ଯେତେବେଳେ ଆମେ କୌଣସି ଦେଶ, ତାହାର ସଂସ୍କୃତି, ପରମ୍ପରାର ବିଶେଷତା ବିଷୟରେ ଜାଣିବାକୁ ଚାହିଁବା ସେତେବେଳେ ତାହାର ଆଧାର ହୁଏ ସେ ଦେଶର ଗ୍ରନ୍ଥ ସମ୍ପଦ। ୟୁରୋପ ବିଷୟରେ ଜାଣିବାକୁ ଚାହିଁଲେ ସେଠିକାର ଗ୍ରନ୍ଥ ସମୂହକୁ ଅଧ୍ୟୟନ କରିବାକୁ ପଡ଼ିବ; ରୋମ, ଗ୍ରୀକ ବା ୟୁନାନ ବିଷୟରେ ଜାଣିବାକୁ ହେଲେ ସେହି ସେହି ଦେଶର ଗ୍ରନ୍ଥ ଆଧାର ହୁଏ। ସେହିପରି ଭାରତ ବିଷୟରେ ଜାଣିବାକୁ ହେଲେ; ଭାରତର ଦର୍ଶନ, ଧର୍ମ, ସଂସ୍କୃତି ଓ ସଭ୍ୟତାକୁ ଜାଣିବାକୁ ହେଲେ, ତାହାର ମଧ୍ୟ ଆଧାର ହେବ ଏଠିକାର ଗ୍ରନ୍ଥ ସମ୍ପଦ। ଏଣୁ ଏଠାରେ ଆମେ ସଂକ୍ଷେପରେ ଭାରତର ମୌଳିକ ଗ୍ରନ୍ଥ ସମୂହ ବିଷୟରେ ଜାଣିବାକୁ ଚେଷ୍ଟା କରିବା।
ଭାରତରେ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଲେଖା ଯାଇଥିବା ସାହିତ୍ୟର ସୂଚୀ ଯଦି ତିଆରି କରାଯାଏ, ତେବେ କେବଳ ଏହି ସୂଚୀର ଅନେକ ଗ୍ରନ୍ଥ ତିଆରି ହୋଇଯିବ। କିନ୍ତୁ କିଛି ମୌଳିକ ଗ୍ରନ୍ଥ ଯାହା ସମ୍ପୂର୍ଣ୍ଣ ସମାଜରେ ମାନ୍ୟ, ଯେଉଁଠୁ ସମାଜ ପ୍ରେରଣା ପ୍ରାପ୍ତ କରେ, ସମଗ୍ର ଭାରତ ଯେଉଁ ଗ୍ରନ୍ଥରେ ଅଭିବ୍ୟକ୍ତ, ତାହା ପ୍ରତୀକାତ୍ମକ ଭାବେ ଏହି ଶ୍ଳୋକରେ ଆମେ ପ୍ରତିଦିନ ସ୍ମରଣ କରିଥାଉଁ -
ଚତୁର୍ବେଦାଃ ପୁରାଣାନି ସର୍ବୋପନିଷଦସ୍ତଥା।
ରାମାୟଣଂ ଭାରତଂ ଚ ଗୀତା ସଦ୍ ଦର୍ଶନାନି ଚ।।
ଜୈନାଗମାସ୍ତ୍ରୀପିଟକା ଗୁରୁଗ୍ରନ୍ଥଃ ସତାଂ ଗିରଃ।
ଏଷ ଜ୍ଞାନନିଧିଃ ଶ୍ରେଷ୍ଠଃ ଶ୍ରଦ୍ଧେୟୋ ହୃଦି-ସର୍ବଦା।।
ଅର୍ଥାତ୍ - ଚାରି ବେଦ, ପୁରାଣ, ଉପନିଷଦ, ରାମାୟଣ, ମହାଭାରତ, ଗୀତା, ସମସ୍ତ ଦର୍ଶନ, ଜୈନ ଆଗମ, ବୌଦ୍ଧ ତ୍ରିପିଟକ, ଗୁରୁଗ୍ରନ୍ଥ ସାହେବ ତଥା ସମସ୍ତ ସନ୍ଥଙ୍କର ବାଣୀରେ ନିହିତ ଥିବା ଶ୍ରେଷ୍ଠତମ ଜ୍ଞାନ-ନିଧି ଶ୍ରଦ୍ଧାପୂର୍ବକ ହୃଦୟରେ ଧାରଣ କର।
ବେଦ - ଭାରତୀୟ ସମାଜ ଜୀବନରେ ବେଦର ମହତ୍ତ୍ୱ ସର୍ବାଧିକ। ପ୍ରାଚୀନ କାଳରୁ ସମାଜ ଏହାକୁ ଆମର ଦର୍ଶନ, ଧର୍ମ ଓ ସଂସ୍କୃତିର ଗଙ୍ଗୋତ୍ରୀ ବୋଲି ମାନି ଆସିଛି। ବେଦ ସମ୍ବନ୍ଧିତ କିଛି ସୂକ୍ତିରୁ ଏହାର ମହତ୍ତ୍ୱକୁ ଆମେ ସ୍ପଷ୍ଟ ବୁଝି ପାରିବା। ଏଥିରେ କୁହାଯାଇଛି -
"ବେଦୋ ଖିଳୋ ଧର୍ମ ମୂଳମ୍"
ବେଦ ସବୁ ଧର୍ମର ମୂଳ ଅଟେ।
ବେଦୋ ଖିଳୋ ଜ୍ଞାନ ମୂଳମ୍"
ବେଦ ସବୁ ଜ୍ଞାନର ମୂଳ ଅଟେ।
ବେଦର ଅର୍ଥ - ବେଦ କ'ଣ ? କ'ଣ ବେଦ ଖାଲି କିଛି ପୁସ୍ତକ ? ଏହି ପ୍ରଶ୍ନର ବିଚାର କଲା ବେଳେ ଜଣାପଡ଼େ ଯେ ବେଦ ଶବ୍ଦ 'ବିଦ୍' ଧାତୁରୁ ଆସିଅଛି, ଯାହାର ଅର୍ଥ ହେଉଛି ଜାଣିବା। ଏଣୁ ବେଦର ଅର୍ଥ ହେଲା ଜ୍ଞାନରାଶି। ଏହାକୁ ସ୍ପଷ୍ଟ କରିବାକୁ ଯାଇ ସ୍ୱାମୀ ବିବେକାନନ୍ଦ କହିଛନ୍ତି, "ବେଦର ଅର୍ଥ କୌଣସି ପୁସ୍ତକ ନୁହେଁ, ବରଂ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଆବିଷ୍କୃତ ଆଧ୍ୟାତ୍ମିକ ସତ୍ୟ ଗୁଡ଼ିକର
ସଞ୍ଚିତ କୋଷ।
ଅପୌରୁଷେୟ - ବେଦ ସମ୍ବନ୍ଧରେ ଆଉ ଏକ କଥା କୁହାଯାଇଛି ଯେ ଏହା ଅପୌରୁଷେୟ। କୌଣସି ମନୁଷ୍ୟ ଏହାକୁ ରଚନା କରି ନାହିଁ। ଆପୌରୁଷେୟର ବ୍ୟାଖ୍ୟା ଭିନ୍ନ ଭିନ୍ନ ବିଚାରର ଲୋକେ ଭିନ୍ନ ଭିନ୍ନ ପ୍ରକାର କରିଛନ୍ତି। ମିମାଂସକ ମାନେ ମାନିଛନ୍ତି ଯେ ବେଦ ସନାତନ। ସୃଷ୍ଟି ଯେବେଠୁଁ ବ୍ୟକ୍ତ ହେଲା, ସେବେଠୁ ବେଦ ମଧ୍ୟ ବ୍ୟକ୍ତ ହୋଇଛି, ପୁଣି ସୃଷ୍ଟି ଯେବେ ଲୋପ ହେବ ବେଦ ମଧ୍ୟ ଲୋପ ହୋଇଯିବ। ଅନ୍ୟ ଏକ ମତ ତାର୍କିକ ଏବଂ ପ୍ରୟୋଗବାଦୀ ନ୍ୟାୟାୟିକ ତଥା ବୈଶେଷିକ ଦର୍ଶନକୁ ମାନୁଥିବା ଲୋକଙ୍କର। ତାଙ୍କ ଅନୁସାରେ ବେଦ ଆପୌରୁଷେୟ କାରଣ ଆମକୁ ଜଣା ନାହିଁ ଯେ ଏ ମନ୍ତ୍ରର ସ୍ରଷ୍ଟା କିଏ।
ଋଷି ମନ୍ତ୍ରଦ୍ରଷ୍ଟା - ବେଦର ଆଉ ଏକ ବୈଶିଷ୍ଟ୍ୟ ରହିଛି ଯାହା ଦ୍ୱାରା ଅପୌରୁଷେୟ ବ୍ୟାଖ୍ୟା ଅଧିକ ବୋଧଗମ୍ୟ ହୋଇଯାଇଛି। ପ୍ରାରମ୍ଭରୁ ମାନ୍ୟତା ରହିଆସିଛି ଯେ ବେଦରେ ଯେଉଁ ଭିନ୍ନ ଭିନ୍ନ ମନ୍ତ୍ର ଅଛି, ତାହାକୁ କେହି ନା କେହି ଋଷି କହିଛନ୍ତି। କାରଣ ଋଷି ଓ ମନ୍ତ୍ରର ସମ୍ବନ୍ଧକୁ ଅଭିବ୍ୟକ୍ତ କରୁଥିବା ଏକ ବିଲକ୍ଷଣ ବାକ୍ୟ ପ୍ରଚଳିତ, ତାହା ହେଉଛି "ଋଷିୟୋ ମନ୍ତ୍ର ଦ୍ରଷ୍ଟାରଃ" ଅର୍ଥାତ୍ ଋଷି ମନ୍ତ୍ର ଦ୍ରଷ୍ଟା ଅଟନ୍ତି।
୩.୧୦.୧୯

No comments:
Post a Comment