*ଏଇଟା ସତ ନା ସେଇଟା ସତ ?*
ମିଥିଳା ନରେଶ ମହାରାଜ ଜନକ ତାଙ୍କ ରାଜଭବନରେ ଶୟନ କରିଥିଲେ। ନିଦ୍ରାରେ ସେ ଗୋଟିଏ ଅଦ୍ଭୁତ ସ୍ୱପ୍ନ ଦେଖିଲେ -
ମିଥିଳା ଉପରେ ଗୋଟିଏ ଶତ୍ରୁ ରାଜା ଆକ୍ରମଣ କରିଛି। ତାଙ୍କର ଦୁର୍ଦ୍ଧଷ ସେନା ନଗରକୁ ଘେରାବନ୍ଦୀ କରିଦେଇଛି। ତାଙ୍କ ସହିତ ଘମାଘୋଟ ଲଢ଼େଇ ଚାଲିଲାବେଳେ ମିଥିଳା ସେନା ହାରି ଯାଇଛି। ମହାରାଜ ଜନକ ବନ୍ଦୀ ହୋଇଯାଇଛନ୍ତି। ବିଜୟୀ ଶତ୍ରୁ ଆଦେଶ ଦେଇଛି, "ମୁଁ ତୁମକୁ ହତ୍ୟା କରିବି ନାହିଁ, କିନ୍ତୁ ତୁମେ ତୁମର ବସ୍ତ୍ର ସବୁ ଖୋଲିଦେଇ ଏଇଠି ରଖିଦିଅ ଏବଂ ଏ ରାଜ୍ୟ ଛାଡ଼ି ଶୀଘ୍ର ଚାଲିଯାଅ।"
ସେହି ରାଜା ପୁଣି ଘୋଷଣା କଲେ, "ଜନକଙ୍କୁ ଯିଏ ଆଶ୍ରୟ ବା ଭୋଜନ ଦେବ ତାକୁ ପ୍ରାଣ ଦଣ୍ଡ ମିଳିବ।"
ରାଜା ଜନକ ପିନ୍ଧା ବସ୍ତ୍ର ଖୋଲିଦେଇଛନ୍ତି। କେବଳ ଅଣ୍ଟାରେ ଏକ ଛୋଟ ବସ୍ତ୍ର ବେଢ଼େଇ ଦେଇ ରାଜଭବନ ତ୍ୟାଗ କରିଛନ୍ତି। ପାଦରେ ଚାଲି ଚାଲି ତାଙ୍କୁ ରାଜ୍ୟ ସୀମା ଛାଡ଼ିବାକୁ ପଡ଼ିଛି। ରାସ୍ତାରେ ତାଙ୍କୁ ଲୋକ ଦେଖୁଥିଲେ ମଧ୍ୟ ପ୍ରାଣ ଭୟରେ କେହି କିଛି କଥା ହେଲେ ନାହିଁ। ଚାଲି ଚାଲି ଗୋଡ଼ରେ ଫୁଟୁକା ବାହାରି ପଡ଼ିଛି। ଗଛ ତଳେ ବସନ୍ତୁ ବା ଭୋକରେ ରୁହନ୍ତୁ କେହି ତାଙ୍କୁ ନିଜ ଘର ଆଗରେ ଠିଆ ହେବାକୁ ଦେଉ ନ ଥିଲେ। ସମସ୍ତଙ୍କର ପ୍ରାଣ ଦଣ୍ଡ ପ୍ରତି ଭୟ ଥିଲା। ଏମିତି କେତେ ଦିନ ପର୍ଯ୍ୟନ୍ତ ତାଙ୍କ ପେଟକୁ ଦାନାଟିଏ ବି ଗଲା ନାହିଁ।
ଏବେ ତ ସେ ରାଜା ନ ଥିଲେ। ନୁଖୁରା ବାଳ, ଧୂଳି ଧୂସରିତ ଶରୀର, କ୍ଷୁଧା ଓ ତୁଷାର୍ତ୍ତରେ ଅତ୍ୟନ୍ତ ବ୍ୟାକୁଳ ଭିକ୍ଷୁକ ଭଳି ସେ ବୁଲୁଥିଲେ।
