁ, ତେବେ ଆଉ କିଏ ଏହାକୁ ବଞ୍ଚାଇବ ? ଯଦି ଭାରତର ସନ୍ତାନ ସନ୍ତତି ଏହାର ରକ୍ଷଣାବେକ୍ଷଣ ନ କରିବେ, ତେବେ ଆଉ କିଏ କରିବ ? ସ୍ବୟଂ ଭାରତ ହିଁ ଭାରତକୁ ରକ୍ଷା କରିପାରିବ। ଭାରତ ଓ ହିନ୍ଦୁତ୍ୱ ଏକ ଅଟେ।
୨୭.୯.୧୯

1 comment:
ଅତି ବାସ୍ତବ କଥା କହିଥିଲେ।
Post a Comment