Wednesday, 16 October 2019

*ବେଦ*

ବୈଦିକ ଋଷିମାନଙ୍କର ମତ ଯେ ଅବ୍ୟକ୍ତ ଅବସ୍ଥାରୁ ଜଗତ ଯେତେବେଳେ ବ୍ୟକ୍ତ ହୁଏ ସେତେବେଳେ ମୂଳ ସ୍ଥିତିରେ ବିକ୍ଷୋଭ  ସୃଷ୍ଟି ହୁଏ। ଏହି ବିକ୍ଷୋଭ ସହିତ କମ୍ପନ ପ୍ରାରମ୍ଭ ହୁଏ। କମ୍ପନ ଧ୍ଵନି ରୂପେ ବ୍ୟକ୍ତ ହୁଏ। ଏଣୁ ମାନ୍ୟତା ଅଛି ଯେ ସୃଷ୍ଟି କମ୍ପନ ଅଟେ। ଆମର ଏଠି ପ୍ରାଚୀନ କାଳରୁ ନାଦ ବ୍ରହ୍ମକୁ  ସୃଷ୍ଟିର କାରଣ ବୋଲି ମାନି ଆସିଛନ୍ତି। ସୃଷ୍ଟିରେ ବ୍ୟାପ୍ତ ଏହି ନାଦର ବିବିଧ ରୂପକୁ ଋଷିମାନେ ସାକ୍ଷାତକାର କଲେ ତଥା ତାହାକୁ ବୈଦିକ ମନ୍ତ୍ର ରୂପେ ଅଭିବ୍ୟକ୍ତ କଲେ। ବୁଦ୍ଧି ଦ୍ୱାରା ବିଚାର ଆସିଲା ଏବଂ ତା ପରେ ସେହି ବିଚାରକୁ ସେମାନେ ବ୍ୟକ୍ତ କଲେ, ଏପରି ହୋଇ ନାହିଁ।

ଏପରି ଯଦି ହୋଇଥାନ୍ତା ତେବେ ଋଷିମାନଙ୍କୁ ମନ୍ତ୍ର କର୍ତ୍ତାର ବୋଲି କୁହାଯାଇଥାନ୍ତା।

ଋଷିଗଣ ମନ୍ତ୍ରରେ ଅଭିବ୍ୟକ୍ତ ନାଦଜନିତ ସତ୍ୟକୁ ସାକ୍ଷାତକାର କଲେ। ସେଥିପାଇଁ କୁହାଗଲା ଋଷିୟୋ ମନ୍ତ୍ର ଦ୍ରଷ୍ଟାରଃ। କର୍ତ୍ତାର ସ୍ଥାନରେ ଦ୍ରଷ୍ଟା ଶବ୍ଦ ପ୍ରୟୋଗ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ବେଦ ବିଷୟରେ କରାଯାଇଥିବା ପରିଭାଷାକୁ ହିଁ ସିଦ୍ଧ କରୁଛି। ସେ କହିଥିଲେ ଯେ ବେଦର ଅର୍ଥ ହେଉଛି ବିଭିନ୍ନ ଆଧ୍ୟାତ୍ମିକ ସତ୍ୟଗୁଡ଼ିକର ସମୁଚୟ।

ବେଦର ବିଭନ୍ନ ନାମ

ଆମ ପ୍ରାଚୀନ ସାହିତ୍ୟରେ ବେଦର ଜ୍ଞାନ-ରାଶିକୁ ବିଭନ୍ନ ନାଁରେ ଅଭିବ୍ୟକ୍ତ କରାଯାଇଛି। ତା ଭିତରୁ ପ୍ରମୁଖ ନାଁ ଓ ତା'ର ଅର୍ଥ ଗୁଡ଼ିକ ହେଲା  -

ବେଦ - ଜ୍ଞାନ
ମନ୍ତ୍ର - ମନନ କରିବାର ବିଚାର।
ଶ୍ରୁତି - ଶ୍ରବଣରୁ ପ୍ରାପ୍ତ।
ନିଗମ - ଅନୁଭୂତିର ଅଭିବ୍ୟକ୍ତି ଯେଉଁ ଗ୍ରନ୍ଥରେ ଅଛି।
ଛନ୍ଦସ୍ - ନାଦ ରୂପ। ସମ୍ପୂର୍ଣ୍ଣ ବେଦ ସ୍ୱର ବିଜ୍ଞାନ ଆଧାରିତ।
ଆମ୍ନାୟ - ମାନବୀୟ ଉନ୍ନତିର ଉପଦେଶଗୁଡ଼ିକର ସମୁଚୟ।

ଚାରି ବେଦ - ବ୍ୟାପକ ଅର୍ଥରେ ବେଦ ହେଉଛି ନିରପେକ୍ଷ ଜ୍ଞାନ। କିନ୍ତୁ ସେହି ନିରପେକ୍ଷ ଜ୍ଞାନର ଅନୁଭୂତି ନିଜର ସାଧନା ଓ ତପସ୍ୟା ଦ୍ୱାରା ଭିନ୍ନ ଭିନ୍ନ ଋଷିମାନେ କରିଛନ୍ତି। ସେହି ସାକ୍ଷାତକାରକୁ ବାଣୀ ଦ୍ୱାରା, ମନ୍ତ୍ର ରୂପରେ, ରୁଚା ରୂପରେ ଅଭିବ୍ୟକ୍ତ କରିଛନ୍ତି। ବେଦରେ ଯେଉଁ ଅଭିବ୍ୟକ୍ତି ଅଛି ତାହା ତିନି ପ୍ରକାର। ବୈଦିକ ପଦ୍ୟକୁ ଋକ୍ ବା ରୁଚା କହନ୍ତି। ବୈଦିକ ଗଦ୍ୟକୁ କହନ୍ତି ଯଜୁଷ୍। ଏହି ଦୃଷ୍ଟିରୁ ବେଦରାଶି ପଦ୍ୟ, ଗଦ୍ୟ ଓ ଗେୟ ଏହିପରି ତିନିଟି ରୂପେ ହେବାରୁ ପ୍ରାଚୀନ କାଳରେ "ବେଦ ତ୍ରୟୀ ଶବ୍ଦର ପ୍ରୟୋଗ ହେଉଥିଲା। ଏହି ତିନି ରୂପର ମନ୍ତ୍ର ସମୂହକୁ ସୂକ୍ତ କୁହାଗଲା, ଯାହାର ଅର୍ଥ ହେଲା ଉତ୍କୃଷ୍ଟ ଉକ୍ତି। ଏହି ମନ୍ତ୍ରର ସଙ୍କଳନ ପରବର୍ତ୍ତୀ ସମୟରେ ବେଦ ରୂପେ ପ୍ରତିଷ୍ଠିତ ହେଲା।

ବେଦ ମନ୍ତ୍ରର ସଙ୍କଳନ ଏବେ ଯେଉଁ ରୂପେ ମିଳୁଛି, ତାହାକୁ ସଂହିତା କହନ୍ତି। ପ୍ରଥମରେ ଏକ ହିଁ ବେଦ ଜ୍ଞାନ-ରାଶି ଥିଲା ଯାହା ପରମ୍ପରାକ୍ରମେ ଗୁରୁ ଦ୍ୱାରା ଶିଷ୍ୟ ପାଖକୁ, ପିତା ଦ୍ୱାରା ପୁତ୍ର ପାଖକୁ ଶ୍ରୁତି ବା ଶ୍ରବଣ ଦ୍ୱାରା ପ୍ରାପ୍ତ ହେଉଥିଲା। ଏଣୁ ଏହାକୁ ଶ୍ରୁତି କୁହାଯାଏ। ବିଭିନ୍ନ ଋଷି ବଂଶରେ ଯାହା ସୂକ୍ତ ପରମ୍ପରା ଭାବେ ଚାଲି ଆସିଛି ସେହି ବେଦ ରାଶିକୁ ସର୍ବସାଧାରଣ ଲୋକଙ୍କ ସୁବିଧା ପାଇଁ ମହର୍ଷି ବେଦବ୍ୟାସ ଚାରି ଭାଗରେ ବିଭାଜିତ କଲେ। ଯାହାକୁ ଆମେ ଚାରି ବେଦ ବୋଲି ଜାଣୁ। ଯଥା :
୧. ଋଗ୍ ବେଦ
୨. ଯଜୁର୍ବେଦ
୩. ସାମ ବେଦ
୪. ଅଥର୍ବ ବେଦ

୧୬.୧୦.୧୯

No comments: