ଯେତେବେଳେ ହିନ୍ଦୁତ୍ୱ ଶବ୍ଦର ପ୍ରୟୋଗ କରାଯାଏ ସ୍ୱାଭାବିକ ଭାବେ ମନରେ ପ୍ରଶ୍ନ ଆସେ ଯେ ଏହାର ଅର୍ଥ କ'ଣ ? କାରଣ ଆମେ ଏପରି କିଛି ଶବ୍ଦ ଶୁଣିଥାଆନ୍ତି ଯାହା ସହିତ ହିନ୍ଦୁ ଯୋଡ଼ି ହୋଇଥାଏ। ଯେପରି ହିନ୍ଦୁ ଦର୍ଶନ, ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ସଭ୍ୟତା। ହିନ୍ଦୁତ୍ୱକୁ ବୁଝିବା ଅର୍ଥ ହେଲା ଏହାର ଦର୍ଶନ, ଧର୍ମ, ସଂସ୍କୃତି ଓ ସଭ୍ୟତାକୁ ବୁଝିବା। ତେବେ ପୁଣି ପ୍ରଶ୍ନ ଆସୁଛି ଯେ ଏହି ଚାରିଟି ବିଷୟର ପରସ୍ପର ସହ କିଛି ସମ୍ବନ୍ଧ ଅଛି କି ? ଏହାକୁ ଆମେ ଏକ ଉଦାହରଣ ଦ୍ୱାରା ବୁଝିପାରିବା। ଯେପରି ଆମେ ସମସ୍ତେ ମନୁଷ୍ୟ, ପରନ୍ତୁ ଆମର ବିଶ୍ୱାସ ଯେ ମନୁଷ୍ୟ ବାହ୍ୟ ରୂପରେ ଦେଖାଯାଉ ଥିବା ଗୋଟିଏ ଶରୀର ମାତ୍ର ନୁହେଁ, ଏହା ଭିତରେ ଅନେକ କିଛି ସତ୍ତା ରହିଛି। ସ୍ଥୂଳରୁ ସୂକ୍ଷ୍ମ ରୂପର ଏହି ସତ୍ତାଗୁଡ଼ିକର ବିବେଚନା ଭଗବାନ ଶ୍ରୀକୃଷ୍ଣ ଗୀତାର ନିମ୍ନ ଶ୍ଳୋକରେ କରିଛନ୍ତି -
ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ
ମନସସ୍ତୁ ପରା ବୁଦ୍ଧିର୍ୟୋ ବୁଦ୍ଧେଃ ପରତସ୍ତୁ ସଃ।।(ଅଧ୍ୟାୟ ୩, ଶ୍ଳୋକ ୪୨)
ଇନ୍ଦ୍ରିୟଗୁଡ଼ିକୁ ନେଇ ଶରୀର, ଶରୀରର ଊର୍ଦ୍ଧ୍ବରେ ମନ, ମନର ଊର୍ଦ୍ଧ୍ବରେ ବୁଦ୍ଧି ଓ ବୁଦ୍ଧିର ଊର୍ଦ୍ଧ୍ବରେ ଯିଏ ରହିଛି ତାହା ହେଲା ଆତ୍ମା। ଆତ୍ମା ଯେବେ ନିଜକୁ ଅଭିବ୍ୟକ୍ତ କରେ, ତାହାର ପ୍ରଥମ ଚରଣ ହୋଇଥାଏ ବୁଦ୍ଧି ଅର୍ଥାତ୍ ବିଚାରଶକ୍ତି, ଏହି ଶକ୍ତି ଦ୍ୱାରା ଜଗତକୁ ବିଶ୍ଳେଷଣ କରାଯାଇଥାଏ। ବିଚାର ଶକ୍ତିଦ୍ୱାରା ଆମେ ସୃଷ୍ଟିରେ ବ୍ୟାପ୍ତ ନିୟମଗୁଡ଼ିକ ବିଷୟରେ ଜ୍ଞାନ ପ୍ରାପ୍ତ କରନ୍ତି। ବ୍ୟକ୍ତି ଓ ସମାଜର ବ୍ୟବହାର ଉପଯୋଗୀ ନିୟମ ତିଆରି କରନ୍ତି। ଏହିସବୁ ନିୟମର ଆଧାରରେ ଆମେ ସ୍ଥିର କରନ୍ତି ଯେ କ'ଣ କରିବା ଉଚିତ, କ'ଣ ନ କରିବା ଉଚିତ। ଏହି ନିୟମ ଅନୁସାରେ ଚାଲିବା ଦ୍ଵାରା ବ୍ୟକ୍ତିର ମନ ସଂସ୍କାରିତ ହୋଇଥାଏ। ଏହାକୁ ସେ ବେଶଭୁଷା, ଭାଷା ଏବଂ ବ୍ୟବହାରରେ ଅଭିବ୍ୟକ୍ତ କରିଥାଏ। ତେଣୁ ମୂଳ ହେଲା ଆତ୍ମା, ଆତ୍ମାରୁ ବୁଦ୍ଧି, ସେଥିରୁ ଉତ୍ପନ୍ନ ହୋଇଥିବା ନିୟମ ବିଷୟରେ ଜ୍ଞାନ ତଥା ତାକୁ ପାଳନ କରୁଥିବା ମନ ଓ ତାହାର ବାହ୍ୟ ଅଭିବ୍ୟକ୍ତି ହେଲା ଶରୀର; ଏହିପରି ହୋଇଥାଏ ଆତ୍ମାର ଅଭିବ୍ୟକ୍ତି।
ବ୍ୟକ୍ତିର ଯେମିତି ଆତ୍ମା ଅଛି, ଠିକ୍ ସେହିପରି ଆମ ଦେଶର ଗୋଟିଏ ଆତ୍ମା ଅଛି, ଯାହାକୁ ଆମେ ହିନ୍ଦୁତ୍ୱ ନାମରେ ଜାଣିଛୁ। ଏହି ହିନ୍ଦୁତ୍ୱର ଅଭିବ୍ୟକ୍ତି ଆମର ବୈଶ୍ବିକ ବିଚାର ରୂପେ ହୋଇଛି, ତତ୍ତ୍ୱଜ୍ଞାନ ରୂପେ ହୋଇଛି, ତାକୁ ଆମେ ହିନ୍ଦୁ ଦର୍ଶନ କହୁଛୁ। ଏଥିରେ ଅନୁଭବ ହେଲା ଯେ ସବୁରି ମୂଳରେ ଗୋଟିଏ ତତ୍ତ୍ୱ ରହିଛି। ଯାହା କିଛି ଆମେ ଦେଖୁଁ, ସେ ସବୁ ଭିତରେ ଏକ ସତ୍ତା ବିଦ୍ୟମାନ। ତେବେ ପ୍ରଶ୍ନ ଉଠେ ଯଦି ସମସ୍ତଙ୍କ ଭିତରେ ଏକ ସତ୍ତା ରହିଛି, ତାହେଲେ ପରସ୍ପର ମଧ୍ୟରେ ସଂଘର୍ଷ କାହିଁକି ? ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରହୁ ନାହିଁ କାହିଁକି ? ସଙ୍ଘର୍ଷ ପାଇଁ ତ ଦୁଇଟି ଭିନ୍ନ ସତ୍ତାର ପ୍ରୟୋଜନ ହୋଇଥାଏ।
ଏ ସାରା ଚରାଚର ଜୀଵଜଗତ ଏକ ଅଟେ, କିନ୍ତୁ ବ୍ୟାବହାରିକ ଜୀବନରେ ଆମକୁ ଏହାର ଭିନ୍ନ ଭିନ୍ନ ସ୍ୱରୂପ ଦେଖାଯାଏ। ଯଥା - ବ୍ୟକ୍ତି, ସମାଜ, ସୃଷ୍ଟି, ପରମାତ୍ମା। ଏହା ସବୁ ଯଦି ଏକ, ତେବେ ଏମାନଙ୍କ ମଧ୍ୟରେ ସଂଘର୍ଷ ହେବା ଉଚିତ ନୁହେଁ, ଏଥିପାଇଁ କିଛି ନିୟମ ତିଆରି ହେଲା, ଯାହା ଦ୍ୱାରା ଭିନ୍ନ ଦେଖାଯାଉଥିବା ସତ୍ତା ମାନଙ୍କ ମଧ୍ୟରେ ସମନ୍ୱୟ ରହିପାରିବ। ଏହି ନିୟମ ସମୂହକୁ ଧର୍ମ କୁହାଗଲା। ଏହାକୁ ସନାତନ କୁହାଗଲା, କାରଣ ଏହି ନିୟମ ସର୍ବକାଳିକ ତଥା ସମସ୍ତଙ୍କ ପାଇଁ ଉପଯୋଗୀ। ବିଭିନ୍ନ ସତ୍ତାର ପାରସ୍ପରିକ ସମ୍ବନ୍ଧକୁ ନିୟନ୍ତ୍ରିତ ତଥା ନିୟମିତ କରୁଥିବା ନିୟମ ସମୂହର ଭିନ୍ନ ଭିନ୍ନ ନାଁ ରହିଛି। ଯେପରି ବ୍ୟକ୍ତି ଓ ସମାଜ ମଧ୍ୟରେ ଥିବା ସମ୍ବନ୍ଧ ଗୁଡ଼ିକୁ କର୍ତ୍ତବ୍ୟ-ଧର୍ମ କୁହାଯାଇଛି, ବ୍ୟକ୍ତି ଓ ପ୍ରକୃତି ମଧ୍ୟରେ ଥିବା ସମ୍ବନ୍ଧକୁ ଆଚାର-ଧର୍ମ, ସମାଜ ଓ ପ୍ରକୃତି ମଧ୍ୟରେ ଥିବା ସମ୍ବନ୍ଧକୁ ସୃଷ୍ଟି-ଧର୍ମ ତଥା ବ୍ୟକ୍ତି ଓ ପରମାତ୍ମାଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ମୋକ୍ଷ-ଧର୍ମ କୁହାଯାଇଛି। ଏହି ନିୟମ ସମୂହ ଅନୁସାରେ ବ୍ୟକ୍ତି, ସମାଜ ଚାଲିବା ଦ୍ୱାରା ଧୀରେ ଧୀରେ କିଛି ପରମ୍ପରା ବିକଶିତ ହେଲା। ଯେପରି ପ୍ରକୃତି ପ୍ରତି ତା'ର ଦୃଷ୍ଟି, ସ୍ତ୍ରୀଙ୍କ ପ୍ରତି ଦୃଷ୍ଟି, ଅନ୍ୟର ଧନ ପ୍ରତି ଦୃଷ୍ଟି, ପଶୁ, ପକ୍ଷୀ, କୀଟ, ପତଙ୍ଗ ପ୍ରତି ଦୃଷ୍ଟି। ପୁଣି ଏହି ଦୃଷ୍ଟିକୋଣ ଓ ପରମ୍ପରା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ହସ୍ତାନ୍ତରିତ ହୋଇଥାଏ।
ଏଣୁ ସଂସ୍କୃତିକୁ ପରିଭାଷିତ କରିବାକୁ ଯାଇ ୟୁନେସ୍କୋ ପ୍ରଣୀତ ଗ୍ରନ୍ଥ "ଟ୍ରେଡ଼ିସନାଲ କଲଚରସ୍ ଇନ୍ ସାଉଥ-ଇଷ୍ଟ ଏସିଆ" ରେ କୁହାଯାଇଛି ସଂସ୍କୃତିର ଅର୍ଥ ହେଲା କୌଣସି ସମାଜର ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହେଉଥିବା ଜଡ଼-ପଦାର୍ଥ, କଳ୍ପନା ସମୂହ, ପ୍ରତୀକ, ମତ, ମୂଲ୍ୟବୋଧ, ଭାବ ସମୂହ ଓ ସାମାଜିକ ଶୈଳୀର ଗଚ୍ଛିତ ସମ୍ପଦ।
ମନୁଷ୍ୟ ଦୃଷ୍ଟିରୁ -
ଆତ୍ମା - ବୁଦ୍ଧି - ନିୟମ - ମନ - ଶରୀର
ଦେଶ ଦୃଷ୍ଟିରୁ -
ହିନ୍ଦୁତ୍ୱ - ଦର୍ଶନ - ଧର୍ମ - ସଂସ୍କୃତି - ସଭ୍ୟତା
ବିଚାର ଅନୁଭୂତିର ଅସରନ୍ତି ଯାତ୍ରା -
ତତ୍ତ୍ୱଜ୍ଞାନ କ୍ଷେତ୍ରରେ ଅନ୍ୱେଷଣର ଏକ ଦୀର୍ଘକାଳୀନ ପରମ୍ପରା ଆମ ଦେଶରେ ରହିଛି। ଆମ ଦେଶର ସହସ୍ର ସହସ୍ର ଋଷି, ମୁନି, ସିଦ୍ଧ ପୁରୁଷ, ମହର୍ଷି ଓ ସାଧକ ନିଜର ସମଗ୍ର ଜୀବନ କେବଳ ବୋଦ୍ଧିକ ତାତ୍ତ୍ଵିକ ବିଶ୍ଳେଷଣ ନୁହଁ ବରଂ ବିଭିନ୍ନ ସାଧନା ପଦ୍ଧତି ଦ୍ୱାରା ଅନୁଭୂତିର ଗଭୀରତା ଭିତରୁ ଅନେକ ତଥ୍ୟ ଉଦ୍ଘାଟନ କରିଛନ୍ତି। ଏହିପରି କେଉଁ ଅନାଦି କାଳରୁ ଆମ ଦର୍ଶନର, ତତ୍ତ୍ୱଜ୍ଞାନର ଯାତ୍ରା ଚାଲିଆସିଛି। ଏହି ଦୀର୍ଘକାଳୀନ ଯାତ୍ରା ସମ୍ବନ୍ଧରେ ଆମେ ଯେତେବେଳେ ଅଵଲୋକନ କରନ୍ତି ଆମ ଧ୍ୟାନକୁ ଆସେ ଯେ ସତ୍ୟର, ଅନ୍ତିମ ସତ୍ୟର ଏହି ଯାତ୍ରା ସମ୍ପୂର୍ଣ୍ଣ ବସ୍ତୁନିଷ୍ଠ ଥିଲା, ଅନାସକ୍ତ ଥିଲା। ଏହାର କୌଣସି ଆସ୍ଥା ପ୍ରତି ନା ଥିଲା ଆକର୍ଷଣ ନା ଅନାଗ୍ରହ।
ଏହି ଯାତ୍ରାରେ ବିଚାର ଓ ଅନୁଭୂତିର ପ୍ରବାହ ଅନ୍ତିମ ସତ୍ୟର ଅନ୍ବେଷଣର ଲାଳସାରେ ବ୍ୟକ୍ତିଗତ ଅଭିମତ ଓ ପୂର୍ବାଗ୍ରହ ବିନା ନିରନ୍ତର ଉଚ୍ଚ ଓ ଉଚ୍ଚତ୍ତର ସତ୍ୟ ଆଡ଼କୁ ବଢ଼ି ଚାଲିଲା। ଏହି ଯାତ୍ରାରେ ଅନ୍ତର୍ଜଗତର ବିଶ୍ଳେଷଣ କରାଗଲା। ସେହି ବିଶ୍ଳେଷଣରୁ ପ୍ରାପ୍ତ ନିଷ୍କର୍ଷର ବର୍ଗିକରଣ କରି ତାକୁ ବିଭିନ୍ନ ସିଦ୍ଧାନ୍ତ ରୂପେ ସମାଜ ସମ୍ମୁଖରେ ପ୍ରସ୍ତୁତ କରାଗଲା। ସମାଜ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ସିଦ୍ଧାନ୍ତ ଗୁଡ଼ିକ ମଧ୍ୟ ଅନେକ ସମୟରେ ବିରୋଧର ସମ୍ମୁଖୀନ ହେଲା। ସେଥିରେ ଥିବା ନିହିତ ସତ୍ୟଗୁଡ଼ିକୁ ଅନୁଭୂତି ଆଧାରରେ ପରୀକ୍ଷା ନିରୀକ୍ଷା କରି ବିନା ଭୟରେ ସ୍ୱୀକାର ବା ଅସ୍ବୀକାର କରାଗଲା।
ଏହି ଯାତ୍ରାରେ ଦୀର୍ଘ କାଳରୁ ଚାଲି ଆସିଥିବା ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧାକେନ୍ଦ୍ର ଗୁଡ଼ିକ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛି। କେତବେଳେ ଏହା ଉପହାସିତ ହୋଇଛି ତ ଆଉ କେତବେଳେ ସାମାନ୍ୟ ଦୁଃଖ ନ କରି ଏହା ଉପରୁ ଆସ୍ଥା ତୁଟାଇ ଦିଆଯାଇଛି। ଏହିପରି ସତ୍ୟର ଅନୁଭୂତି ଦ୍ୱାରା ପରୀକ୍ଷିତ ହୋଇ ବିଭିନ୍ନ ମାନ୍ୟତା, ଶ୍ରଦ୍ଧା କେନ୍ଦ୍ର ତଥା ଅନୁଭୂତି ସବୁକୁ ସ୍ୱୀକାର ବା ଅସ୍ବୀକାର କରି ଆଗକୁ ଆଗକୁ ପାଦ ଥାପିଥିବା ତତ୍ତ୍ୱଜ୍ଞାନର ଏହି ଅସରନ୍ତି ଯାତ୍ରାର ଅଜସ୍ର ପ୍ରବାହରୁ ଏକ ସର୍ବସମାବେଶକ, ସର୍ବକାଳିକ ବା ସାର୍ବଭୌମିକ ତତ୍ତ୍ୱଜ୍ଞାନର ଅଭିବ୍ୟକ୍ତି ହେଲା ଯାହା ସମଗ୍ର ବିଶ୍ୱ ପାଇଁ ନା କେବଳ ଅତୀତରେ ମାର୍ଗଦର୍ଶକ ଥିଲା ଅପିତୁ ଆଜି ଏବଂ ଭବିଷ୍ୟତରେ ମଧ୍ୟ ସେତିକି ପ୍ରାସଙ୍ଗିକ ରହିବ।
ଧର୍ମ - ସଂସ୍କୃତି - ସଭ୍ୟତାର ପ୍ରବାହ -
ତତ୍ତ୍ୱଜ୍ଞାନ ଓ ଅନୁଭୂତିର ଦୀର୍ଘକାଳୀନ ଯାତ୍ରା ହିନ୍ଦୁ ଦର୍ଶନ ରୂପେ ଅଭିବ୍ୟକ୍ତ ହେଲା। ଅର୍ଥାତ୍ ସେହି ଏକ ତତ୍ତ୍ୱ ହିଁ ଅନେକ ରୂପରେ ଅଭିବ୍ୟକ୍ତ ହୋଇଛି। ତାହାର ବିଭିନ୍ନ ରୂପ ତଥା ସେଥିରେ ସାମଞ୍ଜସ୍ୟ ହେତୁ ତିଆରି ହୋଇଥିବା ନିୟମ ସମୂହ ଓ ତାହାର ବିଭିନ୍ନ କାଳରେ ଓ ବିଭିନ୍ନ ସ୍ତରରେ କ୍ରିୟାନ୍ଵୟନ ହେଉଛି ହିନ୍ଦୁ ଧର୍ମ। ଏହାକୁ ନିରନ୍ତର ପାଳନ କରି ଆସୁଥିବା ସମାଜର ଏକ ଦୃଷ୍ଟି , ମାନ୍ୟତା, ସଂସ୍କାର, ପରମ୍ପରା ତିଆରି ହେଲା, ତାହା ହିନ୍ଦୁ ସଂସ୍କୃତି ରୂପେ ଅଭିବ୍ୟକ୍ତ ହେଲା। ସେହି ସଂସ୍କୃତିର ପ୍ରଭାବ ସମାଜ ଜୀବନର ଖାଦ୍ୟ ପେୟ, ବେଶଭୁଷା, ସ୍ଥାପତ୍ୟ, କଳାକୌଶଳ ଉପରେ ପଡ଼ିଲା। ଏହାକୁ ହିଁ ହିନ୍ଦୁ ସଭ୍ୟତା କହନ୍ତି।
ଏହା ହେଉଛି ସତ୍ୟ ଦ୍ୱାରା ପରୀକ୍ଷିତ ହୋଇଥିବା ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ସଭ୍ୟତାର ଦୀର୍ଘ କାଳୀନ ଯାତ୍ରାର କାହାଣୀ।
୨.୧୦.୧୯

1 comment:
ସତ୍ୟ ର ସୁନ୍ଦର ଅନୁଶୀଳନ ଓ ବିଶ୍ଳେଷଣ ପାଇଁ ଅଶେଷ ଅଶେଷ ଧନ୍ୟବାଦ । ବ୍ୟକ୍ତି,ସମାଜ,ଧର୍ମ,ସଂସ୍କୃତି ର ବିକାଶ ଏବଂ ପ୍ରକାଶ ଯାତ୍ରା ସୁସଂହତ ହେଉ ।ସତ୍ୟମେବ ଜୟତେ ।
Post a Comment