ବ୍ୟାସଦେବଙ୍କ ମନରେ ବିବାହ କରିବାର ଅଭିଳାଷା ଜନ୍ମିଲା। ସେ ଜାବାଳୀ ମୁନିଙ୍କୁ କନ୍ୟା ଦାନ ପାଇଁ ପ୍ରସ୍ତାବ ଦେଲେ। ଜାବାଳୀ ତାଙ୍କ ଚେଟିକା ନାମ୍ନୀ କନ୍ୟାଙ୍କୁ ତାଙ୍କ ସହ ବିବାହ କରିଦେଲେ। ଚେଟିକାର ଆଉ ଏକ ନାଁ ଥିଲା ପିଙ୍ଗଳା। କିଛି ଦିନ ପରେ ତାଙ୍କ ଗର୍ଭକୁ ଆସିଲେ ଶୁକଦେବ। ବାର ବର୍ଷ ବିତିଗଲା, କିନ୍ତୁ ଶୁକଦେବଙ୍କର ଜନ୍ମ ହେଲା ନାହିଁ। ତାଙ୍କ ବୁଦ୍ଧି ବଡ଼ ପ୍ରଖର ଥିଲା। ସେ ସମସ୍ତ ବେଦ, ବେଦାଙ୍ଗ, ପୁରାଣ, ଧର୍ମଶାସ୍ତ୍ର ଓ ମୋକ୍ଷ ଶାସ୍ତ୍ର ସେଇ ଗର୍ଭରେ ଥିବା ବେଳେ ଶ୍ରବଣ କରି ମନେରଖି ଦେଉଥିଲେ। ସେଠି ଆଶ୍ରମରେ ଯଦି ପାଠ କରିବାରେ କିଛି ଭୁଲ ହୋଇ ଯାଉଥିଲା ତେବେ ଶୁକଦେଵ ସେହି ଗର୍ଭରେ ଥାଇ ଗାଳି ଦେଉଥିଲେ। ଏପଟେ ଗର୍ଭରେ ବଢୁଥିବାରୁ ମାଆକୁ ବି ବହୁତ କଷ୍ଟ ହେଉଥିଲା।
ଏହା ଦେଖି ବ୍ୟାସଦେବ ବଡ଼ ବିସ୍ମିତ ହେଉଥିଲେ। ଦିନେ ସେ ଗର୍ଭସ୍ଥ ଶିଶୁକୁ ପଚାରିଲେ, "ତୁମେ କିଏ ?"
ଶୁକଦେଵ କହିଲେ, "ଯେଉଁ ଚୌରାଅସି ଯୋନି କଥା କୁହାଯାଇଛି, ମୁଁ ସେ ସବୁ ପାର ହୋଇ ଆସିଛି। ଏମିତି ଅବସ୍ଥାରେ କିପରି କହିବି ମୁଁ କିଏ ?"
ବ୍ୟାସଦେବ କହିଲେ, "ତୁମେ ବାହାରକୁ ଆସୁ ନାହଁ କାହିଁକି ?"
ଶୁକଦେଵ କହିଲେ, "ଭୟଙ୍କର ସଂସାରର ସବୁ ପଥରେ ବୁଲି ସାରିବା ପରେ ମୋତେ ବୈରାଗ୍ୟ ଆସିଯାଇଛି। କିନ୍ତୁ ମୁଁ ଜାଣିଛି ଗର୍ଭରୁ ବାହାରକୁ ଆସିବା ମାତ୍ରେ ବୈଷ୍ଣବୀ ମାୟାର ସ୍ପର୍ଶରେ ମୋର ସମସ୍ତ ଜ୍ଞାନ ବିଜ୍ଞାନ ନଷ୍ଟ ହୋଇଯିବ। ଅତଏବ ମୋର ବିଚାର ହେଲା ଗର୍ଭରେ ରହି ଯୋଗଭ୍ୟାସ କରି ମୋକ୍ଷ ପ୍ରାପ୍ତି କରିବା।
ଶେଷରେ ବ୍ୟାସଦେବଙ୍କ ଦ୍ଵାରା ବୈଷ୍ଣବୀ ମାୟାଙ୍କ ସ୍ପର୍ଶ ନ କରିବାର ଆଶ୍ୱାସନା ଦେବା ଦ୍ଵାରା କୌଣସି ଉପାୟରେ ସେ ବାହାରକୁ ଆସିଲେ। କିନ୍ତୁ ତୁରନ୍ତ ଜଙ୍ଗଲକୁ ଚାଲିଯିବାକୁ ବାହାରିଲେ। ଏହା ଦେଖି ବ୍ୟାସଦେବ କହିଲେ, "ପୁଅ, ମୋ ଘରେ ରୁହ। ମୁଁ ତୁମ ଜନ୍ମ ସଂସ୍କାର କାର୍ଯ୍ୟ କରିଦିଏଁ। ତା ପରେ କୁଆଡ଼େ ଯିବା କଥା ଚିନ୍ତା କରିବ।"
ଶୁକଦେଵ କହିଲେ, "ଏ ପର୍ଯ୍ୟନ୍ତ ଜନ୍ମ ଜନ୍ମାନ୍ତରରେ ମୋର ଶହ ଶହ ଜନ୍ମ ସଂସ୍କାର ହୋଇ ସାରିଛି। ସେହି ବନ୍ଧନପ୍ରଦ ସଂସ୍କାରସବୁ ମୋତେ ଭଵ ସାଗରରେ ବୁଡ଼େଇ ରଖିଛି। ଅତଏବ ସେ ସବୁ ମୋର ଆଉ କିଛି ଆବଶ୍ୟକ ନାହିଁ।"
ବ୍ୟାସଦେବ, "ଦ୍ଵିଜର ବାଳକକୁ ପ୍ରଥମେ ବିଧିପୂର୍ବକ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ରହି ବେଦ ଅଧ୍ୟୟନ କରିବା ଉଚିତ। ତା ପରେ ତାକୁ ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ ଆଶ୍ରମରେ ପ୍ରବେଶ କରିବା ଉଚିତ। ଏହା ପରେ ହିଁ ତାକୁ ମୋକ୍ଷ ପ୍ରାପ୍ତ ହେବ। ଅନ୍ୟଥା ତାର ପତନ ଅବଶ୍ୟମ୍ଭାବୀ।"
ଶୁକଦେଵ - "ଯଦି ବ୍ରହ୍ମଚର୍ୟ୍ଯ ଦ୍ୱାରା ମୋକ୍ଷ ପ୍ରାପ୍ତି ହେଉଥାଆନ୍ତା ତେବେ ସବୁ ନପୁଂଶକ ମୋକ୍ଷ ପାଇ ଯାଇଥାନ୍ତେ। କିନ୍ତୁ ଏପରି ତ ହୋଇନାହିଁ। ଯଦି ଗୃହସ୍ଥାଶ୍ରମ ମୋକ୍ଷର ସହାୟକ ହୋଇଥାନ୍ତା ତେବେ ସମ୍ପୂର୍ଣ୍ଣ ଜଗତ କେବେଠୁ ମୁକ୍ତି ପାଇ ସାରନ୍ତାଣି। ଯଦି ବାନପ୍ରସ୍ତିମାନଙ୍କୁ ମୋକ୍ଷ ମିଳିଯାଉଥାନ୍ତା ତେବେ ସମସ୍ତ ମୃଗ କେବେଠାରୁ ମୋକ୍ଷ ପାଇ ସାରିଥାନ୍ତେ। ଯଦି ଆପଣଙ୍କ ବିଚାରରେ ସନ୍ନ୍ୟାସ ଧର୍ମର ପାଳନ କରିବା ଲୋକଙ୍କୁ ମୋକ୍ଷ ମିଳୁଥାନ୍ତା ତେବେ ଦରିଦ୍ରଙ୍କୁ ପ୍ରଥମେ ମୋକ୍ଷ ମିଳିବା ଉଚିତ।"
ବ୍ୟାସଦେବ କହିଲେ, "ମନୁ କହିଛନ୍ତି, ସଦ୍ ଗୃହସ୍ଥ ପାଇଁ ଲୋକ ପରଲୋକ ଉଭୟ ସୁଖପ୍ରଦ। ଗୃହସ୍ଥର ସମନ୍ଵୟାତ୍ମକ ସଂଗ୍ରହ ସନାତନ ସୁଖଦାୟକ ହୋଇଥାଏ।"
ଶୁକଦେଵ, "ହୁଏତ ଦେବତା ମାନଙ୍କ ତପସ୍ୟା ଦ୍ୱାରା ଅଗ୍ନିରୁ ଶୀତ ଉତ୍ପନ୍ନ ହୋଇପାରେ, ଚନ୍ଦ୍ରମାରୁ ତାପ ବାହାରିବା ସମ୍ଭବ ହୋଇପାରେ; କିନ୍ତୁ ପରିଗ୍ରହ ଦ୍ୱାରା କେହି ସୁଖୀ ହୋଇ ଯାଇଛି, ଏହା ତ ତ୍ରିକାଳରେ ବି ସମ୍ଭବ ହୋଇ ନାହିଁ।"
ବ୍ୟାସଦେବ, "ବଡ଼ ପୁଣ୍ୟ ଦ୍ୱାରା ମନୁଷ୍ୟ ଶରୀର ମିଳିଥାଏ। ଏହାକୁ ପାଇ ଯଦି କେହି ଗୃହସ୍ଥ ଧର୍ମର ତତ୍ତ୍ୱ ଠିକ୍ ଭାବେ ବୁଝିଯାଏ ତେବେ ତାଙ୍କୁ କାହିଁକି ମୋକ୍ଷ ମିଳିବ ନାହିଁ ?
ଶୁକଦେଵ - "ଜନ୍ମ ହେବା ପରେ ମନୁଷ୍ୟ ଗର୍ଭ ଜନିତ ଜ୍ଞାନ ଧ୍ୟାନ ସବୁ ଭୁଲିଯାଏ। ଏଭଳି ଅବସ୍ଥାରେ ଗୃହସ୍ଥରେ ପ୍ରବେଶ ତଥା ତାହାର ଲାଭ ଆଶା କରିବା ଏହା ଆକାଶରୁ ଫୁଲ ତୋଳିବା ଭଳି କଥା ହେବ।"
ବ୍ୟାସଦେବ - "ଯମ ଲୋକରେ ଏକ ମହା ଭୟଙ୍କର ନର୍କ ଅଛି। ଯାହାର ନାମ ହେଲା ପୁମ୍। ପୁତ୍ରହୀନ ମନୁଷ୍ୟ ସେଠାକୁ ଯାଏ। ଏଥିପାଇଁ ପୁତ୍ରର ପ୍ରଶଂସା କରାଯାଇଛି।"
ଶୁକଦେଵ - "ଯଦି ପୁତ୍ର ପାଇଁ ସ୍ୱର୍ଗ ପ୍ରାପ୍ତ ହେଉଛି ତେବେ ଘୁଷୁରୀ, କୁକୁର ଆଦିଙ୍କୁ ଏହା ବିଶେଷ ରୂପେ ମିଳିଯାଇଥାନ୍ତା।"
ବ୍ୟାସଦେବ, "ପୁତ୍ରର ଦର୍ଶନ ଦ୍ୱାରା ମନୁଷ୍ୟ ପିତୃ ଋଣରୁ ଓ ପୌତ୍ର ଦର୍ଶନରୁ ଦେବ ଋଣରୁ ମୁକ୍ତିପାଇ ଯାଏ। ପ୍ରପୌତ୍ର ଦର୍ଶନ କରି ସେ ମୋକ୍ଷ ପାଇଯାଏ।"
ଶୁକଦେଵ - "ଶାଗୁଣା ଦୀର୍ଘଜୀବୀ ହୋଇଥାଏ। ସେ ତ ତାର କେତେ ପିଢ଼ିଙ୍କୁ ଦେଖୁଥିବ। କିନ୍ତୁ ତା ପାଖରେ ତ ଏ ପୌତ୍ର, ପ୍ରପୌତ୍ର ସର୍ବଦା ନଗଣ୍ୟ କଥା। କିନ୍ତୁ ମୋତେ ଜଣା ନାହିଁ, ତାଙ୍କ ଭିତରୁ ଆଜିଯାଏ କେତେ ଜଣଙ୍କୁ ମୋକ୍ଷ ମିଳିଛି ?"
ଏଇଭଳି ଉତ୍ତର ଦେଇ ଶୁକଦେବ ବିରକ୍ତ ହୋଇ ବଣକୁ ଚାଲିଗଲେ। ପରେ ପୁଣି ବ୍ୟାସଦେବ ତାଙ୍କୁ ଫେରେଇ ଆଣି ଭାଗବତ ପଢ଼ାଇ ଥିଲେ।

No comments:
Post a Comment