ରାଜ୍ୟ ବାହାରେ ସେ ଏକ ନଗରରେ ଯାଇ ପହଞ୍ଚିଲେ। ଜଣା ପଡ଼ିଲା ସେଠାରେ ଗୋଟିଏ ଅନ୍ନଛତ୍ର ଅଛି ଯେଉଁଠି କ୍ଷୁଦ୍ଧାର୍ତ୍ତଙ୍କୁ ଖିଚିଡ଼ି ବଣ୍ଟା ଯାଏ। ବଡ଼ ଆଶା ନେଇ ଜନକ ସେଠାରେ ଯାଇ ପହଞ୍ଚିଛନ୍ତି। କିନ୍ତୁ ଖିଚିଡ଼ି ବଣ୍ଟା ସରିଯାଇଥିଲା। ଏବେ ବାଣ୍ଟୁ ଥିବା ବ୍ୟକ୍ତି ଜଣକ ଦ୍ୱାର ବନ୍ଦ କରିବାକୁ ଯାଉଥିଲେ। ଭୋକରେ ଆଉଟି ହେଉଥିବା ଜନକଙ୍କ ମୁଣ୍ଡ ବୁଲେଇଲା। ସେ ସେଠାରେ ବସି ପଡ଼ିଲେ। ତାଙ୍କ ନୟନରୁ ଅଶ୍ରୁ ପ୍ଲାବିତ ହେଲା। ଏ ଅବସ୍ଥା ଦେଖି ଅନ୍ନ ବାଣ୍ଟୁଥିବା ଲୋକର ଦୟା ଆସିଲା। ସେ କହିଲା, "ଖିଚିଡ଼ି ତ ନାହିଁ, କିନ୍ତୁ ହାଣ୍ଡି ଭିତରେ ତଳ ଆଡ଼କୁ କିଛି ଖାଦ୍ୟ ଲାଗି ରହିଛି। କହିବ ତ ସେତିକି କୋରିକି ତୁମକୁ ଦେଇଦେବି। ସେଥିରେ ବି ଜଳିଯିବାର ଗନ୍ଧ ଆସୁଥାଏ।"
ଜନକ କହିଲେ ଏତିକି ବୋଧେ ମୋ ଭାଗ୍ୟରେ ଅଛି। ସେ ଦୁଇ ହାତ ବଢ଼ାଇ ଦେଲେ। ବିତରଣକାରୀ ଜଳାଗନ୍ଧ ଆସୁଥିବା ଖିଚିଡ଼ି ତାଙ୍କ ହାତରେ ଦେଲେ। କିନ୍ତୁ ଏତିକିବେଳେ ଗୋଟିଏ ଚିଲ ଆସି ସେତକ ଖାଦ୍ୟ ଝାମ୍ପି ନେଲା। ଚିଲର ପଞ୍ଝା ତାଙ୍କ ହାତରେ ପିଟିହେବା ଦ୍ୱାରା ବାକି ସବୁ ଖାଦ୍ୟ ତଳେ ଅପନ୍ତରାରେ ପଡ଼ିଗଲା। ତାଙ୍କୁ ଭୀଷଣ କଷ୍ଟ ହେଲା। ସେ ଚିତ୍କାର କଲେ।
ଏ ପର୍ଯ୍ୟନ୍ତ ସବୁ କଥା ସ୍ୱପ୍ନ ଥିଲା।
କିନ୍ତୁ ନିଦ୍ରାରେ ଜନକ ସତକୁ ସତ ଚିତ୍କାର କରୁଥିଲେ। ଏହା ଦ୍ୱାରା ତାଙ୍କ ନିଦ ଭାଙ୍ଗିଗଲା। ରାଣୀମାନେ ଓ ସେବକ ସେବିକାମାନେ ତାଙ୍କ ପାଖକୁ ଦୌଡ଼ି ଆସିଲେ। ସେମାନେ ଜାଣିବାକୁ ଚାହୁଁଥିଲେ ଯେ "ମହରାଜଙ୍କର କ'ଣ ହୋଇଛି ?"
ମହାରାଜ ଜନକ ଏବେ ଆଖି ତରାଟି ଚାହିଁଲେ ସବୁଆଡ଼େ। ସେ ନିଜ ସୁସଜ୍ଜିତ ଶୟନ କକ୍ଷରେ ସ୍ଵର୍ଣ୍ଣ ରତ୍ନାଦି ପଲଙ୍କରେ ଦୁଗ୍ଧ ଫେଣ ପରି କୋମଳ ଶଯ୍ୟାରେ ଶୋଇଛନ୍ତି। ତାଙ୍କୁ ଭୋକ ଲାଗିବାର ପ୍ରଶ୍ନ ଉଠୁ ନାହିଁ। ରାଣୀମାନେ ପାଖରେ ଠିଆ ହୋଇଥାନ୍ତି। ସେବକ ସେବିକାମାନେ ସେବା ଦେବାରେ ପ୍ରସ୍ତୁତ ଅଛନ୍ତି। ସେ ଏବେବି ସେହି ପୂର୍ବବତ୍ ମିଥିଳା ନରେଶ ଅଛନ୍ତି। ଏ ସବୁ ଦେଖି ସେ ବଡ଼ ପାଟିରେ କହିବାକୁ ଲାଗିଲେ "ଏଇଟା ସତ ନା ସେଇଟା ସତ ?"
ରାଣୀମାନେ ଚିନ୍ତାରେ ପଡ଼ିଲେ। ମନ୍ତ୍ରୀମାନଙ୍କର ବ୍ୟାକୁଳତା ବଢ଼ିଗଲା। ଲାଗୁଥିଲା ମହାରାଜ ଜନକ ପାଗଳ ହୋଇଗଲେ। ସେ ନା କାହାରିକୁ କିଛି କହୁଥିଲେ ନା କାହା ପ୍ରଶ୍ନର ଉତ୍ତର ଦେଉଥିଲେ। ତାଙ୍କ ଆଗକୁ ଯିଏ ବି ଯାଉଥିଲା, ତାକୁ ସେ ଗୋଟିଏ ହିଁ ପ୍ରଶ୍ନ ପଚାରୁଥିଲେ ଯେ "ଏଇଟା ସତ ନା ସେଇଟା ସତ।"
ଚିକିତ୍ସକମାନଙ୍କୁ ଡକାଗଲା। ମନ୍ତ୍ରଜ୍ଞମାନେ ମଧ୍ୟ ଆସିଲେ। ଆହୁରି କେତେ ପ୍ରକାର ଲୋକ ଯାହାଙ୍କୁ ଏଭଳି ରୋଗ ଭଲ କରିବା ଜଣା ଅଛି, ଡକାଗଲା। କିନ୍ତୁ ମହାରାଜଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ହେଲା ନାହିଁ।
ହଠାତ୍ ଦିନେ ଋଷି ଅଷ୍ଟାବକ୍ର ମିଥିଳା ଆସିଲେ। ସେ ଜନକଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କଲେ। ମନ୍ତ୍ରୀମାନଙ୍କୁ ରାଜା ଭଲ ହୋଇଯିବାର ଆଶ୍ୱାସନା ଦେଲେ। ମନ୍ତ୍ରୀମାନେ ତାଙ୍କୁ ରାଜା ଜନକଙ୍କ ପାଖକୁ ନେଇଗଲେ। ଜନକ ତାଙ୍କୁ ସେଇ ଏକା ପ୍ରଶ୍ନ ପଚାରିଲେ ଯାହା ସେ ଅନ୍ୟମାନଙ୍କୁ ପଚାରୁଥିଲେ। ଯୋଗିରାଜ ଅଷ୍ଟାବକ୍ର ଧ୍ୟାନ କରି ରାଜାଙ୍କ ପ୍ରଶ୍ନର କାରଣ ଜାଣିନେଲେ।
ଅଷ୍ଟାବକ୍ର ପଚାରିଲେ -
"ମହାରାଜ ! ଯେତେବେଳେ ଆପଣ ଅଣ୍ଟାରେ ଏକ ଛୋଟ ବସ୍ତ୍ର ଘୋଡ଼େଇ ହୋଇ ଅନ୍ନଛତ୍ରର ଦ୍ୱାର ମୁହଁରେ ଭିକ୍ଷୁକ ବେଶରେ ଦୁଇ ହାତ ପାତି ଠିଆ ହୋଇଥିଲେ ଓ ଆପଣଙ୍କ ଆଞ୍ଜୁଳାରେ ଖିଚିଡ଼ିର ଜଳା ଅଂଶ ସେଇ ବିତରଣକାରୀ ଦେଉଥିଲେ, ସେ ସମୟରେ ଏ ରାଜଭବନ, ଆପଣଙ୍କର ଏ ରାଜବେଶ, ରାଣୀମାନେ, ରାଜମନ୍ତ୍ରୀମାନେ, ସେବକ ସେବିକାମାନେ ଥିଲେ କି ?
