*ଧର୍ମାତ୍ ଅର୍ଥଶ୍ଚ କାମଶ୍ଚ*
Alexis Carrel କହିଛନ୍ତି ଯେଉଁମାନଙ୍କୁ ବଡ଼ ବଡ଼ ବୈଜ୍ଞାନିକ, କଳାକାର, ଗବେଷକ ହେବାର ଅଛି ସେମାନଙ୍କୁ ନିଜର ବିଷୟ ସୁଖ ତ୍ୟାଗ କରିବାକୁ ହେବ। ଋଷରେ ମଧ୍ୟ ଯେଉଁ ବଡ଼ ବଡ଼ ମାନସିକ ପ୍ରୟୋଗ ହେଉଛି ସେମାନେ ତାଙ୍କ ସାଧକଙ୍କୁ ଶାକାହାରୀ ଭୋଜନ ଦେଉଛନ୍ତି। ସେମାନଙ୍କୁ ପଥ୍ୟ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଶରୀର ସୁଖ ବିଷୟରେ ସଂଯମିତ ରଖାଯାଉଛି। ଆମର ଏଠି ବଡ଼ ବଡ଼ ତପସ୍ୱୀମାନେ ଯେଉଁ ପ୍ରକାର ସଂଯମିତ ଜୀବନ ଯାପନ କରୁଥିଲେ ସେହିପରି ସେମାନେ ମଧ୍ୟ କଷ୍ଟ ସ୍ୱୀକାର କରୁଛନ୍ତି। ଅନ୍ତରୀକ୍ଷ ବିଜ୍ଞାନୀ ମାନଙ୍କୁ ମଧ୍ୟ କଠୋର ଅନୁଶାସନ ପାଳନ କରିବାକୁ ହୋଇଥାଏ। ଏହି ଅନୁଶାସନ ହିଁ ଧର୍ମ। ଧର୍ମ କାରଣରୁ ମଣିଷକୁ ସୁଖ ପ୍ରାପ୍ତ ହୁଏ।
ଭଗବାନ ବେଦବ୍ୟାସ କହିଛନ୍ତି -
ଊର୍ଦ୍ଧ୍ଵବାହୁର୍ବିରୌମ୍ୟୈଷ ନ ଚ କଶ୍ଚିଚ୍ଛୃଣୋତି ମେ।
ଧର୍ମାତ୍ ଅର୍ଥସ୍ୟ କାମଶ୍ଚ ସ କିମର୍ଥ ନ ସେବ୍ୟତେ।।
ଅର୍ଥାତ୍ - ମୁଁ ହାତ ଉଠାଇ ରଡ଼ି ରଡ଼ି ଏତେ ବଡ଼ ପାଟିରେ କହୁଛି, ତଥାପି ମୋ କଥା କେହି ଶୁଣୁନ ?
ଧର୍ମ ଦ୍ୱାରା ହିଁ ଅର୍ଥ ଓ କାମ ପୁରୁଷାର୍ଥ ପ୍ରାପ୍ତ ହେବ। ଧର୍ମ ଅନୁସାରେ କାହିଁକି ଆଚରଣ କରୁ ନାହଁ ??
ତୁଚ୍ଛାରେ ଏଣେ ତେଣେ କାହିଁକି ବୁଲୁଛ ???
ଧର୍ମ ଅନୁସାରେ କାମ ଓ ଅର୍ଥ ଭୋଗ କର। ତେବେ ତୁମକୁ ସୁଖ ମିଳିବ ଓ ତୁମର ଆଧ୍ୟାତ୍ମିକ ଉନ୍ନତି ହେବ।
ଅତଏବ ଧର୍ମର ପରିପାଳନ ଉପରେ ଆମ ହିନ୍ଦୁଶାସ୍ତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇଛି।
ସାଧାରଣ ଜୀବନରେ ମଧ୍ୟ ଆମର ଅନୁଭବ ଏହିପରି। ମନେକର ଜଣେ ବ୍ୟକ୍ତି ଜିଲାପି ଖାଇବାରେ ଆନନ୍ଦ ପାଆନ୍ତି, ସେ ଯଦି କେବଳ ଜିଲାପିରେ ପେଟଭରିବେ, ତେବେ କ'ଣ ହେବ ? ପେଟ ବିଗିଡ଼ି ଯିବ। ଦେହକୁ ଠିକ୍ କରିବା ପାଇଁ ମାସେ ଦୁଇମାସ ପଥ୍ୟ ପାଳନ କରିବାକୁ ହେବ। ଦାମିକିଆ ଔଷଧ ଖାଇବାକୁ ହେବ। ସାଧାରଣ ନିତ୍ୟ ଖାଦ୍ୟ ଖାଇ ହେବ ନାହିଁ। ଅର୍ଥାତ୍ ଦୁଇମାସ ପର୍ଯ୍ୟନ୍ତ ଦୁଃଖ ଭୋଗିବାକୁ ହେବ।
ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ ଶରୀରର ଗୋଟିଏ ଧର୍ମ ଅଛି। ଏ ଶରୀର ଧର୍ମ କହୁଛି ଯେ ଅନେକ ସମୟରେ ଆମେ ରୁଚିକର ଖାଦ୍ୟ ଖାଇପାରିବା, କିନ୍ତୁ ଏହା ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବ। ସ୍ୱାସ୍ଥ୍ୟ ଖରାପ ହେଲେ ନିତ୍ୟ ଆହାର ବି ବର୍ଜନୀୟ ହୋଇଯିବ। ଏଣୁ ଶରୀର ପାଇଁ ସ୍ୱସ୍ଥ ଆହାର ନିତ୍ୟ ନିୟମିତ ଆବଶ୍ୟକ ପରିମାଣରେ ଖାଇବା ଉଚିତ। ଏହା ଦ୍ୱାରା ଶରୀର ସ୍ଵସ୍ଥ ରହିବ। ମଝିରେ ମଝିରେ ବିଶେଷ ରୁଚିର ଖାଦ୍ୟ ଖାଇବାର କ୍ଷମତା ମଧ୍ୟ ପ୍ରାପ୍ତ ହେବ। ସ୍ଵସ୍ଥ ଶରୀରର ଆନନ୍ଦ ବି ମିଳିବ। ଏହାକୁ କହନ୍ତି ଧର୍ମ। ଏଥିରେ ଅଛି ସଂଯମ ଓ ଅନୁଶାସନ।
ଶରୀର ଧର୍ମ ପାଳନ କରିବା ପରେ ବ୍ୟକ୍ତି ଆଉ ଗୋଟିଏ ପାଦ ଆଗକୁ ବଢ଼ି ଥାଏ। ବ୍ୟକ୍ତିର ସମ୍ବନ୍ଧ ପରିବାର ସହିତ ରହିଥାଏ। ନିଜର ସ୍ୱାସ୍ଥ୍ୟ ପାଇଁ ଯେପରି ସଂଯମ ଆଚରଣ କରିବାକୁ ହେଉଛି ଠିକ୍ ସେହିପରି ପରିବାର ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ପଡ଼େ। ଭାବିବାକୁ ହୁଏ ପରିବାର ସୁଖରେ ମୋ ସୁଖ ରହିଛି। ଅର୍ଥାତ୍ ୱାନ୍ ଫର୍ ଅଲ୍ ଏଣ୍ଡ ଅଲ୍ ଫର୍ ୱାନ୍। ଏହାର ଅର୍ଥ ହେଲା ପରିବାରର ପ୍ରତ୍ୟକ ସଦସ୍ୟ ପରିବାର ପାଇଁ ଏବଂ ପରିବାର ମଧ୍ୟ ପ୍ରତ୍ୟେକ ସଦସ୍ୟ ପାଇଁ। ପରିବାରର ସୁଖରେ ମୋ ସୁଖ ରହିଛି। ଏହା ହିଁ ପରିବାର ଧର୍ମ। ଏଥିରେ ଅଛି ପିତୃଧର୍ମ, ମାତୃଧର୍ମ, ପତ୍ନୀଧର୍ମ, ପୁତ୍ରଧର୍ମ ଆଦି..। ଯଦି ସମସ୍ତେ ନିଜ ନିଜ ଧର୍ମ(କର୍ତ୍ତବ୍ୟ) ପାଳନ କରିବେ ତେବେ ପୂରା ପରିବାର ସୁଖୀ ରହିବ। ଯଦି ସମସ୍ତେ କେବଳ ନିଜ ନିଜର ସୁଖ କଥା ଚିନ୍ତା କରିବେ ତେବେ ସମସ୍ତଙ୍କ ସୁଖ ନଷ୍ଟ ହୋଇଯିବ। କେବଳ ସ୍ୱାର୍ଥ ଆଧାରରେ ଚିନ୍ତା କଲେ ପାଶ୍ଚାତ୍ୟ ଦେଶରେ ଯାହା ହେଉଛି ଏଠାରେ ସେହି ଅବସ୍ଥା ହେବ। ସେଠାରେ ତ ପତି ପତ୍ନୀ ବହୁତ ଦିନ ପର୍ଯ୍ୟନ୍ତ ସାଙ୍ଗରେ ରହି ପାରନ୍ତି ନାହିଁ। କିଛି ବର୍ଷ ସାଙ୍ଗରେ ରହିବା ପରେ ବିଚ୍ଛେଦ ହୋଇଯାଆନ୍ତି। ବହୁତ ଛୋଟ ଛୋଟ କାରଣକୁ ନେଇ ବିଚ୍ଛେଦ ହୋଇଥାଏ। ମା' ଓ ପିଲାଙ୍କ ସମ୍ବନ୍ଧ କେବଳ ଔପଚାରିକ ରହିଯାଏ। ଭାରତୀୟମାନଙ୍କୁ ସେଠାକାର ଲୋକେ ପଚାରିଥାନ୍ତି - ଆପଣ ପତି ପତ୍ନୀ ହୋଇ ରହିବାର କେତେ ବର୍ଷ ହେଲାଣି ? ଉତ୍ତର ଯେତେବେଳେ ମିଳେ ୨୦ ବର୍ଷ ୨୫ ବର୍ଷ, ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ଏଥିପାଇଁ ହିନ୍ଦୁ ପରିବାର ପ୍ରତି ସେମାନଙ୍କ ମନରେ ବଡ଼ ସମ୍ମାନର ଭାବ ଉତ୍ପନ୍ନ ହୋଇଥାଏ। ଏହା ହିଁ ହିନ୍ଦୁ ଜୀବନର ବିଶେଷତ୍ୱ। ଜନ୍ମ ସମୟରୁ ହିଁ ଧର୍ମ ଓ ସଂସ୍କୃତିର ସଂସ୍କାର କାରଣରୁ ସଂଯମ ଓ ଅନୁଶାସନ କାରଣରୁ ଏହା ସମ୍ଭବ ହୋଇପାରୁଛି। ବର୍ଷ ବର୍ଷ ଧରି ପରିବାର ଧର୍ମର ପରିପାଳନ ହେତୁ ବିଦେଶରେ ମଧ୍ୟ ଆମର ହିନ୍ଦୁ ବନ୍ଧୁମାନେ ଏହି ଆଦର୍ଶ ସେଠାରେ ମଧ୍ୟ ପ୍ରସ୍ଥାପିତ କରିପାରିଛନ୍ତି। ଯାହାକୁ ଦେଖି ସେଠିକାର ଅଧିବାସୀ ମଧ୍ୟ ପ୍ରଭାବିତ ହେଉଛନ୍ତି।
ଆଜିକାଲି ବିଦେଶରେ ଯେଉଁ ବଡ଼ ବଡ଼ ହିନ୍ଦୁ ସମ୍ମିଳନୀ ହେଉଛି, ସେଥିରେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉ ନାହିଁ। ଦଶ ଦଶ ହଜାର କାର୍, ହଜାରେ ବସ ସମ୍ମିଳନୀ ସ୍ଥାନକୁ ଆସୁଛି। ଲକ୍ଷେ ଲୋକଙ୍କର ସମାଗମ ହେଉଛି। ତଥାପି ଗୋଟିଏ ବି ଦୁର୍ଘଟଣା ହେଉ ନାହିଁ। କିଛି ଅବ୍ୟବସ୍ଥା ହେଉ ନାହିଁ। ସବୁ କିଛି ଶାନ୍ତିରେ ଅନୁଶାସନବଦ୍ଧ ଢଙ୍ଗରେ ହୋଇଯାଉଛି। ପୋଲିସ ନିରବ ଦ୍ରଷ୍ଟା ସାଜୁଛି। ଅର୍ଥାତ୍ ପୋଲିସର ସେଠି କିଛି କାମ ଆବଶ୍ୟକ ହେଉ ନାହିଁ। ଅପର ପକ୍ଷରେ ସେଠିକାର ସ୍ଥାନୀୟ ଅଧିବାସୀଙ୍କର କେତେ ହଜାର ଲୋକ ଏକତ୍ରିତ ହେବାକୁ ଥିଲେ ପୋଲିସକୁ ଆଗରୁ ସତର୍କ ରହିବାକୁ ପଡୁଛି। ସଭା ସରିବା ଯାଏ ପୋଲିସ ଲୋକଙ୍କ ଗଣ୍ଡଗୋଳ ସୁଧାରିବାରେ ପଡ଼ି ଉଠି ଲାଗିରହୁଛି। ବିନା ପୋଲିସରେ ବଡ଼ ସଭା ହେବା ସମ୍ଭବ ନୁହଁ। ଏହାକୁ ନେଇ ସ୍ଥାନୀୟ ଖବରକାଗଜରେ ତୁଳନାତ୍ମକ ଭାବେ ହିନ୍ଦୁସଭା ତଥା ହିନ୍ଦୁ ସଂସ୍କୃତିର ଗୁଣଗାନ କରାଯାଇଥାଏ।

No comments:
Post a Comment