ଦିଉଡୁ ବେଜୁଣୀକୁ ଡାକିବାକୁ ଗଲା। ଗାଁ ମୁଣ୍ଡରେ ଗୋଟିକିଆ ଘରଟିଏ ବେଜୁଣିର। ଚାରିପାଖେ ମୁର୍ଗାବୁଦାର ବାଡ଼, ଭିତରଟା ଅରମା, ତାହାରି ଭିତରେ ଭଙ୍ଗା ଦଦରା ଖଣ୍ଡେ ଚାଳି। ବେଜୁଣୀ ବୁଢ଼ୀ ସେଇଠି ଥାଏ, ତା'ର କେହି ନାହିଁ। କନ୍ଧ ସମାଜରେ ବେଜୁଣୀର ଗୋଟିଏ ବିଶିଷ୍ଟ ସ୍ଥାନ ଅଛି। ସେ ଚାହିଁଲେ ତାକୁ କାଳିଶି ଲାଗେ, ଯେଉଁ ଦେବତାକୁ ଡାକେ, ସେ ଆସି ତାକୁ ଧରେ। ସେ ବନ୍ଧ୍ୟା। ମଲା ଜୀଇଁଲା ମଝିରେ ବେଜୁଣୀ ବୁଢ଼ୀ ଗୋଟିଏ ଶିଡ଼ି।
ଲୋକେ ତାକୁ ଭଲ ପାଆନ୍ତି ନାହିଁ, ସେ ଅସୁନ୍ଦର। ଛଞ୍ଚାଣର ନଖ ପରି ବଙ୍କା ବଙ୍କା ତା'ର ଆଙ୍ଗୁଠି। ପାଟିରେ ଯୋଡ଼ିଏ ବଡ଼ ବଡ଼ ହଳଦିଆ ଦାନ୍ତ। ଆଖି ଧୂଆଁଳିଆ, ଦେହଯାକ ଚମ ଓହଳିଛି। କେହି ତାକୁ ଭଲ ପାଆନ୍ତି ନାହିଁ, ସମସ୍ତେ ତାକୁ ଡରନ୍ତି। ତା'ର ହାଡୁଆ ଛାତିରେ ନାନା ବର୍ଣ୍ଣର କାଚ ମାଳି, ଗୋଚ୍ଛା ଗୋଚ୍ଛା ଡଉଁରିଆ ଜଡ଼ିବୁଟିର ମାଳା। ସେ ଅସାଧ୍ୟ ସାଧନ କରେ, ନିଆଁରେ ଚାଲେ, କଣ୍ଟାରେ ବସେ, ଖଣ୍ଡାରେ ପେଟକୁ ଭୁସେ। ସେ ଦେଵତାର ବାହନ, ବେଜୁଣୀ।
ଦିଉଡୁ ବେଜୁଣୀ ଘର ପାଖରେ ପହଞ୍ଚିଲା। ପିଣ୍ଡାରୁ ପାଟି ଶୁଭୁଛି। ଦିଉଡୁ ପଶିଲା। ପିଣ୍ଡାରେ ଗୋଡ଼ ଲମ୍ବେଇ ଦେଇ ବେଜୁଣୀ ବସି ଖରା ପୁଉଁଛି, ଝୋଟ ପରି କେରା କେରା ଚୁଟି ଓହଳିଛି, କାନରେ ମନ୍ଦାର ଫୁଲ, ଅଣ୍ଟାରେ ରଙ୍ଗ କନା, ମନକୁ ମନ ଗପୁଛି, ଏମିତି ସେ ମନକୁ ମନ କାହା କାହା ସଙ୍ଗେ କଥାଭାଷା ହୁଏ।
ଦିଉଡୁ ବଡ଼ ପାଟିରେ ଡାକିଲା, "ବେଜୁଣୀ, ହେ ବେଜୁଣୀ।"
ବେଜୁଣୀ - "ନାହି ପଡ଼ିଛି ?"
ଦିଉଡୁ - "ତୁ ଜାଣିଛୁ ?"
ବେଜୁଣୀ - "ମୁଁ ଜାଣିବି ନାହିଁ ? ପୁଣି ସେ ମନକୁ ମନ କହି ଲାଗିଲା, "ସରବୁ ସାଓଁତାର ଆତ୍ମା ଜନ୍ମ ହେଲା, ହାକିନା ହାକିନା। ସରବୁ ଥିଲୁ ହାକିନା ହେଲୁ।"
ଦିଉଡୁ - "ବେଜୁଣୀ ! ଆଜି ଯିବୁ ଆମ ଘରକୁ। ପିଲାର ନାଁ ଦେବୁ ?"
ବେଜୁଣୀ - "ଯିବିରେ ପୁଅ ଯିବି। ନାଁ ଦିଆ ହେବ ତ ? ଗୋରୁ ଲେଉଟାଣି ବେଳେ ଯିବି। ଏବେ ତ ଯୋଗ ନାହିଁ।
ଯା ପୁୟୁକୁ କହିଦେଇଥା, ଗାଆଁରେ କହ।"
ପୁଣି ଦିଉଡୁ ଗଲା ଡିସାରିକୁ ଡାକିବାକୁ। ଡିସାରି ପାଣ୍ଡୁ କନ୍ଧ କ୍ଷେତକୁ ଯାଇଥାଏ। ପାଣ୍ଡୁ କନ୍ଧ ବେଶି ବୁଢ଼ା ନୁହେଁ, ସୁନ୍ଦର ସୁପୁରୁଷ, ଗୋରା ଲୋକଟା। ତା'ର ଐଶ୍ୱରିକ ଶକ୍ତି ଉପରେ ଗାଁ ଲୋକଙ୍କର ବେଶି ବିଶ୍ୱାସ। ସେ କନ୍ଧ ସିଦ୍ଧାନ୍ତି। ତା'ର ଆଡ଼ମ୍ବର ନାହିଁ, ସାଧାରଣ କନ୍ଧଟିଏ। ତାକୁ ଆଗତ ଭବିଷ୍ୟତ ସବୁ ଜଣା। ସେ ବି କହିଲା ଗୋରୁ ବାହୁଡ଼ାଣି ବେଳେ ଆସିବ।
ଦିଉଡୁ ଫେରିଲା ବେଳେ ଭାବୁଥିଲା ଏଇ ହାକିନା ନାଁ ଟି ଭଲ ଶୁଭୁଛି, କିନ୍ତୁ ହାକିନା ମାନେ କାଙ୍ଗାଳୀ। ତା ପୁଅ କ'ଣ ଭୋକରେ ରହିବ ?
ପୁୟୁ ପଡ଼ି ଉଠି କାମରେ ଲାଗିଛି। ପିଲାର ନାଁ ଦିଆହେବ।
ସେଇ ନାଁ ନେଇ ଦେବତାଙ୍କ ଆଶୀର୍ବାଦ ମୁଣ୍ଡେଇ ଶାଳଗଛ ପରି ସିଧାସଳଖ ହୋଇ ମାଳୁଆ ପିତୃପୁରୁଷଙ୍କ ଭୂଇଁରେ ଠିଆହେବ ଏଇ ପିଲା। ପୁୟୁ ତା'ର ମାଆ। କେତେ ବିଘ୍ନ କେତେ ରିଷ୍ଟ ଅଛି ଏଠି ମଣିଷର କପାଳରେ। ବଣରେ ବାଘ, ବିଲରେ ସାପ, କେତେ ଜର, ଥଣ୍ଡା, ଛାତିବଥା। ଦଶଟା ଜନମ କରି ପୋଷି ପାଳି ରହେ, ଯମ ଅଇଁଠା କୋଉଠି ଗୋଟିଏ, ପୁଣି ତା'ର କପାଳ, କେତେ ଧାଡ଼ି ଧାପ ସାହୁକାରର, ବଡ଼ଲୋକଙ୍କର। ପର୍ବତ ମୁଣ୍ଡେଇ ସେ ପୁଣି ମଣିଷ ହେବ, କେହି ଦୃଷ୍ଟି ନ ଦେଉ, କେହି କୋପ ନ କରୁ, ଆହା !
୧.୮.୧୯

No comments:
Post a Comment