Sunday, 4 August 2019

*କନ୍ଧ ଗାଁରେ ସଭା*

ପୁବୁଲି ଦଳରେ ଭିଡ଼ିଲାଣି, କନ୍ଧ ଧାଣ୍ଡି କନ୍ଧ ଧାଣ୍ଡାର ଗୀତ ଶୁଣି ତୁନି ହୋଇ ରହିପାରେ ନାହିଁ। ପୁରୁଣା ଗୀତ, ନୂଆ ନୁହେଁ, କିନ୍ତୁ ଯେତେ ଥର ଶୁଣିଲେ ସୁଦ୍ଧା ହସ ମାଡ଼େ। ହାକିନା ଡବଡବ ଆଖିରେ ଅନେଇ ରହିଲା। ଗାଁର ଟୋକୀମାନେ ଏକାଠି ହୋଇ ଦୁଆରମୁହଁକୁ ହଟି ଆସିଲେ।

ପାହାଡ଼ ଢାଲୁ ଉପରକୁ ଧୀରେ ଧୀରେ ଗୋଟାଏ ପଛେ ଗୋଟାଏ ଛଅଟି ମୁଣ୍ଡ ଛଅଟି ବେକ ଉଠିଲା। କାନ୍ଧରେ କାଉଡ଼ି ଭାର, ଟାଙ୍ଗିଆ, ହାତରେ ବର୍ଚ୍ଛା, ଠେଙ୍ଗା।

ପୁୟୁ ଦଉଡ଼ିଗଲା, ସେମାନେ ତା' ବାପଘର ଗାଁଲୋକ। ସମସ୍ତିଙ୍କର ଗୋରା ତକତକ ବଳିଷ୍ଠ ଦେହ, ସମସ୍ତେ ନିଘଞ୍ଚ ବଣ ଭିତରର ଶିକାରୀ, ସମସ୍ତଙ୍କ ହାତରେ ବର୍ଚ୍ଛା ଓ କାନ୍ଧରେ ମସ୍ତବଡ଼ ଓଡ଼ିଆ ନଳି।

ମିଟିଂ ଗାଁ ଲୋକେ ଢାଲୁ ଉପରକୁ ଚଢ଼ିଗଲେ, ଗୀତ ବନ୍ଦ ହେଲା। ଭାରରେ ଫେଣା ଫେଣା କଦଳୀ, ଚାରୋଟି କୁକୁଡ଼ା, ଟୋକେଇରେ ଆପଣାର ଖାଦ୍ୟ ସରଞ୍ଜାମ, କୁଣିଆ ଘରକୁ ପିଠା। ପଛରେ ଜଣେ ବୁଢ଼ା କନ୍ଧ ଚାଲିଛି, ମୋଟା କନ୍ଧ - ସମ୍ପର୍କରେ ପୁୟୁର କକେଇ। କିଛି ଦୂରରେ ବାଡ଼ି ଭରାଦେଇ ଚାଲି ଆସୁଛି ଏ ଗାଁର ବାରିକବୁଢ଼ା ଭୁର୍ଷାମୁଣ୍ଡା ଡମ୍।

ସମସ୍ତେ ଆଗେଇ ଆସିଲେ, ଝୋଡ଼ି ଗଛମୂଳେ ବେଶୁ କନ୍ଧ ଅଟକି ରହିଲା। ସେତେବେଳକୁ ବେଳ ରତରତ ହେଉଛି, ଝଙ୍କା ଝୋଡ଼ି ଗଛ ବାଳମୁକୁଳା କନ୍ଧୁଣୀ ପରି ଥକ୍କା ହୋଇ ଠିଆ ହୋଇଛି, ହରଡ଼ ଚଢ଼େଇ କୋଳି ଖାଉଛନ୍ତି। ବେଶୁ ଭାବିଲା ଏକାଥରକେ ତା'ର କରାମତି ଦେଖାଇବ, ବନ୍ଧୁ ଘରକୁ ଭେଟି ସଜାଡ଼ିବ। ନଳି ଉଠେଇ ବେଶୁ କନ୍ଧ ଢୁ' କଲା, ଚାରିଟା ହରଡ଼ ଚଢ଼େଇ ଟଳି ପଡ଼ିଲେ। ଗାଁର ସମସ୍ତେ ଦୌଡ଼ି ଆସିଲେ। ଏ ଗାଁର ଲୋକ ସେ ଗାଁର ଲୋକଙ୍କୁ ଅଭ୍ୟର୍ଥନା କରି ଗାଁ ଭିତରକୁ ପାଛୋଟି ନେଇଗଲେ। ଦିଉଡୁ ସାଓଁତାକୁ କ୍ଷେତରୁ ଡାକି ଆଣିବାକୁ ଖବର ଗଲା। କନ୍ଧ ରୀତିରେ ସମସ୍ତଙ୍କୁ ଅଭ୍ୟର୍ଥନା କରାଗଲା।

ତା ପରେ କଥା ଚାଲିଲା କାହାର କେତେ ଧାର କରଜ ହୋଇଛି, ସାହୁକାରଠାରୁ କେତେ କିଏ ନେଇଛି। ଧାନ, ମାଣ୍ଡିଆ, ସୁଆଁ, କାନ୍ଦୁଲ, ରାଶି, ଅଳସି, ଜଡ଼ା କାହାର କେମିତି ହେଇଛି। କୋଉ ଅଧିକାରୀ ଆସିଥିଲେ ଖଜଣା ଆଦାୟ କରିବାକୁ ଓ ଘର ତନଖି କରିବାକୁ। ଏଇ କଥା ଧୀରେ ଧୀରେ ସଭାର ରୂପ ଧାରଣ କଲା। ଗପ ଶୁଣିବାକୁ ସ୍ତ୍ରୀଲୋକମାନେ ଜମିଲେ - ପିଲା କାଖେଇ ଡୋକ୍ରୀ (ବିବାହିତା ସ୍ତ୍ରୀ) ମାନେ, ଜୁଡ଼ା ବାନ୍ଧି ମୁହଁରେ ତେଲ ହଳଦୀ ନେସି ଧାଣ୍ଡିମାନେ। କନ୍ଧ ସମାଜରେ ଶିଷ୍ଟାଚାରର ଅଭାବ ନାହିଁ, କନ୍ଧ ବୈଠକରେ ସ୍ତ୍ରୀଲୋକମାନଙ୍କର ବି ସ୍ଥାନ ଅଛି। ସେମାନେ ଆପଣାର ଅଭିମତ ଦେଉଥାନ୍ତି, ଆଲୋଚନାକୁ ଆଗେଇ ନେଉଥାନ୍ତି ସରସ କରି। ବେଶୁ କନ୍ଧର ଶିକାର କାହାଣୀ ସମସ୍ତଙ୍କୁ ଆମୋଦିତ କରୁଥାଏ, ସମସ୍ତେ ତଲ୍ଲୀନ ହୋଇ ତା' କଥା ଶୁଣୁଥାନ୍ତି।

୪.୮.୧୯

No comments: