Friday, 2 August 2019

*ସାଓଁତାର ଡୁମା ହାକିନା*

ଦୁଆରଟି ସତର ଥର ଓଳିଆ ହେଲାଣି। ସେଠି ପୂଜା ହେବ। ରଙ୍ଗ, ମୁରୁଜ, ଭାଲିଆ ଫଳ, ଶିଆଳି ପତର, ନୂଆ ଦୀପାଳୀ, କେଡ଼େ ଯତ୍ନରେ ସାଇତା ହୋଇ ରହିଛି। ଗୋଟିଏ ପତ୍ର ଚଉକନୀରେ ହଳଦୀଗୁଣ୍ଡା, ଗୋଟିକରେ ଅରୁଆଚାଉଳ। ବାରମ୍ବାର ପୁୟୁ ନିଘାକରି ଯାଉଛି, ବୁଲି ଆସୁଛି।

ଲୋକ ଜମିଲେ। ବାଇଦ ବାଜିଲା। ଦିଶାରୀକୁ ଓ ବେଜୁଣିକୁ ସାଙ୍ଗରେ ନେଇ ଦିହୁଡୁ ଆସିଲା। ଲେଞ୍ଜୁ ଥାଏ, ପୁବୁଲି ସଫାସୁତୁରା ହୋଇ ମୁଣ୍ଡଟି ବାନ୍ଧି ଅପେକ୍ଷା କରିଥାଏ। ଗହଳି ବଢ଼ିଲା। ପାଣ୍ଡୁ ଦିଶାରୀ ପୂଜାକାମ ଆରମ୍ଭ କରିଦେଲା। ଧୂପ ଜଳିଲା। ବେଜୁଣୀକୁ କାଳିଶି ଲାଗିଲା।

ବାଜାର ତାଳେ ତାଳେ ଅସମ୍ଭାଳ ହୋଇ ବେଜୁଣୀ ବୁଢ଼ୀ ନାଚିଲା। ଅଳପେ ଘୁଞ୍ଚି ଗାଁ ଲୋକେ ଅନେଇଁ ବସି ଥାଆନ୍ତି।
ବେଜୁଣୀ ଡିଏଁ, ଦଉଡ଼େ, ଧୂପ ଧୂଆଁ ଖାଏ। ପାଖରେ ଥିବା ଲୋକମାନଙ୍କ ଉପରକୁ ଚମକି ଯାଇ ମୁଣ୍ଡର ଚୁଟି ଧରି ଓଟାରେ। ମୁହଁରେ ମୁଣ୍ଡରେ ନଖରେ ଆଞ୍ଚୁଡ଼େ, ଲୋକେ ମୁଣ୍ଡ ନୁଆଁଇ ଜାକି ହୋଇ ବସି ରହନ୍ତି।

ସୂର୍ଯ୍ୟ ଅସ୍ତ ହୋଇ ଆସୁଥାଏ, ବେଜୁଣୀର ନାଚ ବନ୍ଦ ହେଲା। ପୁୟୁ ପିଲାକୁ ଧରି ଠିଆ ହେଲା। ବେଜୁଣୀ ମୁରୁଜ ବିଛେଇ ଦେଲା, ହଲଦୀଗୁଣ୍ଡା, ଅରୁଆଚାଉଳ ଅଜାଡ଼ି ଦେଲା। କୁକୁଡ଼ା ଛୁଆ ରକ୍ତ, ରନ୍ଧା ମଦ ଭୂଇଁରେ ଢଳା ଗଲା, ଦୀପ ଜଳାଇ ତିନି ଥର ମା' ଛୁଆଙ୍କୁ ପ୍ରଦକ୍ଷିଣ କରାଗଲା। ସୂର୍ଯ୍ୟଙ୍କ ଆଡ଼କୁ ଅନାଇଁ ବେଜୁଣୀ ମନ୍ତ୍ର ପଢ଼ି ପାଣି ଢାଳିଲା। ଏବେ ନାଁ ଦିଆ ହେବ। ପ୍ରଥା ଅଛି ଯେ ବେଜୁଣୀ ଗୋଟିଏ ନାଁ କହି ହଳଦୀବୋଳା ଅରୁଆଚାଉଳ ଫୋପାଡ଼ିବ, ଯେଉଁ ଚାଉଳଟା ମାଟିରେ ସିଧା ଠିଆ ହୋଇ ରହିବ, ସେହି ନାଁ ଦିଆ ହେବ ପିଲାକୁ।
ବେଜୁଣୀ ନାଁ ଡାକିଗଲା -
ଦିନ ଅନୁସାରେ - ସୋମା, ମରୁଡ଼, ବୁଦୁ, ଗୁରୁ ...
ମାସ ଅନୁସାରେ - ଜେଟୁ,  ଆଷାଡୁ, ବାଳାପନୁ..
ଜନ୍ତୁ ଅନୁସାରେ -  ମେଲୁ, ଲେଞ୍ଜୁ, ମାୟୁଁ...
ଗଛ ଅନୁସାରେ - କମ୍ବେଲା, ଜାମୁ, ଡଣ୍ଡା...
ଫଳ ଅନୁସାରେ - ମୁଣ୍ଡରା, ମାହାଆ..
ଏହିପରି କେତେ ପ୍ରକାରର ନାଁ ସେ ଡାକି ଚାଲିଥାଏ।
ପୁୟୁର ଅପେକ୍ଷା ବଢ଼େ, କିନ୍ତୁ ଚାଉଳ ଠିଆ ହୁଏ ନାହିଁ।
ବେଜୁଣୀ ନିର୍ବିକାର ଭାବେ ନାଁର ତାଲିକା ଗାଇଯାଉଥାଏ।
ନିରେଖି ନିରେଖି ସେ ଦେଖୁଥାଏ କେଉଁ ନାଁ ରେ ଚାଉଳ ଠିଆ ହେବ। ଗାଁ ଲୋକେ ସବୁ ଦେଖୁଥାନ୍ତି।

ବେଜୁଣୀ ଫମ୍ପା ଗଳାରେ ଗର୍ଜନ କଲା ହାକିନା..
ଚାଉଳ ଠିଆ ହେଇଗଲା। ମାଣିଆକା ହାକିନା।

ପାଣ୍ଡୁ କନ୍ଧ କହିଲା ଏଇ ହେଉଛି ସରବୁ ସାଓଁତାର ଡୁମା(ଆତ୍ମା)।

ପୁୟୁ ଆଖିରୁ ଦି' ଧାର ଲୁହ ବୋହିପଡ଼ିଲା। ପୁବୁଲି ଦି' ହାତରେ ମୁହଁକୁ ଘୋଡ଼େଇ କାନ୍ଦି ପଳେଇ ଗଲା। ପୁୟୁ ପୁଅକୁ ଗେଲ କରି ଡାକିଲା, "ହାକିନା, ମୋର ସୁନା, ମୋର ମାଣିକ।"

ପୂଜା ସରିଲା, ମଦପିଆ, ଧୂଆଁଖିଆ ପର୍ବ କାଲି। ଦିଉଡୁ କହିଲା, "ଦେ କଣ ରଖିଛୁ, କ୍ଷେତକୁ ଯାଏଁ।" ପୁୟୁ କହିଲା, "ଆଜି ବି ଯିବ ?"

"ଯିବି ନାହିଁ, ତେଣେ ପାଚି ସମ୍ବର ଖାଇଦେଵ, ହରିଣ ଖାଇଦେଵ, କିଏ ଡମ୍ ପଟ୍ କାର ଚୋରେଇ ନେଇଯିବ, ମୁଁ କଣ ତୋରି ପରି ବସି ରହିଥିବି ଖାଲି ଘର କଣରେ ?"

ଖାଇପିଇ ମସ୍ତବଡ଼ ନିଆଁ ଅଟାଟାଏ ଧରି ଦିଉଡୁ ଚାଲିଗଲା।

ପୁବୁଲି କାହିଁ ? ପୁୟୁ ମିଠା ଗଳାରେ ଡାକିଲା, ପୁବୁଲି ! କୁଆଡ଼େ ଗଲୁ, ଆ ୟାଡ଼େ, ହାକିନା ଡାକୁଛି।"

୨.୮.୧୯

No comments: