ଗାଁର ସ୍ତ୍ରୀଲୋକମାନେ କାଠହାଣି ବଣବୁଲି ବାହାରି ଥାଆନ୍ତି, ପଛେ ପଛେ ବୁଢ଼ୀ ଦରହ ବୁଢ଼ୀ ଦଳ, ସବା ଆଗରେ ଦଳଛଡ଼ା ହୋଇ ଅଭିଆଡ଼ି ଝୁଏ, ମଝିରେ ବୋହୂମାନେ। ବାଟ ଚାଲିଲେ ଆପେ ଆପେ ଦଳର ବିଭାଗ ଫାଟିପଡ଼େ, କେହି ଜାଣିଶୁଣି ସଜେଇ ଦିଏ ନାହିଁ।
ପ୍ରଥମ ଦଳ -
ପୁବୁଲି ଆଗରେ ଥାଏ, ଅଗ୍ରଗାମୀ ପ୍ରଜାପତି ବାହିନୀ ତାଙ୍କର। ସେହି ଦଳରେ ରେନ୍ଦ, କାଠ୍କ, ଟିଟ, ପୁଲ୍ମେ। କାମ କରିବା ଖାଲି ଗୋଟେ ପତିଆରା, କାମ ପାଇଁ କାହାରି ଗରଜ ନାହିଁ, ଖାଲି ମନ ଆରା ଖୋଜେ ସମସ୍ତିଙ୍କଠୁଁ ଅଲଗା ହେବାକୁ, ହାତକୁ ହାତ ଛନ୍ଦି, ବେକରେ ବେକ ଖଞ୍ଜି ଦେଇ କାନ ପାଖେ ଫୁସ୍ ଫୁସ୍ ହେବାକୁ, ଅକାରଣରେ ହସିହସି ଗଡ଼ିବାକୁ। କଳରବର ଅର୍ଥ ନାହିଁ, ଉଦ୍ଦେଶ୍ୟ ରହିଛି, ଯୌବନର ସ୍ବପ୍ନର ରୂପାନ୍ତର ଆନନ୍ଦ। ରୂପାନ୍ତରିତ ସ୍ୱପ୍ନର କାହାଣୀରେ ଛିଣ୍ଡା ଛିଣ୍ଡା ଅନୁଭୂତିର କଥା ପଡ଼ିଯାଏ, କେବେ କିଏ ଦି' ଘଡ଼ି ଆଖି ଝଲସେଇ ଦେଇ ଚାଲିଯାଇଥିଲା, କେହି ତାକୁ ଗଣ୍ଠି ପକେଇ ସାଇତି ରଖି ନାହିଁ, ସେ ଖାଲି ଗୋଟାଏ ପ୍ରତୀକ, ମନର ତଳେ ତଳେ ତା'ର ଛାପା ନାହିଁ, ତେଣୁ ସେ ହସର ଉପାଦାନ। ସାନ ସାନ କଥା, ଭାଷା ଅଳ୍ପ, ଅଭିବ୍ୟକ୍ତି ବେଶି, ପଛେ ପଛେ ହସ। ହସୁ ହସୁ କେହି ଜଣେ ମାଡ଼ି ପକାଏ ନିବୁଜା ମନର କେଉଁ ଗହୀର ସ୍ମୃତିକୁ। ଶୋଇ ଶୋଇ ଯେ ଅପେକ୍ଷା କରି ରହିଥିଲା କେଉଁ 'ରେଦାସୀ' ଯୋଗକୁ। ଅଜାଣତରେ ମାଡ଼ି ପକାଏ। ଆଖି ଖୋଲେ, କିରୀଟିକୁଣ୍ଡଳ ପିନ୍ଧା ହସ ହସ ଉଜ୍ଜ୍ୱଳ ମୁହଁ, ସ୍ୱପ୍ନରେ ଭାସିଲା ଭାସିଲା, ଚାରିଆଖି ଏକାଠି ହୁଏ, ଯୁବତୀର ଚହଲା ହସ ଆଉ ଚହଳ ପକାଏ ନାହିଁ। ଅନନ୍ତ ଶବ୍ଦ-ବ୍ରହ୍ମର ପୃଷ୍ଠପଟରେ ବାଜେ ଅନାଦି ମନ୍ତ୍ରର ଧ୍ଵନି, ଯୁବତୀ ମୁଣ୍ଡ ନୂଆଏଁ। ଦଳରୁ ଫିଟିପଡ଼ି ଏକୁଟିଆ ଅଳସେଇ ରହେ, ପାଦ ଭାରୀ ଭାରୀ। ଧାର ଆଖିରେ ଭାବର ନିଶା। ପହଲି ଚମକ ସମ୍ଭାଳି ନେଇ ଅନେଇଁ ଦେଖେ ଚାରିଆଡ଼େ ନୂଆ ବଉଳ, ନୂଆ ପତ୍ର, ନୂଆ ଫୁଲର ଝଡ଼ି ତୋଫାନ, ସେ ବି ଆପଣାର ବକଳ ଝାଡ଼େ।
୧୨.୮.୧୯
୧୩.୮.୧୯

No comments:
Post a Comment