ମହାରାଜ ଜନକ ଏବେ କହିଲେ, "ଭଗବାନ ! ଏ କେହି ସେ ସମୟରେ ନ ଥିଲେ। ସେ ସମୟରେ ତ ବିପତ୍ତିରେ ମରୁଥିବା କ୍ଷୁଧିତ, ଭିକ୍ଷୁକ ଜନକ ଏକୁଟିଆ ଥିଲା।"
ଅଷ୍ଟାବକ୍ର କହିଲେ, "ଆଚ୍ଛା ମହାରାଜ ! ନିଦରୁ ଉଠିବା ପରେ ଯେତେବେଳେ ଆପଣ ଏଇ ରାଜବେଶରେ ରାଜଭବନରେ ପଲଙ୍କ ଉପରେ ବସିଥିଲେ ସେତେବେଳେ ସେହି ଅନ୍ନଛତ୍ର, ସେ ବିତରକ, ଆପଣଙ୍କର ସେହି କାଙ୍ଗାଳୀ ବେଶ, ସେ ଜଳିଯାଇଥିବା ଖିଚିଡ଼ିର ଛାଲି ଓ ଆପଣଙ୍କର ସେହି ପ୍ରବଳ କ୍ଷୁଧା ଥିଲା କି ?
ମହାରାଜ ଜନକ କହିଲେ, "ଭଗବାନ ! ମୋଟେ ନୁହେଁ, ସେ କେହି ନ ଥିଲେ।"
ଅଷ୍ଟାବକ୍ର କହିଲେ, "ମହାରାଜ ! ଯିଏ ଗୋଟିଏ ସମୟରେ ରହେ ଓ ଅନ୍ୟ ସମୟରେ ରହେ ନାହିଁ, ତାହା ସତ୍ୟ ନୁହେଁ। ଆପଣଙ୍କ ଜାଗ୍ରତ ଅବସ୍ଥାରେ ଏବେ ସେ ସ୍ୱପ୍ନ ଅବସ୍ଥା ନାହିଁ। ତେଣୁ ତାହା ସତ୍ୟ ନୁହଁ। ତା ଛଡ଼ା ସ୍ୱପ୍ନ ସମୟରେ ମଧ୍ୟ ଏବେକା ଅବସ୍ଥା ନ ଥିଲା। ଏଥିପାଇଁ ଏହା ମଧ୍ୟ ସତ୍ୟ ନୁହଁ। ନା ଏଇଟା ସତ୍ୟ ନା ସେଇଟା।"
ଜନକ - "ଭଗବାନ ! ତେବେ ସତ୍ୟ କେଉଁଟା ?"
ଅଷ୍ଟାବକ୍ର - "ମହାରାଜ, ଯେତେବେଳେ ଆପଣ କ୍ଷୁଧିତ ହୋଇ ଅନ୍ନଛତ୍ରର ଦୁଆର ମୁହଁରେ ଠିଆ ହୋଇଥିଲେ ସେତେବେଳେ ଆପଣ ସେଠି ଥିଲେ ନା ?
ଜନକ - "ଭଗବାନ ! ହଁ, ମୁଁ ତ ସେଠି ଥିଲି।"
ଅଷ୍ଟାବକ୍ର - "ଆଚ୍ଛା ମହାରାଜ ! ଏବେ ଏ ରାଜଭବନରେ ଆପଣ ଅଛନ୍ତି ତ ?"
ଜନକ - "ଭଗବାନ ! ହଁ, ମୁଁ ତ ଏଠି ଅଛି।"
ଅଷ୍ଟାବକ୍ର - "ହେ ମହାରାଜ ! ଜାଗ୍ରତ ଅବସ୍ଥାରେ, ସ୍ୱପ୍ନରେ ଓ ସୁସୁପ୍ତିରେ ସାକ୍ଷୀରୂପେ ଆପଣ ରହିଛନ୍ତି। ଅବସ୍ଥା ବଦଳିଯାଏ, କିନ୍ତୁ ଅବସ୍ଥାକୁ ଦେଖୁଥିବା ଆପଣ ବଦଳନ୍ତି ନାହିଁ। ଆପଣ ତ ସେ ସବୁ ଅବସ୍ଥାରେ ଥିଲେ। ଏଣୁ କେବଳ ଆତ୍ମା ଓ ପରମାତ୍ମା ହିଁ ସତ୍ୟ।"

No comments:
Post a Comment