ଦିଉଡୁ ଓ ଲେଞ୍ଜୁ କନ୍ଧ ରାତିରେ ଝଗଡ଼ା ଲାଗିଛନ୍ତି। ଦିଉଡୁ ଝଗଡ଼ାର କାରଣ କିଛି ନ ପାଇ ପୁୟୁକୁ ଦୋଷ ଦେଉଛି। ରାତି ସାରା ସେ ପୁୟୁର ଦୋଷ ଗଣୁଛି।
ସକାଳ ହେଲା। ପୁୟୁ ଆସି ରାସ୍ତାରେ ଅନେଇଁଦେଇ ଯାଉଛି, ଆଜି ତା ବାପ ଘର ଗାଁରୁ ଲୋକ ଆସିବେ। କାଲି ଭୁର୍ଷା ମୁଣ୍ଡା ବାରିକ ଖବର ନେଇ ଯାଇଥିଲା।
ସେଠି ତା'ର ବାପା ମା' ନାହାନ୍ତି। ଗଲେଣି କେଉଁ ଦିନରୁ। ଖାଲି ବୁଢ଼ୀଗୁଡ଼ାକ, ବଉଁଶ କୁଟୁମ୍ବ ଅଛନ୍ତି, ତାଙ୍କ ଭିତରୁ କେହି କେହି ଆସିବେ, ପୁଅର ନାହି ପଡ଼ିଛି, ମଉଳା ଘରୁ କେହି ନ ଆସିଲେ ନ ହୁଏ।
ପୁୟୁ ଜାଣେ ଏତେ ସକାଳୁ ତାଙ୍କ ଗାଁରୁ କେହି ଶୀତର କୁହୁଡ଼ି ପହଁରି ଆସିପାରିବେ ନାହିଁ। ତଥାପି ତା'ର ନିଜ ଗାଁର ସମସ୍ତଙ୍କ କଥା ମନେ ପଡୁଛି। ପୁବୁଲିକୁ ସେ କହିଲା, "ବେଗେ ସଜ ହେଇ ପଡ଼, ଆଜି ମୋ ବାପଘରୁ ଲୋକ ଆସିବେ।"
ଦିଉଡୁ ଲେଞ୍ଜୁ ଦିହେଁଯାକ ଆସି ଖାଇପିଇ ଗଲେ। ଦିହିଁଙ୍କ ମୁହଁ ଭାରୀ ଭାରୀ, ମୁହଁ ଖାଲି ଗରଗର।
ପୁୟୁ ପୁବୁଲି ଗାଧୋଇ ପାଧୋଇ ସଫାସୁତର ହେଲେ, ମୁଣ୍ଡ ବାନ୍ଧିଲେ। ଗାଁ ପୁରୁଷ ଲୋକେ ସବୁ କ୍ଷେତକୁ ଚାଲିଗଲେ। ଅଧା ଟୋକୀ କ୍ଷେତକୁ ଚାଲିଗଲେ। ବେଳ ମୁଣ୍ଡ ଉପରକୁ ଉଠି ତଳକୁ ଖସିଲଣି। ଦୂରରୁ ଗୀତ ଶୁଭିଲା। ଅଚିହ୍ନା କଣ୍ଠରେ କେଉଁ ବାଟୋଇ ଦଳ ଗୀତ ଗାଇ ଗାଇ ଚାଲିଛନ୍ତି। ତା'ର ଜବାବ ଦେଉଛନ୍ତି କ୍ଷେତରେ କାମ କରୁଥିବା ଏ ଗାଁର ଧାଣ୍ଡିମାନେ। କନ୍ଧ ଦେଶରେ ଧାଣ୍ଡି ପଲ ଦେଖିଲେ ଧାଣ୍ଡା ପଲ ଗୀତ ବୋଲନ୍ତି। ଏମାନେ ଥରକୁ ସେମାନେ ଥରେ। ବାଟ ଚଲାଳୀ ବି ନିଜ ମନ କଥା ଗୀତରେ ଗୀତରେ ବାଟକୁ ଶୁଣେଇ ଶୁଣେଇ ଯାଏ। ଉନ୍ନତ ପ୍ରକୃତି ମଣିଷକୁ ଧରି ଗୀତ ଗୁଆଏ, ନଚାଏ, ମତାଏ, କନ୍ଧ ଦେଶରେ ସବୁ ଚାଲେ ଗୀତରେ।
ଗୀତର ଶବ୍ଦ ପାଖ ହେଲା। ପୁୟୁ କାନ ଡେରିଲା। ଗହଳ ହୋଇ ଗୀତ ଚହଲି ଆସିଲା, ପୁୟୁ ଅର୍ଥ ଧରିଲା।
ପୁରୁଷମାନେ କହୁଛନ୍ତି, "ଆରେ ଅଚିହ୍ନା ଟୋକୀମାନେ, ଶରଧାରେ ଆମେ ନାଁ ଦେଉଛୁ ନିଲସ, ତାଲସ, ଲେମ୍ବର, ଜାମ୍ବର.. ତୁମେ ନିଅ, ହୁଏତ ଆମକୁ ମନେ ରଖିଥିବ। ତୁମେ କ'ଣ ସତେ ଆମକୁ ପଚାରିବ ? ଜୁଳୁଜୁଳିଆ ପରି ଝିଲିକି ଦେଇ ତୁମେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯିବ। ତୁମେ ଆମକୁ ଚାହିଁ ରହିବା ଖାଲି ଗାତରୁ କଙ୍କଡ଼ା ଅନେଇଲା ପରି, ଆମେ କ'ଣ ଜାଣି ନାହୁଁ ?
ଗୀତ ଥିଲା "ସୁନାଗୁଣ୍ଡା ଡୁଲାନା ହେ।"
ଏ ଗୀତ ଶୁଣି ପୁୟୁ ଦୌଡ଼ି ଆସିଲା। ଏଇଭଳି ଅସଂଖ୍ୟ କନ୍ଧ ଗୀତ ସେ ପିଲାଦିନୁଁ ଶିଖିଛି। ପୁୟୁ ଦେଖିଲା ଗାଁର ଟୋକୀମାନେ ମଧ୍ୟ ଗୀତର ଜବାବ ଦେବା ଆରମ୍ଭ କରିଦେଲେଣି - "ସୁନାଗୁଣ୍ଡା ସାଙ୍ଗକୁ ହିଙ୍ଗା (ହଳଦୀ) ଗୁଣ୍ଡା। ନା, ତୁମେ ସିନା ଧନୀ ସୌଦାଗର। ଏତେ ହଳଦୀ ସାଇତିଛ, ତୁମ ଘରେ ସବୁବେଳେ ହଲଦୀଗୁଣ୍ଡା ଝଡୁଛି।
ଦୂର ବାଟର ବାଟୋଇ, ମାନ ଅଭିମାନ ଭୁଲିଯାଅ, ପରିଶ୍ରମ ଭୁଲିଯାଅ, କାମ ତ ସବୁବେଳେ ଲାଗିଛି, ଆସ ଆମ ଗାଁକୁ ଆସ, ଆମ ଗାଆଁରେ ଅଟକି ଯାଅ, କେତେ ଗୀତ ଗାଇବା, ନାଚ ନାଚିବା, ଦେଖିବ, ଆମେ ତୁମକୁ ଭୁଲିବୁ କି ତୁମେ ଆମକୁ ଭୁଲିବ।"
୩.୮.୧୯

No comments:
Post a Comment