Tuesday, 22 October 2019

*ବୈଦିକ ମନ୍ତ୍ର ବିକୃତ ନ ହେବାର ରହସ୍ୟ*

ବେଦ ବିଷୟରେ ବିଚାର କଲାବେଳେ ଗୋଟିଏ ତଥ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ ଯେ ଏହା ପ୍ରଚଳିତ ହେବାର ହଜାର ହଜାର ବର୍ଷ ବିତିଯାଇଛି,  କାଳର ପ୍ରବାହରେ ଅନେକ କିଛି ବଦଳି ଯାଇଛି; କିନ୍ତୁ ବେଦ ମନ୍ତ୍ର, ବେଦର ଅକ୍ଷର, ବେଦର ସ୍ୱର ଆଜି ମଧ୍ୟ ସେଇଆ ଅଛି ଯାହା ପ୍ରଥମରେ ଥିଲା।

ସାଧାରଣତଃ ଆମ ଜୀବନରେ ଏପରି ଅନୁଭବ ଆସେ ଯେ ଯଦି ଗୋଟିଏ କଥା ୨୦-୨୫ ଲୋକଙ୍କ ପାଖରେ କ୍ରମଶଃ ପହଞ୍ଚାଇବାକୁ ହୁଏ ତେବେ ପ୍ରଥମ ବ୍ୟକ୍ତିକୁ ବିନାୟକ କୁହାଯାଇଥିଲେ ପଚିଶ ତମ ବ୍ୟକ୍ତି ପାଖରେ ତାହା ବାନର ହୋଇଯାଇଥାଏ। ଯେଉଁମାନେ ମଣ୍ଡଳରେ ବସି ଏଭଳି ଖେଳ ଖେଳିଛନ୍ତି ସେମାନଙ୍କର ଏହି ଅନୁଭବ ଥିବ।

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ହଜାର ହଜାର ବର୍ଷର ବୈଦିକ ମନ୍ତ୍ରରେ କିଛି ବି ପରିବର୍ତ୍ତନ ନ ହୋଇ ଏହା କିପରି ପିଢ଼ି ପରେ ପିଢ଼ି ଆଗକୁ ଗତିକରିବାରେ ସମର୍ଥ ହୋଇଛି ?

ଏହାର ବିଶ୍ଳେଷଣ କଲେ ଧ୍ୟାନକୁ ଆସେ ଯେ ଆମ ପୂର୍ବପୁରୁଷଙ୍କ ଦ୍ଵାରା ଆବିଷ୍କୃତ ବେଦର ବିଶିଷ୍ଟ ପାଠ ପଦ୍ଧତିର ପରିଣାମସ୍ୱରୂପ ଏହା ସମ୍ଭବ ହୋଇଛି। ଏହା ଭିନ୍ନ ଭିନ୍ନ ଋଷି ଓ ପଣ୍ଡିତଙ୍କର ଅବଦାନ ଅଟେ।

ବେଦମନ୍ତ୍ରର ପାଠ ପାଇଁ ଦୁଇ ପ୍ରକାର ପଦ୍ଧତି ଅଛି -

୧. ପ୍ରାକୃତ ପାଠ - ଅର୍ଥାତ୍ ମନ୍ତ୍ର ଯେପରି ଅଛି ସେଥିରେ ଅକ୍ଷରଗୁଡ଼ିକର କ୍ରମ ଯେମିତି ଅଛି, ସେହି କ୍ରମ ଅନୁସାରେ ପଢ଼ିବା ବା ଗାଇବା।
୨. ବିକୃତ ପାଠ - ଋଷିଗଣ ସ୍ୱୟଂ ଅକ୍ଷରଗୁଡ଼ିକର କ୍ରମକୁ ବିକୃତ କରି ସେ ମନ୍ତ୍ରର ଭିନ୍ନ ଭିନ୍ନ ରୂପ ତିଆରି କଲେ। ସେମାନଙ୍କ ଦ୍ବାରା ସେହି କ୍ରମରେ ମନ୍ତ୍ରର ଉଚ୍ଚାରଣକୁ ବିକୃତ ପାଠ କୁହାଯାଏ।

