କାଳ ମାନେ ସମୟ। ଏହା ଭାରତୀୟ ମାନଙ୍କର ଅତି ପ୍ରିୟ ବିଷୟ। ବେଦକାଳରୁ ଭାରତୀୟମାନେ ଏହି ବିଷୟରେ ଚିନ୍ତନ କରି ଆସିଛନ୍ତି। ଋଗ୍ ବେଦର ନାସଦୀୟ ସୂକ୍ତରେ ଦିନ ରାତି ନ ଥିବା କଥାର ମଧ୍ୟ ବର୍ଣ୍ଣନ ହୋଇଛି। କାଳ କଥା ବିଚାର କରିବା ବେଳେ ଦିନ ଓ ରାତିର ବିଭିନ୍ନ ଚିତ୍ର ଆମ ଦୃଷ୍ଟିପଥକୁ ଆସେ। ଋଷିଙ୍କ ଅନୁସାରେ ସେତେବେଳେ ନା ରାତି ଥିଲା ନା ଦିନ। ମୂଳ ବିଷୟ ହେଉଛି କାଳ କ'ଣ ସେତେବେଳେ ଥିଲା ? ବସ୍ତୁତଃ କାଳର ବୋଧ ଗତିରୁ ହୋଇଛି। ଋଷିଙ୍କ ଅନୁସାରେ କେବଳ 'ସେ' ହିଁ ଥିଲେ। ସେ ନିଜ କ୍ଷମତା କାରଣରୁ ବାୟୁହୀନ ସ୍ଥିତିରେ ମଧ୍ୟ ସ୍ପନ୍ଦିତ ଥିଲେ। ଏଣୁ ଏହା ସ୍ପଷ୍ଟ ଯେ ସେତେବେଳେ କାଳ ନ ଥିଲା। ଅନେକ ଦେଶରେ କାଳ ଆଧୁନିକ ବିଶ୍ୱରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତୀତ ହୋଇଥାଏ। ଭାରତ, ଆମେରିକା ବା ବ୍ରିଟେନର କାଳ ଅଲଗା ଅଲଗା।
ବର୍ଷ, ମାସ, ଦିନ, ପ୍ରହର, ଘଣ୍ଟା, ମିନିଟ, ସେକେଣ୍ଡ ହେଉଛି କାଳର ବିଭାଜିତ ଅଂଶ। ଭାରତୀୟ କାଳ ଗଣନାରେ ପଲ, ବିପଲ ସହିତ ମୁହୂର୍ତ୍ତ ବି ରହିଛି। ସମୟ ବିଭାଜନ କଥା ବିଚାର କଲେ ନବ ବର୍ଷର ଚର୍ଚ୍ଚା ସ୍ୱାଭାବିକ ଭାବରେ ଅଧିକ ହୋଇଥାଏ। ନବ ଦିବସ, ନବ ପ୍ରହର ବା ନବ ମିନିଟ କଥା ବହୁତ କମ୍ ଆସେ। ବସ୍ତୁତଃ କାଳର କୌଣସି ଏକକ ନୂଆ ନୁହଁ କିମ୍ବା ପୁରୁଣା ନୁହଁ। କାଳ ଅଖଣ୍ତ ଅଟେ। ହିନ୍ଦୁ ନବବର୍ଷ ଯୁଗାବ୍ଦ ୫୧୨୨ ଆରମ୍ଭ ହେବ। ଏହି କାଳ ଗଣନା ଅନୁସାରେ ଏଇ ଇଂରାଜୀ ମାର୍ଚ୍ଚ ୨୪ ହେବ ଯୁଗାବ୍ଦ ୫୧୨୧ର ଅନ୍ତିମ ତିଥି। ଏଇଭଳି ଚିନ୍ତା କଲେ ୫୧୨୧ର ବା ୫୧୨୨ ର ଏକ ଏକ ସ୍ୱତନ୍ତ୍ର ଅସ୍ତିତ୍ୱ ଜଣା ପଡ଼େ। ପ୍ରକୃତରେ ଏ ଦୁଇଟି ମଧ୍ୟ ଅଲଗା ନୁହଁ। ସମୟ ନୂଆ ବା ପୁରୁଣା ହୋଇ ନ ଥାଏ। ବାସ୍ତବିକ ଆମେ ଆମ ଜନ୍ମ, ଯୌବନ, ବୃଦ୍ଧ ସମୟରେ ନୂଆ ପୁରୁଣା ହୁଅନ୍ତି।
ଅଥର୍ବ ବେଦରେ କାଳକୁ ସର୍ବବ୍ୟାପୀ ପ୍ରଭାବଶାଳୀ ଅସ୍ତିତ୍ୱ ରୂପେ ବର୍ଣ୍ଣନା କରାଯାଇଛି। ୧୯ତମ କାଣ୍ଡର ୫୩ ଓ ୫୪ ସୂକ୍ତର ୧୫ଟି ମନ୍ତ୍ରରେ ଋଷି କବି ଭୃଗୁ କାଳର ସୁନ୍ଦର ମହିମା ଗାନ କରିଛନ୍ତି। ସେଥିରେ ବର୍ଣ୍ଣନା କରାଯାଇଛି "କାଳ ଅଶ୍ୱ ଅଟେ। ବିଶ୍ୱ ହେଉଛି ରଥ। କାଳ ଅଶ୍ୱ ହେଉଛି ବିଶ୍ୱ ରଥର ବାହକ। ଏହା ସାତ କିରଣ ଓ ସହସ୍ର ଚକ୍ଷୁଯୁକ୍ତ। ଏହା କେବେ ଜର୍ଜର ବା ବୃଦ୍ଧ ହୁଅନ୍ତି ନାହିଁ। ସମସ୍ତ ଲୋକ ଏହାର ଚକ୍ର ଅଟନ୍ତି। ଏହା ଉପରେ କବି ଆରୋହଣ କରନ୍ତି।"
ଏଥିରେ ଅଶ୍ୱ ଗତିର ପର୍ଯ୍ୟାୟ ଅଟେ। ଗତି କାରଣରୁ ଅଶ୍ୱର ପ୍ରତିଷ୍ଠା ରହିଛି। କବି ହିଁ ଏହି ରଥରେ ବସିବାର ପାତ୍ର ବୋଲି କୁହାଯାଇଛି। କାଳର ବାସ୍ତବିକ ଅନୁଭୂତି ବା କାଳବୋଧ ପାଇଁ କବିଙ୍କ ଭଳି ସମ୍ବେଦନଶୀଳତା ଆବଶ୍ୟକ। କାଳ ପ୍ରାଚୀନ, ଅର୍ବାଚୀନ ବା ନୂତନ ହୁଅନ୍ତି ନାହିଁ। କାଳ ଦୃଷ୍ଟିରେ ସଂସାର ବା ପ୍ରକୃତିର ଦୃଶ୍ୟପଟ ହିଁ ନୂଆ ପୁରୁଣା ହୋଇଥାଏ। ଭୃଗୁ କହୁଛନ୍ତି, "କାଳରେ ମନ ଅଛି, କାଳରେ ପ୍ରାଣ ଅଛି ଏବଂ କାଳ ଭିତରେ ହିଁ ସମସ୍ତଙ୍କ ନାମ ଅଛି। କାଳର ଅନୁକୂଳତା ହେଲେ ହିଁ ପ୍ରଜାକୁ ଆନନ୍ଦ ମିଳେ।
ପ୍ରକୃତିର ଅଣୁ ପରମାଣୁ ଗତିଶୀଳ ଅଟେ। ଗତିରୁ ସମୟର ବୋଧ ହୋଇଥାଏ। ଅନୁକୂଳ ଗତି ଆନନ୍ଦ ଦିଏ। ପ୍ରତିକୂଳ ଗତି ବ୍ୟଥା ଦିଏ। ଏହାକୁ ହିଁ ଆମେ ସମସ୍ତେ ଭଲ ବା ମନ୍ଦ ସମୟ କହିଥାଉଁ।
ମହାଭାରତର ରଚୟିତା ମହର୍ଷି ବ୍ୟାସଦେବ ମଧ୍ୟ କାଳ ପ୍ରତି ସଚେତନ ଥିଲେ। ସେ ବି ଅଥର୍ବ ବେଦ ଅନୁସାରେ ଶୀତ, ଗ୍ରୀଷ୍ମ ଆଦି ଋତୁକୁ ମଧ୍ୟ କାଳର ପ୍ରଭାବ ବୋଲି ମାନୁ ଥିଲେ। ରାଜା ଓ କାଳର ପ୍ରଭାବ ପ୍ରସଙ୍ଗକୁ ପ୍ରଶ୍ନୋତ୍ତର ମାଧ୍ୟମରେ ସେ କହିଛନ୍ତି, "କ'ଣ ରାଜା କାଳ ନିର୍ମାତା ? ନା କାଳ ହିଁ ରାଜାର କାରଣ ? ଉତ୍ତର - ରାଜା ହିଁ କାଳର ନିର୍ମାତା।"
ଭୃଗୁ ମଧ୍ୟ ମନକୁ କାଳ ଅଧୀନ ବୋଲି କହିଛନ୍ତି। କିନ୍ତୁ ବେଳେବେଳେ ମନ ବି ଯାନ୍ତ୍ରିକ କାଳର ଅତିକ୍ରମଣ କରିଥାଏ। ମିତ୍ର ବା ଆତ୍ମୀୟର ସଙ୍ଗତିରେ କାଳ ଛୋଟ ହୋଇଯାଏ। ପ୍ରତିକୂଳ ବା ବିରୋଧରେ କାଳ ବହୁତ ଦୀର୍ଘ ହୋଇଯାଏ। ଏଠାରେ କାଳ ଉପରେ ସଙ୍ଗତିର ପ୍ରଭାବ ପଡ଼େ।
ବୈଦିକ ଦେବତାମାନେ ନାମ ଓ କତିପୟ ବିଶେଷତା କାରଣରୁ ଅଲଗା ଅଲଗା ଅଟନ୍ତି। କିନ୍ତୁ ନିଜର ବ୍ୟାପ୍ତିରେ ସେମାନେ ସମ୍ପୂର୍ଣ୍ଣ ଲୋକକୁ ଆଚ୍ଛାଦିତ କରିଥାନ୍ତି। ୠଗ୍ ବେଦରେ ଇନ୍ଦ୍ର ଏକ ପୃଥକ ନାମ ଓ ବରୁଣ ମଧ୍ୟ ଆଉ ଏକ ନାମ। କିନ୍ତୁ ଇନ୍ଦ୍ର, ବରୁଣ ନିଜ ବ୍ୟାପ୍ତିରେ ସର୍ବତ୍ର ଶକ୍ତିମାନ ସର୍ବସମୁପସ୍ଥିତ। ଅଥର୍ବ ବେଦରେ ମଧ୍ୟ ଏହି ସ୍ଥିତି। କାଳ ମଧ୍ୟ ଏହିପରି ଦେବ ଅନୁଭୂତି ଅଟେ।
ଭୃଗୁ କହୁଛନ୍ତି, "କାଳ ହିଁ ସୃଷ୍ଟି ସର୍ଜନ କରିଛନ୍ତି। ସୂର୍ଯ୍ୟଦେବ କାଳ କାରଣରୁ ଉତ୍ତପ୍ତ ହେଉଛନ୍ତି। ସମସ୍ତ ପ୍ରାଣୀ କାଳ ଆଶ୍ରିତ। ନେତ୍ର ବି କାଳ ଆଶ୍ରିତ ହୋଇ ଦେଖେ।
"କାଳ ଦିବ୍ୟଲୋକ ଉତ୍ପନ୍ନ କରିଛନ୍ତି। ସମସ୍ତ ପ୍ରାଣୀଙ୍କ ଆଶ୍ରୟଦାତା ଭୂମିକୁ ମଧ୍ୟ ସେ ଉତ୍ପନ୍ନ କରିଛନ୍ତି। ଭୂତ, ଭବିଷ୍ୟ ଓ ବର୍ତ୍ତମାନ ମଧ୍ୟ କାଳ ଆଶ୍ରିତ।
