*ବିଶ୍ୱକଲ୍ୟାଣର ଆଧାର ଏକାତ୍ମ ଦର୍ଶନ*
ହିନ୍ଦୁ ବିଚାରରେ ବ୍ୟକ୍ତିର ବିକାଶର କ୍ରମ ହେଲା ପ୍ରଥମେ ନିଜ ଭିତରେ ଶାନ୍ତି ସ୍ଥାପନ କରିବା। ନିଜ କଥା ସରିଗଲେ ନିଜ କୁଟୁମ୍ବର ସୁଖ ଦୁଃଖର ସାଥୀ ହେବା। ପରିବାର ପରେ ବ୍ୟକ୍ତି ନିଜ ସମାଜ ସହିତ ଓ ଧୀରେ ଧୀରେ ସମ୍ପୂର୍ଣ୍ଣ ମାନବ ସମାଜ ସହିତ ସମରସ ହୁଏ। ଶେଷରେ ସାରା ଚରାଚର ସୃଷ୍ଟି ସହିତ ସେ ନିଜକୁ ମିଶାଇ ଦିଏ ଅର୍ଥାତ୍ ସୃଷ୍ଟିର ସବୁ କିଛି ତାକୁ ନିଜର ଲାଗେ।
କିନ୍ତୁ ପାଶ୍ଚାତ୍ୟ ଜଗତରେ ମନୁଷ୍ୟ ଭୌତିକବାଦ ଉପରେ ଚାଲି ଚାଲି ନିଜ ବିକାଶର ପ୍ରଥମ ଶିଢ଼ିକୁ ଭାଙ୍ଗିଦେଇ ଦୟନୀୟ ହୋଇଯାଇଛି।
ହିନ୍ଦୁ ଦର୍ଶନ, ହିନ୍ଦୁ ଧାର୍ମିକ ପରମ୍ପରା ଭିତରେ ଏଥିରୁ ଉଦ୍ଧାର ହେବାର ବାଟ ଅଛି କି ?
ହିନ୍ଦୁତ୍ୱ କ'ଣ ବୈଶ୍ବିକ ଦର୍ଶନ ହୋଇ ପାରିବ ?
ଏହା ବିଚାର କରିବା ସମୟରେ ଆମେ ଦେଖିବା ଯେ ପ୍ରକୃତରେ ସେହି ସିଦ୍ଧାନ୍ତ ବିଶ୍ୱବ୍ୟାପୀ ହେବାର କ୍ଷମତା ରଖେ ଯାହା ଭିତରେ ସାଧାରଣ ମନୁଷ୍ୟକୁ ସୁଖ ଦେବାର କ୍ଷମତା ଥିବ। ଆମେ ଆଗରୁ ବିଚାର କରିଥିଲେ ସୁଖ କେଉଁଠି ଅଛି ? ମଣିଷ କେମିତି ସୁଖୀ ହୋଇପାରିବ ??
ଏଥିପାଇଁ ଆମକୁ ମଣିଷର ପ୍ରକୃତ ସ୍ୱରୂପ ଜାଣିବାକୁ ହେବ। ଏହି ସ୍ୱରୂପ ଖୋଜିବାକୁ ଯାଇ ଆମେ ଦେଖିଲେ ଯେ ମଣିଷ ଭିତରେ ଥିବା ଶରୀର, ମନ, ବୁଦ୍ଧି, ସ୍ଵଭାଵ, ଚିତ୍ତ, ଅହଙ୍କାର ..ଆଦି ସବୁକୁ ଏକ ସୂତ୍ରରେ ଯୋଡୁଥିବା 'ମୁଁ' ହିଁ ଏହାର ପ୍ରକୃତ ରୂପ ଯାହାକୁ ଆମେ ଆତ୍ମା, ଜୀବାତ୍ମା, ପରମାତ୍ମା, ବ୍ରହ୍ମ ଆଦି ଶବ୍ଦ ଦ୍ୱାରା ସମ୍ବୋଧିତ କରିଥାଉଁ।
*ଆପଣାର ଭାବକୁ ବିସ୍ତାରିତ କରିବା*
ନାଁ, ପଦ ପଦବୀ ଯାହା ବି ଥାଉ କିନ୍ତୁ ଏ ଆତ୍ମାନୁଭୁତି ଦ୍ୱାରା ଅଧିକ ସୁଖ କେମିତି ମିଳିବ ?
ଆମ ଶାସ୍ତ୍ରରେ କୁହାଯାଇଛି ଯେ ଯେତେବେଳେ ଏହି ଆତ୍ମତତ୍ତ୍ୱର ସମନ୍ୱୟ ହେବ, ସାମଞ୍ଜସ୍ୟ ହେବ, ସଙ୍ଘର୍ଷ ନ ହେବ, ପୀଡ଼ା ନ ହେବ ସେତେବେଳେ ସେହି ସ୍ଥିତିରେ ହିଁ ବ୍ୟକ୍ତିକୁ ସୁଖ ମିଳିବ।
କିନ୍ତୁ ଏ ପ୍ରକାର ସାମଞ୍ଜସ୍ୟ ସାଧାରଣ ଜୀବନରେ ସମ୍ଭବ କି ?
ହଁ, ସମ୍ଭବ। ଯେଉଁଠି ଆପଣାର ଭାବ ଥାଏ, ଆତ୍ମୀୟତାର ଅନୁଭୂତି ଥାଏ ସେଠାରେ ସାମଞ୍ଜସ୍ୟ ସହଜ ଓ ସୁଲଭ ହୋଇଯାଏ। ଯେଉଁଠି ସହାନୁଭୂତି ଥାଏ ଯେଉଁଠି ପ୍ରେମ ଥାଏ ସେଇଠି ଆମକୁ ଅଧିକ ସୁଖ ମିଳେ। ଏଥିପାଇଁ ଆମ ଶାସ୍ତ୍ରମାନଙ୍କରେ ଆମ ଆତ୍ମାର ବିକାଶ ଯାତ୍ରାର କ୍ରମକୁ ଏ ଦୃଷ୍ଟିରୁ ବିଚାର କରାଯାଇଛି। ସେଥିରେ କୁହାଯାଇଛି ଯେ ଅଧିକାଧିକ ସମୂହରେ ବ୍ୟକ୍ତି ନିଜର ଅର୍ଥାତ୍ 'ମୋର' ଓ 'ଆପଣାର' ପ୍ରତିବିମ୍ବକୁ ଦେଖି ପାରିଲେ ତା'ର ସୁଖ ବଢ଼ିଚାଲେ। ଯେଉଁଠି ସଂଘର୍ଷ, ଦ୍ଵେଷ ସମାପ୍ତ ହୋଇଯାଏ ସେଠାରେ ମନରେ ଶାନ୍ତି ଆସେ ଏବଂ ବ୍ୟକ୍ତିକୁ ସୁଖ ପ୍ରାପ୍ତ ହୁଏ। ଏହା ସବୁ ଆମର ଦୈନନ୍ଦିନ ଜୀବନରେ ଅନୁଭବର ବିଷୟ। ଏଥିପାଇଁ ଆମର ଏଠାରେ ପ୍ରଥମେ ବ୍ୟକ୍ତି ସ୍ତରରେ ଶାନ୍ତି ଓ ସୁଖର ନିର୍ଦ୍ଧାରଣ କରାଯାଇଛି।
ମୋର ତଥା ଆପଣାର ଭାବରେ ହିଁ ବ୍ୟକ୍ତିକୁ ସୁଖର ଅନୁଭୂତି ହୁଏ। ଏଥିପାଇଁ ସେ ଯେତେ ଅଧିକ ମାତ୍ରାରେ ନିଜର ତଥା ଆପଣାର ଭାବକୁ ବିସ୍ତାରିତ କରେ ତାକୁ ସେତେ ଅଧିକ ମାତ୍ରାରେ ସୁଖ ପ୍ରାପ୍ତ ହୋଇଥାଏ।
ପୁଣି କୁହାଯାଇଛି ଯେ ଯେତେବେଳେ କେହି ସୁଖରେ ଥାଏ, ଆନନ୍ଦ ପାଉଥାଏ, ସେତେବେଳେ ସେ ଏହି ଆନନ୍ଦକୁ ଅନ୍ୟକୁ ବାଣ୍ଟିବା ଉଚିତ। ସାଧାରଣତଃ ଦେଖାଯାଏ ସୁଖୀ ବ୍ୟକ୍ତି ତା ସୁଖ କଥା ନ ବାଣ୍ଟିବା ଯାଏ ଶାନ୍ତିରେ ରହିପାରେ ନାହିଁ। କାରଣ ଏହାଦ୍ୱାରା ତାକୁ ଅଧିକ ଆନନ୍ଦ ମିଳେ। ଅର୍ଥାତ୍ ସୁଖ ବାଣ୍ଟିଲେ ବଢ଼େ।
ଏହାର ବିପରୀତ ଦୁଃଖକୁ ବାଣ୍ଟିଲେ କମେ। ଦଶ ଲୋକ ଆସି ସାନ୍ତ୍ୱନା ଦିଅନ୍ତି। ଦୁଃଖରେ ସହଭାଗୀ ହୁଅନ୍ତି।
ଏଥିପାଇଁ ଆମେ ଉଭୟ କ୍ଷେତ୍ରରେ ଅଧିକାଧିକ ଜଡ଼ିତ ହେବା ସମରସ ହେବା ଉଚିତ।
ସମରସ ହେବା ଅର୍ଥ ଏକାତ୍ମ ହେବା। ଏକାତ୍ମ ଅନୁଭୂତିରେ ସୁଖ ମିଳେ। ଏହାର ବିପରୀତ ସଙ୍ଘର୍ଷ ଓ ବିଦ୍ୱେଷରେ ଶତ୍ରୁତା ବଢ଼େ ଜୀବନ ଦୁର୍ବିସହ ହୋଇଯାଏ।
ଏଥିପାଇଁ ମନୁଷ୍ୟକୁ ସମରସତା ତଥା ସାମଞ୍ଜସ୍ୟର ମାର୍ଗରେ ନେଇଯିବାକୁ ପଡ଼ିବ।
ଜଣେ ସନ୍ଥ ଏହାକୁ ଏକ ସୁନ୍ଦର ଉଦାହରଣ ଦେଇ ବୁଝାଇଛନ୍ତି -
କର୍ଣ୍ଣାଟକର ଧର୍ମସ୍ଥଳରେ ଗୋଟିଏ ବଡ଼ କକ୍ଷ ଅଛି। ସେଇ କକ୍ଷର ଚାରିଟି ଯାକ କାନ୍ଥରେ ଉଚ୍ଚା ଉଚ୍ଚା ଅଇନା ଲାଗିଛି। କାନ୍ଥର ଚାରିପଟେ କାଚ ଅଇନା ଲାଗିଥିବା ହେତୁ ଗୋଟିକର ପ୍ରତିବିମ୍ବ ଅନ୍ୟଟିରେ ପଡୁଛି। ଏହିପରି କେହି ଜଣେ ସେ କକ୍ଷରେ ପ୍ରବେଶ କଲେ ଅଇନା ଭିତରେ ତାଙ୍କର ଶହ ଶହ ପ୍ରତିଛବି ସୃଷ୍ଟି ହୋଇଯାଏ। ଥରେ ସେହି କକ୍ଷରେ ଗୋଟିଏ କୁକୁର ପ୍ରବେଶ କଲା। ତୁରନ୍ତ ତାକୁ ଶହ ଶହ କୁକୁର ଦେଖାଗଲେ। ଗୋଟିଏ କୁକୁର ଆଉ ଗୋଟିଏ କୁକୁରକୁ ଦେଖିଲେ କେମିତି ପ୍ରେମ କରେ, ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ସେ କୁକୁର ଅନ୍ୟ କୁକୁରମାନଙ୍କୁ ଦେଖିବା ମାତ୍ରେ ଖୁବ୍ ଜୋର୍ ରେ ଭୁକିଲା। ଅନ୍ୟ କୁକୁର ଉପରେ ଝାମ୍ପି ତାକୁ ଝିଣି ଦେବା ପାଇଁ ଖୁବ୍ କୁଦା ମାରିଲା। ସେ ଯେତେବେଳେ ଆଗକୁ ଯାଉଥିଲା ଦେଖୁଥିଲା ଆଗରେ ଦଶ କୋଡ଼ିଏ କୁକୁର ତା ଆଡ଼କୁ ମାଡ଼ି ଆସୁଛନ୍ତି। ସେ ଡରିଗଲା। ସେ ବାମ ପଟକୁ ଦୌଡ଼ିଲା, ଡାହାଣ ପଟକୁ ଦୌଡ଼ିଲା ସବୁଠି ସେଇ ଏକା ଦଶା। ଚାରିପଟୁ ଶହ ଶହ କୁକୁର ତା ଆଡ଼କୁ ମାଡ଼ି ଆସୁଛନ୍ତି। ତାକୁ ଆକ୍ରମଣ କରି ମାରିଦେବାକୁ ଉଦ୍ୟତ ହେଉଛନ୍ତି। ଏଇଆ ଭାବି ସେ ଏତେ ଡରିଗଲା ଯେ ତା ହାର୍ଟ ଫେଲ ହୋଇଗଲା। ସେଇଠି ସେ ମରିଗଲା।
ସେଇ କକ୍ଷରେ ଯେତେବେଳେ ମଣିଷ ପହଞ୍ଚେ ସେତେବେଳେ ସେ ଏକା ନୁହଁ, ଶହ ଶହ ତା ନିଜ ପ୍ରତିବିମ୍ବ ଦେଖି ପ୍ରସନ୍ନ ହୁଏ। ଆମକୁ ମଧ୍ୟ ଜଣା ମଣିଷ ନିଜ ପ୍ରତିବିମ୍ବ ଦେଖି କେତେ ଖୁସୀ ହୁଏ। ପୁଣି ଏଠି ସେ ଦେଖେ ଏକ ନୁହଁ ଦୁଇ ନୁହଁ ଶହ ଶହ ନିଜ ପ୍ରତିବିମ୍ବ। ତେଣୁ ସେ ବହୁତ ଆନନ୍ଦିତ ହୁଏ।
କୁକୁର ଓ ମଣିଷ ଭିତରେ ଏ ପାର୍ଥକ୍ୟ କାହିଁକି ?
କାରଣ କୁକୁରକୁ ଜଣା ନାହିଁ ଯେ ଏ ସବୁ ପ୍ରତିବିମ୍ବ ତା'ର ବୋଲି। କିନ୍ତୁ ମନୁଷ୍ୟ ଏହା ଜାଣିପାରେ।
ଏଥିରୁ ଏହା ସ୍ପଷ୍ଟ ଯେ ଯେଉଁଠି ମୋର ଭାବ ଆପଣାର ଭାବର ଅନୁଭୂତି ନାହିଁ ସେଠାରେ ଦ୍ଵେଷ ହୁଏ, ଝଗଡ଼ା ହୁଏ, ମୃତ୍ୟୁ ହୁଏ। କିନ୍ତୁ ଯେଉଁଠି ନିଜର ଭାବ, ଆତ୍ମୀୟତାର ଭାବ, ଆପଣାର ଭାବ ଥାଏ ସେଠାରେ ସ୍ନେହ ଥାଏ, ଆନନ୍ଦ ଥାଏ, ଜୀବନ ଥାଏ।
ଏହି ଆପଣାର ଭାବ ଯଦି ଅଧିକାଧିକ କ୍ଷେତ୍ରରେ ଅଧିକାଧିକ ବିସ୍ତାରରେ ଆମର ଦୃଷ୍ଟିଗୋଚର ହୁଏ ତେବେ ଆମର ଆନନ୍ଦ ସେତେ ମାତ୍ରାରେ ବଢ଼ିଯାଏ। ଏହାହିଁ ଏକାତ୍ମତାର ସରଳ ସୂତ୍ର।
ଏଥିପାଇଁ କୁହାଯାଇଛି -
ଅୟଂ ନିଜଃ ପରୋବେତି
ଗଣନା ଲଘୁ ଚେତସାମ୍।
ଉଦାର ଚରିତାନାଂ ତୁ
ବସୁଧୈବ କୁଟୁମ୍ବକମ୍।।
This is mine, that is his, says the small minded, The wise believe that the entire world is a family.

No comments:
Post a Comment