*ଆଧୁନିକ ବିଜ୍ଞାନର ସମର୍ଥନ*
କିଛି ବର୍ଷ ତଳେ ଗ୍ରୀନ କ୍ଲବର ଏକ ବୈଠକ ହୋଇଥିଲା। ଏଇ କ୍ଳବ ବିଶ୍ୱରେ ପର୍ଯ୍ୟାବରଣର ହିତ ଚିନ୍ତା କରିବା ପାଇଁ ଏକ ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା। ଏଇ ଗ୍ରୀନ କ୍ଳବ ବିଶ୍ୱ ବିନାଶର ସତର୍କ ଘଣ୍ଟି ବଜାଇ ସାରିଛି। ସେତେବେଳେ ଇଂଲଣ୍ଡରେ ୩୨ ଜଣ ବିଶିଷ୍ଟ ବୈଜ୍ଞାନିକ, ଯେଉଁମାନେ ନୋବେଲ ସମ୍ମାନ ପାଇସାରିଛନ୍ତି, ଏକାଠି ହୋଇଥିଲେ। ସେମାନେ ଚେତାବନୀ ଦେଇଥିଲେ ଯେ ଯଦି ଏଇଭଳି ସ୍ଥିତି ଚାଲୁ ରହେ ତେବେ ପଚାଶ ବର୍ଷ ଭିତରେ ସାରା ପୃଥିବୀ ନଷ୍ଟ ହୋଇଯିବ। ମଣିଷ ଜୀବିତ ରହିବା ଅସମ୍ଭବ ହୋଇପଡ଼ିବ।
ପାଶ୍ଚାତ୍ୟରେ ସୃଷ୍ଟି ପ୍ରତି ଦୃଷ୍ଟିକୋଣ ହେଲା ଶୋଷଣ। କିନ୍ତୁ ହିନ୍ଦୁର ଦୃଷ୍ଟିକୋଣ ଦୋହନ। ହିନ୍ଦୁ ପ୍ରକୃତିକୁ ମାଆ ବୋଲି ମାନି ଆସିଛି। ସେ ସାରା ବିଶ୍ୱକୁ ଏକାତ୍ମ ଦୃଷ୍ଟିରେ ଦେଖେ। ତା ମତରେ ବ୍ୟକ୍ତି ପରିବାର, ସମାଜ, ମାନବ ସମାଜ ଓ ସୃଷ୍ଟି ସହିତ ସମନ୍ବୟ ରକ୍ଷାକରି ବଞ୍ଚି ପାରିବ। ସୁଖରେ ରହି ପାରିବ। ଅନ୍ୟର ଦୁଃଖ ସୁଖରେ ସାଥି ହୋଇ ପାରିବ। ଏହା ହିଁ ହିନ୍ଦୁର ବିଶ୍ୱ ଦର୍ଶନ।
ଅତ୍ୟାଧୁନିକ ବୈଜ୍ଞାନିକମାନେ ମଧ୍ୟ ପୁରାତନ ଭୌତିକବାଦୀ ସିଦ୍ଧାନ୍ତକୁ ତ୍ୟାଗ କରି ହିନ୍ଦୁ ଦର୍ଶନକୁ ସମର୍ଥନ କଲେଣି। ସମ୍ପୂର୍ଣ୍ଣ ସୃଷ୍ଟିରେ ଏକାତ୍ମତା ଅଛି। ସମସ୍ତଙ୍କ ଭିତରେ ପରସ୍ପର ଅବିଭାଜ୍ୟ ସମ୍ପର୍କ ରହିଛି। ଏହା କୌଣସି ଭୌତିକ ଜଗତ ନୁହଁ। ସୃଷ୍ଟି ଭିତରେ ଜୀଵନ୍ତ ଓ ନିର୍ଜୀବ ଏପରି କୌଣସି ଭେଦ ନାହିଁ। ସମସ୍ତେ ଗୋଟିଏ ଅବିଭାଜ୍ୟ ଏକକର ଅଙ୍ଗ ଉପାଙ୍ଗ ଅଟନ୍ତି। ଏହା ଏବେର ବୈଜ୍ଞାନିକମାନଙ୍କ ମତ।
ଜଣେ ବୈଜ୍ଞାନିକ କହିଛନ୍ତି When an electron vibrates the whole universe shakes. ଅର୍ଥାତ୍ ଏକ ଅତ୍ୟନ୍ତ କ୍ଷୁଦ୍ରାତି କ୍ଷୁଦ୍ର ବିଦ୍ୟୁତ୍ କଣିକା ସ୍ପନ୍ଦିତ ହେଲେ ସାରା ବିଶ୍ୱ ହଲିଥାଏ। ପରସ୍ପର ଏତେ ନିବିଡ଼ ସମ୍ବନ୍ଧ ରହିଛି। ହିନ୍ଦୁ ଦର୍ଶନ କହିଆସିଛି "ଯତ୍ ପିଣ୍ଡେ ତତ୍ ବ୍ରହ୍ମାଣ୍ଡେ।" ଆଜିର ବିଜ୍ଞାନ ମଧ୍ୟ ଏହି ସତ୍ୟକୁ ତା ଭାଷାରେ କହୁଛି "ପରମାଣୁର ଅନ୍ତର୍ବିଶ୍ୱ ଓ ବାହାର ସୃଷ୍ଟିର ଅନ୍ତର୍ଲୋକ ଉଭୟ ଏକାପରି।"
ଏହି ଏକାତ୍ମ ଦୃଷ୍ଟିକୁ ସମର୍ଥନ କରି ଆଧୁନିକ ଜୀଵବିଜ୍ଞାନ ମଧ୍ୟ ଚାର୍ଲସ ଡାରଉଇନଙ୍କ 'ମତ୍ସ୍ୟ ନ୍ୟାୟ' ସିଦ୍ଧାନ୍ତକୁ ବହିଷ୍କାର କରିଛି। ଏହି ବିଜ୍ଞାନ କହୁଛି ଯେ ପ୍ରକୃତି ପରସ୍ପର ସହଯୋଗ, ସହ ଅସ୍ତିତ୍ୱ ଓ ପରସ୍ପରାବଲମ୍ବନ ଉପରେ ନିର୍ଭର। ପ୍ରକୃତିରେ ଏହା ହିଁ ମୁଖ୍ୟ ତତ୍ତ୍ୱ। ସମାଜ ମଧ୍ୟ ଏକ ଜୈବିକ ଅଖଣ୍ଡ ଅସ୍ତିତ୍ୱ। ତାହାର ବ୍ୟବସ୍ଥା ମଧ୍ୟ ସ୍ୱୟଂ ବିକଶିତ ହୋଇଥାଏ। ବାହାରୁ କିଛି ତା ଦେହରେ ଥୋପାଯାଇ ପାରିବ ନାହିଁ। ମନ କେବଳ ଶରୀର ପାଖରେ ଅଟକି ଯିବାଭଳି ସୀମିତ ଚେତନା ନୁହଁ। ବ୍ୟକ୍ତିର ମନ ସେହି ବିଶାଳ ଏକକର ଏକ ଅଂଶ ଅଟେ। ବ୍ୟକ୍ତିର ମନକୁ ଯେତେବେଳେ ଏହି ସୃଷ୍ଟିଠାରୁ ଅଲଗା କରିବାର ଅପଚେଷ୍ଟା କରାଯାଏ, ସେତେବେଳେ ସେ ସୃଷ୍ଟିଛଡ଼ା ହୋଇ ସୃଷ୍ଟିକୁ ଶୋଷଣ କରିବାକୁ ଆଗେଇ ଆସେ।
ମାନବ ବ୍ୟକ୍ତିଠୁଁ ଆରମ୍ଭ ହୋଇ ସୃଷ୍ଟି ପର୍ଯ୍ୟନ୍ତ ଯେଉଁ କ୍ରମ ଅଛି ତାହାର ଏକ ଅବିଭାଜ୍ୟ ଅଙ୍ଗ। ତେଣୁ ତା'ର ସ୍ୱାସ୍ଥ୍ୟ ଓ ଚିକିତ୍ସାର କ୍ରମକୁ ମଧ୍ୟ ଏକ ଏକାତ୍ମ ଶାସ୍ତ୍ର ବୋଲି କୁହାଯାଇଛି। ରୋଗର ଉପଚାର କରିବାର ଅଛି ତ ବ୍ୟାପକ ସାମାଜିକ, ସାଂସ୍କୃତିକ ଓ ନୈସର୍ଗିକ ପରିସର ସହ ଜୀବନଶୈଳୀରେ ଏକାତ୍ମତା ସ୍ଥାପନ କରିବାକୁ ହେବ। ମନୋବିଜ୍ଞାନରେ ମଧ୍ୟ ବ୍ୟକ୍ତିର ସାମାଜିକ ସାଂସ୍କୃତିକ ଓ ଭାବନାତ୍ମକ ପରିସର ଉପରେ ଧ୍ୟାନ ଦେବାକୁ କୁହାଯାଉଛି।
ଏହାକୁ ସଫଳ କରିବା ପାଇଁ ଅନେକ ଦେଶରେ ଜନ ଆନ୍ଦୋଳନ ଚାଲିଛି। ପରିସର ସଂରକ୍ଷଣର ବୋଧ ପ୍ରଖର ହେବାରେ ଲାଗିଛି। ପର୍ଯ୍ୟାବରଣ ସମ୍ବନ୍ଧୀୟ ବିଭିନ୍ନ ସଂଗଠନ ଗଢ଼ା ଯାଉଛି।
ପଶୁ ବଧ ନ କରିବା ପାଇଁ ସ୍ଥାନେ ସ୍ଥାନେ ଆନ୍ଦୋଳନ ଚାଲୁଛି। ଶୋଭାଯାତ୍ରା ବାହାରୁଛି। ପଶୁ ଵଧ ଅନୁଚିତ। ବିଜ୍ଞାନରେ ପ୍ରୟୋଗ ପାଇଁ ଯେଉଁ ପଶୁ ଵଧ ହେଉଛି ଏହା ମଧ୍ୟ ଅନୁଚିତ ବୋଲି ଲୋକେ ମତ ଦେଉଛନ୍ତି। ମଣିଷ ପାଇଁ ମଧ୍ୟ ଏହା ଠିକ୍ ନୁହେଁ। ମଣିଷ ମାଂସାହାର ଛାଡ଼ି ଶାକାହାରୀ ହେଉ। ଲୋକଙ୍କ ଜୀବନ ପଦ୍ଧତି ସରଳ ହେଉ। ଏଇ ଭାବନା ନେଇ ଆଧୁନିକ ସଭ୍ୟତା ଛାଡ଼ି ଭାରତୀୟ ଜୀବନର ଏକାତ୍ମ ଜୀବନଶୈଳୀ ପ୍ରତି ଲୋକଙ୍କର ଆକର୍ଷଣ ବଢୁଛି। କ'ଣ ପାଇଁ ? ସେଇ ଏକା ସୂତ୍ର। ଯେଉଁ ସିଦ୍ଧାନ୍ତ ଦ୍ୱାରା, ଯେଉଁ ଜୀବନଶୈଳୀ ଦ୍ୱାରା ମଣିଷ ସୁଖୀ ହୋଇ ପାରିବ ନାହିଁ, ତା'ର ଦୁଃଖ ବଢ଼ି ଚାଲିବ, ସେଭଳି ଜୀବନଶୈଳୀକୁ ସେ କାହିଁକି ଗ୍ରହଣ କରିବ ?
ୱାସିଂଗଟନର ଆର୍ଥିକ ପ୍ରବୃତ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜେରେମି ରିଫକିନ ଆମେରିକା ସମସ୍ୟାର ସମାଧାନ ପାଇଁ ଲେଖିଥିଲେ ଯେ "ଭୌତିକ କାମନା ଗୁଡ଼ିକର ପୂର୍ତ୍ତିରେ ନୁହେଁ ବରଂ ବିଶ୍ୱର ଏକାତ୍ମ ଭାବ ସହ ଏକରୂପ ହେଲେ ମୁକ୍ତି ମିଳିବ।"

No comments:
Post a Comment