କାଳରେ ତପ ଅଛି। କାଳରେ ବରିଷ୍ଠତା ଅଛି। କାଳରେ ବ୍ରହ୍ମା ମଧ୍ୟ ସମାହିତ। କାଳ ସମସ୍ତଙ୍କ ପିତା, ପାଳକ, ପ୍ରଜାପତି ଓ ସମସ୍ତଙ୍କ ଈଶ୍ୱର ଅଟନ୍ତି।
ଉପରୋକ୍ତ ତିନୋଟି ମନ୍ତ୍ରରେ କାଳ ହିଁ ସ୍ରଷ୍ଟା, ଦ୍ରଷ୍ଟା ଓ ବିଧାତା ବୋଲି କୁହାଯାଇଛି। ଏଠାରେ କାଳର ବ୍ୟାପ୍ତି ଅନନ୍ତ। ୠଷି କବିଙ୍କ କାଳବୋଧ ସମ୍ପୂର୍ଣ୍ଣତାବୋଧ ପର୍ଯ୍ୟନ୍ତ ବିସ୍ତୃତ। କବିଙ୍କ ସୃଜନରେ କାଳ ଅନନ୍ତ ଓ ଅପରିମେୟ ସତ୍ତା ହୋଇଯାଇଛନ୍ତି।
ସୃଷ୍ଟି ସୃଜନର ପୂର୍ବକାଳର ଅସ୍ତିତ୍ୱ ବିଚାରଣୀୟ ଅଟେ। ଦିଗ ଓ କାଳ ସୃଷ୍ଟିର ଭାଗ ଅଟନ୍ତି। ସେତେବେଳେ କାଳର ଉତ୍ପତ୍ତି ମଧ୍ୟ ସୃଷ୍ଟି ସହିତ ବା ପରେ ହୋଇଥିବ ।
ଭୃଗୁ କହୁଛନ୍ତି -
କାଳ ସର୍ବ ପ୍ରଥମେ ପ୍ରଜାପତିଙ୍କୁ ସର୍ଜନା କଲେ। ତା ପରେ ପ୍ରଜାର। ସଂସାର କାଳ ପ୍ରେରିତ, କାଳ ଦ୍ୱାରା ଉତ୍ପନ୍ନ, କାଳରେ ପ୍ରତିଷ୍ଠିତ। ଏଠାରେ କାଳ ସ୍ୱୟଂଭୂ। ସର୍ବଦା ଅଛନ୍ତି। ସେତେବେଳେ ସୃଷ୍ଟି ଅବ୍ୟକ୍ତ ଥିଲା ବେଳେ ବି କାଳ ଥିଲେ।
କିନ୍ତୁ ଋଗ୍ ବେଦର ଧାରଣା ଅନୁସାରେ ଅବ୍ୟକ୍ତ ଅବସ୍ଥାରେ ଗତି ନାହିଁ। ଦିନ ଓ ରାତି ଭଳି କାଳର ରୂପ ନାହିଁ।
ଭୃଗୁ ସମ୍ଭବତଃ ସୃଷ୍ଟିର ଅବ୍ୟକ୍ତ ଅବସ୍ଥାରେ ମଧ୍ୟ କାଳବୀଜକୁ ଅବ୍ୟକ୍ତ ସୃଷ୍ଟିର ଅଙ୍ଗ ବୋଲି ମାନୁଥିଲେ। ସେ ଏହି ୧୯.୫୩.୪ ସୂକ୍ତରେ କହିଲେ - ସେହି କାଳ ସମସ୍ତ ଭୁବନରେ ବ୍ୟାପ୍ତ। ସମସ୍ତଙ୍କ ପୋଷଣ କରିଥାନ୍ତି। ପ୍ରଥମେ ତ ସେ ସମସ୍ତଙ୍କ ପିତା ଓ ପରେ ସେ ସମସ୍ତଙ୍କ ପୁତ୍ର। ଏଇଭଳି ସେ ଭୂତ ଓ ସେ ହିଁ ବର୍ତ୍ତମାନ। ବର୍ତ୍ତମାନ ଓ ଭୂତ ଏକ ଅଟନ୍ତି। ଅଲଗା ଅଲଗା ଏହାର କୌଣସି ଅସ୍ତିତ୍ବ ନାହିଁ।
ଭୂତ ଓ ଭବିଷ୍ୟ ଅନୁସାରେ କାଳର ବିଭାଜନ ଜଣାପଡ଼ିଥାଏ। ଏହା ସମୟ ବୋଧକ ପ୍ରତୀତ ହୋଇଥାଏ। ପ୍ରକୃତରେ ସମସ୍ତଙ୍କର ଭୂତ କାଳ ହେଉଛି ସମସ୍ତଙ୍କ ନିଜ ଅତୀତର ସ୍ମୃତି। ଯାହାର ସ୍ମୃତି ଯେତେ ଅଧିକ ତାହାର ଅତୀତ ସେତେ ଅଧିକ। କିନ୍ତୁ ସ୍ମୃତିର ଅସ୍ତିତ୍ୱ ବର୍ତ୍ତମାନରୁ ସୃଷ୍ଟି ହୋଇଥାଏ। ଘଟଣା ସବୁ ବର୍ତ୍ତମାନ ହିଁ ଘଟିଥାଏ। ଏହା ପରେ ସେ ଭୂତ ହୋଇଯାଏ। ସେହି ସବୁ ଘଟଣାର ବର୍ତ୍ତମାନ ସ୍ମୃତି ହିଁ ଭୂତକାଳ।
ଭୃଗୁ କହୁଛନ୍ତି -
କାଳ ହିଁ ପୂର୍ବକାଳରେ ଭୂତ ଓ ଭବିଷ୍ୟକୁ ଜନ୍ମ ଦେଇଛି। ଏହାର ଅର୍ଥ ହେଲା କୌଣସି ଏକ ସମୟରେ ଭୂତ ଓ ଭବିଷ୍ୟ ମଧ୍ୟ ନ ଥିଲା। କାଳ ବି ଥିଲା କି ନାହିଁ ଏହା ମଧ୍ୟ ଏକ ଅନୁତ୍ତରିତ ପ୍ରଶ୍ନ।
ବୈଦିକ ମନ୍ତ୍ରମାନଙ୍କରେ ଶାଶ୍ୱତ ଓ ତାତ୍କାଳିକ ବିବରଣ ରହିଛି। ଶାଶ୍ୱତ ସବୁବେଳେ ଥିଲା ଓ ସବୁବେଳେ ରହିଥିବ। ତାତ୍କାଳିକ ସେହି ସମୟରେ ଆସିଥିବା ମନୋଭୂମିରୁ ପ୍ରକଟ ହୋଇଥାଏ। ପରେ ଏହା ଭୂତ ହୋଇଯାଏ।
ଭୃଗୁ କହୁଛନ୍ତି ଋଗ୍ ବେଦ ଓ ଯଜୁର୍ବେଦର ମନ୍ତ୍ର ମଧ୍ୟ କାଳ ଦ୍ୱାରା ପ୍ରକଟିତ ହୋଇଛି। ଏ ଦୁଇ ବେଦ ଅଥର୍ବ ବେଦର ପୂର୍ବବର୍ତ୍ତୀ। ଅଥର୍ବ ବେଦର ରଚନା ସମୟରେ ଏ ଦୁଇ ବେଦର ଖୁବ୍ ପ୍ରତିଷ୍ଠା ଥିଲା। ଭୃଗୁ କାଳ ସୂକ୍ତ ରଚନା କଲାବେଳେ ସ୍ୱାଭାବିକ ଭାବେ ଏ ଦୁଇ ସଂହିତାର ଉଲ୍ଲେଖ କରିଛନ୍ତି।
ପୃଥିବୀ ଗତିଶୀଳ। ୟୁରୋପ ଦେଶ ମାନଙ୍କରେ ଏ ଜ୍ଞାନ ଆଧୁନିକ କାଳରେ ଆସିଲା। ସେମାନେ ପ୍ରଥମେ କହୁଥିଲେ ପୃଥିବୀ ସ୍ଥିର। ପୃଥିବୀ ଗତିଶୀଳ କହିଥିବା ବୈଜ୍ଞାନିକମାନେ କଠୋର ଦଣ୍ଡ ପାଉଥିଲେ। ଅଥର୍ବ ବେଦର ରଚନା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମର ପ୍ରାୟ ତିନି ହଜାର ବର୍ଷ ପୂର୍ବରୁ ହୋଇଥିଲା ବୋଲି କୁହାଯାଏ। ଅଥର୍ବର ଋଷି ପୃଥିବୀର ଗତିଶୀଳ ଗୁଣ ସହିତ ପରିଚିତ ଥିଲେ। କୁହାଯାଏ, କାଳ ଦ୍ୱାରା ପୃଥିବୀ ଗତିଶୀଳ ହେଉଛି। ଦିବ୍ୟଲୋକ କାଳର ଆଶ୍ରୟରେ ରହିଛି। ଅଥର୍ବ ବେଦରେ କାଳ ଚିନ୍ତନ ଗମ୍ଭୀର ବିଚାର ଯୋଗ୍ୟ। ବଡ଼ କଥା ହେଉଛି ଆମ ଦେଶରେ ହଜାର ହଜାର ବର୍ଷ ପୂର୍ବରୁ କାଳ ବିଷୟରେ ଜ୍ଞାନ ଥିଲା। କାଳ ବିଷୟରେ ଲୋକ ବିବେଚନା କରିଥିଲେ। ଏପରି ଜଟିଳ ଦାର୍ଶନିକ ଓ ବୈଜ୍ଞାନିକ ବିଷୟ ଉପରେ ଆମ ପୂର୍ବଜମାନଙ୍କର ଗଭୀର ଜ୍ଞାନ ଥିଲା। ଅଥର୍ବା ଓ ଅଙ୍ଗିରା ବୈଦିକ ସମାଜର ଦୁଇ ଜଣ ପ୍ରତିଷ୍ଠିତ ଦାର୍ଶନିକ ଋଷି କବି ଥିଲେ। ଏମିତି ଦେଖିବାକୁ ଗଲେ ଅଥର୍ବବେଦର କାଳ ଗଣନା ଅନୁସାରେ ସମସ୍ତ ଲୋକ କାଳ ଆଶ୍ରିତ। କିନ୍ତୁ ଋଷି କବି ଭୃଗୁ ଋଗ୍ ବେଦ ଓ ଯଜୁର୍ବେଦର ମନ୍ତ୍ର ସହିତ ଅଥର୍ବା ଓ ଅଙ୍ଗିରାଙ୍କ ପୃଥକ୍ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ସେ ଏ ଦୁଇ ଜଣ ଦାର୍ଶନିକ ଓ କବିଙ୍କୁ କାଳର ଜ୍ଞାତା ଭାବେ ବିବେଚନା କରିଛନ୍ତି।
କାଳ ବ୍ରହ୍ମାଣ୍ଡରେ ବ୍ୟାପ୍ତ। ଏହିପରି ସେ ଆସ୍ତିକ ଭାବରେ ପ୍ରକୃତିର ମହାନ୍ ଭାବଶକ୍ତି ହୋଇଯାଆନ୍ତି। ଆୟୁ କାଳାଧୀନ ହୋଇଯାଏ। ଜନ୍ମ ମୃତ୍ୟୁ ବି କାଳାଧୀନ ହୋଇଯାଏ। ଅଥର୍ବ ବେଦର କାଳଧାରଣା ଆଧୁନିକ, ବୈଜ୍ଞାନିକ ଯୁଗରେ ମଧ୍ୟ ଅଖଣ୍ଡ ଭାବେ ପ୍ରବାହିତ।
(ମୂଳ ଲେଖା : ହୃଦୟ ନାରାୟଣ ଦୀକ୍ଷିତ, ମାନନୀୟ ଅଧ୍ୟକ୍ଷ, ଉତ୍ତର ପ୍ରଦେଶ ବିଧାନ ସଭା)

1 comment:
ମହାକାଳ ସମ୍ପର୍କରେ ଆପଣଙ୍କ ଆଲେଖ୍ୟ ଖୁବ୍ ଜ୍ଞାନ ଏବଂ ସାରଗର୍ଭକ ହୋଇଛି । ଧନ୍ୟବାଦ ।
Post a Comment