Monday, 19 August 2019

*ଦିଉଡୁ ପୁୟୁ ଭିତରେ ଅନ୍ତର ବଢୁଛି*

ପୁବୁଲି ଓ ଦିଉଡୁ ଡୁମ୍ବାଗୁଡ଼ା ହାଟକୁ ଯାଇଛନ୍ତି। ଯିବା ପୂର୍ବରୁ ପୁବୁଲି ପୁୟୁକୁ ଡାକିଲା, କିନ୍ତୁ ଦିଉଡୁ କିଛି କଥା ହେଲା ନାହିଁ।

ଦସ୍ରୁ କୁକୁର ଆସି ପାଖରେ ଛିଡ଼ା ହୋଇ କେଁ କେଁ ହେଲା, ଲାଙ୍ଗୁଡ଼ ପିଟିଲା। ସେ କହି ଦେବାକୁ ଚାହେଁ ଯେ ତାକୁ ଭୋକ କଲାଣି। ହଠାତ୍ ପୁୟୁ କଅଁଳ ହୋଇଗଲା, ସାଓଁତା କଥା ମନେପଡ଼ିଲା। ସାଓଁତା ଥିଲେ ସେ ଫେରାଦ୍ ହୋଇଥାଆନ୍ତା। ଆଜି ଫେରାଦ୍ ହେବାକୁ କେହି ନାହିଁ।

ଦୀର୍ଘଶ୍ଵାସ ପକାଇ ବିକଳ ହୋଇ ପୁୟୁ ଚାହିଁ ରହିଲା। ହାକିନା ଶୋଇଲାଣି। ଖରା ବଢ଼ିଲାଣି। ଭାଁ ଭାଁ ଲାଗୁଛି। ଦସ୍ରୁ ମୁଣ୍ଡ ଆଉଁସି କହିଲା, "ଭୋକ କଲାଣି କି ରେ ? ରଇଥା ଖାଇବାକୁ ଦେବି।"

ପାଖ ଘରର ଦୁଆରମୁହଁରେ ଜାମିରି କନ୍ଧର ବୁଢ଼ୀ ଗାଧୁଆ ପାଣି ଥୋଇ ଦେଇଗଲା। ବୁଢ଼ା ଜାମିରି କନ୍ଧ ଗାଧୋଇବାକୁ ଆସି ବସିଲା। ସବୁଦିନ ଗାଧୁଆ ଗୋଟେ ଘଣ୍ଟା ଚାଲେ। ବୁଢ଼ୀ ବୁଢ଼ାକୁ ଗାଧୋଇଦିଏ। ନାଉ ଅଣକାରେ ପାଣି ଆଣି ବୁଢ଼ୀ ବୁଢ଼ା ଉପରେ ଅଜାଡ଼ିଲା, ଘଷାପୋଛା କଲା। ସ୍ଵସ୍ଥିର ଭଙ୍ଗୀରେ ଉଜ୍ୱଳ ମୁହଁ କରି ସବୁଦିନ ବୁଢ଼ା ଦୁଆର ମୁହଁରେ ବସେ। ବୁଢ଼ୀର ଅଲିଅଳ ସହୁଥାଏ।

କନ୍ଧ ଦେଶରେ ସ୍ୱାମୀଙ୍କୁ ଗାଧୋଇଦେବା ସ୍ତ୍ରୀର ଅଧିକାର ଓ ଅଭ୍ୟାସ। ଯେ ଯେତେ ହସୁ, କନ୍ଧ ଦାମ୍ପତ୍ୟ ଜୀବନର ଏତିକି ସୁଆଙ୍ଗ ଗୋଟିଏ ପୁରୁଣା ଶିଷ୍ଟାଚାର।

ପିଲାଝିଲା ଜନ୍ମ ହୋଇଛନ୍ତି, ବଡ଼ ହୋଇଛନ୍ତି, ଆପଣା ଆପଣା ଘର କରିଛନ୍ତି ଅଲଗା ଅଲଗା। ବୁଢ଼ା ବୁଢ଼ୀ ପରସ୍ପରକୁ ଆଦରି ପଡ଼ି ରହିଛନ୍ତି ସେକାଳରୁ ଏ କାଳ ଯାଏ।

ପୁୟୁ ଡାକିଲା, "ଏ ଆଈ, ଏଣିକି ଆ।"

"କ'ଣ,  ଗଲୁ ନାହିଁ କିଲୋ ହାଟକୁ ? ହଁ, ପିଲାବୁଆଳିଟିଏ ଯିବୁ କେମିତି ? ବସି ରହିଛୁ ଯେ, ଖିଆପିଆ ସାରିଲୁଣି ?"

"ଆଜି ରନ୍ଧା ନାହିଁ, ଦେହଟା ଭଲ ଲାଗୁ ନାହିଁ।"

"ଉପାସ ରହିବୁନା କ'ଣ ? ଏ କି ଛୋପରି କଥା ?"

"ନାଇଁ ସତେ ମ।"

"ଛି ଛି ଏ ଗୋଟିଏ କଥା ନା। ଆ ମୋ ସାଙ୍ଗରେ ଗଣ୍ଡାଏ ଖାଇଦବୁ। ନ ଖାଇଲେ ଦୁଧ ଶୁଖିଯିବ ଲୋ, ପିଲାଟା ଖାଇବ କ'ଣ ?"

"ଭଲ ଲାଗୁ ନାହିଁ ଆଈ, ଖାଇବାକୁ ମନ ହେଉ ନାହିଁ।"

"ହଉ ହଉ ଆ ଆ -" ବଳେ ବଳେ ବୁଢ଼ୀ ଓଟାରି ନେଇଗଲା। ମନକୁ ମନ ସ୍ୱାଧୀନ ମତାମତ ଗାଇ ଲାଗିଥାଏ, ଦେଖ୍ ତ ଏବେ କାଳ ପିଲାଙ୍କ କଥା - ହଁ ମୁଁ ଜାଣେ ଲୋ ସବୁ ଜାଣେ। ଆ ଆ।"

ବୁଢ଼ା ଅପେକ୍ଷା କରି ବସିଥିବ, ବୁଢ଼ୀ ନ ଗଲେ ସେ ଖାଇବ ନାହିଁ। କେବଳ ସ୍ନେହ, ଭଲ ପାଇବାର ବିବାହ ବନ୍ଧନ ଯେଉଁଠି ସହି ନ ହୁଏ ସେଠି ଭାଙ୍ଗେ, ଯେଉଁଠି ନ ଭାଙ୍ଗି ରହିଥାଏ ସେଠି ବଜ୍ର ପରି ଟାଣ, ଶେଷଯାକେ।

୧୯.୮.୧୯

No comments: