*ସମାଜ ବୃକ୍ଷ ଜୀବନରସରେ ଭରିଯାଉ*
ରାମରାଜ୍ୟ ସ୍ଥାପନା କରିବା ବା ବୈଭବଶାଳୀ ଭାରତବର୍ଷ ନିର୍ମାଣ କରିବା ପାଇଁ ଆମକୁ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ ? ଏହାର ଢାଞ୍ଚା କିପରି ହେବ ? ଏହାର ବ୍ୟବସ୍ଥା କିପରି ହେବ ? ବଡ଼ ବଡ଼ ବୁଦ୍ଧିମାନ ଲୋକ, ବିଦ୍ୱାନ ଲୋକ ବସି ଆର୍ଥିକ କ୍ଷେତ୍ର, ସ୍ୱାସ୍ଥ୍ୟ କ୍ଷେତ୍ର, ଶିକ୍ଷା କ୍ଷେତ୍ର ଆଦି କିପରି ହେବ ସେ ଦିଗରେ ଚିନ୍ତା କରୁଛନ୍ତି। ବୁଦ୍ଧିଜୀବୀମାନଙ୍କର ରାଷ୍ଟ୍ରୀୟ ସମାବେଶ ବି ବହୁତ ହେଉଛି। ଏ ସବୁ ତ ଚାଲିବ। କିନ୍ତୁ ଆମେ ବ୍ୟକ୍ତିଗତ ସ୍ତରରେ କ'ଣ କରିପାରିବା ? ସବୁ ବିଷୟର ମୂଳକୁ ଆମକୁ ଯିବାକୁ ପଡ଼ିବ। କାରଣ ଗୋଟିଏ ଦେଶର ସମୃଦ୍ଧି ସେ ଦେଶରେ ଥିବା ସାଧାରଣ ଲୋକର ଇଚ୍ଛା ଆକାଂକ୍ଷା ଉପରେ ନିର୍ଭରଶୀଳ। ଆମର ସ୍ୱାଧୀନୋତ୍ତର ଭାରତର ଇତିହାସ କ'ଣ ? ଆମେ ପରାଧୀନତାକୁ ବିଦାୟ ଦେବା ନାଁ ରେ କିଛି ମୁଷ୍ଟିମେୟ ଇଂରେଜଙ୍କୁ ବିଦାୟ ଦେଲୁ, କିନ୍ତୁ ତାଙ୍କରି ପର ତନ୍ତ୍ରକୁ ସେମିତି ଯଥାବତ୍ ରଖିଲୁ। ସେମାନଙ୍କ ବିଭେଦ ନୀତିକୁ ମାନି ନେଲୁ। 'ସ୍ୱ'ର ସ୍ଥାପନା କୌଣସି କ୍ଷେତ୍ରରେ କଲୁ ନାହିଁ। ପରିଣାମ ସ୍ୱରୂପ ଆମର ରାଷ୍ଟ୍ର ଜୀବନରୂପୀ ବୃକ୍ଷର ଶାଖା ପ୍ରଶାଖା ସବୁ ଶୁଷ୍କ ହୋଇଗଲା। ଦିନେ ଏଇ ଭୂମିରେ ହିନ୍ଦୁ ଜୀବନ ବୃକ୍ଷ ଜୀବନରସରେ ଭରି ଯାଇଥିଲା। ଏହା ଶୁଦ୍ଧ ପୂତ ଫଳ ଫୁଲ ଦେବାକୁ ସମର୍ଥ ହେଉଥିଲା। ଆଜି ଫଳ ଫୁଲ ତ ଛାଡ଼ ଏହାର ଡାଳରେ ପତ୍ର ଆଉ କଅଁଳୁ ନାହିଁ। ଏହା ଦିନକୁ ଦିନ ଶୁଷ୍କ ହେବାରେ ଲାଗିଛି। ଏହା ଉପରେ ନିର୍ମୂଳୀ ଲତା ଭଳି ଅନେକ ପରାବଲମ୍ବୀ ବୃକ୍ଷ ଏହାକୁ ବେଢ଼ି ଯାଇ ଏହାର ଗତିକୁ କେବଳ ଅଟକାଇ ନାହାନ୍ତି ବରଂ ଏହାର ଜୀବନରସକୁ ଶୋଷି ଚାଲିଛନ୍ତି। ଏହି ପରିସ୍ଥିତିରେ ଆମର କାମ କ'ଣ ହେବା ଉଚିତ ? ବୃକ୍ଷ ବିଜ୍ଞାନ କହୁଛି ଗୋଟିଏ ବୃକ୍ଷ ସେତେବେଳେ ବଞ୍ଚିବ ଯେତେବେଳେ ତା ଉପରେ ବଢୁଥିବା ସବୁ ପରଜୀବୀ ବୃକ୍ଷକୁ ଉପାଡ଼ି ଫୋପାଡ଼ି ଦିଆଯିବ ଏବଂ ତାହାର ମୂଳରେ ପାଣି ଓ ଜୀବସାର ଦିଆଯିବ। ମୂଳରେ ଯଦି ପୋକ ଲାଗିଥାନ୍ତି ତେବେ ତାକୁ ମଧ୍ୟ କୀଟ ନାଶକ ଦ୍ୱାରା ସଫା କରିବାକୁ ହେବ। ବୃକ୍ଷ ଯଦି ଥରେ ଜୀବନରସ ଗ୍ରହଣ କରିବା ଆରମ୍ଭ କରିଦିଏ ତେବେ ତା ଦେହରେ ସବୁ ବ୍ୟବସ୍ଥା ଆପଣାଛାଏଁ ସୃଷ୍ଟି ହୁଏ। ନୂଆ ନୂଆ ଶାଖା ତା ଦେହରୁ ବାହାରନ୍ତି। ନୂଆ ନୂଆ ପତ୍ର, ଫୁଲ ଓ ଫଳରେ ସେ ଗଛ ଭର୍ତ୍ତି ହୋଇଯାଏ। ପୂର୍ବରୁ ତା'ର ଯେଉଁ ସୁନ୍ଦରତା ଥାଏ ତା ଠାରୁ ବହୁତ ଅଧିକ ସୁନ୍ଦର ହୃଷ୍ଟପୁଷ୍ଟ ହୋଇ ସେ ଠିଆ ହୋଇଯାଏ। ଅର୍ଥାତ୍ ତା ଶରୀର ପାଇଁ ଆବଶ୍ୟକ ଥିବା ବିବିଧ ପ୍ରକାରର ବ୍ୟବସ୍ଥା ସେ ସ୍ୱତଃ ସୃଷ୍ଟି କରିବାକୁ ସମର୍ଥ ହୁଏ। ଏ ସବୁ ତା ଦେହରେ ସହଜ ଭାବରେ ବିକଶିତ ହୁଏ।
ସେହିପରି ଆମର ଏହି ସନାତନ ରାଷ୍ଟ୍ର କଥା ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ହେବ। ଆମ ରାଷ୍ଟ୍ରର ମୂଳ କେମିତି ଅଛି ? ଏହାକୁ କେଉଁ କୀଟ ଦଂଶନ କରୁଛି ? ଏପରି ଚିନ୍ତା କରୁଥିବା ସାଧାରଣ ଲୋକ, ତପସ୍ୱୀ, ସାଧକଙ୍କ ଆବଶ୍ୟକ। ଏଥିପାଇଁ ବହୁ ତ୍ୟାଗ ତପସ୍ୟା କରିବାକୁ ହେବ। ଭାରତର ଅମର ପରମ୍ପରା ଯାହା ଆଜି ବଞ୍ଚି ରହିଛି, ତା ମୂଳରେ ଅଛି ତ୍ୟାଗ ଓ ତପସ୍ୟା। ଆମର ଧର୍ମ ସଂସ୍କାର ଆଜିଯାଏ ବଞ୍ଚି ରହିଛି, କେଉଁଥି ପାଇଁ ? ଏହାର ଆଧାର କ'ଣ ? ଏହା କେବଳ ମାତ୍ର କିଛି ଲୋକଙ୍କ ବ୍ୟବସ୍ଥା କାରଣରୁ ନୁହେଁ ବରଂ ଆମର ମୂଳ ହିନ୍ଦୁ ଦର୍ଶନ ଆଧାରରେ ଜୀବନ ଜିଉଁ ଥିବା, ନିଜ ଜୀବନରେ କୌଣସି ପ୍ରକାର ସ୍ୱାର୍ଥ ରଖି ନ ଥିବା, କେବଳ ସମାଜ ପାଇଁ ଚନ୍ତା କରୁଥିବା, ସମାଜ ପାଇଁ ଜୀବନ ଦେବାରେ ନିଜକୁ ଧନ୍ୟ ମାନୁଥିବା, ସମାଜ ପାଇଁ ସବୁ କଷ୍ଟକୁ ଚୁପଚାପ ସହି ଯାଉଥିବା, ଚନ୍ଦନ ଭଳି ଘୋରୀ ହୋଇ, ନିଜକୁ ଜଳାଇ, ସର୍ବତ୍ର ସୁଗନ୍ଧ ଭରିଦେଉଥିବା କର୍ମଠ, ତପସ୍ୱୀ, ସାଧକ, ସମାଜସେବୀଙ୍କ ଦ୍ୱାରା ହିଁ ତିଷ୍ଠି ରହିଛି। ଏହିପରି ଜୀବନବ୍ରତୀ ମାନଙ୍କ ଦ୍ୱାରା ହିଁ ସମାଜବୃକ୍ଷ ଜୀବନରସ ପାଇ ସମୃଦ୍ଧ ଓ ବଳଶାଳୀ ହେବ।

No comments:
Post a Comment