ପ୍ରାକୃତ ପାଠ ତିନି ପ୍ରକାର -
୧. ସଂହିତା ପାଠ - ମନ୍ତ୍ର ଯେପରି ଅଛି ସେପରି ଉଚ୍ଚାରଣ କରିବାକୁ ସଂହିତା ପାଠ କୁହାଯାଏ।
୨. ପଦ ପାଠ - ଶବ୍ଦର ସନ୍ଧିବିଚ୍ଛେଦ କରି ମନ୍ତ୍ର ପଢ଼ିବା ବା ଗାଇବାକୁ ପଦ ପାଠ କୁହାଯାଏ। ଏହାର ଆବିଷ୍କାର ମହା ପଣ୍ଡିତ ରାବଣ କରିଥିଲେ।
୩. କ୍ରମ ପାଠ - ମନ୍ତ୍ରର ଶବ୍ଦ ଗୁଡ଼ିକୁ କ୍ରମ ଦେଇ କ୍ରମଶଃ ପ୍ରଥମ-ଦ୍ଵିତୀୟ, ଦ୍ଵିତୀୟ-ତୃତୀୟ, ତୃତୀୟ-ଚତୁର୍ଥ ଏହିପରି ଉଚ୍ଚାରଣ କରିବାକୁ କ୍ରମ ପାଠ କୁହାଯାଏ। ଏହାର ଆବିଷ୍କାରକ ହେଲେ ବ୍ରାଭବ୍ୟ ଋଷି।

ବିକୃତ ପାଠ ଆଠ ପ୍ରକାର। ପାଠର ପ୍ରକାର ଓ ଋଷିମାନଙ୍କର ନାଁ ହେଲା -
୧. ଜଟା ପାଠ - ମହର୍ଷି ବ୍ୟାଡ଼ି
୨. ମାଳା ପାଠ - ମହର୍ଷି ବଶିଷ୍ଠ
୩. ରେଖା ପାଠ - ମହର୍ଷି ଅଷ୍ଟାଵକ୍ର
୪. ଶିଖା ପାଠ - ମହର୍ଷି ଭୃଗୁ
୫. ଧ୍ଵଜ ପାଠ - ମହର୍ଷି ବିଶ୍ଵାମିତ୍ର
୬. ଦଣ୍ଡ ପାଠ - ମହର୍ଷି ପରାଶର
୭. ରଥ ପାଠ - ମହର୍ଷି କାଶ୍ୟପ
୮. ଘନ ପାଠ - ମହର୍ଷି ଅତ୍ରି

ଏହି ପାଠକୁ ଜାଣିବା ପାଇଁ ଉଦାହରଣ ହିସାବରେ ଗୋଟିଏ ବୈଦିକ ମନ୍ତ୍ରକୁ ନେବାକୁ ପଡ଼ିବ। ତାହାର ବିବିଧ ପାଠ ପଦ୍ଧତିକୁ ବୁଝିବାକୁ ପଡ଼ିବ। ଆମେ ଏଠାରେ ଯଜୁର୍ବେଦର ଚାଳିଶ ଅଧ୍ୟାୟର ପ୍ରଥମ ମନ୍ତ୍ରର ଦ୍ଵିତୀୟ ଧାଡ଼ିକୁ କେମିତି ପାଠ କରାଯାଏ ତାକୁ ଧ୍ୟାନ ଦେବା।

ଏହି ପଦ୍ଧତି ଅନୁସାରେ ପ୍ରଥମେ ମନ୍ତ୍ରର ପଙ୍କ୍ତିରେ ଥିବା ଶବ୍ଦଗୁଡ଼ିକୁ ଅଙ୍କ ଦେଇ ଚିହ୍ନିତ କରିବାକୁ ହୁଏ ଯଦ୍ଦ୍ୱାର କୌଣସି ପାଠରେ ଶବ୍ଦ ଉଚ୍ଚାରଣର କ୍ରମ କ'ଣ ହେବ ତାହା ସ୍ପଷ୍ଟ ହୋଇଯାଏ।

ଆମେ ବାଛିଥିବା ମନ୍ତ୍ରର ପଙ୍କ୍ତି ହେଲା -
ତେନ ତ୍ୟକ୍ତେନ ଭୁଞ୍ଜିଥା। ମା ଗୃଧଃ କସ୍ୟ ସ୍ୱିଦ୍ ଧନମ୍।
୧       ୨       ୩       ୪     ୫
ଏହି ପଙ୍କ୍ତିକୁ ବିବିଧ ପଦ୍ଧତିରେ ବୋଲିଲେ ତାହାର ସ୍ୱରୂପ ନିମ୍ନ ପ୍ରକାର ହେବ।

ସଂହିତା ପାଠ - ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ
ପଦ ପାଠ -  ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ
କ୍ରମ ପାଠ - ଏହାର ଶବ୍ଦ କ୍ରମ ରହିବ ୧-୨/ ୨-୩/ ୩-୪/ ୪-୫/

ଏଣୁ କ୍ରମପାଠୀ ଏହି ମନ୍ତ୍ରକୁ ଏପରି ପଢ଼ିବ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା,  ଭୁଞ୍ଜିଥା ମା, ମା ଗୃଧଃ। ଏହିପରି ଯିଏ ବେଦକୁ ମନେ ରଖେ ତାକୁ କ୍ରମପାଠୀ କହନ୍ତି।

