ଏଇ ଡୁମ୍ବାଗୁଡ଼ା ହାଟ। କୋରାପୁଟ ଜିଲ୍ଲାର ଉତ୍ତର ଆଉ କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ସୀମା ସରିହାଦୁରେ। ଏପାଖ ସେପାଖର ପ୍ରାକୃତିକ ସୀମାପରି ଏଠି ଦୁଇ ପାଖକୁ ପାହାଡ଼ ଛାଡ଼ି ଯାଇଛି। ମଝିରେ ଉପତ୍ୟକା। ଏ ପାଖରେ ଲମ୍ବ ହୋଇ ପାହାଡ଼ର ଧାଡ଼ି ଲାଗିଛି ପନ୍ଦର କୋଷ, ପୂର୍ବରୁ ପଶ୍ଚିମ, କସାକେନ୍ଧୁଠୁ ଭିତର ବାଗ୍ରୀଠୁ ଗିର୍ଲିଗୁମ୍ମା କାଟ୍ରାଗଡ଼ା ପର୍ଯ୍ୟନ୍ତ, ବିଶାଳ ପର୍ବତ, ତା ଉପରେ ପ୍ରାନ୍ତର, ସେପାଖେ କଳାହାଣ୍ଡିର ବାଉଁଶବଣ ବୋଝେଇ ସାନ ସାନ ପର୍ବତର ଢେଉ।
ଡୁମ୍ବାଗୁଡ଼ା ହାଟ କୋରାପୁଟ ଜିଲ୍ଲାରେ ଗୋଟିଏ ବଡ଼ ହାଟ।
ରାସ୍ତାରେ ବୋଝ ଭାର ଧରି ଲୋକ ଚାଲିଥାନ୍ତି। ଗୋରୁ ଛାଲ, ମଇଁଷି ଛାଲ ଭାର ଭାର। ଛେଳି ପରି ମଢ଼ିଆ ମଢ଼ିଆ ସାନ ସାନ କଳାହାଣ୍ଡିଆ ବଳଦ। ବୋଝ ବୋଝ ଦେଶୀ ଲୁହାର କୋଡ଼ି, କାଙ୍କ, ଲଙ୍ଗଳ, ଫାଳ। ଗୋଦ୍ରୀଗାଁର ପ୍ରସିଦ୍ଧ କମ୍ହାରଙ୍କ ବର୍ଚ୍ଛା, ଛୁରା। ରଙ୍ଗମାଟିର ହାଣ୍ଡିକୁଣ୍ଢେଇ, ଚିତ୍ର ବିଚିତ୍ର ମାଠିଆ, ଫୁଲଝାଡୁ, କେତେ କ'ଣ। ସବୁଠୁ ବେଶି, - ଫସଲ।
ଘୋଡ଼ାରେ ଚଢ଼ି ଆସିଥାନ୍ତି ସାହୁକାରମାନେ, ମୋପନ୍ନା, ପା' ପନ୍ନା। ଏମାନେ ସାହୁକାର। ୟାଙ୍କ ଦେଶରେ ୟାଙ୍କ ଜାତିରେ ବି ଚାଷୀ ମଜୁରୀଆ ବେଶି। ଦରିଦ୍ର ବେଶି, କିନ୍ତୁ ଏମାନେ ସାହୁକାର।
ଅସଂଖ୍ୟ ଲୋକ। ଅସଂଖ୍ୟ ପର୍ବତିଆ ବୋଲି। କିଏ ଘୋଳି ହୋଇ ଆମ୍ବଗଛ ମୂଳେ ବସିଲାଣି, କିଏ ଆରାମ କରିସାରି ପୁଣି ଘେରାଏ ହାଟକୁ ଯିବାକୁ ପ୍ରସ୍ତୁତ ହେଉଛି।
ଏଇ ହାଟ ମଣିଷର ପୃଷ୍ଠପଟ। ଏତିକି କାଟିଦେଲେ ଲେଞ୍ଜୁ, ଦିଉଡି, ପୁବୁଲି, ପୁଲମେଁ କାହାରିକୁ ବୁଝିବା ଅସମ୍ଭବ।
ହୋ ହୋ ଘୋ ଘୋ ଚାଲିଛି। ହାଟ ଭାଙ୍ଗିଲା। ଡଙ୍ଗରିଆ ହାଟ। ଆଖପାଖରେ ଲୋକଙ୍କର ଚିହ୍ନ ବର୍ଣ୍ଣ ନାହିଁ।
ସଞ୍ଜ ହେଲା। ହାଟ ଫେରନ୍ତି ଦୂର ବାଟୋଇ ଏକାଠି ଜମାହୋଇ ବସି ପଡ଼ିଲେ। ଜଙ୍ଗଲ ତଳେ ତଳେ ଠାଆ ଠାଆକେ ନିଆଁ ଜଳିଲା ଦାଉ ଦାଉ, ଚାରିଶହ ଲୋକଙ୍କର ଏକାଠି ବସବାସ। ସେଇଠି କଜିଆ ଗୋଳ, ଗପ ପଙ୍ଗତ, ଗୀତ ଆଉ ନାଟ।
ରାତି ବଢ଼ିଲା। ନିଆଁ ଲିଭିଲା। ସମସ୍ତେ ଶୋଇଲେ। ଉପରେ ଖୋଲା ଆକାଶ, ତଳେ ତୋଟାମୂଳେ ଏକାଠି ଚାରିଶହ ଲୋକଙ୍କର ଫଁ ଫଁ ନିଃଶ୍ୱାସ ଆଉ ସାମନାରେ ପଥୁରିଆ ପୋଢ଼ଗାଡ଼ ନଈର ଛଳ ଛଳ ସାଇଁ ସାଇଁ।
ସମସ୍ତେ ଶୋଇରହିଲେ। ପୁବୁଲି, ସୁନାଦେଇ, ଦିଉଡୁ, ଲେଞ୍ଜୁ। ରାତି ବଣ ଚଢ଼େଇର କିଳିକିଳା। ନିଦ ଘୋରରେ ଚାରିଶହ ମଣିଷ। ଜଣ ଜଣକୁ ଉଠାଇ ଦେଖିଲେ ଗୋଟିଏ ଗୋଟିଏ ଜୀବନବ୍ୟାପୀ ଉପନ୍ୟାସ।
୨୦.୮.୧୯

No comments:
Post a Comment