*ହୃଦିକନ୍ଦର ତାମସ ଭାସ୍କର ହେ*
ମୃଗର ନିଜ ଶରୀରରେ କସ୍ତୁରୀ ଥିବା ଭଳି ମଣିଷ ଭିତରେ ସୁଖ ରହିଛି। ମନ ଶାନ୍ତ ଥିଲେ ସୁଖ ମିଳେ। ସୃଜନଶୀଳ ଅବସ୍ଥା ପ୍ରାପ୍ତ ହୁଏ। ମନ ଯେତେବେଳେ ପୂର୍ଣ୍ଣ ଶାନ୍ତ ହୋଇଯାଏ ସେତେବେଳେ ସେ ଆତ୍ମାର ସ୍ୱରୂପ ପ୍ରାପ୍ତ କରେ। ଆତ୍ମା ତ ଜ୍ଞାନର ଭଣ୍ଡାର। ମଣିଷ ଯାହା କିଛି ଚାହୁଁଛି ସବୁ ସେଇଠୁ ପ୍ରାପ୍ତ ହୋଇଥାଏ। ଆଇନଷ୍ଟାଇନଙ୍କ ଭଳି ବଡ଼ ବଡ଼ ବୈଜ୍ଞାନିକ ମଧ୍ୟ ଏହା ସ୍ୱୀକାର କରି କହିଛନ୍ତି ଯେ କେବଳ ବୁଦ୍ଧି ଦ୍ୱାରା ଆମେ ଏ ସମସ୍ତ ଆବିଷ୍କାର କରି ନାହୁଁ। Intuition ଦ୍ୱାରା ଅର୍ଥାତ୍ ବୁଦ୍ଧି ବାହାରେ ଯେଉଁ ଅତିନ୍ଦ୍ରିୟ ବା ଏପରି କୌଣସି ଆନ୍ତରିକ ଚେତନା ବା ପ୍ରଜ୍ଞାର ଜାଗରଣ ଦ୍ୱାରା ଆମ ମସ୍ତିଷ୍କରୁ ଏ ସବୁ ବାହାରିଛି। ଆଧୁନିକ ବଡ଼ ବଡ଼ ବୈଜ୍ଞାନିକ, ଜୀଵ ବିଜ୍ଞାନୀ, କଳାକାର, ସମସ୍ତଙ୍କ କହିବା କଥା ହେଲା ଯେ କେଉଁଠୁ ଏ ପ୍ରକାଶ ଆସୁଛି, ଏ କଥା ଆମକୁ ଜଣା ନାହିଁ। କେବେ କେବେ ଗଭୀର ନିଦ୍ରା ପରେ ଏହା ଆସିଯାଏ। କେବେ ମନ ଶାନ୍ତ ଥିଲେ ତ ତୁରନ୍ତ ଆସିଯାଏ।
ଏ କଥା କେବଳ ବୈଜ୍ଞାନିକ ମାନଙ୍କ କ୍ଷେତ୍ରରେ ଘଟେ ଏପରି ନୁହେଁ, ସାଧାରଣ ବ୍ୟକ୍ତିଙ୍କର ବି ଏଇ ଅନୁଭବ ରହିଛି। ବେଳେବେଳେ ଆମେ ଆମର କିଛି ପରିଚିତ ବ୍ୟକ୍ତିଙ୍କ ନାଁ ଭୁଲିଯାଉ। ଅନେକ ଜାଣିଥିବା କଥା ଭୁଲିଯାଉ। ପରେ ଆମେ ଗଭୀର ନିଦ୍ରାରୁ ଉଠିବା ସମୟରେ ସେ ବ୍ୟକ୍ତି ଓ କେତେବେଳେ ସେ କଥା ସବୁ ଆମ ସ୍ମରଣକୁ ଆସିଯାଇଥାଏ। କାହିଁକି ଏପରି ଘଟେ ? ଏହାର କାରଣ ହେଲା ଗଭୀର ନିଦ୍ରାରେ ମନ ବହୁ ପରିମାଣରେ ଶାନ୍ତ ହୋଇଯାଇଥାଏ।
