Tuesday, 6 August 2019

*ଏଇଟା ତ ଆରମ୍ଭ ମାତ୍ର*

ପୂଜା ସହିତ ରାତିସାରା ଧଣ୍ଡା ଓ ଧାଣ୍ଡିମାନଙ୍କର ଗୀତ ଚାଲିଲା। ଗୀତରେ ନାଚରେ ବେଶୁ କନ୍ଧ ସମସ୍ତଙ୍କ ଆଗରେ ଥାଏ। ଗୀତରେ ମାତି ସେମାନଙ୍କୁ ପୁଷର ଶୀତ ଜଣାପଡୁ ନଥାଏ। ବୁଢ଼ା ବୁଢ଼ୀମାନେ ସମସ୍ତେ ରୁଣ୍ଡ ହୋଇ ଏ ନାଚ ଦେଖୁଥିଲେ। ଗୀତ ସରିବା ପରେ ପୁବୁଲି ଏବଂ ତାର ସାଥୀମାନେ ମିଟିଂ ଗାଁର ଏଇ ଧଣ୍ଡା ମାନଙ୍କ ସହ କଥା ହେଲେ।

ସକାଳ ହେଲା। ନିତିଦିନିଆ ମଳିଧୂଳିଆ ଗାଁ ଗୋହିରିର ଗତ ଚାଲିଛି ନା ଚାଲିଛି। ରାତିର ସ୍ମୃତି କେଉଁଠି ଛିଣ୍ଡା ଫୁଲ ଗଭାରୁ ଝଡ଼ିଛି, କେଉଁଠି ରାତି ଅଗିର ଅଙ୍ଗାର ପାଉଁଶ, କେଉଁଠି ଅଇଁଠା ପତର ଓଳିଆ ପୋଳିଆ ହୋଇ ସଫା ହେଲା, ଗାଁ ଦାଣ୍ଡରେ ଛାଁଚୁଣି ଚାଲିଲା, କ୍ଷେତର ମଇ ପରି ଗୋଟିଏ ଚଲା ଛାଁଚୁଣି, ତା ଉପରେ ପିଲାଟିଏ ବସେ, ଦଉଡ଼ି ଲଗାଇ ଜଣେ ଟାଣି ନେଇଯାଏ। ସବୁ ଅଳିଆ ସଫା। ମିଟିଂ ଗାଆଁର ଲୋକେ ଫେରିଗଲେ। କହିଗଲେ ଚଇତକୁ ଆସିବେ।

ବାଟରେ ବେଶୁ କନ୍ଧ ଗୁମ୍ ଥାଏ। ଖରା ତେଜିଲାଣି। ଏଥର ଲାଗୁଛି ବହୁତ ବାଟ, ହଁ ଟୋକୀ ମଙ୍ଗିଲା। ବିଭାହେବାକୁ ତାର ଆପତ୍ତି ନାହିଁ, କିନ୍ତୁ ବିଭାଘର ହେବ କିପରି ? ନାନା ଯୋଜନା ଖେଳୁଥାଏ ମୁଣ୍ଡ ଭିତରେ। ସେ ସାଧାସିଧା ଲୋକ। ଦାୟିତ୍ୱ କଥା ଭାବିଲେ ସବୁ ଗୋଳମାଳ ହୋଇଯାଏ। ପୁବୁଲି ଏଥର ଆଉ ଦି ପଦ କଥା ହୋଇଥିଲେ ଭଲ ହୋଇଥାନ୍ତା।

ବେଶୁ କାହିଁକି ଏ ଗାଁକୁ ଧାଇଁ ଆସିଥିଲା ? କଣ କନ୍ୟା ଠିକଣା କରିବା ପାଇଁ ? ତାକୁ ବଡ଼ ଦାୟିତ୍ୱ ମିଳିଛି। ସେହି ଦଳର ସେ ବଡ଼ ଶିକାରୀ। ବାଘର ବାସ୍ନା ଆସୁଛି। ଏଇ ନିକଟରେ କେଉଁଠି ବାଘ ଅଛି। ସମସ୍ତେ ସତର୍କ ରହି ବଣ ଭିତରେ ଚାଲୁଥାନ୍ତି। ଡେରି ହୋଇଯିବାରୁ ଆଜି ଶିକାର ମିଳିବ କି ନା ସନ୍ଦେହ।

ବାଟରେ ରନ୍ଧାବସା ଗାଁରେ ପହଁଚି କିଛି ସମୟ ବିଶ୍ରାମ କରି ପୁଣି ଚାଲିଲେ। ନୂଆ ଜାଗାର ନୂଆ ଅନୁଭୂତି ମନେପଡ଼େ। ଦୂରର ସ୍ମୃତି ରହେ ପଛରେ। ଖିଆପିଆ ସରିଗଲା ପରେ କେହି ଖାଦ୍ୟକୁ ଭାବି ଭାବି କବିତା ଗୁନ୍ଥେ ନାହିଁ। ବେଶୁ କନ୍ଧ ପଶ୍ଚାତାପ କରୁଥିଲା। ସେ କିଛି ଠିକଣା କରି ଆସିଲା ନାହିଁ। ପୁବୁଲି କହିଲା, "ଘରଜୋଇଁଆ ଆସ।" ସେଥିରେ ବେଶୁର ମନ ମାନିଲା ନାହିଁ। ସେ ସାଓଁତାର ପୁଅ, ମାନ ଇଜ୍ଜତ ତାର କିଛି ଅଛି କି ନାହିଁ !
ସେ ପୁଣି ନିଜକୁ ବୁଝାଇଲା, ଏଇଟା ତ ଶେଷ ନୁହଁ, ଆରମ୍ଭ ମାତ୍ର।

୬.୮.୧୯

No comments: