ପର୍ବତ ଉପରେ କନ୍ଧର ଚାଷ। ତଳେ ସେ ଯେଉଁ କ୍ଷେତକୁ ସବୁ ଦିନିଆ କରି ଛାଡ଼ି ଦେଇ ଯାଇଛି ସେସବୁ ପରର। ଧୀରେ ଧୀରେ ସାହୁକାର ଆସିଲେ, କ୍ଷେତ ବଢ଼େଇଲେ, କନ୍ଧିଆ ଦେଶରେ ଚେର ମଡ଼େଇଲେ। ସେମାନେ ତ ବନ୍ଧୁ ହୋଇ ଆସି, ସଙ୍ଗାତ ମୈତ୍ର ବସି, ମଦ ପାଣି ଦେଇ ଧୀରେ ଧୀରେ ଚେକାମାଡ଼ି ବସନ୍ତି। ଚଞ୍ଚକତା କରି କାଗଜରେ ଟିପ ଚିହ୍ନ ନେଇ ଜମି ଦଖଲ କରି ନିଅନ୍ତି। କିଏ ବନ୍ଧା ରଖିଛି ବୋଲି କହି ବିକ୍ରି କାଗଜ ପତ୍ର କରି ଛୁ। କିଏ ରସିଦ ନେଉଛି କହି ତ୍ୟାଗପତ୍ର ଲେଖେଇ ନେଉଛି।
ଅନ୍ଧାରି ବଣ, ତହିଁକି ବାଟ ନାହିଁ। ଚାରିପାଖରୁ ଧୀରେ ଧୀରେ ସାହୁକାର ଆସୁଛନ୍ତି, ଧୀରେ ଧୀରେ ତାଙ୍କର ବେପାର ବଢୁଛି, ତାଙ୍କର ସହର ବସୁଛି, ଗାଁ ବସୁଛି। ଦେଶୀଆର ଧନ, ଦେଶୀ ଆଳୁ କରଜ ଲଗାଇ ସେମାନେ ସୁଧ ଖାଇବେ, ଦେଶିଆ ତାଙ୍କର ଗୋତି ହେବ, ତାର ପୁରୁଣା କ୍ଷେତ ଚଷିବ, କିନ୍ତୁ ଚାକର ହୋଇ।
ସେ ଠକେଇରେ ତ ପଡ଼େ, ପଇସା ସରେ, ଗୋତି ହୋଇ ଆପଣା ଧିଆତି ଉପରେ ଆପଣା ପୁଅ ନାତିଙ୍କ ଧିଆତି ବି ବାନ୍ଧିଦିଏ ଖଟି ମରିବାକୁ। ଏତିକିରେ ତା'ର ନିସ୍ତାର ନ ଥାଏ, ବାହାର ଗୋରାଲୋକେ ବଣ ଭିତରକୁ ଆଖିଝଲସା ନୂଆ ଆଲୁଅ ଆଣନ୍ତି, ଆଣନ୍ତି ରଙ୍ଗ ରଙ୍ଗର କାଚ, ବଣବାସୀ ସେଥିରେ ମାତିଯାଏ। କେବେ ଆପଣା ହାତରେ ତିଆରି କରି ସେ ଧୁଙ୍ଗିଆ ପିଉଥିଲା, ଏମାନେ ତାକୁ ଦେଖାଇଲେ ବିଡ଼ି। ଆପଣା ହାତରେ ବୁଣି ସେ ଲୁଗା କରୁଥିଲା, ଡମ୍ବର ଖଦି, କୁମ୍ଭପକା ମୋଟା ଲୁଗା,ପରଜା ପାଞ୍ଚିଆ, ବାଘ ପଟିଆ ଲୁଗା, ସହରୀ ସଭ୍ୟତା ଏ ସବୁ ବୁଡ଼ାଇଲା, ତାଙ୍କୁ ଦେଖାଇଲା ଲୁଗା, କୋଟ, କମିଜ।
ଦେଶୀଆ ବାବୁ ହେବାକୁ ମନ କରେ, କୌପୀନି ପିନ୍ଧେ, ଅଥଚ ଦେହରେ ଖଣ୍ଡେ କୋଟ ଲଗାଏ, ନିଜ ଭାଷାକୁ ଘୃଣା କରେ, ସହରୀ ଭାଷା ଶିଖେ। ରାସ୍ତାକଡ଼ର ଦେଶୀଆମାନେ ଆପଣାର ଭାଷା ଭୁଲିଗଲେଣି, ବେଶ ଛାଡ଼ିଲେଣି, ତାଙ୍କର ଘର ତିଆରି କି ଘରକରଣାର ପ୍ରାଚୀନ ଶୈଳୀ କେବେଠୁଁ ଗଲାଣି। ସାମାଜିକ ଜୀବନ ବି ବିଭ୍ରାଟ, ନୂଆ ସଭ୍ୟତାର କବଳରେ ପଡ଼ି ସମାଜ ଭାଙ୍ଗିଛି, ସାବୁନ-ଧୂଆ ଶାଢ଼ୀ ପିନ୍ଧା ସ୍ତ୍ରୀଲୋକ ମେସିନ ଧୂଆ ଚକାଚକ୍ ପିନ୍ଧା ବାହାର ପୃଥିବୀର ପୁରୁଷଙ୍କ ଆଡ଼କୁ ଚହଲି ଯାଇଛନ୍ତି।
କନ୍ଧ ଅଭିଧାନରେ 'ବେଶ୍ୟା' ଶବ୍ଦର ପ୍ରତିଶବ୍ଦ ନାହିଁ, ଗଦବା ଅଭିଧାନରେ ନାହିଁ, କିନ୍ତୁ ସୌର ପଲ୍ଲୀ ହାଟ, ନାରଣପାଟଣା, ବନ୍ଦୁଗାଁ, ଆଲମଣ୍ଡାର କନ୍ଧ ଓ ଡୁମରିପୁଟ କୋରାପୁଟ, ସିମିଳିଗୁଡ଼ା, ଜଇନଗର, ନବରଙ୍ଗପୁରର ଗଦବା, କୋରାପୁଟ ପାଖ ଚିନ୍ଦିରଗାଁ ଓ ଆଉ କେତେ ଅଞ୍ଚଳର ପରଜା ଏବଂ ସବୁ ଅଞ୍ଚଳର ନୂଆ ହାୱା ଲାଗିଥିବା ଖ୍ରୀଷ୍ଟିଆନ ଡମ୍ବ ବା ପାଣ ଏମାନଙ୍କ ଅଭିଧାନରେ ଖରାପ ଶବ୍ଦର ଆବଶ୍ୟକତା କେବେଠୁଁ ହେଲାଣି, ଜାତିକ୍ଷୟକାରୀ ରୋଗ ତ ନିଆଁ ପରି ମାଡ଼ି ଚାଲିଛି। ବଣ ଆଉ ସଡ଼କ ଧୂଳିର ସଂଘର୍ଷରେ ଯେଉଁମାନେ ନୂଆ ରୂପ ପାଉଛନ୍ତି ସେମାନେ ବିଶ୍ୱାମିତ୍ର ସୃଷ୍ଟି ପରି, ସେମାନେ ଉଦ୍ଦେଶ୍ୟହୀନ କାମକ୍ଷୁଧାର ଫଳ। ତାଙ୍କର ଗଠନପାଇଁ ବଛାବଛି ନ ଥିଲା କି ଯୋଜନା ନ ଥିଲା। ମସ୍ତିଷ୍କ ଦୁର୍ବଳ, ମନରେ ବିକଟ ପାଶବିକତା, ଦେହରେ ରୋଗ ବା ରୋଗର ଉପରୋଗ ଗଣ୍ଠିବାତ, ପେଟଫୁଲା, ଚେହେରା ବିଶିଷ୍ଟହୀନ, ସାହେବ ଆଖି ପରି ଆଖି, ବ୍ରାହ୍ମଣ କପାଳ, କନ୍ଧ ଥୋମଣୀ, ଗଦବା ଭ୍ରୁଲତା।
ସେମାନଙ୍କ ଆଖିରେ ଆଶା ନାହିଁ, ଛାତିରେ ବଳ ନାହିଁ, ସେମାନେ ଦୋକାନ ପାଖରେ ଭିଡ଼ ଲଗାନ୍ତି। ଏଇ ଅଧା ତିଆରି ପ୍ରେତ ଦଳଙ୍କ ଭିତରେ କେଉଁ ଦେଶ ବିଦେଶର କେତେ ବଡ଼ଲୋକ ସାନଲୋକଙ୍କ ପୁଅଝିଅ ଥିବେ କିଏ କହିପାରିବ, ନିଛାଟିଆ ବଙ୍ଗଳା ଘର, ବିଲାତି ମଦ ନିଶା, ଘରଭୁଲା ବାଟୋଇ, ତା'ର ନିର୍ଜନ ବନବାସ, ଲଙ୍ଗଳା ବଣଦେଶ, ସବୁ ମିଶି ବିଶ୍ଵାମିତ୍ର ସୃଷ୍ଟି, ଅନାବନା। ବାଟରେ ବାଟୋଇ ଚାଲିଯାଇଛି, ସେ ତା'ର ସମ୍ମାନ ମୁଣ୍ଡେଇ ବାଟ ଚାଲୁଥିବ କେଉଁ ଦୂରଦେଶରେ, ଏଠି ତା'ର ପ୍ରେତ-ସନ୍ତତି ଯେଉଁମାନେ କେଉଁ କୁଳର ନୁହଁନ୍ତି କୁଲି ଗୋତି ସିଟିଏମ୍ ବେଶ୍ୟା।
୭.୮.୧୯,
୮.୮.୧୯

1 comment:
ବିଶ୍ଵାମିତ୍ର ଅଥବା ବର୍ଣ୍ଣସଙ୍କର ??
Post a Comment