ବେଳେବେଳେ ନିଦରେ ମଧ୍ୟ ଭଲ ବିଚାର ଆସେ। ଆମେ ସମସ୍ତେ ଜାଣିଛୁ Marie Curie ରେଡ଼ିୟମ ଆବିଷ୍କାର କରିଥିଲେ। ଏଥିପାଇଁ ସେ ଅନେକ ପ୍ରୟୋଗ କରିଛନ୍ତି। ଅନେକ ରାତି ଅନିଦ୍ରା ହୋଇଛନ୍ତି। ହଠାତ୍ ଦିନେ ସକାଳୁ ଉଠି ସେ ତାଙ୍କ ଟେବୁଲ ଉପରେ ଗୋଟିଏ ଲେଖା ଦେଖି ଆଶ୍ଚର୍ଯ୍ୟ ହେଲେ। ସେ ଯାହା ଯାହା ଖୋଜୁଥିଲେ ସେହି ବିଷୟ ସବୁ ଟେବୁଲ ଉପରେ ଲେଖାହୋଇ ରହିଛି । ବହୁ ଦିନରୁ ସେ ଯାହାକୁ ଖୋଜୁଥିଲେ, ଯାହାକୁ ପାଇବା ପାଇଁ ବ୍ୟାକୁଳ ହେଉଥିଲେ, ଯେଉଁ ସବୁ ସୂତ୍ର ତାଙ୍କୁ ମିଳୁ ନ ଥିଲା, ସେହି ସୂତ୍ର ସବୁ ସେ କାଗଜରେ ଲେଖାଯାଇଥିଲା। ସେ ଯେତେବେଳେ ଭଲ ଭାବରେ ଦେଖିଲେ ଏ ଅକ୍ଷର ଆଉ କାହାର ନୁହେଁ, ଏହା ତାଙ୍କ ନିଜ ଅକ୍ଷର, ସେତେବେଳେ ସେ ଭାବିବାକୁ ଲାଗିଲେ ଯେ ରାତିରେ ମୁଁ କେତେବେଳେ ଉଠିଲି ? କେତେବେଳେ ମୁଁ ଏ ସବୁ ଲେଖିଲି ?? ପ୍ରକୃତରେ ସେ ସେଦିନ ରାତିରେ ଉଠିପଡ଼ିଥିଲେ ଓ ସବୁ ଲେଖିଦେଇ ପୁଣି ଶୋଇ ପଡ଼ିଥିଲେ। କିନ୍ତୁ ଏ କଥା ତାଙ୍କ ସ୍ମରଣକୁ ଆସୁ ନ ଥାଏ। ଏଥିରୁ ଜଣାପଡୁଛି ମନ ଯେତେବେଳେ ଶାନ୍ତ ଥାଏ ତା ଭିତରେ ପ୍ରଚଣ୍ଡ ସୃଜନ କ୍ଷମତା ଥାଏ। ସୁଖ ଥାଏ। ସାରା ଜ୍ଞାନର ଗନ୍ତାଘର ତା ଭିତରେ ଥାଏ। ଏଥିପାଇଁ ଯିଏ ବି ଜୀବନରେ କିଛି ନା କିଛି ଆବିଷ୍କାର କରିଛନ୍ତି ସେ ସବୁ ଏହି ସ୍ଥିତିରେ କରିଛନ୍ତି। ଏହି ସୃଜନ ବିଷୟରେ ପଚାରିଲେ ସେମାନେ କୁହନ୍ତି ଏହା ଈଶ୍ୱରଙ୍କ ଦାନ। ପ୍ରାର୍ଥନାରେ ଆମେ ମଧ୍ୟ କହିଥାଉଁ "ହୃଦି କନ୍ଦର ତାମସ ଭାସ୍କର ହେ।" ପ୍ରକୃତରେ ଏହା କୌଣସି ଶୁଷ୍କ ତାତ୍ତ୍ଵିକ କଥା ନୁହଁ ବରଂ ପ୍ରତ୍ୟକ୍ଷ ବୈଜ୍ଞାନିକ ଅନୁଭବ ଅଟେ।
ଏଥିରୁ ଏହା ସ୍ପଷ୍ଟ ଯେ ବ୍ୟକ୍ତି ଜୀବନରେ ଯଦି ସୁଖ ଆବଶ୍ୟକ, ଯଦି ସେ ତାଙ୍କର ସୃଜନଶୀଳତା ବା କର୍ତ୍ତୃତ୍ୱର ବିକାଶ ହେବା ଚାହୁଁଥିବେ, ଯଦି ସେ ସମସ୍ତ ପ୍ରକାର ଜ୍ଞାନର ଆବିଷ୍କାର କରିବାକୁ ଇଚ୍ଛୁକ ତେବେ ନିଜର ମୂଳକୁ ଯିବାକୁ ପଡ଼ିବ। ଆତ୍ମ ସାକ୍ଷାତ୍କାର କରିବାକୁ ହେବ। ଏଥିପାଇଁ ତାଙ୍କୁ ଧର୍ମ ମାର୍ଗରେ ହିଁ ଚାଲିବାକୁ ହେବ।

No comments:
Post a Comment