ବିକୃତ ପାଠ - ଆଠ ପ୍ରକାର ବିକୃତ ପାଠ ପାଇଁ ପ୍ରତ୍ୟେକଙ୍କର ଜଟିଳ ପଦ୍ଧତି ରହିଛି। ତା ଭିତରୁ ତିନିଟି ପଦ୍ଧତି ଜଟା, ଶିଖା ତଥା ଘନ ପାଠର ନମୁନା ନିମ୍ନରେ ଦିଆ ଯାଇଛି।

ଜଟା ପାଠ - ବେଦ ମନ୍ତ୍ରର ଜଟା ପାଠର କ୍ରମ ହେଉଛି - ୧-୨, ୨-୧, ୧-୨/ ୨-୩, ୩-୨, ୨-୩/ ୩-୪, ୪-୩, ୩-୪/ ୪-୫, ୫-୪, ୪-୫/ ଏଣୁ ଜଟା ପାଠରେ ଉକ୍ତ ମନ୍ତ୍ରକୁ ବୋଲାଯାଏ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା,  ଭୁଞ୍ଜିଥା ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା, ଭୁଞ୍ଜିଥା ମା, ମା ଭୁଞ୍ଜିଥା, ଭୁଞ୍ଜିଥା ମା, ମା ଗୃଧଃ, ଗୃଧଃ ମା, ମା ଗୃଧଃ - ଏହିଭଳି ବେଦ ମନ୍ତ୍ରକୁ ପାଠ କରୁଥିବା ଲୋକଙ୍କୁ ଜଟାପାଠୀ କହନ୍ତି।

ଶିଖା ପାଠ - ଏହାର ଶବ୍ଦ କ୍ରମ ହେଲା -
୧-୨, ୨-୧, ୧-୨, ୩/ ୨-୩, ୩-୨, ୨-୩, ୪/ ୩-୪, ୪-୩, ୩-୪, ୫/
ଏଣୁ ଶିଖା ପାଠରେ ସେହି ମନ୍ତ୍ରକୁ ପଢ଼ାଯାଏ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ, ଭୁଞ୍ଜିଥା, ତ୍ୟକ୍ତେନ ଭୁଞ୍ଜିଥା,  ଭୁଞ୍ଜିଥା ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା, ମା, ଭୁଞ୍ଜିଥା ମା, ମା ଭୁଞ୍ଜିଥା, ଭୁଞ୍ଜିଥା ମା, ଗୃଧଃ -
ଏହିପରି ଯେଉଁମାନେ ବେଦ ମନ୍ତ୍ରଙ୍କୁ ପାଠକରନ୍ତି ସେମାନଙ୍କୁ ଶିଖା ପାଠୀ କୁହାଯାଏ।

ଘନ ପାଠ - ଏହା ସର୍ବାଧିକ କ୍ଳିଷ୍ଟ ଅଟେ। ତଥାପି ଏବେ ମଧ୍ୟ କିଛି ଘନ ପାଠୀ ପଣ୍ଡିତ ଅଛନ୍ତି।

ଏହାର ଶବ୍ଦ କ୍ରମ ହେଲା -
୧-୨, ୨-୧, ୧-୨, ୩, ୩-୨-୧, ୧-୨-୩/ ୨-୩, ୩-୨, ୨-୩, ୪, ୪-୩-୨, ୨-୩-୪/
ଏଣୁ ଘନ ପାଠୀ ଏହି ମନ୍ତ୍ରକୁ ଉଚ୍ଚାରଣ କରିବେ -
ତେନ ତ୍ୟକ୍ତେନ, ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ, ଭୁଞ୍ଜିଥା,  ଭୁଞ୍ଜିଥା ତ୍ୟକ୍ତେନ ତେନ, ତେନ ତ୍ୟକ୍ତେନ ଭୁଞ୍ଜିଥା-ତ୍ୟକ୍ତେନ ଭୁଞ୍ଜିଥା, ଭୁଞ୍ଜିଥା ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା ମା, ମା ଭୁଞ୍ଜିଥା-ତ୍ୟକ୍ତେନ, ତ୍ୟକ୍ତେନ ଭୁଞ୍ଜିଥା ମା -
ଏହିପରି ସମ୍ପୂର୍ଣ୍ଣ ବେଦକୁ ଯେଉଁମାନେ କଣ୍ଠସ୍ଥ କରିଥାନ୍ତି ସେମାନଙ୍କୁ ଘନପାଠୀ କୁହାଯାଏ।

ବେଦ ମନ୍ତ୍ରରାଶିକୁ କାଳର ପ୍ରବାହରେ ଅବିକୃତ ରଖି ପିଢ଼ି ପରେ ପିଢ଼ି ପ୍ରବାହିତ କରିବାରେ ଏହିପରି ପାଠ କରିବାର ପଦ୍ଧତିର ଅବଦାନ ଅତୁଳନୀୟ।

୨୨.୧୦.୧୯

No comments: