Wednesday, 23 October 2019

*ବୈଦିକ ଦେବତା*

ବୈଦିକ ସୂକ୍ତରେ ଅନେକ ଦେବତାଙ୍କର ଵର୍ଣ୍ଣନ ହୋଇଛି। ନିଜଠାରୁ ଉଚ୍ଚତର ଶକ୍ତିର ମାନ୍ୟତା ଏବଂ ତାହାର ଶ୍ରେଷ୍ଠତା ଓ ମହାନତାର ଅନୁଭୂତି କାରଣରୁ ମନୁଷ୍ୟ ହୃଦୟରେ ଉତ୍ପନ୍ନ ଏହି ଶକ୍ତି ବା ଦେବତାଙ୍କ ପ୍ରତି ଶ୍ରଦ୍ଧାର ଅଭିବ୍ୟକ୍ତି ଏହି ସୂକ୍ତରେ ହୋଇଛି। କାଳର ପ୍ରଭାବରେ ଶ୍ରଦ୍ଧାର ଭାବ ତ ନିରନ୍ତର ଅତୁଟ ରହିଛି, ପରନ୍ତୁ ଶ୍ରଦ୍ଧାର ପାତ୍ର ବଦଳି ଚାଲିଛନ୍ତି। ଏଣୁ ଆମେ ଦେଖୁଛୁ ଯେ ସାମ୍ପ୍ରତିକ କାଳରେ ଭଗବାନ ବିଷ୍ଣୁ , ଶିବ, ଶକ୍ତି ଆଦି ରୂପ ସମାଜର ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ହୋଇଛି। ହନୁମାନଙ୍କ ପ୍ରତି ଶ୍ରଦ୍ଧା ବନବାସୀ ଅଞ୍ଚଳ ଠାରୁ ଆରମ୍ଭ କରି ନଗର ପର୍ଯ୍ୟନ୍ତ ସମାନ ରହିଛି। କିନ୍ତୁ ଏହି ସବୁ ଦେବତାଙ୍କ ନାଁ ବୈଦିକ ଯୁଗରେ ପ୍ରଚଳିତ ନ ଥିଲା।  
ସେ ସମୟରେ ପ୍ରଚଳିତ ଶ୍ରଦ୍ଧା କେନ୍ଦ୍ର  ଥିଲେ - ଇନ୍ଦ୍ର, ଯମ, ଅଗ୍ନି, ମାତରିଶ୍ବାନ, ମିତ୍ର ଆଦି ଦେବତା । ବୈଦିକ କାଳରେ ଇନ୍ଦ୍ର ସର୍ବାଧିକ ଲୋକପ୍ରିୟ ଦେବତା ଥିଲେ। ତେଣୁ ତାଙ୍କ ବିଷୟରେ ୨୫୦ ସୂକ୍ତ ଅଛି। ବୈଦିକ ଇନ୍ଦ୍ର ପୌରାଣିକ ଇନ୍ଦ୍ରଙ୍କ ଠାରୁ ଭିନ୍ନ ସ୍ୱରୂପରେ ଦେଖାଯାନ୍ତି। ଅତ୍ୟନ୍ତ ପରାକ୍ରମୀ, ନୀତି ଓ ସଂଯମର ପାଳନକର୍ତ୍ତାରୂପେ ତାଙ୍କର ଛବି ଦେଖିବାକୁ ମିଳେ। ବରୁଣ ବି ବହୁତ ପ୍ରଚଳିତ ଥିିଲେ। ତାଙ୍କ ବିଷୟରେ ପ୍ରାୟତଃ ୨୦୦ ସୂକ୍ତ ରହିଛି। ଦେବତାମାନଙ୍କର ବୈଦ୍ୟ  ଅଶ୍ବିନୀ କୁମାରଙ୍କ ଉପରେ ୬ ଟି ସୂକ୍ତ ଥିବାବେଳେ ବିଷ୍ଣୁଙ୍କ ଉପରେ କେବଳ ୫ ଟି ସୂକ୍ତ  ରହିଛି। ବାହ୍ୟ ଦୃଷ୍ଟିରୁ  ଦେବତାମାନେ ଭିନ୍ନ ଭିନ୍ନ ଜଣାପଡୁଥିଲେ  ମଧ୍ୟ  ବାସ୍ତବରେ ସେମାନେ ଗୋଟିଏ ତତ୍ତ୍ୱର ଅଭିବ୍ୟକ୍ତି  ଅଟନ୍ତି। ଏହି ବିବିଧତାରେ ଏକତାର ମୌଳିକ ସୂତ୍ରର ଅନୁଭୂତି ବେଦ ମନ୍ତ୍ରରେ ହୋଇଥାଏ। ଦୀର୍ଘତମସ୍ ଋଷିଙ୍କ ଦୃୃଷ୍ଟିକୁୁ ଆସିଥିବା ମନ୍ତ୍ର ସମୁଚୟ ଭାରତୀୟ ସଂସ୍କୃତିର ଆଧାର ସ୍ତମ୍ଭ ଅଟେ।

ଇନ୍ଦ୍ରଂ ମିତ୍ରଂ ବରୁଣମଗ୍ନିମାହୁ ରଥୋ ଦିବ୍ୟଃ ସ ସୁପର୍ଣା ଗୁରୁତ୍ମାନ୍ 
ଏକଂ ସଦ୍ ବିପ୍ରା ବହୁଧା ବଦନ୍ତ୍ୟଗ୍ନିଂ ଯମଂ ମାତରିଶ୍ବାନମାହୁଃ
- (ଋଗ୍ ବେଦ - ୧ - ୧୬୪ - ୪୬)

ଅର୍ଥାତ୍ - ଏକ ସତ୍ ବସ୍ତୁ ଯାହାକୁ ଜ୍ଞାନୀ ଲୋକ ଅନେକ ପ୍ରକାର ବର୍ଣ୍ଣନା କରିଥାନ୍ତି। ତାକୁ ହିଁ ସେମାନେ ଇନ୍ଦ୍ର, ମିତ୍ର, ବରୁଣ, ଅଗ୍ନି, ଯମ ଓ ମାତରିଶ୍ବାନ କହନ୍ତି ଓ ତାହା ଦିବ୍ୟ ସମ୍ପୂର୍ଣ୍ଣ ଓ ଗୁରୁତ୍ମାନ୍ ଅଟେ।


୨୪.୧୦.୧୯

No comments: