ସଞ୍ଜ ହେଲା, ଲୋକ ଜମିଲେ, ଦିଉଡୁ ଲେଞ୍ଜୁ ଘରକୁ ଫେରିଲେ। ହାକିନାକୁ ଘରକୁ ଅଣାଗଲା। ସାନ ପୂଜାଟିଏ କରି ତା'ର ବାପଘରର ଲୋକେ ଓ ମାମୁ ଘରର ଲୋକେ ଏକାଠି ହୋଇ ହାକିନାକୁ ଆଶୀର୍ବାଦ କଲେ -
"ବହୁତ ଆୟୁଷ ହେଉ।
ବଣର ପିଲା, ବଣ ପରି ଦିଶୁଥା ସବୁବେଳେ ପୂର୍ଣ୍ଣ।
ଝରଣା ପରି ତୋର ଜୀବନ ବହିଚାଲୁ।
ସୁଖରେ ଥା, ଶାନ୍ତିରେ ଥା।
ସ୍ତ୍ରୀ, ପୁତ୍ର, ଧନ, ଜନ କୋଉଣସିଥିରେ ତୋର ଅଭାବ ନ ହେଉ।
ବାଜା ବାଜୁଥାଏ। ଦୁଇକୁଳର ଲୋକେ ବସିଥାନ୍ତି। ସାନ ଅଗିଟିଏ ଜଳୁଥାଏ। ସାନ ଛାମୁଡ଼ିଆଟିଏ ତିଆରି ହୋଇଥାଏ। ପୁରୋହିତ (ଜାନି) ମନ୍ତ୍ର ବୋଲୁଥାଏ, ସବୁ ଦିନ ବାର ମାସର ନାଁ ଧରି କନ୍ଧ ଦେଶର ପ୍ରତ୍ୟେକ ପର୍ବତକୁ ସ୍ମରଣ କରି କରି ମଙ୍ଗଳ ବର୍ଷଣ କରୁଥାଏ। ସବୁ ମଙ୍ଗଳରେ ବଢ଼ି ସରବୁ ସାଓଁତାର ଡୁମା ଦିଉଡୁ ସାଓଁତାର ପୁଅ ସ୍ୱାଧୀନ ଆନନ୍ଦରେ ହସ ଖୁସିରେ କାଳ କଟେଇ ଯିବ କନ୍ଧ-ପୃଥ୍ଵୀରେ, ରାଜ୍ୟ ଉଜ୍ଜ୍ୱଳ ହେବ, କୁଳ ଉଜ୍ଜ୍ୱଳ ହେବ।
୫.୮.୧୯

No comments:
Post a Comment