Sunday, 20 October 2019

*ବେଦ ମନ୍ତ୍ର ଓ ସ୍ୱର*

ଆମର ଏଠାରେ ପରୀକ୍ଷା କରି କୁହାଯାଇଛି ଯେ ସୃଷ୍ଟିରେ ସର୍ବତ୍ର ନାଦ ରହିଛି। ଏହି ନାଦକୁ ସୃଷ୍ଟି ଉତ୍ପତ୍ତିର ମହା ବିସ୍ଫୋଟ (ଯାହା ବିଗ୍ ବ୍ୟାଙ୍ଗ ଥିଓରି) ର ସିଦ୍ଧାନ୍ତ ବୋଲି କୁହାଯାଇଛି। ପ୍ରଥମ ବିସ୍ଫୋଟରେ ଯଦି ନାଦ ଥିଲା, ତେବେ ସମୁଚୟ ସୃଷ୍ଟିରେ ନାଦ ଅଛି, ଧ୍ଵନି ଅଛି। ଏହା ସୂକ୍ଷ୍ମରୁ ସ୍ଥୂଳରୂପେ ଅଭିବ୍ୟକ୍ତ ହେଉଛି।

ନିଜର ପ୍ରଚଣ୍ଡ ତପସ୍ୟା ଦ୍ୱାରା ଋଷିମାନେ ଏହାର ଦର୍ଶନ କଲେ। ସେମାନେ ଜାଣିଲେ ଯେ ଏହାର ଚାରୋଟି ରୂପ ଅଛି। ଯଥା : - ପରା, ପଶ୍ୟନ୍ତି, ମଧ୍ଯମାବୈଖରୀ

ଏହି ଚାରୋଟି ରୂପ ଭିତରୁ ପରା ବାଣୀ ଓଁକାର ସ୍ୱରୂପ ଅଟେ, ଯାହା ଯୋଗ ସାଧନାର ଗଭୀରକୁ ପ୍ରବେଶ କଲେ ଅନୁଭୂତ ହୁଏ। ଏହା ମଧ୍ୟ ନାଦର ମୂଳ ସ୍ରୋତ ଅଟେ।

ପରାର ସ୍ଥୂଳ ଅଭିବ୍ୟକ୍ତି ହେଲା ପଶ୍ୟନ୍ତି। ଏହା ଚିତ୍ର ରୂପ ଅଟେ।

ତୃତୀୟ ରୂପ ହେଲା ମଧ୍ଯମା। ଏଥିରେ ଧ୍ଵନି କଣ୍ଠ ପର୍ଯ୍ୟନ୍ତ ଆସେ।

ଚତୁର୍ଥ ଧ୍ଵନ୍ୟାତ୍ମକ ହେଲା ବୈଖରୀ। ଏହି ବୈଖରୀ ବାଣୀ ସ୍ୱର ରୂପେ ଅଭିବ୍ୟକ୍ତ ହୋଇଥାଏ। ଏହି ସ୍ୱର ଦ୍ୱାରା ବାୟୁମଣ୍ଡଳରେ ଏକ ପ୍ରକାର କମ୍ପନ ହୋଇଥାଏ ଯାହା ବାତାବରଣକୁ ପ୍ରଭାବିତ କରିଥାଏ।

ଏଣୁ ବେଦ ମନ୍ତ୍ରର ଉଚ୍ଚାରଣରେ ସ୍ୱର ବିଜ୍ଞାନର ମହତ୍ତ୍ୱ ସର୍ବାଧିକ। ସ୍ୱର ଉପରେ ଜୋର୍ ଦେବା ସମୟରେ ଯଦି ଭିନ୍ନତା ପରିଲକ୍ଷିତ ହୁଏ ତେବେ ତାହାର ଅର୍ଥ ଅଲଗା ହୋଇଯାଏ।

ପୁରାଣରେ ଗୋଟିଏ କାହାଣୀ ଅଛି। ଥରେ ଦେବଗୁରୁ ବୃହସ୍ପତି ଦେବସଭାରେ ଯାଇ ପହଞ୍ଚିଲେ। ସେତେବେଳେ କ୍ଷମତାର ଅହଂକାର ବଶତଃ ଇନ୍ଦ୍ର ନିଜ ସିଂହାସନରୁ ଉଠିଲେ ନାହିଁ, ତାଙ୍କର ଏହି ଅଭଦ୍ରତାରେ କ୍ଷୁବ୍ଧ ହୋଇ ବୃହସ୍ପତି ତାଙ୍କୁ ଦରିଦ୍ର ହୋଇଯିବାର ଅଭିଶାପ ଦେଲେ। ଅସୁରମାନଙ୍କୁ ଏହି କଥା ଜଣାପଡ଼ିଯିବା ପରେ ସେମାନେ ଉତ୍ସାହିତ ହୋଇ ଦେବତାଙ୍କ ଉପରେ ଆକ୍ରମଣ କରି ପରାଜିତ କରିଦେଲେ। ଏଥିରୁ ମୁକୁଳିବା ପାଇଁ ଦେବତାମାନେ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ବ୍ରହ୍ମା ତାଙ୍କୁ କୌଣସି ବ୍ରହ୍ମନିଷ୍ଠ ବ୍ରାହ୍ମଣଙ୍କୁ ଗୁରୁକରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ପରାମର୍ଶ ଦେଲେ। ଦେବତାମାନେ ପଚାରିଲେ, "ଏପରି ବ୍ରାହ୍ମଣ କିଏ ?"
ବ୍ରହ୍ମା କହିଲେ, "ପ୍ରଜାପତି ତ୍ବଷ୍ଟାଙ୍କ ପୁତ୍ର ବିଶ୍ୱରୂପ ବ୍ରହ୍ମନିଷ୍ଠ। ଦେବତାମାନେ ବିଶ୍ଵରୂପଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଗୁରୁହେବା ପାଇଁ ପ୍ରାର୍ଥନା କଲେ। ବିଶ୍ଵରୂପ ଏହା ସ୍ୱୀକାର କରିବା ସହିତ ତାଙ୍କୁ ନାରାୟଣ କବଚ ଦେଲେ ଯାହାଦ୍ୱାରା ଦେବତାମାନେ ପୁଣି ବିଜୟ ହେଲେ। ବିଶ୍ଵରୂପଙ୍କର ଦେବ ଓ ଦାନବଙ୍କ ପ୍ରତି ସମ ଦୃଷ୍ଟି ଥିଲା। ତାଙ୍କର ମାମୁ ଘର ଅସୁର କୁଳର ଥିଲେ। ଏ ଖବର ଜାଣିବା ପରେ ଇନ୍ଦ୍ର ତାଙ୍କ ମୁଣ୍ଡ କାଟିଦେଲେ। ପୁତ୍ର ମୃତ୍ୟୁର ସମ୍ବାଦ ପାଇ ତ୍ବଷ୍ଟା କ୍ରୋଧିତ ହୋଇ ଇନ୍ଦ୍ରକୁ ବଧ କରି ପାରିବା ଭଳି ପୁତ୍ର ପ୍ରାପ୍ତ କରିବାର ଯଜ୍ଞ କଲେ। ସେ ଯଜ୍ଞରେ ଋତ୍ତ୍ୱିଜମାନେ ଆହୂତି ଦେଇ ମନ୍ତ୍ର ଉଚ୍ଚାରଣ କଲେ -

"ଇନ୍ଦ୍ରଶତ୍ରୋ ବିବର୍ଧସ୍ବ, ଇନ୍ଦ୍ରଶତ୍ରୋ ବିବର୍ଧସ୍ବ"

ଏଥିରେ ଭୁଲରେ ଇନ୍ଦ୍ର ଶବ୍ଦକୁ ଉଦ୍ଦାତ୍ତ ସ୍ୱରରେ ଏବଂ ଶତ୍ରୋ ଶବ୍ଦକୁ ଅନୁଦ୍ଦାତ୍ତ ସ୍ୱରରେ କହିଲେ। ପରିଣାମ ସ୍ୱରୂପ ଏହାର ଅର୍ଥ ବଦଳିଗଲା।

ଇନ୍ଦ୍ରଶତ୍ରୋ ଶବ୍ଦରେ ଦୁଇଟି ପଦ ଅଛି। ଗୋଟିଏ ହେଲା ଇନ୍ଦ୍ର ଆଉ ଗୋଟିଏ ହେଲା ଶତ୍ରୁ। ଶତ୍ରୁ ଅର୍ଥ ହେଲା ହତ୍ୟାକାରୀ।

ଯଦି ପ୍ରଥମ ପଦ ଉପରେ ଜୋର୍ ଦିଆଯିବ ତେବେ ଏହାର ଅର୍ଥ ହେବ "ଇନ୍ଦ୍ରଃ ଶତ୍ରୁଃ ଯସ୍ୟ ସଃ" ଅର୍ଥାତ୍  ଇନ୍ଦ୍ର ଯାହାକୁ ହତ୍ୟାକରିବେ, ସେ।

ଯଦି ଶେଷ ପଦରେ ଜୋର୍ ଦିଆଯିବ ତେବେ ତା'ର ଅର୍ଥ ହେବ "ଇନ୍ଦ୍ରସ୍ୟ ଶତ୍ରୁଃ" ଅର୍ଥାତ୍ ଇନ୍ଦ୍ରର ଶତ୍ରୁ ବା ଇନ୍ଦ୍ରର ହତ୍ୟାକାରୀ।

ଋଷି ଯେହେତୁ ପ୍ରଥମ ପଦ ଉପରେ ଜୋର୍ ଦେଇଥିଲେ ତେଣୁ ଏହାର ଅର୍ଥ ବଦଳିଗଲା। ଏଣୁ ଯେଉଁ ପୁତ୍ର ବୃତ୍ରାସୁର ଜନ୍ମ ହେଲା ସେ ଇନ୍ଦ୍ର ହାତରେ ବଧ ହେଲା।

ସେଥିପାଇଁ କୁହାଯାଇଛି ଯେ ଭୁଲ୍ ଉଚ୍ଚାରଣ ସ୍ୱର ସାଧକଙ୍କ ଉପରେ ବଜ୍ର ଭଳି ପ୍ରହାର କରିଥାଏ।

୨୦.୧୦.୧୯

No comments: